Unknown

 

 

 

 

 

 

 

 

 

 

 

ମହାଭାରତ

କୁଳମଣି ଜେନା

 

ନିଜକଥା

 

‘ମହାଭାରତ’ ସମ୍ପର୍କରେ ମୁଖବନ୍ଧ ନିଷ୍ପ୍ରୟୋଜନ ।

 

‘ମହାଭାରତ’ ଗ୍ରନ୍ଥ ଆକାରରେ ଯେପରି ବିରାଟ, ଭାବ ଓ ମହତ୍ତ୍ୱରେ ସେହିପରି ଗଭୀର, ବର୍ଣ୍ଣନାରେ ସେହିପରି ପ୍ରାଣସ୍ପର୍ଶୀ ଓ ବିଚିତ୍ର ଚରିତ୍ର ଚିତ୍ରଣରେ ସେହିପରି ସଜୀବ । ମହାଭାରତ ଗ୍ରନ୍ଥର କେବଳ ଧର୍ମ ବା ନୀତିଶିକ୍ଷା ଦିଗରୁ ନୁହେଁ, ଯେଉଁ ଯେଉଁ ଅନୁକୂଳ ବା ପ୍ରତିକୂଳ ପରିସ୍ଥିତି ବା ମାନବିକ ବିଭାବ ମାନବଜୀବନକୁ ଯୁଗ ଯୁଗ ଧରି ଆକୃଷ୍ଟ, ଆଗ୍ରହାନ୍ୱିତ, ପରିପୁଷ୍ଟ, ପ୍ରୋତ୍ସାହିତ, ଏପରିକି କଳୁଷିତ କରିଆସୁଅଛି, ମହାଭାରତର ପ୍ରତିଟି ପୃଷ୍ଠା ମାନବଜୀବନର ସେହି ଚିରନ୍ତନ ବାସ୍ତବତା’ର ଚକ୍ରରେ ସମୁଜ୍ଜ୍ୱଳ । ସେଥିପାଇଁ ଏହି ଗ୍ରନ୍ଥର ଜନପ୍ରିୟତା ସର୍ବାଧିକ । ତଥାପି ଏହି ଗ୍ରନ୍ଥର ସ୍ୱାଭାବିକ ବିରାଟକାୟ ଅନେକଙ୍କୁ ରସାସ୍ୱାଦନରୁ ବଞ୍ଚିତ କରିଅଛି ।

 

‘ଶ୍ରଦ୍ଧାଞ୍ଜଳି’ ନାମକ, ସାର୍ବଜନୀନ ସାଂସ୍କୃତିକ ପରିଷଦ ପକ୍ଷରୁ କଟକ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହାଭାରତ ଗ୍ରନ୍ଥର ଆଲୋଚନା ନିମନ୍ତେ ଯେଉଁ ପ୍ରତିଭା ଓ ଆଲୋଚନା ଚକ୍ରମାନ ବର୍ଷ ବର୍ଷ ଧରି ଅନୁଷ୍ଠିତ ହେଉଅଛି, ସେହି ‘ଶ୍ରଦ୍ଧାଞ୍ଜଳି’ର ମୁଖ୍ୟ-ବ୍ୟବସ୍ଥାପକ ଭାବରେ ମୋର ଦାୟିତ୍ୱ ସମ୍ପନ୍ନ କଲାବେଳେ ଏହି ବିରାଟ କଳେବର ବିଶିଷ୍ଟ ମହାଭାରତର ପାଠ ନିମନ୍ତେ ଯେଉଁମାନେ ଆବଶ୍ୟକୀୟ ସମୟ ଦେଇପାରିନାହାନ୍ତି, ସେହିମାନଙ୍କ ମନରେ ମହାଭାରତ ବର୍ଣ୍ଣିତ ବିଷୟ ସମ୍ପର୍କରେ ଏକ ପ୍ରାଥମିକ ଧାରଣା ପ୍ରତିଷ୍ଠା କରି ମୂଳଗ୍ରନ୍ଥର ଅଧ୍ୟୟନ ନିମନ୍ତେ ଅଧିକ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସଂକ୍ଷିପ୍ତ ସାର ମହାଭାରତର ଆବଶ୍ୟକତା ଅନୁଭବ କରିଥିଲି-। ଏହି ପୁସ୍ତକଟି ତେଣୁ ସେହିମାନଙ୍କ ପାଇଁ ଉବ୍ଦିଷ୍ଟ ।

 

ଏହି ଗ୍ରନ୍ଥରେ ମୂଳ ମହାଭାରତର ମୁଖ୍ୟ ଗଳ୍ପାଂଶକୁ କେବଳ ସଂକ୍ଷିପ୍ତ କରାଯାଇଛି, ଏବଂ ଏପରିକି ମହାଭାରତ ବର୍ଣ୍ଣିତ ବହୁ ପ୍ରାସଙ୍ଗିକ ତଥା ଉପାଦେୟ ଆଖ୍ୟାୟିକା ସନ୍ନିବେଶିତ କରିବାକୁ ଇଚ୍ଛାପୋଷଣ କରିଥିଲେ ମଧ୍ୟ କାଳେ ତବ୍ଦ୍ୱାରା ପୁସ୍ତକର କଳେବର ବୃଦ୍ଧିପ୍ରାପ୍ତ ହୋଇପାଠକର ବିରକ୍ତଭାଜନ ହେବ ଏବଂ ଆଲୋଚନାର ମୂଳ ଲକ୍ଷ୍ୟକୁ ବ୍ୟାହତ କରିବ, ସେହି ଆଶଙ୍କାରେ ସେସବୁକୁ ଏଠାରେ ସ୍ଥାନ ଦେଇପାରି ନାହିଁ । ଏହି ପୁସ୍ତକ ବର୍ଣ୍ଣିତ ବିଷୟମାନ ମୁଖ୍ୟତଃ ମୂଳ ସଂସ୍କୃତି ମହାଭାରତ ଉପରେ ଆଧାରିତ । ଏହି ପୁସ୍ତକରେ ଯଦି ଭାବ ବା ତଥ୍ୟଗତ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ସେଥିପ୍ରତି ମୋର ଦୃଷ୍ଟି ଆକୃଷ୍ଟ କରାଗଲେ ଭବିଷ୍ୟତରେ ଏହାର ଆବଶ୍ୟକୀୟ ସଂଶୋଧନ ପ୍ରତି ଯତ୍ନବାନ ହେବି ।

 

ମୂଳ ସଂସ୍କୃତ ମହାଭାରତ, ଆଦିକବି ଶାରଳା ଦାସ, ରାଜା କୃଷ୍ଣ ସିଂହଙ୍କ ଲିଖିତ ଓଡ଼ିଆ ମହାଭାରତ, କାଳୀପ୍ରସନ୍ନ ସିଂହ ଓ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କର ବଙ୍ଗଳା ଓ ଓଡ଼ିଆ ଭାଷାରେ ଅପ୍ରକାଶିତ ମହାଭାରତ ଅନୁବାଦ ଓ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କର ସଂକ୍ଷିପ୍ତ ଇଂରାଜୀ ମହାଭାରତ ଆଦି ଗ୍ରନ୍ଥମାନ ଏହି ପୁସ୍ତକ ରଚନା ସମୟରେ ମୋର ବିଶେଷ ସହାୟକ ହୋଇଅଛୁ-। ସେଥିପାଇଁ ସେହି ସ୍ୱନାମଧନ୍ୟ ଯୋଗଜନ୍ମା କବି ଓ ଲେଖକମାନଙ୍କ ନିକଟରେ ମୁଁ କୃତଜ୍ଞ-। ଏହି ପୁସ୍ତକ ରଚନା ସମୟରେ ପିତୃତୁଲ୍ୟ ଶୁଭାନୁଧ୍ୟାୟୀ ଓ ଶ୍ରଦ୍ଧାଞ୍ଜଳିର ଉପସ୍ଥିତ ସୁଯୋଗ୍ୟ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ, ଏମ୍‌. ବି. ଏଲ୍‌., ମୋର ଶ୍ରଦ୍ଧେୟ ଅନୁଜ ଶ୍ରୀମାନ୍ ଚିତ୍ତରଞ୍ଜନ ଜେନା, ଶ୍ରୀମାନ୍ ରମେଶଚନ୍ଦ୍ର ଜେନା ଓ ଶ୍ରୀମାନ୍ ବିଚିତ୍ରାନନ୍ଦ ଜେନା ଶ୍ରଦ୍ଧାଞ୍ଜଳିର ନିଷ୍ଠାପର ସଭ୍ୟ ଶ୍ରୀ କାଳୀଚରଣ ମିଶ୍ର ପ୍ରମୁଖ ବିଭିନ୍ନ ଭାବରେ ସାହାଯ୍ୟ ସହଯୋଗ ଓ ଉତ୍ସାହ ପ୍ରଦାନ କରି ମୋତେ ଅନୁଗୃହୀତ କରିଅଛନ୍ତି ।

 

ଯେଉଁମାନଙ୍କ ଉବ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ କରାଯାଉଅଛି, ସେମାନଙ୍କ ଦ୍ୱାରା ସହାନୁଭୂତିର ସହ ଏହା ଆଦୃତ ହେଲେ ମୋର ଶ୍ରମ ସାର୍ଥକ ହେବ ।

 

ମହାଭାରତ ମହୋତ୍ସବ ମଣ୍ଡପ

ଶ୍ରୀ କୁଳମଣି ଜେନା

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ, ଯାଜପୁର

 

୧୭-୫-୧୯୭୦

 

Image

 

 

 

 

 

 

 

।। ଉତ୍ସର୍ଗ ।।

 

ଶ୍ରଦ୍ଧେୟା ଶ୍ରୀମତୀ କଲ୍ୟାଣୀ କଳ୍ପନା ବିଶ୍ୱାସ

ହାତରେ ଗଭୀର ଆଶୀର୍ବାଦର ସହିତ

ଉତ୍ସର୍ଗୀକୃତ ।

Image

 

ସୂଚୀପତ୍ର

 

୧.

ପ୍ରସ୍ତାବନା

୨.

ବ୍ୟାସଦେବ

୩.

ଭୀଷ୍ମ

୪.

ଅମ୍ବାରୁ ଶିଖଣ୍ଡୀ

୫.

ଧୃତରାଷ୍ଟ୍ର, ପାଣ୍ଡୁ ଓ ବିଦୁରଙ୍କ ଜନ୍ମ

୬.

ମାଣ୍ଡବ୍ୟ ଉପାଖ୍ୟାନ

୭.

ପାଣ୍ଡବ ଓ କୌରବମାନଙ୍କର ଜନ୍ମ

୮.

ପାଣ୍ଡବଙ୍କର ସାବଧାନତା

୯.

ଦ୍ରୋଣଙ୍କ ଶିକ୍ଷକତା

୧୦.

କୃତ୍ରିମ ସମର ପ୍ରଦର୍ଶନୀ

୧୧.

ଜତୁଗୃହ ଦାହ

୧୨.

ବକରାକ୍ଷସ ବଧ

୧୩.

ଦ୍ରୋପଦୀ ସ୍ୱୟମ୍ବର

୧୪.

ପାଣ୍ଡବଙ୍କ ରାଜ୍ୟଲାଭ

୧୫.

ଦୁର୍ଯ୍ୟୋଧନର ମନ୍ତ୍ରଣା ଓ ଦ୍ୟୂତକ୍ରୀଡ଼ା

୧୬.

ସଭାରେ ଦ୍ରୋପଦୀ-ଲାଞ୍ଛନା

୧୭.

ଦ୍ୟୂତରେ ପାଣ୍ଡବଙ୍କର ପୁନଃ ପରାଜୟ

୧୮.

ପାଣ୍ଡବଙ୍କ ବନବାସ

୧୯.

ଉର୍ବଶୀଙ୍କ ଅଭିଶାପ

୨୦.

ଭୀମ ହନୁମାନ ସାକ୍ଷାତ

୨୧.

ଯୁଧିଷ୍ଠିର-ଅଜଗର ସମ୍ବାଦ

୨୨.

ଦୁର୍ଯ୍ୟୋଧନଙ୍କ ପରାଭାବ

୨୩.

ଯାହାକୁ ରଖିବେ ଅନନ୍ତ

୨୪.

ଜୟଦ୍ରଥ ପରାଭାବ

୨୫.

କର୍ଣ୍ଣଙ୍କର ଦାନ

୨୬.

ଯୁଧିଷ୍ଠିର-ଯକ୍ଷ ସମ୍ବାଦ

୨୭.

ଅଜ୍ଞାତବାସର ଉଦ୍ୟମ

୨୮.

କୀଚକ ବଧ

୨୯.

କୌରବଙ୍କର ମତ୍ସ୍ୟଦେଶ ଆକ୍ରମଣ

୩୦.

ପାଣ୍ଡବଙ୍କ ଆତ୍ମପ୍ରକାଶ

୩୧.

ରାଜ୍ୟଲାଭ ପାଇଁ ପାଣ୍ଡବଙ୍କୁ ବନ୍ଧୁମାନଙ୍କର ଉପଦେଶ

୩୨.

କୃଷ୍ଣଙ୍କର ସାହାଯ୍ୟ

୩୩.

ସନ୍ଧି-ପ୍ରସ୍ତାବ

୩୪.

ସନ୍ଧିପ୍ରତି ଦୁର୍ଯ୍ୟୋଧନଙ୍କର ଅସମ୍ମତ

୩୫.

ହସ୍ତିନା ଉବ୍ଦେଶ୍ୟରେ କୃଷ୍ଣଙ୍କର ଯାତ୍ରା

୩୬.

କୌରବ ସଭାରେ କୃଷ୍ଣଙ୍କର ସନ୍ଧି ପ୍ରସ୍ତାବ

୩୭.

କର୍ଣ୍ଣ-କୁନ୍ତୀ ସାକ୍ଷାତ

୩୮.

ସମର ପ୍ରସ୍ତୁତି

୩୯.

ଯୁଦ୍ଧର ପୂର୍ବ ମୁହୂର୍ତ୍ତ

୪୦.

ଯୁଦ୍ଧ ଆରମ୍ଭ

୪୧.

ଭୀଷ୍ମଙ୍କର ଶରଶଯ୍ୟା

୪୨.

ଅଭିମନ୍ୟୁ ନିଧନ

୪୩.

ଜୟଦ୍ରଥ ବଧ

୪୪.

ଦ୍ରୋଣଙ୍କର ମୃତ୍ୟୁ

୪୫.

କର୍ଣ୍ଣଙ୍କର ପତନ

୪୬.

ଦୁର୍ଯ୍ୟୋଧନଙ୍କ ଉରୁଭଙ୍ଗ

୪୭.

ନୈଶ ଆକ୍ରମଣ

୪୮.

ପାଣ୍ଡବଙ୍କର ପ୍ରତିଶୋଧ

୪୯.

ଧ୍ରୁତରାଷ୍ଟ୍ରଙ୍କ ସହ ପାଣ୍ଡବଙ୍କ ସାକ୍ଷାତ

୫୦.

ଯୁଧିଷ୍ଠିରଙ୍କର ଅନୁଶୋଚନା

୫୧.

ଅଶ୍ୱମେଧ ଯଜ୍ଞ

୫୨.

ଧ୍ରୁତରାଷ୍ଟ୍ର ପ୍ରମୁଖଙ୍କର ଅରଣ୍ୟବାସ

୫୩.

ବ୍ୟାସଙ୍କ ଦ୍ୱାରା ପ୍ରେତ ଆହ୍ୱାନ ଓ ଧ୍ରୁତରାଷ୍ଟ୍ର ପ୍ରମୁଖଙ୍କର ସ୍ୱର୍ଗବାସ

୫୪.

କୃଷ୍ଣଙ୍କର ତିରୋଧାନ

୫୫.

ମହାପ୍ରସ୍ଥାନ

୫୬.

ଧର୍ମପୁତ୍ରଙ୍କ ନର୍କ ଦର୍ଶନ

୫୭.

ପ୍ରାସଙ୍ଗିକ ସୂଚନା

Image

 

ପ୍ରସ୍ତାବନା

 

ସମୟ–ବହୁ ବର୍ଷତଳର ବିସ୍ମୃତ ଅତୀତର କୌଣସି ଏକ ଦିବସ ।

 

ସ୍ଥାନ–ନୌମିଷାରଣ୍ୟର ଏକ ପବିତ୍ର ଯଜ୍ଞ-ପୀଠ ।

 

କୁଳପତି ମହର୍ଷି ଶୌନକ ଦୀର୍ଘ ଦ୍ୱାଦଶ-ବର୍ଷ-ବ୍ୟାପୀ ଏକ ପବିତ୍ର ଯଜ୍ଞ ଅନୁଷ୍ଠାନ କରୁଥାନ୍ତି; ସେହି ସମୟରେ ମହର୍ଷି ଲୋମହର୍ଷଣଙ୍କ ସୁଯୋଗ୍ୟ ପୁତ୍ର ଉଗ୍ରଶ୍ରବା ସୌତି ଯଜ୍ଞପୀଠରେ ଆସି ଉପସ୍ଥିତ ହେଲେ । ସାଧାରଣତଃ ସୌତି ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଶାସ୍ତ୍ରପୁରାଣାଦି ଆଲୋଚନା କରିଥାନ୍ତି; ତେଣୁ ସୌତିଙ୍କୁ ଦେଖି ନୈମିଷାରଣ୍ୟର ଋଷିମାନେ ଅତି ହୃଷ୍ଟଚିତ୍ତରେ ତାଙ୍କୁ ସମାଦରପୂର୍ଣ୍ଣ ସ୍ୱାଗତ ଅଭିବାଦନ ଜଣାଇଲେ । କୁଶଳ ପ୍ରଶ୍ନ ପରେ ଋଷିମାନେ ସୌତିଙ୍କୁ କଥାପ୍ରସଙ୍ଗରେ ପଚାରିଲେ, ‘ହେ ସୁତନନ୍ଦନ, ଆପଣ ଏତେକାଳ ଧରି କେଉଁ କେଉଁ ସ୍ଥାନ ପର୍ଯ୍ୟଟନ କଲେ ଏବଂ ବର୍ତ୍ତମାନ କେଉଁ ସ୍ଥାନରୁ ଏଠାକୁ ଆସିଲେ, ତାହା ଦୟାପୂର୍ବକ ପ୍ରକାଶ କରି ଆମ୍ଭମାନଙ୍କର କୌତୁହଳ ଚରିତାର୍ଥ କରନ୍ତୁ ।’

 

ସୌତି କହିଲେ–ହେ ମହର୍ଷିବୃନ୍ଦ, ମହାତ୍ମା ଜନ୍ମେଜୟଙ୍କ ଦ୍ୱାରା ଅନୁଷ୍ଠିତ ସର୍ପଯଜ୍ଞ ଦର୍ଶନ କରିବାକୁ ଯାଇଥିଲି । ସେଠାରେ ବୈଶମ୍ପାୟନଙ୍କୁ ମୁଖରୁ କୃଷ୍ଣଦ୍ୱୈପାୟନଙ୍କ କଥିତ ମହାଭାରତ କଥା ଶୁଣିବାକୁ ପାଇଲି । ସର୍ପଯଜ୍ଞ ସମାପ୍ତ ହେବାପରେ ମୁଁ ବିଭିନ୍ନ ତୀର୍ଥ ପର୍ଯ୍ୟଟନ କଲି, ବିଶେଷକରି ଯେଉଁସ୍ଥାନରେ କୁରୁ-ପାଣ୍ଡବଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଅନୁଷ୍ଠିତ ହୋଇଥିଲା, ସେହି ସମସ୍ତ ପଞ୍ଚକ ତୀର୍ଥକୁ ମଧ୍ୟ ଯାଇଥିଲି । ସେହି ପବିତ୍ର ସ୍ଥାନରୁ ବର୍ତ୍ତମାନ ଏଠାକୁ ଆସି ଆପଣମାନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଅଛି । ଆପଣମାନେ ଯଜ୍ଞରେ ଆହୁତି ପ୍ରଦାନ କରି ପବିତ୍ର ମନରେ ଉପବେଶନ କରିଅଛନ୍ତି । ଧର୍ମସମ୍ବନ୍ଧୀୟ କୌଣସି ପୌରାଣିକ କଥା, କିମ୍ବା ରାଜାମାନଙ୍କର ଇତିହାସ କିମ୍ବା ଋଷିମାନଙ୍କର କଥା ଯଦି ଶୁଣିବାକୁ ଆପଣମାନେ ବର୍ତ୍ତମାନ ଚାହୁଁଥାନ୍ତି, ତାହା ହେଲେ ମୋତେ ଅନୁମତି ପ୍ରଦାନ କରନ୍ତୁ, ମୁଁ ସେସବୁ ବର୍ଣ୍ଣନା କରି ଆପଣମାନଙ୍କର ପ୍ରୀତିବର୍ଦ୍ଧନ କରିବି ।

 

ସୌତିଙ୍କର କଥା ଶୁଣି ଋଷିମାନେ କହିଲେ; ଭଗବାନ୍ ବେଦବ୍ୟାସ ଯେଉଁ ଇତିହାସ ରଚନା କରିଅଛନ୍ତି, ବ୍ରହ୍ମର୍ଷି ତଥା ଦେବଗଣ ଯେଉଁ ଗ୍ରନ୍ଥ ଶ୍ରବଣ କରି ପ୍ରଶଂସାରେ ପଞ୍ଚମୁଖ, ରାଜା ଜନ୍ମେଜୟଙ୍କ ନିକଟରେ ସର୍ପଯଜ୍ଞ ସମୟରେ ବୈଶମ୍ପାୟନ ଯେଉଁ ଗ୍ରନ୍ଥ କୀର୍ତ୍ତନ କରିଅଛନ୍ତି, ଯେଉଁ ଗ୍ରନ୍ଥରେ ବେଦର ସାରତତ୍ତ୍ୱ ନିହିତ ଏବଂ ପବିତ୍ରମନରେ ଯେଉଁ ଗ୍ରନ୍ଥ ଶ୍ରବଣ କଲେ ସକଳ ପାପ କ୍ଷୟପ୍ରାପ୍ତ ହୋଇଥାଏ, ବେଦବ୍ୟାସଙ୍କ ପ୍ରଣିତ ସେହି ପବିତ୍ର ଗ୍ରନ୍ଥ ଶ୍ରବଣ କରିବାକୁ ଆମ୍ଭେମାନେ ବିଶେଷ ଉତ୍କଣ୍ଠିତ ।

 

ଋଷିମାନଙ୍କର କଥା ସୌତିଙ୍କୁ ପ୍ରୀତ କଲା । ସେ କହିଲେ-ଯେ ଏହି ଅଖଣ୍ଡ ବିଶ୍ୱ ବ୍ରହ୍ମାଣ୍ଡର ଆଦି ଏବଂ ଅଦ୍ୱିତୀୟ ଅଧୀଶ୍ୱର, ଯେ ଅଖିଳ ଜଗତର ସ୍ରଷ୍ଟା, ଶାସ୍ତ୍ର ଯାହାଙ୍କୁ ପରମ ବ୍ରହ୍ମ ବୋଲି ନିର୍ବ୍ଦେଶ କରିଅଛି, ଯାହାଙ୍କୁ ଲାଭ କରିବା ଉବ୍ଦେଶ୍ୟରେ ମାନବସମାଜରେ କୁଚ୍ଛ୍ର ସାଧନର ଅନ୍ତ ନାହିଁ, ସେହି ଅନାଦି ଅନନ୍ତ, ସକଳ ଅଭୀଷ୍ଟ ସିଦ୍ଧିଦାତା, ଚରାଚର ଗୁରୁ, ବିଶ୍ୱରକ୍ଷକ ହରିଙ୍କ ଚରଣକୁ ବନ୍ଦନା କରି ବେଦବ୍ୟାସଙ୍କ ପ୍ରଣୀତ ଏହି ପବିତ୍ର ଇତିହାସ ମୁଁ ବର୍ତ୍ତମାନ କୀର୍ତ୍ତନ କରୁଅଛି-। ବହୁ ମହାତ୍ମା ଏହି ଇତିହାସ ପୂର୍ବରୁ କହିଯାଇ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ କହିବେ-। ବେଦର ସାରତତ୍ତ୍ୱ ଉପରେ ଭିତ୍ତିକରି ବେଦବ୍ୟାସ ଏହି ଗ୍ରନ୍ଥ ରଚନା କରିଅଛନ୍ତି ଏବଂ ଏହି ଗ୍ରନ୍ଥର ଭାବ, ଭାଷା ଓ ଛନ୍ଦ ଅତି ରମଣୀୟ ହୋଇଥିବାରୁ ପଣ୍ଡିତମାନଙ୍କର ଏହା ବିଶେଷ ସମ୍ବାଦର ଳାଭ କରିଅଛି । ଏହି ଗ୍ରନ୍ଥରେ ଅନ୍ୟାନ୍ୟ ବିଷୟ ମଦ୍ୟରେ କୁରୁବଂଶର ଇତିହାସ, ଗାନ୍ଧାରୀଙ୍କର ଧର୍ମଶୀଳତା, ବିଦୁରଙ୍କର ଉଦାର ବୁଦ୍ଧି, କୁନ୍ତୀଙ୍କର ଅପୂର୍ବ ଧୈର୍ଯ୍ୟ, ବାସୁଦେବଙ୍କର ଅଲୌକିକ ମାହାତ୍ମ୍ୟ, ପାଣ୍ଡବମାନଙ୍କର ସାରଲ୍ୟ ଓ ଦୁର୍ଯ୍ୟୋଧନ ପ୍ରମୁଖ ଧ୍ରୁତରାଷ୍ଟ୍ର ପୁତ୍ରଙ୍କର ଦୁର୍ବୁତ୍ତତା ଆଦି ବିଷୟମାନ ଅତି ପ୍ରାଞ୍ଜଳ ଭାବରେ ବ୍ୟାସଦେବ ବର୍ଣ୍ଣନା କରିଅଛନ୍ତି । ବ୍ୟାସଦେବ ଏହି ମହାନ୍ ଗ୍ରନ୍ଥ ରଚନା କରି ସର୍ବପ୍ରଥମେ ନିଜର ପୁତ୍ର ଶୁକଦେବଙ୍କୁ ଏବଂ ପରେ ନିଜର ଶିଷ୍ୟମାନଙ୍କୁ ଅଧ୍ୟୟନ କରାଇଥିଲେ । ଏହି ଶିଷ୍ୟମାନଙ୍କ ମଧ୍ୟରେ ଦେବଳ, ଅସିତ ଓ ବୈଶମ୍ପାୟନ ପ୍ରଧାନ-। ଅସିତ ଓ ଦେବଳ ପିତୃଲୋକରେ, ଶୁକ ଗନ୍ଧର୍ବଲୋକରେ ଓ ବୈଶମ୍ପାୟନ ମନୁଷ୍ୟଲୋକରେ ଏହି ଗ୍ରନ୍ଥର ବହୁଳ ପ୍ରଚାର କରିଅଛନ୍ତି । ଯେପରି ଦଧି ମଧ୍ୟରେ ଲହୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ, ଚାରିବେଦ ମଧ୍ୟରେ ଆରଣ୍ୟକ, ଔଷଧ ମଦ୍ୟରେ ଅମୃତ, ପଶୁମାନଙ୍କ ମଧ୍ୟରେ ଧେନୁ ଶ୍ରେଷ୍ଠ, ସେହିପରି ଇତିହାସ ମଧ୍ୟରେ ବେଦବ୍ୟାସଙ୍କ ପ୍ରଣୀତ ଏହି ମହାଭାରତର ସ୍ଥାନ ଅତି ଉଚ୍ଚରେ । ପୂର୍ବେ ଦେବତାମାନେ ସମବେତ ହୋଇତୁଳଦଣ୍ଡର ଏକ ପାର୍ଶ୍ୱରେ ବ୍ୟାସଦେବଙ୍କ ରଚିତ ଗ୍ରନ୍ଥକୁ ସ୍ଥାପନ କରି ତୁଳନା କଲାବେଳେ ମହତ୍ତ୍ୱ ଓ ଭଗବତ୍ୱ (ଓଜନ) ରେ ଏହି ଗ୍ରନ୍ଥ ବେଦମାନଙ୍କ ଅପେକ୍ଷା ଅଧିକ ହେବାରୁ ଦେବତାମାନେ ଏହି ଗ୍ରନ୍ଧକୁ ‘ମହାଭାରତ’ ନାମରେ ନାମିତ କରିଅଛନ୍ତି । ସକଳ-ପାପ-କ୍ଷୟକାରୀ ଏହି ପବିତ୍ର ଗ୍ରନ୍ଥର ଅଧ୍ୟୟନ ଓ ଶ୍ରବଣ ଜନସମାଜକୁ ପୁଣ୍ୟଭାଗୀ କରିଥାଏ ।’

 

ସୌତି କହୁଥାନ୍ତି; ମହାରାଜ ଜନ୍ମେଜୟଙ୍କର ସର୍ପ ଯଜ୍ଞରେ ଚାତ୍ୱକ ଭାବରେ ଚଣ୍ଡଭାର୍ଗବଙ୍କ ନେତୃତ୍ୱରେ କୌଚ୍ଛଉଦ୍‌ଗାତା, ଶ୍ରୁତଶ୍ରବା, ମୌଦ୍‌ଗଲ୍ୟ ଓ ସମସୌରଭ ପ୍ରମୁଖ ବହୁ ବେଦଜ୍ଞ ବ୍ରାହ୍ମଣମାନେ ଯଜ୍ଞକାର୍ଯ୍ୟ ପରିଚାଳନା କରୁଥାନ୍ତି ଓ ଯଜ୍ଞର ପ୍ରଜ୍ଜ୍ୱଳିତ ଅଗ୍ନିରେ ପ୍ରତିମୁହୂର୍ତ୍ତରେ ହଜାର ହଜାର ସଂଖ୍ୟାରେ ସର୍ପମାନେ ସ୍ୱତଃ ନିପତିତ ହେଉଥାନ୍ତି, ସେହି ସମୟରେ ଶିଷ୍ୟମାନଙ୍କ ସହ ବ୍ୟାସଦେବ ଯଜ୍ଞଦର୍ଶନ କରିବା ଉବ୍ଦେଶ୍ୟରେ ଆସି ଯଜ୍ଞସ୍ଥାନରେ ଉପସ୍ଥିତ ହେଲେ । ବେଦବ୍ୟାସଙ୍କୁ ଦେଖି ସମବେତ ବ୍ୟକ୍ତିମାନେ ଆସନରୁ ଉତ୍‌ଥିତ ହୋଇହୃଷ୍ଟଚିତ୍ତରେ ତାଙ୍କୁ ବିନମ୍ର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ପରମ ସନ୍ତୋଷରେ ଆସୀନ ହେବାପରେ ଅନ୍ୟମାନେ ସ୍ୱପ୍ନ ଆସନ ଗ୍ରହଣ କଲେ ।

 

ମହାରାଜା ଜନ୍ମେଜୟ ସେହି ଅବସରରେ ବେଦବ୍ୟାସଙ୍କୁ ପଚାରିଲେ ଭଗବାନ୍ ଆମର ପୂର୍ବପୁରୁଷ କୁରୁ-ପାଣ୍ଡବଙ୍କ ମଧ୍ୟରେ ଘଟିଥିବା ଯୁଦ୍ଧ ଆଦି ସକଳ ବୃତ୍ତାନ୍ତ ଆପଣ ସ୍ୱଚକ୍ଷୁରେ ଦର୍ଶନ କରିଅଛନ୍ତି । ସେମାନଙ୍କ ମଧ୍ୟରେ ଏପରି ସଂଘର୍ଷ ଯେ କାହିଁକି ଉପୁଜିଲା, ସେସବୁ କଥା ଶୁଣିବାକୁ ମନରେ ବିଶେଷ ଆଗ୍ରହ ଜାତ ହେଉଅଛି ।’

 

ଜନ୍ମେଜୟଙ୍କର ସେହି ବିନୟୋକ୍ତିରେ ବ୍ୟାସଦେବ ସନ୍ତୁଷ୍ଟ ହୋଇତାଙ୍କ ସହ ଆସିଥିବା ଶିଷ୍ୟ ବୈଶମ୍ପାୟନଙ୍କୁ କହିଲେ, ‘ବାବା ବୈଶମ୍ପାୟନ, କୁରୁ ପାଣ୍ଡବଙ୍କ ମଧ୍ୟରେ ଘଟିଥିବା ଭ୍ରାତୃବିବାଦ ସମ୍ପର୍କିତ ସକଳ ବିଷୟ ତୁମେ ମୋ’ଠାରୁ ଶୁଣିଅଛ । ତାହା ବର୍ତ୍ତମାନ କୀର୍ତ୍ତନ କର ।’

 

ବ୍ୟାସଦେବଙ୍କ ଆଦେଶକ୍ରମେ ଶିଷ୍ୟ ବୈଶମ୍ପାୟନ ଗୁରୁଙ୍କ ଚରଣରେ ପ୍ରଣିପାତ ହୋଇଯଜ୍ଞସ୍ଥାନରେ ସମବେତ ଥିବା ସୁଧୀମଣ୍ଡଳୀଙ୍କୁ ପ୍ରଣାମ କଲେ ଏବଂ ତତ୍ପରେ ମହାଭାରତ-ରୂପୀ ଇତିହାସକୁ ସେଠାରେ ଉପସ୍ଥାପିତ କରିବାକୁ ଆରମ୍ଭ କଲେ ।

 

ବୈଶମ୍ପାୟନ କହିଲେ; ‘ମହାରାଜ, ଭଗବାନ୍ ବେଦବ୍ୟାସଙ୍କ ମୁଖନିଃସୃତ ଏହି ଅମୃତତୂଲ୍ୟ ମହାଭାରତ କଥା ଯେପରି ରମଣୀୟ, ସେ ଗ୍ରନ୍ଥର ଶ୍ରୋତାଭାବରେ ଆପଣ ସେହିପରି ଉପଯୁକ୍ତ ପାତ୍ର । ଏହି ଅନୁକୂଳ ପରିବେଶରେ ମହାଭାରତର ଉପସ୍ଥାପନା କରିବାକୁ ଗଲାବେଳେ ମୁଁ ନିଜକୁ ବିଶେଷ ଉତ୍ସାହିତ ମନେ କରୁଅଛି । କୃଷ୍ଣ ଦ୍ୱେପାୟନଙ୍କ ଦ୍ୱାରା ରଚିତ ଏହି ଗ୍ରନ୍ଥ ଯେପରି ପବିତ୍ର, ସେହିପରି ଆକାରରେ ଅତି ବିରାଟ; ତେଣୁ ଏହାର କଥନ ଓ ଶ୍ରବଣ ବହୁ ସମୟସାପେକ୍ଷ । ଏହି ଗ୍ରନ୍ଥରେ ଭରତବଂଶୀୟ ନରପତିମାନଙ୍କ ବଂଶର ଇତିହାସ ବର୍ଣ୍ଣନା କରାଯାଇଥିବାରୁ ଏହାର ନାମ ମହାଭାରତ ହୋଇଅଛି । ମହର୍ଷି ବେଦବ୍ୟାସ ନିରବଚ୍ଛିନ୍ନ ଭାବରେ ଦୀର୍ଘ ତିନିବର୍ଷକାଳ ସାଧନା କରି ଏହି ଗ୍ରନ୍ଥ ରଚନା ସମ୍ପୂର୍ଣ୍ଣ କରିଅଛନ୍ତି । ସମୁଦ୍ର ଓ ହିମଗିରି ଯେପରି ରତ୍ନାକର ବୋଲି ପ୍ରସିଦ୍ଧ, ସେହିପରି ମହାଭାରତ ଉତ୍କୃଷ୍ଟ ଇତିହାସ ଭାବରେ ଖ୍ୟାତ । ଏହି ବିଶାଳ ମହାଭାରତ ଏପରି ଏକ ଉଚ୍ଚକୋଟୀର ଗ୍ରନ୍ଥ ଯେ, ଏହାର ବର୍ଣ୍ଣିତ ବିଷୟ ଅନ୍ୟତ୍ର ଥାଇପାରେ, କିନ୍ତୁ ଯାହା ଏ ଗ୍ରନ୍ଥରେ ଅଛି, ଅନ୍ୟ ଗ୍ରନ୍ଥରେ ସେସବୁ ବିଷୟ ଉପସ୍ଥିତ ଏକାନ୍ତ ଦୁଷ୍ପ୍ରାପ୍ୟ ।

 

ଏହିପରି ଭାବରେ ଶିଷ୍ୟଶିରୋମଣି ବୈଶମ୍ପାୟନ ମହାରାଜ ଜନ୍ମେଜୟ ଓ ସମବେତ ସୁଧାମଣ୍ଡଳୀଙ୍କୁ ପବିତ୍ର ମହାଭାରତ ଶୁଣାଇବାକୁ ଲାଗିଲେ ।

Image

 

ବ୍ୟାସଦେବ

 

ସତ୍ୟବତୀଙ୍କର ଜନ୍ମ-ବୃତ୍ତାନ୍ତ ବିଶେଷ କୌତୁହଳପୂର୍ଣ୍ଣ ।

ପୁରୁ-ବଂଶର ମହାରାଜା ଉପରିଚର ମଧ୍ୟ ବସୁ ନାମରେ ପରିଚିତ ଥିଲେ । ସେ ପରମ ଧାର୍ମିକ ଥିଲେ ଓ କଠୋର ତପସ୍ୟା ଆଚରଣ ଦ୍ୱାରା ଦେବତାମାନଙ୍କୁ ସନ୍ତୁଷ୍ଟ କରି ସୁଖ ଓ ଶାନ୍ତିରେ ରାଜ୍ୟ ପାଳନ କରୁଥିଲେ । ଏକଦା ବସନ୍ତ ସମୟରେ ଉପରିଚରଙ୍କର ପତ୍ନୀ ପରମାସୁନ୍ଦରୀ ରାଣୀ ଗିରିଜା ଋତୁସ୍ନାତା ହୋଇସନ୍ତାନ କାମନା ପୋଷଣ କରି ସ୍ୱାମୀ-ସାନ୍ନିଧ୍ୟ ଲାଭ ଉବ୍ଦେଶ୍ୟରେ ମହାରାଜ ଉପରିଚରଙ୍କ ନିକଟରେ ଉପସ୍ଥିତ ହେଲେ; କିନ୍ତୁ ପତ୍ନୀଙ୍କ ସହ ପ୍ରୀତି-ବିହାର କରିବା ପୂର୍ବରୁ ପିତୃପୁରୁଷମାନଙ୍କର ଆକସ୍ମିକ ଆଦେଶକ୍ରମେ ଗିରିଜାଙ୍କୁ ତ୍ୟାଗକରି ଉପରିଚରଙ୍କୁ ତତ୍‌କ୍ଷଣାତ୍ ମୃଗୟା ଉବ୍ଦେଶ୍ୟରେ ବନକୁ ଯିବାକୁ ପଡ଼ିଥିଲା ।

ବସନ୍ତକାଳୀନ ଅରଣ୍ୟର ଅନିର୍ବଚନୀୟ ଶୋଭା ଓ ପରିବେଶର ସଂସ୍ପର୍ଶରେ ଆସି ଉପରିଚର ବିଶେଷ ଭାବରେ ପତ୍ନୀ-ବିରହରେ ପୀଡ଼ିତ ହୋଇପଡ଼ିଲେ ଏବଂ ସେହି ଆକସ୍ମିକ ଚିତ୍ତଚାଞ୍ଚଲ୍ୟ ଫଳରେ ସେହି ଅରଣ୍ୟ ମଧ୍ୟରେ ତାଙ୍କର ଶୁକ୍ର-ସ୍ଖଳନ ଘଟିଲା–ଏହି ଉଭୟ ବିଷୟକୁ ବିଚାର କରି ପତ୍ନୀଙ୍କର ଋତୁକାଳ ଓ ନିଜର ଶୁକ୍ରକୁ ପଠାଇ ଦେବାକୁ ରାଜା ସମୀଚୀନ ମନେ କଲେ । ମନ୍ତ୍ରୋଚ୍ଚାରଣପୂର୍ବକ ଶୁକ୍ରକୁ ଶୋଧନ କରି ଏକ ପାତ୍ର ମଧ୍ୟରେ ସ୍ଥାପନ କଲେ ଏବଂ ନିକଟସ୍ଥ ଗୋଟିଏ ବାଜପକ୍ଷୀକୁ ଡ଼ାକି ଉପରିଚର କହିଲେ, ‘‘ଆଜି ମୋର ପତ୍ନୀ ସନ୍ତାନ କାମନା କରି ମୋ’ ଅପେକ୍ଷାରେ ରାଜ ଅନ୍ତଃପୁରରେ ଅଛନ୍ତି । ତେଣୁ ତୁମ୍ଭେ ଏହି ପାତ୍ରସ୍ଥ ଶୁକ୍ରକୁ ନେଇ ତାଙ୍କୁ ସତ୍ୱର ପ୍ରଦାନ କର ।’

ଉପରିଚରଙ୍କ ନିର୍ବ୍ଦେଶାନୁସାରେ ବାଜପକ୍ଷୀଟି ଶୁକ୍ର-ପାତ୍ରଟିକୁ ଥଣ୍ଟରେ ଧରି ରାଜପୁର ଉବ୍ଦେଶ୍ୟରେ ଆକାଶ ମାର୍ଗରେ ଉଡ଼ି ଉଡ଼ି ଚାଲିଗଲା । ଠିକ୍ ଯମୁନା ନଦୀକୁ ଅତିକ୍ରମ କରି ଯାଉଥିବା ସମୟରେ ଶୁକ୍ର-ପାତ୍ରଟିକୁ କୌଣସି ଆମିଷ ଆହାର ବୋଲି ଅନୁମାନ କରି ଅନ୍ୟ ଏକବାଜପକ୍ଷୀ ତାକୁ ଝାମ୍ପି ନେବାକୁ ଚେଷ୍ଟା କଲା । ଫଳରେ ପାତ୍ରରୁ ଶୁକ୍ର ଯମୁନା ନଦୀର ଜଳରେ ଖସି ପଡ଼ିଲା ।

ସେତେବବେଳେ ଯମୁନା ନଦୀର ଜଳରେ ଆଦ୍ରିକା ନାମକ ଏକ ଅପ୍ସରା ବ୍ରହ୍ମଶାପଗ୍ରସ୍ତା ହୋଇମୀନ ରୂପରେ ବାସ କରୁଥିଲା । ମନୁଷ୍ୟ ସନ୍ତାନ ଜନ୍ମ କଲେ ମୀନ ଜନ୍ମରୁ ଉଦ୍ଧାର ପାଇବ ବୋଲି ଆଦ୍ରିକାକୁ ଇନ୍ଦ୍ର ବର ପ୍ରଦାନ କରିଥିଲେ । ବାଜପକ୍ଷୀର ଥଣ୍ଟରୁ ଶୁକ୍ର ଜଳରେ ଖସି ପଡ଼ିବାମାତ୍ରେ ଆଦ୍ରିକା ଅତି ଶୀଘ୍ର ଆସି ତା’କୁ ଭକ୍ଷଣ କଲା । ଦଶମାସ ପରେ ଦାସରାଜା ନାମକ ଗୋଟିଏ ଧୀବରର ଜାଲରେ ମୀନ-ରୂପୀ ଆଦ୍ରିକା ଧରାପଡ଼ିଲା । ମତ୍ସ୍ୟର ଗର୍ଭରୁ ପୁତ୍ର ଓ କନ୍ୟା ଏପରି ଦୁଇଟି ମନୁଷ୍ୟ ସନ୍ତାନ ବାହାରିବାର ଦେଖି ଦାସରାଜା ଅତି ଆଶ୍ଚର୍ଯ୍ୟ ହୋଇମହାରାଜ ଉପରିଚରଙ୍କ ନିକଟରେ ସକଳ ବୃତ୍ତାନ୍ତ ନିବେଦନ କଲେ । ଉପରିଚର ତହିଁ ମଧ୍ୟରୁ ପୁତ୍ରଟିକୁ ନିଜେ ଗ୍ରହଣ କରି କନ୍ୟାଟିକୁ ସେହି ଧୀବରକୁ ଦେଇଦେଲେ । ପୁତ୍ରଟିର ନାମ ମତ୍ସ୍ୟରାଜ ଓ କନ୍ୟାଟିର ନାମ ସତ୍ୟବତୀ । ମତ୍ସ୍ୟ ଗର୍ଭରୁ ଜାତ ହୋଇଥିବାରୁ ସତ୍ୟବତୀର ଶରୀରରୁ ଅତି ଉତ୍କଟ ମତ୍ସ୍ୟଗନ୍ଧ ନିର୍ଗତ ହେଉଥିଲା; ସେଥିପାଇଁ ସତ୍ୟବତୀର ଅନ୍ୟ ନାମ ଥିଲା ମତ୍ସ୍ୟଗନ୍ଧା । ଦାସ ରାଜାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲା, ତେଣୁ ନିଜର କନ୍ୟା ଭାବରେ ସତ୍ୟବତୀଙ୍କୁ ସେ ଲାଳନପାଳନ କଲେ । ଯମୁନା ନଦୀର ଗୋଟିଏ ଘାଟରେ ନାବିକ ଭାବରେ କାର୍ଯ୍ୟ କରି ଦାସରାଜା ନିଜର ଜୀବିକା ଅର୍ଜନ କରନ୍ତି । ସତ୍ୟବତୀ ବଡ଼ ହୋଇଯିବା ପରେ ଘାଟ ବାହିବା କାର୍ଯ୍ୟରେ ସମୟେ ସମୟେ ପିତାଙ୍କୁ ସାହାଯ୍ୟ ମଧ୍ୟ କରନ୍ତି ।

 

ଦିନକର କଥା । ପିତାଙ୍କର ଅନୁପସ୍ଥିତିରେ ସତ୍ୟବତୀ ଘାଟ ବାହୁଛନ୍ତି, ଏହି ସମୟରେ ଋଷି ପରାଶର ତୀର୍ଥ ପର୍ଯ୍ୟଟନରେ ଭ୍ରମଣ କରୁ କରୁ ଯମୁନା ନଦୀ ପାର ହେବାପାଇଁ ସେହି ଘାଟରେ ଆସି ଉପସ୍ଥିତ ହେଲେ । ସେତେବେଳେ ଘାଟରେ ଋଷି ପରାଶରଙ୍କ ବ୍ୟତୀତ ଅନ୍ୟ କେହି ପଥୁକୀ ନ ଥିବାରୁ ଋଷିଙ୍କୁ ଏକା ନେଇ ସତ୍ୟବତୀ ନୌକା ବାହିଲେ । ନାବରେ ସତ୍ୟବତୀଙ୍କୁ ଏକାକୀ ଦେଖି ଦିବ୍ୟଦ୍ରଷ୍ଟା ଋଷି ପରାଶର ଆପାତ ଦୃଷ୍ଟିରେ କାମପରବଶ ହୋଇସତ୍ୟବତୀ ସହ ରତିକ୍ରୀଡ଼ା କରିବାକୁ ଆଗ୍ରହୀ ହୋଇସତ୍ୟବତୀଙ୍କୁ ମନ କଥା କହିଲେ ।

 

ଋଷିଙ୍କର ପ୍ରସ୍ତାବ ଶୁଣି ଯୁବତୀ ସତ୍ୟବତୀଙ୍କର ଲାଜର ସୀମା ରହିଲା ନାହିଁ । ସେ ବିନୀତ ଭାବରେ କହିଲେ; ‘ପ୍ରଭୁ ! ନଦୀର ଉଭୟ ପାର୍ଶ୍ୱରେ ପଥୁକୀମାନେ ଆସି ନୌକା ଅପେକ୍ଷାରେ ବସିଗଲେଣି, ଏପରି ଅବସ୍ଥାରେ ମୁଁ ବା କିପରି ଆପଣଙ୍କୁ ସନ୍ତୁଷ୍ଟ କରିପାରିବି ?’’

 

ସତ୍ୟବତୀଙ୍କ କଥା ଶୁଣି ପରାଶର କହିଲେ, ‘‘ସେ ବିଷୟରେ ତୁମେ ବିଚଳିତ ହୁଅ ନାହିଁ । କେହି ଯେପରି ଆମକୁ ଦେଖି ନ ପାରିବେ, ସେଥିପାଇଁ ମୁଁ ତପସ୍ୟା ବଳରେ ଆମ ଚତୁର୍ବ୍ଦିଗରେ ଘନ କୁଜ୍‌ଝଟିକା ସୃଷ୍ଟି କରିଦେଉଛି ।’’ ସତକୁ ସତ, ପରାଶରଙ୍କ ତୁଣ୍ଡରୁ କଥା ସରିନାହିଁ ଚତୁର୍ବ୍ଦିଗରେ ଘନ କୁହୁଡ଼ି ବ୍ୟାପିଗଲା ।

 

ସତ୍ୟବତୀ ତଥାପି ଆପତ୍ତି ଉଠାଇ କହିଲେ, ‘‘ଭଗବାନ୍ ! ମୁଁ ଅବିବାହିତା, ତେଣୁ ବାପଘରେ ବାସ କରୁଅଛି । ଆପଣଙ୍କ ସହ ରତି-କ୍ରୀଡ଼ାରେ ଜଡ଼ିତ ହେଲେ ମୋର କୁମାରୀ-ଧର୍ମ ଓ ଶୁଚିତା ନଷ୍ଟ ହେବ, ମୁଁ ସମାଜରେ ମୁହଁ ଦେଖାଇପାରିବି ନାହିଁ ।’’

 

ପରାଶର କହିଲେ, ‘‘ସେଥିପାଇଁ ମଧ୍ୟ ଭୟ କର ନାହିଁ । ମୋର କାମନା ପୂର୍ଣ୍ଣ କଲେ ତୁମର କୁମାରୀର ଧର୍ମ ନଷ୍ଟ ହେବ ନାହିଁ ।’’

 

ଋଷିଙ୍କର ଅଲୌକିକ ଶକ୍ତି ସମ୍ବନ୍ଧରେ ସତ୍ୟବତୀଙ୍କ ସନ୍ଦେହ ନଥିଲା; ତେଣୁ ଆଉ ଆପତ୍ତି ନକରି ଋଷିଙ୍କ ପ୍ରସ୍ତାବରେ ସତ୍ୟବତୀ ସମ୍ମତ ହୋଇଗଲେ । ସେହି ନୌକା ମଧ୍ୟରେ ଦିବ୍ୟଦ୍ରଷ୍ଟା ମହର୍ଷି ପରାଶର ସତ୍ୟବତୀଙ୍କୁ ଗ୍ରହଣ କଲେ । କାମନା ପୂର୍ଣ୍ଣ ହେବା ପରେ ସତ୍ୟବତୀଙ୍କ ଉପରେ ସନ୍ତୁଷ୍ଟ ହୋଇପରାଶର ତାଙ୍କୁ ଗୋଟିଏ ବର ପ୍ରଦାନ କଲେ । ଫଳରେ ସତ୍ୟବତୀଙ୍କ ଅଙ୍ଗରୁ ଚିରଦିନ ପାଇଁ ମତ୍ସ୍ୟଗନ୍ଧ ଦୂର ହୋଇସୁଗନ୍ଧ ନିର୍ଗତ ହେଲା ଏବଂ ଯୋଜନ ପର୍ଯ୍ୟନ୍ତ ମହକରେ ବ୍ୟାପ୍ତ କରିଦେଲା । ସେହିଦିନଠାରୁ ସତ୍ୟବତୀ ଯୋଜନଗନ୍ଧା ନାମରେ ପରିଚିତା ହେଲେ ।

 

ଋଷି ପରାଶରର ତପସ୍ୟାର ଶକ୍ତି ଅଲୌକିକ ଥିଲା । ନାବରୁ ଅବତରଣ କରିବା ପୂର୍ବରୁ ନଦୀ ମଧ୍ୟରେ ଦ୍ୱୀପ ସଦୃଶ ଏକ ସ୍ଥଳଭାଗ ଦେଖି, ସେଠାରେ ତତ୍‌କ୍ଷଣାତ୍ ଗର୍ଭମୋଚନ କରିବାକୁ ସତ୍ୟବତୀଙ୍କୁ ପରାଶର ନିର୍ବ୍ଦେଶ ଦେଲେ ଏବଂ ଦେଖୁ ଦେଖୁ ସତ୍ୟବତୀ ସେହି ଦ୍ୱୀପରେ ଏକ ପୁତ୍ର ସନ୍ତାନ ଜନ୍ମଦେଲେ ।

 

ଜନ୍ମ ହେବାମାତ୍ରେ ମାତା ସତ୍ୟବତୀଙ୍କୁ ପ୍ରଣାମ କରି ଶିଶୁପୁତ୍ର କହିଲେ, ‘‘ମା, ମୁଁ ଯେଉଁଠି ଥାଏ ନା କାହିଁକି, ଆପଣ ମୋତେ ସ୍ମରଣ କଲେ ମୁଁ ଆସି ଉପସ୍ଥିତ ହେବି ।’’ ଏହା କହି ପିତାଙ୍କ ସହିତ ଶିଶୁପୁତ୍ରଟି ଚାଲିଗଲେ ।

 

ପରାଶରଙ୍କ ଔରସରେ ଜାତ ଏହି ପୁତ୍ର ଦ୍ୱୀପରେ ଜନ୍ମଗ୍ରହଣ କରିଥିବାରୁ ଦ୍ୱୈପାୟନ ନାମରେ ଏବଂ ତାଙ୍କର ଶରୀର କୃଷ୍ଣବର୍ଣ୍ଣ କୃଷ୍ଣ ଦ୍ୱୈପାୟନ ଥିବାରୁ ପରିଚିତ ହେଲେ । ବଦରିକାଶ୍ରମରେ ରହୁଥିବାରୁ ତାଙ୍କର ଅନ୍ୟ ନାମ ଥିଲା ବାଦରାୟଣ । ସେ ପରବର୍ତ୍ତୀ ଜୀବନରେ ବେଦକୁ ବିଭାଗୀକୃତ କରିଥିବାରୁ ବେଦବ୍ୟାସ ବା ବ୍ୟାସଦେବ ନାମରେ ମଧ୍ୟ ସୁପରିଚିତ ।

 

ନିଜର ଅଲୌକିକ ତପସ୍ୟା ବଳରେ ସମସ୍ତ ସନାତନ ଶାସ୍ତ୍ର, ବିଶେଷ କରି ବେଦ ପ୍ରଭୃତିର ସାରତତ୍ତ୍ୱକୁ ଉପଜୀବ୍ୟ କରି ନିଜର ଶିଷ୍ୟମାନଙ୍କର ଅଧ୍ୟୟନ ନିମନ୍ତେ ଏକ କାବ୍ୟ ରଚନା କରିବାକୁ ବ୍ୟାସଦେବ ପରିକଳ୍ପନା କରିଥିଲେ ଏବଂ ସେଥିପାଇଁ ବ୍ରହ୍ମାଙ୍କ ନିକଟରେ ନିବେଦନ କଲେ; ‘‘ଭଗବାନ, ମୁଁ ଏକ ଅଦ୍ଭୁତ କାବ୍ୟ ରଚନା କରିବାକୁ କଳ୍ପନା କରିଅଛି । ତହିଁରେ ବେଦ, ବେଦାଙ୍ଗ, ଉପନିଷଦ ପ୍ରଭୃତି ଗ୍ରନ୍ଥର ସାରତତ୍ତ୍ୱ ସହ ଇତିହାସ, ପୁରାଣ, ଭୂତ, ଭବିଷ୍ୟତ ଓ ବର୍ତ୍ତମାନ କାଳର ବିଷୟ, ବିଭିନ୍ନ ଧର୍ମ ଓ ଆଶ୍ରମ ସମ୍ପର୍କିତ ବିଷୟମାନ ସନ୍ନିବେଶିତ କରିବାର କଳ୍ପନା କରିଅଛି । କିନ୍ତୁ ମୋଠାରୁ ଶ୍ରୁତଲିଖନ ନେଇ ଲେଖିବ, ଏପରି ଜଣେ ସୁଦକ୍ଷ ଲେଖକ ଏତେ ବଡ଼ ବିଶ୍ୱରେ ମୁଁ ପାଉନାହିଁ ।’’

 

ବ୍ରହ୍ମା କହିଲେ, ‘‘ବତ୍ସ ! ଏ ଅଖିଳ ଲୋକରେ ଯେତେ ମୁନି ଅଛନ୍ତି, ସେମାନଙ୍କ ମଧ୍ୟରେ ତତ୍ତ୍ୱଜ୍ଞାନ ଅଧିକାରୀ ଭାବରେ ତୁମେ ସର୍ବଶ୍ରେଷ୍ଠ । ତୁମେ ସର୍ବଦା ସତ୍ୟ ଓ ବ୍ରହ୍ମବାଣୀ ଉଚ୍ଚାରଣ କରିଥାଅ । ତେଣୁ ତୁମ୍ଭର ଏହି ପରିକଳ୍ପିତ କାବ୍ୟ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବରେ ବିଶେଷ ପ୍ରସିଦ୍ଧି ଳାଭ କରିବ । ଲେଖକ ପଦରେ ବରଣ କରିବାପାଇଁ ତୁମେ ବର୍ତ୍ତମାନ ଗଣେଶଙ୍କୁ ଧ୍ୟାନ କର ।’’

 

ବ୍ରହ୍ମାଙ୍କ କଥାନୁସାରେ ବ୍ୟାସଦେବ ଭଗବାନ ଗଣେଶଙ୍କ ଉବ୍ଦେଶ୍ୟରେ ଧ୍ୟାନ କରି ଅନୁରୂପ ପ୍ରାର୍ଥନା ଜଣାଇ କହିଲେ, ‘‘ଭଗବାନ, ମୋ’ ପରିକଳ୍ପିତ ମହାଭାରତ ଗ୍ରନ୍ଥ ମୁଁ କହୁଅଛି, ଅନୁଗ୍ରହ ପୂର୍ବକ ଆପଣ ମୋଠାରୁ ଶ୍ରୁତଲିଖନ ନିଅନ୍ତୁ ।’’

 

ଗଣେଶ କହିଲେ, ‘‘ଭଲ କଥା, କିନ୍ତୁ ଥରେ ମୋର ଲେଖନୀ ଲେଖିବା ଆରମ୍ଭ କଲେ ଲେଖା ଶେଷ ନହେବା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଗତିରେ ଲେଖିଚାଲିଥାଏ । ତେଣୁ ତଦନୁସାରେ ଯଦି ଶ୍ରୁତଲିଖନ ଦେଇପାରିବ, ତେବେ ମୁଁ ଲେଖିବାକୁ ସମ୍ମତ ଅଛି ।’’

 

ବ୍ୟାସଦେବ କହିଲେ, ‘‘ପ୍ରଭୁ ! ମୁଁ ଆପଣଙ୍କୁ ସର୍ତ୍ତ ଗ୍ରହଣ କରୁଅଛି; ମାତ୍ର ମୋର ଗୋଟିଏ ଅନୁରୋଧ, ମୁଁ ଯାହାସବୁ କହିବି, ଆପଣ ସେ ସବୁର ଅର୍ଥ ନବୁଝି କେବେ ଲେଖିବେ ନାହିଁ ।’’

 

ବ୍ୟାସଦେବଙ୍କ ପ୍ରତିସର୍ତ୍ତରେ ଭଗବାନ ଗଣେଶ ସମ୍ମତ ହୋଇତାଙ୍କଠାରୁ ଶ୍ରୁତଲିଖନ ନେଇ ଲେଖିବସିଲେ । କଥିତ ଅଛି ଯେ, ସ୍ଥାନେ ସ୍ଥାନେ ବ୍ୟାସଦେବ ଜଟିଳ ଶ୍ଳୋକମାନ ରଚନା କରି ଦିଅନ୍ତି ଓ ତହିଁର ଅର୍ଥ ଗଣେଶ ବୁଝୁ ବୁଝୁ ସେହି ଅବସରରେ ବ୍ୟାସଦେବ ଆଉ ଅନେକ ଶ୍ଳୋକର କଳ୍ପନା କରିନିଅନ୍ତି ।

 

ଏହିପରି ଭାବରେ ଭଗବାନ ଗଣେଶଙ୍କର ଅପୂର୍ବ ସହାୟତାରେ ବ୍ୟାସଦେବ ସର୍ବଜ୍ଞାନ ସମନ୍ୱିତ, ଅଖିଳ ଜଗତର ପରମ ହିତକାରୀ ଅତୁଳନୀୟ ମହାନ ମହାଭାରତ ଗ୍ରନ୍ଥ ରଚନା କରିଥିଲେ ।

Image

 

ଭୀଷ୍ମ

 

ବାନପ୍ରସ୍ଥାଶ୍ରମ ଗ୍ରହଣ କରିବା ପୂର୍ବରୁ ମହାରାଜ ପ୍ରତୀପ ନିଜର ସର୍ବଗୁଣସମ୍ପନ୍ନ ପୁତ୍ର ଶାନ୍ତନୁଙ୍କୁ ରାଜସିଂହାସନରେ ଅଭିଷିକ୍ତ କରିଯାଇଥିଲେ ।

 

ଏକଦା ମୃଗୟାରୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଗଙ୍ଗାନଦୀ କୂଳରେ ସାକ୍ଷାତ୍‍ ଲକ୍ଷ୍ମୀସଦୃଶା ଏକ ପରମା ସୁନ୍ଦରୀ ଯୁବତୀଙ୍କୁ ଦେଖିବାକୁ ପାଇ ରାଜା ଶାନ୍ତନୁ ବିଶେଷ ଭାବରେ କାମାବିଷ୍ଟ ହୋଇପଡ଼ିଲେ ଏବଂ ଶ୍ରୁତିମଧୁର କାବ୍ୟରେ ତରୁଣୀଙ୍କୁ ସମ୍ବୋଧନ କରି କହିଲେ, ‘‘କୃଶାଙ୍ଗି, ଦେବ, ଦାନବ, ଗନ୍ଧର୍ବ, ଅପ୍ସରା ବା ମନୁଷ୍ୟ ମଧ୍ୟରୁ କେଉଁ କୁଳକୁ ତୁମେ ଧନ୍ୟ କରିଅଛ, ଜାଣେନା; ତଥାପି ତୁମର ପାଣିଗ୍ରହଣ କରିବାକୁ କାମନା କରୁଅଛି ।’’

 

ତରୁଣୀ ଉତ୍ତର ଦେଲେ, ‘‘ମହାରାଜ ! ମୁଁ ଆପଣଙ୍କ ପ୍ରୀତିପୂର୍ଣ୍ଣ ପ୍ରସ୍ତାବରେ ସମ୍ମତ; କିନ୍ତୁ ଭଲ ହେଉ ମନ୍ଦ ହେଉ, ମୁଁ ଯେଉଁ କାର୍ଯ୍ୟ କରିବି ତହିଁରେ ମୋତେ ଆପଣ କେବେ ବାରଣ କରିବେ ନାହିଁ କି ମୋ’ପ୍ରତି କୌଣସି ଦିନ ଅପ୍ରିୟ ବାକ୍ୟ ପ୍ରୟୋଗ କରିବେ ନାହିଁ । ଯଦି ଆପଣ କେବେ ମୋ’ କାର୍ଯ୍ୟର ପ୍ରତିକୂଳାଚରଣ କରନ୍ତି, ମୁଁ ସେହି ମୁହୂର୍ତ୍ତରେ ଆପଣଙ୍କୁ ପରିତ୍ୟାଗ କରି ଚାଲିଯିବି ।’’

 

ଶାନ୍ତନୁ ଏହି ସର୍ତ୍ତରେ ସମ୍ମତ ହୋଇସେହି ପରମା ସୁନ୍ଦରୀଙ୍କୁ ନିଜର ରାଜମହିଷୀ ରୂପେ ବରଣ କରି ଅତି ଆନନ୍ଦରେ କାଳାତିପାତ କରିବାକୁ ଲାଗିଲେ । ଶାନ୍ତନୁଙ୍କର ଔରସରୁ ରାଜମହିଷୀ ସୁଲକ୍ଷଣଯୁକ୍ତ ଆଠଟି ପୁତ୍ରଙ୍କୁ ଜନ୍ମ ଦେଇଥିଲେ; କିନ୍ତୁ ଆଶ୍ଚର୍ଯ୍ୟର କଥା, ପୁତ୍ରଟିଏ ଜନ୍ମହେବାମାତ୍ରେ ତାକୁ ନେଇ ରାଜମହିଷୀ ଗଙ୍ଗାନଦୀରେ ନିକ୍ଷେପ କରିଦେଇ ଆସୁଥିଲେ । ରାଜମହିଷୀଙ୍କର ଏପରି କାର୍ଯ୍ୟ ଯେ ଶାନ୍ତନୁଙ୍କୁ ଅସନ୍ତୁଷ୍ଟ କରୁନଥିଲା, ଏପରି ନୁହେଁ; ମାତ୍ର କାଳେ ପରମାସୁନ୍ଦରୀ ପତ୍ନୀ ତାଙ୍କୁ ପରିତ୍ୟାଗ କରି ଚାଲିଯିବ, ସେହି ଆଶଙ୍କାରେ ନୀରବରେ ସବୁ ସହିଯାଉଥିଲେ । ଗୋଟିଏ ପରେ ଗୋଟିଏ ଏହିପରି ସାତଟି ପୁତ୍ରଙ୍କୁ ନଦୀରେ ନିକ୍ଷେପ କରିବାପରେ ଯେତେବଳେ ଅଷ୍ଟମ ପୁତ୍ରଟି ଭୂମିଷ୍ଠ ହେଲା ଏବଂ ରାଣୀ ପୂର୍ବପରି ଶିଶୁପୁତ୍ରଟିକୁ ନଦୀରେ ନିକ୍ଷେପ କରିବାକୁ ଅଗ୍ରସର ହେଲେ; ରାଜା ଶାନ୍ତନୁ ଆଉ କ୍ରୋଧ ସମ୍ବରଣ କରିପାରିଲେ ନାହିଁ ।

 

ରାଣୀଙ୍କୁ ବାଧାଦେଇ ଶାନ୍ତନୁ କହିଲେ; ‘‘କିଏ ତୁମେ ? ନିଜର ପୁତ୍ରମାନଙ୍କୁ ଏପରି ଭାବରେ ସଂହାର କରୁଅଛ କାହିଁକି ? ହେ ପୁତ୍ରଘାତିନି ! ସନ୍ତାନ ହତ୍ୟା ଅପେକ୍ଷା ଗୁରୁତର ପାପ ଆଉ କ’ଣ ଅଛି ? ଏ ଗର୍ହିତ ନିଷ୍ଠୁର ଆଚରଣରୁ ନିଜକୁ କ୍ଷାନ୍ତ କର ।’’

 

ରାଜମହିଷୀ ଉତ୍ତର ଦେଲେ, ‘‘ହେ ପୁତ୍ର ଅଭିଳାଷୀ ମହାରାଜା ! ଆପଣଙ୍କ କଥାନୁସାରେ ମୁଁ ଏହି ପୁତ୍ରଟିକୁ ନଷ୍ଟ କରୁନାହିଁ; କିନ୍ତୁ ମୋ’ କାର୍ଯ୍ୟର ବିରୁଦ୍ଧାଚରଣ କରିଥିବାରୁ ଏହି ମୁହୁର୍ତ୍ତରେ ମୁଁ ଆପଣଙ୍କୁ ପରିତ୍ୟାଗ କରୁଅଛି । ତେବେ ବିଦାୟ ସମୟରେ ମୁଁ ଆପଣଙ୍କୁ ଅନ୍ତତଃ ମୋର ପ୍ରକୃତ ପରିଚୟଟା ଜାଣି ରଖନ୍ତୁ । ମୁଁ ମାନବୀ ନୁହେଁ, ମୁଁ ମହର୍ଷି ଜହ୍ନୁଙ୍କର କନ୍ୟା, ମୋର ନାମ ଗଙ୍ଗା । ଋଷିମାନଙ୍କର ମୁଁ ପୂଜ୍ୟା, ନମସ୍ୟା । ଦେବତାମାନଙ୍କର ଅନୁରୋଧକ୍ରମେ ମୁଁ ଏତେଦିନ ଧରି ଆପଣଙ୍କର ପତ୍ନୀ ହୋଇରହିଥିଲି । ମୋର ଗର୍ଭଜାତ ଏହି ସନ୍ତାନଗଣଙ୍କୁ ସାମାନ୍ୟ ମନୁଷ୍ୟ ବୋଲି କେବେ ଭ୍ରମ କରିବେ ନାହିଁ । ଏମାନେ ମହା ତେଜସ୍ୱୀ ବସୁ । ମହର୍ଷି ବଶିଷ୍ଠଙ୍କର ଅଭିଶାପ ଫଳରେ ଏମାନେ ଜୀବନ ଲାଭ କରିଥିଲେ । ଏହି ପୃଥିବୀରେ ସେମାନଙ୍କର ପିତା ହେବାର ଏକମାତ୍ର ଯୋଗ୍ୟ ପୁରୁଷ ଥିଲେ ଆପଣ ଏବଂ ସେମାନଙ୍କର ଜନନୀ ହେବାକୁ ମୋ’ ବ୍ୟତୀତ ଅନ୍ୟ କେହି ଯୋଗ୍ୟା ନଥିବାରୁ ମାନୁଷୀ ରୂପ ଧାରଣ କରି ଓ ଆପଣଙ୍କର ପତ୍ନୀ ହୋଇମୁଁ ଏମାନଙ୍କର ଗର୍ଭଧାରିଣୀ ହୋଇଅଛି । ଆପଣ ମଧ୍ୟ ଏମାନଙ୍କର ପିତା ହୋଇଅକ୍ଷୟ ପୂଣ୍ୟ ଅର୍ଜନ କରିଅଛନ୍ତି ।’’

 

ମହାରାଜ ଶାନ୍ତନୁ ମହର୍ଷି ବଶିଷ୍ଠଙ୍କର ଅଭିଶାପର କାରଣ ଜାଣିବାକୁ କୌତୁହଳୀ ହେବାରୁ ଗଙ୍ଗା କହିଲେ, ‘‘ମହାରାଜ ! ଦକ୍ଷ ପ୍ରଜାପତିଙ୍କର କନ୍ୟା ସୁରଭୀ ଅଖିଳ ଜଗତର ମଙ୍ଗଳ ନିମନ୍ତେ କଶ୍ୟପଙ୍କର ଔରସରେ ଗୋ ରୂପରେ ଜନ୍ମ ହୋଇବରୁଣଦେବଙ୍କ ପୁତ୍ର ମହର୍ଷି ବଶିଷ୍ଠଙ୍କ ଆଶ୍ରମରେ ସର୍ବକାମପ୍ରଦା କାମଧେନୁ ହୋଇରହିଥିଲେ । ସେହି କାମଧେନୁର ଶକ୍ତି ଏପରି ଅଲୌକିକ ଥିଲା ଯେ, ମର୍ତ୍ତ୍ୟଲୋକବାସୀ ତା’ର ସୁସ୍ୱାଦୁ ଦୁଗ୍ଧ ପାନ କଲେ ଦଶ ସହସ୍ର ବର୍ଷ ସ୍ଥିର ଯୌବନ ଲାଭ କରି ଜୀବିତ ରହିପାରିବ । ବଶିଷ୍ଠଙ୍କର ସେହି ତପୋବନରେ ଏକଦା ବସୁମାନେ ନିଜ ନିଜର ପତ୍ନୀମାନଙ୍କ ସହ ପ୍ରମୋଦ-ବିହାର କରୁଥିବା ସମୟରେ, ଦ୍ୟୁ ନାମକ ଏକ ବସୁଙ୍କୁ ତାଙ୍କର ପତ୍ନୀ କହିଲେ, ‘ମହାଭାଗ, ମର୍ତ୍ତ୍ୟଲୋକରେ ଜିତବତୀ ନାମରେ ମୋର ଜଣେ ଯୁବତୀ ବାନ୍ଧବୀ ଅଛନ୍ତି । ସେ ଉଶୀନର ରାଜାଙ୍କର କନ୍ୟା ଓ ରୂପଲାବଣ୍ୟରେ ଅତୁଳନୀୟା । ଜିତବତୀ ଯଦି ଏହି କାମଧେନୁର ଦୁଗ୍ଧ ପାନ କରିବାର ସୁଯୋଗ ପାଆନ୍ତେ, ତେବେ ଦଶସହସ୍ର ବର୍ଷ ପର୍ଯ୍ୟନ୍ତ ଅଜରା ଓ ରୋଗଶୂନ୍ୟ ହୋଇମହାସୁଖରେ ବାସ କରନ୍ତେ । ତେଣୁ ମୁଁ ଭାବୁଛି, ବାଛୁରୀ ସହିତ ଏହି କାମଧେନୁକୁ ଆମେ ହରଣ କରିନେଲେ ଭଲ ହୁଅନ୍ତା ।’ ପତ୍ନୀର ଇଚ୍ଛା ପୂରଣ କରିବା ନିମନ୍ତେ ଦ୍ୟୁ ନିଜର ଅନ୍ୟ ସାତ ଭାଇଙ୍କ ସାହାଯ୍ୟରେ ବତ୍ସା ସହିତ ସେହି କାମଧେନୁକୁ ଅପହରଣ କରିନେଲେ । ବଶିଷ୍ଠ ଆଶ୍ରମକୁ ଫେରି କାମଧେନୁକୁ ଦେଖିବାକୁ ନ ପାଇ ଏଣେ ତେଣେ ବହୁ ଅନ୍ୱେଷଣ କଲେ; କିନ୍ତୁ ପରେ ଧ୍ୟାନ ବଳରେ ସବୁକଥା ଜାଣିପାରି ଚୌର୍ଯ୍ୟ ଅପରାଧର ଶାସ୍ତି ସ୍ୱରୂପ ବସୁମାନଙ୍କୁ ମର୍ତ୍ତ୍ୟରେ ମନୁଷ୍ୟଯୋନି ପ୍ରାପ୍ତ ହେବାକୁ ଅଭିଶାପ ଦେଲେ । ପରେ ଅଭିଶାପ ବିଷୟ କହିଲେ, ‘‘ମୁଁ କ୍ରୋଧପରତନ୍ତ୍ର ହୋଇଯାହା କହିଅଛି, ତାହା ଅନ୍ୟଥା ହେବ ନାହିଁ, ତେବେ ତୁମ୍ଭେମାନେ ଜନ୍ମ ହେବା ମାତ୍ରେ ଶାପରୁ ମୁକ୍ତ ହେବ; କିନ୍ତୁ ପ୍ରକୃତ ଅପରାଧୀ ଦ୍ୟୁଙ୍କୁ ଦୀର୍ଘକାଳ ପାଇଁ ମନୁଷ୍ୟ ଲୋକରେ କାଳଯାପନ କରିବାକୁ ପଡ଼ିବ । ମର୍ତ୍ତ୍ୟକାଳରେ ଜନ୍ମ ହୋଇଦ୍ୟୁ ପରମଧାର୍ମିକ, ସର୍ବଶାସ୍ତ୍ରବିଶାରଦ, ପିତୃହିତୈଷୀ ହୋଇପାର୍ଥିବ ସୁଖ ସମ୍ଭୋଗ ପ୍ରତି ପରାଙ୍‌ମୁଖ ହେବ ଓ ଅକ୍ଷୟକୀର୍ତ୍ତି ଅର୍ଜନ କରିବ ।’’

 

‘ମହର୍ଷି ବଶିଷ୍ଠଙ୍କ ଦ୍ୱାରା ଏହି ପ୍ରକାରରେ ଆଶ୍ୱସ୍ତ ହୋଇବସୁମାନେ ମୋ’ ନିକଟକୁ ଆସି କହିଲେ !’’ ମା, ଆପଣ ଆମ୍ଭମାନଙ୍କୁ ଗର୍ଭରେ ଧାରଣ କରନ୍ତୁ ଏବଂ ଜନ୍ମହେବା ମାତ୍ରେ ଆମ୍ଭଙ୍କୁ ନଦୀରେ ନିକ୍ଷେପ କଲେ ଆମ୍ଭେମାନେ ତତ୍‌କ୍ଷଣାତ୍ ଋଷି ଅଭିଶାପରୁ ମୁକ୍ତ ହୋଇପାରିବୁ-।’ ବସୁମାନଙ୍କର ଅନୁରୋଧକ୍ରମେ ମୁଁ ଆଜି ପୁତ୍ରହତ୍ୟା ପରି ଅଚିନ୍ତନୀୟ ଅକାର୍ଯ୍ୟ ବିନା ଦ୍ୱିଧାରେ ସମ୍ପାଦନ କରିଅଛି । ଏହି ଅଷ୍ଟମ ସନ୍ତାନଟି ସେହି ଅଭିଶପ୍ତ ଦ୍ୟୁ । ମୁଁ ଏହାକୁ ନଦୀରେ ନିକ୍ଷେପ ନକରି ମୋ’ ସାଙ୍ଗରେ ନେଇଯାଉଅଛି; ଉପଯୁକ୍ତ ସମୟରେ ଆପଣଙ୍କୁ ପ୍ରଦାନ କରିବି ।’’

 

ଏହା କହି ଶିଶୁପୁତ୍ରଟି ସହିତ ଗଙ୍ଗା ଅଦୃଶ୍ୟ ହୋଇଗଲେ ।

 

ଏହି ଘଟଣାର କିଛିଦିନ ପରେ, ଦିନେ ରାଜା ଶାନ୍ତନୁ ମୃଗୟା ଉବ୍ଦେଶ୍ୟରେ ଗଙ୍ଗାନଦୀ ତଟସ୍ଥ ଅରଣ୍ୟରେ ଭ୍ରମଣ କରୁଛନ୍ତି, ଗୋଟିଏ ବାଳକର ଅଲୌକିକ ଅସ୍ତ୍ରନୈପୁଣ୍ୟ ତାଙ୍କୁ ସ୍ତମ୍ଭୀଭୂତ କରିପକାଇଲା । ସୌମ୍ୟଦର୍ଶନ ବାଳକଟି ଧନୁରେ ଶର ସଂଯୋଜନା କରି ଖରସ୍ରୋତା ସୁଗଭୀରା ଗଙ୍ଗାନଦୀର ପ୍ରବାହକୁ ସଂପୂର୍ଣ୍ଣ ରୂପେ ଅବରୁଦ୍ଧ କରିଦେଇଥାଏ । ଶସ୍ତ୍ରନିପୁଣ ରାଜା ଶାନ୍ତନୁ ବାଳକର ଅନୁପମ ରୂପ ଓ ଅଭୂତପୂର୍ବ ଅସ୍ତ୍ରକୌଶଳ ପରିବର୍ତ୍ତନ କରି ମୁଗ୍ଧଚିତ୍ତରେ, ସେହି ବାଳକଟି କାହାର ପୁତ୍ର, ଏପରି ଚିନ୍ତା କରୁଅଛନ୍ତି, ସେହି ସମୟରେ ଗଙ୍ଗା ଆବିର୍ଭୂତା ହୋଇକହିଲେ, ‘‘ମହାରାଜ, ଯେଉଁ ଅଷ୍ଟମ ପୁତ୍ରଟି ସହିତ ମୁଁ ସେଦିନ ଅନ୍ତର୍ହିତା ହୋଇଥିଲି, ଏହି ବାଳକ ହିଁ ଆପଣଙ୍କର ସେହି ପୁତ୍ର । ତା’ର ନାମ ଦେବବ୍ରତ । ସେ ବଶିଷ୍ଠଙ୍କ ନିକଟରୁ ବେଦବେଦାଙ୍ଗ ପ୍ରଭୃତି ଅଧ୍ୟୟନ କରି ସର୍ବଶାସ୍ତ୍ରବିଶାରଦ ହୋଇଅଛି ଏବଂ ରାଜଧର୍ମ, ଅର୍ଥନୀତି ଓ ଯୁଦ୍ଧ କୌଶଳ ପ୍ରଭୃତି ବିଷୟରେ ବିଶେଷ ନୈପୁଣ୍ୟ ଲାଭ କରିଅଛି । ଦେବବ୍ରତକୁ ଏଣିକି ଆପଣଙ୍କ ନିକଟରେ ଛାଡ଼ିଦେଇ ଯାଉଛି ।’’

 

ଏହା କହି ଗଙ୍ଗା ଅଦୃଶ୍ୟ ହୋଇଗଲେ । ଶାନ୍ତନୁ ପରମ ଆନନ୍ଦରେ ଦେବବ୍ରତଙ୍କୁ ସଙ୍ଗରେ ନେଇ ରାଜପୁରୀକୁ ଫେରିଗଲେ ଓ ପରେ ତାଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ ।

 

ଏହା ପରେ କିଛିଦିନ ଅତିବାହିତ ହୋଇଗଲା । ଦିନେ ଶାନ୍ତନୁ ଯମୁନା ନଦୀ କୂଳରେ ବିଚରଣ କରୁଥିବା ସମୟରେ ଏକ ଅପୂର୍ବ ସୁଗନ୍ଧ ଆଘ୍ରାଣ କରି ତା’ର ଉତ୍ସ ସମ୍ପର୍କରେ ଅନ୍ୱେଷଣ କଲେ ଏବଂ ଅନୁସନ୍ଧାନ ପରେ ସେହି ସୁଗନ୍ଧ ଗୋଟିଏ ଅସାମାନ୍ୟ ରୂପବତୀ ଶରୀରରୁ ବହିର୍ଗତ ହୋଇଚତୁର୍ବ୍ଦିଗକୁ ସଞ୍ଚାରିତ ହେଉଥିବା ଲକ୍ଷ୍ୟ କରି ଶାନ୍ତନୁ ପଚାରିଲେ; ‘‘ହେ ଶୁଭାଙ୍ଗି ! ତୁମର ପରିଚୟ ଜାଣିପାରେ କି ?’’

 

ଯୁବତୀ ଉତ୍ତର ଦେଲେ, ‘‘ମହାଶୟ ମୁଁ ଜଣେ ଧୀବରକନ୍ୟା । ମୋର ନାମ ସତ୍ୟବତୀ-।’’

 

ବିପତ୍ନୀକ ଶାନ୍ତନୁ ଧୀବରକନ୍ୟାର ଅନୁରୂପ ରୂପଲାବଣ୍ୟ, ଶରୀରର ସୌରଭ ଓ ଶ୍ରୁତିସୁଖକର ସୁମିଷ୍ଟ ବାକ୍ୟାଳାପରେ ଏପରି ମୁଗ୍ଧମୋହିତ ହୋଇପଡ଼ିଲେ ଯେ, ତାଙ୍କୁ ବିବାହ କରିବାପାଇଁ ତାଙ୍କର ପିତା ଦାସରାଜାଙ୍କ ନିକଟରେ ପ୍ରସ୍ତାବ କଲେ ।

 

ଦାସରାଜା କହିଲେ, ‘‘ମହାରାଜ, କନ୍ୟା ଯେତେବେଳେ ଜନ୍ମିଅଛି ତାଙ୍କୁ ଉପଯୁକ୍ତ ପାତ୍ର ହସ୍ତରେ ସମର୍ପଣ କରିବା ମୋର କର୍ତ୍ତବ୍ୟ । ଆପଣଙ୍କ ପରି ଧର୍ମନିଷ୍ଠ, ସତ୍ୟବାଦୀ, ପ୍ରଜାବତ୍ସଳ ରାଜା ଯେତେବେଳେ ମୋର କନ୍ୟା ସତ୍ୟବତୀର ପାଣିପ୍ରାର୍ଥନା କରୁଅଛନ୍ତି, ଏହା ମୋ’ ପରି ଲୋକ ପକ୍ଷରେ ନିଶ୍ଚୟ ଗୌରବର ବିଷୟ; କିନ୍ତୁ ତାକୁ ପତ୍ନୀ ଭାବରେ ପାଇବା ପୂର୍ବରୁ ମୋ’ ସମ୍ମୁଖରେ ଆପଣଙ୍କୁ ଗୋଟିଏ ବିଷୟରେ ପ୍ରତିଜ୍ଞାବଦ୍ଧ ହେବାକୁ ପଡ଼ିବ । ସେଥିପାଇଁ ଆପଣ ପ୍ରସ୍ତୁତ ତ ?’’

 

ଶାନ୍ତନୁ କହିଲେ, ‘‘ତୁମର ଅଭିଳଷିତ ବିଷୟ ସମ୍ପର୍କରେ କିଛି ନଜାଣି ମୁଁ ପୂର୍ବରୁ କିପରି ସମ୍ମତି ପ୍ରଦାନ କରିବି ? ତେବେ ତୁମର ସର୍ତ୍ତ ଯଦି ସାର୍ଥକ ହୋଇଥାଏ; ମୁଁ ତାହା ନିଶ୍ଚୟ ଗ୍ରହଣ କରିବି ।’’

 

ଦାସରାଜା କହିଲେ, ‘‘ମହାରାଜ ! ଏହି କନ୍ୟାର ଗର୍ଭଜାତ ପୁତ୍ର ଆପଣଙ୍କ ପରେ ରାଜା ହେଉ, ଏହାହିଁ ମୋର ଇଚ୍ଛା । ଏବ ବିଷୟରେ ଆପଣ ମୋତେ ନିଶ୍ଚିତ କରିପାରିବେ ?’’

 

ସତ୍ୟବତୀଙ୍କ ରୂପରେ ମୋହିତ ହୋଇତାଙ୍କୁ ବିବାହ କରିବାକୁ ଶାନ୍ତନୁ ବିଶେଷ ଉତ୍କଣ୍ଠିତ ହୋଇପଡ଼ିଥିଲେ ମଧ୍ୟ ନିଜର ସ୍ୱାଭାବିକ ବିଚାରବୁଦ୍ଧି ହରାଇନଥିଲେ । ଏକପକ୍ଷରେ ପରମା ସୁନ୍ଦରୀ ସତ୍ୟବତୀର ସଙ୍ଗସାହଚର୍ଯ୍ୟ ପାଇଁ ନିଜର ଅନତିକ୍ରମ୍ୟ ମାନସିକ ଉନ୍ମାଦନା, ଅନ୍ୟପକ୍ଷରେ ସମସ୍ତ ରାଜଗୁଣସମ୍ପର୍ଣ୍ଣ ପ୍ରାଣପ୍ରିୟ ପୁତ୍ର ଦେବୋପମ ଦେବବ୍ରତର ଭବିଷ୍ୟତର ନ୍ୟାର୍ଯ୍ୟ ରାଜପଦପ୍ରାପ୍ତିରୁ ବିଚ୍ୟୁତି–ଏ ଉଭୟ ମଧ୍ୟରୁ କେଉଁଟା କରଣୀୟ ସ୍ଥିର କରିନପାରି ଦାସରାଜାଙ୍କ କଥାର କୌଣସି ଉତ୍ତର ନ ଦେଇ ଉଦ୍‌ବେଳିତ ଚିତ୍ତରେ ଶାନ୍ତନୁ ହସ୍ତିନାପୁରକୁ ଫେରି ଆସିଲେ ।

ଚିନ୍ତାକ୍ଳିଷ୍ଟ ଶାନ୍ତନୁଙ୍କର ମାନସିକ ବିଷନ୍ନତା ଲକ୍ଷ୍ୟକରି ଦିନେ ଦେବବ୍ରତ ପଚାରିଲେ, ‘‘ବାବା ! ଏହି ବିଶାଳ ରାଜ୍ୟରେ ସୁଯୋଗ୍ୟ ଅଧିପତି ଭାବରେ ଆପଣଙ୍କର ଅପ୍ରାପ୍ୟ କିଛି ନାହିଁ; ତଥାପି ଏହି କେତେଦିନ ହେବ ଆପଣଙ୍କୁ କିପରି ଚିନ୍ତାଜଡ଼ିତ, ଶୋକାର୍ତ୍ତ ଅବସ୍ଥାରେ ସଦା ସର୍ବଦା ନିର୍ଜନରେ ରହୁଥିବାରୁ ମୁଁ ଲକ୍ଷ୍ୟ କରୁଅଛି । ଏପରି କି ଏହି କେତେଦିନ ମଧ୍ୟରେ ଆପଣଙ୍କର ଅଙ୍ଗାକାନ୍ତିର ଔଜଲ୍ୟ ଯଥେଷ୍ଟ ହ୍ରାସପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଶରୀର ମଧ୍ୟ କୃଶ ହୋଇଅଛି ।’’

ଶାନ୍ତନୁ କହିଲେ, ‘‘ପୁତ୍ର ! ତୁମେ ହିଁ ଆମ ବଂଶର ଏକମାତ୍ର କୁଳପ୍ରଦୀପ । ଶୌର୍ଯ୍ୟବୀର୍ଯ୍ୟର ତୁଳନାରେ ଏକଶତ ପୁତ୍ରଙ୍କ ଅପେକ୍ଷା ତୁମେ ଶ୍ରେଷ୍ଠ । ଜାଣ ତ, ମନୁଷ୍ୟ ଜୀବନ ଚିରସ୍ଥାୟୀ ନୁହେଁ । ଶାସ୍ତ୍ରକାରମାନେ କହିଅଛନ୍ତି ଯେ, ଗୋଟିଏ ପୁତ୍ର ଲାଭ କରିବା ଅପୁତ୍ରିକ ରହିବା ସଙ୍ଗେ ସମାନ; କାରଣ ସେହି ଏକମାତ୍ର ପୁତ୍ରର କୌଣସି ଅମଙ୍ଗଳ ଘଟିଲେ, ସମଗ୍ର ବଂଶ ସେହିଠାରେ ନିବଂଶ ହୋଇଯାଏ । ସେଥିଯୋଗୁଁ ଆମ ବଂଶର ଭବିଷ୍ୟତ ଓ ତୁମର ମଙ୍ଗଳ ବିଧାନ ବିଷୟରେ ମୁଁ ସର୍ବଦା ଚିନ୍ତିତ ।’’

ଶାନ୍ତନୁଙ୍କ ଉତ୍ତର ଦେବବ୍ରତଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ । ବୃଦ୍ଧମନ୍ତ୍ରୀଙ୍କ ନିକଟରୁ ପିତାଙ୍କର ମାନସିକ ବିଷଣ୍ଣତାର ପ୍ରକୃତ କାରଣ ବୁଝିପାରି ଦେବବ୍ରତ ସଙ୍ଗେ ସଙ୍ଗେ ଦାସରାଜାଙ୍କ ନିକଟକୁ ଯାଇ ପିତାଙ୍କ ପକ୍ଷରୁ ତାଙ୍କର କନ୍ୟା ପ୍ରାର୍ଥନା କଲେ ।

 

ଦେବବ୍ରତଙ୍କୁ ଯଥାବିଧି ସମ୍ମାନ ଓ ଆସନ ପ୍ରଦାନ କରି ଦାସରାଜା କହିଲେ, ‘‘ରାଜକୁମାର, ମୋର କନ୍ୟା ସତ୍ୟବତୀ ପାଇଁ ମହର୍ଷି ପରାଶର ବି ଦିନେ ପ୍ରାର୍ଥୀ ହୋଇଥିଲେ; ମାତ୍ର ମୁଁ ତାହା ପ୍ରତ୍ୟାଖ୍ୟାନ କରିଅଛି । ତେଣୁ ରାଜା ଶାନ୍ତନୁଙ୍କ ପାଇଁ ମୋର କନ୍ୟା ଯେ ଉପଯୁକ୍ତ ପାତ୍ରୀ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ସତ୍ୟବତୀର ଗର୍ଭରୁ ଯେଉଁ ପୁତ୍ର ଜାତ ହେବ ତା’ର ରାଜପଦପ୍ରାପ୍ତି ସମ୍ପର୍କରେ ନିଶ୍ଚିତ ନ ହେଲେ ତ ଏ ବିବାହ ସମ୍ଭବ ନୁହେଁ ।’’

 

ଦେବବ୍ରତ କହିଲେ, ‘‘ଧୀବର ଶ୍ରେଷ୍ଠ ! ମୁଁ ଶପଥ କରି କହୁଅଛି, ଆପଣଙ୍କ କନ୍ୟାର ଗର୍ଭଜାତ ସନ୍ତାନ ହିଁ ପିତାଙ୍କ ପରେ ଆମ୍ଭମାନଙ୍କର ରାଜା ହେବ ।’’

 

ତାହା ଶୁଣି ଦାସରାଜା କହିଲେ, ‘‘ରାଜକୁମାର ! ଆପଣ ସତ୍ୟବାଦୀ ଏବଂ ରାଜ୍ୟର ମଙ୍ଗଳପାଇଁ ଆପଣ ଯେ ନିଜର ଏହି ଶପଥ ରକ୍ଷା କରିବେ, ଏଥିରେ ମୋର ସନ୍ଦେହ ନାହିଁ; ମାତ୍ର ଆପଣଙ୍କ ଔରସଜାତ ପୁତ୍ର ଯଦି ଆପଣଙ୍କର ଏହି ଶପଥକୁ ଅସ୍ୱୀକାର କରେ, ତେବେ ମୋର ଅଭିଲାଷ ଓ ଆପଣଙ୍କର ଏ ଶପଥ ତ ଅପୂର୍ଣ୍ଣ ରହିଯିବ ?’’

 

ଦାସରାଜାଙ୍କର କଥାର ପ୍ରକୃଥ ମର୍ମ ହୃଦୟଙ୍ଗମ କରିବା ଦେବବ୍ରତଙ୍କ ପକ୍ଷରେ କଷ୍ଟକର ହେଲା ନାହିଁ । ସମବେତ କ୍ଷତ୍ରିୟମାନଙ୍କ ସମ୍ମୁଖରେ ଦାସରାଜାଙ୍କୁ ଦେବବ୍ରତ କହିଲେ, ‘‘ମୁଁ ଏଥି ପୂର୍ବରୁ ସାମ୍ରାଜ୍ୟ ପରିତ୍ୟାଗ କରିଅଛି, ଆପଣଙ୍କର ସନ୍ଦେହ ମୋଚନ ନିମନ୍ତେ ବର୍ତ୍ତମାନ ମୁଁ ଶପଥ କରି କହୁଅଛି ଯେ, ମୁଁ ବିବାହ ନ କରି ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବି ।’’

 

ଦେବବ୍ରତଙ୍କ ସତ୍ୟବତୀଙ୍କୁ ସମ୍ବୋଧନ କରି କହିଲେ, ସ୍ୱର୍ଗର ଦେବତା ଓ ଅପ୍ସରାଗଣ ମଧ୍ୟ ଆକାଶ ମଣ୍ଡଳରୁ‘ଭୀଷ୍ମ, ଭୀଷ୍ମ’ କହି ରାଜକୁମାରଙ୍କ ଉପରେ ପୁଷ୍ପବୃଷ୍ଟି କଲେ ।

 

ଦେବବ୍ରତ ସତ୍ୟବତୀଙ୍କୁ ସମ୍ବୋଧନ କରି କହିଲେ, ‘‘ମା’ ମୋର ରଥ ଆପଣଙ୍କୁ ଅପେକ୍ଷା କରିଅଛି ଦୟାପୂର୍ବକ ଯଥାଶୀଘ୍ର ରାଜପୁରୀକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ ।’’

 

ସତ୍ୟବତୀଙ୍କୁ ସଙ୍ଗରେ ନେଇ ପିତାଙ୍କ ନିକଟରେ ଦେବବ୍ରତ ସମସ୍ତ ବୃତ୍ତାନ୍ତ ନିବେଦନ କଲେ । ସମବେତ ରାଜନ୍ୟମଣ୍ଡଳୀ ମୁକ୍ତକଣ୍ଠରେ ଦେବବ୍ରତଙ୍କର ତ୍ୟାଗର ଭୁରି ଭୁରି ପ୍ରଶଂସା କରି, ତାଙ୍କୁ ‘ଭୀଷ୍ମ’ ନାମରେ ସେହିଦିନଠାରୁ ଅଭିହିତ କଲେ । ରାଜା ଶାନ୍ତନୁପୁତ୍ର ଦେବବ୍ରତର ଏତାଦୃଶ କାର୍ଯ୍ୟରେ ବିଶେଷ ପ୍ରୀତ ହୋଇଆଶୀର୍ବାଦ କରି କହିଲେ, ‘‘ମୁଁ ତୁମ ଉପରେ ବିଶେଷ ପ୍ରୀତ ହୋଇତୁମକୁ ଆଜି ଏହି ବର ଦେଇ ଆଶୀର୍ବାଦ କରୁଅଛି ଯେ, ମୃତ୍ୟୁ ତୁମ୍ଭର ଇଚ୍ଛାଧୀନ ହୋଇରହିବ ।’’

Image

 

ଅମ୍ବାରୁ ଶିଖଣ୍ଡି

 

ସତ୍ୟବତୀଙ୍କ ଗର୍ଭରୁ ଶାନ୍ତନୁଙ୍କ ଔରସରେ ଦୁଇଟି ରାଜଲକ୍ଷଣଯୁକ୍ତ ପୁତ୍ର ଜାତ ହୋଇଥିଲେ । ଜ୍ୟେଷ୍ଠ ପୁତ୍ରର ନାମ ଚିତ୍ରାଙ୍ଗଦ ଓ କନିଷ୍ଠର ନାମ ବିଚିତ୍ରବୀର୍ଯ୍ୟ । ପୁତ୍ରଦୁହିଙ୍କର କୈଶୋର ଅବସ୍ଥାରେ ଶାନ୍ତନୁଙ୍କର ସ୍ୱର୍ଗାରୋହଣ ହେବାରୁ, ଜ୍ୟେଷ୍ଠପୁତ୍ର ଚିତ୍ରାଙ୍ଗଦ ରାଜା ହେଲେ । ଗନ୍ଧର୍ବରାଜାଙ୍କ ମାୟାଯୁଦ୍ଧରେ ଚିତ୍ରାଙ୍ଗଦଙ୍କର ଅକାଳବିୟୋଗ ଘଟିବାରୁ, ଅଗ୍ରଜ ପରିତ୍ୟକ୍ତ ରାଜସିଂହାସନକୁ କିଶୋର ବିଚିତ୍ରବୀର୍ଯ୍ୟ ଅଳଙ୍କୃତ କରିଥିଲେ ଏବଂ ମହାମତି ଭୀଷ୍ମଙ୍କ ପ୍ରତ୍ୟକ୍ଷ ପରାମର୍ଶାନୁସାରେ ସେ ରାଜ୍ୟ ଶାସନ କରିବାକୁ ଲାଗିଲେ ।

 

ବିଚିତ୍ରବୀର୍ଯ୍ୟ ଯୌବନରେ ପଦାର୍ପଣ କରିବାରୁ ତାଙ୍କର ବିବାହ ନିମନ୍ତେ ଭୀଷ୍ମ ଓ ସତ୍ୟବତୀ ବିଶେଷ ଇଚ୍ଛୁକ ହୋଇଉଠିଲେ । ସେହି ସମୟରେ କାଶୀ ରାଜାଙ୍କର କନ୍ୟାମାନଙ୍କର ସ୍ୱୟମ୍ବର ଅନୁଷ୍ଠିତ ହେଉଥିାଏ । ସତ୍ୟବତୀଙ୍କଠାରୁ ଅନୁମତି ଗ୍ରହଣ କରି ମହାବୀର ଭୀଷ୍ମ କାଶୀରାଜାଙ୍କ ଦ୍ୱାରା ଆହୂତ ସ୍ୱୟମ୍ବର ସଭାରେ ଉପସ୍ଥିତ ହେଲେ । ସୁସଜ୍ଜିତ ସ୍ୱୟମ୍ବର ସଭାରେ କାଶୀରାଜାଙ୍କର ଅନିନ୍ଦ୍ୟସୁନ୍ଦରୀ ତିନି କନ୍ୟାଙ୍କ ସମ୍ମୁଖରେ ସମବେତ ରାଜାମାନଙ୍କ ସହ ଭୀଷ୍ମ ଆସନ ଗ୍ରହଣ କଲେ ।

 

ସ୍ୱୟମ୍ବର ସଭା ଆରମ୍ଭ ହେବା ପରେ ସ୍ୱୟମ୍ବର କନ୍ୟାମାନଙ୍କ ଅବଗତି ନିମନ୍ତେ ସମବେତ ରାଜାମାନଙ୍କର ଗୁଣକୀର୍ତ୍ତି ସମ୍ପର୍କରେ ନାନାଦି ପ୍ରଶସ୍ତି ବାକ୍ୟ ଉଦ୍‌ଘୋଷିତ ହେଲା । ଭୀଷ୍ମ ନିଜର କନିଷ୍ଠ ଭ୍ରାତା ବିଚିତ୍ରବୀର୍ଯ୍ୟଙ୍କ ପାଇଁ କାଶୀ ରାଜନନ୍ଦିନୀଙ୍କର ପାଣି ପ୍ରାର୍ଥନା କରିବାକୁ ଆସିଛନ୍ତି ବୋଲି ପ୍ରକାଶ କରି କହିଲେ, ‘‘ହେ ଉପସ୍ଥିତ ରାଜନ୍ୟବର୍ଗ ! ଶାସ୍ତ୍ରରେ ଅଷ୍ଟବିଧ ବିବାହ ବର୍ଣ୍ଣିତ ହୋଇଥିଲେ ମଧ୍ୟ, ସ୍ୱୟମ୍ବର ପ୍ରଥା ଉତ୍ତମ ବିବାହ ପଦ୍ଧତି ଭାବରେ ସୁବିଦିତ । କ୍ଷତ୍ରିୟମାନେ ଯେ କେବଳ ଏହି ପଦ୍ଧତିର ପ୍ରଶଂସା କରିଥାନ୍ତି, ତାହା ନୁହେଁ, ଶାସ୍ତ୍ରଜ୍ଞ ପଣ୍ଡିତମାନେ ମଧ୍ୟ ଶୌର୍ଯ୍ୟବାସୀ ପ୍ରଦର୍ଶନ କରି ସ୍ୱୟମ୍ବର ସଭାରୁ କନ୍ୟାଲାଭ କରିଥିବା ବୀରର ଭୂୟସୀ ପ୍ରଶଂସା କରିଥାନ୍ତି । ତେଣୁ ହେ ସମବେତ ରାଜନ୍ୟବର୍ଗ, ମୁଁ ମୋର କନିଷ୍ଠ ଭ୍ରାତା କୁମାର ବିଚିତ୍ରବୀର୍ଯ୍ୟଙ୍କ ପାଇଁ ଏହି ସ୍ୱୟମ୍ବର କନ୍ୟାମାନଙ୍କୁ ବଳପୂର୍ବକ ନେଇ ଯାଉଅଛି । ଆପଣମାନଙ୍କ ମଧ୍ୟରୁ ଯଦି କେହି ମୋର ଏହି କାର୍ଯ୍ୟରେ ବାଧାଦେଇ କନ୍ୟାମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କରୁଥାନ୍ତି, ସେ ଦିଗରେ ସେମାନେ ଯତ୍ନବାନ ହୋଇପାରନ୍ତି । ମୁଁ ସମସ୍ତ ପ୍ରକାରର ଯୁଦ୍ଧପାଇଁ ପ୍ରସ୍ତୁତ ଅଛି ।’’

 

ଅମିତପରାକ୍ରମୀ ଭୀଷ୍ମ ସମବେତ କ୍ଷତ୍ରିୟ ବୀରମାନଙ୍କ ଏହିପରି ଭାବରେ ଯୁଦ୍ଧକୁ ଆହ୍ୱାନ କରି କାଶୀରାଜାଙ୍କର ସେହି ଅନିନ୍ଦ୍ୟସୁନ୍ଦରୀ ତିନିକନ୍ୟାଙ୍କୁ ନିଜ ରଥରେ ବସାଇ ସ୍ୱୟମ୍ଭର ସଭାସ୍ଥଳରୁ ଦ୍ରୁତଗତିରେ ପ୍ରସ୍ଥାନ କଲେ । ଭୀଷ୍ମଙ୍କର ଏପରି ଆକସ୍ମିକ କାର୍ଯ୍ୟ ସମବେତ ରାଜନ୍ୟବର୍ଗଙ୍କୁ ବିବ୍ରତ, ବିସ୍ମିତ ଓ କ୍ରୋଧାନ୍ୱିତ କରିପକାଇଲା । ତେଣୁ ଭୀଷ୍ମଙ୍କୁ ପ୍ରତିରୋଧ କରିବା ପାଇଁ ସମସ୍ତେ ବ୍ୟସ୍ତ ହୋଇଉଠିଲେ । କ୍ଷଣକ ମଧ୍ୟରେ ସ୍ୱୟମ୍ବର ସଭାସ୍ଥଳୀ ଯୁଦ୍ଧ ଶିବିରରେ ପରିଣତ ହୋଇଗଲା । ବୀରମାନେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇରଥରେ ଆରୋହଣ କରି ପଳାୟମାନ ଭୀଷ୍ମଙ୍କ ସହ ଯୁଦ୍ଧକଲେ । ବର୍ଷା ସମୟରେ ଯେପରି ପର୍ବତ ଉପରେ ମୂଷଳ ଧାରାରେ ଜଳ ବୃଷ୍ଟି ହୋଇଥାଏ, ଚତୁର୍ବ୍ଦିଗରୁ ଭୀଷ୍ମଙ୍କ ଉପରେ ସେହିପରି ଅଜସ୍ର ଶର ନିକ୍ଷିପ୍ତ ହେଉଥାଏ; କିନ୍ତୁ ପ୍ରବଳ ପରାକ୍ରମୀ ଭୀଷ୍ମ ନିଜର ନିପୁଣ ଅସ୍ତ୍ରକୌଶଳ ଦ୍ୱାରା ଶତ୍ରୁମାନଙ୍କର ସମସ୍ତ ଶରକୁ ଦକ୍ଷତାର ସହିତ ପ୍ରତିହତ କରି ସମସ୍ତଙ୍କୁ ପରାସ୍ତ କଲେ ଓ କନ୍ୟାମାନଙ୍କୁ ନେଇ ନଗର ଅଭିମୁଖେ ରଥ ଚାଳନା କଲେ ।

 

କିଛିବାଟ ଯାଇଛନ୍ତି କି ନାହିଁ କାଶୀରାଜନନ୍ଦିନୀଙ୍କୁ ଲାଭ କରିବା ଅଭିଳାଷରେ ସ୍ୱୟମ୍ବର ଅଭିମୁଖେ ଯାଉଥିବା ରାଜା ଶାଲ୍ୱ, ଭୀଷ୍ମଙ୍କର ପଥ ଅବରୋଧ କଲେ । ଉଭୟଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଅନୁଷ୍ଠିତ ହେଲା ଏବଂ ଶେଷରେ ଶାଲ୍ୱ ପରାସ୍ତ ଓ ଲାଞ୍ଛିତ ହୋଇକୌଣସି ପ୍ରକାରେ ଜୀବନ ରକ୍ଷା କରି ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ ଓ ରାଜକନ୍ୟାମାନଙ୍କୁ ସଙ୍ଗରେ ନେଇ ଭୀଷ୍ମ ହସ୍ତିନାପୁରରେ ପ୍ରବେଶ କଲେ ।

 

ବିଚିତ୍ରବୀର୍ଯ୍ୟଙ୍କ ସହ ରାଜକନ୍ୟାମାନଙ୍କର ବିବାହର ଆୟୋଜନ କରାଗଲା । କାଶୀରାଜାଙ୍କର ସେହି ତିନି କନ୍ୟାଙ୍କର ନାମ ଥିଲା ଯଥାକ୍ରମେ ଅମ୍ବା, ଅମ୍ବିକା ଓ ଅମ୍ବାଳିକା । ବିବାହର ଆୟୋଜନ ଦେଖି ଜ୍ୟେଷ୍ଠ କନ୍ୟା ଅମ୍ବା ଭୀଷ୍ମଙ୍କୁ କହିଲେ, ‘‘ରାଜା ଶାଲ୍ୱ ମୋତେ ଲାଭ କରିବାପାଇଁ କାମନା କରିଥିଲେ ଏବଂ ମୁଁ ମଧ୍ୟ ମନେ ମନେ ତାଙ୍କୁ ହିଁ ନିଜର ପତି ରୂପେ ମନୋନୀତ କରିଥିଲି । ମୋର ଏହି ପତି ମନୋନୟନ ବିଷୟରେ ମୋର ପିତାଙ୍କର ମଧ୍ୟ ସମ୍ମତି ଥିଲା ଓ ସେଦିନ ଆମର ସେହି ସ୍ୱୟମ୍ବର ସଭାରେ ଶାଲ୍ୱଙ୍କ ହସ୍ତରେ ନିଜକୁ ମୁଁ ମନେ ମନେ ସମର୍ପଣ କରିଦେଇଥିଲି । ତେଣୁ ଏସବୁ ଶୁଣିବା ପରେ ମୋ’ ବିଷୟରେ ଆପଣଙ୍କର ଯାହା ଧର୍ମତଃ କରଣୀୟ, ତାହା କରନ୍ତୁ ।’’

 

ଅମ୍ବାଙ୍କ ମୁଖରୁ ଏପରି କଥା ଶୁଣି ଭୀଷ୍ମ ଚିନ୍ତିତ ହୋଇପଡ଼ିଲେ ଓ ପରେ ବେଦଜ୍ଞ ବ୍ରାହ୍ମଣମାନଙ୍କ ସହିତ ପରାମର୍ଶ କରି ସେମାନଙ୍କର ଶାସ୍ତ୍ରାନୁମୋଦିତ ସାଧୁ ଉପଦେଶ କ୍ରମେ ଉଚ୍ଚସ୍ତରୀୟ ବୃଦ୍ଧ ବ୍ରାହ୍ମଣ ଓ ବିଶ୍ୱସ୍ତ ଦାସୀଙ୍କ ଗହଣରେ କୁମାରୀ ଅମ୍ବାଙ୍କୁ ତାଙ୍କର ପୂର୍ବ ନିର୍ବାଚିତ ପତି ରାଜା ଶାଲ୍ୱଙ୍କ ନିକଟକୁ ଯଥାବିଧି ସହକାରେ ପଠାଇଦେଲେ ।

 

କୁମାରୀ ଅମ୍ବିକା ଓ ଅମ୍ବାଳିକାଙ୍କ ସହ ବିଚିତ୍ରବୀର୍ଯ୍ୟଙ୍କର ବିବାହ ସମ୍ପନ୍ନ ହୋଇଗଲା । ଯୁବତୀ ଅମ୍ବିକା ଓ ଅମ୍ବାଳିକାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ଯୁବକ ବୀଚିତ୍ରବୀର୍ଯ୍ୟ ପରମାସୁନ୍ଦରୀ ନିବିଡ଼ନିତମ୍ବିନୀଙ୍କର ସଂସ୍ପର୍ଶରେ ଆସି ଏପରି ଭାବରେ କାମାସକ୍ତ ହୋଇପଡ଼ିଲେ ଯେ, ମାତ୍ର ସାତବର୍ଷର ବୈବାହିକ ପ୍ରେମମୟ ଜୀବନ କଟାଇବା ପରେ ତାଙ୍କର ସ୍ୱାସ୍ଥ୍ୟ ରୁଗ୍‌ଣ ହୋଇପଡ଼ିଲା ଓ ଅବଶେଷରେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇସନ୍ତାନବିହୀନ ଅବସ୍ଥାରେ ମୃତ୍ୟୁମୁଖରେ ପତିତ ହେଲେ ।

 

ଏଣେ ବ୍ରାହ୍ମଣ ଓ ଦାସୀଙ୍କ ଦ୍ୱାରା ସଂରକ୍ଷିତା ହୋଇକୁମାରୀ ଅମ୍ବା ରାଜା ଶାଲ୍ୱଙ୍କ ସମ୍ମୁଖରେ ଉପସ୍ଥିତ ହୋଇକହିଲେ, ‘‘ମହାରାଜ, ଦିନେ ଏକାନ୍ତରେ ଆପଣ ମୋର ପାଣି ପ୍ରାର୍ଥନା କରିଥିଲେ ଏବଂ ମୁଁ ମଧ୍ୟ ମନେ ମନେ ଆପଣଙ୍କୁ ପତିରୂପେ ବରଣ କରିଥିଲି-ଏ ବିଷୟ ଜାଣିବା ପରେ ଭୀଷ୍ମ ମୋତେ ମୁକ୍ତି ଦେଇଅଛନ୍ତି । ଆପଣଙ୍କ ନିକଟରେ ନିଜକୁ ନିବେଦନ କରୁଅଛି, ଆପଣ ମୋତେ ଗ୍ରହଣ କରି ମୋର ଧର୍ମରକ୍ଷା କରନ୍ତୁ ।’’

 

କିନ୍ତୁ ଶାଲ୍ୱ କହିଲେ, ‘‘ରାଜନନ୍ଦିନୀ ! ବହୁଜନ ସମକ୍ଷରେ ଭୀଷ୍ମ ସମବେତ ସମସ୍ତ ବୀରଙ୍କୁ ପରାଜିତ କରି ଯେତେବେଳେ ତୁମକୁ ଲାଭ କରି ଅଛନ୍ତି, ସେହି ମୁହୂର୍ତ୍ତରୁ ତୁମେ ତାଙ୍କର ହୋଇଅଛ । ମୁଁ ତୁମକୁ ତେଣୁ ଆଉ କାମନା କରିପାରିବି ନାହିଁ ।’’

 

ଅମ୍ବା କହିଲେ, ‘‘ମହାରାଜଙ୍କୁ ମୁଖରେ ଏପରି ଅସଙ୍ଗତ କଥା ଶୋଭାପାଏ ନାହିଁ । କୌଣସି ସମୟରେ ମୁଁ ଭୀଷ୍ମଙ୍କ ପ୍ରତି ଅନୁରାଗିଣୀ ନଥିଲି । ମହାରାଜାଙ୍କୁ ଏକଥା ବିଦିତ ଅଛି କି ନାହିଁ, ଜାଣେନା । ଭୀଷ୍ମ ନିଜର କନିଷ୍ଠ ଭ୍ରାତା ବିଚିତ୍ରବୀର୍ଯ୍ୟଙ୍କ ପାଇଁ କନ୍ୟା ପ୍ରାର୍ଥନା କରିଥିଲେ, ନିଜ ପାଇଁ ନୁହେଁ । ମୋତେ ଲାଭ କରିବାପାଇଁ ଭୀଷ୍ମଙ୍କ ପକ୍ଷରୁ କୌଣସି ସମୟରେ ଲକ୍ଷ୍ୟ କରି ନାହିଁ । ବିଶ୍ୱାସ କରନ୍ତୁ, କାୟ-ମନ ବାକ୍ୟରେ ଆପଣଙ୍କୁ ପତିରୂପେ ଲାଭ କରିବା ନିମନ୍ତେ ମୁଁ ଅନ୍ତରର ସହିତ ସଦାସର୍ବଦା ଧ୍ୟାନ କରି ଆସିଅଛି, ତେଣୁ ପ୍ରସନ୍ନଚିତ୍ତରେ ମୋତେ ସ୍ୱୀକାର କରିନିଅନ୍ତୁ ।’’

 

ଅମ୍ବା ଯେତେ ବ୍ୟାକୁଳ ଅନୁରୋଧ ଜଣାଇଲେ ମଧ୍ୟ ସେଥିପ୍ରତି ଶାଲ୍ୱ କୌଣସି ଆଗ୍ରହ, କୌଣସି ଶ୍ରଦ୍ଧା, କିଞ୍ଚିତ୍ କରୁଣା ପ୍ରଦର୍ଶନ କରିବା ତ ଦୂରର କଥା, ତାଙ୍କର ଦୃଷ୍ଟି ସମ୍ମୁଖରୁ ସତ୍ୱର ଅପସରି ଯିବାକୁ ଅମ୍ବାଙ୍କୁ କଠୋର ଭାବରେ ଆଦେଶ କରି ସେ କହିଲେ, ‘‘ରାଜନନ୍ଦିନୀ ! ତୁମେ ଏଠାରୁ ଶୀଘ୍ର ଚାଲିଯାଅ । ମୋ’ ଜାଣିବାରେ ଭୀଷ୍ମ ତୁମକୁ ଗ୍ରହଣ କରି ନେଇଅଛନ୍ତି । ସେ ପ୍ରବଳ ପରାକ୍ରମୀ, ତାଙ୍କ ନାମ ମୋର ପ୍ରାଣରେ ଭୟ ସଞ୍ଚାର କରୁଅଛି । ତେଣୁ ତୁମେ କାଳବିଳମ୍ବ ନ କରି ଏଠାରୁ ଚାଲିଯାଅ ।’’

 

ଅଦୂରଦର୍ଶୀ ଶାଲ୍ୱଙ୍କଠାରୁ ଏପରି ନିର୍ମମ ବ୍ୟବହାର ପାଇ କାନ୍ଦି କାନ୍ଦି କୁମାରୀ ଅମ୍ବା ଶାଲ୍ୱଙ୍କ ରାଜପୁରୀରୁ ଫେରିଆସିଲେ । ନିଜର ସେହି ଅସହାୟତା ଓ ଅସହ୍ୟ ଦୁର୍ଭାଗ୍ୟ ପାଇଁ ଯେ ଶାନ୍ତନୁ-ନନ୍ଦନ ଭୀଷ୍ମ ହିଁ ଦାୟୀ; ଏକଥା ମନ ମଧ୍ୟରେ ବିଚାରକରି କିପରି ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବେ ସେଥିପାଇଁ ଅମ୍ବାଙ୍କର ଯୁବତୀ ପ୍ରାଣ ବ୍ୟାକୁଳ ହୋଇଉଠିଲା ।

 

ପଥ ମଧ୍ୟରେ କେତେକ ପୁଣ୍ୟାତ୍ମା ତପସ୍ୱୀଙ୍କ ସହିତ ଅମ୍ବାଙ୍କର ସାକ୍ଷାତ ହେବାରୁ ନିଜର ଦୁର୍ବ୍ଦଶା ବର୍ଣ୍ଣନା କରି ମୋର ପ୍ରିୟ ଶାଲ୍ୱଙ୍କ ନିକଟକୁ ଯାଇଥିଲି, ମାତ୍ର ତାଙ୍କଦ୍ୱାରା ଏପରି ପ୍ରତ୍ୟାଖ୍ୟାତା ହେବା ପରେ ପ୍ରିୟ ପରିଜନଙ୍କ ନିକଟକୁ ଏ ଅବସ୍ଥାରେ ଫେରିଯିବାକୁ ମୁଁ ବିଶେଷ ଲଜ୍ଜାବୋଧ କରୁଅଛି । ବର୍ତ୍ତମାନ ସନ୍ୟାସ-ବ୍ରତ ଅବଲମ୍ବନ କରି ଗଭୀର ତପସ୍ୟାରେ ନିଜକୁ ନିମଜ୍ଜିତା କରିଦେବାକୁ ମୁଁ ବିଶେଷ ଉତ୍କଣ୍ଠିତା । ଆପଣମାନେ ମୋ’ ପ୍ରତି ଦୟା ପରବଶ ହୋଇସେ ବିଷୟରେ ଆବଶ୍ୟକୀୟ ଉପଦେଶ ମୋତେ ପ୍ରଦାନ କରନ୍ତୁ ।’’

କିନ୍ତୁ ମହର୍ଷିମାନେ କହିଲେ, ‘‘ହେ ସୁକୁମାରୀ ରାଜନନ୍ଦିନୀ ! ତୁମର ଏ ସୁକୁମାର ଶରୀରରେ କଠୋର ସନ୍ୟାସ-ବ୍ରତ ଗ୍ରହଣ କରିବାର କୌଣସି ପ୍ରୟୋଜନ ନାହିଁ । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ସୁଖ ସମୟରେ ପତି ଓ ସଂକଟ ସମୟରେ ପିତା ସ୍ତ୍ରୀଲୋକମାନଙ୍କର ଉତ୍ତମ ଆଶ୍ରୟଦାତା । ତୁମେ ଯେତେବେଳେ ଅବିବାହିତା, ସେତେବେଳେ ପତିର ପ୍ରଶ୍ନ ଉଠୁନାହିଁ; ପିତା ହିଁ ତୁମର ଏକମାତ୍ର ରକ୍ଷାକର୍ତ୍ତା । ଭୀଷ୍ମଙ୍କ ଦ୍ୱାରା ଅପହୃତା ଓ ଶାଲ୍ୱଙ୍କ ଦ୍ୱାରା ପରିତ୍ୟକ୍ତା ହୋଇଥିଲେ ମଧ୍ୟ, ତୁମର ଚରିତ୍ର ଏବେ ବି ଅମ୍ଳାନ ରହିଅଛି । ତୁମେ କୌଣସି ଲଜ୍ଜାବୋଧ ନକରି ନିର୍ବିଚାରରେ ପିତାଙ୍କ ନିକଟକୁ ଫେରିଯାଅ । ବର୍ତ୍ତମାନ ଅବସ୍ଥାରେ ପିତା ତୁମପାଇଁ ଯାହା ବ୍ୟବସ୍ଥା କରିବେ, ତାହା ତୁମ ଭବିଷ୍ୟତ ପକ୍ଷରେ ହିତକର ହେବ ।’’

ଏତେ କଥା ଶୁଣି ମଧ୍ୟ ଅମ୍ବା ପିତୃଗୃହକୁ ପ୍ରତ୍ୟାଗମନ କରିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ । ଯେଉଁ ଭୀଷ୍ମଙ୍କ ଯୋଗୁ ନିଜେ ଏପରି ଦୁର୍ବ୍ଦଶାଗ୍ରସ୍ତ ହୋଇଅଛନ୍ତି ବୋଲି ଅମ୍ବାଙ୍କ ମନରେ ଦୃଢ଼ ଧାରଣା ଜାତ ହୋଇଥିଲା, ସେହି ଭୀଷ୍ମଙ୍କୁ ଯୁଦ୍ଧରେ ନିହତ କରିବାକୁ ରାଜନନ୍ଦିନୀ ଅମ୍ବାଙ୍କର କ୍ରୋଧପ୍ରଜ୍ଜ୍ୱଳିତ ହୃଦୟ ସତତ ବ୍ୟାକୁଳ ହୋଇଉଠୁଥିଲା । ଅମ୍ବାଙ୍କର କ୍ରୋଧାନ୍ୱିତ ହୃଦୟର ସେହି ଅଦମ୍ୟ ଅଥଚ ନିଷ୍ଠୁର କାମନାର କଥା ହୃଦୟଙ୍ଗମ କରି ରାଜର୍ଷି ହୋକ୍ରବାନ କହିଲେ, ‘‘ରାଜକୁମାରୀ ! ତୁମେ ବୀରଶିରୋମଣି ତପସ୍ୱୀ ପର୍ଶୁରାମଙ୍କର ଶରଣାପନ୍ନ ହୁଅ । ସେ ଅଚିରେ ତୁମର ମନସ୍କାମନା ପୂର୍ଣ୍ଣ କରିପାରିବେ ।

ହୋକ୍ରବାନଙ୍କ ଉପଦେଶକ୍ରମେ ଅମ୍ବା ତତ୍‌କ୍ଷଣାତ୍ ପର୍ଶୁରାମଙ୍କ ନିକଟକୁ ଗଲେ ଏବଂ ସବୁ କଥା କହି ତାଙ୍କର ସାହାଯ୍ୟ ଭିକ୍ଷା କଲେ ।

ପର୍ଶୁରାମ କହିଲେ, ‘‘ମା, ମୁଁ ଭୀଷ୍ମଙ୍କ ନିକଟକୁ ବର୍ତ୍ତମାନ ଦୂତ ପ୍ରେରଣ କରୁଅଛି । ସେ ବିନୟୀ; ଯଦି ଗ୍ରହଣ ନ କରନ୍ତି ମୁଁ ତାଙ୍କୁ ନିଶ୍ଚୟ ଯୁଦ୍ଧରେ ନିହତ କରିବି । ଆଉ ଭୀଷ୍ମଙ୍କ ପ୍ରତି ଯଦି ତୁମର କାମନା ନ ଥାଏ, ତେବେ ତୁମେ ଚାହିଁଲେ ତୁମର ପାଣିଗ୍ରହଣ କରିବାପାଇଁ ରାଜା ଶାଲ୍ୱଙ୍କୁ ମୁଁ ରାଜି କରାଇପାରିବି ।’’

ଅମ୍ବା କହିଲେ, ‘‘ହେ ପୁଣ୍ୟାତ୍ମା ! ବିବାହ ପାଇଁ ମୋ’ ମନରେ ଆଉ କୌଣସି ଆସକ୍ତି ନାହିଁ । ମୋର ଏହି ଦୁର୍ବ୍ଦଶା ପାଇଁ ମୁଖ୍ୟତଃ ଭୀଷ୍ମ ହିଁ ଦାୟୀ । ତାଙ୍କୁ ଆପଣ ସଂହାର କରନ୍ତୁ, ମୁଁ ଆଉ କିଛି ଚାହେଁ ନାହିଁ ।’’

ଭୀଷ୍ମଙ୍କ ସହ ଯୁଦ୍ଧ କରିବାକୁ ପର୍ଶୁରାମ ପ୍ରଥମେ ଇଚ୍ଛୁକ ନଥିଲେ; କିନ୍ତୁ ଅମ୍ବା ଯେତେବେଳେ ତାଙ୍କୁ ବାରମ୍ବାର ଅନୁନୟ ବିନୟ କଲେ, ଅମ୍ବାଙ୍କର ସନ୍ତାପିତ ମନକୁ ସନ୍ତୁଷ୍ଟ କରିବାକୁ ଯାଇ ପର୍ଶୁରାମ ଭୀଷ୍ମଙ୍କୁ ଯୁଦ୍ଧକୁ ଆହ୍ୱାନ କଲେ । କୁରୁକ୍ଷେତ୍ର ସମର ପ୍ରାଙ୍ଗଣରେ ଉଭୟଙ୍କ ମଧ୍ୟରେ ସାତଦିନ ଧରି ଭୀଷଣ ସମର ଅନୁଷ୍ଠିତ ହେଲା ଏବଂ ତହିଁରେ ପର୍ଶୁରାମ ପରାଜିତ ହୋଇଗଲେ ।

ଯୁଦ୍ଧ ଶେଷରେ ପର୍ଶୁରାମ କହିଲେ, ‘‘ମା, ମୁଁ ମୋର ସକଳ ଯୁଦ୍ଧ କୌଶଳ ଓ ବିବିଧ ଅସ୍ତ୍ର ପ୍ରୟୋଗ କରି ମଧ୍ୟ ବୀରତ୍ୱରେ ଭୀଷ୍ମଙ୍କୁ ଅତିକ୍ରମ କରିପାରିଲି ନାହିଁ; ତେଣୁ ତୁମେ ବର୍ତ୍ତମାନ ସ୍ୱତଃପ୍ରବୃତ୍ତ ହୋଇଭୀଷ୍ମଙ୍କୁ ଆଶ୍ରୟ କରିପାର ।’’

 

ଅମ୍ବା ସେଥିରେ ସମ୍ମତ ନହୋଇକହିଲେ, ‘‘ଆପଣ ମୋ’ ପାଇଁ ଭୀଷ୍ମଙ୍କ ସହ ଯଥାଶକ୍ତି ଯୁଦ୍ଧ କରିଛନ୍ତି, ଏହା ମୋ’ ପକ୍ଷରେ କମ୍ ସୌଭାଗ୍ୟର ବିଷୟ ନୁହେଁ । ତେବେ ମୁଁ ନିଜେ ଯେପରି ଭୀଷ୍ମଙ୍କୁ ଯୁଦ୍ଧରେ ସଂହାର କରିପାରିବି, ସେହି ଉଦ୍ୟମରେ ବର୍ତ୍ତମାନ ନିଜକୁ ନିୟୋଜିତ କରିବି ।’’ ଏହା କହି ତପସ୍ୟା କରିବା ଉବ୍ଦେଶ୍ୟରେ ଅମ୍ବା ଯମୁନା ନଦୀ ତୀରସ୍ଥ ବନମଧ୍ୟକୁ ଯାଇ, ସେଠାରେ କଠୋର ତପସ୍ୟା ଆଚରଣ କରି ମହାଦେବଙ୍କୁ ସନ୍ତୁଷ୍ଟ କରିଥିଲେ ଓ ଯୁଦ୍ଧରେ ଭୀଷ୍ମଙ୍କୁ ପରାଜିତ କରିବାକୁ ବର ଲାଭ କରିଥିଲେ ।

 

ଅମ୍ବା ପଚାରିଲେ ମହାପ୍ରଭୁ, ‘‘ମୁଁ ଯେ ସ୍ତ୍ରୀଲୋକ; ନାରୀ ହୋଇକିପରି ଭୀଷ୍ମଙ୍କୁ ଯୁଦ୍ଧରେ ପରାଜିତ କରିପାରିବି ?’’

 

ମହାଦେବ କହିଲେ, ‘‘ଭଦ୍ରେ ! ମୋର ବାକ୍ୟ ବ୍ୟର୍ଥ ହେବନାହିଁ । ତୁମେ ଆଗାମୀ ଜନ୍ମରେ ଦ୍ରୁପଦ ରାଜବଂଶରେ ଜନ୍ମଗ୍ରହଣ କରି ପୁରୁଷତ୍ୱ ଲାଭ କରିବ ଓ ଯୁଦ୍ଧରେ ଭୀଷ୍ମଙ୍କୁ ନିହତ କରିବ । ଜନ୍ମାନ୍ତର ସତ୍ତ୍ୱେ ଏ ଜନ୍ମର କୌଣସି କଥା ତୁମ ସ୍ମୃତିପଟରୁ ସେତେବେଳେ ମଧ୍ୟ ଲୋପ ପାଇନଥିବ ।’’

 

ମହାଦେବଙ୍କଠାରୁ ଏହିରୂପେ ବରଲାଭ କରି ଅମ୍ବା ଜନ୍ମାନ୍ତର ପାଇଁ ବିଶେଷ ଉତ୍କଣ୍ଠିତା ହୋଇପଡ଼ିଲେ ଏବଂ ତତ୍‌କ୍ଷଣାତ୍ କାଷ୍ଠ ପ୍ରଭୃତି ସଂଗ୍ରହ କରି ସେହି ଯମୁନା ତୀରରେ ଏକ ଚିତା ପ୍ରସ୍ତୁତ କରି ବ୍ରାହ୍ମଣମାନଙ୍କ ସମ୍ମୁଖରେ ‘‘ଭୀଷ୍ମଙ୍କୁ ନିହତ କରିବାପାଇଁ ମୁଁ ଆଜି ଏହି ଅଗ୍ନିରେ ପ୍ରବେଶ କରୁଅଛି’’ କହି କାଶୀ ରାଜନନ୍ଦିନୀ ପରମାସୁନ୍ଦରୀ ଯୁବତୀ ଅମ୍ବା ଅଗ୍ନିରେ ପ୍ରବେଶ କରି ଦେହତ୍ୟାଗ କଲେ ।

 

ଦ୍ରୁପଦ ରାଜା ସନ୍ତାନବିହୀନ ଥିଲେ । ସେ କଠୋର ତପସ୍ୟାରେ ମହାଦେବଙ୍କୁ ସନ୍ତୁଷ୍ଟ କରିବାରୁ ମହାଦେବ ଆବିର୍ଭୂତ ହୋଇକହିଲେ, ‘‘ମହାରାଜ ! ତୁମ ରାଜମହିଷୀଙ୍କ ଗର୍ଭରେ ଏକ କନ୍ୟା ଜନ୍ମ ହୋଇପରେ ପୁତ୍ରତ୍ୱ ପ୍ରାପ୍ତ ହେବ । ତୁମେ ତେଣୁ ତପସ୍ୟାରୁ କ୍ଷାନ୍ତ ହୁଅ ।’’

 

ଯଥାସମୟରେ ଦ୍ରୁପଦ ରାଜମହିଷୀ ଗର୍ଭବତୀ ହୋଇଏକ ପରମାସୁନ୍ଦରୀ କନ୍ୟା ପ୍ରସବ କରିଥିଲେ । ମହାଦେବଙ୍କ ପ୍ରଦତ୍ତ ବର କଥା ସ୍ମରଣ କରି ରାଜଦମ୍ପତି ନବଜାତ କନ୍ୟାର ଜନ୍ମ ବିଷୟରେ ଅତି ଗୋପନୀୟତା ରକ୍ଷାକରି, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହୋଇଅଛି ବୋଲି ସମ୍ବାଦ ସର୍ବତ୍ର ପ୍ରଚାର କରିଦେଲେ । ଏହି କନ୍ୟା ଶିବଙ୍କର ବର ପ୍ରଭାବରେ ଯଥା ସମୟରେ ପୁରୁଷତ୍ୱ ପ୍ରାପ୍ତ ହୋଇ, ମହାଭାରତରେ ‘ଶିଖଣ୍ଡି’ ନାମରେ ପରିଚିତ ହୋଇଥିଲେ ।

Image

 

ଧୃତରାଷ୍ଟ୍ର, ପାଣ୍ଡୁ ଓ ବିଦୁରଙ୍କ ଜନ୍ମ

 

ବିଚିତ୍ରବୀର୍ଯ୍ୟଙ୍କର ଅକାଳ ମୃତ୍ୟୁ ହେବାପରେ ମାତା ସତ୍ୟବତୀ ବଂଶରକ୍ଷା ବିଷୟରେ ବିଶେଷ ଚିନ୍ତିତା ହୋଇଭୀଷ୍ମଙ୍କୁ ପାଖକୁ ଡ଼ାକି କହିଲେ, ‘‘ହେ ପୁରୁଷର୍ଷଭ, ତୁମର ପ୍ରିୟଭ୍ରାତା ବିଚିତ୍ରବୀର୍ଯ୍ୟର ଅପୁତ୍ରିକ ଅବସ୍ଥାରେ ଅକାଳବିୟୋଗ ଘଟିବାରୁ ତା’ର ପରମା ରୂପବତୀ ଯୁବତୀ ପତ୍ନୀ ଦ୍ୱୟଙ୍କର ଜନନୀ ହେବାର ବାସନା ଅପୂର୍ଣ୍ଣ ରହିଅଛି । ତେଣୁ ବଂଶରକ୍ଷା ନିମନ୍ତେ ତୁମେ ସେମାନଙ୍କ ଗର୍ଭରେ ସନ୍ତାନ ଉତ୍ପାଦନ କର । ତହିଁରେ ତୁମର ପରମ ଧର୍ମ ଲାଭ ହେବ । ତୁମେ ବର୍ତ୍ତମାନ ରାଜସିଂହାସନରେ ଅଭିଷିକ୍ତ ହୋଇରାଜ୍ୟପାଳନ କର ଓ ପିତାଙ୍କର ବଂଶରକ୍ଷା ନିମନ୍ତେ ବିବାହ ମଧ୍ୟ କର, ଏହା ମୋର ଇଚ୍ଛା ।

 

ମାତା ସତ୍ୟବତୀଙ୍କ ମୁଖରୁ ଏପରି ବାକ୍ୟ ଶ୍ରବଣ କହି ଧର୍ମାତ୍ମା ଭୀଷ୍ମ କହିଲେ, ‘‘ମା, ଆପଣଙ୍କର ଧର୍ମୋପଦେଶ ଯଥାର୍ଥ, କିନ୍ତୁ ମୁଁ ଯେ ବିବାହ କରିବି ନାହିଁ ଓ ରାଜଗାଦିରେ ଆସୀନ ହେବି ନାହିଁ ବୋଲି ସତ୍ୟ କରିଥିଲି-ଏ କଥାତ ଆପଣଙ୍କର ସ୍ମରଣ ଥିବ । ମୁଁ ସତ୍ୟଭଙ୍ଗ କରିବି କିପରି ? ପୃଥିବୀ ଗନ୍ଧ ପରିତ୍ୟାଗ କରିପାରେ, ଜଳ ମଧୁରତା ତ୍ୟାଗ କରିପାରେ, ଜ୍ୟୋତି ରୂପ ତ୍ୟାଗ କରିପାରେ, ବାୟୁ ସ୍ପର୍ଶଗୁଣ ପରିତ୍ୟାଗ କରିପାରେ, ସୂର୍ଯ୍ୟ ପ୍ରଭା ତ୍ୟାଗ କରିପାରନ୍ତି, ଅଗ୍ନି ଉଷ୍ଣତା ତ୍ୟାଗ କରିପାରନ୍ତି, ଇନ୍ଦ୍ର ପରାକ୍ରମ ତ୍ୟାଗ କରିପାରନ୍ତି ଏବଂ ଧର୍ମରାଜ ହୁଏତ ଧର୍ମ ତ୍ୟାଗ କରିପାରନ୍ତି; ମାତ୍ର ମୁଁ ସତ୍ୟ ପରିତ୍ୟାଗ କରିପାରିବି ନାହିଁ । ମା, ମୋତେ କ୍ଷମା କରିବେ ।’’

 

ସତ୍ୟବତୀ କହିଲେ, ‘‘ହେ ସତ୍ୟପରାକ୍ରମ, ସତ୍ୟପ୍ରତି ଯେ ତୁମ ମନରେ ଅବିଚଳିତ ଶ୍ରଦ୍ଧା ରହିଅଛି, ଏହା ମୋତେ ଅଜଣା ନାହିଁ । ଦେଶ, କାଳ, ପାତ୍ର ପ୍ରତି ଦୃଷ୍ଟି ଦେଇ ପିତୃତ୍ୟକ୍ତ ଏହି ରାଜ୍ୟର ଭାର ତ ପୁଣି ଗ୍ରହଣ କରିବାକୁ ପଡ଼ିବ ? ତୁମ୍ଭର ବଂଶପରମ୍ପରା ଯେପରି ସୁରକ୍ଷିତ ହୋଇପାରିବ, ଧର୍ମର କ୍ଷୟ ଯେପରି ନହେବ ଏବଂ ପ୍ରିୟଜନମାନେ ଯେପରି ସନ୍ତୁଷ୍ଟ ହେବେ, ସେଥିପାଇଁ ଯାହା ଉପଯୁକ୍ତ ଭାବୁଅଛ, ସେପରି କର ।’’

 

ଭୀଷ୍ମ କହିଲେ, ‘‘ମା’ ଆମର ଏହି ବଂଶରକ୍ଷା ନିମନ୍ତେ ଗୋଟିଏ କଥା ଭାବୁଛି, ବିଚିତ୍ରବୀର୍ଯ୍ୟର ପତ୍ନୀ ଦ୍ୱୟଙ୍କ ଗର୍ଭରେ ସନ୍ତାନ ଉତ୍ପାଦନ କରାଇବା ନିମନ୍ତା କୌଣସି ଗୁଣବାନ୍ ବ୍ରାହ୍ମଣଙ୍କୁ ଦାନାଦି ପ୍ରଦାନ କରି ନିମନ୍ତ୍ରଣ କଲେ ହୁଅନ୍ତା ନାହିଁ ?’’

 

ଭୀଷ୍ମଙ୍କ କଥା ଶୁଣି ହଠାତ୍ ବ୍ୟାସଦେବଙ୍କର କଥା ସତ୍ୟବତୀଙ୍କର ମନେପଡ଼ିଗଲା । ସତ୍ୟବତୀ କହିଲେ, ‘‘ତୁମେ ଠିକ୍ କହିଅଛ । ଅବିବାହିତା ଅବସ୍ଥାରେ ମହର୍ଷି ପରାଶରଙ୍କ ଔରସରେ ମୁଁ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିଥିଲି । ତା’ର ନାମ ବ୍ୟାସଦେବ । ଜନ୍ମହେବା ପରେ ପରେ ମୋତେ ସେ କହିଯାଇଥିଲା, ମା’, ଆବଶ୍ୟକ ହେଲେ ମୋତେ ସ୍ମରଣ କଲେ ମୁଁ ଆସି ପହଞ୍ଚିବି । ବର୍ତ୍ତମାନ ଭାବୁଛି ବ୍ୟାସଦେବଙ୍କୁ ଆହ୍ୱାନ କଲେ ସେ ବିଚିତ୍ରବୀର୍ଯ୍ୟର କ୍ଷେତ୍ରରେ ଅପତ୍ୟୋତ୍ପାଦନ କରିପାରନ୍ତା ।’’

 

ବ୍ୟାସଦେବଙ୍କର ନାମ ଶୁଣି ଭୀଷ୍ମ ପରମ ନମ୍ରତାର ସହିତ କହିଲେ, ‘‘ଆପଣଙ୍କ ପ୍ରସ୍ତାବ ଯଥାର୍ଥର ଧର୍ମଯୁକ୍ତ ଏବଂ ଆମର ବଂଶରକ୍ଷା ଦୃଷ୍ଟିରୁ ପରମ ହିତକର । ଆପଣ ତାହା ହିଁ କରନ୍ତୁ ।’’

 

ସ୍ମରଣ କରିବା ମାତ୍ରେ ବ୍ୟାସଦେବ ମାତାଙ୍କ ନିକଟରେ ଆସି ଉପସ୍ଥିତ ହେଲେ । ବ୍ୟାସଦେବଙ୍କ ନିକଟରେ ସବୁକଥା ବର୍ଣ୍ଣନା କରି ସତ୍ୟବତୀ କହିଲେ, ‘‘ବତ୍ସ, ବର୍ତ୍ତମାନ ରାଜସିଂହାସନ ଶୂନ୍ୟ ପଡ଼ିଅଛି । ରାଜ୍ୟ ଅରାଜକ ହେଲେ ପ୍ରଜାମାନେ ଅନାର୍ଥ ଓ ବିପଦାପନ୍ନ ହେବେ ଏବଂ ସେଥି ସଙ୍ଗେ ସଙ୍ଗେ ଧର୍ମ କର୍ମ ନଷ୍ଟ ହେବ । ଧର୍ମ ନଷ୍ଟ ହେଲେ ଦେବତାମାନେ ଅସନ୍ତୁଷ୍ଟ ହେବେ ଓ ରାଜ୍ୟରେ ନାନା ପ୍ରକାରର ଅଶାନ୍ତି ଦେଖାଦେବ । ଏପରି ଅରାଜକ ରାଜ୍ୟର ଦାୟିତ୍ୱ କିଏ ବା ଗ୍ରହଣ କରିପାରିବ ? ତେଣୁ ତୁମେ ଅବିଳମ୍ବେ ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀଦ୍ୱୟଙ୍କ ଗର୍ଭରେ ସନ୍ତାନ ଉତ୍ପାଦନ କରି ଏହି ଅନାଗତ ଦୁର୍ଯ୍ୟୋଗରୁ ସମସ୍ତଙ୍କୁ ରକ୍ଷା କର ।’’

 

ବ୍ୟାସଦେବ କହିଲେ, ‘‘ଯଦି ଆପଣଙ୍କର ପୁତ୍ରବଧୂମାନେ ମୋର ଏହି ବିକଟ ମୂର୍ତ୍ତି, ଭୟାନକ ବେଶ ଓ ଶରୀରର ତୀବ୍ର ଗନ୍ଧକୁ ସହ୍ୟ କରିପାରିବେ, ତେବେ ସେମାନେ ପୁତ୍ରବତୀ ହୋଇପାରିବେ । ସେମାନେ ତଦନୁସାରେ ଯଦି ସମ୍ମତା ଥାଆନ୍ତି, ତେବେ ଉପଯୁକ୍ତ ବେଶଭୂଷାରେ ସୁସଜ୍ଜିତ ହୋଇପବିତ୍ର ମନରେ ମୋତେ ଶୟନକକ୍ଷରେ ଅପେକ୍ଷା କରିବାକୁ ବୋହୂମାନଙ୍କୁ କହନ୍ତୁ-।’’

 

ଏହା କହି ବ୍ୟାସଦେବ ଅନ୍ତର୍ହିତ ହୋଇଗଲେ ।

 

ସତ୍ୟବତୀଙ୍କ କଥାନୁସାରେ ରମଣୀୟ ବେଶଭୂଷାରେ ସଜ୍ଜିତ ହୋଇଦୁଇଟି ସ୍ୱତନ୍ତ୍ର କକ୍ଷରେ ସୁନ୍ଦର କୋମଳଶଯ୍ୟା ପ୍ରସ୍ତୁତ କରି ଅମ୍ବିକା ଓ ଅମ୍ବାଳିକା ବ୍ୟାସଦେବଙ୍କୁ ଅପେକ୍ଷା କରି ରହିଲେ । ପ୍ରଥମେ ଅମ୍ବିକା ଓ ତତ୍ପରେ ଅମ୍ବାଳିକାର ଶୟନଗୃହରେ ବ୍ୟାସଦେବ ଆବିର୍ଭୁତ ହୋଇଥିଲେ । ଶୟନକକ୍ଷର ପ୍ରଜ୍ଜ୍ୱଳିତ ପ୍ରଦୀପ ଶିଖାରେ ସନ୍ୟାସୀ ବ୍ୟାସଦେବଙ୍କର କୃଷ୍ଣବର୍ଣ୍ଣ ଶରୀର, ଉଜ୍ଜ୍ୱଳ ନେତ୍ର, ପିଙ୍ଗଳ ବର୍ଣ୍ଣର ବହୁଳ ଜଟା ଏବଂ ବିସ୍ତୃତ ଶ୍ମଶ୍ରୁ ଆଦି ଭୟାନକ ରୂପ ଦର୍ଶନ କରି ଅମ୍ବିକା ଅତ୍ୟଧିକ ଭୟଭୀତା ହୋଇଚକ୍ଷୁ ବନ୍ଦକରି ପଡ଼ିରହିଲେ । ଅମ୍ବାଳିକାର ଶୟନ ମନ୍ଦିରରେ ବ୍ୟାସଦେବ ପ୍ରବେଶ କରିବାରୁ ତାଙ୍କର ଅଦ୍ଭୁତ ରୂପରେ ଭୟଭୀତା ହୋଇଯିବାରୁ ଅମ୍ବାଳିକାଙ୍କର ଶରୀରର ବର୍ଣ୍ଣ ପାଣ୍ଡୁର ହୋଇଗଲା କିନ୍ତୁ ମାତାଙ୍କୁ ସନ୍ତୁଷ୍ଟ କରିବା ଉବ୍ଦେଶ୍ୟରେ ଉଭୟଙ୍କ ଗର୍ଭରେ ବ୍ୟାସଦେବ ସନ୍ତାନ ସ୍ଥାପନ କଲେ ।

 

ପୁତ୍ରମାନଙ୍କର ଲକ୍ଷଣ କିପରି ହେବ ବୋଲି ସତ୍ୟବତୀ ପ୍ରଶ୍ନ କରିବାରୁ ବ୍ୟାସଦେବ କହିଲେ, ପୁତ୍ରମାନେ ବିଦ୍ୱାନ୍‍, ବଳବାନ୍ ଓ ରାଜଲକ୍ଷଣଯୁକ୍ତ ହେବେ ସତ, ମାତ୍ର ମାତୃଦୋଷ ହେତୁ ଅମ୍ବିକାଙ୍କର ପୁତ୍ର ଅନ୍ଧ ଓ ଅମ୍ବାଳିକାର ପୁତ୍ରର ବର୍ଣ୍ଣ ପାଣ୍ଡୁର ହେବ ।’’

 

ସତ୍ୟବତୀ ତାହା ଶୁଣି ଦୁଃଖିତ ମନରେ କହିଲେ, ‘‘ହେ ତପୋବନ; ଅନ୍ଧପୁତ୍ର ପୁଣି ରାଜ୍ୟ ଶାସନ କରିବ କିପରି ? ତେଣୁ ତୁମେ ଅମ୍ବିକାକୁ ଆଉ ଗୋଟିଏ ସନ୍ତାନ ଦ୍ୱାରା ଆଶୀର୍ବାଦ କର ।’’

 

ସତ୍ୟବତୀଙ୍କ କଥାରେ ବ୍ୟାସଦେବ ସମ୍ମତ ହେଲେ, ‘‘କିନ୍ତୁ ବ୍ୟାସଙ୍କ ନିକଟକୁ ଆସିବାକୁ ଅମ୍ବିକା ଆଉ ସାହସ କରିପାରିଲେ ନାହିଁ । ସମସ୍ତଙ୍କ ଅଗୋଚରରେ ନିଜର ଏକ ପ୍ରିୟଦାସୀକୁ ନିଜର ବେଶଭୂଷାରେ ଅଳଂକୃତା କରି ବ୍ୟାସଦେବଙ୍କ ନିକଟକୁ ପଠାଇଦେଲେ । ସେହି ଦାସୀଟି ଏହି ବିରଳ ସୌଭାଗ୍ୟର ସଦୁପଯୋଗ କରି ପରମ ଭକ୍ତି ସହକାରେ ବ୍ୟାସଦେବଙ୍କର ପୂଜା ଅଭ୍ୟର୍ଥନା କରି ତାଙ୍କୁ ଆମନ୍ତ୍ରଣ କରିବାରୁ, ବ୍ୟାସଦେବ ଦାସୀର ଆନ୍ତରିକ ସେବା ଓ ଭକ୍ତିରେ ସନ୍ତୁଷ୍ଟ ହୋଇକହିଲେ, ‘‘ହେ ଶୁଭ୍ରେ, ତୁମ୍ଭର ଏହି ପୁତ୍ର ଅସାଧାରଣ ବୁଦ୍ଧିମାନ ଓ ଧାର୍ମିକ ହେବ ଓ ତୁମେ ଏହି ପୁତ୍ରଯୋଗୁ ଦାସତ୍ୱରୁ ମୁକ୍ତ ହେବ ।’’

 

ଅମ୍ବିକା ଗର୍ଭଜାତ ପୁତ୍ର ଧ୍ରୁତରାଷ୍ଟ୍ର, ଅମ୍ବାଳିକାଙ୍କ ପୁତ୍ର ପାଣ୍ଡୁ ଓ ଦାସୀର ପୁତ୍ର ବିଦୁର ନାମରେ ପରିଚିତ ହେଲେ ।

Image

 

Unknown

ମାଣ୍ଡବ୍ୟ ଉପାଖ୍ୟାନ

 

ବିଦୁରଙ୍କ ପୂର୍ବ-ଜନ୍ମ ସମ୍ପର୍କରେ ଗୋଟିଏ ସୁନ୍ଦର ଉପାଖ୍ୟାନ ଅଛି ।

 

ମାଣ୍ଡବ୍ୟ ନାମରେ ଜଣେ ସତ୍ୟବାଦୀ, ଧାର୍ମିକ ସନ୍ୟାସୀ ଥିଲେ । ସେ ମୌନବ୍ରତ ଅବଲମ୍ବନ କରି ବର୍ଷ ବର୍ଷ ଧରି କଠୋର ତପସ୍ୟା କରୁଥାନ୍ତି । ଦିନେ ଦଳେ ଦସ୍ୟୁ ଚୌର୍ଯ୍ୟ ଧନ ସହ ଆସୁଥିବା ସମୟରେ ରାଜାଙ୍କ ପ୍ରହରୀମାନେ ଗୋଡ଼ାଇବାରୁ, ଦସ୍ୟୁମାନେ କିଛି ଉପାୟ ନ ପାଇ ଅପହୃତ ସମ୍ପତ୍ତିକୁ ମାଣ୍ଡବ୍ୟଙ୍କ ଆଶ୍ରମ ମଧ୍ୟରେ ପକାଇଦେଇ ସେଠାରେ ଆତ୍ମଗୋପନ କରି ରହିଗଲେ । ରାଜକର୍ମଚାରୀମାନେ ତହିଁ ପରେ ପରେ ଆଶ୍ରମକୁ ଆସି ଚୋରମାନେ କେଉଁଆଡ଼େ ଗଲେ ବୋଲି ମାଣ୍ଡବ୍ୟଙ୍କୁ ପଚାରିଲେ; ମାତ୍ର ମାଣ୍ଡବ୍ୟଙ୍କୁ ନିରୁତ୍ତର ଦେଖି ରାଜକର୍ମଚାରୀମାନେ ବିଭିନ୍ନ ଦିଗରେ ଚୋରଙ୍କୁ ଅନ୍ୱେଷଣ କରୁ କରୁ ଚାଷୀଙ୍କ ଆଶ୍ରମ ମଧ୍ୟରେ ଆତ୍ମଗୋପନ କରି ରହିଥିବା ଦସ୍ୟୁଙ୍କୁ ଧରିଲେ ଓ ମାଣ୍ଡବ୍ୟଙ୍କୁ ଦସ୍ୟୁ ଦଳର ଜଣେ ବ୍ୟକ୍ତି ବୋଲି ଭାବି ଚୋରଙ୍କ ସହ ମାଣ୍ଡବ୍ୟଙ୍କୁ ମଧ୍ୟ ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କଲେ । ରାଜକର୍ମଚାରୀଙ୍କ ଠାରୁ ସବୁ କଥା ଶୁଣି ମାଣ୍ଡବ୍ୟଙ୍କ ସହ କର୍ମଚାରୀମାନେ ମାଣ୍ଡବ୍ୟଙ୍କୁ ନେଇ ଶୂଳୀରେ ବସାଇଲେ । ବଡ଼ ଆଶ୍ଚର୍ଯ୍ୟର ବିଷୟ ଏ ମଧ୍ୟରେ ଏତେ ଘଟଣା ଘଟିଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହେଲା ନାହିଁ ।

 

ମାଣ୍ଡବ୍ୟ ଯେ ଶୂଳୀ ଦଣ୍ଡ ସତ୍ତ୍ୱେ ଏବେବି ଜୀବିତ ଅଛନ୍ତି ଏକଥା ଜାଣିବାକୁ ପାଇ ଋଷିଙ୍କ ନିକଟକୁ ରାଜା ସ୍ୱୟଂ ଆସିବେ ଓ ମାଣ୍ଡବ୍ୟଙ୍କୁ ଜଣେ ଅଲୌକିକ ଶକ୍ତିସମ୍ପନ୍ନ ଲୋକ ବୋଲି ବିଚାର କରି ତାଙ୍କ ଶରୀରରୁ ଶୂଳୀଦଣ୍ଡଟିକୁ ବାହାର କରି ତାଙ୍କୁ ଶାରୀରିକ ଯନ୍ତ୍ରଣାରୁ ରକ୍ଷା କରିବାପାଇଁ ରାଜା କର୍ମଚାରୀଙ୍କୁ ଆଦେଶ ଦେଲେ । ମାତ୍ର ବହୁତ ଚେଷ୍ଟା ସତ୍ତ୍ୱେ ମାଣ୍ଡବ୍ୟଙ୍କ ଶରୀରରୁ ଶୂଳୀ-ଦଣ୍ଡଟି ନିର୍ଗତ କରାଯାଇପାରିଲା ନାହିଁ; ତେଣୁ ପରିଶେଷରେ ବାହାରପଟରୁ ଶୂଳୀ-ଦଣ୍ଡଟିକୁ କାଢ଼ିଦିଆଗଲା । ନିଜର ଶରୀରରେ ଅବଶିଷ୍ଟ ଶୂଳୀ-ଦଣ୍ଡଟି ତେବେ ବି ପ୍ରବେଶ କରି ରହିଲେ ମଧ୍ୟ ଶାରୀରିକ ଯନ୍ତ୍ରଣା ପ୍ରତି ଭ୍ରୂକ୍ଷେପ ନକରି ମାଣ୍ଡବ୍ୟ ସର୍ବତ୍ର ପର୍ଯ୍ୟଟନ କରିଥିଲେ ଓ କଠୋର ତପସ୍ୟା ମଧ୍ୟ କରିଥିଲେ ।

 

ଦିନେ ଧର୍ମରାଜ ଯମଙ୍କ ନିକଟକୁ ଯାଇ ମାଣ୍ଡବ୍ୟ ପଚାରିଲେ ‘‘ହେ ଧର୍ମ, ମୁଁ କି ପାପ କରିଥିଲି ଯେ, ମୋତେ ଏପରି ଦଣ୍ଡ ଭୋଗ କରିବାକୁ ପଡ଼ିଲା ।’’

 

ଧର୍ମ କହିଲେ, ‘‘ଆପଣ ପିଲା ବୟସରେ ପତଙ୍ଗମାନଙ୍କ ମଳଦ୍ୱାରରେ ତୃଣ ଆଦି ପୂରାଇ ସେମାନଙ୍କୁ ପୀଡ଼ିତ କରିଥିବାରୁ ଆପଣ ସେହି ଦୁଷ୍କର୍ମର ପରିଣାମ ଭୋଗ କରୁଅଛନ୍ତି ।’’

 

ଧର୍ମଙ୍କର କଥା ଶୁଣି ମାଣ୍ଡବ୍ୟ ଅତି ରାଗିଯାଇ କହିଲେ, ‘‘ମୋର ଏପରି ଲଘୁ ପାପ ପାଇଁ ତୁମେ ଏପରି ଗୁରୁଦଣ୍ଡ ବିଧାନ କରିଅଛ ? ମୁଁ ତୁମକୁ ଅଭିଶାପ ଦେଉଅଛି ଯେ, ତୁମେ ଏହି ଅବିଚାର ପାଇଁ ମନୁଷ୍ୟ ହୋଇଶୂଦ୍ରଯୋନିରେ ଜନ୍ମଗ୍ରହଣ କରିବ ।’’

 

ଏହିପରି ଭାବରେ ଅଭିଶାପଗ୍ରସ୍ତ ହୋଇଧର୍ମରାଜ ଅମ୍ବିକାଙ୍କର ପ୍ରିୟଦାସୀର ଗର୍ଭରେ ବିଦୁର ରୂପରେ ଜନ୍ମଗ୍ରହଣ କଲେ । ସେଥିଯୋଗୁଁ ବିଦୁର ପରମଧାର୍ମିକ, ଲୋଭ ପାପରହିତ, କ୍ରୋଧଶୂନ୍ୟ ଓ ବହୁଶାସ୍ତ୍ରଦର୍ଶୀ ଥିଲେ ।

Image

 

ପାଣ୍ଡବ ଓ କୌରବମାନଙ୍କର ଜନ୍ମ

 

ଧୃତରାଷ୍ଟ୍ର ଅନ୍ଧ ଓ ବିଦୁର ଦାସୀପୁତ୍ର ଥିବାରୁ, ପାଣ୍ଡୁ ରାଜ ସିଂହାସନ ଅଳଂକୃତ କଲେ । ଭୀଷ୍ମଙ୍କର ସସ୍ନେହ ତତ୍ତ୍ୱାବଧାନରେ ଧୃତରାଷ୍ଟ୍ର, ପାଣ୍ଡୁ ଓ ବିଦୁର ଲାଳିତ ପାଳିତ ହୋଇଉପଯୁକ୍ତ ଶିକ୍ଷାର୍ଜନ କରିଥିଲେ । ଏମାନଙ୍କ ମଧ୍ୟରେ ଧୃତରାଷ୍ଟ୍ର ଅସାଧାରଣ ଶାରୀରିକ ବଳର ଅଧିକାରୀ ଥିଲେ, ପାଣ୍ଡୁ ଯୁଦ୍ଧବିଦ୍ୟାରେ ବିଶେଷ କରି ଧନୁବିଦ୍ୟାରେ ନିପୁଣ ଥିଲେ ଓ ବିଦୁର ଧାର୍ମିକ ଭାବରେ ଖ୍ୟାତି ଲାଭ କରିଥିଲେ ।

 

ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ବିବାହ ବୟସ ଉପସ୍ଥିତ ହେବାରୁ, ସେଥି ନିମନ୍ତେ ଭୀଷ୍ମ ବିଶେଷ ଆଗ୍ରହୀ ହୋଇଉଠିଲେ । ବ୍ରାହ୍ମଣମାନଙ୍କ ମୁଖରୁ ଭୀଷ୍ମ ଶୁଣିବାକୁ ପାଇଲେ ଯେ; ଗାନ୍ଧାର ଦେଶର ରାଜା ସୁବଳପୁତ୍ରର ପରମାସୁନ୍ଦରୀ କନ୍ୟା ଗାନ୍ଧାରୀ ଶିବଙ୍କୁ ସନ୍ତୁଷ୍ଟ କରି ଏକଶତ ପୁତ୍ରର ଜନନୀ ହେବାପାଇଁ ବରଲାଭ କରିଅଛନ୍ତି । ସେହି କନ୍ୟା ସହ ଧୃତରାଷ୍ଟ୍ରଙ୍କର ବିବାହ ପାଇଁ ଭୀଷ୍ମ ଗାନ୍ଧାର ରାଜାଙ୍କ ନିକଟକୁ ଦୂତପ୍ରେରଣ କଲେ । ଧୃତରାଷ୍ଟ୍ର ଅନ୍ଧ ଥିବାରୁ ସୁବଳ କନ୍ୟାଦାନ କରିବାକୁ ପ୍ରଥମେ ଅନିଚ୍ଛୁକ ଥିଲେ, କିନ୍ତୁ ପରେ ଧୃତରାଷ୍ଟ୍ରଙ୍କର ଉଚ୍ଚ ବଂଶ, ଉତ୍ତମ ଚରିତ୍ର ଓ ଖ୍ୟାତିର ପ୍ରକୃତ ପରିଚୟ ପାଇ ତାଙ୍କୁ ଜାମାତା ରୂପେ ଗ୍ରହଣ କରିବାକୁ ସମ୍ମତ ହେଲେ । ରାଜକୁମାରୀ ଗାନ୍ଧାରୀ କେବଳ ସୁନ୍ଦରୀ ନଥିଲେ; ତାଙ୍କର ସ୍ୱଭାବ ଚରିତ୍ର ମଧ୍ୟ ଅତି ଉତ୍ତମ ଥିଲା । ସେ ଯେତେବେଳେ ଜାଣିବାକୁ ପାଇଲେ ଯେ, ଅନ୍ଧ ଧୃତରାଷ୍ଟ୍ରଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଅଛି, କାଳେ କେବେ ଅନ୍ଧ ସ୍ୱାମୀଙ୍କ ପ୍ରତି ଅଶ୍ରଦ୍ଧା ବା ଘୃଣା ଭାବ ତାଙ୍କ ମନରେ ଜନ୍ମିବ, ଏହା ଆଶଙ୍କା କରି ନିଜ ଆଖିରେ ନିଜେ ଅନ୍ଧ ପୁଟୁଳି ବାନ୍ଧିଦେଇ ନିଜେ ଅନ୍ଧ ସଦୃଶା ହୋଇଗଲେ ।

 

ଗାନ୍ଧାରୀଙ୍କ ସହ ଧୃତରାଷ୍ଟ୍ରଙ୍କର ବିବାହ ହୋଇଗଲା ।

 

ଯଦୁବଂଶର ଅନ୍ୟତମ ରାଜା ସୁରଙ୍କର ପୃଥା ନାମରେ ଏକ ପରମା ସୁନ୍ଦରୀ କନ୍ୟା ଥିଲା; କିନ୍ତୁ ତାଙ୍କର ବନ୍ଧୁ କୁନ୍ତଭୋଜଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ କୁନ୍ତଭୋଜଙ୍କ ହସ୍ତରେ ନିଜର କନ୍ୟାକୁ ପୋଷ୍ୟକନ୍ୟା ଭାବରେ ସୁର ପ୍ରଦାନ କରିଥିଲେ । ସେଥିପାଇଁ ପୃଥା କୁନ୍ତଭୋଜଙ୍କ ଗୃହରେ ପାଳିତା ହୋଇପରବର୍ତ୍ତୀକାଳରେ କୁନ୍ତୀ ନାମରେ ପରିଚିତା ହୋଇଥିଲେ । କୁମାରୀ ବୟସରେ କୁନ୍ତୀ ନିଜକୁ ବ୍ରାହ୍ମଣ ଓ ଅତିଥିଙ୍କର ସେବା ସତ୍କାରରେ ବିଶେଷ ଭାବରେ ନିୟୋଜିତ କରୁଥିଲେ ।

 

ମହର୍ଷିମାନଙ୍କ ମଧ୍ୟରେ ଦୁର୍ବାସା ଅଗ୍ରଗଣ୍ୟ । ସେ ମହାତେଜସ୍ୱୀ ଓ ଜିତେନ୍ଦ୍ରିୟ । ଦୁର୍ବାସା କିଛିଦିନ ପାଇଁ କୁନ୍ତଭୋଜଙ୍କର ଅତିଥି ହୋଇଥିଲେ । ସେହି ଅବସରରେ କୁନ୍ତୀ ପରମ ଶ୍ରଦ୍ଧା ଓ ଭକ୍ତି ସହକାରେ ଦୁର୍ବାସାଙ୍କର ଏପରି ସେବା କରିଥିଲେ ଯେ, ଦୁର୍ବାସା ତହିଁରେ ସନ୍ତୁଷ୍ଟ ହୋଇକୁନ୍ତୀଙ୍କୁ ଏକ ମହାମନ୍ତ୍ର ପ୍ରଦାନ କରିଥିଲେ ।

 

ଦୁର୍ବାସା କହିଲେ; ‘‘ମା, ତୋର ସେବାରେ ମୁଁ ଅତିଶୟ ସନ୍ତୁଷ୍ଟ ହୋଇତୋତେ ଏହି ମହାମନ୍ତ୍ର ପ୍ରଦାନ କରୁଛି । ଏହି ମନ୍ତ୍ର ପାଠ କରି ତୁ ଯେଉଁ ଦେବତାଙ୍କୁ କାମନା କରିବୁ; ସେ ତତ୍‌କ୍ଷଣାତ୍ ତୋ ନିକଟରେ ଉପସ୍ଥିତ ହେବେ ଏବଂ ତାଙ୍କ ପ୍ରଭାବରୁ ତୁ ଉତ୍ତମ ପୁତ୍ର ଲାଭ କରିବୁ ।

 

ଦୁର୍ବାସା ଚାଲିଗଲା ପରେ ମହାମନ୍ତ୍ର ସମ୍ପର୍କରେ କୁନ୍ତୀଙ୍କ ମନରେ ଅଦମ୍ୟ କୌତୁହଳ ଜାତ ହେଲା । ତେଣୁ ମନ୍ତ୍ରର ସତ୍ୟାସତ୍ୟ ପରୀକ୍ଷା କରିବା ଉବ୍ଦେଶ୍ୟରେ ବାଳିକାସୁଲଭ କୌତୁହଳର ବଶବର୍ତ୍ତିନୀ ହୋଇକୁନ୍ତୀ ଆକାଶରେ ସୂର୍ଯ୍ୟ ଦେବଙ୍କୁ ଦେଖି ମହାମନ୍ତ୍ର ଆବୃତ୍ତି କରି ସୂର୍ଯ୍ୟ ଦେବଙ୍କୁ କାମନା କଲେ ।

 

ମନ୍ତ୍ରର ପ୍ରଭାବ ଅସୀମ । କାମନା କରିବା ମାତ୍ରେ ଭଗବାନ ସୂର୍ଯ୍ୟ କୁନ୍ତୀଙ୍କର ସମ୍ମୁଖରେ ଆସି ଉପସ୍ଥିତ ହେଲେ । ମନ୍ତ୍ର ଯେ ସତ୍ୟରେ ପରିରତ ହେବ, ଏଥିପାଇଁ କୁନ୍ତୀ ଆଦୌ ପ୍ରସ୍ତୁତ ନଥିଲେ; ତେଣୁ ସୂର୍ଯ୍ୟଙ୍କୁ ନିଜ ସମ୍ମୁଖରେ ଦେଖି ସେ ଏକାବେଳକେ ଆଶ୍ଚର୍ଯ୍ୟାନ୍ୱିତ ଓ ଭୟଭୀତା ହୋଇଗଲେ । ଭଗବାନ ସୂର୍ଯ୍ୟଙ୍କ ଦର୍ଶନରେ କୃତ-କୃତ୍ୟ ହୋଇକୁନ୍ତୀ ନିବେଦନ କଲେ; ‘‘ପ୍ରଭୁ ! ଜଣେ ବ୍ରାହ୍ମଣଙ୍କଠାରୁ ବରଲାଭ କରିବା ପରେ ତହିଁର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଯାଇ ମୁଁ ଆପଣଙ୍କୁ ଆହ୍ୱାନ କରି ବଡ଼ ଅପରାଧ କରିଅଛି । ହେ କୃପାମୟ; ମୋର ଦୋଷ ମାର୍ଜନା କରନ୍ତୁ । ବହୁ ଅପରାଧର ଅପରାଧିନୀ ହେଲେ ମଧ୍ୟ ସ୍ତ୍ରୀ ଲୋକମାନଙ୍କୁ କ୍ଷମା କରିବା ମହତ୍‌ଲୋକର କାର୍ଯ୍ୟ ।’’

 

କୁନ୍ତୀଙ୍କର କାତରୋକ୍ତ ଶୁଣି ସୂର୍ଯ୍ୟ କହିଲେ, ‘‘ସୁନ୍ଦରୀ ! ମହର୍ଷି ଦୁର୍ବାସା ଯେଉଁ ବରଦାନ କରିଅଛନ୍ତି; ତାହା ମୁଁ ଜାଣେ । ତୁମେ କୌଣସି ଭୟ ନ କରି ମହର୍ଷି ପ୍ରଦତ୍ତ ମହାମନ୍ତ୍ରର ମର୍ମ ଉପଲବ୍ଧ କରି ମୋର କାମନା ପୂର୍ଣ୍ଣ କର, ନଚେତ୍ ତୁମର ଅନିଷ୍ଟ ହେବ ।’’

 

ତଥାପି କୁନ୍ତୀ ନିଜର କନ୍ୟାବସ୍ଥା ବିଷୟ ଚିନ୍ତାକରି ଭୟ ଓ ଲଜ୍ଜାରେ ସୂର୍ଯ୍ୟଙ୍କ କଥାରେ ରାଜି ହୋଇପାରିଲେ ପାହିଁ । ସୂର୍ଯ୍ୟଦେବ କହିଲେ; ‘‘ତୁମେ କୌଣସି ଭୟ କରନାହିଁ । ମୋର ଦିବ୍ୟ ପ୍ରଭାବ ଫଳରେ କୌଣସି ପାପ କିମ୍ବା କୌଣସି କଳଙ୍କ ତୁମକୁ ସ୍ପର୍ଶ କରିପାରିବ ନାହିଁ ।

 

ବାଧ୍ୟ ହୋଇସୂର୍ଯ୍ୟଙ୍କ କଥାରେ କୁନ୍ତୀ ସମ୍ମତ ହେଲେ ଓ ସୂର୍ଯ୍ୟଙ୍କ ଆଶୀର୍ବାଦରେ ତତ୍‌କ୍ଷଣାତ୍ ଗର୍ଭବତୀ ହୋଇକବଚ କୁଣ୍ଡଳ ଧାରଣ କରିଥିବା ଏକ ପରମ ସୁନ୍ଦର ପୁତ୍ର ପ୍ରସବ କଲେ । ସୂର୍ଯ୍ୟଙ୍କ ଆଶୀର୍ବାଦରେ କୁନ୍ତୀ ନିଜର ଅକ୍ଷତ କୌମାର୍ଯ୍ୟ ଫେରିପାଇଥିଲେ ସତ; ମାତ୍ର ସେହି ନବଜାତ ପୁତ୍ରକୁ ନେଇ ସେ କ’ଣ କରିବେ, ଏ ଚିନ୍ତାରେ ଅତି ବିଷଣ୍ଣ ହୋଇପଡ଼ିଲେ । ଶେଷରେ କୁମାରୀ ଜୀବନରେ ଏପରି ଏକ ଅପରାଧମୂଳକ କାର୍ଯ୍ୟକୁ ଆତ୍ମୀୟ ସ୍ୱଜନ ଓ ସମାଜ ଦୃଷ୍ଟିରୁ ଗୋପନ ରଖିବା ହିଁ ଶ୍ରେୟସ୍କର ମନେକର ଗୋଟିଏ ପାତ୍ର ମଧ୍ୟରେ ସେହି ନବଜାତ ପୁତ୍ରକୁ ସ୍ଥାପନ କରି ନଦୀରେ ଭସାଇଦେଇ ଘରକୁ ଫେରି ଆସିଲେ ।

 

ସେହି ନଦୀରେ ଅଧିରଥ ନାମକ ଜଣେ ଅପୁତ୍ରକ ସାରଥି ସ୍ନାନ କରୁଥିଲା । ପାତ୍ର ମଧ୍ୟରେ ସୁନ୍ଦର ପୁତ୍ରଟିଏ ଭାସିଯାଉଥିବାର ଦେଖି ଦୟାପରବଶ ହୋଇତାକୁ ନେଇ ନିଜର ପୁତ୍ର ଭାବରେ ପାଳନ କଲା । କବଚ କୁଣ୍ଡଳ ସହ ପୁତ୍ରଟି ଜନ୍ମି ଅଛି ଦେଖି ତା’ର ନାମ ଦେଲା ‘ବସୁକ୍ଷେଣ’ । ବୟସ ବୃଦ୍ଧିହେବା ସଙ୍ଗେ ସଙ୍ଗେ ବସୁକ୍ଷେଣ ସର୍ବଶାସ୍ତ୍ରବିଶାରଦ ହୋଇଉଠିଲେ । ବସୁକ୍ଷେଣ ପ୍ରତ୍ୟହ ସୂର୍ଯ୍ୟଙ୍କର ପୂଜା କରନ୍ତି ଏବଂ ସେହି ପୂଜା ସମୟରେ ବ୍ରାହ୍ମଣମାନେ ଦାନ ଭାବରେ ଯାହା ତାହାନ୍ତି, ବସୁକ୍ଷେଣ ତାହା ଅଚିରେ ପ୍ରଦାନ କରନ୍ତି । ଏହି ବସୁକ୍ଷେଣ ପରେ କର୍ଣ୍ଣ ନାମରେ ପରିଚିତ ହୋଇଥିଲେ ।

 

କୁନ୍ତୀ ଯୌବନରେ ପଦାର୍ପଣ କରିବା ପରେ; ତାଙ୍କର ବିବାହ ପାଇଁ କୁନ୍ତଭୋଜ ଏକ ସ୍ୱୟମ୍ବର ସଭାର ଆୟୋଜନ କରିଥିଲେ ଏବଂ ସେହି ସ୍ୱୟମ୍ବର ସଭାରେ ଉପସ୍ଥିତ ଥିବା କ୍ଷତ୍ରିୟମାନଙ୍କ ମଧ୍ୟରେ ଭରତ ବଂଶର ମହାବଳ ପରାକ୍ରାନ୍ତ ସୂର୍ଯ୍ୟ ସଦୃଶ ତେଜସ୍ୱୀ ଅନୁପମ ରୂପର ଅଧିକାରୀ ରାଜା ପାଣ୍ଡୁଙ୍କୁ ସର୍ବଶ୍ରେଷ୍ଠ ବୋଲି ବିଚାର କରି ରାଜକୁମାରୀ କୁନ୍ତୀ ପାଣ୍ଡୁଙ୍କୁ ପତିରୂପେ ବରଣ କରିଥିଲେ । କୁନ୍ତୀଙ୍କ ଛଡ଼ା ପାଣ୍ଡୁ ମଦ୍ରରାଜଙ୍କର ଭଗ୍ନୀ ମାଦ୍ରୀଙ୍କୁ ମଧ୍ୟ ବିଭା କରିଥିଲେ ।

 

ପାଣ୍ଡୁଙ୍କର ମୃଗୟା ପ୍ରତି ଆସକ୍ତି ଅତି ପ୍ରବଳ ଥିଲା । ଦିନେ ବନରେ ମୃଗୟା ଦମ୍ପତ୍ତି ଏକତ୍ର କ୍ରୀଡ଼ା କରୁଥିବା ଦେଖି ପାଣ୍ଡୁ ଶର ନିକ୍ଷେପ କଲେ । ପ୍ରକୃତରେ କିନ୍ଦମ ନାମକ ଏକ ଋଷି ମୃଗ ରୂପ ଧାରଣ କରି ନିଜ ପତ୍ନୀଙ୍କ ସହ ବନରେ ଏପରି ବିହାର କରୁଥିବାରୁ ପାଣ୍ଡୁଙ୍କୁ ଜଣା ନଥିଲା । ଶରବିଦ୍ଧ ଋଷି କିନ୍ଦମ ପାଣ୍ଡୁଙ୍କୁ ଅଭିଶାପ ଦେଇ କହିଲେ, ପତ୍ନୀ ସହ କ୍ରୀଡ଼ାରତ ଥିବା ସମୟରେ ମୋତେ ତୁମେ ଶରବିଦ୍ଧ କରିଅଛ; ତା’ର ଶାସ୍ତି ସ୍ୱରୂପ ତୁମେ ପତ୍ନୀ ସହ ବାସ କଲେ ମୃତ୍ୟୁମୁଖରେ ପତିତ ହେବ ।

 

ଋଷିଙ୍କ ଦ୍ୱାରା ଏହିପରି ଭାବରେ ଅଭିଶାପଗ୍ରସ୍ତ ହୋଇରାଜା ପାଣ୍ଡୁ ରାଜସିଂହାସନ ପରିତ୍ୟାଗ କରି ଧୃତରାଷ୍ଟ୍ରଙ୍କୁ ରାଜପଦରେ ଅଭିଷିକ୍ତ କଲେ ଏବଂ ପତ୍ନୀଦ୍ୱୟଙ୍କ ସହ ବନକୁ ଚାଲିଗଲେ; ମାତ୍ର ବନରେ ମଧ୍ୟ ଶାନ୍ତିରେ ରହିପାରିଲେ ନାହିଁ । ପାଣ୍ଡୁ ସେତେବେଳ ପର୍ଯ୍ୟନ୍ତ ଅପୁତ୍ରକ ଥିଲେ । ଅପୁତ୍ରକ ବ୍ୟକ୍ତିର ସ୍ୱର୍ଗରେ ଅଧିକାର ନ ଥାଏ ଏବଂ ଯେତେ ଦାନ ଓ ତପସ୍ୟା କଲେ ମଧ୍ୟ ଅପୁତ୍ରକ ବ୍ୟକ୍ତି ପୂଣ୍ୟ ଅର୍ଜନ କରିପାରେ ନାହିଁ । ତେଣୁ ପୁତ୍ରଲାଭର ଆଶା ପାଣ୍ଡୁଙ୍କୁ ସତତ ପୀଡ଼ିତ କରୁଥାଏ ।

 

ସ୍ୱାମୀଙ୍କର ମାନସିକ ଅଶାନ୍ତି ଲକ୍ଷ୍ୟ କରି ଦିନେ କୁନ୍ତୀ ଦୁର୍ବାସାଙ୍କ ପ୍ରଦତ୍ତ ମହାମନ୍ତ୍ର କଥା ପାଣ୍ଡୁଙ୍କୁ କହିଲେ । ପାଣ୍ଡୁ ତାହା ଶୁଣି ଅତି ଆନନ୍ଦିତ ହୋଇସେହି ମନ୍ତ୍ର ସାହାଯ୍ୟରେ ପୁତ୍ର ଉତ୍ପାଦନ କରିବାକୁ କୁନ୍ତୀଙ୍କୁ ଅନୁମତି ଦେଲେ । ମହାମନ୍ତ୍ର ଉଚ୍ଚାରଣ କରି କୁନ୍ତୀ ପ୍ରଥମେ ଧର୍ମ, ତତ୍‌ପରେ ବାୟୁ ଓ ଶେଷରେ ଇନ୍ଦ୍ରଙ୍କୁ ଆହ୍ୱାନ କରି ସେମାନଙ୍କ ସହଯୋଗରେ ଯଥା କ୍ରମେ ଯୁଧିଷ୍ଠିର, ଭୀମସେନ ଓ ଅର୍ଜ୍ଜୁନ ନାମକ ତିନିପୁତ୍ର ଲାଭ କଲେ । ଏହି ମହାମନ୍ତ୍ର ସାହାଯ୍ୟରେ ଅଶ୍ୱିନୀକୁମାରଙ୍କୁ ସ୍ମରଣ କରି ମାଦ୍ରୀ ନକୁଳ ଓ ସହଦେବ ନାମରେ ଦୁଇଟି ଯମଜ ସନ୍ତାନ ମଧ୍ୟ ଲାଭ କରିଥିଲେ ।

 

ଧୃତରାଷ୍ଟ୍ରଙ୍କ ଔରସରେ ଗାନ୍ଧାରୀ ଦୁର୍ଯୋଧନ, ଦୁଃଶାସନ ଆଦି ଏକଶତ ପୁତ୍ର ଓ ଦୁଃଶୀଳା ନାମ୍ନୀ ଏକ କନ୍ୟାଲାଭ କରିଥିଲେ । ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ପୁତ୍ରମାନଙ୍କ ମଧ୍ୟରେ ଯୁଧିଷ୍ଠିର ବୟୋଜ୍ୟେଷ୍ଠ ଥିଲେ ଏବଂ ଦୁର୍ଯ୍ୟୋଧନ ଭୀମସେନ ଏକାଦିନେ ଜନ୍ମ ହୋଇଥିଲେ ।

 

ଏହାପରେ କିଛିଦିନ ଅତିବାହିତ ହୋଇଗଲା । ଏକଦା ବସନ୍ତ ଋତୁରେ ମାଦ୍ରିଙ୍କ ସହ ପାଣ୍ଡୁ ବନରେ ବିଚରଣ କରୁଥିବା ସମୟରେ ଋତୁ ପ୍ରଭାବରେ ବିଶେଷ ଭାବରେ କାମପୀଡ଼ିତ ହୋଇମାଦ୍ରୀଙ୍କର ବହୁ ବାଧାସତ୍ତ୍ୱେ ପ୍ରେମାଲିଙ୍ଗନ କରିବାରୁ ଋଷି କିନ୍ଦମଙ୍କର ଅଭିଶାପ ସତ୍ୟରେ ପରିଣତ ହେଲା ଓ ପାଣ୍ଡୁଙ୍କର ମୃତ୍ୟୁ ଘଟିଲା । ପାଣ୍ଡୁଙ୍କର ମୃତ୍ୟୁ-ସମ୍ବାଦ ହସ୍ତିନାପୁରରେ ପହଞ୍ଚିବା ମାତ୍ରେ ସମଗ୍ର ରାଜ୍ୟରେ ଗଭୀର ଶୋକର ଛାୟା ଖେଳିଗଲା । ଶବଦାହ ନିମନ୍ତେ ଚିତା ପ୍ରସ୍ତୁତ ହେବା ସମୟରେ ମାଦ୍ରୀଙ୍କୁ ଡ଼ାକି କୁନ୍ତୀ କହିଲେ, ‘‘ଭଦ୍ରେ, ମୁଁ ରାଜର୍ଷି ପାଣ୍ଡୁଙ୍କର ଜ୍ୟେଷ୍ଠପତ୍ନୀ ହୋଇଥିବାରୁ ସମସ୍ତ ଧର୍ମ-ଫଳ ମୋର ପ୍ରାପ୍ୟ ଓ ସକଳ ଧର୍ମାନୁଷ୍ଠାନ କରୁଛି, ତେଣୁ ସନ୍ତାନମାନଙ୍କ ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ରହିଲା ।’’

 

କୁନ୍ତୀଙ୍କର କଥା ଶୁଣି ମାଦ୍ରୀ କହିଲେ, ‘‘ଆର୍ଯ୍ୟେ, ତା’ ହୋଇପାରେନା । ମୋ’ ପ୍ରତି ଆସକ୍ତ ହୋଇମହାରାଜ ପ୍ରାଣତ୍ୟାଗ କରିଅଛନ୍ତି, ତେଣୁ ମୋ’ପକ୍ଷରେ ସ୍ୱାମୀଙ୍କର ଅନୁଗାମିନୀ ହେବା ସମୀଚୀନ । ମୋର ଏହି ଅନ୍ତିମ ଅଭିଳାଷରେ ତୁମେ ବାଧାଦିଅ ନାହିଁ । ମୋର ଅବର୍ତ୍ତମାନରେ ମୋର ପୁତ୍ରମାନଙ୍କୁ ନିଜର ପୁତ୍ର ମନେ କରି ସେମାନଙ୍କର ଯତ୍ନ ନିଅ, ଏହା ହିଁ ମୋର ଅନୁରୋଧ ।’’

 

ପରିଶେଷରେ ମାଦ୍ରୀ ହିଁ ପାଣ୍ଡୁଙ୍କ ଚିତାରେ ଝାସ ଦେଇଥିଲେ ।

 

ପାଣ୍ଡୁ ଓ ମାଦ୍ରୀଙ୍କ ଉର୍ଦ୍ଧ୍ୱ-ଦୈହିକ-କ୍ରିୟା ହେବାପରେ ମାତା ସତ୍ୟବତୀଙ୍କୁ ଅତି ଶୋକବିହ୍ୱଳା ଦେଖି ବ୍ୟାସଦେବ କହିଲେ, ‘‘ମା, ଆଗକୁ ଅତି ଦାରୁଣ ସମୟ ଆସୁଅଛି । ଦିନକୁ ଦିନ ପାପ ବୃଦ୍ଧି ପାଇବ ଓ ଲୋକମାନେ ନାନା କପଟତା ଓ ଦୁର୍ନୀତିର ବଶବର୍ତ୍ତୀ ହୋଇଧର୍ମକର୍ମ ତ୍ୟାଗ କରିବେ ଏବଂ କୁକର୍ମରେ ଲିପ୍ତ ହେବେ । ଆପଣଙ୍କର ଏହି ବିଖ୍ୟାତ କୁରୁବଂଶରେ ପାପର ଭାର ଏପରି ବୃଦ୍ଧି ପାଇବ ଯେ, ରାଜଲକ୍ଷ୍ମୀ ଦୂରେଇ ଯିବେ ଓ ଅତି ଅଳ୍ପଦିନ ମଧ୍ୟରେ କୁରୁବଂଶ ନିବଂଶ ହୋଇଯିବ ତେଣୁ ସ୍ୱଚକ୍ଷୁରେ ନିଜ ବଂଶର ଏପରି ମର୍ମନ୍ତୁଦ ବିନାଶପ୍ରାପ୍ତି ଦେଖିବା ଅପେକ୍ଷା ଆପଣ ସଂସାର ତ୍ୟାଗକରି ବାନପ୍ରସ୍ଥ ଆଚରଣ କରି ଯୋଗାନୁଷ୍ଠାନ ମନୋଯୋଗ ଦିଅନ୍ତୁ ।

 

ବ୍ୟାସଙ୍କ କଥାନୁସାରେ ସତ୍ୟବତୀ ଦୁଇ ପୁତ୍ରବଧୂ ଅମ୍ବିକା ଓ ଅମ୍ବାଳିକାଙ୍କୁ ସଙ୍ଗରେ ନେଇ ଅରଣ୍ୟକୁ ଚାଲିଗଲେ । ପରେ ସେଠାରେ କଠୋର ତପସ୍ୟା ଆଚରଣ କରୁଥିବା ସମୟରେ ସେମାନଙ୍କର ଦେହାନ୍ତ ହୋଇଯାଇଥିଲା ।

Image

 

ପାଣ୍ଡବମାନଙ୍କର ସାବଧାନତା

 

ହସ୍ତିନାପୁରରେ ପାଣ୍ଡୁଙ୍କ ପାଞ୍ଚ ପୁତ୍ରଙ୍କ ସହ ଧୃତରାଷ୍ଟ୍ରଙ୍କର ଏକଶତ ପୁତ୍ର ଚନ୍ଦ୍ରକଳା ସଦୃଶ ବଢ଼ିବାକୁ ଲାଗିଲେ । ପାଣ୍ଡୁ ଓ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ମଧ୍ୟରେ ଭୀମସେନ ଶାରୀରିକ ବଳରେ ଏପରି ବଳୀୟାନ ଥିଲେ ଯେ, ଦୁର୍ଯ୍ୟୋଧନ ପ୍ରମୁଖ ଶହେ ଭାଇ ଏକପକ୍ଷରେ ଓ ଏକା ଭୀମସେନ ଅନ୍ୟପକ୍ଷରେ ରହି କ୍ରୀଡ଼ା କଲେ ମଧ୍ୟ ଭୀମସେନଙ୍କୁ ସେମାନେ ହରାଇ ପାରୁନଥିଲେ-। କ୍ରୀଡ଼ା ଛଳରେ ଭୀମସେନ ସେମାନଙ୍କୁ ବ୍ୟତିବ୍ୟସ୍ତ କରିପକାଉଥିଲେ । ଆନନ୍ଦରେ କ୍ରୀଡ଼ା କରୁଥିବା ସମୟରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ମସ୍ତକର କେଶକୁ ଭୀମସେନ ଏପରି ଟାଣି ଝିଙ୍କିଦେଉଥିଲେ ଯେ, ସେମାନେ ପ୍ରାଣରକ୍ଷା ପାଇଁ ଆର୍ତ୍ତନାଦ କରୁଥିଲେ । ଜଳକ୍ରୀଡ଼ା ସମୟରେ ଭୀମସେନ ଧୃତରାଷ୍ଟ୍ର ପୁତ୍ରମାନଙ୍କ ମଧ୍ୟରୁ ଏକତ୍ର ଦଶ ପନ୍ଦର ଜଣଙ୍କୁ ଧରି ଜଳରେ ଏପରି ବୁଡ଼ାଇ ରଖୁଥିଲେ ଯେ, ବୁଡ଼ି ମରିବା ଭୟରେ ସେମାନେ ଯେତେ ଚିତ୍କାର କଲେ ମଧ୍ୟ ସେ ସହଜରେ ଛାଡ଼ୁନଥିଲେ । ସମୟ ମଧ୍ୟରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ଗଛରେ ଚଢ଼ି ଫଳ ବା କୋଳି ଖାଉଥିବାର ଦେଖିଲେ କୌତୁକରେ ଭୀମସେନ ତଳେ ଥାଇ ଗୋଇଠା ମାରି ଗଛକୁ ଏପରି ଦୋହଲାଇ ଦେଉଥିଲେ ଯେ, ସେମାନେ ପାଚିଲା ଫଳ ପରି ତଳେ ଦୁମ୍‌ଦାମ୍‌ ହୋଇଖସିପଡ଼ି ନାନା ଶାରୀରିକ କ୍ଳେଶ ଭୋଗ କରୁଥିଲେ । ସେମାନଙ୍କର ଅସହାୟ ଅବସ୍ଥା କୌତୁକପ୍ରିୟ ଭୀମସେନଙ୍କୁ ବିଶେଷ ଆନନ୍ଦିତ କରୁଥିଲା ସତ; ମାତ୍ର ଭୀମସେନଙ୍କ ହସ୍ତରେ ଏପରି ସଦାସର୍ବଦା ପୀଡ଼ିତ ହେଉଥିବାରୁ ଦୁର୍ଯ୍ୟୋଧନ ପ୍ରମୁଖ ଶହେ ଭାଇ ପ୍ରତି ମନରେ ଭୟ, ଘୃଣା ଓ ଶତ୍ରୁଭାବ ପୋଷଣ କରୁଥିଲେ ।

 

ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟ, ଦୁର୍ନୀତି ପରାୟଣ ଓ ଇର୍ଷାପରାୟଣ ଥିଲେ । ଦୁର୍ଯ୍ୟୋଧନ ଦିନେ ବସି ଚିନ୍ତା କଲେ, କୁନ୍ତୀଙ୍କର ଏହି ମଝିଆଁ ପୁଅ ଭୀମସେନ ବିଶେଷ ପରାକ୍ରମୀ ଥିବାରୁ ମୋର ଶହେ ଭାଇଙ୍କୁ ସବୁବେଳେ ପରାଜିତ ଓ ପୀଡ଼ିତ କରୁଅଛି । କୌରସି ଉପାୟରେ ତାକୁ ମାରିପାରିଲେ ସବୁ ବିପଦ ଘୁଞ୍ଚିଯାଆନ୍ତା । ଯୁଧିଷ୍ଠିର ଓ ଅର୍ଜ୍ଜୁନ ପ୍ରଭୃତିଙ୍କୁ ଅକ୍ଳେଶରେ ବନ୍ଦୀ କରି ମୁଁ ନିଷ୍କଣ୍ଟକ ହୋଇସମଗ୍ର ରାଜ୍ୟ ଶାସନ କରନ୍ତି । ଏହିପରି ଭାବି ଭାବି ଦୁର୍ଯ୍ୟୋଧନ ଗୋଟିଏ ବୁଦ୍ଧି ପାଞ୍ଚିଲେ ଏବଂ ଦିନେ ଯୁଧିଷ୍ଠିରଙ୍କୁ ଯାଇ କହିଲେ, ଚାଲ ଆଜି ଆମେ ସବୁ ଭାଇମାନେ ଗଙ୍ଗାରେ ସନ୍ତରଣ କରି ନଦୀ ତଟସ୍ଥ ସୁରମ୍ୟ ଉଦ୍ୟାନରେ ବଣଭୋଜି କରିବା ।

 

ଯୁଧିଷ୍ଠିର ଅତି ସରଳ ସ୍ୱଭାବର ଲୋକ । ସେ ଦୁର୍ଯ୍ୟୋଧନଙ୍କ ପ୍ରସ୍ତାବରେ ସମ୍ମତ ହୋଇଗଲେ । ଜଳକ୍ରୀଡ଼ା ଓ ବଣଭୋଜିର ଆୟୋଜନ ହେଲା । ଭୋଜି ସମୟରେ ସ୍ନେହପରବଶ ହୋଇପରସ୍ପର ପରସ୍ପରଙ୍କୁ ଖୁଆଇ ଦେବାବେଳେ, ଅତି ସତର୍କତାର ସହିତ ଦୁର୍ଯ୍ୟୋଧନ ଅତି ଉତ୍କଟ ବିଷମିଶ୍ରିତ ମିଷ୍ଟାନ୍ନ ଭୀମସେନଙ୍କୁ ଖୁଆଇଦେଲେ । ଖାଇବା ସମୟରେ ଭୀମସେନ ମଧ୍ୟ ବିଷକଥା କିଛି ଜାଣିପାରିଲେ ନାହିଁ । ଭୋଜିପରେ ଜଳକ୍ରୀଡ଼ା ହେଲା ଓ ଜଳକ୍ରୀଡ଼ା ପରେ କ୍ଳାନ୍ତଶ୍ରାନ୍ତ ହୋଇଯେ ଯେଉଁଠାରେ ପାରିଲେ ବିଶ୍ରାମ କରିବାପାଇଁ ଶୋଇପଡ଼ିଲେ । ଭୀମସେନ ଏକେ ତ ଜଳକ୍ରୀଡ଼ାରେ କ୍ଳାନ୍ତ ତା’ଛଡ଼ା ବିଷ ଭକ୍ଷଣ କରିଥିବାରୁ ବିଶ୍ରାମ କରିବା ମାତ୍ରେ ନିଦ୍ରାରେ ଅଚେତ ହୋଇଗଲେ । ଦୁର୍ଯ୍ୟୋଧନ ଏ ସମସ୍ତ ଲକ୍ଷ୍ୟ କରୁଥିଲେ । ମାତ୍ର ସମସ୍ତେ ଶୋଇ ପଡ଼ିଥିବାର ଦେଖି ସଙ୍ଗେ ସଙ୍ଗେ ଭୀମସେନଙ୍କ ପାଖକୁ ଆସିଲେ ଓ ବିଭିନ୍ନ ବଣୁଆ ଲତାରେ ତାଙ୍କ ହାତଗୋଡ଼କୁ ବାନ୍ଧିଦେଇ ଗଙ୍ଗାନଦୀର ଅତଳ ଜଳରେ ଫିଙ୍ଗିଦେଲେ ।

 

କିଛି ସମୟ ବିଶ୍ରାମ କରିବା ପରେ ରାଜପୁତ୍ରମାନେ ନିଜ ନିଜର ରଥ, ଅଶ୍ୱ, ଗଜ ପ୍ରଭୃତିରେ ଆରୋହଣ କରି ହସ୍ତିନାକୁ ଫେରିଆସିଲେ । ଭୀମସେନ ସମ୍ଭବତଃ ଆଗରୁ ଘରକୁ ଚାଲିଗଲେଣି ବୋଲି ଯୁଧିଷ୍ଠିର ପ୍ରମୁଖ ଚାରିଭାଇ ଅନୁମାନ କରି ରାଜନଗରକୁ ଫେରିଆସିଲେ; କିନ୍ତୁ ମା’ଙ୍କ ଠାରୁ ଭୀମସେନ ଫେରି ନ ଆସିଥିବା ବିଷୟ ଜାଣି ବିଶେଷ ଚିନ୍ତିତ ହୋଇପଡ଼ିଲେ ଓ ଚତୁର୍ବ୍ଦିଗରେ ଭୀମସେନଙ୍କୁ ଅନ୍ୱେଷଣ କଲେ ।

 

ଭୀମସେନଙ୍କ ସମ୍ପର୍କରେ ବିପଦ ଆଶଙ୍କା କରି କୁନ୍ତୀ ବିଶେଷ ଚିନ୍ତିତା ଓ ଦୁଃଖିତା ହୋଇବିଦୁରଙ୍କୁ ଡ଼ାକି କହିଲେ, ‘‘ଦୁର୍ମତି ଦୁର୍ଯ୍ୟୋଧନ ଭୀମକୁ ଦେଖିପାରେ ନାହିଁ । ଏହି ନିତାନ୍ତ କ୍ରୁର, ନୀଚମନା, ରାଜ୍ୟଲୋଭୀ, ପାପାତ୍ମା ଦୁର୍ଯ୍ୟୋଧନ ହୁଏତ ମୋ’ ପୁଅକୁ କେଉଁଠି ମାରିଦେଇଛି-। ମୋତେ କିଛି ଭଲ ଲାଗୁ ନାହିଁ ।’’

 

ଆଶ୍ୱାସନା ଦେଇ ବିଦୁର କହିଲେ, ‘‘ହେ କଲ୍ୟାଣି ! ଯଦି ଶାନ୍ତିରେ ରହିବାକୁ ଚାହୁଁଥାଅ, ତେବେ ଏ କଥା ମୁହଁରେ ଧର ନାହିଁ । ଦୁରାତ୍ମା ଦୁର୍ଯ୍ୟୋଧନ ତୁମର ଏ କଥା ଶୁଣିଲେ ବିଶେଷ ଅନିଷ୍ଟ କରିପାରେ । ଭୀମସେନଙ୍କ ପାଇଁ କିଛି ଚିନ୍ତା କରନାହିଁ । ମହାମୁନି ବେଦବ୍ୟାସ କହିଛନ୍ତି ଯେ, ତୁମର ପୁତ୍ରମାନେ ଦୀର୍ଘାୟୁ ଅଟନ୍ତି । ତାଙ୍କର କଥା କେବେ ହେଲେ ମିଥ୍ୟା ହେବନାହିଁ । ଭୀମସେନ ନିଶ୍ଚୟ ଫେରିଆସି ତୁମର ନୟନ ଓ ମନର ଆନନ୍ଦ ସମ୍ପାଦନ କରିବେ ।’’

 

ଏହାକହି ବିଦୁର ଚାଲିଗଲେ, ମାତ୍ର ଭୀମଙ୍କୁ ନ ଦେଖି କୁନ୍ତୀ ଓ ତାଙ୍କ ପୁତ୍ରମାନେ ଏକାବେଳକେ ମ୍ରିୟମାଣ ହୋଇରହିଲେ ।

 

ଏଣେ କାଳକୂଟ ବିଷର ପ୍ରଭାବରେ ଭୀମସେନଙ୍କର ଚେତା ନଥିଲା; ତେଣୁ ନଦୀରେ ପଡ଼ିବା ମାତ୍ରେ ଧୀରେ ଧୀରେ ତଳକୁ ଯାଇ ନାଗଲୋକରେ ଗୁଡ଼ାଏ ବିଷଧର ସର୍ପଙ୍କ ଉପରେ ପଡ଼ିଲେ । ସେମାନଙ୍କ ଉପରେ କ’ଣ ଏପରି ପଡ଼ିଲା ଭାବି ସର୍ପମାନେ କ୍ରୁଦ୍ଧ ହୋଇଭୀମସେନଙ୍କୁ ଦଂଶନ କରିବାରେ ଲାଗିଲେ । ବିଷର ଔଷଧ ବିଷ; ତେଣୁ ସର୍ପ-ଦଂଶନ ଫଳରେ ଭୀମଙ୍କ ଶରୀରରୁ କାଳକୂଟ ବିଷର ପ୍ରଭାବ କମିଗଲା । ସେ ସଂଜ୍ଞା ଫେରିପାଇଲେ ଓ ତାଙ୍କୁ ବିଷଧର ସର୍ପମାନେ ଦଂଶନ କରୁଥିବାର ଦେଖି ଭୀମସେନ ମୁଷ୍ଟିଦ୍ୱାରା ସେମାନଙ୍କୁ ସଂହାର କରିବାକୁ ଲାଗିଲେ । ଭୀମଙ୍କର ଯୁଦ୍ଧ ଏପରି ପ୍ରବଳ ଓ ଅପ୍ରୀତିକର ହୋଇଉଠିଲା ଯେ, କେତେକ ସର୍ପ କୌଣସି ଉପାୟରେ ଭୀମଙ୍କ ହାତରୁ ରକ୍ଷା ପାଇ ନାଗରାଜା ବାସୁକିଙ୍କ ନିକଟରେ ଯାଇ କହିଲେ, ‘‘ହେ ନାଗେନ୍ଦ୍ର, ମହାବଳପରାକ୍ରାନ୍ତ ଏକ ମାନବ ପାତାଳପୁରୀ ମଧ୍ୟରେ ପ୍ରବେଶ କରି ମହା ଉପଦ୍ରବ ସୃଷ୍ଟି କରୁଅଛି । ଏହି ବ୍ୟକ୍ତିଟି ଯେତେବେଳେ ପାତାଳପୁରୀକୁ ଆସିଲା, ସେତେବେଳେ ତାହାର ହାତଗୋଡ଼ ବନ୍ଧା ହୋଇଥିଲା ଓ ତା’ର ଚେତା ନଥିଲା; ସମ୍ଭବତଃ ବିଷପାନ କରିଥିଲା । ଆମ ପିଲାମାନେ ଖେଳୁଥିଲେ । ତାଙ୍କ ଉପରେ ଆସି ପଡ଼ିବାରୁ ରାଗରେ ଆମ୍ଭେମାନେ ତାକୁ ଦଂଶନ କଲୁ । ସେ କିଛି ସମୟ ପରେ ଚେତା ଫେରିପାଇ, ନିଜ ହସ୍ତପଦର ବନ୍ଧନକୁ ନିଜେ ଛିନ୍ନ କରି, ମୁଷ୍ଟି ଦ୍ୱାରା ଆମ୍ଭମାନଙ୍କୁ ସଂହାର କରୁଅଛି । ଆପଣ ଏହାର ବିହିତ ପ୍ରତିକାର କରନ୍ତୁ ।’’

 

ଏହା ଶୁଣି ନାଗରାଜା ବାସୁକି ତତ୍‌କ୍ଷଣାତ୍ ଭୀମଙ୍କ ନିକଟକୁ ଗଲେ ଓ ନିଜର ଦୈହିତ୍ର କୁନ୍ତଭୋଜର ଦୈହିତ୍ର ବୋଲି ଭୀମସେନଙ୍କୁ ଚିହ୍ନିପାରି ସ୍ନେହରେ ତାଙ୍କୁ ଆଲିଙ୍ଗନ କଲେ ଓ ଅତି ଆଦର ଯତ୍ନରେ ବିବିଧ ସୁସ୍ୱାଦୁ ଖାଦ୍ୟମାନ ପ୍ରଦାନ କଲେ । ନାଗପୁରୀରେ ବଳକାରକ ଆଠକୁଣ୍ଡ ଅମୃତ ଏକା ନିଶ୍ୱାସକେ ଭୀମସେନ ପିଇ ଶେଷ କରିଦେଲେ ଏବଂ କ୍ଳାନ୍ତ ହୋଇପଡ଼ିଥିବାରୁ ନାଗପୁରୀରେ ଦିବ୍ୟଶଯ୍ୟାରେ ଶାନ୍ତିରେ ଶୋଇପଡ଼ିଲେ । ଆଠଦିନ ପରେ ତାଙ୍କର ନିଦ ଭାଙ୍ଗିଲା-

 

ନାଗମାନେ ଭୀମସେନଙ୍କୁ କହିଲେ; ‘‘ହେ ମହାବାହୁ, ଆପଣ ଯେଉଁ ବଳକାରକ ଆଠକୁଣ୍ଡ ଅମୃତ ପାନ କଲେ; ତବ୍ଦ୍ୱାରା ଦଶ ସହସ୍ର ମତ୍ତହସ୍ତୀର ବଳ ଆପଣ ଲାଭ କରିବେ ଓ ଯୁଦ୍ଧରେ ଅଜେୟ ରହିବେ । ଏହି ଦିବ୍ୟଜଳରେ ବର୍ତ୍ତମାନ ସ୍ନାନକରି ହସ୍ତିନାକୁ ଫେରିଯାଆନ୍ତୁ । ତେଣେ ଆପଣଙ୍କର ମା’ ଓ ଭାଇମାନେ ଅତି ବ୍ୟାକୁଳ ଚିତ୍ତରେ ଆପଣଙ୍କୁ ଅପେକ୍ଷା କରି ରହିଅଛନ୍ତି ।’’

 

ନାନା ପ୍ରକାରର ଦିବ୍ୟ ଆଭରଣରେ ଭୂଷିତ ହୋଇଭୀମସେନ ହସ୍ତିନାପୁରକୁ ଫେରିଆସିଲେ ଓ ଗୋଟି ଗୋଟି କରି ଦୁର୍ଯ୍ୟୋଧନର ଦୁଷ୍ଟ କାର୍ଯ୍ୟଠାରୁ ଆରମ୍ଭ କରି ନାଗପୁରୀରେ ଘଟିଥିବା ସମସ୍ତ କଥା ମା’ ଓ ଭାଇମାନଙ୍କୁ କହିଲେ ।

 

ଯୁଧିଷ୍ଠିର କହିଲେ, ‘‘ଭାଇ, ଆମକୁ ଏସବୁ କହିଲ ଭଲ କଥା, ମାତ୍ର ଆଉ କାହାକୁ କହିବ ନାହିଁ । ପରସ୍ପର ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଦୃଷ୍ଟିଦେଇ ଆମକୁ ଏଣିକି ଚଳିବାକୁ ପଡ଼ିବ-।’’

 

ସେହି ଦିନଠାରୁ ପାଣ୍ଡବମାନେ ଅତି ସାବଧାନତା ସହ ବାସ କରିବାକୁ ଲାଗିଲେ ।

Image

 

ଦ୍ରୋଣଙ୍କ ଶିକ୍ଷକତା

 

ମହାତ୍ମା ଶରଦ୍ୱାନଙ୍କ ପୁତ୍ର କୃପ ଚତୁର୍ବିଧ ଧନୁର୍ବେଦରେ ବିଶେଷ ପାରଦର୍ଶୀ ଥିଲେ । ସେଥିପାଇଁ ଭୀଷ୍ମ ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ ପ୍ରମୁଖ ଭାଇମାନଙ୍କ ଅସ୍ତ୍ରଶିକ୍ଷା ପାଇଁ କୃପଙ୍କୁ ଆଚାର୍ଯ୍ୟ ପଦରେ ନିଯୁକ୍ତ କଲେ । ଯୁଦ୍ଧବିଦ୍ୟା ପ୍ରସଙ୍ଗରେ ରାଜକୁମାରମାନେ ବିଶେଷ ଭାବରେ ଉତ୍ସାହୀ ଥିବାରୁ ଅଳ୍ପଦିନ ମଧ୍ୟରେ କୃପାଚାର୍ଯ୍ୟଙ୍କଠାରୁ ସମସ୍ତ ଯୁଦ୍ଧବିଦ୍ୟା ଶିକ୍ଷା କରି ଉଚ୍ଚଶିକ୍ଷା ନିମନ୍ତେ ଉପଯୋଗୀ ହୋଇପଡ଼ିଲେ । ଭୀଷ୍ମ ମଧ୍ୟ ସେମାନଙ୍କ ପାଇଁ ଜଣେ ଉଚ୍ଚସ୍ତରୀୟ ଶିକ୍ଷକର ଅନ୍ୱେଷଣରେ ଥାଆନ୍ତି । ଏହି ସମୟର କଥା ।

 

ଦିନେ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ପୁତ୍ରମାନେ ଲୌହପେଣ୍ଡୁ ନେଇ ନଗର ବାହାରେ କ୍ରୀଡ଼ା କରୁଥିବା ସମୟରେ ସେମାନଙ୍କ ପେଣ୍ଡୁଟି ପାଖରେ ଥିବା ଗୋଟିଏ ଶୁଖିଲା ଭଙ୍ଗା ଅଥଚ ଗହୀରିଆ କୂଅ ମଧ୍ୟରେ ପଡ଼ିଗଲା । ବହୁ ଚେଷ୍ଟା କରି ମଧ୍ୟ ପେଣ୍ଡୁଟିକୁ ଉଦ୍ଧାର କରିନପାରିବାରୁ ରାଜକୁମାରୀମାନଙ୍କ ମଧ୍ୟରେ ଗଭୀର ନୈରାଶ୍ୟ ଖେଳିଗଲା ।

 

ସେହି ସମୟରେ ସେହି ବାଟ ଦେଇ ଜଣେ କୃଷ୍ଣବର୍ଣ୍ଣ ବିଶିଷ୍ଟ କ୍ଷୀଣକାୟ ବୃଦ୍ଧ ବ୍ରାହ୍ମଣ ଯାଉଥିଲେ । ପେଣ୍ଡୁଟିକୁ ଉଦ୍ଧାର କରିବା ନିମନ୍ତେ ରାଜକୁମାରୀମାନଙ୍କର ବ୍ୟର୍ଥଚେଷ୍ଟା ଲକ୍ଷ୍ୟ କରି ହସି ହସି କହିଲେ, ‘‘ହେ ବାଳକବୃନ୍ଦ, ତୁମେମାନେ ବିଖ୍ୟାତ ଭରତବଂଶରେ ଜନ୍ମ ଗ୍ରହଣ କରି ମଧ୍ୟ ଏହି ସାମାନ୍ୟ କୂପମଧ୍ୟରୁ ପେଣ୍ଡୁଟିକୁ ଉଦ୍ଧାର କରିପାରୁ ନାହଁ । ଦେଖ, ଏହି କୂପ ମଧ୍ୟକୁ ମୋ’ ହସ୍ତର ଏହି ଅଙ୍ଗୁରୀୟଟିକୁ ମଧ୍ୟ ନିକ୍ଷେପ କରୁଅଛି । ତୁମର ପେଣ୍ଡୁ ସହ ମୋର ଏହି ଅଙ୍ଗୁରୀୟଟିକୁ ମଧ୍ୟ ମୁଁ ସାମାନ୍ୟ ତୃଣ ସାହାଯ୍ୟରେ କୂପରୁ ଉଦ୍ଧାର କରିଆଣିବି । କିନ୍ତୁ ତୁମ୍ଭେମାନେ ମୋତେ ଏଥିପାଇଁ ପେଟପୂରା ଖାଇବାକୁ ଦେବ ତ ?’’

 

ଏହା କହି ବ୍ରାହ୍ମଣଟି ନିଜ ହାତର ମୁଦିଟିକୁ ହସି ହସି କୂଅ ମଧ୍ୟକୁ ପକାଇଦେଲେ ଏବଂ ପାଖରୁ ମେଞ୍ଚାଏ ଘାସ ଆଣି ‘‘ଏହି ଘାସର ପ୍ରଭାବ ଦେଖ’’ କହି ଶରଦ୍ୱାରା ଘାସ ପଛକୁ ଘାସ ସଂଯୋଗ କରି କୂଅ ମଧ୍ୟରୁ ପେଣ୍ଡୁଟିକୁ ଚାହୁଁ ଚାହୁଁ ବାହାରକରି ଆଣିଲେ ।

 

ବୃଦ୍ଧ ବ୍ରାହ୍ମଣଙ୍କ ଧନୁର୍ବିଦ୍ୟାରେ ଏପରି ପାରଦର୍ଶିତା ଥିବା ଲକ୍ଷ୍ୟ କରି ରାଜକୁମାରମାନେ ଚମତ୍କୃତ ହୋଇକହିଲେ, ‘‘ହେ ବିପ୍ରଶ୍ରେଷ୍ଠ, ବର୍ତ୍ତମାନ ଆପଣଙ୍କ ଅଙ୍ଗୁରୀୟଟିକୁ ଉଦ୍ଧାର କରନ୍ତୁ ତ-।’’

 

ବୃଦ୍ଧ ବ୍ରାହ୍ମଣ ସଙ୍ଗେ ସଙ୍ଗେ ଶର ନିକ୍ଷେପ କରି ଅଙ୍ଗୁରୀୟଟିକୁ ମଧ୍ୟ ଉତ୍ତୋଳନ କରି ଆଣିଲେ ।

 

ବ୍ରାହ୍ମଣଙ୍କର ଶରକୌଶଳ ରାଜକୁମାରମାନଙ୍କୁ ବିସ୍ମୟାଭିଭୂତ କରି ପକାଇଲା । ସେମାନେ କହିଲେ, ‘‘ଆପଣଙ୍କୁ ଆମ୍ଭେମାନେ ଅଭିବାଦନ ଜଣାଉଛୁ । ଆପଣଙ୍କର ଏ ଶକ୍ତି ବାସ୍ତବିକ ଅତୁଳନୀୟ; ତେଣୁ ମହାଶୟ ଆପଣଙ୍କ ପରିଚୟ ପ୍ରଦାନ କରି ଆମର କୌତୁହଳ ଦୂର କରନ୍ତୁ ।’’

 

ବ୍ରାହ୍ମଣ କହିଲେ, ‘‘ରାଜକୁମାରମାନେ, ମୋର ରୂପ ଓ ଗୁଣ ଯାଇ ଭୀଷ୍ମଙ୍କୁ କହନ୍ତୁ । ସେ ମୋତେ ଚିହ୍ନିପାରିବେ ।’’

 

ଏହି ବୃଦ୍ଧ ବ୍ରାହ୍ମଣ ହିଁ ମହାତେଜସ୍ୱୀ ଦ୍ରୋଣ । ରାଜକୁମାରମାନଙ୍କ ମୁଖରୁ ଦ୍ରୋଣଙ୍କ ରୂପ ଓ ଗୁଣର ବର୍ଣ୍ଣନା ଶୁଣି ଭୀଷ୍ମ ତତ୍‌କ୍ଷଣାତ୍ ସେ ସ୍ଥାନକୁ ଆସି ଯଥୋଚିତ ସତ୍କାର ଓ ସମ୍ଭାଷଣ ଦ୍ୱାରା ଦ୍ରୋଣଙ୍କୁ ସ୍ୱାଗତ କରି କୁଶଳ ପ୍ରଶ୍ନ କଲେ ।

 

ଦ୍ରୋଣ କହିଲେ, ‘‘ମହାଶୟ, ପୂର୍ବେ ଧନୁର୍ବିଦ୍ୟାବିଶାରଦ ମହର୍ଷି ଅଗ୍ନିକେଶଙ୍କ ନିକଟରେ ଯୁଦ୍ଧବିଦ୍ୟା ଶିକ୍ଷା କରୁଥିବା ବେଳେ ପାଞ୍ଚାଳ ରାଜାଙ୍କ ପୁତ୍ର ଦ୍ରୁପଦ ମୋର ସହଧ୍ୟାୟୀ ଥିଲେ ଓ ତାଙ୍କ ସହ ମୋର ବିଶେଷ ଘନିଷ୍ଠତା ଥିଲା । ଦ୍ରୁପଦ ମୋତେ କହିଥିଲେ ‘ଦ୍ରୋଣ, ରାଜାଙ୍କର ମୁଁ ଅତିପ୍ରିୟ ପୁତ୍ର, ତେଣୁ ମୁଁ ରାଜପଦରେ ଅଭିଷିକ୍ତ ହେଲେ ମୋର ସମସ୍ତ ରାଜ୍ୟ, ସମସ୍ତ ସମ୍ପତ୍ତି ତୁମର ଅଧୀନ ହୋଇରହିବ-ଏହା ମୁଁ ଶପଥ କରି କହୁଛି ।’ ଏହାର କିଛିଦିନ ପରେ ଦ୍ରୁପଦ ଶିକ୍ଷା ସମାପ୍ତ କରି ରାଜ୍ୟକୁ ଫେରିଗଲେ । ଶିକ୍ଷା ସମାପ୍ତ କରି ମୁଁ ଗୌତମ ନନ୍ଦିନୀ କୃପୀଙ୍କୁ ବିବାହ କଲି ଓ ତାଙ୍କ ଗର୍ଭରୁ ଅଶ୍ୱତ୍‌ଥାମା ନାମରେ ଏକ ବିକ୍ରମାଶାଳୀ ତେଜୋବନ୍ତ ପୁତ୍ର ମଧ୍ୟ ପ୍ରାପ୍ତ ହେଲି । ପୁତ୍ର ଅଶ୍ୱତ୍‌ଥାମା ମୋର ଅତିପ୍ରିୟ; କିନ୍ତୁ ମୁଁ ଗରିବ ଥିବାରୁ ପୁଅର ମନ ଅନୁସାରେ ସବୁ ସମୟରେ ସବୁ କଥା ଯୋଗାଇ ପାରୁନଥିଲି । ସେଥିପାଇଁ ମୋ’ ପୁଅକୁ ନାନା ଦୂରବସ୍ଥା ନାନା ପରିହାସର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ମୋର ଦାରିଦ୍ର୍ୟ ଅତି ଲଜ୍ଜାଜନକ ଓ ଅତି ଅସହ୍ୟ ଥିଲା । ଏ ମଧ୍ୟରେ ଦ୍ରୁପଦ ରାଜା ହେଲେଣି ଶୁଣି ମୁଁ ପୁତ୍ର ପରିବାରଙ୍କୁ ସଙ୍ଗରେ ନେଇ ଦିନେ ଦ୍ରୁପଦଙ୍କ ନିକଟରେ ଉପସ୍ଥିତ ହୋଇକହିଲି, ‘ହେ ପୁରୁଷଶ୍ରେଷ୍ଠ, ମୁଁ ତୁମର ବନ୍ଧୁ । ମୋ’ ସହ ଏକତ୍ର ରାଜ୍ୟଭୋଗ କରିବ ବୋଲି ତୁମେ ପୂର୍ବେ ଶପଥ କରିଥିଲ । ସେ କଥା ସ୍ମରଣ କରି ମୁଁ ଆସିଅଛି ।’ ମୋର କଥା ଶୁଣି ରାଜା ଦ୍ରୁପଦ ଅତିକ୍ରୁଦ୍ଧ ହୋଇକହିଲେ, ‘ହେ ବ୍ରାହ୍ମଣ, କି ସାହସରେ ତୁମେ ମୋତେ ବନ୍ଧୁ ବୋଲି ସମ୍ବୋଧନ କରୁଅଛ ? ପୂର୍ବେ ତୁମ ସହିତ ମୋର ବନ୍ଧୁତା ଥିଲା ସତ୍ୟ; ମାତ୍ର ବର୍ତ୍ତମାନ ମୁଁ ରାଜା, ତୁମେ ଜଣେ ସାଧାରଣ ଦରିଦ୍ର ବ୍ରାହ୍ମଣ । ତେଣୁ ତୁମେ ମୋର ବନ୍ଧୁ ହେବାର ଅନୁପଯୁକ୍ତ; କାରଣ ସମ ଅବସ୍ଥାର ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ ହୋଇଥାଏ ଓ ତାହା ଶୋଭା ମଧ୍ୟ ପାଇଥାଏ । ତୁମପରି ଜଣେ ଧନହୀନ ସାଧାରଣ ବ୍ୟକ୍ତି ସହିତ ମୋ’ପରି ଅତୁଳନୀୟ ସମ୍ପତ୍ତି ସମ୍ପନ୍ନ ମହାରାଜାର ବନ୍ଧୁତା ଏକାବେଳକେ ଅସମ୍ଭବ । ଆଉ ତୁମ ସହ ଏକତ୍ର ରାଜ୍ୟଭୋଗ କରିବି ଏପରି ପ୍ରତିଜ୍ଞା ତ କେବେ କଲା ପରି ମୋର ସ୍ମରଣ ହେଉ ନାହିଁ ‘ ! ତେବେ ଯେତେବେଳେ ଆସିଯାଇଛ, ରାତିଟା ଏଇଠି ରହିଯାଅ । ରାତି ପାଇଁ ମୁଁ ଭୋଜନାଦିର ବ୍ୟବସ୍ଥା କରିଦେଉଛି ।’

 

ଦ୍ରୋଣ କହିଲେ, ‘‘ହେ ଶାନ୍ତନୁପୁତ୍ର, ଦ୍ରୁପଦଙ୍କର ଏପ୍ରକାର କଟୁକ୍ତି ମୋର ସର୍ବ ଶରୀରରେ କ୍ରୋଧାନଳ ପ୍ରଜ୍ଜ୍ୱଳିତ କରିଦେଲା । ମୁଁ କାଳବିଳମ୍ବ ନକରି ପାଞ୍ଚାଳ ନଗର ତ୍ୟାଗ କରି ଚାଲିଆସିଲି । ଦ୍ରୁପଦଙ୍କ ଉପରେ ପ୍ରତିଶୋଧ ନେବାପାଇଁ ମୁଁ ସ୍ଥିର କରିଅଛି । ହେ ଭୀଷ୍ମ, ବର୍ତ୍ତମାନ କହନ୍ତୁ ମୁଁ ଆପଣଙ୍କର କି ଉପକାରରେ ଲାଗିପାରିବି ।’’

 

ଭୀଷ୍ମ କହିଲେ, ‘‘ହେ ବିପ୍ରଶ୍ରେଷ୍ଠ, ଆମର ପରମ ସୌଭାଗ୍ୟ ଯେ ସ୍ୱେଚ୍ଛାକ୍ରମେ ଆପଣ ଏଠାକୁ ଆଗମନ କରି ଆମକୁ କୃତାର୍ଥ କରିଅଛନ୍ତି । ଯଦି ଆପଣଙ୍କର ଆପତ୍ତି ନଥାଏ, ତେବେ ଅନୁଗ୍ରହପୂର୍ବକ ଏହି ରାଜକୁମାରମାନଙ୍କର ଶିକ୍ଷାର ଦାୟିତ୍ୱ ଗ୍ରହଣ କରି ରାଜ ପୁରୀରେ ପରମସୁଖରେ ସପରିବାର ଅବସ୍ଥାନ କରନ୍ତୁ ।’’

 

ଆଚାର୍ଯ୍ୟ ପଦ ଗ୍ରହଣ କରିବା ପରେ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ପୁତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରିବା ପୂର୍ବରୁ ପାଖକୁ ଡ଼ାକି କହିଲେ, ‘‘ହେ ଶିଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବି, ଏଥିରେ ସନ୍ଦେହ ନାହିଁ । ମାତ୍ର ମୋର ଏକ ଅଭିଳଷିତ କାର୍ଯ୍ୟ ତୁମ୍ଭମାନଙ୍କୁ ସମ୍ପାଦନ କରିବାକୁ ପଡ଼ିବ, ସେଥିପାଇଁ ଆଜିଠୁଁ ମୋ’ ନିକଟରେ ପ୍ରତିଜ୍ଞା କର ।’’

 

ଦ୍ରୋଣଙ୍କର ଏହି କଥା ଶୁଣି ସମସ୍ତେ ନୀରବ ରହିଥିବାର ଦେଖି ଅର୍ଜ୍ଜୁନ କହିଲେ, ‘‘ମହାଶୟ, ଆପଣ ଯାହା ଆଦେଶ ଦେବେ, ମୁଁ ଅଚିରେ ତାହା ପାଳନ କରିବି, କଥା ଦେଉଛି ।’’

 

ଅର୍ଜ୍ଜୁନଙ୍କଠାରୁ ଏପରି ବାକ୍ୟ ଶୁଣି ଅତି ଆନନ୍ଦରେ ଦ୍ରୋଣାଚାର୍ଯ୍ୟ ତାଙ୍କୁ ବାରମ୍ବାର ଆଲିଙ୍ଗନ କଲେ ଓ ତାଙ୍କର ମସ୍ତକକୁ ସ୍ନେହରେ ଆଘ୍ରାଣ କରିଥିଲେ ।

Image

 

କୃତ୍ରିମ ସମର ପ୍ରଦର୍ଶନୀ

 

କୁରୁରାଜ ପ୍ରାସାଦରେ ଅବସ୍ଥାନ କରି ଦ୍ରୋଣାଚାର୍ଯ୍ୟ କୌରବ ଓ ପାଣ୍ଡବମାନଙ୍କୁ ଦିବ୍ୟ ଅଦିବ୍ୟ ଏପରି ବିବିଧ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାକୁ ଲାଗିଲେ । ଛାତ୍ରମାନଙ୍କ ମଧ୍ୟରେ ଅର୍ଜ୍ଜୁନ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଥିଲେ ଓ ବିଭିନ୍ନ ପରୀକ୍ଷା ସମୟରେ ଅସ୍ତ୍ର ପ୍ରୟୋଗରେ ସେ ବିଶେଷ ପାରଦର୍ଶିତା ପ୍ରଦର୍ଶନ କରୁଥିଲେ ଓ ସେଥିପାଇଁ ଦୁର୍ଯ୍ୟୋଧନ ପାଣ୍ଡବଙ୍କ ପ୍ରତି ଇର୍ଷାପୋଷଣ କରୁଥିଲେ ।

 

ଶିକ୍ଷା ଶେଷ ହେବା ପରେ ଶିଷ୍ୟମାନଙ୍କୁ ସେମାନଙ୍କର ଅଧୀତ ବିଦ୍ୟାର ନେପୁଣ୍ୟ ପ୍ରଦର୍ଶନର ସୁଯୋଗ ଦେବା ନିମନ୍ତେ ମହାରାଜ ଧୃତରାଷ୍ଟ୍ରଙ୍କ ଅନୁମୋଦନକ୍ରମେ ବିଦୁରଙ୍କ ସହଯୋଗରେ ଦ୍ରୋଣାଚାର୍ଯ୍ୟ ଏକ କୃତ୍ରିମ ରଣକ୍ଷେତ୍ର ପ୍ରସ୍ତୁତ କଲେ । ନିର୍ବ୍ଦିଷ୍ଟ ଦିବସରେ ରାଜକୁମାରମାନଙ୍କର ରଣକୌଶଳ ଦେଖିବାପାଇଁ ମହାରାଜା ଧୃତରାଷ୍ଟ୍ର ଓ ରାଜପରିବାରବର୍ଗଙ୍କ ଛଡ଼ା ବାହାରୁ ବହୁ କ୍ଷତ୍ରିୟ, ବ୍ରାହ୍ମଣ ଓ ସାଧାରଣ ନାଗରିକ ଏପରି ବିପୁଳ ସଂଖ୍ୟାରେ ଆସି ଉପସ୍ଥିତ ହେଲେ ଯେ, ଦର୍ଶକମାନଙ୍କ ପାଇଁ ନିର୍ମିତ ହୋଇଥିବା ତାହାଣୀମଣ୍ଡପମାନଙ୍କରେ ତିଳ ଧାରଣର ସ୍ଥାନ ରହିଲା ନାହିଁ ।

 

ନିର୍ଦ୍ଧାରିତ ସମୟରେ ବଳିଦାନ ପ୍ରଭୃତି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ସମର ପରୀକ୍ଷା ଆରମ୍ଭ ହେଲା । ରାଜକୁମାରମାନେ ସମରକାଳୀନ ବିଭିନ୍ନ ପୋଷାକରେ ସୁସଜ୍ଜିତ ହୋଇଦ୍ରୁତଗାମୀ ଅଶ୍ୱ, ଗଜ ଓ ରଥମାନଙ୍କରେ ଆରୋହଣ କରି ବିଭିନ୍ନ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଓ ପ୍ରତିରୋଧ କରିବାରେ ଅପୂର୍ବ କୌଶଳମାନ ପ୍ରଦର୍ଶନ କରି ଦର୍ଶକମାନଙ୍କର ଚିତ୍ତ ହରଣ କଲେ । ଯେତେବେଳେ ଭୀମ ଓ ଦୁର୍ଯ୍ୟୋଧନ ଗଦାଯୁଦ୍ଧ ନିମନ୍ତେ ରଣଭୂମିରେ ପ୍ରବେଶ କଲେ, ସେତେବେଳେ ଦର୍ଶକମାନେ ଦୁଇ ଦଳରେ ବିଭକ୍ତ ହୋଇଦଳେ ଭୀମଙ୍କୁ ତ ଅନ୍ୟଦଳ ଦୁର୍ଯ୍ୟୋଧନଙ୍କୁ ପ୍ରଶଂସା କରିବାକୁ ଲାଗିଲେ; କାରଣ ଉଭୟ ଗଦାଯୁଦ୍ଧରେ ଅତି ଧୁରନ୍ଧର ଓ ପରସ୍ପରର ଅତି ସମକକ୍ଷ ପ୍ରତିଦ୍ୱନ୍ଦୀ ଥିଲେ । ଦୁର୍ଯ୍ୟୋଧନ ଓ ଭୀମଙ୍କ ମଧ୍ୟରେ ଥିବା ପାରସ୍ପରିକ ବିଦ୍ୱେଷ ଭାବର କଥା ଦ୍ରୋଣଙ୍କୁ ଅବିଦିତ ନଥିଲା; ତେଣୁ କାଳେ ସ୍ନେହରେ ଯୁଦ୍ଧ କରୁ କରୁ କ୍ରୋଧପରବଶ ହୋଇକ’ଣ କରି ବସିବେ, ଏହା ଆଶଙ୍କା କରି ଅଶ୍ୱତ୍‌ଥାମା ସାହାଯ୍ୟରେ ଦ୍ରୋଣାଚାର୍ଯ୍ୟ ସେ ଦୁହିଁଙ୍କୁ ଗଦାଯୁଦ୍ଧରୁ ନିବୃତ୍ତ କଲେ ।

 

ସମର ପ୍ରଦର୍ଶନୀକୁ ଦିନେ ଦ୍ରୋଣାଚାର୍ଯ୍ୟ ପରିଚାଳନା କରୁଥିଲେ । ସେ ଦଣ୍ଡାୟମାନ ହୋଇବାଦ୍ୟଧ୍ୱନିକୁ ନିବାରଣ କରି ଘୋଷଣା କଲେ ‘‘ହେ ଦର୍ଶକବୃନ୍ଦ ! ପୁତ୍ରଠାରୁ ମୋର ପ୍ରିୟତମ ଶିଷ୍ୟ ସର୍ବଶାସ୍ତ୍ର ବିଶାରଦ ଉପେନ୍ଦ୍ରତୁଲ୍ୟ ମହାବୀର ଅର୍ଜ୍ଜୁନ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ତାଙ୍କର ଅସ୍ତ୍ର କୌଶଳ ପ୍ରଦର୍ଶନ କରିବେ ।’’

 

ଘୋଷଣା ଶେଷ ହୋଇନାହିଁ, ସୁବର୍ଣ୍ଣ କବଚ ଓ ଧନୁର୍ବାଣ ଧାରଣ କରି ସନ୍ଧ୍ୟାକାଳୀନ ମେଘ ସଦୃଶ ସୌମ୍ୟ ଦର୍ଶନ ଯୁବକ ଅର୍ଜ୍ଜୁନ ରଙ୍ଗଭୂମି ମଧ୍ୟରେ ପ୍ରବେଶ କରିବା ମାତ୍ରେ ଦର୍ଶକମଣ୍ଡଳୀଙ୍କର ଶଙ୍ଖଧ୍ୱନି, ବିଭିନ୍ନ ପ୍ରଶଂସାସୂଚକ ଉତ୍ସାହ ବାକ୍ୟରେ ଓ ବିଭିନ୍ନ ବାଦ୍ୟଧ୍ୱନିରେ ରଣକ୍ଷେତ୍ର ମୁଖରିତ ହୋଇଉଠିଲା ।

 

ଧୃତରାଷ୍ଟ୍ର କହିଲେ, ‘‘ବିଦୁର ! ହଠାତ୍ ଉଦ୍‌ବେଳିତ ମହାସାଗର ପରି ଏପରି ତୁମୁଳ କୋଳାହଳ ରଙ୍ଗଭୂମିରୁ ଉତ୍‌ଥିତ ହୋଇଆକାଶମଣ୍ଡଳକୁ ବିଦୀର୍ଣ୍ଣ କରିବାର କାରଣ କ’ଣ ?’’

 

ବିଦୁର କହିଲେ, ‘‘ମହାରାଜ ! ପାଣ୍ଡୁ ନନ୍ଦନ ଅର୍ଜ୍ଜୁନ ବର୍ତ୍ତମାନ ରଣସ୍ଥଳୀରେ ପ୍ରବେଶ କରିବାରୁ ତାଙ୍କପ୍ରତି ଦର୍ଶକମାନଙ୍କର ଭୂୟସୀ ପ୍ରଶଂସାବାକ୍ୟ ଏପରି କୋଳାହଳ ସୃଷ୍ଟି କରିଅଛି ।’’

 

ପୁତ୍ର ଉବ୍ଦେଶ୍ୟରେ ଦର୍ଶକମାନଙ୍କର ଏପରି ଉଚ୍ଛ୍ୱସିତ ପ୍ରଶଂସାବାକ୍ୟ ସ୍ୱତନ୍ତ୍ର ତାହାଣୀମଣ୍ଡପରେ ଆସୀନ ଥିବା କୁନ୍ତୀଙ୍କର ମାତୃପ୍ରାଣକୁ ଯେ ବିଶେଷ ପ୍ରୀତ କରିଥିଲା, ଏହା କହିବା ନିଷ୍ପ୍ରୟୋଜନ ।

 

ଅସ୍ତ୍ରକୌଶଳ ପ୍ରଦର୍ଶନ କରିବାକୁ ଯାଇ ଅର୍ଜ୍ଜୁନ ଆଗ୍ନେୟାସ୍ତ୍ର ପ୍ରୟୋଗ କରି ଅଗ୍ନି ସୃଷ୍ଟି କଲେ, ବାରୁଣାସ୍ତ୍ର ଦ୍ୱାରା ଜଳ, ବାୟୁବ୍ୟାସ୍ତ୍ର ଦ୍ୱାରା ରଣସ୍ଥଳୀରେ ପ୍ରବଳ ବାତ୍ୟା ଏବଂ ପର୍ଜ୍ଜନ୍ୟାସ୍ତ୍ର ଦ୍ୱାରା ଆକାଶ ମଣ୍ଡଳରେ ମେଘ ମଧ୍ୟ ସୃଷ୍ଟି କଲେ । କେତେବେଳେ ଭୌମାସ୍ତ୍ର ପ୍ରୟୋଗ କରି ଭୂଗର୍ଭରେ ସେ ପ୍ରବେଶ କରୁଥିଲେ ତ କେତେବେଳେ ପର୍ବତାସ୍ତ୍ର ବଳରେ ରଣକ୍ଷେତ୍ରରେ ପ୍ରକାଣ୍ଡ ପ୍ରକାଣ୍ଡ ପର୍ବତମାନ ସୃଷ୍ଟି କରୁଥିଲେ । ପୁଣି ଅନ୍ତର୍ଦ୍ଧାନାସ୍ତ୍ର ପ୍ରୟୋଗ କରି ନିଜେ ରଣକ୍ଷେତ୍ରରୁ ଅଦୃଶ୍ୟ ହୋଇଯାଇ ଦର୍ଶକମାନଙ୍କୁ ବିସ୍ମିତ କରିପକାଉଥିଲେ । ଦର୍ଶକମାନଙ୍କ ମୁଗ୍ଧ ଚକିତ ଦୃଷ୍ଟି ସମ୍ମୁଖରେ ଗୁରୁପ୍ରିୟ ଅର୍ଜ୍ଜୁନ ଆସି, ଧନୁ, ଗଦା ପ୍ରୟୋରେ ନିଜର ଅଦ୍ଭୁତ ନୈପୁଣ୍ୟ ପ୍ରଦର୍ଶନ କରାଇ ଗୁରୁ ତଥା ପ୍ରିୟ ପରିଜନଙ୍କର ପ୍ରୀତିଭାଜନ ହେଉଥିଲା ବେଳେ, ରଙ୍ଗଭୂମିର ତୋରଣ ଦେଶରେ ପ୍ରବଳ କରତାଳି ଧ୍ୱନି ଶୁଣାଗଲା ଓ ତହିଁ ସଙ୍ଗେ ସଙ୍ଗେ ଦୀପ୍ତି, କାନ୍ତି ଓ ଦ୍ୟୁତିରେ ଚନ୍ଦ୍ର-ସୂର୍ଯ୍ୟ ଅନଳତୁଲ୍ୟ ମହାବଳୀ କର୍ଣ୍ଣ ରଙ୍ଗଭୂମିରେ ପ୍ରବେଶ କଲେ । କର୍ଣ୍ଣ ଦେଖିବାକୁ ଉନ୍ନତକାୟ ଓ ସର୍ବାଙ୍ଗସୁନ୍ଦର ଥିଲେ । ସେ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟଙ୍କୁ ସଭକ୍ତି ପ୍ରଣାମ କରି ଗୁରୁଗମ୍ଭୀର ସ୍ୱରରେ ଅର୍ଜ୍ଜୁନଙ୍କୁ କହିଲେ, ‘‘ପାର୍ଥ ! ଏ ଯେଉଁ ଅସ୍ତ୍ରନୈପୁଣ୍ୟ ପ୍ରକାଶ କରି ଦର୍ଶକମାନଙ୍କ ସମ୍ମୁଖରେ ତୁମେ ଗର୍ବ ଅନୁଭବ କରୁଅଛ, ତା’ଠାରୁ ଯଥେଷ୍ଟ ଉନ୍ନତ ଧରଣର ଅସ୍ତ୍ର କୌଶଳ ମୁଁ ପ୍ରଦର୍ଶନ କରିବି ।’’

 

ଏହା କହି ଦ୍ରୋଣାଚାର୍ଯ୍ୟଙ୍କଠାରୁ ଅନୁମତି ନେଇ ଅର୍ଜ୍ଜୁନ ଯେପରି ଅସ୍ତ୍ରକ୍ରିୟା ଅନୁଷ୍ଠାନ କର୍ଣ୍ଣ ମଧ୍ୟ ଅନୁରୂପ ଅସ୍ତ୍ର-କୌଶଳ ପ୍ରଦର୍ଶନ କରି ଅର୍ଜ୍ଜୁନଙ୍କର ଲଜ୍ଜା ଓ କ୍ରୋଧର କାରଣ ହେବା ସଙ୍ଗେ ସଙ୍ଗେ ପାଣ୍ଡବ ବିଦ୍ୱେଷୀ ଦୁର୍ଯ୍ୟୋଧନଙ୍କ ପ୍ରୀତିବର୍ଦ୍ଧନ କଲେ ।

 

ଦୁର୍ଯ୍ୟୋଧନ ମହାବୀର କର୍ଣ୍ଣଙ୍କୁ ଆନନ୍ଦରେ ଆଲିଙ୍ଗନ କରି କହିଲେ, ‘‘ମହାବାହୁ ! ଆମର ବହୁ ସୌଭାଗ୍ୟ ଯେ, ଆପଣଙ୍କ ପରି ବୀର ଏଠାରେ ଉପସ୍ଥିତ । ବର୍ତ୍ତମାନ ଇଚ୍ଛାନୁସାରେ କୁରୁରାଜ୍ୟ ଉପଭୋଗ କରନ୍ତୁ ।’’

 

କର୍ଣ୍ଣ କହିଲେ, ‘‘ମୁଁ ମାତ୍ର ଦୁଇଟି ବିଷୟ ଚାହେଁ, ପ୍ରଥମରେ ଆପଣଙ୍କ ସହ ବନ୍ଧୁତା, ଦ୍ୱିତୀୟରେ ଅର୍ଜ୍ଜୁନଙ୍କ ସହ ଯୁଦ୍ଧ ।’’

 

ତାହା ଶୁଣି ଦୁର୍ଯ୍ୟୋଧନ କହିଲେ, ‘‘ଉତ୍ତମ ! ବର୍ତ୍ତମାନ ମୋ’ ସହ ବନ୍ଧୁତା ସ୍ଥାପନ କରି ସକଳ ବିଷୟ ଭୋଗବାସନା ଚରିତାର୍ଥ କରନ୍ତୁ, ପରେ ବିପକ୍ଷ ପକ୍ଷର ମସ୍ତକରେ ପଦାଘାତ କରି ପରମ ଶାନ୍ତିରେ କାଳାତିପାତ କରିବେ ।’’

 

ଦୁର୍ଯ୍ୟୋଧନଙ୍କର ଏପରି ଔଦ୍ଧତ୍ୟପୂର୍ଣ୍ଣ ବାକ୍ୟ ଶ୍ରବଣ କରି ଅର୍ଜ୍ଜୁନ ଅତି ଉତ୍ତେଜିତ ହୋଇକହିଲେ; ‘‘ହେ କର୍ଣ୍ଣ ! ଅନାହତ ଉପଦେଶଦାତା ଓ ଅଯାଚିତ ବକ୍ତାଙ୍କ ଭାଗ୍ୟରେ ଯେଉଁ ସ୍ଥାନ ନିର୍ବ୍ଦିଷ୍ଟ, ଆଜି ତୁମକୁ ସଂହାର କରି ଯମପୁରର ସେହି ସ୍ଥାନକୁ ପ୍ରେରଣ କରିବି ।’’

 

କର୍ଣ୍ଣ ପ୍ରତ୍ୟୁତ୍ତର ଦେଲେ, ‘‘ହେ ଅର୍ଜ୍ଜୁନ ! ଏ ରଣଭୂମିରେ ତୁମର ଏକାଧିପତ୍ୟ ନାହିଁ ଯେ ଆସ୍ଫାଳନ କରି ଏପରି କହିବ, ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ । ଗୁରୁଜନଙ୍କମାନଙ୍କ ସମ୍ମୁଖରେ ତୁମର ଶିରଚ୍ଛେଦ ନ କଲା ଯାଏ, ଏ ଶର ଧାରଣ ମୋର ବ୍ୟର୍ଥ ।’’

 

କର୍ଣ୍ଣଙ୍କର ବାକ୍ୟ ଅର୍ଜ୍ଜୁନଙ୍କୁ କ୍ରୋଧଜର୍ଜରିତ କରି ପକାଇଲା । ସେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଆଦେଶ ଓ ଆଶୀର୍ବାଦ ଗ୍ରହଣ କରି କର୍ଣ୍ଣଙ୍କ ସହ ସଂଗ୍ରାମ କରିବାକୁ ଦଣ୍ଡାୟମାନ ହେଲେ । କର୍ଣ୍ଣ ମଧ୍ୟ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇଧନୁର୍ବାଣ ଧାରଣ କରି ସମରାଙ୍ଗନରେ ଅବତୀର୍ଣ୍ଣ ହେଲେ । ଏହି ଦୁଇ ମହାବୀରଙ୍କର ଅପୂର୍ବ ଦ୍ୱନ୍ଦ-ଯୁଦ୍ଧ ଦେଖିବାପାଇଁ ଦର୍ଶକମାନଙ୍କ ମଧ୍ୟରେ ଅଭୂତପୂର୍ବ କୌତୁହଳ ଦେଖାଗଲା । ଏପରିକି କର୍ଣ୍ଣଙ୍କ ପଟରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ଓ ଅର୍ଜ୍ଜୁନଙ୍କ ପଟରେ ଦ୍ରୋଣ, କୃପ ଓ ଭୀଷ୍ମ ପ୍ରମୁଖ ଅବସ୍ଥାନ କଲେ । ଉପସ୍ଥିତ ଦର୍ଶକମାନେ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇପକ୍ଷ ସମର୍ଥନ କରି ପ୍ରଶଂସା କରିବାକୁ ଲାଗିଲେ । ସ୍ୱତନ୍ତ୍ର ଦର୍ଶକ ମଞ୍ଚରେ କୁନ୍ତୀ ବସିଥିଲେ । ନିଜର ଦୁଇ ପୁତ୍ରଙ୍କ ମଧ୍ୟରେ ସମର ଅନୁଷ୍ଠିତ ହେବାକୁ ଯାଉଛି ଦେଖି ସେ ମୂର୍ଚ୍ଛିତା ହୋଇପଡ଼ିଗଲେ ।

 

ଏହି ସମୟରେ ଦ୍ୱନ୍ଦ-ଯୁଦ୍ଧ କୁଶଳୀ କୃପାଚାର୍ଯ୍ୟ ଉଭୟ ବୀରଙ୍କୁ ଧନୁର୍ଦ୍ଧାରଣ କରିସାରି ଥିବାର ଦେଖି କର୍ଣ୍ଣଙ୍କୁ ପ୍ରଶ୍ନ କଲେ, ‘‘କୁନ୍ତୀଗର୍ଭସମ୍ଭୂତ ମହାରାଜ ପାଣ୍ଡୁଙ୍କର ତୃତୀୟ ପୁତ୍ର ଅର୍ଜ୍ଜୁନ ତୁମ ସହିତ ଦ୍ୱନ୍ଦ-ଯୁଦ୍ଧ କରିବାକୁ ପ୍ରସ୍ତୁତ; ତେଣୁ ହେ ମହାବାହୁ, ବର୍ତ୍ତମାନ ତୁମର ପିତାମାତାଙ୍କ ନାମ ଏବଂ କେଉଁ କୁଳ ଓ ରାଜବଂଶକୁ ତୁମେ ଅଳଂକୃତ କରିଅଛ ପ୍ରକାଶକରି ନିଜର ପରିଚୟ ପ୍ରଦାନ କର । ତୁମର ପରିଚୟ ଉପଯୁକ୍ତ ହେଲେ ଯାଇ ଅର୍ଜ୍ଜୁନ ତୁମର ପ୍ରତିଦ୍ୱନ୍ଦୀ ହେବେ; କାରଣ ରାଜପୁତ୍ରମାନେ ଅଜ୍ଞାତ କୁଳଶୀଳବ୍ୟକ୍ତି ସହ ଦ୍ୱନ୍ଦ ସଂଗ୍ରାମରେ ପ୍ରବୃତ୍ତ ହୁଅନ୍ତି ନାହିଁ ।’’

 

କୃପାଚାର୍ଯ୍ୟଙ୍କ କଥା ଶୁଣି ଲଜ୍ଜାରେ କର୍ଣ୍ଣଙ୍କ ମୁହଁ ତଳକୁ ହୋଇଗଲା ଏବଂ ତାହା ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ସମ୍ବୋଧନ କରି କହିଲେ, ‘‘ଆଚାର୍ଯ୍ୟ ମହାଶୟ, ଶାସ୍ତ୍ରରେ କଥିତ ଅଛି, ଯେ ସତ୍‌କୁଳସମ୍ଭୂତ,ଯେ ବୀର ଓ ସୈନ୍ୟ ଚାଳନାରେ ଯେ ସମର୍ଥ ଏପରି ବ୍ୟକ୍ତି ସହିତ ଯୁଦ୍ଧ କରାଯାଏ; ତଥାପି ଅର୍ଜ୍ଜୁନ ଯଦି ରାଜା ବା ରାଜପୁତ୍ର ବ୍ୟତିରକେ ଅନ୍ୟ କାହା ସହିତ ଯୁଦ୍ଧ କରିବାକୁ ଏକାନ୍ତ ଅନିଚ୍ଛୁକ ତେବେ ମୁଁ ଏହି ମୁହୂର୍ତ୍ତରେ କର୍ଣ୍ଣଙ୍କୁ ଅଙ୍ଗରାଜ୍ୟର ରାଜପଦରେ ଅଭିଷିକ୍ତ କରୁଅଛି ।’’

 

ସଙ୍ଗେ ସଙ୍ଗେ ସ୍ୱର୍ଣ୍ଣ ସିଂହାସନ ଅଣାଯାଇ ତହିଁ ଉପରେ କର୍ଣ୍ଣଙ୍କୁ ଆସୀନ କରାଇ ବ୍ରାହ୍ମଣମାନଙ୍କ ଦ୍ୱାରା ଦୁର୍ଯ୍ୟୋଧନ ଅଭିଷେକ କାର୍ଯ୍ୟ ସମାପନ କଲେ । ଅଭିଷେକ ପରେ କର୍ଣ୍ଣ ସାଦର ସମ୍ଭାଷଣ ପୂର୍ବକ ଦୁର୍ଯ୍ୟୋଧନଙ୍କୁ କହିଲେ, ‘‘ହେ ମହାରାଜ ! ରାଜ୍ୟଦାନ କରି ମୋତେ ଯେଉଁ ସମ୍ମାନ ଦେଇଅଛନ୍ତି, ତା’ର ପ୍ରତିବଦଳରେ ମୁଁ କି କାର୍ଯ୍ୟ କରି ଆପଣଙ୍କର ପ୍ରୀତିବର୍ଦ୍ଧନ କରିବି କହନ୍ତୁ ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ଆପାତତଃ ଆପଣଙ୍କର ବନ୍ଧୁତ୍ୱ ଲାଭ କଲେ ଖୁସି ହେବି ।’’

 

କର୍ଣ୍ଣ ‘ତାହା ହିଁ ହେଉ’କହି ଦୁର୍ଯ୍ୟୋଧନଙ୍କୁ ଆଲିଙ୍ଗନବଦ୍ଧ କଲେ ।

 

ଏହି ସମୟରେ କର୍ଣ୍ଣଙ୍କର ପିତା ଅଧିରଥ କେଉଁଠି ଥିଲେ ଘର୍ମାକ୍ତ କଳେବରରେ ରଙ୍ଗ-ଭୂମି ମଧ୍ୟରେ ପ୍ରବେଶ କରିବାରୁ, କର୍ଣ୍ଣ ପିତାଙ୍କୁ ପ୍ରଣାମ କଲେ ।

 

ପିତା-ପୁତ୍ରଙ୍କ କଥୋପକଥନରୁ କର୍ଣ୍ଣଙ୍କୁ ଜଣେ ସାମାନ୍ୟ ସାରଥିର ବୀର ଅର୍ଜ୍ଜୁନ ହସ୍ତରେ ପ୍ରାଣତ୍ୟାଗ କରିବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ତୁ ଏକାନ୍ତ ଅନୁପଯୁକ୍ତ । ବରଂ ଘୋଡ଼ାର ଲଗାମ ଧରି ପୈତୃକ ବ୍ୟବସାୟରେ ମନଦେବା ତୋ ପକ୍ଷରେ ଶ୍ରେୟସ୍କର । ଯଜ୍ଞ-ଘୃତ ସେବନ ପାଇଁ ଯେପରି ଶ୍ୱାନ ଯୋଗ୍ୟ ନୁହେଁ, ଅଙ୍ଗରାଜ୍ୟର ରାଜସିଂହାସନ ପାଇଁ ତୁ ସେହିପରି ଅନୁପଯୁକ୍ତ ।’’

 

ଭୀମଙ୍କୁ ଏପରି କହିବାର ଦେଖି ଦୁର୍ଯ୍ୟୋଧନ କହିଲେ; ‘‘ହେ ଭୀମ ! କର୍ଣ୍ଣଙ୍କ ପ୍ରତି କଟୁକ୍ତି ପ୍ରୟୋଗ କରିବା ତୁମର ଉଚିତ ହୋଇନାହିଁ । କ୍ଷତ୍ରିୟମାନଙ୍କର ବଂଶ ଓ ଜନ୍ମ ସମ୍ପର୍କରେ ବିଶେଷ କୌତୁହଳୀ ହେବା ଉଚିତ ନୁହେଁ; କାରଣ ବଳ ହିଁ କ୍ଷତ୍ରିୟର ପ୍ରକୃତ ପରିଚୟ । ତା’ଛଡ଼ା ତୁମେ ପାଞ୍ଚଭାଇ ଯେପରି ଜନ୍ମ ହୋଇଛ, ସେ କଥା ମୋତେ ଅବିଦିତ ନାହିଁ । ହରିଣୀର ଗର୍ଭରୁ ବ୍ୟାଘ୍ରର ଜନ୍ମ ଯେପରି ଅସମ୍ଭବ, ସେହିପରି କବଚ କୁଣ୍ଡଳଧାରୀ, ସର୍ବଲକ୍ଷଣଯୁକ୍ତ, ସୂର୍ଯ୍ୟସମ ତେଜସ୍ୱୀ ମହାବୀର ଏହି କର୍ଣ୍ଣ ଯେ ଜଣେ ସାମାନ୍ୟ ବ୍ୟକ୍ତିର ଔରସରେ ଜନ୍ମହୋଇଥିବେ, ତାହା ମଧ୍ୟ ଅସମ୍ଭବ । ତାଙ୍କର ପରାକ୍ରମ ଓ ଶୌର୍ଯ୍ୟ ତୁଳନାରେ ଏ ଅଙ୍ଗରାଜ୍ୟର ରାଜପଦ ଅତି ତୁଚ୍ଛ । ସେ ଇଚ୍ଛାକଲେ ନିଜର ବାହୁବଳରେ ଏବଂ ମୋର ସାହାଯ୍ୟରେ ସମସ୍ତ ପୃଥିବୀ ଅଧିକାର କରିପାରନ୍ତି । କର୍ଣ୍ଣଙ୍କ ପ୍ରତି ଯଦି ଏତେ ବିଦ୍ୱେଷ, ତେବେ ଅବିଳମ୍ବେ ସଂଗ୍ରାମରେ ପ୍ରବୃତ୍ତ ହୁଅ ।

 

କିନ୍ତୁ ସମର ପାଇଁ ସେଦିନ ସମୟ ନଥିଲା । ସୂର୍ଯ୍ୟ ଅସ୍ତ ଯିବାରୁ ମାତ୍ର ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହୋଇଥିବା ସେହି କୃତ୍ରିମ ସମର ସେଇଠି ଶେଷ ହେଲା । ଯେ ଯାହାର ଘରକୁ ଫେରିଗଲେ ।

 

ଦ୍ରୁପଦଙ୍କ ଦ୍ୱାରା ପୂର୍ବେ ଦ୍ରୋଣାଚାର୍ଯ୍ୟ ଲାଞ୍ଛିତ ହୋଇଥିଲେ; ତେଣୁ ରାଜପୁତ୍ରମାନଙ୍କର ଶିକ୍ଷା ସମାପ୍ତ ହେବା ପରେ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ଗ୍ରହଣ କରିବାର ଇଚ୍ଛାପୋଷଣ କରି ଶିଷ୍ୟମାନଙ୍କୁ ଆହ୍ୱାନ କରି କହିଲେ, ‘‘ଶିଷ୍ୟଗଣ, ପାଞ୍ଚାଳରାଜ ଦ୍ରୁପଦଙ୍କୁ ବନ୍ଦୀ କରି ମୋ’ ନିକଟରେ ବର୍ତ୍ତମାନ ଉପସ୍ଥିତ କରାଅ-ତାହା ହିଁ ହେବ ତୁମ୍ଭମାନଙ୍କର ମୋ’ ପ୍ରତି ଗୁରୁ ଦକ୍ଷିଣା ।’’

 

ଗୁରୁଙ୍କର ଏପରି ଆଦେଶ ଶୁଣିବା ମାତ୍ରେ ନିଜର ବୀରତ୍ୱ ବିଷୟରେ ଗର୍ବ ଓ ମାନସିକ ବ୍ୟଗ୍ରତା ପ୍ରକାଶ କରି ପ୍ରଥମେ ଦୁର୍ଯ୍ୟୋଧନ ନିଜର ଭାଇ ଓ କର୍ଣ୍ଣଙ୍କ ସହ ଦ୍ରୁପଦଙ୍କୁ ଆମନ୍ତ୍ରଣ କରିବାକୁ ବାହାରିଗଲେ । ମାତ୍ର ରାଜା ଦ୍ରୁପଦଙ୍କୁ ବନ୍ଦୀ କରିବା ଦୂରେ ଥାଉ ଦ୍ରୁପଦଙ୍କ ହସ୍ତରେ ଅତି ଶୋଚନୀୟ ଭାବରେ ପରାଜିତ ହୋଇଦୁର୍ଯ୍ୟୋଧନ ପ୍ରମୁଖ ଫେରିଆସିଲେ । ତତ୍ପରେ ଅର୍ଜ୍ଜୁନଙ୍କ ନେତୃତ୍ୱରେ ପାଣ୍ଡବମାନେ ଗଲେ ଏବଂ ଦ୍ରୁପଦଙ୍କ ସହ ଘୋର ସଂଗ୍ରାମ କରି ତାଙ୍କୁ ପରାଜିତ କରିବା ସଙ୍ଗେ ସଙ୍ଗେ ବନ୍ଦୀ କରି ଗୁରୁଙ୍କ ନିକଟରେ ଦ୍ରୁପଦଙ୍କ ସହ ଉପସ୍ଥିତ ହେଲେ ।

 

ଦ୍ରୁପଦଙ୍କୁ ବନ୍ଦୀ ଅବସ୍ଥାରେ ଦେଖି ଦ୍ରୋଣାଚାର୍ଯ୍ୟ କହିଲେ, ‘‘ପାଞ୍ଚାଳରାଜ ! ମୋର ଆଦେଶାନୁସାରେ ମୋର ସୁଯୋଗ୍ୟ ଶିଷ୍ୟମାନେ ତୁମକୁ ପରାଜିତ କରି ତୁମର ରାଜ୍ୟ ଓ ରାଜପଦ ଏପରିକି ତୁମର ଜୀବନକୁ ମଧ୍ୟ ମୋର ହସ୍ତଗତ କରାଇଅଛନ୍ତି । ତୁମ ଦୃଷ୍ଟିରେ ମୁଁ ତୁମର ଶତ୍ରୁ ହୋଇଥିଲେ ତୁମେ ଯାହା ଚାହିଁବ, ମୁଁ ତାହା ପୂର୍ଣ୍ଣ କରିବାକୁ ଆଜି ପ୍ରସ୍ତୁତ ।’’

 

ଭଗ୍ନଦର୍ପ ଦ୍ରୁପଦ ଦଣ୍ଡାୟମାନ ହୋଇତଥାପି ନୀରବ ଥିବା ଦେଖି ଦ୍ରୋଣାଚାର୍ଯ୍ୟ ପୁଣି କହିଲେ; ‘‘ବୀର ! ପ୍ରାଣହାନୀର ଆଶଙ୍କା କର ନାହିଁ; କାରଣ ମୁଁ ଜଣେ କ୍ଷମାଶୀଳ ବ୍ରାହ୍ମଣ । ତେବେ ମୁଁ ପୁନର୍ବାର ତୁମ ସହ ବନ୍ଧୁତା ସ୍ଥାପନ କରିବାକୁ ଇଚ୍ଛା କରୁଅଛି । ତୁମେ କହିଥିଲ ଯେ ରାଜା ନୁହେଁ, ସେ ରାଜାର ବନ୍ଧୁ ହେବାକୁ ଅନୁପଯୁକ୍ତ; ସେହି କଥା ସ୍ମରଣ କରି ବର୍ତ୍ତମାନ ଜୟ କରିଥିବା ରାଜ୍ୟରୁ ତୁମକୁ ଅର୍ଦ୍ଧେକ ପ୍ରଦାନ କଲି । ତୁମେ ଆଜିଠାରୁ ଗଙ୍ଗାର ଦକ୍ଷିଣ ପଟରେ ଅବସ୍ଥିତ ରାଜ୍ୟର ରାଜା ହୋଇରହିବ ଓ ମୁଁ ଉତ୍ତରପଟ ରାଜ୍ୟର ଅଧିପତି ହୋଇତାହା ଶାସନ କରିବି । ଏଥିରେ ଯଦି ସମ୍ମତି ଥାଅ, ତେବେ ମୋ’ ସହ ବନ୍ଧୁତା ସ୍ଥାପନ କରିପାର ।

 

ଦ୍ରୁପଦ ଅର୍ଦ୍ଧେକ ରାଜ୍ୟ ଫେରିଯାଇ ଆପାତତଃ ଖୁସି ହୋଇରାଜନଗରକୁ ଫେରିଗଲେ ସତ; ମାତ୍ର ଦ୍ରୋଣଙ୍କୁ କିପରି ପରାଜିତ କରି ପ୍ରତିଶୋଧ ନେବେ, ସେଥିପାଇଁ ସବୁବେଳେ ଚିନ୍ତା କରିବାକୁ ଲାଗିଲେ ।

Image

 

ଜତୁଗୃହ ଦାହ

 

ଭୀମସେନଙ୍କର ପ୍ରବଳ ପରାକ୍ରମ ଓ ଅର୍ଜ୍ଜୁନଙ୍କର ଧନୁର୍ବିଦ୍ୟାରେ ବିଶେଷ ପାରଦର୍ଶିତା ସବୁବେଳେ ପରଶ୍ରୀକାତର ଦୁର୍ଯ୍ୟୋଧନଙ୍କୁ ଦୁଃଖିତ କରି ରଖିଲା । ପୁରବାସୀମାନେ ପାଣ୍ଡବଙ୍କର ଗୁଣକୀର୍ତ୍ତନ କରି ପରସ୍ପରରେ କୁହାକୁହି ହେଲେ, ମହାତ୍ମା ପାଣ୍ଡୁଙ୍କର ଜ୍ୟେଷ୍ଠପୁତ୍ର ଯୁଧିଷ୍ଠିର ହିଁ ରାଜ୍ୟ ପାଇବାର ଉପଯୁକ୍ତ ପାତ୍ର । ରାଜା ଧୃତରାଷ୍ଟ୍ର ଜନ୍ମାନ୍ଧ ଏବଂ ଶାନ୍ତନୁପୁତ୍ର ଭୀଷ୍ମ ରାଜା ହେବେ ନାହିଁ ବୋଲି ପୂର୍ବରୁ ପ୍ରତିଜ୍ଞା କରିଅଛନ୍ତି; ତେଣୁ ଧର୍ମାତ୍ମା ଯୁଧିଷ୍ଠିରଙ୍କୁ ରାଜପଦରେ ଅଭିଷିକ୍ତ କରିବା-। ସେ ଧର୍ମପ୍ରାଣ ଥିବାରୁ ସମସ୍ତଙ୍କୁ ସ୍ନେହ ଚକ୍ଷୁରେ ଦେଖି ସନ୍ତୁଷ୍ଟ କରିବେ ।

 

ପୁରବାସୀଙ୍କ ମୁଖରେ ପାଣ୍ଡବମାନଙ୍କର ଉଚ୍ଛ୍ୱସିତ ପ୍ରଶଂସା ଶୁଣି ଦୁର୍ଯ୍ୟୋଧନ ଇର୍ଷାନ୍ୱିତ ହୋଇପିତା ଧୃତରାଷ୍ଟ୍ରଙ୍କୁ କହିଲେ; ‘‘ପିତା ! ପୁରବାସୀମାନେ ଆପଣ ଓ ଭୀଷ୍ମଙ୍କୁ ହୀନଚକ୍ଷୁରେ ଦେଖି ଯୁଧିଷ୍ଠିରଙ୍କୁ ରାଜା କରିବାକୁ ଚାହୁଁଅଛନ୍ତି । ପୂର୍ବେ ମହାରାଜା ପାଣ୍ଡୁ ଗୁଣବାନ୍ ବୋଲି ପିତୃରାଜ୍ୟ ପାଇଥିଲେ; କିନ୍ତୁ ଆପଣ ଜନ୍ମାନ୍ଧ ବୋଲି ଜ୍ୟେଷ୍ଠ ହୋଇମଧ୍ୟ ରାଜପଦରୁ ବଞ୍ଚିତ ହେଲେ । ଯଦି ଯୁଧିଷ୍ଠିର ବର୍ତ୍ତମାନ ରାଜ୍ୟଲାଭ କରନ୍ତି, ତେବେ ତାଙ୍କ ପରେ ତାଙ୍କ ପୁତ୍ର ପୁତ୍ରମାନେ ସାମ୍ରାଜ୍ୟ ଭୋଗ କରି ପରମ ସୁଖରେ ରହିବେ । ଆମ୍ଭେମାନେ ପୁତ୍ର ପୈତ୍ରାଦିକ୍ରମେ ତାଙ୍କ ଉପରେ ନିର୍ଭର କରି ନର୍କଭୋଗ କରିବୁ । ତେଣୁ ମହାରାଜ, ଏ ନର୍କ, ଏ ନର୍କଭୋଗ ଆଶଙ୍କାରୁ ଯେପରି ମୁକ୍ତ ହେବୁଁ ସେପରି ପରାମର୍ଶ ଦିଅନ୍ତୁ ।’’

 

ଦୁର୍ଯ୍ୟୋଧନଙ୍କର ଏପରି କଥା ଶୁଣି ଧୃତରାଷ୍ଟ୍ର ଚିନ୍ତିତ ହୋଇପଡ଼ିଲେ ଏବଂ ପିତାଙ୍କୁ ଚିନ୍ତିତ ହେବା ଲକ୍ଷ୍ୟ କରି କର୍ଣ୍ଣ, ଶକୁନୀ ଓ ଦୁଃଶାସନ ପ୍ରମୁଖଙ୍କ ସହ ପରାମର୍ଶ କରି ଦୁର୍ଯ୍ୟୋଧନ ପୁଣି ଧୃତରାଷ୍ଟ୍ରଙ୍କୁ କହିଲେ, ‘‘ବାବା, ଆପଣ ଯଦି କୌଶଳକ୍ରମେ ପାଣ୍ଡବମାନଙ୍କୁ ବାରଣାବତ ନଗରକୁ ପଠାଇଦେଇ ପାରନ୍ତେ, ତାହାହେଲେ ଆମ୍ଭମାନଙ୍କର ସମସ୍ତ ଭୟ ଦୂର ହୋଇଯାଆନ୍ତା-।’’

 

କ୍ଷଣକାଳ ଚିନ୍ତାକରି ଧୃତରାଷ୍ଟ୍ର କହିଲେ, ‘ଧର୍ମପରାୟଣ ପାଣ୍ଡୁ ସମସ୍ତ ଜ୍ଞାତି, ତଥା ମୋ’ ପ୍ରତି ଧର୍ମାନୁମୋଦିତ ବ୍ୟବହାର କରୁଥିଲେ ଏବଂ ମୋ’ ସହିତ ସର୍ବଦା ରାଜ୍ୟ ସଂପର୍କିତ ବିଷୟମାନଙ୍କର ଆଲୋଚନା କରି ସେ ରାଜକାର୍ଯ୍ୟ କରୁଥିଲେ । ଯୁଧିଷ୍ଠିର ମଧ୍ୟ ପିତାଙ୍କ ପରି ଧର୍ମପରାୟଣ, ଗୁଣବାନ ଓ ପୁରବାସୀଙ୍କର ପ୍ରିୟ ଅଟେ । ଏ ତାଙ୍କର ପୈତୃକ ରାଜ୍ୟ, ତେଣୁ ଏଠାରୁ ତାଙ୍କୁ ମୁଁ କିପରି ଦୂର କରିଦେବି ? ତା’ଛଡ଼ା ମନ୍ତ୍ରୀ, ସେନା ତଥା ପ୍ରଜାମାନଙ୍କୁ ପାଣ୍ଡୁ ପରମ ଯତ୍ନସହକାରେ ପାଳନ କରି ଅନୁଗୃହୀତ କରିଅଛନ୍ତି । ବର୍ତ୍ତମାନ ଯୁଧିଷ୍ଠିରଙ୍କ ପ୍ରତି ଆମେ କୌଣସି ଅବିଚାର କଲେ ସେମାନେ ଯୁଧିଷ୍ଠିରଙ୍କ ପକ୍ଷ ନେଇ ଆମ୍ଭମାନଙ୍କୁ ସବଂଶରେ ବିନାଶ କରିପକାଇବେ ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ବାବା, ଆପଣ ଯାହା କହିଲେ ତାହା ଯଥାର୍ଥ; କିନ୍ତୁ ଅର୍ଥ ଓ ପଦଦ୍ୱାରା ପ୍ରଜା, ସୈନ୍ୟ ତଥା ମନ୍ତ୍ରୀମାନଙ୍କୁ ମୁଁ ମୋ’ ପକ୍ଷକୁ ନେଇଆସି ପାରିବି; କାରଣ ବର୍ତ୍ତମାନ ତ ସବୁ ସମ୍ପତ୍ତି, ମନ୍ତ୍ରୀପରିଷଦ ଓ କ୍ଷମତା ଆମ୍ଭମାନଙ୍କର ଅଧୀନ । ତେଣୁ ଆପଣ କୌଶଳକ୍ରମେ କୁନ୍ତୀ ଓ ତାଙ୍କ ପୁତ୍ରମାନଙ୍କୁ ବାରଣାବତକୁ ପ୍ରେରଣ କରନ୍ତୁ ।’’

 

ଧୃତରାଷ୍ଟ୍ର କହିଲେ, ‘‘ଦୁର୍ଯ୍ୟୋଧନ, ତୁମେ ଯାହା କହିଲ ତାହା ମଧ୍ୟ ମୋର ଇଚ୍ଛା; କିନ୍ତୁ ଏପରି ଇଚ୍ଛାଟା ପାପପୂର୍ଣ୍ଣ ବୋଲି ଆଜି ଯର୍ଯ୍ୟନ୍ତ ମୁଁ ତାହା ପ୍ରକାଶ କରିନଥିଲି । ତା’ଛଡ଼ା ପାଣ୍ଡବଙ୍କ ନିର୍ବାସନକୁ ଭୀଷ୍ମ, ଦ୍ରୋଣ, କୃପ ଓ ବିଦୁର ପ୍ରମୁଖ କେବେ ହେଁ ଅନୁମୋଦନ କରିବେ ନାହିଁ; କାରଣ ସେମାନେ ଆମ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ବିନାଅପରାଧରେ ପାଣ୍ଡବଙ୍କୁ ବହିଷ୍କାର କଲେ, ସେମାନେ ଆମକୁ କ୍ଷମା କରିବେ ନାହିଁ ।’’ ଦୁର୍ଯ୍ୟୋଧନ ତାହା ଶୁଣି କହିଲେ, ‘‘ଭୀଷ୍ମ ଆମ ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖୁଥିବାରୁ ସେ କାହାରି ପକ୍ଷ ସମର୍ଥନ କରିବେ ନାହିଁ । ଦ୍ରୋଣଙ୍କର ପୁତ୍ର ଅଶ୍ୱତ୍‌ଥାମା ମୋର ଅତି ଅନୁଗତ, ସେ ଦୃଷ୍ଟିରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ନିଜ ପୁତ୍ରମତର ବିରୁଦ୍ଧରେ ଯିବେ ନାହିଁ । ତା’ଛଡ଼ା କୃପାଚାର୍ଯ୍ୟ ନିଜ ଭିଣୋଇ ଦ୍ରୋଣ ଓ ଭଣଜା ଅଶ୍ୱତ୍‌ଥାମାଙ୍କ ପକ୍ଷ ନ ନେଇ କ’ଣ ପାଣ୍ଡବଙ୍କ ପକ୍ଷ ସ୍ୱୀକାର କରିବେ ? ଅବଶ୍ୟ ପାଣ୍ଡବମାନଙ୍କ ପ୍ରତି ଧର୍ମାତ୍ମା ବିଦୁରଙ୍କର ଯଥେଷ୍ଟ ଦୁର୍ବଳତା ରହିଛି, ତେବେ ସେ ଏକା ଏକା ବା ଆମର କି ଅନିଷ୍ଟ କରିପାରିବେ ?’’

 

ତାହାପରେ ଦୁର୍ଯ୍ୟୋଧନ ଅଜସ୍ର ଧନ ଓ ସ୍ଥଳ ବିଶେଷରେ ଆବଶ୍ୟକୀୟ ସମ୍ମାନ ଓ ପଦ ଆଦି ପ୍ରଦାନ କରି ଧୀରେ ଧୀରେ ମନ୍ତ୍ରୀ, ସୈନ୍ୟ ତଥା କେତେକ ମୁଖିଆ ମୁଖିଆ ପ୍ରଜାଙ୍କୁ ନିଜର ବଶବର୍ତ୍ତୀ କରିପକାଇଲେ । ଧୃତରାଷ୍ଟ୍ରଙ୍କ ସହ ଗୋପନରେ ମନ୍ତ୍ରଣା କରି ପାଣ୍ଡବମାନଙ୍କ ବିରୁଦ୍ଧରେ ଦୁର୍ଯ୍ୟୋଧନ ଏକ ବିଧିବଦ୍ଧ ଚକ୍ରାନ୍ତ ଆରମ୍ଭ କରିଦେଲେ । ଧୃତରାଷ୍ଟ୍ରଙ୍କ ମନ୍ତ୍ରଣାନୁସାରେ ଦୁର୍ଯ୍ୟୋଧନଙ୍କ ଅନୁଗତ ପାତ୍ର ମନ୍ତ୍ରୀମାନେ ରାଜଦରବାରରେ ବାରଣାବତ ନଗରର ପ୍ରଶଂସା କରିବାକୁ ଲାଗିଲେ ଓ କହିଲେ, ବାରଣାବତ ନଗର ଦର୍ଶନୀୟ ସ୍ଥାନ ଭାବରେ ଅତି ପବିତ୍ର ଓ ରମଣୀୟ । ସେଠାରେ ଭଗବାନ ଶଙ୍କର ସଦା ସର୍ବଦା ବିରାଜମାନ କରିଥାନ୍ତି । ବର୍ତ୍ତମାନ ଭଗବାନଙ୍କର ପର୍ବର ସମୟ ଉପସ୍ଥିତ ହୋଇଥିବାରୁ ନାନାଦେଶରୁ ଧର୍ମପ୍ରାଣ ବ୍ୟକ୍ତିମାନେ ସେଠାରେ ପ୍ରତ୍ୟହ ସମାଗତ ହେଉଅଛନ୍ତି ।

 

ମନ୍ତ୍ରୀମାନଙ୍କ ମୁଖରୁ ବାରଣାବତର ଏପରି ଉଚ୍ଛ୍ୱସିତ ପ୍ରଶଂସା ଶୁଣି ସେଠାକୁ ଯିବାକୁ ପାଣ୍ଡବଙ୍କ ମନରେ ବିଶେଷ ଆଗ୍ରହ ଜନ୍ମିଲା ଏବଂ ସେହି ଆଗ୍ରହର ସାମାନ୍ୟ ସୂଚନା ପାଇ ଧୃତରାଷ୍ଟ୍ର କହିଲେ, ‘‘ବାବା, ପୃଥିବୀ ମଧ୍ୟରେ ବାରଣାବତ ନଗର ସର୍ବାପେକ୍ଷା ରମଣୀୟ ବୋଲି ଲୋକମୁଖରୁ ଶୁଣିବାକୁ ପାଉଛି । ବାରଣାବତକୁ ଯାଇ ଆମୋଦ ପ୍ରମୋଦ କରିବାକୁ ଯଦି ତୁମ୍ଭମାନଙ୍କର ମନରେ ବାସନା ଜନ୍ମିଥାଏ, ତେବେ ବନ୍ଧୁ ପରିବାର ସହିତ ସେଠାକୁ ଯାଇ ଦେବ-ଦର୍ଶନ ଓ ବ୍ରାହ୍ମଣମାନଙ୍କୁ ଇଚ୍ଛାନୁସାରେ ଦାନାଦି ପ୍ରଦାନ କର । କିଛିଦିନ ସେଠାରେ ସୁଖରେ ଅବସ୍ଥାନ କରି ପୁଣି ହସ୍ତିନାକୁ ଫେରି ଆସିବ ।’’

 

ଧୃତରାଷ୍ଟ୍ରଙ୍କଠାରୁ ଅନୁମତି ପାଇ ଭୀଷ୍ମ, ବିଦୁର, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା, ଗାନ୍ଧାରୀ ଓ ପୁରବାସୀ ପ୍ରମୁଖଙ୍କ ନିକଟକୁ ଯାଇ ଅତି ବିନୟ ସହକାରେ ଯୁଥିଷ୍ଠିର ସେମାନଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଭିକ୍ଷା କରି କହିଲେ, ‘‘ପରମ ପୂଜ୍ୟ ପିତୃବ୍ୟ ଧୃତରାଷ୍ଟ୍ରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ସପରିବାର ପରମ ରମଣୀୟ ବାରଣାବତ ନଗରକୁ ଯାଉଅଛୁଁ; ତେଣୁ ଯେପରି ଅମଙ୍ଗଳ ଓ ଅଘଟନ ଆମକୁ ସ୍ପର୍ଶ ନକରେ, ସେଥିପାଇଁ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ-।’’

 

ମାତା କୁନ୍ତୀଙ୍କ ସହ ପଞ୍ଚପାଣ୍ଡବଙ୍କୁ ହୃଷ୍ଟ ମନରେ ବାରଣାବତକୁ ଯାଉଥିବାର ଲକ୍ଷ୍ୟ କରି ଦୁର୍ଯ୍ୟୋଧନଙ୍କର ଆନନ୍ଦର ସୀମା ରହିଲା ନାହିଁ । ତତ୍‌କ୍ଷଣାତ୍‌ ପୁରୋଚନ ନାମକ ଏକ ଦୁଷ୍ଟବୁଦ୍ଧିସମ୍ପନ୍ନ ମନ୍ତ୍ରୀଙ୍କୁ ଡାକି ନେଇ ଏବଂ ତାଙ୍କର ଦକ୍ଷିଣ ହସ୍ତ ଧାରଣ କରି ଦୁର୍ଯ୍ୟୋଧନ କହିଲେ, ‘‘ପୁରୋଚନ ! ତୁମଛଡ଼ା ବିଶ୍ୱସ୍ତ ବନ୍ଧୁ ମୋର କେହି ନାହିଁ । ତେଣୁ ମୁଁ ଯାହା କହୁଛି, ସେସବୁର ଗୋପନୀୟତା ରକ୍ଷା କରି ତଦନୁସାରେ କାର୍ଯ୍ୟ କର । ପାଣ୍ଡବମାନେ ବାରଣାବତ ନଗରକୁ ଆଜି ଯାଉଅଛନ୍ତି । ତୁମେ ଦ୍ରୁତଗାମୀ ଅଶ୍ୱ ଆରୋହଣ କରି ଅଚିରେ ବାରଣାବତକୁ ଚାଲିଯାଅ ଏବଂ ସେଠାରେ ସେମାନଙ୍କ ରହିବା ପାଇଁ ଏକ ବିଶାଳ ଗୃହ ନିର୍ମାଣ କର । ସେ ଗୃହ ନିର୍ମାଣ କଲାବେଳେ ତହିଁର ମୃତ୍ତିକାରେ ପ୍ରଚୁର ପରିମାଣରେ ଶଣ, ଘୃତ, ତୈଳ, ଜତୁ, କାଷ୍ଠ ପ୍ରଭୃତି ସହଜଦାହ୍ୟ ଦ୍ରବ୍ୟ ପ୍ରୟୋଗ କରି ଏପରି ନିର୍ମାଣ କରିବ, ଯେପରି ଦାହ୍ୟବସ୍ତୁରେ ଗୃହଟି ନିର୍ମିତ ହୋଇଅଛି ବୋଲି କାହାରି ସନ୍ଦେହ ଜାତ ନହୁଏ । ଗୃହ ନିର୍ମାଣ ସରିଲେ ପରମ ସମ୍ମାନର ସହିତ ପାଣ୍ଡବମାନଙ୍କୁ ସେଠାକୁ ପାଛୋଟି ନେଇ, ଦିବ୍ୟ ଆସନ, ଶଯ୍ୟା ଆଦି ପ୍ରଦାନ କରି ସେମାନଙ୍କର ସେଠାରେ ରହିବାର ବ୍ୟବସ୍ଥା କରିଦେବ ଏବଂ ସବୁ ପ୍ରକାରେ ସେମାନଙ୍କର ସନ୍ତୋଷ ବିଧାନ କରିବ । କିଛିଦିନ ଏହି ପରି ଅତିବାହିତ ହୋଇଗଲେ, ତୁମେ ସେ ମଧ୍ୟରେ ସେମାନଙ୍କର ବିଶ୍ୱାସଭାଜନ ହୋଇପଡ଼ିବ ଓ ସେମାନେ ଶାନ୍ତିରେ ସେହି ଜତୁଗୃହରେ ଶୟନ କରିଥିବା ସମୟରେ ଗୃହର ଦ୍ୱାରଦେଶରେ ଅଗ୍ନି ସଂଯୋଗ କରିଦେବ । ତଦ୍ଦ୍ୱାରା ବାରଣାବତ ନଗରର ପୁରବାସୀଙ୍କର ଗୃହ ଯଦି ପୋଡ଼ିଯାଏ, ତେବେ ମଧ୍ୟ କ୍ଷତି ନାହିଁ; ବରଂ ଆକସ୍ମିକ ଅଗ୍ନି ଉତ୍ପାତ ଫଳରେ କୁନ୍ତୀଙ୍କ ସହ ପାଣ୍ଡବମାନେ ଦଗ୍ଧୀଭୂତ ହୋଇଛନ୍ତି ଭାବି କେହି ଆମକୁ ସନ୍ଦେହ କରିବେ ନାହିଁ ।

 

ଦୁର୍ଯ୍ୟୋଧନଙ୍କ ଆଦେଶାନୁସାରେ ବାରଣାବତଠାରେ ପୁରୋଚନ ଅନୁରୂପ ଏକ ସୁନ୍ଦର ଜତୁଗୃହ ନିର୍ମାଣ କରାଇଲା ।

 

ପ୍ରିୟ ପରିଜନଙ୍କଠାରୁ ପାଣ୍ଡବମାନେ ବିଦାୟ ନେଇ ଯିବା ସମୟରେ କେତେକ ନିର୍ଭୀକ ବ୍ରାହ୍ମଣ ପରସ୍ପର ମଧ୍ୟରେ କୁହାକୁହି ହେଲେ, ‘‘କୁରୁକୁଳର କଳଙ୍କ ଦୁଷ୍ଟବୁଦ୍ଧି ଧୃତରାଷ୍ଟ୍ର ଏପରି ଅଧର୍ମ କାର୍ଯ୍ୟ କରିବାକୁ ଗଲେ କାହିଁକି ? ଦେଖ, ପାଣ୍ଡବମାନେ ଧୃତରାଷ୍ଟ୍ରଙ୍କର ତ କେବେ କୌଣସି ଅନିଷ୍ଟ କରିନାହାନ୍ତି; ତଥାପି ଧୃତରାଷ୍ଟ୍ର ସେମାନଙ୍କୁ ତାଙ୍କର ପୈତୃକ ରାଜ୍ୟ ପ୍ରଦାନ କଲେ ନାହିଁ । ଭୀଷ୍ମ ବା କିପରି ଏପରି ଅନ୍ୟାୟ କାର୍ଯ୍ୟକୁ ଅନୁମୋଦନ କଲେ ! ପୂର୍ବେ ଶାନ୍ତନୁ, ତତ୍‌ପରେ ବିଚିତ୍ରବୀର୍ଯ୍ୟ ଏବଂ ତାଙ୍କ ପରେ ରାଜର୍ଷି ପାଣ୍ଡୁ ଅତି ସନ୍ତୋଷରେ ଆମର ପ୍ରତିପାଳନ କରି ଆମ୍ଭମାନଙ୍କୁ ଅନୁଗୃହୀତ କରିଅଛନ୍ତି । ତେଣୁ ଆସ ଧୃତରାଷ୍ଟ୍ରଙ୍କର ଏହି ଅନ୍ୟାୟ କାର୍ଯ୍ୟର ପ୍ରତିବାଦ କରି ଗୃହତ୍ୟାଗୀ ହୋଇ ପାଣ୍ଡବମାନଙ୍କର ଅନୁଗାମୀ ହେବା ।’’

 

ବ୍ରାହ୍ମଣମାନଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, ‘‘ମହାରାଜ ଧୃତରାଷ୍ଟ୍ର ଆମର ପିତୃତୁଲ୍ୟ-। ତାଙ୍କର ଆଦେଶ ପାଳନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଆପଣମାନେ ଆମ୍ଭମାନଙ୍କର ପରମବନ୍ଧୁ ତେଣୁ ବର୍ତ୍ତମାନ ଘରକୁ ଫେରିଯାଆନ୍ତୁ ଏବଂ ଯଥା ସମୟରେ ଆମ୍ଭେମାନେ ଆପଣମାନଙ୍କର ପ୍ରିୟ ଓ ହିତ ସାଧନରେ ପ୍ରବୃତ୍ତ ହେବୁ ।’’

 

ବ୍ରାହ୍ମଣମାନେ ପାଣ୍ଡବଙ୍କୁ ଆଶୀର୍ବାଦ କରି ଘରକୁ ଫେରିଗଲା ପରେ ସର୍ବ ଧର୍ମନିଷ୍ଠ ବିଦୁର ସାଙ୍କେତିକ ବାକ୍ୟଦ୍ୱାରା ଦୁର୍ଯ୍ୟୋଧନଙ୍କ କ୍ରୂର ଚକ୍ରାନ୍ତର ସୂଚନା ଦେଇ ଯୁଧିଷ୍ଠିରଙ୍କୁ କହିଲେ, ‘‘ନୀତିଶାସ୍ତ୍ର ଅଭିଜ୍ଞ ବ୍ୟକ୍ତିମାନେ ସବୁବେଳେ ବିପଦମୁକ୍ତ ହେବାକୁ ଚେଷ୍ଟା କରିଥାନ୍ତି । ମୂଷା ତୃଣ ମଧ୍ୟରେ ଥିଲେ ମଧ୍ୟ ଗର୍ତ୍ତକରି ରହୁଥିବାରୁ ତୃଣଦାହକ ଅଗ୍ନି ତାଙ୍କୁ ଦଗ୍ଧ କରିପାରେ ନାହିଁ । ଯେ ବ୍ୟକ୍ତି ଏ କଥା ଉତ୍ତମରୂପେ ବୁଝିଅଛି, ସେ ଆତ୍ମରକ୍ଷା କରିପାରିବ । ଶତ୍ରୁମାନଙ୍କର କୁମନ୍ତ୍ରଣା ଲୌହନିର୍ମିତ ନ ହେଲେ ମଧ୍ୟ ଶରୀର ଛେଦନ କରିଥାଏ, ଏକଥାକ ଉତ୍ତମରୂପେ ବୁଝିଥିବା ବ୍ୟକ୍ତିର କୌଣସି କ୍ଷତି ଶତ୍ରୁମାନେ କରିପାରନ୍ତି ନାହିଁ । ଅନ୍ଧ ଦିଗ ନିର୍ଣ୍ଣୟ କରିପାରନ୍ତି ନାହିଁ । କିନ୍ତୁ ଭ୍ରମଣକାରୀମାନେ ଉତ୍ତମ ରୂପେ ନିଜର ପଥ ଜାଣିପାରିଥାନ୍ତି । ନକ୍ଷତ୍ର ଦ୍ୱାରା ଦିଗ ନିର୍ଣ୍ଣୟ ହୋଇପାରେ ଓ ପଞ୍ଚ ଇନ୍ଦ୍ରିୟଙ୍କୁ ଜୟ କରିଥିବା ବ୍ୟକ୍ତି ପରାଜିତ ହୁଏ ନାହିଁ । ମୁଁ ଏତିକି ମାତ୍ର କହିଲି, ସଙ୍କେତରୁ କଥାର ମର୍ମ ବୁଝିନେବ ।’’

 

ଯୁଧିଷ୍ଠିର ‘ବୁଝିଲି’ ବୋଲି କହି ବିଦୁର ଓ ଅନ୍ୟଙ୍କଠାରୁ ବିଦାୟ ନେବା ପରେ କୁନ୍ତୀ ପଚାରିଲେ, ‘‘ବିଦୁର କ’ଣ କହିଲେ ଆମେ ତ କିଛି ବୁଝିପାରିଲୁ ନାହିଁ ?’’

 

ଯୁଧିଷ୍ଠିର କହିଲେ, ‘‘ମୋ, ବିଦୁର କହିଲେ ଯେ, ଦୁର୍ଯ୍ୟୋଧନ ତୁମକୁ ପୋଡ଼ି ମାରିପକାଇବା ନିମନ୍ତେ ଜତୁଗୃହ ନିର୍ମାଣ କରିଅଛି । ତୁମେ ଅତି ସାବଧାନତା ସହକାରେ ବାସ କରିବ । ଜିତେନ୍ଦ୍ରିୟ ହୋଇରହିବ ଓ ସମସ୍ତ ରାସ୍ତାଘାଟ ଭଲଭାବରେ ଚିହ୍ନିନେବ । ତା’ହେଲେ ରାଜ୍ୟ ଲାଭ କରିବ ।’’

 

ତା’ପରେ କୁନ୍ତୀଙ୍କ ସହ ପାଣ୍ଡବମାନେ ଫାଲ୍‍ଗୁନ ମାସ ଅଷ୍ଟମ ଦିବସରେ ବାରଣାବତ ନଗରରେ ପହଞ୍ଚିଲେ । ବାରଣାବତ ନଗରବାସୀମାନେ ବାଣ୍ଡବଙ୍କର ଆଗମନର ସମ୍ୱାଦ ପାଇ ଉଚ୍ଛ୍ୱସିତ ପ୍ରୀତିପୂର୍ଣ୍ଣ ସମ୍ୱର୍ଦ୍ଧନାରେ ସେମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଲେ ।

 

ଜତୁଗୃହର ନିର୍ମାଣ କାର୍ଯ୍ୟ ଶେଷ ହେବା ମାତ୍ରେ ସେଠାରେ ଅବସ୍ଥାନ କରିବା ନିମନ୍ତେ ପାଣ୍ଡବମାନଙ୍କୁ ପୁରୋଚନ ଅନୁରୋଧ କଲେ । ସେହି ଅମଙ୍ଗଳକର ଜତୁଗୃହର ନାମ ‘ଶିବ’ ବୋଲି ରଖାଯାଇଥିଲା । ଜନନୀ କୁନ୍ତୀଙ୍କ ସହ ପାଣ୍ଡବମାନେ ଜତୁଗୃହରେ ପ୍ରବେଶ କଲେ ।

 

ଯୁଧିଷ୍ଠିର କହିଲେ, ‘‘ଭୀମସେନ, ଏହି ଗୃହ ଘୃତ, ଜତୁ ପ୍ରଭୃତି ଦାହ୍ୟବସ୍ତୁରେ ନିର୍ମିତ ହୋଇଅଛି । ଦୁର୍ଯ୍ୟୋଧନର ଆଜ୍ଞାଧୀନ ଏହି ପାପାତ୍ମା ପୁରୋଚନ ପ୍ରକାଶ୍ୟରେ ମଧୁର ବ୍ୟବହାର ଦ୍ୱାରା ଆମ୍ଭମାନଙ୍କର ପ୍ରୀତି ଓ ବିଶ୍ୱାସଭାଜନ ହୋଇ ଆମ୍ଭମାନଙ୍କୁ ନିଆଁରେ ପୋଡ଼ି ମାରିବା ପାଇଁ ଚକ୍ରାନ୍ତ କରୁଅଛି । ପିତୃବ୍ୟ ବିଦୁର ପ୍ରକୃତରେ ଦୁର୍ଯ୍ୟୋଧନର ଦୁଷ୍ଟ ଅଭିସନ୍ଧି ପୂର୍ବରୁ ଜାଣିପାରିଥିଲେ-।’’

 

ଭୀମସେନ କହିଲେ, ‘‘ଏ ଗୃହ ଯଦି ପ୍ରକୃତରେ ଆଗ୍ନେୟ ଦ୍ରବ୍ୟରେ ନିର୍ମିତ, ତେବେ ଚାଲ ଏ ଗୃହ ତ୍ୟାଗ କରି ଅନ୍ୟତ୍ର ରହିବା ।’’

 

ଯୁଧିଷ୍ଠିର କହିଲେ, ‘‘ଭାଇ, ଉତ୍ତମ ରୂପେ ବିଚାର କଲେ ଆମର ଏହି ସ୍ଥାନରେ ରହି କିପରି ବିପଦରୁ ରକ୍ଷା ପାଇବା ସେ ଚେଷ୍ଟାରେ ଯତ୍ନବାନ ହେବା ଉଚିତ । ଯଦି ପୁରୋଚନ ଆମ କଥାର ସାମାନ୍ୟତମ ସୂଚନା ପାଏ, ତେବେ ସଙ୍ଗେ ସଙ୍ଗେ ଆମକୁ ଭସ୍ମସାତ କରିଦେବ । ତା’ଛଡ଼ା ଏ ଗୃହ ତ୍ୟାଗକରି ଯଦି ଆମେ ଚାଲିଯିବା, ତେବେ ଦୁର୍ଯ୍ୟୋଧନ ଧନବାନ ଓ ଉଚ୍ଚ ପଦରେ ରହିଥିବାରୁ ଆମକୁ ଯେ କୌଣସି ଉପାୟରେ ବିନାଶ କରିଦେବ । ତେଣୁ ଏ ସ୍ଥାନରୁ କିପରି ଗୋପନରେ ପଳାୟନ କରିବା ବର୍ତ୍ତମାନ ସେହି ଚେଷ୍ଟା କରିବା । ଦିନବେଳେ ମୃଗୟା କରିବାକୁ କହି ନାନା ଦେଶ ଓ ଅରଣ୍ୟ ଭ୍ରମଣ କରି ପଳାୟନ ପାଇଁ ପଥ ସ୍ଥିର କରିବା ଓ ଗୃହ ମଧ୍ୟରେ ଗହ୍ୱର ପ୍ରସ୍ତୁତ କରି ତହିଁ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ବାସ କରିବା, ତାହାହେଲେ ଅଗ୍ନି ଆମର କୌଣସି କ୍ଷତି କରିପାରିବ ନାହିଁ ।’’

 

ଏ ମଧ୍ୟରେ ଜତୁଗୃହ ମଧ୍ୟରେ ସୁଡ଼ଙ୍ଗ ଖନନ କରିବାପାଇଁ ବିଦୁର ନିଜର ଜଣେ ବିଶ୍ୱସ୍ତ ଖନକକୁ ପାଣ୍ଡବଙ୍କ ନିକଟକୁ ପ୍ରେରଣ କଲେ ଏବଂ ସେହି ଖନକଙ୍କ ଦ୍ୱାରା ଏପରି ଗୋପନରେ ଓ ଦକ୍ଷତା ସହକାରେ ସୁଡ଼ଙ୍ଗ ନିର୍ମାଣ କରାଗଲା ଯେ, ପୁରୋଚନ ତହିଁର ସାମାନ୍ୟତମ ସୂଚନା ପାଇପାରିଲା ନାହିଁ । ପାଣ୍ଡବମାନେ ଦିବସ ସମୟରେ ମୃଗୟା ଉଦ୍ଦେଶ୍ୟରେ ଅରଣ୍ୟକୁ ଯାଇ ବିଭିନ୍ନ ପଥ ସହିତ ନିଜକୁ ପରିଚିତ କରୁଥିଲେ ଓ ରାତ୍ରି ସମୟରେ ସୁଡ଼ଙ୍ଗ ମଧ୍ୟରେ ଶୟନ କରୁଥିଲେ । ଏହିପରି ଗୋଟିଏ ବର୍ଷ ଅତିବାହିତ ହୋଇଗଲା । ପାଣ୍ଡବମାନଙ୍କୁ ପରମ ଶାନ୍ତିରେ ଓ ଅତିବିଶ୍ୱାସରେ ରହିଥିବାର ଦେଖି ପୁରୋଚନ ଖୁସି ହେଲା ।

 

ପୁରୋଚନକୁ ଖୁସିଥିବାର ଦେଖି ଯୁଧିଷ୍ଠିର କହିଲେ; ‘‘ଭାଇମାନେ, ବର୍ତ୍ତମାନ ଆମ୍ଭମାନଙ୍କର ପଳାୟନର ସମୟ ଉପସ୍ଥିତ ହୋଇଅଛି ଆଜି ଏହି ଆଗ୍ନେୟ ଗୃହରେ ଅଗ୍ନିସଂଯୋଗ କରି ତହିଁରେ ପୁରୋଚନକୁ ଦଗ୍ଧ କରି ଛ’ଜଣଙ୍କୁ ଏଠାରେ ରଖି ଆମେ ଗୋପନରେ ପଳାୟନ କରିବା ।’’

 

ସେଦିନ ରାତିରେ କୁନ୍ତୀ ଏକ ଭୋଜିର ଆୟୋଜନ କରି ବ୍ରାହ୍ମଣମାନଙ୍କୁ ଓ ସ୍ତ୍ରୀଲୋକମାନଙ୍କୁ ଭୋଜନରେ ଆପ୍ୟାୟିତ କଲେ, ଜଣେ କ୍ଷୁଧାତୁର ସ୍ତ୍ରୀ ଲୋକ ଭୋଜନ ଆଶାରେ ନିଜର ପାଞ୍ଚ ପୁଅଙ୍କୁ ସଙ୍ଗରେ ନେଇ କୁନ୍ତୀଙ୍କର ଭୋଜିରେ ଉପସ୍ଥିତ ହେବାରୁ କୁନ୍ତୀ ତାଙ୍କୁ ପ୍ରଚୁର ଖାଦ୍ୟରେ ସନ୍ତୁଷ୍ଟ କଲେ; କିନ୍ତୁ ସେମାନେ ବହୁଦିନ ଧରି କ୍ଷୁଧାର୍ତ୍ତ ଥିବାରୁ ଅତ୍ୟଧିକ ପରିମାଣରେ ଖାଦ୍ୟ ଓ ମଦ୍ୟ ସେବନ କରି ଜତୁଗୃହର ଏକ ପାର୍ଶ୍ୱରେ ସଂଜ୍ଞାହୀନ ଅବସ୍ଥାରେ ଶୋଇପଡ଼ିଲେ । ନିମନ୍ତ୍ରିତ ବ୍ୟକ୍ତିମାନେ ଭୋଜନ ସମାପନ କରି ବିଦାୟ ନେଲେ ଏବଂ ରାତି ବେଶି ହେବାରୁ ନଗରର ଲୋକମାନେ ନିଜ ନିଜ ଗୃହରେ ନିଦ୍ରାଚ୍ଛନ୍ନ ହୋଇପଡ଼ିଲେ । ତତ୍‌ପରେ ଭୀମସେନ ପ୍ରଥମେ ନିଦ୍ରିତ ପୁରୋଚନର ଗୃହରେ ଓ ପରେ ଜତୁଗୃହର ବିଭିନ୍ନ ସ୍ଥାନରେ ଅତି ସତର୍କତା ଓ ସଫଳତାର ସହିତ ଅଗ୍ନି-ସଂଯୋଗ କରିଦେଲେ ଏବଂ ମା’ ଓ ଭାଇମାନଙ୍କ ସହ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କଲେ ।

 

ଅତି ଅଳ୍ପ ସମୟ ମଧ୍ୟରେ ଜତୁଗୃହର ଅଗ୍ନି ଅତି ପ୍ରବଳ ହୋଇଉଠିଲା । ଅଗ୍ନିର ଉତ୍ତାପ ଓ ଅଗ୍ନ୍ୟୁତ୍ପାତର ଶବ୍ଦରେ ନଗରବାସୀମାନେ ଜାଗ୍ରତ ହୋଇପ୍ରିୟ ପାଣ୍ଡବମାନଙ୍କର ଆବାସସ୍ଥଳୀ ଅତି ଭୀଷଣ ଭାବରେ ଦଗ୍ଧ ହେଉଅଛି ଦେଖି ଅତି ଦୁଃଖିତ ମନରେ କୁହାକୁହି ହେଲେ, ‘‘ପାପଶୂନ୍ୟ ପାଣ୍ଡବମାନଙ୍କୁ ଦଗ୍ଧ କରିବା ଉଦ୍ଦେଶ୍ୟରେ ଦୁଷ୍ଟ ଦୁର୍ଯ୍ୟୋଧନ ପୁରୋଚନର ସହାୟତାରେ ଏହି ଆଗ୍ନେୟ ଗୃହ ନିର୍ମାଣ କରିଥିଲା । ଧର୍ମର କି ଅପୂର୍ବ ମହିମା ଦୁଷ୍ଟ ପୁରୋଚନ ମଧ୍ୟ ଅଗ୍ନିରେ ଦଗ୍ଧୀଭୂତ ହୋଇଅଛି । ଧୃତରାଷ୍ଟ୍ରଙ୍କୁ ଧିକ୍‌ !’’

 

ନଗରବାସୀମାନେ ଜତୁଗୃହର ନିକଟରେ ସମବେତ ହୋଇ ପାଣ୍ଡବମାନଙ୍କର ଏହି ଦୁର୍ଦ୍ଦଶାରେ ବିଳାପ ଓ ଶୋକ କରିବାକୁ ଲାଗିଲେ । ସକାଳ ହେବାରୁ ପୁରବାସୀମାନେ ଅଗ୍ନି ନିର୍ବାପିତ କରି ପୁରୋଚନର ଗୃହରେ ପୁରୋଚନକୁ ଦଗ୍ଧୀଭୂତ ହୋଇଥିବାର ଦେଖିଲେ ଓ ଜତୁଗୃହ ମଧ୍ୟରେ ପାଣ୍ଡବମାନଙ୍କୁ ଅନ୍ୱେଷଣ କରୁ କରୁ ସେଠାରେ ଗୋଟିଏ ନାରୀ ଓ ପାଞ୍ଚଟି ପୁରୁଷ ମରିପଡ଼ିଥିବାର ଦେଖି, ନାରୀଟିକୁ କୁନ୍ତୀ ଓ ପୁରୁଷମାନଙ୍କୁ ପଞ୍ଚପାଣ୍ଡବ ବୋଲି ଚିହ୍ନିଲେ ଓ ଅତି ଶୀଘ୍ର ହସ୍ତିନାପୁରକୁ ଶୋକସମ୍ବାଦ ପଠାଇଦେଲେ ।

 

ପାଣ୍ଡବମାନଙ୍କର ଏହି ଅକାଳମୃତ୍ୟୁ ସମ୍ୱାଦରେ ହସ୍ତିନାପୁରବାସୀ, ବିଶେଷ କରି ଧୃତରାଷ୍ଟ୍ର ଓ ତାଙ୍କର ପୁତ୍ରମାନେ ଦୁଃଖରେ ଭାଙ୍ଗିପଡ଼ିଲେ । କେବଳ ସର୍ବବୃତ୍ତାନ୍ତଜ୍ଞ ବିଦୁର ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ନିମନ୍ତେ ସାମାନ୍ୟ ଶୋକ ପ୍ରକାଶ କରିଥିଲେ ।

 

ଏଣେ ମା’ଙ୍କ ସହିତ ପାଣ୍ଡବମାନେ ସେହି ରାତାରାତି ଅତି ଦ୍ରୁତଗତିରେ ଓ ଅତିକଷ୍ଟରେ ସୁଡ଼ଙ୍ଗ ମଧ୍ୟ ଦେଇ ପଳାୟନ କରିବାକୁ ଲାଗିଲେ; କିନ୍ତୁ କିଛି ବାଟ ଯାଇଛନ୍ତି କି ନାହିଁ ଭୀମସେନଙ୍କ ବ୍ୟତୀତ ଅନ୍ୟମାନେ କ୍ଳାନ୍ତ ହୋଇପଡ଼ିବାରୁ ମହାବଳ ପରାକ୍ରାନ୍ତ ଭୀମସେନ କୁନ୍ତୀ ଓ ନକୁଳ ସହଦେବଙ୍କୁ କାନ୍ଧରେ ବସାଇ ଓ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ଦୁଇ ହାତରେ ଧରି ପବନବେଗରେ ଚାଲିଲେ । ସୁଡ଼ଙ୍ଗ ପଥ ଶେଷ ହେବା ପରେ ଅରଣ୍ୟ ଓ ଅରଣ୍ୟ ପରେ ଗଙ୍ଗାନଦୀ ପଡ଼ିଲା । ନଦୀକୂଳରେ ପହଞ୍ଚିବାପରେ କେଉଁଆଡ଼େ ଯିବେ ଓ କିପରି ଯିବେ, ପାଣ୍ଡବମାନେ ଭାବୁଥିବା ସମୟରେ ବିଦୁରଙ୍କ ଦ୍ୱାରା ପ୍ରେରିତ ଏକ ବ୍ୟକ୍ତି ସେଠାରେ ଉପସ୍ଥିତ ହୋଇ କହିଲେ, ‘‘ମହାନୁଭବ-! ମହାତ୍ମା ବିଦୁର ମୋ’ ହାତରେ ଆପଣଙ୍କୁ କହିଛନ୍ତି ଯେ, ଆପଣମାନେ କର୍ଣ୍ଣ, ଦୁର୍ଯ୍ୟୋଧନ ଓ ତାହାର ଭାଇ ତଥା ଶକୁନୀକୁ ସଂଗ୍ରାମରେ ପରାଜିତ କରିବେ । ବର୍ତ୍ତମାନ ନୌକା ପ୍ରସ୍ତୁତ ଅଛି-। ଆପଣମାନେ ତହିଁରେ ନଦୀ ପାର ହୋଇ କୁରୁରାଜ୍ୟ ଅତିକ୍ରମ କରନ୍ତୁ । ବିଦୁର ଆପଣଙ୍କର କୁଶଳ କାମନା କରିଅଛନ୍ତି ।’’

 

ପାଣ୍ଡବମାନେ ତଦନୁସାରେ ଗଙ୍ଗାନଦୀ ପାର ହେବା ପରେ ବିଦୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଓ ନାବିକକୁ ଆଶୀର୍ବାଦ କରି ନକ୍ଷତ୍ର ସାହାଯ୍ୟରେ ଦିଗ ନିର୍ଣ୍ଣୟ କରି ଅତି ଦ୍ରୁତଗତିରେ ପଳାୟନ କରିବାକୁ ଲାଗିଲେ । ବହୁପଥ ଅତିକ୍ରମ କଲାପରେ କୁନ୍ତୀ, ଯୁଧିଷ୍ଠିର, ଅର୍ଜ୍ଜୁନ, ନକୁଳ ଓ ସହଦେବ ପ୍ରମୁଖ ଅତି କ୍ଳାନ୍ତଶ୍ରାନ୍ତ ବିଶେଷ କରି ତୃଷାର୍ତ୍ତ ହୋଇପଡ଼ିବାରୁ ସେମାନଙ୍କୁ ଏକ ବୃକ୍ଷମୂଳରେ ବସାଇ ଭୀମସେନ ଜଳାଶୟର ସନ୍ଧାନରେ ବାହାରିଗଲେ । ସୈଭାଗ୍ୟକ୍ରମେ ନିକଟରେ ଏକ ପୁଷ୍କରିଣୀ ଥିଲା । ତହିଁରେ ନିଜର ଉତ୍ତରୀୟ ସାହାଯ୍ୟରେ ଜଳ ଆଣି ମା’ ପ୍ରମୁଖଙ୍କ ନିକଟରେ ପହଞ୍ଚି ଦେଖିଲେ ପଥକ୍ଳାନ୍ତି ହେତୁ କୁନ୍ତୀ ପ୍ରମୁଖ ସେହି ଅସନା ସ୍ଥାନରେ ଶୋଇପଡ଼ିଛନ୍ତି ।

 

ଭୀମସେନଙ୍କର ଦୁଃଖର ସୀମା ରହିଲା ନାହିଁ । ସେ ବିଳାପ କରିବାକୁ ଲାଗିଲେ, ‘‘ହାୟ, କି କଷ୍ଟ, ଆମର କି ଦୁର୍ଭାଗ୍ୟ ! ଭାଇମାନଙ୍କୁ ଆଜି ଏହି ଅସନା ମାଟି ଉପରେ ଶୋଇବାର ଦେଖିଲି । ବାରଣାବତ ନଗରରେ ଦୁଗ୍ଧଫେନନିଭ ଶଯ୍ୟାରେ ଶୟନ କରି ମଧ୍ୟ ଯେଉଁମାନଙ୍କର ନିଦ୍ରା ହେଉନଥିଲା, ଏହି ଅରଣ୍ୟର ଅସନା ମାଟି ଉପରେ ସେମାନଙ୍କୁ ଶୋଇବାକୁ ପଡ଼ିଲା । ହାୟ କି ଦୁଃଖର କଥା, ଯେ ଶତ୍ରୁଘାତୀ ବସୁଦେବଙ୍କର ଭଗ୍ନୀ, ଯେ କୁନ୍ତଭୋଜଙ୍କର କନ୍ୟା, ମହାରାଜ ବିଚିତ୍ରବୀର୍ଯ୍ୟଙ୍କର ପୁତ୍ରବଧୂ, ଯେ ମହାତ୍ମା ପାଣ୍ଡୁଙ୍କର ପ୍ରିୟ ପତ୍ନୀ ଓ ଯେ ଧର୍ମ, ବାୟୁ, ଇନ୍ଦ୍ରଙ୍କ ଆଶୀର୍ବାଦରେ ଆମକୁ ଗର୍ଭରେ ଧାରଣ କରିଥିଲେ, ସେହି ସର୍ବଲକ୍ଷଣ ସମ୍ପନ୍ନା ସୁକୁମାରୀ ମାତା ଆଜି ଭୂତଳଶାୟିନୀ ! ଦୈବବଳରେ ଅଗ୍ନିର କବଳରୁ ଆମେ ସିନା ରକ୍ଷା ପାଇଛୁ, କିନ୍ତୁ ବର୍ତ୍ତମାନ ଆମେ ଯିବୁ କେଉଁଆଡ଼େ ? ହାୟ ଦୁରାତ୍ମା କୁରୁକୁଳ କଳଙ୍କ ଦୁର୍ଯ୍ୟୋଧନ, ତୋପ୍ରତି ଦୈବ ସୁପ୍ରସନ୍ନ-। ହୁଏତ ସେଥିଯୋଗୁ ଏତେ ଘଟଣା ପରେ ବି ଧର୍ମାତ୍ମା ଯୁଧିଷ୍ଠିର କ୍ରୋଧାନ୍ୱିତ ହୋଇନାହାନ୍ତି କି ତୋ ପ୍ରତି ଯଥୋଚିତ ଶାସ୍ତି-ବିଧାନ କରିବାକୁ ମୋତେ ଆଜ୍ଞା ପ୍ରଦାନ କରିନାହାନ୍ତି; ନଚେତ୍‌ ଯୁଧିଷ୍ଠିରଙ୍କଠାରୁ ସାମାନ୍ୟତମ ଇଙ୍ଗିତ ପାଇଥିଲେ, ସେହି ମୂହୁର୍ତ୍ତରେ ପ୍ରିୟ ପରିଜନ ସୈନ୍ୟ-ସାମନ୍ତ ସହ କର୍ଣ୍ଣ ଶକୁନି ପ୍ରମୁଖଙ୍କୁ ବିନାଶ କରିସାରିଥାନ୍ତି ।’’

 

ବୀର ଭୀମସେନ ଏହିପରି ଭାବୁଥାନ୍ତି ଓ ଜାଗ୍ରତ ରହି ମା’ ଓ ଭାଇମାନଙ୍କୁ ପହରା ଦେଉଥାନ୍ତି ।

 

କୁନ୍ତୀ ପ୍ରମୁଖ ଯେଉଁ ସ୍ଥାନରେ ଶୋଇଥିଲେ, ତା’ର କିୟତ୍‌ଦୂରରେ ଗୋଟିଏ ଶାଳ ବୃକ୍ଷ ଥିଲା । ତହିଁରେ ହିଡ଼ିମ୍ୱ ନାମରେ ଗୋଟିଏ ରାକ୍ଷସ ଓ ହିଡ଼ିମ୍ୱା ନାମରେ ତା’ର ରାକ୍ଷସୀ ଭଉଣୀ ବାସ କରୁଥିଲେ । ଅରଣ୍ୟ ମଧ୍ୟରେ ପାଣ୍ଡବମାନଙ୍କୁ ଦେଖି ନରମାଂସ ଭକ୍ଷଣ ପାଇଁ ବିଶେଷ ଲାଳାୟିତ ହୋଇ ଭଉଣୀ ହିଡ଼ିମ୍ୱାକୁ ଡ଼ାକି ହିଡ଼ିମ୍ୱ କହିଲା, ‘‘ବହୁଦିନ ପରେ ନରମାଂସ ଭକ୍ଷଣର ସୁଯୋଗ ଆସିଛି, ତେଣୁ ତୁ ଯାଇ ସେମାନଙ୍କୁ ବଧ କରି ନେଇଆ, ସାଙ୍ଗ ହୋଇ ଖାଇବା ।’’

 

ଭାଇର କଥାନୁସାରେ ହିଡ଼ିମ୍ୱା ଆସି ଦେଖିଲା, ଭୀମସେନଙ୍କ ବ୍ୟତୀତ ଅନ୍ୟ ପାଞ୍ଚଜଣ ଶୋଇପଡ଼ିଛନ୍ତି । ବିଶାଳ ବୃକ୍ଷ ସଦୃଶ ମହାବଳପରାକ୍ରାନ୍ତ ସୌମ୍ୟ ଦର୍ଶନ ଭୀମସେନଙ୍କୁ ଦେଖି ରାକ୍ଷାସୀ ହିଡ଼ିମ୍ୱା ଏକାବେଳକେ କାମଜର୍ଜର ହୋଇପଡ଼ିଲା ଓ ଭୀମଙ୍କୁ ପତି ରୂପେ ବରଣ କରିବାକୁ ଇଚ୍ଛା କଲା । ହିଡ଼ିମ୍ୱା ନିଜର ରାକ୍ଷସୀରୂପ ସମ୍ୱରଣ କରି ପରମାସୁନ୍ଦରୀ ଷୋଡ଼ଶୀର ରୂପ ଧାରଣ କଲା ଓ ଭୀମସେନଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, ‘‘ହେ ପୁରୁଷଶ୍ରେଷ୍ଠ, ଏ ଅରଣ୍ୟ ଯେ ହିଡ଼ିମ୍ୱ ରାକ୍ଷସର ଅଧିକୃତ ଏ କଥା ଆପଣଙ୍କୁ ଜଣା ନାହିଁ ? ମୁଁ ତା’ର ଭଉଣୀ । ଭାଇର କଥାନୁସାରେ ଆପଣମାନଙ୍କୁ ମାରିବା ପାଇଁ ଆସିଥିଲି; ମାତ୍ର ଆପଣଙ୍କର ରୂପ ମୋତେ ବିଶେଷ ଭାବରେ ମୋହିତ କରିବାରୁ ମୁଁ ଆପଣଙ୍କୁ ପତିରୂପରେ ବରଣ କରିବାକୁ ଇଚ୍ଛାପୋଷଣ କରୁଅଛି । ତେଣୁ ମୋତେ ବିବାହ କରି ମୋର ମନୋରଥ ପୂର୍ଣ୍ଣ କରନ୍ତୁ ।’’

 

ହିଡ଼ିମ୍ୱାର କଥାରେ ଭୀମସେନ ସମ୍ମତ ନ ହେବାରୁ, ସେ ବହୁ ଅନୁନୟ ବିନୟ ପ୍ରକାଶ କରି ଓ ବହୁ ପ୍ରଲୋଭନ ପ୍ରଦର୍ଶନ କରି ଭୀମଙ୍କୁ ବଶ କରିବାକୁ ଚେଷ୍ଟା କଲା; ତଥାପି ଭୀମସେନ ହିଡ଼ିମ୍ୱାର ପ୍ରସ୍ତାବ ଗ୍ରହଣ କଲେ ନାହିଁ ।

 

ଏଣେ ଭଉଣୀର ବିଳମ୍ୱ ହେବା ଦେଖି ହିଡ଼ିମ୍ୱ ନିଜେ ସେ ସ୍ଥାନକୁ ଆସିଲା । ଭାଇକୁ ଆସୁଥିବାର ଦେଖି ରାକ୍ଷସୀ ହିଡ଼ିମ୍ୱା ଭୀମସେନଙ୍କୁ ସତର୍କ କରାଇ ଦେବା ଉଦ୍ଦେଶ୍ୟରେ କହିଲା, ‘‘ହେ ମହାତ୍ମା, ନରମାଂସ ପାଇଁ ଲୋଲୁପ ହୋଇମୋର ଭାଇ ହିଡ଼ିମ୍ୱ କ୍ରୋଧାନ୍ୱିତ ହୋଇ ଏଠାକୁ ଆସୁଅଛି । ତା ହାତରୁ ରକ୍ଷାନାହିଁ । ତେଣୁ ମୋ’ କଥାରେ ସମ୍ମତ ହୋଇଯାଆନ୍ତୁ ଓ ମା’ ଭାଇଙ୍କ ସହ ମୋ’ ପୃଷ୍ଠରେ ଆରୋହଣ କରନ୍ତୁ; ମୁଁ ଅତି ଶୀଘ୍ର ଆପଣମାନଙ୍କୁ ଅନ୍ୟତ୍ର ନେଇ ରକ୍ଷା କରିବି-।’’

 

ଭୀମସେନ କହିଲେ, ‘‘ରାକ୍ଷସୀ ! ଗୋଟାଏ ରାକ୍ଷସର କଥା କ’ଣ କହୁଛୁ; ସମସ୍ତ ରାକ୍ଷସକୁଳ ଯଦି ଏକତ୍ର ହୋଇଆସନ୍ତି, ତେବେ ମୁଁ ସେମାନଙ୍କୁ ପରାଜିତ କରିବି; ତେଣୁ ମୋତେ ସାମାନ୍ୟ ମନୁଷ୍ୟ ବୋଲି ବଳରେ ହୀନ ଭାବନାହିଁ ।’’

 

ହିଡ଼ିମ୍ୱ ଦୂରରେ ଥିଲେ ମଧ୍ୟ ଭୀମସେନଙ୍କ କଥା ଶୁଣିପାରି କ୍ରୋଧରେ ଜଳିଗଲା ଏବଂ ବୃକ୍ଷ ନିକଟରେ ନିଜର ଭଗ୍ନୀ ହିଡ଼ିମ୍ୱାକୁ ଯୁବତୀ ମାନୁଷୀ ରୂପ ଧାରଣ କରିଥିବାର ଦେଖି ଓ ତା’ର କବରୀରେ ଫୁଲ, ଶରୀରରେ ସୂକ୍ଷ୍ମ ବସ୍ତ୍ର ଓ ବିବିଧ ଅଳଙ୍କାର ଶୋଭା ପାଉଥିବାର ଲକ୍ଷ୍ୟ କରି ହିଡ଼ିମ୍ୱର କ୍ରୋଧ ବୃଦ୍ଧି ପାଇଲା । ସେ କହିଲା, ‘‘ହିଡ଼ିମ୍ୱେ, ମୋର କ୍ରୋଧ କଥା ବିସ୍ମିତ ହୋଇ ତୁ କିପରି ମୋ’ ଭୋଜନ ବିଷୟରେ ବିଘ୍ନ ସୃଷ୍ଟି କଲୁ ? ଯାହାର ସାହସରେ ମୋ’ ପ୍ରତି ଏହି ଅପ୍ରିୟ କାର୍ଯ୍ୟ କରିଅଛୁ, ତୋ ସମ୍ମୁଖରେ ତା’କୁ କିପରି ବିନାଶ କରୁଅଛି, ଦେଖ, ‘‘କହି ଭୀମସେନଙ୍କୁ ଆକ୍ରମଣ କଲା । ଭୀମସେନ ଯୁଦ୍ଧ ଆଶଙ୍କା କରୁଥିଲେ ତେଣୁ ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଅନୁଷ୍ଠିତ ହେଲା । ସେହି ଯୁଦ୍ଧର ଶବ୍ଦରେ କୁନ୍ତୀ ଓ ଯୁଧିଷ୍ଠିରଆଦିଙ୍କର ନିଦ ଭାଙ୍ଗିଗଲା ଏବଂ ସମ୍ମୁଖରେ ପରମାସୁନ୍ଦରୀ ହିଡ଼ିମ୍ୱାଙ୍କୁ ଦେଖି ତା’ଠାରୁ ସମସ୍ତ ବିଷୟ ବୁଝିନେଲେ । ଭୀମ ହିଡ଼ିମ୍ୱଙ୍କ ମଧ୍ୟରେ ବହୁ ସମୟ ଧରି ଯୁଦ୍ଧ ହେଲା, ଶେଷରେ ଭୀମଙ୍କ ହସ୍ତରେ ହିଡ଼ିମ୍ୱର ମୃତ୍ୟୁ ହେଲା । ସକାଳ ହୋଇଗଲେ କାଳେ ଦୁର୍ଯ୍ୟୋଧନର ଲୋକମାନେ ସେମାନଙ୍କର ସନ୍ଧାନ ପାଇଯିବେ, ଏହା ଆଶଙ୍କା କରି ରାତି ଥାଉଁ ଥାଉଁ ଦୂରକୁ ଚାଲିଯିବାକୁ ପାଣ୍ଡବମାନେ ସ୍ଥିର କଲେ କିନ୍ତୁ ହିଡ଼ିମ୍ୱା ସେମାନଙ୍କ ସାଙ୍ଗ ଛାଡ଼ି ଗଲାନାହିଁ । ଭବିଷ୍ୟତରେ ରାକ୍ଷସୀଆଡ଼ୁ କାଳେ କୌଣସି ବିପଦ ଘଟିପାରେ ଭାବି ହିଡ଼ିମ୍ୱାକୁ ବଧ କରିବାକୁ ଭୀମସେନ ଉଦ୍ୟତ ହେଲେ; ମାତ୍ର ଧର୍ମନନ୍ଦନ ଯୁଧିଷ୍ଠିର ବାଧାଦେଇ କହିଲେ, ଶରୀର ରକ୍ଷା ଅପେକ୍ଷା ଧର୍ମରକ୍ଷା ଶ୍ରେଷ୍ଠ । ତେଣୁ ସ୍ତ୍ରୀ-ହତ୍ୟା କରି ଧର୍ମନଷ୍ଟ କରନାହିଁ । ହିଡ଼ିମ୍ୱାର କୌଣସି ଦୋଷ ନାହିଁ, ବରଂ ହିଡ଼ିମ୍ୱାକୁ ତୁମେ ବିବାହ କର । ତେବେ ଦିବସ ସମୟରେ ହିଡ଼ିମ୍ୱା ସହ କଟାଇ ରାତ୍ରି ସମୟରେ ତୁମେ ଆମ ନିକଟରେ ଉପସ୍ଥିତ ରହୁଥିବ । କୁନ୍ତୀଙ୍କର ଅନୁମୋଦନ କ୍ରମେ ଭୀମସେନ ହିଡ଼ିମ୍ୱାଙ୍କୁ ବିବାହ କଲେ ।

 

ପାଣ୍ଡବମାନେ ବନ ମଧ୍ୟରେ ଗମନ କରୁଥିବା ସମୟରେ ଦିନେ ବ୍ୟାସଦେବଙ୍କ ସହ ସେମାନଙ୍କର ସାକ୍ଷାତ ହୋଇଗଲା । ବ୍ୟାସଦେବ କହିଲେ, ‘‘ତୁମେ ଯେ ଏପରି ଦୂରବସ୍ଥାର ସମ୍ମୁଖୀନ ହେବ, ସେ କଥା ମୁଁ ପୂର୍ବରୁ ଜାଣିଥିଲି । ତଥାପି ଦୁଃଖ କରନାହିଁ । ପରିଶେଷରେ ତୁମେମାନେ ହିଁ ପରମସୁଖୀ ହେବ । ତୁମେମାନେ ଓ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମୋ’ ନିକଟରେ ସମାନ ହେଲେ ବି; ତୁମମାନଙ୍କର ଚାରିତ୍ରିକ ସଦ୍‌ଗୁଣ ତୁମମାନଙ୍କୁ ମୋ’ ନିକଟରେ ଅଧିକ ପ୍ରିୟ କରିଅଛି । ତୁମେମାନେ ବର୍ତ୍ତମାନ ଏହି ନିକଟସ୍ଥ ନଗରରେ ବାସ କର, ମୁଁ ପରେ ଆସି ତୁମ ସହିତ ସାକ୍ଷାତ କରିବି ।’’ ବ୍ୟାସଦେବ କୁନ୍ତୀଙ୍କୁ ଲକ୍ଷ୍ୟ କରି କହିଲେ; ‘‘ତୁମେ ଦୁଃଖ କରନାହିଁ । ତୁମର ଜ୍ୟେଷ୍ଠପୁତ୍ର ଯୁଧିଷ୍ଠିର ଅସାଧାରଣ ଧର୍ମପରାୟଣ, ସେ ନିଜର ଧର୍ମବଳରେ ଓ ଭୀମ, ଅର୍ଜ୍ଜୁନଙ୍କ ବୀରତ୍ୱବଳରେ ସମଗ୍ର ପୃଥିବୀ ଜୟକରି ରାଜଚକ୍ରବର୍ତ୍ତୀ ହେବ ।’’

 

ବ୍ୟାସଦେବଙ୍କର କଥାନୁସାରେ ନିକଟସ୍ଥ ଏକଚକ୍ରା ନଗରରେ ପାଣ୍ଡବମାନେ ବ୍ରାହ୍ମଣ ବେଶ ଧାରଣ କରି ଏକ ବ୍ରାହ୍ମଣ ଗୃହରେ ବାସ କରିବାକୁ ଲାଗିଲେ ।

Image

 

ବକ ରାକ୍ଷସ ବଧ

 

ଏକଚକ୍ରା ନଗରରେ ଥିବା ସମୟରେ ବ୍ରାହ୍ମଣମାନଙ୍କ ପରି ପାଣ୍ଡବମାନେ ଦିବସ ସମୟରେ ଭିକ୍ଷା କରିବା ନିମନ୍ତେ ଯାଆନ୍ତି ଏବଂ ସନ୍ଧ୍ୟା ସମୟରେ ଘରକୁ ଫେରି କୁନ୍ତୀଙ୍କୁ ସମସ୍ତ ଭିକ୍ଷାଲବ୍ଧ ଦ୍ରବ୍ୟ ସମର୍ପଣ କରି ଦିଅନ୍ତି । କୁନ୍ତୀ ତହିଁରେ ଖାଦ୍ୟ ପ୍ରସ୍ତୁତ କରି ଅର୍ଦ୍ଧେକ ଭୀମସେନଙ୍କୁ ଦେଇ ଅପର ଅର୍ଦ୍ଧେକକୁ ଚାରିପୁତ୍ରଙ୍କ ସହ ଆହାର କରନ୍ତି । ଏକଚକ୍ରା ନଗରରେ ବାସ କରୁଥିବା ସମୟରେ ନିଜର ସ୍ୱାଭାବିକ ସଦ୍‌ଗୁଣରେ ପାଣ୍ଡବମାନେ ଜନସାଧାରଣଙ୍କ ମଧ୍ୟରେ ବିଶେଷ ପ୍ରିୟ ହୋଇଉଠିଲେ ।

 

ଭୀମସେନ ଦିନେ ଭିକ୍ଷାକୁ ନ ଯାଇ ମାଙ୍କ ପାଖରେ ଥାଆନ୍ତି । ସେହି ସମୟରେ ଯେଉଁ ବ୍ରାହ୍ମଣଙ୍କ ଘରେ ପାଣ୍ଡବମାନେ ରହୁଥିଲେ, ତାଙ୍କର ଘରୁ କ୍ରନ୍ଦନ ଧ୍ୱନି ଶୁଣାଗଲା ।

 

ଦୟାର୍ଦ୍ରଚିତ୍ତା କୁନ୍ତୀ ଭୀମସେନଙ୍କୁ ଡାକି କହିଲେ, ‘‘ନିଜ ଘରେ ଆମକୁ ରହିବାକୁ ଅନୁମତି ଦେଇ ଏହି ବ୍ରାହ୍ମଣ ପରିବାର ଆମ୍ଭମାନଙ୍କର ବିଶେଷ ଉପକାର କରିଅଛନ୍ତି । ସେହି ଉପକାର ରୂପକ ଋଣରୁ କିପରି ମୁକ୍ତ ହେବା ତାହା ମୁଁ ସବୁବେଳେ ଚିନ୍ତା କରୁଅଛି । ଯେଉଁ ବ୍ୟକ୍ତି ଉପକାରୀର ପ୍ରତ୍ୟୁପକାର କରେ, ଏପରି କି ଉପକାର ତୁଳନାରେ ଯାହାର ପ୍ରତ୍ୟୁପକାରର ପରିମାଣ ଅଧିକ, ସେହି ବ୍ୟକ୍ତିହିଁ ଯଥାର୍ଥ ପୁରୁଷ । ଏହି କ୍ରନ୍ଦନରୁ ଜଣାପଡ଼ୁ ଅଛି, ବ୍ରାହ୍ମଣ ପରିବାର କୌଣସି ବିପଦର ସମ୍ମୁଖୀନ । ଏହି ସମୟରେ ତାଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ।’’ କୁନ୍ତୀ ଏହା କହି ଶୋକର କାରଣ ଜାଣିବା ନିମନ୍ତେ ବ୍ରାହ୍ମଣଙ୍କ ଗୃହମଧ୍ୟକୁ ପ୍ରବେଶ କଲେ ।

 

ବ୍ରାହ୍ମଣ କହୁଥାନ୍ତି, ‘‘ହାୟ, ଆମର ଏହି ପରାଧୀନ ଜୀବନକୁ ଧିକ୍‌ । ପରାଧୀନ ଜୀବନ କେବଳ ଶୋକର କାରଣ ହୋଇଥାଏ । ଏ ସ୍ଥାନ ତ୍ୟାଗକରି ଚାଲିଯିବା ପାଇଁ ମୁଁ କେତେ ଥର ନ କହିଛି ? ମାତ୍ର, ପୈତୃକ ସ୍ଥାନକୁ ତ୍ୟାଗ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଆଜି ଏ ଦାରୁଣ ବିପଦର ସମ୍ମୁଖୀନ ହେଲେ । ନିଜର ଜୀବନ ରକ୍ଷା କରିବା ନିମନ୍ତେ ମୁଁ କିପରି ମୋର ସ୍ତ୍ରୀ ଓ ଅପ୍ରାପ୍ତବୟସ୍କ ପୁତ୍ରମାନଙ୍କୁ ମରଣ ମୁହଁକୁ ଠେଲିଦେବି ? ଆଉ ମୁଁ ଯଦି ନିଜେ ମୃତ୍ୟୁବରଣ କରେ, ତେବେ ମୋ’ ଅନୁପସ୍ଥିତିରେ ଏମାନଙ୍କର ଜୀବନଧାରଣ ମଧ୍ୟ ଅସମ୍ଭବ । ଏ ବିପଦରୁ କିପରି ମୁକ୍ତ ହେବା, ବରଂ ସପରିବାର ପ୍ରାଣତ୍ୟାଗ କରିବା ହିଁ ଶ୍ରେୟସ୍କର ।’’

 

ବ୍ରାହ୍ମଣଙ୍କର ସ୍ତ୍ରୀ କହିଲା, ‘‘ତୁମପରି ବିଦ୍ୱାନବ୍ୟକ୍ତି ମୁଖରେ ଏପରି ବିଳାପ ଆଦୌ ଶୋଭାପାଏ ନାହିଁ । ମୃତ୍ୟୁ ହିଁ ଜୀବନର ନିଶ୍ଚିତ ପରିଣତି । ଯାହା ଅବଶ୍ୟମ୍ଭାବୀ, ତାହା ଅନ୍ୟଥା କରି ହେବ ନାହିଁ । ସେ ବିଷୟରେ ଶୋକ କରିବା ମଧ୍ୟ ଅନୁଚିତ । ଶାସ୍ତ୍ରକାରମାନେ କହି ଅଛନ୍ତି ଯେ, ପତ୍ନୀ, ପୁତ୍ର ଓ କନ୍ୟାମାନେ ସ୍ୱାମୀର ନିମିତ୍ତ । ତେଣୁ ତୁମେ ଆମ ସମସ୍ତଙ୍କୁ ତ୍ୟାଗ କରି ନିଜର ଆତ୍ମରକ୍ଷା କର । ପତିର ହିତ ସାଧନ ନିମନ୍ତେ ପୁରୁଷ ପତ୍ନୀ ଗ୍ରହଣ କରିଥାଏ । ସେ କାମନା ତୁମର ପୂର୍ଣ୍ଣ ହୋଇଅଛି ଓ ପୁତ୍ର କନ୍ୟା ଲାଭକରି ତୁମେ ପିତୃଋଣରୁ ମୁକ୍ତ ହୋଇଅଛ । ସନ୍ତାନମାନଙ୍କର ଜୀବନ ଧାରଣ ପାଇଁ ମୋ’ ଅପେକ୍ଷା ତୁମର ଉପସ୍ଥିତି ଅଧିକ ପ୍ରୟୋଜନ । ତୁମେ ଆମ ତିନିଙ୍କର ଜୀବନ ସ୍ୱରୂପ । ଜଳ ବିନା ଯେପରି ମତ୍ସ୍ୟର ଜୀବନ ଧାରଣ ଅସମ୍ଭବ, ସେହିପରି ତୁମର ବିୟୋଗରେ ଆମ ସମସ୍ତଙ୍କ ଜୀବନ ଅଚିରେ ବିନିଷ୍ଟ ହେବ । ତେଣୁ ନିଜକୁ ମୃତ୍ୟୁ ମୁଖରୁ ରକ୍ଷା କରି ମୋତେ ପରିତ୍ୟାଗ କରନ୍ତୁ । ତାହାହିଁ ଉପସ୍ଥିତ କ୍ଷେତ୍ରରେ ବିଶେଷ ହିତକର ହେବ । ତାଛଡ଼ା ସ୍ୱାମୀଙ୍କ ଜୀବନଦ୍ଦଶାରେ ପରଲୋକ ଯାତ୍ରା କରିବା ପୁତ୍ରବତୀ ପତ୍ନୀ ପକ୍ଷରେ ପରମ ସୌଭାଗ୍ୟର ବିଷୟ ।’’

 

ବାପ ମା’ଙ୍କର କଥା ଶୁଣି କନ୍ୟାଟି କହିଲା, ‘‘ଝିଅ ପରଘର ପାଇଁ; ତେଣୁ କିଛିଦିନ ପରେ ମୋତେ ପରଘରକୁ ପଠାଇ ଦେଇଥାନ୍ତେ । ତା’ ପରିବର୍ତ୍ତେ ଏବଠୁ ମୋତେ ପରିତ୍ୟାଗ କରି ସମସ୍ତ ପରିବାରକୁ ରକ୍ଷା କରନ୍ତୁ; କାରଣ ବିପଦରୁ ପରିତ୍ରାଣ ଲାଭ କରିବାପାଇଁ ବ୍ୟକ୍ତି ସନ୍ତାନ କାମନା କରିଥାନ୍ତି । ଶାସ୍ତ୍ରକାରମାନେ ପୁତ୍ରକୁ ଆତ୍ମାର ସ୍ୱରୂପ, ପତ୍ନୀକୁ ବାନ୍ଧବୀ ସ୍ୱରୂପ ଓ କନ୍ୟାକୁ କ୍ଳେଶର କାରଣ ବୋଲି ବର୍ଣ୍ଣନା କରିଅଛନ୍ତି । ତେଣୁ ମୋତେ ପରିତ୍ୟାଗ କରିବା ହିଁ ସବୁ ଦିଗରୁ ସମୀଚୀନ ।’’

 

ସମସ୍ତଙ୍କ କଥା ଶୁଣି ପୁତ୍ରଟି କହିଲା, ‘‘ଆପଣମାନେ ଦୁଃଖ କରନ୍ତୁ ନାହିଁ । ମୁଁ କାହାରିକୁ ମରିବାକୁ ଦେବି ନାହିଁ । ଏହି ତୃଣ ସାହାଯ୍ୟରେ ମୁଁ ରାକ୍ଷସର ପ୍ରାଣନାଶ କରିବି, ବ୍ୟସ୍ତ ହୁଅନ୍ତୁ ନାହିଁ-।’’

 

ବ୍ରାହ୍ମଣ ପରିବାର ମଧ୍ୟରେ ଏହିପରି କଥୋପକଥନ ହେବାର ଶୁଣି କୁନ୍ତୀ ବିଳାପର କାରଣ ଜିଜ୍ଞାସା କଲେ ।

 

ବ୍ରାହ୍ମଣ କହିଲା, ‘‘ମା, ବକ ନାମକ ଏକ ରାକ୍ଷସ ଏହି ନଗରକୁ ଅଧିକାର କରି ନିଜର ଦୈନିକ ଆହାର ପାଇଁ ଏକ ନିୟମ ପ୍ରଚଳନ କରି ଅଛି । ପ୍ରତ୍ୟେକ ଦିନ ପାଳି କରି ନଗରବାସୀମାନେ ଜଣେ ଲୋକ ହାତରେ ପଚାଶ ମହଣ ଖାଦ୍ୟ ଓ ଦୁଇଟା ମଇଁଷି ତା’ ନିକଟକୁ ପ୍ରେରଣ କରିବେ । ଏପରି ନିର୍ମମ ନିୟମ ଯେତେ ଭୟଙ୍କର ହେଲେ ମଧ୍ୟ ତା’ର ପ୍ରତିବାଦ କରିବାର ଶକ୍ତି ଏ ନଗରବାସୀଙ୍କ ମଧ୍ୟରେ କାହାରି ନାହିଁ । ସେହି ନିୟମ ଅନୁସାରେ ଆଜି ଆମ ପାଳି ଉପସ୍ଥିତ । ଆମ ମଧ୍ୟରୁ କାହାରିକୁ ଖାଦ୍ୟ ସାମଗ୍ରୀ ସହିତ ରାକ୍ଷସ ନିକଟକୁ ଯିବାକୁ ପଡ଼ିବ । ତେଣୁ ପ୍ରାଣରକ୍ଷାର କୌଣସି ଉପାୟ ନ ଦେଖି ରାକ୍ଷସର ଆହାର ହେବା ନିମନ୍ତେ ସପରିବାର ଯିବାକୁ ସ୍ଥିର କରିଅଛୁଁ ।’’

 

କୁନ୍ତୀ ବ୍ରାହ୍ମଣଙ୍କର କଥା ଶୁଣି କହିଲେ, ‘‘ରାକ୍ଷସ ବିଷୟରେ ଆପଣମାନେ ଆଉ ଦୁଃଖ କରନ୍ତୁ ନାହିଁ; କାରଣ ରାକ୍ଷସ ହସ୍ତରୁ ଆପଣମାନେ ଯେପରି ଉଦ୍ଧାର ପାଇବେ, ସେ ଉପାୟ ମୁଁ ସ୍ଥିର କରିଅଛି । ଆପଣଙ୍କର ଗୋଟିଏ ମାତ୍ର ପୁତ୍ର ଓ କନ୍ୟା ମଧ୍ୟ ଗୋଟିଏ; ସେମାନଙ୍କ ମଧ୍ୟରୁ କେହି କିମ୍ୱା ଆପଣ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କେହି ରାକ୍ଷସ ନିକଟକୁ ଯିବା ଉଚିତ ହେବ ନାହିଁ । ମୋର ପାଞ୍ଚଟି ପୁତ୍ର । ଆପଣମାନଙ୍କର ହିତକଳ୍ପେ ତହିଁ ମଧ୍ୟରୁ ଗୋଟିଏ ପୁତ୍ରକୁ ଆପଣଙ୍କ ପାଳି ରକ୍ଷା କରିବା ନିମନ୍ତେ ରାକ୍ଷସ ନିକଟକୁ ପ୍ରେରଣ କରିବି ।’’

 

ବ୍ରାହ୍ମଣ କହିଲା, ‘‘ମା, ଏକେ ତ ଆପଶମାନେ ବ୍ରାହ୍ମଣ, ତାପରେ ଆମର ଅତିଥି । ଅତି ଅଭଦ୍ର, ଧର୍ମଜ୍ଞାନଶୂନ୍ୟ ବ୍ୟକ୍ତି ମଧ୍ୟ ନିଜର ପ୍ରାଣରକ୍ଷା ନିମିତ୍ତ ବ୍ରାହ୍ମଣ ବା ଅତିଥିଙ୍କର ପ୍ରାଣନାଶ କରେ ନାହିଁ । ପଣ୍ଡିତମାନେ ଗୃହାଗତ, ଶରଣାଗତ ଓ ଭିକ୍ଷାର୍ଥୀ ବ୍ୟକ୍ତିଙ୍କର ପ୍ରାଣହାନି କରିବାକୁ ନୃଶଂସ କାର୍ଯ୍ୟ ବୋଲି ବର୍ଣ୍ଣନା କରିଅଛନ୍ତି । ତେଣୁ ଅତିଥି ହତ୍ୟାରେ ମୁଁ କେବଳ ସମ୍ମତ ହେବି ନାହିଁ ।’’

 

କୁନ୍ତୀ କହିଲେ; ‘‘ଆପଣଙ୍କ କଥା ସତ୍ୟ । ବ୍ରାହ୍ମଣ ଅବଶ୍ୟ ରକ୍ଷଣୀୟ । ତା’ଛଡ଼ା ମୋର ପୁତ୍ର ତେଜସ୍ୱୀ, ବଳବାନ୍‌ ଓ ମନ୍ତ୍ରସିଦ୍ଧ ହୋଇଥିବାରୁ ରାକ୍ଷସ ତା’ର କୌଣସି କ୍ଷତି କରିପାରିବ ନାହିଁ-। ସେ ଅକ୍ଳେଶରେ ଆତ୍ମରକ୍ଷା କରିପାରିବ । ତେଣୁ ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । ଦୟାକରି ଏ କଥାକୁ ଗୋପନ ରଖିବେ ।’’

 

କୁନ୍ତୀଙ୍କର ପ୍ରସ୍ତାବରେ ବ୍ରାହ୍ମଣ ପରିବାର ଆଶ୍ୱସ୍ତ ହେଲେ । ତହିଁ ପରଦିନ ଭୀମସେନ ଖାଦ୍ୟ ସାମଗ୍ରୀ ନେଇ ରାକ୍ଷସର ବାସସ୍ଥାନକୁ ଗଲେ ଓ ରାକ୍ଷସକୁ ତା’ର ନାମ ଧରି ଆହ୍ୱାନ କରୁ କରୁ ଭୀମସେନ ନିଜେ ରାକ୍ଷସ ଉଦ୍ଦେଶ୍ୟରେ ନେଉଥିବା ସମସ୍ତ ଖାଦ୍ୟକୁ ନିଜେ ଖାଇବାରେ ଲାଗିଲେ । ମହାକାୟ ରାକ୍ଷସ ଭୀମସେନଙ୍କର ଆହ୍ୱାନରେ ବିରକ୍ତ ହୋଇପଦାକୁ ବାହାରି ଆସି କ୍ରୋଧଜର୍ଜର ସ୍ୱରରେ କହିଲା, ‘‘ଆରେ ଦୁର୍ବୁଦ୍ଧି ! ମୋ’ ସମ୍ମୁଖରେ ମୋ’ ନିମନ୍ତେ ଆଣିଥିବା ଖାଦ୍ୟକୁ ଖାଉଛୁ, ତୋର ତ ଭାରି ସାହସ ?’’

 

ରାକ୍ଷସ କଥାରେ ଭୀମସେନ କର୍ଣ୍ଣପାତ ନ କରି ବରଂ ସାମାନ୍ୟ ହସିଦେଇ ପୂର୍ବପରି ଖାଇବାରେ ମନ ଦେଇଥାନ୍ତି । ବକାସୁର ରାଗରେ ଭୟାନକ ଚିତ୍କାର କରି ଭୀମସେନଙ୍କୁ ସଂହାର କରିବା ପାଇଁ ଦୌଡ଼ି ଆସିଲା ଓ ଭୀମସେନଙ୍କ ପିଠିରେ ଗୋଟାଏ ଶକ୍ତ ବିଧା ବସାଇଦେଲା । ଭୀମସେନ ତଥାପି ବ୍ୟସ୍ତ ନ ହୋଇ ପୂର୍ବପରି ସ୍ୱଚ୍ଛନ୍ଦରେ ଅବଶିଷ୍ଟ ଖାଦ୍ୟ ସାମଗ୍ରୀକୁ ଶେଷ କରିବାରେ ଲାଗିଲେ । ଭୀମଙ୍କ କାର୍ଯ୍ୟରେ ରାକ୍ଷସର ରାଗ ଆହୁରି ବଢ଼ିଗଲା । ଭୀମସେନଙ୍କୁ ପ୍ରହାର କରିବା ଉଦ୍ଦେଶ୍ୟରେ ସେ ଗୋଟାଏ ବିଶାଳ ବୃକ୍ଷ ଉତ୍ପାଟନ କରି ଆଣିଲା । ଏ ମଧ୍ୟରେ ଭୀମସେନଙ୍କର ଖାଇବା ଶେଷ ହୋଇଯାଇଥାଏ । ତେଣୁ ସେ ହାତ ମୁହଁ ଧୋଇ ଛିଡ଼ା ହେଲେ । ବକାସୁରର ହାତରେ ଗୋଟାଏ ବୃକ୍ଷ ଦେଖି ଭୀମସେନ ହସି ହସି ବାମ ହସ୍ତରେ ରାକ୍ଷସଠାରୁ ସେହି ବୃକ୍ଷଟିକୁ ଉଡ଼ାଇ ଆଣିଲେ । ତା’ ଦେଖି ରାକ୍ଷସ ଆଉ ଗୁଡ଼ାଏ ଗଛ ଓପାଡ଼ି ଆଣି ଭୀମସେନଙ୍କୁ ପ୍ରହାର କଲା ଓ ଭୀମସେନ ମଧ୍ୟ ପୂର୍ବୋକ୍ତ ବୃକ୍ଷ ଛଡ଼ାଇନେଇ ରାକ୍ଷସକୁ ଆକ୍ରମଣ କଲେ । ଏହିପରି ବୃକ୍ଷ ସଂଗ୍ରାମ ଫଳରେ ନିମିଷକ ମଧ୍ୟରେ ବିରାଟ ଅରଣ୍ୟ ବୃକ୍ଷଶୂନ୍ୟ ହୋଇଗଲା । ବୃକ୍ଷ ଆଉ ନ ମିଳିବାରୁ ଉଭୟଙ୍କ ମଧ୍ୟରେ ତୁମୂଳ ଦ୍ୱନ୍ଦ-ଯୁଦ୍ଧ ଆରମ୍ଭ ହୋଇଗଲା । ଦୀର୍ଘ ସମୟ ଧରି ଯୁଦ୍ଧ ହେବା ପରେ ରାକ୍ଷସ କ୍ଳାନ୍ତ ହୋଇପଡ଼ିଲା ଓ ଭୀମସେନ ତାହାର ଶରୀରକୁ ପିଟିପିଟି ଚୂନା କରି ତାକୁ ମାରିପକାଇଲେ । ଅତି ଚତୁରତାର ସହିତ ରାକ୍ଷସକୁ ତା’ର ଗହ୍ୱର ମଧ୍ୟରେ ଫିଙ୍ଗି ଦେଇ ଗୋପନରେ ଭୀମସେନ ଘରକୁ ଫେରିଆସିଲେ । ତହିଁ ପରଦିନ ସକାଳେ ଏକଚକ୍ରା ନଗରର ଲୋକମାନେ ବକ ରାକ୍ଷସ ମରିପଡ଼ିଥିବାର ଦେଖି ଗତଦିନ ପାଳିରେ ଥିବା ବ୍ରାହ୍ମଣଙ୍କୁ ବକ ରାକ୍ଷସର ମୃତ୍ୟୁର କାରଣ ପଚାରିଲେ ଏବଂ ବ୍ରାହ୍ମଣ କହିଲା, ‘‘ପ୍ରାଣ ଭୟରେ ଆମେ ସପରିବାର କନ୍ଦକଟା କରିବାରୁ, ହଠାତ୍‌ ଜଣେ ମନ୍ତ୍ରସିଦ୍ଧ ମହାମନା ବ୍ରାହ୍ମଣ ଆମ ସମ୍ମୁଖରେ ଉପସ୍ଥିତ ହୋଇକହିଲେ, ‘ହେ ବ୍ରାହ୍ମଣ ଭୟ କର ନାହିଁ । ତୁମମାନଙ୍କ ପକ୍ଷରୁ ମୁଁ କାଲି ଖାଦ୍ୟ ସାମଗ୍ରୀ ନେଇ ରାକ୍ଷସ ପାଖକୁ ଯିବି ।’ ସମ୍ଭବତଃ ଏହା ସେହି ମହାମନା ମନ୍ତ୍ରସିଦ୍ଧ ବ୍ରାହ୍ମଣଙ୍କର କାର୍ଯ୍ୟ ।’’

 

ବକ ରାକ୍ଷସର ମୃତ୍ୟୁ ସମ୍ୱାଦରେ ଏକଚକ୍ରା ନଗରର ଅଧିବାସୀଙ୍କର ଆନନ୍ଦର ସୀମା ରହିଲା ନାହିଁ ।

Image

 

Unknown

ଦ୍ରୌପଦୀ ସ୍ୱୟମ୍ୱର

 

ଦ୍ରୋଣଙ୍କଠାରୁ ଅର୍ଦ୍ଧେକ ରାଜ୍ୟ ଫେରି ପାଇଥିଲେ ମଧ୍ୟ ରାଜା ଦ୍ରୁପଦଙ୍କର ଲାଞ୍ଛିତ ପ୍ରାଣ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ନିମନ୍ତେ ସତତ ଉଦ୍‌ବିଗ୍ନ ହେଉଥିଲା । କିନ୍ତୁ ଦ୍ରୋଣଙ୍କୁ ଯୁଦ୍ଧରେ ପରାସ୍ତ କରିବା ଦ୍ରୁପଦଙ୍କ ଶକ୍ତିର ବାହାର ଥିଲା ଓ ଦ୍ରୁପଦ ମଧ୍ୟ ଅପୁତ୍ରକ ଥିଲେ । ତେଣୁ ଦ୍ରୋଣଙ୍କୁ ବଧ କରିବା ନିମନ୍ତେ ଗୋଟିଏ ପୁତ୍ର କାମନା କରି ରାଜା ଦ୍ରୁପଦ ଏକ ଯଜ୍ଞ ଆରମ୍ଭ କଲେ-। ସେ ଯଜ୍ଞକୁଣ୍ଡରୁ ଉଜ୍ଜ୍ୱଳବର୍ଣ୍ଣ ବିଶିଷ୍ଟ ମୁକୁଟ ଶୋଭିତ ଏକ ଦିବ୍ୟ ପୁତ୍ର ଧନୁର୍ବାଣ ଧାରଣ କରି ଏବଂ ରଥରେ ଆରୋହଣ କରି ବହିର୍ଭୂତ ହେଲେ ଓ ପରମା ସୁନ୍ଦରୀ ପଦ୍ମଗନ୍ଧା ଏକ ଦିବ୍ୟ କନ୍ୟା ଉଦ୍ଭବ ହେଲେ । ସଙ୍ଗେ ସଙ୍ଗେ ଦୈବବାଣୀ ହେଲା ଯେ ଏହି ପୁତ୍ର ଦ୍ରୋଣଙ୍କୁ ବଧ କରିବ ଓ କ୍ଷତ୍ରିୟ କୁଳକ୍ଷୟ କରି ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ କରିବା ନିମନ୍ତେ ଏହି କନ୍ୟା ଜାତ ହେଲା-। ଏହି ଯଜ୍ଞୋଦ୍ଭବ ପୁତ୍ରର ନାମ ଧୃଷ୍ଟଦ୍ୟୁମ୍ନ ଓ କନ୍ୟାର ନାମ କୃଷ୍ଣା । ଦ୍ରୁପଦ ରାଜାଙ୍କର କନ୍ୟା ହୋଇଥିବାରୁ କୃଷ୍ଣାଙ୍କର ଅନ୍ୟ ନାମ ଥିଲା ଦ୍ରୌପଦୀ । ପୁତ୍ରକନ୍ୟା ଜାତ ହେବାରୁ, ପୁତ୍ର ଦ୍ୱାରା ଦ୍ରୋଣଙ୍କୁ ବଧ କରି ପ୍ରତିଶୋଧ ନେବାକୁ ଏବଂ ବୀର ଅର୍ଜ୍ଜୁନଙ୍କ ହସ୍ତରେ କନ୍ୟାଟିକୁ ପ୍ରଦାନ କରି ପରମ ନିଶ୍ଚିନ୍ତରେ ରାଜ୍ୟ ପାଳନ କରିବାକୁ ଦ୍ରୁପଦ ମନେ ମନେ ସ୍ଥିର କରିଥିଲେ-। କିନ୍ତୁ ଜତୁଗୃହଦାହରେ ପାଣ୍ଡବମାନଙ୍କର ମୃତ୍ୟୁ ହୋଇଥିବା ସମ୍ୱାଦ ପ୍ରଚାରିତ ହେବା ପରେ ଜଣେ ପ୍ରକୃତ ବୀରକୁ ଜାମାତା ରୂପେ ପାଇବା ପାଇଁ ରାଜା ଦ୍ରୁପଦ ଦ୍ରୌପଦୀଙ୍କ ବିବାହ ପାଇଁ ଏକ ସ୍ୱୟମ୍ୱର ସଭାର ବ୍ୟବସ୍ଥା କଲେ ।

 

ବ୍ରାହ୍ମଣମାନଙ୍କ ମୁଖରୁ ଦ୍ରୁପଦ ରାଜାଙ୍କର କନ୍ୟାର ସ୍ୱୟମ୍ୱର ସମ୍ୱାଦ ପାଇ ଦିନେ କୁନ୍ତୀ ପୁତ୍ରମାନଙ୍କୁ କହିଲେ, ‘‘ବାବା, ଏହି ରମଣୀୟ ଏକଚକ୍ରା ନଗରରେ ଭିକ୍ଷାବୃତ୍ତି ଅବଲମ୍ୱନ କରି ଏବଂ ଏହି ମହାତ୍ମା ବ୍ରାହ୍ମଣଙ୍କ ଗୃହରେ ବହୁ କାଳ ଧରି ଅବସ୍ଥାନ କଲେଣି । ସେହି ଗୋଟାଏ ସ୍ଥାନକୁ ସବୁବେଳେ ଦେଖୁଥିବାରୁ ତାହା ଆଉ ଆମର ପ୍ରୀତିବର୍ଦ୍ଧନ କରୁ ନାହିଁ ଏବଂ ଏଠାରେ ଭିକ୍ଷା ମଧ୍ୟ ଦିନକୁ ଦିନ ଅଳ୍ପ ପରିମାଣରେ ମିଳୁଥିବାରୁ ତହିଁରେ ଆମର ଜୀବନ ଧାରଣ କଷ୍ଟକର ହୋଇପଡ଼ିଛି । ଯଦି ତୁମମାନଙ୍କର ଅନିଚ୍ଛା ନ ଥାଏ, ତେବେ ଚାଲ ପରମ ରମଣୀୟ ପାଞ୍ଚାଳ ଦେଶକୁ ଯିବା । ପାଞ୍ଚାଳର ରାଜା ଦ୍ରୁପଦ ଅତି ଧର୍ମପରାୟଣ ଏବଂ ସେ ପ୍ରଜା, ବ୍ରାହ୍ମଣ ଓ ଭିକ୍ଷୁକଙ୍କ ପ୍ରତି ବିଶେଷ ସହାନୁଭୂତିଶୀଳ । ଗୋଟାଏ ସ୍ଥାନରେ ବହୁକାଳ ଧରି ବାସ କରିବା ବିଧେୟ ନୁହେଁ-।’’

 

ମା’ଙ୍କ କଥାନୁସାରେ ପାଣ୍ଡବମାନେ ପାଞ୍ଚାଳ ଦେଶକୁ ଯିବାକୁ ସ୍ଥିର କଲେ । ଏହି ସମୟରେ ଦିନେ ବ୍ୟାସଦେବ ପାଣ୍ଡବମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର ପାଞ୍ଚାଳ ଦେଶ ଗମନ ସିଦ୍ଧାନ୍ତକୁ ଅନୁମୋଦନ କଲେ ଏବଂ ଦେବୀରୂପିଣୀ ପାଞ୍ଚଳ ରାଜକନ୍ୟା ଦ୍ରୌପଦୀ ପଞ୍ଚପତି ଲାଭ କରିବା ପାଇଁ ବର ପାଇଥିବାରୁ ସ୍ୱୟମ୍ୱର ଜୟ କରି ପରମ ଆନନ୍ଦରେ ବାସ କରିବାକୁ ନିର୍ଦ୍ଦେଶ ଦେଲେ ।

 

ଦ୍ରୌପଦୀଙ୍କ ସ୍ୱୟମ୍ୱର ସଭାକୁ ଏକଚକ୍ରା ନଗରରୁ ବହୁ ବ୍ରାହ୍ମଣ ଯାଇଥାନ୍ତି । ତେଣୁ ସେମାନଙ୍କ ସଙ୍ଗରେ କୁନ୍ତୀଙ୍କ ସହ ପାଣ୍ଡବମାନେ ପୂର୍ବପରି ଛଦ୍ମବେଶୀ ବ୍ରାହ୍ମଣବେଶରେ ପାଞ୍ଚାଳ ଦେଶକୁ ଗଲେ ଓ ଗୋଟିଏ କୁମ୍ଭାରର ଘରେ ରହି ପୂର୍ବପରି ଭିକ୍ଷାବୃତ୍ତି ଅବଲମ୍ବନ କଲେ ।

 

ଦ୍ରୌପଦୀଙ୍କର ସ୍ୱୟମ୍ୱରରେ ବୀରମାନଙ୍କ ପାଇଁ ଏକ ଦୁଃସାଧ୍ୟ ପଣ ରଖାଯାଇଥିଲା । ସ୍ୱୟମ୍ୱର ମଣ୍ଡପରେ ସ୍ଥାପିତ ଏକ ସୁଉଚ୍ଚ ଦଣ୍ଡ ଉପରେ ଲକ୍ଷ୍ୟବସ୍ତୁ ସ୍ଥାପନ କରାଯାଇ ତହିଁର ନିମ୍ନରେ ଏକ କ୍ଷିପ୍ର ଗତିରେ ଘୂର୍ଣ୍ଣାୟମାନ ଚକ୍ର ସଂଯୋଗ କରାଯାଇଥିଲା ଏବଂ ଏହି ଲକ୍ଷ୍ୟ ବସ୍ତୁ ସହ ଚକ୍ରର ଚିତ୍ର ପ୍ରତିବିମ୍ୱିତ ହେବାପାଇଁ ତଳେ ଏକ ବୃହତ୍‌ ଜଳଭଣ୍ଡାର ନିର୍ମାଣ କରାଯାଇଥିଲା । ଏହି ଜଳଭଣ୍ଡାର ନିକଟରେ ଏକ ବୃହତ୍‌ ଧନୁ ଓ ପାଞ୍ଚଟି ଶର ରଖାଯାଇଥିଲା । ଉଚ୍ଚ ବଂଶଜାତ ଯେଉଁ ବୀର ଜଳରେ ପ୍ରତିବିମ୍ୱିତ ଲକ୍ଷ୍ୟର ଛବିକୁ ଚାହିଁ ପାଞ୍ଚଟି ଶର ସାହାଯ୍ୟରେ ଲକ୍ଷ୍ୟ ବସ୍ତୁକୁ ଭେଦ କରି ତଳେ ପକାଇ ଦେଇପାରିବ, ସେ ରାଜକନ୍ୟା ଦ୍ରୌପଦୀଙ୍କୁ ଲାଭ କରିବ ବୋଲି ରାଜା ଦ୍ରୁପଦ ସ୍ଥିର କରିଥିଲେ ।

 

ସ୍ୱୟମ୍ୱର ସଭାର ସାଜସଜ୍ଜା ଓ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ସଭାର ବିଭିନ୍ନ ସ୍ଥାନରେ ନୃତ୍ୟଗୀତ, ବାଦ୍ୟଧ୍ୱନି ଓ ମହୋତ୍ସବ ଆଦି ଅନୁଷ୍ଠିତ ହୋଇଥାଏ । ସ୍ୱୟମ୍ୱରସଭାରେ ଦ୍ରୌପଦୀଙ୍କୁ ଲାଭ କରିବା ପାଇଁ ବିଭିନ୍ନ ଦେଶର ବହୁ ରାଜା, ରାଜପୁତ୍ର ଓ ବୀର ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ, କର୍ଣ୍ଣ, ଶକୁନୀ, ଅଶ୍ୱତ୍‌ଥାମା, ଶଲ୍ୟ, ଜୟଦ୍ରଥ, ସାତ୍ୟକି, କୃତକର୍ମା, ଶିଶୁପାଳ, ଜରାସନ୍ଧ ପ୍ରମୁଖ ଅନ୍ୟତମ । ଦର୍ଶକ ଭାବରେ କୃଷ୍ଣ ବଳରାମ ମଧ୍ୟ ଉପସ୍ଥିତ ଥିଲେ । ବିବାହପ୍ରାର୍ଥୀ ରାଜବଂଶୀୟ କ୍ଷତ୍ରିୟ ଛଡ଼ା ଦର୍ଶକ ଭାବରେ ବହୁ ଦେଶରୁ ବହୁ ଜନସମାଗମ ଘଟିଥିଲା । ବ୍ରାହ୍ମଣଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଥିବା ସ୍ଥାନରେ ପାଣ୍ଡବମାନେ ଆସନ ଗ୍ରହଣ କରିଥାନ୍ତି ।

 

ନୃତ୍ୟଗୀତ ଆଦି ବିଭିନ୍ନ ପ୍ରକାର ଚିତ୍ତବିନୋଦନମୂଳକ କାର୍ଯ୍ୟକ୍ରମରେ ସ୍ୱୟମ୍ୱର ସଭାର ପନ୍ଦରଟି ଦିନ ଅତିବାହିତ ହୋଇଯିବା ପରେ ଭ୍ରାତା ଧୃଷ୍ଟଦ୍ୟୁମ୍ନ ଓ ଦାସୀମାନଙ୍କ ଗହଣରେ ରାଜକୁମାରୀ ଦ୍ରୌପଦୀ ସ୍ୱୟମ୍ୱର ସଭାରେ ପ୍ରବେଶ କଲେ । ଦ୍ରୌପଦୀ ଅଲୋକସାମାନ୍ୟା ଥିଲେ-। ସଦ୍ୟସ୍ନାତା ଓ ଅପୂର୍ବ ବେଶଭୂଷାରେ ଭୂଷିତା ଶ୍ୟାମବର୍ଣ୍ଣା ଦ୍ରୌପଦୀଙ୍କର ପଦ୍ମପଳାଶସଦୃଶ ସୁଶୋଭନ ନୟନଯୁଗଳ, ନୀଳ ଓ କୁଞ୍ଚିତ କେଶରାଜି, ସୁଚାରୁ ଭ୍ରୂଯୁଗଳ ଅନୁପମ ଶୋଭା ଧାରଣ କରିଥିଲା । ଦ୍ରୌପଦୀଙ୍କର ସୁକୋମଳ ଶରୀରରୁ ପଦ୍ମ-ଗନ୍ଧ ନିର୍ଗତ ହୋଇ ଏକ କ୍ରୋଶ ପର୍ଯ୍ୟନ୍ତ ମହକରେ ସମାଚ୍ଛନ୍ନ କରିଦେଉଥିଲା । ଦ୍ରୌପଦୀଙ୍କର ଅନୁପମ ରୂପଲାବଣ୍ୟ ଦର୍ଶନ କରି ସମବେତ ବିବାହପ୍ରାର୍ଥୀମାନେ କାମମୋହିତ ହୋଇପଡ଼ିଲେ ।

 

ଉପସ୍ଥିତ ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି ଧୃଷ୍ଟଦ୍ୟୁମ୍ନ ଗୁରୁଗମ୍ଭୀରସ୍ୱରରେ କହିଲେ, ‘‘ହେ ସମବେତ ବୀରଗଣ, ଆପଣମାନଙ୍କ ସମ୍ମୁଖରେ ଲକ୍ଷ୍ୟ ଓ ଧନୁର୍ବାଣ ସଂସ୍ଥାପିତ ହୋଇଅଛି । ସତ୍‌କୁଳସମ୍ଭୂତ ଯେଉଁ ବୀର ଏହି ପାଞ୍ଚଟି ଶର ସାହାଯ୍ୟରେ ଚକ୍ରଛିଦ୍ର ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରି ଲକ୍ଷ୍ୟବସ୍ତୁକୁ ତଳେ ପକାଇଦେବ, କୂଳଶୀଳ ରୂପଲାବଣ୍ୟସମ୍ପନ୍ନା ମୋର ଭଗ୍ନୀ କୃଷ୍ଣା ତାଙ୍କୁ ପତିରୂପରେ ବରଣ କରିବାକୁ ସ୍ଥିର କରି ଅଛନ୍ତି ।’’ ଏହା କହି ଦ୍ରୌପଦୀଙ୍କ ନିକଟରେ ସମବେତ ବୀରମାନଙ୍କର ପରିଚୟ ପ୍ରଦାନ କଲେ ।

 

ପ୍ରାରମ୍ଭିକ ଆନୁଷ୍ଠାନିକ କାର୍ଯ୍ୟ ସମାପନ ହେବାପରେ ସମବେତ ବିବାହପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣକ ପରେ ଜଣେ ଲକ୍ଷ୍ୟ ଭେଦ କରିବା ନିମନ୍ତେ ଉଠିଲେ କିନ୍ତୁ ସବୁଠାରୁ ଦୁର୍ଭାଗ୍ୟର କଥା ଯେ, ଶର ସଂଯୋଜନା କରିବା ତ ଦୂରର କଥା, ଧନୁ ଉତ୍ତୋଳନ କରିବାକୁ କେହି ସମର୍ଥ ହେଲେ ନାହିଁ । ସେମାନଙ୍କ ମଧ୍ୟରୁ କେହି କେହି ଧନୁ ସ୍ପର୍ଶ କରିବା ମାତ୍ରେ ଆହତ ଓ ଇତସ୍ତତଃ ବିକ୍ଷିପ୍ତ ହୋଇପଡ଼ି ସ୍ୱୟମ୍ୱର ସଭାରେ ହାସ୍ୟକର ପରିସ୍ଥିତି ସୃଷ୍ଟି କରୁଥିଲେ । ସେହି ଲଜ୍ଜାକର ପରିସ୍ଥିତି ମଧ୍ୟରେ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ଭଗ୍ନମନୋରଥ ହୋଇ ପରମଲଜ୍ଜାରେ ନିଜ ନିଜର ଆସନ ଗ୍ରହଣ କରୁଥିଲେ ।

 

ବହୁ ବୀର ଏପରି ବ୍ୟର୍ଥ ହେବା ପରେ ଯେତେବେଳେ କର୍ଣ୍ଣ ଶର ସଂଯୋଜନ କରିବା ଉଦ୍ଦେଶ୍ୟରେ ଦଣ୍ଡାୟମାନ ହେଲେ, ସମସ୍ତେ ମନେମନେ ଅନଚମାନ କଲେ ଯେ, ଏ ନିଶ୍ଚୟ କୃତକାର୍ଯ୍ୟ ହେବେ । କର୍ଣ୍ଣ ଧୀରେ ଧୀରେ ନିର୍ଦ୍ଦିଷ୍ଟ ମଣ୍ଡପ ନିକଟକୁ ଗଲେ ଏବଂ ଲକ୍ଷ୍ୟ ଭେଦ କରିବା ନିମନ୍ତେ ଧନୁ ଉତ୍ତୋଳନ କଲେ । କିନ୍ତୁ ଏହି ସମୟରେ ‘‘ମୁଁ ସୂତପୁତ୍ରକୁ ବରଣ କରିବି ନାହିଁ’’ ବୋଲି ଦ୍ରୌପଦୀ କହିବାରୁ କର୍ଣ୍ଣ ପୂର୍ବସ୍ଥାନରେ ଧନୁର୍ବାଣ ଥୋଇ ଦେଇ ସହାସ୍ୟ ବଦନରେ ନିଜ ସ୍ଥାନକୁ ଫେରିଆସିଲେ । କର୍ଣ୍ଣଙ୍କ ପରେ ଶିଶୁପାଳ ଲକ୍ଷ୍ୟ ଭେଦ କରିବା ପାଇଁ ଉଠିଥିଲେ; ମାତ୍ର ଧନୁ ଉତ୍ତୋଳନ କରିବାକୁ ଯାଇ ଧନୁର ଭାର ସହ୍ୟ କରି ନପାରି ତଳେ ପଡ଼ିଗଲେ । ଶଲ୍ୟ ଓ ଜରାସନ୍ଧ ମଧ୍ୟ ଧନୁ ଉତ୍ତୋଳନ କରିବାରେ ବ୍ୟର୍ଥକାୟ ହେବା ସଙ୍ଗେ ସଙ୍ଗେ ଆଘାତପ୍ରାପ୍ତ ହୋଇ ସ୍ୱସ୍ଥାନକୁ ଫେରି ଆସିଲେ ।

 

ବହୁ ଖ୍ୟାତିସମ୍ପନ୍ନ ବୀରମାନଙ୍କର ଏପରି ଆଶାତୀତ ବ୍ୟର୍ଥତା ଦର୍ଶନ କରି, ଏହା ଏକ ଅସମ୍ଭବ ପରୀକ୍ଷା ବୋଲି ସଭାସ୍ଥ ବ୍ୟକ୍ତିମାନେ ମତ ପ୍ରକାଶ କରୁଥିବା ବେଳେ ବ୍ରାହ୍ମଣମାନଙ୍କ ମଧ୍ୟରେ ଆସୀନ ଥିବା ଅର୍ଜ୍ଜୁନ ଲକ୍ଷ୍ୟଭେଦ କରିବାକୁ ଦଣ୍ଡାୟମାନ ହେଲେ । ବ୍ରାହ୍ମଣମାନେ ଅର୍ଜ୍ଜୁନଙ୍କୁ ଦଣ୍ଡାୟମାନ ହେବା ଦେଖି ପରସ୍ପର-ବିରୋଧୀ ମତପୋଷଣ କଲେ ଯେଉଁଠି ଧନୁର୍ବେଦ ପାରଦର୍ଶୀ ଶଲ୍ୟ ପ୍ରମୁଖ ସୁବିଖ୍ୟାତ କ୍ଷତ୍ରିୟମାନେ ଅସମର୍ଥ ହେଲେ, ସେହି ପରୀକ୍ଷାରେ ଜଣେ ସାଧାରଣ ବ୍ରାହ୍ମଣ କୃତକାର୍ଯ୍ୟ ହେବା ଏକାନ୍ତ ଅସମ୍ଭବ ବୋଲି ଦଳେ ମତ ପ୍ରକାଶ କଲାବେଳେ, ଅନ୍ୟମାନେ କହିଲେ, ଏହି ସ୍ଥୂଳସ୍କନ୍ଧ, ଦୀର୍ଘବାହୁ, ପ୍ରଶାନ୍ତ ଅଥଚ ଗମ୍ଭୀରାକୃତି ଗଜେନ୍ଦ୍ରବିକ୍ରମଶାଳୀ ମୃଗେନ୍ଦ୍ରଗତିଯୁକ୍ତ ଯୁବକର ମୁଖର ଦୀପ୍ତିରେ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଲକ୍ଷଣ ସୁସ୍ପଷ୍ଟ । ଏ ଦୁର୍ବଳ ନୁହେଁ; କାରଣ ଅକ୍ଷମ ବ୍ୟକ୍ତିମାନେ ସ୍ୱତଃପ୍ରବୃତ୍ତ ହୋଇ କୌଣସି କାର୍ଯ୍ୟରେ ଅଗ୍ରସର ହୁଅନ୍ତି ନାହିଁ ।’’

 

ବ୍ରାହ୍ମଣମାନଙ୍କର ଏହିପରି କଥୋପକଥନ ଚାଲିଥିବା ସମୟ ମଧ୍ୟରେ ଅର୍ଜ୍ଜୁନ ଶରାସନ ନିକଟରେ ଉପସ୍ଥିତ ହେଲେ । ପ୍ରଥମେ ମହାଦେବଙ୍କୁ ପ୍ରଣାମ କରି କାର୍ମୁକକୁ ପ୍ରଦକ୍ଷିଣ କଲେ ଓ ପରେ କୃଷ୍ଣଙ୍କୁ ସ୍ତବ କରି ଧନୁ ଗ୍ରହଣ କଲେ । ଶିଶୁପାଳ, ସୁରଥ, ଦୁର୍ଯ୍ୟୋଧନ, ଶଲ୍ୟ ଓ ଶାଲ୍ୱ ପ୍ରମୁଖ ଧନୁର୍ବିଦ୍ୟାପ୍ରବୀଣ ବୀରମାନେ ବହୁ ଉଦ୍ୟମ କରି ମଧ୍ୟ ଯେଉଁ ଧନୁକୁ ସ୍ପର୍ଶ କରିପାରି ନଥିଲେ, ଅର୍ଜ୍ଜୁନ ଅବଲୀଳାକ୍ରମେ ନିମିଷକ ମଧ୍ୟରେ ସେହି ଧନୁକୁ ଉତ୍ତୋଳନ କରି ପାଞ୍ଚଟି ଶର ସାହାଯ୍ୟରେ ଲକ୍ଷ୍ୟ ଭେଦ କରିବା ସଙ୍ଗେ ଲକ୍ଷବସ୍ତୁକୁ ଭୂତଳରେ ନିକ୍ଷେପ କଲେ ।

 

ଅର୍ଜ୍ଜୁନଙ୍କର ଏହି ଆଶାତୀତ ସାଫଲ୍ୟରେ ସଭା ମଧ୍ୟରେ ଆନନ୍ଦ କୋଳାହଳ ଖେଳିଗଲା । ଅର୍ଜ୍ଜୁନଙ୍କର ବିଜୟରେ ବ୍ରାହ୍ମଣ ସମ୍ପ୍ରଦାୟର ବିଜୟ ହେଲା ଭାବି ଆନନ୍ଦରେ ଉନ୍ମତ୍ତ ହୋଇ ନୃତ୍ୟ କରିବାକୁ ଆରମ୍ଭ କଲେ । ବାଦ୍ୟକାରମାନଙ୍କର ତୁର୍ଯ୍ୟନାଦ ଓ ସୂତମାଗଧମାନଙ୍କର ସ୍ତୁତିପାଠରେ ସମଗ୍ର ସ୍ୱୟମ୍ୱରସଭା ପ୍ରକମ୍ପିତ ହେଲା ଓ ଆକାଶରୁ ପୁଷ୍ପ ବୃଷ୍ଟି ହେଲା । ସେହି ଅନିର୍ବଚନୀୟ ଆନନ୍ଦ ଉଲ୍ଲାସ ଓ ହର୍ଷଧ୍ୱନି ମଧ୍ୟରେ ଦ୍ରୌପଦୀ ବୀର ଅର୍ଜ୍ଜୁନଙ୍କ ଗଳାରେ ବରଣମାଳା ପିନ୍ଧାଇଦେଲେ ।

 

ମା’ କୁନ୍ତୀଙ୍କୁ ଏହି ଶୁଭ ସମ୍ୱାଦ ଜଣାଇବା ପାଇଁ ନକୁଳ ସହଦେବଙ୍କ ସହ ଯୁଧିଷ୍ଠିର ଶୀଘ୍ର ଚାଲିଗଲେ; କିନ୍ତୁ କାଳେ କ’ଣ ବିପଦ ଘଟିପାରେ, ସେଥିପାଇଁ ଅର୍ଜ୍ଜୁନଙ୍କ ନିକଟରେ ଭୀମସେନ ଉପସ୍ଥିତ ରହିଲେ ।

 

ଅର୍ଜ୍ଜୁନଙ୍କ ଗଳାରେ ଦ୍ରୌପଦୀ ବରଣମାଳା ଦେବା ଦେଖି ଉବସ୍ଥିତ କ୍ଷତ୍ରୀୟମାନେ କ୍ରୋଧାନ୍ୱିତ ହୋଇକହିଲେ, ‘‘ବରବର୍ଣ୍ଣିନୀ ଦ୍ରୌପଦୀଙ୍କୁ ଜଣେ ବ୍ରାହ୍ମଣ ହସ୍ତରେ ଅର୍ପଣ କରିବା ଦ୍ୱାରା ଦ୍ରୁପଦ ସମସ୍ତ କ୍ଷତ୍ରିୟ ସମାଜକୁ ଅସମ୍ମାନିତ କରିଅଛନ୍ତି । ଏହି ପାପିଷ୍ଠ ଦ୍ରୁପଦକୁ ସପୁତ୍ର ହତ୍ୟା କରିବା ହିଁ ସମୀଚୀନ । ଆଶ୍ଚର୍ଯ୍ୟ, ଦେବତୁଲ୍ୟ ରାଜନବର୍ଗଙ୍କ ମଧ୍ୟରୁ କାହାକୁ ହେଲେ ଦ୍ରୁପଦ ନିଜର କନ୍ୟା ପାଇଁ ଉପଯୁକ୍ତ ବୋଲି ବିବେଚନା କଲା ନାହିଁ !’’ ସ୍ୱୟମ୍ୱର ପ୍ରଥା କେବଳ କ୍ଷତ୍ରିୟମାନଙ୍କ ମଧ୍ୟରେ ସୀମାବଦ୍ଧ; ତହିଁରେ ବ୍ରହ୍ମଣମାନଙ୍କର ଅଧିକାର ନାହିଁ । ଯଦି ସ୍ୱୟମ୍ୱର କନ୍ୟା କ୍ଷତ୍ରିୟମାନଙ୍କ ମଧ୍ୟରୁ କାହାକୁ ବରଣ ନ କଲା, ତାହାହେଲେ ତାକୁ ଅଗ୍ନିରେ ନିକ୍ଷେପ କରି ନିଜ ନିଜ ରାଜ୍ୟକୁ ଫେରିଯିବା ।

 

ପରବର୍ତ୍ତୀ ସ୍ୱୟମ୍ୱର ସଭାମାନଙ୍କରେ ଯେପରି ଏପରି ନିୟମ ବିରୁଦ୍ଧ କାର୍ଯ୍ୟର ପୁନରାବୃତ୍ତି ନ ଘଟେ ସେ ବିଷୟରେ ଉପଯୁକ୍ତ ଦୃଷ୍ଟାନ୍ତ ରଖିଯିବା ଉଦ୍ଦେଶ୍ୟରେ ରାଜାମାନେ ଦ୍ରୁପଦଙ୍କୁ ଆକ୍ରମଣ କଲେ ଏବଂ ଭୟରେ ଦ୍ରୁପଦ ବ୍ରାହ୍ମଣମାନଙ୍କର ଶରଣାପନ୍ନ ହେଲେ । ବ୍ରାହ୍ମଣମାନଙ୍କ ମଧ୍ୟରେ ଥିବା ଅର୍ଜ୍ଜୁନ ଧନୁର୍ବାଣ ଧାରଣ କରି ଦ୍ରୁପଦଙ୍କୁ ରକ୍ଷାକରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଗଲେ । ଅର୍ଜ୍ଜୁନଙ୍କୁ ସାହାଯ୍ୟ ଓ ବିଦ୍ରୋହୀ ରାଜାମାନଙ୍କୁ ଭୟଭୀତ କରିବା ପାଇଁ ଭୀମସେନ ଏକ ବିଶାଳ ମହୀରୁହ ଉତ୍ପାଟନ କରି ଅର୍ଜ୍ଜୁନଙ୍କ ନିକଟରେ ବୃକ୍ଷକୁ ଧରି ଛିଡ଼ା ହୋଇଗଲେ ।

 

ଏସବୁ ଦେଖି ବଳରାମଙ୍କୁ କୃଷ୍ଣ କହିଲେ, ‘‘ମହାଶୟ, ଯେଉଁ ବ୍ୟକ୍ତିଟି ଏହି ଅଜେୟ ଶରାସନକୁ ଅନାୟସରେ ଧାରଣ କରି ସଫଳକାମ ହେଲେ ସେ ବ୍ରାହ୍ମଣ ନୁହନ୍ତି; ସେ ଅର୍ଜ୍ଜୁନ । ଆଉ ଏଇ ଯେଉଁ ବ୍ୟକ୍ତି ବୃକ୍ଷ ଉତ୍ପାଟନ କରି ବୀରଦର୍ପରେ ଯୁଦ୍ଧ ଅପେକ୍ଷାରେ ବର୍ତ୍ତମାନ ଦଣ୍ଡାୟମାନ, ସେ ବୃକୋଦର; କାରଣ ଭୀମସେନଙ୍କ ବ୍ୟତୀତ ଏପରି ପରାକ୍ରମ ପ୍ରକାଶ କରିବାରେ ସମର୍ଥ ବୀର ପୃଥିବୀରେ ନାହାନ୍ତି । ଆଉ ସେ ଯେଉଁ ତିନିଜଣ ଦ୍ରୁତ ଗତିରେ ଆଗରେ ଯାଉଛନ୍ତି, ସେମାନେ ଯୁଧିଷ୍ଠିର, ନକୁଳ ଓ ସହଦେବ । ଜତୁଗୃହ ଦାହରୁ ପାଣ୍ଡବମାନେ ରକ୍ଷା ପାଇଛନ୍ତି ବୋଲି ଯେଉଁ ଜନରବ ଶୁଣାଯାଉଥିଲା, ତାହା ବାସ୍ତବିକ ସତ୍ୟ ।’’

 

ପାଣ୍ଡବମାନଙ୍କୁ ଜୀବିତ ଥିବା ଦେଖି ବଳରାମ ପ୍ରୀତ ହେଲେ ।

 

ସମବେତ କ୍ଷତ୍ରୀୟମାନେ ଭୀମସେନ ଓ ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ମଧ୍ୟ ଅର୍ଜ୍ଜୁନଙ୍କର ଅପୂର୍ବ ଧନୁର୍ବାଣ ପ୍ରୟୋଗ ଓ ଭୀମସେନଙ୍କର ଅତୁଳନୀୟଶକ୍ତି ନିକଟରେ କର୍ଣ୍ଣ, ଶଲ୍ୟ ଓ ଅନାନ୍ୟ କ୍ଷତ୍ରିୟମାନେ ବିଶେଷ ଭାବରେ ଆହତ ଓ ପରାଜିତ ହୋଇଥିଲେ ।

 

କୃଷ୍ଣ କହିଲେ, ‘‘ହେ ନୃପତିଗଣ, ଏହି ବ୍ରାହ୍ମଣହିଁ ରାଜକୁମାରୀଙ୍କୁ ଧର୍ମତଃ ଲାଭ କରିଅଛନ୍ତି; ତେଣୁ ଏହି ପ୍ରୟୋଜନହୀନ ଯୁଦ୍ଧରୁ କ୍ଷାନ୍ତ ହୁଅନ୍ତୁ ।’’ ପ୍ରଥମେ ପରାଜିତ ଓ ପରେ କୃଷ୍ଣଙ୍କ ଅନୁରୋଧରେ ଆଶ୍ୱସ୍ତ ହୋଇ କ୍ଷତ୍ରିୟମାନେ ଯୁଦ୍ଧରୁ ବିରତ ହୋଇନିଜ ନିଜ ରାଜ୍ୟକୁ ଫେରିଗଲେ ।

 

ଏଣେ ଭିକ୍ଷା ଉଦ୍ଦେଶ୍ୟରେ ଯାଇଥିବା ପୁତ୍ରମାନଙ୍କର ପତ୍ୟାବର୍ତ୍ତନରେ ବିଳମ୍ୱ ଦେଖି କୁନ୍ତୀ ବିଶେଷ ଚିନ୍ତିତା ହୋଇଥିଲେ । ଏହି ସମୟରେ ପାଣ୍ଡବ ପାଞ୍ଚଭାଇ ଗୃହକୁ ଫେରି ମା କୁନ୍ତୀଙ୍କୁ କହିଲେ, ‘ମା, ଆଜି ଏକ ରମଣୀୟ ବସ୍ତୁ ଆମର ଭିକ୍ଷାଲବ୍ଧ ହୋଇଅଛି ।’ କୁନ୍ତୀ ଗୃହ ମଧ୍ୟରେ ଥାଇ କହିଲେ, ‘‘ଯାହା ଆଣିଛ, ସମସ୍ତେ ସମବେତ ହୋଇ ଉପଭୋଗ କର ।’’ କିନ୍ତୁ ପରେ ଯେତେବେଳେ ଦ୍ରୌପଦୀଙ୍କୁ ଦେଖିଲେ, ‘‘ମୁଁ କି କୁକର୍ମ କଲି’’ ବୋଲି କୁନ୍ତୀ ଅନୁତାପ କଲେ ଓ ଯୁଧିଷ୍ଠିରଙ୍କୁ କହିଲେ, ‘‘ପୁତ୍ର, ଦ୍ରୌପଦୀକୁ ଆଣିଥିବା କଥା ପରିଷ୍କାର ଭାବରେ ନ କହି ଯେତେବେଳେ ରମଣୀୟ ବସ୍ତୁ ଭିକ୍ଷାଲବ୍ଧ ହୋଇଥିବା କଥା କହିଲ, ମୁଁ ଗୃହ ମଧ୍ୟରେ ଥାଇ ସମବେତ ଭାବରେ ଉପଭୋଗ କର ବୋଲି କହିଦେଲି । ବର୍ତ୍ତମାନ କ’ଣ କରାଯିବ ? ଯେପରି ମୋ’ ବାକ୍ୟ ମିଥ୍ୟା ନହୁଏ ଓ ଦ୍ରୌପଦୀକୁ ପାପ ସ୍ପର୍ଶ ନ କରେ ଏପରି ପରାମର୍ଶ ପ୍ରଦାନ କର ।’’

 

ଯୁଧିଷ୍ଠିର କହିଲେ, ‘‘ଅର୍ଜ୍ଜୁନ, ଯାଜ୍ଞସେନୀ ତୁମର ପ୍ରାପ୍ତବସ୍ତୁ । ତେଣୁ ତୁମେ ଅଗ୍ନିକୁ ସାକ୍ଷୀ ରଖି ତାଙ୍କର ପାଣି ଗ୍ରହଣ କର ।’’

 

ଅର୍ଜ୍ଜୁନ କହିଲେ, ‘‘ମୋତେ ପାପଭାଗୀ କରନ୍ତୁ ନାହିଁ । ଆପଣ ଜ୍ୟେଷ୍ଠ, ତେଣୁ ପ୍ରଥମେ ଆପଣଙ୍କର ବିବାହ କରିବା ଉଚିତ । ତତ୍‌ପରେ ଭୀମସେନଙ୍କର ଓ ତତ୍‌ପରେ ମୋ’ ବିବାହର ପ୍ରଶ୍ନ ଉଠିବ । ତେଣୁ ଯାହା ଧର୍ମାନୁମୋଦିତ ଓ ଯଶସ୍କର ହେବ, ଆପଣ ସେପରି କର୍ମ କରନ୍ତୁ ।’’

 

ବ୍ୟାସଦେବଙ୍କର କଥା ସ୍ମରଣ କରି ଦ୍ରୌପଦୀ ସମସ୍ତଙ୍କର ପତ୍ନୀ ହେବେ ବୋଲି ଯୁଧିଷ୍ଠିର ସିଦ୍ଧାନ୍ତ କରିବାରୁ ଅନ୍ୟ ପାଣ୍ଡବମାନେ ତାହା ଅନୁମୋଦନ କଲେ ।

 

କୃଷ୍ଣ ଓ ବଳରାମ କୁମ୍ଭକାର ଗୃହକୁ ଆସି କୁନ୍ତୀଙ୍କୁ ପ୍ରଣାମ ଓ ପାଣ୍ଡବମାନଙ୍କୁ କୁଶଳ ପ୍ରଶ୍ନ କରି କହିଲେ, ‘‘ଭାଗ୍ୟ ବଳରେ ଆପଣମାନେ ସେହି ଭୟଙ୍କର ଚକ୍ରାନ୍ତରୁ ପରିତ୍ରାଣ ପାଇ ଅଛନ୍ତି ଓ ଦୁର୍ଯ୍ୟୋଧନର ଦୁରଭିସନ୍ଧି ବ୍ୟର୍ଥ ହୋଇଅଛି । ଆପଣମାନଙ୍କର ଉତ୍ତରୋତ୍ତର ଶ୍ରୀବୃଦ୍ଧି ହେଉ ଏହାହିଁ ପ୍ରାର୍ଥନା କରୁଅଛୁ ।’’

 

ଦ୍ରୌପଦୀଙ୍କୁ ନେଇ ପାଣ୍ଡବମାନେ ଆସିବା ପରେ ଧୃଷ୍ଟଦ୍ୟୁମ୍ନ ଛଦ୍ମବେଶରେ ଆସି କୁମ୍ଭକାର ଗୃହରେ ପାଣ୍ଡବମାନଙ୍କର ଚାଲିଚଳନ ଆଦି ଲକ୍ଷ୍ୟକରି ପିତା ଦ୍ରୁପଦଙ୍କୁ କହିଲେ, ଏମାନେ ନିଶ୍ଚୟ କ୍ଷତ୍ରିୟ । ପାଣ୍ଡବମାନେ ଜତୁଗୃହର ଅଗ୍ନ୍ୟୁତ୍ପାତରୁ ମୁକ୍ତିଲାଭ କରି ଛଦ୍ମବେଶରେ ଦେଶ ପର୍ଯ୍ୟଟନ କରୁଥିବାର ମୁଁ ପୂର୍ବରୁ ଶୁଣିଥିଲି । ସମ୍ଭବତଃ ଏହିମାନେ ପାଣ୍ଡବ ।’’

 

ପୁତ୍ରଠାରୁ ଏପରି ସୂଚନା ପାଇ ରାଜା ଦ୍ରୁପଦ ମାତା କୁନ୍ତୀଙ୍କ ସହ ପାଣ୍ଡବମାନଙ୍କୁ ରାଜପ୍ରାସାଦକୁ ଆମନ୍ତ୍ରିତ କରି ଆଣିଲେ ଓ ପରେ ସେମାନଙ୍କ ପ୍ରକୃତ ପରିଚୟ ଲାଭ କରି ହୃଷ୍ଟଚିତ୍ତରେ ବିବାହର ଆୟୋଜନ କଲେ । କିନ୍ତୁ ଦ୍ରୌପଦୀଙ୍କୁ ପାଣ୍ଡବ ପାଞ୍ଚଭାଇ ବିବାହ କରିବା କଥା ଶୁଣି ପ୍ରଥମେ ଦ୍ରୁପଦ ଏପରି ଧର୍ମବିରୋଧୀ ପ୍ରସ୍ତାବରେ ସମ୍ମତ ହେଲେ ନାହିଁ; କିନ୍ତୁ ପରେ ଦ୍ରୌପଦୀ ଶିବଙ୍କଠାରୁ ପୂର୍ବଜନ୍ମରେ ପଞ୍ଚପତି ଲାଭ କରିବା ନିମନ୍ତେ ବରଲାଭ କରିଥିବା ବିଷୟ ବ୍ୟାସଦେବ ଉଦ୍‌ଘାଟନ କରିବାରୁ ପାଣ୍ଡବମାନଙ୍କ ସହ ଦ୍ରୌପଦୀଙ୍କର ବିବାହ ସମ୍ପନ୍ନ କରିବାକୁ ବାଧ୍ୟ ହେଲେ ।

 

କୁନ୍ତୀ ନିଜର ସେହି ସୁଶୀଳା, ସଦାଚରଣ ସମ୍ପନ୍ନା, ଅସାମାନ୍ୟା ରୂପବତୀ ପୁତ୍ରବଧୂକୁ ଆଶୀର୍ବାଦ କରି କହିଲେ, ‘‘ମା, ଇନ୍ଦ୍ରଙ୍କ ପ୍ରତି ଯେପରି ଇନ୍ଦ୍ରଣୀ, ବିଭାବସୁଙ୍କ ପ୍ରତି ଯେପରି ସ୍ୱାହା, ଚନ୍ଦ୍ରଙ୍କ ପ୍ରତି ରେବତୀ ଯେପରି ଭକ୍ତି ଓ ପ୍ରଣୟ ପ୍ରକାଶ କରିଥାନ୍ତି, ନିଜର ଏହି ସ୍ୱାମୀମାନଙ୍କ ପ୍ରତି ତୁମେ ତଦନୁରୂପ ଭକ୍ତିମତୀ ଓ ପ୍ରଣୟବତୀ ହୋଇ ବୀରପ୍ରସବିନୀ ହୁଅ ।’’

Image

 

ପାଣ୍ଡବଙ୍କ ରାଜ୍ୟ ଲାଭ

 

ବିଦୁର ଯେତେବେଳେ ଜାଣିବାକୁ ପାଇଲେ ଯେ, ସ୍ୱୟମ୍ୱର ସଭାରେ ପାଣ୍ଡବମାନେ ଦ୍ରୌପଦୀଙ୍କୁ ଲାଭ କରିଅଛନ୍ତି ଓ ସ୍ୱୟମ୍ୱର ସମ୍ପର୍କିତ ସମରରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ପାଣ୍ଡବଙ୍କ ହସ୍ତରେ ପଳାଜିତ ଓ ଭଗ୍ନମନୋରଥ ହୋଇ ହସ୍ତିନାକୁ ପ୍ରତ୍ୟାଗମନ କରିଅଛନ୍ତି, ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ତତ୍‌କ୍ଷଣାତ୍‌ ମହାରାଜ ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇ କହିଲେ । ‘‘ମହାରାଜ ! ସୌଭାଗ୍ୟକ୍ରମେ ପାଞ୍ଚାଳ ରାଜକନ୍ୟା ଦ୍ରୌପଦୀଙ୍କୁ ଆମ୍ଭେମାନେ ପୁତ୍ରବଧୂ ଭାବରେ ଲାଭ କରିଅଛୁ ।’’

 

ବିଦୁରଙ୍କ ଏତକ କଥାରୁ ପୁତ୍ରମାନେ ସ୍ୱୟମ୍ୱରରେ ଜୟଲାଭ କରିଥିବା କଥା ବୁଝିପାରି ଧୃତରାଷ୍ଟ୍ର ଆନନ୍ଦବିହ୍ୱଳ ହୋଇକହିଲେ, ‘‘କି ସୌଭାଗ୍ୟ ! ବିଦୁର ତୁମେ କି ଶୁଭ ସମ୍ୱାଦ ପ୍ରଦାନ ନ କଲ ? ଆଉ କାଳ ବିଳମ୍ୱ ନ କରି ଦୁର୍ଯ୍ୟୋଧନ ଓ ଦ୍ରୌପଦୀଙ୍କୁ ବହୁବିଧ ଅଳଙ୍କାରରେ ବିଭୂଷିତ କରି ମୋ’ ନିକଟରେ ଉପସ୍ଥାପିତ କରାଅ ।’’

 

ଧୃତରାଷ୍ଟ୍ରଙ୍କ ଭ୍ରମ ବିଦୁର ବୁଝିପାରି କହିଲେ, ‘‘ମହାରାଜ, ପାଣ୍ଡବମାନେ ଦ୍ରୌପଦୀଙ୍କୁ ଲାଭ କରି ଦ୍ରୁପଦଙ୍କ ରାଜପ୍ରାସାଦରେ କୁଶଳରେ ଅଛନ୍ତି ।’’

 

ଧୃତରାଷ୍ଟ୍ର ତତ୍‌କ୍ଷଣାତ୍‌ ନିଜ ଭ୍ରମ ସଂଶୋଧନ କରି କହିଲେ, ‘‘ଖୁବ୍‌ ଭଲ ହୋଇଛି । ସେମାନେ ପାଣ୍ଡବଙ୍କର ପୁତ୍ର ହେଲେ ବି ମୁଁ ସେମାନଙ୍କୁ ନିଜର ପୁତ୍ରମାନଙ୍କ ଅପେକ୍ଷା ଅଧିକ ସ୍ନେହ କରିଥାଏ । ଏ ସମ୍ୱାଦରେ ମୁଁ ବିଶେଷ ପ୍ରୀତ ହୋଇଅଛି । ମହାବୀର ପାଣ୍ଡବମାନେ ଦ୍ରୁପଦ ପ୍ରମୁଖଙ୍କର ବନ୍ଧୁତ୍ୱ ଲାଭ କରିବା ପରେ ମୋର ନିଶ୍ଚିତ ଭାବେ ମନେ ହେଉଛି ଯେ, ମୋର ଏହି ଦୁରାତ୍ମା ପୁତ୍ରମାନଙ୍କର ଆଉ ରକ୍ଷା ନାହିଁ ।’’

 

ବିଦୁର ପ୍ରସ୍ଥାନ କଲା ପରେ ପିତା ଧୃତରାଷ୍ଟ୍ରଙ୍କ ସହ ଦୁର୍ଯ୍ୟୋଧନ ମନ୍ତ୍ରଣା କରି କହିଲେ, ‘‘ବାପା, ବିଦୁରଙ୍କ ନିକଟରେ ଆମ ସମ୍ପର୍କିତ ଦୋଷ ଦୁର୍ବଳତାଦି ଆଲୋଚନା କରିବା ସମୀଚୀନ ନୁହେଁ । ବିଦୁରଙ୍କ ସହ ଆପଣଙ୍କର ଏପରି ଖୋଲାଖୋଲି ଆଲୋଚନାକୁ ମୁଁ ଅନୁମୋଦନ କରିପାରୁ ନାହିଁ ଓ ପାଣ୍ଡବମାନଙ୍କର ବନ୍ଧୁତ୍ୱ ବୁଦ୍ଧି ସମ୍ପର୍କରେ ଆପଣ ଯେଉଁ ମତ ପ୍ରକାଶ କଲେ, ତାହା ମୋତେ ବିଶେଷ ଚିନ୍ତିତ କରିଅଛି ।’’

 

ଧୃତରାଷ୍ଟ୍ର କହିଲେ; ‘‘ମୁଁ ତୁମ କଥାରେ ଏକମତ । ବିଦୁରଙ୍କ ନିକଟରେ ଖୋଲାଖୋଲି ଆଲୋଚନା କରିବାକୁ ମୁଁ ମଧ୍ୟ ଚାହେଁ ନାହିଁ; କେବଳ ଲୋକ ଦେଖାଣିଆ ଭାବରେ ତାଙ୍କ ନିକଟରେ ପାଣ୍ଡବଙ୍କର ପ୍ରଶଂସା କରିଥାଏ । ବାସ୍ତବିକ ତୁମ୍ଭମାନଙ୍କର ଅଭିଳାଷ ହିଁ ମୋର ଅଭିଳାଷ । ତୁମେ କ’ଣ ଚାହଁ ପ୍ରକାଶ କର ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ପାଣ୍ଡବମାନଙ୍କୁ ଜୀବିତାବସ୍ଥାରେ ଦେଖିବା ଓ ଦ୍ରୌପଦୀଙ୍କ ସହ ଦ୍ରୁପଦଙ୍କୁ ବନ୍ଧୁ ଭାବରେ ପାଇବା ପରଠାରୁ ମୁଁ ଆମର ଭବିଷ୍ୟତ ସମ୍ପର୍କରେ ବିଶେଷ ଚିନ୍ତିତ ହୋଇଅଛି । ଆମର ସୁଖମୟ ଭବିଷ୍ୟତ ଦୃଷ୍ଟିରୁ ପାଣ୍ଡବମାନଙ୍କର ସମ୍ପୂର୍ଣ୍ଣ ପରାଭବ ମୋର କାମ୍ୟ-। ମୁଁ ଭାବୁଚି ସୁନିପୁଣ ବିଶିଷ୍ଟ ବ୍ରାହ୍ମଣମାନଙ୍କ ସାହାଯ୍ୟରେ କୁନ୍ତୀ-ପୁତ୍ର ଓ ମାଦ୍ରୀ-ପୁତ୍ରଙ୍କ ମଧ୍ୟରେ କଳହ ସୃଷ୍ଟି କରି ସେମାନଙ୍କର ଏକତାକୁ ନଷ୍ଟ କରିଦେବା; ନଚେତ୍‌ ପ୍ରଚୁର ଧନ ପ୍ରଦାନ କରି ଦ୍ରୁପଦ, ତାଙ୍କ ପୁତ୍ର ଓ ସୈନ୍ୟମାନଙ୍କୁ ଆମର ବଶୀଭୂତ କରିବା । ତଦ୍ଦ୍ୱାରା ପାଣ୍ଡବମାନେ ବନ୍ଧୁତ୍ୱବିହୀନ ହେବା ସଙ୍ଗେ ସଙ୍ଗେ ବାସଶୂନ୍ୟ ହେବେ ଓ ଏପରି ସହାୟହୀନ ଅବସ୍ଥାରେ ହସ୍ତିନାକୁ ଫେରିବାକୁ ନିରାପଦ ମନେକରିବେ ନାହିଁ । କୌଶଳ କ୍ରମେ ଦ୍ରୌପଦୀଙ୍କ ନିକଟରେ ତାଙ୍କର ପତିମାନଙ୍କର ଦୋଷ ଦୁର୍ବଳତା କୀର୍ତ୍ତନ କଲେ ଦ୍ରୌପଦୀଙ୍କର ସ୍ନେହରୁ ପାଣ୍ଡବମାନେ ବଞ୍ଚିତ ହୋଇନିଜର ଉଚ୍ଚ ଅଭିଳାଷ ପରିହାର କରି ପରମଦୁଃଖରେ କାଳାତିପାତ କରିବେ-। କୌଶଳକ୍ରମେ ଭୀମସେନକୁ ହତ୍ୟା କରିପାରିଲେ ସବୁ ସରିଯାନ୍ତା; କାରଣ ଭୀମ ଚାଲିଗଲେ, ପାଣ୍ଡବମାନେ ଦୁର୍ବଳ ଓ ହତୋତ୍ସାହିତ ହୋଇପଡ଼ିବେ । ଆଉ ଗୋଟାଏ କଥା ମୁଁ ଭାବୁଛି ଯେ ଆପଣ ହସ୍ତିନାପୁରକୁ ପାଣ୍ଡବଙ୍କୁ ପାଛୋଟି ଆଣନ୍ତୁ; ଏଠାରେ ଅବସ୍ଥାନ କରୁଥିବା ସମୟରେ କୌଶଳକ୍ରମେ ଆମେ ସେମାନଙ୍କୁ ନିହତ କରିବା । ତେଣୁ ଆଉ ଅଧିକ ସମୟ ନଷ୍ଟ ନ କରି ଏହି ଉପାୟମାନଙ୍କ ମଧ୍ୟରୁ ଯେଉଁଟିକୁ ଆପଣ ଉପଯୁକ୍ତ ମନେକରୁଅଛନ୍ତି, ତଦନୁସାରେ କାର୍ଯ୍ୟ କରନ୍ତୁ-। ଆଚ୍ଛା କର୍ଣ୍ଣ, ଏ ବିଷୟରେ ତୁମେ କ’ଣ ଭାବୁଛ ?’’

 

କର୍ଣ୍ଣ କହିଲେ, ‘‘ଦୁର୍ଯ୍ୟୋଧନ, ତୁମର ଏହି ପ୍ରସ୍ତାବଗୁଡ଼ିକ ଆଦୌ ଯୁକ୍ତିଯୁକ୍ତ ନୁହେଁ । କୌଶଳକ୍ରମେ ପାଣ୍ଡବମାନଙ୍କର ଅନିଷ୍ଟ ସାଧନର ଚେଷ୍ଟା ଏକାବେଳକେ ଅସମ୍ଭବ । ହସ୍ତିନାପୁରରେ ପାଣ୍ଡବମାନେ ସହାୟହୀନ ହୋଇବାସ କରୁଥିବା ସମୟରେ ସେମାନଙ୍କୁ ନିହତ କରିବାପାଇଁ ତୁମେ କେତେ ଚେଷ୍ଟା କେତେ ଉଦ୍ୟମ ନ କରିଛ ? କିନ୍ତୁ ଫଳରେ ବ୍ୟର୍ଥତା ହିଁ ସାର ହେଲା । ତେଣୁ ପାଣ୍ଡବମାନେ ଏଠାକୁ ଆସିଲେ ତୁମେ ତାଙ୍କୁ କୌଶଳ କରି ହତ୍ୟା କରିବ, ଏ ଚିନ୍ତା ଏକାନ୍ତ ଅମୂଳକ । ଭାଗ୍ୟ ବଳରେ ସକଳ ବାଧା ଓ ବିପଦରୁ ନିଜକୁ ରକ୍ଷା କରି ସେମାନେ ନିଜର ପିତୃତ୍ୟକ୍ତ ରାଜପଦ ପାଇଁ ଯେ କେବଳ ଇଚ୍ଛୁକ ହୋଇଛନ୍ତି ତାହା ନୁହେଁ, ଯୋଗ୍ୟ ମଧ୍ୟ ହୋଇଅଛନ୍ତି । ପାଞ୍ଚଭାଇ ସ୍ୱତଃ ପ୍ରବୃତ୍ତ ହୋଇଗୋଟିଏ ସ୍ତ୍ରୀକୁ ବିବାହ କରି ପତ୍ନୀ ସହ ସନ୍ତୁଷ୍ଟ ଥିବା ବେଳେ ସେମାନଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ସୃଷ୍ଟି କରିବା ସହଜ ବିଷୟ ନୁହେଁ । ବହୁ ପତିଜନିତ ସୁଖାନୁଭୁତି ସ୍ତ୍ରୀ ଲୋକମାନଙ୍କର ଅତି ଆଦରଣୀୟ ବିଷୟ । ବିନା ଚେଷ୍ଟାରେ ଦ୍ରୌପଦୀ ଯେତେବେଳେ ସେହି ରମଣୀକୁଳବାଞ୍ଛିତ ବିରଳ ଦାମ୍ପତ୍ୟ ସୁଖ ଲାଭ କରିଅଛନ୍ତି, ସେତେବେଳେ ତାଙ୍କ ମନରେ ପତିବିଦ୍ୱେଷ ଭାବ ସୃଷ୍ଟି କରିବାକୁ ଆପଣ ଶତଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ପାଞ୍ଚାଳ ରାଜା ଅତି ଧାର୍ମିକ, ଲୋଭଶୂନ୍ୟ । ତାଙ୍କର ପୁତ୍ର ମଧ୍ୟ ଗୁଣବାନ; ତେଣୁ ଧନଦ୍ୱାରା ତାଙ୍କୁ ବଶୀଭୂତ କରିବା ଓ ସେମାନଙ୍କୁ ପାଣ୍ଡବବିଦ୍ୱେଷୀ କରାଇବାର ଚିନ୍ତା ଦିବାସ୍ୱପ୍ନ । ଏପରିସ୍ଥଳେ, ସେମାନଙ୍କୁ ଯୁଦ୍ଧରେ ବିନାଶ କରିବା ହିଁ ଏକମାତ୍ର ଶ୍ରେୟସ୍କର ପନ୍ଥା । ବିଭିନ୍ନ ରାଜା ଓ କ୍ଷତ୍ରିୟବୀରମାନଙ୍କ ସହ ସେମାନଙ୍କର ବନ୍ଧୁତା ପ୍ରତିଷ୍ଠିତ ଓ ବୃଦ୍ଧିପ୍ରାପ୍ତ ହେବା ପୂର୍ବରୁ ସମର ପ୍ରାଙ୍ଗଣରେ ସେମାନଙ୍କର ସମ୍ମୁଖୀନ ହେବା ସମୀଚୀନ । ବିକ୍ରମ ହିଁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଧର୍ମ; ତେଣୁ ବିକ୍ରମ ପ୍ରକାଶ କରି ସେମାନଙ୍କ ସମରାଙ୍ଗନରେ ପରାଭୂତ କରି ତଦ୍ଦ୍ୱାରା ରାଜପଦକୁ ନିଷ୍କଣ୍ଟକ କରିବା ହିଁ ଗ୍ରହଣୀୟ ପନ୍ଥା । ଏହା ବ୍ୟତୀତ ପାଣ୍ଡବମାନଙ୍କୁ ପରାଜିତ କରିବାର ଅନ୍ୟ ଉପାୟ ମୁଁ ଦେଖୁ ନାହିଁ ।’’

 

ଧୃତରାଷ୍ଟ୍ର କହିଲେ, ‘‘ମହାବୀର କର୍ଣ୍ଣ, ତୁମ ମୁଖରେ ଏପରି ବିକ୍ରମସମ୍ପନ୍ନ ବାକ୍ୟ ଉଚ୍ଚାରଣ ଯଥାର୍ଥ ଅଟେ । ତେବେ ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କ ସହ ପରାମର୍ଶ କରି ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ସମୀଚୀନ ହେବ ।

 

ମନ୍ତ୍ରଣା ଉଦ୍ଦେଶ୍ୟରେ ଭୀଷ୍ମ ଆହୂତ ହୋଇ ଧୃତରାଷ୍ଟ୍ରଙ୍କୁ କହିଲେ, ‘‘ପାଣ୍ଡବମାନଙ୍କ ସହ ସଂଗ୍ରାମ କରିବା ମୋର ଅଭିମତ ନୁହେଁ । ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ ପ୍ରମୁଖଙ୍କୁ ମୁଁ ସମାନ ଚକ୍ଷୁରେ ଦେଖି ଆସିଅଛି । ମୋ ନିକଟରେ କେହି ନ୍ୟୂନ ନୁହନ୍ତି; ତେଣୁ ସେମାନଙ୍କ ସହ ଯୁଦ୍ଧ କରିବା ଏକାନ୍ତ ଅବିଧେୟ । ଦୁର୍ଯ୍ୟୋଧନ ଯେପରି ଏହାକୁ ନିଜର ପିତୃରାଜ୍ୟ ବୋଲି ଦାବି କରୁଅଛି, ପାଣ୍ଡବମାନଙ୍କ ପକ୍ଷରୁ ଅନୁରୂପ ଦାବି ଅଯୁକ୍ତିକର ନୁହେଁ । ଯଶସ୍ୱୀ ପାଣ୍ଡବମାନେ ଯଦି ରାଜପଦ ପ୍ରାପ୍ତିରୁ ବଞ୍ଚିତ ହୁଅନ୍ତି, ତେବେ କେଉଁ ଶାସ୍ତ୍ର କେଉଁ ନୀତି ନିୟମ ଅନୁସାରେ ଦୁର୍ଯ୍ୟୋଧନ ତାହା ଲାଭ କରିପାରିବେ, ମୁଁ ବୁଝିପାରୁ ନାହିଁ । ତେଣୁ ଏହି ପରିକଳ୍ପିତ ଅପ୍ରୋୟଜନୀୟ ବିବାଦରେ ଅଯଥା ଆଗ୍ରହ ପ୍ରକାଶ ନ କରି ପାଣ୍ଡବଙ୍କ ହସ୍ତରେ ଅର୍ଦ୍ଧେକ ରାଜ୍ୟ ଅର୍ପଣ କରିଦେବା ହିଁ ହିତକର-। ଏହି ମୀମାଂସାର ଅନ୍ୟଥା କରାଗଲେ ଆପଣଙ୍କର ଅପଯଶ ଘୋଷିତ ହେବ । ତେଣୁ କୀର୍ତ୍ତିରକ୍ଷା ଦିଗରେ ଯତ୍ନବାନ ହୁଅନ୍ତୁ । କୀର୍ତ୍ତି ହିଁ ମାନବ ଜାତିର ଅସାଧାରଣ ବଳ । କୀର୍ତ୍ତି ବିହୀନ ବନୁଷ୍ୟର ଜୀବନ ବିଡ଼ମ୍ୱନାର ବିଷୟ । ପୁରୋଚନ ସାହାଯ୍ୟରେ ପାଣ୍ଡବମାନଙ୍କୁ ସପରିବାର ନିହିତ କରିବାର ଚକ୍ରାନ୍ତରେ ଦୁର୍ଯ୍ୟୋଧନ ବ୍ୟର୍ଥକାମ ହୋଇ ପ୍ରଜାମାନଙ୍କ ଦ୍ୱାରା ସମାଲୋଚିତ ହେଉଅଛି ଏବଂ ସେହି ନିର୍ମମ ଚକ୍ରାନ୍ତର କଥା ଉଦ୍‌ଘାଟିତ ହେବା ଦିନଠାରୁ ମୁଁ ଜନସମାଜରେ ମୁହଁ ଟେକିପାରୁ ନାହିଁ । ତେଣୁ ଦୁର୍ଯ୍ୟୋଧନର ଯଦି ଧର୍ମ ପ୍ରତି ମମତା ଥାଏ ଏବଂ ମୋର ପ୍ରିୟ କାର୍ଯ୍ୟ ସମ୍ପାଦନ କରିବାକୁ ତା’ର ଆଗ୍ରହ ଥାଏ ଓ ସେ ଯଦି ବଂଶର ମଙ୍ଗଳ ଚାହୁଁ ଥାଏ, ତେବେ କାଳବିଳମ୍ୱ ନକରି ପାଣ୍ଡବମାନଙ୍କୁ ଏଠାକୁ ପାଛୋଟି ଆଣି ଅର୍ଦ୍ଧେକ ରାଜ୍ୟ ସେମାନଙ୍କ ହସ୍ତରେ ଅର୍ପଣ କରିଦିଅ-। ଏହି ରାଜ୍ୟ ତଥା ରାଜପଦ ଉପରେ କୌରବ ପାଣ୍ଡବ ଉଭୟଙ୍କର ଅନୁରୂପ ଅଧିକାର ରହିଅଛି-।’’

 

ଦ୍ରୋଣ ମତ ପ୍ରକାଶ କଲେ, ‘‘ମହାରାଜ ! ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମନ୍ତ୍ରଣା ଉଦ୍ଦେଶ୍ୟରେ ଆହୂତ ହିତୈଷୀ ପୁରୁଷମାନେ ଧର୍ମସଙ୍ଗତ ଓ ଯଶସ୍କର କଥା ପ୍ରକାଶ କରିଥାନ୍ତି । ତେଣୁ ଏହି ନିୟମର ବଶବର୍ତ୍ତୀ ହୋଇ ମୁଁ ମହାତ୍ମା ଭୀଷ୍ମଙ୍କର ମତ ସହ ସମ୍ପୂର୍ଣ୍ଣ ଏକମତ ଥିବା ପ୍ରକାଶ କରୁଅଛି । କୁନ୍ତୀପୁତ୍ରମାନଙ୍କୁ ରାଜ୍ୟରୁ ଭାଗ ଦେବା ହିଁ ସମୀଚୀନ ଏବଂ ତଦ୍ଦ୍ୱାରା ସନାତନ ଧର୍ମ ପାଳିତ ହେବ ।’’

 

କର୍ଣ୍ଣ କହିଲେ, ‘‘ମହାରାଜ ! ଧନ ଓ ମାନ ଦ୍ୱାରା ଯେଉଁମାନଙ୍କୁ ଆପଣ ବିଶେଷ ସମ୍ମାନ ଦେଇ ଆସିଅଛନ୍ତି ଓ ସମସ୍ତ କାର୍ଯ୍ୟରେ ଯେଉଁମାନଙ୍କର ପରାମର୍ଶ ଆପଣ ଲୋଡ଼ି ଆସିଅଛନ୍ତି; ସେହି ଭୀଷ୍ମ ଓ ଦ୍ରୋଣ ଯେ ଆପଣଙ୍କୁ ଆଜି ସତ୍‌ପରାମର୍ଶ ଦେଲେ ନାହିଁ, ଏହାଠାରୁ ଶୋଚନାର ବିଷୟ ଆଉ କିଛି କାହିଁ । ମନରେ ଦୁଷ୍ଟ ଚିନ୍ତା ଓ କାମନା ପୋଷଣ କରି ପ୍ରକାଶ୍ୟରେ ହିତୋପଦେଶ ଦେବା ବ୍ୟକ୍ତି କେବେ ସାଧୁବ୍ୟକ୍ତି ଭାବରେ ଗଣ୍ୟ ହୁଏ ନାହିଁ । ଭାଗ୍ୟରେ ଯଦି ଥାଏ, ସମସ୍ତ ପୃଥିବୀ ଦୁର୍ଯ୍ୟୋଧନଙ୍କର ବିରୋଧୀ ହେଲେ ମଧ୍ୟ ରାଜ୍ୟଲାଭ ସୌଭାଗ୍ୟରୁ କେହି ତାଙ୍କୁ ବଞ୍ଚିତ କରିପାରିବ ନାହିଁ ।’’

 

କର୍ଣ୍ଣଙ୍କର ଏହି ସମାଲୋଚନାମୂଳକ ଆକ୍ଷେପୋକ୍ତିରେ ଦ୍ରୋଣ କ୍ଷୁବ୍ଧ ହୋଇ କହିଲେ, ‘‘କର୍ଣ୍ଣ, ତୁମେ ପାଣ୍ଡବ-ବିଦ୍ୱେଷୀ ଥିବାରୁ ନିଜେ ସ୍ୱଭାବଦୋଷର ବଶବର୍ତ୍ତୀ ହୋଇ ଆମ ପ୍ରତି ଏପରି ଦୋଷାରୋପ କରୁଅଛ । ମୋର ବାକ୍ୟ ପରମ ହିତକର । ମୋର ପରାମର୍ଶ ଯଦି ତୁମ ବିଚାରରେ ଦୁଷ୍ଟବାକ୍ୟ ହୋଇଥାଏ, ତେବେ ତା ଅପେକ୍ଷା ସତ୍‌-ପରାମର୍ଶ ତୁମେ ଦେଇପାର । କିନ୍ତୁ ସ୍ମରଣ ରଖିଥାଅ, ଆମ ପରାମର୍ଶର ଅନ୍ୟଥା ହେଲେ କୁରୁବଂଶର ଧ୍ୱଂସ ଅନିର୍ବାର୍ଯ୍ୟ ହୋଇଉଠିବ ।’’

 

ବିଦୁର କହିଲେ, ‘‘ମହାରାଜ ! ହିତୈଷୀ ବ୍ୟକ୍ତିମାନେ; ଆପଣଙ୍କୁ ହିତୋପଦେଶ ପ୍ରଦାନ କରିବେ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ସେ ସବୁ ସାଧୁ ପରାମର୍ଶ ଗ୍ରହଣ କରିବାପାଇଁ ଆପଣଙ୍କର ଧୈର୍ଯ୍ୟ ଥିବା ପ୍ରୟୋଜନ । କୁରୁପ୍ରଧାନ ଭୀଷ୍ମ ଓ ଦ୍ରୋଣାଚାର୍ଯ୍ୟଙ୍କ ପ୍ରଦତ୍ତ ପରାମର୍ଶ ପ୍ରକୃତରେ ହିତକର । ବିଦ୍ୟା, ବୁଦ୍ଧି ଓ ବୟସରେ ସର୍ବାପେକ୍ଷା ଶ୍ରେଷ୍ଠ ଓ କୁରୁ ପାଣ୍ଡବଙ୍କ ପ୍ରତି ସମଭାବପୋଷଣକାରୀ ଭୀଷ୍ମ ସତ୍ୟାଚରଣ ଓ ଧର୍ମାନୁଷ୍ଠାନ ବିଷୟରେ ରାମଙ୍କ ଠାରୁ ନ୍ୟୂନ ନୁହେନ୍ତି । ସେ ଚିରଦିନ ଆପଣଙ୍କର ଅହିତ ଚିନ୍ତା କରିବେ, ଏପରି ଭାବନାକୁ ମନରେ ସ୍ଥାନ ଦେବା ବାସ୍ତବିକ ଅଶ୍ରଦ୍ଧେୟ । ମହାରାଜ, ଦୁର୍ଯ୍ୟୋଧନ ପ୍ରମୁଖ ଯେପରି ଆପଣଙ୍କର ପୁତ୍ର, ପାଣ୍ଡବମାନେ ମଧ୍ୟ ସେହି ପରି ପୁତ୍ରସ୍ଥାନୀୟ । ଏହି ଦୃଷ୍ଟିରୁ ବିଚାର କରି ଆପଣଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ପୁତ୍ରମାନଙ୍କର ସ୍ୱାର୍ଥପ୍ରତି ଯଦି ଆପଣଙ୍କ ମନରେ କୌଣସି ବିଶେଷ କାମନା ଓ ଅଭିସନ୍ଧି ଥାଏ ଏବଂ ମନ୍ତ୍ରୀମାନେ ଯଦି ଆପଣଙ୍କର ସେହି ମାନସିକ ଦୁର୍ବଳତାର ସୁଯୋଗ ନେଇ ତଦନୁସାରେ ମନ୍ତ୍ରଣା ଦିଅନ୍ତି, ତାହା କେବେ ହିତକର ହେବ ନାହିଁ । ମହାତ୍ମା ଭୀଷ୍ମ ଓ ଦ୍ରୋଣାଚାର୍ଯ୍ୟ ସେଥିପାଇଁ ଆପଣଙ୍କର ମନୋଗତ ଭାବ ଜାଣିବାକୁ କୌତୂହଳୀ ନ ହୋଇ ନିର୍ବିକାର ଭାବରେ ସତ୍‌-ପରାମର୍ଶ ହିଁ ପ୍ରଦାନ କରିଅଛନ୍ତି । ମହାରାଜା, ମହାବୀର ପାଣ୍ଡବମାନେ ବାସ୍ତବିକ ଅଜେୟ । ତା’ଛଡ଼ା କୃଷ୍ଣଙ୍କ ପରି ମନ୍ତ୍ରଣାଦାତା, ପାଞ୍ଚାଳ ରାଜାଙ୍କ ପରି ଶ୍ୱଶୁର, ମହାବଳ ପରାକ୍ରାନ୍ତ ଧୃଷ୍ଟଦୂମ୍ନଙ୍କ ପରି ଶ୍ୟାଳକ ଲାଭ କଲା ପରେ ପାଣ୍ଡବମାନଙ୍କ ପକ୍ଷରେ ସସାଗରା ଧରାକୁ ଜୟ କରିବା ଅତି ସହଜସାଧ୍ୟ ହୋଇଅଛି । ଭୀଷ୍ମ ଓ ଦ୍ରୋଣଙ୍କ ପ୍ରଦତ୍ତ ପରାମର୍ଶାନୁସାରେ ପାଣ୍ଡବମାନଙ୍କ ପ୍ରତି ସସ୍ନେହ ଅନୁଗ୍ରହ ପ୍ରକାଶ କରି ଜତୁଗୃହ ଦାହଜନିତ ପ୍ରଚାରିତ କଳଙ୍କରୁ ସପରିବାର ମୁକ୍ତ ହୁଅନ୍ତୁ । ଯେଉଁ କାର୍ଯ୍ୟ ସନ୍ଧି ଦ୍ୱାରା ସମ୍ଭବ, ହତଭାଗ୍ୟମାନେ ସେଥି ପାଇଁ ଯୁଦ୍ଧର ସ୍ୱପ୍ନ ଦେଖିଥାନ୍ତି । ମହାରାଜା, ପାଣ୍ଡବମାନେ ଜୀବିତ ଅଛନ୍ତି ଶୁଣିବା ପରେ ପୁରବାସୀମାନେ ସେମାନଙ୍କୁ ଦେଖିବାକୁ ବିଶେଷ ଉତ୍କଣ୍ଠିତ ଓ ଉତ୍ସୁକ ହୋଇଅଛନ୍ତି । ତେଣୁ ପାଣ୍ଡବମାନଙ୍କୁ ଏଠାକୁ ଆଣି ସେମାନଙ୍କର ପ୍ରୀତିବର୍ଦ୍ଧନ କରନ୍ତୁ । ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନୀ ପ୍ରଭୃତି ନିତାନ୍ତ ଅଧାର୍ମିକ, ଦୁର୍ବୁଦ୍ଧିସମ୍ପନ୍ନ ଓ ବୟସରେ ଅପରିପକ୍ୱ । ସେମାନଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ । ମୁଁ ବହୁବାର କହିଅଛି, ପୂର୍ବରୁ ପ୍ରତିକାର ନ କଲେ ଦୁର୍ଯ୍ୟୋଧନର ଅପରାଧରେ ଦିନେ ନା ଦିନେ ଏହି ସୁବିଶାଳ ରାଜବଂଶ ଉଚ୍ଛନ୍ନ ହୋଇଯିବ ।’’

 

ଧୃତରାଷ୍ଟ୍ର ଏ ସମସ୍ତ କଥା ଶୁଣି ଶେଷରେ କହିଲେ, ‘‘ବିଦୁର ! ଭୀଷ୍ମ ଓ ଦ୍ରୋଣ ଯେଉଁ ପରାମର୍ଶ ଦେଇଅଛନ୍ତି ତାହା ଯେପରି ଶ୍ରେୟ, ତୁମେ ଯାହା କହିଲ ତାହା ମଧ୍ୟ ସତ୍ୟ । ମହାବୀର ମାଣ୍ଡବମାନେ ଯେପରି ପାଣ୍ଡୁଙ୍କର ପୁତ୍ର, ଧର୍ମତଃ ମୋର ମଧ୍ୟ ସେମାନେ ପୁତ୍ରତୁଲ୍ୟ । ମୋର ପୁତ୍ରମାନଙ୍କ ପରି ପାଣ୍ଡବମାନେ ମଧ୍ୟ ଏହି ରାଜ୍ୟର ଅଧିକାରୀ । ତେଣୁ ବିଦୁର; ତୁମେ ନିଜେ ଯାଇ ପାଣ୍ଡବମାନଙ୍କୁ ସପରିବାରେ ଏଠାକୁ ନେଇଆସ । ଆମ୍ଭମାନଙ୍କର ସୌଭାଗ୍ୟ ଯେ କୁନ୍ତୀଙ୍କ ସହ ପାଣ୍ଡବମାନେ ଜୀବିତ ଅଛନ୍ତି ଓ ଦ୍ରୌପଦୀଙ୍କୁ ଲାଭ କରି ଅଛନ୍ତି ।’’

 

ବିଦୁରଙ୍କ ମାଧ୍ୟମରେ ଧୃତରାଷ୍ଟ୍ରଙ୍କର ନିମନ୍ତ୍ରଣ ପାଣ୍ଡବମାନଙ୍କ ନିକଟରେ ପହଞ୍ଚିବା ପରେ ଦ୍ରୁପଦ ଓ କୃଷ୍ଣଙ୍କର ପରାମର୍ଶ ଗ୍ରହଣ କରି ପାଣ୍ଡବମାନେ ସପରିବାର ହସ୍ତିନାକୁ ଫେରିଆସିଲେ । ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କଲେ ଓ ଖାଣ୍ଡବ ପ୍ରସ୍ଥରେ ଇନ୍ଦ୍ରପ୍ରସ୍ଥ ନାମରେ ନୂତନ ରାଜଧାନୀ ବସାଇ ପାଣ୍ଡବମାନେ ଉତ୍ତମ ରୂପେ ରାଜ୍ୟ ଶାସନ କରିବାକୁ ଲାଗିଲେ । ପାଣ୍ଡବମାନଙ୍କ ଶାସିତ ରାଜ୍ୟ ଅଳ୍ପଦିନ ମଧ୍ୟରେ ସବୁ ଦିଗରୁ ଏପରି ସମୃଦ୍ଧିଶାଳୀ ହୋଇଉଠିଲା ଯେ, କ୍ରମେ କ୍ରମେ ନାନା ଦେଶରୁ ସର୍ବ ବେଦବେତ୍ତା ବ୍ରାହ୍ମଣ ଗଣ, ସର୍ବ ଭାଷାବିଶାରଦ ପଣ୍ଡିତ ଗଣ, ଧନାକାଙ୍‌କ୍ଷୀ ବଣିକଗଣ ଓ ଶିଳ୍ପୋପଜୀବୀ ସୁନିପୁଣ ବ୍ୟକ୍ତିଗଣ ଆସି ପାଣ୍ଡବଙ୍କ ରାଜ୍ୟରେ ବାସ କରିବାକୁ ଲାଗିଲେ । କିଛି ଦିନ ମଧ୍ୟରେ ମହାରାଜା ଯୁଧିଷ୍ଠିର ରାଜସୂୟ ଯଜ୍ଞ ଅନୁଷ୍ଠାନ କରି ରାଜ ଚକ୍ରବର୍ତ୍ତୀ ପଦରେ ବିଭୂଷିତ ହେଲେ ।

Image

 

ଦୁର୍ଯ୍ୟୋଧନର ମନ୍ତ୍ରଣା ଓ ଦ୍ୟୂତକ୍ରୀଡ଼ା

 

ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞ ଶେଷ ହେବା ପରେ ବ୍ୟାସଦେବ ପାଣ୍ଡବଙ୍କ ନିକଟରେ ଉପସ୍ଥିତ ହୋଇ ଯୁଧିଷ୍ଠିରଙ୍କୁ କହିଲେ, ‘‘ରାଜେନ୍ଦ୍ର ! ଆଗାମୀ ତେରବର୍ଷ ମଧ୍ୟରେ ନାନା ପ୍ରକାର ଅଶୁଭ ଘଟଣାମାନ ଘଟିବ ଏବଂ ତୁମକୁ ଉପଲକ୍ଷ୍ୟ କରି ଦୁର୍ଯ୍ୟୋଧନର ଅପରାଧରେ ଓ ଭୀମସେନଙ୍କର ବାହୁବଳରେ ସମସ୍ତ କ୍ଷତ୍ରିୟବୀରମାନେ କ୍ଷୟପ୍ରାପ୍ତ ହେବେ । କାଳର ଗତିକୁ କେହି ଅନ୍ୟଥା କରିପାରିବେ ନାହିଁ ।’’

 

ବ୍ୟାସଦେବଙ୍କ ଭବିଷ୍ୟତ ବାଣୀ ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇପଡ଼ିଲେ । ପରେ ଭାଇମାନଙ୍କୁ ସମ୍ୱୋଧନ କରି ବ୍ୟାସଦେବଙ୍କ କଥା ବର୍ଣ୍ଣନା କରି କହିଲେ, ‘‘ହେ ପୁରୁଷଶ୍ରେଷ୍ଠବୃନ୍ଦ, ବ୍ୟାସଦେବଙ୍କର ଏହି ଭବିଷ୍ୟତବାଣୀ ଶୁଣିବା ପରେ ପ୍ରାଣ ଧାରଣ କରି ରହିବାକୁ ମୁଁ ଇଚ୍ଛା କରୁନାହିଁ । ମୋ’ ପାଇଁ ଯଦି କ୍ଷତ୍ରିୟମାନଙ୍କର ବିନାଶ ଘଟେ, ତେବେ ମୋର ଏ ଜୀବନରେ ଆଉ କି ପ୍ରୟୋଜନ ଅଛି ?’’

 

ଯୁଧିଷ୍ଠିରଙ୍କର ଏହି ଅପରିଣାମଦର୍ଶୀ ଭାବପ୍ରବଣ ସିଦ୍ଧାନ୍ତରୁ କାୟମନୋବାକ୍ୟରେ ନିବୃତ୍ତ କରିବାକୁ ଭାଇମାନେ ବହୁତ ବୁଝାଇବାରୁ ଯୁଧିଷ୍ଠିର କହିଲେ, ‘‘ବେଶ, ତୁମର ମଙ୍ଗଳ ହେଉ-। ଆଗାମୀ ତେରବର୍ଷର ଅନାଗତ ଦୁର୍ଗତ ପ୍ରତି ଦୃଷ୍ଟି ରଖି ମୁଁ ପ୍ରତିଜ୍ଞା କରୁଛି ଯେ, ଭାଇ, ଜ୍ଞାତି ଓ ବନ୍ଧୁମାନଙ୍କପ୍ରତି କଟୁବାକ୍ୟ ପ୍ରୟୋଗ କରିବି ନାହିଁ; ବରଂ ସେମାନଙ୍କର ଇଚ୍ଛାନୁସାରେ ସକଳ କାର୍ଯ୍ୟ କରି ସେମାନଙ୍କର ସୁଖ ବିଧାନ କରିବି ।’’ ଏହିପରି ପ୍ରତିଜ୍ଞା କରି ମହାରାଜ ଯୁଧିଷ୍ଠିର ପୂର୍ବପରି ରାଜକାର୍ଯ୍ୟରେ ମନୋନିବେଶ କଲେ ।

 

ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞକୁ ଶକୁନି ଓ ଦୁର୍ଯ୍ୟୋଧନ ପ୍ରମୁଖ ମଧ୍ୟ ନିମନ୍ତ୍ରିତ ହୋଇଆସିଥିଲେ । ମହାରାଜ ଯୁଧିଷ୍ଠିରଙ୍କର ନବନିର୍ମିତ ରାଜପ୍ରାସାଦର ଅପୂର୍ବ ସୌନ୍ଦର୍ଯ୍ୟ, ଯଜ୍ଞ ମଣ୍ଡପରେ ଯୁଧିଷ୍ଠିରଙ୍କ ଉଦ୍ଦେଶ୍ୟରେ ନୃପତିମାନଙ୍କ ଦ୍ୱାରା ପ୍ରଦତ୍ତ ବହୁମୂଲ୍ୟ ଉପହାରମାନ, ପାଣ୍ଡବଙ୍କର ସ୍ୱାଭାବିକ ମହତ୍‌ଗୁଣର ସର୍ବତ୍ର ପ୍ରଶଂସା, ରାଜ୍ୟର ଅପୂର୍ବ ସମୃଦ୍ଧି ସାଙ୍ଗକୁ ଯୁଧିଷ୍ଠିରଙ୍କ ପ୍ରତି ପ୍ରଜାମାନଙ୍କର ଅଚଳା ଭକ୍ତି ଓ ଆନୁଗତ୍ୟ ଆଦି ଦର୍ଶନ କରି ଦୁର୍ଯ୍ୟୋଧନ ଅତିମାତ୍ରାରେ ଈର୍ଷାନ୍ୱିତ ଓ ବିଷଣ୍ଣ ହୋଇପଡ଼ିଲେ ।

 

ବିଷଣ୍ଣତାର କାରଣ ସମ୍ପର୍କରେ ଶକୁନି ପ୍ରଶ୍ନ କରିବାରୁ ଦୁର୍ଯ୍ୟୋଧନ କହିଲେ, ‘‘ମାମୁଁ, ଦେବରାଜଙ୍କ ଯଜ୍ଞ ସଦୃଶ ଯୁଧିଷ୍ଠିରଙ୍କର ସେହି ଅତୁଳନୀୟ ମହାଯଜ୍ଞ ସମୟରେ ପୃଥିବୀର ସମସ୍ତ ଭୂପତିମାନେ ଯୁଧିଷ୍ଠିରଙ୍କଠାରେ ଯେପରି ଆନୁଗତ୍ୟ ପ୍ରକାଶ କଲେ, ବିବିଧ ରତ୍ନ ଓ ରତ୍ନପ୍ରସ୍ତୁତ ମହାମୂଲ୍ୟ ପଦାର୍ଥ ପ୍ରଦାନ କରି ଯୁଧିଷ୍ଠିରଙ୍କର ଯେପରି ଉପାସନା କଲେ, ତାହା ମୋର ଏକାନ୍ତ ଅସହ୍ୟ । ଆମର ରାଜ୍ୟ ଓ ଧନ ତୁଳନାରେ ଶତ୍ରୁପକ୍ଷ ପାଣ୍ଡବମାନଙ୍କର ଏହି ଅତୁଳନୀୟ ସମୃଦ୍ଧିକୁ ମୁଁ ସହ୍ୟ କରିପାରୁ ନାହିଁ । ଭାଗ୍ୟଠାରୁ ବଡ଼ ଆଉ କିଏ ଅଛି ? ଯେଉଁମାନଙ୍କୁ ସମୂଳେ ବିନାଶ କରିବାକୁ ଯତ୍ନ କରିଥିଲି, ସେହିମାନେ ଦୈବର ଆଶୀର୍ବାଦରେ ସମସ୍ତ ବିପଦରୁ ରକ୍ଷା ପାଇ ଆଜି ଏପରି ସମୃଦ୍ଧିବନ୍ତ । ଏ କଥା ମୁଁ ଭାବିପାରୁ ନାହିଁ । ଏହି ଅସହ୍ୟ ଯନ୍ତ୍ରଣା ମଧ୍ୟରେ ମୁଁ ଆଜି ଅସହାୟ । ପ୍ରାଣତ୍ୟାଗ ଛଡ଼ା ଅନ୍ୟ ଉପାୟ ଦେଖୁନାହିଁ ।’’

 

ଶକୁନି କହିଲେ, ‘‘ଦୁର୍ଯ୍ୟୋଧନ ! ପାଣ୍ଡବଙ୍କର ଏସବୁ ନିଜସ୍ୱ ଅର୍ଜିତ ବିଷୟରେ ତୁମର ଏପରି ଈର୍ଷା ପ୍ରକାଶ ଶୋଭାପାଏ ନାହିଁ । ନିଜକୁ ଅସହାୟ କାହିଁକି ମନେ କାରୁଅଛ ? ତୁମକୁ ସାହାଯ୍ୟ କରିବାପାଇଁ ତୁମର ଅନୁଗତ ଭାଇମାନଙ୍କ ସହ ମହାବୀର ଦ୍ରୋଣ, ଅଶ୍ୱତ୍‌ଥାମା, କର୍ଣ୍ଣ ପ୍ରମୁଖ ଆମ୍ଭେମାନେ ବିଦ୍ୟମାନ । ତୁମେ ଚାହିଁଲେ ସମସ୍ତ ପୃଥିବୀକୁ ଅନାୟାସରେ ଜୟ କରିପାରିବ ।

 

ଦୁର୍ଯ୍ୟୋଧନ ମାମୁଁଙ୍କ କଥାରେ ଉତ୍ସାହିତ ହୋଇକହିଲେ, ‘‘ତେବେ ଆଜିରେ ମୋତେ ଅନୁମତି ଦିଅନ୍ତୁ ମୁଁ ପାଣ୍ଡବମାନଙ୍କୁ ପରାଜିତ କରି ସମସ୍ତ ରାଜ୍ୟ ଓ ସମ୍ପତ୍ତିର ଅଧିପତି ହେବି ।’’

 

ଶକୁନି କହିଲେ, ‘‘କେବଳ ଜୟ କରିବାକୁ ଚାହିଁଲେ, ଯୁଦ୍ଧରେ ବିଜୟ ମିଳେ ନାହିଁ । ସେଥିପାଇଁ ଉପଯୁକ୍ତ ସାମର୍ଥ୍ୟ ଥିବା ପ୍ରୟୋଜନ । ମହାଧନୁର୍ଦ୍ଧର ପାଣ୍ଡବମାନେ ଦ୍ରୁପଦଙ୍କ ସହାୟତାରେ ଅଜେୟ ହୋଇଉଠିଛନ୍ତି । ସମ୍ମୁଖଯୁଦ୍ଧରେ ସେମାନଙ୍କୁ ଜୟ କରିବାର ଆଶା ନାହିଁ, ତେଣୁ କୌଶଳକ୍ରମେ ସେମାନଙ୍କୁ କିପରି ପରାଜିତ କରିବାକୁ ହେବ ସେ ସମ୍ପର୍କରେ ମୁଁ ଏକ ଉପାୟ ସ୍ଥିର କରିଅଛି । ଭଲ ଖେଳି ଜାଣିନଥିଲେ ମଧ୍ୟ ରାଜା ଯୁଧିଷ୍ଠିର ଅତିମାତ୍ରାରେ ଦ୍ୟୂତପ୍ରିୟ । ତେଣୁ ପଶାଖେଳକୁ ନିମନ୍ତ୍ରଣ ପାଇଲେ ସେ ନ ଆସି ରହିପାରିବେ ନାହିଁ । ପଶାଖେଳରେ ମୁଁ ଅତି ଦକ୍ଷ, ଏପରି କି ମୋ’ ସମକକ୍ଷ ଖେଳାଳୀ ସମଗ୍ର ପୃଥିବୀରେ ବିରଳ । ତେଣୁ ଯୁଧିଷ୍ଠିରଙ୍କୁ ଦ୍ୟୂତକ୍ରୀଡ଼ାକୁ ନିମନ୍ତ୍ରଣ କର । ତୁମ ପକ୍ଷରୁ ମୁଁ ଖେଳି ଯୁଧିଷ୍ଠିରଙ୍କୁ ଦ୍ୟୂତରେ ପରାସ୍ତ କରି ତାଙ୍କର ସକଳ ସମ୍ପତ୍ତି ଓ ରାଜ୍ୟ ଜୟ କରି ଆଣିବି । ତେଣୁ ଏ ବିଷୟରେ ବାପାଙ୍କଠାରୁ ଅନୁମତି ନିଅ ।’’

 

ଶକୁନିଙ୍କ ପରାମର୍ଶ ଅନୁସାରେ ପିତା ଧୃତରାଷ୍ଟ୍ରଙ୍କୁ କହିଲେ; ‘‘ବାପା, ଯୁଧିଷ୍ଠିରଙ୍କର ଅଚଳାଚଳ ସମ୍ପତ୍ତି ଓ ସମସ୍ତଙ୍କ ମୁଖରେ ତାଙ୍କର ଉଚ୍ଛ୍ୱସିତ ପ୍ରଶଂସା ମୋତେ ଅତିଷ୍ଟ କରିଅଛି । ତାଙ୍କର ସମୃଦ୍ଧ ଓ ମହାଆଡ଼ମ୍ୱରପୂର୍ଣ୍ଣ ଯଜ୍ଞର ଦୃଶ୍ୟ ମୁଁ ସହ୍ୟ କରିପାରୁ ନାହିଁ ? ଅନ୍ୟମାନଙ୍କ କଥା ଦୂରେ ଥାଉ ଦାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ସମାଗତ ଶତସହସ୍ର ଭିକ୍ଷୁକ ବ୍ରାହ୍ମଣଙ୍କ ହସ୍ତରେ ସ୍ୱର୍ଣ୍ଣପାତ୍ର ଶୋଭା ପାଉଥିଲା । ଏକଲକ୍ଷ ବ୍ରାହ୍ମଣଙ୍କର ଭୋଜନ ସମାପନ ହେଲେ ଏକବାର ଶଙ୍ଖନାଦ କରି ତାହା ସୂଚାଇ ଦିଆଯିବାର ବ୍ୟବସ୍ଥା ଥିଲା । ଯୁଧିଷ୍ଠିରଙ୍କ ଯଜ୍ଞରେ ଏତେ ସଂଖ୍ୟକ ବ୍ରାହ୍ମଣ ଭୋଜନ କଲେ ଯେ ପ୍ରତି ମୁହୂର୍ତ୍ତରେ ଶଙ୍ଖନାଦ କରୁଥାଏ ଏବଂ ସେହି ମୂହୂର୍ମୂହୂ ଶଙ୍ଖଧ୍ୱନି ମୋର ମନର ସମସ୍ତ ଦମ୍ଭ ଓ ଅହିମିକାକୁ ସମୂଳେ ଚୂର୍ଣ୍ଣ କରିଅଛି । ଯୁଧିଷ୍ଠିରଙ୍କୁ ଏ ସମସ୍ତ ସୌଭାଗ୍ୟରୁ ବଞ୍ଚିତ ନ କଲା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ରହିପାରିବି ନାହିଁ । ସେଥିପାଇଁ ମୁଁ ଭାବିଛି, ପଶାଖେଳକୁ ଯୁଧିଷ୍ଠିରଙ୍କୁ ଆହ୍ୱାନ କରି ମାମୁଁ ଶକୁନିଙ୍କ ପ୍ରତ୍ୟକ୍ଷ ସାହାଯ୍ୟରେ ମୁଁ ତାଙ୍କର ସମସ୍ତ ରାଜଐଶ୍ୱର୍ଯ୍ୟକୁ ଜୟ କରିନେବି । ତେଣୁ ଆପଣ ଏଥିପାଇଁ ମୋତେ ଅନୁମତି ଦିଅନ୍ତୁ ।’’

 

କିନ୍ତୁ ଧୃତରାଷ୍ଟ୍ର ଏ ସମ୍ପର୍କରେ ଦୂରଦର୍ଶୀ ବିଦୁରଙ୍କ ସହ ପରାମର୍ଶ କରିବାକୁ କହିବାରୁ ଦୁର୍ଯ୍ୟୋଧନ କହିଲେ, ‘‘ମୋର ଏ ପ୍ରସ୍ତାବରେ ବିଦୁର କେବେ ରାଜି ହେବ ନାହିଁ । ଆଉ ଆପଣ ଯଦି ମୋତେ ଏ ଦ୍ୟୂତକ୍ରୀଡ଼ା ପାଇଁ ଅନୁମତି ନ ଦେବେ; ତେବେ ମୁଁ ନିଶ୍ଚୟ ପ୍ରାଣତ୍ୟାଗ କରିବି ।’’

 

ଧୃତରାଷ୍ଟ୍ର କହିଲେ, ‘‘ଦ୍ୟୂତକ୍ରୀଡ଼ାରେ ବନ୍ଧୁତ୍ୱ ନଷ୍ଟ ହେଲେ ରାଜ୍ୟ ନାଶହୁଏ, ତେଣୁ ଦ୍ୟୂତକ୍ରୀଡ଼ା ସର୍ବାଦୌ ପରିତ୍ୟଜ୍ୟ । ତୁମେ ମୋର ଜ୍ୟେଷ୍ଠପୁତ୍ର; ପାଣ୍ଡବମାନଙ୍କ ପ୍ରତି ଏପରି ବିଦ୍ୱେଷଭାବ ପୋଷଣ କରିବା ତୁମ ପକ୍ଷରେ ଉଚିତ ହେଉନାହିଁ । ଯେଉଁମାନେ ନିଜ ସମ୍ପତ୍ତିରେ ସନ୍ତୁଷ୍ଟ ଓ ଧର୍ମନିଷ୍ଠ, ସେହିମାନେ ହିଁ ପ୍ରକୃତରେ ସୁଖୀ । ପରସ୍ୱ ଅପହରଣରେ ଅନାଗ୍ରହ, ନିଜ କର୍ତ୍ତବ୍ୟ ପ୍ରତି ଉତ୍ସାହ ଓ ସ୍ୱପାର୍ଜିତ ଧର ସୁରକ୍ଷଣାବେକ୍ଷଣ ନୀତି ହିଁ ଧନବୃଦ୍ଧି ଓ ସମୃଦ୍ଧିର ପ୍ରକୃତ କାରଣ । ବିଶେଷ କରି ପାଣ୍ଡବମାନେ ଯେତେବେଳେ ତୁମର ଭ୍ରାତୃ ସଦୃଶ, ସାମାନ୍ୟ ଧନ ପାଇଁ ସେମାନଙ୍କ ସହ ମିତ୍ରଦ୍ରୋହ ଏକାନ୍ତ ଅନ୍ୟାୟ ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ପାଣ୍ଡବମାନଙ୍କର ରାଜଲକ୍ଷ୍ମୀ ହରଣ କରିବା ପାଇଁ ଯେତେବେଳେ ମୁଁ ଉତ୍କଣ୍ଠିତ, ସେତେବେଳେ ଅଯଥା ନୀତିବାକ୍ୟ ଶୁଣାଇ ମୋତେ ସେ ଦିଗରୁ ନିରୁତ୍ସାହିତ କରନ୍ତୁ ନାହିଁ । ନୀତି ଅନୁସରଣ କଲେ ଅଭୀଷ୍ଟ ଫଳଲାଭର ସମ୍ଭାବନା ନଷ୍ଟ ହୋଇଥାଏ । କିଏ ଶତ୍ରୁ, କିଏ ମିତ୍ର ଏ ସମ୍ପର୍କରେ ବିଧିବଦ୍ଧ ପ୍ରମାଣ ନାହିଁ । ଜଣଙ୍କର ଜୀବନରେ ଅନ୍ୟଜଣଙ୍କର ଉପସ୍ଥିତି ଯଦି ସନ୍ତାପ ସୃଷ୍ଟି କରେ, ସେ ତା’ପାଇଁ ଶତ୍ରୁ । ପାଣ୍ଡବମାନେ ଜ୍ଞାତିବନ୍ଧୁ ହେଲେ ମଧ୍ୟ ଆମର ଶତ୍ରୁ । ଅଭ୍ୟୁଦୟ ସମୟରେ ଶତ୍ରୁକୁ ସମୂଳେ ବିନାଶ ନ କଲେ ସେମାନେ ଆମର ବିନାଶର କାରଣ ହେବେ ।’’

 

ଶକୁନି ପ୍ରମୁଖ ଦୁର୍ଯ୍ୟୋଧନଙ୍କର କଥାକୁ ବିଶେଷ ଭାବେ ସମର୍ଥନ କରୁଥିବାର ଦେଖି ଧୃତରାଷ୍ଟ୍ର କହିଲେ, ‘‘ବଳବାନ ବ୍ୟକ୍ତିଙ୍କ ସହିତ କଳହ କରିବା ମୋର ଅଭିପ୍ରେତ ନୁହେଁ, ତେବେ ତୁମେ ଯାହା ଭଲ ଭାବୁଛ କର ।’’ ଏହିପରି କହି ପରେ ଯୁଧିଷ୍ଠିରଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଦୁରଙ୍କୁ କହିଲେ ।

 

ବିଦୁର କହିଲେ, ‘‘ମହାରାଜ, ଆପଣଙ୍କର ଏ ଆଦେଶକୁ ମୁଁ ଅଭିନନ୍ଦନ କରିପାରୁ ନାହିଁ-। ଏହାଦ୍ୱାରା ମିତ୍ରଦ୍ରୋହ ଓ ସମଗ୍ର ବଂଶର ବିନାଶର ସମ୍ଭାବନା ରହିଅଛି ।’’

 

ଧୃତରାଷ୍ଟ୍ର କହିଲେ, ‘‘ସମସ୍ତ ଜଗତ ଦୈବର ଅଧୀନ, ତେଣୁ ଦୈବ ପ୍ରତିକୂଳ ନ ହେଲେ, ଆମର କେହି କୌଣସି କ୍ଷତି କରିପାରିବ ନାହିଁ । ତୁମେ ଯଥାଶୀଘ୍ର ଇନ୍ଦ୍ରପ୍ରସ୍ଥକୁ ଯାଇ ଦ୍ୟୂତକ୍ରୀଡ଼ା ପାଇଁ ଯୁଧିଷ୍ଠିରଙ୍କୁ ନିମନ୍ତ୍ରଣ କରିଆଣ ।’’

 

ଅନିଚ୍ଛା ସତ୍ତ୍ୱେ ବିଦୁର ଇନ୍ଦ୍ରପ୍ରସ୍ଥକୁ ଯାଇ ଯୁଧିଷ୍ଠିରଙ୍କୁ ନିମନ୍ତ୍ରଣ କଲେ ।

 

ଯୁଧିଷ୍ଠିର କହିଲେ, ‘‘ମହାଶୟ, ଦ୍ୟୂତକ୍ରୀଡ଼ା କଳହ ସୃଷ୍ଟି କରିଥାଏ, ଏବଂ ସେଥିପାଇଁ ବୁଦ୍ଧିମାନ ବ୍ୟକ୍ତିମାନେ ଦ୍ୟୂତରୁ ଦୂରରେ ରହିଥାନ୍ତି; ମାତ୍ର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିବା ମୋର ନୀତି ନୁହେଁ । ଦ୍ୟୂତକୁ ଯେତେବେଳେ ଆହୂତ ହୋଇଅଛି, ମୁଁ ନିମନ୍ତ୍ରଣ ନିଶ୍ଚୟ ରକ୍ଷା କରିବି ।’’

 

ତହିଁ ପରଦିନ ଭାଇ ଓ ଦ୍ରୌପଦୀଙ୍କ ସହ ଯୁଧିଷ୍ଠିର ହସ୍ତିନାପୁରକୁ ଆସିଲେ । ଦ୍ୟୂତକ୍ରୀଡ଼ା ପାଇଁ ଏକ ନୂତନ ରମଣୀୟ ସଭାମଣ୍ଡପ ନିର୍ମିତ ହୋଇଥିଲା । ସେଠାରେ ଯୁଧିଷ୍ଠିର ଆସନ ଗ୍ରହଣ କଲାପରେ, ‘ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଶକୁନି ଖେଳିବେ’ ବୋଲି କୌରବ ପକ୍ଷରୁ କୁହାଯିବାରୁ ଯୁଧିଷ୍ଠିର ଓ ଶକୁନିଙ୍କ ମଧ୍ୟରେ ଖେଳ ଆରମ୍ଭ ହେଲା । ଖେଳରେ ପରସ୍ପର ବାଜି ରଖିଲେ । ଯୁଧିଷ୍ଠିର ପ୍ରଥମେ ପିନ୍ଧିଥିବା ମଣିଖଚିତ ହାରଟିକୁ ପଣ ରଖିଲେ, କିନ୍ତୁ ପରମୁହୂର୍ତ୍ତରେ ‘ଏଇ ମୁଁ ଜିଣିଲି କହି’ ଶକୁନି ପଶାକାଠି ଗଡ଼ାଇ ସତକୁ ସତ ଯୁଧିଷ୍ଠିରଙ୍କୁ ପରାଜିତ କଲେ । ତହିଁପରେ ‘ମୁଁ ବର୍ତ୍ତମାନ ଏକଲକ୍ଷ ଆଠ ହଜାର ସୁବର୍ଣ୍ଣ କୁଣ୍ଡି, ଅକ୍ଷୟକୋଷ ପଣ ରଖିଲି’ ବୋଲି ଯୁଧିଷ୍ଠିର କହିବାରୁ ଶକୁନି ସେତକ ମଧ୍ୟ ଜିତିଗଲେ । ଯୁଧିଷ୍ଠିର ଗୋଟିକ ପରେ ଗୋଟିଏ ଏହିପରି ଭାବରେ ବାଜି ରଖୁ ରଖୁ ନିଜର ରାଜ୍ୟ, ରଥ, ଅଶ୍ୱ, ଗଜ, ଦାସଦାସୀ, ସୈନ୍ୟସାମନ୍ତ ଆଦି ସକଳ ସମ୍ପତ୍ତିକୁ ଦ୍ୟୂତକ୍ରୀଡ଼ାରେ ହରାଇବସିଲେ । ଶକୁନିଙ୍କ ହସ୍ତରେ ଓ ବହୁ ଲୋକଙ୍କ ସମକ୍ଷରେ ବାରମ୍ୱାର ପରାଜିତ ହେବାରୁ ଉତ୍ତରୋତ୍ତର କ୍ରୀଡ଼ାପାଇଁ ଯୁଧିଷ୍ଠିରଙ୍କ ମନରେ ଅଭୂତପୂର୍ବ ପ୍ରମତ୍ତତା ପ୍ରକାଶ ପାଇଲା ଏବଂ ଫଳରେ ନିଜର ହିତାହିତ ଜ୍ଞାନ ଏପରି ହରାଇ ବସିଲେ ଯେ, ନିଜର ଚାରିଭାଇଙ୍କୁ ପଣ ରଖି ଖେଳିବାକୁ ମଧ୍ୟ ଯୁଧିଷ୍ଠିର କୁଣ୍ଠାବୋଧ କଲେ ନାହିଁ । ଶକୁନିଙ୍କର କ୍ରୀଡ଼ା କୌଶଳ ଅତି କପଟତାପୂର୍ଣ୍ଣ ଥିଲା ଏବଂ ପ୍ରତିଥର ପରି ଯୁଧିଷ୍ଠିରଙ୍କୁ ମଧ୍ୟ ପରାସ୍ତ କରି ପକାଇଲେ-। ଯୁଧିଷ୍ଠିରଙ୍କର ବାରମ୍ୱାର ପରାଜୟ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ଅତି ଉଲ୍ଲସିତ କରୁଥାଏ-। ଶକୁନି ପଚାରିଲେ, ‘ଆଉ କିଛି ଯଦି ସମ୍ପତ୍ତି ଥାଏ, ତେବେ ପଣ ରଖି ପାରନ୍ତି ।’ ଯୁଧିଷ୍ଠିର କହିଲେ, ‘ମୁଁ ନିଜକୁ ଏଥର ପଣ ରଖିଲି ।’ ତାହା ଶୁଣି ଶକୁନି ‘ଏଥର ମଧ୍ୟ ମୁଁ ଜିତିବି’ କହି ପଶାକାଠି ପକାଇ ଯୁଧିଷ୍ଠିରଙ୍କୁ ଜିଣିଗଲେ ।

 

ଶକୁନି କହିଲେ, ‘‘ଅନ୍ୟ ସମ୍ପତ୍ତି ବିଦ୍ୟମାନ ଥାଉ ଥାଉ ମହାରାଜ ନିଜକୁ ପଣ ରଖି ଉପଯୁକ୍ତ କାର୍ଯ୍ୟ କରି ନାହାନ୍ତି । ମହାରାଜା ଚାହିଁଲେ ବର୍ତ୍ତମାନ ଦ୍ରୌପଦୀଙ୍କୁ ପଣ ରଖିପାରନ୍ତି ।’’

 

କ୍ରୀଡ଼ା ପ୍ରତି ଅତ୍ୟଧିକ ଆସକ୍ତି ଯୁଧିଷ୍ଠିରଙ୍କୁ ଅନ୍ଧ କରିପକାଇଲା । ସେ ନିଜର ସକଳ ହିତାହିତଜ୍ଞାନ ହରାଇ ବସିଲେ । ଶକୁନିଙ୍କର ଆହ୍ୱାନର ପତ୍ୟୁତ୍ତରରେ ଯୁଧିଷ୍ଠିର କହିଲେ, ‘‘ସୁବଳନନ୍ଦନ, ବର୍ତ୍ତମାନ ପରମାସୁନ୍ଦରୀ, ଲକ୍ଷ୍ମୀସଦୃଶା, ଦୀର୍ଘକେଶୀ, ପଦ୍ମଗନ୍ଧା, ଅହିଂସପ୍ରାଣା, ପତିପ୍ରିୟା, ପ୍ରିୟବାଦିନୀ ସେହି ସର୍ବଗୁଣସଂଯୁକ୍ତା ଦ୍ରୌପଦୀଙ୍କୁ ପଣ ରଖୁଛି ।’’

 

ଯୁଧିଷ୍ଠିରଙ୍କ ମୁଖରୁ ଏହି କଥା ଶୁଣି ସଭାରେ ଉପସ୍ଥିତ ଥିବା ସକଳ ବ୍ୟକ୍ତି, କ୍ଷୁବ୍ଧ ହେବା ସଙ୍ଗେ ସଙ୍ଗେ ଯୁଧିଷ୍ଠିରଙ୍କୁ ଧିକ୍କାର କଲେ । ଭୀଷ୍ମ, ଦ୍ରୋଣ, କୃପ ଓ ବିଦୁର ପ୍ରମୁଖ ସ୍ତମ୍ଭୀଭୂତ ହୋଇଗଲେ । ଅନ୍ୟ ପକ୍ଷରେ କର୍ଣ୍ଣ, ଦୁର୍ଯ୍ୟୋଧନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଏପରି କି ଧୃତରାଷ୍ଟ୍ର ମଧ୍ୟ ନିଜ ମନର ଆନନ୍ଦଭାବକୁ ପ୍ରଚ୍ଛନ୍ନ ରଖିପାରିଲେ ନାହିଁ । ସଭାଗୃହ ଏହିପରି ଭାବରେ ଦୁଃଖ ଓ ଆନନ୍ଦରେ ବିକ୍ଷୋଭିତ ହେଉଥିବା ବେଳେ ଶକୁନି ଅହଂକାର ପ୍ରକାଶ କରି ‘ଏହି ଜିଣିଲି’ କହି ପଶାକାଠି ଗଡ଼ାଇ ଦେଲେ ।

 

ପ୍ରତିଥର ପରି ଏଥର ମଧ୍ୟ ଯୁଧିଷ୍ଠିର ପରାଜିତ ହେଲେ ।

 

ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନ କହିଲେ, ‘‘ପାଣ୍ଡବ ପ୍ରଣୟିନୀ ଦ୍ରୌପଦୀଙ୍କୁ ଶୀଘ୍ର ଏଠାକୁ ଆଣି ଦାସୀ କାର୍ଯ୍ୟରେ ନିଯୁକ୍ତ କର ।’’

 

ବିଦୁର ପ୍ରତିବାଦ କରି କହିଲେ, ‘‘ମୁର୍ଖ, ମୃଗ ପକ୍ଷରେ ବ୍ୟାଘ୍ରକୁ କୁପିତ କରିବା ଯେପରି ନିରାପଦ ନୁହେଁ, ସେହିପରି ଧର୍ମାତ୍ମା ପାଣ୍ଡବମାନଙ୍କ ପ୍ରତି ବାରମ୍ୱାର ଏପରି ଅସୂୟାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରି ତୁମେ ନିଜର ଓ ବଂଶର ବିନାଶକୁ ପାଛୋଟି ଆଣୁଛ । ତା’ଛଡ଼ା ଦ୍ରୌପଦୀଙ୍କୁ ପଣ ରଖିବାଟା ନ୍ୟାୟତଃ ଠିକ ହୋଇନାହିଁ; କାରଣ ପଣ ରଖିବା ପୂର୍ବରୁ ଦ୍ରୌପଦୀଙ୍କ ଉପରେ ଥିବା ଯୁଧିଷ୍ଠିରଙ୍କର ସକଳ ଅଧିକାର ଲୋପ ପାଇଥିଲା ।’’

 

ବିଦୁରଙ୍କୁ ଧିକ୍‌କାର କରି ଅତି ଶୀଘ୍ର ଦ୍ରୌପଦୀଙ୍କୁ ସଭାରେ ଉପସ୍ଥିତ କରାଇବାକୁ ନିଜର ସାରଥି ପ୍ରାତିକାମୀକୁ ଦୁର୍ଯ୍ୟୋଧନ ଆଦେଶ ଦେଲେ ।

 

ଦୁର୍ଯ୍ୟୋଧନଙ୍କ ଆଦେଶକ୍ରମେ ପ୍ରାତିକାମୀ ବାଧ୍ୟ ହୋଇ ଦ୍ରୌପଦୀଙ୍କ ନିକଟକୁ ଯାଇ କହିଲେ, ‘‘ଯୁଧିଷ୍ଠିର ଦ୍ୟୂତକ୍ରୀଡ଼ାରେ ଆପଣଙ୍କୁ ପଣ ରଖି ପରାଜିତ ହେବାରୁ; ବିଜୟୀ ଦୁର୍ଯ୍ୟୋଧନଙ୍କ ଆଦେଶକ୍ରମେ ଆପଣଙ୍କୁ ସଭାକୁ ନେବାପାଇଁ ମୁଁ ଆସିଅଛି ।’’

 

ଦ୍ରୌପଦୀ କହିଲେ, ‘‘ପ୍ରାତିକାମୀ, ପତ୍ନୀକୁ ପଣ ରଖି ଦ୍ୟୂତକ୍ରୀଡ଼ା କରାଯାଏ, ଏପରି କଥା ଆଜି ମୁଁ ପ୍ରଥମ ଶୁଣିଲି । ମହାରାଜାଙ୍କର ଏତେ ଧନ ସମ୍ପତ୍ତି ଥାଉ ଥାଉ ପତ୍ନୀକୁ ପଣ ରଖିବାକୁ ଗଲେ କାହିଁକି ? ସମ୍ଭବତଃ ଦ୍ୟୂତକ୍ରୀଡ଼ା ସମୟରେ ଉନ୍ମତ୍ତ ହୋଇ ନିଜର ବିଚାରବୁଦ୍ଧିରୁ ବଞ୍ଚିତ ହୋଇପଡ଼ିଲେ ।’’

 

ପ୍ରାତିକାମୀ କହିଲେ, ‘‘ଆପଣଙ୍କୁ ପଣ ରଖିବା ପୂର୍ବରୁ ରାଜା ନିଜର ସମସ୍ତ ଧନ-ସମ୍ପତ୍ତି ସୈନ୍ୟ-ସାମନ୍ତ ଏପରି କି ନିଜର ଭ୍ରାତାମାନଙ୍କ ସହ ନିଜକୁ ମଧ୍ୟ ହରାଇ ବସିଥିଲେ ।’’

 

ଦ୍ରୌପଦୀ କହିଲେ, ‘‘ପ୍ରାତିକାମୀ, ଧର୍ମରାଜ ଆଗେ ନିଜକୁ ନା ଆଗ ମୋତେ ଦ୍ୟୂତରେ ବିସର୍ଜନ କରିଥିଲେ ଏବଂ କାହାର ଅଧୀଶ୍ୱର ଭାବରେ ମୋତେ ଦ୍ୟୂତରେ ପଣ ରଖିଥିଲେ; ଏ କଥା ତୁମେ ଯାଇ ଧର୍ମରାଜଙ୍କଠାରୁ ବୁଝିଆସ ।’’

 

ପ୍ରାତିକାମୀ ସଭାକୁ ଫେରିଆସି ଯୁଧିଷ୍ଠିରଙ୍କ ନିକଟରେ ଦ୍ରୌପଦୀଙ୍କ ପ୍ରଶ୍ନ ନିବେଦନ କଲେ । କିନ୍ତୁ ଯୁଧିଷ୍ଠିର ନିରୁତ୍ତର ରହିବାରୁ ଦୁର୍ଯ୍ୟୋଧନ କହିଲେ, ‘‘ପ୍ରାତିକାମୀ, ପାଞ୍ଚାଳୀଙ୍କୁ ଶୀଘ୍ର ଏଠାକୁ ନେଇଆସ । ତାଙ୍କର ଯଦି କିଛି ବକ୍ତବ୍ୟ ଥାଏ, ତେବେ ଏ ସଭାରେ ଉପସ୍ଥିତ ହୋଇସେ ତାହା ବ୍ୟକ୍ତ କରନ୍ତୁ ।’’

 

ପ୍ରାତିକାମୀ ଦୁଃଖିତ ମନରେ ଦ୍ରୌପଦୀଙ୍କ ନିକଟକୁ ଫେରିଯାଇ କହିଲା, ‘‘ରାଜନନ୍ଦିନୀ, ପାପାତ୍ମା ଦୁର୍ଯ୍ୟୋଧନ ଐଶ୍ୱର୍ଯ୍ୟମଦମତ୍ତ ହୋଇଆପଣଙ୍କୁ ସଭାସ୍ଥଳକୁ ନେବାକୁ ପୁନର୍ବାର ମୋତେ ପ୍ରେରଣ କରିଅଛି । ମନେ ହେଉଅଛି କୁରୁକୁଳ ସମୂଳେ ବିନାଶପ୍ରାପ୍ତ ହେବାର ସମୟ ବୋଧହୁଏ ଆସିଗଲାଣି ।’’

 

ଦ୍ରୌପଦୀ କହିଲେ, ‘‘ସୂତନନ୍ଦନ, ବିଧିର ବିଧାନକୁ କେହି ଲଙ୍ଘନ କରିପାରେ ନାହିଁ; ତେବେ ସଂସାରରେ ଧର୍ମହିଁ ସବୁଠାରୁ ଶ୍ରେଷ୍ଠ । ତେଣୁ ଧର୍ମାନୁମୋଦିତ କାର୍ଯ୍ୟ କରିବାକୁ ମୁଁ ଚାହୁଁଅଛି । ତୁମେ ସଭାକୁ ଫେରିଯାଇ ସେଠାରେ ଉପସ୍ଥିତ ଥିବା ଧର୍ମାତ୍ମାମାନଙ୍କଠାରୁ ମୋର ଧର୍ମତଃ ବର୍ତ୍ତମାନ କ’ଣ କର୍ତ୍ତବ୍ୟ, ତାହା ବୁଝିଆସ ।’’

 

ପ୍ରାତିକାମୀ ସଭାକୁ ଫେରି ଆସିଲା ସତ; ମାତ୍ର ଏସବୁ ବାକ୍ୟାଳାପ ପାଇଁ ଦୁର୍ଯ୍ୟୋଧନଙ୍କର ଆଦୌ ଧୈର୍ଯ୍ୟ ନଥିଲା । ସେ ଦୁଃଶାସନକୁ ସମ୍ୱୋଧନ କରି କହିଲେ, ‘‘ଦୁଃଶାସନ, ପ୍ରାତିକାମୀ ହୁଏତ ଭୟ କରୁଅଛି, ତେଣୁ ତୁମେ ଯାଇ ଶୀଘ୍ର ଯାଜ୍ଞସେନୀଙ୍କୁ ଏଠାକୁ ନେଇଆସ ।’’

 

ଦୁଃଶାସନ କାଳବିଳମ୍ୱ ନ କରି ଦ୍ରୌପଦୀଙ୍କ ନିକଟକୁ ଯାଇ କହିଲେ, ‘‘ଦ୍ୟୂତକ୍ରୀଡ଼ାରେ ଯୁଧିଷ୍ଠିର ପରାଜିତ ହେବାରୁ ଧର୍ମତଃ ଆମେ ତୁମକୁ ଲାଭ କରିଅଛୁ । ତେଣୁ ଲଜ୍ଜା ନ କରି ବର୍ତ୍ତମାନ ସଭାକୁ ଆସ ।’’

 

ଦୁଃଶାସନଙ୍କ ଆଡ଼ୁ ଆକ୍ରମଣ ଆଶଙ୍କା କରି ଆତ୍ମରକ୍ଷା ନିମନ୍ତେ ଦ୍ରୌପଦୀ କୌରବମାନଙ୍କର ରାଜଅନ୍ତଃପୁରକୁ ଦୌଡ଼ି ଗଲାବେଳେ ପଛରୁ ଦୁଃଶାସନ ଦ୍ରୌପଦୀଙ୍କ ଆଲୁକାୟିତ କେଶକୁ ଆକର୍ଷଣ କରି ଘୋଷାରି ଆଣିଲା । ‘‘ହେ ଦୁଃଶାସନ, ମୁଁ ଆଜି ରଜ୍ଜସ୍ୱାଳା; ଏକମାତ୍ର ବସ୍ତ୍ର ପରିଧାନ କରିଅଛି । ଏପରି ଅବସ୍ଥାରେ ମୋର ସଭାକୁ ଯିବା ଉଚିତ ନୁହେଁ । ମୋତେ ଛାଡ଼, ଛାଡ଼, ବୋଲି ଦ୍ରୌପଦୀ ଯେତେ ଅନୁନୟ ବିନୟ ପ୍ରକାଶ କଲେ ମଧ୍ୟ ଦୁଃଶାସନ ତହିଁରେ କର୍ଣ୍ଣପାତ କଲେ ନାହିଁ ବରଂ ଦ୍ରୌପଦୀଙ୍କ ପ୍ରତି କଟୁବାକ୍ୟ ପ୍ରୟୋଗ କରି କହିଲେ; ‘‘ତୁମେ ରଜସ୍ୱାଳା ହୁଅ ବା ନହୁଅ, ତୁମେ ଏକବସ୍ତ୍ରା ହୁଅ ବା ବିବସ୍ତ୍ରା ହୁଅ, ଦ୍ୟୂତରେ ଲାଭ କରିବା ସମୟରୁ ତୁମେ ଆମର ଦାସୀ ହୋଇଅଛ’’ ତାପରେ ଦ୍ରୌପଦୀଙ୍କୁ ଏକ ପ୍ରକାର ଘୋଷାରି ଘୋଷାରି ସଭାରେ ଫିଙ୍ଗିଦେଲେ ।

Image

 

ସଭାରେ ଦ୍ରୌପଦୀ-ଲାଞ୍ଛନା

 

ଜନମାନବରେ ପରିପୂର୍ଣ୍ଣ ସଭାଗୃହରେ ଅସଂବୃତ କେଶବାସରେ ଆନୀତା ହୋଇ ଦ୍ରୌପଦୀ କହିଲେ, ‘‘ରେ ଦୁରାତ୍ମା, ଏହି ସଭାରେ ଶାସ୍ତ୍ରଜ୍ଞ କର୍ମକୁଶଳୀ ଇନ୍ଦ୍ରତୁଲ୍ୟ ମୋର ଗୁରୁଜନମାନେ ଉପସ୍ଥିତ ଥିବା ସମୟରେ ଏଠାରେ ଏପରି ଅବସ୍ଥାରେ ମୋର ଅବସ୍ଥାନ କରିବା ଏକାନ୍ତ ଅନୁଚିତ । ମୁଁ ରଜସ୍ୱାଳା ଜାଣି ସୁଦ୍ଧା ମହାନ୍‌ କୁରୁବଂଶୀୟ ବୀରପୁରୁଷମାନଙ୍କ ସମ୍ମୁଖରେ ଏପରି ପୀଡ଼ିତ କରୁଅଛୁ । ସମବେତ କ୍ଷତ୍ରିୟମାନେ ସମସ୍ତେ ନୀରବ ରହିଥିବାରୁ ଜାଣୁଛି ବୋଧହୁଏ ତୁମର ଏହି କୁକର୍ମରେ ସେମାନଙ୍କର ପରୋକ୍ଷ ସମର୍ଥନ ରହିଅଛି । ସଭାରେ ଏପରି ପାପପୂର୍ଣ୍ଣ କାର୍ଯ୍ୟ ଅନୁଷ୍ଠିତ ହେଉଥିଲେ ମଧ୍ୟ, ଯେଉଁମାନେ ପ୍ରତିବାଦ କରୁ ନାହାନ୍ତି, ସେହି ଭରତବଂଶୀୟମାନଙ୍କ ଧର୍ମକୁ ଧିକ୍‌ ।’’

 

ଦ୍ରୌପଦୀ କ୍ରୋଧାନ୍ୱିତା ହୋଇ କରୁଣ ସ୍ୱରରେ ଏହିପରି ବିଳାପ କରି ନିଜର ସ୍ୱାମୀମାନଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ସେମାନଙ୍କ କ୍ରୋଧକୁ ଉଦ୍ଦୀପିତ କରିବାକୁ ଚେଷ୍ଟା କଲେ-। ସମସ୍ତ ଐଶ୍ୱର୍ଯ୍ୟ ହରାଇ ପାଣ୍ଡବମାନେ ଯେତେ ଦୁଃଖିତ ନଥିଲେ, ଦ୍ରୌପଦୀଙ୍କର ସେହି ଅସହାୟ ଦୃଷ୍ଟି ସେମାନଙ୍କୁ ତା’ଠାରୁ ଅଧିକ ଲଜ୍ଜିତ ଓ ଦୁଃଖିତ କରିଥିଲା । ଅସହାୟା ଦ୍ରୌପଦୀଙ୍କର କେଶକୁ ଆକର୍ଷଣ କରି ଦୁଃଶାସନ ‘ଦାସୀ, ଦାସୀ’ ବୋଲି ଉଚ୍ଚାରଣ କରି ଦ୍ରୌପଦୀଙ୍କୁ ପରିହାସ କରିବାକୁ ଲାଗିଲେ । ଏପରି କି କର୍ଣ୍ଣ, ଶକୁନି ପ୍ରମୁଖ ଦୁଃଶାସନର କାର୍ଯ୍ୟକୁ ସମର୍ଥନ କରି ଉଚ୍ଚ ସ୍ୱରରେ ହାସ୍ୟ କରିବାକୁ ଲାଗିଲେ ।

 

ଭୀଷ୍ମ କହିଲେ, ‘‘କଲ୍ୟାଣି, ପର ଧନକୁ ପଣ ରଖିବାକୁ ପରାଧୀନ ବ୍ୟକ୍ତି ଯେପରି ଅସମର୍ଥ, ସେହିପରି ସବୁ ସମୟରେ ପତ୍ନୀ ପତିର ଅଧୀନ । ତେଣୁ ଏହି ବିଚାର-ଦ୍ୱନ୍ଦର ସମ୍ମୁଖୀନ ହୋଇ ମୁଁ ତୁମ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରୁ ନାହିଁ । ଧର୍ମନନ୍ଦନ ଯୁଧିଷ୍ଠିରଙ୍କର ଧର୍ମ ହିଁ ପ୍ରାଣ, ସେ ତୁମ ପ୍ରତି ହେଉଥିବା ଏହି ଲାଞ୍ଛନାକୁ ଏପରି ଉପେକ୍ଷା କରୁଥିବା ବେଳେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛା କରୁନାହିଁ ।’’

 

ଦ୍ରୌପଦୀ କହିଲେ, ‘‘ମହାରାଜ ଯୁଧିଷ୍ଠିରଙ୍କର ସରଳତାର ସୁଯୋଗ ନେଇ ଏହି ଦୁରାତ୍ମାମାନେ ଷଡ଼ଯନ୍ତ୍ର କରି ତାଙ୍କୁ କପଟରେ ପରାଜିତ କରିଅଛନ୍ତି । ତେଣୁ କୁରୁବଂଶୀୟ ଗୁରୁସ୍ଥାନୀୟ ବ୍ୟକ୍ତିଙ୍କଠାରୁ ମୋ’ ପ୍ରଶ୍ନର ଉତ୍ତର ଚାହୁଁଅଛି ।’

 

ଦ୍ରୌପଦୀ କ୍ରୁଦ୍ଧା ହୋଇଯେତେ କଥା କହୁଥାନ୍ତି, ଦୁଃଶାସନ ସେତେ ତାଙ୍କର କେଶ ଆକର୍ଷଣ କରି ନାନାଦି ପରିହାସଜନକ ଅପ୍ରିୟ ବାକ୍ୟ ପ୍ରୟୋଗ କରି ଦ୍ରୌପଦୀଙ୍କୁ ଲାଞ୍ଛିତା, ବିବ୍ରତା କରୁଥାଏ । ଦ୍ରୌପଦୀଙ୍କ ପ୍ରତି ହେଉଥିବା ସେହି ଲାଞ୍ଛନା ଓ ନିପୀଡ଼ନ ଭୀମସେନଙ୍କର ଅସହ୍ୟ ହୋଇଉଠିଲା । ସେ କହିଲେ, ‘‘ହେ ଯୁଧିଷ୍ଠିର, ଦ୍ୟୁତରେ ଅତ୍ୟଧିକ ଆସକ୍ତ ବ୍ୟକ୍ତିମାନେ ମଧ୍ୟ ନିଜ ଘରର ଦାସୀ ବେଶ୍ୟାଙ୍କୁ ପର ଭାବରେ ରଖିବାକୁ କୁଣ୍ଠା କରିଥାନ୍ତି, ତୁମେ ଆଜି ସେମାନଙ୍କୁ ବିଚାରବୁଦ୍ଧି ଶୂନ୍ୟତାରେ ଟପିଗଲ । ପଣରେ ଆମ୍ଭେ ଭାଇମାନେ ପରାଜିତ ହୋଇଥିଲେ ମଧ୍ୟ ମୁଁ ଆପତ୍ତି କରିନାହିଁ, କାରଣ ତୁମେ ଅଗ୍ରଜ ହୋଇଥିବାରୁ ଆମ୍ଭେମାନେ ତୁମର ଆଜ୍ଞାନୁବର୍ତ୍ତୀ; ମାତ୍ର ପାଣ୍ଡବ ପ୍ରଣୟିନୀ ଦ୍ରୌପଦୀ ପାପାତ୍ମା, କୁରୁଗଣଙ୍କ ହସ୍ତରେ ଏପରି ଯେ ଲାଞ୍ଛିତା ହେଉଅଛନ୍ତି, ସେଥିପାଇଁ ତୁମେ ହିଁ ଦାୟୀ । ତା’ର ଶାସ୍ତି ସ୍ୱରୂପ ମୁଁ ତୁମର ଏହି ବାହୁ ଦୁଇଟିକୁ ଆଜି ଅଗ୍ନିରେ ଭସ୍ମସାତ କରିବି । ଏ ସହଦେବ, ଶୀଘ୍ର ଅଗ୍ନିର ବ୍ୟବସ୍ଥା କର ।’’

 

ଅର୍ଜ୍ଜୁନ କହିଲେ, ‘‘ଭୀମସେନ, ତୁମକୁ ତ ପୂର୍ବେ ଏପରି ବିଚାର ବୁଦ୍ଧିଶୂନ୍ୟ ଥିବାର କେବେ ଦେଖି ନାହିଁ । ଜ୍ୟେଷ୍ଠଭ୍ରାତାଙ୍କୁ ଅପମାନିତ କରି ଧର୍ମ ଲଙ୍ଘନ କରିବା ସଙ୍ଗେ ସଙ୍ଗେ ଶତ୍ରୁମାନଙ୍କର ଆନନ୍ଦବର୍ଦ୍ଧନ କରନାହିଁ । ମହାରାଜ ଯୁଧିଷ୍ଠିର ଧର୍ମାନୁବର୍ତ୍ତୀ ହୋଇ ଯେପରି ଦ୍ୟୁତକ୍ରୀଡ଼ା କରିଅଛନ୍ତି, ତାହା ଆମ୍ଭମାନଙ୍କର ଯଶ ବୃଦ୍ଧି କରିଅଛି । ତେଣୁ ତୁମେ ଏପରି କ୍ରୋଧରୁ ନିଜକୁ କ୍ଷାନ୍ତକର ।’’

 

ସଭାରେ ଧୃତରାଷ୍ଟ୍ରଙ୍କର ଅନ୍ୟତମ ପୁତ୍ର ବିକର୍ଣ୍ଣ ଉପସ୍ଥିତ ଥିଲେ । ପାଣ୍ଡବଙ୍କୁ ଦୁଃଖିତ ଓ ଦ୍ରୌପଦୀଙ୍କୁ ଅସହାୟା ଦେଖି ଉପସ୍ଥିତ କ୍ଷତ୍ରିୟମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ପାର୍ଥବଗଣ, ଦ୍ରୌପଦୀଙ୍କ ଦ୍ୱାରା ଉତ୍‌ଥାପିତ ପ୍ରଶ୍ନ ବାସ୍ତବିକ ବିଚାରଯୋଗ୍ୟ । ଯାଜ୍ଞସେନୀଙ୍କର ପ୍ରଶ୍ନର ସମାଧାନ ନିମନ୍ତେ ମୁଁ କୁରୁବୃଦ୍ଧ ଭୀଷ୍ମ, ମହାରାଜ ଧୃତରାଷ୍ଟ୍ର, ମହାମତି ବିଦୁର, ଆଚାର୍ଯ୍ୟ ଦ୍ରୋଣ ଓ କୃପ ତଥା ସମବେତ କ୍ଷତ୍ରିୟମାନଙ୍କର ଦୃଷ୍ଟି ଆକର୍ଷଣ କରୁଅଛି । ସେମାନେ ନିରପେକ୍ଷ ଭାବରେ ବିଚାର କରି ଉତ୍ତର ଦିଅନ୍ତୁ ।’’ ସଭାରେ ସମସ୍ତଙ୍କୁ ନୀରବ ରହିଥିବାର ଦେଖି ବିକର୍ଣ୍ଣ ପୁନର୍ବାର କହିଲେ, ‘‘ଆପଣମାନେ ଉତ୍ତର ଦିଅନ୍ତୁ ବା ନ ଦିଅନ୍ତୁ, ମୁଁ ଯାହା ନ୍ୟାୟସଙ୍ଗତ ବୋଲି ବୁଝୁଅଛି ତାହା ନିଶ୍ଚୟ ପୂରଣ କରିବି । ନୃପତିମାନଙ୍କର ବ୍ୟସନ ଚତୁର୍ବିଧ ବୋଲି ମହାପୁରୁଷମାନେ ଉଲ୍ଲେଖ କରିଅଛନ୍ତି; ପ୍ରଥମତଃ ମୃଗୟା, ଦ୍ୱିତୀୟରେ ସୁରାପାନ, ତୃତୀୟରେ ଦ୍ୟୁତକ୍ରୀଡ଼ା ଓ ଚତୁର୍ଥରେ ଦୁରୁହକାର୍ଯ୍ୟ ପ୍ରତି ଅଭିଳାଷ । ବ୍ୟସନାସକ୍ତ ଅବସ୍ଥାରେ ଯୁଧିଷ୍ଠିର ଦ୍ରୌପଦୀଙ୍କୁ ପଣ ରଖିଥିବାରୁ, ସେଥିରେ ଗୁରୁତ୍ୱ ଆରୋପ କରିବା ସମୀଚୀନ ନୁହେଁ । ଦ୍ୱିତୀୟରେ ସ୍ୱତଃପ୍ରବୃତ୍ତ ହୋଇ କ୍ରୀଡ଼ାରେ ପଣ ରଖିବା ହିଁ ନ୍ୟାୟସଙ୍ଗତ; ମାତ୍ର ଏ କ୍ଷେତ୍ରରେ ଶକୁନିଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇକେବଳ ଯୁଧିଷ୍ଠିର ଦ୍ରୌପଦୀଙ୍କୁ ପଣ ରଖିଥିଲେ, ତେଣୁ ଏହି ପଣ ନିୟମାନୁସାରେ ଗ୍ରହଣୀୟ ନୁହେଁ । ତୃତୀୟରେ ସମସ୍ତ ପାଣ୍ଡବମାନଙ୍କର ଦ୍ରୌପଦୀ ପତ୍ନୀ ହୋଇଥିବାରୁ ଯୁଧିଷ୍ଠିର ଏକାକୀ ଦ୍ରୌପଦୀଙ୍କୁ ପଣ ରଖିବାକୁ ଅଧିକାରୀ ନୁହନ୍ତି । ପରିଶେଷରେ ଦ୍ରୌପଦୀଙ୍କୁ ପଣ ରଖିବା ପୂର୍ବରୁ ଯୁଧିଷ୍ଠିର ନିଜକୁ ପଣରେ ହରାଇଥିବାରୁ ଦ୍ରୌପଦୀଙ୍କ ଉପରେ ତାଙ୍କର ସକଳ ଅଧିକାର ଲୋପ ପାଇଥିଲା । ତେଣୁ ଏ ସବୁ ବିଷୟ ବିଚାରକୁ ନେଲେ ଦ୍ରୌପଦୀ ଯେ ନ୍ୟାୟତଃ ଜୟଲବ୍ଧା ହୋଇନାହାନ୍ତି, ଏହା ସ୍ୱୀକାର କରିବାକୁ ପଡ଼ିବ ।’’

 

ଏହି ଯୁକ୍ତିମୂଳକ ଭାଷଣ ଶ୍ରବଣ କରି ସଭାସଦ୍‌ବୃନ୍ଦ ବିକର୍ଣ୍ଣଙ୍କର ପ୍ରଶଂସା ଓ ଶକୁନିଙ୍କର ନିନ୍ଦା କରିବାକୁ ଲାଗିଲେ । ସଭାରେ ଅଭୂତପୂର୍ବ କୋଳାହଳ ସୃଷ୍ଟି ହେଲା ।

 

କର୍ଣ୍ଣ ହଠାତ୍ ବିକର୍ଣ୍ଣଙ୍କର ଗୋଟାଏ ବାହୁ ଧରି ପକାଇ କହିଲେ, ‘‘ବିକର୍ଣ୍ଣ, ସଭାସ୍ଥ ଭୂପତିମାନେ ଦ୍ରୌପଦୀଙ୍କର ପ୍ରଶ୍ନରେ ନିରୁତ୍ତର ଥିଲେ । ତା’ର କାରଣ ଦ୍ୟୁତରେ ଦ୍ରୌପଦୀ ଜୟଲବ୍ଧା । ତୁମେ ଅଳ୍ପ ବୟସ୍କ ବାଳକ ବୋଲି ଭାବପ୍ରବଣ ହୋଇଏପରି ବୃଦ୍ଧଜନୋଚିତ ପ୍ରଳାପ କରିଗଲ । ଦୁର୍ଯ୍ୟୋଧନଙ୍କର କନିଷ୍ଠ ଭ୍ରାତା, ତେଣୁ ଯଥେଷ୍ଟ ଅଭିଜ୍ଞତା ଜ୍ଞାନ ଅର୍ଜନ କରିନାହଁ । ତାହା ନ ହୋଇଥିଲେ, ଜୟଲବ୍ଧା ଦ୍ରୌପଦୀଙ୍କୁ ତୁମ୍ଭେ ଅଜିତା ବୋଲି ପ୍ରତିପାଦିତ କରୁନଥାନ୍ତ । ଯୁଧିଷ୍ଠିର ନିଜେ ଆଉ ଦ୍ରୌପଦୀଙ୍କୁ ସଭାକୁ ଆଣିବାରେ ଅନ୍ୟାୟଟା ରହିଲା କେଉଁଠି ଜାଣିପାରୁ ନାହିଁ । ଦେବତାମାନେ ପ୍ରତ୍ୟେକ ରମଣୀଙ୍କ ପାଇଁ ଗୋଟିଏ ମାତ୍ର ସ୍ୱାମୀର ବିଧାନ କରୁଥିବା ସମୟରେ ଦ୍ରୌପଦୀ ବହୁପତି ବରଣ କରି କୁଳବଧୂର ସୀମା ଲଙ୍ଘନ କରି ବାରବନିତା ହୋଇଅଛନ୍ତି; ତେଣୁ ଗୋଟାଏ ବେଶ୍ୟାକୁ ସଭାକୁ ଆଣିବା ବା ବିବସନା କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଦ୍ରୌପଦୀ ତଥା ପାଣ୍ଡବମାନଙ୍କ ସହ ସେମାନଙ୍କର ସମସ୍ତ ଧନ ସମ୍ପତ୍ତି ଶକୁନି ଦ୍ୟୁତରୁ ଲାଭ କରିଥିବାରୁ ସେଥିରେ ଦୁର୍ଯ୍ୟୋଧନଙ୍କର ପ୍ରଭୁତ୍ୱ ପ୍ରତିଷ୍ଠିତ ହୋଇଅଛି । ତେଣୁ ଦୁଃଶାସନ, ବାଳକ ବିକର୍ଣ୍ଣଙ୍କର କଥା ପ୍ରତି କର୍ଣ୍ଣପାତ ନ କରି ତୁମେ ପାଣ୍ଡବ ତଥା ଦ୍ରୌପଦୀଙ୍କ ଶରୀରରୁ ସମସ୍ତ ବସ୍ତ୍ର ଓ ଅଳଙ୍କାରମାନ ହରଣ କର ।’’

କର୍ଣ୍ଣଙ୍କ କଥା ଶୁଣି ପାଣ୍ଡବମାନେ ନିଜ ନିଜର ଉତ୍ତରୀୟ ଆଦି ତ୍ୟାଗ କରି ନୀରବରେ ଅଧୋମୁଖ ହୋଇ ବସିରହିଲେ । ଦୁଃଶାସନ କର୍ଣ୍ଣଙ୍କଠାରୁ ନିର୍ବ୍ଦେଶ ପାଇବା ମାତ୍ରେ ଦ୍ରୌପଦୀଙ୍କୁ ବିବତ୍ସା କରିବାକୁ ଉଦ୍ୟମ କଲେ । ସେହି ଚରମ ଦୁଃସମୟରେ ସ୍ୱାମୀମାନଙ୍କ ପକ୍ଷରୁ କିମ୍ବା ସମବେତ ବ୍ୟକ୍ତିମାନଙ୍କ ପକ୍ଷରୁ କୌଣସି ବାଧା ବା ସାହାଯ୍ୟ ମିଳିବାର ଆଶା ନ ଦେଖି ଦ୍ରୌପଦୀ କୃଷ୍ଣଙ୍କୁ ଚିନ୍ତା କରି କାନ୍ଦିବାକୁ ଲାଗିଲେ । ‘‘ହେ ଗୋବିନ୍ଦ, ହେ ଦ୍ୱାରକାବାସୀ କୃଷ୍ଣ, ହେ ଗୋପୀଜନବଲ୍ଲଭ, କୌରବମାନଙ୍କ ଦ୍ୱାରା ମୁଁ କିପରି ଭାବରେ ନିପୀଡ଼ିତା ହେଉଅଛି, ଏହା କ’ଣ ତୁମେ ଜାଣୁନାହଁ ! ହେ ଦୁଃଖନାଶନ, ମୋତେ ଲଜ୍ଜା ଓ ବିପଦରୁ ଉଦ୍ଧାର କର । ହେ ବିଶ୍ୱାତ୍ମା ଏ ବିପନ୍ନାକୁ ରକ୍ଷା କର ।’’

ଧର୍ମ ଓ ସତୀତ୍ୱର କି ଅପୂର୍ବ ମହିମା ! ଦୁଃଶାସନ ଦ୍ରୌପଦୀଙ୍କୁ ବିବସ୍ତ୍ରା କରିବା ପାଇଁ ତାଙ୍କର ପରିହିତ ଶାଢ଼ୀକୁ ଯେତେ ଟାଣିଲେ ମଧ୍ୟ ଦ୍ରୌପଦୀଙ୍କ ଶରୀରରେ ନାନା ପ୍ରକାର ମୂଲ୍ୟବାନ ବସ୍ତ୍ର ଗୋଟିକ ପରେ ଗୋଟିଏ ସ୍ୱତଃ ପ୍ରକାଶିତ ହେବାକୁ ଲାଗିଲା ଏବଂ ସେହି ଅଭୂତ ଦୃଶ୍ୟ ସଭାସ୍ଥ ସକଳ ବ୍ୟକ୍ତିଙ୍କୁ ସ୍ତମ୍ଭୀମ୍ଭୁତ କରି ପକାଇଲା । ସେମାନେ ଦ୍ରୌପଦୀଙ୍କର ଧର୍ମ ଓ ସତୀତ୍ୱର ପ୍ରଶଂସାରେ ପଞ୍ଚମୁଖ ହୋଇପଡ଼ିଲେ ।

ସମବେତ କ୍ଷତ୍ରୀୟମାନଙ୍କୁ ସମ୍ବୋଧନ କରି ଭୀମସେନ କହିଲେ, ‘‘ଏହି କୁରୁକୁଳକଳଙ୍କ ପାପାତ୍ମା ଦୁଃଶାସନର ବକ୍ଷକୁ ବିଦୀର୍ଣ୍ଣ କରି ତା’ର ରୁଧିର ପାନ ନ କଲା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ-।’’

 

ଦ୍ରୌପଦୀଙ୍କ ଶରୀରରୁ ବସ୍ତ୍ର ଟାଣି ଟାଣି ଦୁଃଶାସନ ଲଜ୍ଜିତ ଓ କ୍ଳାନ୍ତ ହୋଇତଳେ ବସି ପଡ଼ିଲା, ମାତ୍ର ପାଣ୍ଡବ ଓ ଦ୍ରୌପଦୀଙ୍କ ପ୍ରତି ଦୁର୍ଯ୍ୟୋଧନ ପ୍ରମୁଖଙ୍କର ପରିହାସ ବାକ୍ୟ ପ୍ରଶମିତ ହେଲା ନାହିଁ । ଜଙ୍ଘରୁ ଲୁଗା କାଢ଼ି ତହିଁରେ ଚାପୁଡ଼ା ମାରି ଅଶ୍ଳୀଳ ଓ ଜଘନ୍ୟ ଇଙ୍ଗିତରେ ପାଣ୍ଡବମାନଙ୍କୁ ଅପମାନିତ ଓ ବିରକ୍ତ କରିବାକୁ ଭୁଲିଲେ ନାହିଁ । ଦୁର୍ଯ୍ୟୋଧନର ଆଚରଣ ଭୀମସେନଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା । ସେ ପ୍ରତିଜ୍ଞା କରି କହିଲେ; ‘‘ମୁଁ ଗଦା ଆଘାତରେ ଦୁର୍ଯ୍ୟୋଧନର ଏହି ଉରୁ ଭଙ୍ଗ ନ କଲା ଯାଏ ପିତୃଲୋକ ପ୍ରାପ୍ତିର ପୁଣ୍ୟ ଲାଭ କରିବି ନାହିଁ ।’’ ଦୁର୍ଯ୍ୟୋଧନ ପ୍ରମୁଖଙ୍କର ଅଶୋଭନୀୟ କାର୍ଯ୍ୟ ସହ ଭୀମସେନଙ୍କର ପ୍ରତିଜ୍ଞା ଯେ କୁରୁବଂଶର ବିନାଶର କାରଣ ହେବ, ଏଥିରେ କାହାରି ସନ୍ଦେହ ରହିଲା ନାହିଁ ।

 

ସେହି ସଭାରେ ଧୃତରାଷ୍ଟ୍ର ଉପସ୍ଥିତ ଥିଲେ । ସେ ପ୍ରକାଶ୍ୟରେ ଦୁର୍ଯ୍ୟୋଧନଙ୍କୁ ଧିକ୍କାର କରି ଦ୍ରୌପଦୀଙ୍କୁ ପାଖକୁ ଡ଼ାକି କହିଲେ, ‘‘ମା, ମୋର ବୋହୂମାନଙ୍କ ମଧ୍ୟରେ ତୁ ସର୍ବଶ୍ରେଷ୍ଠା । ମୁଁ ତୋ ଉପରେ ବିଶେଷ ପ୍ରୀତ । ତୁ ଯେଉଁ ବର ମାଗିବୁ ମାଗ, ମୁଁ ତାହା ପୂର୍ଣ୍ଣ କରିବାକୁ ପ୍ରସ୍ତୁତ ।’’

 

ଧୃତରାଷ୍ଟ୍ରଙ୍କ ପ୍ରଶ୍ନ ଶୁଣି ଦ୍ରୌପଦୀ ଦୁଇଟି ବର ପ୍ରାର୍ଥନା କରିଥିଲେ । ପ୍ରଥମ ବରରେ ଦାସତ୍ୱ ବନ୍ଧନରୁ ଧର୍ମରାଜ ଯୁଧିଷ୍ଠିରଙ୍କ ମୁକ୍ତି ଓ ଦ୍ୱିତୀୟ ବରରେ ଭୀମାର୍ଜୁନ ପ୍ରମୁଖ ଚାରି ଭାଇଙ୍କର ମୁକ୍ତି ।

 

ଯୁଧିଷ୍ଠିରଙ୍କୁ ଶାନ୍ତ କରିବା ଉବ୍ଦେଶ୍ୟରେ ଧୃତରାଷ୍ଟ୍ର କହିଲେ; ‘‘ବାବା, ଯୁଧିଷ୍ଠିର, ଯେଉଁ ବ୍ୟକ୍ତି ପରୋପକାର ସ୍ୱଭାବ ଗୁଣରେ ପ୍ରତିଶୋଧ ପରାନ୍ମୁଖ ହୋଇ ଶତ୍ରୁର ବୈରତା ପରିବର୍ତ୍ତେ ତା’ର ସଦ୍‌ଗୁଣକୁ ସ୍ମରଣ କରିଥାଏ, ସେହି ବ୍ୟକ୍ତି ଯଥାର୍ଥରେ ଉତ୍ତମ ପୁରୁଷ । ମହତ୍ ଆଶ୍ରୟ ବ୍ୟକ୍ତିମାନେ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ନା କାହିଁକି କେବେହେଲେ ଧର୍ମ, ଅର୍ଥ, ମର୍ଯ୍ୟାଦାର ସୀମାଲଙ୍ଘନ କରନ୍ତି ନାହିଁ । ତବ୍ଦ୍ୱାରା ସେମାନେ ସକଳ ବ୍ୟକ୍ତିଙ୍କର ପ୍ରିୟଭାଜନ ହୋଇଥାନ୍ତି । ତୁମେ ଧର୍ମର ସୂକ୍ଷ୍ମାତିସୂକ୍ଷ୍ମ ଅନୁଶାସନମାନ ଯେ କେବଳ ହୃଦୟଙ୍ଗମ କରିଅଛ ତାହା ନୁହେଁ, ଆର୍ଯ୍ୟ ଜନୋଚିତ ଧୈର୍ଯ୍ୟ ଓ ବିନୟ ପ୍ରକାଶ କରି ମୋତେ ପ୍ରୀତ କରିଅଛ । ମୋର ଓ ଗାନ୍ଧାରୀଙ୍କ ମୁହଁକୁ ଚାହିଁ ନିଜର ସ୍ୱଭାବ ଗୁଣରେ ଦୁର୍ଯ୍ୟୋଧନର ଏହି ନିଷ୍ଠୁର ବ୍ୟବହାରକୁ ଭୁଲିଯାଅ ଓ ସେମାନଙ୍କୁ କ୍ଷମା କର । ତୁମର ଧର୍ମ ଭାବ, ଭୀମଙ୍କର ପରାକ୍ରମ, ଅର୍ଜ୍ଜୁନଙ୍କର ଧୈର୍ଯ୍ୟ, ନକୁଳଙ୍କର ଶୁଦ୍ଧତା ଏବଂ ସହଦେବଙ୍କ ଗୁରୁଭକ୍ତି ମୋର ପ୍ରୀତିବର୍ଦ୍ଧନ କରିଅଛି । ଦ୍ୟୁତରେ ହାରିଥିବା ସମସ୍ତ ବିଷୟ ମୁଁ ଫେରାଇ ଦେଉଛି । ଭାଇମାନଙ୍କ ସହ ଇନ୍ଦ୍ରପ୍ରସ୍ଥକୁ ଫେରିଯାଇ ଧର୍ମାନୁସାରେ ପୂର୍ବପରି ରାଜ୍ୟଶାସନ କର ।’’

 

ଦ୍ରୌପଦୀଙ୍କ ସହ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥକୁ ଫେରିଆସିଲେ ।

Image

 

ଦ୍ୟୁତରେ ପାଣ୍ଡବଙ୍କର ପୁନଃ ପରାଜୟ

 

ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥ ଅଭିମୁଖେ ଚାଲିଯିବା ପରେ ଦୁଃଶାସନ, କର୍ଣ୍ଣ ଓ ଶକୁନୀଙ୍କ ସହ ଦୁର୍ଯ୍ୟୋଧନ ଅତି କ୍ଷୁର୍ଣ୍ଣ ମନରେ ପରାମର୍ଶ କରି ତଦନୁସାରେ ପିତା ଧୃତରାଷ୍ଟ୍ରଙ୍କୁ କହିଲେ, ‘‘ମହାରାଜ, ଶତ୍ରୁ ବିନାଶ ସମ୍ପର୍କରେ ଆପଣ ଶାସ୍ତ୍ରୋକ୍ତ କର୍ତ୍ତବ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁ ଅଛନ୍ତି । କ୍ରୁଦ୍ଧ ବିଷଧର ସର୍ପକୁ କଣ୍ଠ ଓ ପୁଷ୍ପ ଦେଶରେ ରଖି କେହି କେବେ ନିଶ୍ଚିନ୍ତରେ ରହିପାରେ ନାହିଁ । ପାଣ୍ଡବଙ୍କର ଅପକାର କରିବା ପରେ ତାଙ୍କଠାରୁ କ୍ଷମା ଆଶା କରିବା ବୃଥା । ବିଶେଷ କରି ଦ୍ରୌପଦୀଙ୍କ ପ୍ରତି ଆମେ ଯେପରି ଅପମାନଜନକ ବ୍ୟବହାର କରିଅଛୁଁ, ସେ ଦୁଃଖକୁ ପାଣ୍ଡବମାନେ ବେଶିଦିନ ସହ୍ୟ କରିବେ ନାହିଁ । ସେମାନେ ନିଶ୍ଚୟ ଆମର ଅନିଷ୍ଟ ସାଧନ କରିବେ-। ତେଣୁ ସମୟ ଥାଉଁ ଥାଉଁ ଶତ୍ରୁ ବିନାଶ କରିବା ଉଚିତ୍ । ମୁଁ ଭାବୁଚି ବନବାସକୁ ପଣ କରି ପାଣ୍ଡବମାନଙ୍କ ସହ ଆଉ ଥରେ ପଶା ଖେଳିଲେ, ସେମାନେ ଦ୍ୟୁତରେ ନିଶ୍ଚିତ ଭାବେ ପରାଜିତ ହୋଇ ବନବାସୀ ହେବେ ଏବଂ ଆମେ ସୁଖରେ ରାଜ୍ୟ ଶାସନ କରିବାକୁ ସୁଯୋଗ ପାଇବା-। ଆପଣ ଏହି ପ୍ରସ୍ତାବିତ ଦ୍ୟୁତକ୍ରିଡ଼ା ପାଇଁ ଅନୁମତି ପ୍ରଦାନ କରନ୍ତୁ ।’’

 

ଅତ୍ୟଧିକ ପୁତ୍ରସ୍ନେହ ଫଳରେ ଧୃତରାଷ୍ଟ୍ର ନିଜର ବିଚାର ବୁଦ୍ଧି ହରାଇ ବସିଥିଲେ । ଏପରି କି ଭୀଷ୍ମ, ଦ୍ରୋଣ, ବିଦୁର, ବିକର୍ଣ୍ଣ, ସୋମଦତ୍ତ ଓ ଭୁରିଶ୍ରବା ପ୍ରମୁଖଙ୍କ ଆପତ୍ତିକୁ ଅଗ୍ରାହ୍ୟ କରି ପାଣ୍ଡବମାନଙ୍କୁ ପୁନର୍ବାର ଦ୍ୟୁତକୁ ଆହ୍ୱାନ କରିବାକୁ ଦୁର୍ଯ୍ୟୋଧନକୁ ଅନୁମତି ପ୍ରଦାନ କଲେ । ପାଣ୍ଡବମାନଙ୍କ ସହ ପୁନର୍ବାର ଦ୍ୟୁତକ୍ରୀଡ଼ା ହେବାକୁ ଯାଉଅଛି ଶୁଣି ଧୃତରାଷ୍ଟ୍ରଙ୍କୁ ଗାନ୍ଧାରୀ କହିଲେ, ‘‘ମହାରାଜ, ଦୁର୍ଯ୍ୟୋଧନର ଜନ୍ମ ସମୟରେ ନାନାଦି ଅଶୁଭ ଘଟଣାମାନ ଘଟିଥିଲା । ଦୁର୍ଯ୍ୟୋଧନ ଦ୍ୱାରା କୁଳକ୍ଷୟ ହେବା ଆଶଙ୍କା କରି ଅବିଳମ୍ବେ ତାକୁ ସଂହାର କରିବା ପାଇଁ ବିଦୁର ପରାମର୍ଶ ଦେଇଥିଲେ, କିନ୍ତୁ ଆପଣ ବାତ୍ସଲ୍ୟ ସ୍ନେହ ପରବେଶ ହୋଇବିଦୁରଙ୍କ ଉପଦେଶକୁ ଅଗ୍ରାହ୍ୟ କରି ଦେଇଥିଲେ, ମାତ୍ର ବର୍ତ୍ତମାନ କୁଳପାଂଶୁଳ ଦୁର୍ଯ୍ୟୋଧନକୁ ପରିତ୍ୟାଗ କରିବାର ସମୟ ଆସିଅଛି । ତା’ ନହେଲେ ଦୁର୍ଯ୍ୟୋଧନର ଅପକର୍ମ ଯୋଗୁ ଏହି ବଂଶ ସମୂଳେ ଧ୍ୱଂସପ୍ରାପ୍ତ ହେବ, ଏଥିରେ ସନ୍ଦେହ ନାହିଁ ।’’

 

ଧୃତରାଷ୍ଟ୍ର କହିଲେ, ‘‘ପ୍ରିୟେ, ଯଦି ବାସ୍ତବିକ ଏହି ବଂଶର ଧ୍ୱଂସ ଅନିବାର୍ଯ୍ୟ ହୋଇଥାଏ, ତେବେ ତାକୁ ନିବାରଣ କରିବାର ସାଧ୍ୟ କାହାର ଅଛି ? ତେଣୁ ପୁତ୍ରମାନଙ୍କ ଆଗ୍ରହରେ ବାଧା ଦେଇ ସେମାନଙ୍କୁ ଦୁଃଖିତ କରିବି କାହିଁକି ଯଦି ସେମାନେ ଚାହୁଁଛନ୍ତି, ତେବେ ପାଣ୍ଡବଙ୍କ ସହ ପୁନର୍ବାର ଦ୍ୟୁତକ୍ରୀଡ଼ା ଅନୁଷ୍ଠିତ ହେଉ ।’’

 

ଦୁର୍ଯ୍ୟୋଧନଙ୍କ ପକ୍ଷରୁ ପାଣ୍ଡବମାନଙ୍କୁ ପୁନର୍ବାର ଦ୍ୟୁତପାଇଁ ଆହ୍ୱାନ କରାଗଲା ଓ ଯୁଧିଷ୍ଠିର ସେହି ଆମନ୍ତ୍ରଣ କୌରବ ସଭାରେ ଉପସ୍ଥିତ ହୋଇ କହିଲେ, ବୃଦ୍ଧ ରାଜାଙ୍କର ନିର୍ବ୍ଦେଶାନୁସାରେ ମୁଁ ଏଠାରେ ଉପସ୍ଥିତ ହୋଇଅଛି । ଦ୍ୟୁତକ୍ରୀଡ଼ା ଅନ୍ୟାୟ ଓ କ୍ଷତିକର ଜାଣି ମଧ୍ୟ ମୁଁ ତହିଁରେ ପରାନ୍ମୁଖ ନୁହେଁ । ଅଦୃଷ୍ଟ ଦେବ ଯୋଗୁ ମନୁଷ୍ୟ ଶୁଭ ଅଶୁଭ ଭୋଗ କରିଥାଏ । ତେଣୁ ଯାହା ଭାଗ୍ୟରେ ଥିବ ଘଟିବ ।’’

 

ବିପଦ ଆସନ୍ନ ହେଲେ ବୁଦ୍ଧିର ବ୍ୟତିକ୍ରମ ଘଟିଥାଏ । ଜୀବର ସୁବର୍ଣ୍ଣ ଶରୀରଧାରଣ ଏକାନ୍ତ ଅସମ୍ଭବ, ତଥାପି ମଧ୍ୟ ରାମଚନ୍ଦ୍ର ଅରଣ୍ୟରେ ସ୍ୱର୍ଣ୍ଣମୃଗ ପଛରେ ଗୋଡ଼ାଇଲା ପରି ଯୁଧିଷ୍ଠିର ଦ୍ୱିତୀୟ ଥର ପାଇଁ ଦ୍ୟୁତକ୍ରୀଡ଼ାରେ ଯୋଗ ଦେଲେ । ଦ୍ୟୁତକ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି ଶକୁନି କହିଲେ; ‘‘ମହାରାଜ, ବୃଦ୍ଧ ରାଜା ଧୃତରାଷ୍ଟ୍ର ଦ୍ୟୁତରେ ହରାଇଥିବା ସମସ୍ତ ସମ୍ପତ୍ତି ଆପଣଙ୍କୁ ପ୍ରତ୍ୟାର୍ପଣ କରିଦେଇ ଥିବାରୁ ସେ ସବୁକୁ ପଣ କରି ଆଉ ଦ୍ୟୁତକ୍ରୀଡ଼ା କରିବା ନାହିଁ । ମୁଁ ତେଣୁ ପ୍ରସ୍ତାବ କରୁଛି, ଦ୍ୟୁତରେ ମୁଁ ପରାଜିତ ହେଲେ ଦୁର୍ଯ୍ୟୋଧନ ପ୍ରମୁଖ କୌରବମାନେ କିମ୍ବା ଆପଣ ପରାଜିତ ହେଲେ କୃଷ୍ଣାଙ୍କ ସହିତ ଆପଣମାନେ କୃଷ୍ଣସାର ମୃଗଚର୍ମ ପରିଧାନ କରି ଦ୍ୱାଦଶବର୍ଷ ବନବାସ ଏବଂ ଏକ ବର୍ଷ ଅଜ୍ଞାତବାସ କରିବେ, ଏବଂ ଏହିପରି ଭାବରେ ତ୍ରୟୋଦଶ ବର୍ଷ ଅତିବାହିତ ହେଲା ପରେ ପରାଜିତ ପକ୍ଷ ପୁନର୍ବାର ସେମାନଙ୍କର ରାଜ୍ୟ ଓ ରାଜସିଂହାସନ ପ୍ରାପ୍ତ ହେବେ ।’’

 

ଦ୍ୟୁତକ୍ରୀଡ଼ାକୁ ଆହତ ହୋଇଏହିପରି ପଣ ଭୟରେ କ୍ରୀଡ଼ା ନ କରିବାଟାକୁ ଯୁଧିଷ୍ଠିର ସମୀଚୀନ ମନେ କଲେ ନାହିଁ । ତେଣୁ ଶକୁନିଙ୍କ ପ୍ରସ୍ତାବରେ ସମ୍ମତ ହୋଇଯୁଧିଷ୍ଠିର ଖେଳରେ ବସିଲେ । ଦ୍ୟୁତକ୍ରୀଡ଼ାରେ କପଟାଚରଣ କରିବାରେ ଶକୁନିଙ୍କର ଦକ୍ଷତା ସମ୍ପର୍କରେ ପୂର୍ବରୁ ବର୍ଣ୍ଣିତ ହୋଇଅଛୁ, ତେଣୁ ଖେଳ ଆରମ୍ଭ ହେବା ମାତ୍ରେ ପଶାକାଠି ଗଡ଼ାଇ ଯୁଧିଷ୍ଠିରଙ୍କୁ ଶକୁନି ସମ୍ପୂର୍ଣ୍ଣ ରୂପେ ପରାଜିତ କରିଦେଲେ ।

 

ଦ୍ୟୁତରେ ପରାଜିତ ହୋଇ ସତ୍ୟରକ୍ଷା ନିମନ୍ତେ ପାଣ୍ଡବମାନେ ବନବାସ ନିମନ୍ତେ ଉଦ୍ୟୋଗ କଲେ । ପାଣ୍ଡବମାନଙ୍କୁ ପରିହାସ କରି ଦୁଃଶାସନ କହିଲେ, ‘‘ଏ ସମସ୍ତ ରାଜ୍ୟର ବର୍ତ୍ତମାନ ରାଜା ତାହାହେଲେ ଦୁର୍ଯ୍ୟୋଧନ । ଯେଉଁ ପାଣ୍ଡବମାନେ ରାଜ୍ୟ ଓ ଧନ ଗର୍ବରେ ପ୍ରମତ୍ତ ହୋଇପୃଥିବୀରେ ସେମାନଙ୍କର ସମକକ୍ଷ ବ୍ୟକ୍ତି କେହି ନାହିଁ ବୋଲି ଆସ୍ଫାଳନ କରୁଥିଲେ, ଭାଗ୍ୟର କି ବିପରୀତ ଗତି, ଆଜି ସେହିମାନେ ରାଜ୍ୟଭ୍ରଷ୍ଟ, ସୁଖଚ୍ୟୁତ, ହତସର୍ବସ୍ୱ ବନଚାରୀ । ମହାପ୍ରାଜ୍ଞ ଦ୍ରୁପଦ ଏହି ନପୁଂସକଙ୍କ ହସ୍ତରେ ନିଜର କନ୍ୟାଦାନ କରି ପୁଣ୍ୟକାର୍ଯ୍ୟ କରି ନାହାନ୍ତି । ଦ୍ରୌପଦୀ ଏ ମୃଗଚର୍ମଧାରୀ ନିଃସ୍ୱ ପାଣ୍ଡବମାନଙ୍କ ସହ ଅରଣ୍ୟରେ ଭ୍ରମଣ କରି ଦୁଃଖ ଓ ନିର୍ଯ୍ୟାତନାରେ ପୀଡ଼ିତ ହେବା ଅପେକ୍ଷା ଇଚ୍ଛାନୁସାରେ ଏହି ସଭାରେ ଉପସ୍ଥିତ ଥିବା ଯେ କୌଣସି ଧନଶାଳୀ ବ୍ୟକ୍ତିଙ୍କୁ ପତି ଭାବରେ ଗ୍ରହଣ କରି ଜୀବନକୁ ଉପଭୋଗ କର ।’’

 

ଦୁଃଶାସନଙ୍କର ଏପରି ବିଦ୍ରୁପ ବାକ୍ୟରେ ପାଣ୍ଡବମାନେ ବିଶେଷ କରି ଭୀମସେନ ରାଗିଯାଇ ପ୍ରକାଶ୍ୟରେ କହିଲେ, ‘‘ଏ ଦୁଷ୍ଟ ଦୁଃଶସନ, ଏପରି ଶାଣିତ ବାକ୍ୟ ଦ୍ୱାରା ତୁ ଆମ୍ଭମାନଙ୍କର ହୃଦୟରେ ଯେପରି ଛୁରିକାଘାତ କରୁଅଛୁ, ଯୁଦ୍ଧ ସମୟରେ ତୋର ହୃଦୟକୁ ମୁଁ ସେହିପରି ବିଦୀର୍ଣ୍ଣ କରି ତୋର ଶୋଣିତ ପାନ କରିବି ଓ ଯେଉଁମାନେ ତୋତେ ବର୍ତ୍ତମାନ ପ୍ରୋତ୍ସାହିତ କରୁଅଛନ୍ତି, ସେମାନଙ୍କୁ ଅତିଶୀଘ୍ର ଯମାଳୟକୁ ପ୍ରେରଣ କରିବି ।’’

 

ପିତାମହ ଭୀଷ୍ମ, ରାଜା ସୋମଦତ୍ତ, ବାହ୍ନୀକ, ଦ୍ରୋଣ, କୃପ, ଅଶ୍ୱତ୍‌ଥାମା, ବିଦୁର, ଧୃତରାଷ୍ଟ୍ର, ସଞ୍ଜୟ ଏପରି କି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ-ଠାରୁ ଗୋଟି ଗୋଟି ବିଦାୟ ନେଇ ଯୁଧିଷ୍ଠିର କହିଲେ, ‘‘ଭବିଷ୍ୟତରେ ସାକ୍ଷାତ ହେବାର ଆଶା ପୋଷଣ କରି ଆଜି ଆପଣଙ୍କଠାରୁ ବିଦାୟ ନେଉଅଛୁ ।’’

 

ଭୀଷ୍ମ ଦ୍ରୋଣ ପ୍ରମୁଖ ନୀରବରେ ପାଣ୍ଡବମାନଙ୍କର ଶୁଭକାମନା କରୁଥିଲେ ମଧ୍ୟ ଲଜ୍ଜାରେ ଓ ଦୁଃଖରେ ପ୍ରକାଶ୍ୟରେ କିଛି କହିପାରିଲେ ନାହିଁ । ବିଦୁର ଆଶୀର୍ବାଦ କରି କହିଲେ, ‘‘କୁନ୍ତୀ, ରାଜପୁତ୍ରୀ, ବିଶେଷତଃ ବୃଦ୍ଧା ଓ ସୁକୁମାରୀ, ତେଣୁ ତାଙ୍କ ପକ୍ଷରେ ବନଗମନ କରିବା ଉଚିତ ହେବ ନାହିଁ । ସେ ମୋ’ ପାଖରେ ରହନ୍ତୁ । ଯୁଧିଷ୍ଠିର, ତୁମେ ଯେପରି ଧର୍ମଜ୍ଞ, ଭୀମ ଅର୍ଜ୍ଜୁନ ସେହିପରି ବୀର ଶତ୍ରୁଘାତୀ, ନକୁଳ ସହଦେବ ସେହିପରି ସଂଯମୀ; ପୁରୋହିତ ଧୌମ୍ୟ ସେହିପରି ବ୍ରହ୍ମବିତ୍ ଏବଂ ଦ୍ରୌପଦୀ ସେହିପରି ଧର୍ମାଚାରିଣୀ । ତୁମେ ପରସ୍ପର ଏହିପରି ପ୍ରିୟ ଏବଂ ଏ ମନରେ ଚିରଦିନ ରହିଥାଅ । ତୁମ୍ଭମାନଙ୍କର ମଙ୍ଗଳ ହେଉ ।’’

 

ଦ୍ରୌପଦୀଙ୍କୁ ସ୍ୱାମୀମାନଙ୍କର ଅନୁଗାମିନୀ ହେବାର ଦେଖି ପରମ ଦୁଃଖରେ ମାତା କୁନ୍ତୀ କହିଲେ, ‘‘ଦୁଃଖରେ ଭାଙ୍ଗିପଡ଼ି ନାହିଁ । ତୁମେ ସ୍ତ୍ରୀଧର୍ମ ଅଭିଜ୍ଞ, ସୁଚରିତ୍ରା, ସାଧ୍ୱୀ ଏବଂ ନିଜର ସ୍ୱଭାବ ଗୁଣରେ ଉଭୟ କୁଳକୁ ଅଳଂକୃତ କରିଅଛ । ତେଣୁ ସ୍ୱାମୀଙ୍କ ସହ କିପରି ବ୍ୟବହାର କରିବାକୁ ହେବ ସେ ବିଷୟରେ ତୁମକୁ ଉପଦେଶ ଦେବା ନିଷ୍ପ୍ରୟୋଜନ । କପାଳ ଲିଖନ ଅଖଣ୍ଡନୀୟ । ତେଣୁ ବୁଦ୍ଧିମତୀ ସ୍ତ୍ରୀ ଭାବରେ ସ୍ୱାମୀମାନଙ୍କୁ ବିଶେଷକରି କନିଷ୍ଠ ସହଦେବଙ୍କୁ ସବିଶେଷ ଆଦର ଯତ୍ନ କରିବ ।’’ ଏହିପରି ଆଶ୍ୱାସନା ଓ ଉପଦେଶ ଦେଇ ବନଗାମୀ ପୁତ୍ରମାନଙ୍କୁ ଚାହିଁ ବିଶେଷ ଭାବରେ ରୋଦନ କରିବାକୁ ଲାଗିଲେ । ପାଣ୍ଡବମାନେ ମା’ଙ୍କଠାରୁ ବିଦାୟ ନେଇ ଅରଣ୍ୟ ଅଭିମୁଖେ ଗମନ କଲେ ।

Image

 

ପାଣ୍ଡବଙ୍କ ବନବାସ

 

ପାଣ୍ଡବମାନେ ହସ୍ତିନାର ରାଜପଥ ଦେଇ ବନ ଅଭିମୁଖେ ଗମନ କଲାବେଳେ, ସେମାନଙ୍କ ଦୁର୍ବ୍ଦଶାରେ ଦୁଃଖାଭିଭୂତ ହୋଇ ପୁରବାସୀମାନେ ଶହ ଶହ ସଂଖ୍ୟାରେ ଗୃହ ପରିବାର ତ୍ୟାଗକରି ପାଣ୍ଡବଙ୍କ ସହ ବନଗାମୀ ହେବାକୁ ବାହାରିବାରୁ ଯୁଧିଷ୍ଠିର କହିଲେ, ‘‘ପିତାମହ ଭୀଷ୍ମ, ରାଜା ଧୃତରାଷ୍ଟ୍ର, ବିଦୁର, ମା କୁନ୍ତୀ ଏବଂ ଅନ୍ୟାନ୍ୟ ବନ୍ଧୁମାନେ ହସ୍ତିନାରେ ଅତି ଶୋକାର୍ତ୍ତ ଅବସ୍ଥାରେ ରହିଅଛନ୍ତି; ଆପଣମାନେ ଘରକୁ ଫେରିଯାଇ ସେମାନଙ୍କ ପ୍ରତି ଯତ୍ନବାନ ହୋଇ ଆମକୁ ସୁଖୀ କରନ୍ତୁ ।’’

 

ଯୁଧିଷ୍ଠିରଙ୍କ ପ୍ରବୋଧ ବାକ୍ୟରେ ପୁରବାସୀମାନେ ଗୃହକୁ ଫେରିଗଲେ, ମାତ୍ର ଅନେକ ବ୍ରାହ୍ମଣ ପାଣ୍ଡବଙ୍କୁ ଛାଡ଼ି ଗୃହକୁ ଫେରିଯିବାକୁ ରାଜି ହେଲେ ନାହିଁ । ଅରଣ୍ୟରେ ଏତେ ସଂଖ୍ୟକ ବ୍ରାହ୍ମଣଙ୍କର ଭରଣପୋଷଣ ଏକାନ୍ତ ଅସମ୍ଭବ ହେବ ଭାବି ପୁରୋହିତ ଧୌମ୍ୟଙ୍କ ପରାମର୍ଶକ୍ରମେ ଯୁଧଷ୍ଠିର ସୂର୍ଯ୍ୟଙ୍କ ଉବ୍ଦେଶ୍ୟରେ ଉପାସନା କଲେ ଏବଂ ଯୁଧିଷ୍ଠିରଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟଦେବ ଏକ ତାମ୍ରପାତ୍ର ପ୍ରଦାନ କରି କହିଲେ, ‘‘ରାଜା, ମୋ’ ପ୍ରଦତ୍ତ ଏହି ତାମ୍ରପାତ୍ର ଗ୍ରହଣ କର । ଏହି ପାତ୍ର ମଧ୍ୟରେ ବାରବର୍ଷ ପାଇଁ ଖାଦ୍ୟର ବ୍ୟବସ୍ଥା କରିଅଛି । ଦିବସର ଯେତେବେଳେ ପର୍ଯ୍ୟନ୍ତ ଦ୍ରୌପଦୀ ଆହାର ଗ୍ରହଣ କରି ନଥିବେ, ସେତେବେଳ ପର୍ଯ୍ୟନ୍ତ ଏହି ତାମ୍ରପାତ୍ର ଆପଣଙ୍କର ଆବଶ୍ୟକୀୟ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଅକ୍ଷୟ-ପାତ୍ର ଭାବରେ କାର୍ଯ୍ୟ କରିବ । କିନ୍ତୁ ଦ୍ରୌପଦୀ ଆହାର ଗ୍ରହଣ କରିବା ପରେ ପାତ୍ରରୁ ସେହିଦିନ ପାଇଁ ଖାଦ୍ୟ ଶେଷ ହୋଇଯିବ ।’’

 

ସୂର୍ଯ୍ୟଦେବଙ୍କଠାରୁ ଅକ୍ଷୟ ପାତ୍ର ଲାଭକରି ଯୁଧିଷ୍ଠିର ଧୌମ୍ୟଙ୍କର ପାଦ ବନ୍ଦନା କରି ବ୍ରାହ୍ମଣମାନଙ୍କ ସହ ସପରିବାର କାମ୍ୟକ ବନକୁ ଗଲେ ଏବଂ ସେଠାରେ କିଛିଦିନ ଅବସ୍ଥାନ କରି ଦ୍ୱୈତବନକୁ ଗମନ କଲେ ।

 

ଲୋକଙ୍କ ମୁଖରୁ ପାଣ୍ଡବମାନଙ୍କର ବନବାସ ବୃତ୍ତାନ୍ତ ଶ୍ରବଣ କରି ଭୋଜ, ଅନ୍ଧକ, ବୃଷ୍ଣୀକ, ଦ୍ରୁପଦଙ୍କ ଜ୍ଞାତବର୍ଗ, ଚେଦି ଦେଶର ରାଜା ଧୃଷ୍ଟକେତୁ, ମହାବୀର କୈକେୟୀ ଓ କୃଷ୍ଣ ପ୍ରମୁଖ ପାଣ୍ଡବଙ୍କ ଆଶ୍ରମରେ ଉପସ୍ଥିତ ହେଲେ ।

 

ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ କହିଲେ, ‘‘ଆପଣଙ୍କର ଦ୍ୟୁତକ୍ରୀଡ଼ା ସମୟରେ ମୁଁ ଶୌଭ ନଗରର ରାଜା ଶାଲ୍ୱଙ୍କ ସହ ଯୁଦ୍ଧରେ ବ୍ୟାପୃଥ ଥିଲି, ନଚେତ୍ ଦ୍ୟୁତ ସ୍ଥାନରେ ଉପସ୍ଥିତ ହୋଇସମସ୍ତଙ୍କୁ ତହିଁରୁ ନିବୃତ୍ତ କରିଥାନ୍ତି; କାରଣ ସ୍ତ୍ରୀ, ଦ୍ୟୁତ, ମୃଗୟା ଓ ସୁରାପାନ ଆଦି ବ୍ୟସନ ମନୁଷ୍ୟକୁ ଶ୍ରୀଭ୍ରଷ୍ଟ କରିଥାଏ । ମୁଁ ଦ୍ୱାରକାରେ ନ ଥିବାରୁ ଏତେ ବଡ଼ ଅଘଟଣ ଘଟିଗଲା । ରାଜ୍ୟକୁ ଫେରିବା ମାତ୍ରେ ଯୁଯୁଧାନଠାରୁ ଆପଣଙ୍କର ଏ ବିପଦର କଥା ଶୁଣିବାକୁ ପାଇ ଆପଣମାନଙ୍କୁ ଦର୍ଶନ କରିବା ନିମନ୍ତେ ଅତି ବ୍ୟାକୁଳ ଚିତ୍ତରେ ଏଠାକୁ ଆସିଅଛି । ଆହା, ଆପଣମାନଙ୍କୁ ପୁଣି କି ଦୁଃଖ ଭୋଗ କରିବାକୁ ପଡ଼ିଲା !’’

 

ଦ୍ରୌପଦୀ କହିଲେ, ‘‘କୃଷ୍ଣ, ମୁଁ ପାଣ୍ଡବମାନଙ୍କର ସହଧର୍ମିଣୀ ଦୃଷ୍ଟଦ୍ୟୁମ୍ନର ଭଗ୍ନୀ ଏବଂ ତୁମର ପ୍ରିୟ ସଖୀ ହୋଇମଧ୍ୟ ଦୁଃଶାସନ ଦ୍ୱାରା ଗୁରୁସ୍ଥାନୀୟ ବ୍ୟକ୍ତିରେ ପୂର୍ଣ୍ଣ ସଭା ମଧ୍ୟରେ ରଜ୍ଜସ୍ୱାଳା ଏକବସ୍ତ୍ରା ଥିବା ସମୟରେ ମୋତେ ଯାହା ଲାଞ୍ଛିତ କଲା; ଏହାଠାରୁ ଦୁର୍ଭାଗ୍ୟର କଥା ଆଉ କ’ଣ ଥାଇପାରେ ? ଭୀଷ୍ମ, ଧୃତରାଷ୍ଟ୍ର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ମଧ୍ୟ ସେମାନେ ଦୁଃଶାସନର କାର୍ଯ୍ୟର ନିନ୍ଦା କଲେ ନାହିଁ । ଏପରି କି ମୋର ବୀର ସ୍ୱାମୀମାନେ ମଧ୍ୟ ମୋ’ ପ୍ରତି ଦୃଷ୍ଟିପାତ କଲେ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ମହାବଳ ପରାକ୍ରାନ୍ତ ଭୀମସେନ ଓ ଅର୍ଜ୍ଜୁନ ଥାଉ ଥାଉ ଦୁଷ୍ଟମତି ଦୁର୍ଯ୍ୟୋଧନ ଏତେ ଅପକର୍ମ ପରେ ବି ଆଜି ପର୍ଯ୍ୟନ୍ତ ଜୀବିତ ଅଛି । ଭୀମ ଅର୍ଜ୍ଜୁନଙ୍କର ବଳ ଓ ପୁରୁଷକାରକୁ ଧିକ୍‌ । ପାଞ୍ଚାଳ ରାଜାର କନ୍ୟା, ମହାତ୍ମା ପାଣ୍ଡୁଙ୍କର ପୁତ୍ରବଧୂ ଏବଂ ପାଣ୍ଡବଙ୍କର ସହଧର୍ମିଣୀ ହୋଇ ମଧ୍ୟ ମୋର ସ୍ୱାମୀମାନଙ୍କ ସମ୍ମୁଖରେ ଦୁଷ୍ଟ ଦୁଃଶାସନ ମୋର କେଶ ଆକର୍ଷଣ କଲା । ଆଜି ବୁଝୁଛି ମୋର ସ୍ୱାମୀ ନାହିଁ, ପୁତ୍ର ନାହିଁ, ବନ୍ଧୁ ନାହିଁ, ନାହିଁ ଭ୍ରାତା, ନାହିଁ ପିତା, ଏପରିକି ତୁମେ ମଧ୍ୟ ନାହଁ । କର୍ଣ୍ଣର ସେହି ପରିହାସ ବାକ୍ୟ ମୋର ହୃଦୟକୁ ଏବେ ବି ଦଗ୍ଧୀଭୂତ କରୁଅଛି ।’’ ଏହା କହି ଦ୍ରୌପଦୀ ନିଜର ହସ୍ତଦ୍ୱାରା ମୁଖମଣ୍ଡଳକୁ ଆଚ୍ଛାଦିତ କରି ଉଚ୍ଚସ୍ୱରରେ ରୋଦନ କଲେ । ନୟନର ଲୋତକରେ ତାଙ୍କର ବକ୍ଷସ୍ଥଳ ଲୋତକଶିକ୍ତ ହୋଇପଡ଼ିଲା ଓ ତାଙ୍କର ନାସକାରୁ ଘନ ଘନ ଦୀର୍ଘଶ୍ୱାସ ବହିର୍ଗତ ହେଲା ଓ ଶୋକର ଭାରରେ ତାଙ୍କର କଣ୍ଠ ବାଷ୍ପାଚ୍ଛନ୍ନ ହୋଇପଡ଼ିଲା ।

 

କୃଷ୍ଣ ସାନ୍ତ୍ୱନା ଦେଇ କହିଲେ, ‘‘ହେ କୃଷ୍ଣା, ଯେଉଁମାନଙ୍କ ଉପରେ ତୁମେ ରୋଷ ପରବଶ ହୋଇଅଛ, ସେମାନଙ୍କୁ ପତ୍ନୀଗଣ ଅର୍ଜ୍ଜୁନଙ୍କ ଶରରେ ନିଜ ନିଜର ପତିଙ୍କୁ ଯୁଦ୍ଧଭୂମିରେ ନିହତ ହେବାର ଦେଖି ଏହିପରି ରୋଦନ କରିବେ । ମୁଁ ମୋର ସାଧ୍ୟମତେ ପାଣ୍ଡବମାନଙ୍କର ଉବ୍ଦେଶ୍ୟ ସାଧନ କରିବାରେ ତ୍ରୁଟି କରିବି ନାହିଁ । ଆଉ ଶୋକ କରନାହିଁ । ମୁଁ ସତ୍ୟକରି କହୁଅଛି, ତୁମେ ରାଜରାଣୀ ହେବ । କୃଷ୍ଣା, ଆକାଶ ଭୂପତିତ ହୋଇପାରେ; ହିମାଚଳ ରସାତଳଗାମୀ ମହୋଦଧି ଶୁଷ୍କ, ଏପରିକି ଭୂମଣ୍ଡଳ ବିଦୀର୍ଣ୍ଣ ହୋଇପାରେ, ମାତ୍ର ମୋର ଏ ବାକ୍ୟ ଅନ୍ୟଥା ହେବ ନାହିଁ ।’’

 

କୃଷ୍ଣଙ୍କ ବାକ୍ୟ ଶୁଣି ଧୃଷ୍ଟଦ୍ୟୁମ୍ନ କହିଲେ, ‘‘ଦ୍ରୌପଦୀ, ମୁଁ ଦ୍ରୋଣକୁ ବିନାଶ କରିବି, ଶିଖଣ୍ଡି ଭୀଷ୍ମଙ୍କୁ ନିହତ କରିବେ, ଭୀମସେନ ଦୁର୍ଯ୍ୟୋଧନକୁ ଏବଂ ଧନଞ୍ଜୟ କର୍ଣ୍ଣକୁ ସଂହାର କରିବେ, ଏଥିରେ ସନ୍ଦେହ କରନାହିଁ । ଧୃତରାଷ୍ଟ୍ରଙ୍କର ଏହି ପୁତ୍ରମାନଙ୍କ କଥା ଦୂରେ ଥାଉ, କୃଷ୍ଣଙ୍କୁ ଅବଲମ୍ବନ କରି ଆମ୍ଭେମାନେ ରଣସ୍ଥଳରେ ଉପସ୍ଥିତ ହେଲେ ଦେବରାଜ ଇନ୍ଦ୍ର ମଧ୍ୟ ଆମକୁ ଜୟ କରିବାକୁ ଅସମର୍ଥ ହେବେ । ତେଣୁ ଗତ କଥାପାଇଁ ଆଉ ଦୁଃଖ କରନାହିଁ ।’’

 

କୃଷ୍ଣ, ଧୃଷ୍ଟଦ୍ୟୁମ୍ନ ପ୍ରମୁଖ ଏହିପରି ଆଶ୍ୱାସନା ପ୍ରଦାନ କରି ବିଦାୟ ନେଇଗଲା ପରେ ପାଣ୍ଡବମାନେ ରାତ୍ରି ସମୟରେ କଥୋପକଥନ କରୁଥାନ୍ତି ।

 

ଯୁଧିଷ୍ଠିରଙ୍କୁ ଦ୍ରୌପଦୀ କହିଲେ, ‘‘ଦୁରାତ୍ମା ଦୁର୍ଯ୍ୟୋଧନ କି ନୃଶଂସ, ତା’ର ହୃଦୟୁ କି କଠୋର ! ଆମ୍ଭମାନଙ୍କୁ ରାଜ୍ୟଭ୍ରଷ୍ଟ, ବନଚାରୀ କରି ମଧ୍ୟ ସେ ସାମାନ୍ୟ ଦୁଃଖିତ ବା ଅନୁତପ୍ତ ହେଲା ନାହିଁ । ଆପଣଙ୍କୁ ବନବାସୀ ଦେଖି ସମଗ୍ର ରାଜ୍ୟବାସୀ ଶୋକବିହ୍ୱଳ ହୋଇଥିଲେ ମଧ୍ୟ ଦୁର୍ଯ୍ୟୋଧନ, କର୍ଣ୍ଣ, ଶକୁନୀ ଓ ଦୁଃଶାସନ ପ୍ରମୁଖ କେତେଜଣଙ୍କୁ ଶୋକ ସ୍ପର୍ଶ କରିଥିଲା ପରି ଜଣାପଡ଼ିଲା ନାହିଁ । ଆଜି ପ୍ରସ୍ତର ଶଯ୍ୟା ଓ ତୃଣମୟ ଆସନ ଦେଖି ପୂର୍ବର ସେହି ରତ୍ନମଣ୍ଡିତ ଶଯ୍ୟା ଓ ସିଂହାସନ ବାରମ୍ବାର ମନେ ପଡ଼ୁଛି ଏବଂ ମୁଁ ମୋର ଶୋକ ସମ୍ବରଣ କରିପାରୁ ନାହିଁ । ସ୍ୱାମୀ ! ପୂର୍ବେ ଆପଣଙ୍କୁ ରାଜସଭାରେ ରାଜନ୍ୟମଣ୍ଡଳୀ ପରିବୃତ୍ତ ଥିବାର ଦେଖିଅଛି, ବର୍ତ୍ତମାନ ଆପଣଙ୍କୁ ଏପରି ଦୂରବସ୍ଥା ମଧ୍ୟରେ ଦେଖି କିପରି ଶାନ୍ତିରେ ରହିପାରିବି ? ପୂର୍ବେ ଯାହାଙ୍କୁ ଚନ୍ଦନ ଚର୍ଚ୍ଚିତ, ସୂର୍ଯ୍ୟସମ ତେଜସ୍ୱୀ ଏବଂ ଶୁଭ୍ର କୌଷେୟ ବସନରେ ସୁସଜ୍ଜିତ ଥିବାର ଦେଖିଅଛି, ଆଜି ତାଙ୍କୁ ଏପରି ଚର୍ମପରିହିତ ଧୂଳିଧୂଷରିତ କଳେବରରେ ଦେଖିବାକୁ ପାଇଲି । ପୂର୍ବେ ଯାହାଙ୍କ ଗୃହରେ ପ୍ରତ୍ୟହ ସହସ୍ର ସହସ୍ର ବ୍ରାହ୍ମଣ, ଯତି, ବ୍ରହ୍ମଚାରୀ ଓ ଅନ୍ୟମାନେ ସୁବର୍ଣ୍ଣ ପାତ୍ରରେ ଇଚ୍ଛାନୁସାରେ ନାନା ସୁସ୍ୱାଦୁ ଅନ୍ନାଦି ଭୋଜନ କରୁଥିଲେ, ଆଜି ସେହି ଦୁଃଖ-ଅନଭିଜ୍ଞ ବ୍ୟକ୍ତିମାନେ ବଣର ଫଳମୂଳରେ ଜୀବନ ନିର୍ବାହ କରୁ ଅଛନ୍ତି । ଏହା ଦେଖି ମୋର ସକଳ ଧୈର୍ଯ୍ୟ ଉଚ୍ଛ୍ୱସିତ ଶୋକାବେଗରେ ଲୋପ ପାଇଯାଉଅଛି । ଯେଉଁ ଭୀମସେନ ଏକା ସମଗ୍ର କୁରୁବଂଶକୁ ସମୂଳେ ବିନାଶ କରିପାରନ୍ତି, ସେହି ମହାବୀର ଆଜି ଏପରି ଦାସଜନୋଚିତ କାର୍ଯ୍ୟ କରୁଥିବାର ଦେଖି ମଧ୍ୟ ଆପଣଙ୍କର କ୍ରୋଧ ଜାତ ହୁଏ ନାହିଁ ? ଯେଉଁ ଅର୍ଜ୍ଜୁନ ଦ୍ୱିବାହୁ ଥିଲେ ମଧ୍ୟ ବହୁ ବାହୁବିଶିଷ୍ଟ କାର୍ତ୍ତବୀର୍ଯ୍ୟାର୍ଜ୍ଜୁନଙ୍କର ସମକକ୍ଷ, ଯାହାଙ୍କ ବୀରତ୍ୱ ସମସ୍ତ ପାର୍ଥୀବବୀରଙ୍କୁ ପଦାନତ କରିଅଛି, ସେହି ବୀରଶିରୋମଣି ଆଜି ଏପରି ତପସ୍ୱୀବେଶରେ ବନବାସୀ ହୋଇଥିବା ଦେଖି ମଧ୍ୟ ଦୁର୍ଯ୍ୟୋଧନ ପ୍ରତି ଆପଣଙ୍କର କ୍ରୋଧ ଜାତ ହୁଏନାହିଁ ? ସୁକୁମାର ମାଦ୍ରୀ ତନୟଦ୍ୱୟ ଚିରସୁଖୀ ହୋଇମଧ୍ୟ ଆଜି ବନବାସ କ୍ଳେଶରେ ଏପରି ପୀଡ଼ିତ ହେଉଥିବା ବେଳେ ଆପଣ ଯେ କାହିଁକି କ୍ଷମା ପ୍ରଦର୍ଶନ କରୁ ଅଛନ୍ତି, ବୁଝିପାରୁ ନାହିଁ ! ମୁଁ ନିଜେ ଦ୍ରୁପଦ ରାଜ ଦୁହିତା, ମହାତ୍ମା ପାଣ୍ଡୁଙ୍କର ପୁତ୍ରବଧୂ, ଧୃଷ୍ଟଦ୍ୟୁମ୍ନଙ୍କର ଭଗ୍ନୀ, ବୀରପତ୍ନୀ ଓ ବ୍ରତଶାଳିନୀ ହୋଇମଧ୍ୟ ବନବାସିନୀ ହେଲି, ଏହାଠାରୁ ଅଧିକ ଦୁଃଖର ବିଷୟ ଆଉ କ’ଣ ଅଛି ? ଆମକୁ ଏପରି ଭାବରେ ଦୁର୍ବ୍ଦଶାଗ୍ରସ୍ତ ଦେଖି ମଧ୍ୟ ଆପଣଙ୍କ ମନରେ ଯେତେବେଳେ ଦୁଃଖ ଜାତ ହେଉ ନାହିଁ, ବୁଝୁଛି, ଆପଣ ଏକାବେଳକେ କ୍ରୋଧଶୂନ୍ୟ । ଶୁଣିଥିଲି କ୍ଷତ୍ରିୟ କ୍ରୋଧଶୂନ୍ୟ ହୋଇପାରେ ନାହିଁ, ମାତ୍ର ଦେଖୁଛି ଆପଣ ତା’ର ବ୍ୟତିକ୍ରମ । ଶତ୍ରୁମାନଙ୍କପ୍ରତି କ୍ଷମା ପ୍ରଦର୍ଶନ କରି ଶତ୍ରୁମାନଙ୍କୁ ସମୂଳେ ନିର୍ମୁଳ କରିବାହିଁ ଏକମାତ୍ର କର୍ତ୍ତବ୍ୟ । ଯେଉଁ ଧୃତରାଷ୍ଟ୍ର ପୁତ୍ରମାନେ ଆଜି ପର୍ଯ୍ୟନ୍ତ କେବଳ ଆପଣଙ୍କର ଅନିଷ୍ଟ ହିଁ କରି ଆସିଅଛନ୍ତି, ସେମାନଙ୍କୁ କ୍ଷମା କରିବା ଆଦୌ ଉଚିତ ନୁହେଁ । ସାଧାରଣତଃ ଲୋକମାନେ ମୃଦୁ ସ୍ୱଭାବର ଅବଜ୍ଞା ଏବଂ ଉଗ୍ର ସ୍ୱଭାବସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଭୟ କରିଥାନ୍ତି; ତେଣୁ ସମୟାନୁସାରେ ମୃଦୁତା ଓ ଉଗ୍ରତା ପ୍ରକାଶ କରିପାରୁଥିବା ବ୍ୟକ୍ତି ହିଁ ଯଥାର୍ଥରେ ପୁରୁଷ ପଦବାଚ୍ୟ ।’’

 

ଯୁଧିଷ୍ଠିର କହିଲେ, ‘‘ପ୍ରିୟେ, କ୍ରୋଧ ଯେପରି ବିନାଶର କାରଣ, ସେହିପରି ମଧ୍ୟ ଅମଙ୍ଗଳପ୍ରଦ ହୋଇଥାଏ । କ୍ରୋଧକୁ ସମ୍ବରଣ କଲେ ତାହା ମଙ୍ଗଳର କାରଣ ହୋଇଥାଏ । ହେ ଶୋଭାଙ୍ଗିନୀ ! ମୋ’ ପରି ବ୍ୟକ୍ତି ବା କିପରି କ୍ରୋଧାଗ୍ନି ପ୍ରଜ୍ଜ୍ୱଳିତ କରିବ ? ମିଥ୍ୟା ଅପେକ୍ଷା ସତ୍ୟ ଯେପରି ଶ୍ରେୟ, ସେହିପରି ହିଂସାଚରଣ ଅପେକ୍ଷା ଅହିଂସା ହିତକର । ସତ୍ୟପରାୟଣ ବ୍ୟକ୍ତିମାନଙ୍କ ପାଇଁ କ୍ଷମା ହିଁ ସତ୍ୟ, କ୍ଷମା ହିଁ ଯଜ୍ଞ, କ୍ଷମା ହିଁ ଶାନ୍ତି । ତେଣୁ କ୍ଷମା ପରିତ୍ୟାଗ କରିବି କିପରି ? ଦ୍ରୌପଦୀ, ଭରତ ବଂଶର ବିନାଶ ନିମନ୍ତେ ଏହି ନିଦାରୁଣ କାଳ ଉପସ୍ଥିତ ହୋଇଅଛି । ଦୁର୍ଯ୍ୟୋଧନ ରାଜକାର୍ଯ୍ୟରେ ନିତାନ୍ତ ଅଯୋଗ୍ୟ । ସେ କଦାଚ କ୍ଷମା ଆଚରଣ କରିପାରିବ ନାହିଁ; ତେଣୁ କ୍ଷମା ମୋତେ ହିଁ ଆଶ୍ରୟ କରିଅଛି । କ୍ଷମା ଓ ଅହିଂସା ମହାତ୍ମାଙ୍କର ଚରିତ୍ର ସ୍ୱରୂପ ଓ ତାହାହିଁ ସନାତନ ଧର୍ମ । ତେଣୁ ମୁଁ କ୍ଷମାପରାନ୍ନ ହୋଇପାରିବି ନାହିଁ ।’’

 

ଦ୍ରୌପଦୀ କହିଲେ, ‘‘ଆପଣ ଧର୍ମାତ୍ମା । ଆପଣ ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏପରି କି ମୋତେ ମଧ୍ୟ ପରିତ୍ୟାଗ କରିପାରନ୍ତି, ମାତ୍ର ଧର୍ମ ତ୍ୟାଗ କରିବେ ନାହିଁ । ରାଜା ଧର୍ମ ରକ୍ଷା କରନ୍ତି ଓ ଧର୍ମ ରାଜାଙ୍କୁ ରକ୍ଷା କରିଥାଏ; କିନ୍ତୁ ଆପଣ ଧର୍ମାନୁମୋଦିତ ଜୀବନଯାପନ କଲେ ମଧ୍ୟ କାହିଁ ଧର୍ମ ତ ଆପଣଙ୍କୁ ରକ୍ଷା କରୁନାହିଁ ? ଆପଣଙ୍କ ପରି ବିଚାରବୁଦ୍ଧିସମ୍ପନ୍ନ ବ୍ୟକ୍ତିଙ୍କର ମନରେ ସେ ଦ୍ୟୁତକ୍ରୀଡ଼ା ପ୍ରତି ଆସକ୍ତିଜନିତ ଦୁର୍ବୁଦ୍ଧି କିପରି ଜାତ ହେଲା, ମୁଁ ବୁଝିପାରୁ ନାହିଁ । ଆପଣଙ୍କ ପରି ସୁଶ୍ଳୀଳ, ଧର୍ମପରାୟଣ ଆଜି ଏପରି ଦୁଃସହ ଦୁଃଖ ମଧ୍ୟରେ କାଳାତିପାତ କରୁଥିବା ବେଳେ ବିଷୟବ୍ୟସନାସକ୍ତ କପଟୀ ପାପାତ୍ମା ଦୁର୍ଯ୍ୟୋଧନ ରାଜସୁଖ ଲାଭ କରିଅଛି-ଏପରି ପକ୍ଷପାତିତ୍ୱ ପୂର୍ଣ୍ଣ ବିଚାର ଦେଖି ବିଶ୍ୱ ନିୟନ୍ତା ସେହି ବିଷମଦର୍ଶୀ ବିଧାତାଙ୍କୁ ଧିକ୍‌କାର କରିବାକୁ ଇଚ୍ଛା ହୁଏ ।’’

 

ଯୁଧିଷ୍ଠିର କହିଲେ, ‘‘ଯାଜ୍ଞସେନୀ ! ତୁମେ ଯାହା କହିଲ ତାହା ସତ୍ୟ ହେଲେ ବି ତାହା ନାସ୍ତିକତାମୂଳକ । ଫଳପ୍ରାପ୍ତି ପ୍ରତି ଆଶା ପୋଷଣ କରି ମୁଁ କର୍ମ କରେ ନାହିଁ । ମୁଁ ଧର୍ମାନୁରାଗୀ, ତେଣୁ ଯାହା ମୋର କର୍ତ୍ତବ୍ୟ, ଯାହା ମୋ’ ପକ୍ଷରେ ଶାସ୍ତ୍ରାନୁମୋଦିତ ଧର୍ମ, ମୁଁ ତାହାହିଁ ପାଳନ କରିଅଛି । କର୍ତ୍ତବ୍ୟକର୍ମାଙ୍କ ସ୍ଥାନ ସର୍ବାଗ୍ରେ; ତେଣୁ ଧର୍ମ ପ୍ରତି ଅଶ୍ରଦ୍ଧା ଓ ବିଧାତାଙ୍କ ପ୍ରତି ସମାଲୋଚନା ପ୍ରଦର୍ଶନ କରିବା ଉଚିତ ନୁହେଁ । ଧର୍ମ ହିଁ ସନାତନ ସୁଖ ଏବଂ ଧର୍ମାଚରଣ କେବେ ବ୍ୟର୍ଥ ହୁଏ ନାହିଁ । ମନୁଷ୍ୟ ମରଣଶୀଳ ହୋଇମଧ୍ୟ ଯାହାଙ୍କ ପ୍ରାସାଦରେ ଅମରତ୍ୱ ପ୍ରାପ୍ତ ହୋଇଥାଏ, ସେହି ପରମେଶ୍ୱର ବିଧାତାଙ୍କୁ ଅବମାନନା କରିବା ଉଚିତ ନୁହେଁ ।’’

 

ଦ୍ରୌପଦୀ କହିଲେ, ‘‘ମୁଁ ଧର୍ମର ବା ଭଗବାନଙ୍କର ନିନ୍ଦା ବା ଅବମାନନା କରୁନାହିଁ । ମୋର ଶୋକାର୍ତ୍ତଚିତ୍ତର ଏହା ବିଳାପ ମାତ୍ର । ବର୍ତ୍ତମାନ ଆମେ ପରମ ଦୁର୍ବ୍ଦଶାର ସମ୍ମୁଖୀନ ହୋଇଅଛନ୍ତି । ଭାଗ୍ୟବାଦୀ ନ ହୋଇ କର୍ତ୍ତବ୍ୟ ସମ୍ପାଦନାରେ ପୌରୁଷ ପ୍ରକାଶ କଲେ ତହିଁରୁ ଆମେ ଉଦ୍ଧାର ଲାଭ କରିବା; କାରଣ ଯତ୍ନ ଯୋଗୁ ହିଁ ରତ୍ନ ପ୍ରାପ୍ତି ସମ୍ଭବ ହୋଇଥାଏ ।’’

 

ଦ୍ରୌପଦୀଙ୍କ କଥାରେ ଭୀମସେନ ଉତ୍ସାହିତ ହୋଇଯୁଧିଷ୍ଠିରଙ୍କୁ କହିଲେ, ‘‘ଦୁର୍ଯ୍ୟୋଧନ ଧର୍ମର ପଥ, ପୌରୁଷର ପଥ ଅବଲମ୍ବନ କରି ଆମର ରାଜ୍ୟ ଲାଭକରି ନାହିଁ; କପଟ ଦ୍ୟୁତକ୍ରୀଡ଼ାରେ ଅପହରଣ କରିଅଛି । ତେଣୁ ଆପଣ କାହିଁକି ଧର୍ମାନୁରାଗୀ ହୋଇ ନିଜର ରାଜ୍ୟ ଉଦ୍ଧାର ବିଷୟରେ ଯତ୍ନବାନ ନ ହୋଇ ବନ ମଧ୍ୟରେ ଏପରି ଦାରୁଣ ଅସହ୍ୟ ଜୀବନ ଯାପନ କରିବେ ? ପଙ୍ଗୁ ବ୍ୟକ୍ତିଠାରୁ ଶୃଗାଳ ଆହାର ଅପହରଣ କରିଅଛି । ଆମ୍ଭେମାନେ ଆପଣଙ୍କର ଅନୁଗତ ହୋଇଆପଣଙ୍କ କଥାନୁସାରେ ନିଜକୁ ସଂଯତ କରିବା ଫଳରେ ଆମର ମିତ୍ରମାନଙ୍କର ଦୁଃଖ ଓ ଶତ୍ରୁମାନଙ୍କର ଆନନ୍ଦ କେବଳ ବର୍ଦ୍ଧନ କରିଅଛୁ । ମହାରାଜ, ବଳବାନ ହୋଇମଧ୍ୟ ଆମେ ହୀନବଳବ୍ୟକ୍ତିଙ୍କ ପରି ମୃଗଚର୍ମ ଧାରଣ କରି ବନବାସରେ ଜୀବନ କଟାଉଛୁ । କୃଷ୍ଣ, ଅର୍ଜ୍ଜୁନ, ନକୁଳ, ସହଦେବ ପ୍ରମୁଖ ଆପଣଙ୍କର ଏପରି ଜୀବନଯାତ୍ରାକୁ ଅଭିନନ୍ଦନ କରିବେ ନାହିଁ । ଆପଣ ଧର୍ମପଥ ଅନୁସରଣ କରି ବୈରାଗ୍ୟ ଅବଲମ୍ବନ କରେ, ସେ କାପୁରୁଷ । ଦେଖନ୍ତୁ, ଶତ୍ରୁ ସଂହାର ପାଇଁ ଆମ୍ଭେମାନେ ସମର୍ଥ ହେଲେ ମଧ୍ୟ କ୍ଷମାର ପନ୍ଥା ଅବଲମ୍ବନ କରିବା ଦ୍ୱାରା ଧୃତରାଷ୍ଟ୍ରଙ୍କ ବିଚାରରେ ସାମର୍ଥ୍ୟ ହୀନ କାପୁରୁଷ ଭାବରେ ପରିଗଣିତ ହୋଇଅଛୁ । ଏହି ଲଜ୍ଜା ଓ ଦୁଃଖ ଅପେକ୍ଷା ଶତ୍ରୁ ସହ ସଂଗ୍ରାମ କରି ରଣକ୍ଷେତ୍ରରେ ପ୍ରାଣ ବିସର୍ଜନ କରିବା ବରଂ ଶ୍ରେୟସ୍କର । ସଂଗ୍ରାମରେ ନିହତ ହେଲେ ସ୍ୱର୍ଗଲାଭ, ବିଜୟୀ ହେଲେ ରାଜ୍ୟ ଲାଭ । ତେଣୁ ବର୍ତ୍ତମାନ ପରିସ୍ଥିତରେ ସଂଗ୍ରାମ ହିଁ ଆମର ଏକମାତ୍ର କର୍ତ୍ତବ୍ୟ । ସସାଗରାଧରାରେ ଅର୍ଜ୍ଜୁନର ସମକକ୍ଷ ହେଲାପରି ଧନୁର୍ଦ୍ଧର, ମୋ’ ପରି ଗଦାଯୁଦ୍ଧ ବିଶାରଦ ଏକାନ୍ତ ବିରଳ ? ଅର୍ଜ୍ଜୁନର ଗାଣ୍ଡିବ-ନିର୍ମୁକ୍ତ ଶରସମୂହକୁ ସହ୍ୟ କରିବ ଏପରି ବୀର ପୃଥିବୀରେ କିଏ ଅଛି ? ଯୁଦ୍ଧକ୍ଷେତ୍ରରେ କ୍ରୁଦ୍ଧ ହୋଇ ମୁଁ ଯେତେବେଳେ ଗଦାଘୂର୍ଣ୍ଣନ କରିବି ତାହାକୁ ସହ୍ୟ କରିବାକୁ ଏପରି କୌଣସି ବୀର ଏପର୍ଯ୍ୟନ୍ତ ପୃଥିବୀରେ ଜନ୍ମଗ୍ରହଣ କରିନାହିଁ । ତେଣୁ ସଂଗ୍ରାମରେ ପ୍ରବୃତ୍ତ ହୋଇ ଶତ୍ରୁ ହସ୍ତଗତ ରାଜ୍ୟକୁ ଉଦ୍ଧାର କରନ୍ତୁ ।’’

 

ଯୁଧିଷ୍ଠିର କହିଲେ, ‘‘ଭୀମସେନ, ଆର୍ଯ୍ୟକୁଳ ସମ୍ଭବ ବ୍ୟକ୍ତି ପକ୍ଷରେ ଧର୍ମ ଓ ଶପଥ ଳଙ୍ଘନ କରିବା ମରଣ ଅପେକ୍ଷା ଅଧିକ ଦୁଃଖଦାୟକ । ଦ୍ୱାଦଶବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ କରିବାକୁ କରିଥିବା ପ୍ରତିଜ୍ଞା ସାମାନ୍ୟ ରାଜ୍ୟଲାଭ ପାଇଁ ଆଜି ଲଙ୍ଘନ କରିବା ମୋ’ ପକ୍ଷରେ ସମ୍ଭବ ନୁହେଁ । ରାଜ୍ୟ, ଧନ, ପୁତ୍ର ଓ ଯଶ ଏ ସମସ୍ତ ବିଷୟ ସତ୍ୟର ଏକ ଅଣୁ ସହ ସମକକ୍ଷ ହେବାର ଅନୁପଯୁକ୍ତ ।’’

 

ଭୀମସେନ କହିଲେ, ‘‘ମହାରାଜ, ପାଣିଫୋଟକାପରି କ୍ଷଣସ୍ଥାୟୀ ଓ ପକ୍ୱଫଳ ପରି ପତନଶୀଳ ଏହି ମାନବଗଣ ନିତ୍ୟ ପ୍ରବହମାନ ଦ୍ରୁତଗାମୀ ଏହି ଅନନ୍ତ କାଳସ୍ରୋତର ଏକାନ୍ତ ବଶୀଭୂତ । ତେଣୁ ଯେଉଁମାନଙ୍କର ପରମାୟୁ ଅପରିମିତ, ସେମାନଙ୍କ ପକ୍ଷରେ ପ୍ରତୀକ୍ଷା ଶୋଭାପାଏ । ହୁଏତ ଏହି ତ୍ରୟୋଦଶ ବର୍ଷର ପ୍ରତୀକ୍ଷା ମଧ୍ୟରେ ଆମ୍ଭେମାନେ କାଳର କରାଳ କବଳରେ ଲୀନ ହୋଇଯାଇଥିବ । ଶତ୍ରୁ ଦମନ କରିବାରେ ଅସମର୍ଥ ଓ ଶୌର୍ଯ୍ୟ ବୀର୍ଯ୍ୟ ପ୍ରକାଶ କରି କୀର୍ତ୍ତି ସ୍ଥାପନ କରିବାକୁ ପରାନ୍ମୁଖ ବ୍ୟକ୍ତିମାନେ କେବଳ ସଂଗ୍ରାମପ୍ରିୟ । କ୍ଷତ୍ରିୟମାନଙ୍କ ପକ୍ଷରେ ବ୍ରାହ୍ମଣସୁଲଭ ଦୟାର୍ଦ୍ର ଚିତ୍ତ, କ୍ଷମାଭାବ ଶୋଭାପାଏ ନାହିଁ । ହୁଏତ ସତ୍ୟରକ୍ଷା ପାଇଁ ଆମ୍ଭେମାନେ ଶତ କ୍ଳେଶ ସତ୍ତ୍ୱେ ଦ୍ୱାଦଶବର୍ଷ ବନବାସରେ ଅତିବାହିତ କରିଦେବା; ମାତ୍ର ଅଜ୍ଞାତବାସ ? ମୁଷ୍ଟିମେୟ ତୃଣଦ୍ୱାରା ନଗାଧିରାଜ ହିମାଳୟକୁ ଆବୃତ୍ତ କରିବା ଚେଷ୍ଟା ଯେପରି ବୃଥା, ସେହିପରି ଆମ୍ଭେମାନେ ଯେତେ ଛଦ୍ମବେଶ ଧାରଣ କରି ଯେତେ ଗୋପନରେ ବାସ କଲେ ମଧ୍ୟ ଅଜ୍ଞାତ ଅପରିଚିତ ହୋଇରହିପାରିବା ନାହିଁ । ଆପଣଙ୍କ ପରି ବୁଦ୍ଧିମାନ୍, ଆଭିଜାତ୍ୟସମ୍ପନ୍ନ, ଶାସ୍ତ୍ରଜ୍ଞ; ଅର୍ଜ୍ଜୁନଙ୍କ ପରି ଦୀର୍ଘାକାୟ ସୌମ୍ୟବୟ, ନକୁଳ ସହଦେବଙ୍କ ପରି ସିଂହଶାବକ ସମାନ ବୀର, ଦ୍ରୌପଦୀଙ୍କ ପରି ବୀରପ୍ରସବିନୀ ଆଲୋକସାମାନ୍ୟ ଲାବଣ୍ୟବତୀକୁ ଆପଣ ଶତଚେଷ୍ଟା କଲେ ମଧ୍ୟ ଗୋପନ ରଖିପାରିବେ କି ? ଶୈଶବରୁ ଆଜି ପର୍ଯ୍ୟନ୍ତ ଶାରୀରିକ ଆକୃତି ଓ ବଳପାଇଁ ଲୋକମାନଙ୍କ ମଧ୍ୟରେ ମୁଁ ବିଶେଷ ଭାବରେ ପରିଚିତ, ମୁଁ କିପରି ନିଜକୁ ଗୋପନ କରିବି ! ଏହି ଅଜ୍ଞାତବାସ ଆମ ପକ୍ଷରେ ଏକାବେଳକେ ଅସମ୍ଭବ । ତେଣୁ ବସ୍ତ୍ର ଅଭାବରେ ପୁତ୍ରଦାନ କଲାପରି ବର୍ଷ ସ୍ଥାନରେ ମାସ ଗଣନା କରି ଏହି ତ୍ରୟୋଦଶ ବର୍ଷର ବନବାସକୁ ତ୍ରୟୋଦଶ ମାସ ବୋଲି ଗ୍ରହଣ କରି ଶତ୍ରୁ ବିନାଶ ପାଇଁ ପ୍ରଯତ୍ନ କରନ୍ତୁ । ସଂଗ୍ରାମ ଭିନ୍ନ କ୍ଷତ୍ରିୟର ଅନ୍ୟ ଧର୍ମ ନାହିଁ ।’’

 

ଯୁଧିଷ୍ଠିର କହିଲେ, ‘‘ହେ ମହାବାହୁ ! ତୁମେ ଯାହା କହିଲ ତାହା ଯଥାର୍ଥ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ବିଷୟକୁ ବିଚାରକୁ ନ ଦେଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ହେବ ନାହିଁ । ତୁମର ପରାକ୍ରମ ଅସୀମ, ତଥାପି ସଂଗ୍ରାମ ଆମ ପକ୍ଷରେ ହିତକର ହେବ ନାହିଁ; କାରଣ ଯେଉଁ ରାଜାମାନଙ୍କ ସହିତ ଆମର ସଦ୍‌ଭାବ ନଥିଲା, ସେମାନେ ନିଶ୍ଚୟ ଦୁର୍ଯ୍ୟୋଧନର ସପକ୍ଷରେ ଯୁଦ୍ଧ କରିବେ । ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ ଓ କୃପ ପ୍ରମୁଖ ଉଭୟଙ୍କ ପ୍ରତି ସମସ୍ନେହୀ ଥିଲେ ମଧ୍ୟ ରାଜପ୍ରଦତ୍ତ ଗ୍ରାସାଚ୍ଛାଦନ ଆଦି ଋଣର ପରିଶୋଧ ନିମନ୍ତେ ଦୁର୍ଯ୍ୟୋଧନ ପକ୍ଷରେ ନିଶ୍ଚୟ ଯୁଦ୍ଧ କରିବେ । ଏତଦ୍‌ବ୍ୟତୀତ ଅସ୍ତ୍ରବିଶାରଦ ମହାରଥି କର୍ଣ୍ଣ ସର୍ବଦା ଅଭେଦ କବଚରେ ନିଜକୁ ସୁରକ୍ଷିତ କରି ରଖିଥିବାରୁ ଯୁଦ୍ଧରେ ତାଙ୍କର ସମ୍ମୁଖୀନ ହେବା ଏକ ଦୁରୂହ ବିଷୟ । ତେଣୁ ଏପରି ସମୟରେ ସହାୟହୀନ ହୋଇ ଏପରି ବୀର ପୁରୁଷମାନଙ୍କୁ ପରାଜିତ କରି ରାଜ୍ୟ ଲାଭ କରିବା ବିଡ଼ମ୍ବନା ମାତ୍ର ।’’

 

ପାଣ୍ଡବମାନଙ୍କ ମଧ୍ୟରେ ଏହିପରି କଥୋପକଥନ ଚାଲିଥିବାବେଳେ ବ୍ୟାସଦେବ ସେମାନଙ୍କ ନିକଟରେ ଉପସ୍ଥିତ ହୋଇକହିଲେ, ‘‘ଯୁଧିଷ୍ଠିର, ତପସ୍ୟା ବଳରେ ତୁମ ଅନ୍ତଃକରଣର ଦୁଃଖ ବୁଝିପାରି, ତୁମ ନିକଟରୁ ଯେପରି ଶଙ୍କାଗ୍ରସ୍ତ ହୋଇଅଛ, ତହିଁର ନିବାରଣାର୍ଥେ ମୁଁ ତୁମକୁ ଏହି ପ୍ରତିଶ୍ରୁତି ନାମକ ବିଦ୍ୟା ପ୍ରଦାନ କରୁଅଛି । ଏହି ବିଦ୍ୟାବଳରେ ଅର୍ଜ୍ଜୁନ ତପସ୍ୟା କରି ମହାଦେବ, ବରୁଣ, କୁବେର ଓ ଧର୍ମରାଜ ପ୍ରମୁଖ ସୁରଗଣଙ୍କର ଅନୁଗ୍ରହ ଲାଭକରି ଦିବ୍ୟାସ୍ତ୍ରମାନ ପ୍ରାପ୍ତ ହେବ । ଯୁଧିଷ୍ଠିର, ଗୋଟାଏ ସ୍ଥାନରେ ଚିରକାଳ ବାସ କଲେ ତାହା ପ୍ରୀତିକର ହୁଏ ନାହିଁ, ତେଣୁ ତୁମେ ଅନ୍ୟ ବନକୁ ଚାଲିଯାଅ ।’’

 

ଯୁଧିଷ୍ଠିରଙ୍କୁ ସିଦ୍ଧିଦାତ୍ରୀ ବିଦ୍ୟା ପ୍ରଦାନ କରି ବ୍ୟାସଦେବ ଅନ୍ତର୍ଦ୍ଧାନ ହେବା ପରେ ଯୁଧିଷ୍ଠିର ସେହି ଦ୍ୱୈତବନ ତ୍ୟାଗ କରି ସରସ୍ୱତୀ ନଦୀର ଉପକୂଳସ୍ଥିତ କାମ୍ୟକ ବନକୁ ସଦଳବଳେ ଯାତ୍ରା କଲେ ।

Image

 

ଉର୍ବଶୀଙ୍କ ଅଭିଶାପ

 

କାମ୍ୟକ ବନକୁ ଯିବାର କିଛିଦିନ ପରେ ଯୁଧିଷ୍ଠିରଙ୍କଠାରୁ ବ୍ୟାସଦେବଙ୍କ ପ୍ରଦତ୍ତ ବିଦ୍ୟା ଶିକ୍ଷା କରି ଦିବ୍ୟାସ୍ତ୍ର ସଂଗ୍ରହ ଉବ୍ଦେଶ୍ୟରେ ଅର୍ଜ୍ଜୁନ ହିମାଳୟକୁ ଯାଇଥିଲେ । ପଥ ମଧ୍ୟରେ ଦେବରାଜ ଇନ୍ଦ୍ର ଅର୍ଜ୍ଜୁନଙ୍କୁ ସାକ୍ଷାତ ଦେଇ ପ୍ରଥମେ ରୁଦ୍ରଙ୍କୁ ସନ୍ତୁଷ୍ଟ କରି ପାଶୁପତ ଆଦି ଅସ୍ତ୍ର ସକଳ ଲାଭ କରିବାକୁ ପରାମର୍ଶ ଦେବାରୁ, ଅର୍ଜ୍ଜୁନ ହିମାଳୟ ନିକଟବର୍ତ୍ତୀ ଏକ ଦୁର୍ଗମ ଅରଣ୍ୟ ମଧ୍ୟରେ ଶିବଙ୍କ ଉବ୍ଦେଶ୍ୟରେ କଠୋର ତପସ୍ୟା ଆଚରଣ କଲେ । ପ୍ରଥମେ ତପସ୍ୟା ଓ ପରେ ବୀରତ୍ୱ ପ୍ରଦର୍ଶନରେ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ପରମଦାୟିତ୍ୱ ପାଶୁପତାସ୍ତ୍ର ଅର୍ଜ୍ଜୁନ ଲାଭ କଲେ । ତହିଁପରେ ଯମଙ୍କଠାରୁ ଦଣ୍ଡାପ, ବରୁଣଙ୍କଠାରୁ ବରୁଣପାଶ, କୁବେରଙ୍କଠାରୁ ଅନ୍ତର୍ଦ୍ଧାନକାରୀ, ଓଜ, ତେଜ ଓ ଦ୍ୟୁତିକର ପ୍ରସ୍ୱାପନ ଅସ୍ତ୍ରାଦି ଲାଭ କରିଥିଲେ । ପିତା ଦେବରାଜ ଇନ୍ଦ୍ରଙ୍କ ଆଦେଶକ୍ରମେ ଦେବତାମାନଙ୍କର କାର୍ଯ୍ୟ ସାଧନ ନିମନ୍ତେ ମାତଳୀଙ୍କ ରଥରେ ଆରୋହଣ କରି ଅର୍ଜ୍ଜୁନ ସ୍ୱର୍ଗକୁ ଗମନ କରିଥିଲେ ।

 

ଅମରାବତୀରେ ଦେବରାଜ ଇନ୍ଦ୍ରଙ୍କ ସଭା ଦର୍ଶନ କରି ଅର୍ଜ୍ଜୁନ ବିଶେଷ ପ୍ରୀତ ହୋଇଥିଲେ । ଦେବରାଜ ଇନ୍ଦ୍ରଙ୍କ ନିକଟରେ ଅର୍ଜ୍ଜୁନଙ୍କ ନିମନ୍ତେ ଆସନ ପ୍ରଦତ୍ତ ହୋଇଥିଲା । ଅର୍ଜ୍ଜୁନ ସେହିଠାରେ ଆସୀନ ହେଲେ ଏବଂ ପରେ ପରେ ଗନ୍ଧର୍ବମାନେ ସାମଗାନ କରିବାକୁ ଲାଗିଲେ । ମେନକା, ରମ୍ଭା, ସ୍ୱର୍ଣ୍ଣପ୍ରଭା, ଉର୍ବଶୀ, ମିତ୍ରକେଶୀ, ବରୁଥିନୀ, କୁମ୍ଭଯୋନୀ, ଚିତ୍ରସେନା ଓ ଚିତ୍ରଲେଖା ପ୍ରମୁଖ ପଦ୍ମନୟନା, ସୁକଣ୍ଠୀ, ରୂପବତୀ ନର୍ତ୍ତକୀଗଣ ଦେବସଭାରେ ଆସୀନ ସିଦ୍ଧପୁରୁଷମାନଙ୍କର ଚିତ୍ତରଞ୍ଜନ ନିମନ୍ତେ ବିଭିନ୍ନ ନୃତ୍ୟକାଳୀନ ନିତମ୍ବ ଦୋଳନ, କମ୍ପିତ ପୟୋଧରର ଶୋଭା, ବିଭିନ୍ନ ଭାବବ୍ୟଞ୍ଜନା କଟାକ୍ଷ ଆଦି ନୃତ୍ୟ-ମୁଦ୍ରା ଦର୍ଶକମାନଙ୍କୁ ଆନନ୍ଦ ବିହ୍ୱଳ କରିଥିଲା । ଅର୍ଜ୍ଜୁନ ଯେ ସେହି ଅପୂର୍ବ ନୃତ୍ୟ ଦର୍ଶନରେ ଅତୀବ ମୋହିତ ହୋଇଥିଲେ, ଏହା କହିବା ନିଷ୍ପ୍ରୟୋଜନ ।

 

ଇନ୍ଦ୍ରଙ୍କ ନିକଟରେ ଅବସ୍ଥାନ କରି ଅର୍ଜ୍ଜୁନ ପାଞ୍ଚୋଟି ବର୍ଷ ସେଠାରେ ଅତିବାହିତ କର ଇନ୍ଦ୍ରଙ୍କ ନିକଟରୁ ବଜ୍ର, ଅଶନ ପ୍ରଭୃତି ଅସ୍ତ୍ରଶାସ୍ତ୍ର ପ୍ରାପ୍ତ ହୋଇଥିଲେ । ସ୍ୱର୍ଗପୁରରେ ଥିଲେ ମଧ୍ୟ ଦ୍ୟୁତକ୍ରୀଡ଼ାକୁ କେନ୍ଦ୍ର କରି ସେମାନଙ୍କ ପରିବାର ଉପରେ ଘଟିଯାଇଥିବା ଯାବତୀୟ ଦୁଃସହ ଯନ୍ତ୍ରଣା ତାଙ୍କର ସ୍ମୃତିପଟରେ ସତତ ଉଦୟ ହୋଇ ଅର୍ଜ୍ଜୁନଙ୍କୁ ସଦାସର୍ବଦା ଦୁଃଖିତ ଓ ଦୁର୍ଯ୍ୟୋଧନ, ଶକୁନି, ଦୁଃଶାସନ ପ୍ରମୁଖଙ୍କୁ କିପରି ସଂଗ୍ରାମରେ ନିହତ କରିବେ ସେହି ଚିନ୍ତାରେ ବିବ୍ରତ କରି ରଖୁଥିଲା । ଦେବରାଜ ଇନ୍ଦ୍ର ପୁତ୍ରମନର ଚିନ୍ତା ଲକ୍ଷ୍ୟ କରି ସେହି କ୍ରୋଧ ଓ ଶୋକର ଉପସମ ନିମନ୍ତେ ଗନ୍ଧର୍ବରାଜ ଚିତ୍ରସେନଙ୍କ ନିକଟରୁ ନୃତ୍ୟ, ଗୀତ, ବାଦ୍ୟ ଆଦି ଶିକ୍ଷା କରିବାକୁ ଅର୍ଜ୍ଜୁନଙ୍କୁ କହିଥିଲେ ଏବଂ ଅର୍ଜ୍ଜୁନ ମଧ୍ୟ ତଦନୁସାରେ ଅତି ଅଳ୍ପ ସମୟ ମଧ୍ୟରେ ନୃତ୍ୟ ଗୀତ ବାଦ୍ୟରେ ସୁଶିକ୍ଷିତ ହୋଇଗଲେ ।

 

ଅମରାବତୀର ଅନିଦ୍ୟସୁନ୍ଦରୀ ନର୍ତ୍ତକୀ ଉର୍ବଶୀଙ୍କ ପ୍ରତି ଅର୍ଜ୍ଜୁନଙ୍କର ମନ ବିଶେଷ ଭାବରେ ଆସକ୍ତ ଥିବାର ଅନୁମାନ କରି ଦିନେ ଦେବରାଜ ଇନ୍ଦ୍ର ଗନ୍ଧର୍ବରାଜ ଚିତ୍ରସେନଙ୍କୁ କହିଲେ, ‘‘ଗନ୍ଧର୍ବରାଜ, ଅପ୍ସରା ଉର୍ବଶୀଙ୍କ ନିକଟକୁ ଯାଇ କୁହ ଯେ, ସେ ଯେପରି ଏଠାକୁ ଆସି ଅର୍ଜ୍ଜୁନଙ୍କର ମନୋରଥ ପୂର୍ଣ୍ଣ କରନ୍ତି । ଉର୍ବଶୀଙ୍କର ସଂସ୍ପର୍ଶରେ ଆସି ଅର୍ଜ୍ଜୁନ ରମଣୀମାନଙ୍କର ସ୍ୱଭାବ ଓ ଚାଲିଚଳନ ସହ ସୁପରିଚିତ ହୁଅନ୍ତୁ ।’’

 

ଦେବରାଜାଙ୍କ ଆଜ୍ଞାନୁସାରେ ଉର୍ବଶୀଙ୍କ ନିକଟକୁ ଯାଇ ଚିତ୍ରସେନ କହିଲେ, ‘‘କଲ୍ୟାଣି, ତ୍ରିଦଶାଧିପତି ଇନ୍ଦ୍ରଙ୍କ ଦ୍ୱାରା ଆଦିଷ୍ଟ ହୋଇତୁମ ନିକଟକୁ ଆଜି ମୁଁ ଯେଉଁ ବିଷୟରେ ଆସିଅଛି, ତାହା ତୁମେ ହୁଏତ ବୁଝି ପାରୁଥିବ । ଦେବଲୋକ ଓ ମର୍ତ୍ତ୍ୟଲୋକରେ ନିଜର କୀର୍ତ୍ତିବଳରେ ଯେ ବିଶେଷ ଭାବରେ ପ୍ରଶଂସିତ, ସେହି ସୌମ୍ୟଦର୍ଶନ ମହାବୀର ସୁଚରିତ୍ର କର୍ତ୍ତବ୍ୟାନୁରାଗୀ ଅର୍ଜ୍ଜୁନ ତୁମ ପ୍ରତି ସାତିଶୟ ଅନୁରାଗୀ । ତେଣୁ ତୁମେ ଅର୍ଜ୍ଜୁନଙ୍କ ଗୃହରେ ଉପସ୍ଥିତ ହୋଇତାଙ୍କୁ ସ୍ୱର୍ଗ ସୁଖରେ ବିମଣ୍ଡିତ କର ।’’

 

ଚିତ୍ରସେନଙ୍କ କଥା ଶୁଣି ସହାସ୍ୟ ବଦନରେ ଅପୂର୍ବ ଲାବଣ୍ୟବତୀ ଉର୍ବଶୀ କହିଲେ, ‘‘ମହାଶୟ, ଅର୍ଜ୍ଜୁନଙ୍କ ସମ୍ପର୍କରେ ଆପଣ ଯାହା କହିଲେ ତାହା ସତ୍ୟ; ପରସ୍ପରରେ ଅର୍ଜ୍ଜୁନଙ୍କର ଗୁଣାବଳୀ ଶ୍ରବଣ କରି ମୁଁ ମଧ୍ୟ କାମପୀଡ଼ାରେ ବ୍ୟଥିତା ହୋଇଅଛି । ମନେ ମନେ ତାଙ୍କୁ ମୁଁ ବହୁ ପୂର୍ବରୁ ବରଣ କରିଅଛି । ଦେବରାଜଙ୍କର ଆଦେଶ ଆପଣଙ୍କର ପ୍ରାର୍ଥନା ଓ ଅର୍ଜ୍ଜୁନଙ୍କର ଗୁଣାବଳୀ ମୋର ମନକୁ ବିଶେଷ ଭାବରେ ଅଧୈର୍ଯ୍ୟ କରି ପକାଉଛି । ମୁଁ ଅର୍ଜ୍ଜୁନଙ୍କ ନିକଟରେ ଯଥା ସମୟରେ ଉପସ୍ଥିତ ହେବି, ଆପଣ ନିଶ୍ଚିତ ଥାଆନ୍ତୁ ।’’

 

ଚିତ୍ରସେନ ବିଦାୟ ନେବା ପରେ ଅର୍ଜ୍ଜୁନଙ୍କ ସହ ସାକ୍ଷାତ କରିବାକୁ ଉର୍ବଶୀ ଉତ୍କଣ୍ଠିତା ହୋଇପଡ଼ିଲେ । ଅତି ଶୀଘ୍ର ସ୍ନାନ ଆଦି କାର୍ଯ୍ୟ ଶେଷ କରି ଗନ୍ଧ, ମାଲ୍ୟ ଓ ରମଣୀୟ ବେଶଭୂଷାରେ ନିଜକୁ ସୁସଜ୍ଜିତା କରି ସଂଧ୍ୟା ସମୟ ଅତିବାହିତ ହେବା ପରେ ପରେ ଅର୍ଜ୍ଜୁନଙ୍କ ବାସଭବନ ଉଦ୍ଦେଶ୍ୟରେ ଉର୍ବଶୀ ବାହାରି ପଡ଼ିଲେ । ସର୍ବାଙ୍ଗସୁନ୍ଦରୀ ଉର୍ବଶୀଙ୍କର ସେହି ଅଭିସାରକାଳୀନ ସୌନ୍ଦର୍ଯ୍ୟ ଅନିର୍ବଚନୀୟ ଥିଲା । ଅର୍ଜ୍ଜୁନଙ୍କର ବାସଭବନର ଦ୍ୱାରଦେଶରେ ଉପସ୍ଥିତ ହେବା ମାତ୍ରେ ଦ୍ୱାରପାଳ ଉର୍ବଶୀଙ୍କ ଆଗମନ ବାର୍ତ୍ତା ଅର୍ଜ୍ଜୁନଙ୍କୁ ଜଣାଇବାରୁ ଅର୍ଜ୍ଜୁନ ସଙ୍ଗେ ସଙ୍ଗେ ଶଙ୍କିତ ଚିତ୍ତରେ ଦ୍ୱାର ନିକଟକୁ ଆସି ଉର୍ବଶୀଙ୍କର କାମୋଦ୍ଦୀପକ ଅପୂର୍ବ ବେଶଭୂଷା ଦର୍ଶନ କରି ଲଜ୍ଜିତ ବଦନରେ ଅଭିବାଦନ ଜଣାଇ କହିଲେ, ‘‘ହେ ଅପ୍ସରାଶ୍ରେଷ୍ଠ, ଅଧମ ଅର୍ଜ୍ଜୁନର ପ୍ରଣାମ ଗ୍ରହଣ କରନ୍ତୁ । ଆପଣଙ୍କର ଏହି ଆକସ୍ମିକ ଶୁଭାଗମନର କାରଣ ପ୍ରକାଶ କରନ୍ତୁ, ମୁଁ ତାହା ପାଳନ କରିବାକୁ ପ୍ରସ୍ତୁତ ।’’

 

ଅର୍ଜ୍ଜୁନଙ୍କ ମୁଖରୁ ଏପରି କଥା ଶୁଣି ଅଭିସାରିକା ଉର୍ବଶୀ ଆଶ୍ଚର୍ଯ୍ୟାନ୍ୱିତା ହୋଇ କହିଲେ, ‘‘ହେ ମନୁଜଶ୍ରେଷ୍ଠ, ଦେବସଭାରେ ବହୁ ବିଖ୍ୟାତ ନର୍ତ୍ତକୀ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଆପଣ ଏକାନ୍ତ ତନ୍ମୟ ହୋଇକେବଳ ମୋତେ ଚାହିଁ ରହୁଥିଲେ । ନୃତ୍ୟାନୁଷ୍ଠାନ ପରେ ସମସ୍ତେ ସଭାଗୃହ ତ୍ୟାଗ କରି ଚାଲିଗଲା ପରେ ଚିତ୍ରସେନଙ୍କୁ ଡାକି ଦେବରାଜ ଇନ୍ଦ୍ର ମୋ’ ନିକଟକୁ ପ୍ରେରଣ କରିଥିଲେ ଓ ଆପଣଙ୍କୁ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଁ ଯେ କେବଳ ସେମାନଙ୍କର ଆଜ୍ଞାନୁସାରେ ଆପଣଙ୍କ ନିକଟରେ ଉପସ୍ଥିତ ହୋଇଅଛି ତାହା ନୁହେଁ; ବାସ୍ତବିକ ଆପଣଙ୍କ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇ ମଦନବାଣରେ ପୀଡ଼ିତ ହେଉଅଛି । ତେଣୁ ଆପଣ ମୋତେ ପତ୍ନୀ ରୂପେ ଗ୍ରହଣ କରି ମୋର ଅଭିଳାଷ ପୂର୍ଣ୍ଣ କରନ୍ତୁ ।’’

 

ଉର୍ବଶୀଙ୍କର କଥା ଶୁଣି ଅର୍ଜ୍ଜୁନ ନିଜ କାନରେ ହାତ ଦେଇ କହିଲେ, ‘‘ହେ ଭବାନି ! ଆପଣ ମୋତେ ଯେଉଁ ବିଷୟରେ ଅନୁରୋଧ କରୁଅଛନ୍ତି, ତାହା ମୋ’ ପକ୍ଷରେ ଅଶ୍ରାବ୍ୟ । ଆପଣ ମୋର ଗୁରୁସ୍ଥାନୀୟ । ଯେପରି କୁନ୍ତୀ ଓ ଇନ୍ଦ୍ରାଣୀ ମୋର ପୂଜନୀୟା, ଆପଣ ମଧ୍ୟ ସେହିପରି ନମସ୍ୟା । ମୁଁ ସେଦିନ ଦେବସଭାର ନୃତ୍ୟ ସମୟରେ ଆପଣଙ୍କୁ ଚାହିଁଥିଲି ସତ; ମାତ୍ର ତହିଁରେ କୌଣସି ପାପ କାମନା ନଥିଲା । ଆପଣ ଆମ ପୌରବଂଶର ଜନନୀ ଥିବାରୁ ଅତି ଆନନ୍ଦରେ ଆପଣଙ୍କୁ ନିରୀକ୍ଷଣ କରୁଥିଲି । ଆପଣଙ୍କଠାରୁ ଆମର ଏହି ବିଶାଳ ପୌରବଂଶ ଉଦ୍ଭବ ତେଣୁ ଆପଣ ମୋର ପୂଜନୀୟା ।’’

 

ଉର୍ବଶୀ କହିଲେ, ‘‘ମୁଁ ଜଣେ ସାମାନ୍ୟ ନର୍ତ୍ତକୀ । ମୋତେ ତେଣୁ ଗୁରୁଜନ-ପ୍ରାପ୍ୟ ସମ୍ମାନ ଦେବା ଆପଣଙ୍କ ପକ୍ଷରେ ଉଚିତ ହେଉନାହିଁ । କାମନୀଡ଼ାରେ ମୁଁ ବ୍ୟଥିତ ହେଉଅଛି, ମୋତେ ଗ୍ରହଣକରି ମୋର ମନ ଓ ପ୍ରାଣର କାମନାକୁ ପୂର୍ଣ୍ଣ କରନ୍ତୁ ।’’

 

ଅର୍ଜ୍ଜୁନ ତଥାପି ପ୍ରଲୋଭିତ ନ ହୋଇ କହିଲେ; ‘‘କୁନ୍ତୀ, ମାଦ୍ରୀ, ଶଚୀଙ୍କ ପରି ଆପଣ ମୋର ମାତୃସ୍ଥାନୀୟ । ଆପଣଙ୍କ ଚରଣରେ ମୁଁ ନତଜାନୁ ହୋଇ ପ୍ରଣାମ କରୁଅଛି । ଆପଣ ନିଜର ଆାବାସ ସ୍ଥାନକୁ ପ୍ରତ୍ୟାଗମନ କରନ୍ତୁ ।’’

 

ଅର୍ଜ୍ଜୁନଙ୍କର କଥା ଓ ବ୍ୟବହାରରେ ଉର୍ବଶୀ ନିଜକୁ ଅତି ଲଜ୍ଜିତା ଓ ଅପମାନିତା ମନେ କରି କହିଲେ, ‘‘ଅର୍ଜ୍ଜୁନ, ତୁମ ପିତାଙ୍କ ଆଦେଶକ୍ରମେ ମୁଁ ଏଠାକୁ ଅଭିସାରିକା ସାଜି ଆସିଥିଲି । ତୁମ ପାଇଁ ମୁଁ କାମପୀଡ଼ାରେ ବ୍ୟଥିତ ହେଉଅଛି ଜାଣି ସୁଦ୍ଧା ତୁମେ ମୋତେ ପ୍ରତ୍ୟାଖାନ କରିଅଛ-। ଏହି ଅନ୍ୟାୟ ଆଚରଣର ଫଲ ସ୍ୱରୂପ ତୁମକୁ ମୁଁ ଅଭିଶାପ ଦେଉଅଛି, ତୁମେ କ୍ଲୀବ ହୋଇ ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ନୃତ୍ୟ କରି ଦିନ ଅତିବାହିତ କରିବ ।’’ ଏହା କହି ବାରମ୍ବାର ଦୀର୍ଘନିଶ୍ୱାସ ତ୍ୟାଗ କରି ଉର୍ବଶୀ ନିଜ ବାସଭବନକୁ ଫେରି ଆସିଲେ ।

 

ଅଭିଶାପଗ୍ରସ୍ତ ଅର୍ଜ୍ଜୁନ ଆଦ୍ୟପ୍ରାନ୍ତ ସକଳେ ବିଷୟେ ଚିତ୍ରସେନଙ୍କ ନିକଟରେ ପରେ ନିବେଦନ କରିବାରୁ, ଗନ୍ଧର୍ବରାଜ ତତ୍‌କ୍ଷଣାତ୍‌ ଦେବରାଜଙ୍କୁ ସମସ୍ତ କଥା ଜଣାଇଲେ । ଅର୍ଜ୍ଜୁନଙ୍କୁ ନିର୍ଜନକୁ ଡାକି ନେଇ ଇନ୍ଦ୍ର କହିଲେ, ‘‘ବାବା, ଉର୍ବଶୀ ପ୍ରଦତ୍ତ ଅଭିଶାପ ତୁମ ପାଇଁ ଆଶୀର୍ବାଦ ଭାବରେ କାର୍ଯ୍ୟ କରିବ । ଅଜ୍ଞାତବାସ ସମୟରେ ତୁମେ କ୍ଲୀବତ୍ୱ ପ୍ରାପ୍ତ ହୋଇ ନର୍ତ୍ତକୀ ବେଶରେ ଏକ ବର୍ଷ ବାସ କରିବା ପରେ ପୁନର୍ବାର ପୁରୁଷତ୍ୱ ଫେରି ପାଇବ ।’’

 

ଇନ୍ଦ୍ରଙ୍କ ବାକ୍ୟ ଅର୍ଜ୍ଜୁନଙ୍କୁ ଆଶ୍ୱସ୍ତ କରିଥିଲା ।

Image

 

ଭୀମ-ହନୁମାନ ସାକ୍ଷାତ

 

ବନବାସ ସମୟରେ ପାଣ୍ଡବମାନେ ନାନା ତୀର୍ଥସ୍ଥାନ ପର୍ଯ୍ୟଟନ କରୁଥିବା ବେଳେ, ସେମାଙ୍କର ଦୈନଦିନ ଜୀବନଯାତ୍ରାର ଯେଉଁ ସବୁ ଉଲ୍ଲେଖଯୋଗ୍ୟ ଘଟଣାମାନ ଘଟିଥିଲା, ତହିଁ ମଧ୍ୟରୁ ସହସ୍ରଦଳ ବିଶିଷ୍ଟ ସୌଗନ୍ଧିକ ପଦ୍ମ, ଭୀମଙ୍କୁ ଅଜଗରର ଆକ୍ରମଣ, ପାଣ୍ଡବଙ୍କ କୁଟୀରରେ ଶିଷ୍ୟମାନଙ୍କ ସହ ଦୁର୍ବାସା ମହର୍ଷିଙ୍କର ଆତିଥ୍ୟ, ଦୁର୍ଯ୍ୟୋଧନଙ୍କ ସହ ଗନ୍ଧର୍ବମାନଙ୍କର ସମର, ଜୟଦ୍ରଥର ଦ୍ରୌପଦୀ ହରଣ ପ୍ରଚେଷ୍ଟା ଅନ୍ୟତମ ।

 

ପାଣ୍ଡବମାନେ ବଦରିକାଶ୍ରମ ନିକଟରେ ଅବସ୍ଥାନ କରୁଥିବା ସମୟରେ ସହସ୍ରଦଳ ବିଶିଷ୍ଟ ସୌଗନ୍ଧିକ ପଦ୍ମ ଦ୍ରୌପଦୀଙ୍କ ନିକଟରେ ପଡ଼ିଲା । ସେହି ପଦ୍ମ ଫୁଲର ଶୋଭା ଓ ସୌରଭ ଏତେ ସୁନ୍ଦର ଥିଲା ଯେ, ଦ୍ରୌପଦୀ ଫୁଲଟିକୁ ନେଇ ଭୀମସେନଙ୍କୁ ଦେଖାଇ କହିଲେ, ‘‘ଦେଖ ଏ ଫୁଲଟି କି ସୁନ୍ଦର ହୋଇଅଛି ! ଯଦି ମୋତେ ବାସ୍ତବିକ ଭଲ ପାଅ, ତେବେ ଆଜି ଏ ଫୁଲରୁ ଗୋଟିଏ ଆଣି ମୋତେ ଦିଅ ।’’

 

ପଦ୍ମ ଫୁଲଟି ପ୍ରତି ଦ୍ରୌପଦୀଙ୍କର ପ୍ରଗାଢ଼ ଆସକ୍ତି ଥିବାର ଦେଖି ପ୍ରିୟାର ପ୍ରୀତିବର୍ଦ୍ଧନ କରିବା ଉଦ୍ଦେଶ୍ୟରେ ଭୀମସେନ ତତ୍‌କ୍ଷଣାତ୍ ଫୁଲର ସନ୍ଧାନରେ ବାହାରିପଡ଼ିଲେ । ମହାବୀର ଭୀମସେନଙ୍କର ଚରଣପାତରେ ବସୁନ୍ଧରା କମ୍ପି ଉଠୁଥିଲା ଓ ତାଙ୍କର ବିଶାଳ ରୂପ ଦର୍ଶନ କରି ବନର ହିଂସ୍ର ପଶୁପକ୍ଷୀମାନେ ଭୟଭୀତ ହୋଇପଡ଼ିଲେ । ଗନ୍ଧମାର୍ଦ୍ଦନ ପର୍ବତର ସାନୁଦେଶରେ ଯାଉଥିବା ସମୟରେ ପଥରୋଧ କରି ଗୋଟିଏ ବୃଦ୍ଧ ମର୍କଟ ଶୋଇଥିବାର ଭୀମସେନ ଲକ୍ଷ୍ୟ କଲେ । ପଥରୁ ଅପସରି ଯିବା ପାଇଁ ମର୍କଟଟିକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଭୀମସେନ ଏକ ବିକଟ ଶବ୍ଦ କରି ଗଗନ ପବନ ପ୍ରକମ୍ପିତ କରିଦେଲେ ।

 

ମର୍କଟଟି କହିଲା, ‘‘ମୋର ଦେହ ଭଲନାହିଁ, ତେଣୁ ମୁଁ ଶୋଇଥିଲି; ଏପରି ଶବ୍ଦ କରି ମୋର ନିଦ୍ରାରେ କାହିଁକି ବାଧା ଜାତ କଲ ? ତୁମେ କିଏ ? ମୁଁ ସିନା ପଶୁ ଜାତିରେ ଜନ୍ମ ହୋଇଥିବାରୁ ଧର୍ମ ବିଷୟ କିଛି ଜାଣିନାହିଁ, ମାତ୍ର ମନୁଷ୍ୟ କୁଳରେ ଜନ୍ମ ଗ୍ରହଣ କରି ମଧ୍ୟ ତୁମର ଧର୍ମଜ୍ଞାନ ନ ଥିବା କଥା ଜଣାପଡ଼ୁଛି । ତା’ ନ ହୋଇଥିଲେ ମୋପରି ଗୋଟିଏ ବୃଦ୍ଧ ପ୍ରାଣୀକୁ ଏପରି ପୀଡ଼ିତ କରିନଥାନ୍ତ । ଯାହା ହେଉ ଆଉ ଆଗକୁ ନ ଯାଇ, ଏ ବଣରୁ ସୁସ୍ୱାଦୁ ଫଳମୂଳ ଆହାର କରି ଏଇଠୁ ଫେରିଯାଅ । ଆଗକୁ ଗଲେ ମୃତ୍ୟୁମୁଖରେ ପଡ଼ିବ ।’’

 

ମର୍କଟର କଥା ଶୁଣି ଭୀମସେନ କହିଲେ, ‘‘ମୁଁ କ୍ଷତ୍ରିୟ; ପୁଣି ବାୟୁଙ୍କ ଔରସରେ କୁନ୍ତୀଙ୍କର ଗର୍ଭରେ ମୁଁ ଜନ୍ମ ହୋଇଅଛି । ମୋର ନାମ ଭୀମସେନ । ମୃତ୍ୟୁମୁଖରେ ପଡ଼ିବି କି ନାହିଁ ସେ ପରାମର୍ଶ ମୁଁ ତୁମଠାରୁ ଲୋଡ଼ୁ ନାହିଁ । ମୋ’ ହାତରୁ ରକ୍ଷା ପାଇବାକୁ ଯଦି ଇଚ୍ଛା ଥାଏ, ତେବେ ଶୀଘ୍ର ଭଲରେ ଭଲରେ ରାସ୍ତା ଛାଡ଼ିଦିଅ ।’’

 

ମର୍କଟ କହିଲା, ‘‘ମୁଁ ରୋଗରେ ଏକାବେଳକେ ଅକର୍ମଣ୍ୟ ହୋଇପଡ଼ିଛି, ଉଠିବାର ଶକ୍ତି ନାହିଁ । ଯଦି ନିହାତି ଆଗକୁ ଯିବାକୁ ଚାହୁଁଥାଅ, ତେବେ ମୋତେ ଡେଇଁ କରି ଚାଲିଯାଅ ।’’

 

ଭୀମ ଉତ୍ତର ଦେଲେ, ‘‘ସକଳ ଜୀବ ମଧ୍ୟରେ ପରମାତ୍ମା ବାସ କରନ୍ତି, ତେଣୁ ପଶୁ ହେଲେ ମଧ୍ୟ ତୁମକୁ ଲଙ୍ଘନ କରି ଭଗବାନଙ୍କ ନିକଟରେ ଦ୍ରୋହୀ ହେବି ନାହିଁ । ତା’ ନ ହୋଇଥିଲେ ହନୁମାନ ସାଗର ଲଙ୍ଘନ କଲା ପରି ମୁଁ ତୁମକୁ ଓ ଏ ପର୍ବତକୁ ଏକ ସଙ୍ଗରେ ଲମ୍ଫ ଦେଇ ଚାଲି ଯାଆନ୍ତି ।’’

 

ମର୍କଟ ପଚାରିଲା, ‘‘ହେ ନୃପଶ୍ରେଷ୍ଠ, ଯେଉଁ ହନୁମାନ ସାଗର ଲଙ୍ଘନ କରିଥିଲା ବୋଲି କହୁଅଛ, ସେ କିଏ ?’’

 

ଭୀମସେନ କହିଲେ, ‘‘ସେହି ବାନରରାଜ ମୋର ଭାଇ । ସେ ଗୁଣବାନ, ବୁଦ୍ଧିମାନ ଓ ବଳବାନ ବୋଲି ରାମାୟଣରେ ତାଙ୍କର ସୁଖ୍ୟାତି ବର୍ଣ୍ଣିତ ହୋଇଅଛି । ସେ ରାମଚନ୍ଦ୍ରଙ୍କ ପତ୍ନୀ ସୀତାଙ୍କ ସନ୍ଧାନ ପାଇଁ ଶତଯୋଜନ ବିସ୍ତୃତ ସମୁଦ୍ରକୁ ଏକ ଲମ୍ଫରେ ଲଙ୍ଘନ କରିଥିଲେ । ମୋର ସେହି ଭାଇପରି ମୁଁ ମଧ୍ୟ ଅପୂର୍ବ ବଳବିକ୍ରମର ଅଧିକାରୀ । ତେଣୁ ତୁମକୁ ମାରିବାଟା ମୋ’ ପକ୍ଷରେ ଅତି ସାମାନ୍ୟ; ସେଥିପାଇଁ କହୁଛି ଭଲରେ ଭଲରେ ମୋ’ ରାସ୍ତାରୁ ଶୀଘ୍ର ଅପସରି ଯାଅ-।’’

 

ମର୍କଟ ଉତ୍ତର ଦେଲା, ‘‘ମହାଶୟ, ବାର୍ଦ୍ଧକ୍ୟ ହେତୁ ମୋର ଉଠିବାର ଶକ୍ତି ନାହିଁ, ତେଣୁ ଦୟା କରି ମୋର ଲାଙ୍ଗୁଳ ଟେକି ଦେଇ ଚାଲିଯାଅ ।’’

 

ମର୍କଟର କଥାରେ ଭୀମସେନ ନିଜକୁ ଅପମାନିତ ମନେ କଲେ । ମାଙ୍କଡ଼ର ଲାଙ୍ଗୁଳଟିକୁ ଧରି ତାକୁ ବୁଲାଇ ବୁଲାଇ ମାରିଦେବା ପରେ ପଦ୍ମର ସନ୍ଧାନରେ ଯିବାକୁ ସେ ମନେ ମନେ ସ୍ଥିର କଲେ । ଭୀମସେନ ବାମ ହସ୍ତରେ ମର୍କଟର ଲାଙ୍ଗୁଳଟିକୁ ଧରିବାକୁ ଯାଇ, ଉଠାଇ ପାରିଲେ ନାହିଁ; ତେଣୁ ଦୁଇ ହାତରେ ଉଠାଇବାକୁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ । ମହାବୀର ଭୀମସେନଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହେବାରୁ ନିଜକୁ ପରାଜିତ ମନେ କରି ଲାଜନମ୍ର ବଦନରେ ମର୍କଟକୁ ନମସ୍କାର କରି ଭୀମସେନ କହିଲେ, ‘‘ହେ କପିଶ୍ରେଷ୍ଠ ! ଅଜ୍ଞାତବଶତଃ ତୁମ ପ୍ରତି ଯେଉଁ କଟୁବାକ୍ୟ ପ୍ରୟୋଗ କରିଅଛି, ସେଥିପାଇଁ ମୋତେ କ୍ଷମାକର । ତୁମେ ପ୍ରକୃତରେ କିଏ ଓ କାହିଁକି ବାନର ରୂପ ଧାରଣ କରି ଏଠାରେ ରହିଅଛି, ଯଦି ତାହା ନିହାତି ଗୋପନୀୟ ନୁହେଁ, ଦୟାକରି ପ୍ରକାଶ କର ।’’

 

ମର୍କଟ କହିଲେ, ‘‘ଭୀମସେନ, ମୁଁ ନିଜେ ହନୁମାନ । ଜଗଜ୍ଜନନୀ ସୀତାଙ୍କୁ ଉଦ୍ଧାର କରି ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟାର ରାଜପଦରେ ଅଭିଷିକ୍ତ ହେବା ପରେ ମୁଁ ପ୍ରଭୁ ରାମଙ୍କ ନିକଟରେ ପ୍ରାର୍ଥନା କରିଥିଲି ଯେ, ସଂସାରରେ ରାମଙ୍କ ନାମ ଥିବା ପର୍ଯ୍ୟନ୍ତ ମୁଁ ଯେପରି ଜୀବିତ ରହେ । ପ୍ରଭୁ ମୋର ମନୋବାଞ୍ଛା ପୂର୍ଣ୍ଣ କରିବାରୁ ମୁଁ ଏଠାରେ ସେହିଦିନ ଠାରୁ ବାସ କରୁଅଛି । ମା’ ସୀତାଙ୍କ ଅନୁଗ୍ରହରୁ ମୋର ଇଚ୍ଛାନୁସାରେ ନାନା ପ୍ରକାରର ଦିନ୍ୟ ସୁସ୍ୱାଦୁ ଆହାର ସାମଗ୍ରୀ ମୁଁ ଏଠାରେ ବିନା ପରିଶ୍ରମରେ ପାଇଥାଏ । ପ୍ରଭୁ ରାମଚନ୍ଦ୍ର ଏଗାର ହଜାର ବର୍ଷ ରାଜ୍ୟ ଶାସନ କରି ବୈକୁଣ୍ଠକୁ ଫେରିଗଲେ ସତ; ମାତ୍ର ଅପ୍ସରା ଓ ଗନ୍ଧର୍ବମାନେ ପ୍ରତ୍ୟହ ଏଠାକୁ ଆସି ମୋ’ ନିକଟରେ ରାମଚରିତ ଗାନ କରି ମୋତେ ଆହ୍ଲାଦିତ କରିଥାନ୍ତି । ଏହି ଯେଉଁ ରାସ୍ତା ଏଣିକି ପଡ଼ିଥିବାର ଦେଖୁଅଛ, ତାହା ଦେବମାର୍ଗ; ମନୁଷ୍ୟମାନଙ୍କ ପାଇଁ ଅଗମ୍ୟ । କାଳେ ତୁମେ ସେ ପଥରେ ଚାଲିଯିବ, ଏହି ଆଶଙ୍କା କରି ମୁଁ ତୁମର ପଥରୋଧ କରିବା ପାଇଁ ଏଠାରେ ଶୋଇଥିଲି । ତୁମେ ଯେଉଁ ସୈାଗନ୍ଧିକ ପୁଷ୍ପର ଅନ୍ୱେଷଣରେ ଆସିଅଛି; ତାହା ତୁମେ ଏହି ନିକଟସ୍ଥ ସରୋବରରୁ ପାଇ ପାରିବ ।’’

 

ହନୁମାନଙ୍କୁ ଦେଖି ଓ ତାଙ୍କର କଥା ଶୁଣି ଭୀମସେନ ଅତି ପ୍ରୀତ ହେଲେ । କହିଲେ, ‘‘ଆପଣଙ୍କୁ ସାକ୍ଷାତ କରି ମୁଁ ଧନ୍ୟ ଓ କୃତାର୍ଥ ହୋଇଅଛି । ପୂର୍ବେ ସାଗର ଲଙ୍ଘନ କରିବା ସମୟରେ ଆପଣ ଯେଉଁ ରୂପ ଧାରଣ କରିଥିଲେ, ତାହା ଦେଖିବାକୁ ମୋର ବିଶେଷ ଆଗ୍ରହ ଜାତ ହେଉଅଛି ।’’

 

ହନୁମାନ କହିଲେ, ‘‘ଭାଇ, ତୁମେ ହୁଅ ଅବା ଅନ୍ୟ ଯେ କେହି ହେଉ, କାଳର ପରିବର୍ତ୍ତନ ଯୋଗୁ, ମୋର ସେହି ପୂର୍ବ ରୂପ ଦର୍ଶନ କରିବାକୁ ସମର୍ଥ ହେବ ନାହିଁ । ତୁମେ ଯେତେବେଳେ ବିଶେଷ ଆଗ୍ରହୀ ହୋଇଅଛ, ତେବେ ଦେଖ ।’’ ଏହା କହି ହନୁମାନ ନିଜର ପୂର୍ବ ଶରୀର ଧାରଣ କରି ଦ୍ୱିତୀୟ ପର୍ବତ ପରି ଦଣ୍ଡାୟମାନ ହେଲେ । ତାଙ୍କର ଦନ୍ତ, ଚକ୍ଷୁ, ମୁଖମଣ୍ଡଳ ଓ ଲାଙ୍ଗୁଳ ଚତୁର୍ଦ୍ଦିଗକୁ ବ୍ୟାପିଗଲା । ହନୁମାନଙ୍କର ସେହି ସୂର୍ଯ୍ୟସମ ତେଜସ୍ୱୀ, ସୁବର୍ଣ୍ଣପର୍ବତ ସଦୃଶ ପ୍ରଦୀପ୍ତ ଶରୀର, ଆକାଶ ପରି ବିରାଟ ଓ ଭୀଷଣ ରୂପକୁ ଦର୍ଶନ କରି ଭୀମସେନ ଏପରି ବିସ୍ମୟାଭିଭୂତ ହୋଇପଡ଼ିଲେ ଯେ, ବେଶି ସମୟ ସେ ରୂପକୁ ଚାହିଁପାରିଲେ ନାହିଁ । ହନୁମାନଙ୍କର ଶରୀର ଦୀପ୍ତି ଭୀମସେନଙ୍କର ବିସ୍ମୟବିସ୍ଫାରିତ ନେତ୍ରଦ୍ୱୟକୁ ମୁଦ୍ରିତ କରିଦେଲା ।

 

ତାହା ଦେଖି ହନୁମାନ କହିଲେ, ‘‘ଭାଇ, ମୁଁ ଯେତେ ଇଚ୍ଛା କରିବି ମୋର ଶରୀରର ସେତେ ପରିମାଣରେ ବୃଦ୍ଧିପ୍ରାପ୍ତ ହେବ । ଶତ୍ରୁମାନଙ୍କ ସମ୍ମୁଖରେ ମୋର ଶରୀର ବିଶେଷ ଭାବରେ ବୃଦ୍ଧି ପାଇଥାଏ । ସେହି ବିଶାଳ ରୂପକୁ ତୁମେ ଦେଖିପାରିବ ନାହିଁ ।’’

 

ଭୀମସେନ କହିଲେ, ‘‘ପ୍ରଭୁ, ଆପଣଙ୍କ ଶରୀରର ଏହି ଅକଳ୍ପନୀୟ ବିପୁଳତା ଦର୍ଶନ କଲି, ବର୍ତ୍ତମାନ ତାହା ସମ୍ବରଣ କରନ୍ତୁ । ଆଉ ମୁଁ ଦେଖିପାରୁ ନାହିଁ । ମୋ’ ମନରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରାମଚନ୍ଦ୍ରଙ୍କ ପାଖରେ ତୁମପରି ବୀର ଥାଉଁ ଥାଉଁ ରାବଣକୁ ମାରିବା ପାଇଁ ସେ ଆଉ କଷ୍ଟ ସ୍ୱୀକାର କଲେ କାହିଁକି ?’’

 

ହନୁମାନ କହିଲେ, ‘‘ତୁମେ ଠିକ କହିଅଛ । ବାସ୍ତବିକ ମୋର ବଳ ବିକ୍ରମ ନିକଟରେ ରାବଣ ଅତି ତୁଚ୍ଛ ଥିଲେ; ମାତ୍ର ମୁଁ ରାବଣକୁ ସଂହାର କରିଥିଲେ ପ୍ରଭୁଙ୍କର କୀର୍ତ୍ତି ପ୍ରକାଶ ପାଇନଥାନ୍ତା । ସେଥିପାଇଁ ମୁଁ ରାବଣ ବଧକୁ ଉପେକ୍ଷା କରିଥିଲି । ଭୀମସେନ, ତୁମେ ବର୍ତ୍ତମାନ ଏହି ପଥ ଦେଇ ଗଲେ କୁବେରଙ୍କର ପକ୍ଷ ରାକ୍ଷସ ସଂରକ୍ଷିତ ଉଦ୍ୟାନରେ ପହଞ୍ଚିବ; ମାତ୍ର ବଳପୂର୍ବକ ସୌଗନ୍ଧିକ ପଦ୍ମ ତୋଳିବ ନାହିଁ । କାରଣ ଦେବତାମାନେ ମନୁଷ୍ୟମାନଙ୍କର ପ୍ରଦତ୍ତ ଭକ୍ତି, ହୋମ, ନମସ୍କାର, ବଳି ଇତ୍ୟାଦିରେ ହିଁ ପ୍ରୀତ ହୋଇଥାନ୍ତି ।’’

 

ଏହା କହି ହନୁମାନ ନିଜ ଶରୀରକୁ ସଙ୍କୁଚିତ କରି ଭୀମସେନଙ୍କୁ ସ୍ନେହରେ ଆଲିଙ୍ଗନ କରିବାରୁ ଭୀମସେନ ନିଜକୁ ପୂର୍ବାପେକ୍ଷା ଅଧିକ ବଳବାନ ମନେ କଲେ । ହନୁମାନ କହିଲେ, ‘‘ଭାଇ, ମୁଁ ଏଠାରେ ଅଛି ବୋଲି କାହାକୁ କହିବ ନାହିଁ । ଯେତେବେଳେ ବିପଦ ପଡ଼ିବ, ମୋତେ ସ୍ମରଣ କରିବ । ଶତ୍ରୁମାନଙ୍କ ସହ ଯୁଦ୍ଧ କଲାବେଳେ ତୁମେ ଯେତେବେଳେ ସିଂହନାଦ କରିବ, ସେତେବେଳେ ମୁଁ ଅର୍ଜ୍ଜୁନଙ୍କ ରଥର ଧ୍ୱଜାରେ ଥାଇ ତୁମେ ସ୍ୱର ସହ ମିଶାଇ ଏପରି ଭୟାନକ ଚିତ୍କାର କରିବି ଯେ, ଶତ୍ରୁମାନେ ସେହି ଶବ୍ଦରେ ଭୂମିଶାୟୀ ହେବେ ।’’

 

ଏହା କହି ହନୁମାନ ଅଦୃଶ୍ୟ ହୋଇଗଲେ ଓ ହନୁମାନଙ୍କ ନିର୍ଦ୍ଦେଶାନୁସାରେ ଭୀମସେନ ସୌଗନ୍ଧିକ ପୁଷ୍ପର ସନ୍ଧାନ ପାଇଥିଲେ ।

Image

 

Unknown

ଯୁଧିଷ୍ଠିର-ଅଜଗର ସମ୍ବାଦ

 

ଅରଣ୍ୟବାସ ସମୟରେ ଭୀମସେନ ଦିନେ ମୃଗୟା ଉଦ୍ଦେଶ୍ୟରେ ବନ ମଧ୍ୟରେ ବିଚରଣ କରୁଥିବା ବେଳେ ଗୋଟିଏ ବିଶାଳକାୟ ଅଜଗର ସର୍ପର ଆକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଭୀମସେନ ମହାବଳ ପରାକ୍ରାନ୍ତ, ଥିଲେ ମଧ୍ୟ, ସର୍ପର ଆକ୍ରମଣରୁ ନିଜକୁ ରକ୍ଷା କରିପାରିଲେ ନାହିଁ ।

 

ଅବଶେଷରେ ସର୍ପର ବିଷଜ୍ୱାଳାରେ ଅବଶ ହୋଇ ଭୀମସେନ କହିଲେ, ‘‘ହେ ସର୍ପରାଜ; ତୁମେ କିଏ ଏବଂ ମୋତେ ନେଇ ବା କ’ଣ କରିବ ? ମୁଁ ପାଣ୍ଡୁଙ୍କର ପୁତ୍ର ଓ ଧର୍ମରାଜ ଯୁଧିଷ୍ଠିରଙ୍କର ସାନଭାଇ; ମୋର ନାମ ଭୀମସେନ । ମୁଁ ମହାବଳ ପରାକ୍ରାନ୍ତ ଓ ଏହି ବାହୁରେ ବହୁ ରାକ୍ଷସ, ପିଶାଚ ଓ ଅନେକ ହିଂସ୍ର ଜନ୍ତୁ ସଂହାର କରିଥିଲାବେଳେ, ତୁମେ ଯେ ମୋତେ ପରାସ୍ତ କରିଛ, ତାହା ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହେଉଅଛି । ହେ ସର୍ପରାଜ, ତୁମେ କେଉଁ ବିଦ୍ୟା ବା ବର ପ୍ରଭାବରେ ବଳୀୟାନ ହୋଇମୋତେ ପରାସ୍ତ କଲ, ବୁଝିପାରୁ ନାହିଁ ।’’

 

ଅଜଗର ସର୍ପ ଭୀମସେନଙ୍କ ସମଗ୍ର ଶରୀରରେ ଗୁଡ଼ାଇ ହୋଇଯାଇ କହିଲା, ‘‘ଦେହଧାରୀମାନଙ୍କର ପ୍ରାଣ ଅପେକ୍ଷା ପ୍ରିୟ ଆଉ କିଛି ନାହିଁ । ଆଜକୁ ବହୁଦିନ ହେଲା ଅନାହାରରେ କାଳଯାପନ କଲାପରେ ଭଗବାନଙ୍କ ଦୟାରୁ ତୁମକୁ ଆଜି ମୁଁ ଭକ୍ଷ୍ୟ ଭାବରେ ପାଇଅଛି । ମୁଁ ମଧ୍ୟ ତୁମରି ବଂଶରେ ଜନ୍ମ ହୋଇଥିଲି, ମୋର ନାମ ନହୁଷ । ଅଗସ୍ତ୍ୟଙ୍କ ଅଭିଶାପରେ ସର୍ପ ଜନ୍ମ ପାଇ ମୁକ୍ତି ଅପେକ୍ଷାରେ ଏଠାରେ ପଡ଼ି ରହିଅଛି । କି ଦୁର୍ଭାଗ୍ୟ, ମୋର ବଂଶର ଦାୟାଦଙ୍କୁ ଆଜି ଭକ୍ଷଣ କରିବାକୁ ପଡ଼ୁଛି । କିନ୍ତୁ କ’ଣ କରିବି ? ବ୍ରହ୍ମାଙ୍କର ବର ଅନୁସାରେ ଦିବସର ଷଷ୍ଠ ଭାଗରେ ମୋ’ ଦ୍ୱାରା ଆକ୍ରାନ୍ତ ହେଲେ ଯେତେ ପରାକ୍ରମଶାଳୀ ଜୀବ ହେଉ ପଛକେ ମୋଠାରୁ ରକ୍ଷା ପାଇବ ନାହିଁ । ତେଣୁ ହେ ବୀର, ଗୋଟିଏ ସର୍ପ ଦ୍ୱାରା ଆକ୍ରାନ୍ତ ହୋଇ ପରାସ୍ତ ହୋଇଅଛ ବୋଲି ନିଜକୁ ଲଜ୍ଜିତ ମନେ କର ନାହିଁ ।’’

 

ଭୀମସେନ କହିଲେ, ‘‘ଦୈବବଳଠାରୁ ମନୁଷ୍ୟର ପୌରୁଷ ବା ବଳ ବଡ଼ ନୁହେଁ । ତେଣୁ ମୁଁ କ୍ରୋଧ ବା ଆତ୍ମନିନ୍ଦା କରୁ ନାହିଁ କି ମୋର ଦୁରବସ୍ଥା ପାଇଁ ଦୁଃଖ କରୁନାହିଁ । ତେବେ ରାଜ୍ୟ-ବିଚ୍ୟୁତ ଭାଇମାନଙ୍କ ପାଇଁ ଯାହା ମନରେ ଦୁଃଖ ଆସୁଅଛି । ଏ ଦୁଃଖ ସମୟରେ ଭାଇମାନଙ୍କର ମୁଁ ଏକମାତ୍ର ଆଶା ଓ ଆଶ୍ୱାସନାର କାରଣ ଥିଲି । ମା ପ୍ରତିଦିନ ମୋତେ ‘ସମସ୍ତଙ୍କଠାରୁ ଶ୍ରେଷ୍ଠ ହୁଅ’ ବୋଲି ଆଶୀର୍ବାଦ କରିଥାନ୍ତି । ମୋର ମୃତ୍ୟୁ ହୋଇଛି ଜାଣିଲେ ସେମାନେ ଶୋକରେ ଭାଙ୍ଗି ପଡ଼ିବେ ।’’

 

ଭୀମସେନ ଏହିପରି ବିଳାପ କରିବାକୁ ଲାଗିଲେ, କିନ୍ତୁ ସର୍ପରୂପୀ ନହୁଷ ତାଙ୍କୁ ମୁକ୍ତି ଦେଲା ନାହିଁ ।

 

ଏଣେ ଭୀମସେନଙ୍କର ଫେରିବାରେ ବିଳମ୍ବ ଦେଖି ଯୁଧିଷ୍ଠିର ଅତି ଉଦ୍‌ବିଗ୍ନ ହୋଇ ଅରଣ୍ୟରେ ଭୀମଙ୍କର ଅନ୍ୱେଷଣ କଲେ ଓ ବନରେ ଅଜଗର ସର୍ପ ଦ୍ୱାରା ଭୀମଙ୍କୁ ଆକ୍ରାନ୍ତ ହୋଇଥିବାର ଦେଖିଲେ ।

 

ଯୁଧିଷ୍ଠିର ପଚାରିଲେ, ‘‘ଭାଇ, ତୁମେ ଏପରି ଦୁର୍ଦ୍ଦଶାଗ୍ରସ୍ତ କିପରି ହେଲ ?’’

 

ଭୀମସାନ କହିଲେ, ‘‘ଭାଇ, ରାଜର୍ଷି ନହୁଷ ଏହି ସର୍ପରୂପ ଧାରଣ କରି ଅଛନ୍ତି ।’’

 

ଯୁଧିଷ୍ଠିର କହିଲେ, ‘‘ହେ ସର୍ପରାଜ, ମୋର ଏହି ଅମିତ ବିକ୍ରମଶାଳୀ ଭାଇକୁ ଛାଡ଼ିଦିଅ; ମୁଁ ତୁମକୁ କ୍ଷୁଧା ନିବାରଣ ନିମିତ୍ତ ବହୁ ପ୍ରକାରର ପ୍ରଚୁର ଆହାର ପ୍ରଦାନ କରିବି ।’’

 

ସର୍ପରୂପୀ ନହୁଷ କହିଲେ, ‘‘ବାବା, ଆହାର ଭାବରେ ଭୀମଙ୍କୁ ମୁଁ ପାଇଅଛି, ତ୍ୟାଗ କରିବି କିପରି ? ତା’ ଛଡ଼ା ମୋର ଏହି ଅଞ୍ଚଳ ମଧ୍ୟକୁ ଯେ ଆସେ, ସେ ମୋର ଭକ୍ଷ ହୋଇଥାଏ । ତେଣୁ ତୁମେ ମୋ’ ଅଧିକୃତ ସ୍ଥାନରୁ ଶୀଘ୍ର ଚାଲିଯାଅ, ନଚେତ କାଲି ତୁମକୁ ମୁଁ ଭକ୍ଷଣ କରିବି ।’’

 

ଯୁଧିଷ୍ଠିର କହିଲେ, ‘‘ବୁଝିଲି, କିନ୍ତୁ କ’ଣ କଲେ ଆପଣ ଭୀମସେନଙ୍କୁ ପରିତ୍ୟାଗ କରିବେ, ଜାଣି ପାରିଲେ ଖୁସି ହେବି ।’’

 

ନହୁଷ କହିଲେ; ‘‘ମହାରାଜ, ମୁଁ ତୁମର ପୂର୍ବପୁରୁଷ ନହୁଷ । ବ୍ରହ୍ମଶାପ ଫଳରେ ସର୍ପ ଶରୀର ପ୍ରାପ୍ତ ହୋଇଅଛି । ଯଦି ତୁମେ ମୋ’ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇ ପାରିବ, ତେବେ ତୁମ ଭାଇଙ୍କୁ ମୁକ୍ତ କରିଦେବି ।’’

 

ଯୁଧିଷ୍ଠିର କହିଲେ, ‘‘ଆପଣ ବର୍ତ୍ତମାନ ପ୍ରଶ୍ନ କରନ୍ତୁ । ମୁଁ ତହିଁର ଉତ୍ତର ପ୍ରଦାନ କରି ଆପଣଙ୍କର ସନ୍ତୋଷ ବିଧାନ କରିବାକୁ ଚେଷ୍ଟା କରିବି । କିନ୍ତୁ ତହିଁ ପୂର୍ବରୁ ମୁଁ ଜାଣିବାକୁ ଚାହୁଁଅଛି ଯେ, ଆପଣ ବ୍ରାହ୍ମଣର ବେଦ୍ୟ ନିର୍ବିଶେଷ ପୁରୁଷକୁ ଜାଣିଛନ୍ତି କି ନାହିଁ ?’’

 

ନହୁଷ କହିଲେ, ‘‘ଯୁଧିଷ୍ଠିର, ତୁମେ ଜ୍ଞାନୀ ଓ ବୁଦ୍ଧିମାନ ବୋଲି ତୁମ କଥାରୁ ସୂଚନା ମିଳୁଅଛି । ତେଣୁ ବ୍ରାହ୍ମଣ କିଏ ଓ ବେଦ୍ୟ କ’ଣ, ତାହା ପ୍ରଥମେ ବୁଝାଇ ଦିଅ ।’’

 

ଯୁଧିଷ୍ଠିର କହିଲେ, ‘‘ଯେଉଁ ବ୍ୟକ୍ତି ସତ୍ୟ, ଦାନ, କ୍ଷମାଶୀଳ, ଅହିଂସା, ତପସ୍ୟା ଓ ବିକାରଶୂନ୍ୟ, ତାଙ୍କୁ ହିଁ ବ୍ରାହ୍ମଣ କୁହାଯାଏ ଏବଂ ଯାହାକୁ ପାଇଲେ ମନୁଷ୍ୟର ସମସ୍ତ ଦୁଃଖ ଦୂର ହୁଏ, ସେହି ଦୁଃଖବର୍ଜିତ ନିର୍ବିଶେଷ ବ୍ରହ୍ମ ହିଁ ବେଦ୍ୟ ।’’

 

ନହୁଷ ପଚାରିଲେ, ‘‘ତାହାହେଲେ ଶୂଦ୍ର ମଧ୍ୟରେ ଯଦି ସତ୍ୟ, ଦାନ, କ୍ଷମା, ତପସ୍ୟା ଆଦି ପରିଦୃଷ୍ଟ ହୁଏ, ସେ କ’ଶ ବ୍ରାହ୍ମଣ ବୋଲି ଗଣ୍ୟ ହେବ ? ତା’ଛଡ଼ା ସୁଖ ଦୁଃଖ ଶୂନ୍ୟ ଏପରି ବସ୍ତୁ କ’ଶ ଅଛି ?’’

 

ଯୁଧିଷ୍ଠିର କହିଲେ, ‘‘ଶୂଦ୍ର ବଂଶରେ ଜନ୍ମ ହେଲେ ଯେ ବ୍ୟକ୍ତି ଶୂଦ୍ର ବା ବ୍ରାହ୍ମଣ ହୋଇଥାଏ, ତାହା ନୁହେଁ । ବ୍ରାହ୍ମଣ ବଂଶରେ ହେଉ ବା ଶୂଦ୍ର ବଂଶରେ ଜାତ ହେଉ ଯେଉଁ ବ୍ୟକ୍ତିର ଜୀବନରେ ବୈଦିକ ବ୍ୟବହାର ପରିଲକ୍ଷିତ ହୁଏ, ସେ ବ୍ରାହ୍ମଣ । ଯେଉଁଠାରେ ସେସବୁ ସ୍ୱଭାବ ଗୁଣ ଲକ୍ଷିତ ହୁଏ ନାହିଁ, ସେ ଶୂଦ୍ର । ଆଉ ସୁଖ ଦୁଃଖଶୂନ୍ୟ ବିଷୟ ନାହିଁ ବୋଲି ଯାହା ଆପଣ କହିଲେ, ତାହା ଯଥାର୍ଥ । କାରଣ ଅନିତ୍ୟ ବିଷୟ ସକଳ ସବୁ ସମୟରେ ସୁଖ-ଦୁଃଖର କାରଣ ହୋଇଥାଏ; ତେବେ ମୋ’ ମତରେ ପରାମାତ୍ମା ହିଁ ସୁଖ ଦୁଃଖର ଊର୍ଦ୍ଧ୍ୱରେ, ତେଣୁ ସେ ବେଦ୍ୟ ।’’

 

ନହୁଷ ପଚାରିଲେ, ‘‘ଯଦି ବୈଦିକ ବ୍ୟବହାରକୁ ବ୍ରାହ୍ମଣତ୍ୱର କାରଣ ବୋଲି ସ୍ୱୀକାର କରାଯାଏ, ତେବେ ମନୁଷ୍ୟ ଯେତେବେଳେ ପର୍ଯ୍ୟନ୍ତ ବୈଦିକ କାର୍ଯ୍ୟ କରିବାକୁ ଅସମର୍ଥ, ସେତେଦିନ ପର୍ଯ୍ୟନ୍ତ ଜାତି କୌଣସି କାର୍ଯ୍ୟକ୍ଷମ ନୁହେଁ ?’’

 

ଯୁଧିଷ୍ଠିର କହିଲେ, ‘‘ତତ୍ତ୍ୱଦର୍ଶନମାନେ ଯାଗଶୀଳ ବ୍ୟକ୍ତିଙ୍କୁ ହିଁ ବ୍ରାହ୍ମଣ ବୋଲି କହିଥାନ୍ତି-। ଯେତେଦିନ ପର୍ଯ୍ୟନ୍ତ ବ୍ୟକ୍ତି ବେଦପାଠ ନ କରେ, ସେତଦିନ ପର୍ଯ୍ୟନ୍ତ ସେ ବ୍ରାହ୍ମଣ କୁଳରେ ଜାତ ହେଲେ ମଧ୍ୟ ଶୂଦ୍ର ହୋଇ ରହିଥାଏ । ସ୍ୱାୟମ୍ଭୁବ ମନୁ ସେଥିପାଇଁ କହିଛନ୍ତି, ବୈଦିକ ବ୍ୟବହାର ନଥିଲେ, ସବୁଜାତିର ବ୍ୟକ୍ତି ଶୂଦ୍ରତୁଲ୍ୟ । ସେଥିଯୋଗୁ ବ୍ରାହ୍ମଣତ୍ୱର ବିଚାର ସବୁବେଳେ ବୈଦିକ ବ୍ୟବହାରର ଅନୁସରଣ କରିଥାଏ ।’’

 

ନହୁଷ କହିଲେ, ‘‘ଯୁଧିଷ୍ଠିର, ତୁମର ଏ ସମସ୍ତ ବିଷୟରେ ବିଶେଷ ଜ୍ଞାନ ଥିବାର ଲକ୍ଷ୍ୟ କରି ଓ ତୁମର ଉତ୍ତର ଶୁଣି ମୁଁ ବିଶେଷ ପ୍ରୀତ ହୋଇଅଛି । ତେଣୁ ତୁମ ଭାଇଙ୍କୁ ଭକ୍ଷଣ ନ କରି ଛାଡ଼ି ଦେଉଅଛି ।’’

 

ଯୁଧିଷ୍ଠିର କହିଲେ, ‘‘ଆପଣ ନିଖିଳ ବେଦବେଦାଙ୍ଗରେ ପାରର୍ଦଶୀ, ତେଣୁ କି କାର୍ଯ୍ୟ କଲେ ମନୁଷ୍ୟର ସଦ୍‌ଗତି ଲାଭ ହୁଏ, ଅନୁଗ୍ରହ କରି କହନ୍ତୁ ।’’

 

ନହୁଷ କହିଲେ, ‘‘ଅହିଂସା ଓ ସତ୍ୟପରବଶ ହୋଇ ପ୍ରିୟବାକ୍ୟ ସହିତ ସତ୍‌ପାତ୍ରରେ ଦାନ କଲେ ମନୁଷ୍ୟର ସ୍ଵର୍ଗଲାଭ ହୋଇଥାଏ ।’’

 

ଯୁଧିଷ୍ଠିର ପ୍ରଶ୍ନ କଲେ, ‘‘ଦାନ ଓ ସତ୍ୟ ମଧ୍ୟରେ ଏବଂ ଅହିଂସା ଓ ପ୍ରିୟବାକ୍ୟ ମଧ୍ୟରେ କିଏ ଅଧିକ ଗୌରବାବହ ?’’

 

ନହୁଷ ଉତ୍ତର ଦେଲେ, ‘‘ଦାନ, ସତ୍ୟ, ଅହିଂସା ଓ ପ୍ରିୟବାକ୍ୟ ମଧ୍ୟରେ ପାରିପାର୍ଶିକ ଅବସ୍ଥା ଦୃଷ୍ଟିରେ ତୁଳନା କରାଯାଇ ଗୁରୁ ଲଘୁର ବିଚାର କରାଯାଇଥାଏ । କୌଣସି କୌଣସି କ୍ଷେତ୍ରରେ ଦାନଠାରୁ ସତ୍ୟ ଓ ସତ୍ୟ ଅପେକ୍ଷା ଦାନକୁ ଉତ୍କୃଷ୍ଟ ବୋଲି ବିଚାର କରାଯାଇଥାଏ । ସେହିପରି ସ୍ଥଳବିଶେଷରେ ଅହିଂସା ଅପେକ୍ଷା ପ୍ରିୟବାକ୍ୟକୁ ଓ ଅହିଂସା ଅପେକ୍ଷା ସତ୍ୟବାଦୀତାକୁ ଅଧିକ ଗୌରବ ଦିଆଯାଇଥାଏ ।’’

 

ଏହିପରି ସର୍ପରୂପୀ ନହୁଷଙ୍କ ସହ ଧର୍ମ ସମ୍ବନ୍ଧୀୟ ବିବିଧ ବିଷୟର ଆଲୋଚନା ହୋଇଥିଲା ଓ ତହିଁର ଫଳରେ ନହୁଷ ସର୍ପରୂପରୁ ଉଦ୍ଧାର ପାଇ ମନୁଷ୍ୟ ଶରୀର ଧାରଣ କରିବାକୁ ସମର୍ଥ ହୋଇଥିଲେ ।

 

‘‘ମହାରାଜ, ତୁମେ ମୋ’ ସହିତ ସାଧୁ ସମ୍ଭାଷଣ କରି ମୋତେ ଅଭିଶାପରୁ ମୁକ୍ତି ଦେଇ ମୋ’ ପାଇଁ ଅସାଧାରଣ କାର୍ଯ୍ୟ କରିଅଛ’’ ବୋଲି କହି ନହୁଷ ନିଜର କୃତଜ୍ଞତା ଜ୍ଞାପନ କରି ନିଜର ସର୍ପରୂପ ଧାରଣ ସମ୍ପର୍କିତ ଅଭିଶାପ ବୃତ୍ତାନ୍ତ ବର୍ଣ୍ଣନା କଲେ ।

 

ପୂର୍ବେ ଦେବରାଜ ଇନ୍ଦ୍ର ବ୍ରହ୍ମହତ୍ୟା ପାପରେ ଲିପ୍ତ ହୋଇ ଇନ୍ଦ୍ର ପଦଚ୍ୟୁତ ହେବାରୁ ଦେବତାମାନେ ନହୁଷଙ୍କୁ ଇନ୍ଦ୍ରପଦରେ ଆସୀନ କରାଇଲେ ଏବଂ ଇନ୍ଦ୍ରପଦ ଲାଭ କରିବା ପରେ ଦେବତାମାନଙ୍କର ସୁରମ୍ୟ ଉଦ୍ୟାନରେ, ନନ୍ଦନକାନନରେ କେତେବେଳେ ଅବା ମନ୍ଦର ବା ମହେନ୍ଦ୍ର ପର୍ବତରେ କେତେବେଳେ ଅପ୍ସରା ଓ ଦେବକନ୍ୟା ମାନଙ୍କ ସହ କ୍ରୀଡ଼ା କରି ଓ ନୃତ୍ୟସଙ୍ଗୀତ ମଧ୍ୟରେ ପରମାନନ୍ଦରେ କାଳାତିପାତ କରିବାକୁ ଲାଗିଲେ । ସ୍ୱର୍ଗରେ ପରମସୁଖରେ ବାସ କରୁଥିବା ସମୟରେ ଦିନେ ନହୁଷ ଇନ୍ଦ୍ରଙ୍କର ପତ୍ନୀ ଶଚୀଦେବୀଙ୍କୁ ଦେଖି କାମପୀଡ଼ାରେ ଏକାନ୍ତ ପୀଡ଼ିତ ହୋଇ ଦେବସଭାରେ କହିଲେ, ‘‘ମୁଁ ଇନ୍ଦ୍ର, ଦେବଲୋକ ଓ ମର୍ତ୍ତ୍ୟଲୋକର ଅଧୀଶ୍ୱର; ତେଣୁ ଶଚୀ କାହିଁକି ମୋର ସେବା କରିବାରେ ପରାଂମୁଖ । ଆଜି ମୋ’ ନିକଟକୁ ଶଚୀଙ୍କୁ ଆସିବାକୁ ପଡ଼ିବ ।’’ ନହୁଷଙ୍କର କଥା ଶୁଣିବାକୁ ପାଇ ଶଚୀଦେବୀ ନିଜର ସତୀତ୍ୱ ଓ ଧର୍ମହାନି ଆଶଙ୍କା କରି ଦେବଗୁରୁ ବୃହସ୍ପତିଙ୍କର ଶରଣାପନ୍ନ ହେଲେ । ନହୁଷ କିପରି ସେକଥା ଜାଣିପାରି ବିଶେଷ କ୍ରୋଧାନ୍ୱିତ ହେଲେ ।

 

ନହୁଷଙ୍କର କ୍ରୋଧ ଶାନ୍ତି ନିମନ୍ତେ ଦେବତା ଓ ଋଷିମାନେ ଏକତ୍ରିତ ହୋଇ ନହୁଷଙ୍କୁ କହିଲେ, ‘‘ସୁରରାଜ, ଆପଣଙ୍କ କ୍ରୋଧରେ ନିଖିଳ ଜଗତ ଭୀତତ୍ରସ୍ତ ହୋଇଅଛି, ତେଣୁ କ୍ରୋଧ ସମ୍ବରଣ କରନ୍ତୁ । ଆପଣ ଦେବତାମାନଙ୍କର ଅଧୀଶ୍ୱର ହୋଇଥିବାରୁ ଧର୍ମ ଅନୁସାରେ ପ୍ରଜାପାଳନ କରିବା ହିଁ ଆପଣଙ୍କର କର୍ତ୍ତବ୍ୟ । ଶଚୀଦେବୀ ଅନ୍ୟର ସ୍ତ୍ରୀ, ତେଣୁ ପରସ୍ତ୍ରୀ ହରଣର ନିଜକୁ କ୍ଷାନ୍ତ କରନ୍ତୁ ।’’

 

ନହୁଷ କହିଲେ, ‘‘ହେ ଦେବତା ଓ ଋଷିଗଣ, ତୁମ୍ଭର ପୂର୍ବାଧିପତି ଇନ୍ଦ୍ର ଯେତେବେଳେ ଋଷିପତ୍ନୀ ଅହଲ୍ୟାର ସତୀତ୍ୱ ନଷ୍ଟ କରିଥିଲେ, ସେତେବେଳେ ତାଙ୍କୁ ସେ ପାପକାର୍ଯ୍ୟାରୁ ନିବୃତ୍ତ ନ କରିଥିବା ବେଳେ, ଆଜି ଏ ସତ୍‌ପରାମର୍ଶ କାହିଁକି ? ସେ ଯାହା ହେଉନା କାହିଁକି, ଇନ୍ଦ୍ରାଣୀଙ୍କୁ ମୋ’ ମନର କାମନା ପୂର୍ଣ୍ଣ କରିବାକୁ ପଡ଼ିବ ।’’

 

ନହୁଷଙ୍କଠାରୁ ଏପରି କଥା ଶୁଣି ଦେବତା ଓ ଋଷିମାନେ ବୃହସ୍ପତିଙ୍କ ନିକଟକୁ ଯାଇ ଶଚୀଙ୍କ ଉପସ୍ଥିତିରେ କହିଲେ, ‘ହେ ସୁରଗୁରୁ, ଇନ୍ଦ୍ରାଣୀ ଆପଣଙ୍କର ଶରଣାପନ୍ନ ଥିବା ବିଷୟ ଆମ୍ଭେମାନେ ଅବଗତ ଅଛୁ । ବର୍ତ୍ତମାନ ଦେବତା, ଗନ୍ଧର୍ବ, ଋଷିଗଣଙ୍କର ସମୂହ ପ୍ରାର୍ଥନା ଗ୍ରହଣକରି ନହୁଷଙ୍କୁ ପତିରୂପେ ବରଣ କରିବାକୁ ଶଚୀଦେବୀଙ୍କୁ କହନ୍ତୁ ।’

 

ଦେବତା, ଋଷି ଓ ଗନ୍ଧର୍ବମାନଙ୍କର ଏହି ପରାମର୍ଶ ଶୁଣି ଶଚୀଦେବୀ ଭାଙ୍ଗିପଡ଼ିଲେ । ଶଚୀଦେବୀଙ୍କୁ ବୃହସ୍ପତି କହିଲେ, ‘‘ତୁମେ ଯେତେବେଳେ ମୋର ଶରଣାପନ୍ନ ହୋଇଅଛ, ସେତେବେଳେ ମୁଁ ତୁମକୁ ନିଶ୍ଚୟ ରକ୍ଷା କରିବି । ମୁଁ ବ୍ରାହ୍ମଣ ହୋଇ ନହୁଷର ଏହି ପାପକାର୍ଯ୍ୟକୁ କେବେହେଁ ଅନୁମୋଦନ କରିପାରିବି ନାହିଁ । ତେବେ କାଳ ବହୁ ବିଘ୍ନକର । କାଳକ୍ରମେ ଗର୍ବୀ ଦୁରାତ୍ମା ନହୁଷର ବିଘ୍ନ କାଟିପାରେ ବୋଲି ମୁଁ କିଛିଦିନ ପରେ ତାଙ୍କୁ ବରଣ କରିବେ ବୋଲି କହି ସମୟ ପ୍ରାର୍ଥନା କରନ୍ତୁ ।’’

 

ବୃହସ୍ପତିଙ୍କ ବାକ୍ୟରେ ଦେବତା ପ୍ରମୁଖ ଆଶ୍ୱସ୍ତ ହୋଇ ଶଚୀଦେବୀଙ୍କୁ କହିଲେ, ‘‘ଆପଣ ପତିବ୍ରତା । ଦୁରାତ୍ମା ନହୁଷ ଯେତେବେଳେ ଆପଣଙ୍କୁ କାମନା କରୁଅଛି, ସେ ନିଶ୍ଚୟ ବିନଷ୍ଟ ହେବ ଏଥିରେ ସନ୍ଦେହ ନାହିଁ ।’’

 

ବୃହସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ପତିପରାୟଣା ଶଚୀଦେବୀ ନହୁଷଙ୍କ ନିକଟରେ ଉପସ୍ଥିତ ହେଲେ । ପରମାସୁନ୍ଦରୀ ରୂପ ଯୌବନବତୀ ଶଚୀଙ୍କୁ ଦେଖି ନହୁଷଙ୍କର ଆନନ୍ଦର ସୀମା ରହିଲା ନାହିଁ । ଶଚୀଙ୍କୁ ସମ୍ବୋଧନ କରି ନହୁଷ କହିଲେ, ‘‘ବରବର୍ଣ୍ଣିତ ! ମୁଁ ତ୍ରିଲୋକର ଅଧିପତି ଇନ୍ଦ୍ର, ତୁମେ ମୋତେ ସ୍ୱାମୀ ରୂପରେ ବରଣ କର ।’’ ଶଚୀ ଅତ୍ୟନ୍ତ ଭୟଭୀତା ହୋଇ କୃତଞ୍ଜଳିପୁଟରେ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ନହୁଷଙ୍କୁ କହିଲେ, ‘‘ଦେବରାଜ, ମୋତେ କିଛିଦିନ ସମୟ ଦିଅନ୍ତୁ । ଇନ୍ଦ୍ର ବର୍ତ୍ତମାନ କେଉଁଠାରେ ଅଛନ୍ତି ମୁଁ ଜାଣିପାରୁ ନାହିଁ । ତେଣୁ ଏହି ସମୟ ମଧ୍ୟରେ ଇନ୍ଦ୍ରଙ୍କ ଅନୁସନ୍ଧାନ କରିବି ଏବଂ ଯଦି ତାଙ୍କର କୌଣସି ସନ୍ଧାନ ନ ପାଏ, ତେବେ ମୁଁ ନିଶ୍ଚୟ ଆସି ଆପଣଙ୍କ ନିକଟରେ ଉପସ୍ଥିତ ହେବି ।’’ ଶଚୀଙ୍କର ଏଇ କେଇପଦ କଥା କାମାର୍ତ୍ତ ନହୁଷଙ୍କର ସର୍ବ ଶରୀରରେ ସତେ ଯେପରି ସୁଶୀତଳ ଚନ୍ଦନର ପ୍ରଲେପ ବୋଳିଦେଲା । ଶଚୀଙ୍କ କଥାରେ ନହୁଷ ସମ୍ମତ ହେଲେ । ଶଚୀଦେବୀ ନହୁଷଙ୍କଠାରୁ ବିଦାୟ ନେଇ ଇନ୍ଦ୍ରଙ୍କର ସନ୍ଧାନ କରି ତାଙ୍କୁ ସବୁ କଥା କହିଲେ ।

 

ଇନ୍ଦ୍ର କହିଲେ, ‘‘ମୁଁ ସବୁ ବୁଝୁଛି; ମାତ୍ର ବର୍ତ୍ତମାନ ବିକ୍ରମ ପ୍ରକାଶର ସମୟ ନୁହେଁ, କାରଣ ରାଜା ନହୁଷ ମୋ’ ଅପେକ୍ଷା ଅଧିକ ବଳବାନ୍‌ । ତେଣୁ ତୁମେ ନହୁଷଙ୍କ ନିକଟକୁ ଯାଇ କୁହ, ‘ମହାରାଜ, ଆପଣ ଋଷିମାନେ ବହନ କରିଥିବା ଗୋଟିଏ ଯାନ ଆରୋହଣ କରି ମୋ’ ନିକଟକୁ ଆସନ୍ତୁ, ମୁଁ ଆପଣଙ୍କ କାମନାର ବଶୀଭୂତ ହେବି ।’ ସ୍ୱାମୀଙ୍କଠାରୁ ଏପରି ଆଦିଷ୍ଟ ହୋଇ ଶଚୀଦେବୀ ନହୁଷଙ୍କ ନିକଟରେ ଉପସ୍ଥିତ ହେଲେ ।

 

ନହୁଷ କହିଲେ, ‘‘ସୁନ୍ଦରୀ ଶ୍ରେଷ୍ଠ, କୁହ ତୁମ ପାଇଁ ମୁଁ କ’ଣ କରିବି । ମୁଁ ତୁମର ଏକାନ୍ତ ଅନୁରାଗୀ, ଲଜ୍ଜା ନ କରି ମୋର ଅଭିଳାଷ ବର୍ତ୍ତମାନ ପୂର୍ଣ୍ଣ କର । ତୁମେ ଯାହା କହିବ, ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି ।’’

 

ଶଚୀ କହିଲେ, ‘‘ମୁଁ ଆପଣଙ୍କୁ ପତି ରୂପରେ ବରଣ କରିବାକୁ ପ୍ରସ୍ତୁତ ଅଛି; ମାତ୍ର ମୋର ମନରେ ଗୋଟିଏ ଅଭିଳାଷ ଅଛି, ତାହା ଆପଣ ଆଗ ପୂର୍ଣ୍ଣ କରନ୍ତୁ । ଦେବରାଜ ଇନ୍ଦ୍ରଙ୍କର ହସ୍ତୀ, ଅଶ୍ୱ, ରଥ ଆଦି ବହୁବିଧ ବାହନ ଥିଲା, କିନ୍ତୁ ଆପଣ ଏପରି ବାହନରେ ଅଧିରୂଢ଼ ହୋଇ ମୋ ନିକଟରେ ଉପସ୍ଥିତ ହେବେ ଯେପରି ପୂର୍ବରୁ କେବେ ବିଷ୍ଣୁ, ରୁଦ୍ର କିମ୍ବା ଅସୁର କେହି ହେଲେ ଦେଖିନଥିବେ । ସେଥିପାଇଁ ମୁଁ ଚାହୁଁଛି ଆପଣଙ୍କ ପାଲିଙ୍କିକୁ ମହର୍ଷିମାନେ କାନ୍ଧରେ ବହନ କରି ଆଣନ୍ତୁ ।’’

 

ନହୁଷ କହିଲେ, ‘‘ବେଶ ତାହାହିଁ ହେବ । ସପ୍ତର୍ଷି ଓ ବ୍ରହ୍ମର୍ଷି ମାନେ ମୋର ପାଲିଙ୍କି ବହନ କରିବେ ।’’ ଏହା କହି କ୍ଷମତା ଗର୍ବରେ ଉନ୍ମତ୍ତ କାମାର୍ତ୍ତ ନହୁଷ ଶଚୀଙ୍କୁ ବିଦାୟ ଦେଇ ଦେବର୍ଷି ଓ ବ୍ରେହ୍ମର୍ଷି ମାନଙ୍କୁ ନିଜର ପାଲିଙ୍କି ବହନ କରି ଶଚୀଙ୍କ ଭବନକୁ ନେବାପାଇଁ ଆଦେଶ ଦେଲେ । ତେଣୁ ବାଧ୍ୟ ହୋଇ ବାର୍ଦ୍ଧକ୍ୟଗ୍ରସ୍ତ ବ୍ରହ୍ମର୍ଷିମାନେ ନହୁଷଙ୍କୁ ବସାଇ ଶିବିକା ବହନ କରି ଶଚୀଙ୍କ ପ୍ରାସଦ ଅଭିମୁଖେ ଚାଲିଲେ । ଋଷିମାନେ କିଛିବାଟ ଗଲା ପରେ ଅତ୍ୟଧିକ ବୟସ ଓ ଅଭ୍ୟାସ ଅଭାବରୁ କ୍ଲାନ୍ତ ହୋଇପଡ଼ିଲେ ଓ ବହୁ କଷ୍ଟରେ ମନ୍ଥର ଗତିରେ ଯିବାକୁ ଲାଗିଲେ । ଶଚୀଙ୍କ ସାନ୍ନିଧ୍ୟ ପାଇଁ ଅତିମାତ୍ରାରେ କାମାର୍ତ୍ତ ହୋଇଥିବାରୁ ଋଷିଙ୍କର ମତର ଗତି ନହୁଷଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା । ସେ ପାଲିଙ୍କିରୁ ଗୋଡ଼ ବାହାର କରି ନିକଟସ୍ଥ ଋଷିଙ୍କୁ ଗୋଇଠାମାରି ‘ସର୍ପ, ସର୍ପ’ ଅର୍ଥାତ୍‌ ଶୀଘ୍ର ଶୀଘ୍ର ଚାଲ ବୋଲି କହିଲେ । ଯେଉଁ ଋଷିଙ୍କୁ ନହୁଷ ପଦାଘାତ କଲେ, ସେ ବ୍ରହ୍ମର୍ଷି ଅଗସ୍ତ୍ୟ । ସେ ଅତ୍ୟନ୍ତ ରାଗିଯାଇ ନହୁଷଙ୍କୁ ଅଭିଶାପ ଦେଇ କହିଲେ, ‘‘ମୁଢ଼ ! ତୁମେ ଅହଙ୍କାର ମଦମତ୍ତ ହୋଇ ବ୍ରହ୍ମର୍ଷିମାନଙ୍କ ପ୍ରତି ଏହି ଅଶ୍ରଦ୍ଧା ପ୍ରଦର୍ଶନ କରିବା ଦ୍ୱାରା ତୁମର ସକଳ ପୁଣ୍ୟ ନଷ୍ଟ ହୋଇଅଛି । ତୁମେ ନିଜର ଦୁଷ୍କର୍ମର ପ୍ରାୟଶ୍ଚିତ୍ତ ସ୍ୱରୂପ ମର୍ତ୍ତ୍ୟରେ ମହାକାୟ ସର୍ପରୂପ ଧାରଣକରି ଦଶହଜାର ବର୍ଷ ବାସକର । ପରେ ଧର୍ମରାଜ ଯୁଧିଷ୍ଠିର ତୁମକୁ ଶାପମୁକ୍ତ କରିବେ ।’’

 

ନହୁଷ ଆତ୍ମବୃତ୍ତାନ୍ତ ବର୍ଣ୍ଣନା କରି ଭୀମ ଓ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ ପୂର୍ବକ ସେମାନଙ୍କଠାରୁ ବିଦାୟ ଗ୍ରହଣକରି ସ୍ୱଦେଶରେ ସ୍ୱର୍ଗଲୋକକୁ ଚାଲିଗଲେ । ଭୀମଙ୍କୁ ଅକ୍ଷତ ଶରୀରରେ ଫେରିପାଇ ପରମାନନ୍ଦରେ ଯୁଧିଷ୍ଠିର ଭୀମଙ୍କ ସହ କୁଟୀରକୁ ଫେରି ଆସିଲେ ।

Image

 

ଦୁର୍ଯ୍ୟୋଧନଙ୍କ ପରାଭବ

 

ପାଣ୍ଡବମାନେ ଦ୍ୱୈତ ବନରେ ବାସ କରୁଥିବା ସମୟରେ, ଦିନେ ଦୁଷ୍ଟମତି ଶକୁନି କର୍ଣ୍ଣ ସହିତ ଦୁର୍ଯ୍ୟୋଧନଙ୍କ ନିକଟକୁ ଆସି କହିଲେ, ‘‘ହେ କୁରୁଶ୍ରେଷ୍ଠ, ଶୁଣିବାକୁ ପାଉଅଛି ଯେ, ଦ୍ୱୈତବନରେ ବର୍ତ୍ତମାନ ପାଣ୍ଡବମାନେ ଅଛନ୍ତି । ତୁମେ ରାଜପଦରେ ଆସୀନ ହୋଇପରମ ସମୃଦ୍ଧ ମଧ୍ୟରେ କାଳଯାପନ କରୁଥିବା ବେଳେ ପାଣ୍ଡବମାନେ ଜଟା ବଳ୍କଳ ଧାରଣ କରି ଅରଣ୍ୟରେ ଅତି ଦୁଃଖରେ ବାସ କରୁଅଛନ୍ତି । ଆମର ଐଶ୍ୱର୍ଯ୍ୟ ଦର୍ଶନ କରି ଦୁଃଖଗ୍ରସ୍ତ ପାଣ୍ଡବମାନେ ଅତ୍ୟଧିକ ମାନସିକ ଦୁଃଖ ଲାଭ କରିବେ; ତେଣୁ ତୁମ ପତ୍ନୀଙ୍କ ସହିତ ଆଡ଼ମ୍ବରପୂର୍ଣ୍ଣ ବସନଭୂଷଣ ପରିଧାନ କରି ପାଣ୍ଡବମାନଙ୍କ ସହିତ ସାକ୍ଷାତ କରିବାକୁ ଯାଅ ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ମୋର ମଧ୍ୟ ସେପରି ବାସନା ଅଛି; ମାତ୍ର ମହାରାଜ ଧୃତରାଷ୍ଟ୍ର ଆମକୁ ଦ୍ଵେତବନକୁ ଯିବାପାଇଁ ଅନୁମତି ଦେବେନାହିଁ । ଅରଣ୍ୟରେ ବଳ୍କଳ ଧାରଣ କରି ଦୀନହୀନ ଭାବରେ ବାସ କରୁଥିବ ଦ୍ରୌପଦୀଙ୍କ ସହ ପାଣ୍ଠବଙ୍କୁ ଦେଖିଲେ ମୁଁ ଯେପରି ଆନନ୍ଦ ପାଇବି, ସମଗ୍ର ପୃଥିବୀର ଆଧିପତ୍ୟ ଲାଭ କଲେ ସେପରି ଆନନ୍ଦ ପାଇବି କି ନାହିଁ ସନ୍ଦେହ । ଦ୍ୱୈତବନକୁ ଯିବାପାଇଁ ଅନୁମତି ଦେବେନାହିଁ । ଅରଣ୍ୟରେ ବଳ୍କଳ ଧାରଣ କରି ଦୀନହୀନ ଭାବରେ ବାସ କରୁଥିବା ଦ୍ରୌପଦୀଙ୍କ ସହ ପାଣ୍ଡବଙ୍କୁ ଦେଖିଲେ ମୁଁ ଯେପରି ଆନନ୍ଦ ପାଇବି, ସମଗ୍ର ପୃଥିବୀର ଆଧିପତ୍ୟ ଲାଭ କଲେ ସେପରି ଆନନ୍ଦ ପାଇବି କି ନାହିଁ ସନ୍ଦେହ । ଦ୍ୱୈତବନକୁ ଯିବାପାଇଁ ମହାରାଜାଙ୍କଠାରୁ କିପରି ଅନୁତିମ ମିଳିବ, ତା’ର ଉପାୟ ସ୍ଥିର କର ।’’

 

ଶକୁନି, କର୍ଣ୍ଣ ଓ ଦୁଃଶାସନ ପ୍ରମୁଖ ମନ୍ତ୍ରଣା କର ଏକ ଉପାୟ ସ୍ଥିର କଲେ । ତଦନୁସାରେ ଧୃତରାଷ୍ଟ୍ରଙ୍କ ନିକଟରେ ପ୍ରସ୍ତାବ ଦେଲେ ।

 

ଶକୁନି ଓ କର୍ଣ୍ଣ କହିଲେ, ‘‘ମହାରାଜ, ଦ୍ୱୈତବନର ଘୋଷପଲ୍ଲୀ ଅତି ରମଣୀୟ ସ୍ଥାନରେ ଅବସ୍ଥିତ । ସେଠାରେ ଆମର ଯେଉଁସବୁ ଅତି ରମଣୀୟ ସ୍ଥାପରେ ଅବସ୍ଥିତ । ସେଠାରେ ଆମର ଯେଉଁସବୁ ଗୋ-ସମ୍ପଦ ରହିଅଛି, ସେମାନଙ୍କର ବୟସ, ବର୍ଣ୍ଣ, ସଂଖ୍ୟା ସମ୍ପର୍କରେ ବାର୍ଷିକ ଗଣନା କରିବାପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ । ତା ଛଡ଼ା ଦୁର୍ଯ୍ୟୋଧନଙ୍କର ମୃଗୟା ପାଇଁ ବିଶେଷ ଆଗ୍ରହ ରହିଅଛି; ତେଣୁ ସେଠାକୁ ଯିବାପାଇଁ ଅନୁମତି ଦିଅନ୍ତୁ ।’’

 

ଧୃତରାଷ୍ଟ୍ର କହିଲେ, ‘‘ଧେନୁ ଗଣନା କରିବା ଆବଶ୍ୟକ; ମୃଗୟା ମଧ୍ୟ ଉତ୍ତମ କାର୍ଯ୍ୟ । ମାତ୍ର ମୁଁ ଶୁଣୁଛି, ପାଣ୍ଡବମାନେ ସେହି ବନରେ ଅବସ୍ଥାନ କରୁଅଛନ୍ତି । ପାଣ୍ଡବମାନେ ତପୋବଳ ସମ୍ପନ୍ନ ଓ ପ୍ରବଳ ପରାକ୍ରମୀ । ବିଶେଷ କରି ଅର୍ଜ୍ଜୁନ ଇନ୍ଦ୍ରଲୋକରୁ ନାନାଦି ଦିବ୍ୟାସ୍ତ୍ରରେ ସଜ୍ଜିତ ହୋଇ ଫେରିଛନ୍ତି । ଭୀମସେନ ମହାକ୍ରୁଦ୍ଧ ସ୍ୱଭାବର ଲୋକ । ଦ୍ରୌପଦୀ ମଧ୍ୟ ଅତି ତେଜସ୍ୱିନୀ । ସେମାନଙ୍କ ତୁଳନାରେ ତୁମ୍ଭେମାନେ ହିତାହିତ ଜ୍ଞାନଶୂନ୍ୟ ଓ ଗର୍ବୀ । କାଳେ କିଛି ଅଘଟନ ଘଟିପାରେ, ସେ ଆଶଙ୍କା ଥିବାରୁ ଦୁର୍ଯ୍ୟୋଧନକୁ ସେଠାକୁ ଯିବାକୁ ଅନୁମତି ଦେବିନାହିଁ । ଗୋସମ୍ପଦର ବାର୍ଷିକ ଗଣନା କାର୍ଯ୍ୟରେ ଯେକୌଣସି ଅଭିଜ୍ଞ ବିଶ୍ୱସ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇପାରେ, ସେଥିପାଇଁ ଦୁର୍ଯ୍ୟୋଧନଙ୍କର ଯିବାର ପ୍ରୟୋଜନ ନାହିଁ ।’’

 

ଧୃତରାଷ୍ଟ୍ରଙ୍କ କଥା ଶୁଣି ଶକୁନି କହିଲେ, ‘‘କୌଣସି ଦୁର୍ଘଟଣା ଆଶଙ୍କା ନ କରି ମହାରାଜ ନିଶ୍ଚିତ ରହନ୍ତୁ । ଯୁଧିଷ୍ଠିର ପରମ ଧାର୍ମିକ ଏବଂ ଅନୁଜମାନେ ତାଙ୍କର ଅନୁଗତ ଥିବାରୁ ବନବାସ ପ୍ରତିଜ୍ଞା ଭଙ୍ଗ କରି ଆମ ସହ କୌଣସି ଶତ୍ରୁତା କରିବେ ନାହିଁ । ତା’ ଛଡ଼ା ସେମାନଙ୍କ ସହ ସାକ୍ଷାତ କରିବାକୁ ଆମର କୌଣସି ଆଗ୍ରହ ନ ଥିବାରୁ ସେମାନଙ୍କ ନିକଟକୁ ଆମେ ଯିବୁ ବା କାହିଁକି ?’’

 

ଶକୁନିଙ୍କ କଥା ଶୁଣିବା ପରେ ଦୁର୍ଯ୍ୟୋଧନ ପ୍ରମୁଖଙ୍କୁ ଦ୍ୱୈତବନକୁ ଯିବା ପାଇଁ ଧୃତରାଷ୍ଟ୍ର ଅନୁମତି ଦେଲେ ଓ ସଙ୍ଗେ ସଙ୍ଗେ ଆୟୋଜନ ଚାଲିଲା । ବହୁ ଅଶ୍ୱ, ଗଜ, ରଥ ସହ ସୈନ୍ୟସାମନ୍ତ, ରାଣୀ ଓ ଅନ୍ୟ ରମଣୀମାନଙ୍କ ସହ କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ବହୁ ଆଡ଼ମ୍ବରରେ ଦ୍ୱୈତବନକୁ ଗଲେ ଏବଂ ପାଣ୍ଡବଙ୍କ ଆଶ୍ରମର ସାମାନ୍ୟ ଦୂରରେ ଡେରା ପକାଇଲେ । ଦୁର୍ଯ୍ୟୋଧନଙ୍କ ଶିବିରର କିୟତ୍‌ଦୂରରେ ଏକ ସୁନ୍ଦର ସରୋବର ଥିଲା । ତହିଁର କୂଳରେ ଏକ ପ୍ରମୋଦଭବନ ନିର୍ମାଣ କରିବାକୁ ଦୁର୍ଯ୍ୟୋଧନ ନିଜର କର୍ମଚାରୀମାନଙ୍କୁ ଆଦେଶ ଦେଲେ । ସେହି ସରୋବରଟି ଗନ୍ଧର୍ବମାନଙ୍କର ଜଳକ୍ରୀଡ଼ା ପାଇଁ ଉଦ୍ଦିଷ୍ଟ ଥିଲା । ଗନ୍ଧର୍ବମାନଙ୍କ ପକ୍ଷରୁ ବାରଣ କରାଯିବା ସତ୍ତ୍ୱେ ଦୁର୍ଯ୍ୟୋଧନଙ୍କ କର୍ମଚାରୀମାନେ ପ୍ରମୋଦ ଭବନ ନିର୍ମାଣ କରିବାକୁ ଉଦ୍ୟମ କରିବାରୁ ଦୁର୍ଯ୍ୟୋଧନଙ୍କ ସହ ଗନ୍ଧର୍ବରାଜ ଚିତ୍ରସେନଙ୍କର ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଗଲା । ଗନ୍ଧର୍ବମାନଙ୍କର ଅଦୃଶ୍ୟ ମାୟାଯୁଦ୍ଧରେ ସମ୍ପୂର୍ଣ୍ଣ ରୂପେ ପରାସ୍ତ ହୋଇ କର୍ଣ୍ଣ ଯୁଦ୍ଧଭୂମିରୁ ପଳାୟନ କଲେ ଓ କୌରବମାନେ କର୍ଣ୍ଣଙ୍କ ପଳାୟନରେ ହତୋତ୍ସାହିତ ହୋଇ ଛତ୍ରଭଙ୍ଗ ଦେଲେ । ଗନ୍ଧର୍ବମାନେ ଦୁର୍ଯ୍ୟୋଧନଙ୍କୁ ବନ୍ଦୀ କରିବା ସଙ୍ଗେ ସଙ୍ଗେ କୌରବମାନଙ୍କ ସହ ବନକୁ ଯାଇଥିବା ସମସ୍ତ ରମଣୀଙ୍କୁ ମଧ୍ୟ ଅପହରଣ କରିନେଲେ । ପରାଜିତ କୌରବସେନା ଜୀବନ ଭୟରେ ଇତସ୍ତତଃ ପଳାୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦଳେ ଦୁଃଶାସନଙ୍କ ସହ ପାଣ୍ଡବମାନଙ୍କ ଆଶ୍ରମକୁ ଆସି ଦୁର୍ଯ୍ୟୋଧନଙ୍କ ଦୁର୍ଦ୍ଦଶା କଥା ବର୍ଣ୍ଣନା କରି ଯୁଧିଷ୍ଠିରଙ୍କର ଶରଣାପନ୍ନ ହେଲେ ।

 

ଭୀମସେନ କହିଲେ, ‘‘ତ୍ରୟୋଦଶ ବର୍ଷ ପୂର୍ଣ୍ଣ ହେଲା ପରେ ଆମେ ଯେଉଁ କାର୍ଯ୍ୟ କରିଥାନ୍ତୁ ଓ ସେଥିପାଇଁ ଏତେ ଆୟୋଜନ କରୁଥିଲ, ଗନ୍ଧର୍ବମାନେ ଆଜି ତାହା ସମ୍ପନ୍ନ କରି ଆମ୍ଭମାନଙ୍କୁ ଉପକୃତ କରିଅଛନ୍ତି ।’’

 

ଭୀମସେନଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, ‘‘ଭୀମସେନ, ବର୍ତ୍ତମାନ ପରିସ୍ଥିତିରେ ଏପରି ବାକ୍ୟ ତୁମ ମୁଖରେ ଶୋଭାପାଏ ନାହିଁ । ଦୁର୍ଯ୍ୟୋଧନ ଓ ତାଙ୍କର ରମଣୀମାନେ ବନ୍ଦୀ, କୌରବମାନେ ଦୁର୍ଦ୍ଦଶାଗ୍ରସ୍ତ ଓ ଆମର ଶରଣାପନ୍ନ । ଆମ ଭିତରେ ଯେତେ ଶତ୍ରୁତା ଥିଲେ ମଧ୍ୟ ବଂଶର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଦେବା ନାହିଁ । ବଂଶର ମର୍ଯ୍ୟାଦା ରକ୍ଷା ଓ ଶରଣାପନ୍ନଙ୍କର ପରିତ୍ରାଣ ନିମନ୍ତେ ଗନ୍ଧର୍ବମାନଙ୍କ ସହ ଯୁଦ୍ଧ ପାଇଁ ଅର୍ଜ୍ଜୁନ ଓ ନକୁଳ ସହଦେବଙ୍କ ସହ ତୁମେ ଯଥାଶୀଘ୍ର ପ୍ରସ୍ତୁତ ହୋଇଯାଅ ।’’

 

ଯୁଧିଷ୍ଠିରଙ୍କ ଆଜ୍ଞାନୁସାରେ ପାଣ୍ଡବଭ୍ରାତାମାନେ ଗନ୍ଧର୍ବମାନଙ୍କ ସହ ଯୁଦ୍ଧ ଘୋଷଣା କରି ତୁମୂଳ ସଂଗ୍ରାମରେ ବ୍ୟାପୃତ ହୋଇଗଲେ । ଗନ୍ଧର୍ବମାନେ ପୂର୍ବ ପରି ଅଦୃଶ୍ୟରେ ମାୟା ଯୁଦ୍ଧ କରୁଥିଲେ ମଧ୍ୟ ଭୀମ ଅର୍ଜ୍ଜୁନଙ୍କର ଅଦ୍ଭତ ରଣକୌଶଳ ଓ ଅନିତିକ୍ରମ୍ୟ ପରାକ୍ରମ ନିକଟରେ ପରାସ୍ତ ହୋଇପାଣ୍ଡବଙ୍କ ସହିତ ସନ୍ଧି କରିବାକୁ ବାଧ୍ୟ ହେଲେ ।

 

ଗନ୍ଧର୍ବରାଜ ଚିତ୍ରସେନ ଅର୍ଜ୍ଜୁନଙ୍କୁ କହିଲେ, ‘‘ମୁଁ ତୁମର ପ୍ରିୟସଖା ଚିତ୍ରସେନ । ଦୁର୍ଯ୍ୟୋଧନ ତା’ର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରି ତୁମକୁ ବିଦ୍ରୂପ ଓ ଦୁଃଖଜର୍ଜରିତ କରିବା ଉଦ୍ଦେଶ୍ୟରେ ଆଡ଼ମ୍ବର ସହକାରେ ସସୈନ୍ୟେ ଏଠାକୁ ଆସିଥିଲା ଏବଂ ତା’ର ମନ୍ଦ ଉଦ୍ଦେଶ୍ୟ ବୁଝିପାରି ତୁମର ପିତା ଦେବରାଜ ଇନ୍ଦ୍ର ଦୁର୍ଯ୍ୟୋଧନକୁ ବନ୍ଦୀକରି ନେବାପାଇଁ ମୋତେ ପଠାଇଥିଲେ । ତୁମେ ଏକାଧାରରେ ମୋର ସଖା ଓ ଶିଷ୍ୟ । ଦୁର୍ଯ୍ୟୋଧନ ଦୁଷ୍ଟ । ଧର୍ମପରାୟଣ ଯୁଧିଷ୍ଠିର ଓ ପତିବ୍ରତା ଦ୍ରୌପଦୀଙ୍କର ମର୍ଯ୍ୟାଦାକୁ ବହୁଭାବରେ କ୍ଷୁର୍ଣ୍ଣ କରିଥିବାରୁ ତା’ର ଶାସ୍ତି ଲାଭର ସମୟ ବହୁଦିନରୁ ଉଗପତ ହୋଇଅଛି । ତଥାପି କ୍ଷମାଶୀଳ ଯୁଧିଷ୍ଠିରଙ୍କ ପ୍ରୀତିବର୍ଦ୍ଧନ ପାଇଁ ଦୁର୍ଯ୍ୟୋଧନ ଓ ତା’ର ରମଣୀମାନଙ୍କୁ ମୁକ୍ତି ଦେଉଅଛୁ ।’’

 

ପାଣ୍ଡବମାନଙ୍କ ଯୋଗୁ ମୁକ୍ତି ପାଇବା ପରେ ଦୁର୍ଯ୍ୟୋଧନ ଲଜ୍ଜାରେ ମୁହଁ ଟେକିପାରିଲେ ନାହିଁ । ରାଜପୁରୀକୁ ଫେରିବା ପଥରେ ଦୁର୍ଯ୍ୟୋଧନ ନିଜକୁ ଶତ ଧିକ୍‌କାର କରି ବିଳାପ କରିବାକୁ ଲାଗିଲେ । ମୋର ପୁତ୍ର ଓ ପୁତ୍ରୀମାନଙ୍କ ସମ୍ମୁଖରେ ମୁଁ ବନ୍ଦୀ ହେଲି ! ଯେଉଁମାନଙ୍କୁ ରାଜ୍ୟରୁ ନିର୍ବାସିତ କରିଅଛି, ସେହି ପରମ ଶତ୍ରୁଙ୍କ ଦୟାରୁ ଆଜି ମୁଁ ବନ୍ଧନ ଓ ମୃତ୍ୟୁରୁ ରକ୍ଷା ପାଇଲି, ଏହାଠାରୁ ଦୁର୍ଭାଗ୍ୟ ଆଉ କ’ଣ ଥାଇପାରେ ? ସେହି ରଣସ୍ଥଳରେ ବରଂ ମୋର ମୃତ୍ୟୁ ହୋଇଯିବା ଉଚିତ ଥିଲା । ଶତ୍ରୁମାନଙ୍କ କରୁଣାରେ ଜୀବନ ଫେରିପାଇବା ପରେ ଏ ମୁହଁ କାହାକୁ ଦେଖାଇବି-? ଏ ଜୀବନ ଅସହ୍ୟ । ହେ ଦୁଃଶାସନ, ତୋତେ ଆଜିଠୁ ରାଜା କଲି । ରାଜନଗରକୁ ଫେରି ନ ଯାଇ ଆଜି ଏଇଠି ମୁଁ ପ୍ରାଣତ୍ୟାଗ କରିବି ।’’

 

ଦୁର୍ଯ୍ୟୋଦନ ଏହିପରି ଭାବରେ ବିଳାପ କରିବାରୁ ବହୁ କଷ୍ଟରେ ଦୁଃଶାସନ, ଶକୁନି ଓ କର୍ଣ୍ଣ ପ୍ରମୁଖ ତାଙ୍କୁ ବିଭିନ୍ନ ପ୍ରକାର ପ୍ରବୋଧନା ଦେଇ ଆଶ୍ୱସ୍ତ କରିଥିଲେ ।

Image

 

ଯାହାକୁ ରଖିବେ ଅନନ୍ତ

 

ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁଃଶାସନ ପ୍ରମୁଖ ସଦାସର୍ବଦା ପାଣ୍ଡବଙ୍କର ଅନିଷ୍ଟ ଚିନ୍ତା କରୁଥାନ୍ତି-। ଦିନେ ମହର୍ଷି ଦୁର୍ବାସା ନିଜ ଆଶ୍ରମର ଦଶହଜାର ପରିବ୍ରାଜକ ଶିଷ୍ୟଙ୍କ ସହ ଦେଶ ଭ୍ରମଣ କରୁଥିବା ସମୟରେ ଦୁର୍ଯ୍ୟୋଧନଙ୍କ ରାଜପ୍ରାସାଦରେ ଉପସ୍ଥିତ ହେଲେ । ମହର୍ଷି ଦୁର୍ବାସା ମହାକୋପୀ ଓ ସାମାନ୍ୟ ସାମାନ୍ୟ ତ୍ରୁଟିରେ ସେ ଅତି ଗୁରୁତର ଅଭିଶାପ ପ୍ରଦାନ କରିଥାନ୍ତି-। ଦୁର୍ବାସାଙ୍କ ସ୍ୱଭାବ ସମ୍ପକରେ ଦୁର୍ଯ୍ୟୋଧନଙ୍କର ଯଥେଷ୍ଟ ଜ୍ଞାନ ଥିଲା । ତେଣୁ କାଳେ ଦୁର୍ବାସା ଅଭିଶାପ ଦେଇ ବସିବେ, ଏହି ଭୟରେ ଅତି ସାବଧାନତା ସହକାରେ ମହର୍ଷି ଦୁର୍ବାସା ଓ ତାଙ୍କ ଶିଷ୍ୟମାନଙ୍କର ସତ୍କାରାଦି କାର୍ଯ୍ୟ ଦୁର୍ଯ୍ୟୋଧନ ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୁଥାନ୍ତି-। ରାଜପ୍ରସାଦରେ ଅତିଥି ହୋଇ ରହିବାର କିଛିଦିନ ପରେ ଦୁର୍ଯ୍ୟୋଧନଙ୍କ ଆତିଥ୍ୟରେ ସନ୍ତୁଷ୍ଟ ହୋଇ ମହର୍ଷି ଦୁର୍ବାସା କହିଲେ, ‘‘ଦୁର୍ଯ୍ୟୋଧନ ! ତୁମର ମଙ୍ଗଳ ହେଉ । ତୁମର ପରିଚର୍ଯ୍ୟାରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଅଛି, ତେଣୁ ତୁମର ଅଭିଳାଷ ଅନୁସାରେ ମୋ’ ନିକଟରୁ ବର ପ୍ରାର୍ଥନା କରିପାର ।’

 

ଦୁର୍ବାସାଙ୍କଠାରୁ କି ବର ଚାହିଁବେ ତାହା କର୍ଣ୍ଣ ଓ ଦୁଃଶାସନଙ୍କ ସହ ମନ୍ତ୍ରଣା କରି ଦୁର୍ଯ୍ୟୋଧନ ପୂର୍ବରୁ ସ୍ଥିର କରିଥିଲେ । ତେଣୁ ମହର୍ଷିଙ୍କ କଥା ଶୁଣି ସେ କହିଲେ, ‘ମହାଶୟ, ଆମ ବଂଶରେ ଯୁଧିଷ୍ଠିର କେବଳ ଜ୍ୟେଷ୍ଠ ନୁହନ୍ତି, ଶ୍ରେଷ୍ଠ ମଧ୍ୟ । ଆଜି ସେ ଏଠାରେ ଉପସ୍ଥିତ ଥିଲେ, ଆପଣଙ୍କୁ ଅତିଥି ଭାବରେ ପାଇ ଖୁବ୍‌ ଆନନ୍ଦିତ ହୋଇଥାନ୍ତେ । ମାତ୍ର ବର୍ତ୍ତମାନ ସେ ବନାବାସୀ ହୋଇଥିବାରୁ ଏହୀ ସୌଭାଗ୍ୟରୁ ବଞ୍ଚିତ ହେଲେ । ତେବେ ଯୁଧିଷ୍ଠିର ଓ ଦ୍ରୌପଦୀ ପ୍ରମୁଖ ଆହାରାଦି ସମାପ୍ତ କରି ସୁଖରେ ବିଶ୍ରାମ କରିବା ସମୟରେ ଯଦି ଆପଣ ଦୟାପରବଶ ହୋଇ ସେମାନଙ୍କ ଆଶ୍ରମରେ ଏହିପରି ଶିଷ୍ୟମାନଙ୍କ ସହିତ ଥରେ ଆତିଥ୍ୟ ଗ୍ରହଣ କରନ୍ତେ, ମୁଁ ଖୁବ୍ ଖୁସି ହୁଅନ୍ତି ।’’

 

ଦୁର୍ଯ୍ୟୋଧନଙ୍କ ପ୍ରସ୍ତାବରେ ସମ୍ମତ ହୋଇ ଦୁର୍ବାସା ଶିଷ୍ୟମାନଙ୍କ ସହିତ ଅନ୍ୟତ୍ର ଚାଲିଗଲେ । ପରେ ଦୁର୍ଯ୍ୟୋଧନଙ୍କୁ କର୍ଣ୍ଣ କହିଲେ, ‘‘ହେ କୁରୁଶ୍ରେଷ୍ଠ, ତୁମର ବିଜୟ ସୁନିଶ୍ଚିତ । ତପସ୍ୟାରେ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରି ଯୁଧିଷ୍ଠିର ଯେଉଁ ଅକ୍ଷୟ-ପାତ୍ର ଲାଭ କରିଅଛନ୍ତି, ଦ୍ରୌପଦୀଙ୍କ ଆହାର ପରେ ସେହିଦିନ ପାଇଁ ତାହା ଅକର୍ମଣ୍ୟ ହୋଇଯାଏ । ତେଣୁ ତୁମ ପ୍ରସ୍ତାବ ଅନୁସାରେ ଦ୍ରୌପଦୀଙ୍କ ଆହାର ପରେ ଯେତେବେଳେ ମହର୍ଷି ଦୁର୍ବାସା ଶିଷ୍ୟଙ୍କ ସହ ପାଣ୍ଡବମାନଙ୍କ ଆଶ୍ରମରେ ଅତିଥି ହେବେ, ଏତେ ସଂଖ୍ୟକ ବ୍ରାହ୍ମଣଙ୍କୁ ଯୁଧିଷ୍ଠିର ଭୋଜନ ଦେବାକୁ ଅସମର୍ଥ ନିଶ୍ଚୟ ହେବେ । ଫଳରେ ପାଣ୍ଡବମାନେ ସବଂଶ ମହର୍ଷି ଦୁର୍ବାସାଙ୍କ ଅଭିଶାପରେ ଭସ୍ମୀଭୂତ ହୋଇଯିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ସୌଭାଗ୍ୟକ୍ରମେ ଚିରଦିନ ରାଜପଦରେ ଆସୀନ ହେବାର ଅଭିଳାଷ ତୁମର ଆଜି ପୂର୍ଣ୍ଣ ହେଲା ।’’

 

ଏ ମଧ୍ୟରେ କିଛିଦିନ ଅତିବାହିତ ହୋଇଗଲା । ଦିନେ ଦ୍ରୌପଦୀ ସମେତ ପାଣ୍ଡବମାନେ ଆହାର ଶେଷ କରି କୁଟୀରରେ ବିଶ୍ରାମ କରୁଥିବା ସମୟରେ ହଠାତ୍‌ ମହର୍ଷି ଦୁର୍ବାସା ନିଜର ଦଶ ସହସ୍ର ଶିଷ୍ୟଙ୍କ ସହିତ ପାଣ୍ଡବଙ୍କ କୁଟୀରରେ ଉପସ୍ଥିତ ହେଲେ ଓ ପାଣ୍ଡବମାନେ ଯଥାବିଧି ପାଦ୍ୟ ଅର୍ଘ୍ୟ ଆସନ ପ୍ରଦାନ କରି ସ୍ୱାଗତ ଅଭ୍ୟର୍ଥନା ଜଣାଇଲେ । ପାଣ୍ଡବମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାକୁ କହି ଶିଷ୍ୟମାନଙ୍କ ସହ ଦୁର୍ବାସା ନିକଟସ୍ଥ ନଦୀକୁ ସ୍ନାନାଦି ନିତ୍ୟକର୍ମ ସମାପନ କରିବାକୁ ଚାଲିଗଲେ । ଏତେ ସଂଖ୍ୟକ ବ୍ରାହ୍ମଣଙ୍କୁ ଏତେ ଅଳ୍ପ ସମୟ ମଧ୍ୟରେ ଏ ଅରଣ୍ୟରେ କିପରି କ’ଣ ଭୋଜନ ସତ୍କାର କରାଇବେ, ଏହି ଚିନ୍ତାରେ ପାଣ୍ଡବମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ । ଏହି ସଂକଟରୁ ରକ୍ଷା ପାଇବା ପାଇଁ ଦ୍ରୌପଦୀ କୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଜଣାଇଲେ, ‘‘ହେ କୃଷ୍ଣ, ହେ ବିଶ୍ୱାତ୍ମା, ହେ ଜଗନ୍ନାଥ, ହେ ଶରଣାଗତବତ୍ସଳ, ମୁଁ ତୁମର ଶରଣ ଭିକ୍ଷା କରୁଅଛି । ପୂର୍ବେ ବସ୍ତ୍ର ପ୍ରଦାନ କରି ମୋତେ ଯେପରି ରକ୍ଷା କରିଥିଲ, ଆଜି ଏହି ସଙ୍କଟରୁ ସେହିପରି ଆମକୁ ପରିତ୍ରାଣ କର ।’’

 

ଭକ୍ତବତ୍ସଳ ଅନ୍ତର୍ଯ୍ୟାମୀ କୃଷ୍ଣ ଦ୍ରୌପଦୀଙ୍କ ପ୍ରାର୍ଥନା ଶୁଣି ପାଣ୍ଡବଙ୍କ ଦୁର୍ଦ୍ଦଶା କଥା ଅବଗତ ହୋଇ ତତ୍‌କ୍ଷଣାତ୍‌ ଦ୍ୱାରିକାରୁ ଆସି ପାଣ୍ଡବଙ୍କ ଆଶ୍ରମରେ ଉପସ୍ଥିତ ହେଲେ । କୃଷ୍ଣଙ୍କୁ ଦେଖି ବ୍ୟାକୁଳ ଚିତ୍ତରେ ପାଣ୍ଡବମାନେ ସମସ୍ତ ବିଷୟ ବର୍ଣ୍ଣନା କରିବାରୁ, କୃଷ୍ଣ କହିଲେ, ‘‘ଦ୍ରୌପଦୀ, ମୁଁ ଅତ୍ୟନ୍ତ କ୍ଷୁଧାର୍ତ୍ତ । ପ୍ରଥମେ ମୋତେ କିଛି ଆହାର ପ୍ରଦାନ କର, ପରେ ଏ ସବୁ କଥା ଶୁଣିବି ।’’

 

କୃଷ୍ଣଙ୍କ କଥା ଶୁଣି ଦ୍ରୌପଦୀ ଲଜ୍ଜିତା ହୋଇକହିଲେ, ‘‘ପ୍ରଭୁ ! ମୁଁ ଭୋଜନ ଶେଷ କରି ଅକ୍ଷୟ-ପାତ୍ରକୁ ପରିଷ୍କାର କରିଅଛି । ବର୍ତ୍ତମାନ ଆପଣଙ୍କୁ କିପରି କ’ଣ ଖାଇବାକୁ ଦେବି ?’’

 

କୃଷ୍ଣ କହିଲେ, ‘‘ଦ୍ରୌପଦୀ, ମୁଁ ଭୀଷଣ କ୍ଷୁଧାକାତର ହୋଇପଡ଼ି ଏଠାରେ ପହଞ୍ଚିଛି । ପରିହାସ କରିବାର ଏ ସମୟ ନୁହେଁ ।’’

 

ଦ୍ରୌପଦୀ କହିଲେ, ‘‘ମୋତେ ବିଶ୍ୱାସ କରନ୍ତୁ । ଅକ୍ଷୟ-ପାତ୍ର ଏକାବେଳକେ ଶୂନ୍ୟ ।’’

 

କୃଷ୍ଣ କହିଲେ, ‘‘ଅକ୍ଷୟ-ପାତ୍ର ଆଣିଲ, ମୁଁ ଦେଖେ ।’’

 

ତେଣୁ ବାଧ୍ୟ ହୋଇଦ୍ରୌପଦୀ ଅକ୍ଷୟ-ପାତ୍ର ଆଣି କୃଷ୍ଣଙ୍କୁ ଦେଖାଇଲେ । ଅକ୍ଷୟ-ପାତ୍ରର ଫନ୍ଦରେ ଅଣୁ ପରିମାଣର ଶାଗ ଓ ଅନ୍ନ କଣିକାଟିଏ ଲାଗି ରହିଥିଲା । ‘‘ଏତିକିରେ ବିଶ୍ୱାତ୍ମା ପ୍ରୀତ ଓ ସନ୍ତୁଷ୍ଟ ହୁଅନ୍ତୁ’’ କହି କୃଷ୍ଣ ସେହି ଅନ୍ନ କଣିକାଟି ଭୋଜନ କଲେ ଏବଂ କହିଲେ, ଭୀମସେନ, ତୁମେ ଶୀଘ୍ର ଯାଇ ଶିଷ୍ୟ ପରିବୃତ୍ତ ଦୁର୍ବାସାଙ୍କୁ ଭୋଜନକୁ ଆହ୍ୱାନ କର ।’’

 

ଭୋଜନର କୌଣସି ଆୟୋଜନ ନ ଥିବା ବେଳେ ଭୋଜନପାଇଁ ଦୁର୍ବାସାଙ୍କୁ ଆହ୍ୱାନ କରିବାକୁ ଭୀମସେନ ପ୍ରଥମେ ଅନିଚ୍ଛୁକ ଥିଲେ, ମାତ୍ର କୃଷ୍ଣ କହୁଥିବାରୁ ବାଧ୍ୟ ହୋଇଗଲେ ।

 

ଏଣେ ନଦୀକୂଳରେ ଅଦ୍ଭୁତ ଘଟଣା ଘଟିଲା । ଦୁର୍ବାସା ପ୍ରମୁଖ ବାସ୍ତବିକ କ୍ଷୁଧାର୍ତ୍ତ ଥିଲେ, ତେଣୁ ଶୀଘ୍ର ସ୍ନାନାଦି ଶେଷ କରି ଭୋଜନ କରିବା ପାଇଁ ବିଶେଷ ଉଦ୍‌ଗ୍ରୀବ ହୋଇପଡ଼ିଲେ; ମାତ୍ର ସେମାନେ ନଦୀରେ ସ୍ନାନ କରୁଥିବା ସମୟରେ ଆପଣାଛାଏଁ ଖାଦ୍ୟରେ ପେଟ ପୂରିଗଲା ପରି ସମସ୍ତେ ଅନୁଭବ କଲେ । ଏପରି ଅନୁଭବ କରି ଦୁର୍ବାସା ନିଜର ଶିଷ୍ୟମାନଙ୍କୁ କହିଲେ, ‘‘ମହାରାଜ ଯୁଧିଷ୍ଠିରଙ୍କୁ ଆହାର ପ୍ରସ୍ତୁତ କରିବାକୁ କହିଦେଇ ଆମେ ସ୍ନାନ କରିବାକୁ ଆସିଲେ; ମାତ୍ର ପେଟ ଏପରି ପୂରିଗଲାଣି ଯେ, ଆଉ ଆହାର ଗ୍ରହଣ କରିବାର ଅବସ୍ଥା ଆମର ନାହିଁ । ଯୁଧିଷ୍ଠିରଙ୍କ ପ୍ରସ୍ତୁତ ଆହାର ସାମଗ୍ରୀକୁ ଆମେ ନଷ୍ଟ କଲେ । ପାଣ୍ଡବମାନେ ମହାତ୍ମା, ଧର୍ମପରାୟଣ, ବ୍ରତନିଷ୍ଠା ଓ ନିତ୍ୟ ଭଗବତ୍‌ଚରଣାଶ୍ରିତ । ରାଜର୍ଷି ଅମ୍ବରିଷଙ୍କ ରାଜପ୍ରସାଦରେ ପୂର୍ବେ ଘଟିଥିବା ଦୁର୍ଘଟଣାର କାଳେ ପୁନରାବୃତ୍ତି ଘଟିବ, ତେଣୁ ଚାଲ ପାଣ୍ଡବଙ୍କ ଅଗୋଚରରେ ପଳାୟନ କରିବା । ଏହିପରି କହି ଶିଷ୍ୟମାନଙ୍କ ସହ ଦୁର୍ବାସା କେଉଁଆଡ଼େ ପଳାଇଲେ ।’’

 

ଭୀମସେନ ନଦୀକୂଳରେ ଦୁର୍ବାସା ପ୍ରମୁଖଙ୍କୁ ନ ଦେଖି ବହୁତ ଖୋଜା ଖୋଜି କରି ବିଫଳ ହେଲେ ଏବଂ ନିକଟସ୍ଥ ତପସ୍ୱୀମାନଙ୍କଠାରୁ ଦୁର୍ବାସାଙ୍କର ପଳାୟନ ସମ୍ବାଦ ସଂଗ୍ରହ କରି କୃଷ୍ଣଙ୍କ ନିକଟରେ ନିବେଦନ କଲେ । ପାଣ୍ଡବମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କୃଷ୍ଣ କହିଲେ, ଦ୍ରୌପଦୀଙ୍କ ପ୍ରାର୍ଥନା ଶୁଣି ଦୁର୍ବାସାଙ୍କ ଆଗମନଜନିତ ସଙ୍କଟରୁ ତୁମକୁ ରକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ଆସିଥିଲି । ତୁମର ତେଜରେ ଓ ଧର୍ମପରାୟଣତାରେ ଦୁର୍ବାସା ଭୟଭୀତ ହୋଇ ପଳାୟନ କରିଅଛନ୍ତି । ତେଣୁ ତାଙ୍କଠାରୁ ଆଉ କୌଣସି ବିପଦର ଆଶଙ୍କା ନାହିଁ । ମୁଁ ଯେଉଁ ଅନ୍ନକଣିକା ଟିକକ ଭକ୍ଷଣ କଲି, ତଦ୍ଦ୍ୱାରା ଶିଷ୍ୟପରିବୃତ୍ତ ଦୁର୍ବାସାଙ୍କର ସକଳ କ୍ଷୁଧା ଦୂରୀଭୂତ ହୋଇଗଲା । ତେଣୁ ତୁମର ଆତିଥ୍ୟ ଗ୍ରହଣ କରିବାର ଅବସ୍ଥା ତାଙ୍କର ଆଉ ନଥିଲା । ବର୍ତ୍ତମାନ ବିପଦମୁକ୍ତ ହୋଇ ନିର୍ଭୟରେ ବିଶ୍ରାମ କର ।’’

 

କୃଷ୍ଣ ଦ୍ୱାରିକାକୁ ପ୍ରତ୍ୟାଗମନ କଲେ ଓ ଦୁଷ୍ଟ ଦୁର୍ଯ୍ୟୋଧନର ଚକ୍ରାନ୍ତରୁ ପାଣ୍ଡବମାନେ ଏହିପରି ଭାବରେ କୃଷ୍ଣଙ୍କ କରୁଣା ବଳରେ ପରିତ୍ରାଣ ପାଇଥିଲେ ।

Image

 

ଜୟଦ୍ରଥ ପରାଭବ

 

ଦ୍ୱୈତବନରେ ଅବସ୍ଥାନ କରିବା ପରେ ପାଣ୍ଡବମାନେ କାମ୍ୟକ ବନକୁ ଆସି ଆଶ୍ରମ ସ୍ଥାପନ କରି ବାସ କରିବାକୁ ଲାଗିଲେ । ଦିନେ ବନକୁ ଆସି ଆଶ୍ରମ ସ୍ଥାପନ କରି ବାସ କରିବାକୁ ଲାଗିଲେ । ଦିନେ ମହାରାଜ ଧୃତରାଷ୍ଟ୍ରଙ୍କ ଏକମାତ୍ର କନ୍ୟା ଦୁଃଶୀଳାର ସ୍ୱାମୀ ରାଜା ଜୟଦ୍ରଥ ନିଜର ଅନୁଗତ ରାଜାମାନଙ୍କ ସହ କାମ୍ୟକ ବନକୁ ବିହାର ପାଇଁ ଯାଇଥିଲେ । ବନରେ ବିଚରଣ କରୁଥିବା ସମୟରେ ହଠାତ୍‌ ଜୟଦ୍ରଥ ପାଣ୍ଡବଙ୍କ ଆଶ୍ରମର ଦ୍ୱାର ଦେଶରେ ଏକାକିନୀ ଦ୍ରୌପଦୀଙ୍କୁ ଉପବେଶନ କରିଥିବାର ଦେଖି, ରାଜା କୋଟିକାସ୍ୟଙ୍କୁ କହିଲେ, ‘‘ଏହି ଘନ ଅରଣ୍ୟ ମଧ୍ୟରେ ଏହି ଭୁବନମୋହିନୀ ସର୍ବାଙ୍ଗସୁନ୍ଦରୀ ରମଣୀଟି ପୁଣି କିଏ ? ଆଶ୍ରମକୁ ଯାଇ ତାଙ୍କର ପରିଚୟ ତୁମେ ବୁଝିଆସ । ମୁଁ ତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଅଛି ।’’

 

ଜୟଦ୍ରଥଙ୍କ ନିର୍ଦ୍ଦେଶ ଅନୁସାରେ କୋଟିକାସ୍ୟ ଦ୍ରୌପଦୀଙ୍କ ନିକଟକୁ ଯାଇ ନିଜର ଓ ଜୟଦ୍ରଥ ପ୍ରମୁଖ ସମସ୍ତ ରାଜାଙ୍କର ପରିଚୟ ପ୍ରଦାନ କରି ତାଙ୍କର ପରିଚୟ ଜିଜ୍ଞାସା କଲେ । ଦ୍ରୌପଦୀ କହିଲେ, ‘‘ହେ ରାଜକୁମାର, ତୁମ ସହିତ କଥାବାର୍ତ୍ତା କରିବା ମୋ’ ପରି ସ୍ୱଧର୍ମନିରତା ମହିଳାଙ୍କ ପକ୍ଷରେ ଏକାନ୍ତ ଅନୁଚିତ । ତଥାପି ଆଶ୍ରମରେ ବର୍ତ୍ତମାନ ମୋ’ ବ୍ୟତୀତ ଅନ୍ୟ କେହି ନ ଥିବାରୁ ବାଧ୍ୟ ହୋଇ ତୁମକୁ ଉତ୍ତର ଦେବାକୁ ପଡ଼ୁଛି । ମୁଁ ଦ୍ରୁପଦ ରାଜାଙ୍କ କନ୍ୟା ଓ ପାଣ୍ଡବମାନଙ୍କର ପତ୍ନୀ କୃଷ୍ଣା । ମୋର ଅତିଥିବତ୍ସଳ ସ୍ୱାମୀମାନେ ମୃଗୟା ନିମନ୍ତେ ଅରଣ୍ୟକୁ ଯାଇଛନ୍ତି । ତେଣୁ ତୁମ୍ଭେମାନେ ଏଠାରେ ଅବସ୍ଥାନ କର । ସେମାନେ ଆସିଲେ ତୁମ୍ଭମାନଙ୍କର ଅଭ୍ୟର୍ଥନା କରିବେ ।’’ ଏହା କହି ଦ୍ରୌପଦୀ କୁଟୀର ମଧ୍ୟକୁ ଚାଲିଗଲେ ।

 

କୋଟିକାସ୍ୟଙ୍କ ନିକଟରୁ ଦ୍ରୌପଦୀଙ୍କ ପରିଚୟ ପାଇ ଓ ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟରେ ଅତ୍ୟନ୍ତ କାମାର୍ତ୍ତ ହୋଇ ଜୟଦ୍ରଥ ନିଜେ ଦ୍ରୌପଦୀଙ୍କ ନିକଟକୁ ଆସି ପଚାରିଲେ, ‘‘ତୁମ୍ଭମାନଙ୍କର ସବୁ କୁଶଳ ତ ?’’

 

ଦ୍ରୌପଦୀ ମଧ୍ୟ ଉତ୍ତରରେ ପାଣ୍ଡବମାନେ କୁଶଳରେ ଥିବା କଥା ପ୍ରକାଶ କରି ଜୟଦ୍ରଥଙ୍କର ଶୁଭାଶୁଭ ଜିଜ୍ଞାସା କଲେ ଓ ଜୟଦ୍ରଥଙ୍କ ଅଭ୍ୟର୍ଥନା ନିମନ୍ତେ ପାଦ୍ୟ ଓ ଆସନ ପ୍ରଦାନ କଲେ । କାମାର୍ତ୍ତ ଜୟଦ୍ରଥ କୁଟୀରରେ ଦ୍ରୌପଦୀଙ୍କୁ ଏକାକୀନ ଦେଖି କହିଲେ, ‘‘ହେ ରମଣୀରତ୍ନ, ବୁଦ୍ଧିମତୀ ରମଣୀମାନେ ସୌଭାଗ୍ୟଶୂନ୍ୟ ସ୍ୱାମୀମାନଙ୍କର କେବେ ଉପାସନା କରନ୍ତି ନାହିଁ । ତେଣୁ ଶ୍ରୀହୀନ, ରାଜ୍ୟଭ୍ରଷ୍ଟ, ବନଚାରୀ ପାଣ୍ଡବମାନଙ୍କ ପ୍ରତି ଅନୁରକ୍ତ ନ ହୋଇ, ହେ ନିତମ୍ବିନୀ, ମୋ’ ରଥରେ ଆରୋହଣ କର ଏବଂ ମୋତେ ସ୍ୱାମୀ ରୂପରେ ବରଣ କରି ମୋ’ ସହ ସମଗ୍ର ସିନ୍ଧୁ ଓ ସୌବୀର ରାଜ୍ୟ ଉପଭୋଗ କର ।’’

 

ଜୟଦ୍ରଥଙ୍କ ବାକ୍ୟ ଦ୍ରୌପଦୀଙ୍କୁ ଅତିଷ୍ଠ କରି ପକାଇଲା । ସେ ଭ୍ରୂ କୁଟିଳ କରି କହିଲେ, ‘‘ଏପରି ପାପ କଥା କହିବାକୁ ତୁମର ଲଜ୍ଜା ହୁଏ ନାହିଁ । ହେ ମୂର୍ଖ, ପାପାତ୍ମା, ମୋର ମହାବିକ୍ରମଶାଳୀ ଯଶସ୍ୱୀ କୃତବିଦ୍ୟ ସ୍ୱାମୀମାନଙ୍କୁ ତୁମେ ଚିହ୍ନି ନାହିଁ ? ତୁମେ ବିଷଧର ସର୍ପ ସହିତ ଖେଳିବାକୁ ଆସିଅଛ !’’

 

ଜୟଦ୍ରଥ କହିଲେ, ‘‘ସ୍ୱାମୀମାନଙ୍କ ବୀରତ୍ୱ ସମ୍ପର୍କରେ ଆଉ ଅଯଥା ଆସ୍ଫାଳନ ପ୍ରକାଶ ନ କରି ଶୀଘ୍ର ମୋର ରଥରେ ଆରୋହଣ କର । ଯଦି ସ୍ୱଇଚ୍ଛାରେ ନ ଯାଅ, ତେବେ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବି ।’’

 

ଦ୍ରୌପଦୀ ଉତ୍ତର ଦେଲେ, ‘‘ମୋତେ ଭୟଭୀତା ବା ଦୁର୍ବଳା ବୋଲି ଭାବ ନାହିଁ । ସ୍ୱାମୀମାନେ ଯାହାର ମହାପରାକ୍ରମଶାଳୀ, ମହାବିକ୍ରମଶାଳୀ କୃଷ୍ଣ ଯାହାର ସଖା, ତୁମପରି ସାମାନ୍ୟ ମନୁଷ୍ୟ ତ ଦୂରର କଥା, ଦେବରାଜ ଇନ୍ଦ୍ର ମଧ୍ୟ ତାକୁ ହରଣ କରି ନେବାକୁ ଅସମର୍ଥ ।’’

 

ଦ୍ରୌପଦୀଙ୍କ କଥା ପ୍ରତି ଭ୍ରୂକ୍ଷେପ ନ କରି ବଳାତ୍କାର କରି ଦ୍ରୌପଦୀଙ୍କୁ ନେଇ ଯିବାକୁ ଜୟଦ୍ରଥ ଚେଷ୍ଟା କରିବାରୁ, ଦ୍ରୌପଦୀ ଆର୍ତ୍ତ ଚିତ୍କାର କଲେ ଏବଂ ଜୟଦ୍ରଥଙ୍କର ହୀନ ଉଦ୍ୟମର ପ୍ରତିରୋଧ କରିବାକୁ ବହୁ ଚେଷ୍ଟା କରି ବ୍ୟର୍ଥ ହେଲେ । ଦ୍ରୌପଦୀଙ୍କୁ ବଳପୂର୍ବକ ଜୟଦ୍ରଥ ନେଇ ଯାଉଥିବାର ଦେଖି ପୁରୋହିତ ଧୌମ୍ୟ କହିଲେ, ‘‘ରେ ପାପାତ୍ମା, ପାଣ୍ଡବମାନଙ୍କ ହସ୍ତରେ ସମୂଚିତ ଶାସ୍ତି ଯେ ତୁ ଅଚିରେ ଲାଭ କରିବୁ, ଏଥିରେ ସନ୍ଦେହ ନାହିଁ ।’’ ଏପରି କହି କହି ଧୌମ୍ୟ ଜୟଦ୍ରଥଙ୍କ ରଥର ଅନୁଗାମୀ ହେଲେ ।

 

ତେଣେ ଅରଣ୍ୟରେ ନାନା ଅଶୁଭ ସଙ୍କେତ ଦର୍ଶନ କରି ପାଣ୍ଡବମାନେ ମୃଗୟାରୁ କ୍ଷାନ୍ତ ହୋଇ କୁଟୀରକୁ ଫେରିଆସିଲେ ଏବଂ ରୋରୁଦ୍ୟମାନା ଧାତ୍ରେୟିକାଠାରୁ ସମସ୍ତ ଘଟଣା ଶ୍ରବଣ କରି ପାଣ୍ଡବମାନେ କାଳ ବିଳମ୍ବ ନ କରି ଜୟଦ୍ରଥର ଅନ୍ୱେଷଣରେ ଦ୍ରୁତଗତିରେ ଧାବମାନ ହେଲେ-। ଦ୍ରୌପଦୀଙ୍କୁ ବହନ କରି ଜୟଦ୍ରଥଙ୍କ ରଥ ବେଶିଦୂର ଯାଇ ନଥିଲା, ତେଣୁ ପଥମଧ୍ୟରେ ଜୟଦ୍ରଥଙ୍କ ପକ୍ଷ ସୈନ୍ୟ ଓ ରାଜାମାନଙ୍କ ସହ ପାଣ୍ଡବଙ୍କର ତୁମୂଳ ସଂଗ୍ରାମ ଅନୁଷ୍ଠିତ ହେଲା-। ଜୟଦ୍ରଥଙ୍କ ପକ୍ଷରୁ ଏକ ସମୟରେ ବହୁ ସଂଖ୍ୟକ ଶର ବୃଷ୍ଟି କରାଯାଉଥିଲେ ମଧ୍ୟ ଗଦା ହସ୍ତରେ ଭୀମସେନ ଓ ଧନୁର୍ବାଣଧାରୀ ଅର୍ଜ୍ଜୁନ ଶତ୍ରୁମାନଙ୍କ ପକ୍ଷରେ ଅପରାଜେୟ ଥିଲେ । ଅଳ୍ପ ସମୟ ମଧ୍ୟରେ ସେମାନେ ଜୟଦ୍ରଥ ପକ୍ଷର ଅଧିକାଂଶ ସୈନ୍ୟ ସାମନ୍ତଙ୍କୁ ନିହତ ଓ ପରାସ୍ତ କରି ପକାଇଲେ । ପାଣ୍ଡବଙ୍କ ହସ୍ତରୁ ପରିତ୍ରାଣର ଆଶା ନ ଦେଖି ଜୟଦ୍ରଥ ଦ୍ରୌପଦୀଙ୍କୁ ରଥରୁ ଓହ୍ଲାଇ ଦେଇ ଜୀବନ ଭୟରେ ଯୁଦ୍ଧକ୍ଷେତ୍ରରୁ ପ୍ରଳାୟନ କରିବାକୁ ଲାଗିଲେ ।

 

ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି ଭୀମସେନ କହିଲେ, ‘‘ମହାରାଜ, ଶତ୍ରୁମାନଙ୍କ ମଧ୍ୟରୁ ଅଧିକାଂଶ ନିହତ ଓ ଅନ୍ୟମାନେ ପରାସ୍ତ ହୋଇ ଇତସ୍ତତଃ ପଳାୟନ କରୁଅଛନ୍ତି; ତେଣୁ ଆପଣ ନକୁଳ ସହଦେବଙ୍କ ସହିତ ଧୌମ୍ୟ ଓ ଦ୍ରୌପଦୀଙ୍କୁ ନେଇ ଆଶ୍ରମକୁ ଫେରି ଯାଆନ୍ତୁ । ମୁଁ ଅର୍ଜ୍ଜୁନଙ୍କ ସହ ଜୟଦ୍ରଥକୁ ସଂହାର କରିବାକୁ ଯାଉଅଛି ।’’

 

ତାହା ଶୁଣି ଯୁଧିଷ୍ଠିର କହିଲେ, ‘‘ଭୀମସେନ; ନରାଧମ ଜୟଦ୍ରଥ ଦୁଷ୍କର୍ମ କରିଅଛ ସତ; ମାତ୍ର ଭଉଣୀ ଦୁଃଶୀଳା ଓ ମାତା ଗାନ୍ଧାରୀଙ୍କ ଅବସ୍ଥା ସ୍ମରଣ କରି ଜୟଦ୍ରଥର ପ୍ରାଣସଂହାର କରିବ ନାହିଁ ।’’ କିନ୍ତୁ ଦ୍ରୌପଦୀ କହିଲେ, ‘‘ହେ ବୀରଦ୍ୱୟ, ଯଦି ମୋ’ ମନରେ ପ୍ରୀତି ଉଦ୍ରେକ କରିବାକୁ ଚାହୁଁଥାଅ, ତେବେ ସେହି ଦୁରାତ୍ମା ପ୍ରତି କୌଣସି ଦୟା ପ୍ରଦର୍ଶନ ନ କରି ତା’ର ପ୍ରାଣ ସଂହାର କର-।’’

 

ଭୀମସେନ ଓ ଅର୍ଜ୍ଜୁନ ପ୍ରବଳ ବେଗରେ ଧାବମାନ ହୋଇ ଦ୍ରୁତଗତିରେ ପଳାୟନ କରୁଥିବା ରଥାରୂଢ଼ ଜୟଦ୍ରଥର ରଥ-ଅଶ୍ୱକୁ ଲକ୍ଷ୍ୟ କରି ଶର ନିକ୍ଷେପ କରି ସେମାନଙ୍କୁ ସଂହାର କଲେ, ଜୟଦ୍ରଥ ରଥତ୍ୟାଗ କରି ଦ୍ରୁତଗତିରେ ଧାବମାନ ହୋଇଅରଣ୍ୟ ମଧ୍ୟରେ ଆତ୍ମଗୋପନ କରିବାକୁ ଚେଷ୍ଟା କଲେ; ମାତ୍ର ଭୀମସେନ ତାଙ୍କୁ ଧରି ପକାଇ ପ୍ରଚୁର ପ୍ରହାର କଲେ । ପରେ ତାଙ୍କ ମସ୍ତକର ସୁବିନ୍ୟସ୍ତ କେଶକୁ ବିକୃତ ଭାବରେ ସାତ ବେଣ୍ଟିଆ କରି କାଟି ପକାଇ ହସ୍ତ ପଦକୁ ବନ୍ଧନ କରି ରାଜା ଯୁଧିଷ୍ଠିରଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ । ଭଗ୍ନୀପତି ଜୟଦ୍ରଥକୁ ବନ୍ଦୀ ଅବସ୍ଥାରେ ଦେଖି ଦୟାର୍ଦଚିତ୍ତ ଯୁଧିଷ୍ଠିର ଜୟଦ୍ରଥର ବନ୍ଧନକୁ ମୁକ୍ତ କରିବାକୁ ଭୀମସେନଙ୍କୁ କହିଲେ । ଜୟଦ୍ରଥ ଯଥେଷ୍ଟ ଶାସ୍ତି ପାଇଅଛି ବିଚାର କରି ଦ୍ରୌପଦୀ କହିଲେ, ‘‘ଏହି ଦୁଷ୍ଟ ଚରିତ୍ର ତୁମର ଦାସତ୍ୱ ସ୍ୱୀକାର କରିଅଛି । ତା’ଛଡ଼ା ତୁମେ ମଧ୍ୟ ତା’ର ମସ୍ତକର କେଶକୁ ବିକୃତ ଭାବରେ ମୁଣ୍ଡିତ କରି ତାକୁ ଅପମାନ କଲଣି । ଏତେ ଶାସ୍ତି ପରେ ତାକୁ ମୁକ୍ତି କରିଦିଅ ।’’

 

ପାଣ୍ଡବଙ୍କ ହସ୍ତରୁ ମୁକ୍ତ ଲାଭ କରି ଲଜ୍ଜାବନତ ମୁଖରେ ଜୟଦ୍ରଥ ନିଜ ରାଜ୍ୟକୁ ଫେରିଗଲେ ।

Image

 

କର୍ଣ୍ଣଙ୍କର ଦାନ

 

ଦାତା ଭାବରେ କର୍ଣ୍ଣଙ୍କର ବିଶେଷ ଖ୍ୟାତି ଥିଲା ।

 

ପାଣ୍ଡବଙ୍କ ବନବାସର ଦ୍ୱାଦଶବର୍ଷ ପୂରି ଯିବାକୁ ଯାଉଥିବା ସମୟରେ ଦେବରାଜ ଇନ୍ଦ୍ର ଛଦ୍ମବେଶରେ କର୍ଣ୍ଣଙ୍କ ନିକଟକୁ ଯାଇ କବଚ କୁଣ୍ଡଳକୁ ଦାନ ଭିକ୍ଷା କରିବେ ବୋଲି ଇଚ୍ଛା କରିଥିଲେ-। କିନ୍ତୁ ଏ ବିଷୟ ସୂର୍ଯ୍ୟ ପୂର୍ବରୁ ଜାଣିପାରି ସ୍ୱପ୍ନରେ କର୍ଣ୍ଣଙ୍କୁ ସତର୍କ କରାଇ କହିଲେ, ‘‘କର୍ଣ୍ଣ, ପାଣ୍ଡବଙ୍କର ହିତ ସାଧନ ନିମନ୍ତେ ତୁମଠାରୁ କବଚ କୁଣ୍ଡଳ ହରଣ କରିବା ଉଦ୍ଦେଶ୍ୟରେ ଦେବରାଜ ଇନ୍ଦ୍ର ବ୍ରାହ୍ମଣ ବେଶ ଧାରଣ କରି ତୁମ ନିକଟକୁ ଆସିବେ; କିନ୍ତୁ ତୁମର ଏହି ସହଜାତ କବଚ କୁଣ୍ଡଳକୁ କେବେ ଦେବ ନାହିଁ । ଏହି କବଚ କୁଣ୍ଡଳ ଅମୃତ ମଧ୍ୟରୁ ଉତ୍‌ଥିତ ହୋଇଥିବାରୁ ତୁମକୁ ଶତ୍ରୁମାନଙ୍କ ନିକଟରୁ ଅବଧ୍ୟ କରି ରଖିଅଛି । ଯଦି ତୁମେ ତାହା ପ୍ରଦାନ କର, ତେବେ ତୁମେ ଖୁବ ଶୀଘ୍ର ମୃତ୍ୟୁ ମୁଖରେ ପତିତ ହେବ ।’’

 

କର୍ଣ୍ଣ ସ୍ୱପ୍ନରେ ସୂର୍ଯ୍ୟଙ୍କୁ ଚିହ୍ନିପାରି କହିଲେ, ‘‘ଆପଣଙ୍କର ଉପଦେଶ ଯେ ମୋ’ ପକ୍ଷରେ ହିତକର ତହିଁରେ ସନ୍ଦେହ ନାହିଁ; କିନ୍ତୁ ବ୍ରାହ୍ମଣମାନଙ୍କୁ ଇଚ୍ଛାନୁସାରେ ମୁଁ ଦାନ କରିଥାଏ ବୋଲି ଲୋକମୁଖରେ ମୋର କୀର୍ତ୍ତି ବିଶେଷ ଭାବରେ ପ୍ରଚାରିତ । ଦେବରାଜ ଯଦି ବ୍ରାହ୍ମଣ ରୂପରେ ମୋ’ ନିକଟରେ ଉପସ୍ଥିତ ହୋଇକବଚ କୁଣ୍ଡଳ ପ୍ରାର୍ଥନା କରନ୍ତି ଏବଂ ମୁଁ ଯଦି ପ୍ରାଣହାନିର ଆଶଙ୍କାରେ ତାହା ପ୍ରଦାନ ନ କରେ, ତେବେ ମୋର କୀର୍ତ୍ତି ନଷ୍ଟ ହେବ । ମୋ’ ପରି ବ୍ୟକ୍ତି ପକ୍ଷରେ କୀର୍ତ୍ତିହୀନ ହୋଇବାସ କରିବା ଅପେକ୍ଷା ବରଂ ମୃତ୍ୟୁ ଶ୍ରେୟସ୍କର ।’’

 

ସୂର୍ଯ୍ୟ କହିଲେ, ‘‘ତୁମର ପୁତ୍ର, ପତ୍ନୀ, ପିତାମାତା ଓ ପ୍ରିୟଜନଙ୍କର ସ୍ୱାର୍ଥଦୃଷ୍ଟିରୁ ତୁମର ନିଜ ଜୀବନକୁ ଅମଙ୍ଗଳ ଡାକିଆଣ ନାହିଁ । ଅର୍ଜ୍ଜୁନଙ୍କ ସହିତ ତୁମର ଯୁଦ୍ଧ ଅନିବାର୍ଯ୍ୟ । ତୁମ ଦେହରେ କବଚ କୁଣ୍ଡଳ ଥିବାପର୍ଯ୍ୟନ୍ତ ସେ ତୁମକୁ ପରାଜିତ କରିପାରିବେ ନାହିଁ । ତେଣୁ ରକ୍ଷାକାରୀ କବଚ କୁଣ୍ଡଳକୁ କେବେ ତ୍ୟାଗ କରିବ ନାହିଁ ।’’ ସୂର୍ଯ୍ୟଙ୍କ କଥାରେ କର୍ଣ୍ଣ ସମ୍ମତ ନ ହେବାରୁ ସୂର୍ଯ୍ୟ ପୁନର୍ବାର କହିଲେ, ‘‘ତଥାପି, ଯଦି କବଚ କୁଣ୍ଡଳ ପ୍ରଦାନ କର, ତେବେ ଅର୍ଜ୍ଜୁନଙ୍କୁ ପରାସ୍ତ କରିବା ନିମନ୍ତେ ଇନ୍ଦ୍ରଙ୍କଠାରୁ ଅନ୍ତତଃ ବର ପ୍ରାର୍ଥନା କରିବ ।’’

 

ଏହି ସ୍ୱପ୍ନର କିଛିଦିନ ପରେ, କର୍ଣ୍ଣ ସ୍ନାନକାର୍ଯ୍ୟ ଶେଷ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଛନ୍ତି, ଏହି ସମୟରେ ଇନ୍ଦ୍ର ବ୍ରାହ୍ମଣ ବେଶ ଧାରଣ କରି ଦାନ ଗ୍ରହଣ କରିବା ନିମନ୍ତେ କର୍ଣ୍ଣଙ୍କ ନିକଟରେ ଉପସ୍ଥିତ ହୋଇକହିଲେ, ‘‘ଯଦି ତୁମେ ଯଥାର୍ଥରେ ସତ୍ୟବ୍ରତ ହୋଇଥିବ, ତେବେ ମୋତେ ତୁମର ଏହି ସହଜାତ କବଚ କୁଣ୍ଡଳ ପ୍ରଦାନ କର ।’’

 

କର୍ଣ୍ଣ କହିଲେ, ‘‘ବିପ୍ରଶ୍ରେଷ୍ଠ, ଏହି କବଚ କୁଣ୍ଡଳ ମୋର ସହଜାତ ହୋଇଥିବାରୁ ତାହା ମୋର ରକ୍ଷାକବଚ ଭାବରେ କାର୍ଯ୍ୟ କରୁଅଛି, ତେଣୁ ତାହା ବଦଳରେ ଆପଣ ଅନ୍ୟ କିଛି ପ୍ରାର୍ଥନା କରନ୍ତୁ ।’’ କିନ୍ତୁ ଛଦ୍ମବେଶୀ ଇନ୍ଦ୍ର କୁଣ୍ଡଳ ଭିନ୍ନ ଅନ୍ୟ କିଛି ଗ୍ରହଣ କରିବାକୁ ଅନିଚ୍ଛୁକ ହେବାରୁ କର୍ଣ୍ଣ କହିଲେ, ‘‘ଆପଣ ବ୍ରାହ୍ମଣ ରୂପରେ ମୋ’ ନିକଟରେ ଉପସ୍ଥିତ ହୋଇଥିଲେ ମଧ୍ୟ ଆପଣ ଯେ ଦେବରାଜ ଇନ୍ଦ୍ର, ଏହା ବୁଝିବାରେ ମୋର ଅସୁବିଧା ହେଉନାହିଁ । ତେବେ ଯଦି କବଚ କୁଣ୍ଡଳ ଆପଣଙ୍କୁ ପ୍ରଦାନ କରେ, ତେବେ ତା’ର ପ୍ରତିବଦଳରେ ମୋତେ ଆପଣ ନିଶ୍ଚୟ ମୋର ଅଭିଳଷିତ ବର ପ୍ରଦାନ କରିବେ ।’’

 

ଇନ୍ଦ୍ର କହିଲେ, ‘‘ମୋର ଆଗମନ ବାର୍ତ୍ତା ପୂର୍ବରୁ ସୂର୍ଯ୍ୟ ତୁମକୁ କହି ଅଛନ୍ତି; ତେବେ ସେ ଯାହା ହେଉ, କବଚ କୁଣ୍ଡଳ ମୋତେ ପ୍ରଦାନ କଲେ ମୁଁ ବଜ୍ର ବ୍ୟତୀତ ଆଉ ଯାହା ଚାହିଁବ ତାହା ପ୍ରଦାନ କରିବି ।’’

 

କର୍ଣ୍ଣ କହିଲେ, ‘‘ଦେବରାଜ, କବଚ କୁଣ୍ଡଳ ବିନିମୟରେ ମୋତେ ଶତ୍ରୁବିନାଶିନୀ ଶସ୍ତ୍ର ପ୍ରଦାନ କରନ୍ତୁ ।’’

 

ଇନ୍ଦ୍ର କହିଲେ, ‘‘ତାହାହିଁ ହେଉ । କିନ୍ତୁ ଏହି ଅସ୍ତ୍ର ସାହାଯ୍ୟରେ ତୁମେ କେବଳ ଇଚ୍ଛାନୁସାରେ ଜଣେ ମାତ୍ର ମହାବଳ ପରାକ୍ରମୀ ଶତ୍ରୁକୁ ସଂହାର କରିପାରିବ । ଥରେ ଏହି ଅସ୍ତ୍ର ପ୍ରୟୋଗ ହେଲା ପରେ ମୋ’ ନିକଟକୁ ଫେରିଯିବ । ତେବେ ଅନ୍ୟ ଅସ୍ତ୍ର ଦ୍ୱାରା ଯେଉଁ କାର୍ଯ୍ୟ ସମାହିତ ହୋଇପାରିବ, ସେପରି ସ୍ଥଳେ ଏହି ଅସ୍ତ୍ର ପ୍ରୟୋଗ କରିବ ନାହିଁ । କଲେ ଏହି ଅସ୍ତ୍ର ତୁମର ପ୍ରାଣ ସଂହାର କରିବ ।’’

 

‘‘ଆପଣଙ୍କ କଥାନୁସାରେ ମୁଁ ଏହି ଅସ୍ତ୍ରକୁ କେବଳ ମୋର ପ୍ରାଣ ସଙ୍କଟ ସମୟରେ ପ୍ରୟୋଗ କରିବି’’ କହି କର୍ଣ୍ଣ ଦେବରାଜଙ୍କଠାରୁ ଏକ ପ୍ରଜ୍ଜ୍ୱଳିତ ଅସ୍ତ୍ର ଗ୍ରହଣ କଲେ ଓ ପର ମୁହୂର୍ତ୍ତରେ ଏକ ଶାଣିତ ଅସ୍ତ୍ରଦ୍ୱାରା ନିଜର ଶରୀରରୁ କବଚକୁଣ୍ଡଳକୁ ଛେଦନ କରି ସାହାସ୍ୟ ବଦନରେ ଇନ୍ଦ୍ରଙ୍କ ହସ୍ତରେ ଅର୍ପଣ କରିଦେଲେ ।

Image

 

ଯୁଧିଷ୍ଠିର ଯକ୍ଷ ସମ୍ବାଦ

 

ପାଣ୍ଡବମାନେ ପୁନଶ୍ଚ ଦ୍ୱୈତବନରେ ବାସ କରୁଥିବା ସମୟରେ ଏକ ବ୍ରାହ୍ମଣ ଯୁଧିଷ୍ଠିରଙ୍କ ନିକଟରେ ଉପସ୍ଥିତ ହୋଇକହିଲେ, ‘‘ମହାରାଜ, ମୋର ଅରଣୀ ଓ ଅଗ୍ନିକାଷ୍ଠକୁ ଗଛ ଉପରେ ରଖିଥିଲି । ଗୋଟିଏ ହରିଣ ସେହି ଗଛରେ ତା’ର ଦେହ ଘଷୁ ଘଷୁ ଅରଣୀ କାଷ୍ଠ ତା’ର ଶିଙ୍ଗରେ ଲାଗିଯିବାରୁ ସେ ତାହା ନେଇ ପଳାଇଲା । ତେଣୁ ମୃଗର ପଥ ଅନୁସରଣ କରି ଯଥାଶୀଘ୍ର ମୋର ଅରଣୀକାଷ୍ଠ ଆଣି ମୋତେ ଦିଅନ୍ତୁ ।’’

 

ବ୍ରାହ୍ମଣଙ୍କ କଥା ଶୁଣି ସଙ୍ଗେ ସଙ୍ଗେ ଭାଇମାନଙ୍କ ସହ ଯୁଧିଷ୍ଠିର ଧନୁଶର ଧରି ମୃଗର ଅନୁସନ୍ଧାନରେ ବାହାରି ପଡ଼ିଲେ । ଅରଣ୍ୟରେ ସେହି ଦ୍ରୁତଗାମୀ ମୃଗକୁ ଦେଖି ବହୁ ଶର ନିକ୍ଷେପ କଲେ ମଧ୍ୟ ତାକୁ ଶରବିଦ୍ଧ କରିପାରିଲେ ନାହିଁ ଏବଂ ପାଣ୍ଡବଙ୍କ ଦୃଷ୍ଟି ସମ୍ମୁଖରୁ ଚାହୁଁ ଚାହୁଁ ଅରଣ୍ୟ ମଧ୍ୟରେ ମୃଗଟି ଅଦୃଶ୍ୟ ହୋଇଗଲା । ମୃଗର ଅନ୍ୱେଷଣରେ ପାଣ୍ଡବମାନେ ଅତି କ୍ଲାନ୍ତ, ଶ୍ରାନ୍ତ ଓ ତୃଷାର୍ତ୍ତ ହୋଇପଡ଼ିଲେ । ନକୁଳଙ୍କୁ ସମ୍ବୋଧନ କରି ଯୁଧିଷ୍ଠିର କହିଲେ, ‘‘ଆମ୍ଭେମାନେ ଅତି ତୃଷାର୍ତ୍ତ-। ତୁମେ ବୃକ୍ଷ ଆରୋହଣ କରି ନିକଟରେ କୌଣସି ଜଳାଶୟ ଅଛି କି ନାହିଁ ସନ୍ଧାନ ନିଅ-। ନକୁଳ ବୃକ୍ଷ ଆରୋହଣ କରି ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ଗୋଟିଏ ସ୍ଥାନରେ ଗୁଡ଼ାଏ ଜଳଚର ପକ୍ଷୀ ଇତସ୍ତତଃ ଚିତ୍କାର କରି ଉଡ଼ୁଥିବାର ଦେଖି ତହିଁ ନିକଟରେ ଜଳାଶୟ ଥିବାର ଅନୁମାନ କଲେ ଓ ବୃକ୍ଷରୁ ଅବତରଣ କରି ଜଳ ଆଣିବାକୁ ବାହାରିଗଲେ । ନକୁଳଙ୍କର ଫେରିବାର ବିଳମ୍ବ ଦେଖି ଯୁଧିଷ୍ଠିର ସହଦେବଙ୍କୁ ପଠାଇଲେ-। ନକୁଳ କିମ୍ବା ସହଦେବ କେହି ନ ଫେରିବାରୁ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ଓ ଅର୍ଜ୍ଜୁନ ନ ଫେରିବାରୁ ଭୀମସେନଙ୍କୁ ସେମାନଙ୍କର ଅନ୍ୱେଷଣ କରିବାକୁ ପଠାଇଲେ । ବଡ଼ ଆଶ୍ଚର୍ଯ୍ୟର କଥା, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଫେରି ନ ଆସିବାରୁ ତୃଷାର୍ତ୍ତ ଯୁଧିଷ୍ଠିର ନିତାନ୍ତ ଚିନ୍ତାକ୍ଲିଷ୍ଟ ହୋଇ ଭାଇମାନଙ୍କ ସନ୍ଧାନରେ ବାହାରିଲେ; କିନ୍ତୁ କିଛି ବାଟ ଗଲା ପରେ ଯୁଧିଷ୍ଠିର ଗୋଟିଏ ସରୋବର କୂଳରେ ନିଜର ବୀର ଭାଇମାନଙ୍କୁ ମୃତ ଅବସ୍ଥାରେ ପଡ଼ିଥିବାରୁ ଦେଖିଲେ । ଯୁଧିଷ୍ଠିରଙ୍କର ଶୋକର ସୀମା ରହିଲା ନାହିଁ । ସେ ରୋଦନ କରିବାକୁ ଲାଗିଲେ । ଗଦାଯୁଦ୍ଧରେ ଦୁର୍ଯ୍ୟୋଧନର ଉରୁଭଙ୍ଗ କରିବ ବୋଲି ଯେଉଁ କୁରୁକୁଳ କୀର୍ତ୍ତି ବର୍ଦ୍ଧନକାରୀ ମହାବାହୁ ଭୀମସେନ ପ୍ରତିଜ୍ଞା କରିଥିଲେ, ଯାହାଙ୍କ ଜନ୍ମ ସମୟରେ ଦେବତାମାନେ ମା’ କୁନ୍ତୀଙ୍କୁ ନବଜାତ ପୁତ୍ର ଇନ୍ଦ୍ରଙ୍କ ଅପେକ୍ଷା ଶ୍ରେଷ୍ଠତର ବୋଲି ଭବିଷ୍ୟତ ବାଣୀ ଶୁଣାଇଥିଲେ ଏବଂ ମାହାବୀର ମାଦ୍ରୀତ ନୟ ଦ୍ୱୟ ଆଜି ସମସ୍ତେ ମୃତ୍ୟୁମୁଖରେ ପତିତ ହୋଇଅଛନ୍ତି । ‘‘ହେ ଭାଇମାନେ, ତୁମ୍ଭେମାନେ ଶାସ୍ତ୍ରଜ୍ଞ, ସତ୍‌କର୍ମଶୀଳ କ୍ଷତ୍ରିୟ ହୋଇମଧ୍ୟ ନିଜର ବଂଶାନୁରୂପ କାର୍ଯ୍ୟ ନ କଲ କାହିଁକି ? ତୁମ୍ଭର ଦେହର କୌଣସି ସ୍ଥାନରେ କୌଣସି କ୍ଷତ ଚିହ୍ନ ଦେଖୁ ନାହିଁ ଓ ଧନୁଶର ଗୁଡ଼ିକ ମଧ୍ୟ ବ୍ୟବହୃତ ହୋଇଥିବାର କୌଣସି ଲକ୍ଷଣ ପ୍ରକାଶ ପାଉ ନାହିଁ, ତେବେ କିପରି ଭାବରେ ଏ ଦଶା ପ୍ରାପ୍ତ ହେଲ ? କ’ଣ ତେବେ ଦୁରାତ୍ମା ଦୁର୍ଯ୍ୟୋଧନ ନିଜର ମନ୍ଦ ଅଭିପ୍ରାୟ ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏହି ସରୋବରର ଜଳକୁ ପୂର୍ବରୁ ବିଷାକ୍ତ କରି ରଖିଥିଲା ! ଏହି ସରୋବରର ଜଳକୁ ମୋର ପ୍ରଥମେ ପରୀକ୍ଷା କରିବା ଉଚିତ ।’’ ଏହିପରି ରୋଦନ କରି ଯୁଧିଷ୍ଠିର ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରିବା ମାତ୍ରେ ଏକ ଅଦୃଶ୍ୟ ବ୍ୟକ୍ତିର ସ୍ୱର ଶୁଣାଗଲା, ‘‘ହେ ରାଜପୁତ୍ର, ମୁଁ ଏହି ସରୋବରର ଅଧିକାରୀ । ମୋର ପ୍ରଶ୍ନର ସମୁଚିତ ଉତ୍ତର ପ୍ରଦାନ ନ କରି ଏହାର ଜଳ ଆହରଣ କଲେ ନିଜର ଭାଇମାନଙ୍କ ସମଦଶା ପ୍ରାପ୍ତ ହେବ । ମୁଁ ଗୋଟାଏ ବକ । ମୋର କଥାନୁସାରେ କାର୍ଯ୍ୟ ନ କରିବାରୁ ତୁମ୍ଭର ଏହି ଭାଇମାନଙ୍କୁ ମଁ ହତ୍ୟା କରିଅଛି ।’’

 

ସେହି ଅଦୃଶ୍ୟ ବାଣୀ ଶୁଣି ଯୁଧିଷ୍ଠିର ଉତ୍ତର ଦେଲେ, ‘‘କୌଣସି ପକ୍ଷୀ ପକ୍ଷରେ ଏହି ମହାପରାକ୍ରାନ୍ତ କ୍ଷତ୍ରିୟମାନଙ୍କୁ ଏପରି ସଂହାର କରିବା ସମ୍ଭବ ନୁହେଁ । ତେଣୁ ଆପଣଙ୍କର ପ୍ରକୃତ ପରିଚୟ ପାଇବାକୁ ମୁଁ ଉତ୍କଣ୍ଠିତ । ତେଣୁ ହେ ଭଗବାନ, ଆପଣଙ୍କର ପରିଚୟ ପ୍ରଦାନ କରି ମୋ’ ମନର କୌତୁହଳ ଓ ଭୟ ଦୂର କରନ୍ତୁ ।’’

 

ପୁଣି ଅଦୃଶ୍ୟ ବାଣୀ ଶୁଣାଗଲା–‘‘ତୁମର ଅନୁମାନ ସତ୍ୟ; ମୁଁ ପ୍ରକୃତରେ ପକ୍ଷୀ ନୁହେଁ । ମୁଁ ଏକ ଯକ୍ଷ ।’’ ଏହି ବାଣୀ ସଙ୍ଗେ ସଙ୍ଗେ ଯୁଧିଷ୍ଠିରଙ୍କ ସମ୍ମୁଖରେ ଏକ ବିଶାଳକାୟ ଯକ୍ଷ ଭୀଷଣ ଗର୍ଜନ କରି ଆବିର୍ଭୂତ ହେଲେ ଓ କହିଲେ, ‘‘ରାଜା, ତୁମର ଭାଇମାନେ ମୋର ନିଷେଧ ବାକ୍ୟ ପ୍ରତି ଭ୍ରୂକ୍ଷେପ ନ କରି ଜଳ ଆହରଣ କରିବାକୁ ଉଦ୍ୟମ କରିବାରୁ ମୁଁ ସେମାନଙ୍କୁ ସଂହାର କରିଅଛି-। ତେଣୁ ତୁମେ ଯଦି ନିଜର ପ୍ରାଣରକ୍ଷା କରିବାକୁ ଚାହୁଁଥାଅ, ତେବେ ଜଳପାନ ପାଇଁ ଉଦ୍ୟମ ନ କରି ପ୍ରଥମେ ମୋର ପ୍ରଶ୍ନର ଉତ୍ତର ପ୍ରଦାନ କର ।’’

 

ଯୁଧିଷ୍ଠିର କହିଲେ, ‘‘ହେ ଯକ୍ଷ ! ଆପଣଙ୍କ ଅଧିକୃତ ଏହି ସରୋବରରୁ ଜଳ ଆହରଣ କରିବାର ଇଚ୍ଛାକୁ ମୁଁ ସମ୍ବରଣ କରୁଅଛି । ଆପଣ ବର୍ତ୍ତମାନ ପ୍ରଶ୍ନ ପ୍ରକାଶ କରନ୍ତୁ, ମୁଁ ସାଧ୍ୟମତେ ଉତ୍ତର ଦେବାକୁ ଚେଷ୍ଟା କରିବି ।’’

 

ପକ୍ଷ ପ୍ରଶ୍ନ କଲେ; ‘‘ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତପାଇଁ ଦୟୀ କିଏ, ତାଙ୍କର ଚତୁର୍ଦ୍ଦିଗରେ କ’ଣ ଅଛି ଏବଂ ତାହା କାହା ଉପରେ ପ୍ରତିଷ୍ଠିତ ?

 

ଯୁଧିଷ୍ଠିର କହିଲେ, ‘‘ସୂର୍ଯ୍ୟଙ୍କ ଉଦୟର କାରଣ ବ୍ରହ୍ମ ଓ ଅସ୍ତର କାରଣ ଧର୍ମ । ସତ୍ୟରେ ସୂର୍ଯ୍ୟ ପ୍ରତିଷ୍ଠିତ ଏବଂ ତାଙ୍କର ଚତୁର୍ଦ୍ଦିଗରେ ଦେବଗଣ ଅବସ୍ଥାନ କରିଅଛନ୍ତି ।’’

 

ଯକ୍ଷ ପ୍ରଶ୍ନ କଲେ, ‘‘ମନୁଷ୍ୟ କାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତ ହୋଇଥାଏ ଓ କାହା ଫଳରେ ବୁଦ୍ଧିମାନ ହୁଏ ?’’

 

ଯୁଧିଷ୍ଠିର କହିଲେ, ‘‘ମନୁଷ୍ୟ ତପସ୍ୟା ଦ୍ୱାରା ମହତ୍ତ୍ୱ ପ୍ରାପ୍ତ ହୋଇ ବୃଦ୍ଧସେବା ଦ୍ୱାରା ବୁଦ୍ଧିମାନ ହୋଇଥାଏ ।’’

 

ଯକ୍ଷ ପଚାରିଲେ, ‘‘କେଉଁ ବ୍ୟକ୍ତି ଇନ୍ଦ୍ରିୟ ସୁଖ ସମର୍ଥ, ବୁଦ୍ଧିମାନ ଓ ଲୋକପ୍ରଶଂସିତ ହୋଇ ମଧ୍ୟ ଜୀବିତାସ୍ଥାରେ ମୃତ ବୋଲି ପରିଗଣିତ ହୋଇଥାଏ ?’’

 

ଯୁଧିଷ୍ଠିର କହିଲେ, ‘‘ଯେଉଁ ବ୍ୟକ୍ତି ଦେବତା, ଅତିଥି, ଆଶ୍ରିତ, ପିତୃଲୋକ ଓ ଆତ୍ମାର ଶ୍ରଦ୍ଧା ନ କରେ; ସେ ଜୀବିତ ହୋଇମଧ୍ୟ ମୃତ ।’’

 

‘‘ପୃଥିବୀ ଅପେକ୍ଷା ବଡ଼ କିଏ ?’’

 

‘‘ମା ।’’

 

‘‘ଆକାଶ ଅପେକ୍ଷା ଉଚ୍ଚ କିଏ ?’’

 

“ପିତା”

 

‘‘ବାୟୁ ଅପେକ୍ଷା ଦ୍ରୁତଗାମୀ ଓ ତୃଣ ଅପେକ୍ଷା ବହୁଳତର କିଏ ?’’

 

‘‘ମନ ବାୟୁ ଅପେକ୍ଷା ଦ୍ରୁତଗାମୀ, ଚିନ୍ତା ତୃଣ ଅପେକ୍ଷା ବହୁଳତର ।’’

 

ଯକ୍ଷ ପଚାରିଲେ, ‘‘ନିଦ୍ରିତ ଥିଲେ ମଧ୍ୟ କାହାର ନୟନ ମୁଦ୍ରିତ ହୋଇନଥାଏ ?’’

 

ଯୁଧିଷ୍ଠିର କହିଲେ, ‘‘ମତ୍ସ୍ୟର ନୟନ ନିଦ୍ରିତ ଅବସ୍ଥାରେ ମଧ୍ୟ ଉନ୍ମୋଚିତ ହୋଇରହିଥାଏ ।’’

 

‘‘ଜନ୍ମ ହୋଇ ମଧ୍ୟ କିଏ ଚଳପ୍ରଚଳ ହୁଏ ନାହିଁ ?’’

 

‘‘ଅଣ୍ଡା ।’’

 

‘‘କାହାର ହୃଦୟ ନାହିଁ ?’’

 

‘‘ପଥରର ହୃଦୟ ନାହିଁ ’’

 

ଯକ୍ଷ ପ୍ରଶ୍ନ କଲେ, ‘‘ପ୍ରବାସୀ, ଗୃହୀ, ଆତୁର ଓ ମୁମୂର୍ଷୁ ବ୍ୟକ୍ତିଙ୍କର ମିତ୍ର କିଏ ?’’

 

ଯୁଧିଷ୍ଠିର କହିଲେ, ‘‘ପ୍ରବାସୀର ମିତ୍ର ସହଯାତ୍ରୀ, ଗୃହୀର ମିତ୍ର ପତ୍ନୀ, ଆତୁରର ମିତ୍ର ଚିକିତ୍ସକ ଓ ମୁମୂର୍ଷୁ ବ୍ୟକ୍ତିର ଦାନ ହିଁ ବନ୍ଧୁ ।’’

 

‘‘କିଏ ଏକାକୀ ବିଚରଣ କରେ ?’’

 

‘‘ସୂର୍ଯ୍ୟ ।’’

 

‘‘ଧର୍ମ, ଯଶ, ସ୍ୱର୍ଗ ଓ ସୁଖ କାହାକୁ ଆଶ୍ରୟ କରିଥାଏ ?’’

 

ଯୁଧିଷ୍ଠିର ଉତ୍ତର ଦେଲେ, ‘‘ଧର୍ମ ଦକ୍ଷିଣାକୁ, ଯଶ ଦାନକୁ, ସ୍ୱର୍ଗ ସତ୍ୟକୁ ଓ ସୁଖ ସୁଚରିତ୍ରକୁ ଆଶ୍ରୟ କରିଥାଏ ।’’

 

‘‘ମନୁଷ୍ୟର ଆତ୍ମା କିଏ ? ଦୈବକୃତ ସଖା କିଏ ?’’

 

‘‘ପୁତ୍ର ମନୁଷ୍ୟର ଆତ୍ମା ଓ ପତ୍ନୀ ତାହାର ଦୈବକୃତ ସଖା ।’’

 

‘‘ଧନ ଲାଭ ଓ ସୁଖ ମଧ୍ୟରେ ଉତ୍ତମ କିଏ ?’’

 

ଯୁଧିଷ୍ଠିର କହିଲେ, ‘‘ଧନ ମଧ୍ୟରେ ଶାସ୍ତ୍ର, ଲାଭ ମଧ୍ୟରେ ଆରୋଗ୍ୟ ଓ ସୁଖ ମଧ୍ୟରେ ସନ୍ତୋଷ ଉତ୍ତମ ଅଟେ ।’’

 

‘‘କେଉଁ ଧର୍ମ ପ୍ରଧାନ ?’’

 

‘‘ଅହିଂସା ପରମ ଧର୍ମ ।’’

 

‘‘କାହାକୁ ସଂଯତ କଲେ ମନୁଷ୍ୟର ଶୋକ ରହେ ନାହିଁ ଓ କାହା ସହିତ ସନ୍ଧି କଲେ ଭବିଷ୍ୟତରେ ସନ୍ଧି ଭଙ୍ଗର ଆଶଙ୍କା ରହେ ନାହିଁ ?’’

 

‘‘ମନକୁ ସଂଯତ କଲେ ଶୋକ ରହେ ନାହିଁ ଓ ସାଧୁ ବ୍ୟକ୍ତିଙ୍କ ସହ ସନ୍ଧି କରିବାହିଁ ନିରାପଦ ।’’

 

ଯକ୍ଷ ପଚାରିଲେ, ‘‘କାହାକୁ ତ୍ୟାଗ କଲେ ମନୁଷ୍ୟ ଅନ୍ୟର ପ୍ରିୟ, ଶୋକଶୂନ୍ୟ ଅର୍ଥବାନ ଓ ସୁଖୀ ହୁଏ ?’’

 

ଯୁଧିଷ୍ଠିର କହିଲେ, ‘‘ଅଭିମାନ ତ୍ୟାଗ କଲେ ମନୁଷ୍ୟ ଅନ୍ୟର ପ୍ରିୟ, କ୍ରୋଧ ତ୍ୟାଗ କଲେ ଶୋକଶୂନ୍ୟ, କାମନା ତ୍ୟାଗ କଲେ ଅର୍ଥବାନ୍‌ ଓ ଲୋଭ ତ୍ୟାଗ କଲେ ସୁଖୀ ହୋଇଥାଏ ।’’

 

ଯକ୍ଷ ପଚାରିଲେ, ‘‘ମୃତ ପୁରୁଷ କିଏ, ମୃତ ରାଷ୍ଟ୍ର କିଏ, ମୃତ ଶ୍ରାଦ୍ଧ କ’ଣ ଓ ମୃତ ଯଜ୍ଞ କହିଲେ କାହାକୁ ବୁଝାଏ ?’’

 

ଯୁଧିଷ୍ଠିର କହିଲେ, ‘‘ଦରିଦ୍ର ପୁରୁଷ ମୃତ, ଅରାଜକ ରାଜ୍ୟ ମୃତରାଷ୍ଟ୍ର, ଅଶ୍ରୋତ୍ରିୟ ଶ୍ରାଦ୍ଧ ମୃତ ଶ୍ରାଦ୍ଧ ଓ ଦକ୍ଷିଣାହୀନ ଯଜ୍ଞ ହିଁ ମୃତ ଯଜ୍ଞ ।’’

 

‘‘କ୍ଷମା ଓ ଲଜ୍ଜା କାହାକୁ କହନ୍ତି ?’’

 

‘‘ସହିଷ୍ଣୁତା ହିଁ କ୍ଷମା ଓ କୁକର୍ମରୁ ନିଜକୁ ନିବୃତ୍ତ କରିବା ହିଁ ଲଜ୍ଜା ।’’

 

‘‘ମନୁଷ୍ୟର ବଡ଼ ଶତ୍ରୁ କିଏ ?’’

 

‘‘କ୍ରୋଧ ।’’

 

‘‘କେଉଁ ବ୍ୟାଧିର ଉପଶମ ନାହିଁ ?’’

 

‘‘ଲୋଭରୂପକ ବ୍ୟାଧିର ଉପଶମ ନାହିଁ ।’’

 

‘‘ପଣ୍ଡିତ କିଏ ?’’

 

‘‘ଧର୍ମଜ୍ଞ ବ୍ୟକ୍ତିମାନେ ପଣ୍ଡିତ ।’’

 

‘‘ନାସ୍ତିକ କିଏ ?’’

 

‘‘ମୂର୍ଖମାନେ ନାସ୍ତିକ ।’’

 

‘‘କେଉଁ କାର୍ଯ୍ୟ କଲେ ବ୍ୟକ୍ତି ଅକ୍ଷୟ ନର୍କରେ ପଡ଼େ ?’’

 

ଯୁଧିଷ୍ଠିର କହିଲେ; ‘‘ଯେଉଁ ବ୍ୟକ୍ତି ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ଫେରାଇ ଦିଏ, ଯେଉଁ ବ୍ୟକ୍ତି ବେଦ, ଧର୍ମଶାସ୍ତ୍ର, ବ୍ରାହ୍ମଣ, ଦେବତା ଓ ପୈତୃକ ଧର୍ମମାନଙ୍କୁ ମିଥ୍ୟା ବୋଲି ପ୍ରତିପନ୍ନ କରେ ଏବଂ ଯେଉଁ ବ୍ୟକ୍ତି ଧନି ହୋଇ ମଧ୍ୟ ଦାନ ଓ ଭୋଗରେ ପରାନ୍ମୁଖ ହୁଏ, ସେମାନେ ଅକ୍ଷୟ ନର୍କରେ ପତିତ ହୁଅନ୍ତି ।’’

 

ଯକ୍ଷ ପଚାରିଲେ; ‘‘ବହୁ ମିତ୍ର ଓ ଧର୍ମରେ ଅନୁରକ୍ତ ଥିବା ବ୍ୟକ୍ତିର କ’ଣ ଲାଭ ହୁଏ ?’’

 

ଯୁଧିଷ୍ଠିର କହିଲେ, ‘‘ବହୁ ବନ୍ଧୁ ଥିବା ବ୍ୟକ୍ତି ସୁଖରେ ବାସ କରେ ଓ ଧର୍ମୀନୁରକ୍ତ ବ୍ୟକ୍ତି ସଦ୍‌ଗତି ଲାଭ କରିଥାଏ ।’’

 

‘‘ସୁଖୀ କିଏ ?’’

 

‘ଯେ ଋଣଶୂନ୍ୟ ଓ ଯାହାକୁ ପ୍ରବାସୀ ହେବାକୁ ପଡ଼େ ନାହିଁ ଓ ନିଜ ଘରର ଶାଗ ଭାତରେ ଯେ ସନ୍ତୁଷ୍ଟ ରହେ, ସେ ସୁଖୀ ।’’

 

‘‘ଆଶ୍ଚର୍ଯ୍ୟ କ’ଣ ?’’

 

‘‘ପ୍ରତିଦିନ ଜୀବମାନେ ମୃତ୍ୟୁମୁଖରେ ପଡ଼ୁଥିବାର ଦେଖି ମଧ୍ୟ ଯେ ନିଜକୁ ଚିରଜୀବୀ ବୋଲି ଭାବେ, ଏହାଠାରୁ ଆଶ୍ଚର୍ଯ୍ୟର କଥା କ’ଣ ଅଛି ?’’

 

ଯକ୍ଷ ପଚାରିଲେ, ‘‘ପଥ କ’ଣ ଓ ସମ୍ବାଦ କ’ଣ ?’’

 

ଯୁଧିଷ୍ଠିର କହିଲେ, ‘‘ତର୍କ ମଧ୍ୟରେ ସ୍ଥିରତା ନାହିଁ । ବେଦ ଓ ସ୍ମୃତିରେ ମଧ୍ୟ ଭିନ୍ନ ଭିନ୍ନ କଥାର ଉଲ୍ଲେଖ ଅଛି । ତା’ଛଡ଼ା ଏପରି ଜଣେ ମୁନି ନାହାନ୍ତି, ଯାହାଙ୍କ ବାକ୍ୟକୁ ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇ ପାରିବ । ଧର୍ମର ତତ୍ତ୍ୱ ମଧ୍ୟ ଅତି ଗୂଢ଼ । ତେଣୁ ବିଷମ ପରିସ୍ଥିତିରେ ମହତ୍‌ ବ୍ୟକ୍ତିଙ୍କ ପ୍ରଦର୍ଶିତ ପଥ ହିଁ ଶ୍ରେଷ୍ଠ ପନ୍ଥା । ଆଉ କାଳ ସୂର୍ଯ୍ୟ ରୂପକ ଅଗ୍ନିରେ ଦିନରାତି ରୂପକ କାଷ୍ଠ ନିପେକ୍ଷ କରି ମୋ’ ରୂପକ ପାତ୍ରରେ ସମୟ ରୂପକ ହଣ୍ଡାରେ ପ୍ରାଣୀମାନଙ୍କୁ ପାକ କରୁଅଛି, ଏହାହିଁ ସମ୍ବାଦ ।’’

 

ଯକ୍ଷ କହିଲେ, ‘‘ମହାରାଜ, ମୋ’ ପ୍ରଶ୍ନର ଯଥାଯଥ ଉତ୍ତର ତୁମେ ପ୍ରଦାନ କରିଅଛ । ପୁରୁଷ କିଏ ଏବଂ ଧନୀ କିଏ, ଏହି କଥାର ଉତ୍ତର ପ୍ରଦାନ କର ଏବଂ ଏହାହିଁ ମୋର ଶେଷ ପ୍ରଶ୍ନ-।’’

 

ଯୁଧିଷ୍ଠିର କହିଲେ, ‘‘ନିଜର ପୁଣ୍ୟକର୍ମ ଦ୍ୱାରା ଅଖିଳ ଜଗତରେ ଯେଉଁ ବ୍ୟକ୍ତିର ନାମ ଯେତେଦିନ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇରହିଥାଏ, ସେତେଦିନ ପର୍ଯ୍ୟନ୍ତ ସେହି ବ୍ୟକ୍ତିକୁ ପୁରୁଷ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଗତ ଓ ଅନାଗତ ସୁଖଦୁଃଖକୁ ଓ କି ପ୍ରିୟ କି ଅପ୍ରିୟ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ, ସେହି ବ୍ୟକ୍ତି ହିଁ ଯଥାର୍ଥରେ ଧନୀ ।’’

 

ଯକ୍ଷ କହିଲେ, ‘‘ତୁମେ ଉତ୍ତରରେ ମୁଁ ସନ୍ତୁଷ୍ଟ ହୋଇଅଛି । ବର୍ତ୍ତମାନ ତୁମର ଏହି ଚାରି ଭାଇଙ୍କ ମଧ୍ୟରୁ କେଉଁ ଗୋଟିକର ଜୀବନ ଫେରାଇ ଦେବି କୁହ ।’’

 

ଯୁଧିଷ୍ଠିର କହିଲେ, ‘‘ତେବେ ଏହି ବିଶାଳବକ୍ଷ ନକୁଳର ଜୀବନ ଫେରାଇ ଦିଅନ୍ତୁ ।’’

 

ଯକ୍ଷ ପଚାରିଲେ, ‘‘ମହାରାଜ, ଦଶସହସ୍ର ମତ୍ତହସ୍ତୀର ବଳଧାରଣ କରିଥିବା ଭୀମସେନ କିମ୍ବା ମହାଧନୁର୍ଦ୍ଧର ଅର୍ଜ୍ଜୁନଙ୍କ ଜୀବନ ପ୍ରାର୍ଥନା ନ କରି ବିମାତାପୁତ୍ର ନକୁଳର ଜୀବନ ଭିକ୍ଷା କାହିଁକି କଲ ? ତୁମର ଏହି ବିପଦ ସମୟରେ ବରଂ ସେମାନେ ତୁମକୁ ରକ୍ଷା କରି ପାରିଥାନ୍ତେ ।’’

 

ଯୁଧିଷ୍ଠିର କହିଲେ,’’ଧର୍ମ ହିଁ ମନୁଷ୍ୟକୁ ରକ୍ଷା କରିଥାଏ । ସେଥିପାଇଁ ଧର୍ମକୁ ପରିତ୍ୟାଗ କରିବି କିପରି ? କୁନ୍ତୀ ଓ ମାଦ୍ରୀ ମୋର ଦୁଇ ଜନନୀ ଓ ମୋ’ ଦୃଷ୍ଟିରେ ଉଭୟ ସମାନ; ତେଣୁ ଉଭୟ ପୁତ୍ରବତୀ ହୋଇ ରହନ୍ତୁ ଏହାହିଁ ମୋର ଅଭିଳାଷ । କୁନ୍ତୀଙ୍କର ପୁତ୍ର ଭାବରେ ମୁଁ ଅଛି, ନକୁଳ ଜୀବିତ ରହିଲେ ମାଦ୍ରୀଙ୍କର ପୁତ୍ରଟିଏ ମଧ୍ୟ ଜୀବିତ ରହିବ, ତେଣୁ ନକୁଳର ଜୀବନ ପ୍ରତ୍ୟର୍ପଣ କରନ୍ତୁ ।’’

 

ଯକ୍ଷ କହିଲେ, ‘‘ମୁଁ ଅହିଂସାପରାୟଣ, ତେଣୁ ତୁମର ସମସ୍ତ ଭାଇମାନଙ୍କର ଜୀବନ ଫେରାଇ ଦେଉଅଛି ।’’ ଯକ୍ଷଙ୍କ କଥାନୁସାରେ ଚାହୁଁ ଚାହୁଁ ପାଣ୍ଡବମାନେ ପୁନଃ ଜୀବନ ଲାଭକରି ଉଠି ବସିଲେ ।

 

ବକରୂପୀ ଯକ୍ଷଙ୍କୁ ଯୁଧିଷ୍ଠିର କହିଲେ, ‘‘ଆପଣ ଯେ ନିଜକୁ ଯକ୍ଷ ବୋଲି ପରିଚୟ ଦେଲେ, ତହିଁରେ ମୁଁ ସନ୍ତୁଷ୍ଟ ନୁହେଁ । ଆପଣ ରୁଦ୍ର, ବସୁ କିମ୍ବା ଦେବରାଜ ଇନ୍ଦ୍ର ହୋଇଥିବେ କିମ୍ବା ଆପଣ ନିଜେ ଧର୍ମ ବକରୂପରେ ଆମ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି ।’’

 

ଯକ୍ଷ କହିଲେ, ‘‘ବାବା, ତୁମର ଅନୁମାନ ସତ୍ୟ । ମୁଁ ତମର ପିତା, ଧର୍ମ । ତୁମକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଆସିଥିଲି । ତୁମେ ଧର୍ମାନୁରକ୍ତ ଓ କାମ-କ୍ରୋଧ-ଲୋଭ-ମୋହ ଆଦି ରିପୁ ସକଳଙ୍କୁ ପରାଜିତ କରିଅଛ । ତୁମ୍ଭମାନଙ୍କର ମଙ୍ଗଳ ହେଉ । ବର୍ତ୍ତମାନ ତୁମେ ମୋଠାରୁ ବର ପ୍ରାର୍ଥନା କର ।’’

 

ଯୁଧିଷ୍ଠିର କହିଲେ, ‘‘ମୃଗଦ୍ୱାରା ବ୍ରାହ୍ମଣର ଅପହୃତ ଅରଣୀକାଷ୍ଟ ମୋତେ ପ୍ରଦାନ କରନ୍ତୁ ।’’

 

ଧର୍ମ କହିଲେ, ‘‘ତୁମକୁ ପରୀକ୍ଷା କରିବାପାଇଁ ମୃଗ ରୂପରେ ମୁଁ ତାହା ହରଣ କରିଥିଲି-। ନିଅ, ଗ୍ରହଣ କର । ବର୍ତ୍ତମାନ ତୁମେ ଅନ୍ୟ ବର ପ୍ରାର୍ଥନା କର ।’’

 

ଯୁଧିଷ୍ଠିର କହିଲେ, ‘‘ବନବାସରେ ଆମର ଦ୍ୱାଦଶ ବର୍ଷ ଅତିବାହିତ ହୋଇଗଲାଣି । ବର୍ତ୍ତମାନ ଏକ ବର୍ଷ ଅଜ୍ଞାତବାସ କରିବାର କଥା । ତେଣୁ ଏହି ଅଜ୍ଞାତବାସ ସମୟରେ ଯେପରି ଆମର ପ୍ରକୃତ ପରିଚୟ କେହି ନ ପାଏ, ଏହି ଆଶୀର୍ବାଦ କରନ୍ତୁ ।’’

 

ଧର୍ମ କହିଲେ,’’ତୁମେ ଏହି ଅଜ୍ଞାତବାସ ସମୟରେ ବିରାଟ ନଗରରେ ବାସ କରିବ ଏବଂ ମୋର ବର ପ୍ରଭାବରେ ଏହି ଅଜ୍ଞାତବାସ ସଫଳତାର ସହିତ ପୂର୍ଣ୍ଣ ହେବ । ମୁଁ ତୁମ ଉପରେ ବିଶେଷ ପ୍ରୀତ ହୋଇଥିବାରୁ ତୁମେ ଆଉ ଗୋଟିଏ ବର ପ୍ରାର୍ଥନା କର, ମୁଁ ପ୍ରଦାନ କରିବି ।’’

 

ଯୁଧିଷ୍ଠିର କହିଲେ, ‘‘ଆପଣଙ୍କୁ ଦର୍ଶନ କରିଅଛି, ଏହାହିଁ ମୋର ପରମ ସୌଭାଗ୍ୟ । ଆପଣ ସ୍ୱଇଚ୍ଛାରେ ଯେଉଁ ବର ପଦାନ କରିବେ, ମୁଁ ତାହା ଗ୍ରହଣ କରିବି । ମୋର ମନ ଯେପରି ଲୋଭ, ମୋହ, କ୍ରୋଧ ଶୂନ୍ୟ ହୋଇ ସଦାସର୍ବଦା ସତ୍ୟ ଅନୁରକ୍ତ ହେବ ।’’

 

ଧର୍ମ କହିଲେ,’’ତୁମେ ପୂର୍ବରୁ ଏହି ସମସ୍ତ ବିଭାବରେ ମଣ୍ଡିତ ହୋଇଅଛ । ତେଣୁ ବର୍ତ୍ତମାନଠାରୁ ତୁମେ ସେ ସବୁ ଗୁଣରେ ବିଶେଷ ପୂଜିତ ହେବ ।’’

 

ଏହା କହି ପାଣ୍ଡବଙ୍କୁ ଆଶୀର୍ବାଦ କରି ଧର୍ମ ଅଦୃଶ୍ୟ ହୋଇଗଲେ । ପାଣ୍ଡବମାନେ ଆଶ୍ରମକୁ ଫେରିଆସି ଧର୍ମଙ୍କଠାରୁ ପ୍ରାପ୍ତ ଅରଣୀକାଷ୍ଠ ବ୍ରାହ୍ମଣଙ୍କୁ ପ୍ରଦାନ କଲେ ।

Image

 

ଅଜ୍ଞାତବାସର ଉଦ୍ୟମ

 

ଅଜ୍ଞାତବାସର ସମୟ ଉପସ୍ଥିତ ହେବାରୁ ବ୍ରାହ୍ମଣ ଓ ତପସ୍ୱୀମାନଙ୍କଠାରୁ ବିଦାୟ ନେଇ ଯୁଧିଷ୍ଠିର କହିଲେ, ‘‘ମୁନିବୃନ୍ଦ, ବନବାସରେ ଦ୍ୱାଦଶବର୍ଷ ଅତିବାହିତ ହୋଇଅଛି । ସର୍ତ୍ତ ଅନୁସାରେ ବର୍ତ୍ତମାନ ଅଜ୍ଞାତବାସ କରିବାର କଥା । ଆମର ଏହି ଅଜ୍ଞାତବାସ ଯେପରି ନିର୍ବିଘ୍ନରେ ସମାପ୍ତ ହୁଏ, ସେଥିପାଇଁ ଆମକୁ ଆଶୀର୍ବାଦ କରନ୍ତୁ । ଅଜ୍ଞାତବାସ ପୂର୍ଣ୍ଣ ହେଲେ, ଆମେ ରାଜ୍ୟ ଫେରିପାଇବୁ ଓ ଆପଣମାନଙ୍କର ଦର୍ଶନ ପୁଣି ଲାଭ କରିବାର ସୁଯୋଗ ପାଇବୁ ।’’ ଯୁଧିଷ୍ଠିର ଏହା କହି କାନ୍ଦି ପକାଇଲେ । ମୁନିଗଣ ପାଣ୍ଡବମାନଙ୍କୁ ଆଶୀର୍ବାଦ କରି ଚାଲିଯିବା ପରେ ପାଣ୍ଡବମାନେ ପୁରୋହିତ ଧୌମ୍ୟଙ୍କ ସହ ଅଜ୍ଞାତବାସ ସମ୍ପର୍କରେ ମନ୍ତ୍ରଣା କଲେ ଓ ବିରାଟ ନଗରରେ ଅଜ୍ଞାତବାସ କରିବାକୁ ସ୍ଥିର କଲେ ।

 

ଯୁଧିଷ୍ଠିର କହିଲେ, ‘‘ମୁଁ ବିରାଟ ରାଜାଙ୍କ ରାଜସଭାରେ ଦ୍ୟୂତ ବିଶାରଦ ବ୍ରାହ୍ମଣ ଭାବରେ ଯୋଗ ଦେବାକୁ ସ୍ଥିର କରରିଅଛି ଓ ତଦ୍ଦ୍ୱାରା ରାଜାଙ୍କର ପ୍ରୀତିଭାଜନ ହୋଇପାରିବି । ମତ୍ସ୍ୟରାଜ ଯଦି ମୋର ପରିଚୟ ଜିଜ୍ଞାସା କରନ୍ତି ତେବେ କହିବି, ରାଜା ଯୁଧିଷ୍ଠିର ମୋର ବନ୍ଧୁ ଥିବାରୁ ତାଙ୍କଠାରୁ ଏହି ଦ୍ୟୂତକ୍ରୀଡ଼ା ଶିକ୍ଷା କରିଅଛି ଓ ମୋର ନାମ କଙ୍କ ।’’

 

ଭୀମସେନ କହିଲେ, ‘‘ମୁଁ ବିରାଟ ରାଜପ୍ରାସାଦରେ ରନ୍ଧନ ବିଶାରଦ ଭାବରେ ଯୋଗଦେବାକୁ ସ୍ଥିର କରୁଅଛି । ରନ୍ଧନ କାର୍ଯ୍ୟରେ ମୁଁ ବିଶେଷ ପାରଦର୍ଶୀ ଥିବାରୁ ସୁସ୍ୱାଦୁପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ରାଜ ପରିବାରଙ୍କୁ ସନ୍ତୁଷ୍ଟ କରିପାରିବି । ତା’ଛଡ଼ା ସମୟେ ସମୟେ ମଲ୍ଲମାନଙ୍କ ସହ ଦ୍ୱନ୍ଦଯୁଦ୍ଧ କରି ରାଜାଙ୍କର ପ୍ରୀତି ବର୍ଦ୍ଧନ କରିବି । କେହି ପଚାରିଲେ କହିବି, ମହାରାଜ ଯୁଧିଷ୍ଠିରଙ୍କ ପାକଶାଳାରେ ରହି ପୂର୍ବରୁ ଅଭିଜ୍ଞତା ଅର୍ଜନ କରିଅଛି । ମୋର ନାମ ହେବ ବଲ୍ଲଭ ।’’

 

ଅର୍ଜ୍ଜୁନ କହିଲେ, ‘‘ଉର୍ବଶୀଙ୍କ ଅଭିଶାପ ଫଳରେ ମୋତେ ଏକ ବର୍ଷ ପାଇଁ କ୍ଲୀବତ୍ୱ ପ୍ରାପ୍ତହୋଇ ବାସ କରିବାକୁ ପଡ଼ିବ; ତେଣୁ ଭାବୁଛି ଏହି ଅଜ୍ଞାତବାସ ସମୟରେ ମୁଁ କ୍ଲୀବ ହୋଇ ବିରାଟରାଜାଙ୍କ ଅନ୍ତଃପୁରରେ ରମଣୀମାନଙ୍କର ପରିଚର୍ଯ୍ୟା କରିବି । ରାଜା ପରିଚୟ ପଚାରିଲେ, ପୂର୍ବେ ମହାରାଜ ଯୁଧିଷ୍ଠିରଙ୍କ ଅନ୍ତଃପୁରରେ ରହି ଦ୍ରୌପଦୀଙ୍କ ସେବା କରିବାରେ ନିଯୁକ୍ତ ଥିଲି ବୋଲି କହିବି । ଏହି ସମୟରେ ମୋର ନାମ ହେବ ବୃହନ୍ନଳା ।’’

 

ନକୁଳ କହିଲେ, ‘‘ମୁଁ ନିଜକୁ ଗ୍ରନ୍ଥିକ ନାମରେ ପରିଚୟ ଦେଇ ବିରାଟ ରାଜାଙ୍କ ଅଶ୍ୱ ସଂରକ୍ଷଣ କାର୍ଯ୍ୟ କରିବି ।’’

 

ସହଦେବ କହିଲେ, ‘‘ମୁଁ ଗୋପାଳନରେ ବିଶେଷ ଆଗ୍ରହୀ, ତେଣୁ ବିରାଟଙ୍କ ନିକଟରେ ତନ୍ତ୍ରୀପାଳ ନାମରେ ପରିଚୟ ଦେଇ ଗୋପାଳକ ଭାବରେ କାର୍ଯ୍ୟ କରିବି ।’’

 

ଭାଇମାନଙ୍କର କଥା ଶୁଣି ଯୁଧିଷ୍ଠିର କହିଲେ, ‘‘ଆମ୍ଭେମାନଙ୍କର ପ୍ରିୟ ପତ୍ନୀ ଦ୍ରୌପଦୀ ଜନନୀ ପରି ପାଳନୀୟ ଓ ଜ୍ୟୋଷ୍ଠାଭଗ୍ନୀ ପରି ପୂଜନୀୟା । ତେଣୁ ଅଜ୍ଞାତବାସ ସମୟରେ ସେ କିପରି କାଳଯାପନ କରିବେ, ତାହାହିଁ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ।’’

 

ଦ୍ରୌପଦୀ କହିଲେ, ‘‘ମହାରାଜ, କେଶଚର୍ଚ୍ଚା କୁଶଳୀ ସୈରିନ୍ଧ୍ରୀ ହେବାକୁ ମୁଁ ଭାବୁଛି । ଯଦି କେହି ପ୍ରଶ୍ନ କରେ ତେବେ ପୂର୍ବେ କୁରୁରାଜ ଯୁଧିଷ୍ଠିରଙ୍କ ରାଜ ଅନ୍ତଃପୁରରେ ଦ୍ରୌପଦୀଙ୍କ ପରିଚାରିକା ଥିଲି ବୋଲି ପ୍ରକାଶ କରିବି । ମୋତେ ଦେଖିଲେ ବିରାଟ ରାଜାଙ୍କ ପତ୍ନୀ ସୁଦେଷ୍ଣା ନିଶ୍ଚୟ ପରିଚାରିକା ଭାବରେ ଗ୍ରହଣ କରିବେ; ତେଣୁ ମୋ’ ବିଷୟରେ ଆପଣମାନେ ଚିନ୍ତା କରନ୍ତୁ ନାହିଁ ।’’

 

ପାଣ୍ଡବମାନେ ଏହିପରି ଭାବରେ ଅଜ୍ଞାତବାସ କରିବାକୁ ସ୍ଥିର କରିବା ପରେ ପାଣ୍ଡବଶିରୋମଣି ଯୁଧିଷ୍ଠିର ନିଜର ଅନୁଗତମାନଙ୍କୁ ଓ ପୁରୋହିତ ଧୌମ୍ୟଙ୍କୁ କହିଲେ, ‘‘ବର୍ତ୍ତମାନ ଆମ୍ଭେମାନେ ଛଦ୍ମରୂପରେ ଏକବର୍ଷ ଅତିବାହିତ କରିବାକୁ ଯାଉଥିବାରୁ ଆପଣମାନେ ଦ୍ରୁପଦ ରାଜାଙ୍କ ନଜରକୁ ଫେରି ଯାଆନ୍ତୁ ଏବଂ ଇନ୍ଦ୍ରସେନ ପ୍ରମୁଖ ରଥୀ ଓ ସାରଥୀମାନେ ରଥ ସବୁ ନେଇ ଏକବର୍ଷ ପାଇଁ ଦ୍ୱାରକାରେ ଅବସ୍ଥାନ କରନ୍ତୁ ।’’

 

ସାରଥି ଓ ଆଶ୍ରିତମାନେ ଯୁଧିଷ୍ଠିରଙ୍କଠାରୁ ବିଦାୟ ନେଇ ଦ୍ୱାରକା ଓ ପାଞ୍ଚାଳଦେଶ ଅଭିମୁଖେ ଚାଲିଗଲା ପରେ, ପୁରୋହିତ ଧୌମ୍ୟ ପାଣ୍ଡବ ଓ ପାଣ୍ଡବପତ୍ନୀ ଦ୍ରୌପଦୀଙ୍କୁ ସମ୍ବୋଧନ କରି କହିଲେ, ‘‘ଅନ୍ୟର ରାଜପ୍ରାସାଦରେ କର୍ମଚାରୀ ଓ ଆଶ୍ରିତ ଭାବରେ ଜୀବନ ଯାପନ କରିବା ସହଜ ନୁହେଁ; ତେବେ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡ଼ୁ ନା କାହିଁକି ସେଥିପ୍ରତି ଭ୍ରୂକ୍ଷେପ ନ କରି ସାବଧାନତା ସହିତ ପରିଚୟ ଗୋପନ କରି ସଂଯତ ଭାବରେ ଏକବର୍ଷ ଅତିବାହିତ କରିବାକୁ ଚେଷ୍ଟା କରିବ ।’’ ଏହା କହି ଧୌମ୍ୟ ରାଜପ୍ରାସାଦରେ ଅବସ୍ଥାନ ସମୟରେ କିପରି ଆଚରଣ ପ୍ରକାଶ କରି ରାଜଙ୍କର ପ୍ରିୟପାତ୍ର ହେବାକୁ ହୁଏ, ସେ ସମ୍ପର୍କରେ ପାଣ୍ଡବମାନଙ୍କୁ ସମୁଚିତ ଉପଦେଶମାନ ପ୍ରଦାନ କରି ସେମାନଙ୍କର ନୂତନ ଜୀବନର ଶୁଭକାମନେ ଉଦ୍ଦେଶ୍ୟରେ ମଙ୍ଗଳ-ହୋମ ସେମାନଙ୍କର ନୂତନ ଜୀବନର ଶୁଭକାମନା ଉଦ୍ଦେଶ୍ୟରେ ମଙ୍ଗଳ-ହୋମ ଅନୁଷ୍ଠାନ କରି ପାଣ୍ଡବମାନଙ୍କୁ ଆଶୀର୍ବାଦ କଲେ ଓ ପାଣ୍ଡବମାନେ ହୋମ ଅଗ୍ନି ଓ ପୁରୋହିତ ଧୌମ୍ୟଙ୍କୁ ପ୍ରଦକ୍ଷିଣ କରି ବିରାଟ ନଗର ଅଭିମୁଖେ ପ୍ରସ୍ଥାନ କଲେ ।

 

କିଛିବାଟ ଗଲା ପରେ ଯୁଧିଷ୍ଠିର କହିଲେ, ‘‘ଆମର ଏହି ଅସ୍ତ୍ରଶସ୍ତ୍ର ନେଇ ବିରାଟ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଆମ ସମ୍ପର୍କରେ ସମସ୍ତେ କୌତୂହଳୀ ହୋଇଉଠିବେ ଓ ଆମ୍ଭେମାନେ ଧରାପଡ଼ିଯିବା । ଫଳରେ ପ୍ରତିଜ୍ଞା ଭଙ୍ଗ ଦୋଷରେ ପୁନର୍ବାର ବନବାସ କରିବାକୁ ପଡ଼ିବ ।’’

 

ଅର୍ଜ୍ଜୁନ କହିଲେ, ‘‘ମହାରାଜ, ସମ୍ମୁଖସ୍ଥ ଏହି ପର୍ବତର ଶୃଙ୍ଗରେ ଏକ ବିରାଟ ଶମୀବୃକ୍ଷ ଥିବାର ଦେଖୁଛି । ସ୍ଥାନଟି ଶ୍ମଶାନ ଓ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ଅରଣ୍ୟ ମଧ୍ୟରେ ଥିବାରୁ ଏହି ବୃକ୍ଷ ନିକଟକୁ ଭୟରେ କେହି ଯାଉ ନଥିବେ । ତା’ଛଡ଼ା ବର୍ତ୍ତମାନ ମଧ୍ୟ ପାଖ ଆଖରେ କେହି ନାହାନ୍ତି । ଏହି ସୁଯୋଗରେ ଆମର ଏହି ଅସ୍ତ୍ରଶସ୍ତ୍ରକୁ ଏହି ଶମୀବୃକ୍ଷରେ ରଖି ଦେଇଯିବା ।’’

 

କଥାଟା ସମସ୍ତଙ୍କ ମନକୁ ପାଇବାରୁ ଅସ୍ତ୍ରଶସ୍ତ୍ର ବନ୍ଧାବନ୍ଧି କରିବାରେ ସମସ୍ତେ ଲାଗିପଡ଼ିଲେ । ନକୁଳ ବୃକ୍ଷ ଆରୋହଣ କରି ବର୍ଷା ଯେପରି ନ ପଡ଼ିବ ଏପରି ଗୋଟାଏ ମୋଟା ବଙ୍କା ଡାଳର ତଳପଟରେ ଅସ୍ତ୍ର ବିଡ଼ାଟାକୁ ବାନ୍ଧି ଦେଲେ କାଳେ ଏ ବୃକ୍ଷ ପାଖକୁ କିଏ ଆସିଯିବ, ସେପରି ଆଶଙ୍କା କରି ପାଖରେ ପଡ଼ିଥିବା ଗୋଟାଏ ମଣିଷ ମୂର୍ଦ୍ଦାରକୁ ଗଛର ଗୋଟାଏ ଡାଳରେ ଝୁଲାଇ ଦେଇ ପାଣ୍ଡବମାନେ ନିଶ୍ଚିତ ହେଲେ । ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପୂଜା ଓ ପ୍ରାର୍ଥନା ଜଣାଇ ପାଣ୍ଡବମାନେ ଭିନ୍ନ ଭିନ୍ନ ପଥ ଦେଇ ବିରାଟ ନଗର ମଧ୍ୟରେ ପ୍ରବେଶ କଲେ ।

Image

 

Unknown

କୀଚକ-ବଧ

 

ପୂର୍ବ ପରିଳ୍ପନାନୁସାରେ ବିଭିନ୍ନ ବେଶ ଧାରଣ କରି ପାଣ୍ଡବମାନେ ବିରାଟ ରାଜାଙ୍କ ନିକଟରେ ଭିନ୍ନ ଭିନ୍ନ କାର୍ଯ୍ୟର ପ୍ରାର୍ଥୀ ହେଲେ । ଛଦ୍ମବେଶୀ ପାଣ୍ଡବଙ୍କ ରୂପରେ ବିରାଟ ରାଜା ଏପରି ମୁଗ୍ଧ ହୋଇଯାଇଥିଲେ ଯେ, ବିନାଦ୍ୱିଧାରେ ସେମାନଙ୍କୁ ପ୍ରାର୍ଥିତ କାର୍ଯ୍ୟରେ ନିଯୁକ୍ତ କରିଦେଲେ । କିନ୍ତୁ ଦ୍ରୌପଦୀଙ୍କୁ ନେଇ ସାମାନ୍ୟ ଜଟିଳତା ସୃଷ୍ଟି ହୋଇଥିଲା । ବିରାଟଙ୍କ ପତ୍ନୀ ସୁଦେଷ୍ଣା ପ୍ରାସାଦ ଉପରେ ବିଚରଣ କରୁଥିବା ସମୟରେ ରାଜପଥରେ ଦ୍ରୌପଦୀଙ୍କୁ ଦେଖି ଦାସୀ ହାତରେ ପାଖକୁ ଡକାଇ ନେଇ ପରିଚୟ ଚାହିଁଲେ ।

 

ଦ୍ରୌପଦୀ କହିଲେ, ମୁଁ ‘‘ସୈରିନ୍ଧ୍ରୀ । କେଶବନ୍ଧନ ଓ ପୁଷ୍ପମାଲ୍ୟ ଗ୍ରନ୍ଥନରେ ମୁଁ ବିଶେଷ ପାରଦର୍ଶିନୀ । ଜୀବିକାର୍ଜନ ନିମନ୍ତେ କାର୍ଯ୍ୟ ଅନ୍ୱେଷଣରେ ଏଠାକୁ ଆସିଅଛି ।’’

 

ସୁଦେଷ୍ଣା କହିଲେ, ‘‘ତୁମ ଶରୀରର ଗଠନ ଓ ଲାବଣ୍ୟକୁ ଦେଖିଲେ ତ ପରିଚାରିକା ପରି ମନେ ହୁଏ ନାହିଁ; ବରଂ ତୁମର ସେବା କରିବାପାଇଁ ଦାସ ଦାସୀର ପ୍ରୟୋଜନ । ତୁମେ ହୁଏତ ଦେବକାମିନୀ କିମ୍ବା ଅପ୍ସରା ପରି ଦେଖାଯାଉଅଛ । ତୁମପରି ରୂପଲାବଣ୍ୟବତୀକୁ ମସ୍ତକରେ ଧାରଣ କରିବା କଥା । ତୁମକୁ ପରିଚାରିକା ଭାବରେ ଗ୍ରହଣ କରିବାରେ ଆପତ୍ତି ନାହିଁ; କିନ୍ତୁ ମୋର ଆଶଙ୍କା ହୁଏ, ବିରାଟ ରାଜା ତୁମକୁ ଦେଖିଲେ, ମୋତେ ନିଶ୍ଚୟ ହତାଦର କରିବେ । ତେଣୁ ତୁମକୁ ଏଠାରେ ସ୍ଥାନ ଦେବାର ଅର୍ଥ ନିଜର ମୃତ୍ୟୁକୁ ବରଣ କରି ଆଣିବା ।’’

 

ଦ୍ରୌପଦୀ କହିଲେ, ‘‘ମହାରାଣୀ ! ରାଜା କିମ୍ପା ଅନ୍ୟ କୌଣସି ପୁରୁଷ ମୋତେ ଲାଭ କରିବାକୁ ସମର୍ଥ ହେବେ ନାହିଁ । ପାଞ୍ଚଜଣ ଯୁବକ ଗନ୍ଧର୍ବ ମୋର ସ୍ୱାମୀ ଓ ସେମାନେ ଅଦୃଶ୍ୟରେ ରହି ମୋତେ ସର୍ବଦା ରକ୍ଷା କରିଥାନ୍ତି । ମୋତେ ଯେ ଅଇଁଠା ଖାଇବାକୁ ନ ଦିଏ, ଗୋଡ଼ ଆଦି ଧୋଇବା କାର୍ଯ୍ୟରେ ନିଯୁକ୍ତ ନ କରେ, ମୋର ସ୍ୱାମୀମାନେ ତା’ ଉପରେ ପ୍ରୀତ ହୁଅନ୍ତି; ଆଉ ଯେ ସାଧାରଣ ସ୍ତ୍ରୀ ବୋଲି ଭାବି ମୋ’ ପ୍ରତି କାମାଶକ୍ତ ହୁଏ, ତାକୁ ମୋର ସ୍ୱାମୀମାନେ ସଂହାର କରିଥାନ୍ତି । ମୋର ସ୍ୱାମୀମାନେ ବର୍ତ୍ତମାନ ବିଶେଷ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଥିବାରୁ, ମୁଁ ଆପଣଙ୍କ ନିକଟରେ ଆଶ୍ରୟପ୍ରାର୍ଥନୀ ହୋଇଅଛି ।’’

 

ଦ୍ରୌପଦୀଙ୍କର କଥା ଶୁଣି ସୁଦେଷ୍ଣା ବାଧ୍ୟ ହୋଇ ଦ୍ରୌପଦୀଙ୍କୁ ରାଜ ଅନ୍ତଃପୁରରେ ସ୍ଥାନ ଦେଲେ । ଏହିପରି ଭାବରେ ପାଣ୍ଡବ ଓ ଦ୍ରୌପଦୀ ବିରାଟ ରାଜପ୍ରାସାଦରେ ଦାଶମାସ କାଳ ଅତିବାହିତ କରିବା ପରେ, ଦିନେ ରାଣୀ ସୁଦେଷ୍ଣାଙ୍କର ଭାଇ କୀଚକ ଦ୍ରୌପଦୀଙ୍କୁ ଦର୍ଶନ କରି ଅସହ୍ୟ କାମପୀଡ଼ା ଅନୁଭବ କଲେ ଓ ସୁଦେଷ୍ଣାଙ୍କୁ କହିଲେ, ‘‘ମୁଁ ଏପରି ସୁନ୍ଦରୀ ରମଣୀ ଦେଖି ନାହିଁ । ମଦର ଗନ୍ଧ ଯେପରି ଲୋକକୁ ଉନ୍ମାଦିତ କରେ, ଏହି ରମଣୀ ତା’ର ଅଙ୍ଗଲାବଣ୍ୟରେ ମୋତେ ସେହିପରି ପ୍ରଲୋଭିତ କରି ଅଛି । ଏପରି ସୁନ୍ଦରୀକୁ ପରିଚାରିକା କାର୍ଯ୍ୟରେ ନିଯୁକ୍ତ କରି, ଠିକ୍‌ କରିନାହିଁ । ମୁଁ ତାକୁ ବିବାହ କରିବି ।’’ ଏହା କହି ଦ୍ରୌପଦୀଙ୍କୁ କହିଲେ, ‘‘ହେ ସର୍ବାଙ୍ଗସୁନ୍ଦରୀ, ତୁମକୁ ଦେଖିବାବେଳୁ ମୁଁ କାମପୀଡ଼ାରେ ବିଶେଷ ଭାବରେ ବ୍ୟଥିତ ହେଉଅଛି । ତୁମେ ଶୀଘ୍ର ମୋ’ ହସ୍ତରେ ନିଜକୁ ସମର୍ପଣ କରି ମୋର କାମପୀଡ଼ା ଶାନ୍ତ କର । ପରିଚାରିକା ଭାବରେ କାର୍ଯ୍ୟ କରି ନିଜର ଏହି ନବୀନ ରୂପ ଯୌବନକୁ ନଷ୍ଟ କର ନାହିଁ ।’’

 

ଦ୍ରୌପଦୀ କହିଲେ, ‘‘ମୁଁ ଜଣେ ସାମାନ୍ୟ କେଶବନ୍ଧନକାରିଣୀ ସୈରିନ୍ଧ୍ରୀ, ଅତି ନୀଚକୁଳରେ ଜାତ ହୋଇଅଛି; ତେଣୁ ମୁଁ ଆପଣଙ୍କର ପ୍ରାର୍ଥନୀୟା ହେବାର ଅନୁପଯୁକ୍ତା । ତା’ଛଡ଼ା ମୁଁ ଅନ୍ୟର ପତ୍ନୀ ହୋଇଥିବାରୁ ମୋ’ ପ୍ରତି ଆପଣଙ୍କର ଏପରି ଆସକ୍ତ ହେବା ଉଚିତ ନୁହେଁ ।’’

 

କୀଚକ କହିଲେ, ‘‘ମୁଁ ଏ ସମୁଦାୟ ରାଜ୍ୟର ସମ୍ରାଟ ଓ ମହାପରାକ୍ରମଶାଳୀ । ରୂପ, ଯୌବନ, ଧନ ସମ୍ପତ୍ତି ଓ ସୌଭାଗ୍ୟରେ ମୋ’ ଠାରୁ ବଡ଼ କେହି ନାହିଁ । ମୁଁ ଥାଉଁ ଥାଉଁ ତୁମର ଏପରି ଦାସ୍ୟବୃତ୍ତି ଅବଲମ୍ବନ କରିବାର ପ୍ରୟୋଜନ ନାହିଁ । ମୋର ଅଭିଳାଷ ପୂର୍ଣ୍ଣ କରି ଏ ସମସ୍ତ ରାଜସୁଖ ଉପଭୋଗ କର ।’’

 

ଦ୍ରୌପଦୀ କହିଲେ, ‘‘ମୋ ସମ୍ପର୍କରେ ଏପରି ପାପଚିନ୍ତା ମନରେ ପୋଷଣ କରନ୍ତୁ ନାହିଁ-। ମୋର ସ୍ୱାମୀମାନେ ସଦା ସର୍ବଦା ମୋତେ ରକ୍ଷା କରୁଅଛନ୍ତି । ସେ ଜାଣିବା ମାତ୍ରେ ଆପଣଙ୍କୁ ନିଶ୍ଚୟ ସଂହାର କରିବେ । ତେଣୁ ଏପରି ପାପଚିନ୍ତା ମନରେ ପୋଷଣ କରି ନିଜ ଅକାଳ ମୃତ୍ୟୁର କାରଣ ହୁଅନ୍ତୁ ନାହିଁ । ଏହା କହି ଦ୍ରୌପଦୀ ଅନ୍ୟତ୍ର ଚାଲିଗଲେ ।

 

ସୁଦେଷ୍ଣାଙ୍କୁ ଗୋପନରେ କୀଚକ କହିଲେ, ‘‘ଏହି ସୈରିନ୍ଧ୍ରୀ ଯେପରି ମୋ ପ୍ରତି ଆକୃଷ୍ଟ ହୁଏ, ସେ ଦିଗରେ ଦୃଷ୍ଟି ଦିଅ । ସୈରନ୍ଧ୍ରୀକୁ ନ ପାଇଲେ ମୁଁ ଆତ୍ମଘାତୀ ହେବି ।’’

 

ସୁଦେଷ୍ଣା କହିଲେ, ‘‘ତୁମେ ପର୍ବ ଉପଲକ୍ଷେ ବିଭିନ୍ନ ପ୍ରକାରର ସୁରା ଆଦି ପ୍ରସ୍ତୁତ କର; ସୁରା ଆଣିବା ପାଇଁ ମୁଁ ସୈରନ୍ଧ୍ରୀକୁ ତୁମ ଘରକୁ ପଠାଇବି । ସେହି ନିରୋଳାରେ ସୈରିନ୍ଧ୍ରୀକୁ ପ୍ରଲୋଭନ ଦେଖାଇଲେ ସେ ହୁଏତ ତୁମ ପ୍ରସ୍ତାବରେ ଆପତ୍ତି କରିବ ନାହିଁ ।’’

 

ସୁଦେଷ୍ଣାଙ୍କ ପରାମର୍ଶ ଅନୁସାରେ କୀଚକ ଏକ ଭୋଜିର ଆୟୋଜନ କରି ସୁରା ଆଦି ପ୍ରସ୍ତୁତ କଲେ ଓ ସୁଦେଷ୍ଣାଙ୍କୁ ସମ୍ବାଦ ଦେଲେ ।

 

ସୈରନ୍ଧ୍ରୀକୁ ଆହ୍ୱାନ କରି ସୁଦେଷ୍ଣା କହିଲେ, ‘‘ସୈରିନ୍ଧ୍ରୀ, ମୁଁ ସୁରାପାନ ପାଇଁ ବିଶେଷ ଆଶାୟୀ ହୋଇଅଛି । ତେଣୁ ତୁମେ କୀଚକର ଘରକୁ ଯାଇ ସୁରା ନେଇ ଆସ ।’’

 

ଦ୍ରୌପଦୀ କହିଲେ, ‘‘ମହାରାଣୀ ! ମୋ’ ସମ୍ପର୍କରେ ପାପାତ୍ମା ନିର୍ଲଜ୍ଜ କୀଚକର ମନୋଭାବ ବିଷୟ ତ ଆପଣଙ୍କୁ ଅଗୋଚର ନୁହେଁ; ତେଣୁ ମୁଁ ଏକାକିନୀ ତାଙ୍କ ଘରକୁ କିପରି ଯିବି; ବରଂ ଅନ୍ୟ କୌଣସି ପରିଚାରିକା ଦ୍ୱାରା ସୁରା ମଗାଇ ଆଣନ୍ତୁ ।’’

 

ସୁଦେଷ୍ଣା କହିଲେ, ‘‘ମୁଁ ଯେତେବେଳେ ତୁମ୍ଭକୁ ପଠାଉଛି, ସେତେବେଳେ କୀଚକ ତୁମର କୌଣସି ଅନିଷ୍ଟ କରିବାକୁ ସାହସ କରିବ ନାହିଁ ।’’ ଏହା କହି ସୁଦେଷ୍ଣା ଗୋଟିଏ ହିରଣ୍ମୟ ପାତ୍ର ଦ୍ରୌପଦୀଙ୍କ ହାତକୁ ବଢ଼ାଇଦେଲେ । ଅଗତ୍ୟା ଦ୍ରୌପଦୀଙ୍କୁ କୀଚକର ଘରକୁ ଯିବାକୁ ପଡ଼ିଲା ।

 

ଦ୍ରୌପଦୀଙ୍କୁ ଦେଖି କୀଚକ କହିଲେ, ‘‘ନିତମ୍ବିନୀ ! ଆଜି ମୋର ବଡ଼ ସୌଭାଗ୍ୟ । ଆସ, ତୁମପାଇଁ ମୁଁ ଗୋଟିଏ ପରମ ସୁକୋମଳ ଶଯ୍ୟା ପ୍ରସ୍ତୁତ କରିଅଛି । କାଳ ବିଳମ୍ବ ନ କରି ଚାଲ ସେହିଠାରେ ବସି ପ୍ରମୋଦ କ୍ରୀଡ଼ା କରିବା ।’’

 

ଦ୍ରୌପଦୀ କହିଲେ, ‘‘ଆପଣଙ୍କ ଗୃହରୁ ସୁରା ନେବାପାଇଁ ମହାରାଣୀ ମୋତେ ପଠାଇଅଛନ୍ତି ।’’

 

ଭଲ କଥା । ଅନ୍ୟ ଜଣେ ଦାସୀ ହାତରେ ମୁଁ ସୁରା ପଠାଇ ଦେଉଅଛି କହି ଦ୍ରୌପଦୀଙ୍କ ଦକ୍ଷିଣ ହସ୍ତକୁ କୀଚକ ଧରି ପକାଇଲା । ନିଜର ହାତକୁ ଛିଞ୍ଚିଡ଼ି ନେଇ ଦ୍ରୌପଦୀ କହିଲେ, ପାପିଷ୍ଠ ! ସ୍ୱାମୀ ଭିନ୍ନ ଅନ୍ୟ ପୁରୁଷର ଚିନ୍ତା ମୋ’ ମନକୁ ଆଜି ପର୍ଯ୍ୟନ୍ତ ସ୍ପର୍ଶ କରିନାହିଁ । ସେହି ପୁଣ୍ୟ ଫଳ ହିଁ ତୋର ବିନାଶର କାରଣ ହେବ ।’’ ଦ୍ରୌପଦୀଙ୍କ କଥାପ୍ରତି କର୍ଣ୍ଣପାତ ନ କରି କୀଚକ ଦ୍ରୌପଦୀଙ୍କ ଲୁଗାକୁ ଧରି ପକାଇବାରୁ, କୌଣସି ପ୍ରକାରେ କୀଚକର ଆକ୍ରମଣରୁ ନିଜକୁ ମୁକ୍ତ କରି ଆତ୍ମରକ୍ଷା କରିବା ଉଦ୍ଦେଶ୍ୟରେ ଦ୍ରୌପଦୀ ଦ୍ରୁତ ଗତିରେ ରାଜସଭା ଆଡ଼କୁ ଦୌଡ଼ିଗଲେ । କୀଚକ ମଧ୍ୟ ଦ୍ରୌପଦୀଙ୍କୁ ଅନୁସରଣ କରି ରାଜସଭା ମଧ୍ୟକୁ ଆସି ଦ୍ରୌପଦୀଙ୍କ ମସ୍ତକର କେଶକୁ ଆକର୍ଷଣ କରି ତାଙ୍କୁ ତଳେ ପକାଇଦେଲା, ଗୋଇଠା ମାଇଲା । ସଭାରେ ସେହି ସମୟରେ ଯୁଧିଷ୍ଠିର ଓ ଭୀମସେନ ଉପସ୍ଥିତ ଥିଲେ । ଦ୍ରୌପଦୀଙ୍କ ପ୍ରତି କୀଚକର ଏପରି ଅସୌଜନ୍ୟସୂଚକ ବ୍ୟବହାର ଦେଖି ଭୀମସେନ କ୍ରୋଧାନ୍ୱିତ ହୋଇଉଠିଲେ । କୀଚକର ବ୍ୟବହାରରେ ଯୁଧିଷ୍ଠିର ମର୍ମାହତ ହୋଇଥିଲେ ମଧ୍ୟ କ୍ରୋଧାନ୍ୱିତ ଭୀମସେନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ, ‘‘ବଲ୍ଲଭ, ତୁମେ କାଠ ପାଇଁ ଯାଉଥିଲ, ଯାଅ । ତୁମର ଏଠାରେ ରହିବାର ଆଉ କିଛି ପ୍ରୟୋଜନ ନାହିଁ ।’’ ଏକବର୍ଷ ଅଜ୍ଞାତବାସ ପୂର୍ଣ୍ଣ ହେବାକୁ ଆଉ ଅଳ୍ପଦିନ ବାକି ଅଛି; କାଳେ କୀଚକକୁ ଶାସ୍ତି ଦେବାକୁ ଯାଇ ଭୀମସେନ ନିଜର ଓ ଭାଇମାନଙ୍କ ପ୍ରକୃତ ପରିଚୟ ଉଦ୍‌ଘାଟିତ କରିବସିବେ, ଏହି ଆଶଙ୍କାରେ ଯୁଧିଷ୍ଠିର ଭୀମସେନଙ୍କୁ ପ୍ରକାରାନ୍ତରେ ନିବାରଣ କରିବା ଉଦ୍ଦେଶ୍ୟରେ ଏପରି କହିଲେ । ଭୀମସେନ ମଧ୍ୟ ଯୁଧିଷ୍ଠିରଙ୍କ ନିର୍ଦ୍ଧେଶାନୁସାରେ ସଭାକକ୍ଷ ତ୍ୟାଗକରି ଅନ୍ୟତ୍ର ଚାଲିଗଲେ ।

 

ବିରାଟ ରାଜାଙ୍କୁ ସମ୍ବୋଧନ କରି ଦ୍ରୌପଦୀ କହିଲେ, ‘‘ମହାରାଜ, ମହାକ୍ରମଶାଳୀ ଗନ୍ଧର୍ବମାନଙ୍କର ମୁଁ ପତ୍ନୀ ହୋଇ ମଧ୍ୟ ମୋତେ ଆଜି କୀଚକର୍ତ୍ତୃକ ଏପରି ଅପମାନିତା ହେବାକୁ ପଡ଼ିଲା, ଏହା ବଡ଼ ଦୁଃଖର କଥା । ଆପଣଙ୍କ ପରି ଧର୍ମପରାୟଣ ରାଜାଙ୍କ ସମ୍ମୁଖରେ ମୋପରି ଜଣେ ନିରପରାଧିନୀ ଅବଳା ପ୍ରତି ଅତ୍ୟାଚାର କରାଯାଇଥିଲେ ମଧ୍ୟ ଆପଣ ନୀରବ ରହୁଛନ୍ତି । ନିଜର ପ୍ରିୟତମାର ଏପରି ଦୁର୍ଦ୍ଦଶା ଦେଖି ମଧ୍ୟ ମୋର ସ୍ୱାମୀମାନେ ଯେ କାହିଁକି ନୀରବ ରହିଛନ୍ତି, ମୁଁ ବୁଝିପାରୁ ନାହିଁ ।’’

 

ବିରାଟ କହିଲେ, ‘‘ତୁମପ୍ରତି କୀଚକର ଏପରି ବ୍ୟବହାର ନିଶ୍ଚୟ ପରିତାପର ବିଷୟ । କିନ୍ତୁ ଘଟଣାର ଆଦ୍ୟପ୍ରାନ୍ତ କିଛି ନ ବୁଝି କ’ଣ ବିଚାର କରିବି ?’’

 

ଦ୍ରୌପଦୀଙ୍କୁ ସମ୍ବୋଧନ କରି ଯୁଧିଷ୍ଠିର କହିଲେ, ‘‘ସୈରନ୍ଧ୍ରୀ, ତୁମେ ବର୍ତ୍ତମାନ ଅନ୍ତଃପୁରକୁ ଯାଅ । ବୀରପତ୍ନୀମାନେ ପ୍ରଥମେ ଦୁଃଖପ୍ରାପ୍ତ ହୋଇ ପରେ ସୁଖଲାଭ କରିଥାନ୍ତି । ବୋଧହୁଏ ତୁମର ସ୍ୱାମୀ ମାନଙ୍କର କ୍ରୋଧ ପ୍ରକାଶର ଓ ପ୍ରତିଶୋଧ ନେବାର ସମୟ ଉପସ୍ଥିତ ହୋଇନାହିଁ । ପ୍ରତିଶୋଧ ନେବାର ସମୟ ଉପସ୍ଥିତ ହେଲେ ସେମାନେ ଯଥାକାଳରେ ନିଶ୍ଚୟ ଶତ୍ରୁସଂହାର କରିବେ ।

 

ରୋଷକଷାୟିତ ଲୋଚନ ଓ ମୁକୁଳିତ କେଶ ଧାରଣ କରି ଦ୍ରୌପଦୀ ସଭାକକ୍ଷ ତ୍ୟାଗ କରି ଚାଲି ଆସିଲେ ସତ, କିନ୍ତୁ କୀଚକ ଉପରେ ଏହି ଅପମାନ ଓ ଲାଞ୍ଛନାର ପ୍ରତିଶୋଧ ସେ କିପରି ଭାବରେ ନେଇ ପାରିବେ, ସେଥିପାଇଁ ଚିନ୍ତା କରିବାକୁ ଲାଗିଲେ । ପରେ ରାତି ଗଭୀର ହେବାରୁ ଗୋପନରେ ଭୀମସେନଙ୍କ ନିକଟକୁ ଗଲେ । ଭୀମସେନ ସେତେବେଳେ ନିଦ୍ରିତ ଥିଲେ; ତେଣୁ ତାଙ୍କର ନିଦ୍ରା-ଅଚେତନ ଶରୀରକୁ ଆଲିଙ୍ଗନ କରି ଦ୍ରୌପଦୀ କହିଲେ, ‘‘ସ୍ୱାମୀ, ଉଠ ! ବଡ଼ ଆଶ୍ଚର୍ଯ୍ୟ କଥା, ଶତ୍ରୁଦ୍ୱାରା ମୁଁ ଲାଞ୍ଛିତା ଓ ଅପମାନିତା ହୋଇଥିବା କଥା ଜାଣି ମଧ୍ୟ ଆପଣ କିପରି ସୁଖରେ ନିଦ୍ରା ଯାଇପାରିଲେ ? ପାପାତ୍ମା କୀଚକ ଆପଣଙ୍କର ଏହି ପ୍ରିୟ ପତ୍ନୀକୁ ଅପମାନିତା କରି ଏବେ ମଧ୍ୟ ଜୀବିତ ରହିଅଛି । ରାଜନନ୍ଦିନୀ ଓ ବୀରମାନଙ୍କର ପତ୍ନୀ ହୋଇମଧ୍ୟ ମୋର ନିର୍ଯ୍ୟାତନାର ଶେଷ ନାହିଁ । ଦୁର୍ଯ୍ୟୋଧନର ରାଜସଭାରେ ମୋତେ ’ଦାସୀ’ ବୋଲି କହି ନାନା ଭାବରେ ନିର୍ଯ୍ୟାତିତ କରାଯାଇଅଛି, ଅରଣ୍ୟରେ ଜୟଦ୍ରଥ ମୋତେ ଲାଞ୍ଛିତା କରିଥିଲା; ଆଜି ପୁଣି ଏହି ବିରାଟ ରାଜପ୍ରାସାଦରେ, ଏପରି କି ରାଜାଙ୍କ ସମ୍ମୁଖରେ ମୋତେ ପଦାଘାତ କରିଅଛି ଏବଂ ମୋର ସତୀତ୍ୱକୁ ନଷ୍ଟ କରିବାକୁ ବସିଅଛି । ଏପରି ସମୟରେ ଆପଣ ଯଦି ମୋର ଦୁଃଖର ପ୍ରତିବିଧାନ ନ କରନ୍ତି, ତେବେ ମୋର ଏହି ଚିର କ୍ଲେଶଦଗ୍ଧ ଜୀବନକୁ ଧାରଣ କରିବାର ଆଉ ପ୍ରୟୋଜନ କ’ଣ ? ଦୁଷ୍ଟମତି କୀଚକ ବିରାଟ ରାଜାଙ୍କର ଶ୍ୟାଳକ ଓ ସେନାପତି ବୋଲି ସିନା ଆଜି ମୋ’ ପ୍ରତି ଏପରି ଅସଦାଚରଣ ପ୍ରଦର୍ଶନ କରିବାକୁ ସାହାସୀ ହୋଇଅଛି ! ପାଞ୍ଚଜଣ ଧନୁର୍ଦ୍ଧର ମହାବୀରଙ୍କୁ ସ୍ୱାମୀ ଭାବରେ ଲାଭ କରି ମଧ୍ୟ ହିଁ ଆଜି ଅନାଥା । ଯେଉଁମାନେ ଦିନେ ରାଜସମ୍ପଦ ମଧ୍ୟରେ ଇନ୍ଦ୍ରତୁଲ୍ୟ ଶୋଭମାନ ଥିଲେ, ଆଜି ସେମାନଙ୍କୁ ବିରାଟ ରାଜପ୍ରସାଦରେ ନୀଚକର୍ମ କରୁଥିବାର ଦେଖିଦେଖି ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି । ସ୍ୱାମୀମାନେ କର୍ମଚାରୀ ଭାବରେ ବାସ କରୁଥିବାରୁ ଏଠାରେ ମୋତେ ସୈରିନ୍ଧ୍ରୀ ସାଜି ରହିବାକୁ ପଡ଼ିଲା ଏବଂ ସେଥିପାଇଁ ଦୁର୍ମତି କୀଚକ ହସ୍ତରେ ମୋର ଏ ଦୁର୍ଦ୍ଦଶା । ବୋଧହୁଏ ପୂର୍ବେ ମୁଁ ଦେବତାମାନଙ୍କ ନିକଟରେ କିଛି ଅପରାଧ କରିଥିଲି, ତା’ର ଫଳ ସ୍ୱରୂପ ମୋତେ ଏତେ ଦୁଃଖ ନିର୍ଯ୍ୟାତନା ଲାଭକରି ବଞ୍ଚି ରହିବାକୁ ପଡ଼ୁଛି ।’’ ଏହା କହି ଦ୍ରୌପଦୀ କ୍ରନ୍ଦନ କରିବାକୁ ଲାଗିଲେ ।

 

ଭୀମସେନ ପତ୍ନୀଙ୍କୁ ଆଶ୍ୱାସନା ଓ ଆଦର ଦେଇ କହିଲେ, ‘‘ପ୍ରିୟେ, ତୁମକୁ ଏପରି ଦୁର୍ଦ୍ଦଶାଗ୍ରସ୍ତ ହେବାର ଦେଖିବାପରେ ମୋର ବାହୁବଳକୁ ଓ ଅର୍ଜ୍ଜୁନର ଗାଣ୍ଡୀବକୁ ଧିକ୍‌ ! ସତ୍ୟସନ୍ଧ ମହାରାଜ ଯୁଧିଷ୍ଠିର ଅଜ୍ଞାତବାସର ପରିପୂର୍ତ୍ତି ନିମନ୍ତେ ସମୟର ପ୍ରତିକ୍ଷା କରୁଅଛନ୍ତି, ନଚେତ୍‌ ତୁମକୁ କୀଚକ ପଦାଘାତ କଲାବେଳେ ବିରାଟ ରାଜସଭା ମଧ୍ୟରେ ତୁମୁଳ ସଂଗ୍ରାମ ସୃଷ୍ଟି କରି ଐଶ୍ୱର୍ଯ୍ୟମଦମତ୍ତ କୀଚକର ମସ୍ତକକୁ ସେଇଠି ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେଇଥାନ୍ତି । ଯାଜ୍ଞସେନୀ ! ବର୍ତ୍ତମାନ ଆମେ ରାଜ୍ୟଚ୍ୟୁତ ଓ ଅନ୍ୟ ପକ୍ଷରେ ପାପାତ୍ମା କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ ଓ ଦୁଃଶାସନ ପ୍ରମୁଖ ଏବେ ବି ଜୀବିତ । ଏହି ଦୁଇଟି ବିଷୟ ଦୁଇ ସୁତୀକ୍ଷ୍‌ଣ ଶଲ୍ୟ ପରି ମୋର ହୃଦୟକୁ ସଦା ସର୍ବଦା ବ୍ୟଥିତ କରୁଅଛି । ତେଣୁ ତୁମେ କ୍ରୋଧ ପରିତ୍ୟାଗ କରି ଧର୍ମକୁ ଆଶ୍ରୟ କରି ଅପେକ୍ଷା କର । କଲ୍ୟାଣି ! ଚ୍ୟବନଙ୍କ ପତ୍ନୀ ସୁକନ୍ୟା, ଜନକ ଦୁହିତା ସୀତା, ଅଗସ୍ତ୍ୟଙ୍କ ପତ୍ନୀ ଲୋପାମୁଦ୍ରା ଓ ସତ୍ୟବାନଙ୍କ ପତ୍ନୀ ସାବିତ୍ରୀଙ୍କ ପରି ସ୍ୱାମୀ ଅନୁଗାମିନୀ ପତିବ୍ରତା ତୁମେ । ତୁମେ ମଧ୍ୟ ସର୍ବଗୁଣସମ୍ପନ୍ନା । ମାତ୍ର ପନ୍ଦରଦିନ ପରେ ଅଜ୍ଞାତବାସ ପୂର୍ଣ୍ଣ ହେବ । ତା’ପରେ ତୁମେ ରାଜମହିଷୀ ହେବ, ତେଣୁ ଅଳ୍ପ ସମୟ ପାଇଁ ଧୈର୍ଯ୍ୟହରା ହୁଅନାହିଁ ।’’

 

ଦ୍ରୌପଦୀ କହିଲେ, ‘‘ସ୍ୱାମୀ ! ମୁଁ ବୁଝିଛି, ଅଜ୍ଞାତବାସକୁ ସଫଳ କରିବାକୁ ହେଲେ, ପତ୍ନୀର ଜୀବନ ଓ ସମ୍ମାନ ରକ୍ଷା ସମ୍ଭବ ନୁହେଁ; କାରଣ ଏହି ପନ୍ଦରଦିନ ମଧ୍ୟରେ ପାପାତ୍ମା କୀଚକ ଯେ ନିଶ୍ଚୟ କିଛି ନା କିଛି ଅଘଟଣ ଘଟାଇଥିବ, ଏଥିରେ ସନ୍ଦେହ ନାହିଁ । ପତ୍ନୀର ସମ୍ମାନ ଓ ଜୀବନ ରକ୍ଷା କରିବାକୁ ଗଲେ ଅଜ୍ଞାତବାସର ଗୋପନୀୟତା ବିପନ୍ନ ହୋଇପାରେ; କିନ୍ତୁ ଶାସ୍ତ୍ରକାର କହି ଅଛନ୍ତି ଯେ, ପତ୍ନୀକୁ ରକ୍ଷା କଲେ, ପୁତ୍ରକୁ ରକ୍ଷା କରାଯାଏ, ଏବଂ ପୁତ୍ରକୁ ରକ୍ଷାକଲେ ଆତ୍ମା ରକ୍ଷିତ ହୁଏ; କାରଣ ଆତ୍ମା ହିଁ ପୁତ୍ର ରୂପରେ ପତ୍ନୀର ଗର୍ଭରୁ ଜନ୍ମିଥାଏ ଏବଂ ସେଥିପାଇଁ ପତ୍ନୀର ଅନ୍ୟ ନାମ ଜାୟା । ପତ୍ନୀର ପ୍ରାଣରକ୍ଷା ସର୍ବାଦୌ କର୍ତ୍ତବ୍ୟ । ପୂର୍ବେ ଯେପରି ଜୟଦ୍ରଥ ହସ୍ତରୁ ମୋତେ ଆପଣ ରକ୍ଷା କରିଥିଲେ, ଆଜି ମୁଁ ଚାହେଁ ସେହିପରି କୀଚକକୁ ସଂହାର କରି ମୋତେ ରକ୍ଷା କରନ୍ତୁ । କୀଚକକୁ ଯଦି ସଂହାର ନ କରନ୍ତି, ତେବେ ସେହି ଦୁରାତ୍ମା ନିଶ୍ଚୟ ମୋତେ ଅପମାନିତ କରିବ । ତେଣୁ ମୋ’ ବିଚାରରେ କୀଚକ ଦ୍ୱାରା ଲାଞ୍ଛିତା ହେବା ଅପେକ୍ଷା ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ପ୍ରାଣତ୍ୟାକ କରିବା ମୋ’ ପକ୍ଷରେ ଶ୍ରେୟସ୍କର ।’’

 

ରୋରୁଦ୍ୟମାନା ପ୍ରିୟତମା ପତ୍ନୀ ଦ୍ରୌପଦୀଙ୍କୁ ଆଲିଙ୍ଗନ ଓ ତାଙ୍କ ନୟନରୁ ଅଶ୍ରୁମାର୍ଜନ କରି ଭୀମସେନ କହିଲେ, ‘‘ଯାଜ୍ଞାସେନି ! ତୁମ କଥାନୁସାରେ ମୁଁ କୀଚକକୁ ସଂହାର କରିବି । ବିରାଟ ରାଜାଙ୍କର ନୃତ୍ୟଶାଳା ରାତ୍ରିକାଳରେ ନିର୍ଜନ ଥାଏ ସେହି ସମୟରେ ଏହି ନୃତ୍ୟଶାଳାରେ କୀଚକ ସହ ତୁମର ମିଳନ ହେବ ବୋଲି କୀଚକକୁ ଯାଇ କାଲି କୁହ, କିନ୍ତୁ ସାବଧାନ ଏ କଥାର ବିନ୍ଦୁବିସର୍ଗ ଯେପରି ଅନ୍ୟ କେହି ଜାଣିବାକୁ ନ ପାଆନ୍ତି ।’’

 

ତହିଁ ପରଦିନ ପ୍ରଭାତରେ ଦ୍ରୌପଦୀଙ୍କୁ ଦେଖି କୀଚକ କହିଲା, ‘‘ନୀତମ୍ବିନି ! କାଲି ରାଜାଙ୍କ ସମ୍ମୁଖରେ ତୁମକୁ ପଦାଘାତ କରିଥିଲେ ମଧ୍ୟ, ରାଜା ତୁମକୁ ରକ୍ଷା କରିପାରିଲେ ନାହିଁ । ଏହି ମତ୍ସ୍ୟ ଦେଶରେ ବିରାଟ ନାମକୁ ମାତ୍ର ରାଜା ହୋଇଛନ୍ତି ସିନା, ମାତ୍ର ରାଜ୍ୟର ସମସ୍ତ ଅଧିକାର ଓ କ୍ଷମତା’ର ପ୍ରକୃତ ଅଧିକାରୀ ମୁଁ । ତେଣୁ ହେ ସୁନ୍ଦରି, ମୋ’ ପ୍ରତି ପ୍ରସନ୍ନ ହୁଅ । ତୁମେ ମୋର ପ୍ରଣିୟିନୀ ହେଲେ ଯାବଜ୍ଜୀବନ ମୁଁ ତୁମର ଦାସ ହୋଇରହିବି ।’’

 

ଦ୍ରୌପଦୀ କହିଲେ, ‘‘କୀଚକ ! ମୁଁ ତୁମର ପ୍ରସ୍ତାବ ଗ୍ରହଣ କରୁଛି । ହେଲେ ଏକଥା ଯେପରି ଆମ ଦୁହିଙ୍କ ଛଡ଼ା ଅନ୍ୟ କେହି ନ ଜାଣନ୍ତି, କାରଣ ମୋର ଗନ୍ଧର୍ବ ସ୍ୱାମୀମାନେ ଏ କଥା ଜାଣିବାକୁ ପାଇଲେ ବଡ଼ ଅନିଷ୍ଟ ହେବ । ରାଜାଙ୍କର ଏହି ନବନିର୍ମିତ ନୃତ୍ୟଶାଳା ସାଧାରଣତଃ ରାତ୍ରି ସମୟରେ ନିର୍ଜନ ଥାଏ । ପୂର୍ବରୁ ମୁଁ ଯାଇ ସେଠାରେ ତୁମକୁ ଅପେକ୍ଷା କରିଥିବି, ସେହି ସମୟରେ ତୁମେ ସେଠାକୁ ଯାଇ ମୋ’ ସହ ମିଳିତ ହେବ ।’’

 

କୀଚକ ସହ ସଙ୍କେତ ସ୍ଥଳ ସ୍ଥିର କରି ଭୀମସେନଙ୍କୁ ସବୁ କଥା ଦ୍ରୌପଦୀ ଜଣାଇ କହିଲେ, ‘‘ଆପଣ ଯେପରି ଅତି ଗୋପନୀୟତା ସହକାରେ କୀଚକକୁ ସଂହାର କରିବେ । କୀଚକକୁ ମାରିବାକୁ ଯାଇ ଯେପରି ଅଜ୍ଞାତ ବାସରେ କୌଣସି ବିଘ୍ନ ନ ଘଟେ, ସେଥିପ୍ରତି ସଚେତନ ଥିବେ ।’’

 

ରାତ୍ରି ହେବାମାତ୍ରେ ଭୀମସେନ ପୂର୍ବରୁ ଯାଇ ନୃତ୍ୟଶାଳାରେ ପଡ଼ିଥିବା ଏକ ସୁନ୍ଦର ଶଯ୍ୟାରେ ଶୋଇପଡ଼ି କୀଚକକୁ ଅପେକ୍ଷା କରି ରହିଲେ । ଏଣେ ଦ୍ରୌପଦୀଙ୍କଠାରୁ ବିଦାୟ ନେଇ ଅତିମାତ୍ରାରେ କାମ ଜର୍ଜରିତ ହୋଇ କୀଚକ ନାନାଦି ବେଶଭୂଷାରେ ସଜ୍ଜିତ ହୋଇ ଅତି ବ୍ୟାକୁଳ ମନରେ ଦିନ ଗଡ଼ିଯାଇ କିପରି ରାତି ହେବ, ସେହି ଅପେକ୍ଷାରେ ରହିଲେ । ରାତି ହେବାମାତ୍ରେ ନୃତ୍ୟଶାଳା ମଧ୍ୟରେ ପ୍ରବେଶ କଲେ । ପୂର୍ବରୁ ଭୀମସେନ ପଲଙ୍କରେ ଶୋଇଥିଲେ । କାମାତୁର କୀଚକ ସେହି ଅନ୍ଧକାର ମଧ୍ୟରେ ଭୀମସେନଙ୍କୁ ସୁନ୍ଦରୀ ସୈରିନ୍ଧ୍ରୀ ବୋଲି ଭାବି ଆଲିଙ୍ଗନ କରି କହିଲେ, ‘ପ୍ରିୟେ,ମୋର ଅନ୍ତଃପୁରର ରମଣୀମାନେ ମୋ’ ରୂପର ପ୍ରଶଂସା କରୁଥିଲେ ମଧ୍ୟ, ତୁମ ପାଇଁ ସେମାନଙ୍କୁ ପରିତ୍ୟାଗ କରି ଏଠାକୁ ଆସିଅଛି ?’’

 

ଭୀମସେନ ଶଯ୍ୟାରୁ ଉଠିପଡ଼ି କହିଲେ, ‘‘ଦୁରାତ୍ମା, ସିଂହ ଯେପରି ହସ୍ତୀକୁ ବିନାଶ କରେ, ସେହିପରି ତୋତେ ମୁଁ ଆଜି ସଂହାର କରିବି । ତୋର ମୃତ୍ୟୁ ଘଟିଲେ ସୈରିନ୍ଧ୍ରୀ ନିରାପଦ ହେବ ଓ ତା’ର ସ୍ୱାମୀମାନେ ଶାନ୍ତିରେ ବାସ କରିବେ ।’’ ଏହାପରେ କୀଚକ ସହ ଭୀମସେନଙ୍କର ପ୍ରବଳ ଦ୍ୱନ୍ଦ-ଯୁଦ୍ଧ ଆରମ୍ଭ ହୋଇଗଲା । କୀଚକ ପରାକ୍ରମୀ ଥିଲା ସତ, ମାତ୍ର ବଳରେ ଭୀମସେନ କୀଚକକୁ ଅତିକ୍ରମ କରି ତାକୁ ସଂହାର କଲେ ଓ ନିଜର ମୁଷ୍ଟି ଦ୍ୱାରା କୀଚକର ହସ୍ତ ପଦ ମସ୍ତକ ଆଦିକୁ ଚୂର୍ଣ୍ଣ ବିଚୁର୍ଣ୍ଣ କରି, ମୃତ ଶରୀରକୁ ଏକ ବୃହଦାକାର ପେଣ୍ଡୁ ପରି କରି ନିକ୍ଷେପ କରିଦେଲେ-। ପରେ ନିଜର ଘରକୁ ଫେରି ଆସି ଶରୀରରେ ଲାଗିଥିବା ରକ୍ତ ଆଦି ପରିଷ୍କାର କରି ସ୍ନାନ କରିବା ପରେ ନିଶ୍ଚନ୍ତ ମନରେ ଶୋଇପଡ଼ିଲେ ।

 

ସକାଳେ ଦ୍ରୌପଦୀ ସମସ୍ତଙ୍କ କହିଲେ, ‘‘ମୋ ପ୍ରତି କାମଭାବ ପ୍ରକାଶ କରିବାରୁ ଦେଖନ୍ତୁ, ମୋର ଗନ୍ଧର୍ବ ସ୍ୱାମୀମାନେ କ୍ରୁଦ୍ଧ ହୋଇକିପରି କୀଚକକୁ ସଂହାର କରି ନୃତ୍ୟଶାଳାରେ ନିକ୍ଷେପ କରି ଅଛନ୍ତି ।’’ ଦ୍ରୌପଦୀଙ୍କ କଥା ଶୁଣି ଶହ ଶହ ବ୍ୟକ୍ତି ନୃତ୍ୟଶାଳାରେ ଏକତ୍ରିକ ହୋଇ ହସ୍ତପଦ ଓ ମସ୍ତକ ବିହୀନ କୀଚକର ମୃତ ଶରୀରକୁ ଦର୍ଶନ କଲେ । କୀଚକର ମୃତ୍ୟୁରେ ତା’ର ବନ୍ଧୁମାନେ ଏକାନ୍ତ ଶୋକାର୍ତ୍ତ ଓ ଦ୍ରୌପଦୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ କୀଚକର ଶବ ସହ ଦ୍ରୌପଦୀଙ୍କ ହସ୍ତପଦ ବନ୍ଧନ କରି କୀଚକର ଶବଯାନ ଉପରେ ଦ୍ରୌପଦୀଙ୍କୁ ବସାଇ ତାହାରି ଚିତାରେ ଦ୍ରୌପଦୀଙ୍କୁ ଭସ୍ମୀଭୂତ କରିବାକୁ ଶ୍ମଶାନ ଅଭିମୁଖେ ଯାତ୍ରା କଲେ । କୀଚକର ଜ୍ଞାତିବନ୍ଧୁମାନେ ଅତି ବଳଶାଳୀ ଥିବାରୁ ବିରାଟ ମଧ୍ୟ ଏପରି ଅନ୍ୟାୟ କାର୍ଯ୍ୟର ପ୍ରତିବାଦ କରିବାକୁ ସାହସ କଲା ନାହିଁ । ଦ୍ରୌପଦୀ ପ୍ରାଣ ଭୟରେ ଚିତ୍କାର କରି କାନ୍ଦି କାନ୍ଦି କହିବାକୁ ଲାଗିଲେ, ‘‘ହେ ମୋର ଗନ୍ଧର୍ବ ସ୍ୱାମୀମାନେ ! ମୋତେ ଜୀବନ୍ତ ଦଗ୍ଧ କରିବା ଉଦ୍ଦେଶ୍ୟରେ ଏମାନେ ମୋତେ ଶ୍ମଶାନକୁ ନେଇ ଯାଉ ଅଛନ୍ତି । ଏମାନଙ୍କୁ ଉପଯୁକ୍ତ ଶାସ୍ତି ଦେଇ ମୋତେ ରକ୍ଷା କର ।’’

 

ଭୀମ ଶୋଇଥିବା ଅବସ୍ଥାରେ ଦ୍ରୌପଦୀଙ୍କ ଏପରି କରୁଣ ଚିତ୍କାର ଶୁଣିବାକୁ ପାଇ ତତ୍‌କ୍ଷଣାତ୍‌ ଶଯ୍ୟା ପରିତ୍ୟାଗ କଲେ । ଭିନ୍ନ ପ୍ରକାରର ବେଶ ଧାରଣ କରି, ଅନ୍ୟ ଏକ ପଥ ଦେଇ ନଗରବାସୀଙ୍କ ଅଲକ୍ଷ୍ୟରେ ଶ୍ମଶାନ ଅଭିମୁଖେ ଅତି ଦ୍ରୁତଗତିରେ ଗମନ କଲେ ଏବଂ ଗୋଟାଏ ବିରାଟ ବୃକ୍ଷ ଉତ୍ପାଟନ କରି ଶବବାହକମାନଙ୍କ ଆଡ଼କୁ ଧାବମାନ ହେଲେ । ବୃକ୍ଷ ଧାରଣକାରୀ ଭୀମସେନଙ୍କୁ ସୈରନ୍ଧୀର ଗନ୍ଧର୍ବ ସ୍ୱାମୀ ବୋଲି ଅନୁମାନ କରି ଅତି ଭୟରେ କୀଚକର ବନ୍ଧୁମାନେ ଶବ ଯାନ ସହ ଦ୍ରୌପଦୀଙ୍କୁ ସେହିଠାରେ ପରିତ୍ୟାଗ କରି ପ୍ରାଣରକ୍ଷା ନିମନ୍ତେ ନଗର ଅଭିମୁଖେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଭୀମସେନଙ୍କର ଗତ ଅତି କ୍ଷିପ୍ର ଥିଲା । ସେ ନିମିଷକ ମଧ୍ୟରେ ଶବ ସହ ଆସିଥିବା କୀଚକର ବନ୍ଧୁମାନଙ୍କର ଗତିରୋଧ କରି ବୃକ୍ଷ ଦ୍ୱାରା ସେମାନଙ୍କୁ ପ୍ରହାର କରି ସଂହାର କଲେ । ପରେ ଦ୍ରୌପଦୀଙ୍କର ହସ୍ତପଦର ବନ୍ଧନର ଛିନ୍ନ କରିଦେଇ ଭୀମସେନ କହିଲେ, ‘‘ତୁମେ ବର୍ତ୍ତମାନ ନିଃଶଙ୍କଚିତ୍ତରେ ନଗରକୁ ଫେରି ଯାଅ । ମୁଁ ଅନ୍ୟ ପଥଦେଇ ଯାଉଅଛି ।’’

 

ଭିନ୍ନ ଭିନ୍ନ ପଥରେ ଦ୍ରୌପଦୀ ଓ ଭୀମସେନ ନଗରକୁ ଫେରି ଆସିଲେ ।

 

ଦ୍ରୌପଦୀଙ୍କର ମୁକ୍ତି ପରେ କୀଚକର ଜ୍ଞାତିମାନଙ୍କର ମୃତ୍ୟୁସମ୍ବାଦ ଚତୁର୍ଦ୍ଦଗରେ ବ୍ୟାପ୍ତ ହୋଇଗଲା । ସୈରିନ୍ଧ୍ରୀକୁ କେନ୍ଦ୍ର କରି ତା’ର ଗନ୍ଧର୍ବ ସ୍ୱାମୀମାନଙ୍କର ଏପରରି ଅଦ୍ଭୁତ ପରକ୍ରମ ସୂଚକ କାର୍ଯ୍ୟରେ ରାଜ ପରିବାର ତଥା ନଗରବାସୀମାନେ ଏକାନ୍ତ ଆଶ୍ଚର୍ଯ୍ୟନ୍ୱିତ ଓ ଭୟ ଶଙ୍କିତ ହୋଇପଡ଼ିଲେ । ସୁଦେଷ୍ଣାଙ୍କ ସହ ପରାମର୍ଶ କରି ସୈରିନ୍ଧ୍ରିକୁ ରାଜପ୍ରାସାଦରୁ ବିଦାୟ ଦେବାକୁ ବିରାଟ ରାଜା ସ୍ଥିର କଲେ । ଦ୍ରୌପଦୀ ରାଜ ଅନ୍ତଃପୁରେ ପ୍ରବେଶ କରିବା ମାତ୍ରେ ରାଣୀ ସୁଦେଷ୍ଣା କହିଲେ, ‘‘ସୈରିନ୍ଧ୍ରୀ ! ତୁମର ଗନ୍ଧର୍ବ ସ୍ୱାମୀମାନଙ୍କ କାର୍ଯ୍ୟରେ ମହାରାଜ ବିଶେଷ ଭାବରେ ଭୟଭୀତ ହୋଇଅଛନ୍ତି । ତୁମେ ଅତ୍ୟନ୍ତ ସୁନ୍ଦରୀ ଯୁବତୀ ଥିବାରୁ ଓ ସୁନ୍ଦରୀମାନଙ୍କ ପ୍ରତି ପୁରୁଷମାନଙ୍କ ହୃଦୟରେ ଦୁର୍ବଳତା ଥିବାରୁ ଭବିଷ୍ୟତରେ କାଳେ ପୁଣି କିଛି ଦୁର୍ଘଟଣା ଘଟିପାରେ, ତେଣୁ ରାଜପୁରୀର ନିରାପତ୍ତା ପାଇଁ ତୁମ ପକ୍ଷରେ ରାଜପ୍ରାସାଦ ତ୍ୟାଗ କରିବା ବାଞ୍ଛନୀୟ ।’’

 

ଅଜ୍ଞାତବାସ ପୂର୍ଣ୍ଣ ହେବାକୁ ଆଉ ମାତ୍ର ତେର ଦିନ ବାକି ଥାଏ । ତେଣୁ ସୁଦେଷ୍ଣାଙ୍କୁ ଅନୁରୋଧ କରି ଦ୍ରୌପଦୀ କହିଲେ, ‘‘ଦେବି ! ରାଜ ଅନ୍ତଃପୁରରେ ମୋର ଅବସ୍ଥାନକୁ ଆଉ ମାତ୍ର ତେର ଦିନ ପାଇଁ ମହାରାଜ ସୁଯୋଗ ଦିଅନ୍ତୁ । ତେର ଦିନ ପରେ ମୋର ସ୍ୱାମୀମାନେ ଆସି ମୋତେ ନେଇଯିବେ । ତେଣୁ ସେହି ସମୟ ପର୍ଯ୍ୟନ୍ତ ମୋତେ ଏଠାରେ ରହିବାକୁ ଅନୁମତି ଦେଲେ ଆପଣଙ୍କର ଓ ମହାରାଜାଙ୍କର ପ୍ରଭୂତ କଲ୍ୟାଣ ସାଧିତ ହେବ ।’’

 

ସୈରନ୍ଧ୍ରୀଙ୍କର ସେହି ଅଦୃଶ୍ୟ ଗନ୍ଧର୍ବ ସ୍ୱାମୀମାନଙ୍କର କାର୍ଯ୍ୟ ପ୍ରତି ଭୟ ପରବେଶ ହୋଇ ମହାରାଜା ବିରାଟ ସୈରିନ୍ଧ୍ରୀଙ୍କର ଅନୁରୋଧରେ ବାଧ୍ୟ ହୋଇ ସମ୍ମତ ହେଲେ । ତେଣୁ ଦ୍ରୌପଦୀ ବିରାଟ ରାଜପୁରୀରେ ପୂର୍ବପରି ଆଉ କିଛିଦିନ ରହିବାର ସୁଯୋଗ ପାଇଲେ ।

Image

 

କୌରବଙ୍କର ମତ୍ସ୍ୟଦେଶ ଆକ୍ରମଣ

 

ଅଜ୍ଞାତବାସ ସମ୍ପର୍ଣ୍ଣ ହେବାକୁ ମାତ୍ର ତେରଦିନ ବାକି ଅଛି, ଏହି ସମୟରେ ପାଣ୍ଡବଙ୍କ ଅନ୍ୱେଷଣରେ ପ୍ରେରିତ ଗୁପ୍ତଚରମାନେ ବିଭିନ୍ନ ସ୍ଥାନରେ ପରିଭ୍ରମଣ ଓ ଅନୁସନ୍ଧାନ କରି ଅବଶେଷରେ ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ଉପସ୍ଥିତ ହୋଇକହିଲେ, ‘‘ମହାରାଜ, ଅତି ଗୋପନରେ ଓ ଯତ୍ନ ସହକାରେ ବିଭିନ୍ନ ସ୍ଥାନ ଓ ଦୁର୍ଗମ ଅରଣ୍ୟମାନଙ୍କର ତନ୍ନ ତନ୍ନ କରି ଅନ୍ୱେଷଣ କରିଥିଲେ ମଧ୍ୟ ପାଣ୍ଡବମାନଙ୍କର କୌଣସି ସନ୍ଧାନ ପାଇପାରିଲୁ ନାହିଁ । ପଥ ମଧ୍ୟରେ ଦିନେ ଯାଉଥିବା ପାଣ୍ଡବମାନଙ୍କର ଶୂନ୍ୟ ରଥ ଅନ୍ୱେଷଣ କରି ଦ୍ୱାରାବତୀ ନଗରରେ ଉପସ୍ଥିତ ହେଲୁ, ମାତ୍ର ସେଠାରେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ପାଇଲୁ ନାହିଁ । ସମ୍ଭବତଃ ସେମାନେ ମୃତ । ତେବେ ମହାରାଜଙ୍କୁ ଏକ ଶୁଭ ସମ୍ବାଦ ଭେଟି ଦେଉଅଛୁ ଯେ, ବିରାଟ ରାଜାଙ୍କର ମହାବଳ ପରାକ୍ରାନ୍ତ ସେନାପତି କୀଚକ ଓ ତା’ର ଭାଇମାନେ ଅଦୃଶ୍ୟ ଗନ୍ଧର୍ବମାନଙ୍କ ଦ୍ୱାରା ନିହତ ହୋଇଅଛନ୍ତି ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ତଥାପି ମଧ୍ୟ ପାଣ୍ଡବଙ୍କର ଅନ୍ୱେଷଣରୁ ବିରତ ହୁଅ ନାହିଁ । ପାଣ୍ଡବମାନଙ୍କର ଅଜ୍ଞାତବାସ ପୂର୍ଣ୍ଣ ହେବାକୁ ଆଉ ଅଳ୍ପ ସମୟ ଅବଶିଷ୍ଟ ଅଛି । ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ସନ୍ଧାନ ମିଳିପାରେ, ତେବେ ପାଣ୍ଡବମାନଙ୍କ ପୁନର୍ବାର ବନବାସୀ ହେବାକୁ ପଡ଼ିବ ଏବଂ ମୁଁ ନିଷ୍କଣ୍ଟକ ହୋଇ ରାଜ୍ୟ ଶାସନ କରିବି । ନଚେତ୍‌ ଅଜ୍ଞାତବାସ ସଫଳତାର ସହ ପୂର୍ଣ୍ଣ ହେଲେ, ବିଷଧର ସର୍ପ ପରି କ୍ରୋଧନ୍ୱିତ ହୋଇ ମୋ ସମ୍ମୁଖରେ ସେମାନେ ଦଣ୍ଡାୟମାନ ହେବେ ।’’

 

ଗୁପ୍ତଚରମାନଙ୍କୁ ବିଦାୟ ଦେଇ ଦୁର୍ଯ୍ୟୋଧନ, କର୍ଣ୍ଣ, ଦ୍ରୋଣାଚାର୍ଯ୍ୟ, ଭୀଷ୍ମ ପ୍ରମୁଖଙ୍କ ସହ ମନ୍ତ୍ରଣା କରିବସିଲେ । କର୍ଣ୍ଣ କହିଲେ; ‘‘ମହାରାଜ, ପାଣ୍ଡବମାନଙ୍କ ଅନୁସନ୍ଧାନ କାର୍ଯ୍ୟରେ ସେମାନଙ୍କୁ ଭଲ ଭାବରେ ଚିହ୍ନିଥିବା ଆଉ କେତେ ଜଣ ବିଶ୍ୱସ୍ତ ଦକ୍ଷ ଗୁପ୍ତଚରଙ୍କୁ ନିଯୁକ୍ତ କରନ୍ତୁ, ଯେପରି ସେମାନେ ବିଭିନ୍ନ ତୀର୍ଥ ଓ ସମୃଦ୍ଧ ଜନପଦମାନଙ୍କରେ ଭ୍ରମଣ କରି ପାଣ୍ଡବଙ୍କ ସନ୍ଧାନ କରିବେ ।’’

 

ଦୁଃଶାସନ କହିଲେ, ‘‘କର୍ଣ୍ଣ ଯାହା କହିଲେ ତାହା ଯଥାର୍ଥ । ତଦନୁସାରେ କାର୍ଯ୍ୟ କରନ୍ତୁ-। ହୁଏତ ପାଣ୍ଡବମାନେ ଅତି ଗୁପ୍ତ ଭାବରେ ବାସ କରୁଅଛନ୍ତି କିମ୍ବା ଅରଣ୍ୟରେ ହିଂସ୍ର ଜନ୍ତୁଙ୍କ ଦ୍ୱାରା ନିହତ ହୋଇଅଛନ୍ତି । ତେଣୁ ଗୁପ୍ତଚରମାନେ ଅତି ଗୋପନୀୟତା ସହକାରେ ସେମାନଙ୍କର ସନ୍ଧାନ କରନ୍ତୁ ।’’

 

ଆଚାର୍ଯ୍ୟ ଦ୍ରୋଣ କହିଲେ, ‘‘ପାଣ୍ଡବମାନେ ଜିତେନ୍ଦ୍ରିୟ, ଧର୍ମ ପରାୟଣ, ଶୌର୍ଯ୍ୟଶାଳୀ ଏବଂ ବୁଦ୍ଧିମାନ; ତେଣୁ ସେମାନଙ୍କର ଅକାଳ ମୃତ୍ୟୁ ଏକାନ୍ତ ଅସମ୍ଭବ । ତା’ ଛଡ଼ା ସାଧାରଣ ଚରଙ୍କ ପକ୍ଷରେ ସେମାନଙ୍କର ଅନୁସନ୍ଧାନ ସମ୍ଭ ନୁହେଁ ।’’

 

ପିତାମହ ଭୀଷ୍ମ କହିଲେ, ‘‘ସତ୍ୟପରାୟଣ ପାଣ୍ଡବମାନଙ୍କର ଅନିଷ୍ଟ ସାଧନ ହେବ, ଏପରି ପରାମର୍ଶ ପ୍ରଦାନ ମୋ’ ପକ୍ଷରେ ଅନ୍ୟାୟ ତଥାପି ସତ୍ୟଶୀଳ ଧର୍ମପରାୟଣ ବ୍ୟକ୍ତିମାନେ ସଭାରେ ନ୍ୟାୟସଙ୍ଗତ ଉପଦେଶ ପ୍ରଦାନ କରି ସ୍ୱଧର୍ମ ରକ୍ଷା କରିଥାନ୍ତି । ସେହି ନୀତିର ଅନୁରୋଧରେ ମୁଁ କହୁଅଛି, ପାଣ୍ଡବମାନଙ୍କ ସମ୍ପର୍କରେ ମୋ’ ପୂର୍ବରୁ ଯେ ସକଳ ବିଷୟ ଉକ୍ତ ହେଲା, ମୁଁ ତାହା ସ୍ୱୀକାର କରିପାରୁ ନାହିଁ । ଧର୍ମରାଜ ଯୁଧିଷ୍ଠିର ଯେଉଁ ସ୍ଥାନରେ ବାସ କରିବେ, ସେହି ଦେଶର ରାଜା ସର୍ବଦା ନ୍ୟାୟପଥରେ ଚାଳିତ ହେବେ । ଦେଶବାସୀ ସୁସ୍ଥ ସବଳ ହୋଇ ଦାନ ଧର୍ମରେ ମନୋନିବେଶ କରିବେ । ଦେଶର ସର୍ବତ୍ର ବେଦ ଧ୍ୱନି ଶୁଣାଯିବ ଓ ଯାଗଯଜ୍ଞ ଅନୁଷ୍ଠିତ ହେବ । ସେ ଦେଶରେ ପ୍ରଚୁର ଜଳବୃଷ୍ଟି ହେବ ଓ ପ୍ରଚୁର ଶସ୍ୟ ଉତ୍ପାଦିତ ହେବ । ସବୁ ବିଷୟରେ ସେହି ଦେଶ ଶ୍ରୀମଣ୍ଡିତ ହୋଇଥିବ । ତେଣୁ ପାଣ୍ଡବଙ୍କର ଅଜ୍ଞାତବାସ ବୃତ୍ତାନ୍ତ ମୋର କଥାରୁ ଅନୁମାନ କରି ଚାହିଁଲେ ତଦନୁସାରେ କାର୍ଯ୍ୟ କରି ପାରନ୍ତି ।’’

 

କୃପାଚାର୍ଯ୍ୟ କହିଲେ; ‘‘ପାଣ୍ଡବମାନଙ୍କ ସମ୍ପର୍କରେ ଭୀଷ୍ମ ଯଥାର୍ଥ କଥା ପ୍ରକାଶ କରିଅଛନ୍ତି । ମହାବଳ ପରାକ୍ରାନ୍ତ ପାଣ୍ଡବମାନଙ୍କର ଯେତେବେଳେ ଆତ୍ମପ୍ରକାଶ କରିବେ, ସେମାନଙ୍କ ବଳର ସମକକ୍ଷ ହେବା ନିମନ୍ତେ ନିଜର ବଳ ଓ ଦଳ ବୃଦ୍ଧି ଦିଗରେ ଯତ୍ନବାନ୍‌ହେବା ଆପଣଙ୍କର ଉଚିତ୍‌ । ଆପଣଙ୍କ ବିଶାଳ ସୈନ୍ୟ ଓ ଅନୁଗତ ନୃପତିମାନଙ୍କ ମଧ୍ୟରୁ କେଉଁମାନେ ପ୍ରକୃତରେ ଅନୁରକ୍ତ, ସେ କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସାମ, ଦାନ, ଭେଦ ଓ ଦଣ୍ଡ ନୀତି ଆଚରଣ କରି ବଳବାନ୍‌ ଶତ୍ରୁକୁ ଦମନ କରନ୍ତୁ । ତାହା ହେଲେ ପାଣ୍ଡବମାନଙ୍କ ପ୍ରତି ଆପଣଙ୍କର ମନରେ ଅଯଥା ଆଶଙ୍କା ରହିବ ନାହିଁ, ଫଳରେ ଆପଣ ସୁଖ ଓ ଶାନ୍ତିରେ କାଳଯାପନ କରିବେ ।’’

 

ତ୍ରିଗର୍ତ୍ତରାଜ ସୁଶର୍ମା କହିଲେ, ‘‘କୀଚକ ବଳରେ ବଳୀୟାନ ହୋଇ ଅତୀତରେ ବିରାଟ ରାଜା ଆମକୁ ପରାଜିତ କରିଥିଲେ । ବର୍ତ୍ତମାନ ମହାବଳୀ କୀଚକ ଗନ୍ଧର୍ବଙ୍କ ହସ୍ତରେ ପ୍ରାଣତ୍ୟାଗ କରିଥିବାରୁ ବିରାଟ ରାଜାଙ୍କ ବଳ ଭାଙ୍ଗିପଡ଼ିଥିବ । ତେଣୁ ମତ୍ସ୍ୟଦେଶ ଆକ୍ରମଣ କରି ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ଉପସ୍ଥିତ ହୋଇଅଛି । ମତ୍ସ୍ୟଦେଶକୁ ଆକ୍ରମଣ କଲେ ରାଜ୍ୟ, ଧନରତ୍ନ ଓ ଗୋ-ସମ୍ପଦ ଲାଭ କରିବା ସଙ୍ଗେ ସଙ୍ଗେ ବିରାଟ ରାଜାଙ୍କୁ ଆମର ଅନୁଗତ କରି ବଳବୃଦ୍ଧି ଘଟାଇପାରିବା ।’’

 

କର୍ଣ୍ଣ କହିଲେ, ‘‘ମହାରାଜ, ସୁଶର୍ମାଙ୍କ ପ୍ରସ୍ତାବ ସମୟୋଚିତ । ଅର୍ଥ ହୀନ, ବଳ ହୀନ, ପୌରୁଷ ହୀନ ପାଣ୍ଡବଙ୍କ ଅନୁସନ୍ଧାନରେ ସମୟ ନଷ୍ଟ ନ କରି ଅତି ଶୀଘ୍ର ବିରାଟ ରାଜ୍ୟ ଆକ୍ରମଣ କରିବା ଆମର କର୍ତ୍ତବ୍ୟ ।’’

 

ଦୁର୍ଯ୍ୟୋଧନ ଏ ସମସ୍ତ କଥା ଶ୍ରବଣ କରି କହିଲେ, ‘‘ତେବେ ବୃଦ୍ଧମାନଙ୍କ ସହ ଆଲୋଚନା କରି ସୈନ୍ୟବାହିନୀ ପ୍ରସ୍ତୁତ କର ।’’ ତଦନୁସାରେ କାର୍ଯ୍ୟ ସ୍ଥିର କରାଯାଇ କୌରବଙ୍କର ସୈନ୍ୟଙ୍କୁ ଦୁଇ ଭାଗରେ ବିଭକ୍ତ କରାଗଲା । ସୁଶର୍ମା ଗୋଟିଏ ଭାଗର ନେତୃତ୍ୱ ଗ୍ରହଣ କରି ଏକପଟରୁ ବିରାଟ ରାଜ୍ୟ ଆକ୍ରମଣ କରିବେ ଓ ବିରାଟ ରାଜା ସୁଶର୍ମାଙ୍କ ସହ ଯୁଦ୍ଧରେ ବ୍ୟାପୃତ ଥିବା ସମୟରେ କୌରବମାନଙ୍କର ଅନ୍ୟ ଦଳଟି ଅନ୍ୟ ଏକ ଦିଗରୁ ବିରାଟ ରାଜ୍ୟ ମଧ୍ୟରେ ପ୍ରବେଶ କରି ଗୋ-ସମ୍ପଦ ହରଣ କରିନେବେ ବୋଲି ସିଦ୍ଧାନ୍ତ କରାଗଲା ।

 

ମତ୍ସ୍ୟଦେଶକୁ ସୁଶର୍ମା ଆକ୍ରମଣ କରିବାରୁ ବିରାଟ ରାଜା ନିଜର ସୈନ୍ୟସାମନ୍ତ ସହ ଯୁଦ୍ଧ କରିବାକୁ ଗଲେ ଏବଂ ତାଙ୍କର ଅନୁରୋଧ କ୍ରମେ ଛଦ୍ମବେଶୀ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ ମଧ୍ୟ ବିରାଟଙ୍କ ପକ୍ଷରୁ ଯୁଦ୍ଧରେ ଯୋଗ ଦେଲେ । ସେହି ସମୟରେ ନିଜର ପ୍ରକୃତ ପରାକ୍ରମ ପ୍ରକାଶ ନ କରି ସାଧାରଣ ସୈନ୍ୟ ପରି ପାଣ୍ଡବମାନେ ସଂଗ୍ରାମ କରୁଥିଲେ ବି ଯୁଦ୍ଧରେ ବିରାଟ ରାଜାଙ୍କ ପକ୍ଷରୁ ସୈନ୍ୟମାନେ ଶତ୍ରୁମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ ମଧ୍ୟ କୌଶଳକ୍ରମେ ତ୍ରିଗର୍ତ୍ତରାଜା ସୁଶର୍ମା ସ୍ୱବଳ ପ୍ରକାଶ କରି ବିରାଟଙ୍କ ରଥକୁ ଚୂର୍ଣ୍ଣ କରି ପକାଇଲେ ଓ ନିଜ ରଥରେ ବିରାଟଙ୍କୁ ବନ୍ଦୀ କରି ପଳାୟନ କଲେ । କିନ୍ତୁ ଯୁଧିଷ୍ଠିର ତାହା ଦେଖିପାରି ଭୀମସେନଙ୍କୁ କହିଲେ, ‘‘ବୃକୋଦର ! ବିରାଟରାଜାଙ୍କୁ ତ୍ରିଗର୍ତ୍ତରାଜା ସୁଶର୍ମା ଯୁଦ୍ଧକ୍ଷେତ୍ରେରୁ ନେଇ ପଳାୟନ କରୁଅଛି । ତୁମେ ଅତି ଶୀଘ୍ର ବିରାଟଙ୍କୁ ମୁକ୍ତ କରିଆଣ ।’’ ଭାଇଙ୍କର କଥା ଶୁଣି ଭୀମସେନ ଶତ୍ରୁଙ୍କୁ ନିର୍ମୂଳି କରିବା ପାଇଁ ଏକ ମହାଦ୍ରୂମ ଉତ୍ପାଟନ କରିବାକୁ ଉଦ୍ୟତ ହେବାରୁ ଯୁଧିଷ୍ଠିର କହିଲେ, ବର୍ତ୍ତମାନ ସୁଦ୍ଧା ଅଜ୍ଞାତବାସର ସମୟ ଅବଶିଷ୍ଟ ଅଛି । ବୃକ୍ଷ ଉତ୍ପାଟନ କରି ଯୁଦ୍ଧ କଲେ ଶତ୍ରୁପକ୍ଷ ତୁମକୁ ଚିହ୍ନି ପାରରିବେ; ତେଣୁ ସେଥିରୁ କ୍ଷାନ୍ତ ହୋଇ ଧନୁଶର ସାହଯ୍ୟରେ ସଂଗ୍ରାମ କର । ଭୀମସେନ ଧନୁଶରରେ ଯୁଦ୍ଧ ଆରମ୍ଭ କରି ତ୍ରିଗର୍ତ୍ତରାଜାଙ୍କ ଆଡ଼କୁ ଆଗେଇଗଲେ-। ଭୀମସେନଙ୍କ ପରାକ୍ରମ ସମ୍ମୁଖରେ ତ୍ରିଗର୍ତ୍ତ ପକ୍ଷଙ୍କର ପ୍ରତିରୋଧ ଶକ୍ତି ଅତି ସାମାନ୍ୟ ଥିଲା-। ତେଣୁ ଅଳ୍ପ ସମୟ ମଧ୍ୟରେ ଭୀମସେନ ଶତ୍ରୁ ପକ୍ଷର ରଥ, ଗଜ, ଅଶ୍ୱ ଓ ବୀରମାନଙ୍କୁ ଭୂତଳଶାୟୀ କରି ଓ ସୁଶର୍ମାଙ୍କୁ ପରାଜିତ ଓ ଅପମାନିତ କରି ବିରାଟରାଜାଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଅପହୃତ ଗୋ-ସମ୍ପଦ ଉଦ୍ଧାର କରି ଆଣିଲେ ।

 

ପାଣ୍ଡବମାନଙ୍କୁ ସମ୍ବୋଧନ କରି ବିରାଟ ନିଜର କୃତଜ୍ଞତା ଜ୍ଞାପନ କରି କହିଲେ, ‘‘ଆପଣମାନଙ୍କ ପରାକ୍ରମ ଯୋଗୁ ମୋର ଜୀବନ ଓ ରାଜ୍ୟ ଫେରି ପାଇଅଛି; ତେଣୁ ଆଜିଠାରୁ ଆପଣମାନେ ହିଁ ଏହି ମତ୍ସ୍ୟରାଜ୍ୟର ପ୍ରକୃତ ଅଧୀଶ୍ୱର ।’’

 

ପାଣ୍ଡବମାନେ ବିନୀତ ଭାବରେ ରାଜାଙ୍କର ସେହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଅତି ଶୀଘ୍ର ରାଜଧାନୀରେ ବିଜୟବାର୍ତ୍ତା ପ୍ରଚାରିତ କରିବାପାଇଁ ବିରାଟରାଜାଙ୍କୁ ପରାମର୍ଶ ଦେଲେ । ରାତ୍ରି ଉପସ୍ଥିତ ହୋଇଥିବାରୁ ସୈନ୍ୟସାମନ୍ତ ସହ ବିରାଟ ରାଜା ସେହି ରଣସ୍ଥଳୀରେ ରାତିଟି କଟାଇଥିଲେ ।

 

ତ୍ରିଗର୍ତ୍ତ ରାଜାଙ୍କ ସହ ବିରାଟ ରାଜା ଯୁଦ୍ଧ କରୁଥିବା ସମୟରେ ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱତ୍‌ଥାମା, ଶକୁନି ଏବଂ ଦୁର୍ଯ୍ୟୋଧନଙ୍କ ସହ ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନେ ଅପର ଦିଗରୁ ବିରାଟ ରାଜ୍ୟକୁ ଆକ୍ରମଣ କରି ରାଜ୍ୟର ଗୋସମ୍ପଦ ହରଣ କରିନେଲେ । ବିରାଟ ରାଜ୍ୟର ପରାଜିତ ଗୋପାଳମାନେ ଅତି ଶୀଘ୍ର ରାଜଧାନୀକୁ ଆସି ରାଜାଙ୍କର କନିଷ୍ଠ ପୁତ୍ର ଉତ୍ତରଙ୍କ ନିକଟରେ ନିବେଦନ କଲେ, ‘‘ରାଜକୁମାର ! କୌରବମାନେ ବଳପୂର୍ବକ ଆମର ଗୋସମ୍ପଦ ହରଣ କରି ନେଉ ଅଛନ୍ତି । ରାଜା ଅନୁପସ୍ଥିତ ଥିବାରୁ ଆପଣ ନିଜେ ସେମମାନଙ୍କ ହସ୍ତରୁ ଗୋସମ୍ପଦ ରକ୍ଷା କରନ୍ତୁ । ପାଣ୍ଡବମାନଙ୍କର ଅର୍ଜ୍ଜୁନ ଏକମାତ୍ର ଆଶ୍ରୟପରି, ବର୍ତ୍ତମାନ ଅବସ୍ଥାନରେ ଆପଣ ଆମ୍ଭମାନଙ୍କର ପ୍ରକୃତ ରକ୍ଷାକର୍ତ୍ତା । ତେଣୁ ବିଳମ୍ବ ନ କରି ଶୀଘ୍ର ଆସନ୍ତୁ ।’’

 

ଗୋପଳମାନଙ୍କର କଥା ଶୁଣି ରାଜକୁମାର ଉତ୍ତର ଅନ୍ତଃପୁରରେ ପ୍ରବେଶ କରି ଅନ୍ତଃପୁରବାସିନୀଙ୍କ ନିକଟରେ ବାହୁସ୍ଫୋଟ କରି କହିଲେ, ‘‘ଭୀଷ୍ମ, କର୍ଣ୍ଣ, ଦ୍ରୋଣ, ଅଶ୍ୱତ୍‍ଥାମା, ଦୁର୍ଯ୍ୟୋଧନ ପ୍ରମୁଖଙ୍କୁ ପରାସ୍ତ କରିବା ମୋ’ ପକ୍ଷରେ ବଡ଼କଥା ନୁହେଁ, କିନ୍ତୁ ମୋର ସାରଥି ହେବାପାଇଁ ରଜଧାନୀରେ ଗୋଟିଏ ହେଲେ ଲୋକ ନାହିଁ । ବିନା ସାରଥିରେ ମୁଁ ଯୁଦ୍ଧ କରିବି କିପରି ?’

 

ଉତ୍ତରଙ୍କର ଆସ୍ଫାଳନ ଶୁଣି ଅର୍ଜ୍ଜୁନ ନିର୍ଜନରେ ଦ୍ରୋପଦୀଙ୍କୁ କହିଲେ, ‘କଲ୍ୟାଣି; ତୁମେ ବର୍ତ୍ତମାନ ଯାଇ ରାଜକୁମାରଙ୍କୁ କୁହ ଯେ, ବୃହନ୍ନଳା ବହୁ ଯୁଦ୍ଧରେ ପାଣ୍ଡବମାନଙ୍କର ସାରଥି ହେବାର ଅଭିଜ୍ଞତା ଅର୍ଜନ କରିଅଛି; ତେଣୁ ତାକୁ ହିଁ ଆପଣ ସାରଥିରୂପେ ଗ୍ରହଣ କରି ଯୁଦ୍ଧ କରିବାକୁ ଯାଆନ୍ତୁ ।’’

 

ରମଣୀମାନଙ୍କ ସମ୍ମୁଖରେ ରାଜକୁମାର ନିଜର ବୀରତ୍ୱର ପ୍ରଶଂସା କରୁଥିବା ସମୟରେ ଦ୍ରୌପଦୀ କହିଲେ; ‘‘ରାଜପୁତ୍ର ! ଆମ ଅନ୍ତଃପୁରରେ ଥିବା ବୃହନ୍ନଳା କିଛି ଦିନ ଅର୍ଜ୍ଜୁନଙ୍କର ସାରଥି ଥିଲେ । ସାରଥି ଭାବରେ ତାଙ୍କର ବିଶେଷ ଅଭିଜ୍ଞତା ଅଛି; ତେଣୁ ତାଙ୍କୁ ହିଁ ଆପଣଙ୍କ ରଥର ସାରଥି କରି ନିଅନ୍ତୁ ।’’

 

ଉତ୍ତର କହିଲେ, ‘‘ଭଲ କଥା । କିନ୍ତୁ ଜଣେ ନପୁଂସକ ବ୍ୟକ୍ତିକୁ ସାରଥି ହେବାପାଇଁ ଅନୁରୋଧ କରିବାକୁ ମୋତେ ଲଜ୍ଜା ଲାଗୁଛି ।’’

 

ଦ୍ରୌପଦୀ କହିଲେ, ‘‘ଆପଣ ଯଦି କହିବାକୁ ଲଜ୍ଜାବୋଧ କରୁଛନ୍ତି; ତେବେ ଆପଣଙ୍କ ଭଉଣୀ ରାଜନନ୍ଦିନୀ ଉତ୍ତର କହିଲେ ବୃହନ୍ନଳା ନିଶ୍ଚୟ ରାଜିହେବେ ।’’

 

ତାହାହିଁ ହେଲା; ରାଜକୁମାରୀ ଉତ୍ତରାଙ୍କ ଅନୁରୋଧକ୍ରମେ ବୃହନ୍ନଳା ରୂପୀ ଅର୍ଜ୍ଜୁନ ରାଜପୁତ୍ର ଉତ୍ତରଙ୍କ ସମ୍ମୂଖରେ ଉପସ୍ଥିତ ହୋଇପ୍ରଥମେ ନିଜର ଅସାମର୍ଥ୍ୟ ପ୍ରକାଶ କରି ପରେ ସାରଥିତ୍ୱ ଗ୍ରହଣ କଲେ । ରାଜରମଣୀମାନେ ବୃହନ୍ନଳାଙ୍କୁ କହିଲେ; ‘‘‘ଭୀଷ୍ମ ପ୍ରମୁଖ ଯୋଦ୍ଧାମାନଙ୍କୁ ପରାଜିତ କରି ସେମାନଙ୍କର ପିନ୍ଧିଥିବା ପୋଷାକପତ୍ର ନେଇ ଆସିବାକୁ ଭୁଲିବ ନାହିଁ । ଆମେ ସେସବୁରେ କଣ୍ଢେଇ ସଜାଇବୁ ।’’ ଅର୍ଜ୍ଜୁନ କହିଲେ ‘‘ରାଜକୁମାର ଯଦି ଭୀଷ୍ମ ପ୍ରମୁଖଙ୍କୁ ପରାସ୍ତ କରନ୍ତି, ତାହାହେଲେ ସେମାନଙ୍କ ପରିହିତ ସୂକ୍ଷ୍ମ ବସ୍ତ୍ରାଦି ଆଣିବାରେ ମୁଁ ତ୍ରୁଟି କରିବି ନାହିଁ ।

 

ଅର୍ଜ୍ଜୁନ ରଥରେ ଆରୋହଣ କରିବା ମାତ୍ରେ ରାଜକୁମାର ଉତ୍ତର କହିଲେ, ‘‘ଅତି ଶୀଘ୍ର କୌରବମାନଙ୍କ ସମ୍ମୁଖକୁ ମୋର ରଥ ନେଇ ଚାଲ । ମୁଁ ସେହି ଦୁରାତ୍ମାମାନଙ୍କୁ ପରାଜିତ କରି ସେମାନଙ୍କ ହସ୍ତରୁ ଆମ ଗୋ-ସମ୍ପଦ ଫେରାଇ ନଆଣିଲା ପର୍ଯ୍ୟନ୍ତ ଆଶ୍ୱସ୍ତ ହୋଇପାରୁ ନାହିଁ ।’’ ଏହା ଶୁଣିବା ମାତ୍ରେ ଅର୍ଜ୍ଜୁନ ଏତେ କ୍ଷିପ୍ର ଗତିରେ ରଥ ଚାଳନା ଆରମ୍ଭ କରିଦେଲେ ଯେ, କ୍ଷଣକ ମଧ୍ୟରେ କୌରବପକ୍ଷୀୟ ବୀରମାନେ ଉତ୍ତରଙ୍କ ଦୃଷ୍ଟିଗୋଚର ହେଲେ । ସୈନ୍ୟମାନଙ୍କ ମଧ୍ୟରେ ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱତ୍‌ଥାମା ଓ ଦୁର୍ଯ୍ୟୋଧନ ପ୍ରମୁଖ ବୀରମାନଙ୍କୁ ଦର୍ଶନ କରି ଯୁବକ ଉତ୍ତର ଭୟଭୀତ ହୋଇପଡ଼ିଲେ । ସାରଥିକୁ ଲକ୍ଷ୍ୟ କରି ଉତ୍ତର କହିଲେ; ‘‘‘ବୃହନ୍ନଳା ! ଏହି କୌରବମାନଙ୍କ ସହ ଯୁଦ୍ଧ କରିବାକୁ ମୋର ସାହସ ନାହିଁ । ସେମାନଙ୍କୁ ଦେଖିବା ମାତ୍ରେ ମୋର ଶରୀର ଭୟରେ କମ୍ପୁଅଛି । ମନ ଦୁର୍ବଳ ହୋଇପଡ଼ୁଛି । ତା’ଛଡ଼ା ସୈନ୍ୟସାମନ୍ତ ନେଇ ପିତା ତ୍ରିଗର୍ତ୍ତଙ୍କ ସହିତ ଯୁଦ୍ଧ କରିବାକୁ ଯାଇଥିବାରୁ ମୁଁ ଏକାକୀ ହୋଇପଡ଼ିଛି । ମୋର ବୟସ ଓ ଅଭିଜ୍ଞତା ଅତି ଅଳ୍ପ । ଏପରି ସମୟରେ ମହା ଧନୁର୍ଦ୍ଧର କୌରବ ବୀରମାନଙ୍କ ସହିତ ମୋର ଯୁଦ୍ଧ କରିବା ଉଚିତ ନୁହେଁ । ତୁମେ ରଥ ରାଜଧାନୀକୁ ଫେରାଇ ନିଅ ।’’

 

ଉତ୍ତରଙ୍କ କଥା ଶୁଣି ଅର୍ଜ୍ଜୁନ କହିଲେ, ‘‘ରାଜଅନ୍ତଃପୁରର ରମଣୀମାନଙ୍କ ସମ୍ମୁଖରେ ନିଜର ବୀରତ୍ୱ ପ୍ରକାଶ କରି ଯୁଦ୍ଧ କରିବାକୁ ଆସିଲେ, ଯଦି ଆପଣ ଯୁଦ୍ଧ ନ କରି ଏପରି ପଳାଇଯିବେ, ତାହାହେଲେ ଶତ୍ରୁ ତଥା ରାଜ ଅନ୍ତଃପୁରର ରମଣୀମାନଙ୍କ ଦୃଷ୍ଟିରେ ଉପହାସର ପାତ୍ର ହେବେ । ତା’ଛଡ଼ା ସୈରିନ୍ଧ୍ରୀ ମୋର ସାରଥିତ୍ୱର ଯେପରି ଉଚ୍ଚ ପ୍ରଶଂସା କରିଅଛି, ଶତ୍ରୁମାନଙ୍କ ହସ୍ତରୁ ଆମର ଗେସମ୍ପଦ ଉଦ୍ଧାର ନକରି ଫେରିବି କିପରି ? ସୈରିନ୍ଧ୍ରୀର ପ୍ରଶଂସା, ଉତ୍ତରାର ଅନୁରୋଧ ଓ ସର୍ବୋପରି ଆପଣଙ୍କର ଆଦେଶ କ୍ରମେ ମୁଁ ଯେତେବଳେ ଆସିଛି, ଯୁଦ୍ଧ ନ କରି ଫେରିବି କିପରି ?’’’

 

ଉତ୍ତର କହିଲେ, ‘‘ବୃହନ୍ନଳା, କୌରବମାନେ ପଛକେ ଆମର ସର୍ବସ୍ୱ ନେଇ ଯାଆନ୍ତୁ, ଲୋକମାନେ ପଛେ ମୋତେ ଉପହାସ କରନ୍ତୁ, ପିତା ମୋତେ ତିରସ୍କାର ପଛେ କରନ୍ତୁ, ମୁଁ ଏମାନଙ୍କ ସହ କେବେ ଯୁଦ୍ଧ କରିପାରିବି ନାହିଁ ।’’ ଏହା କହି ଶତ୍ରୁମାନଙ୍କ ଆଡ଼କୁ ଆଗେଇ ଯାଉଥିବା ଦ୍ରୁତଗାମୀ ରଥରୁ ରାଜକୁମାର ଉତ୍ତର ଡ଼େଇଁପଡ଼ି ରାଜଧାନୀ ଅଭିମୁଖେ ପ୍ରାଣ ଭୟରେ ପଳାୟନ କଲେ ।

 

‘‘ଯୁଦ୍ଧରୁ ପଳାୟନ କରିବା କ୍ଷତ୍ରିୟର ଧର୍ମ ନୁହେଁ । ଭୟ କରି ରଣଭୂମି ତ୍ୟାଗ କରିବା ଅପେକ୍ଷା ରଣକ୍ଷେତ୍ରରେ ପ୍ରାଣପାତ କରିବା ଶ୍ରେୟସ୍କର ।’’ ଏହା କହି ଅର୍ଜ୍ଜୁନ ରଥରୁ ଡ଼େଇଁପଡ଼ି ଉତ୍ତରକୁ ଧରିବା ପାଇଁ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଲେ ଏବଂ ପଥ ମଧ୍ୟରେ ଉତ୍ତରଙ୍କୁ ଧରି ପକାଇଲେ । ଉତ୍ତର ଏକାନ୍ତ ଭୟଭୀତ ହୋଇ ଅନୁନୟ କରି କହିଲେ, ‘‘ବୃହନ୍ନଳା, ମୋତେ ଛାଡ଼ ଓ ରଥ ଫେରାଇ ଆଣ । ମରିବା ଅପେକ୍ଷା ବଞ୍ଚି ରହିଲେ କେତେ ଲାଭ ହେବ । ମୁଁ ତୁମକୁ ସୁବର୍ଣ୍ଣ, ବୈଦୁର୍ଯ୍ୟମଣି, ଉତ୍କୃଷ୍ଟ ଅଶ୍ୱ, ରଥ ଓ ହସ୍ତୀ ଆଦି ଦାନ କରିବି । ତୁମେ ମୋତେ ଛାଡ଼ିଦିଅ ।’’ ଏହିପରି ଭାବରେ ନାନା ଅନୁନୟ ଓ କ୍ରନ୍ଦନ କରି ଉତ୍ତର ଏକ ପ୍ରକାର ମୂର୍ଚ୍ଛିତ ହୋଇଗଲେ । ଅର୍ଜ୍ଜୁନ କୌଣସି ପ୍ରକାରେ ଉତ୍ତରଙ୍କୁ ରଥ ଉପରକୁ ଆଣି ଆଶ୍ୱାସନା ଦେଇ କହିଲେ, ‘‘ମହାଶୟ ! ଯଦି ଯୁଦ୍ଧ କରିବାକୁ ଆପଣଙ୍କକର ଇଚ୍ଛା ନହୁଏ, ତେବେ ଆପଣ ରଥର ସାରଥି ହୁଅନ୍ତୁ । ମୁଁ ଏମାନଙ୍କ ସହ ଯୁଦ୍ଧ କରିବି ଏବଂ ଆମର ଅପହୃତ ଗୋ-ସମ୍ପଦକୁ ଉଦ୍ଧାର କରିବି । ତେଣୁ ଆପଣ ଆଦୌ ଭୟ କରନ୍ତୁ ନାହିଁ ।’’

 

ଉତ୍ତରଙ୍କୁ ଏହି କଥା କହି ଅର୍ଜ୍ଜୁନ ରଥକୁ ଗୋଟିଏ ଶିମିଳୀ ବୃକ୍ଷ ନିକଟକୁ ନେଇଗଲେ । ଉତ୍ତରଙ୍କର ଆଗମନ, ପଳାୟନ ଏବଂ ତହିଁ ପରେ ସାରଥିର ପଶ୍ଚାଦ୍‌ଧାବନ ଆଦି ସମସ୍ତ ଦୃଶ୍ୟ କୌରବମାନେ କିଛି ଦୂରରୁ ସ୍ପଷ୍ଟ ଦେଖିବାକୁ ପାଉଥିଲେ । ଉତ୍ତରଙ୍କର ଭୀରୁତା ଦର୍ଶନ କରି ସେମାନେ ହାସ୍ୟ କରିବାକୁ ଲାଗିଲେ; କିନ୍ତୁ ଯେତେବେଳେ କ୍ଳୀବରୂପୀ ସାରଥି ରଥରୁ ଅବତରଣ କରି ଉତ୍ତରଙ୍କୁ ପଛରୁ ଧରିପକାଇଲା, ସେତେବେଳେ ସାରଥିର ରୂପ ଦର୍ଶନ କରି କୌରବମାନେ ପରସ୍ପରର ଆଲୋଚନା କଲେ, ଏ ସାରଥିଟି କିଏ ? ଅର୍ଜ୍ଜୁନଙ୍କ ସହ ଏହାର ରୂପ ଅନେକଟା ମିଳି ଯାଉଛି । ତେବେ ଏ କ’ଣ ଅର୍ଜ୍ଜୁନ ! ଆମ ସହ ଏକାକୀ ଯୁଦ୍ଧ କରିବାକୁ ସାହସ କରିବ, ଏପରି ବୀର ଅର୍ଜ୍ଜୁନଙ୍କ ବ୍ୟତୀତ କିଏ ଅଛି ? ଏହିପରି କୌରବ ପକ୍ଷର ବୀରମାନେ ନାନା ଆଲୋଚନା କଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲା ନାହିଁ ।

 

ସୈନ୍ୟମାନଙ୍କ ଉବ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟ କହିଲେ; ବର୍ତ୍ତମାନ ଅତି ଶୀଘ୍ର ବ୍ୟୂହ ରଚନା କରି ଗୋ-ସମ୍ପଦ ଓ ନିଜକୁ ରକ୍ଷା କର । ଏହି କ୍ଳୀବ ବେଶୀ ସାରଥି ସମ୍ଭବତଃ ଅର୍ଜ୍ଜୁନ ଏବଂ ତହିଁପରେ ଭୀଷ୍ମଙ୍କୁ କହିଲେ ଏ ନିଶ୍ଚୟ ଅର୍ଜ୍ଜୁନ । ଅର୍ଜ୍ଜୁନକୁ ପରାସ୍ତ କରିବ, ଏପରି ବୀର ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି । ତା’ଛଡ଼ା ଦେବରାଜ ଇନ୍ଦ୍ରଙ୍କ ନିକଟରୁ ସେ ନାନା ଅସ୍ତ୍ରବିଦ୍ୟା ଅଧ୍ୟୟନ କରିଅଛି ଓ ମହାଦେବଙ୍କୁ ସନ୍ତୁଷ୍ଟ କରି ବର ଲାଭ କରିଅଛି ବୋଲି ମୁଁ ଶୁଣିଛି । ଅର୍ଜ୍ଜୁନ ନିଶ୍ଚୟ ଆମ ସମସ୍ତଙ୍କୁ ପରାସ୍ତ କରିବ ।

 

କର୍ଣ୍ଣ କହିଲେ; ‘‘ଆଚାର୍ଯ୍ୟ ମହାଶୟ, ଆପଣ ସବୁବେଳେ ଅର୍ଜ୍ଜୁନର ପ୍ରଶଂସା ଓ ଆମର ନିନ୍ଦାଗାନ କରିଥାନ୍ତି; କିନ୍ତୁ ଏଟା ଜାଣି ରଖନ୍ତୁ, ମୋର ଓ ମହାରାଜ ଦୁର୍ଯ୍ୟୋଧନଙ୍କ କ୍ଷମତାର ଷୋଳଭାଗରୁ ଏକଭାଗ ମଧ୍ୟ ଅର୍ଜ୍ଜୁନଠାରେ ନାହିଁ ।’’

 

ଦୁର୍ଯ୍ୟୋଧନ କହିଲେ; ‘‘କର୍ଣ୍ଣ, ଏହି ରମଣୀ ବେଶଧାରୀ ଯଦି ଯଥାର୍ଥରେ ଅର୍ଜ୍ଜୁନ ହୋଇଥାଏ, ତେବେ ଏହାଠାରୁ ବଳି ସୌଭାଗ୍ୟ କ’ଣ ଥାଇପାରେ ? ପାଣ୍ଡବମାନେ ଏକ ବର୍ଷ ଅଜ୍ଞାତବାସ କରିବାକୁ ପ୍ରତିଜ୍ଞାବଦ୍ଧ ଏବଂ ଏକ ବର୍ଷ ପୂର୍ଣ୍ଣ ନ ହେଉଣୁ ଅର୍ଜ୍ଜୁନ ଯଦି ଆତ୍ମପ୍ରକାଶ କରନ୍ତି, ତେବେ ପାଣ୍ଡବମାନଙ୍କୁ ପୁନର୍ବାର ଦ୍ୱାଦଶ ବର୍ଷ ପାଇଁ ବନବାସୀ ହେବାକୁ ପଡ଼ିବ । ତା’ଛଡ଼ା ଏହି କ୍ଳୀବ ବେଶଧାରୀ ଯଦି ଅର୍ଜ୍ଜୁନ ଭିନ୍ନ ଅନ୍ୟ କେହି ହୋଇଥାଏ, ତେବେ ସେ ନିଶ୍ଚୟ ଆମ ହସ୍ତରେ ନିହତ ହେବ । ଏହିପରି ବାକ୍ୟ ପ୍ରୟୋଗ କରି ଦୁର୍ଯ୍ୟୋଧନ କୌରବମାନଙ୍କ ପ୍ରାଣରେ ନୂତନ ସାହସ ସଞ୍ଚାର କରିବାକୁ ଚେଷ୍ଟା କଲେ ।’’

 

ଏଣେ ଅର୍ଜ୍ଜୁନ ଶମୀ ବୃକ୍ଷ ନିକଟକୁ ଆସି ଉତ୍ତରଙ୍କୁ କହିଲେ, ‘‘ଆପଣ ଏହି ବୃକ୍ଷ ଆରୋହଣ କରି ଉପରେ ଦେଖାଯାଉଥିବା ସେହି ବିଡ଼ାଟିକୁ ନେଇ ଆସନ୍ତୁ । ତହିଁରେ ପାଣ୍ଡବମାନଙ୍କର ଅସ୍ତ୍ର, କବଚ ରହି ଅଛି ।’’

 

ଉତ୍ତର କହିଲେ, ‘‘ସେ ବିଡ଼ାଟା ଗୋଟାଏ ଶବ ବୋଲି ଶୁଣିଛି, ତେଣୁ ରାଜପୁତ୍ର ହୋଇ ମୁଁ କିପରି ତାହା-ସ୍ପର୍ଶ କରିବି ?’’

 

ଅର୍ଜ୍ଜୁନ କହିଲେ; ‘‘ବିଶ୍ୱାସ କରନ୍ତୁ, ସେ ଶବ ନୁହେଁ । ତାହା ପାଣ୍ଡବମାନଙ୍କର ଅସ୍ତ୍ର ସକଳ ଏପରି ବନ୍ଧା ହୋଇରଖା ହୋଇଅଛି । ତେଣୁ ଶୀଘ୍ର ଗଛ ଉପରକୁ ଯାଇ ସେ ଅସ୍ତ୍ର ସକଳ ତଳକୁ ନେଇ ଆସନ୍ତୁ ।’’

 

ଅର୍ଜ୍ଜୁନଙ୍କର କଥାନୁସାରେ ଉତ୍ତର ଗଛ ଉପରୁ ଅସ୍ତ୍ର ଗୋଛାଟା ତଳକୁ ନେଇ ଆସିଲେ ଓ ତଳେ ଗୋଛା ମଧ୍ୟରୁ ପାଣ୍ଡବମାନଙ୍କର ଭିନ୍ନ ଭିନ୍ନ ଅସ୍ତ୍ର ବାହାର କରି ପକାଇଲେ । ଅସ୍ତ୍ର ସବୁର ତେଜରେ ରାଜକୁମାର ଉତ୍ତର ସ୍ତମ୍ଭୀଭୂତ ହୋଇଗଲେ ଓ ପଚାରିଲେ, ପାଣ୍ଡବମାନଙ୍କର ଅସ୍ତ୍ର ତ ଦେଖୁଅଛି; ମାତ୍ର ସେହି ମହାତ୍ମାମାନେ ବର୍ତ୍ତମାନ କେଉଁଠାରେ ଅଛନ୍ତି ?’’

 

ଅର୍ଜୁନ ନିଜର ପ୍ରକୃତ ପରିଚୟକୁ ଆଉ ଲୁକ୍କାୟିତ ରଖିପାରିଲେ ନାହିଁ । କହିଲେ, ‘‘ମୁଁ ନିଜେ ଅର୍ଜୁନ । ରାଜା ଯୁଧିଷ୍ଠିର ତୁମ ପିତାଙ୍କ ନିକଟରେ ସଭାସଦ, ଭୀମସେନ ବଲ୍ଲବ ନାମରେ ପାଚକ, ନକୁଳ ଅଶ୍ୱପାଳ, ସହଦେବ ଗୋପାଳ ଏବଂ ସୈରିନ୍ଧ୍ରୀ ବେଶରେ ଦ୍ରୌପଦୀ ତୁମର ରାଜପ୍ରାସାଦରେ ଅବସ୍ଥାନ କରୁଅଛନ୍ତି ।’’

 

ଉତ୍ତର କହିଲେ; ‘‘ମହାବାହୁ, ଆଜି ମୋର ପରମ ସୌଭଗ୍ୟ ଯେ, ଆପଣଙ୍କ ସାକ୍ଷାତ ଲାଭ କଲି । ମୁଁ ଅଜ୍ଞତାବଶତଃ ଯେଉଁ କଟୁବାକ୍ୟ ଆପଣଙ୍କ ପ୍ରତି ପ୍ରୟୋଗ କରିଅଛି, ସେଥପାଇଁ ମୋତେ କ୍ଷମା କରିବେ । ବର୍ତ୍ତମାନ ମୁଁ ଆପଣଙ୍କର ସାରଥି ହେଉଅଛି । ତେଣୁ କେଉଁ ଦିଗକୁ ରଥ ଚାଳନା କରିବି । ମୋତେ ଆଜ୍ଞା ପ୍ରଦାନ କରନ୍ତୁ ।’’

ଅର୍ଜୁନ ନିଜର କବଚ ଆଦି ଧାରଣ କରି, ଶମୀବୃକ୍ଷକୁ ପ୍ରଦକ୍ଷିଣ କରି ଭଗବାନଙ୍କ ଉବ୍ଦେଶ୍ୟରେ ପ୍ରାର୍ଥନା ଜଣାଇଲେ ଏବଂ ତା’ପରେ ରଥ ଆରୋହଣ କରି କୌରବମାନଙ୍କ ନିକଟକୁ ଅତି ଦ୍ରୁତଗତିରେ ରଥ ଚାଳନା କରିବାକୁ ଉତ୍ତରଙ୍କୁ ନିର୍ଦ୍ଦେଶ ଦେଲେ । ଅର୍ଜୁନ ଘନଘନ ନିଜର ଶଙ୍ଖନାଦ କରି ଶତ୍ରୁମାନଙ୍କୁ ଯୁଦ୍ଧକୁ ଆହାନ ଜଣାଇଲେ ।

 

ଦ୍ରୋଣାର୍ଯ୍ୟ କହିଲେ; ଏହି ଶଙ୍ଖଧ୍ୱନିରୁ ମୁଁ ଜାଣିପାରୁଛି ଯେ, ଏ ବ୍ୟକ୍ତି ନିଶ୍ଚୟ ଅର୍ଜୁନ । ତେଣୁ ଅତି ଶୀଘ୍ର ବ୍ୟୂହ ରଚନା କରି ନିଜକୁ ଓ ଗୋ-ସମ୍ପଦକୁ ରକ୍ଷା କର । ନଚେତ୍ ଆମର ନିସ୍ତାର ନାହିଁ ।

 

ଦୁର୍ଯ୍ୟୋଧନ କହିଲେ; ‘‘ଅଜ୍ଞାତବାସର ନିର୍ଦ୍ଧାରିତ ସମୟ ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଅର୍ଜୁନ ଆତ୍ମପ୍ରକାଶ କରିବାରୁ ପାଣ୍ଡବମାନଙ୍କୁ ପ୍ରତିଜ୍ଞାନୁସାରେ ପୁନର୍ବାର ଅରଣ୍ୟବାସ କରିବାକୁ ପଡ଼ିବ । ପାଣ୍ଡବମାନେ ଦ୍ରୋଣାଚାର୍ଯ୍ୟଙ୍କର ଅତି ପ୍ରିୟ, ତଥାପି ଯୁଦ୍ଧ କରିବାକୁ ଆସି ଶତ୍ରୁପକ୍ଷର ପ୍ରଶଂସା କରିବା ଆଚାର୍ଯ୍ୟଙ୍କ ପକ୍ଷରେ ଉଚିତ ହୋଇ ନାହିଁ । ଯାହା ହେଉ, ବର୍ତ୍ତମାନ ଯତ୍ନ ସହକାରେ ଗସମ୍ପଦକୁ ମଝିରେ ରଖି ବ୍ୟୂହ ରଚନା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଯାଅ ।’’

 

କର୍ଣ୍ଣ କହିଲେ; ‘‘କିଛି ଭୟ କର ନାହିଁ । ଏ ଲୋକ ଅର୍ଜ୍ଜୁନ ହେଉ ନ ହେଉ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ । ବେଳାଭୂମି ସମୁଦ୍ରକୁ ରୁଦ୍ଧ କରି ରଖିଲାପରି ପ୍ରସ୍ତୁତ ହୋଇଯାଅ । ବେଳାଭୂମି ସମୁଦ୍ରକୁ ରୁଦ୍ଧ କରି ରଖିଲାପରି ମୁଁ ମୋର ଶୌର୍ଯ୍ୟବୀର୍ଯ୍ୟରେ ଆଜି ଅର୍ଜ୍ଜୁନକୁ ପରାସ୍ତ କରି ଦୁର୍ଯ୍ୟୋଧନଙ୍କ ନିକଟରେ ମୋର ପୂର୍ବ ପ୍ରତିଶ୍ରୁତି ଋଣରୁ ନିଜକୁ ମୁକ୍ତ କରିବି ।’’

 

କୃପାଚାର୍ଯ୍ୟ କହିଲେ; କର୍ଣ୍ଣ, ମହାବୀର ଅର୍ଜ୍ଜୁନଙ୍କୁ ପରାସ୍ତ କରିବି ବୋଲି ଯେଉଁ ଆସ୍ଫାଳନ ପ୍ରକାଶ କରୁଅଛି, ତାହା ଅମୂଳକ । ବିରାଟ ନଗରରେ ଅର୍ଜ୍ଜୁନ ଆତ୍ମଗୋପନ କରିଅଛନ୍ତି, ଏକଥା ପୂର୍ବରୁ ଜଣାଥିଲେ ଆମେ ଏପରି କାର୍ଯ୍ୟ କରିବାକୁ ଏଠାକୁ ଆସିନଥାନ୍ତୁ । ଯାହାହେଉ, ବର୍ତ୍ତମାନ ଏହି ମହାସଙ୍କଟରୁ ଉଦ୍ଧାର ପାଇବାକୁ ହେଲେ, ଦ୍ରୋଣ, ଭୀଷ୍ମ ଅଶ୍ୱତ୍‌ଥାମା, ଦୁର୍ଯ୍ୟୋଧନ, ତୁମେ ଆଉ ମୁଁ, ଆମେ ସମସ୍ତେ ଏକତାବଦ୍ଧ ହୋଇଯୁଦ୍ଧ କରିବାକୁ ପଡ଼ିବ, ନଚେତ୍ ଆମର ଅସ୍ତିତ୍ୱ ରହିବ ନାହିଁ । ଏହି ବିପଦ ସମୟରେ ଏକାକୀ ଯୁଦ୍ଧ କରିବାର ଅଯଥା ଦର୍ପ ପ୍ରକାଶର ସମୟ ବା ସ୍ଥାନ ଏ ନୁହେଁ । ତେଣୁ ତଦନୁସାରେ ସାବଧାନ ହୋଇରହ ।’’

 

ଅଶ୍ୱତ୍‌ଥାମା କହିଲେ, ‘‘ଅର୍ଜ୍ଜୁନଙ୍କ ପ୍ରତି ଦ୍ରୋଣାଚାର୍ଯ୍ୟଙ୍କର ଯଦି ଦୁର୍ବଳତା ଥାଏ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଶିଷ୍ୟ ପ୍ରତି ଆଚାର୍ଯ୍ୟମାନଙ୍କର ମମତା ରହିବା ସ୍ୱାଭାବିକ । ତେବେ ଦୁର୍ଯ୍ୟୋଧନ ଯେପରି ତାଙ୍କ ମାତୁଳଙ୍କ ପରାମର୍ଶ ଓ ସାହାଯ୍ୟରେ କପଟ ଭାବରେ ଦ୍ୟୁତକ୍ରୀଡ଼ା କରିଥିଲେ, ଓ ଯେପରି କପଟରେ ଇନ୍ଦ୍ରପ୍ରସ୍ଥ ଅଧିକାର କରିଥିଲେ, ଯେପରି ନିର୍ଲଜ ଭାବରେ ଦ୍ରୌପଦୀଙ୍କୁ ସଭାମଧ୍ୟକୁ ଆଣି ଗୁରୁଜନମାନଙ୍କ ସମ୍ମୁଖରେ ଅପମାନିତ କରିଥିଲେ, ଆଜି ସେହିପରି ଦୁର୍ଯ୍ୟୋଧନ ଓ ନିଜ ମାତୁଳ ଶକୁନିଙ୍କୁ ସଙ୍ଗରେ ନେଇ ଯୁଦ୍ଧ କରନ୍ତୁ, ମୁଁ ଅର୍ଜ୍ଜୁନଙ୍କ ସହ ଯୁଦ୍ଧ କରିବି ନାହିଁ ।’’

 

ଭୀଷ୍ମ କହିଲେ; ‘‘କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା, ଉତ୍ତମ କଥା କହି ଅଛନ୍ତି । ଦ୍ରୋଣାଚାର୍ଯ୍ୟଙ୍କ ବାକ୍ୟରେ ଦୋଷ ଅନ୍ୱେଷଣ କରିବା ଦ୍ୱାରା ବିଜ୍ଞତା’ର ପରିଚୟ ମିଳୁନାହିଁ । ଆମ ସମସ୍ତଙ୍କୁ ଏକତ୍ର ଯୁଦ୍ଧ କରିବାକୁ ପଡ଼ିବ, ପରସ୍ପର ବିରୋଧ କରିବାର ସମୟ ଏ ନୁହେଁ । ତେଣୁ ଆଚାର୍ଯ୍ୟପୁତ୍ର ଅଶ୍ୱତ୍‌ଥାମା କ୍ଷମା ପ୍ରଦର୍ଶନ କରି ଯୁଦ୍ଧରେ ସହଯୋଗ କରନ୍ତୁ ।’’

 

ଅଶ୍ୱତ୍‌ଥାମା କହିଲେ, ‘‘ପିତୃଦେବ ଯାହା କହି ଅଛନ୍ତ ତାହା ଯଥାର୍ଥ, କାରଣ ବିଜ୍ଞ ବ୍ୟକ୍ତିମାନେ ଗୁଣବାନ ଶତ୍ରୁର ପ୍ରଶଂସା ଓ ଗୁଣହୀନ ଶତ୍ରୁର ଦୋଷ କୀର୍ତ୍ତନ କରିବାରେ କେବେହେଁ କୁଣ୍ଠାବୋଧ କରନ୍ତୁ ନାହିଁ । ସେମାନଙ୍କ ଦୃଷ୍ଟିରେ ପୁଅ ଓ ଶିଷ୍ୟ ମଧ୍ୟରେ ପ୍ରାର୍ଥକ୍ୟ ନଥାଏ ।’’

 

ଅଶ୍ୱତ୍‌ଥାମାଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥଲେ । ଦ୍ରୋଣାଚାର୍ଯ୍ୟ କହିଲେ ‘‘ଭୀଷ୍ମଙ୍କ କଥା ମୋତେ ପ୍ରୀତ କରିଅଛି । ତେବେ ବର୍ତ୍ତମାନ ଦୁର୍ଯ୍ୟୋଧନଙ୍କୁ ଶତ୍ରୁ ଯେପରି ଆକ୍ରମଣ କରିନପାରେ, ସେ ଦିଗରେ ଆମ୍ଭେମାନେ ଯତ୍ନବାନ ହେବା ବାଞ୍ଛନୀୟ ।

 

ଭୀଷ୍ମ କହିଲେ; ‘‘ଆଜକୁ ଛ’ ଦିନ ତଳେ ପାଣ୍ଡବମାନଙ୍କର ତ୍ରୟୋଦଶ ବର୍ଷ ସମ୍ପୂର୍ଣ୍ଣ ହୋଇ ଯାଇଅଛି ଏବଂ ଅଜ୍ଞାତବାସର ସମୟ ପୂରି ଯାଇଥିବାରୁ ଅର୍ଜୁନ ଆଜି ଆତ୍ମପ୍ରକାଶ କଲେ । ଅର୍ଜୁନ ଯେତେବେଳେ ସମ୍ମୁଖରେ ବିଦ୍ୟମାନ, ସେତେବେଳେ ଜୟ ପରାଜୟ ବିଷୟରେ ଚିନ୍ତିତ ନ ହୋଇ ଧର୍ମସମ୍ମତ ଯୁଦ୍ଧୋଚିତ କାର୍ଯ୍ୟ ହିଁ ଆମର ଏକମାତ୍ର କରଣୀୟ ।’’

 

ଦୁର୍ଯ୍ୟୋଧନ କହିଲେ; ‘‘ପିତାମହ, ମୁଁ ପାଣ୍ଡବମାନଙ୍କୁ କଦାପି ରାଜ୍ୟ ପ୍ରଦାନ କରିବି ନାହିଁ । ଆପଣ ଯୁଦ୍ଧର ଆୟୋଜନ କରନ୍ତୁ ।’’

 

ଭୀଷ୍ମ କହିଲେ; ‘‘କୁରୁନନ୍ଦନ ! ଯାହା କଲେ ତୁମର ମଙ୍ଗଳ ହେବ, ସେପରି ପରାମର୍ଶ ଦେବା ମୋର କର୍ତ୍ତବ୍ୟ । ତେଣୁ ତୁମେ ଏକ ଚତୁର୍ଥାଂଶ ସୈନ୍ୟ ପରିବୃତ ହୋଇ ରାଜ୍ୟକୁ ଫେରିଯାଅ । ଅନ୍ୟ ଏକ ଚତୁର୍ଥାଂଶ ସୈନ୍ୟ ଗୋସମ୍ପଦକୁ ରକ୍ଷାକରି ରାଜଧାନୀକୁ ଫେରି ଯାଆନ୍ତୁ-। ଅବଶିଷ୍ଟ ସୈନ୍ୟଙ୍କ ସାହାଯ୍ୟରେ କୃପ, କର୍ଣ୍ଣ, ଦ୍ରୋଣ, ଅଶ୍ୱତ୍‌ଥାମା ଓ ମୁଁ ଏପରି ଆମେ ସମସ୍ତେ ଅର୍ଜୁନଙ୍କ ସହ ଯୁଦ୍ଧ କରିବୁ ।’’

 

ଭୀଷ୍ମଙ୍କ କଥାନୁସାରେ ସୈନ୍ୟ ବିଭଗ କଗଯାଇ ଦୁର୍ଯ୍ୟୋଧନ ଓ ଗୋସମ୍ପଦଙ୍କ ସଙ୍ଗରେ ଅର୍ଦ୍ଧେକ ସଂଖ୍ୟକ ସୈନ୍ୟ ସହ ରାଜଧାନୀକୁ ଫେରିଲେ ଓ ଅବଶିଷ୍ଟ ସୈନ୍ୟ ବ୍ୟୂହ ରଚନା କରି ଅର୍ଜୁନଙ୍କ ସହ ଯୁଦ୍ଧ କରିବା ପାଇଁ ଅପେକ୍ଷା କରି ରହିଲେ ।

 

ଯୁଦ୍ଧ ପୂର୍ବରୁ ଅର୍ଜୁନ ପ୍ରଥମେ ଚାରିଗୋଟି ଶର ନିକ୍ଷେପ କରିଥିଲେ; ତହିଁ ମଧ୍ୟରୁ ଦୁଇଟି ଦ୍ରୋଣଙ୍କ ପାଦ ସ୍ପର୍ଶ କଲା ଓ ଅନ୍ୟ ଦୁଇଟି ଶର ତାଙ୍କର ଦୁଇ କର୍ଣ୍ଣ ପାର୍ଶ୍ୱରେ ଅତି ଦ୍ରୁତଗତିରେ ଚାଲିଗଲା । ଏହି ଶର ମାଧ୍ୟମରେ ଅର୍ଜୁନ ଦୀର୍ଘଦିନ ପରେ ଗୁରୁଦେବଙ୍କୁ ପ୍ରଥମ ସାକ୍ଷାତ କରି ନିଜର ଅଭିବାଦନ ଓ କୁଶଳ ବାର୍ତ୍ତା ଜଣାଇଥିଲେ । ତହିଁ ପରେ ଉତ୍ତରଙ୍କୁ କହିଲେ; ‘‘କାହିଁ, ଦୁର୍ଯ୍ୟୋଧନକୁ ତ କେଉଁଠି ଦେଖୁନାହିଁ ! ସମ୍ଭବତଃ ଗୋସମ୍ପଦକୁ ନେଇ ସେ ହୁଏତ ପ୍ରାଣ ଭୟରେ ଯୁଦ୍ଧ ଭୂମି ତ୍ୟାଗ କରି ପଳାୟନ କରିଅଛି । ତୁମେ ଶୀଘ୍ର ଦକ୍ଷିଣ ଦିଗକୁ ରଥ ନେଇ ଚାଲ । ଅନ୍ୟ କୌରବଙ୍କ ସହ ଯୁଦ୍ଧ କରିବା ପ୍ରୟୋଜନ ନାହିଁ । ଦୁର୍ଯ୍ୟୋଧନକୁ ପରାଜିତ କରି ଆଗ ଗୋ-ସମ୍ପଦକୁ ଉଦ୍ଧାର କରିବା ।’’

ଅର୍ଜୁନଙ୍କ ନିର୍ବ୍ଦେଶାନୁସାରେ ଊତ୍ତର ଦକ୍ଷିଣ ଦିଗକୁ ରଥ ଚାଳନା କରି ଦୁର୍ଯ୍ୟୋଧନଙ୍କୁ ଅନୁସରଣ କରିବାରୁ, କୃପାଚାର୍ଯ୍ୟ କହିଲେ, ‘‘ଅର୍ଜୁନ ବର୍ତ୍ତମାନ ଦୁର୍ଯ୍ୟୋଧନଙ୍କୁ ଆକ୍ରମଣ କରିବାକୁ ଅଗ୍ରସର ହେଉଛନ୍ତି । ତେଣୁ ଚାଲନ୍ତୁ । ଦୁର୍ଯ୍ୟୋଧନଙ୍କୁ ରକ୍ଷା କରିବା; ନଚେତ୍ ନାବିକବିହୀନ ନୌକା ପରି ଅର୍ଜୁନଙ୍କର ସମର ରୂପକ ଜଳ ମଧ୍ୟରେ ଦୁର୍ଯ୍ୟୋଧନ ନିମଗ୍ନ ହୋଇଯିବେ ।’’

କୌରବମାନଙ୍କର ସମ୍ମୁଖୀନ ହୋଇ ‘‘ମୁଁ ଅର୍ଜୁନ ଯୁଦ୍ଧ କରୁଅଛି’’ ବୋଲି ଉଚ୍ଚ ସ୍ୱରରେ ପ୍ରକାଶ କରି ସେମାନଙ୍କ ଉପରେ ଅର୍ଜୁନ ଏପରି ଭାବରେ ଶର ବର୍ଷଣ କଲେ ଯେ, ଚତୁର୍ବ୍ଦିଗ ଏକାବେଳକେ ଶରରେ ଆଚ୍ଛନ୍ନ ହୋଇଗଲା । ଅଳ୍ପ ସମୟ ମଧ୍ୟରେ ଦୁର୍ଯ୍ୟୋଧନଙ୍କୁ ପରାସ୍ତ କରି ଅର୍ଜୁନ ଗୋ-ସମ୍ପଦକୁ ମୁକ୍ତ କରି ଆଣିଲେ । ଗୋ-ସମ୍ପଦ ମୁକ୍ତ ହୋଇଅଛି ଦେଖି, କର୍ଣ୍ଣ ପ୍ରମୁଖ ଅର୍ଜୁନଙ୍କ ସହ ତୁମୁଳ ସଂଗ୍ରାମ କଲେ, ଇନ୍ଦ୍ରତୁଲ୍ୟ ମହାପ୍ରଭାବଶାଳୀ ଅର୍ଜୁନଙ୍କର ନିପୁଣ ସମର କୌଶଳ ନିକଟରେ କୌରବ ପକ୍ଷୀୟ ସୈନ୍ୟମାନେ ସମ୍ପୂର୍ଣ୍ଣ ରୂପେ ପରାସ୍ତ ହୋଇଗଲେ ଓ କର୍ଣ୍ଣ ବିକର୍ଣ୍ଣ, ପ୍ରମୁଖ ଯୁଦ୍ଧଭୂମିରୁ ପଳାୟନ କରିବାକୁ ବାଧ୍ୟ ହେଲେ । ଅର୍ଜୁନ ପରିଶେଷରେ ସମ୍ମୋହନ ଅସ୍ତ୍ର ପ୍ରୟୋଗ କରି କୌରବ ପକ୍ଷର ସମସ୍ତଙ୍କୁ ମୂର୍ଚ୍ଛିତ କରି ରଣକ୍ଷେତ୍ରରେ ଫିଙ୍ଗିଦେଲେ ।

ଉତ୍ତରଙ୍କୁ ସମ୍ବୋଧନ କରି ଅର୍ଜୁନ କଲେ, ‘‘ବୀର ରାଜକୁମାର କୌରବମାନେ ବର୍ତ୍ତମାନ ସଂଜ୍ଞାହୀନ ହୋଇ ପଡ଼ିଅଛନ୍ତି । ତେଣୁ ଏହି ଅବସ୍ଥାରେ ବୀରମାନଙ୍କର ପରିହିତ ସୂକ୍ଷ୍ମ ବସ୍ତ୍ରମାନ ହରଣ କରିନିଅ ।’’

 

ତଦନୁସାରେ ବୀରମାନଙ୍କ ସୂକ୍ଷ୍ମ ଅଙ୍ଗାବରଣକୁ ଉତ୍ତର ହରଣ କରି ରାଜଧାନୀକୁ ଫେରି ଆସିଲେ । ଫେରିବା ପଥରେ ଅର୍ଜୁନ ଶମି ବୃକ୍ଷରେ ପୂର୍ବପରି ଅସ୍ତ୍ର ଆଦି ରଖି ଦେଇ ଓ ସାରଥି ବେଶଧାରଣ କଲେ ଅର୍ଜୁନ ଗଜକୁମାରଙ୍କୁ କହିଲେ; ପାଣ୍ଡବମାନେ ଯେ ବିରାଟ ରାଜପ୍ରାସାଦରେ ବାସ କରୁ ଅଛନ୍ତି, ଏକଥା ତୁମଛଡ଼ା ଅନ୍ୟ କେହି ଯେପରି ନଜାଣନ୍ତି । ତୁମେ କୌରବମାନଙ୍କୁ ପ୍ରଗସ୍ତ କରି ଗୋ-ସମ୍ପଦ ଉଦ୍ଧାର କରିଅଛ ବୋଲି ପ୍ରକାଶ କରିଦେବ ।

 

ଅର୍ଜୁନ ଓ ଉତ୍ତର ବିରାଟ ନଗରକୁ ଫେରିଆସିଲେ ।

Image

 

ପାଣ୍ଡବଙ୍କ ଆକାଶ

 

ତ୍ରିଗର୍ତ୍ତମାନଙ୍କୁ ପରାଜିତ କରି ରାଜା ବିରାଟ ସୈନ୍ୟସାମନ୍ତ ସହିତ ନଗରକୁ ଫେରି ଆସି ଯେତେବେଳେ ଶୁଣିଲେ ଯେ, ରାଜକୁମାର ଉତ୍ତର ନପୁଂସକ ବୃହନ୍ନଳାକୁ ସାରଥି ଭାବରେ ନେଇ ମହାବୀର ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ ପ୍ରମୁଖଙ୍କ ହସ୍ତରୁ ଅପହୃତ ଗୋସମ୍ପଦକୁ ଉଦ୍ଧାର କରିବାକୁ ଯାଇଅଛି, ତାଙ୍କର ଚିନ୍ତା ଓ ଆଶଙ୍କାର ସୀମା ରହିଲା ନାହିଁ । ସେ ସୈନ୍ୟମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ସୈନ୍ୟଗଣ, ତୁମ୍ଭେମାନେ ଶୀଘ୍ର ଯାଇ ଦେଖ ରାଜକୁମାର ଜୀବିତ ଅଛନ୍ତି କି ନାହିଁ, ଯେତେବେଳେ ଗୋଟାଏ ଅନଭିଜ୍ଞ ନପୁଂସକକୁ ସାରଥି କରି ରାଜକୁମାର ଯୁଦ୍ଧକୁ ଯାଇଅଛନ୍ତି, ସେ ଏପର୍ଯ୍ୟନ୍ତ ଜୀବିତ ଥିବେ, ଏ ଭରସା ମୋର ନାହିଁ । ‘‘

 

ରାଜାଙ୍କ ମନରେ ଯୁଧିଷ୍ଠିର ଉପସ୍ଥିତ ଥିଲେ । ସେ କହିଲେ; ମହାରାଜ, ବୃହନ୍ନଳା ଯେତେବେଳେ ସାରଥି ଭାବରେ ଯାଇଛି, ସେତେବେଳେ ରାଜକୁମାରଙ୍କ ସମ୍ପର୍କରେ କୌଣସି ଭୟ କରିବା ଅନୁଚିତ, କାରଣ ସେ ସାରଥି ସାହାଯ୍ୟରେ ରାଜକୁମାର ଦେବ, ଦାନବ, ପକ୍ଷ ସମସ୍ତଙ୍କୁ ପରାଜିତ କରିବାକୁ ସମର୍ଥ ହେବେ । ତେଣୁ ଚିନ୍ତା କରନ୍ତୁ ନାହିଁ ।’’

 

ଯୁଧିଷ୍ଠିରଙ୍କର କଥା ସରିନାହିଁ, ଦୂତ ଆସି ରାଜକୁମାରଙ୍କର ଜୟବାର୍ତ୍ତା ଜ୍ଞାପନ କଲା । ତାହା ଶୁଣି ଯୁଧିଷ୍ଠିର ପୁନର୍ବାର କହିଲେ, ‘‘ଯାହା କହୁଥିଲି ତାହା ହିଁ ଘଟିଛି । ବୃହନ୍ନଳା ଯେତେବେଳେ ରାଜକୁମାରଙ୍କ ରଥର ସାରଥି, ସେତେବେଳେ କୁମାରଙ୍କ ବିଜୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।’’

 

ଦୂତମାନଙ୍କୁ ବହୁ ପରିମାଣରେ ପାରିତୋଷିକ ପ୍ରଦାନ କରି ବିରାଟ ରାଜା କହିଲେ, ‘‘ମନ୍ତ୍ରୀଗଣ, ପଥପାର୍ଶ୍ୱରେ ପତକାମାନ ଉତ୍ତେଳିତ କରି ରାଜପଥକୁ ପତ୍ର ପୁଷ୍ପରେ ସୁସଜ୍ଜିତ କର ଏବଂ ରାଜକୁମାରଙ୍କ ସ୍ଵାଗତ ଅଭ୍ୟର୍ଥନାର ଆୟୋଜନ କର । ହଁ, ସୈରିନ୍ଧ୍ରୀ ତୁମେ ଅକ୍ଷ ଆଣ, ମୁଁ ବର୍ତ୍ତମାନ କଙ୍କଙ୍କ ସହିତ ଦ୍ୟୁତକ୍ରୀଡ଼ା କରିବି ।’’

 

କଙ୍କ ବେଶୀ ଯୁଧୁଷ୍ଠିର କହିଲେ, ‘‘ଦ୍ୟୁତକ୍ରୀଡ଼ା ନ କରିବା ହିଁ ଭଲ । ପାଣ୍ଡୁ ନନ୍ଦନ ଯୁଧିଷ୍ଠିର ଦିନେ ଦ୍ୟୁତାସକ୍ତ ହୋଇ ସର୍ବସ୍ଵ ହରାଇଥିଲେ । ତେଣୁ ସେ ଅପ୍ରୀତିକର ଦ୍ୟୁତ ପ୍ରତି ମହାରାଜ ଆସକ୍ତ ହୁଅନ୍ତୁ ନାହିଁ ।’’

 

ବିରାଟ କହିଲେ, ‘‘କଙ୍କ, ଆଜିପରି ଆନନ୍ଦ ଦିବସରେ ଦ୍ୟୁତକ୍ରୀଡ଼ା ପାଇଁ ବାରଣ କର ନାହିଁ । ବିଶେଷ କରି ଯେତେବେଳେ ମୋର ପୁତ୍ର ମହାବୀର କୌରବମାନଙ୍କୁ ପରାଜିତ କରିଅଛି-।’’

 

ଯୁଧିଷ୍ଠିର କହିଲେ, ‘‘ମହାରକ, ବୃହନ୍ନଳା ଯାହାର ସାରଥି, ସଂଗ୍ରାମରେ ତ ତା’ର ଜୟଲାଭ ସୁନିଶ୍ଚିତ ।

 

ବିରାଟ ରାଜାଙ୍କର କ୍ରୋଧର ସୀମା ରହିଲା ନାହିଁ । ସେ ଉତ୍ତେଜିତ ହୋଇ କହିଲେ, କଙ୍କ, ମୋର ବୀର ପୁତ୍ରର ବିଜୟକୁ ସ୍ଵୀକାର ନକରି, ବାରମ୍ବାର ତୁମେ ସେ ଗୋଟା ଏ କ୍ଳୀବର ପ୍ରଶଂସା କରୁଅଛ । ତୁମର ଏହି ଅପରାଧ ଅକ୍ଷମଣୀୟ, ତଥାପି ମାର୍ଜନା କଲି । ଭବିଷ୍ୟତରେ ଯେପରି ବ୍ୟବହାରର ପୁନରାବୃତ୍ତି ନଘଟେ, ସାବଧାନ ।’’

 

ଯୁଧିଷ୍ଠିର କହିଲେ, ‘‘ମହାରାଜ, ଆଚାର୍ଯ୍ୟ ଦ୍ରୋଣ, ଭୀଷ୍ମ ପ୍ରମୁଖ ମହାରଥୀ ଏପରି କି ଦେବପରିବୃତ ଇନ୍ଦ୍ର, ଯଦି ରଣକ୍ଷେତ୍ରରେ ଉପସ୍ଥିତ ହୁଅନ୍ତି, ବୃହନ୍ନଳା ବ୍ୟତିରେକେ ସେମାନଙ୍କ ସହ ଯୁଦ୍ଧ କରିବାକୁ କେହି ସମର୍ଥ ନୁହନ୍ତି; ତେଣୁ ବୃହନ୍ନଳା ପରି ଅଦ୍ୱିତୀୟ ପରାକ୍ରମୀ ବୀରର ସାହାଯ୍ୟ ପାଇଲେ ଯେ କୌଣସି ବ୍ୟକ୍ତି ଜୟ ଲାଭ କରିବ ।’’

ବିରାଟ ଅତି ଉତ୍ତେଜିତ ହୋଇ କହିଲେ, ମୋର ବାରମ୍ବାର ବାରଣ ସତ୍ତ୍ଵେ ତୁମେ ପୁନର୍ବାର ମୋ ପୁତ୍ରର ସ୍ୱପରାକ୍ରମ ଅର୍ଜିତ ବିଜୟକୁ ଅସ୍ୱୀକାର କରି ସେ ନପୁଂସକର ପ୍ରଶଂସା କରୁଅଛ !’’ ଏହା କହି ଧରିଥିବା ପଶାକାଠିକୁ ଯୁଧିଷ୍ଠିରଙ୍କ ମୁହଁକୁ ରାଗରେ ରାଜା ବିରାଟ ଫିଙ୍ଗି ଦେଲେ । ପଶାକାଠିର ଆଘାତରେ ଯୁଧିଷ୍ଠିରଙ୍କ ନାକରୁ ରକ୍ତ ଗଡ଼ିଆସିଲା । ଦ୍ରୌପଦୀ ପାଖରେ ଥିଲେ, ଯୁଧିଷ୍ଠିରଙ୍କ ନାକରୁ ରକ୍ତ ପଡ଼ିବାର ଦେଖି ତତ୍‌କ୍ଷଣାତ୍ ଏକ ଜଳପୂର୍ଣ୍ଣ ସୁବର୍ଣ୍ଣ ପାତ୍ରରେ ତାହା ସଂଗ୍ରହ କରି ନେଇ, ଯୁଧୁଷ୍ଠିରଙ୍କର ସେବା କରିବାକୁ ଲଗିଲେ । ଏ ସମୟରେ ରାଜକୁମାର ଉତ୍ତର ସଭାଗୃହ ମଧ୍ୟରେ ପ୍ରବେଶ କରି ସେଠାରେ ଯୁଧିଷ୍ଠିରଙ୍କୁ ଆଘାତପ୍ରାପ୍ତ ହୋଇଥିବାର ଦେଖି ପିତାଙ୍କୁ ପ୍ରଶ୍ନ କଲେ, ‘‘ଏହି ମହାଶୟଙ୍କ ପ୍ରତି କେଉଁ ପାପୀ ଏପରି ଦୁର୍ବ୍ୟବହାର କରିଅଛି ?’’

ରାଜା ବିରାଟ କହିଲେ, ‘‘ପୁତ୍ର, ତୁମର ବିଜୟ ବାର୍ତ୍ତା ଶୁଣିବା ପରେ ମୁଁ ଆନନ୍ଦରେ ତୁମର ପ୍ରଶଂସା କଲା ସମୟରେ, ଏହି ବ୍ରାହ୍ମଣ ତାହା ଅନୁମୋଦନ ନ କରି ବାରମ୍ବାର ବୃହନ୍ନଳାର ପ୍ରଶଂସା କରିବାରୁ ମୁଁ ରାଗରେ ତାହାକୁ ପ୍ରହାର କରିଅଛି ।’’

ଉତ୍ତର କହିଲେ, ‘‘ମହାରାଜ, ଆପଣ ଏହି ମହାଶୟଙ୍କୁ ପ୍ରହାର କରି ଘୋର ଅନ୍ୟାୟ କରିଛନ୍ତି, ଶୀଘ୍ର କ୍ଷମା ମାଗି ନେଇ ତାଙ୍କୁ ପ୍ରସନ୍ନ କରନ୍ତୁ, ନଚେତ୍ ଆମେ ସମସ୍ତେ ନିର୍ମୂଳ ହୋଇଯିବା ।’’ ପୁତ୍ରର କଥାନୁସାରେ ବିରାଟ ଯୁଧିଷ୍ଠିରଙ୍କ ନିକଟରେ କ୍ଷମାଭିକ୍ଷା କରି ପୁତ୍ର ଉତ୍ତରକୁ କହିଲେ, ‘‘ବତ୍ସ ତୁମପରି ପୁତ୍ର ମୋର ବଡ଼ ଭାଗ୍ୟର ଫଳ । ଯେଉଁ ବୀରମାନେ ଏକାଦିକ୍ରମେ ବହୁଯୁଦ୍ଧ କରି ମଧ୍ୟ କ୍ଲାନ୍ତ ହୁଅନ୍ତି ନାହିଁ, ସେହି ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା, କର୍ଣ୍ଣ, କୃପ, ଦୁର୍ଯ୍ୟୋଧନ ପ୍ରମୁଖଙ୍କୁ ପରାଜିତ କରି ପରମ ଆଶ୍ଚର୍ଯ୍ୟ ସାଧନ କରିଅଛ ।’’

ଉତ୍ତର କହିଲେ, ‘‘ବାପା, ଏହି ଦାରୁଣ କାର୍ଯ୍ୟ ମୋ ଦ୍ୱାରା ସମାହିତ ହୋଇନାହିଁ । କୌରବ ବୀରମାନଙ୍କୁ ଦେଖି ମୁଁ ଭୟରେ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲାବେଳେ ଜଣେ ପୁରୁଷ ମୋ ସମ୍ମୁଖରେ ଆବିର୍ଭୂତ ହୋଇ ମୋତେ ପଳାୟନରୁ କ୍ଷାନ୍ତ କଲେ ଏବଂ ମୋ ପାଇଁ ଯୁଦ୍ଧ କରି କୌରବ ବୀରମାନଙ୍କୁ ପରାସ୍ତ କଲେ । ଆମର ଅପହୃତ ଗୋ-ସମ୍ପଦର ଉଦ୍ଧାର କାର୍ଯ୍ୟ ସେହି ଦିବ୍ୟପୁରୁଷଙ୍କ ଦ୍ୱାରା ସମ୍ଭବ ହୋଇଅଛି । ମୁଁ କିଛି କରିନାହିଁ ।’’

ପୁତ୍ରର କଥାଶୁଣି ରାଜା ବିରାଟ ପ୍ରଶ୍ନ କଲେ, ‘‘ସେ ଦିବ୍ୟପୁରୁଷ କାହାନ୍ତି ?’’ ଉତ୍ତର କହିଲେ, ‘‘ଯୁଦ୍ଧ ପରେ ସେ ଅନ୍ତର୍ହିତ ହୋଇଅଛନ୍ତି’ ସମ୍ଭବତଃ ଏହି ଦିନେ ବା ଦୁଇଦିନ ମଧ୍ୟରେ ଏଠାରେ ଆସି ପୁନର୍ବାର ଆବିର୍ଭୂତ ହେବେ ।’’

ତହିଁ ପର ଦିନ ରାଜସଭାରେ ପାଣ୍ଡବମାନେ ଦ୍ରୌପଦୀଙ୍କର ଆତ୍ମପରିଚୟ ଉଦ୍‌ଘାଟିତ କରିଥଲେ । ପାଣ୍ଡବମାନଙ୍କର ଦର୍ଶନ କରି ରାଜା ବିରାଟ ଆନନ୍ଦ ଗଦ୍‌ଗଦ କଣ୍ଠରେ କହିଲେ, ମୁଁ ଶତ୍ରୁମାନଙ୍କ ପାଖରେ ବନ୍ଦୀ ହୋଇଥିବାବେଳେ ମହାବାହୁ ଭୀମସେନ ମୋତେ ରକ୍ଷା କରି ଅଛନ୍ତି । ତେଣୁ ଏ ସମସ୍ତ ରାଜ୍ୟର ପ୍ରକୃତ ଅଧିକାରୀ କେବଳ ଏହି ପାଣ୍ଡବମାନେ । ମୋର ଅଜ୍ଞତାବଶତଃ ଆପଣମାନଙ୍କ ପ୍ରତି ମୁଁ ଯେଉଁ ଦୁର୍ବ୍ୟବହାର କରିଅଛି, ଧର୍ମାତ୍ମା ଯୁଧିଷ୍ଠିର ମୋତେ କ୍ଷମା ଦିଅନ୍ତୁ ।’’ ଏହା କହି ବିରାଟ ଅତି ଭକ୍ତି ଶ୍ରଦ୍ଧାର ସହିତ ପାଣ୍ଡବମାନଙ୍କର ସମ୍ବର୍ଦ୍ଧନା କରି ନିଜର ମତ୍ସ୍ୟଦେଶର ରାଜପଦ ସେମାନଙ୍କ ହସ୍ତରେ ଅର୍ପଣ କରିଦେଲେ ।

ରାଜା ବିରାଟ କହିଲେ, ‘‘ମହାରାଜ, ସୌଭାଗ୍ୟକ୍ରମେ ଆପଣମାନେ ନିର୍ବିଘ୍ନରେ ଅରଣ୍ୟ ଓ ଅଜ୍ଞାତବାସ ସମ୍ପର୍କିତ ପ୍ରତିଜ୍ଞା ପାଳନ କରିଅଛନ୍ତି । ମୋର ଏ ରାଜ୍ୟ ଆପଣ ଗ୍ରହଣ କରନ୍ତୁ । ମହାବାହୁ ଅର୍ଜୁନଙ୍କ ହସ୍ତରେ ମୋର ଏକମାତ୍ର କନ୍ୟା ଉତ୍ତରାକୁ ଅର୍ପଣ କରିବାକୁ ଇଚ୍ଛା କରୁଅଛି, ଆଶାକରେ ଏ ବିଷୟରେ ଆପଣଙ୍କର ସମ୍ମତ ଲାଭ କରିବି ।

କିନ୍ତୁ ଅର୍ଜୁନ କହିଲେ, ‘‘ମହାଗଜ ! ମତ୍ସ୍ୟ ସହିତ ଆମ ଭରତ ବଂଶର ସମ୍ବନ୍ଧ ସ୍ଥାପିତ ହେବା ଏକାନ୍ତ ସମୁଚିତ, ମାତ୍ର ଉତ୍ତରାଙ୍କୁ ଆଜି ପର୍ଯ୍ୟନ୍ତ ନିଜର କନ୍ୟା ଦୃଷ୍ଟିରେ ଦେଖି ନୃତ୍ୟଗୀତ ଆଦି ପ୍ରଦାନ କରି ଆସିଥିବାରୁ, ମୁଁ ତା’ର ଗୁରୁ ଓ ପିତୃତୁଲ୍ୟ । ତେଣୁ ମୋର ପୁତ୍ର ବୀର ଅଭିମନ୍ୟୁଙ୍କୁ ଜାମାତା ଭାବରେ ଗ୍ରହଣ କରି ତାଙ୍କ ହସ୍ତରେ ଉତ୍ତରାଙ୍କୁ ଅର୍ପଣ କରନ୍ତୁ ।’’

ତାହାହିଁ ହେଲା । ଯୁଧିଷ୍ଠିର ଓ ବିରାଟଙ୍କ ଅନୁମୋଦନକ୍ରମେ ସ୍ୱତନ୍ତ୍ର ଦୂତମାନଙ୍କ ହସ୍ତରେ ବନ୍ଧୁମାନଙ୍କ ନିକଟକୁ ଶୁଭବାର୍ତ୍ତା ଓ ନିମନ୍ତ୍ରଣାମାନ ପ୍ରେରିତ ହେଲା । ପାଣ୍ଡବମାନେ ବିରାଟ ନଗରରେ ଅବସ୍ଥାନ କରୁଅଛନ୍ତି ଶୁଣି କୃଷ୍ଣ, ବଳରାମ, କୃତବର୍ମା, ସାତ୍ୟକି ପ୍ରମୁଖ ବନ୍ଧୁମାନେ ସୈନ୍ୟସାମନ୍ତ ସହ ବିରାଟ ନଗରରେ ଉପସ୍ଥିତ ହେଲେ । ସେତେବେଳେ ଦ୍ୱାରକାରେ ଅର୍ଜୁନଙ୍କୁ ପତ୍ନୀ ସୁଭଦ୍ରାଙ୍କ ସହ ଅଭିମନ୍ୟୁ ବାସ କରୁଥିଲା । କୃଷ୍ଣଙ୍କ ସହ ସେମାନେ ମଧ୍ୟ ଆସିଲେ-। ଉପଯୁକ୍ତ ସମୟରେ ବୀର ଅଭିମନ୍ୟୁଙ୍କ ସହ ରାଜକୁମାରୀ ଉତ୍ତରାଙ୍କର ଶୁଭବିବାହ ମହା ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଗଲା ।

Image

 

ରାଜ୍ୟଲାଭପାଇଁ ପାଣ୍ଡବଙ୍କୁ ବନ୍ଧୁମାନଙ୍କର ପରାମର୍ଶ

 

ଅଭିମନ୍ୟୁଙ୍କର ବିବାହ କାର୍ଯ୍ୟ ସମାପ୍ତ ହେବା ପରେ ବିବାହ ଉଦ୍ଦେଶ୍ୟରେ ସମାଗତ ପାଣ୍ଡବ ତଥା ବିରାଟ ରାଜାଙ୍କର ବନ୍ଧୁମାନେ ରାଜଦରବାରରେ ଉପବେଶନ କରିଥିବା ସମୟରେ କୃଷ୍ଣ କହିଲେ, ‘ହେ ରାଜନ୍ୟମଣ୍ଡଳୀ ! ରାଜା ଯୁଧିଷ୍ଠିର ଶକୁନିର କପଟ ଦ୍ୟୂତରେ ପରାଜିତ ହୋଇକିପରି ଭାବରେ ନିଜର ରାଜ୍ୟ ହରାଇ ତ୍ରୟୋଦଶବର୍ଷ କାଳ ବନବାସୀ ହୋଇଥିଲେ, ଆପଣମାନେ ସେହି ବିଷୟ ଉତ୍ତମ ରୂପେ ଅବଗତ ଅଛନ୍ତି । ପାଣ୍ଡବମାନେ ନିଜର ବୀରତ୍ୱରେ ସମଗ୍ର ପୃଥିବୀକୁ କରାୟତ ସମର୍ଥ ହେଲେ ମଧ୍ୟ, କେବଳ ନିଜର ସତ୍ୟରକ୍ଷା ନିମନ୍ତେ ବନବାସୀ ହୋଇ ଦାରୁଣ ଦୁଃଖ ସ୍ୱୀକାର କରିଅଛନ୍ତି । ଏପରି କି ଅଜ୍ଞାତବାସ ସମୟରେ ସେମାନଙ୍କୁ ମଧ୍ୟ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ିଥିଲା, ତାହା ମଧ୍ୟ ଆପଣମାନଙ୍କୁ ଅବିଦିତ ନାହିଁ । ତେଣୁ ବର୍ତ୍ତମାନ କୌରବ ଓ ପାଣ୍ଡବମାନଙ୍କର ଯାହା ହିତକର, ଉପଯୁକ୍ତ ଓ ଧର୍ମତଃ କରଣୀୟ ତାହା ଆପଣମାନେ ଚିନ୍ତା କରନ୍ତୁ । ଅନ୍ୟାୟ ଭାବରେ ରାଜ୍ୟଲାଭ କରିବାର ବ୍ୟକ୍ତି ଯୁଧିଷ୍ଠିର ନୁହଁନ୍ତି କିମ୍ବା ସେପରି କାମନା ତାଙ୍କର ନାହିଁ । ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନେ ପାଣ୍ଡବମାନଙ୍କୁ ଅତି ବାଳକ ଅବସ୍ଥାରୁ ସଂହାର କରିବାକୁ ଉଦ୍ୟମ କରିଥିଲେହେଁ ଓ ଶଠତା ପୂର୍ବକ ପାଣ୍ଡବଙ୍କର ପିତୃରାଜ୍ୟ ଅଧିକାର କରିଥିଲେ ମଧ୍ୟ ଧର୍ମଶୀଳ ପାଣ୍ଡବମାନେ କେବେହେଲେ ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନଙ୍କର ଅମଙ୍ଗଳ କାମନା କରିନାହାନ୍ତି । କୌରବମାନେ ଅତ୍ୟଧିକ ଲୋଭୀ ଓ ପାଣ୍ଡବମାନେ ଅତିମାତ୍ରାରେ ଧାର୍ମିକ; ତେଣୁ ଉଭୟଙ୍କ ପ୍ରତି ଦୃଷ୍ଟି ଦେଇ ଯାହା କରଣୀୟ, ସେପରି ପରାମର୍ଶ ଆପଣମାନେ ପ୍ରଦାନ କରନ୍ତୁ । ବନବାସର ସମୟ ଅତୀତ ହୋଇଯାଇଥିବାରୁ, ପାଣ୍ଡବମାନଙ୍କର ଅପହୃତ ରାଜ୍ୟ ଫେରାଇଦେବା ସମ୍ପର୍କରେ ଦୁର୍ଯ୍ୟୋଧନର ମତିଗତି କିଛି ଆମ୍ଭମାନଙ୍କୁ ଜଣା ନାହିଁ; ତେଣୁ ଜଣେ କୁଳୀନ ଧର୍ମାତ୍ମା ବ୍ୟକ୍ତିଙ୍କୁ ଦୂତ ଭାବରେ କୌରବଙ୍କ ସଭାକୁ ପ୍ରେରଣ କରି ଅପହୃତ ରାଜ୍ୟର ପ୍ରତ୍ୟର୍ପଣ ସମ୍ପର୍କରେ ପାଣ୍ଡବଙ୍କର ନାଯ୍ୟ ଦାବି ବିଷୟରେ କୌରବମାନଙ୍କୁ ସଚେତନ କରାଇବା ଉଚିତ ବୋଲି ମୁଁ ଭାବୁଅଛି ।

 

ବଳରାମ କହିଲେ, ଆପଣମାନେ କୃଷ୍ଣଙ୍କର ଧର୍ମାନୁମୋଦିତ ବାକ୍ୟ ଶ୍ରବଣ କଲେ । ପାଣ୍ଡବମାନେ ଅର୍ଦ୍ଧେକ ରାଜ୍ୟ ମାତ୍ର ଲାଭକରି ସନ୍ତୁଷ୍ଟ ହେବାକୁ ସମ୍ମତ ଅଛନ୍ତି, ତେଣୁ ପାଣ୍ଡବମାନଙ୍କୁ ସେମାନଙ୍କର ଅର୍ଦ୍ଧେକ ରାଜ୍ୟ ପ୍ରଦାନ କରି ଦୁର୍ଯ୍ୟୋଧନ ଆମ୍ଭମାନଙ୍କ ସହିତ ସୁଖରେ ରହନ୍ତୁ । ସାମାନ୍ୟ ରାଜ୍ୟପାଇଁ ପାଣ୍ଡବଙ୍କ ସହ ସଂଗ୍ରାମ ନକରି ସନ୍ଧି କରିବା ହିଁ ବିଶେଷ କର୍ତ୍ତବ୍ୟ । ସଂଗ୍ରାମ ଅର୍ଜିତ ସମ୍ପତ୍ତି ହିଁ ଅଧିକ ସୁଖପ୍ରଦ ହୋଇଥାଏ; ତେଣୁ ମୋ’ ମତରେ ଶାନ୍ତିସ୍ଥାପନ କରିବା ଉଦ୍ଦେଶ୍ୟରେ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ କୌରବ ସଭାକୁ ପ୍ରେରଣ କରି ଧର୍ମରାଜ ଯୁଧିଷ୍ଠିଙ୍କର ଅଭିପ୍ରାୟକୁ ପ୍ରକାଶ କରାଯାଉ । କୌରବମାନେ ଅନ୍ୟାୟ ଆଚରଣର ଆଶ୍ରୟ ନେଇ ପାଣ୍ଡବଙ୍କର ରାଜ୍ୟ ହରଣ କରିଛନ୍ତି ସତ୍ୟ, ମାତ୍ର ସେଥିପାଇଁ ସେମାନଙ୍କୁ ସବୁବେଳେ କୁପିତ କରିବା ଉଚିତ ହେବନାହିଁ । ଯୁଧିଷ୍ଠିର ଭଲଭାବରେ ଦ୍ୟୂତକ୍ରୀଡ଼ା ଜାଣିନଥିବା କଥା ନିଜେ ଜାଣିଥିବାବେଳେ ଓ ବନ୍ଧୁମାନେ ତାଙ୍କୁ ଦ୍ୟୁତକ୍ରୀଡ଼ାରୁ ନିବାରଣ କରିଥିବା ସତ୍ତ୍ୱେ, ଏପରିକ ଦୁର୍ଯ୍ୟୋଧନଙ୍କ ସଭାରେ ଥିବା ବହୁ ଦ୍ୟୂତକ୍ରୀଡ଼ାକୁଳଶୀଙ୍କୁ ଅକ୍ଳେଶରେ ଯୁଧିଷ୍ଠିର ପରାଜିତ କରିପାରିବାର ସମ୍ଭାବନା ଥିବାବେଳେ, ଦ୍ୟୁତକ୍ରୀଡ଼ା ପାରଦର୍ଶୀ ଶକୁନିଙ୍କ ସହିତ ଯୁଧିଷ୍ଠିର ର ଦ୍ୟୂତକ୍ରୀଡ଼ା କରି ନିଜର ରାଜ୍ୟ ଓ ସମ୍ପତ୍ତି ହରାଇଅଛନ୍ତି । ଦ୍ୟୂତରୁ କ୍ରୋଧ ଓ ଲୋଭ ଜାତ ହୋଇଥାଏ । କ୍ରମେ କ୍ରୋଧପରତନ୍ତ୍ର ହୋଇ ଶକୁନି ଯେପରି ଭାବରେ ଯୁଧିଷ୍ଠିରଙ୍କୁ ହରାଇ ରାଜ୍ୟଆଦି ଜୟକଲା, ସେଥିପାଇଁ ଶକୁନିକୁ ଦୋଷଦେବା ଉଚିତ ହେବ ନାହିଁ । ତେଣୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ଦୂତ ରୂପେ ପ୍ରେରଣ କରାଯାଇ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରାଯାଉ ।”

 

ବଳରାମଙ୍କ କଥା ଶୁଣି ମହାବୀର ସାତ୍ୟକିଙ୍କର କ୍ରୋଧର ସୀମା ରହିଲା ନାହିଁ । ସେ ତତ୍‌କ୍ଷଣାତ୍ ଦଣ୍ଡାୟମାନ ହୋଇ, ବଳଦେବଙ୍କୁ କହିଲେ, ଲୋକ ନିଜର ପ୍ରକୃତି ଅନୁରୂପ ବାକ୍ୟହିଁ ପ୍ରକାଶ କରିଥାଏ, ତୁମେ ତାହାହିଁ କରିଅଛ । ଯେତେବେଳେ ଦ୍ୟୁତ ଅନଭିଜ୍ଞ ଯୁଧିଷ୍ଠିରଙ୍କୁ ଦ୍ୟୁତ ବିଶାରଦଗଣ ଦ୍ୟୂତକୁ ଆହ୍ୱାନ କରି ପରାଜିତ କଲେ, ସେମାନଙ୍କର ଜୟ ଯେ କିପରି ଧର୍ମ ଅନୁମୋଦିତ ହେଲା, ବୁଝିପାରୁ ନାହିଁ । ତା’ଛଡ଼ା ଦ୍ୟୁତର ସର୍ତ୍ତ ଅନୁସାରେ ମହାରାଜ ଯୁଧିଷ୍ଠିର ତ୍ରୟୋଦଶ ବର୍ଷ କାଳ ବନବାସୀ ହୋଇ ବର୍ତ୍ତମାନ ପ୍ରତିଜ୍ଞାମୁକ୍ତ ହେବା ସଙ୍ଗେ ସଙ୍ଗେ ନିଜର ପୈତୃକ ରାଜ୍ୟର ପୂର୍ବ ପରି ଅଧିକାରୀ ହୋଇ ଅଛନ୍ତି; ତେଣୁ ସେହି ପୈତୃକରାଜ୍ୟ ପାଇଁ ଦୁରାତ୍ମାମାନଙ୍କ ନିକଟରେ ଯୁଧିଷ୍ଠିର ପ୍ରାର୍ଥନା କରିବେ କାହିଁକି ? ପାଣ୍ଡବମାନେ ସଫଳତାର ସହିତ ବନବାସ ଓ ଅଜ୍ଞାତବାସ ପାଳନ କରିଥିଲେ ମଧ୍ୟ ଅଜ୍ଞାତବାସ ପୂର୍ଣ୍ଣ ହେବା ପୂର୍ବରୁ ପାଣ୍ଡବମାନେ ଆତ୍ମ ପ୍ରକାଶ କରି ପ୍ରତିଜ୍ଞା ଭଙ୍ଗ କରିଅଛନ୍ତ ବୋଲି ଦୁରାତ୍ମା କୌରବ ମାନେ ଅଭିସନ୍ଧମୂଳକ ମିଥ୍ୟା ଉକ୍ତି ବ୍ୟକ୍ତ କରୁଅଛନ୍ତି ଓ ପାଣ୍ଡବମାନଙ୍କୁ ତାଙ୍କର ପିତୃରାଜ୍ୟ ପ୍ରଦାନ କରିବାକୁ ଅସମ୍ମତି ପ୍ରକାଶ କରୁଅଛନ୍ତି ସେ । ସେହି ଦୁରାତ୍ମାଗଣଙ୍କୁ ମୁଁ ସମରରେ ପରାଜିତ କରି ମହାରାଜ ଯୁଧିଷ୍ଠିରଙ୍କ ପଦାନତ କରିବି । ପାପାତ୍ମା ଶତ୍ରୁ କୁ ସଂହାର କରିବାରେ ଧର୍ମର ହାନି ଘଟେ ନାହଁ; ବରଂ ସେମାନଙ୍କ ନିକଟରେ ଭିକ୍ଷା ମାଗିବା ବା ଅନୁନୟ ବିନୟ ପ୍ରକାଶ କରିବା ହଁ ଅଧର୍ମ । ସମ୍ମାନ ସହକାରେ ରାଜା ଯୁଧିଷ୍ଠିରଙ୍କୁ ତାଙ୍କର ପିତୃରାଜ୍ୟ ପ୍ରଦାନ କରନ୍ତୁ, ନଚେତ୍ ଆମ୍ଭମାନଙ୍କର ଧନୁର୍ବାଣରେ ଭୂତଳଶାୟୀ ହୁଅନ୍ତୁ । ଏହି ଦୁଇଟି ପଥ ମଧ୍ୟରୁ କୌରବମାନଙ୍କୁ ଗୋଟିଏ ପଥ ବାଛି ନେବାକୁ ପଡ଼ିବ ।

 

ଦ୍ରୁପଦ କହିଲେ, “ମହାବାହୁ ସାତ୍ୟକି ଯାହା କହିଲେ, ତାହାହିଁ ହେବ । ଧ୍ରୁତରାଷ୍ଟ୍ର ଅତିମାତ୍ରାରେ ପୁତ୍ରବତ୍ସଳ ଆଉ ଦୁର୍ଯ୍ୟୋଧନ ମଧ୍ୟ ସ୍ୱେଚ୍ଛାକୃତ ଭାବରେ କେବେ ହେଲେ ରାଜ୍ୟପ୍ରଦାନ କରିବେ ନାହିଁ । ଭୀଷ୍ମ, ଦ୍ରୋଣ ପ୍ରମୁଖ ରାଜଅନ୍ନ ଭକ୍ଷଣ କରୁଥିବାରୁ ଦୁର୍ଯ୍ୟୋଧନଙ୍କ ସ୍ଵାର୍ଥର ବିରୁଦ୍ଧରେ ଯିବାକୁ ଇଚ୍ଛା କରିବେ ନାହିଁ । ପାପାତ୍ମା ଦୁର୍ଯ୍ୟୋଧନ ପ୍ରତି ମୃଦୁତା ଅବଲମ୍ବନ କଲେ କିଛି ଫଳ ହେବ ନାହିଁ । ତେଣୁ ଏହି ଅନିବାର୍ଯ୍ୟ ବିଷୟକୁ ଦୃଷ୍ଟି ସମ୍ମୁଖରେ ରଖି ସବୁପ୍ରକାରର ଆୟୋଜନ କରାଯିବା ଉଚିତ । ସୈନ୍ୟ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ମିତ୍ରରାଷ୍ଟ୍ରମାନଙ୍କ ନିକଟକୁ ଦୂତ ପ୍ରେରଣ କରାଯାଉ ସାହାଯ୍ୟ ପାଇଁ । ଯେ ପ୍ରଥମେ ଦୂତ ପ୍ରେରଣ କରେ, ସାଧାରଣତଃ ସାଧୁବ୍ୟକ୍ତିମାନେ ତାକୁହିଁ ସାହାଯ୍ୟ କରିଥାନ୍ତି; ତେଣୁ ଦୁର୍ଯ୍ୟୋଧନ ଦୂତ ପ୍ରେରଣ କରିବା ପୂର୍ବରୁ ଆମେ, ଆଗେ ଦୂତ ପ୍ରେରଣ କରିବା ଉଚିତ । ଅତି ଶୀଘ୍ର ଧ୍ରୁଷ୍ଟକେତୁ, ଶଲ୍ୟ, ଜୟତ୍‌ସେନ, କେକୟ ତଥା ଅନ୍ୟ ରାଜାମାନଙ୍କ ନିକଟକୁ ଦୂତ ପ୍ରେରଣ କରନ୍ତୁ । ତେବେ କୌରବମାନଙ୍କ ନିକଟକୁ ଦୂଢ଼ ପ୍ରେରଣ କରି ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବା ଅନୁଚିତ ନୁହେଁ । ମୋ ରାଜସଭାର ସୁପଣ୍ଡିତ ବ୍ରାହ୍ମଣ ପୁରୋହିତଙ୍କୁ ଦୂତ ଭାବରେ ପ୍ରେରଣ କଲେ ସେ ଅତି ନିପୁଣତାର ସହିତ ଓ ଅତି ବିଶ୍ୱସ୍ତ ଭାବରେ ଆଦିଷ୍ଟ କାର୍ଯ୍ୟମାନ ସମ୍ପାଦନ କରି ପାରିବେ-।’’

 

କୃଷ୍ଣ କହିଲେ, “ପାଣ୍ଡବଙ୍କର ସ୍ଵାର୍ଥ ସିଦ୍ଧି ନିମନ୍ତେ ଦ୍ରୁପଦରାଜା ଯାହା କହିଲେ, ତାହା ସ୍ଵାଭାବିକ ଓ ଯୁକ୍ତିଯୁକ୍ତ । ତାଙ୍କର ଆଦେଶାନୁସାରେ କାର୍ଯ୍ୟ କରିବା ଯେ ଆମ୍ଭମାନଙ୍କର ପକ୍ଷରେ ମଙ୍ଗଳପ୍ରଦ, ଏଥିରେ ସନ୍ଦେହ ନାହିଁ । ପାଣ୍ଡବମାନଙ୍କ ପରି କୌରବମାନେ ମଧ୍ୟ ଆମର ବନ୍ଧୁ । କୌରବମାନେ କୌଣସି ସମୟରେ ଆମ୍ଭମାନଙ୍କ ପ୍ରତି ଅପମାସଚକ ବ୍ୟବହାର ପ୍ରଦର୍ଶନ କରି ନାହାନ୍ତି । ବିବାହକୁ ନିମନ୍ତ୍ରିତ ହୋଇ ଆମେ ଆସିଥିଲୁ ଏବଂ ବିବାହ କାର୍ଯ୍ୟ ସମାପ୍ତ ହୋଇଯାଇଥିବାରୁ ଆମ୍ଭେମାନେ ଘରକୁ ଫେରିକୁ । ଦ୍ରୁପଦରାଜା ବୟସ ଓ ଜ୍ଞାନରେ ସର୍ବଶ୍ରେଷ୍ଠ; ସେ ଦ୍ରୋଣ ଓ କୃପଙ୍କର ବନ୍ଧୁ । ରାଜା ଧ୍ରୁତରାଷ୍ଟ୍ର ମଧ୍ୟ ଦ୍ରୁପ୍ରଦଙ୍କୁ ଉଚ୍ଚ ମର୍ଯ୍ୟାଦା ଦେଇଥାନ୍ତି । ପାଣ୍ଡବଙ୍କ ପକ୍ଷରେ ଯାହା ବାସ୍ତବିକ ହିତକର ହେବ, ସେ ପରାମର୍ଶ ସେ ନିଶ୍ଚୟ ଦେବେ । ଦୁର୍ଯ୍ୟୋଧନ ଯଦି ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ କରେ ତ ଭଲ କଥା, ନଚେତ୍‍ ଯୁଦ୍ଧ ଅନିବାର୍ଯ୍ୟ । ତେବେ, ସେ କ୍ଷେତ୍ରରେ ଅନ୍ୟମାନଙ୍କ ନିକଟକୁ ଦୂତ ପ୍ରେରଣ କରିବା ପରେ ଆମ ନିକଟକୁ ପଛରେ ଦୂତ ପ୍ରେରଣ କଲେ ଚଳିବ ।

 

କୃଷ୍ଣ ଓ ବଳରାମ ପ୍ରମୁଖ ରାଜ୍ୟକୁ ଫେରିଗଲେ ।

 

ରାଜା ଦ୍ରୁପଦ ନିଜର ପୁରୋହିତ ଡାକି କହିଲେ, ‘ଦ୍ୱିଜେନ୍ଦ୍ର ! ଆପଣ ଯେ କେବଳ ଉତ୍ତମବଂଶୋଦ୍ଭବ, ପରିଣିତବୟସ୍କ ତାହ ନୁହଁନ୍ତି, ବେଦ ଓ ବିଭିନ୍ନ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମଧ୍ୟ ପ୍ରଧାନ । କୌରବ ଓ ପାଣ୍ଡବମାନେ ଆପଣଙ୍କର ବିଶେଷ ପରିଚିତ, ତେଣୁ ସେମାନଙ୍କର ଚାରିତ୍ରିକ ଲକ୍ଷଣ ସମ୍ପର୍କରେ ଆପଣଙ୍କୁ ଅଧିକ କିଛି କହିବା ନିଷ୍ପ୍ରୟୋଜନ । ଶକୁନିର ସାହାଯ୍ୟରେ ସ୍ଵାର୍ଥାନ୍ଧ ହୋଇ ଦୁର୍ଯ୍ୟୋଧନ ସେତେବେଳେ ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜପଦରୁ ବଞ୍ଚିତ କରିଅଛି, ସେ ଯେ ସ୍ୱତଃପ୍ରବୃତ୍ତ ହୋଇ ପାଣ୍ଡବଙ୍କୁ ରାଜ୍ୟ ଫେରାଇଦେବ, ଏ ଆଶା ନାହିଁ; ତଥାପି ଆପଣ କୌରବ ସଭାରେ ଉପସ୍ଥିତ ହୋଇ ଧର୍ମୋଚିତ ବାକ୍ୟ ପ୍ରୟୋଗ କଲେ, ହୁଏତ ଧ୍ରୁତରାଷ୍ଟ୍ରଙ୍କ ମନରେ ପରିବର୍ତ୍ତନ ଆସିପାରେ । ଆପଣଙ୍କର କଥା ଶୁଣିବାପରେ ବିଦୁର, ଭୀଷ୍ମ, ଦ୍ରୋଣ, କୃପ ପ୍ରମୁଖ ବୀର ଓ ସୈନ୍ୟମାନଙ୍କ ମଧ୍ୟରେ ପାଣ୍ଡବଙ୍କ ପ୍ରସ୍ତାବକୁ ଭିତ୍ତିକରି ପରସ୍ପର ମତବିରୋଧ ମଧ୍ୟ ଘଟିପାରେ ଏବଂ ତାହା ହେଲେ ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିବା କୌରବଙ୍କ ପକ୍ଷରେ ସମୟ ସାପେକ୍ଷ ହେବ । ସେ ଅବକାଶରେ ପାଣ୍ଡବମାନେ ଏକାଗ୍ରଚିତ୍ତରେ ସୈନ୍ୟ ସଂଗ୍ରହ ଆଦି ଯୁଦ୍ଧର ପ୍ରୟୋଜନୀୟ କାର୍ଯ୍ୟରେ ନିଜକୁ ବିନିଯୋଗ କରି ପାରିବେ । ଆପଣ କୌରବମାନଙ୍କ ସହିତ ଧର୍ମୋଚିତ ବ୍ୟବହାର କରିବେ, ଦୟାଶୀଳ ବ୍ୟକ୍ତିମାନଙ୍କ ନିକଟରେ ପାଣ୍ଡବମାନଙ୍କର ଅନୁଭୂତ ଅସହ୍ୟ ଦୁଃଖର କଥା ବର୍ଣ୍ଣନା କରିବେ ଏବଂ ବୃଦ୍ଧମାନଙ୍କ ନିକଟରେ ପୂର୍ବପୁରୁଷମାନଙ୍କର କୁଳଧର୍ମ ଓ ବଂଶ ମର୍ଯ୍ୟାଦା ଉଲ୍ଲେଖ କରି ପାଣ୍ଡବ ମାନଙ୍କ ପ୍ରତି ସେମାନଙ୍କ ମନରେ ସହାନୁଭୂତି ଉଦ୍ରେକ କରିବେ । ଆପଣ ବେଦଜ୍ଞ ବୃଦ୍ଧ ବ୍ରାହ୍ମଣ ଏବଂ ଦୂତ କାର୍ଯ୍ୟରେ ନିଯୁକ୍ତ ଥିବାରୁ ଆପଣଙ୍କ ପ୍ରତି କୌଣସି ଭୟର ଆଶଙ୍କା ନାହିଁ । ଆପଣ ନିର୍ଭୟଚିତ୍ତରେ ଏହି ପୁଷ୍ୟା ନକ୍ଷତ୍ରର ଶୁଭ ସମୟରେ ପାଣ୍ଡବମାନଙ୍କର ପ୍ରୟୋଜନସିଦ୍ଧି ନିମନ୍ତେ ଦୂତଭାବେରେ କୌରବ ସଭାକୁ ଗମନ କରି ଯତ୍ନପୂର୍ବକ ଆମର ଏହି ଉଦ୍ଦେଶ୍ୟକୁ ସାଧନ କରନ୍ତୁ ।’’

 

ଉପଯୁକ୍ତ ସମୟରେ ଶିଷ୍ୟପରିବୃତ୍ତ ହୋଇ ଦ୍ରୁପଦଙ୍କର ପୁରୋହିତ ଦୂତଭାବରେ କୌରବ ସଭା ଉଦ୍ଦେଶ୍ୟରେ ଗମନ କଲେ ।

Image

 

କୃଷ୍ଣଙ୍କର ସାହାଯ୍ୟ

 

ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ କୌରବ ସଭାକୁ ଦୂତ ପ୍ରେରଣ କରି ମଧ୍ୟ ଯୁଦ୍ଧର ଆୟୋଜନରୁ ପାଣ୍ଡବମାନେ କ୍ଷାନ୍ତ ହୋଇନଥିଲେ । ନିଜର ମିତ୍ରରାଷ୍ଟ୍ରମାନଙ୍କ ନିକଟକୁ ଆଗାମୀ ଯୁଦ୍ଧରେ ସୈନ୍ୟସାମନ୍ତ ସହ ପ୍ରତ୍ୟକ୍ଷ ସାହାଯ୍ୟ କରିବା ପାଇଁ ପାଣ୍ଡବମାନେ ଦୂତ ପ୍ରେରଣ କରିବାକୁ ଲଗିଲେ । ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଅଛନ୍ତି, ଏ ବିଷୟ ଗୁପ୍ତଚରମାନଙ୍କଠାରୁ ଜାଣିବାକୁ ପାଇ ଦୁର୍ଯ୍ୟୋଧନ ମଧ୍ୟ ଯୁଦ୍ଧର ଅୟୋଜନରେ ଅନୁରୂପ ଭାବରେ ଲାଗିପଡ଼ିଲେ । ସାହାଯ୍ୟ ସଂଗ୍ରହ ପାଇଁ କୌରବ ଓ ପାଣ୍ଡବମାନଙ୍କର ଦୂତମାନେ ଚତୁର୍ଦ୍ଦିଗରେ କ୍ଷେପିଗଲେ । ନିମନ୍ତ୍ରଣ ରକ୍ଷାକରି ସୈନ୍ୟସାମନ୍ତ ସହ ବିଭିନ୍ନ ରାଷ୍ଟ୍ରର ନରପତିମାନେ ଧୀରେ ଧୀରେ ଯେତେବେଳେ ସମ୍ପୃକ୍ତ ପକ୍ଷମାନଙ୍କ ନିକଟକୁ ଆସିବାକୁ ଲାଗିଲେ, ମନେ ହେଲା, ସତେ ଯେପରି ବୀରତ୍ୱବ୍ୟଞ୍ଜନ ସେହି ପଦଚାଳନାର ଗୁରୁଭାରରେ ବିଶାଳ ଧରିତ୍ରୀ ସତତ ପ୍ରକମ୍ପିତ ହୋଇଉଠୁଛି । ବିଭିନ୍ନ ଦେଶକୁ ଦୂତ ପ୍ରେରଣ କଲାପରେ କୃଷ୍ଣଙ୍କ ନିକଟକୁ ଅର୍ଜ୍ଜୁନ ନିଜେ ଯିବାକୁ ଉପଯୁକ୍ତ ମନେ କଲେ ଏବଂ କୃଷ୍ଣଙ୍କ ସାହାଯ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଅର୍ଜ୍ଜୁନଙ୍କ ଯିବା କଥାଶୁଣିବାକୁ ପାଇ ଦୁର୍ଯ୍ୟୋଧନ କାଳବିଳମ୍ବ ନ କରି ଏକ ଦ୍ରୁତଗାମୀ ରଥରେ ନିଜେ ଦ୍ୱାରକାକୁ ଗମନ କଲେ, ଏପରି କି ଦୁର୍ଯ୍ୟୋଧନ ଓ ଅର୍ଜ୍ଜୁନ ଏକ ସମୟରେ କୃଷ୍ଣଙ୍କର ମସ୍ତକ ଭାଗରେ ଥିବା ଏକ ସୁନ୍ଦର ଆସନରେ ଉପବେଶନ କଲେ ଏବଂ ଅର୍ଜ୍ଜୁନ କୃଷ୍ଣଙ୍କ ପଦପ୍ରାନ୍ତରେ ଅତି ବିନୀତ ଭାବରେ କୃତାଞ୍ଜଳି ପୁଟରେ ବସି ରହିଲେ । ନିଦ୍ରାଭଙ୍ଗ ହେବା ପରେ କୃଷ୍ଣ ପ୍ରଥମେ ଅର୍ଜ୍ଜୁନ ଓ ପରେ ଦୁର୍ଯ୍ୟୋଧନଙ୍କୁ ଦେଖି ଯଥାବିଧି କୃଷ୍ଣ ପ୍ରଥମେ ଅର୍ଜ୍ଜୁନ ଓ ପରେ ଦୁର୍ଯ୍ୟୋଧନଙ୍କୁ ଦେଖି ଯଥାବିଧି ଆଦର ଅଭ୍ୟର୍ଥନା କରି ଆଗମନର କାରଣ ପଚାରିଲେ ।

 

ଦୁର୍ଯ୍ୟୋଧନ କହିଲେ,‘ଆମର ଆଗାମୀ ଯୁଦ୍ଧରେ ମୋତେ ଆପଣ ସାହାଯ୍ୟ କରିବେ ବୋଲି ଆଶାରଖି ନିମନ୍ତ୍ରଣ କରିବାକୁ ଆସିଅଛି; ଯଦି ଆମ ଉଭୟଙ୍କ ପ୍ରତି ଆପରଙ୍କର ସମାନ ବନ୍ଧୁତା, ତଥାପି ମୁଁ ଆଗେ ଆସିଥିବାରୁ ଆପଣଙ୍କୁ ମୋ’ ନିମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ ।’

 

କୃଷ୍ଣ କହିଲେ, ‘ତୁମେ ଆଗେ ଆସି ପାରିଥାଅ, ମାତ୍ର ନିଦରୁ ଉଠିବା ମାତ୍ରେ ମୁଁ ଅର୍ଜ୍ଜୁନଙ୍କୁ ପ୍ରଥମେ ଦେଖିଅଛି । ତେଣୁ ସେ ଦୃଷ୍ଟିରୁ ତୁମେ କଥା ରକ୍ଷା କରିବାର ପ୍ରଶ୍ନ ଉଠୁନାହିଁ । ତା’ ଛଡ଼ା ଅର୍ଜ୍ଜୁନ ତୁମଠାରୁ ସାନ ଥିବାରୁ ପ୍ରଥମେ କନିଷ୍ଠର କଥା ରକ୍ଷା କରାଯିବ । ତେବେ ଯାହା ହେଉ, ମୁଁ ଉଭୟଙ୍କୁ ସାହାଯ୍ୟ କରିବି । ମୋର ବିଖ୍ୟାତ ନାରାୟଣୀ ସେନା ଏକ ପକ୍ଷରେ ରହି ଯୁଦ୍ଧ କରିବେ ଏବଂ ମୁଁ ଯୁଦ୍ଧ ନ କରି ଅନ୍ୟପକ୍ଷରେ ରହିବି । ତେଣୁ ଅର୍ଜ୍ଜୁନ ତୁମେ କେଉଁଟିକୁ ଚାହଁ ପ୍ରକାଶ କର ।’

 

ଆଗାମୀ ଯୁଦ୍ଧରେ କୃଷ୍ଣ ସମର ପରାଂମୁଖ ହେବେ ବୋଲି ଜାଣି ସୁଦ୍ଧା ଅର୍ଜ୍ଜୁନ କୃଷ୍ଣଙ୍କୁ ଚାହାଁନ୍ତି ବୋଲି ପ୍ରକାଶ କଲେ । ମହାପରାକ୍ରମୀ ନାରାୟଣୀ ସେନା ନ ନେଇ ଯୁଦ୍ଧ କରିବାକୁ ଅନିଚ୍ଛୁକ ଥିବା କୃଷ୍ଣଙ୍କୁ ନିର୍ବୋଧ ଅର୍ଜ୍ଜୁନ ବରଣ କରିଥିବାର ଦେଖି ଦୁର୍ଯ୍ୟୋଧନ ଅତି ଖୁସି ହୋଇ ନାରାୟଣୀ ସେନାର ସାହାଯ୍ୟ ପାଇ ସନ୍ତୁଷ୍ଟ ହୋଇ ଚାଲିଗଲେ ।

 

ଦୁର୍ଯ୍ୟୋଧନଙ୍କ ପ୍ରସ୍ଥାନ ପରେ କୃଷ୍ଣ ପଚାରିଲେ; ‘ଅର୍ଜ୍ଜୁନ, ମୁଁ ଯୁଦ୍ଧ କରିବି ନାହଁ ବୋଲି ଜାଣି ସୁଦ୍ଧା ତୁମେ ମୋର ଏକ ଅକ୍ଷୌହିଣୀ ଶକ୍ତିମାନ ସୁସଂଯତ ସୈନ୍ୟଙ୍କୁ ନ ନେଇ ମୋତେ ବରଣ କଲ କାହିଁକି ?

 

ଅର୍ଜ୍ଜୁନ କହିଲେ, ‘ପ୍ରଭୁ ! ମୁଁ ଏକାକୀ କୌରବମାନଙ୍କୁ ବିନାଶ କରି ଖ୍ୟାତି ଅର୍ଜନ କରିବାକୁ ଇଚ୍ଛାପୋଷଣ କରିଥିବାରୁ, ମୁଁ ଆପଣଙ୍କୁ ବରଣ କଲି । ଏହି ଆଗାମୀ ଯୁଦ୍ଧରେ ଆପଣ ମୋ ରଥର ସାରଥି କାର୍ଯ୍ୟ ସମ୍ପାଦନ କରି ମୋର ଅଭିଳାଷ ପୂର୍ଣ୍ଣ କରନ୍ତୁ ।’

 

ଅର୍ଜ୍ଜୁନଙ୍କର ପ୍ରସ୍ଥାବରେ କୃଷ୍ଣ ସମ୍ମତ ହୋଇଗଲେ ।

 

କୃଷ୍ଣଙ୍କ ନିକଟରୁ ଫେରି ଦୁର୍ଯ୍ୟୋଧନ ବଳରାମଙ୍କ ନିକଟକୁ ଯାଇଥିଲେ, କିନ୍ତୁ ବଳରାମ କୌଣସି ପଟକୁ ସାହାଯ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କହିଦେଲେ ହେଁ ଦୁର୍ଯ୍ୟୋଧନଙ୍କ ପଟରେ ରହି ଯୁଦ୍ଧ କରିବା ପାଇଁ କୃତବର୍ମା ପ୍ରତିଶ୍ରୁତି ଦେଇଥିଲେ ।

 

ଏହି ସୈନ୍ୟ ସାହାଯ୍ୟ ସମ୍ପର୍କରେ ମହାବୀର ଶଲ୍ୟଙ୍କ ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ-। ମହାରାଜ ମହାବୀର ଶଲ୍ୟ ଦୂତ ମୁଖରୁ ଯେତେବେଳେ ଶୁଣିଲେ ଯେ, କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହେବାକୁ ଯାଉଅଛି, ସେ ନିଜର ବୀରପୁତ୍ର ଓ ବିଶାଳ ସେନାବାହିନୀ ସହ ନିଜର ଭଣଜା ପାଣ୍ଡବମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବାହାରିଥିଲେ; ମାତ୍ର ପରେ ଦୁର୍ଯ୍ୟୋଧନଙ୍କ ଚକ୍ରାନ୍ତର ବଶବର୍ତ୍ତୀ ହୋଇ ଦୁର୍ଯ୍ୟୋଧନଙ୍କ ପକ୍ଷ ସମର୍ଥନ କରି ନିଜ ଭଣଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇ ସମ୍ମତ ହୋଇଥିଲେ ।

Image

 

ସନ୍ଧି ପ୍ରସ୍ତାବ

 

ପାଣ୍ଡବମାନଙ୍କ ପକ୍ଷରୁ ଦ୍ରୁପଦଙ୍କ ଦ୍ୱାରା ପ୍ରେରିତ ପୁରୋହିତ କୌରବସଭାରେ ଉପସ୍ଥିତ ହେବା ମାତ୍ରେ, ଧ୍ରୁତରାଷ୍ଟ୍ର, ଭୀଷ୍ମ, ବିଦୁର ପ୍ରମୁଖ ତାଙ୍କୁ ବିଶେଷ ଭାବରେ ସ୍ଵାଗତ କରିନେଲେ । ପାରମ୍ପରିକ ରିତୀରେ ଉଭୟ ପକ୍ଷଙ୍କର କୁଶଳ ସମ୍ବାଦାଦି ଜିଜ୍ଞାସିତ ହୋଇସାରିବା ପରେ ଉପସ୍ଥିତ ସଭାସଦମାନଙ୍କୁ ସମ୍ବୋଧନ କରି ପୁରୋହିତ କହିଲେ; ‘ସମବେତ ସଭାସଦ୍‌ବୃନ୍ଦ ! ରାଜଧର୍ମ ସମ୍ବନ୍ଧରେ ଆପଣମାନଙ୍କୁ କିଛି । କହିବା ମୋ ପକ୍ଷରେ ଧୃଷ୍ଟତା ହେବ, ତେବେ ଗୋଟିଏ ବ୍ୟକ୍ତିର ଔରସରୁ ଧ୍ରୁତରାଷ୍ଟ୍ର ଓ ପାଣ୍ଡୁ ଜନ୍ମଗ୍ରହଣ କରିଥିବାରୁ ପୈତୃକ ସମ୍ପତ୍ତିରେ ଉଭୟଙ୍କର ସମାନ ଅଧିକାର । ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନେ ରାଜପଦ ଲାଭ କରିଥିବା ବେଳେ ପାଣ୍ଡବମାନେ ତହିଁରୁ ବଞ୍ଚିତ ହେବେ କାହିଁକି ? ପୂର୍ବେ ରାଜା ଧ୍ରୁତରାଷ୍ଟ୍ରଙ୍କ ପାଣ୍ଡବମାନଙ୍କୁ ରାଜପଦଲାଭରୁ ବଞ୍ଚିତ କରିଥିଲେ, ପରେ ତାଙ୍କର ପୁତ୍ରମାନେ ପାଣ୍ଡବଙ୍କୁ ନିର୍ମୂଳ କରିବା ପାଇଁ ଆପ୍ରାଣ ଚେଷ୍ଟାକରି ବିଫଳ ହେଲେ । ପାଣ୍ଡବମାନେ ରାଜପଦ ଲାଭ କରିବାରୁ ଧ୍ରୁତରାଷ୍ଟ୍ରଙ୍କ ଅନୁମତିକ୍ରମେ ତାଙ୍କର ପୁତ୍ରମାନେ ଚକ୍ରାନ୍ତ କରି ଶକୁନିଙ୍କ ସହଯୋଗରେ ପାଣ୍ଡବଙ୍କ ରାଜ୍ୟ ଅପହରଣ କରିନେଲେ, ସଭାରେ ତାଙ୍କର ପତ୍ନୀ ଦ୍ରୁପଦନନ୍ଦିନୀଙ୍କୁ ଅପମାନିତ କଲେ । ନିଜର ସଭ୍ୟ ରକ୍ଷା କରି ତ୍ରୟୋଦଶ ବର୍ଷ କାଳ ପାଣ୍ଡବମାନେ ବନବାସ ଓ ଅଜ୍ଞାତବାସରେ ଯେଉଁ ଅସହ୍ୟ ଦୁଃଖ କଷ୍ଟ ଭୋଗକରି ଅଛନ୍ତି, ତାହା ଆପଣମାନଙ୍କୁ ଅବିଦିତ ନାହିଁ । ତଥାପି ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ଦ୍ୱାରା କୃତ ସକଳ ନିର୍ଯ୍ୟାତନାକୁ ଭୁଲିଯାଇ ସନ୍ଧିସ୍ଥାପନ ପାଇଁ ପାଣ୍ଡବମାନେ ଅଭିଳାଷୀ ହୋଇଅଛନ୍ତି । ସନ୍ଧି ସ୍ଥାପିତ ନ ହେଲେ ଯୁଦ୍ଧ ଅନିବାର୍ଯ୍ୟ, ସେଥିପାଇଁ ଉଭୟପକ୍ଷ ପ୍ରସ୍ତୁତ । ଆପଣମାନଙ୍କ ସଂଗୃହୀତ ଏଗାର ଅକ୍ଷୌହିଣୀ ସୈନ୍ୟଙ୍କ ତୁଳନାରେ ପାଣ୍ଡବମାନଙ୍କର ସାତ ଅକ୍ଷୌହିଣି ସୈନ୍ୟ, ସଂଖ୍ୟାରେ ଅତ୍ୟଳ୍ପ ହୋଇଥିଲେ ମଧ୍ୟ ବୀରତ୍ୱର ବିଚାରରେ ସେମାନେ ସହସ୍ର ଅକ୍ଷୌହିଣୀ ବୀର ସୈନ୍ୟଙ୍କ ସମକକ୍ଷ । ବିଶେଷକରି ମହାବୀର ସାତ୍ୟକି, ଭୀମସେନ, ଅର୍ଜ୍ଜୁନ, ନକୁଳ, ସହଦେବଙ୍କ ସମର ଦକ୍ଷତା ଓ ଶ୍ରୀକୃଷ୍ଣଙ୍କର ବୃଦ୍ଧିମତ୍ତା ସମ୍ପର୍କରେ ଯେଉଁମାନେ ଅବଗତ ଥିବେ, ସେମାନଙ୍କ ପକ୍ଷରେ ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ନାହିଁ । ତେଣୁ ଧର୍ମ ଓ ନ୍ୟାୟ ବିଚାରରେ ଯାହା କରଣୀୟ, ତାହା କରନ୍ତୁ । ସମାଧାନ ପାଇଁ ଏବେ ବି ସମୟ ରହିଛି ।’’

 

ପୁରୋହିତଙ୍କ ବାକ୍ୟ ଶୁଣି ଭୀଷ୍ମ କହିଲେ, “ହେ ବ୍ରାହ୍ମଣ ଶ୍ରେଷ୍ଠ ! ଆପଣ ଯାହା କହିଲେ ତାହା ଯଥାର୍ଥ । ଧର୍ମପ୍ରାଣ ପାଣ୍ଡବମାନେ ଯୁଦ୍ଧ ପ୍ରତି ଅଭିଳାଷୀ ନ ହୋଇ ସନ୍ଧିସ୍ଥାପନ ପାଇଁ ପ୍ରସ୍ତାବ କରିଥିବା ଆନନ୍ଦର ବିଷୟ । ବନବାସରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ପାଣ୍ଡବମାନେ ପୈତୃକ ରାଜ୍ୟର ଅଧିକାରୀ ହୋଇଅଛନ୍ତି । ସଂଗ୍ରାମରେ ମହାବୀର ଅର୍ଜ୍ଜୁନଙ୍କର ସମକକ୍ଷ ହେବ ଏପରି ବୀର କିଏ ଅଛି ? ଏପରି କି ଇନ୍ଦ୍ର ତାଙ୍କର ସମକକ୍ଷ ହୋଇପାରିବେ କି ନା, ସନ୍ଦେହ । ”

 

ଭୀଷ୍ମଙ୍କ ମୁଖରେ ଅର୍ଜ୍ଜୁନଙ୍କର ପ୍ରଶଂସା ଶୁଣି କର୍ଣ୍ଣଙ୍କର କ୍ରୋଧର ସୀମା ରହିଲା ନାହିଁ । ସେ ଭୀଷ୍ମଙ୍କର ବକ୍ତବ୍ୟରେ ବାଧାଦେଇ କହିଲେ, - ‘ହେ ବ୍ରାହ୍ମଣ, ପାଣ୍ଡବମାନେ ପଶା ଖେଳରେ କିପରି ପରାଜିତ ହୋଇ ବନବାସୀ ହେଲେ, ଏହା ସମସ୍ତଙ୍କୁ ଉତ୍ତମରୂପେ ଜଣାଅଛି । ତେଣୁ ସେକଥା ମୁଁ ଉଲ୍ଲେଖ କରୁନାହିଁ । ପାଣ୍ଡବମାନେ ନିଜର ପ୍ରତିଜ୍ଞା ରକ୍ଷା ନକରି ପାଞ୍ଚାଳ ପ୍ରମୁଖ ରାଜାମାନଙ୍କର ସାହାଯ୍ୟରେ ଯୁଦ୍ଧକରି ରାଜ୍ୟଜୟ କରିବାକୁ ଚେଷ୍ଟା କରୁଅଛନ୍ତି; କିନ୍ତୁ ଏକଥା ଜାଣିରଖ ଯେ, ରାଜା ଦୁର୍ଯ୍ୟୋଧନ ଚାହିଁଲେ ଧର୍ମାନୁବର୍ତ୍ତୀ ହୋଇ ଶତ୍ରୁଙ୍କ ହସ୍ତରେ ସମସ୍ତ ପୃଥିବୀ ଦାନ କରିଦେବେ; କିନ୍ତୁ ଅଯଥା ଭୟ ପ୍ରଦର୍ଶନ କରି ତାଙ୍କଠାରୁ ଏକପାଦ ଭୂମି ନେବା ଅତି ଦୁଷ୍କର-। ଯଦି ପାଣ୍ଡବମାନେ ପୈତୃକ ରାଜ୍ୟ ଫେରିପାଇବାକୁ ଏତେ ବ୍ୟାକୁଳ, ତେବେ ବନବାସୀ ହୋଇ ନିଜର ପ୍ରତିଜ୍ଞା ସେମାନେ ପାଳନ କରନ୍ତୁ । ଏହାସତ୍ତ୍ୱେ ଯଦି ମୂର୍ଖତାବଶତଃ ପାଣ୍ଡବମାନେ ଯୁଦ୍ଧ କରିବାକୁ ଇଚ୍ଛାପୋଷଣ କରନ୍ତି, ତେବେ ଯୁଦ୍ଧ ଭୂମିରେ ମୋ କଥା ସ୍ମରଣ କରି ସେତେବେଳେ ସେମାନଙ୍କୁ ନିଶ୍ଚୟ ଅନୁତାପ କରିବାକୁ ପଡ଼ିବ ।”

 

ଭୀଷ୍ମ କହିଲେ; ‘କର୍ଣ୍ଣ, ଅର୍ଜ୍ଜୁନ ଏକାକୀ ଆମ ଛ’ଜଣଙ୍କୁ ରଣ, ସ୍ଥଳରେ ପରାଜିତ କରିବା ପରେ ଯୁଦ୍ଧ ପ୍ରସଙ୍ଗରେ ତୁମର ଏହି ଅହଙ୍କାର ଶୋଭା ପାଏ ନାହିଁ । ବ୍ରାହ୍ମଣଙ୍କ ପ୍ରସ୍ତାବରେ ସମ୍ମତ ନ ହେଲେ ଅର୍ଜ୍ଜୁନଙ୍କ ଶରରେ ଆମ୍ଭେମାନେ ଭୂତଳଶାୟୀ ହେବ; ସନ୍ଦେହ ନାହିଁ ।’

 

ଧ୍ରୁତରାଷ୍ଟ୍ର କହିଲେ, ‘କର୍ଣ୍ଣ, ଭୀଷ୍ମ ଦେବ ଯାହା କହିଲେ ତାହା ଯଥାର୍ଥ । ଆମ ଉଭୟ ପକ୍ଷଙ୍କର ଯହିଁରେ ମଙ୍ଗଳ ଓ ନିଖିଳ ଜଗତର ଯହିଁରେ କଲ୍ୟାଣ ନିହିତ, ସେକଥା ଚିନ୍ତାକରି ମୁଁ ସଞ୍ଜୟଙ୍କ ହସ୍ତରେ ପାଣ୍ଡବମାନଙ୍କ ନିକଟକୁ ବାର୍ତ୍ତାପ୍ରେରଣ କରୁଅଛି ।’

 

କୌରବଙ୍କ ପକ୍ଷରୁ ଦୂତ ଭାବରେ ସଞ୍ଜୟ ଆସୁଥିବା ସମ୍ବାଦ ବହନ କରି ଦ୍ରୁପଦଙ୍କ ପୁରୋହିତ ପାଣ୍ଡବଙ୍କ ନିକଟକୁ ପ୍ରତ୍ୟାଗମନ କଲାପରେ ଧ୍ରୁତରାଷ୍ଟ୍ର ସଞ୍ଜୟଙ୍କୁ ଆହ୍ୱାନ କରି କହିଲେ, ‘ପାଣ୍ଡବଙ୍କ ନିକଟକୁ ଯାଇ ସମସ୍ତଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କରି କୁଶଳ ପ୍ରଶ୍ନ କରିବ-। ପାଣ୍ଡବମାନେ ପରୋପକାରୀ, ସତ୍ୟବାଦୀ, ସରଳ ସ୍ଵଭାବଶିଷ୍ଟ ଓ ସାଧୁ । ସେମାନଙ୍କ କାର୍ଯ୍ୟରେ ମୁଁ କେବେ କୌଣସି ତ୍ରୁଟି ଦେଖି ନାହିଁ; କିନ୍ତୁ ମନ୍ଦବୃଦ୍ଧି ଦୁର୍ଯ୍ୟୋଧନ ପରଶ୍ରୀକାତର କର୍ଣ୍ଣ ସବୁସମୟରେ ପାଣ୍ଡବମାନଙ୍କ ପ୍ରତି ବିଦ୍ୱେଷଭାବ ପୋଷଣ କରୁଥିବାରୁ, ପାଣ୍ଡବମାନେ କ୍ରୋଧାନ୍ୱିତ ହୋଇ ଅଛନ୍ତି । ଏକେ ପାଣ୍ଡବମାନେ ମହାବୀର ତା’ଛଡ଼ା ସେମାନଙ୍କ ପକ୍ଷରେ ସହଯୋଗ କରୁଥିବା ଦ୍ରୁପଦ, ସାତ୍ୟକି, ବିରାଟ ପ୍ରମୁଖଙ୍କର ବୀରତ୍ୱ ସମ୍ମୁଖରେ ଆମ୍ଭମାନଙ୍କର ସୈନ୍ୟଦଳ କିଛି ନୁହେଁ । ଅର୍ଜ୍ଜୁନଙ୍କ ରଥରେ ଶ୍ରୀକୃଷ୍ଣ ସାରଥିତ୍ୱ ସ୍ଵୀକାର କରିଥିବା କଥା ଶୁଣିଲାବେଳୁ ମୁଁ ବିଶେଷ ଭୟଭୀତ ହୋଇ ପଡ଼ିଛି । ପାଣ୍ଡବମାନଙ୍କ ସହ ଯୁଦ୍ଧ ହେଲେ ଆମ୍ଭେମାନେ ସମୂଳେ ବିନାଶପ୍ରାପ୍ତ ହେବା । ତେଣୁ ତୁମେ ପାଣ୍ଡବଙ୍କ ନିକଟକୁ ଯାଅ । କୁଶଳବାର୍ତ୍ତା ପରେ ଉପଯୁକ୍ତ ପ୍ରୀତିପୂର୍ଣ୍ଣ ବାକ୍ୟରେ ଏହି ଭୟାବହ ଯୁଦ୍ଧରୁ ସେମାନଙ୍କୁ କ୍ଷାନ୍ତ କରାଇବାକୁ ଚେଷ୍ଟା କର ।’

 

‘ଧ୍ରୁତରାଷ୍ଟ୍ରଙ୍କ ଆଦେଶାନୁକ୍ରମେ ସଞ୍ଜୟ ଦୂତ ଭାବରେ ପାଣ୍ଡବଙ୍କ ନିକଟକୁ ଗଲେ ଓ ପାଣ୍ଡବ ତଥା ଅନ୍ୟମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି କହିଲେ; ‘ମହାରାଜ, ବହୁଦିନ ପରେ ଆପଣଙ୍କୁ ସାକ୍ଷାତ କଲି, ଏହା ମୋର ପରମ ସୌଭାଗ୍ୟ । ଆପଣଙ୍କର ଓ ମହାବଳ ପରାକ୍ରାନ୍ତ ଭୀମସେନ, ଅର୍ଜ୍ଜୁନ, ନକୁଳ, ସହଦେବ ଓ ବୀରପତ୍ନୀ ଦ୍ରୌପଦୀ ଓ ଅନ୍ୟମାନଙ୍କର କୁଶଳ-ସମ୍ୱାଦ ଜାଣିବାକୁ ରାଜା ଧ୍ରୁତରାଷ୍ଟ୍ର ବିଶେଷ ଉତ୍କଣ୍ଠିତ ହୋଇ ମୋତେ ପ୍ରେରଣ କରିଅଛନ୍ତି ।’ ଏହିପରି ପାରସ୍ପରିକ କୁଶଳ ପ୍ରଶ୍ନ ପରେ ସମବେତ ପାଣ୍ଡବ, କୃଷ୍ଣ, ବିରାଟ, ପ୍ରମୁଖ ବୀରମାନଙ୍କୁ ସଞ୍ଜୟ କହିଲେ, ‘ଉଭୟ ପକ୍ଷର ସାମୂହିକ କଲ୍ୟାଣ ଦୃଷ୍ଟିରୁ ବୃଦ୍ଧରାଜା ଧୃତରାଷ୍ଟ୍ର ସନ୍ଧି ସପକ୍ଷରେ ମତପୋଷଣ କରିଅଛନ୍ତି । ହେ ପାଣ୍ଡବମାନେ, ଆପଣ ସର୍ବଗୁଣ-ସମ୍ପନ୍ନ, କୁଳିନ, ଧର୍ମଜ୍ଞ ଏବଂ ଅହିଂସାପରାୟଣ, ତେଣୁ ଯୁଦ୍ଧପରି ହୀନକାର୍ଯ୍ୟ କରିବା ଆପଣଙ୍କ ପକ୍ଷରେ କେବେ ହେଁ ଉପଯୁକ୍ତ ନୁହେଁ । ଯେଉଁ କାର୍ଯ୍ୟରେ ହିଂସା, ନୃଶଂସତା ଓ ପାପ ବୃଦ୍ଧି ପାଏ ଓ ଯାହା ଦ୍ୱାରା ବଂଶ ଓ ବଂଧୁ କ୍ଷୟ ଘଟିଥାଏ, ସେପରି କାର୍ଯ୍ୟରେ ଜୟ ପରାଜୟ ଉଭୟ ସମାନ । ଯୁଦ୍ଧ କୌରବମାନେ ଜିତନ୍ତୁ ବା ପାଣ୍ଡବମାନେ ଜିତନ୍ତୁ, ତହିଁରେ ବିଜୟୀ ପକ୍ଷରେ କୌଣସି ମଙ୍ଗଳ ହେବା ଦେଖୁ ନାହିଁ । ସେଥିପାଇଁ ଧ୍ରୁତରାଷ୍ଟ୍ର ଓ ଭୀଷ୍ମ ପ୍ରମୁଖଙ୍କର ମତ ଯେ, ଆପଣମାନଙ୍କ ମଧ୍ୟରେ ସନ୍ଧି ହେବା ହିଁ ଉଚିତ ।’

 

ଯୁଧିଷ୍ଠିର କହିଲେ, ‘ସଞ୍ଜୟ ! ସହଜ ଉପାୟରେ କାର୍ଯ୍ୟସିଦ୍ଧି ହେଲେ., ଯୁଦ୍ଧ ନିଶ୍ଚୟ ନିଷ୍ପ୍ରୟୋଜନ । କୌରବମାନଙ୍କ ଯୋଗୁ ଆମ୍ଭେମାନେ ଯେପରି ଭାବରେ କଷ୍ଟ ସହ୍ୟକରି ଆସିଅଛୁ, ତାହା ତ ତୁମକୁ ଅଜଣା ନାହିଁ ! ଯଦି ଦୁର୍ଯ୍ୟୋଧନ ସଦ୍‌ବୁଦ୍ଧି ସମ୍ପନ୍ନ ହୋଇ ଇନ୍ଦ୍ରପ୍ରସ୍ଥ ଆମ୍ଭମାନଙ୍କୁ ପ୍ରତ୍ୟର୍ପଣ କରନ୍ତି, ତାହାହେଲେ ଆମ୍ଭେମାନେ ନିଶ୍ଚୟ ଶାନ୍ତି କାମନା କରିବୁ ଓ ଶାନ୍ତ ସ୍ଥାପିତ ହେବ-।’

 

ସଞ୍ଜୟ କହିଲେ, ‘ଧର୍ମରାଜ ! ବିନାଯୁଦ୍ଧରେ କୌରବମାନେ କୌଣସି ରାଜ୍ୟ ଆପଣଙ୍କୁ ଦେବେ ନାହିଁ, କିନ୍ତୁ ମୋ’ ମତରେ ଯୁଦ୍ଧକରି ରାଜ୍ୟଲାଭ କରିବା ଅପେକ୍ଷା ଭିକ୍ଷା ଦ୍ୱାରା ଜୀବିକା ନିର୍ବାହ କରିବା ଶ୍ରେୟସ୍କର । ମନୁଷ୍ୟ ଜୀବନ କ୍ଷଣଭଙ୍ଗୁର ଓ ଦୁଃଖମୟୀ । ମନୁଷ୍ୟ ଜୀବନରେ ସମ୍ପତ୍ତି ପ୍ରତି ତୃଷ୍ଣା ଜାତ ହୁଏ ସତ; ମାତ୍ର ଏହି ତୃଷ୍ଣାହିଁ ଧର୍ମହାନିର କାରଣ ହୋଇଥାଏ । ସେଥିପାଇଁ ଧର୍ମାନୁରକ୍ତ ବୁଦ୍ଧିମାନ ବ୍ୟକ୍ତିମାନେ ଚିରକାଳ ଏହି ସମ୍ପତ୍ତିତୃଷ୍ଣାରୁ ଦୂରରେ ରହି ଧର୍ମରକ୍ଷା କରିଥାନ୍ତି-। ଧର୍ମପ୍ରାଣ ବ୍ୟକ୍ତିମାନଙ୍କର ସୁଖ୍ୟାତି ଚିରକାଳ ରହିଅଛି; ମାତ୍ର ଧର୍ମହୀନ ବ୍ୟକ୍ତି ସସାଗରାଧରାର ଅଧିପତି ହୋଇମଧ୍ୟ ଗଭୀର ଦୁଃଖରେ କାଳପାତ କରେ । ଆପଣଙ୍କ ପରି ଧାର୍ମିକ ଓ ବୁଦ୍ଧିମାନ ବ୍ୟକ୍ତି ଆଉ ପୃଥିବୀରେ କିଏ ଅଛି ? ଧର୍ମାନୁଗତ କାର୍ଯ୍ୟ ପାଇଁ ଆପଣଙ୍କ ସୁଖ୍ୟାତି ବିଶ୍ୱବିଶ୍ରୁତ-। ତେଣୁ ଆପଣଙ୍କଠାରେ ଯୁଦ୍ଧ ପରି ପାପାନୁଷ୍ଠାନ ଶୋଭାପାଏ ନାହିଁ । ଯଦି ଆଜି ରାଜ୍ୟଲାଭ ପାଇଁ ଜ୍ଞାତିବନ୍ଧୁଙ୍କୁ ବିନାଶ କରିବାକୁ ଇଚ୍ଛା କରୁଥାନ୍ତି, ତେବେ ଏତେଦିନ ପର୍ଯ୍ୟନ୍ତ କାହିଁକି ଅଯଥା ବନବାସ କଷ୍ଟ ସହ୍ୟକଲେ । ରାଜ୍ୟଲାଭ କରିବାକୁ ହେଲେ ଆପଣଙ୍କୁ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା, କୃପ, ଶଲ୍ୟ, ସୋମାଦତ୍ତ, କର୍ଣ୍ଣ ଓ ଦୁର୍ଯ୍ୟୋଧନ ପ୍ରମୁଖଙ୍କୁ ବିନାଶ କରିବାକୁ ପଡ଼ିବ–ତେଣୁ ଏହାଦ୍ୱାରା କ’ଣ ଆପଣ ପ୍ରକୃତରେ ଶାନ୍ତି ଲାଭ କରିବେ ? ସମଗ୍ର ପୃଥିବୀର ସମ୍ରାଟ ହେଲେ ମଧ୍ୟ ଆପଣ ତ ଦିନେ ନା ଦିନେ ଜରାମୃତ୍ୟୁର କବଳିତ ହେବେ ? କ୍ଷଣସ୍ଥାୟୀ ଏହି ରାଜସୁଖରେ ଲାଭ କ’ଣ ? ତେଣୁ ହେ ଧର୍ମରାଜ, ଆପଣ ଜାତିଦ୍ରୋହ ରୂପକ ପାପରେ ଜଡ଼ିତ ହୋଇ ସଜ୍ଜନାନୁଗତ ପଥ ପରିତ୍ୟାଗ କରନ୍ତୁ ନାହିଁ ।’

 

ସଞ୍ଜୟଙ୍କ କଥା ଶେଷ ହେବାରୁ ଯୁଧିଷ୍ଠିର କହିଲେ, ‘ସଞ୍ଜୟ’ ଧର୍ମ ଯେ ଶ୍ରେଷ୍ଠ ଏଥିରେ ସନ୍ଦେହ ନାହିଁ । କେଉଁ ସ୍ଥାନରେ ଧର୍ମ ଅଧର୍ମରୂପ ଧାରଣ କରେ ଓ କେଉଁଠାରେ ଅଧର୍ମ ଧର୍ମରୁପରେ ପ୍ରତୀୟମାନ ହୁଏ, ତାହା ପ୍ରାଜ୍ଞମାନେ ହିଁ କେବଳ ବୁଝିପାରିବେ । ତତ୍ତ୍ୱଅନ୍ଵେଷୀ ବ୍ରାହ୍ମଣମାନଙ୍କ ପାଇଁ ଭିକ୍ଷାବୃତ୍ତି ଧର୍ମ ବୋଲି ପରିଗଣିତ ହେଲେ ମଧ୍ୟ କ୍ଷତ୍ରିୟମାନଙ୍କର ତାହା ଧର୍ମ ନୁହେଁ । ମହାତ୍ମା କୃଷ୍ଣ ବର୍ତ୍ତମାନ ଏଠାରେ ଉପସ୍ଥିତ । ସେ ନୀତିବାଦୀ ଓ କୌରବ ପାଣ୍ଡବ ଉଭୟଙ୍କର ହିତାକାଙ୍‌କ୍ଷୀ । ଏ କ୍ଷେତ୍ରରେ ଆମ୍ଭମାନଙ୍କର କ’ଣ କର୍ତ୍ତବ୍ୟ, ସେ ସମ୍ପର୍କରେ ନିର୍ଦ୍ଦେଶ ଦେବା ପାଇଁ ସେ ଉପଯୁକ୍ତ ବ୍ୟକ୍ତି । ସେ ଯାହା କରଣୀୟ ବୋଲି ନିର୍ଦ୍ଦେଶ ଦେବେ, ତାହା ଆମ୍ଭମାନଙ୍କର କର୍ତ୍ତବ୍ୟ ହେବ ।’

 

କୃଷ୍ଣ କହିଲେ, ‘ସଞ୍ଜୟ ! ପାଣ୍ଡବ ଓ କୌରବଙ୍କର ଚିରକାଇ ମୁଁ ହିତ କାମନା କରି ଆସିଅଛି ଏବଂ ଉଭୟଙ୍କ ମଧ୍ୟରେ ଯେପରି ସନ୍ଧି ସ୍ଥାପିତ ହୁଏ ସେଥିପାଇଁ ମୁଁ ଉଭୟଙ୍କୁ ପରାମର୍ଶ ଦେଇଆସୁଅଛି । ସନ୍ଧି ପାଇଁ ଯୁଧିଷ୍ଠିର ଆଗ୍ରହୀ ଥିବା କଥା ଯୁଧିଷ୍ଠିରଙ୍କ ମୁଖରୁ ମୁଁ ବହୁବାର ଶୁଣିଅଛି; କିନ୍ତୁ ମହାରାଜ ଧ୍ରୁତରାଷ୍ଟ୍ର ଓ ତାଙ୍କର ପୁତ୍ରମାନେ ଅତିଶୟ ଧନଲୋଭୀ ଥିବାରୁ ସନ୍ଧି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଅତି ଦୁଷ୍କର । ସଞ୍ଜୟ, ବିଭିନ୍ନ ଜାତିର ସ୍ୱଧର୍ମ ବିଷୟ ତୁମକୁ ଉତ୍ତମରୂପେ ବିଦିତ ଥିଲେ ମଧ୍ୟ ତୁମେ କାହିଁକି ପାଣ୍ଡବମାନଙ୍କୁ ଯୁଦ୍ଧ ନ କରିବାକୁ ପରାମର୍ଶ ଦେଉଅଛ ? ଯୁଦ୍ଧ ନ କରି ଶାନ୍ତିରକ୍ଷା ପାଇଁ ପାଣ୍ଡବମାନଙ୍କୁ ପରାମର୍ଶ ଦେଲାବେଳେ ତୁମକୁ ମୁଁ ପ୍ରଶ୍ନକରେ, କ୍ଷତ୍ରିୟମାନଙ୍କର ସ୍ୱଧର୍ମ ଯୁଦ୍ଧଦ୍ୱାରା ରକ୍ଷିତ ହୁଏ, ନା ବିନଷ୍ଟ ହୁଏ ? ତସ୍କରସୁଲଭ ଉପାୟ ଦ୍ୱାରା ଦୁର୍ଯ୍ୟୋଧନ ପାଣ୍ଡବଙ୍କ ପୈତୃକ ରାଜ୍ୟ ଅପହରଣ କରି ନେଇଅଛି, ତେଣୁ ତା’ର ପୁନରୁଦ୍ଧାର ସର୍ବଦୌ କର୍ତ୍ତବ୍ୟ । ଏପରିକି; ସେଥିପାଇଁ ଯଦି ଯୁଦ୍ଧର ପ୍ରୟୋଜନ ହୁଏ ଓ ପାଣ୍ଡବମାନଙ୍କୁ ପ୍ରାଣତ୍ୟାଗ କରିବାକୁ ପଡ଼େ, ତାହା ଶ୍ରେୟସ୍କର; କିନ୍ତୁ ପିତୃରାଜ୍ୟ ଉଦ୍ଧାର କାର୍ଯ୍ୟରେ ଉଦାସୀନ ହେବା ଉଚିତ ନୁହେଁ । ଆଜି ତୁମେ ମହାରାଜ ଯୁଧିଷ୍ଠିରଙ୍କୁ ଧର୍ମ ଉପଦେଶ ପ୍ରଦାନ କରୁଅଛ, କିନ୍ତୁ ଯେଉଁଦିନ ଦୁଃଶାସନ ପାଣ୍ଡବପ୍ରଣୟିନୀ ଦ୍ରୌପଦୀଙ୍କୁ ସଭା ମଧ୍ୟରେ ଲାଞ୍ଛିତ କଲା, ସେତେବେଳେ ତୁମରି ଏହି ଧର୍ମଜ୍ଞାନ ପ୍ରକାଶ ପାଇଥିଲେ ଭଲ ହୋଇଥାନ୍ତା । ଯାହାହେଉ, ମୁଁ ନିଜେ ହସ୍ତିନାପୁରକୁ ଯିବି ଓ ଯାହାଦ୍ୱାରା ଉଭୟ ପକ୍ଷର ମଙ୍ଗଳ ହେବ, ତାହା ଅନୁଷ୍ଠାନ କରିବାକୁ ଯତ୍ନ କରିବି ।’

 

ସଞ୍ଜୟଙ୍କୁ ସମ୍ବୋଧନ କରି ଯୁଧିଷ୍ଠିର କହିଲେ, ‘ସଞ୍ଜୟ, ବର୍ତ୍ତମାନ ତୁମେ ଆନନ୍ଦ ଚିତ୍ତରେ ଫେରିଯାଅ ଓ ହସ୍ତିନାପୁରର ସକଳ ବ୍ୟକ୍ତିଙ୍କୁ ବୟସକ୍ରମରେ ଆମର ଅଭିନନ୍ଦନ ଓ କୁଶଳବାର୍ତ୍ତା ପ୍ରଦାନ କରିବ ଓ ତହିଁପରେ ବୃଦ୍ଧରାଜା ଧ୍ରୁତରାଷ୍ଟ୍ରଙ୍କୁ କହିବ, ପାଣ୍ଡବମାନେ ବାଳକ ଥିଲାବେଳେ ଆପଣ ସେମାନଙ୍କୁ ରାଜା ପଦରେ ଅଭିଷିକ୍ତ କରି ବର୍ତ୍ତମାନ ସେମାନଙ୍କୁ ତହିଁରୁ ବଞ୍ଚିତ କରୁଅଛନ୍ତି କାହିଁକି ? ଏହି ସମଗ୍ର ପୃଥିବୀ ଜଣେ ବ୍ୟକ୍ତିର ଅଧିକୃତ ହୋଇରହିପାରେନା । ପାଣ୍ଡବମାନେ ଶାନ୍ତିପୂର୍ଣ୍ଣ ଭାବରେ ସହଅବସ୍ଥାନ କରିବାକୁ ଇଚ୍ଛା କରୁଅଛନ୍ତି । ସଞ୍ଜୟ, ପିତାମହ ଭୀଷ୍ମଙ୍କୁ କହିବ, ଆପଣ ଶାନ୍ତନୁବଂଶର ରକ୍ଷାକର୍ତ୍ତା ଭାବରେ ବର୍ତ୍ତମାନ ବିବେଚନା କରି କିପରି କୌରବ ଓ ପାଣ୍ଡବଙ୍କ ସଦ୍‌ଭାବ ଓ ଜୀବନ ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ଯତ୍ନ କରନ୍ତୁ । ମହାତ୍ମା ବିଦୁରଙ୍କୁ କହିବ, ଆପଣ ପାଣ୍ଡବମାନଙ୍କର ପରମ ହିତେଷୀ ଓ କୌରବମାନଙ୍କର ମନ୍ତ୍ରୀ; ତେଣୁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯେପରି ଯୁଦ୍ଧ ନ ହୁଏ, ସେଥିପାଇଁ ଅନୁକୂଳ ପରାମର୍ଶ ଧ୍ରୁତରାଷ୍ଟ୍ରଙ୍କୁ ପ୍ରଦାନ କରନ୍ତୁ । ଦୁର୍ଯ୍ୟୋଧନଙ୍କୁ କହିବ, ରାଜକୁମାର, ସଭାମଧ୍ୟରେ ଦ୍ରୌପଦୀଙ୍କ ପ୍ରତି କରିଥିବା ଅସଦ୍‌ଆଚରଣଠାରୁ ଆରମ୍ଭ କରି ପାଣ୍ଡବଙ୍କୁ ବନବାସୀ କରିବା ପର୍ଯ୍ୟନ୍ତ ଆପଣଙ୍କର ସକଳ କାର୍ଯ୍ୟକୁ ପାଣ୍ଡବମାନେ କ୍ଷମା କରିଅଛନ୍ତି । ବର୍ତ୍ତମାନ ପରଦ୍ରବ୍ୟ ପ୍ରତି ନିଜର ଲୋଭ ପରିତ୍ୟାଗ କରି ରାଜ୍ୟରୁ ପାଣ୍ଡବଙ୍କୁ ସେମାନଙ୍କର ଯଥାର୍ଥ ଭାଗ ପ୍ରଦାନ କରନ୍ତୁ । ଏପରିକି ପାଞ୍ଚଖଣ୍ଡ ମାତ୍ର ଗ୍ରାମ ଲାଭ କଲେ ଶାନ୍ତିପ୍ରିୟ ପାଣ୍ଡବମାନେ ସନ୍ତୁଷ୍ଟ ହେବେ । ସଞ୍ଜୟ ମୁଁ ଚାହେଁ, ଜ୍ଞାତିମାନଙ୍କ ସହିତ ଆମର ଶାନ୍ତି ସଦ୍‌ଭାବ ପୁନଃ ପ୍ରତିଷ୍ଠିତ ହେଉ, ଭାଇ ଭାଇ ସହିତ, ପିତା ପୁତ୍ର ସହିତ ମିଳିତ ହୁଅନ୍ତୁ; କୌରବ ପାଣ୍ଡବମାନେ ଶାନ୍ତିରେ ବାସ କରନ୍ତୁ । ହସ୍ତିନାକୁ ଫେରିଯିବା ପୂର୍ବରୁ ଏକଥା ମଧ୍ୟ ଜାଣିରଖ ସନ୍ଧି ଓ ଯୁଦ୍ଧ ଉଭୟରେ ମୁଁ ସମ୍ମତ ।’

 

ଯୁଧିଷ୍ଠିରଙ୍କଠାରୁ ଅନୁମତି ଗ୍ରହଣ କରି ସଞ୍ଜୟ ହସ୍ତିନାକୁ ଫେରିଗଲେ ।

Image

 

ସନ୍ଧିପ୍ରତି ଦୁର୍ଯ୍ୟୋଧନଙ୍କର ଅସମ୍ମତି

 

ହସ୍ତିନାପୁରରେ ସଞ୍ଜୟ ପହଞ୍ଚି କୌରବମାନଙ୍କ ନିକଟରେ ସମସ୍ତ କଥା ବ୍ୟକ୍ତି କଲେ ।

ଦୁର୍ଯ୍ୟୋଧନଙ୍କୁ ସମ୍ବୋଧନ କରି ଭୀଷ୍ମ କହିଲେ, ‘‘ଅଖିଳ ଜଗତର ପୂଜ୍ୟ ନର ଓ ନାରାୟଣ ପୃଥିବୀରେ ଅର୍ଜ୍ଜୁନ ଓ ଶ୍ରୀକୃଷ୍ଣ ରୂପରେ ଅବତୀର୍ଣ୍ଣ ହୋଇଅଛନ୍ତି । ଦେବ ଦାନବ ଓ ମାନବଙ୍କ ମଧ୍ୟରେ ଏପରି କେହି ବୀର ନାହିଁ, ଯେ ଏହି ଦୁହିଙ୍କୁ ଯୁଦ୍ଧରେ ପରାସ୍ତ କରିବ । ଯେଉଁଠାରେ ପ୍ରବଳ ସମର ଉପସ୍ଥିତ ହୁଏ, ସେହି ସ୍ଥାନମାନଙ୍କରେ ଏମାନେ ଜନ୍ମଗ୍ରହଣ କରିଥାନ୍ତି । କହିବାକୁ ଗଲେ ଯୁଦ୍ଧହିଁ ଏମାନଙ୍କର କର୍ତ୍ତବ୍ୟ କର୍ମ । ଏମାନଙ୍କୁ ଯୁଦ୍ଧରେ ସମ୍ମୁଖୀନ ହେବା ସହଜ କାର୍ଯ୍ୟ ନୁହେଁ । ତେଣୁ ମୋ’ କଥା ବିଚାରକୁ ନେଇ ନିଜର କର୍ତ୍ତବ୍ୟ ସ୍ଥିର କର । ସୂତପୁତ୍ର କର୍ଣ୍ଣ, ଦୁଷ୍ଟବୁଦ୍ଧି ଶକୁନି, ପାପାତ୍ମା ଦୁଃଶାସନଙ୍କ କଥାରେ ପରିଚାଳିତ ହୁଅ ନାହିଁ ।’’

ଭୀଷ୍ମଙ୍କର କଥାରେ କର୍ଣ୍ଣ କ୍ରୁଦ୍ଧ ହୋଇ କହିଲେ, ‘ପିତାମହ, ମୋ’ ସମ୍ପର୍କରେ ଯାହା କହିଲେ ଭବିଷ୍ୟତରେ ଆଉ କେବେ ଉଚ୍ଚାରଣ କରିବେ ନାହିଁ । ମୁଁ କ୍ଷତ୍ରିୟ ଧର୍ମ ଗ୍ରହଣ କଲେ ମଧ୍ୟ ସୂତପୁତ୍ରର ଧର୍ମ ମୁଁ ତ୍ୟାଗ କରିନାହିଁ । ତେଣୁ ମୁଁ ଆପଣଙ୍କର ତିରସ୍କାରର ପାତ୍ର ନୁହେଁ । କୌରବମାନଙ୍କର ପାଣ୍ଡବମାନେ ଚିରକାଳର ଶତ୍ରୁ, ସେମାନଙ୍କ ସହ କୌରବଙ୍କର ସନ୍ଧି ହୋଇପାରେନା । ଦୁର୍ଯ୍ୟୋଧନ ଆଜି ରାଜ୍ୟାଭିଷିକ୍ତ । ତାଙ୍କ ପାଇଁ ପ୍ରୟୋଜନ ହେଲେ ସଂଗ୍ରାମରେ ଅବତୀର୍ଣ୍ଣ ହୋଇସମଗ୍ର ପାଣ୍ଡବ ପକ୍ଷଙ୍କୁ ସଂହାର କରିବି ।’

କର୍ଣ୍ଣଙ୍କର ବକ୍ତବ୍ୟ ଶେଷ ହେବା ପରେ ଧ୍ରୁତରାଷ୍ଟ୍ରଙ୍କୁ ଭୀଷ୍ମ କହିଲେ, ‘ପାଣ୍ଡବମାନଙ୍କୁ ସଂହାର କରିବା ପାଇଁ କର୍ଣ୍ଣ ସବୁସମୟରେ ଗର୍ବ ପ୍ରକାଶ କରିଥାନ୍ତି, କିନ୍ତୁ ବୀରତ୍ୱର ବିଚାରରେ ପାଣ୍ଡବଙ୍କର ଷୋଳ ଭାଗରୁ ଏକ ଭାଗ ସହ ସେ ସମାନ ହେବେ କି ନିସନ୍ଦେହ । ତୁମ ପୁତ୍ରମାନଙ୍କ ଦୁର୍ଭାଗ୍ୟ ପାଇଁ ଏହି କର୍ଣ୍ଣ ହିଁ ମୁଖ୍ୟତଃ ଦାୟୀ । ବିରାଟ ନଗରରେ ଆମ୍ଭମାନଙ୍କୁ ପରାସ୍ତ କରି ଏକାକୀ ଅର୍ଜ୍ଜୁନ ଯେତେବେଳେ ଗୋ-ସମ୍ପଦ ଉଦ୍ଧାର କରିନେଲେ, ସେତେବେଳେ ଏ ଅଯଥା ସ୍ପର୍ଦ୍ଧିତ ବୀରତ୍ୱ କେଉଁଠାରେ ଥିଲା ? ପାଣ୍ଡବଙ୍କ ହସ୍ତରେ ପରେ ପରାଜିତ ହୋଇଥିବା ଗନ୍ଧର୍ବମାନେ ଯେତେବେଳେ ତୁମର ପୁତ୍ରମାନଙ୍କୁ ପରାସ୍ତ କରି ହରଣ କରିନେଲେ, ସେତେବେଳେ ଏହି ମହାବୀର କର୍ଣ୍ଣ କେଉଁଠାରେ ଥିଲେ ? ମହାରାଜାଙ୍କର ମଙ୍ଗଳ ହେଉ । ଧର୍ମନୀତିହୀନ ବ୍ୟକ୍ତିମାନେ ଏହିପରି ମିଥ୍ୟା ବାକ୍ୟ ପ୍ରୟୋଗ କରି ନିଜର ଅଯଥା ଗର୍ବ ପ୍ରକାଶ କରିଥାନ୍ତି, ତେଣୁ ସେଥିରେ ଆସ୍ଥା ସ୍ଥାପନ ନ କରିବା ହିଁ ସମୀଚୀନ ।’

ଦ୍ରୋଣାଚାର୍ଯ୍ୟ ଭୀଷ୍ମଙ୍କ ମତକୁ ସମର୍ଥନ କରିଥିଲେ ।

ନିଜର ପୁତ୍ରମାନଙ୍କୁ ସମ୍ବୋଧନ କରି ରାଜା ଧ୍ରୁତରାଷ୍ଟ୍ର କହିଲେ, ‘ବାବା, ଯୁଧିଷ୍ଠିରଙ୍କ କ୍ରୋଧ, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ ପ୍ରମୁଖଙ୍କର ପରାକ୍ରମ ବିଷୟ ସ୍ମରଣ କଲାମାତ୍ରେ ଭୟରେ ମୋର ଦେହ ଥରିଉଠୁଛି । ଯୁଧିଷ୍ଠିର ମନସ୍ୱୀ, ବ୍ରହ୍ମ ତେଜସ୍ୱୀ ପ୍ରଜ୍ଞାବାନ, ଧର୍ମାତ୍ମା ଓ ଜିତେନ୍ଦ୍ରିୟ । ମୁଁ ତାଙ୍କ ପ୍ରତି କପଟ ବ୍ୟବହାର କରିଅଛି । ସେମାନେ ନିଶ୍ଚୟ ଆମ୍ଭମାନଙ୍କୁ ସଂହାର କରିବେ । ତେଣୁ ସେମାନଙ୍କ ସହ ଯୁଦ୍ଧ ନକରି ସନ୍ଧି କରିବା ହିଁ ଶ୍ରେୟସ୍କର ।’

ପିତାଙ୍କ କଥାଶୁଣି ଦୁର୍ଯ୍ୟୋଧନ କହିଲେ, ‘ମହାରାଜ, ଆପଣ ଭୟଭୀତ ହୁଅନ୍ତୁ ନାହିଁ କି ଆମ ପାଇଁ ଶୋକ କରନ୍ତୁ ନାହିଁ । ଆମ୍ଭେମାନେ ଶତ୍ରୁମାନଙ୍କୁ ନିଶ୍ଚୟ ପରାଜିତ କରିବୁ । ଆମର ଏହି ଏଗାର ଅକ୍ଷୌହିଣୀ ସୈନ୍ୟଙ୍କ ସମ୍ମୁଖରେ ପାଣ୍ଡବମାନଙ୍କ ସଂଗୃହିତ ସାତ ଅକ୍ଷୌହିଣୀ ସୈନ୍ୟ ଦଣ୍ଡାୟମାନ ହେବାକୁ ସାହସ କରିବେ ନାହିଁ । ଆପଣ ଭୟ କରନ୍ତୁ ନାହିଁ ।’

ଧ୍ରୁତରାଷ୍ଟ୍ର କହିଲେ, ‘ତଥାପି ଯୁଦ୍ଧ ପ୍ରତି ଅଭିଳାଷୀ ହୁଅ ନାହିଁ । ନିଜର ଓ ନିଜ ପକ୍ଷର ଲୋକମାନଙ୍କ ଜୀବନରକ୍ଷା ପାଇଁ ପାଣ୍ଡବମାନଙ୍କୁ ରାଜ୍ୟରୁ ଯଥୋଚିତ ଅଂଶ ପ୍ରଦାନ କର । ଯୁଦ୍ଧ ମୁଁ ଚାହୁଁନାହିଁ ଏବଂ ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା, ସଞ୍ଜୟ, ସୋମଦତ୍ତ, ଶଲ୍ୟ ଭୁରିଶ୍ରବା ପ୍ରମୁଖ ମଧ୍ୟ ଚାହୁଁ ନାହାନ୍ତି । ତୁମେ ସ୍ୱତଃପ୍ରବୃତ୍ତ ହୋଇଯେ ଯୁଦ୍ଧ ଚାହୁଁଛ ତାହା ନୁହେଁ, କର୍ଣ୍ଣ, ଦୁଃଶାସନ, ଶକୁନି ପ୍ରମୁଖ ତୁମକୁ ଯୁଦ୍ଧପାଇଁ ପ୍ରବର୍ତ୍ତାଉଥିବା କଥା ମୋତେ ଅବିଦିତ ନାହିଁ ।’

ଦୁର୍ଯ୍ୟୋଧନ କହିଲେ, ‘ବାବା, ମୁଁ ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା ପ୍ରମୁଖଙ୍କ ଉପରେ ନିର୍ଭର କରି ଯୁଦ୍ଧ କରିବାକୁ ଯାଉନାହିଁ । ଦୁଃଶାସନ, କର୍ଣ୍ଣ ଏବଂ ମୁଁ ଆମେ ଏହି ତିନିଜଣ ଶତ୍ରୁମାନଙ୍କୁ ସଂହାର କରିବା ପାଇଁ ଯଥେଷ୍ଟ । ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ହୁଏତ ଯୁଦ୍ଧରେ ଆମେ ମରିବୁ, ନଚେତ୍‌ ସେମାନେ ମରିବେ । କିନ୍ତୁ ପାଣ୍ଡବଙ୍କ ସହିତ ସନ୍ଧିକରି ଏକତ୍ର ବାସ କରିବା ମୋ’ ପକ୍ଷରେ ସମ୍ଭବ ନୁହେଁ; ଏପରି କି ପାଣ୍ଡବମାନଙ୍କୁ ସୂଚ୍ୟଗ୍ର ପରିମିତ ଭୂମି ମଧ୍ୟ ପ୍ରଦାନ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।’

ଦୁର୍ଯ୍ୟୋଧନ ଏହିପରି ଦମ୍ଭ ପ୍ରକାଶ କଲାପରେ, ଭୀଷ୍ମ, ବିଦୁର ଓ ଧୃତରାଷ୍ଟ୍ର ପ୍ରମୁଖ ସନ୍ଧିକରି ପାଣ୍ଡବଙ୍କ ସହ ପୁନଃମିତ୍ରତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଦୁର୍ଯ୍ୟୋଧନଙ୍କୁ ଯେତେ ବୁଝାଇଲେ ମଧ୍ୟ ପାଣ୍ଡବଙ୍କୁ ଅର୍ଧେକ ରାଜ୍ୟ ପ୍ରଦାନ କରିବାକୁ ସେ ସମ୍ମତ ହେଲେ ନାହିଁ ।

Image

 

ହସ୍ତିନା ଉଦ୍ଦେଶ୍ୟରେ କୃଷ୍ଣଙ୍କର ଯାତ୍ରା

 

ପାଣ୍ଡବଙ୍କ ନିକଟରୁ ସଞ୍ଜୟ ବିଦାୟ ନେବାପରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ମିତ୍ରବତ୍ସଳ ! ସଞ୍ଜୟ ଧ୍ରୁତରାଷ୍ଟ୍ରଙ୍କର ଆତ୍ମାସ୍ୱରୂପ, ତେଣୁ ସେ ଯାହାସବୁ କହିଗଲେ, ତାହାହିଁ ଧ୍ରୁତରାଷ୍ଟ୍ରଙ୍କର ମତ । ମହାରାଜ ଧ୍ରୁତରାଷ୍ଟ୍ର ଆମ୍ଭମାନଙ୍କୁ ରାଜ୍ୟ ପ୍ରଦାନ ନକରି ଆମ ସହିତ ସନ୍ଧିସ୍ଥାପନ କରିବାକୁ ଇଚ୍ଛା କରୁଅଛନ୍ତି । ବନବାସ ପରେ ରାଜ୍ୟ ଫେରିପାଇବୁ, ଏହି ଆଶା ଓ ବିଶ୍ୱାସରେ ତ୍ରୟୋଦଶ ବର୍ଷ କାଳ ଆମ୍ଭେମାନେ ଅସହ୍ୟ ଦୁଃଖ ମଧ୍ୟରେ ପ୍ରତିଜ୍ଞା ପାଳନ କରିଅଛୁ; କିନ୍ତୁ ଧ୍ରୁତରାଷ୍ଟ୍ର ନିଜର ଦୁଷ୍ଟ ପୁତ୍ରମାନଙ୍କର ବଶୀଭୂତ ହୋଇ ପ୍ରାପ୍ୟ ଅଧିକାରରୁ ଆମ୍ଭମାନଙ୍କୁ ବଞ୍ଚିତ କରିଅଛନ୍ତି । ଏପରି ଅବସ୍ଥାରେ ଆମର କର୍ତ୍ତବ୍ୟ କ’ଣ ? ରାଜ୍ୟ ସମ୍ପର୍କରେ ଦାବି ପରିତ୍ୟାଗ କରି ଶାନ୍ତିପ୍ରତିଷ୍ଠା କରିବା ହିଁ ମୃତ୍ୟୁ, କାରଣ ତଦ୍ଦ୍ୱାରା ଶତ୍ରୁମାନେ ଆମର ଉତ୍ତରୋତ୍ତର ଅନିଷ୍ଟ କରିବାକୁ ପ୍ରଶ୍ରୟ ପାଇବେ । ଆଉ ରାଜ୍ୟ ଲାଭ ପାଇଁ ଯୁଦ୍ଧ କଲେ କୁଳକ୍ଷୟ, ଜ୍ଞାତି କ୍ଷୟ ଆଦି ପାପତ ଭାଗୀ ହେବାକୁ ପଡ଼ିବ–ତେଣୁ ଉଭୟ ଦିଗରୁ ବିଚାର କଲେ, ପ୍ରଥମେ ଶାନ୍ତିପୂର୍ଣ୍ଣ ଓ ସଦ୍‌ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ରାଜ୍ୟ ଫେରିପାଇବାକୁ ଉଦ୍ୟମ କରିବାହିଁ ସମୀଚୀନ ହେବ । ତେବେ ଏସମ୍ପର୍କରେ ଆପଣ ହିଁ ଆମକୁ ଉପଯୁକ୍ତ ପରାମର୍ଶ ଦେଇପାରିବେ ।’

 

କୃଷ୍ଣ କହିଲେ, ‘ଧର୍ମରାଜ, ମୁଁ ଉଭୟପକ୍ଷଙ୍କ ହିତସାଧନ ନିମନ୍ତେ କୌରବ ସଭାକୁ ଯିବି-। ଯଦି ସେଠାରେ ଆପଣଙ୍କର ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ନ କରି ସଂସ୍ଥାପିତ କରିବାରେ ସମର୍ଥ ହୁଏ, ତାହାହେଲେ ଯୁଦ୍ଧର ଭୟାବହ ପରିଣତିରୁ ସମସ୍ତେ ରକ୍ଷା ପାଇପାରିବେ ଏବଂ ମୁଁ ମଧ୍ୟ ତଦ୍ଦ୍ୱାରା ପୂଣ୍ୟଭାଗୀ ହେବି ।’

 

ଯୁଧିଷ୍ଠିର କହିଲେ, ‘କିନ୍ତୁ, କୌରବସଭାକୁ ଆପଣଙ୍କ ଯିବେ, ତାହା ମୁଁ ଉଚିତ ମନେ କରୁନାହିଁ । ପ୍ରଥମତଃ ଆପଣଙ୍କର ହିତକର ବାକ୍ୟକୁ ଦୁର୍ଯ୍ୟୋଧନ ଗ୍ରହଣ କରିବ ନାହିଁ, ଦ୍ୱିତୀୟରେ ଦୁର୍ଯ୍ୟୋଧନର ପକ୍ଷ ସମର୍ଥନକାରୀ ବହୁ ରାଜା କୌରବଙ୍କ ସଭାରେ ଉପସ୍ଥିତ ଥିବାରୁ ସେମାନଙ୍କ ଆଡ଼ୁ ଆପଣଙ୍କ ପ୍ରତି ବିପଦର ଆଶଙ୍କା ରହିଛି । ଆପଣଙ୍କୁ ବିପଦର ସମ୍ମୁଖୀନ କରାଇ, ସାମାନ୍ୟ ପାର୍ଥିବ ଐଶ୍ୱର୍ଯ୍ୟର କଥା ଦୂରେ ଥାଉ, ଦେବତ୍ୱ ବା ଦେବ ଐଶ୍ୱର୍ଯ୍ୟ ଲାଭ କରିବାକୁ ମୁଁ କାମନା କରିପାରିବି ନାହିଁ ।’

 

କୃଷ୍ଣ କହିଲେ, ‘ଧର୍ମରାଜ, ଦୁଷ୍ଟ ଦୁର୍ଯ୍ୟୋଧନର ମନକଥା ମୋତେ ଅଜଣା ନାହିଁ, ତଥାପି କୌରବସଭାକୁ ଯାଇ ସନ୍ଧିସ୍ଥାପନ କରିବାପାଇଁ ଶେଷ ଚେଷ୍ଟା କରିବି । ଯଦି କୌରବମାନେ ମୋ’ ପ୍ରତି ଅତ୍ୟାଚାର କରନ୍ତି, ତେବେ ସେମାନେ ସେହିଠାରେ ମୋଦ୍ୱାରା ଭସ୍ମୀଭୂତ ହେବେ, ସେଥିରେ ସନ୍ଦେହ ନାହିଁ ।’

 

ଯୁଧିଷ୍ଠିର କହିଲେ, ‘ଆପଣ ଯାହା ଉପଯୁକ୍ତ ମନେ କରୁଅଛନ୍ତି, ତାହା କରନ୍ତୁ । ଆପଣଙ୍କର ଯାତ୍ରା ସଫଳ ହେଉ ଓ ଆପଣ ନିର୍ବିଘ୍ନରେ ଏଠାକୁ ଫେରି ଆସନ୍ତୁ, ଏହା ମୁଁ କାମନା କରୁଅଛି । ଆପଣ ସକଳତତ୍ତ୍ୱ ଜ୍ଞାନରେ ଓ ବାଗ୍ମୀତାରେ ବିଶେଷ ପାରଦର୍ଶୀ, ତେଣୁ ଉଭୟ ପକ୍ଷଙ୍କ ହିତସାଧନ ନିମନ୍ତେ ଉପଯୁକ୍ତ ଉପଦେଶ ଯେ ସେଠାରେ ପ୍ରଦାନ କରିବେ, ଏଥିରେ ସନ୍ଦେହ ନାହିଁ-। ସନ୍ଧି ସ୍ଥାପନ ଅତି ଉତ୍ତମ, ନଚେତ୍‌ ଯୁଦ୍ଧ ଅପରିହାର୍ଯ୍ୟ ହୋଇପଡ଼ିବ ।’

 

ହସ୍ତିନାକୁ ଯିବା ପୂର୍ବରୁ କୃଷ୍ଣ ପୁଙ୍ଖାନୁପୁଙ୍ଖ ଭାବରେ ପାଣ୍ଡବମାନଙ୍କ ସହିତ ସନ୍ଧି ପ୍ରସ୍ତାବ ଓ ସନ୍ଧିର ବିକଳ୍ପ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ଆଲୋଚନା କରିବାକୁ ଭୁଲିଲେ ନାହିଁ ।

 

ଭୀମସେନ କହିଲେ, ‘ମଧୁସୂଦନ ! ଆମେ ଉଭୟପକ୍ଷ ଯେପରି ଶାନ୍ତିରେ ବାସ କରିବୁ, ସେପରି ପରାମର୍ଶ କୌରବ ସଭାରେ ପ୍ରଦାନ କରିବେ । ଯୁଦ୍ଧକଥା ବର୍ଣ୍ଣନା କରି କୌରବମାନଙ୍କୁ ଭୟଭୀତ କରିବେ ନାହିଁ, କି ଦୁର୍ଯ୍ୟୋଧନ ପ୍ରତି କଟୁବାକ୍ୟ ପ୍ରୟୋଗ କରିବେ ନାହିଁ । ବରଂ ଦୁର୍ଯ୍ୟୋଧନର ଅଧୀନରେ ଆମ୍ଭମାନଙ୍କର ଦୀନହୀନ ଭାବରେ କାଳଯାପନ କରିବା ଶ୍ରେୟସ୍କର କିନ୍ତୁ ଯୁଦ୍ଧକୁ ଆଶ୍ରୟ କରି ଭରତ ବଂଶକୁ ବିନାଶ କରିବା ଉଚିତ ହେବ ନାହିଁ । କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯେପରି ପୁନର୍ବାର ସୌଭ୍ରାତ୍ର ସମ୍ପର୍କ ପ୍ରତିଷ୍ଠିତ ହୁଏ ଓ ଦୁର୍ଯ୍ୟୋଧନ ଶାନ୍ତହୁଏ, ସେହି ଉପାୟ ନିର୍ଦ୍ଧାରଣ କରିବେ । ମୁଁ କେବଳ ଏକା ନୁହେଁ ଧର୍ମରାଜ ଓ ଅର୍ଜ୍ଜୁନଙ୍କର ଯୁଦ୍ଧପ୍ରତି ଅଭିଳାଷ ନାହିଁ ।’

 

ମହାପରାକ୍ରମଶାଳୀ ଭୀମସେନ ଯେ ପୁଣି ଶାନ୍ତି ପ୍ରତି ଏପରି ଆସକ୍ତି, ସେ କଥାଶୁଣି କୃଷ୍ଣ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ ଭୀମସେନଙ୍କୁ ଉତ୍ତେଜିତ କରିବା ପାଇଁ କହିଲେ, ‘ଭୀମସେନ, କୌରବ ସଭାରେ ସେ ଦିନ ଗଦାଘାତରେ ଦୁର୍ଯ୍ୟୋଧନକୁ ନିଶ୍ଚୟ ସଂହାର କରିବି, ଅନ୍ୟଥା ହେବ ନାହିଁ ବୋଲି ନିଜର ଭାଇମାନଙ୍କ ସମ୍ମୁଖରେ ପ୍ରତିଜ୍ଞା କରି ମଧ୍ୟ ଆଜି ଶାନ୍ତି ପାଇଁ ପାଇଁ ଅଭିଳାଷୀ ହୋଇଯୁଦ୍ଧ କରିବାକୁ ଭୟ କରୁଅଛି ?’

 

ଭୀମସେନ କହିଲେ, ‘ହେ ଅଚ୍ୟୁତ, ଯୁଦ୍ଧକୁ ମୁଁ ଭୟ କରୁନାହିଁ । କି ଯୁଦ୍ଧକୁ ଭୟ କରି ଶାନ୍ତି ଚାହୁଁ ନାହିଁ । ମୋର ଏହି ଲୌହ ସଦୃଶ ବାହୁଯୁଗଳରେ ସସାଗରା ଧରାର ସମସ୍ତ ବୀରଙ୍କୁ ଅବଲୀଳାକ୍ରମେ ସଂହାର କରିବାର କି ସାମର୍ଥ୍ୟ ରହିଛି ସମର ସମୟରେ ଆପଣ ନିଶ୍ଚୟ ଅବଲୋକନ କରିବେ; ତେବେ ମୁଁ ଆମର ସମସ୍ତ ଦୁଃଖ ଭୁଲିଯାଇ ସନ୍ଧି ଓ ଶାନ୍ତି ସ୍ଥାପନ ପାଇଁ ଅଭିଳାଷ କରୁଅଛି; କେବଳ ଏହି କାରଣରୁ ଯେ, କୌରବମାନେ ମୃତ୍ୟୁମୁଖରୁ ଅନ୍ତତଃ ରକ୍ଷା ପାଇ ଯାଆନ୍ତୁ ।’

 

ଅର୍ଜ୍ଜୁନ କହିଲେ, ‘ସନ୍ଧି ହେଉ ବା ଯୁଦ୍ଧ ‘ହେଉ ଆମର କାର୍ଯ୍ୟସିଦ୍ଧ ହେଲେ ହେଲା । କୌରବମାନେ ଯେ ସନ୍ଧି ପ୍ରସ୍ତାବରେ ସମ୍ମତ ହେବେ, ଏ ବିଶ୍ୱାସ ମୋର ନାହିଁ, ତେବେ ଆମର ସମୂହ ହିତ ଦୃଷ୍ଟିରୁ ଯାହା ଅନୁଷ୍ଠେୟ, ତାହା ଆପଣ କରନ୍ତୁ ।’

 

ନକୁଳ ସନ୍ଧି ପ୍ରପକ୍ଷରେ ମତ ପ୍ରକାଶ କରି ଅଗ୍ରଜମାନଙ୍କର ଉକ୍ତିକୁ ଅନୁମୋଦନ କଲେ; କିନ୍ତୁ ସର୍ବକନିଷ୍ଠ ସହଦେବ ଯୁଦ୍ଧପାଇଁ ଆଗ୍ରହ ପ୍ରକାଶ କଲେ ।

 

ସହଦେବ କହିଲେ, ‘ମଧୁସୂଦନ, ମହାରାଜ ଯୁଧିଷ୍ଠିରଙ୍କ ମତରେ ସନ୍ଧି କରିବା କର୍ତ୍ତବ୍ୟ ହେଲେ ହେଁ ଏବଂ କୌରବମାନେ ସନ୍ଧିରେ ସମ୍ମତ ହେଲେ ମଧ୍ୟ ଯୁଦ୍ଧ ଯେପରି ହେବ, ତଦନୁସାରେ ଆପଣ କାର୍ଯ୍ୟ କରିବେ । ସଭା ମଧ୍ୟରେ ଦ୍ରୌପଦୀଙ୍କୁ ଯେପରି ହେବ, ତଦନୁସାରେ ଆପଣ କାର୍ଯ୍ୟ କରିବେ । ସଭା ମଧ୍ୟରେ ଦ୍ରୌପଦୀଙ୍କୁ ଯେପରି ଭାବରେ ଅପମାନିତ କରାଯାଇଅଛି, ସେହି ଲାଞ୍ଛନଜନିତ ପାଣ୍ଡବଙ୍କର କ୍ରୋଧ କେବଳ ଯୁଦ୍ଧରେ ହିଁ ଶାନ୍ତ ହେବ । ଯୁଧିଷ୍ଠିର, ଭୀମସେନ, ଅର୍ଜ୍ଜୁନ ଓ ନକୁଳ ପ୍ରମୁଖ ମୋର ଅଗ୍ରଜମାନେ ଧର୍ମାନୁରୋଧରେ ଯୁଦ୍ଧ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ମୁଁ ଦୁରାତ୍ମା ଦୁର୍ଯ୍ୟୋଧନ ସହ ସଂଗ୍ରାମ କରିବାକୁ ଅଭିଳାଷୀ ।’

 

ସାତ୍ୟକି କହିଲେ, ‘ପୁରୁଷୋତ୍ତମ, ସହଦେବ ଯଥାର୍ଥ କଥା କହିଛନ୍ତି । ଦୁଷ୍ଟ ଦୁର୍ଯ୍ୟୋଧନକୁ ସଂହାର ନ କଲାପର୍ଯ୍ୟନ୍ତ ଏ କ୍ରୋଧ ବାସ୍ତବିକ ଶାନ୍ତ ହେବ ନାହିଁ । ମାଦ୍ରୀତନୟ ସହଦେବଙ୍କ ମତରେ ଆମର ସମବେତ କ୍ଷତ୍ରିୟମାନେ ଏକମତ ।’

 

ସାତ୍ୟକିଙ୍କ କଥା ଶୁଣି ଉପସ୍ଥିତ ବୀରମାନେ ଉଚ୍ଚସ୍ୱରରେ ସିଂହନାଦ କରି ସହଦେବ ଓ ସାତ୍ୟକିଙ୍କ ଉକ୍ତି ପ୍ରତି ନିଜ ନିଜର ସମର୍ଥନ ଜ୍ଞାପନ କଲେ ।

 

ଅବଶେଷରେ ଦ୍ରୌପଦୀ କହିଲେ, ‘ମଧୁସୂଦନ ! ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନେ ଶଠତା ସହକାରେ ପାଣ୍ଡବମାନଙ୍କୁ ଯେପରି ରାଜ୍ୟଚ୍ୟୁତ ଓ ସୁଖବଞ୍ଚିତ କରିଅଛନ୍ତି, ତାହା ଆପଣଙ୍କୁ ଅଜଣା ନାହିଁ । ତଥାପି ମହାରାଜ ଯୁଧିଷ୍ଠିର ପାଞ୍ଚଖଣ୍ଡ ଗ୍ରାମ ମଧ୍ୟରେ ନିଜର ଦାବିକୁ ସୀମିତକରି ଦୁର୍ଯ୍ୟୋଧନଙ୍କ ସହ ସନ୍ଧି କରିବାକୁ ସଞ୍ଜୟ ହସ୍ତରେ ପ୍ରସ୍ତାବ ଦେଇଥିଲେ । ସେଥିରେ ମଧ୍ୟ ଦୁର୍ଯ୍ୟୋଧନ ସମ୍ମତ ହେଲା ନାହିଁ । କୌରବ ସଭାକୁ ତୁମେ ଯାଉଅଛ, ଭଲ କଥା; କିନ୍ତୁ ଦୁର୍ଯ୍ୟୋଧନ ସନ୍ଧିରେ ସମ୍ମତ ହେଲେ ମଧ୍ୟ ସନ୍ଧିରେ ତୁମେ ସମ୍ମତ ହେବ ନାହିଁ । ଶାସ୍ତ୍ରରେ ଉଲ୍ଲେଖ ଅଛି, ଅବଧ୍ୟ ବ୍ୟକ୍ତିକୁ ବଧକଲେ ଯେଉଁ ପାପ ହୁଏ, ବଧ୍ୟ ବ୍ୟକ୍ତିକୁ ସଂହାର ନକଲେ ଅନୁରୂପ ପାପ ହୋଇଥାଏ । ପାଣ୍ଡବମାନେ ଏହି ପାପଭାଗୀ ଯେପରି ନ ହୁଅନ୍ତି, ତୁମେ ସେହି ଉଦ୍ୟମ କରିବ । ହେ ମାଧବ, ଏହି ପୃଥିବୀ ମଧ୍ୟରେ ମୋ’ପରି ରମଣୀ କିଏ ଅଛି ? ମୁଁ ଦ୍ରୁପଦ ରାଜାଙ୍କର ଅଯୋନିସମ୍ଭୂତା କନ୍ୟା, ବୀର ଧ୍ରୁଷ୍ଟଦ୍ୟୁମ୍ନଙ୍କର ଭଗ୍ନୀ, ତୁମର ପ୍ରିୟ ବାନ୍ଧବୀ, ମହାତ୍ମା ପାଣ୍ଡୁଙ୍କର ପୁତ୍ରବଧୂ, ଇନ୍ଦ୍ରସମ ତେଜସ୍ୱୀ ପଞ୍ଚପାଣ୍ଡବଙ୍କର ପ୍ରିୟପତ୍ନୀ ଏବଂ ପଞ୍ଚମହାରଥୀଙ୍କର ଗର୍ଭଧାରିଣୀ–ଏହିପରି ଭାବରେ ମୁଁ ସବୁଦିଗରୁ ସୌଭାଗ୍ୟଶାଳୀ ହୋଇମଧ୍ୟ ପାଞ୍ଚାଳ ଓ ବୃଷ୍ଣିମାନେ ଜୀବିତ ଥାଉଁ ଥାଉଁ ମୋର ମହାବୀର ସ୍ୱାମୀଙ୍କର ସମ୍ମୁଖରେ ପ୍ରକାଶ୍ୟ ସଭା ମଧ୍ୟରେ ମୋତେ ପୁଣି କେଶ ଆକର୍ଷଣର ଦୁଃଖ ଅପମାନ ସହିବାକୁ ପଡ଼ିଲା ? ଏତେ ଅପରାଧ ସତ୍ତ୍ୱେ ଦୁର୍ଯ୍ୟୋଧନ ଆଜି ଜୀବିତ ଅଛି, ଏକଥା ଭାବିଲେ ଅର୍ଜ୍ଜୁନଙ୍କର ଗାଣ୍ଡୀବ ଓ ଭୀମସେନଙ୍କର ପରାକ୍ରମକୁ ଧିକ୍କାର କରିବାକୁ ଇଚ୍ଛା ହୁଏ । ଯଦି ମୋ’ ପ୍ରତି ତୁମର ସାମାନ୍ୟତମ ଅନୁଗ୍ରହ ଥାଏ, ତାହା ହେଲେ ତୁମ କ୍ରୋଧାଗ୍ନିରେ କୌରବମାନେ ଭସ୍ମୀଭୂତ ହୁଅନ୍ତୁ । ଏହା କହି ଦ୍ରୌପଦୀ ନିଜର ପରମ ରମଣୀୟ ମହାଭୁଜଙ୍ଗ ସଦୃଶ ସୁଦୀର୍ଘ କେଶ କଳାପକୁ କୃଷ୍ଣଙ୍କ ସମ୍ମୁଖରେ ପ୍ରସାରିତ କରି କହିଲେ, ହେ ଜନାର୍ଦ୍ଦନ ଏହି କେଶକୁ ଦୁରାତ୍ମା ଦୁଃଶାସନ ଆକର୍ଷଣ କରିଥିଲା । ଶତ୍ରୁମାନଙ୍କ ନିକଟରେ ସନ୍ଧି ପ୍ରସ୍ତାବ ଉତ୍‌ଥାପନ କଲାବେଳେ ମୋର ଏହି କେଶଗୁଚ୍ଛକୁ ଅନୁଗ୍ରହ କରି ସ୍ମରଣ କରିବ । ଭୀମ ଅର୍ଜ୍ଜୁନ ସନ୍ଧିସ୍ଥାପନ କରିବାକୁ ଚାହୁଁଛନ୍ତି, ତେଣୁ ସେମାନେ ସନ୍ଧି କରନ୍ତୁ, ମୁଁ ଆପତ୍ତି କରୁନାହିଁ, ମାତ୍ର ମୋର ବୃଦ୍ଧପିତା, ମହାରଥି ଅଭିମନ୍ୟୁଙ୍କ ସହ ମୋର ବୀର ପୁତ୍ରମାନେ ସଂଗ୍ରାମ କରି ମୋ’ ପ୍ରତି ହୋଇଥିବା ଅକଥିତ ଅପମାନର ଉପଯୁକ୍ତ ପ୍ରତିଶୋଧ ନେବେ । ଦୁରାତ୍ମା ଦୁଃଶାସନର ବାହୁ ଛିନ୍ନ ହୋଇ ମାଟିରେ ଲୋଟି ଧୂଳିଧୂସରିତ ହେବାର ନ ଦେଖିବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ । ମୋର କ୍ରୋଧ ଓ ଲାଞ୍ଛନା-ଜର୍ଜରିତ ହୃଦୟ ଆଜି ଭୀମସେନଙ୍କ ବାକ୍ୟରେ ଶତତ ବିଦୀର୍ଣ୍ଣ ହେଉଅଛି ।

 

ଏହିପରି କହୁ କହୁ ଭାବବିହ୍ୱଳା ହୋଇ ଦ୍ରୌପଦୀ କ୍ରନ୍ଦନ କରିବାକୁ ଲାଗିଲେ ।

 

ଦ୍ରୌପଦୀଙ୍କୁ ସାନ୍ତ୍ୱନାଦେଇ କୃଷ୍ଣ କହିଲେ, ‘କୃଷ୍ଣା, ଲୋତକ ସମ୍ବରଣ କର, ଅତିଅଳ୍ପ ଦିନ ମଧ୍ୟରେ ତୁମେ କୌରବ ରମଣୀମାନଙ୍କୁ ଏହିପରି ରୋଦନ କରିବାରେ ଦେଖିବ । ପାଣ୍ଡବମାନଙ୍କ ସହ ମିଳିତ ହୋଇ ମୁଁ ସମଗ୍ର କୌରବମାନଙ୍କ ସଂହାର କରି ତୁମକୁ ରାଜରାଣୀ କରାଇବି, ଏହା ହିଁ ମୋର ସଙ୍କଳ୍ପ । ତୁମେ ଧୌର୍ଯ୍ୟହରା ହୁଅ ନାହିଁ ।’

 

ପାଣ୍ଡବମାନଙ୍କ ରେବତୀ ନକ୍ଷତ୍ର ଯୁକ୍ତ କାର୍ତ୍ତିକମାସର ମଙ୍ଗଳ ମୁହୂର୍ତ୍ତରେ ଆନୁଷ୍ଠାନିକ ପ୍ରାତ୍ୟହିକ ମଙ୍ଗଳ-କର୍ମଆଦି ସମାପନ କରି ସାତ୍ୟକି ସହ ହସ୍ତିନାପୁର ଉଦ୍ଦେଶ୍ୟରେ ଯାତ୍ରା କଲେ-। କୃଷ୍ଣଙ୍କର ହସ୍ତିନା ଗମନ ସମ୍ବାଦ ସର୍ବତ୍ର ପ୍ରଚାରିତ ହୋଇଯାଇଥିଲା । କୌରବଙ୍କ ସଭାରେ କୃଷ୍ଣଙ୍କୁ ଦର୍ଶନ କରିବା ଓ ତାଙ୍କର ବକ୍ତବ୍ୟ ଶ୍ରବଣ କରିବାର ଆଗ୍ରହରେ ବିଭିନ୍ନ ପ୍ରାନ୍ତରୁ ବହୁଲୋକ ବହୁଋଷି, ବହୁକ୍ଷତ୍ରିୟ, ହସ୍ତିନାକୁ ଯିବାକୁ ଲାଗିଲେ । ଧ୍ରୁତରାଷ୍ଟ୍ରଙ୍କ ଆଦେଶକ୍ରମେ କୃଷ୍ଣଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ଉଦ୍ଦେଶ୍ୟରେ ହସ୍ତିନାନଗର ତଥା ରାଜପଥକୁ ରତ୍ନାଦିଖଚିତ ବିଭିନ୍ନ ତୋରଣାଦି ଦ୍ୱାରା ସୁସଜ୍ଜିତ କରାଗଲା । ସେହି ଅବସରରେ ଧ୍ରୁତରାଷ୍ଟ୍ର ବିଦୁରଙ୍କୁ କହିଲେ, ବିଦୁର, ‘ମହାବଳ ପରାକ୍ରାନ୍ତ ମହାତ୍ମା ଜନାର୍ଦ୍ଦନ କାଲି ଆମ ରାଜନବରକୁ ଆଗମନ କରିବେ । ଏଠାରେ ତାଙ୍କର ଉପଯୁକ୍ତ ସମ୍ବର୍ଦ୍ଧନା ଓ ପୂଜା ନିମନ୍ତେ ନଗରକୁ ବିଶେଷ ଭାବରେ ସୁସଜ୍ଜିତ କରାଯାଇଅଛି ଏବଂ ତାଙ୍କର ଏହି ଆଗମନ ଅବସରରେ ମୁଁ ସୁବର୍ଣ୍ଣ ଖଚିତ ବହୁରଥ, ନିତ୍ୟମଦସ୍ରାବୀ ବହୁ ଉତ୍କଷ୍ଟ ହସ୍ତୀ, ଶତ ଶତ ଦାସୀ, ସହସ୍ର ଅଶ୍ୱ, ଶ୍ରେଷ୍ଠ ରତ୍ନରାଶି ଉପଢୌକନ ଭାବରେ ତାଙ୍କୁ ପ୍ରଦାନ କରିବାକୁ ଇଚ୍ଛା କରୁଅଛି । ଦୁଃଶାସନର ଭବନ ସବୁ ଦିଗରୁ ସର୍ବୋତ୍କୃଷ୍ଟ ଥିବାରୁ ସେହିଠାରେ ତାଙ୍କର ବିଶ୍ରାମର ବ୍ୟବସ୍ଥା କରିଅଛି ।’

 

ଧ୍ରୁତରାଷ୍ଟ୍ରଙ୍କ କଥା ଶୁଣି ବିଦୁର ଅତି ସ୍ପଷ୍ଟ ଭାବରେ କହିଲେ, ‘ଆପଣଙ୍କର ଏହି ସବୁ କାର୍ଯ୍ୟରେ ଆନ୍ତରିକତା ଥିବାପରି ମୁଁ ଦେଖୁନାହିଁ, ବରଂ କପଟତା ପୂରି ରହିଥିବାର ଲକ୍ଷ୍ୟ କରୁଅଛି-। ଅର୍ଦ୍ଧେକ ରାଜ୍ୟ ବଦଳରେ ପାଣ୍ଡବମାନେ ପାଞ୍ଚଖଣ୍ଡ ମାତ୍ର ଗ୍ରାମ ଭିକ୍ଷା ଭାବରେ ଚାହିଁଥିଲେ, ଆପଣ ସେମାନଙ୍କର ସେହି ପ୍ରାର୍ଥନାକୁ ମଧ୍ୟ ପୂରଣ କରିବାକୁ କୁଣ୍ଠିତ ହେଲେ । ଆଜି କୃଷ୍ଣଙ୍କ ସମ୍ବର୍ଦ୍ଧନା ପାଇଁ ଆପଣଙ୍କର ଏହି ଅଯାଚିତ ମୁକ୍ତ ହସ୍ତ କେବଳ ଛଳନା ମାତ୍ର । ଅର୍ଥଦ୍ୱାରା କୃଷ୍ଣଙ୍କୁ ପ୍ରଲୋଭିତ କରି ପାଣ୍ଡବଙ୍କଠାରୁ ତାଙ୍କୁ ବିଚ୍ଛିନ୍ନ କରି ଆଣିବାକୁ ଉଦ୍ୟମ କରନ୍ତୁ ନାହିଁ । ଆପଣ ଯେତେ ଅର୍ଥ ପ୍ରଦାନ କଲେ ମଧ୍ୟ ଓ ଯେତେ ଉଦ୍ୟମ କଲେ ମଧ୍ୟ ଅର୍ଜ୍ଜୁନଙ୍କଠାରୁ କୃଷ୍ଣଙ୍କୁ ପୃଥକ୍‌ କରିପାରିବେ ନାହିଁ । ମହାର୍ଘ ପଦାର୍ଥର ଉପଢୌକନ ଦ୍ୱାରା କୃଷ୍ଣଙ୍କୁ ପ୍ରଲୋଭିତ ନ କରି ଯେଉଁ କାର୍ଯ୍ୟ ସାଧନ ନିମନ୍ତେ ସେ ଆସୁଛନ୍ତି; ତାହା ଗ୍ରହଣ କରି ତାଙ୍କ କଥାନୁସାରେ କାର୍ଯ୍ୟ କରନ୍ତୁ ଏବଂ ତାହାହିଁ ହେବ ତାଙ୍କ ପ୍ରତି ଉପଯୁକ୍ତ ସମ୍ବର୍ଦ୍ଧନା ଓ ଯଥାର୍ଥ ଉପହାର । ପାଣ୍ଡବମାନେ ଆପଣଙ୍କର ପୁତ୍ର ସ୍ୱରୂପ, ତେଣୁ ସେମାନଙ୍କୁ ନିଜର ପୁତ୍ରତୁଲ୍ୟ ଜ୍ଞାନ କରନ୍ତୁ ।’

 

ବିଦୁରଙ୍କ କଥା ଶୁଣି ଦୁର୍ଯ୍ୟୋଧନ କହିଲେ, ‘ମହାରାଜ, କୃଷ୍ଣଙ୍କ ସମ୍ପର୍କରେ ବିଦୁର ଯାହା କହିଲେ, ତାହା ସତ୍ୟ । ପାଣ୍ଡବଙ୍କ ପ୍ରତି କୃଷ୍ଣ ବିଶେଷ ଅନୁରକ୍ତ, ତେଣୁ ତାଙ୍କୁ ଅର୍ଥ ଓ ବିଭିନ୍ନ ଉପହାର ଦ୍ୱାରା ବଶୀଭୂତ କରିବା ସହଜ ନୁହେଁ । କୃଷ୍ଣ ଆମର ପୂଜନୀୟ ସତ; ମାତ୍ର ଏପରି ଉପହାରମାନ ପ୍ରଦାନ କଲେ ଆମେ ଭୟଭୀତ ହୋଇ ତାଙ୍କୁ ଏସବୁ ପ୍ରଦାନ କରୁଅଛୁ ବୋଲି ସେ ଭାବିପାରନ୍ତି, ତେଣୁ ଏପରି ଆଡ଼ମ୍ବର ସହକାରେ ତାଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ ହେବ ନାହିଁ-।’

 

ଦୁର୍ଯ୍ୟୋଧନଙ୍କ କଥା ଭୀଷ୍ମ ଧ୍ରୁତରାଷ୍ଟ୍ରଙ୍କୁ କହିଲେ, କୃଷ୍ଣଙ୍କୁ ସତ୍କାର କର ବା ନ କର; କୃଷ୍ଣ ସେଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ; କିନ୍ତୁ ତାହା ବୋଲି କୃଷ୍ଣଙ୍କର ଯଥାବିଧି ଅର୍ଚ୍ଚନାରେ ଆମେ ପରାଙ୍‍ମୁଖ ହେବା ଉଚିତ ନୁହେଁ । କୃଷ୍ଣ ଧର୍ମାର୍ଥ ଯୁକ୍ତ ବାକ୍ୟ ପ୍ରକାଶ କରିବେ, ତେଣୁ ତାହା ଗ୍ରହଣ କରି ପାଣ୍ଡଙ୍କ ସହ ସନ୍ଧିସ୍ଥାପନ କରିବା ହିଁ ଆମପକ୍ଷରେ ସକୀଚୀନ ।

 

ଦୁର୍ଯ୍ୟୋଧନ କହିଲେ, ‘କୃଷ୍ଣ ପାଣ୍ଡବଙ୍କର ଏକମାତ୍ର ଆଶ୍ରୟଦାତା । କାଲି ସେ ଏଠାରେ ପହଞ୍ଚିବା ମାତ୍ରେ ମୁଁ ତାଙ୍କୁ ବନ୍ଦୀ କରିବି । କୃଷ୍ଣ ବନ୍ଦୀ ହେଲେ ପାଣ୍ଡବମାନେ ସହାୟଶୂନ୍ୟ ହୋଇଆମ୍ଭମାନଙ୍କର ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ ହେବେ ।’

 

ଧ୍ରୁତରାଷ୍ଟ୍ର କହିଲେ, ‘ବାବା, କୃଷ୍ଣ ଆମର ଆତ୍ମୀୟ ଓ କୌରବମାନଙ୍କର ଶୁଭାନୁଧ୍ୟାୟୀ । ତା’ ଛଡ଼ା ସେ ଦୂତ ଭାବରେ ଆସୁଥିବାରୁ, ତାଙ୍କ ପ୍ରତି ଏପରି କାର୍ଯ୍ୟ ଧର୍ମ ସମ୍ମତ ହେବ ନାହିଁ ।’

 

ଭୀଷ୍ମ କହିଲେ, ଧ୍ରୁତରାଷ୍ଟ୍ର, ଏପରି ପାପବୃଦ୍ଧି ସମ୍ପନ୍ନ ସନ୍ତାନକୁ ପରିତ୍ୟାଗ କରିବା ତ୍ୟାଗ ହିଁ ବିଧେୟ, ତାହା ନ ହେଲେ କୃଷ୍ଣଙ୍କ କ୍ରୋଧାଗ୍ନିରେ ସପରିବାର ଭସ୍ମୀଭୂତ ହେବ ।’

 

ଏହା କହି ଭୀଷ୍ମ ସେହି ଆଲୋଚନା ସ୍ଥାନ ତ୍ୟାଗକରି ଚାଲିଗଲେ ।

Image

 

Unknown

କୌରବ ସଭାରେ କୃଷ୍ଣଙ୍କର ସନ୍ଧି ପ୍ରସ୍ତାବ

 

କୃଷ୍ଣଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ହସ୍ତିନାନଗରର ରାଜପଥରେ ଅଭୂତପୂର୍ବ ଜନସମାଗମ ହୋଇଥିଲା । କୃଷ୍ଣ ହସ୍ତିନାନଗରରେ ପ୍ରବେଶ କରିବାମାତ୍ରେ ସମାଗତ ଉତ୍ସୁକ ଦର୍ଶକମାନଙ୍କର କୃଷ୍ଣ ସ୍ତୁତି-ଗାନରେ ଦଶଦିଗ ମୁଖରିତ ହୋଇଉଠିଲା । ରମଣୀମାନଙ୍କର ହୁଳହୁଳି ଓ ମଙ୍ଗଳଶଙ୍ଖ ଆଦି ବାଦ୍ୟଧ୍ୱନତି ମଧ୍ୟରେ ଦୁର୍ଯ୍ୟୋଧନଙ୍କ ବ୍ୟତୀତ ସକଳ କୌରବମୁଖ୍ୟମାନେ କୃଷ୍ଣଙ୍କୁ ଆଦର ଅଭ୍ୟର୍ଥନା ଜଣାଇ ପାଛୋଟି ନେଲେ । କୌରବଙ୍କ ରାଜପ୍ରସାଦରେ ପ୍ରବେଶ କରିବା ପରେ କୃଷ୍ଣ ପ୍ରଥମେ ଧ୍ରୁତରାଷ୍ଟ୍ର, ଭୀଷ୍ମ, ବିଦୁର ପ୍ରମୁଖଙ୍କ ସହିତ ସାକ୍ଷାତ କରି ପରେ କୁନ୍ତୀଙ୍କ ନିକଟକୁ ଯାଇ ପୁତ୍ରମାନଙ୍କ କୁଶଳବାର୍ତ୍ତା ଜଣାଇଲେ । ତହିଁପରେ କୃଷ୍ଣ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇଥିଲେ, ଦୁର୍ଯ୍ୟୋଧନ କୃଷ୍ଣଙ୍କର ଯାଥାବିଧି ଅର୍ଚ୍ଚନା କରି ଭୋଜନକୁ ତାଙ୍କୁ ନିମନ୍ତ୍ରଣ କରିବାରୁ କୃଷ୍ଣ ତାହା ପ୍ରତ୍ୟାଖ୍ୟାନ କରି କହିଲେ, ‘ଦୁର୍ଯ୍ୟୋଧନ, ଦୂତମାନେ କାର୍ଯ୍ୟସିଦ୍ଧି ପରେ ଭୋଜନ ଓ ଅଭ୍ୟର୍ଥନା ଗ୍ରହଣ କରିଥାନ୍ତି, ତହିଁ ପୂର୍ବରୁ ନୁହେଁ ।’

 

ଦୁର୍ଯ୍ୟୋଧନ କହିଲେ, ‘ଆପଣଙ୍କ ସହ ମୋର କୌଣସି ଶତ୍ରୁତା ନାହିଁ, ତେଣୁ ମୋର ପ୍ରୀତିପୂର୍ଣ୍ଣ ଅଭ୍ୟର୍ଥନା ଓ ନିମନ୍ତ୍ରଣ ଗ୍ରହଣ ନ କରିବା ଆପଣଙ୍କର ଉଚିତ ହେଉନାହିଁ ।’

 

କୃଷ୍ଣ ହସି ହସି ଉତ୍ତର ଦେଲେ; ‘ବ୍ୟକ୍ତି ସାଧାରଣତଃ ବିପନ୍ନ ହେଲେ କିମ୍ବା ପ୍ରୀତି ସହକାରେ ଆମନ୍ତ୍ରିତ ହେଲେ ଅନ୍ୟଘରେ ଭୋଜନ କରିଥାଏ । ବର୍ତ୍ତମାନ ତୁମର ଏହି ନିମନ୍ତ୍ରଣ ପଛରେ ଆନ୍ତରିକତା ବା ପ୍ରୀତି ନାହିଁ କି ମୁଁ ବିପନ୍ନ ହୋଇ ଏଠାକୁ ଆସିନାହିଁ । ବରଂ ତୁମର ଏହି ନିମନ୍ତ୍ରଣ ପଛରେ କିଛି ଦୂରଭିସନ୍ଧି ଥିବାର ଅନୁଭବ କରୁଅଛି । ତେଣୁ ତୁମ ପ୍ରଦତ୍ତ ଭୋଜନ ସାମଗ୍ରୀ ଗ୍ରହଣ କରିବା ମୋ’ପକ୍ଷରେ ସମ୍ଭବ ନୁହେଁ; ମୁଁ ବିଦୁରଙ୍କ ଭବନରେ ଆତିଥ୍ୟ ଗ୍ରହଣ କରିବି ।’ ହସ୍ତିନାରେ ଅବସ୍ଥାନ ସମୟରେ କୃଷ୍ଣ ବିଦୁରଙ୍କ ଅତିଥି ହୋଇ ରହିଥିଲେ ।

 

ବିଦୁର କହିଲେ, ‘ମଧୁସୁଦନ, ଧର୍ମଗର୍ଜିତ ଦୁରାତ୍ମା ଦୁର୍ଯ୍ୟୋଧନର ନିକଟକୁ ଆସିବା ବୃଥା । କାରଣ କୌରବ-ପାଣ୍ଡବଙ୍କ ମଧ୍ୟରେ ପୁନଃସୌଭ୍ରାତ୍ର ସମ୍ପର୍କ ସ୍ଥାପନ ସମ୍ପର୍କରେ ଆପଣ ଯେଉଁ ପରମହିତକର ପରାମର୍ଶ ପ୍ରଦାନ କରିବେ, ତାହା ସେ ଗ୍ରହଣ କରିବ ନାହିଁ । ବଧିର ସମ୍ମୁଖରେ ସଙ୍ଗୀତ ଗାନ କଲାପରେ ଦୁରାତ୍ମା ନିକଟରେ ଆପଣଙ୍କର ସଦୁପଦେଶ ନିଷ୍ଫଳ ହେବ । ଦୁଷ୍ଟ ଦୁର୍ଯ୍ୟୋଧନ ବହୁ ସୈନ୍ୟ ସଂଗ୍ରହ କରିଥିବାରୁ, ତା’ର ରାଜସଭାକୁ ଆପଣଙ୍କର ଯିବା ମଧ୍ୟ ନିରାପଦ ନୁହେଁ ।’

 

କୃଷ୍ଣ କହିଲେ, ‘ବିଦୁର, ଆପଣଙ୍କର ଉକ୍ତି ଯଥାର୍ଥ, ମନ୍ଦବୁଦ୍ଧି ଦୁର୍ଯ୍ୟୋଧନର ଦୌରାତ୍ମ୍ୟ ବିଷୟରେ ଉତ୍ତମରୂପେ ଅବଗତ ହୋଇମୁଁ ଏଠାକୁ ଆସିଅଛି । ମୋର ଦୌତ୍ୟକାର୍ଯ୍ୟର ଫଳାଫଳ ସମ୍ପର୍କରେ ଚିନ୍ତିତ ନ ହୋଇ ଶାନ୍ତି ସ୍ଥାପନ ପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ; ପରେ ଯେପରି କେହି ମୋତେ ଦୋଷ ଦେବେ ନାହିଁ ଯେ କୃଷ୍ଣ ଶୁଭାନୁଧ୍ୟାୟୀ, ଆତ୍ମୀୟ ଓ ସମର୍ଥ ବ୍ୟକ୍ତି ଥାଇ ମଧ୍ୟ କୌରବ-ପାଣ୍ଡବଙ୍କୁ ଯୁଦ୍ଧରୁ କ୍ଷାନ୍ତ କରାଇଲେ ନାହିଁ । କୌରବ ସଭାରେ ଯଦି ମୋ ପ୍ରତି ଅସମ୍ମାନ ଓ ଦୌରାତ୍ମ୍ୟ କରାଯାଏ, ତେବେ ସିଂହ ପଶୁମାନଙ୍କୁ ସଂହାର କଲାପରି ମୁଁ ସବୁଦାୟ କୌରବଙ୍କୁ ଅବଲୀଳାକ୍ରମେ ସଂହାର କରିବି ।’

 

ଏହିପରି ଆଲୋଚନା କରି ବିଦୁରଙ୍କ ଗୃହରେ କୃଷ୍ଣ ରାତ୍ରିଯାପନ କରିଥିଲେ । ପରଦିନ ପ୍ରଭାତରେ କୃଷ୍ଣ ନିଜର ସ୍ନାନ ଓ ଜପ ହୋମାଦି ପ୍ରାତ୍ୟହିକ କାର୍ଯ୍ୟ ସମାପନ କଲାପରେ ଦୁର୍ଯ୍ୟୋଧନ ଓ ଶକୁନି କୃଷ୍ଣଙ୍କ ନିକଟକୁ ଯାଇ କହିଲେ, ‘ମହାରାଜନ୍ୟବର୍ଗ ବର୍ତ୍ତମାନ ରାଜ୍ୟସଭାରେ ଆପଣଙ୍କୁ ଅପେକ୍ଷା କରି ବସିଅଛନ୍ତି ।’ ତାହା ଶୁଣି କୃଷ୍ଣ ରାଜସଭା ଉଦ୍ଦେଶ୍ୟରେ ସାତ୍ୟକି ଓ ବିଦୁରଙ୍କ ସହ ଯାତ୍ରାକଲେ । ହସ୍ତିନାର ରାଜପଥ କୌତୁହଳୀ ନରନାରୀଙ୍କ ଜନଗହଳିରେ ଭାଙ୍ଗିପଡ଼ୁଥିଲା ଓ ସେମାନଙ୍କର ଶଙ୍ଖ ଓ ବାଦ୍ୟଧ୍ୱନିରେ ଗଗନପବନ ସତତ ମୁଖରିତ ହେଉଥିଲା । ରାଜ୍ୟସଭା ମଧ୍ୟରେ କୃଷ୍ଣ ପ୍ରବେଶ କଲାପରେ ସଭାସ୍ଥ ସମସ୍ତ ବ୍ୟକ୍ତି ଦଣ୍ଡାୟମାନ ହୋଇ କୃଷ୍ଣଙ୍କୁ ସ୍ୱାଗତ କଲେ ଏବଂ ଭୀଷ୍ମଙ୍କୁ ସମ୍ବୋଧନ କରି କୃଷ୍ଣ କହିଲେ; ନାରଦ ପ୍ରମୁଖ ମହର୍ଷିଗଣ ମହାଦର୍ଶନ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଏଠାରେ ଉପସ୍ଥିତ, ତେଣୁ ସେମାନଙ୍କୁ ଆସନଆଦି ପ୍ରଦାନ କରି ପ୍ରଥମେ ଅଭ୍ୟର୍ଥନା କରନ୍ତୁ ।’ ସଙ୍ଗେ ସଙ୍ଗେ ଋଷିମାନଙ୍କର ଯଥୋଚିତ ଅଭ୍ୟର୍ଥନା କରାଗଲା ଓ ସେମାନେ ଉପବେଶନ କଲାପରେ କୃଷ୍ଣ ଓ ଅନ୍ୟାନ୍ୟ ସଭାସ୍ଥ ବ୍ୟକ୍ତିମାନେ ଆସନ ଗ୍ରହଣ କଲେ ।

 

ସଭା ନିସ୍ତବ୍ଧ ହେବାପରେ ଧ୍ରୁତରାଷ୍ଟ୍ରଙ୍କୁ ଅବଲୋକନ କରି କୃଷ୍ଣ ଗୁରୁଗମ୍ଭୀର ସ୍ୱରରେ କହିଲେ, ‘‘ହେ ଭରତବଂଶାବତଂସ ! କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ନହୋଇ ସନ୍ଧି ସ୍ଥାପିତ ହେଉ ଏହି ନିବେଦନ କରିବା ନିମନ୍ତେ ମୁଁ ଆପଣଙ୍କ ନିକଟକୁ ଆସିଅଛି । ବଂଶମର୍ଯ୍ୟାଦା ଦୃଷ୍ଟିରୁ ଆପଣଙ୍କର ଏହି କୁରୁବଂଶ ସର୍ବଶ୍ରେଷ୍ଠ ଓ ବିଶେଷ ଭାବରେ ସମ୍ମାନିତ । ଏହି ବଂଶ ଧର୍ମ ଓ ନ୍ୟାୟବର୍ଜିତ କୌଣସି କାର୍ଯ୍ୟ ସହ ସମ୍ପୃକ୍ତ ହେବା ଉଚିତ ନୁହେଁ । ଆପଣ ରାଜ୍ୟଶାସକ ଥିଲେ ହେଁ ଆପଣଙ୍କର ପୁତ୍ରମାନେ ପରିବାରର ଅନ୍ୟବ୍ୟକ୍ତି ତଥା ବନ୍ଧୁମାନଙ୍କ ପ୍ରତି ଅନ୍ୟାୟ ଓ ମର୍ଯ୍ୟାଦାହାନିକର ବ୍ୟବହାର ପ୍ରଦର୍ଶନ କରୁଅଛନ୍ତି, ଫଳରେ ଏହି ବିଶାଳ କୁରୁବଂଶ ଆଜି ଘୋର ବିପଦର ସମ୍ମୁଖୀନ । ଆପଣ ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନକଲେ ସମସ୍ତ ପୃଥିବୀ ଆଜି ବିପଦରୁ ମୁକ୍ତ ହୋଇପାରନ୍ତା । ଶତ୍ରୁ-ମନୋଭାବ ପରିତ୍ୟାଗ ନକଲେ ଯୁଦ୍ଧ ଅନିବାର୍ଯ୍ୟ ଏବଂ ଆପ୍ରାଣ ଚେଷ୍ଟା କଲେ ମଧ୍ୟ ଯୁଦ୍ଧରେ ପାଣ୍ଡବମାନଙ୍କୁ ପରାଜିତ କରିବା ସମ୍ଭବ ନୁହେଁ । ତେଣୁ ଏପରି ସ୍ଥଳେ ବୈରତା ପରିତ୍ୟାଗ କରି ଉଭୟଙ୍କ ମଧ୍ୟରେ ସୌଭ୍ରାତ୍ର ସମ୍ପର୍କ ସ୍ଥାପନ କରନ୍ତୁ । ପାଣ୍ଡବମାନେ ଅତି ଶୈଶବରୁ ପିତୃହୀନ ହୋଇଆପଣଙ୍କ ଦ୍ୱାରା ପୁତ୍ର ଭାବରେ ସ୍ନେହରେ ପ୍ରତିପାଳିତ ହୋଇଥିଲେ, ତେଣୁ ଆଜି ଏହି ବିପଦ ସମୟରେ ସେମାନେ ଆପଣଙ୍କର ରକ୍ଷଣୀୟ । ମୋର ଆସିବା ସମୟରେ ଆପଣଙ୍କ ଉଦ୍ଦେଶ୍ୟରେ ଯଥାବିଧି ଅଭିବାଦନ ଜ୍ଞାପନ କରି ପାଣ୍ଡବମାନେ କହିଅଛନ୍ତି, ‘‘ଆପଣଙ୍କୁ ପିତା ଜ୍ଞାତ କରି ଦ୍ୱାଦଶବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ କରି ଅଶେଷ କ୍ଳେଶ ଓ ଦୁଃଖ ଭୋଗ କରିଅଛୁ । ଆମର ସେହି ପୂର୍ବେ ଅର୍ଦ୍ଧେକ ରାଜ୍ୟ ଆମକୁ ପ୍ରତ୍ୟର୍ପଣ କରନ୍ତୁ । ତେଣୁ ମହାରାଜ, ପାଣ୍ଡବମାନଙ୍କୁ ସେମାନଙ୍କର ରାଜ୍ୟ ପ୍ରଦାନ କରି ପୂର୍ବ ସମ୍ପର୍କ ଓ ସୌହାର୍ଦ୍ଦ୍ୟ ଫେରାଇ ଆଣିବା ହିଁ ଆପଣଙ୍କ ପକ୍ଷରେ ଯୁକ୍ତିଯୁକ୍ତ । ପାଣ୍ଡବମାନେ ସନ୍ଧି ଓ ସମର ଉଭୟପାଇଁ ପ୍ରସ୍ତୁତ ଥିବା ସମୟରେ ସନ୍ଧି ସ୍ଥାପନା ବ୍ୟତୀତ ଅନ୍ୟ ପରାମର୍ଶ ଆପଣଙ୍କୁ ମୁଁ ଦେଇପାରେନା ।’’

 

କୃଷ୍ଣଙ୍କର ବକ୍ତବ୍ୟ ସମାପ୍ତ ହେବାପରେ ସଭାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ କୃଷ୍ଣଙ୍କର ପ୍ରଶଂସା କରିବାକୁ ଲାଗିଲେ । ସମବେତ ମହର୍ଷିମାନଙ୍କ ମଧ୍ୟରୁ ପର୍ଶୁରାମ, କଣ୍ୱ, ନାରଦ ପ୍ରମୁଖ କୃଷ୍ଣଙ୍କର ବାକ୍ୟକୁ ସମର୍ଥନ କରି ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତ୍ୟର୍ପଣ କରିବାକୁ ଧ୍ରୁତରାଷ୍ଟ୍ରଙ୍କୁ ଆଜ୍ଞା ପ୍ରଦାନ କଲେ ।

 

ଧ୍ରୁତରାଷ୍ଟ୍ର କହିଲେ,’‘ଆପଣମାନେ ଯାହା କହିଲେ, ତାହା ଧର୍ମ ଓୁ ନ୍ୟାୟସମ୍ମତ ଓ ତାହା ମଧ୍ୟ ମୋର ଇଚ୍ଛା, କିନ୍ତୁ ଏପରି ଉପଦେଶକୁ କାର୍ଯ୍ୟରେ ପରିଣତ କରିବାର ସାଧ୍ୟ ମୋର ନାହିଁ । ଦୁର୍ଯ୍ୟୋଧନ ମୋର ଆଜ୍ଞାଧୀନ ନୁହେଁ । ପୂର୍ବେ ସେ ଗାନ୍ଧାରୀ, ବିଦୁର ଓ ଭୀଷ୍ମଙ୍କର ହିତକର ଉପଦେଶକୁ ଅଗ୍ରାହ୍ୟ କରିଅଛି, ତେଣୁ ହେ କେଶବ, ତୁମେ ଦୁର୍ଯ୍ୟୋଧନକୁ ରାଜି କରାଅ ।’’

 

ସଭାରେ ଦୁର୍ଯ୍ୟୋଧନ ଉପସ୍ଥିତ ଥିଲେ । ତାଙ୍କୁ ସମ୍ବୋଧନ କରି କୃଷ୍ଣ କହିଲେ, ‘‘ଦୁର୍ଯ୍ୟୋଧନ, ଏହି ସୁବିଖ୍ୟାତ ମହାନ କୁରୁବଂଶରେ ତୁମେ ଜାତ ହୋଇଅଛ; କିନ୍ତୁ ତୁମେ ବଂଶ ମର୍ଯ୍ୟାଦା ପ୍ରତି ଦୃଷ୍ଟି ନଦେଇ ଯେପରି କାର୍ଯ୍ୟ କରୁଅଛ, ତଦ୍ଦ୍ୱାରା ଘୋର ଅଧର୍ମ ଓ ବହୁ ପ୍ରାଣହାନି ଘଟିବା ସଙ୍ଗେ ସଙ୍ଗେ ତୁମର ଏହି ବିରାଟ ବଂଶ ଆଜି ନିର୍ମୂଳ ହେବାକୁ ବସିଅଛି । ତେଣୁ ଏପରି ସମୟରେ ପିତାମାତାଙ୍କ ଆଦେଶର ଅନୁବର୍ତ୍ତୀ ହୋଇପାଣ୍ଡବମାନଙ୍କ ସହ ସନ୍ଧି ସ୍ଥାପନ କର; ତାହା ହିଁ ମଧ୍ୟ ତୁମ ପିତାଙ୍କର ଇଚ୍ଛା । ପାଣ୍ଡବମାନଙ୍କ ପ୍ରତି ଅତୀତରେ ତୁମେ ଯେତେ ଚକ୍ରାନ୍ତ ଓ ଅତ୍ୟାଚାର କରିଅଛ, ପରମଶୁଭାକାଂକ୍ଷୀ ଭାବରେ ଦିନେ ହେଲେ ତୁମପ୍ରତି ସେମାନେ କ୍ରୋଧାନ୍ୱିତ ହୋଇନାହାନ୍ତି । ତେଣୁ ଏପରି କ୍ଷମାଶୀଳ ପାଣ୍ଡବଙ୍କ ସହ ଶତ୍ରୁତା କରରି ସମଗ୍ର ବଂଶକୁ ଧ୍ଵଂସମୁଖକୁ ଟାଣି ନେଇ, କୁଳବୁଡ଼ା ଅପଖ୍ୟାତି ଅର୍ଜନ କରନାହିଁ ।

 

ଭୀଷ୍ମ କହିଲେ, ‘‘ଦୁର୍ଯ୍ୟୋଧନ, ଆମ୍ଭମାନଙ୍କ ମଧ୍ୟରେ ପ୍ରକୃତ ଶାନ୍ତି ସ୍ଥାପନ କରିବା ନିମନ୍ତେ କୃଷ୍ଣ ଯାହା କହିଲେ, କ୍ରୋଧ ପରିତ୍ୟାଗ କରି ତୁମେ ତହିଁରେ ସମ୍ମତ ହୁଅ, ନଚେତ୍ ଧ୍ରୁତରାଷ୍ଟ୍ରଙ୍କ ଜୀବଦ୍ଦଶାରେ ରାଜଲକ୍ଷ୍ମୀ ଅସ୍ତମିତ ହୋଇଯିବେ ।’’

 

ଦ୍ରୋଣ କହିଲେ, ‘‘ଦୁର୍ଯ୍ୟୋଧନ, କୃଷ୍ଣ ଓ ଭୀଷ୍ମ ଯାହା କହିଲେ, ତାହା ଗ୍ରହଣ ନ କଲେ ପରେ ତୁମକୁ ଅନୁତାପ କରିବାକୁ ପଡ଼ିବ । ଯେଉଁ ବୀରମାନେ ଆଜି ତୁମକୁ ଯୁଦ୍ଧ ପାଇଁ ଉତ୍ସାହିତ କରୁଅଛନ୍ତି, ଅଜେୟ ପାଣ୍ଡବମାନଙ୍କ ସମ୍ମୁଖରେ ସେମାନଙ୍କ ବୀରତ୍ୱ କେଉଁଆଡ଼େ ଉଭେୟ ଯାଇଥିବ; ତେଣୁ କୃଷ୍ଣଙ୍କର ସନ୍ଧିପ୍ରସ୍ତାବରେ ସମ୍ମତ ହୋଇଯାଅ ।’’

 

ବିଦୁର କହିଲେ, ‘‘ଦୁର୍ଯ୍ୟୋଧନ, ମୁଁ ତୁମ ପାଇଁ ଦୁଃଖ କରୁନାହିଁ । କିନ୍ତୁ ତୁମପରି ପାପାତ୍ମା ପୁତ୍ରର ଅପରିଣାମଦର୍ଶୀ ଆଚରଣ ପାଇଁ ଏହି ବୃଦ୍ଧାବସ୍ଥାରେ ତୁମର ପିତାମାତା ଅସହାୟ ହୋଇ ଭିକ୍ଷାବୃତ୍ତି ଅବଲମ୍ବନ କରିବେ, ସେହି ଚିନ୍ତା ମୋତେ ବିଶେଷ ବ୍ୟଥିତ କରୁଅଛି ।’’

 

ଧ୍ରୁତରାଷ୍ଟ୍ର କହିଲେ, ‘‘ବାବା; ମହାତ୍ମା ବାସୁଦେବଙ୍କର ପ୍ରସ୍ତାବ ଅତି କଲ୍ୟାଣକର । ତୁମେ ତାହା ଗ୍ରହଣ କର ଓ କୃଷ୍ଣଙ୍କ ସହ ଯୁଧିଷ୍ଠିରଙ୍କ ନିକଟକୁ ଯାଇ ଏହି ବିରାଟ ବଂଶର ମଙ୍ଗଳ ପାଇଁ ସନ୍ଧି ପ୍ରସ୍ତାବ ଦେଇଆସ । କୃଷ୍ଣଙ୍କର ହିତକର ପରାମର୍ଶକୁ ପ୍ରତ୍ୟାଖ୍ୟାନ କର ନାହିଁ ।’’

 

ଏ ସମସ୍ତଙ୍କର କଥା ଶୁଣି ଦୁର୍ଯ୍ୟୋଧନ କହିଲେ, ‘‘ବାସୁଦେବ । ଉତ୍ତମ ରୂପେ ସମସ୍ତ କଥା ବିଚାର ବିବେଚନା କରି ମୋ’ ବିଷୟରେ ମତାମତ ବ୍ୟକ୍ତ କରିବା ଆପଣଙ୍କ ପକ୍ଷରେ ଉଚିତ ଥିଲା । ପାଣ୍ଡବମାନେ ସ୍ୱତଃପ୍ରବୃତ୍ତ ହୋଇ ଦ୍ୟୁତକ୍ରୀଡ଼ା ପ୍ରତି ଆସକ୍ତ ହୋଇ ଶକୁନିଙ୍କ ନିକଟରେ ପରାଜିତ ହୋଇଅଛନ୍ତି ଏବଂ ଦ୍ୟୁତକ୍ରୀଡ଼ାର ପଣ ସ୍ୱରୂପ ନିଜର ରାଜପଦ ହରାଇ ସତ୍ୟରକ୍ଷା ପାଇଁ ବନଗାମୀ ହୋଇଥିଲେ । ତେଣୁ ପାଣ୍ଡବଙ୍କର ବନବାସ ପାଇଁ ମୁଁ ଦାୟୀ ନୁହେଁ; ପାଣ୍ଡବମାନଙ୍କର କୌଣସି ଅନିଷ୍ଟ କରି ନଥିଲେ ମଧ୍ୟ ସେମାନେ ଯେ କାହିଁକି ଅଯଥାରେ ଆମ ପ୍ରତି ଶତ୍ରୁତା ପୋଷଣ କରି ଯୁଦ୍ଧର ଭୟ ପ୍ରଦର୍ଶନ କରୁଅଛନ୍ତି, ବୁଝିପାରୁ ନାହିଁ । କାହାରି ଧମକରେ ଭୀତ ହୋଇଯିବାର ବ୍ୟକ୍ତି ମୁଁ ନୁହେଁ, ତା’ ଛଡ଼ା ପାଣ୍ଡବଙ୍କ କଥା ଦୂରେ ଥାଉ ଦେବତାମାନେ ମଧ୍ୟ ସଂଗ୍ରାମରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରମୁଖ କୌରବ ବୀରମାନଙ୍କୁ ପରାଜିତ କରିବାକୁ ସମର୍ଥ ନୁହଁନ୍ତି-। କ୍ଷତ୍ରିୟମାନଙ୍କର ସଂଗ୍ରାମ ହିଁ ସ୍ୱଧର୍ମ ଓ ଉଦ୍ୟମ ହିଁ ପୌରୁଷ; ତେଣୁ ହତୋଦ୍ୟମ ନ ହୋଇ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ମୁଁ ପୌରୁଷର ପରିଚୟ ଦେବି । ମୃତ୍ୟୁ ଆସୁ, ମୋର ଚିନ୍ତା ନାହିଁ-। ଆମ୍ଭେମାନେ ଅଳ୍ପ ବୟସର ବାଳକ ଥିବାବେଳେ ପିତା ଅଜ୍ଞାନତା ଯୋଗୁ ହେଉ ବା ଭୟବଶତଃ ହେଉ ପାଣ୍ଡବମାନଙ୍କୁ ଅଯଥାରେ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କରିଥିଲେ । ଆଜି ଆଉ ତାହା ସମ୍ଭବ ନୁହେଁ । ପାଣ୍ଡବମାନଙ୍କୁ ଅର୍ଦ୍ଧେକ ରାଜ୍ୟ ପ୍ରତ୍ୟର୍ପଣ କରିବା ତ ଦୂରର କଥା, ସୁତୀକ୍ଷ୍‌ଣ ସୂଚୀର ଅଗ୍ରଭାବ ପରିମିତ ଭୂମି ମଧ୍ୟ ପ୍ରଦାନ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।’’

 

ଦୁର୍ଯ୍ୟୋଧନଙ୍କ କଥା ଶୁଣି କୃଷ୍ଣ କହିଲେ, ‘‘ପାଣ୍ଡବମାନଙ୍କର ରାଜ୍ୟ ଓ ଐଶ୍ୱର୍ଯ୍ୟ ଦର୍ଶନରେ ତୁମେ ଅତି ଈର୍ଷାନ୍ୱିତ ହୋଇଶଙ୍କୁନିଙ୍କ ସହ ମନ୍ତ୍ରଣା କରି କପଟଦ୍ୟୁତର ବ୍ୟବସ୍ଥା କରିଥିଲେ । ପାଣ୍ଡବମାନଙ୍କର ପରମା ପ୍ରିୟତମାପତ୍ନୀ ଦ୍ରୌପଦୀଙ୍କୁ ସଭାମଧ୍ୟରେ ଯେପରି କାର୍ଯ୍ୟ ଓ କଥାରେ ନିର୍ଯ୍ୟାତିତ କରିଥିଲ, ଭ୍ରାତୃପତ୍ନୀ ପ୍ରତି ଏପରି କଦର୍ଯ୍ୟ ବ୍ୟବହାରର ଦୃଷ୍ଟାନ୍ତ ଅନ୍ୟତ୍ର ପରିଦୃଷ୍ଟ ହୁଏ ନାହିଁ । ଭୀମଙ୍କ ପ୍ରତି ବିଷ ପ୍ରୟୋଗଠାରୁ ଆରମ୍ଭ କରି ଜତୁଗୃହ ଦାହ ଆଦି ଷଡ଼ଯନ୍ତ୍ର ଓ କାର୍ଯ୍ୟଦ୍ୱାରା ପାଣ୍ଡବମାନଙ୍କୁ ସପରିବାର ହତ୍ୟା କରିବାର ଅପଚେଷ୍ଟା କରି ସାଧ୍ୟ ପାଣ୍ଡବମାନଙ୍କର କୌଣସି ଅମଙ୍ଗଳ କରିନାହିଁ ବୋଲି ଯେ କିପରି କହିଲ, ବୁଝିପାରୁ ନାହିଁ । ପାଣ୍ଡବମାନଙ୍କର ଅର୍ଦ୍ଧେକ ରାଜ୍ୟପାଇଁ ଦାବି ଏକାନ୍ତ ଯଥାର୍ଥ, କାରଣ ଏହା ତାଙ୍କର ପୈତୃକ ସମ୍ପତ୍ତି-। ଏପରି ସ୍ଥଳେ ସନ୍ଧି ନିମନ୍ତେ ସମ୍ମତ ନ ହେବାର ଅର୍ଥ ସମୂହ ବିନାଶକୁ ନିମନ୍ତ୍ରଣ କରିବା-।’’

 

ଦୁଃଶାସନ ସଭାରେ ଉପସ୍ଥିତ ଥିଲେ । ଦୁର୍ଯ୍ୟୋଧନଙ୍କୁ ସମ୍ବୋଧନ କରି ସେ କହିଲେ, ‘‘ଭାଇ, ଆପଣ ଏହି ପ୍ରସ୍ତାବରେ ସମ୍ମତ ନ ହେଲେ, ଭୀଷ୍ମ, ଦ୍ରୋଣ ଓ ବୃଦ୍ଧ ପିତା ପ୍ରମୁଖ ଆପଣଙ୍କୁ, ମୋତେ ଓ କର୍ଣ୍ଣଙ୍କୁ ବନ୍ଦୀ କରି ପାଣ୍ଡବଙ୍କ ହସ୍ତରେ ସମର୍ପଣ କରିବେ ବୋଲି କାହିଁକି ଆଶଙ୍କା ହେଉଅଛି ।’’ ଦୁଃଶାସନ ଏପରି କହିବା ପରେ ସମବେତ ସଭାସଦମାନଙ୍କ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ କରି ଭାଇମାନଙ୍କ ସହ ଦୁର୍ଯ୍ୟୋଧନ ସଙ୍ଗେ ସଙ୍ଗେ ସଭାଗୃହ ତ୍ୟାଗ କରି ବାହାରକୁ ଚାଲିଗଲେ ।

 

କୃଷ୍ଣ କହିଲେ, ‘‘ମହାତ୍ମା ବୃନ୍ଦ, ବଂଶରକ୍ଷା ନିମନ୍ତେ ଯେପରି ବ୍ୟକ୍ତିକୁ ତ୍ୟାଗ କରାଯାଇଥାଏ, ଗ୍ରାମରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଯେପରି ବଂଶ ତ୍ୟାଗ କରାଯାଏ, ଗ୍ରାମକୁ ତ୍ୟାଗ କରି ଯେପରି ରାଜ୍ୟକୁ ରକ୍ଷା କରାଯାଏ ଓ ଆତ୍ମରକ୍ଷା ନିମନ୍ତେ ପୃଥିବୀ ପର୍ଯ୍ୟନ୍ତ ତ୍ୟାଗ କରିବା ଯେପରି ଅବିଧେୟ ନୁହେଁ, ସେହିପରି ସମୂହ କଲ୍ୟାଣ ନିମନ୍ତେ ଦୁର୍ଯ୍ୟୋଧନକୁ ତ୍ୟାଗ କରିବାହିଁ ସମୁଚିତ ପନ୍ଥା ।’’

 

କୃଷ୍ଣଙ୍କ କଥା ଶୁଣି ବିଦୁରଙ୍କୁ ଡ଼ାକି ଧ୍ରୁତରାଷ୍ଟ୍ର କହିଲେ, ‘‘ଗାନ୍ଧାରୀଙ୍କୁ ଏହି ସଭାକୁ ନେଇ ଆସ । ଦୁର୍ବୁଦ୍ଧିପରାୟଣ ଦୁର୍ଯ୍ୟୋଧନଙ୍କୁ ସେ ଆୟତ୍ତାଧୀନ କରିପାରନ୍ତି । ଦୁର୍ଯ୍ୟୋଧନ ଶାନ୍ତ ହେଲେ କୃଷ୍ଣଙ୍କ ପ୍ରସ୍ତାବ ପାଇଁ ପଥ ସୁଗମ ହୋଇଯିବ ।’’

 

ଗାନ୍ଧାରୀ ସଭାକୁ ଆସିବା ପରେ ଦୁର୍ଯ୍ୟୋଧନଙ୍କୁ ପୁନର୍ବାର ସଭାକୁ ଡ଼କାଗଲା । ଗାନ୍ଧାରୀ କହିଲେ, ‘‘ବାବା ଦୁର୍ଯ୍ୟୋଧନ, ମହାତ୍ମା ଭୀଷ୍ମ, ବିଦୁର, ଦ୍ରୋଣ, କୃପ ଓ ତୁମର ପିତା ଯାହା କହୁ ଅଛନ୍ତି, ତାହାକୁ ଅବଜ୍ଞା କର ନାହିଁ । ତୁମେ ଶାନ୍ତି ମାର୍ଗ ଗ୍ରହଣ କରିଛ ଜାଣିଲେ, ଆମ୍ଭେମାନେ ଆଶ୍ୱସ୍ତ ହେବୁ । ଜିତେନ୍ଦ୍ରିୟ ବ୍ୟକ୍ତିଙ୍କ ପକ୍ଷରେ ବହୁକାଳ ପର୍ଯ୍ୟନ୍ତ ରାଜ୍ୟଭୋଗ କରିବାର ସୌଭାଗ୍ୟ ଘଟିଥାଏ; ତେଣୁ ତୁମେ କ୍ରୋଧ ଆଦି ପରିତ୍ୟାଗ କରି ପାଣ୍ଡବମାନଙ୍କ ସହ ମିଳିତ ହୋଇସମସ୍ତ ପୃଥିବୀ ଭୋଗକର । ତୁମର ପିତା ଓ ମାତାମହ ପ୍ରମୁଖ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କରି ପାଣ୍ଡବଙ୍କ ସହ ସନ୍ଧି କରିବାକୁ ସମ୍ମତ ଅଛନ୍ତି, ତୁମେ ତହିଁର ବିରୁଦ୍ଧାଚରଣ କର ନାହିଁ-। କାରଣ ଅର୍ଦ୍ଧେକ ରାଜ୍ୟରେ ତୁମେ ବେଶ ସୁଖରେ ରହିପାରିବ ।

 

କିନ୍ତୁ ଗାନ୍ଧାରୀ ଯେତେ ବୁଝାଇଲେ ମଧ୍ୟ ଦୁର୍ଯ୍ୟୋଧନ ସେଥିପ୍ରତି ଅନାଦର ପ୍ରକାଶ କରି ପୁନର୍ବାର ସଭାଗୃହ ତ୍ୟାଗକରି ଚାଲିଗଲେ ଓ ପରେ ଶକୁନି, କର୍ଣ୍ଣ, ଦୁଃଶାସନଙ୍କ ସହ ପରାମର୍ଶ କରି ବଳପର୍ବକ କୃଷ୍ଣଙ୍କୁ ବନ୍ଦୀ କରିବାକୁ ସ୍ଥିର କଲେ; କିନ୍ତୁ ଦୁର୍ଯ୍ୟୋଧନ ପ୍ରମୁଖଙ୍କର ଇଙ୍ଗିତରୁ ସାତ୍ୟକି ସେମାନଙ୍କର ଦୁଷ୍ଟ ଅଭିସନ୍ଧି ବୁଝିପାରି କୃତବର୍ମାଙ୍କୁ କହିଲେ; ‘‘କୃତବର୍ମା, ଦୁଷ୍ଟ ଦୁର୍ଯ୍ୟୋଧନର ଚକ୍ରାନ୍ତ ବିଷୟ କୃଷ୍ଣଙ୍କୁ ଜଣାଇ ତାଙ୍କୁ ସାବଧାନ କରିଦେଇ ଆସୁଛି, କୃଷ୍ଣଙ୍କ ପ୍ରତି କାଳେ କିଛି ଅଘଟଣ ଘଟିପାରେ, ସେଥିପାଇଁ ସୈନ୍ୟମାନଙ୍କ ସହ ତୁମେ ସଭାଗୃହର ଦ୍ୱାର ଦେଶରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇରହିଯାଅ ।’’

 

ସାତ୍ୟକି ଅତି ଶୀଘ୍ର ସଭା ମଧ୍ୟକୁ ଯାଇ ଦୁର୍ଯ୍ୟୋଧନଙ୍କ ଚକ୍ରାନ୍ତ ବିଷୟ ସୂଚାଇଦେଲେ-। କୃଷ୍ଣ ତାହା ଶୁଣି ସାମାନ୍ୟ ହସିଲେ । ସାତ୍ୟକି ସଭାରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ କହିଲେ, ‘‘ବିଚାର ବୁଦ୍ଧିଶୂନ୍ୟ ବାଳକମାନେ ନିଜର ପରିହିତ ବସ୍ତ୍ରଦ୍ୱାରା ପ୍ରଜ୍ୱଳିତ ଅଗ୍ନିକୁ ନିର୍ବାପିତ କରିବାକୁ, ଚେଷ୍ଟା କଲାପରି କ୍ରୋଧ ଓ ଲୋଭ ବଶବର୍ତ୍ତୀ ହୋଇ ତୁମର ପାପାତ୍ମା ପୁତ୍ରମାନେ ବାସୁଦେବଙ୍କୁ ଆଜି ବନ୍ଦୀ କରିବାକୁ ମନ୍ତ୍ରଣା କରୁଅଛନ୍ତି ।’’

 

ସାତ୍ୟକିଙ୍କର ଏପରି କଥା ଶୁଣି ସଭା ସ୍ତମ୍ଭୀଭୂତ ହୋଇଗଲା । ପ୍ରକାଶ୍ୟରେ ବିଦୁର ଧ୍ରୁତରାଷ୍ଟ୍ରଙ୍କୁ ଭର୍ତ୍ସନା କଲେ ।

 

କୃଷ୍ଣ ଧ୍ରୁତରାଷ୍ଟ୍ରଙ୍କୁ ସମ୍ବୋଧନ କରି କହିଲେ, ‘‘ମହାରାଜ, ମୋତେ ଏକାକୀ ଥିବାର ଦେଖି ଦୁର୍ଯ୍ୟୋଧନ ପ୍ରମୁଖ ମୋତେ ବନ୍ଦୀ କରିବାକୁ ଷଡ଼ଯନ୍ତ୍ର କରୁ ଅଛନ୍ତି । ମାତ୍ର ସେମାନଙ୍କର ସେହି ଚେଷ୍ଟା ବ୍ୟର୍ଥ ହେବ । ମୁଁ ଏକାକୀ ସେମାନଙ୍କୁ ପରାସ୍ତ କରିବାକୁ ସମର୍ଥ; ତଥାପି ମୁଁ ଆପଣଙ୍କ ସମ୍ମୁଖରେ ସେପରି କାର୍ଯ୍ୟ ଇଚ୍ଛା କରୁନାହିଁ, ବରଂ ନିଜକୁ ସମ୍ବରଣ କରୁଅଛି । ପାଣ୍ତବମାନଙ୍କ ଧନ, ସମ୍ପଦ ପ୍ରତି ଦୁର୍ଯ୍ୟୋଧନର ମନରେ ଯେଉଁ ଲୋଭ ଦେଖାଦେଇଛି, ତାହାହିଁ ତା’ର ବିନାଶର କାରଣ ହେବ ।’’

 

ଧ୍ରୁତରାଷ୍ଟ୍ର କହିଲେ, ବିଦୁର, ରାଜ୍ୟଲୋଭୀ ଦୁର୍ଯ୍ୟୋଧନକୁ ଶୀଘ୍ର ସଭାକୁ ଡ଼ାକ । ତାକୁ ସତ୍‌ପଥବଲମ୍ବୀ କରିବାକୁ ଆଉ ଥରେ ଚେଷ୍ଟା କରେଁ ।’’ ତଦନୁସାରେ ଦୁର୍ଯ୍ୟୋଧନ ସଭାକୁ ଆସିବା ପରେ ଧ୍ରୁତରାଷ୍ଟ୍ର କହିଲେ, ‘ପାପି, ବାସୁଦେବଙ୍କୁ ତୁ ବନ୍ଦୀ କରିବାକୁ ଚେଷ୍ଟା କରୁଅଛି ? ଆକାଶର ଚନ୍ଦ୍ରପାଇଁ ଶିଶୁ ଉତ୍ସୁକ ହେଲାପରି ଇନ୍ଦ୍ରାଦି ଦେବତାମାନଙ୍କର ଶକ୍ତି ବହିର୍ଭୂତ କୃଷ୍ଣ, ତାଙ୍କୁ ଧରିବାକୁ ତୁ ଇଚ୍ଛା କରୁଅଛି ? ମୂଢ଼ ! ହାତମୁଠାରେ ଯେପରି ପବନକୁ ଧରି ରଖାଯାଇପାରେ ନାହିଁ, ହାତ ଦ୍ୱାରା ଯେପରି ଅଗ୍ନିକୁ ସ୍ପର୍ଶ କରାଯାଇପାରେ ନାହିଁ, ମସ୍ତକ ଦ୍ୱାରା ପୃଥିବୀକୁ ଧାରଣ କରିବା ଯେପରି ସାଧ୍ୟର ଅତୀତ, ସେହିପରି ବଳଦ୍ୱାରା କୃଷ୍ଣଙ୍କୁ ବନ୍ଦୀ କରିବା ଧ୍ରୁଷ୍ଟତା ମାତ୍ର ।’’

 

ଧ୍ରୁତରାଷ୍ଟ୍ରଙ୍କ ପରେ ବିଦୁର ମଧ୍ୟ ଦୁର୍ଯ୍ୟୋଧନକୁ ସଭାମଧ୍ୟରେ ତିରଷ୍କାର କରିଥିଲେ ।

 

କୃଷ୍ଣ କହିଲେ, ‘‘ଦୁର୍ଯ୍ୟୋଧନ, ଏକାକୀ ଥିବାର ଦେଖି ଯଦି ମୋତେ ଅସହାୟ ଭାବି ବନ୍ଦୀ କରିବାକୁ ଆଶାୟୀ ହୋଇଥାଏ, ତାହା ତୁମର ଭ୍ରମ ମାତ୍ର । ମୁଁ ଏକାକୀ ଥିଲେ ବି ଏକାକୀ ନୁହେଁ । ମୋ’ ସହ ଏହିଠାରେ ଆଦିତ୍ୟ, ରୁଦ୍ର, ଋଷିଗଣ ଓ ପାଣ୍ଡବମାନେ ବିଦ୍ୟମାନ ଅଛନ୍ତି । ‘ଏହା କହି କୃଷ୍ଣ ନିଜର ବିଶ୍ୱରୂପ ପ୍ରକଟିତ କଲେ । କୃଷ୍ଣଙ୍କର ଅପାର କରୁଣାରୁ ଋଷିମାନଙ୍କ ସହ, ଭୀଷ୍ମ, ଦ୍ରୋଣ, ବିଦୁର, ସଞ୍ଜୟ, ଏପରିକି ଅନ୍ଧ ଧ୍ରୁତରାଷ୍ଟ୍ର ପ୍ରମୁଖ ଦିବ୍ୟଦୃଷ୍ଟି ଲାଭ କରି କୃଷ୍ଣଙ୍କର ସେହି ଅଲୌକିକ ମହିମାନ୍ୱିତ ବିଶ୍ୱରୂପ ଦର୍ଶନ କରିବାକୁ ସମର୍ଥ ହେଲେ ସଭାରେ ଉପସ୍ଥିତ ଥିବା ଅନ୍ୟମାନେ କୃଷ୍ଣଙ୍କର ଦୀପ୍ତିମାନ ରୂପକୁ ସାଧାରଣ ଦୃଷ୍ଟିରେ ସହ୍ୟ କରିପାରିଲେ ନାହିଁ; ସେହି ରୂପର ଅବର୍ଣ୍ଣନୀୟ ଜ୍ୟୋତିରେ ସେମାନଙ୍କର ନୟନ ମୁଦ୍ରିତ ହୋଇଗଲା । କିଛି ସମୟ ପରେ ନିଜର ବିଶ୍ୱରୂପ ସମ୍ବରଣ କରି ସମବେତ ଋଷି ଓ ସଭାସଦମାନଙ୍କଠାରୁ ବିଦାୟ ନେଇ ସାତ୍ୟକିଙ୍କ ସହ ସଭାକକ୍ଷ ତ୍ୟାଗକରି ବିଦୁରଙ୍କ ବାସଭବନକୁ କୃଷ୍ଣ ଫେରିଆସିଲେ ।

 

ବିଦୁରଙ୍କ ଭବନରେ କୁନ୍ତୀ ଅବସ୍ଥାନ କରୁଥିଲେ । କୁନ୍ତୀଙ୍କ ସହ ସାକ୍ଷାତ କରି କୃଷ୍ଣ କହିଲେ, ଦେବି ! ଦୁର୍ଯ୍ୟୋଧନକୁ ଯେତେ ହିତକର ବାକ୍ୟରେ ବୁଝାଇଲେ ମଧ୍ୟ ସେ ସନ୍ଧି ପ୍ରସ୍ତାବରେ ସମ୍ମତ ହେଲା ନାହିଁ, ତେଣୁ ପାଣ୍ଡବଙ୍କ ନିକଟକୁ ଫେରି ଯାଉଅଛି । ପୁତ୍ରମାନଙ୍କ ପ୍ରତି ଯଦି କିଛି ସମ୍ବାଦ ଦେବାର ଥାଏ, ତାହା ମୋ’ ହସ୍ତରେ ଦେଇପାରନ୍ତି ।’’

 

କୁନ୍ତୀ କହିଲେ, ‘‘କେଶବ ! ମୋର ପୁତ୍ରମାନଙ୍କୁ କୁଶଳବାର୍ତ୍ତା ଜଣାଇ କହିବ ଯେ, ତୁମପରି ସର୍ବଗୁଣସମ୍ପନ୍ନ ବୀର ପୁତ୍ରମାନଙ୍କୁ ପ୍ରସବ କରି ମୁଁ କେତେ ଦିନ ଏହିପରି ନିରାଶ୍ରୟା ହୋଇ ପରଘର ପରର ଅନ୍ନ ଉପରେ ନିର୍ଭର କରି ରହିଥିବି ? ବୀରତ୍ୱ ଓ ଶୌର୍ଯ୍ୟ ପ୍ରକାଶରେ ହିଁ କ୍ଷତ୍ରିୟର ପରିଚୟ । କ୍ଷତ୍ରିୟଜନନୀ ଯେଉଁ ଆଶାରେ ପୁତ୍ର ପ୍ରସବ କରିଥାଏ, ସେହି ସମୟ ବର୍ତ୍ତମାନ ଉପସ୍ଥିତ । ନିଜର ପୈତୃକ ରାଜ୍ୟ ଉଦ୍ଧାର ନିମନ୍ତେ ଯୁଦ୍ଧ କରିବାକୁ କୁଣ୍ଠା କରନାହିଁ । ତୁମ୍ଭମାନଙ୍କର ରାଜ୍ୟ ହାନି, ଦ୍ୟୁତରେ ପରାଜୟ ତ୍ରୟୋଦଶ ବର୍ଷ କାଳ ବନବାସ ଆଦି ଯେତେ ଯେତେ ଦୁର୍ଘଟଣାମାନ ଘଟିଅଛି, ତହିଁରେ ମୋର ଦୁଃଖ ନାହିଁ; ମାତ୍ର ସୁକୁମାରୀ ଦ୍ରୌପଦୀ ବୀରମାନଙ୍କର ପତ୍ନୀ ହୋଇ ମଧ୍ୟ ସଭାମଧ୍ୟରେ ଅନାଥିନୀ ପରି ଯେପରି ଲାଞ୍ଛିତା ହେଲା, ତାହା ମୋତେ ସଦାସର୍ବଦା ବିଶେଷ ଭାବରେ ବ୍ୟଥିତ କରୁଅଛି । ତେଣୁ ହେ କୃଷ୍ଣ, ମୋର ପୁତ୍ରମାନେ ଯେପରି ଏହି ଅପମାନର ଉପଯୁକ୍ତ ପ୍ରତିଶୋଧ ନିଅନ୍ତି, ସେ ସମ୍ପର୍କରେ ସେମାନଙ୍କୁ ସ୍ମରଣ କରାଇଦେବ ।’’

 

କୁନ୍ତୀ ଓ ଭୀଷ୍ମ ପ୍ରମୁଖ କୌରବମାନଙ୍କଠାରୁ ବିଦାୟ ନେଇ ପାଣ୍ଡବମାନେ ଅବସ୍ଥାନ କରୁଥିବା ଉପପ୍ଳବ୍ୟ ନଗରକୁ ପ୍ରତ୍ୟାଗମନ କଲା ସମୟରେ କର୍ଣ୍ଣଙ୍କୁ ନିଜ ରଥରେ ବସାଇ କୃଷ୍ଣ କିଛି ବାଟ ପର୍ଯ୍ୟନ୍ତ ନେଇଯାଇଥିଲେ ଓ ରଥ ରାଜନଗରର ବାହାରକୁ ଯିବାପରେ କର୍ଣ୍ଣଙ୍କୁ କୃଷ୍ଣ କହିଲେ, ‘‘କର୍ଣ୍ଣ, କୁନ୍ତୀଙ୍କର କୁମାରୀ ବୟସରେ ତାଙ୍କ ଗର୍ଭରୁ ତୁମେ ଜନ୍ମ ହୋଇଥିଲ, ତେଣୁ ଧର୍ମତଃ ତୁମେ ପାଣ୍ଡଙ୍କର ପୁତ୍ର ଓ ଯୁଧିଷ୍ଠିର ପ୍ରମୁଖ ପାଣ୍ଡବଙ୍କର ଜ୍ୟେଷ୍ଠ ଭ୍ରାତ । ତେଣୁ ଆସ, ପାଣ୍ଡବଙ୍କ ସହ ମିଳିତ ହୋଇ ଜ୍ୟେଷ୍ଠଭ୍ରାତ ଭାବରେ ସମସ୍ତ ପୃଥିବୀ ଭୋଗ କର । ପାଣ୍ଡବମାନଙ୍କ ସହିତ ସୌଭ୍ରାତ୍ର ସମ୍ପର୍କ ସ୍ୱୀକାର କଲେ ତୁମର ଜନନୀ କୁନ୍ତୀ ଓ କନିଷ୍ଠ ପାଣ୍ଡବଗଣ କେବଳ ଯେ ଆନନ୍ଦିତ ହେବେ, ତାହା ନୁହେଁ ତୁମର ସମଗ୍ର ମାତୃ ଓ ପିତୃକୁଳର ଲୋକମାନେ ଓ ମିତ୍ରମାନେ ସନ୍ତୁଷ୍ଟ ହୋଇ ତୁମର ପ୍ରଶଂସା ଗାନ କରିବେ ।’’

 

କର୍ଣ୍ଣ କହିଲେ, ‘‘ଧର୍ମତଃ ଯେ ମୁଁ ପାଣ୍ଡୁଙ୍କର ପୁତ୍ର, ଏଥିରେ ମୋର କୌଣସି ସନ୍ଦେହ ନାହିଁ, ତେବେ କୁନ୍ତୀ ନିଜର ସୁଖ ଓ ମଙ୍ଗଳ ପାଇଁ ମୋତେ ତ୍ୟାଗ କଲେ । ମା’ ଦ୍ୱାରା ପରିତ୍ୟକ୍ତ ହେବାପରେ ସାରଥି ଅଧିରଥ ଓ ତାଙ୍କର ପତ୍ନୀ ରାଧା ମୋତେ ପୁତ୍ର ଭାବରେ ପ୍ରତିପାଳନ କରିଆସିଲେ ଓ ମୁଁ ମଧ୍ୟ ସେମାନଙ୍କୁ ନିଜର ପିତାମାତା ଭାବରେ ଏପର୍ଯ୍ୟନ୍ତ ସ୍ୱୀକାର କରିଆସିଲି; ବର୍ତ୍ତମାନ ସେ ସମ୍ପର୍କକୁ ଅସ୍ୱୀକାର କରିବାର ସାମର୍ଥ୍ୟ ମୋର ନାହିଁ । ଦୁର୍ଯ୍ୟୋଧନଙ୍କ ନିକଟରେ ମୁଁ ମଧ୍ୟ ବହୁଭାବରେ ଉପକୃତ । ଦୁର୍ଯ୍ୟୋଧନଙ୍କୁ ପ୍ରୀତ କରିବା ନିମନ୍ତେ ପାଣ୍ଡବମାନଙ୍କ ପ୍ରତି ମୁଁ କମ୍‍ କଟୁ କଥା ବ୍ୟବହାର କରିନାହିଁ ଏବଂ ତଦ୍ଦ୍ୱାରା ଏମଧ୍ୟରେ ପାଣ୍ଡବମାନଙ୍କର, ବିଶେଷ କରି ଅର୍ଜ୍ଜୁନଙ୍କର ପ୍ରତିଯୋଦ୍ଧା ଭାବରେ ମୁଁ ବିଶେଷ ପରିଚୟ ଅର୍ଜନକରିଅଛି । ତେଣୁ ଏପରି ସମୟରେ ମୁଁ କିପରି ଆପଣଙ୍କ ପ୍ରସ୍ତାବରେ ସମ୍ମତ ହୋଇପାଣ୍ଡବଙ୍କ ପକ୍ଷ ସମର୍ଥନ କରିବି ? ତେବେ ଆପଣ ଯେତେବେଳେ ପାଣ୍ଡବଙ୍କ ପକ୍ଷରେ, ସେତେବେଳେ ପାଣ୍ଡବମାନଙ୍କର ଯେ ବିଜୟ ସୁନିଶ୍ଚିତ, ଏଥିରେ ସନ୍ଦେହ ନାହିଁ ।’’

 

କୃଷ୍ଣ କହିଲେ, ‘‘କର୍ଣ୍ଣ, ତୁମକୁ ସମଗ୍ର ପୃଥିବୀ ପ୍ରଦାନ କରିବାକୁ ଇଚ୍ଛା କଲି, କିନ୍ତୁ ତୁମେ ତାହା ଗ୍ରହଣ ନକରି ଦୁର୍ଯ୍ୟୋଧନର ପକ୍ଷ ତଥାପି ସମର୍ଥନ କରି କହିବାକୁ ଯେତେବେଳେ ସ୍ଥିର କରୁଅଛ, ସେତେବେଳେ କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ଅନିବାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ । ବର୍ତ୍ତମାନ ତୁମେ ଏହିଠାରୁ ଫେରିଯାଇ ଭୀଷ୍ମ, ଦ୍ରୋଣ, କୃପ ପ୍ରମୁଖଙ୍କୁ କହିଦେବ ଯେ, ଆଜିଠାରୁ ସାତଦିନ ପରେ ଅମାବାସ୍ୟା ପଡ଼ିବ; ସେହି ଦିନରୁ କୌରବମାନେ ପାଣ୍ଡବଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।’’

 

କର୍ଣ୍ଣଙ୍କୁ ବିଦାୟ ଦେଇ ଉପପ୍ଳବ୍ୟ ନଗରକୁ କୃଷ୍ଣ ଫେରିଆସିଲେ ଓ ଯୁଧିଷ୍ଠିରଙ୍କୁ ସବୁକଥା ଜଣାଇ କୃଷ୍ଣ କହିଲେ, ‘‘ମୁଁ ଏବଂ ଅନ୍ୟମାନେ ଯେତେ ବୁଝାଇଲେ ମଧ୍ୟ ଦୁରାତ୍ମା ଦୁର୍ଯ୍ୟୋଧନ ରାଜ୍ୟାଂଶ ପ୍ରଦାନ କରି ସନ୍ଧି କରିବାକୁ ଅନିଚ୍ଛୁକ ହେଲା; ତେଣୁ ବର୍ତ୍ତମାନ ଯୁଦ୍ଧ ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।’’

 

କୃଷ୍ଣଙ୍କଠାରୁ ସମସ୍ତ କଥା ଶୁଣିବା ପରେ ଯୁଧିଷ୍ଠିର ଯୁଦ୍ଧ କରିବା ପାଇଁ ନିଜର ମତ ସ୍ଥିର କଲେ । କାଳକ୍ଷେପଣ ନକରି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରାଗଲା ।

Image

 

କର୍ଣ୍ଣ-କୁନ୍ତି ସାକ୍ଷାତ

 

ରାଜ୍ୟ ପାଇଁ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ନିଶ୍ଚିତ, ଏକଥା ଚିନ୍ତା କରି କୁନ୍ତୀଙ୍କର ଉଦ୍‌ବେଗର ସୀମା ରହିଲା ନାହିଁ । ପାଣ୍ଡବଙ୍କ ବିରୁଦ୍ଧରେ କୌରବଙ୍କର ପକ୍ଷ ସମର୍ଥନ କରି କେଉଁମାନେ ଯୁଦ୍ଧ କରିବେ, ସେ ବିଷୟରେ କୁନ୍ତୀ ବିଶେଷ ଭାବରେ ଚିନ୍ତା କରିବାକ ଲାଗିଲେ-। କୁନ୍ତୀ ଭାବିଲେ, ଭୀଷ୍ମ ଓ ଦ୍ରୋଣ ମହାପରାକ୍ରମଶାଳୀ ହେଲେ ମଧ୍ୟ ସ୍ନେହବଶତଃ ହୁଏତ ପାଣ୍ଡବଙ୍କ ବିରୁଦ୍ଧରେ ଯୁଦ୍ଧ କରିନପାରନ୍ତି; ମାତ୍ର ମହାବୀର କର୍ଣ୍ଣ ତ ନିଶ୍ଚୟ ଯୁଦ୍ଧ କରିବେ ? କର୍ଣ୍ଣଙ୍କୁ କୌଣସି ପ୍ରକାରରେ ଯୁଦ୍ଧରୁ ନିବର୍ତ୍ତାଇ ପାରିଲେ ପାଣ୍ଡବମାନଙ୍କର ବିଜୟର ପଥ ସୁଗମ ହୋଇପାରନ୍ତା, ସେଥି ନିମନ୍ତେ କୁନ୍ତୀ ଉପାୟ ଚିନ୍ତା କରିବାରେ ଲାଗିଲେ ।

 

ପ୍ରତ୍ୟହ କର୍ଣ୍ଣ ଗଙ୍ଗାରେ ସ୍ନାନକରି ନଦୀକୂଳରେ ବେଦ ପାଠ ଓ ପୂଜା ଅର୍ଚ୍ଚନା ଆଦି କରନ୍ତି । କୁନ୍ତୀ ସେହି ସମୟକୁ ଉପଯୁକ୍ତ ଭାବି କର୍ଣ୍ଣଙ୍କ ନିକଟରେ ଉପସ୍ଥିତ ହେଲେ । ପ୍ରାତ୍ୟହିକ ପୂଜାପାଠ ପରେ କୁନ୍ତୀଙ୍କୁ ନଦୀକୂଳରେ ଦଣ୍ଡାୟମାନ ଥିବାର ଲକ୍ଷ୍ୟକରି କର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କୁନ୍ତୀଙ୍କୁ ସଭକ୍ତି ପ୍ରମାଣ କରି କର୍ଣ୍ଣ କହିଲେ, ‘‘ଭଦ୍ରେ ! ଅଧିରଥର ଔରସରେ ରାଧାର ଗର୍ଭଜାତ ପୁତ୍ର କର୍ଣ୍ଣ ଆପଣଙ୍କୁ ପ୍ରମାଣ କରୁଅଛି । କିନ୍ତୁ ଏହି ସ୍ଥାନରେ ଆପଣଙ୍କୁ ଆକସ୍ମିକ ଭାବରେ ଦର୍ଶନ କରି ଆଗମନର ଅଭିପ୍ରାୟ ବୁଝିପାରୁ ନାହିଁ ।’’

 

କୁନ୍ତୀ କହିଲେ; ‘‘ବାବା ! ତୁମେ ଏହି କୁନ୍ତୀ ପୁତ୍ର; ତୁମେ ରାଧା କିମ୍ବା ଅଧିରଥର ପୁତ୍ର ନୁହେଁ । ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦରେ ତୁମେ ମୋର କୁମାରୀ ଅବସ୍ଥାରେ ମୋ’ ଗର୍ଭରୁ ଜନ୍ମ ହୋଇଥିବ । ପିତାମାତାଙ୍କୁ ସନ୍ତୁଷ୍ଟ କରିବାହିଁ ପୁତ୍ରର ଧର୍ମ । ଦୁର୍ଯ୍ୟୋଧନର ଅନୁବର୍ତ୍ତୀ ହେବା ଓ ପାଣ୍ଡବମାନଙ୍କ ପ୍ରତି ବିଦ୍ୱେଷଭାବ ପୋଷଣ କରିବା, ତୁମପକ୍ଷରେ ଆଦୌ କରଣୀୟ ନୁହେଁ । ତେଣୁ ତୁମ୍ଭେ ପାଣ୍ଡବଙ୍କସହ ଅବିଳମ୍ବେ ମିଳିତ ହୁଅ ।’’

 

କୁନ୍ତୀ ଏହି କଥା କର୍ଣ୍ଣଙ୍କୁ କହିଲା ବେଳେ, ଭଗବାନ ସୂର୍ଯ୍ୟ ତାହା ସମର୍ଥନକରି ଆକାଶ ମଣ୍ଡଳରୁ କହିଲେ, ‘‘କର୍ଣ୍ଣ, କୁନ୍ତୀଙ୍କର ଉକ୍ତି ସତ୍ୟ । ତେଣୁ ମାତାଙ୍କ କଥାନୁସାରେ କାର୍ଯ୍ୟ କରିବାହିଁ ତୁମପକ୍ଷରେ ଶ୍ରେୟସ୍କର ।’’

 

କିନ୍ତୁ କୁନ୍ତୀଙ୍କୁ କର୍ଣ୍ଣ କହିଲେ, ‘‘ଆପଣଙ୍କ କଥା ରକ୍ଷା ମୋ’ ପକ୍ଷରେ ସମ୍ଭବ ନୁହେଁ, କାରଣ ତଦ୍ଦ୍ୱାରା ଧର୍ମ ନଷ୍ଟ ହେବ । ମୁଁ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଆପଣ ତହିଁରୁ ମୋତେ ବଞ୍ଚିତ କରି ଯେକୌଣସି ଶତ୍ରୁ ଅପେକ୍ଷା ମୋର ଅଧିକ ଅପକାର କରିଅଛନ୍ତି । ମାତା ହୋଇମଧ୍ୟ ମୋର ହିତକାମନା ନ କରି ଅତୀତରେ ଅତି ନିର୍ଦ୍ଦୟଭାବରେ ମୋତେ ପରିତ୍ୟାଗ କରିବା ପରେ ଆଜି ନିଜର ସ୍ୱାର୍ଥସିଦ୍ଧି ପାଇଁ ମୋତେ ପୁତ୍ର ଭାବରେ ସମ୍ବୋଧନ କରିବା ଆପଣଙ୍କ ପକ୍ଷରେ ଶୋଭାପାଏ ନାହିଁ । ଆଜି ଯଦି ମୁଁ ପାଣ୍ଡବଙ୍କ ପକ୍ଷ ସମର୍ଥନ କରେ, ତେବେ ପାଣ୍ଡବ ଭ୍ରାତା ଭାବରେ ମୋର ପ୍ରଶଂସା ନକରି ସମଗ୍ର ବିଶ୍ୱବାସୀ ମୋତେ ଭୀରୁଭାବରେ ଚିତ୍ରିତ କରି ମୋର ଦୁର୍ନାମ ରଟନା କରିବେ । ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନେ ମୋର ବହୁ ଉପକାର କରି ମୋତେ ଋଣୀ କରିଅଛନ୍ତି ଓ ଆଗାମୀ ଯୁଦ୍ଧ ପାଇଁ ମୋ’ ଉପରେ ସେମାନେ ଯଥେଷ୍ଟ ଭାବରେ ନିର୍ଭର କରିଅଛନ୍ତି । ଏପରି ସ୍ଥଳେ ମୁଁ ସେମାନଙ୍କୁ କିପରି ବଞ୍ଚନା କରିବି ? ତେବେ ଅର୍ଜ୍ଜୁନ ଭିନ୍ନ ଅନ୍ୟ କୌଣସି ପାଣ୍ଡବଙ୍କୁ ମୁଁ ହତ୍ୟା କରିବି ନାହିଁ, ଏହି ପ୍ରତିଶ୍ରୁତି ମୁଁ ଆପଣଙ୍କୁ ଦେଉଅଛି । ମୁଁ ଯୁଦ୍ଧରେ ମୁଖ୍ୟତଃ ଅର୍ଜ୍ଜୁନଙ୍କସହ ଯୁଦ୍ଧ କରିବି, ଅର୍ଜ୍ଜୁନଙ୍କ ହସ୍ତରେ ମୁଁ ନିହତ ହୁଏ କିମ୍ବା ମୋ’ ହସ୍ତରେ ଅର୍ଜ୍ଜୁନ ନିହତ ହୁଅନ୍ତୁ, ଆମ ଦୁହିଁଙ୍କ ମଧ୍ୟରୁ ଜଣକୁ ମରିବାକୁ ପଡ଼ିବ । ପାଞ୍ଚଟି ପୁତ୍ରର ମାତା ଭାବରେ ଆପଣ ଯେଉଁ ପରିଚୟ ଅର୍ଜନ କରିଅଛନ୍ତି, ତାହା ନିଶ୍ଚୟ ଅକ୍ଷୁର୍ଣ୍ଣ ରହିବ; ତେଣୁ ଆପଣ ନିଶ୍ଚିନ୍ତ ହୁଅନ୍ତୁ ।’’

 

କର୍ଣ୍ଣଙ୍କର ଏହିପରି କଥା ଶୁଣି କୁନ୍ତୀ ପୁତ୍ରକୁ ଆଲିଙ୍ଗନ କରି କହିଲେ, ‘‘ବାବା, ସବୁ ଭାଗ୍ୟ, ଭାଗ୍ୟଠାରୁ ବଳବାନ କେହି ନାହିଁ ।’’

Image

 

ସମର ପ୍ରସ୍ତୁତି

 

ଯୁଦ୍ଧହେବା ନିଶ୍ଚିତ ଜାଣି ପାଣ୍ଡବଶ୍ରେଷ୍ଠ ଯୁଧିଷ୍ଠିର ଯୁଦ୍ଧର ଉଦ୍ୟୋଗରେ ମନୋନିବେଶ କଲେ । ସଂଗୃହୀତ ସାତ ଅକ୍ଷୌହିଣୀ ସେନାକୁ ସାତଭାଗରେ ବିଭକ୍ତ କରି ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ ଦ୍ରୁପଦ, ବିରାଟ, ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ସାତ୍ୟକି ଓ ଭୀମସେନଙ୍କ ହସ୍ତରେ ଯୁଧିଷ୍ଠିର ନ୍ୟସ୍ତ କଲେ । କିନ୍ତୁ ଏ ସମସ୍ତ ବିଭାଗର ନେତୃତ୍ୱ କାହାଉପରେ ନ୍ୟସ୍ତ କରାଯିବ, ସେଥିପାଇଁ ଆଲୋଚନା କରାଗଲା । ସେନାପତି ପଦ ପାଇଁ ସହଦେବ ବିରାଟଙ୍କ ନାମ, ନକୁଳ ଦ୍ରୁପଦଙ୍କ ନାମ, ଅର୍ଜ୍ଜୁନ ଧୃଷ୍ଟଦ୍ୟୁମ୍ନଙ୍କ ନାମ, ଭୀମସେନ ଶିଖଣ୍ଡୀଙ୍କ ନାମ ପ୍ରସ୍ତାବ କରିଥିଲେ; ମାତ୍ର ଯୁଧିଷ୍ଠିର ଏ ସମ୍ପର୍କରେ କୃଷ୍ଣଙ୍କର ପରାମର୍ଶ ଲୋଡ଼ିବାରୁ କୃଷ୍ଣ କହିଲେ, ‘ମହାରାଜ, ଯେଉଁ ବୀରମାନଙ୍କର ନାମ ବର୍ତ୍ତମାନ ଉଲ୍ଳେଖ କରାଗଲା, ସେମାନେ ପ୍ରତ୍ୟେକେ ସେନାପତି ପଦପାଇଁ ସମର୍ଥ ଓ ଉପଯୁକ୍ତ, ଏପରି କି ସେମାନେ ସମରାଙ୍ଗନରେ ଅବତୀର୍ଣ୍ଣ ହେଲେ କୌରବମାନଙ୍କ କଥା ଦୂରେ ଥାଉ, ଦେବତାମାନଙ୍କର ମଧ୍ୟ ଭୟ ଉଦ୍ରେକ କରିବେ । ମହାପରାକ୍ରମଶାଳୀ ଭୀମସେନ, ଅର୍ଜ୍ଜୁନ, ନକୁଳ, ସହଦେବ, ଅଭିମନ୍ୟୁ, ବିରାଟ, ଦ୍ରୁପଦ ଓ ଦ୍ରୌପଦୀଙ୍କ ପୁତ୍ରମାନଙ୍କୁ ଯୁଦ୍ଧ କରିବାର ଦେଖିଲେ କୌରବମାନେ ଭୟରେ ରଣସ୍ଥଳରୁ ପଳାୟନ କରିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ମୋ’ ମତରେ ମହାବୀର ଧ୍ରୁଷ୍ଟଦ୍ୟୁମ୍ନଙ୍କ ହସ୍ତରେ ପ୍ରଧାନ ସେନାପତିତ୍ୱର ଦାୟିତ୍ୱ ଅର୍ପଣ କରନ୍ତୁ ।

 

କୃଷ୍ଣଙ୍କ କଥା ସମସ୍ତ ପାଣ୍ଡବବୀରମାନଙ୍କୁ ଆନନ୍ଦିତ କଲା । ତଦନୁସାରେ ଧ୍ରୁଷ୍ଟଦ୍ୟୁମ୍ନଙ୍କୁ ପ୍ରଧାନ ସେନାପତି ପଦର ଦାୟିତ୍ୱ ସମର୍ପଣ କରାଗଲା ଏବଂ ପାରମ୍ପରିକ ରୀତିରେ ଦିନ ହୋମ ଆଦି ମାଙ୍ଗଳିକ କାର୍ଯ୍ୟ ସମାପନ କରି ଶୁଭମୂହୂର୍ତ୍ତରେ ପାଣ୍ଡବମାନେ ସୈନ୍ୟସହ ଯୁଦ୍ଧ ନିମନ୍ତେ କୁରୁକ୍ଷେତ୍ର ଉଦ୍ଦେଶ୍ୟରେ ଯାତ୍ରା କଲେ ।

 

ତେଣେ, ଦୁର୍ଯ୍ୟୋଧନ ପାଣ୍ଡବଙ୍କ ସେନାଧ୍ୟକ୍ଷ ପଦ ଧ୍ରୁଷ୍ଟଦ୍ୟୁମ୍ନ ଗ୍ରହଣ କରିଥିବା ବିଷୟ ଜାଣିବାକୁ ପାଇ କର୍ଣ୍ଣ, ଦୁଃଶାସନ, ଶକୁନିଙ୍କ ସହ ମନ୍ତ୍ରଣା କରି ଯୁଦ୍ଧ ପାଇଁ ଅତି ସତ୍ୱର ପ୍ରସ୍ତୁତ ହେବା ପାଇଁ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଓ ପ୍ରଧାନ ସେନାପତି ପଦରେ ପିତାମହ ଭୀଷ୍ମଙ୍କୁ ଅଧିଷ୍ଠିତ କରିବାକୁ ସ୍ଥିର କଲେ ।

 

ଭୀଷ୍ମଙ୍କୁ ସମ୍ବୋଧନ କରି ଦୁର୍ଯ୍ୟୋଧନ କହିଲେ, ‘‘ପିତାମହ, ଆମର ସୈନ୍ୟମାନେ ବର୍ତ୍ତମାନ ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇଅଛନ୍ତି । ପର୍ବତମାନଙ୍କ ମଧ୍ୟରେ ସୁମେରୁ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼, ତେଜସ୍ୱାମାନଙ୍କ ମଧ୍ୟରେ ଆଦିତ୍ୟ ଓ ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ସର୍ବଶ୍ରେଷ୍ଠ ଥାଇ ଯେପରି ସେମାନଙ୍କର ରକ୍ଷକ ହୋଇଥାନ୍ତି, ସେହିପରି ଆମ୍ଭମାନଙ୍କ ମଧ୍ୟରେ ଆପଣ ଶ୍ରେଷ୍ଠ; ତେଣୁ ଆପଣ ଆମ କୌରବପକ୍ଷର ପ୍ରଧାନ ସେନାପତି ପଦ ଗ୍ରହଣ କରି ଆମ୍ଭମାନଙ୍କୁ ରକ୍ଷା କରନ୍ତୁ ।’’

 

ଭୀଷ୍ମ ଉତ୍ତର ଦେଲେ, ‘‘ତୁମ ପ୍ରସ୍ତାବରେ ମୁଁ ସମ୍ମତ । ତୁମପକ୍ଷରେ ରହି ମୁଁ ପ୍ରତ୍ୟହ ପାଣ୍ଡବପକ୍ଷର ଦଶସହସ୍ର ସୈନ୍ୟ ସଂହାର କରିବି, କିନ୍ତୁ ତୁମ୍ଭମାନଙ୍କ ପରି ପାଣ୍ଡବମାନେ ମଧ୍ୟ ମୋର ପ୍ରିୟ ଓ କଲ୍ୟାଣୀୟ; ତେଣୁ ସୁଯୋଗ ଆସିଲେ ମଧ୍ୟ ପାଣ୍ଡବମାନଙ୍କୁ ସଂହାର କରିବି ନାହିଁ । ଶିଖଣ୍ଡୀ ପ୍ରଥମେ ସ୍ତ୍ରୀ ଭାବରେ ଜନ୍ମିଥିବାରୁ, ମୁଁ ମଧ୍ୟ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବି ନାହିଁ । ଆଉ ଗୋଟିଏ କଥା; କର୍ଣ୍ଣ ସବୁ ସମୟରେ ନିଜ ବୀରତ୍ୱ ସମ୍ପର୍କରେ ଆସ୍ଫାଳନ ପ୍ରକାଶ କରିଥାନ୍ତି; ତେଣୁ ସେ ମୋର ସେନାପତିତ୍ୱରେ ଯୁଦ୍ଧ କରିବାକୁ ସମ୍ମତ ଅଛନ୍ତି ତ ?’

 

କର୍ଣ୍ଣ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସେ ତତ୍‌କ୍ଷଣାତ୍ କହିଲେ, ‘‘ଭୀଷ୍ମ ସେନାପତିପଦରେ ଅଧିଷ୍ଠିତ ଥିବା ପର୍ଯ୍ୟନ୍ତ ମୁଁ ଅର୍ଜ୍ଜୁନଙ୍କ ସହିତ ସଂଗ୍ରାମ କରିବି ।’’

 

ଭୀଷ୍ମ ଓ କର୍ଣ୍ଣଙ୍କ ମଧ୍ୟରେ ଏହିପରି ମତପାର୍ଥକ୍ୟ ଥିଲେ ମଧ୍ୟ ଯୁଦ୍ଧର ସମୟ ଆସନ୍ନ ପ୍ରାୟ ହୋଇଥିବାରୁ ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ ପ୍ରଧାନ ସେନାପତି ପଦରେ ଅଧିଷ୍ଠିତ କରି ପାରମ୍ପରିକ ରୀତିରେ ନିଜପକ୍ଷର ସୈନ୍ୟଙ୍କସହ କୁରୁକ୍ଷେତ୍ର ଅଭିମୁଖେ ଯାତ୍ରା କଲେ ।

 

କୁରୁକ୍ଷେତ୍ରର ବିସ୍ତୀର୍ଣ୍ଣ ସମର ପ୍ରାଙ୍ଗଣର ପଶ୍ଚିମ ଭାଗରେ ପାଣ୍ଡବ ପକ୍ଷରେ ସୈନ୍ୟ ଓ ପୂର୍ବ ଭାଗରେ କୌରବ ପକ୍ଷର ସୈନ୍ୟ ପରସ୍ପର ସମ୍ମଖୀନ ହୋଇ ଅବସ୍ଥାନ କଲେ । ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ସୈନ୍ୟ ସମାଗମ ପର୍ବରୁ କୌଣସି ସମୟରେ ଦେଖାଯାଇ ନଥିଲା ଏବଂ ଯୁଦ୍ଧଭୂମି ଭିନ୍ନ ସମଗ୍ର ପୃଥିବୀ ସତେ ଯେପରି ପୁରୁଷ ଶୂନ୍ୟ ହୋଇପଡ଼ିଲା । ପ୍ରଳୟ ପୂର୍ବରୁ ସମସ୍ତ ଜଗତ ଜଳାର୍ଣ୍ଣବ ହେବା ପରି କୁରୁକ୍ଷେତ୍ର ଅଭୂତପୂର୍ବ ସୈନ୍ୟ ସମୁଦ୍ରରେ ପରିଣତ ହୋଇଥିଲା ।

 

ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଉଭୟ ପକ୍ଷର ସୈନ୍ୟମାନେ ଯେଉଁ ନିର୍ଦ୍ଧାରିତ ନିୟମର ଅନୁବର୍ତ୍ତୀ ହୋଇ ନ୍ୟାୟଯୁଦ୍ଧ କରିବାକୁ ସମ୍ମତ ହୋଇଥିଲେ । ତାହା ହେଲା–ରଥୀ ସହ ରଥୀର, ଗଜାରୋହୀସହ ଗଜାରୋହୀର, ଅଶ୍ୱାରୋହୀ ସହ ଅଶ୍ୱାରୋହୀ ସହ ଅଶ୍ୱରୋହୀର ଓ ପଦାତିକ ସହ ପଦାତିକର ଏହି ନିୟମ ଅନୁସାରେ ସଂଗ୍ରାମ ଅନୁଷ୍ଠିତ ହେବ । ବୀରମାନେ ନିଜର ଯୋଗ୍ୟତା, ଉତ୍ସାହ, ବଳ ଓ ଅଭିଳାଷ ଅନୁସାରେ ଯୁଦ୍ଧରେ ପ୍ରବୃତ୍ତ ହେବେ । ଅସତର୍କ ଭାବରେ କେହି କାହାକୁ ଆକ୍ରମଣ କରିବେ ନାହିଁ ଓ ଯୁଦ୍ଧରୁ ପଳାୟନ କରୁଥିବା, ଯୁଦ୍ଧରେ ଭୟଭୀତ ହୋଇଥିବା, ଅସ୍ତ୍ରଶୂନ୍ୟ ଅବସ୍ଥାରେ ଥିବା କିମ୍ବା ଯୁଦ୍ଧରେ ପରାନ୍ମୁଖ ଥିବା ବ୍ୟକ୍ତିକୁ କେହି ଆକ୍ରମଣ କରିବେ ନାହିଁ । ଯୁଦ୍ଧରେ ନିଯୁକ୍ତ ଥିବା ସାରଥି, ବାହନ, ଅସ୍ତ୍ରଶସ୍ତ୍ର ବାହକ, ବାଦ୍ୟଧ୍ୱନି କରୁଥିବା ବାଦକମାନଙ୍କୁ କେହି ଆଘାତ କରିବେ ନାହିଁ । ସନ୍ଧ୍ୟା ଉର୍ତ୍ତୀର୍ଣ୍ଣ ହେଲେ ସେହିଦିନ ପାଇଁ ଯୁଦ୍ଧ ବନ୍ଦ ହେବ ଏବଂ ଯୁଦ୍ଧ ବନ୍ଦ ହେଲେ ଶତ୍ରୁମନୋଭାବ ତ୍ୟାଗକରି ପୂର୍ବର ପ୍ରୀତି ବନ୍ଧନରେ ପରସ୍ପର ଆବଦ୍ଧ ହେବେ । ଏହିପରି ନିୟମ ପ୍ରଣୟନ କରି କୌରବ ପାଣ୍ଡବମାନେ ତାହା ପାଳନ କରିବାକୁ ସମ୍ମତ ହୋଇଥିଲେ ।

 

ଯୁଦ୍ଧ ପାଇଁ ଉଭୟ ପକ୍ଷର ସମୁଚିତ ବ୍ୟବସ୍ଥା ହେଉଥିବା ସମୟରେ ବ୍ୟାସଦେବ ମହାରାଜ ଧ୍ରୁତରାଷ୍ଟ୍ରଙ୍କ ନିକଟରେ ଉପସ୍ଥିତ ହୋଇକହିଲେ, ‘‘ମହାରାଜ, ଏହି ଆସନ୍ନ ପ୍ରାୟ ଭୀଷଣ ସଂଗ୍ରାମରେ ବହୁଜନକ୍ଷୟ ସଂଘଟିତ ହେବ ଏବଂ ତୁମର ପୁତ୍ରମାନେ ତହିଁରେ ବିନାଶପ୍ରାପ୍ତ ହେବେ-। ସେଥିପାଇଁ ଦୁଃଖ କର ନାହିଁ । ତୁମେ ଯଦି ଏହି ଅଭୂତପୂର୍ବ ଯୁଦ୍ଧ ଦର୍ଶନ କରିବାକୁ ଇଚ୍ଛା କରୁଥାଅ, ତେବେ ପ୍ରକାଶ କର, ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରିବି ।’’

 

ଧ୍ରୁତରାଷ୍ଟ୍ର କହିଲେ, ‘‘ତପୋଧନ ! ଜ୍ଞାତି ଓ ବନ୍ଧୁମାନଙ୍କର ମୃତ୍ୟୁ ଦୃଶ୍ୟକୁ ସ୍ଵଚକ୍ଷୁରେ ଦେଖିବାକୁ ମୁଁ ଚାହୁଁ ନାହିଁ । ଆପଣଙ୍କ ଆଶୀର୍ବାଦ ବଳରେ ଯଦି କୌଣସି ବ୍ୟକ୍ତି ସମସ୍ତ ବୃତ୍ତାନ୍ତ ମୋ’ ନିକଟରେ ବର୍ଣ୍ଣନା କରିବାକୁ ସମର୍ଥ ହୁଅନ୍ତା, ତାହାହେଲେ ମୁଁ ତାଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛି ।’’

 

ବ୍ୟାସଦେବ ନିଜର ଅଲୌକିକ ତପସ୍ୟାବଳରେ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରି କହିଲେ, ‘‘ଏହି ଦିବ୍ୟଦୃଷ୍ଟି ବଳରେ କି ଦିନ କି ରାତି ସବୁ ସମୟରେ ଏବଂ ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ସକଳ ବିଷୟ ସଞ୍ଜୟ ଜାଣିପାରି ତଦନୁସାରେ ତୁମ ନିକଟରେ ଯୁଦ୍ଧବୃତ୍ତାନ୍ତ ବର୍ଣ୍ଣନା କରିବେ । ସେ କ୍ଳାନ୍ତ ହେବେ ନାହିଁ କି ତାଙ୍କ ଶରୀରକୁ କୌଣସି ଅସ୍ତ୍ର ସ୍ପର୍ଶ କରିପାରିବ ନାହିଁ ।’

 

ବ୍ୟାସସେବଙ୍କ କରୁଣାରୁ ସଞ୍ଜୟ ଦିବ୍ୟଦୃଷ୍ଟି ଲାଭକରି କୁରୁକ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ଯୁଦ୍ଧର ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ ନିକଟରେ ତାହା ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ ।

Image

 

ଯୁଦ୍ଧର ପୂର୍ବ ମୁହୂର୍ତ୍ତ

 

କୁରୁକ୍ଷେତ୍ରର ବିଶାଳ ରଣଭୂମିର ଦୁଇ ପାର୍ଶ୍ୱରେ ଉଭୟପକ୍ଷର ସୈନ୍ୟମାନେ ଯୁଦ୍ଧପାଇଁ ଅତି ପ୍ରତ୍ୟୁଷରୁ ପ୍ରସ୍ତୁତ ହୋଇରହିଲେ । ଉଭୟ ପକ୍ଷର ସୈନ୍ୟ ସମାବେଶ ମଧ୍ୟରେ ପ୍ରଧାନ ସେନାପତି ଭୀଷ୍ମ କୌରବ ପକ୍ଷର ସମବେତ ଯୋଦ୍ଧାମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ, ‘‘କ୍ଷତ୍ରିୟ କ’ଣ ! ସମର ପ୍ରାଙ୍ଗଣରେ ମୃତ୍ୟୁ ବରଣ କରିବାହିଁ କ୍ଷତ୍ରିୟର ଧର୍ମ ଏବଂ ତଦ୍ଦ୍ୱାରା ସ୍ୱର୍ଗପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ସମରକୁ ଆଶ୍ରୟକରି ସରୋଚିତ ଭାବରେ ପ୍ରତ୍ୟେକ କ୍ଷତ୍ରିୟ ନିଜ ନିଜର ସ୍ୱଧର୍ମ ରକ୍ଷା କରନ୍ତୁ ।’’ ଭୀଷ୍ମଙ୍କର ବାକ୍ୟ କୌରବ ପକ୍ଷର ସୈନ୍ୟମାନଙ୍କୁ ଉତ୍ସାହିତ କରିଥିଲା ।

 

କୌରବ ପକ୍ଷର ଏଗାର ଅକ୍ଷୌହିଣୀ ବିଶିଷ୍ଟ ବିଶାଳ ବାହିନୀ ଦର୍ଶନ କରି ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ କହିଲେ, ‘‘ଧନଞ୍ଜୟ, ଶତ୍ରୁମାନଙ୍କ ଅପେକ୍ଷା ନିଜର ସୈନ୍ୟ ସଂଖ୍ୟାରେ ଅଳ୍ପ କିମ୍ବା ଅଧିକ ଥିଲେ କିପରି ସବରେ ଯୁଦ୍ଧ କରିବାକୁ ହୁଏ, ସେ ସମ୍ପର୍କରେ ବୃହସ୍ପତି ବିଶେଷ ଭାବରେ ନିର୍ଦ୍ଦେଶ ଦେଇ ଅଛନ୍ତି । କୌରବମାନଙ୍କ ତୁଳନାରେ ଆମ ସୈନ୍ୟଙ୍କ ସଂଖ୍ୟା ଅତି ଅଳ୍ପ ଥିବାରୁ, ବୃହସ୍ପତି କଥିତ ନିର୍ଦ୍ଦେଶାନୁସାରେ ବ୍ୟୂହରଚନା କରିବା ଏକାନ୍ତ ପ୍ରୟୋଜନ ।’’ ଯୁଧିଷ୍ଠିରଙ୍କ କଥାନୁସାରେ ପାଣ୍ଡବପକ୍ଷର ସୈନ୍ୟମାନେ ଉପଯୁକ୍ତ ବ୍ୟୂହରଚନା କରି ଯୁଦ୍ଧ ଅପେକ୍ଷାରେ ରହିଲେ ।

 

ଅର୍ଜ୍ଜୁନଙ୍କର ରଥରେ କୃଷ୍ଣ ସାରଥି ହୋଇଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କୃଷ୍ଣଙ୍କ ନିର୍ଦ୍ଦେଶରେ ଅର୍ଜ୍ଜୁନ ଯୁଦ୍ଧରେ ବିଜୟ ଲାଭ ନିମନ୍ତେ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ସ୍ତବପାଠ କରିଥିଲେ ଏବଂ ତତ୍ପରେ ରଥରେ ଆରୋହଣ କଲେ; କିନ୍ତୁ ଉଭୟ ପକ୍ଷର ସୈନ୍ୟମାନଙ୍କ ମଧ୍ୟରେ ନିଜର ବନ୍ଧୁ ଜ୍ଞାତିମାନଙ୍କୁ ଦେଖି ଯୁଦ୍ଧ ପ୍ରତି ଅର୍ଜ୍ଜୁନଙ୍କର ମନରେ ଅନିଚ୍ଛା ଜାତ ହେଲା । ସେ କୃଷ୍ଣଙ୍କୁ କହିଲେ, ‘‘ହେ ମଧୁସୂଦନ, ବନ୍ଧୁ ଓ ଆତ୍ମୀୟମାନଙ୍କୁ ଯୁଦ୍ଧାର୍ଥୀ ଥିବାର ଦେଖି ମୁଁ ନିଜକୁ ଅବସନ୍ନ ମନେ କରୁଅଛି । ଯେଉଁମାନଙ୍କ ପାଇଁ ବ୍ୟକ୍ତି ରାଜ୍ୟ ଓ ସୁଖ କାମନା କରିଥାଏ, ସେହି ଶିକ୍ଷକ, ବନ୍ଧୁ ଆତ୍ମୀୟମାନଙ୍କୁ ଯୁଦ୍ଧ ଭୂମିରେ ପ୍ରାଣବିସର୍ଜନ ପାଇଁ ପ୍ରସ୍ତୁତ ଥିବାବେଳେ ମୁଁ ବିଜୟ, ରାଜ୍ୟ ଓ ସୁଖ କାମନା କରୁ ନାହିଁ । ବନ୍ଧୁ ଓ ଆତ୍ମୀୟମାନଙ୍କୁ ସଂହାର କରି ରାଜ୍ୟସୁଖ ଲାଭ କରିବାକୁ ମୁଁ ଚାହୁଁନାହିଁ । ରାଜ୍ୟଲାଭ କରିବାକୁ ହେଲେ ଏହି ବନ୍ଧୁ ଆତ୍ମୀୟମାନଙ୍କୁ ବିନାଶ କରିବାକୁ ପଡ଼ିବ । ଆତ୍ମୀୟମାନଙ୍କୁ ବିନାଶ କଲେ କୁଳଧର୍ମ ନଷ୍ଟ ହୁଏ ଏବଂ କୁଳଧର୍ମ ନଷ୍ଟ ହେଲେ ମନୁଷ୍ୟକୁ ନର୍କରେ ବାସ କରିବାକୁ ପଡ଼ିଥାଏ । ତେଣୁ ସାମାନ୍ୟ ରାଜ୍ୟ ପାଇଁ ମୁଁ ବଂଶ ଓ ଆତ୍ମୀୟ ବିନାଶ ପରି ମହାପାପ କରି ପାରିବି ନାହିଁ ।’’ ଏହା କହି ଅର୍ଜ୍ଜୁନ ନିଜର ଧନୁଶର ପରିତ୍ୟାଗ କଲେ ।

 

କିନ୍ତୁ କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ ବର୍ତ୍ତମାନର ଏହି ଦାରୁଣ ସମୟରେ ତୁମ ମନରେ ଏପରି ଅଯୁକ୍ତିକର ମୋହଭାବ ଶୋଭା ପାଏ ନାହିଁ । ଯୁଦ୍ଧଭୂମିର ଉପସ୍ଥିତ ହୋଇ ଏପରି କ୍ଳୀବତ୍ୱ ଅବଲମ୍ବନ କରିବା ସ୍ପୃହଣୀୟ ନୁହେଁ ବୋଲି କହି ଅର୍ଜ୍ଜୁନଙ୍କ ମନରୁ ମୋହ ଓ ଜଡ଼ତା ଦୂର କରିବା ନିମନ୍ତେ କୃଷ୍ଣ ବିଭିନ୍ନ ଉପଦେଶାତ୍ମକ ବାକ୍ୟରେ ଅର୍ଜ୍ଜୁନଙ୍କୁ ଆଶ୍ୱାସିତ ଓ ଉଦ୍‌ବୋଧିତ କରି ତାଙ୍କ ମନରେ ଯୁଦ୍ଧପାଇଁ ନୂତନ ଆଗ୍ରହ ସୃଷ୍ଟି କରିଥିଲେ । କୃଷ୍ଣଙ୍କର ଏହି ଉଦ୍‌ବୋଧନ ‘‘ଶ୍ରୀମତ୍ ଭଗବତ୍‌ଗୀତା’ ନାମରେ ସୁବିଖ୍ୟାତ ।

 

କୃଷ୍ଣଙ୍କ ବାକ୍ୟରେ ଉତ୍ସାହିତ ହୋଇ ଅର୍ଜ୍ଜୁନ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ହେଲାବେଳେ ଯୁଧିଷ୍ଠିର ହଠାତ୍‌ ନିଜର ଅସ୍ତ୍ର ଓ କବଚମାନ ପରିତ୍ୟାଗ କରି ରଥରୁ ଅବତରଣ କରି ଦ୍ରୁତଗତିରେ କୌରବ ସେନା ଆଡ଼କୁ ଚାଲିଲେ । ଭୀମସେନ, ଅର୍ଜ୍ଜୁନ, ନକୁଳ, ସହଦେବ ପ୍ରମୁଖ ପାଣ୍ଡବମାନେ ଧର୍ମପ୍ରାଣ ଦୟାର୍ଦ୍ରଚିତ୍ତ ଯୁଧିଷ୍ଠିରଙ୍କର ଆକସ୍ମିକ କାର୍ଯ୍ୟରେ ଏକାବେଳକେ ଆଶ୍ଚର୍ଯ୍ୟ ହୋଇ ଯୁଧିଷ୍ଠିରଙ୍କୁ କ୍ଷାନ୍ତ କରିବାକୁ ତାଙ୍କ ପଛରେ ଦୌଡ଼ି ଦୌଡ଼ି କହିବାକୁ ଲାଗିଲେ, ‘‘ଧର୍ମରାଜ ! ଶତ୍ରୁମାନେ ଯୁଦ୍ଧ ପାଇଁ ସମୁଦ୍ୟତ ଥିବା ସମୟରେ ଆପଣ ଅସ୍ତ୍ରକବଚବିହୀନ ହୋଇ ଏବଂ ଆମ୍ଭମାନଙ୍କୁ ପରିତ୍ୟାଗ କରି ଶତ୍ରୁମାନଙ୍କ ଆଡ଼କୁ ଏପରି ଯିବା ଆଦୌ ନିରାପଦ ନୁହେଁ । ବର୍ତ୍ତମାନ ସମୟରେ ସମର ପାଇଁ ପ୍ରସ୍ତୁତ ହେବାହିଁ ଏକମାତ୍ର କର୍ତ୍ତବ୍ୟ ।’’ କିନ୍ତୁ ଭାଇମାନଙ୍କର କୌଣସି କଥା ପ୍ରତି କର୍ଣ୍ଣପାତ ନକରି ଯୁଧିଷ୍ଠିର ଶତ୍ରୁସେନା ଆଡ଼କୁ ଆଗେଇ ଚାଲିଥାନ୍ତି । ଏହା ଦେଖି କୌରବ ପକ୍ଷର ସୈନ୍ୟମାନେ ପରସ୍ପରରେ କୁହାକୁହି ହେଲେ ଯେ, କ୍ଷତ୍ରିୟବଂଶର କଳଙ୍କ, ଭୀରୁ ଯୁଧିଷ୍ଠିର ଭୟଭୀତ ହୋଇ ଶରଣ ପଶିବା ପାଇଁ ସେନାଧ୍ୟକ୍ଷ ଭୀଷ୍ମଙ୍କ ନିକଟକୁ ଯାଉଅଛି, ଏହା କହି ସୈନ୍ୟମାନେ ହାସ୍ୟରୋଳ କରିବାକୁ ଲାଗିଲେ ।

 

ଯୁଧିଷ୍ଠିର ଧୀରେ ଧୀରେ ଭୀଷ୍ମଙ୍କ ନିକଟକୁ ଗଲେ ଏବଂ ତାଙ୍କ ପାଦସ୍ପର୍ଶ କରି କହିଲେ, ‘‘ହେ ଅଜେୟ, ମୁଁ ଆପଣଙ୍କ ବିରୁଦ୍ଧରେ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ଯାଉଅଛି; ତେଣୁ ଅନୁଗ୍ରହ ପୂର୍ବକ ମୋତେ ଅନୁମତି ଦେଇ ଆଶୀର୍ବାଦ କରନ୍ତୁ ।’’

 

ଭୀଷ୍ମ କହିଲେ, ‘‘ତୁମର ଏହି ଆଚରଣରେ ମୁଁ ବିଶେଷ ପ୍ରୀତ ହୋଇଅଛି । ମନୁଷ୍ୟ ଅର୍ଥର ଦାସ; କୌରବଙ୍କ ଅନ୍ନରେ ପ୍ରତିପାଳିତ ବୋଲି ମୁଁ ଆଜି ବାଧ୍ୟ ହୋଇ ତୁମ୍ଭମାନଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରୁଅଛି; ହେଲେ ମୁଁ ଆଶୀର୍ବାଦ କରୁଅଛି, ତୁମେ ଯୁଦ୍ଧରେ ଜୟଲାଭ କର-।’’

 

ଭୀଷ୍ମଙ୍କୁ ପୁନର୍ବାର ଅଭିବାଦନ ଜଣାଇ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ମାତୁଳ ଶଲ୍ୟ ପ୍ରମୁଖଙ୍କ ନିକଟକୁ ଯାଇ ଯୁଧିଷ୍ଠିର ସେମାନଙ୍କୁ ଅଭିବାଦନ ଜଣାଇ ସେମାନଙ୍କଠାରୁ ଅନୁରୂପ ଆଶୀର୍ବାଦ ଭିକ୍ଷା କରିଥିଲେ, ଏବଂ ସେମାନଙ୍କଠାରୁ ଅନୁମତି ଲାଭକରି ନିଜର ସୈନ୍ୟ ମଧ୍ୟକୁ ଯୁଧିଷ୍ଠିର ଫେରିଆସିଥିଲେ । ଯୁଧିଷ୍ଠିର ନିଜର ରଥରେ ଆରୋହଣ କରିବା ପୂର୍ବରୁ କୌରବପକ୍ଷ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ, ‘‘ଯେଉଁମାନେ ପାଣ୍ଡବଙ୍କ ପକ୍ଷ ସମର୍ଥନକରି ଯୁଦ୍ଧ କରିବାକୁ ଇଚ୍ଛୁକ, ସେମାନେ ଆଗେଇ ଆସନ୍ତୁ, ମୁଁ ସେମାନଙ୍କୁ ସ୍ୱାଗତ କରୁଅଛି ।’’ ଯୁଧିଷ୍ଠିରଙ୍କର ବାକ୍ୟ ଶେଷ ହୋଇନାହିଁ ଧ୍ରୁତରାଷ୍ଟ୍ରଙ୍କର ପୁତ୍ର ଯୁଯୁତ୍ସୁ ଯୁଧିଷ୍ଠିରଙ୍କୁ କହିଲେ, ‘‘ମହାରାଜ, ମୁଁ ଆପଣଙ୍କ ପକ୍ଷ ସମର୍ଥନ କରି କୌରବମାନଙ୍କ ସହ ସଂଗ୍ରାମ କରିବାକୁ ଅଭିଳାଷୀ ।’’ ଏହା କହି ସେ ପାଣ୍ଡବଙ୍କ ପକ୍ଷରେ ଯୋଗଦେଲେ ଏବଂ ଯୁଧିଷ୍ଠିର ମଧ୍ୟ ତାଙ୍କୁ ବରଣ କରିନେଲେ । ଠିକ୍‌ ଏହା ପରେ ପରେ ଭୀଷଣ ବୀରବାଦ୍ୟ ଓ ଶଙ୍ଖଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଉଠିଲା ଓ ସଙ୍ଗେ ସଙ୍ଗେ କୌରବ ଓ ପାଣ୍ଡବ ସେନାଙ୍କ ମଧ୍ୟରେ ସେହି ବହୁ ପ୍ରତିକ୍ଷିତ ଯୁଦ୍ଧ ଆରମ୍ଭ ହୋଇଗଲା ।’’

Image

 

ଯୁଦ୍ଧ ଆରମ୍ଭ

 

କୁରୁକ୍ଷେତ୍ରର ସମରାଙ୍ଗନରେ କୌରବ ପାଣ୍ଡବଙ୍କ ମଧ୍ୟରେ ଅଠର ଦିନ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା ଏବଂ କୌରବଙ୍କ ପକ୍ଷରୁ ଏଗାର ଅକ୍ଷୌହିଣୀ ଓ ପାଣ୍ଡବଙ୍କ ପକ୍ଷରୁ ସାତ ଅକ୍ଷୌହିଣୀ ସୈନ୍ୟ ଏହି ମହାଯୁଦ୍ଧରେ ଅଂଶଗ୍ରହଣ କରିଥିଲେ । ଯୁଦ୍ଧ ଆରମ୍ଭ ହେବାପରେ କିଛି ସମୟ ପର୍ଯ୍ୟନ୍ତ ସମରକାଳୀନ ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା; ମାତ୍ର, ସମୟର ଗତି ସହ ତାଳ ଦେଇ ବେଳକୁ ବେଳ ଯୁଦ୍ଧ ଭୀଷଣରୁ ଭୀଷଣତର ଆକାର ଧାରଣ କରିଥିଲା । କୌରବମାନଙ୍କ ପକ୍ଷରୁ ଭୀଷ୍ମ ଅପ୍ରତିହତ କାଳଦଣ୍ଡ ପରି ସମରକ୍ଷତ୍ରର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ଧାବମାନ ହୋଇ ପାଣ୍ଡବ ପକ୍ଷର ବହୁ ସୈନ୍ୟଙ୍କୁ ଅବଲୀଳାକ୍ରମେ ସଂହାର କରିବାକୁ ଲାଗିଲେ । ଭୀଷ୍ମଙ୍କର ଅପୂର୍ବ ପରାକ୍ରମର ସମ୍ମୁଖୀନ ହେବାକୁ ପାଣ୍ଡବପକ୍ଷର ସୈନ୍ୟମାନେ ଅସମର୍ଥ ହେଲେ ଏବଂ ସେମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା । ଅବଶେଷରେ ସୂର୍ଯ୍ୟ ଅସ୍ତଯିବାରୁ ପ୍ରଥମ ଦିବସର ଯୁଦ୍ଧର ସେହିଠାରେ ଅବସାନ ହେଲା । ଉଭୟ ପକ୍ଷର ସୈନ୍ୟମାନେ ଯୁଦ୍ଧରୁ କ୍ଷାନ୍ତ ହୋଇ ବିଶ୍ରାମ କରିବାକୁ ଲଗିଲେ । ପ୍ରଥମଦିନର ଯୁଦ୍ଧରେ ବହୁସୈନ୍ୟଙ୍କ ସହ ପାଣ୍ଡବପକ୍ଷରୁ ବିରାଟଙ୍କ ପୁତ୍ର ଉତ୍ତର ଓ ଶ୍ୱେତଙ୍କର ମୃତ୍ୟୁ ଘଟିଥିଲା ।

 

ପ୍ରଥମ ଦିନର ଯୁଦ୍ଧରେ ନିଜପକ୍ଷରୁ ଏପରି ଶୋଚନୀୟ ପରିଣତି ଲକ୍ଷ୍ୟକରି ଯୁଧିଷ୍ଠିର ହତୋତ୍ସାହିତ ହୋଇପଡ଼ିଲେ ଏବଂ କୃଷ୍ଣଙ୍କୁ କହିଲେ ବାସୁଦେବ, ମହାପରାକ୍ରମଶାଳୀ ପିତାମହ ଭୀଷ୍ମ ଏକାବେଳେ ଅପ୍ରତିହତ । ଅଗ୍ନି ଯେପରି ମୃଗରାଶିକୁ ଅଚିରେ ଦଗ୍ଧ କରେ, ମହାବୀର ଭୀଷ୍ମ ଆମର ସମସ୍ତ ସୈନ୍ୟଙ୍କୁ ବିନାଶ କରିବେ, ଏଥିରେ ସନ୍ଦେହ ନାହଁ ।

 

କୃଷ୍ଣ କହିଲେ; ‘‘ହେ ଭରତକୂଳପ୍ରଦୀପ, ଆପଣଙ୍କର ଭାଇମାନେ ମହାପରାକ୍ରମଶାଳୀ-। ସାତ୍ୟକି, ବିରାଟ, ଦ୍ରୁପଦ ଓ ଧୃଷ୍ଟଦ୍ୟୁମ୍ନ ପ୍ରମୁଖ ମହାଧନୁର୍ଦ୍ଧର ବୀରମାନେ ଆପଣଙ୍କର ଏକାନ୍ତ ଅନୁଗତ । ମହାରଥ ଧୃଷ୍ଟଦ୍ୟୁମ୍ନ ଆପଣଙ୍କର ପ୍ରଧାନ ସେନାପତି । ଏପରିସ୍ଥଳେ ଆପଣଙ୍କର ହତୋତ୍ସାହିତ ହେବାର କୌଣସି କାରଣ ନାହିଁ । ଜାଣି ରଖନ୍ତୁ, ମହାବାହୁ ଶିଖଣ୍ଡୀ ନିଶ୍ଚୟ ଭୀଷ୍ମଙ୍କୁ ସଂହାର କରିବେ ।’’

 

କୃଷ୍ଣଙ୍କର କଥାରେ ଉତ୍ସାହିତ ହୋଇ ଯୁଧିଷ୍ଠିର ଧୃଷ୍ଟଦ୍ୟୁମ୍ନଙ୍କୁ କହିଲେ, “ଧୃଷ୍ଟଦ୍ୟୁମ୍ନ, ତୁମେ କୃଷ୍ଣଙ୍କ ପରି ମହାପରାକ୍ରମୀ; କାର୍ତ୍ତିକେୟ ଯେପର ଦେବତାମାନଙ୍କର ସେନାପତି ହୋଇ ଦେବତାମାନଙ୍କୁ ଯୁଦ୍ଧରେ ବିଜୟୀ କରାଇଥିଲେ, ତୁମେ ସେହିପରି ପାଣ୍ଡବମାନଙ୍କର ସେନାଧ୍ୟକ୍ଷ ହୋଇଅଛି । ତେଣୁ ପ୍ରକୃତ ବଳବିକ୍ରମ ପ୍ରକାଶ କରି କୌରବମାନଙ୍କୁ ସଂହାର କର ।’

 

ଯୁଧିଷ୍ଠିରଙ୍କ କଥାରେ ଧୃଷ୍ଟଦ୍ୟୁମ୍ନ ଉତ୍ସାହିତ ହୋଇ କହିଲେ, ‘ଭଗବାନ ଶିବ ମୋତେ ଦ୍ରୋଣାନ୍ତକ ଭାବରେ ସୃଷ୍ଟି କରିଅଛନ୍ତି । ମୁଁ ଭୀଷ୍ମ, ଦ୍ରୋଣ, କୃପ, ଶଲ୍ୟ ଓ ପ୍ରମୁଖ ବୀରମାନଙ୍କୁ ସଂହାର କରିବି, ଆପଣ ତେଣୁ ନିଶ୍ଚିନ୍ତ ରହନ୍ତୁ ।’

 

ଧୃଷ୍ଟଦ୍ୟୁମ୍ନଙ୍କର ବୀରତ୍ୱପୂର୍ଣ୍ଣ ବାକ୍ୟରେ ପାଣ୍ଡବପକ୍ଷର ବୀରମାନେ ଉତ୍ସାହିତ ହୋଇ ଉଚ୍ଚସ୍ଵରରେ ଧୃଷ୍ଟଦ୍ୟୁମ୍ନଙ୍କ ବିଜୟ କାମନା କରି ଗଗନ ପବନକୁ ପ୍ରକମ୍ପିତ କରିଦେଲେ ଏବଂ ବ୍ୟୂହ ରଚନା କରି ମହାବୀର ଅର୍ଜୁନଙ୍କୁ ସମ୍ମୁଖ ଭାଗରେ ରଖି ଦ୍ୱିତୀୟ ଦିବସର ଯୁଦ୍ଧପାଇଁ ସେମାନେ ପ୍ରସ୍ତୁତ ହୋଇ ସୂର୍ଯ୍ୟୋଦୟର ପ୍ରତୀକ୍ଷା କଲେ ।

 

ରଜନୀ ପ୍ରଭାତ ହେବାରୁ ଦୁର୍ଯ୍ୟୋଧନ ପାଣ୍ଡବପକ୍ଷର ସୈନ୍ୟବ୍ୟୂହ ରଚନା କରି ଅବସ୍ଥାନ କରି ରହିଥିବାର ଦେଖି ନିଜର ସୈନ୍ୟଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଲେ; ‘ହେ ବୀରମାନେ, ତୁମ୍ଭେମାନେ ଶାସ୍ତ୍ରଜ୍ଞ ଓ ବୀରତ୍ୱରେ ତୁମର ତୁଳନା ନାହିଁ । ତୁମ୍ଭମାନଙ୍କର ସମ୍ମିଳିତ ଚେଷ୍ଟାର କଥା ଦୂରେଥାଉ ତୁମ୍ଭେମାନେ ପ୍ରତ୍ୟେକେ ପାଣ୍ଡବପକ୍ଷର ସୈନ୍ୟଙ୍କୁ ପରାସ୍ତ କରିବାକୁ ସମର୍ଥ । ତା'ଛଡ଼ା ପାଣ୍ଡବପକ୍ଷର ସୈନ୍ୟଙ୍କ ତୁଳନାରେ ଆମର ସୈନ୍ୟସଂଖ୍ୟା ଅତ୍ୟଧିକ-। ତେଣୁ ଯୁଦ୍ଧରେ ନିକ ନିଜର ସେହି ଅତୁଳନୀୟ ବିକ୍ରମ ପ୍ରକାଶ କର ।’

 

ତହିଁ ପରେ ପରେ ଭୀଷ୍ମ ଶଙ୍ଖଧ୍ୱନି କରି ପାଣ୍ଡବମାନଙ୍କୁ ଯୁଦ୍ଧକୁ ଆହ୍ୱାନ କରିବାରୁ, ବାସୁଦେବ ପାଞ୍ଚଜନ୍ୟ, ଅର୍ଜୁନ ଦେବଦତ୍ତ, ଭୀମସେନ ପୌଣ୍ଡ୍ର, ଯୁଧିଷ୍ଠିର ଅନନ୍ତବିଜୟ, ନକୁଳ ସୁଘୋଷ, ସହଦେବ ମଣିପୁଷ୍ପକ ନାମକ ମହାଶଙ୍ଖ ନିନାଦ କରି ଭୀଷ୍ମଙ୍କର ପ୍ରତି ପ୍ରତିଆହ୍ୱାନ ଜଣାଇଲେ ।

 

ପରମୁହୂର୍ତ୍ତରେ ଉଭୟପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା । ଦ୍ୱିତୀୟ ଦିବସର ଯୁଦ୍ଧରେ ଭୀଷ୍ମ ପୂର୍ବପରି ଅସୀମ ବୀରତ୍ୱ ସହକାରେ ଯୁଦ୍ଧ କରିଥିଲେ ମଧ୍ୟ ଅର୍ଜ୍ଜୁନଙ୍କର ଅମିତପରାକ୍ରମର ସମ୍ମୁଖୀନ ହୋଇ ପାଣ୍ଡବ ପକ୍ଷରେ ପ୍ରଥମ ଦିବସ ପରି ଭୟସଞ୍ଚାର କରିବାରେ ସମର୍ଥ ହୋଇ ପାରି ନଥିଲେ । ଅର୍ଜ୍ଜୁନଙ୍କର ଅଜସ୍ର ଶର ବର୍ଷଣରେ କୌରବପକ୍ଷର ସୈନ୍ୟମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ।

 

ତାହା ଦେଖି ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ କହିଲେ; ‘ପିତାମହ, ଆପଣ ଏବଂ ଦ୍ରୋଣାଚାର୍ଯ୍ୟ ବିଦ୍ୟମାନ ଥାଉଁ ଥାଉଁ ପାଣ୍ଡୁପୁତ୍ର ଅର୍ଜ୍ଜୁନ ଆମର ସମସ୍ତ ସୈନ୍ୟଙ୍କୁ ବିନାଶ କରିବାକୁ ବସିଅଛି । ମହାବୀର କର୍ଣ୍ଣ ମୋର ଶୁଭାନୁଧ୍ୟାୟୀ ହୋଇମଧ୍ୟ ଆପଣଙ୍କ ଯୋଗୁ ଆଜି ସେ ସମର ପରାନ୍ମୁଖ । ଅଥଚ ଆପଣ ଅର୍ଜ୍ଜୁନର ପତନ ଦିଗରେ ବିଶେଷ ଯତ୍ନ କରୁନାହାନ୍ତି । ଅର୍ଜ୍ଜୁନକୁ ବିନାଶ ନ କଲେ ଆମର ସେନାବାହିନୀ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ।’

 

ଦୁର୍ଯ୍ୟୋଧନର ସମାଲୋଚନାରେ ବିରକ୍ତ ହୋଇ ଭୀଷ୍ମ ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ଓ କ୍ଷଣକ ମଧ୍ୟରେ ଭୀଷ୍ମ-ଅର୍ଜ୍ଜୁନଙ୍କ ମଧ୍ୟରେ ଏପରି ସଂଗ୍ରାମ ଅନୁଷ୍ଠିତ ହେଲା ଯେ ଦେବ, ଗନ୍ଧର୍ବ ଓ ମହର୍ଷିମାନେ ତାହା ଦେଖିବାକୁ ଆଗ୍ରହୀ ହୋଇଥିଲେ । ଦ୍ୱିତୀୟଦିନର ଯୁଦ୍ଧରେ ଭୀମସେନଙ୍କର ଯୁଦ୍ଧ ଅତି ପ୍ରଶଂସନୀୟ ଥିଲା । ତାଙ୍କ ହସ୍ତରେ ବହୁ ସଂଖ୍ୟକ କୌରବ ସୈନ୍ୟଙ୍କ ସହ କଳିଙ୍ଗର ସମ୍ରାଟ ଶ୍ରୁତାୟୁ, ଶତ୍ରୁଦେବ, ଭାନୁମାନ କେତୁମାନ ପ୍ରମୁଖ ତାଙ୍କର ପୁତ୍ରମାନେ ନିହତ ହୋଇଥିଲେ-। ପ୍ରଥମ ଦିବସରେ ଭୀଷ୍ମଙ୍କ ପରାକ୍ରମରେ ପାଣ୍ଡବଙ୍କ ସୈନ୍ୟମାନେ ହତୋତ୍ସାହିତ ହେଲାପରି ଦ୍ୱିତୀୟଦିବସରେ ମୁଖ୍ୟତଃ ଅର୍ଜ୍ଜୁନ ଓ ଭୀମସେନଙ୍କର ପରାକ୍ରମ ନିକଟରେ କୌରବ ପକ୍ଷର ସୈନ୍ୟମାନେ ଏକାବେଳେକେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଲେ । ଦ୍ୱିତୀୟ ଦିବସରେ କୌରବପକ୍ଷର ବହୁ ସୈନ୍ୟକ୍ଷୟ ଘଟିଥିଲା ।

 

ତୃତୀୟ ଦିବସର ଯୁଦ୍ଧରେ ପାଣ୍ଡବ ପକ୍ଷର ବୀରମାନେ କୌରବପକ୍ଷଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ରହିଲେ । ଭୀମସେନ ଓ ତାଙ୍କ ପୁତ୍ର ଘଟୋତ୍କଚଙ୍କ ଅପୂର୍ବ ସଂଗ୍ରାମରେ କୌରବ ପକ୍ଷର ବହୁସୈନ୍ୟ କ୍ଷୟହେଲା, ଏପରିକି ଭୀମସେନଙ୍କ ବାଣରେ ଦୁର୍ଯ୍ୟୋଧନ ନିଜରଥ ଉପରେ ମୂର୍ଚ୍ଛିତ ହୋଇପଡ଼ିଲେ । ଉପଯୁକ୍ତ ସମୟରେ ଦୁର୍ଯ୍ୟୋଧନଙ୍କ ସାରଥି ରଥ ନେଇ ପଳାୟନ କରିବାରୁ ସେ ରକ୍ଷା ପାଇଗଲେ । ପରେ ସଂଜ୍ଞା ଫେରିପାଇବା ପରେ ନିଜ ପକ୍ଷର ଶୋଚନୀୟ ଅବସ୍ଥା ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ କହିଲେ; ‘ପିତାମହ, ଆପଣ ନିଜେ ଏବଂ ମହାସ୍ତ୍ରବିଦ୍‌ଦ୍ରୋଣାଚାର୍ଯ୍ୟ, ମହାବୀର ଅଶ୍ୱତ୍‌ଥମା ଓ ମହାଧନୁର୍ଦ୍ଧର କୃପାଶ୍ଚାର୍ଯ୍ୟ ଜୀବିତ ଥାଉଁ ଥାଉଁ ଯୁଦ୍ଧଭୂମିରୁ କୌରବ ସୈନ୍ୟମାନଙ୍କର ଏପରି ପ୍ରାଣମୂର୍ଚ୍ଛା ପଳାୟନ ମୁଁ ସହ୍ୟ କରିପାରୁ ନାହିଁ । ପାଣ୍ଡବମାନଙ୍କ ହସ୍ତରେ ଆମର ସୈନ୍ୟମାନଙ୍କୁ ଏପରି ନିପୀଡ଼ିତ ହେଉଥିବାର ଲକ୍ଷ୍ୟ କରି ମଧ୍ୟ ପାଣ୍ଡବମାନଙ୍କୁ ଆପଣ ଯେପରି ଉପେକ୍ଷା କରୁଅଛନ୍ତି, ତହିଁରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ପାଣ୍ଡବଙ୍କ ପ୍ରତି ଆପଣ ସହାନୁଭୂତିଶୀଳ । ଆପଣଙ୍କ ମନରେ ଏପରି ଭାବ ଯଦି ଥିଲା, ଏହା ମୋତେ ପୂର୍ବରୁ କହିଥିଲେ ମୁଁ ଧୃଷ୍ଟଦ୍ୟୁମ୍ନ, ସାତ୍ୟକି ତଥା ପାଣ୍ଡବମାନଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇଥଆନ୍ତି । କେବଳ ଦ୍ରୋଣାଶ୍ଚାର୍ଯ୍ୟ, କର୍ଣ୍ଣ ଓ ଆପଣଙ୍କ ଉପରେ ନିର୍ଭର କରି ମୁଁ ଯୁଦ୍ଧରେ ପ୍ରବୃତ୍ତ ହୋଇଅଛି ।’

 

ଦୁର୍ଯ୍ୟୋଧନଙ୍କ କଥା ଶୁଣି ଭୀଷ୍ମ ବିରକ୍ତ ହୋଇ କହିଲେ; ‘ପାଣ୍ଡବମାନେ ଯେ ଅଜେୟ, ଏହି ହିତକର ବାକ୍ୟ ମୁଁ ପୂର୍ବରୁ ବହୁବାର ତୁମକୁ କହିଅଛି । ଯାହା ହେଉ, ବୃଦ୍ଧ ହେଲେ ମଧ୍ୟ ମୋର ସାଧ୍ୟାନୁସାରେ ଯୁଦ୍ଧ କରିବାରେ ମୁଁ କେବେ ତ୍ରୁଟି କରୁ ନାହିଁ ।’ ଏହାକହି ଭୀଷ୍ମ ପାଣ୍ଡବପକ୍ଷଙ୍କ ଉପରେ ପ୍ରବଳ ଆକ୍ରମଣ ଚଳାଇ ପାଣ୍ଡବପକ୍ଷର ବହୁସୈନ୍ୟଙ୍କୁ ବିନାଶ କଲେ । କୃଷ୍ଣ ଅର୍ଜୁନଙ୍କୁ ଉତ୍ସାହିତ କରି ଭୀଷ୍ମଙ୍କର ଗତିରୋଧ କରିବାକୁ ଉଦ୍ୟମ କଲେ ମଧ୍ୟ ଆଶାନୁରୂପ ଫଳ ନ ଦେଖିବାରୁ ଓ ଭୀଷ୍ମଙ୍କ ଆକ୍ରମଣରେ ଭୟଭୀତ ହୋଇ ପାଣ୍ଡବ ପକ୍ଷର ସୈନ୍ୟମାନେ ପଳାୟନ କରିବାରୁ କୃଷ୍ଣ କ୍ରୋଧାନ୍ୱିତ ହୋଇ ସାତ୍ୟକିଙ୍କୁ କହିଲେ, “ପାଣ୍ଡବପକ୍ଷରୁ ସମସ୍ତ ସୈନ୍ୟ ପଳାୟନ କରନ୍ତୁ । ମୁଁ ଏକାକୀ ଭୀଷ୍ମ ଓ ଦ୍ରୋଣଙ୍କ ସହ ସମସ୍ତ କୌରବ ସୈନ୍ୟକୁ ସଂହାର କରିବି-। ବର୍ତ୍ତମାନ ଚକ୍ର ଧାରଣ କିର ପ୍ରଥମେ ଭୀଷ୍ମ ଓ ପରେ ଦ୍ରୋଣକୁ l ବିନାଶ କରି ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜପଦରେ ଅଭିଷିକ୍ତ କରିବି ।’’ ଏହାକହି କୃଷ୍ଣ ସହସ୍ର ବଜ୍ରତୁଲ୍ୟ ସୁତୀକ୍ଷ୍‌ଣ ଚକ୍ରଧାରଣ କରି ଅର୍ଜୁନଙ୍କ ରଥରୁ ଅବତରଣ କରି ଭୀଷ୍ମଙ୍କ ଆଡ଼କୁ ଧାବମାନ ହେଲେ । ଚକ୍ରଧାରୀ କୃଷ୍ଣଙ୍କର ସେହି ଦୃଶ୍ୟ ଅନିର୍ବଚନୀୟ ଥିଲା ଏବଂ କୃଷ୍ଣଙ୍କୁ ଏପରି ଦର୍ଶନ କରି କୌରବ ବୀରମାନେ ଭୟରେ ଚିତ୍କାର କରିବାକୁ ଲାଗିଲେ । ସତେ ଯେପରି ସମସ୍ତ ଜଗତକୁ ଧ୍ୱଂସ କରିବାକୁ କୃଷ୍ଣ ଆଜି ଚକ୍ର ଧାରଣ କରି ଅଛନ୍ତି, ଏହିପରି ଜଣାପଡ଼ିଲା ।

 

କ୍ରୋଧାନ୍ୱିତ ଚିତ୍ତରେ କୃଷ୍ଣକୁ ଆସୁଥିବାର ଦେଖି ଭୀଷ୍ମ କହିଲେ, ‘ହେ ଜଗନ୍ନିବାସ ହେ ଚକ୍ରଧାରି, ତୁମକୁ ନମସ୍କାର । ହେ କୃଷ୍ଣ, ମୋତେ ଅବିଳମ୍ବେ ହତ୍ୟା କର । ତୁମ ହସ୍ତରେ ନିହତ ହେଲେ ମୋର ଇହଲୋକ ଓ ପରଲୋକରେ ଅଶେଷ ଶ୍ରେୟ ଲାଭ ହେବ ।’

 

କୃଷ୍ଣ କହିଲେ, ‘ହେ ଭୀଷ୍ମ, ତୁମେ ଏହି ମହାଯୁଦ୍ଧର ମୂଳ କାରଣ । ତୁମପାଇଁ ଆଜି ଦୁର୍ଯ୍ୟୋଧନ ପ୍ରମୁଖ ବିନଷ୍ଟ ହେବାକୁ ଯାଉଅଛନ୍ତି । ଦ୍ୟୁତାସକ୍ତ ରଜାଙ୍କୁ ଦ୍ୟୁତରୁ ନିବାରଣ କରିବାହିଁ ମନ୍ତ୍ରୀର ପ୍ରଧାନ କର୍ତ୍ତବ୍ୟ । ରାଜା ଯଦି ମନ୍ତ୍ରୀର ହିତ ଉପଦେଶ ପ୍ରତି ଅନାସ୍ଥା ପ୍ରକାଶ କରନ୍ତି, ତେବେ ସେ କ୍ଷେତ୍ରରେ ଗଜାଙ୍କୁ ତ୍ୟାଗ କରିବା ହିଁ ମନ୍ତ୍ରୀଙ୍କର ସମୁଚିତ କାର୍ଯ୍ୟ ।’

 

ଭୀଷ୍ମ କହିଲେ, ‘ଜନାର୍ଦ୍ଦନ, ଦୈବ ହିଁ ସବୁଠାରୁ ବଳବାନ୍ । କଂସକୁ ଯଦୁବଂଶର ଲୋକମାନେ ବଂଶର ହିତ ପାଇଁ ପରିତ୍ୟାଗ କରିଥିଲେ । ମୁଁ ଏହିକଥା ଧୃତରାଷ୍ଟ୍ରଙ୍କୁ ବହୁବାର କହିଥିଲେ ମଧ୍ୟ ସେ ଦୈବର କବଳିତ ହୋଇ ମୋ ପ୍ରଦତ୍ତ ସେହି ହିତବାକ୍ୟକୁ ଉପେକ୍ଷା କରିଅଛନ୍ତି ।’

 

କୃଷ୍ଣ ଓ ଭୀଷ୍ମଙ୍କ ମଧ୍ୟରେ ଏହିପରି କଥୋପକଥନ ହେଉଥିବା ସମୟରେ ଅର୍ଜ୍ଜୁନ ଅତି ସତ୍ୱର ରଥରୁ ଅବତୀର୍ଣ୍ଣ ହୋଇ କୃଷ୍ଣଙ୍କୁ ଧରି ପକାଇ ତାଙ୍କୁ କ୍ଷାନ୍ତ କଲେ ଓ କହିଲେ, “ହେ କେଶବ, କ୍ରୋଧ ପରିତ୍ୟାଗ କର । ତୁମେ ପାଣ୍ଡବମାନଙ୍କର ଏକମାତ୍ର ଆଶ୍ରୟଦାତା । ମୁଁ ପୁତ୍ର ଓ ଭ୍ରାତାମାନଙ୍କ ନାମରେ ଆଜି ଶପଥ କରି କହୁଅଛି ଯେ, ମୁଁ କୁରୁବଂଶକୁ ନିଶ୍ଚୟ ସମୁଳେ ବିନାଶ କରିବି ।’

 

ଅର୍ଜ୍ଜୁନଙ୍କର କଥାରେ ପ୍ରୀତ ହୋଇ କୃଷ୍ଣ ଅର୍ଜୁନଙ୍କ ରଥକୁ ଫେରି ଆସିଥିଲେ ଏବଂ ପର ମୁହୂର୍ତ୍ତରେ ଅର୍ଜୁନ ଭୀଷ୍ମଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଅନୁଷ୍ଠିତ ହୋଇଥିଲା । ଭୀଷ୍ମଙ୍କ ଯୁଦ୍ଧରେ କେତେକ ସମୟ ପାଇଁ ପାଣ୍ଡବ ପକ୍ଷରେ ନୈରାଶ୍ୟ ଖେଳିଯାଇଥିଲେ ମଧ୍ୟ ତୃତୀୟ ଦିନର ଯୁଦ୍ଧରେ କୌରବ ପକ୍ଷର ବୀରମାନେ ଅର୍ଜ୍ଜୁନଙ୍କର ବୀରତ୍ୱର ବିଶେଷ ପ୍ରଶଂସା କରି ଶିବିରକୁ ପ୍ରତ୍ୟାଗମନ କରିଥିଲେ ।

 

ଚତୁର୍ଥ ଦିନର ଯୁଦ୍ଧରେ ପାଣ୍ଡବ ପକ୍ଷଙ୍କର ପ୍ରାଧାନ୍ୟ ଅପ୍ରତିହତ ଥିଲା । ଏହି ଦିବସର ଯୁଦ୍ଧରେ ଭୀମଙ୍କ ହସ୍ତରେ ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଳସନ୍ଧ, ସୁଷେଣ, ଉଗ୍ର, ଭୀମ, ଭୀମରଥ, ବୀରବାହୁ, ସୁଲୋଚନ ଓ ସେନାନୀ ନାମକ ଆଠଜଣ ନିହତ ହୋଇଥିଲେ ଏବଂ କୌରବମାନେ ବିଶେଷ ଭାବରେ ପରାଜିତ ହୋଇଥିଲେ । ଦୁର୍ଯ୍ୟୋଧନ ଭାଇମାନଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ । ପାଣ୍ଡବମାନଙ୍କ ପକ୍ଷରୁ ଭୀମସେନ ଓ ଘଟୋତ୍କଚଙ୍କ ବିକ୍ରମ ବିଶେଷ ପ୍ରଶଂସନୀୟ ଥିଲା ।

 

ସଞ୍ଜୟଙ୍କଠାରୁ ଯୁଦ୍ଧବୃତ୍ତାନ୍ତ ଧୃତରାଷ୍ଟ୍ର ଶୁଣୁଥିଲେ । ସେ କହିଲେ, ‘‘ସଞ୍ଜୟ, ମହାତ୍ମା ବିଦୁରଙ୍କ କଥା ସ୍ମରଣ କରି ମୋର ହୃଦୟ ଦଗ୍ଧୀଭୂତ ହେଉଅଛି । ସେ ଯାହା ଯାହା କହିଥିଲେ, ଆଜି ତାହାହିଁ ଘଟୁଛି । ମୋର ପୁତ୍ରମାନଙ୍କ ଉପରକୁ ଦାରୁଣ ବିପଦ ମାଡ଼ି ଆସୁଅଛି । ଦେବ ଦୁଷ୍କର୍ମା ପାଣ୍ଡବଙ୍କ ହସ୍ତରେ ସମଗ୍ର କୌରବ ସେନା ନିଶ୍ଚୟ ବିନାଶ ପ୍ରାପ୍ତ ହେବେ ଓ ଭୀମସେନ ନିଶ୍ଚୟ ମୋର ପୁତ୍ରମାନଙ୍କୁ ଏହିପରି ସଂହାର କରିବ । ପାଣ୍ଡବଙ୍କ ହସ୍ତରୁ କୌରବମାନଙ୍କୁ ରକ୍ଷା କରିବ, ଏପରି ବାର ତ କାହିଁ ଦେଖୁନାହିଁ ।’’

 

ସଞ୍ଜୟ କହିଲେ, “ମହାରାଜ, ପୂର୍ବେ ବିଦୁର, ଭୀଷ୍ମ, ଦ୍ରୋଣ ଓ ଅନ୍ୟାନ୍ୟ ହିତାକାଙ୍‌କ୍ଷୀ ମିତ୍ରମାନେ ଓ ମୁଁ ଆପଣଙ୍କୁ ହିତକର ବାକ୍ୟ କହିଥିଲେ ମଧ୍ୟ, ହତଭଗ୍ୟ ରୋଗୀ ଔଷଧ ପ୍ରତ୍ୟାଖ୍ୟାନ କଲାପରି ଆପଣ ତାହା ଗ୍ରହଣ କରି ନାହାନ୍ତି, ଆପଣଙ୍କର ପୁତ୍ରମାନେ ସ୍ୱଭାବତଃ ଧର୍ମବିରୋଧୀ, ଦୁରାତ୍ମା ଓ ନୀଚ ସ୍ୱଭାବସମ୍ପନ୍ନ ହୋଇ ପାଣ୍ଡବମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଓ ଅନ୍ୟାୟ କରି ଆସିଛନ୍ତି । ପାଣ୍ଡବମାନେ ଧର୍ମପରାୟଣ ଓ ମହା ପରାକ୍ରମଶାଳୀ, ଧର୍ମ ଯେଉଁ ପକ୍ଷରେ, ସେହି ପକ୍ଷହିଁ ବିଜୟୀ ହୋଇଥାଏ । ପାଣ୍ଡବମାନଙ୍କର ସେହି ପରାକ୍ରମ ପ୍ରସ୍ତୁତ ବିଜୟକୁ କିଏ ପ୍ରତିହତ କରିବ । ଏହା କହି ସଞ୍ଜୟ ପୂର୍ବପରି ଧୃତରାଷ୍ଟ୍ରଙ୍କ ନିକଟରେ ଯୁଦ୍ଧର ବିବରଣୀ ଦେବାକୁ ଲାଗିଲେ ।

 

ଦିନପରେ ଦିନ ଅତିବାହିତ ହେବା ସଙ୍ଗେ ସଙ୍ଗେ ପରାକ୍ରମଶାଳୀ ପାଣ୍ଡବଙ୍କ ହସ୍ତରେ କୌରବ ପକ୍ଷର ବତୁ ସୈନ୍ୟ ହିତାହତ ହେଲେ । ଯୁଦ୍ଧର ପଞ୍ଚମ ଦିବସ ଠାରୁ ନବମ ଦିବସ ମଧ୍ୟରେ କୌରବ ପକ୍ଷରୁ ଯେଉଁମାନେ ନିହତ ହୋଇଥିଲେ, ସେମାନଙ୍କ ମଧ୍ୟରେ ଧୃତରାଷ୍ଟ୍ରଙ୍କର ସତର ଜଣ ପୁତ୍ର ଓ ଶକୁନିଙ୍କର ଛ’ ଭଇ ଅନ୍ତର୍ଭୁକ୍ତ । ଏହି ସମୟ ମଧ୍ୟରେ ପାଣ୍ଡବଙ୍କ ପକ୍ଷରୁ ଅର୍ଜ୍ଜୁନ ପୁତ୍ର ଇରାବାନ୍ ମଧ୍ୟ ନିହତ ହୋଇଥିଲେ ।

Image

 

ଭୀଷ୍ମଙ୍କର ଶରଶଯ୍ୟା

 

ଯୁଦ୍ଧରେ ନିଜପକ୍ଷର ଏପରି ଶୋଚନୀୟ ଜନକ୍ଷୟ ଓ ପରାଜୟ ଲକ୍ଷ୍ୟକରି ପାଣ୍ଡବମାନଙ୍କୁ ପରାଜିତ ଓ ନିହତ କରିବା ଉଦେଶ୍ୟରେ କର୍ଣ୍ଣ ଓ ଶକୁନିଙ୍କ ସହ ଦୁର୍ଯ୍ୟୋଧନ ମନ୍ତ୍ରଣାକଲେ ।

 

ଦୁର୍ଯ୍ୟୋଧନ କହିଲେ, “ହେ ବୀରଗଣ, ଭୀଷ୍ମ, ଦ୍ରୋଣ କୃପ, ଶଲ୍ୟ ପ୍ରମୁଖ ବୀରମାନେ ମିଳିତ ହୋଇ ମଧ୍ୟ ପାଣ୍ଡବଙ୍କୁ ସଂହାର କରିବାକୁ ଯେ ସେମାନେ କିପରି ସମର୍ଥ ହେଉ ନାହାନ୍ତି, ତା’ର କାରଣ ଭାବିପାରୁ ନାହିଁ । ପାଣ୍ଡବମାନଙ୍କୁ ଅତି ଶୀଘ୍ର ନିପାତ ନ କଲେ, ଆମର ସମସ୍ତ ସୈନ୍ୟ ସେମାନଙ୍କ ଦ୍ୱାରା ବିନାଶପ୍ରାପ୍ତ ହେବେ । ତେଣୁ ସେମାନଙ୍କୁ କିପରି ପରାଭୂତ କରିବା, ତା’ର ଉପାୟ ସ୍ଥିର କରନ୍ତୁ ।’’

 

କର୍ଣ୍ଣ କହିଲେ, “ହେ ଭରତଶ୍ରେଷ୍ଠ । ଆପଣ ହତୋତ୍ସାହିତ ହୁଅନ୍ତୁ ନାହିଁ । ଭୀଷ୍ମ ସର୍ବଦା ପାଣ୍ଡବଙ୍କ ପ୍ରତି ସହାନୁଭୂତିଶୀଳ । ତା‘ଛଡ଼ା ସେ ଅତି ସମରାଭିମାନୀ ଓ ମହାବୀର ପାଣ୍ଡବଙ୍କୁ ପରାଜିତ କରିବାର ସାମର୍ଥ୍ୟ ମଧ୍ୟ ତାଙ୍କର ନାହିଁ । ଭୀଷ୍ମ ଯୁଦ୍ଧରୁ ଅପସରି ଆସନ୍ତୁ, ମୁଁ ପାଣ୍ଡବମାନଙ୍କ ସହ ତାଙ୍କର ସମସ୍ତ ସୈନ୍ୟକୁ ଅବିଳମ୍ବେ ବିନାଶ କରିବି ।’’

 

କର୍ଣ୍ଣଙ୍କର ଏହି ଉତ୍ସାହପ୍ରଦ ବାକ୍ୟ ଶ୍ରବଣ କରି ଦୁଃଶାସନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହି କର୍ଣ୍ଣଙ୍କୁ କହିଲେ, ‘‘ତୁମ କଥାନୁସାରେ ଭୀଷ୍ମ ଯୁଦ୍ଧରୁ ଅପସର ଆସିବା ଉଚିତ । ସେ ଦିଗରେ ତାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ମୁଁ ବର୍ତ୍ତମାନ ତାଙ୍କ ଶିବିରକୁ ଯାଉଅଛି । ଭୀଷ୍ମ ଯୁଦ୍ଧରୁ କ୍ଷାନ୍ତ ହେଲେ ଯୁଦ୍ଧରେ ଅଂଶ ଗ୍ରହଣ କରିବା ପାଇଁ ତୁମର ଆଉ କୌଣସି ବାଧା ରହିବ ନାହିଁ ।’’ ଏହା କହି ଭୀଷ୍ମଙ୍କ ଶିବିର ଉଦ୍ଦେଶ୍ୟରେ ଦୁର୍ଯ୍ୟୋଧନ ପ୍ରସ୍ଥାନ କଲେ ।

ଭୀଷ୍ମ ତାଙ୍କ ଶିବିରରେ ଅବସ୍ଥାନ କରୁଥିଲେ । ଦୁର୍ଯ୍ୟୋଧନ ଶିବିରରେ ପହଞ୍ଚି ଭୀଷ୍ମଙ୍କୁ ଅଭିବାଦନ କର କହିଲେ, “ହେ ଅରାତିନିପତନ ! ଆପଣଙ୍କ ଉପରେ ନିର୍ଭର କରି ମୁଁ ପାଣ୍ଡବମାନଙ୍କୁ ଜୟ କରିବାକୁ ଯେଉଁ ଆଶାପୋଷଣ କରିଅଛି, ତାହା ବୃଥା ଆଶା ନୁହେଁ । କିନ୍ତୁ ଆଜି ପର୍ଯ୍ୟନ୍ତ ପାଣ୍ଡବମାନେ ପରାଜିତ ନ ହୋଇଥିବାରୁ ମୁଁ ବିଶେଷ ଚିନ୍ତିତ । ଆପଣ ଦୟାକରି ସେମାନଙ୍କୁ ପରାଜିତ କରିବାକୁ ଯତ୍ନବାନ୍ ହୁଅନ୍ତୁ । ହେ ମହାତ୍ମା, ଯହି ପାଣ୍ଡବମାନଙ୍କ ପ୍ରତି ଆପଣ ଦୟାପରବଶ ହୋଇ ସେମାନଙ୍କୁ ନିହତ କରିବାକୁ ଇଚ୍ଛା କରୁନଥାନ୍ତି, ତେବେ ମହା ପରାକ୍ରମୀ ସମରକୁଶଳୀ କର୍ଣ୍ଣଙ୍କୁ ଅନୁମତି ଦିଅନ୍ତୁ, ସେ ପାଣ୍ଡବମାନଙ୍କୁ ପରାଜିତ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।’’

ଦୁର୍ଯ୍ୟୋଧନଙ୍କର କଥା ଭୀଷ୍ମଙ୍କୁ ବିଶେଷ ପୀଡ଼ିତ କଲା । ସେ କହିଲେ,’’ହେ ଦୁର୍ଯ୍ୟୋଧନ, ତୁମର ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ମୁଁ ଯଥାଶକ୍ତି ଚେଷ୍ଟା କରୁଥିବା ସମୟରେ, ବିଶେଷକରି ନିଜର ଜୀବନକୁ ବିପଦାପନ୍ନ କରିବାକୁ ପରାନ୍ଖୁନ ନଥିବା ବେଳେ, ମୋ’ ପ୍ରତି ତୁମର କଟୁବାକ୍ୟ ଶୋଭାପାଏ ନାହିଁ । ପାଣ୍ଡବମାନେ ଯେ ମହାପରାକ୍ରମଶାଳୀ ଓ ତାଙ୍କୁ ଜୟ କରିବା ଯେ ସହଜସାଧ୍ୟ ନୁହେଁ, ଏକଥା କ’ଣ ତୁମେ ବୁଝିପାରୁ ନାହିଁ ? ପାଣ୍ଡବମାନେ ଖାଣ୍ଡବବନ ଦହନ ସମୟରେ ଅଗ୍ନିକୁ ତୁଷ୍ଟ କରିବାରେ, ଗନ୍ଧର୍ବମାନଙ୍କ ହସ୍ତରୁ ତୁମର ମୁକ୍ତ କରିବାରେ, ବିରାଟରାଜ୍ୟ ଆକ୍ରମଣ ସମୟରେ ଏକାକୀ ଅର୍ଜ୍ଜୁନ କର୍ଣ୍ଣ ସହ ଆମ୍ଭମାନଙ୍କୁ ପରାସ୍ତ କରିବାରେ ପାଣ୍ଡବମାନେ ସ୍ୱକୀୟ ବୀରତ୍ୱର ପରିଚୟ ଦେଇ ଅଛନ୍ତି । ସେହି ପାଣ୍ଡବମାନଙ୍କୁ ଯେତେବେଳେ ଅନନ୍ତ ଶକ୍ତିମାନ୍‌, ସୃଷ୍ଟି ସଂହକାରୀ ପରମାତ୍ମା ବାସୁଦେବ ରକ୍ଷା କରୁଅଛନ୍ତି, ସେମାନଙ୍କୁ ଜୟ କରିବାକୁ ଆଶା କରିବା ବିଡ଼ମ୍ୱନା ମାତ୍ର । ତେବେ ଶିଖଣ୍ଡୀଙ୍କୁ ପରିତ୍ୟାଗ କରି ଅନ୍ୟମାନଙ୍କ ସହ ସମସ୍ତ ଶକ୍ତି ବିନିଯୋଗ କରି ଯୁଦ୍ଧ କରିବାକୁ ମୁଁ ପ୍ରତିଶ୍ରୁତି ଦେଉଛି । ତୁମେ ନିଶ୍ଚିନ୍ତ ମନରେ ଶିବିରକୁ ଫେରିଯାଅ ।

ଭୀଷ୍ମଙ୍କ ବାକ୍ୟରେ ଆଶ୍ୱସ୍ତ ହୋଇଦୁର୍ଯ୍ୟୋଧନ ନିଜ ଶିବିରକୁ ଫେରି ଆସିଲେ ଓ ଆଗାମୀ ଦିବସରେ ଯୁଦ୍ଧରେ ସବୁଶକ୍ତି ବିନିଯୋଗ କରି ଭୀଷ୍ମଙ୍କୁ ସହଯୋଜ କରିବାକୁ ନିଜର ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ।

ନବମ ଦିବସରେ ଭୀଷ୍ମ ସର୍ବତୋଭଦ୍ର ବ୍ୟୂହ ରଚନା କରି ଯୁଦ୍ଧ କରିଥିଲେ ଓ ପାଣ୍ଡବମାନେ ମଧ୍ୟ କୌରବ ସୈନ୍ୟଙ୍କୁ ଉପଯୁକ୍ତ ଭାବେ ପ୍ରତିରୋଧ କରି ସଂଗ୍ରାମ କରିଥିଲେ । ସେଦିନର ଯୁଦ୍ଧରେ ଭୀଷ୍ମଙ୍କର ପରାକ୍ରମ ଏପରି ଅପ୍ରତିହତ ଥିଲା ଯେ, ଭୀଷ୍ମଙ୍କ ଶରରେ ଅର୍ଜ୍ଜୁନ ଓ କୃଷ୍ଣଙ୍କର ଶରୀର କ୍ଷତବିକ୍ଷତ, ରକ୍ତାପ୍ଳୁତ ହୋଇପଡ଼ିଲା । ଭୀଷ୍ମଙ୍କ ଶରରେ ପାଣ୍ଡବ ପକ୍ଷରେ ବହୁ ବୀର ନିହତ ହେଉଥିବାର ଦେଖି ମଧ୍ୟ ଅର୍ଜ୍ଜୁନ ଉପଯୁକ୍ତ ଭାବରେ ଭୀଷ୍ମଙ୍କ ସହ ଯୁଦ୍ଧ କରୁନଥିବାର ଲକ୍ଷ୍ୟକରି କୃଷ୍ଣ ସହ୍ୟ କରିପାରିଲେ ନାହିଁ ଏବଂ ରଥରୁ ଅବତରଣ କରି ଚିତ୍ରଧାରଣ କରି ଭୀଷ୍ମଙ୍କ ଆଡ଼କୁ ଦୌଡ଼ି ଆସିଲେ । ନିଜଆଡ଼କୁ କୃଷ୍ଣ ଆଗେଇ ଆସୁଥିବାର ଦେଖି ଭୀଷ୍ମ କହିଲେ, ‘‘ହେ ପୁଣ୍ଡରୀକାକ୍ଷ, ହେ ଦେବଦେବ ! ଆପଣଙ୍କୁ ନମସ୍କାର । ଆସନ୍ତୁ । ଆପଣଙ୍କ ହସ୍ତରେ ଏହି ମହାଯୁଦ୍ଧରେ ନିହତ ହେଲେ ମୋର ଶ୍ରେୟ ଲାଭ ହେବ । ମୋତେ ଆପଣ ନିହତ କରନ୍ତୁ ।’’ ଭୀଷ୍ମଙ୍କ ଅଭିମୁଖେ କୃଷ୍ଣ ଅସ୍ତ୍ରଧାରଣ କରି ଆଗେଇ ଯାଉଥିବାରୁ ଲକ୍ଷ୍ୟ କରି ଅର୍ଜ୍ଜୁନ ତତ୍‌କ୍ଷଣାତ୍‌ କୃଷ୍ଣଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ଧରିପକାଇ କହିଲେ,’‘ହେ ମହାବାହୁ, ଆପଣ କ୍ଷାନ୍ତ ହୁଅନ୍ତୁ । ଆପଣ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି ପୂର୍ବରୁ ପ୍ରତିଜ୍ଞାକରି ବର୍ତ୍ତମାନ ଯୁଦ୍ଧରେ ପ୍ରବୃତ୍ତ ହେବା ଉଚିତ ନୁହେଁ; ତାହା କଲେ ଅପଯଶର ଭାଗୀ ହେବେ । ମୁଁ ଆଜି ଭୀଷ୍ମଙ୍କୁ ବିନାଶ କରିବି । ଆପଣ କ୍ଷାନ୍ତ ହୁଅନ୍ତୁ ।’’ ଅର୍ଜ୍ଜୁନଙ୍କ କଥାରେ କୃଷ୍ଣ ରଥକୁ ଫେରିଆସିଲେ ଏବଂ ପରମୁହୂର୍ତ୍ତରେ ଭୀଷ୍ମ ଅର୍ଜ୍ଜୁନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ପୁନର୍ବାର ଅନୁଷ୍ଠିତ ହୋଇଗଲା ।

ସନ୍ଧ୍ୟା ଉପଗତ ହେବାରୁ ନବମ ଦିବସରେ ଯୁଦ୍ଧର ପରିସମାପ୍ତି ଘଟିଲା । ଭୀଷ୍ମଙ୍କର ଅପ୍ରତିହତ ଆକ୍ରମଣରେ ପାଣ୍ଡବପକ୍ଷରେ ସୈନ୍ୟମାନେ ଶୋଚନୀୟ ଭାବରେ ପରାଜିତ ହୋଇଥିଲେ; ତେଣୁ ଭୀଷ୍ମଙ୍କୁ କିପରି ନିହତ କରାଯିବ ସେହି ଚିନ୍ତାରେ ସମସ୍ତ ରାତି ପାଣ୍ଡବମାନେ ବିଶେଷ ଚିନ୍ତିତ ହୋଇପଡ଼ିଲେ ।

ତହିଁ ପରଦିନର ଯୁଦ୍ଧ ଆରମ୍ଭ ହେବାମାତ୍ରେ ଶିଖଣ୍ଡୀଙ୍କୁ ପୂର୍ବଭାଗରେ ରଖି ପାଣ୍ଡବମାନେ ଯୁଦ୍ଧ କରିବାକୁ ଲାଗିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଅନୁଷ୍ଠିତ ହେଲା ଏବଂ ତହିଁମଧ୍ୟରେ ଶିଖଣ୍ଡୀ ତିନିଗୋଟି ଶର ଦ୍ୱାରା ଭୀଷ୍ମଙ୍କ ବକ୍ଷଦେଶକୁ ବିଦ୍ଧ କରିବାକୁ ଭୀଷ୍ମ କହିଲେ,‘‘ଶିଖଣ୍ଡୀ, ମୋ’ ପ୍ରତି ତୁମେ ଶର ନିକ୍ଷେପ କର ବା ନ କର ମୁଁ ତୁମ ସହ ଯୁଦ୍ଧ କରିବି ନାହିଁ-। ଭଗବାନ ତୁମକୁ ନାରୀ କରି ସୃଷ୍ଟି କରିଥିଲେ, ତେଣୁ ମୋ’ ଦୃଷ୍ଟିରେ ତୁମେ ଏବେ ବି ନାରୀ ହୋଇ ରହିଅଛ ।’’

ଶିଖଣ୍ଡୀ କହିଲେ,’‘ହେ କ୍ଷତ୍ରିୟ କ୍ଷୟକାରୀ ଭୀଷ୍ମ ! ମୁଁ ତୁମକୁ ଜାଣେ ଏବଂ ତୁମେ ଯେ ପର୍ଶୁରାମଙ୍କ ସହ ଅତୀତରେ ଯୁଦ୍ଧକରିଥିଲ, ତାହା ମୋର ସ୍ମରଣ ଅଛି । ତେଣୁ ମୋର ଓ ପାଣ୍ଡବମାନଙ୍କର ପ୍ରିୟକାର୍ଯ୍ୟ ସମ୍ପାଦନ ନିମିତ୍ତ ମୁଁ ତୁମକୁ ଯୁଦ୍ଧରେ ସଂହାର କରିବି । ତୁମେ ମୋ’ ସହ ଯୁଦ୍ଧ କର ବା ନ କର ମୋ’ ହସ୍ତରୁ ତୁମେ ରକ୍ଷା ପାଇବ ନାହିଁ ।’’ ଏହା କହି ଭୀଷ୍ମଙ୍କ ପ୍ରତି ପାଞ୍ଚ ଗୋଟି ଶର ନିକ୍ଷେପ କରି ତାଙ୍କୁ ଆହତ କଲେ । ଅର୍ଜ୍ଜୁନ ନିକଟରେ ଉପସ୍ଥିତ ଥିଲେ, ଭୀଷ୍ମଙ୍କୁ ହତ୍ୟା କରିବାର ଉପଯୁକ୍ତ ସମୟ ଉପସ୍ଥିତ ହୋଇଅଛି ଭାବି ଅର୍ଜ୍ଜୁନ କହିଲେ,‘‘ଶିଖଣ୍ଡୀ, ମୁଁ ତୁମକୁ ସାହାଯ୍ୟ କରୁଅଛି । ତୁମେ ଭୀଷ୍ମଙ୍କୁ ଆକ୍ରମଣ କର । ଭୀଷ୍ମଙ୍କୁ ସଂହାର କରିବାର ଏହାହିଁ ଉପଯୁକ୍ତ ସମୟ ।’’ ଅର୍ଜ୍ଜୁନଙ୍କ ବାକ୍ୟରେ ଉତ୍ସାହିତ ହୋଇ ଶିଖଣ୍ଡୀ ଓ ତାଙ୍କ ସହ ଧୁଷ୍ଟଦ୍ୟୁମ୍ନ ଅଭିମନ୍ୟୁ, ବିରାଟ, ଦ୍ରୁପଦ, ଯୁଧିଷ୍ଠିର, ନକୁଳ ଓ ସହଦେବ, ପ୍ରମୁଖ ଭୀଷ୍ମଙ୍କୁ ଆକ୍ରମଣ କଲେ । ଶିଖଣ୍ଡୀଙ୍କୁ ତ୍ୟାଗ କରି ଭୀଷ୍ମ ଅନ୍ୟମାନଙ୍କ ସହ ଭୀଷଣ ଯୁଦ୍ଧ କଲେ । ଅର୍ଜ୍ଜୁନ ଶିଖଣ୍ଡୀଙ୍କୁ ନିଜ ରଥର ପୂର୍ବଭାଗରେ ରଖି ଭୀଷ୍ମଙ୍କ ସହ ଯୁଦ୍ଧ କଲେ । ଭୀଷ୍ମଙ୍କର ସର୍ବାଙ୍ଗରେ ଅର୍ଜ୍ଜୁନ ଓ ଶିଖଣ୍ଡୀଙ୍କ ନିକ୍ଷିପ୍ତ ଶର ବିଦ୍ଧ ହୋଇଥିଲା ଏବଂ ସେହିପରି ଶର ଆଚ୍ଛାଦିତ ହୋଇଥିବା ଅବସ୍ଥାରେ ଦଶମ ଦିବସରେ ଯୁଦ୍ଧରେ ଅପରାହ୍ନାରେ ରଥକୁ ଭୀଷ୍ମଙ୍କର ପତନ ହେଲା । ଭୀଷ୍ମଙ୍କର ପତନ ସମ୍ବାଦରେ ଉଭୟ ପକ୍ଷରେ ସୈନ୍ୟମାନଙ୍କ ମଧ୍ୟରେ ଦୁଃଖର ଛାୟା ଘୋଟିଗଲା ଏବଂ ସନ୍ଧ୍ୟା ଉତ୍ତୀର୍ଣ୍ଣ ସ୍ଥଗିତ ରହିଲା । କୌରବ ଓ ପାଣ୍ଡବ ବୀରମାନେ ଅସ୍ତ୍ରତ୍ୟାଗ କରି ଶେଷ ଦର୍ଶନ ନିମନ୍ତେ ଭୀଷ୍ମଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ଭୀଷ୍ମଙ୍କର ମସ୍ତକ ଭିନ୍ନ ସର୍ବାଙ୍ଗ ଶରରେ ଆଚ୍ଛାଦିତ ହୋଇଥିବାରୁ, ସେ ତଳେ ପଡ଼ି ମଧ୍ୟ ଶରଶଯ୍ୟାରେ ଶୋଇ ରହିବାପରି ଶୋଭା ପାଇଲେ ଓ ତାଙ୍କର ମସ୍ତକ ତଳକୁ ଝୁଲିପଡ଼ିଥିଲା ।

ବୀରମାନଙ୍କୁ ଲକ୍ଷ୍ୟ କରି ଭୀଷ୍ମ କହିଲେ, ‘‘ତୁମ୍ଭମାନଙ୍କୁ ଦର୍ଶନକରି ମୁଁ ପ୍ରୀତି ଲାଭ କରିଅଛି । ମୋର ମସ୍ତକ ଆଶ୍ରୟ ଅଭାବରେ ତଳକୁ ଝୁଲି ଅଛି, ତେଣୁ ମସ୍ତକକୁ ଧାରଣ କରିବା ପାଇଁ ଉପାଧାନର ବ୍ୟବସ୍ଥାକର ।’’

ଭୀଷ୍ମଙ୍କର କଥା ଶୁଣି ସମବେତ ବୀରମାନେ ତତ୍‌କ୍ଷଣାତ ଉତ୍କୁଷ୍ଟ ଧରଣ ସୂକ୍ଷ୍ମ କୋମଳ ତକିଆ ଆଣିବାରୁ ଭୀଷ୍ମ ତାହା ପ୍ରତ୍ୟାଖ୍ୟାନ କଲେ ।

ଭୀଷ୍ମ କହିଲେ,‘‘ବୀରଗଣ, ଏହିକୋମଳ ଉପାଧାନ ବୀରଶଯ୍ୟାର ଉପଯୁକ୍ତ ନୁହେଁ । ହେ ଅର୍ଜ୍ଜୁନ, ମୋର ମସ୍ତକ ପାଇଁ ଉପଯୁକ୍ତ ଉପଧାନ ବ୍ୟବସ୍ଥା କର ।’

ଭୀଷ୍ମଙ୍କଠାରୁ ଏହିପରି ଆଦିଷ୍ଟ ହୋଇ ଅର୍ଜ୍ଜୁନ ସଙ୍ଗେ ସଙ୍ଗେ ତିନି ଗୋଟି ଶର ନିକ୍ଷେପ କଲେ । ଫଳରେ ସେହି ତିନିଗୋଟି ଶର ମୃତ୍ତିକା ଭେଦ କରି ଭୀଷ୍ମଙ୍କର ମସ୍ତକକୁ ଉତ୍ତୋଳନ କରି ଉପାଧାନର କାର୍ଯ୍ୟକଲା । ଭୀଷ୍ମ ତହିଁରେ ସନ୍ତୁଷ୍ଟ ହୋଇଥିଲେ । ଅନୁରୂପ ଶର ସଂଯୋଜନା କରି ଭୂଗର୍ଭରୁ ଜଳ ଉତ୍ତୋଳନ କରି ଭୀଷ୍ମଙ୍କର ତୃଷ୍ଣା ମଧ୍ୟ ଅର୍ଜ୍ଜୁନ ନିବାରଣ କରିଥିଲେ ।

ଶର ଆଚ୍ଛାଦିତ ଶରୀରରେ ଭୀଷ୍ମ ପଡ଼ି ରହିଥିବାରୁ ଦୁର୍ଯ୍ୟୋଧନ ଓ ଶଲ୍ୟ ଚିକିତ୍ସା ବିଶାରତ ବହୁ ବୈଦ୍ୟଙ୍କୁ ସଙ୍ଗରେ ନେଇ ଉପସ୍ଥିତ ହୋଇଥିଲେ, ମାତ୍ର ଭୀଷ୍ମ କହିଲେ,‘‘ଦୁର୍ଯ୍ୟୋଧନ, ଚିକିତ୍ସାର ଆବଶ୍ୟକତା ନାହିଁ । ତେଣୁ ବୈଦ୍ୟମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇ ବିଦାୟ କରିଦିଅ । ମୁଁ କ୍ଷତ୍ରିୟମାନଙ୍କର ନିର୍ଦ୍ଦିଷ୍ଟ ପ୍ରଶଂସନୀୟ ଅବସ୍ଥା ସହିତ ସନ୍ଧି କର । ପାଣ୍ଡବମାନଙ୍କ ହସ୍ତରେ ତୁମ୍ଭର ସମସ୍ତ ସୈନ୍ୟ ନିହିତ ହେବା ପୂର୍ବରୁ ସେମାନଙ୍କ ସହ ତୁମ୍ଭର ସୌହାର୍ଦ୍ଦ୍ୟ ସଂସ୍ଥାପିତ ହେବା ଏକାନ୍ତ ସମୀଚୀନ । ମୋର ଏହି ମୃତ୍ୟୁରେ ଯୁଦ୍ଧରେ ଅବସାନ ହେଉ-। ପାଣ୍ଡବମାନଙ୍କୁ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କର ଏବଂ ଆତ୍ମଯୁଦ୍ଧରେ ଅଭିଳାଷୀ ହୋଇ ମିତ୍ରଦ୍ରୋହୀ ଓ ବୀରମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପିତ ହେଉ ।’’

କର୍ଣ୍ଣଙ୍କୁ ଲକ୍ଷ୍ୟ କରି ଭୀଷ୍ମ କହିଲେ,’’ହେ କର୍ଣ୍ଣ, ବ୍ୟାସ ଓ ନାରଦଙ୍କଠାରୁ ଶୁଣିଅଛି ଯେ, ତୁମେ ପ୍ରକୃତରରେ କୁନ୍ତୀଙ୍କର ପୁତ୍ର । ତୁମେ; ଚିରାକାଳ ମୋର ବିଦ୍ୱେଷୀ ହୋଇ ନିଜ ବୀରତ୍ୱର ସ୍ପର୍ଦ୍ଧା ପ୍ରକାଶ କରିଅଛି । ହେଲେ ମୁଁ କେବେ ତୁମ ପ୍ରତି ଦ୍ୱେଷ କରି ନାହିଁ । ତୁମର ଅପୂର୍ବ ବୀରତ୍ୱ ନିଷ୍ଠା, ଦାନଶୀଳତା ମୋର ଅବିଦିତ ନାହିଁ । ପୂର୍ବେ ମୁଁ ତୁମ ପ୍ରତି ଯଦି କୌଣସି କଟୁବାକ୍ୟ ପ୍ରୟୋଗ କରିଥାଏ, ତେବେ ଏଇଠାରେ ସେ ସବୁର ପୂର୍ଣ୍ଣଚ୍ଛେଦ ପଡ଼ୁ । ମୋର ପ୍ରୀତିବର୍ଦ୍ଧନ ଯଦି ତୁମେ କରିବାକୁ ଚାହୁଁଥାଅ, ତେବେ ନିଜର ସହୋଦର ଭ୍ରାତା ପାଣ୍ଡବଙ୍କ ସହ ମିଳିତ ହୁଅ । ମୋର ଏହି ପତନ ସଙ୍ଗେ ସଙ୍ଗେ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମସ୍ତେ ବୈରଭାବର ଅବସାନ ଘଟୁ, ମୋର ଏହାହିଁ ଅନ୍ତିମ ଇଚ୍ଛା ।’’

କର୍ଣ୍ଣ କହିଲେ, ‘‘ମହାବାହୁ, ଆପଣଙ୍କ କଥାସତ୍ୟ, ମୁଁ ପ୍ରକୃତରେ କୁନ୍ତୀଙ୍କର ପୁତ୍ର । କିନ୍ତୁ କୁନ୍ତୀ ମୋତେ ପରିତ୍ୟାଗ କରିଥିବାରୁ ସୂତ ଗୃହରେ ପ୍ରତିପାଳିତ ହୋଇ, ପରେ ଦୁର୍ଯ୍ୟୋଧନଙ୍କ ପ୍ରସାଦରେ ଐଶ୍ଚର୍ଯ୍ୟ ଭୋଗ କରୁଅଛି । ଏପରି ସମୟରେ ଦୁର୍ଯ୍ୟୋଧନଙ୍କୁ ପରିତ୍ୟାଗ କରି ପାଣ୍ଡବଙ୍କ ପକ୍ଷ ସମର୍ଥନ କରିବା ମୋ’ ପକ୍ଷରେ ଉଚିତ ହେବ ନାହିଁ । କ୍ଷତ୍ରିୟମାନେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ଅପେକ୍ଷା ଯୁଦ୍ଧଭୂମିରେ ପ୍ରାଣତ୍ୟାଗ କରିବା ଅଧିକ ଶ୍ରେୟସ୍କର । ତେଣୁ ପାଣ୍ଡବଙ୍କ ସହ ବୀର ଭାବରେ ଯୁଦ୍ଧ କରିବା ପାଇଁ ଅନୁମତି ଦିଅନ୍ତୁ ଓ ଆପଣଙ୍କ ପ୍ରତି ଅତୀତରେ ପ୍ରୟୋଗ କରିଥିବା କଟୁବାକ୍ୟ ପାଇଁ ମୋତେ କ୍ଷମା କରନ୍ତୁ ।’’

କର୍ଣ୍ଣଙ୍କୁ ଆଶୀର୍ବାଦ କରି ଭୀଷ୍ମ ସୂର୍ଯ୍ୟଙ୍କର ଉତ୍ତାରୟଣ ଗତିକୁ ଅପେକ୍ଷା କରି ସେହିଠାରେ ସେହିପରି ଭାବରେ ପଡ଼ି ରହିଲେ । ପିତୃ ଆଶୀର୍ବାଦ ଫଳରେ ନିଜର ମୃତ୍ୟୁ ଭୀଷ୍ମଙ୍କର ଇଚ୍ଛାଧୀନ ଥିଲା ।

Image

 

ଅଭିମନ୍ୟୁ ନିଧନ

 

ଦୀର୍ଘ ଦଶଦିନ ଧରି ପ୍ରଧାନ ସେନାପତିର ଦାୟିତ୍ୱ ବହନ କରି ଭୀଷ୍ମ ପ୍ରବଳ ସଂଗ୍ରାମ ପରେ ଶରଶଯ୍ୟାରେ ଶାୟିତ ହେବାରୁ ଦୁର୍ଯ୍ୟୋଧନ ପିତାମହଙ୍କର ଅନ୍ତିମ ଇଚ୍ଛା ପ୍ରତି କର୍ଣ୍ଣପାତ ନକରି ପାଣ୍ଡବଙ୍କ ସହ ପୂର୍ବପରି ଯୁଦ୍ଧ କରିବାକୁ ଊଦ୍ୟମ କଲେ । ଭୀଷ୍ମଙ୍କ ସହ ମନୋମାଳିନ୍ୟ ଘଟିବାକୁ କର୍ଣ୍ଣ ପ୍ରଥମ ଦଶଦିନର ଯୁଦ୍ଧରେ ଅଂଶ ଗ୍ରହଣକରି ନଥିଲେ; ତେଣୁ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଣଙ୍କୁ ଆହ୍ୱାନା କରାଗଲା । କୌରବବାହିନୀର ପ୍ରଧାନସେନାପତିର ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ ସେ ସମ୍ପର୍କରେ ଆଲୋଚନା ହେଲା ।

 

ଦୁର୍ଯ୍ୟୋଧନ କହିଲେ, ‘‘କର୍ଣ୍ଣ, ବିପୁଳ ଅଭିଜ୍ଞତାର ଅଧିକାରୀ ଓ ମହାବିକ୍ରମଶାଳୀ ଭୀଷ୍ମ ପ୍ରଧାନ ସେନାପତିର ଦାୟିତ୍ୱ ବହନ କରି ଦଶଦିନ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ନେତୃତ୍ୱ ଦେଇ ଆସୁଥିଲେ ଏବଂ ତାଙ୍କର ପତନ ପରେ ବିଶାଳ ସୈନ୍ୟବାହିନୀ ଆଜି ସେନାପତି ଶୂନ୍ୟ ହୋଇ ପଡ଼ିଅଛି । ନାବିକ ବିହୀନ ନୌକାର ପରିଣତି ପରି ସେନାପତିଶୂନ୍ୟ ସେନାବାହିନୀ ଅନୁରୂପ ଗତି ପ୍ରାପ୍ତ ହୋଇଥାଏ । ତେଣୁ କେଉଁ ବୀରଙ୍କୁ ସେନାପତି ପଦରେ ଅଧିଷ୍ଠିତ କରିବା, ତୁମେ ବିଚାରକରି ପ୍ରକାଶ କର ।’’

 

କର୍ଣ୍ଣ କହିଲେ, ‘‘ମହାରାଜ, କୌରବ ପକ୍ଷର ଏହି ସମବେତ ବୀରମାନେ ପ୍ରତ୍ୟେକ ପ୍ରଧାନ ସେନାପତି ପଦପାଇଁ ସମର୍ଥ, ଏଥିରେ ସନ୍ଦେହ ନାହିଁ । ତେବେ ସମସ୍ତ ବୀରମାନଙ୍କର ସୁଯୋଗ୍ୟ ଗୁରୁ, ବୀର ମାନଙ୍କର ଅଗ୍ରଗଣ୍ୟ ମହାବୀର ଓ ଅଭିଜ୍ଞ ଦ୍ରୋଣାଚାର୍ଯ୍ୟଙ୍କୁ ପ୍ରଧାନ ସେନାପତିର ଦାୟିତ୍ୱରେ ଅଧିଷ୍ଠିତ କଲେ, କାହାରି ଆପତ୍ତି ରହିବ ନାହିଁ । ତେଣୁ ଦ୍ରୌଣାଚାର୍ଯ୍ୟଙ୍କୁ ଅଭିଷିକ୍ତ କରନ୍ତୁ ।’’

 

କର୍ଣ୍ଣଙ୍କର କଥା ଶୁଣି ଦ୍ରୋଣଙ୍କୁ ଦୁର୍ଯ୍ୟୋଧନ କହିଲେ,‘‘ଆଚାର୍ଯ୍ୟ ମହାଶୟ, ଜାତି, ବଂଶ, ବୟସ, ବୁଦ୍ଧି, ଦକ୍ଷତା ବୀରତ୍ୱ ଆଦି ବିଷୟରେ ଆପଣ ସର୍ବଶ୍ରଷ୍ଠ । ବର୍ତ୍ତମାନ ତେଣୁ ଆପଣ ହିଁ ଆମର ଉପଯୁକ୍ତ ରକ୍ଷାକର୍ତ୍ତା । ଆପଣଙ୍କ ପ୍ରଧାନ ସେନାପତିତ୍ୱରେ ଆମ୍ଭେମାନେ ଶତ୍ରୁମାନଙ୍କୁ ଜୟ କରିବାକୁ ଅଭିଳାଷ କରିଅଛୁ । ଆପଣ ମୋର ନିବେଦନ ରକ୍ଷାକରି ପ୍ରଧାନ ସେନାପତିର ଦାୟିତ୍ୱ ଗ୍ରହଣ କରନ୍ତୁ ।’’

 

ଦୁର୍ଯ୍ୟୋଧନଙ୍କର ବାକ୍ୟ ଶେଷ ହୋଇନାହିଁ, ସମବେତ ବୀରମାନେ ଉଚ୍ଚସ୍ୱରରେ ଦ୍ରୋଣଙ୍କର ଜୟଗାନ କରି ଶିବିରକୁ ମୁଖରିତ କରିଦେଲେ ।

 

ଦ୍ରୋଣ କହିଲେ, ‘‘ଦୁର୍ଯ୍ୟୋଧନ, ମୋର ସମସ୍ତ ଶକ୍ତି, ଅସ୍ତ୍ରବଳ ପ୍ରୟୋଗ କରି ତୁମପାଇଁ ମୁଁ ଯୁଦ୍ଧ କରିଯିବି, ହେଲେ ଧ୍ରୁଷ୍ଟଦ୍ୟୁମ୍ନଙ୍କୁ ପରାଜିତ କରିବାକୁ ସମର୍ଥ ହେବି ନାହିଁ । କାରଣ ମୋର ବିନାଶକାରୀ ଭାବରେ ତାଙ୍କର ଜନ୍ମ । ପ୍ରଧାନ ସେନାପତି ଭାବରେ ସମସ୍ତ ସେନାଙ୍କୁ ପରିଚାଳିତ କରିବା ଛଡ଼ା ଆଉ କି କାର୍ଯ୍ୟ ଲଭ କରିବାକୁ ତୁମେ ଇଚ୍ଛା କରୁଅଛି, ତାହା ତୁମେ ପ୍ରକାଶ କର ।”

 

ଦୁର୍ଯ୍ୟୋଧନ କହିଲେ, ‘ଆଚାର୍ଯ୍ୟ ମହାଶୟ, ତେବେ ଜ୍ୟେଷ୍ଠ ପାଣ୍ଡବ ମହାରଥୀ ଯୁଧିଷ୍ଠିରଙ୍କୁ ଆପଣ ବନ୍ଦୀ କରି ଆଣନ୍ତୁ ।’’

 

ଦୌଣାଚାର୍ଯ୍ୟ କହିଲେ, ‘‘ଦୁର୍ଯ୍ୟୋଧନ, ତୁମେ ଯୁଧିଷ୍ଠିରଙ୍କୁ ନିହତ କରିବାକୁ ଇଚ୍ଛା ନ କରି ବନ୍ଦୀ କରିବାକୁ ଚାହୁଁଅଛି କାହିଁକି ? ଯୁଧିଷ୍ଠିରଙ୍କୁ ପ୍ରଥମରୁ ବନ୍ଦୀ କରି ନେଇ ପାଣ୍ଡବମାନଙ୍କୁ ପରାଜିତ କରି ପରେ ତାଙ୍କ ହସ୍ତରେ ରାଜ୍ୟ ପ୍ରଦାନ କରି ପୂର୍ବର ସୌଭ୍ରାତ୍ର ସମ୍ପର୍କ ପ୍ରତିଷ୍ଠା କରିବାକୁ, ନା ବଂଶରକ୍ଷା କରିବା ଉଦ୍ଦେଶ୍ୟରେ ଏପରି ଇଚ୍ଛା ପୋଷଣ କରିଅଛ ବୁଝିପାରୁ ନାହିଁ ।’’

 

ଦୁର୍ଯ୍ୟୋଧନ କହିଲେ, ଆଚାର୍ଯ୍ୟ ମହାଶୟ, ଯୁଧିଷ୍ଠିରଙ୍କୁ ସଂହାର କଲେ ମଧ୍ୟ ଆମର ବିଜୟର ଆଶା ନାହିଁ, କାରଣ ମହାବୀର ଅର୍ଜ୍ଜୁନ ଓ ଭୀମସେନ ପ୍ରମୁଖଙ୍କୁ, ଜୟ କରିବା ଦେବଗଣଙ୍କ ପକ୍ଷରେ ମଧ୍ୟ ଅସାଧ୍ୟ, ବରଂ ଯୁଧିଷ୍ଠିରଙ୍କୁ ହତ୍ୟା କଲେ ପାଣ୍ଡବମାନେ କ୍ଷୁବ୍ଧହୋଇ ଆମ୍ଭମାନଙ୍କୁ ସମୂଳେ ନାଶ କରିବେ କିନ୍ତୁ ମୁଁ ଚାହୁଁଛି ଯୁଧିଷ୍ଠିରଙ୍କୁ କୌଣସି ପ୍ରକାରରେ ବନ୍ଦୀ କରି ଆଣିଲେ, ତାଙ୍କୁ ପୁନର୍ବାର ଦ୍ୟୂତକ୍ରୀଡ଼ାରେ ପରାଜିତ କରି ପାଣ୍ଡବମାନଙ୍କୁ ବନବାସୀ କରାଇବି ଓ ନିଷ୍କଣ୍ଟକ ହୋଇ ଏ ସମସ୍ତ ରାଜ୍ୟ ମୁଁ ଶାସନ କରିବି । ତେଣୁ ଯୁଧୁଷ୍ଠିରଙ୍କୁ ନିହତ ଅବସ୍ଥାରେ ନ ଦେଖି ବନ୍ଦୀ ଅବସ୍ଥାରେ ପାଇବାକୁ ବିଶେଷ ଆଗ୍ରହୀ ।’’

 

ଦ୍ରୋଣ କହିଲେ, “ମୁଁ ତୁମର ମନ କଥା ବୁଝିଲି । କିନ୍ତୁ ସବୁ ସମୟରେ ଅର୍ଜୁନ ଯୁଧିଷ୍ଠିରଙ୍କୁ ରକ୍ଷା କରି ଆସୁଅଛି ଏବଂ ଅନ୍ୟ ଦିଗକୁ ଅର୍ଜୁନଙ୍କୁ ଅପସାରିତ କରି ନ ନେଲେ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ସମ୍ଭବ ନୁହେଁ । ତେଣୁ ଅର୍ଜୁନଙ୍କୁ ଯେପର ଯୁଧିଷ୍ଠିରଙ୍କଠାରୁ ଦୂରେଇ ନିଆଯିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ”

 

ଯୁଧିଷ୍ଠିରଙ୍କୁ କିପରି ବନ୍ଦୀ କରାଯିବ, ସେହି ଉଦ୍ୟମରେ କୌରବ ପକ୍ଷର ବୀରମାନେ ବିଭିନ୍ନ ମନ୍ତ୍ରଣାରେ ଲିପ୍ତ ରହିଲେ । କିନ୍ତୁ ଗୁପ୍ତଚରମାନଙ୍କଠାରୁ ଏପରି ଚକ୍ରାନ୍ତର ସୂଚନା ପାଇ ଯୁଧିଷ୍ଠିର ନିଜର ଭାଇ ଓ ଅନ୍ୟାନ୍ୟ ବୀରମାନଙ୍କ ସମ୍ମୁଖରେ ଅର୍ଜ୍ଜୁନଙ୍କୁ କହିଲେ,’’ଆଶ୍ଚର୍ଯ୍ୟ ଦ୍ରୋଣଙ୍କ ନେତୃତ୍ୱରେ କୌରବପକ୍ଷର ଏପରି ଚକ୍ରାନ୍ତ ତ ଶୁଣିଲ, ତେଣୁ ସେମାନଙ୍କର ଏହି ଉଦ୍ୟମ ଯେପରି ସଫଳ ନ ହୁଏ, ସେଥିପ୍ରତି ତୁମେ ବିଶେଷ ଧ୍ୟାନ ଦିଅ ଏବଂ ମୋର ଅତି ନିକଟରେ ରହି ତୁମେ ଦ୍ରୋଣଙ୍କ ସହ ସଂଗ୍ରାମ କର, ତଦ୍ଦ୍ୱାର ମୋତେ ବନ୍ଦୀ କରିବା ପାଇଁ ସେମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହେବ ।’’

 

ଅର୍ଜ୍ଜୁନ ତାହା ଶୁଣି କହିଲେ, “ହେ ପାଣ୍ଡବଶ୍ରେଷ୍ଠ ! ଆଚାର୍ଯ୍ୟଙ୍କୁ ସଂହାର କରିବା ଯେପରି ମୋ ପକ୍ଷରେ ଅନ୍ୟାୟ, ସେହିପରି ଆପଣଙ୍କୁ ଅସହାୟ ଅବସ୍ଥାରେ ତ୍ୟାଗ କରିବା ମଧ୍ୟ ଅକର୍ତ୍ତବ୍ୟ । ଦ୍ରୋଣାଚାର୍ଯ୍ୟ ନିଖିଳ ଜଗତର ଶ୍ରେଷ୍ଠ ବୀର ହେଲେ ମଧ୍ୟ ମୁଁ ଜୀବିତ ଥାଉଁ ଥାଉଁ ଆପଣଙ୍କୁ ବନ୍ଦ କରିବାକୁ ସେ କେବେ ସମର୍ଥ ହେବେ ନାହିଁ । ଆପଣ ମୋ କଥାରେ ଆସ୍ଥା ରଖି ସଂଗ୍ରାମ କରନ୍ତୁ ।’’

 

ତାହାହିଁ ହେଲା । କୌରବ ଓ ପାଣ୍ଡବ ପକ୍ଷଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଅନୁଷ୍ଠିତ ହେଲା, କିନ୍ତୁ ଏକାଦଶ ଦ୍ୱାଦଶ ତ୍ରୟୋଦଶ ଦିବସର ଯୁଦ୍ଧ ମଧ୍ୟରେ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବାର କୌଣସି ସୁଯୋଗ କୌରବମାନେ ପାଇଲେ ନାହିଁ । ସବୁ ସମୟରେ ଯୁଧୁଷ୍ଠିରଙ୍କର ଅତି ପାଖେ ପାଖେ ଅର୍ଜ୍ଜୁନ ରହି କୌରବ ପକ୍ଷରେ ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଲେ । ଅର୍ଜୁନଙ୍କୁ କିପରି ଯୁଧିଷ୍ଠିରଙ୍କଠାରୁ ବିଚ୍ଛିନ୍ନ କରି ଦୂରକୁ ନେଇ ହେବ, ସେ ବିଷୟରେ ଚିନ୍ତାକରି ଦ୍ରୋଣ ଏକ ଉପାୟ ସ୍ଥିର କଲେ ଯେ, ମହାରଥୀ ସଂଶପ୍ତକମାନେ ଅର୍ଜ୍ଜୁନଙ୍କୁ ଯୁଦ୍ଧକୁ ଆହ୍ୱାନ କରିବେ, ଅର୍ଜ୍ଜୁନ ସେ ଆହ୍ୱାନ ରକ୍ଷାକରି ସେମାନଙ୍କ ସହ ଯୁଦ୍ଧରେ ବ୍ୟାପୃତହେଲେ ସଂଶସ୍ତକମାନେ ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କଠାରୁ ଦୂରେଇ ନେଇଯିବେ ଏବଂ ଅର୍ଜ୍ଜୁନ ଦୂରକୁ ଚାଲିଗଲେ ପାଣ୍ଡବମାନଙ୍କୁ ପରାଜିତ କରି ଯୁଧିଷ୍ଠିରଙ୍କଠାରୁ ବନ୍ଦୀ କରିବା ସମ୍ଭବ ହେବ । ଏହି ଉପାୟ ଅନୁସାରେ ଚତୁର୍ଦ୍ଦଶ ଦିବସର ଯୁଦ୍ଧପାଇଁ ଦ୍ରୋଣ ଚକ୍ରବ୍ୟୂହ ରଚନା କଲେ ଏ ଯୁଦ୍ଧ ଆରମ୍ଭ ହେବାମାତ୍ର ସଂଶପ୍ତକମାନଙ୍କ ଆହ୍ୱାନକ୍ରମେ ତାଙ୍କ ସହ ଯୁଦ୍ଧ କରିବାକୁ ଅର୍ଜୁନ ଚାଲିଗଲେ । ଏଣେ କୌରବ ପକ୍ଷର ଅୟୋଜିତ ଚକ୍ରବ୍ୟୂହକୁ ଭେଦ କରିବାକୁ ଅର୍ଜୁନ ଭିନ୍ନ ଅନ୍ୟ କେହି ନ ଥିବାରୁ ଯୁଧିଷ୍ଠିର ଅଭିମନ୍ୟୁଙ୍କୁ କହିଲେ, “ବାବା, କୌରବ ପକ୍ଷର ଏହି ଚକ୍ରବ୍ୟୂହକୁ କିପରି ଭେଦ କରିବା ମୁଁ ବୁଝିପାରୁ ନାହିଁ । ଚକ୍ରବ୍ୟୂହକୁ ଭେଦକରିବାର କୌଶଳ ଅର୍ଜ୍ଜୁନ, କୃଷ୍ଣ ଓ ତୁମକୁ ମାତ୍ର ଜଣା । ସଂଶପ୍ତକ ମାନଙ୍କ ସହ ଯୁଦ୍ଧ କରିବାକୁ କୃଷ୍ଣଙ୍କ ସହ ଅର୍ଜ୍ଜୁନ ଚାଲିଯାଇଥିବାରୁ ଏହି ଦାରୁଣ ଚକ୍ରବ୍ୟୂହକୁ ଭେଦ କରିବାର ଦାୟିତ୍ୱ ତୁମେ ଗ୍ରହଣ କର ।”

 

ଅଭିମନ୍ୟୁ କହିଲେ, ‘‘ଆପଣଙ୍କୁ ଆଦେଶାନୁସାରେ ମୁଁ ଚକ୍ରବ୍ୟୂହ ଭେଦ କରିବା ଏବଂ ଶତ୍ରୁମାନଙ୍କୁ ସଂହାର କରି ମାତୃକୁଳ ଓ ପିତୃକୁଳର ହିତ ସାଧନ କରିବା ସଙ୍ଗେ ସଙ୍ଗେ ପିତାଙ୍କର କୀର୍ତ୍ତିକୁ ପରିବର୍ଦ୍ଧିତ କରିବି ।’’

 

ଭୀମସେନ କହିଲେ, “ବାବା, ତୁମେ ବ୍ୟୂହଭେଦ କରିବାମାତ୍ର ମୁଁ ସେଠାରେ ସମୁପସ୍ଥିତ ହୋଇ ବୀରମାନଙ୍କୁ ସଂହାର କରିବି ।”

 

ଯୁଧିଷ୍ଠିର କହିଲେ, “ବତ୍ସ, ତୁମେ ବ୍ୟୂହ ଭେଦକରି ଆମ୍ଭମାନଙ୍କ ପାଇଁ ପ୍ରବେଶଦ୍ୱାର ଉନ୍ମୋଚିତ କଲେ, ଆମ୍ଭେମାନେ ତୁମର ଅନୁଗମନ କରି ତୁମକୁ ରକ୍ଷା କରିବୁ । ତୁମେ ଯୁଦ୍ଧରେ ଅର୍ଜ୍ଜୁନ ତୁଲ୍ୟ ପରାକ୍ରମଶାଳୀ । ଏହି ବ୍ୟୂହଭେଦ ଓ ଶତ୍ରୁମାନଙ୍କ ମାନଙ୍କ ପରାଜୟ ତୁମ ପକ୍ଷରେ ସମ୍ଭବ ।’’

 

ଅଭିମନ୍ୟୁଙ୍କ ନେତୃତ୍ୱରେ ପାଣ୍ଡବସେନା ସଙ୍ଗଠିତ ହେଲେ ଏବଂ ଅଭିମନ୍ୟୁ ସମଗ୍ରସେନାର ପୁରୋଭାଗରେ ରହି କୌରବପକ୍ଷର ଚକ୍ରବ୍ୟୂହକୁ ଭେଦ କରିବାକୁ କଲେ । କୌରବମାନେ ଅଭିମନ୍ୟୁଙ୍କର ଗତିରୋଧ କରିବାକୁ ଚେଷ୍ଟା କଲେ ମଧ୍ୟ ବିଫଳ ହେଲେ ଏବଂ ବାଳକ ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କରି କୌରବ ସେନା ମଧ୍ୟରେ ପ୍ରବେଶ କଲେ । ଅଭିମନ୍ୟୁଙ୍କ ପଛେ ପଛେ ଭୀମସେନ, ଧୃଷ୍ଟଦ୍ୟୁମ୍ନ, ବିରାଟ ପ୍ରମୁଖ ପାଣ୍ଡବପକ୍ଷର ବୀରମାନେ ବ୍ୟୂହପଥ ମଧ୍ୟରେ ପ୍ରବେଶ କରିବାର କଥା, କିନ୍ତୁ ବ୍ୟୂହର ଦ୍ୱାରଦେଶରେ ଧୃତରାଷ୍ଟ୍ରଙ୍କର ଜାମାତା ଜୟଦ୍ରଥ ଅବସ୍ଥାନ କରି ପାଣ୍ଡବ ବୀରମାନଙ୍କ ସହ ପ୍ରବଳ ସଂଗ୍ରାମ କରି ସେମାନଙ୍କର ପଥରୋଧ କରିପକାଇଲେ; ଫଳରେ ବାଳକ ଅଭିମନ୍ୟୁ ପାଣ୍ଡବମାନଙ୍କର ସମସ୍ତ ସାହାଯ୍ୟ ଓ ସହଯୋଗରୁ ବଞ୍ଚିତ ହୋଇପଡ଼ିଲେ ଫଳରେ କୌରବମାନଙ୍କ ମଧ୍ୟରେ ଏକାକୀ ଯୁଦ୍ଧ କରିବା ଛଡ଼ା ତାଙ୍କର ଉପାୟ ରହିଲା ନାହିଁ । ବାସ୍ତବିକ ଅଭିମନ୍ୟୁ ବାଳକ ଥିଲେ ମଧ୍ୟ ତାଙ୍କର ପରାକ୍ରମ ଓ ଯୁଦ୍ଧକୌଶଳ ଅତୁଳନୀୟ ଥିଲା । ଅଭିମନ୍ୟୁଙ୍କୁ ଏକାକୀ ଦେଖି କୌରବ ପକ୍ଷର ବୀରମାନେ ତାଙ୍କୁ ଆକ୍ରମଣ କଲେ; ଯୋଗ୍ୟ ପିତାର ଉପଯୁକ୍ତ ସନ୍ତାନ ଭାବରେ ଅପୂର୍ବ ପରାକ୍ରମ ପ୍ରକାଶକରି ବାଳକ ଅଭିମନ୍ୟୁ ଶଲ୍ୟରାଜାଙ୍କ କନିଷ୍ଠ ଭ୍ରାତା, ଶଲ୍ୟଙ୍କପୁତ୍ର ରୁକ୍ମରଥ, ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣ, ସୁବଳ ନନ୍ଦନ କାଳିକେୟ, ଶତ୍ରୁଞ୍ଜୟ, ଚନ୍ଦ୍ରକେତୁ, ମହାମେଘ, ସୁବର୍ଚ୍ଚା, ସୂର୍ଯ୍ୟଭାମ, ବସାତୀୟ ପ୍ରମୁଖ ବୀରମାନଙ୍କୁ ନିହତ ଓ କର୍ଣ୍ଣ, ଶଲ୍ୟ ଦୁଃଶାସନ ପ୍ରମୁଖଙ୍କୁ ଶୋଚନୀୟ ଭାବରେ ପରାସ୍ତ କଲେ ।

 

ଦୋଣାଚାର୍ଯ୍ୟଙ୍କୁ କର୍ଣ୍ଣ କହିଲେ, “ମହାରଥ, ଅବିଳମ୍ବେ ଅଭିମନ୍ୟୁର ସଂହାର ନିମନ୍ତେ ଉପାୟ ସ୍ଥିର କରନ୍ତୁ; ନଚେତ୍ ସେ ଏକକୀ ଆମର ସମସ୍ତଙ୍କୁ ସଂହାର କରିବ ।’’

 

ଦ୍ରୋଣ କହିଲେ; “ଅଭିମନ୍ୟୁ ବାଳକ ହେଲେ ମଧ୍ୟ ତା’ର ଯୁଦ୍ଧ କୌଶଳ ବାସ୍ତବିକ ଅନବଦ୍ୟ, କି କ୍ଷିପ୍ରତାର ସହକାରେ ଯେ ଶର ପ୍ରୟୋଗ କରୁଅଛି, ଲକ୍ଷ୍ୟ କର । ସତେ ଯେପରି ଅର୍ଜ୍ଜୁନ ଯୁଦ୍ଧ କଲାପରି ଜଣାପଡ଼ୁ ଅଛି । ତା’ର ଯୁଦ୍ଧ କୌଶଳ ଓ ଦକ୍ଷତା ଦର୍ଶନ କରି ମୁଁ ବିଶେଷ ପ୍ରୀତ ହୋଇଅଛି । କର୍ଣ୍ଣ, ମହାବୀର ଅଭିମନ୍ୟୁର କବଚ ଅଭେଦ୍ୟ ଏବଂ ତା’ର ମହାବୀର ପିତାଙ୍କଠାରୁ ସେ ଅପୂର୍ବ ଯୁଦ୍ଧକୌଶଳ ଶିକ୍ଷା କରିଅଛି । ତେଣୁ ଅତି ଯତ୍ନ ସହକାରେ ସୁତୀକ୍ଷ୍‍ଣ ଶରଦ୍ୱାରା ଅଭିମନ୍ୟୁର ଧନୁ, ଜ୍ୟା ଅଶ୍ୱ, ରଥ, ସାରଥି ପ୍ରଭ୍ୱତିକୁ ପ୍ରଥମେ ବିନାଶ କରିବାକୁ ଚେଷ୍ଟା କର, ଏପରି କରିପାରିଲେ ସେ ହୁଏତ ପରାଜିତ ହେବ ।

 

ଦ୍ରୋଣାଚାର୍ଯ୍ୟଙ୍କ କଥା ଶୁଣି କର୍ଣ୍ଣ, କୃପ, ଅଶ୍ୱତ୍‌ଥାମା, କୃତବର୍ମା, ବୃହତ୍‌ଦଳ ଓ ଅନ୍ୟାନ୍ୟ କୌରବ ବୀରମାନେ ସମବେତ ହୋଇ ଅଭିମନ୍ୟୁଙ୍କୁ ଘେରିଯାଇ ଚତୁର୍ଦ୍ଦିଗରୁ ଆକ୍ରମଣ କଲେ । ଏକାକୀ ହେଲେ ମଧ୍ୟ ହତୋତ୍ସାହିତ ନ ହୋଇ ବାଳକ ଅଭିମନ୍ୟୁ ସମସ୍ତଙ୍କ ଶରକୁ ପ୍ରତିହିତ କରି ଆକ୍ରମଣକାରୀ ବୀରମାନଙ୍କର ଅସ୍ତ୍ର ରଥ ଆଦିକୁ ବିନଷ୍ଟକରି ପକାଇଲେ । ପରମୁହୂର୍ତ୍ତରେ ସେମାନେ ନିଜକୁ ପ୍ରସ୍ତୁତ କରିନେଇ ଅଭିମନ୍ୟୁଙ୍କୁ ପୁନର୍ବାର ଆକ୍ରମଣ କଲେ । ଏକପକ୍ଷରେ ଅଭିମନ୍ୟୁ ଓ ଅନ୍ୟପକ୍ଷରେ କୌରବ ବୀରମାନେ, ଏପରି ଉଭୟପକ୍ଷଙ୍କ ମଧ୍ୟରେ ତୁମୂଳ ସଂଗ୍ରାମ ଅନୁଷ୍ଠିତ ହେଲା । ବହୁ ସମୟ ଧରି ଯୁଦ୍ଧ ହେବାପରେ କର୍ଣ୍ଣଙ୍କର ଶରରେ ଅଭିମନ୍ୟୁଙ୍କର ଶରାସନ ଛିନ୍ନ ହୋଇଗଲା ଏବଂ କୃପାଚାର୍ଯ୍ୟଙ୍କ ଶରରେ ତାଙ୍କର ରଥ ଧ୍ଵସ୍ତ ବିଧ୍ୱସ୍ତ ହୋଇଗଲା । ତଥାପି ଅଭିମନ୍ୟୁ ଯୁଦ୍ଧ ପରିତ୍ୟାଗ କଲେ ନାହିଁ । ଖଡ଼୍‌ଗ ଓ ଚର୍ମ ଧାରଣ କରି କୌରବ ବୀରମାନଙ୍କୁ ଆକ୍ରମଣ କଲେ । କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କ ଶରର ଆଘାତରେ ଖଡ଼୍‍ଗ ଓ କର୍ଣ୍ଣଙ୍କ ଶରଦ୍ୱାରା ଚର୍ମ ଖଣ୍ଡ ବିଖଣ୍ଡ ହୋଇଗଲା; ମାତ୍ର ଅଭିମନ୍ୟୁ ପରମୁହୂର୍ତ୍ତରେ ଚକ୍ରଧାରଣ କରି ଦ୍ରୋଣଙ୍କ ଆଡ଼କୁ ଆଗେଇଗଲେ । ଅଭିମନ୍ୟୁଙ୍କର ସେହି ଦୃଶ୍ୟ ଦେଖି ମନେ ହେଲା, ସତେ ଯେପରି ଚକ୍ରଧାରୀ କୃଷ୍ଣ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଅଛନ୍ତି । କୌରବ ମାନଙ୍କର ମିଳିତ ଆକ୍ରମଣରେ ଅଭିମନ୍ୟୁଙ୍କର ଚକ୍ର ଖଣ୍ଡ ବିଖଣ୍ଡ ହୋଇଯିବାରୁ ସେ ଗଦାଧାରଣ କରି ଶତ୍ରୁମାନଙ୍କୁ ଆକ୍ରମଣ କରି ସୁବଳ ରାଜାଙ୍କର କାଳିକେୟ ଓ ତାଙ୍କର ଅନୁଚରମାନଙ୍କୁ ସଂହାର କଲେ ଓ ଅନ୍ୟ ବୀରମାନଙ୍କ ରଥ, ରଥୀ ଓ ଅଶ୍ୱମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିପକାଇଲେ । ଅଭିମନ୍ୟୁଙ୍କର ପରାକ୍ରମ ଅପ୍ରତିହତ ହୋଇ ବୀରମାନଙ୍କୁ ବିଶେଷଭାବରେ ବିବୃତ କରିପକାଉଥିବାରୁ ଲକ୍ଷ୍ୟକରି ଦୁଃଶାସନଙ୍କର ପୁତ୍ର ତାଙ୍କ ସହିତ ଗଦାଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ । ଏକାଦିକ୍ରମେ ଏତେ ସଂଖ୍ୟକ ବୀରମାନଙ୍କ ସହ ଯୁଦ୍ଧ କରି ଅଭିମନ୍ୟୁ କ୍ଳାନ୍ତ ହୋଇପଡ଼ିଥିଲେ ଏବଂ ଗଦାଯୁଦ୍ଧ ସମୟରେ ଦୁଃଶାସନଙ୍କ ପୁତ୍ର ତାଙ୍କର ମସ୍ତକରେ ପ୍ରହାର କରିବାକୁ ଅଭିମନ୍ୟୁଙ୍କର ପତନ ହେଲା । ଅଭିମନ୍ୟୁଙ୍କ ମୃତ୍ୟୁରେ କୌରବ ପକ୍ଷରେ ଆନନ୍ଦ ସୀମା ରହିଲା ନାହିଁ ।

Image

 

Unknown

ଜୟଦ୍ରଥ ବଧ

 

ସଂଧ୍ୟା ଉତ୍ତୀର୍ଣ୍ଣ ହେବାରୁ ସେ ଦିନର ଯୁଦ୍ଧ ଶେଷ ହେଲା । ସଂଶପ୍ତକଙ୍କୁ ପରାଜିତ କରି କୃଷ୍ଣଙ୍କ ସହ ପାଣ୍ଡବ ଶିବିରକୁ ପ୍ରତ୍ୟାଗମନ କରିବା ସମୟରେ ଅର୍ଜ୍ଜୁନକହିଲେ,‘‘କେଶବ, ଆଜି କାହିଁକି ମୁଁ ନିଜକୁ ଅବସନ୍ନ ମନେ କରୁଅଛି । ମୋର ହୃଦୟ ଅଜଣା ଭୟରେ ଶଙ୍କିତ ହୋଇପଡ଼ୁଅଛି । ପଥ ମଧ୍ୟରେ ଅଶୁଭ ସୂଚକ ଲକ୍ଷଣମାନେ ପରି ଦୃଷ୍ଟି ହେଉଅଛି । ଏହାର କାରଣ ଅଛି ଜାଣିପାରୁ ନାହିଁ । ମହାରାଜ ଯୁଧିଷ୍ଠିରଙ୍କର ନିରାପତ୍ତା ସମ୍ପର୍କରେ ମନ କିପରି ଶଙ୍କିତ ହୋଇପଡ଼ୁଛି ।’’

 

କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ମହାରାଜ ଯୁଧିଷ୍ଠିରଙ୍କ ସମ୍ପର୍କରେ ଏପରି ଅଯଥା ଆଶଙ୍କା କର ନାହିଁ । ଯୁଧିଷ୍ଠିରଙ୍କର ଜୟ ସୁନିଶ୍ଚିତ । ତେଣୁ ମନମଧ୍ୟରୁ ସମସ୍ତ ଆଶଙ୍କା ପରିତ୍ୟାଗ କର ।’’

 

କୃଷ୍ଣଙ୍କର କଥାରେ ଆଶ୍ୱାସିତ ହୋଇ ଅର୍ଜ୍ଜୁନ ଶିବିର ନିକଟରେ ଉପସ୍ଥିତ ହୋଇ ପାଣ୍ଡବପକ୍ଷରେ ଶିବିରମାନଙ୍କରେ ମୃତ୍ୟୁକାଳୀନ ନୀରବତା ବିରାଜମାନ କରୁଥିବାର ଲକ୍ଷ୍ୟକରି ଅର୍ଜ୍ଜୁନ ପୁର୍ନବାର କୃଷ୍ଣଙ୍କୁ କହିଲେ, ‘‘ଜନାର୍ଦ୍ଦନ, ଆମର ଶିବିରରେ ଆଜି ମଙ୍ଗଳବାଦ୍ୟ ନୀରବ କାହିଁକି ? ଭାଟମାନେ ତ କାହିଁ ସ୍ତୁତିଗାନ କରୁନାହାନ୍ତି ? ଆମର ଏ ସୈନ୍ୟମାନେ ଆଜିର ଯୁଦ୍ଧ ସମ୍ପକରେ ଆଲୋଚନା ନକରି, ମୋତେ ଦେଖି ଏପରି ମୁଖ ଅବନତ କରି ପଳାଉଛନ୍ତି କାହିଁକି ? ମୋର ବୀର ଭାଇମାନେ କୌଣସି ବିପଦର ସମ୍ମୁଖୀନ ହୋଇନାହାନ୍ତି ତ ? ମୁଁ ଶିବିରକୁ ଫେରିଛି ଜାଣିସୁଦ୍ଧା, ଅଭିମନ୍ୟୁ ନିଜର ଭାଇମାନଙ୍କ ସହ ପ୍ରତିଦିନପରି ଆଜି ମୋତେ ପାଛୋଟି ନେବାକୁ ଆସୁନାହିଁ କାହିଁକି ? ଏହିପରି କହୁ କହୁ ଶିବିର ମଧ୍ୟରେ ପ୍ରବେଶ କରି ନିଜର ଭାଇମାନଙ୍କୁ ଦୁଃଖିତ ଓ ନିଜର ଅନ୍ୟାନ୍ୟ ପୁତ୍ର ଓ ବନ୍ଧୁମାନଙ୍କୁ ଅତ୍ୟନ୍ତ ବିଷଣ୍ଣ ହୋଇବସି ରହିଥିବାରୁ ଅର୍ଜ୍ଜୁନ ଦେଖିଲେ; କିନ୍ତୁ ଅଭିମନ୍ୟୁ କେଉଁଠି ଦେଖିବାକୁ ପାଇଲେ ନାହିଁ ।’’

 

ଅର୍ଜ୍ଜୁନ କହିଲେ,‘‘ବୀରଗଣ ! ତୁମେ ସମସ୍ତେ ବିଷଣ୍ଣ ବଦନରେ ବସିଅଛ, କିନ୍ତୁ ଅଭିମନ୍ୟୁ କାହିଁ ? ଦ୍ରୋଣାଚାର୍ଯ୍ୟ ଆଜି ଚକ୍ରବ୍ୟୂହ ରଚନା କରିବାର ଶୁଣିଅଛି । ଅଭିମନ୍ୟୁ ଭିନ୍ନ ତୁମ୍ଭମାନଙ୍କ ମଧ୍ୟରେ ଏପରି କୌଣସି ବୀର ନାହିଁ, ଯେ ଚକ୍ରବ୍ୟୂହ ଭେଦକରିବାକୁ ସମର୍ଥ । କିନ୍ତୁ ଅଭିମନ୍ୟୁକୁ ବ୍ୟୂହଭେଦ କରିବାର ଉପାୟ କେବଳ ମୁଁ ଶିଖାଇଥିଲି; ବ୍ୟୂହ ମଧ୍ୟରୁ ବର୍ହିଗମନର କୌଶଳ ତାକୁ ଜଣାନଥିଲା । ତୁମ୍ଭେମାନେ କ’ଣ ବ୍ୟୂହଭେଦ କରିବା କାର୍ଯ୍ୟରେ ଅଭିମନ୍ୟୁକୁ ନିୟୋଜିତ କରିଥିଲ ?

 

ଅଭିମନ୍ୟୁ କ’ଣ ତେବେ ବ୍ୟୂହମଧ୍ୟରେ ଶତ୍ରୁମାନଙ୍କ ହସ୍ତରେ ନିହତ ହୋଇଅଛି ? ଯେଉଁ ପୁତ୍ରର ମୁଖକୁ ବାରମ୍ବାର ଅବଲୋକନ କରି ମଧ୍ୟ ମୋର ନୟନ ତୃପ୍ତ ହୁଏନାହିଁ, ଦ୍ରୌପଦୀ, କୃଷ୍ଣ, କୁନ୍ତୀ, ସୁଭଦ୍ରା ଓ ପାଣ୍ଡବଙ୍କର ପ୍ରିୟତମ ମହାବାହୁ ପୁତ୍ର ସେହି ଅଭିମନ୍ୟୁ କ’ଣ ତେବେ ଆଜି ମୃତ !’’

 

ଅର୍ଜ୍ଜୁନ ଏହିପରି ପ୍ରଶ୍ନ କଲେ ମଧ୍ୟ ଶିବିର ମଧ୍ୟରେ ଉପସ୍ଥିତ ଥିବା ବ୍ୟକ୍ତିମାନେ କୌଣସି ଉତ୍ତର ନ ଦେଇ ନୀରବ ରହିବାରୁ କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ଶୋକ କରନାହିଁ । ଯୁଦ୍ଧରେ ମୃତ୍ୟୁବରଣ କରିବା କ୍ଷତ୍ରିୟବୀରମାନଙ୍କର ଧର୍ମାନୁମୋଦିତ ପଥ । ଯୁଦ୍ଧଭୂମିରେ ଶତ୍ରୁମାନଙ୍କ ହସ୍ତରେ ନିହତ ହୋଇ ମହାବୀର ଅଭିମନ୍ୟୁ ବୀରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିବା ଗତିପ୍ରାପ୍ତ ହୋଇ ଅକ୍ଷୟ କୀର୍ତ୍ତି ଅର୍ଜନ କରିଅଛି । ତେଣୁ ଅଭିମନ୍ୟୁର ଏହି ବୀରମୃତ୍ୟୁ ପାଇଁ ଦୁଃଖ କରନାହିଁ ।’’

 

ଅର୍ଜ୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେଇ ଯୁଧିଷ୍ଠିର କହିଲେ, “ମହାବାହୁ, ତୁମେ ସଂଶପ୍ତକମାନଙ୍କ ସହ ଯୁଦ୍ଧ କରିବାକୁ ଯିବାପରେ କୌରବମାନଙ୍କ ପକ୍ଷରୁ ଚକ୍ରବ୍ୟୂହ ରଚିତ ହୋଇଥିବାର ଲକ୍ଷ୍ୟ କରି ପୁତ୍ର ଅଭିମନ୍ୟୁକୁ ବ୍ୟୂହଭେଦ କାର୍ଯ୍ୟରେ ମୁଁ ନିଯୁକ୍ତ କରିଥିଲି । ମହାବୀର ଅଭିମନ୍ୟୁ ମୋର ଅଦେଶ ପାଇବା ମାତ୍ରେ ଅପୂର୍ବ ବିକ୍ରମ ପ୍ରକାଶ କରି ଦ୍ରୋଣଙ୍କର ସେହି ଚକ୍ରବ୍ୟୂହକୁ ମଧ୍ୟ ଭେଦ କରିଥିଲା । ଅଭିମନ୍ୟୁର ପଛେ ପଛେ ବ୍ୟୂହ ମଧ୍ୟରେ ପ୍ରବେଶ କରିବାକୁ ଆମ୍ଭେମାନେ ଚେଷ୍ଟା କରିବା ସମୟରେ ଜୟଦ୍ରଥ ଶିବଙ୍କର ବରପ୍ରଭାବରେ ଆମ୍ଭମାନଙ୍କର ଗତିରୋଧ କରିଥଲେ । ଆମ୍ଭେମାନେ ଜୟଦ୍ରଥଙ୍କ ସହ ବ୍ୟୂହର ଦ୍ୱାରଦେଶରେ ଯୁଦ୍ଧ କରୁଥିବା ସମୟରେ ପୁତ୍ର ଅଭିମନ୍ୟୁକୁ ଏକାକୀ ଓ ସହାୟଶୂନ୍ୟ ଦେଖି ମହାବୀର ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱତ୍‌ଥାମା, କୋଶଳରାଜା ବୃହଦ୍ଦଳ ଓ କୃତବର୍ମା ପ୍ରମୁଖ ବୀରମାନେ ଫେରିଯାଇ ଚତୁର୍ଦ୍ଦିଗରୁ ତାକୁ ଆକ୍ରମଣ କରିଥିଲେ; କୌରବ ବୀରମାନଙ୍କ ସହ ଶେଷ ସମୟ ପର୍ଯ୍ୟନ୍ତ ବୀରତ୍ୱର ସହ ସଂଗ୍ରାମ କରି ପରିଶେଷରେ କ୍ଲାନ୍ତଶ୍ରାନ୍ତ ଅବସ୍ଥାରେ ଦୁଃଶାସନ ପୁତ୍ରର ଗଦା ପ୍ରହାରରେ ନିହତ ହୋଇଅଛି ।”

 

ଯୁଧିଷ୍ଠିରଙ୍କଠାରୁ ପୁତ୍ରର ନିଧନ ବୃତ୍ତାନ୍ତ ଶ୍ରବଣ କରୁକରୁ ଅର୍ଜ୍ଜୁନ ଶୋକରେ ସଂଜ୍ଞାହୀନ ହୋଇପଡ଼ିଲେ ଏବଂ ପରେ ଜ୍ଞାନ ଫେରିପାଇବାରୁ ପୁଧିଷ୍ଠିରଙ୍କୁ ସମ୍ବୋଧନ କରି କହିଲେ, ‘‘ମହାରଜ, ପାପାତ୍ମା ଜୟଦ୍ରଥ ଯୋଗୁହିଁ ପୁତ୍ର ଅଭିମନ୍ୟୁ ନିହତ ହୋଇଅଛି । ଆଜି ପ୍ରତିଜ୍ଞା କରୁଛି, ଆଗାମୀ କାଲି ସୂର୍ଯ୍ୟ ଅସ୍ତ ହେବାପୂର୍ବରୁ ମୁଁ ପାପାତ୍ମା ଜୟଦ୍ରଥକୁ ସଂହାର କରିବି; ଯଦି ତା’ କରିନପାରେ ତେବେ ପ୍ରଜ୍ଜ୍ୱଳିତ ଅଗ୍ନି ମଧ୍ୟରେ ପ୍ରବେଶ କରି ମୋର ଜୀବନ ବିସର୍ଜନ କରିବି ।’’

 

ଅର୍ଜ୍ଜୁନଙ୍କର ପ୍ରତିଜ୍ଞା ଶ୍ରବଣ କରି ପାଣ୍ଡବବୀରମାନେ ଉଲ୍ଳସିତ ହୋଇପଡ଼ିଲେ । ଏହିପରି ଶପଥ ଗ୍ରହଣ କରି ଅର୍ଜ୍ଜୁନ ନିଜର ଦେବଦତ୍ତ ଶଙ୍ଖ ବାଦନ କଲେ, ପାଞ୍ଚଜନ୍ୟ ଶଙ୍ଖଧ୍ୱନି ଦ୍ୱାରା କୃଷ୍ଣ ମଧ୍ୟ ଅର୍ଜ୍ଜୁନଙ୍କୁ ସମର୍ଥନ ଜଣାଇ ଉତ୍ସାହିତ କଲେ । ପାଣ୍ଡବବୀରମାନଙ୍କର ସିଂହନାଦରେ ଶିବିର ପ୍ରକମ୍ପିତ ହୋଇଉଠିଲା ।

 

ଅର୍ଜ୍ଜୁନଙ୍କର ପ୍ରତିଜ୍ଞା ବିଷୟ କୌରବ ଶିବିରରେ ଯଥାସମୟରେ ପହଞ୍ଚିଗଲା । ଜୟଦ୍ରଥ ଅର୍ଜ୍ଜୁନଙ୍କର ଏପରି ପ୍ରତିଜ୍ଞାରେ ଏକାନ୍ତ ଭୟଭୀତ ହୋଇ କୌରବ ବୀରମାନଙ୍କ ନିକଟକୁ ଯାଇ କହିଲେ; “ବୀରଗଣ, ଅର୍ଜ୍ଜୁନଙ୍କର ପ୍ରତିଜ୍ଞା ମୋତେ ବିଶେଷ ଭୟଭୀତ କରିଅଛି । ଆପଣମାନେ ମହାବୀର୍ଯ୍ୟଶାଳୀ; ତେଣୁ ଆପଣମାନେ ସମବେତ ହୋଇ ମୋତେ ରକ୍ଷା କରନ୍ତୁ; ନଚେତ୍ ମୋତେ ଅନୁମତି ଦିଅନ୍ତୁ, ମୁଁ ଯୁଦ୍ଧଭୂମିରୁ ପଳାୟନ କରି ନିଜକୁ କୌଣସି ନିରାପଦ ସ୍ଥାନରେ ଗୋପନ କରେ ।”

 

ଜୟଦ୍ରଥଙ୍କ କାତରବାକ୍ୟ ଶ୍ରବଣ କରି ଦୁର୍ଯ୍ୟୋଧନ କହିଲେ, ‘‘ସିନ୍ଧୁରାଜ, ଭୟ କରିବାର କିଛିନାହିଁ । ତୁମେ ନିଜେ ମହାପରାକ୍ରମଶାଳୀ, ତା’ଛଡ଼ା ମୁଁ, କର୍ଣ୍ଣ, ଦ୍ରୋଣ, ଅଶ୍ୱତ୍‌ଥାମା, ଶଲ୍ୟ, ଚିତ୍ରସେନ, ଭୂରିଶ୍ରବା ପ୍ରମୁଖ ମହାରଥୀ ଓ ଅନ୍ୟାନ୍ୟ ନିର୍ଭୀକ ବୀରମାନେ ଉପସ୍ଥିତ ଅଛୁ । କାଲି ତୁମକୁ ମଝିରେ ରଖି ଆମେ ଚତୁର୍ଦ୍ଦିଗରୁ ତୁମକୁ ରକ୍ଷା କରିବୁ । ତୁମର କେହି କୌଣସି ଅନିଷ୍ଟ କରିପାରିବେ ନାହଁ । ତେଣୁ ଏପରି ଦୁର୍ଭାବନାକୁ ମନରେ ଆଦୌ ସ୍ଥାନ ଦିଅ ନାହିଁ ।’’

 

ଦ୍ରୋଣ କହିଲେ, ‘‘ସିନ୍ଧୁରାଜ, ଅର୍ଜ୍ଜୁନଙ୍କ ପ୍ରତିଜ୍ଞାରେ ଭୟଭୀତ ହୁଅନାହିଁ । ଆଗାମୀ କାଲି ମୁଁ ଏପରି ଦୁର୍ଭେଦ୍ୟ ବ୍ୟୂହ ରଚନା କରିବି, ଯାହାକୁ ଅତିକ୍ରମ କରିବା ଅର୍ଜ୍ଜୁନଙ୍କ ପକ୍ଷରେ ସମ୍ଭବ ହେବନାହିଁ । ତେଣୁ ଯୁଦ୍ଧ ପରାନ୍ମୁଖ ହୋଇ ଗୋପନରେ ପଳାୟନ ନ କରି କ୍ଷତ୍ରିୟ ଧର୍ମରକ୍ଷା କରି ଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତୁ । ତପସ୍ୱୀମାନେ ବହୁକାଳ କଠୋର ତପସ୍ୟା କରି ଯେଉଁ ଅକ୍ଷୟଲୋକ ଲାଭ କରିଥାନ୍ତି, କ୍ଷତ୍ରିୟଧର୍ମ ରକ୍ଷାକରି ବୀରମାନେ ତାହା ଲାଭ କରିବାକୁ ସମର୍ଥ ହୋଇଥାନ୍ତି, ତେଣୁ ମୃତ୍ୟୁକୁ ଭୟ କରନ୍ତୁ ନାହିଁ ।

 

ବୀରମାନଙ୍କର ଆଶ୍ୱାସନାରେ ଜୟଦ୍ରଥ ପଳାୟନ ନ କରି ଯୁଦ୍ଧ କରିବାକୁ ସ୍ଥିର କଲେ ।

 

ସେଦିନ ରାତ୍ରିରେ କୌଣସି ପକ୍ଷର ଲୋକ ସୁଖରେ ନିଦ୍ରା ଯାଇପାରିଲେ ନାହିଁ । ଅଭିମନ୍ୟୁଙ୍କର ଶୋଚନୀୟ ମୃତ୍ୟୁ ଓ ଅର୍ଜ୍ଜୁନଙ୍କର ସେହି କ୍ରୋଧଜର୍ଜରିତ ପ୍ରତିଜ୍ଞା ପାଳନ ପାଣ୍ଡବପକ୍ଷର ବୀରମାନଙ୍କୁ ଉନ୍ନିଦ୍ର କରି ରଖିଲା ଏବଂ ଅନ୍ୟପକ୍ଷରେ ଜୟଦ୍ରଥଙ୍କୁ କିପରି ଅଗାମୀକାଲିର ଯୁଦ୍ଧରେ ରକ୍ଷାକରିବେ ସେଥଇନିମନ୍ତେ କୌରବପକ୍ଷର ବୀରମାନେ ବିଭିନ୍ନ ମନ୍ତ୍ରଣା କରି ଦୃଢ଼ସଂଗ୍ରାମ ଉଦ୍ଦେଶ୍ୟରେ ଉପାୟ ସ୍ଥିର କରିବାକୁ ଲାଗିଲେ ।

 

ପରଦିନର ସଂଗ୍ରାମରେ ଦ୍ରୋଣାଚାର୍ଯ୍ୟ ସୂଚୀ-ବ୍ୟୂହ ରଚନା କରି ଜୟଦ୍ରଥଙ୍କୁ କହିଲେ ‘‘ସିନ୍ଧୁ ରାଜ କର୍ଣ୍ଣ, ସୋମଦତ୍ତ, ଅଶ୍ୱତ୍‌ଥାମା, ଶଲ୍ୟ, କୃପ ପ୍ରମୁଖ ମହାବୀରମାନଙ୍କ ସହ ଏକଲକ୍ଷ ଅଶ୍ୱାରୋହୀ, ଛ’ଅୟୁତ ରଥାରୋହୀ, ଚୌଦ ହଜାର ଗଜାରୋହୀ ଓ ଏକୋଇଶ ହଜାର ପଦାତିକ ସୈନ୍ୟ ସଙ୍ଗରେ ନେଇ ଏହି ସ୍ଥାନ ଠାରୁ ଛ’ କୋଶ ଦୂରରେ ଆପଣ ନିର୍ଭୟ ଚିତ୍ତରେ ଅବସ୍ଥାନ କରନ୍ତୁ । ପାଣ୍ଡବମାନଙ୍କ କଥା ଦୂରେ ଥାଉ, ଇନ୍ଦ୍ର ପ୍ରମୁଖ ଦେବଗଣ ମଧ୍ୟ ଆପଣଙ୍କୁ ଆକ୍ରମଣ କରିବାକୁ ସମର୍ଥ ହେବେ ନାହଁ ।”

 

ଦ୍ରୋଣଙ୍କ ନିର୍ଦ୍ଦେଶାନୁସାରେ ଜୟଦ୍ରଥ ସୈନ୍ୟ ଓ ମହାରଥୀମାନଙ୍କ ଗହଣରେ ଦୂରକୁ ଚାଲିଗଲେ ଓ ଦ୍ରୋଣଙ୍କ ରଚିତ ସୂଚୀ-ବ୍ୟୂହର ସମ୍ପୂର୍ଣ୍ଣ ନିରାପଦ ଓ କର୍ଣ୍ଣ ପ୍ରମୁଖ ମହାରଥମାନଙ୍କ ଦ୍ୱାରା ସୁରକ୍ଷିତ ସ୍ଥାନରେ ସମ୍ମୁଖ ଭାଗର ସୈନ୍ୟଙ୍କଠାରୁ ଛ’ କୋଶ ଦୂରରେ ଅବସ୍ଥାନ କଲେ ।

ଉପଯୁକ୍ତ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଗ୍ରାମ ଆରମ୍ଭ ହୋଇଗଲା । ସେ ଦିନର ଯୁଦ୍ଧରେ ଅର୍ଜ୍ଜୁନଙ୍କର ବିକ୍ରମ ଅନିର୍ବନୀୟ ଥିଲା । ଅର୍ଜ୍ଜୁନ କ୍ରୋଧ ପରବଶ ହୋଇ କୌରବମାନଙ୍କ ସହ ତୁମୁଳ ସଂଗ୍ରାମରେ ପ୍ରବୃତ୍ତ ହୋଇ କୌରବପକ୍ଷର ସମ୍ମୁଖସ୍ଥ ବୀରମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରି ପକାଇଲେ । ମୁହୂର୍ତ୍ତକ ମଧ୍ୟରେ ନିହତ ବୀରମାନଙ୍କର ପ୍ରାଣଶୂନ୍ୟ କ୍ଷତ ବିକ୍ଷତ ଶରୀର, ଛିନ୍ନ ମସ୍ତକ ଆଦିରେ ଯୁଦ୍ଧଭୂମି ସମାକୀର୍ଣ୍ଣ ହୋଇଉଠିଲା । ଅର୍ଜ୍ଜୁନଙ୍କ ଶରରେ କୌରବବାହିନୀ ଶୋଚନୀୟ ଭାବରେ ନିପୀଡ଼ିତ ହେଉଥିବାର ଲକ୍ଷ୍ୟକରି ଦୁଃଶାସନ ଅର୍ଜ୍ଜୁନଙ୍କୁ ପ୍ରତିଆକ୍ରମଣ କଲେ ସତ, ମାତ୍ର ଅର୍ଜ୍ଜୁନଙ୍କଠାରୁ ସମ୍ପୂର୍ଣ୍ଣ ପରାସ୍ତ ହୋଇ ପଳାୟନ କରି ଦ୍ରୋଣଙ୍କର ଆଶ୍ରୟ ଗ୍ରହଣ କଲେ ।

ଦୁଃଶାସନଙ୍କୁ ପରାଜିତ କରି ଅର୍ଜ୍ଜୁନ ଦ୍ରୋଣଙ୍କର ସମ୍ମୁଖୀନ ହେଲେ । ଜୟଦ୍ରଥଙ୍କୁ ସଂହାର କରିବା ଅର୍ଜ୍ଜୁନଙ୍କର ଲକ୍ଷ୍ୟ ଥିଲା; ତେଣୁ ଦ୍ରୋଣାଚାର୍ଯ୍ୟଙ୍କୁ ଅର୍ଜ୍ଜୁନ କହିଲେ,‘ଆଚାର୍ଯ୍ୟ ମହାଶୟ, ସିନ୍ଧୁରାଜଙ୍କୁ ବିନାଶ କରିବାକୁ ପ୍ରତିଜ୍ଞା କରିଅଛି; ସେଥିପାଇଁ ଆପଣଙ୍କ ରଚିତ ଦୁର୍ଭେଦ୍ୟ ବ୍ୟୂହ ମଧ୍ୟକୁ ପ୍ରବେଶ କରିବାକୁ ଯାଉଅଛି, ଅଶ୍ୱତ୍‌ଥାମା ପରି ମୁଁ ଆପଣଙ୍କର ରକ୍ଷଣୀୟ । ମୋର ପ୍ରତିଜ୍ଞା ରକ୍ଷା ପାଇଁ ମୁଁ ଆପଣଙ୍କର ଆର୍ଶୀବାଦ ଭିକ୍ଷା କରୁଅଛି ।’

ଦ୍ରୋଣ କହିଲେ ‘ଅର୍ଜ୍ଜୁନ ! ମୋତେ ପରାଜିତ ନ କଲା ପର୍ଯ୍ୟନ୍ତ ମୋର ସୈନ୍ୟ ମଧ୍ୟକୁ ଅଧିକ ଅଗ୍ରସର ହେବା ତୁମପକ୍ଷରେ ସମ୍ଭବ ନୁହେଁ ।’

ଦ୍ରୋଣ ଏହା କହି ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ଓ କ୍ଷତ୍ରିୟ ଧର୍ମାନୁସାରେ ଅର୍ଜ୍ଜୁନ ମଧ୍ୟ ଦ୍ରୋଣଙ୍କ ସହ ଯୁଦ୍ଧ ଆରମ୍ଭ କଲେ । ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ବହୁ ସମୟଧରି ଅନୁଷ୍ଠିତ ହେଲା ।

 

କୃଷ୍ଣ କହିଲେ ଅର୍ଜ୍ଜୁନ, ଏପରି ସମୟ ଅତିବାହିତ କରିବା ଆଦୌ ଉଚିତ୍ ନୁହେଁ । ଦ୍ରୋଣଙ୍କ ସହ ଯଥେଷ୍ଟ ଯୁଦ୍ଧ ହୋଇଅଛି, ତାଙ୍କୁ ତେଣୁ ପରିତ୍ୟାଗ କରି ଅନ୍ୟଦିଗକୁ ନିଜର ଆକ୍ରମଣ ଚଳାଅ ।

 

କୃଷ୍ଣଙ୍କ ପରାମର୍ଶାନୁସାରେ ଦ୍ରୋଣଙ୍କ ସହ ଅଧିକ ଯୁଦ୍ଧ ନକରି ଅର୍ଜ୍ଜୁନ ଅନ୍ୟଦିଗକୁ ଯିବାକୁ ଉଦ୍ୟମ କଲେ ।

 

ଦ୍ରୋଣ କହିଲେ, ‘ଅର୍ଜ୍ଜୁନ, ଶତ୍ରୁକୁ ପରାଜିତ ନକରି, ଅନ୍ୟଆଡ଼କୁ ଯିବା ଉଚିତ ନୁହେଁ ।’

 

ଅର୍ଜ୍ଜୁନ କହିଲେ, ‘‘ଆଚାର୍ଯ୍ୟ, ଆପଣ ମୋର ଶତ୍ରୁ ନୁହଁନ୍ତି; ଆପଣ ମୋର ହିତାକାଂକ୍ଷୀ ଗୁରୁ । ଆପଣଙ୍କୁ ଯୁଦ୍ଧରେ ଜୟ କରିବା ପରି ବୀର ପୃଥିବୀରେ ନାହିଁ ।’ ଏହି କଥା କହି ଅର୍ଜ୍ଜୁନ ଦ୍ରୋଣଙ୍କ ଆକ୍ରମଣର ପରିସର ମଧ୍ୟରୁ ଦୂରେଇ ଯାଇ ଆଗକୁ ଅଗ୍ରସର ହେଲେ । ଅର୍ଜ୍ଜୁନଙ୍କର ଅଗ୍ରଗତିକୁ କୃତବର୍ମା ପ୍ରମୁଖ ପ୍ରତିରୋଧ କରିବାରୁ ଅର୍ଜ୍ଜୁନ କୃତବର୍ମାଙ୍କୁ ପରାସ୍ତ, ତାଙ୍କର ସୈନ୍ୟସାମନ୍ତକୁ ଧ୍ୱସ୍ତବିଧ୍ୱସ୍ତ ଓ ଶ୍ରୁତାୟୁ, ଅଶ୍ରୁତାୟୁ, ସୁଦକ୍ଷିଣ ପ୍ରମୁଖ କୌରବମାନଙ୍କୁ ନିହତ କଲେ ଏବଂ ଜୟଦ୍ରଥଙ୍କ ଆଡ଼କୁ ଆଗେଇ ଚାଲିଲେ ।

 

କୌରବସେନା ମଧ୍ୟରେ ଅର୍ଜ୍ଜୁନଙ୍କର ଏପରି ଦ୍ରୁତ ଅଗ୍ରଗତି ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ କହିଲେ, ‘ମହାଭାଗ, ଆମର ସୈନ୍ୟମାନଙ୍କୁ ପରାସ୍ତ ଓ ନିହତ କରି ଜୟଦ୍ରଥଙ୍କ ଆଡ଼କୁ ଅର୍ଜ୍ଜୁନ ଯେପରି ଅଗ୍ରଗତି କରୁଅଛି, ମୋ’ ମନରେ ତାହା ବିଶେଷ ଉଦ୍‌ବେଗ ସୃଷ୍ଟି କରୁଅଛି-। ଆପଣ ଆମର ଏକମାତ୍ର ଆଶ୍ରୟଦାତା, ତେଣୁ ଅର୍ଜ୍ଜୁନଙ୍କର ଗତିରୋଧ ନିମନ୍ତେ ବିହିତ ବ୍ୟବସ୍ଥା କରନ୍ତୁ । ଆପଣଙ୍କ ଦୃଷ୍ଟି ସମ୍ମୁଖରେ ଅର୍ଜ୍ଜୁନ ଆମର ସୈନ୍ୟମାନଙ୍କୁ ଶୋଚନୀୟ ଭାବରେ ପରାସ୍ତ କରି ଆମର ଏହି ଦୁର୍ଭେଦ୍ୟ ବ୍ୟୂହ ମଧ୍ୟରେ ଯେପରି ପ୍ରବେଶ କଲା, ତାହା ମୋତେ ବିଶେଷ ବିବ୍ରତ କରିଅଛି । ଆପଣଙ୍କ କାର୍ଯ୍ୟରେ ଆମ୍ଭମାନଙ୍କର ହିତକାମନା ଅପେକ୍ଷା ପାଣ୍ଡବମାନଙ୍କର ହିତ ଅନୁଷ୍ଠାନ ବିଶେଷ ଅଭିପ୍ରେତ । ଆମ ଅନ୍ନରେ ପ୍ରତିପାଳିତ ହୋଇ ଆମର ହିତସାଧନ ପ୍ରତି ଆପଣ ଏପରି ଉଦାସୀନ ହେବେ ପୂର୍ବରୁ ତାହା ଜାଣିଥିଲେ, ସିନ୍ଧୁରାଜ ଜୟଦ୍ରଥଙ୍କୁ ଯୁଦ୍ଧରେ ପ୍ରବୃତ୍ତ ନକରି ସ୍ୱଗୃହକୁ ପ୍ରତ୍ୟାଗମନ କରିବାକୁ ଅନୁମତି ଦେଇଥାନ୍ତି । ମୁଁ ମୋହଗ୍ରସ୍ତ ହୋଇ ଆପଣଙ୍କ ଆଶ୍ୱାସନା ଓ ବିକ୍ରମ ଉପରେ ଆସ୍ଥା ସ୍ଥାପନା କରି ବଡ଼ ଭୁଲ କରିଅଛି ଏବଂ ତବ୍ଦ୍ୱାରା ଜୟଦ୍ରଥଙ୍କୁ ମୃତ୍ୟୁମୁଖକୁ ନିକ୍ଷେପ କରିଅଛି । ଯାହାହେଉ ମୋର ଏହି କଟୁ ଉକ୍ତିକୁ କ୍ଷମାକରି ଅର୍ଜ୍ଜୁନ ହସ୍ତରୁ ଜୟଦ୍ରଥଙ୍କୁ ରକ୍ଷା କରନ୍ତୁ ।’

 

ଦ୍ରୋଣ କହିଲେ, ‘‘ମହାରାଜ; ଅଶ୍ୱତ୍‌ଥାମା ପରି ତୁମେ ମୋର ପୁତ୍ରତୂଲ୍ୟ । ତେଣୁ ତୁମକୁ ଦୋଷ ଦେଉ ନାହିଁ । ସାରଥି ଭାବରେ କୃଷ୍ଣଙ୍କର ତୁଳନା ନାହିଁ ଏବଂ ତାଙ୍କ ରଥର ଅଶ୍ୱମାନେ ମଧ୍ୟ ଅତି କ୍ଷିପ୍ର ଗତିଶୀଳ । ଏହି ବୃଦ୍ଧାବସ୍ଥାରେ ସେମାନଙ୍କର ଗତିକୁ ରୋଧ କରିବାର ସାମର୍ଥ୍ୟ ମୋର ନାହିଁ । ତା’ଛଡ଼ା ଅର୍ଜ୍ଜୁନଙ୍କ ଗତିରୋଧ ପାଇଁ ମୁଁ ନିଜେ ନ ଯାଇ ଅର୍ଜ୍ଜୁନଙ୍କଦ୍ୱାରା ବର୍ତ୍ତମାନ ପରିତ୍ୟକ୍ତ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବାକୁ ଯତ୍ନ କରୁଅଛି । ତେଣୁ ତୁମେ ବରଂ ଅର୍ଜ୍ଜୁନଙ୍କ ଗତିରୋଧ କର ।’’

 

ଦୁର୍ଯ୍ୟୋଧନ କହିଲେ, ‘ଆଚାର୍ଯ୍ୟ ମହାଶୟ, ଆପଣଙ୍କପରି ମହାପରାକ୍ରମଶାଳୀ ବୀରଙ୍କୁ ଅର୍ଜ୍ଜୁନ ଯେତେବେଳେ ଅତିକ୍ରମ କରି ଅଗ୍ରସର ହୋଇଅଛି । ମୁଁ ବା କିପରି ତା’ର ଗତିରୋଧ କରିବାକୁ ସମର୍ଥ ହେବି ? ଅର୍ଜ୍ଜୁନଙ୍କୁ ପରାସ୍ତ କରିବା ମୋ’ ପକ୍ଷରେ ସମ୍ଭବ ନୁହେଁ ।’

 

ଦ୍ରୋଣ କହିଲେ, ‘ମହାରାଜ, ଅର୍ଜ୍ଜୁନ ବାସ୍ତବିକ ମହାପରାକ୍ରମଶାଳୀ ଓ ତାଙ୍କୁ ପରାଜିତ କରିବା ତୁମ ପକ୍ଷରେ ସମ୍ଭବ ନୁହେଁ । ତେବେ ଅର୍ଜ୍ଜୁନଙ୍କର ଆକ୍ରମଣକୁ ଯେପରି ତୁମେ ସହ୍ୟ କରିପାରିବ, ସେଥିପାଇଁ ମୁଁ ତୁମକୁ ଏହି ମନ୍ତ୍ରପୂତ କବଚ ପ୍ରଦାନ କରୁଅଛି । ଏହା ଫଳରେ କୌଣସି ଅସ୍ତ୍ର ତୁମ ଶରୀରକୁ ବିଦ୍ଧ କରିପାରିବ ନାହିଁ । ଏହା କହି ମନ୍ତ୍ରୋଚ୍ଚାରଣ କରି ଦୁର୍ଯ୍ୟୋଧନଙ୍କ ଶରୀରରେ ଦ୍ରୋଣ ଏକ କବଚ ବନ୍ଧନ କରିଦେଲେ । ଅର୍ଜ୍ଜୁନଙ୍କର ଗତିରୋଧ କରିବା ନିମନ୍ତେ ସୈନ୍ୟମାନଙ୍କ ସହ ଦୁର୍ଯ୍ୟୋଧନ ସତ୍ୱର ସେ ସ୍ଥାନକୁ ଗମନ କଲେ ।’

 

ସେତେବେଳକୁ ମଧ୍ୟାହ୍ନ ଗଡ଼ିଗଲାଣି ।

 

କୌରବ ପକ୍ଷର ସୁଦୃଢ଼ ପ୍ରତିରୋଧକୁ ଅତିକ୍ରମ କରି ଓ ବହୁ କୌରବ ବୀରଙ୍କୁ ସଂହାର କରିବା ପରେ ନିଜର ରଥର ଅଶ୍ୱମାନଙ୍କୁ ଅତିଶୟ କ୍ଳାନ୍ତ କ୍ଷତବିକ୍ଷତ ଓ ତୃଷାର୍ତ୍ତ ହୋଇଥିବାର ଲକ୍ଷ୍ୟ କରି କୃଷ୍ଣଙ୍କ ପରାମର୍ଶ ଅନୁସାରେ ଅର୍ଜ୍ଜୁନ ନିଜର ଅସ୍ତ୍ର ସାହାଯ୍ୟରେ ସେହି ଯୁଦ୍ଧଭୂମିରେ ଏକ କୃତ୍ରିମ ଜଳାଶୟ ନିର୍ମାଣ କଲେ ଏବଂ ରଥର ଅଶ୍ୱମାନଙ୍କୁ କୃଷ୍ଣ ଜଳପାନ ଓ ଶୁଶ୍ରୁଷା କରୁଥିବା ସମୟରେ ଶତ୍ରୁପକ୍ଷର କୌଣସି ଶର ଯେପରି ତାଙ୍କର କାର୍ଯ୍ୟରେ ବିଘ୍ନ ସୃଷ୍ଟି କରି ନପାରିବ, ସେଥିପାଇଁ ଅଜସ୍ର ଶର ସାହାଯ୍ୟରେ ଅର୍ଜ୍ଜୁନ ଏକ ଶିବିର ନିର୍ମାଣ କରିପକାଇଲେ । ନିଜେ ଅର୍ଜ୍ଜୁନ ରଥରୁ ଅବତରଣ କରି ଶତ୍ରୁମାନଙ୍କର ଆକ୍ରମଣକୁ ପ୍ରତିହତ କରିବାକୁ ଲାଗିଲେ । କିଛି ସମୟ ପରେ କୃଷ୍ଣ ଅଶ୍ୱମାନଙ୍କୁ ଜଳପାନ ଓ ତାଙ୍କର ଶୁଶ୍ରୁଷା ଆଦି କରିବାପରେ ଯୁଦ୍ଧପାଇଁ ପୁନର୍ବାର ରଥ ପ୍ରସ୍ତୁତ କରିବାରୁ ଅର୍ଜ୍ଜୁନ ରଥ ଆରୋହଣ କରି ଜୟଦ୍ରଥ ଯେଉଁ ଦିଗରେ ଅବସ୍ଥାନ କରୁଥିଲେ ସେ ଦିଗକୁ ଧାବମାନ ହେଲେ ।

 

ଅର୍ଜ୍ଜୁନଙ୍କର ବିକ୍ରମରେ କୌରବପକ୍ଷର ସୈନ୍ୟମାନେ ଏକାନ୍ତ ଭୟଭୀତ ହୋଇଯାଇଥିଲେ, ତେବେ ସେମାନଙ୍କର ଏକମାତ୍ର ଆଶ୍ୱାସନା ଥିଲା ଯେ, କୌରବପକ୍ଷର ମହାରଥୀମାନଙ୍କୁ ପରାସ୍ତ କରି ଜୟଦ୍ରଥଙ୍କ ନିକଟରେ ସଂଧ୍ୟାପୂର୍ବରୁ ପହଞ୍ଚିବା ଅର୍ଜ୍ଜୁନଙ୍କ ପକ୍ଷରେ କେବେ ସମ୍ଭବ ନଥିଲା । କାରଣ ସୂର୍ଯ୍ୟାସ୍ତ ହେବା ପାଇଁ ଆଉ ଅଳ୍ପ ସମୟ ଥିଲା । ସୂର୍ଯ୍ୟାସ୍ତ ପାଇଁ ସମୟ ଖୁବ୍ ଅଳ୍ପ ଥିବାରୁ ଅର୍ଜ୍ଜୁନ ନିଜର ପ୍ରତିଜ୍ଞା ରକ୍ଷାକରି ପୁତ୍ରହନ୍ତା ଉପରେ ପ୍ରତିଶୋଧ ନେବାକୁ ବିଶେଷ ବ୍ୟାକୁଳ ହୋଇପଡ଼ିଲେ ଓ ଦ୍ୱିଗୁଣ ପରାକ୍ରମରେ ଶତ୍ରୁମାନଙ୍କର ସମ୍ମୁଖୀନ ହେଲେ । ଏଣେ ଅର୍ଜ୍ଜୁନଙ୍କ ସମ୍ପର୍କରେ ଯୁଧିଷ୍ଠିର ଅତି ଚିନ୍ତିତ ହୋଇ ସାତ୍ୟକି ଓ ଭୀମସେନ ପ୍ରମୁଖଙ୍କୁ ଅର୍ଜ୍ଜୁନଙ୍କୁ ସାହାଯ୍ୟ କରିବାକୁ ପ୍ରେରଣ କଲେ । ଦୁର୍ଯ୍ୟୋଧନ, କର୍ଣ୍ଣ ପ୍ରମୁଖଙ୍କୁ ପରାସ୍ତ ଓ ପ୍ରତିହତ କରି, ଭୁରିଶ୍ରବାଙ୍କୁ ସଂହାର କରି ଜୟଦ୍ରଥ ଅଭିମୁଖେ ଅର୍ଜ୍ଜୁନ ଅତି ଦ୍ରୁତଗତିରେ ଗମନ କରୁଥାନ୍ତି । ଭୀମସେନ ମଧ୍ୟ ଧ୍ରୁତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ମଧ୍ୟରୁ ଦୁର୍ମୁଖ, ଦୁର୍ମର୍ଷଣ, ଦୁଃସହ, ଦୁର୍ମଦ, ଦୁର୍ବ୍ଦର, ଜୟ, ଚିତ୍ର, ଉପଚିତ୍ର, ଚିତ୍ରାକ୍ଷ, ଚାରୁଚିତ୍ର, ଶରାସନ, ଚିତ୍ରୟୁଧ ଓ ଚିତ୍ରବର୍ମା ପ୍ରମୁଖଙ୍କୁ ସଂହାର କଲେ ଓ କର୍ଣ୍ଣଙ୍କୁ ଅତି ଶୋଚନୀୟ ଭାବରେ ପରାସ୍ତ କଲେ । ସାତ୍ୟକି ମଧ୍ୟ କୌରବ ପକ୍ଷର କୃତବର୍ମା ତ୍ରିଗର୍ତ୍ତ ରାଜଙ୍କୁ ପରାସ୍ତ ଓ ଜଳସନ୍ଧ ସୁଦର୍ଶନ ପ୍ରମୁଖ ମହାବୀରଙ୍କୁ ନିହତ କଲେ । ପାଣ୍ଡବପକ୍ଷର ଆକ୍ରମଣରେ କୌରବ ସେନା ଛିନ୍ନଭିନ୍ନ ହୋଇପଡ଼ିଲା ଓ କର୍ଣ୍ଣ, ଦୁର୍ଯ୍ୟୋଧନ ପ୍ରମୁଖ ଅର୍ଜ୍ଜୁନ, ସାତ୍ୟକି ଭୀମସେନ ପ୍ରମୁଖଙ୍କୁ ପ୍ରତିରୋଧ କରିବାକୁ ଯାଇ ସେମାନଙ୍କ ଦ୍ୱାରା ହସ୍ତରେ ବାରମ୍ବାର ବ୍ୟର୍ଥକାମ ହେଲେ ।

 

ଅର୍ଜ୍ଜୁନ କହିଲେ, ‘‘ହେ ଜନାର୍ବ୍ଦନ, ସୂର୍ଯ୍ୟ ଅସ୍ତ ଯିବାପାଇଁ ଆଉ ବେଶି ସମୟ ନାହିଁ । ତେଣୁ ତହିଁ ପୂର୍ବରୁ ମୁଁ ଯେପରି ଜୟଦ୍ରଥ ନିକଟରେ ପହଞ୍ଚି ମୋର ପ୍ରତିଜ୍ଞା ପୂରଣ କରିବାକୁ ସମର୍ଥ ହେବି, ତଦନୁସାରେ ଅତି ଦ୍ରୁତଗତିରେ ରଥଚାଳନା କର ।’’

 

ଅର୍ଜ୍ଜୁନଙ୍କ କଥାନୁସାରେ କୃଷ୍ଣ ଅତି ଦ୍ରୁତଗତିରେ ରଥଚାଳନା କଲେ ।

 

ଅର୍ଜ୍ଜୁନଙ୍କ ରଥର କ୍ଷିପ୍ରତା ଲକ୍ଷ୍ୟକରି ଦୁର୍ଯ୍ୟୋଧନ କହିଲେ, ‘‘କର୍ଣ୍ଣ, ଦିବସର ଅବସାନ ପାଇଁ ଖୁବ୍ ଅଳ୍ପ ସମୟ ଅଛି । ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜୟଦ୍ରଥଙ୍କୁ ରକ୍ଷାକରି ପାରିଲେ ଅର୍ଜ୍ଜୁନ ନିଜର ପ୍ରତିଜ୍ଞା ରକ୍ଷାକରିବାକୁ ଅସମର୍ଥ ହୋଇ ଆତ୍ମଘାତୀ ହେବ ଏବଂ ଅର୍ଜ୍ଜୁନଙ୍କର ଦେହାବସାନରେ ଅନ୍ୟ ପାଣ୍ଡବମାନେ ଦୁଃଖିତ ହୋଇନିଶ୍ଚୟ ମୃତ୍ୟୁବରଣ କରିବେ । ତେଣୁ ନିଷ୍କଣ୍ଟକ ହୋଇ ରାଜ୍ୟଶାସନ କରିବାର ସୌଭାଗ୍ୟ ମୁଁ ଅର୍ଜ୍ଜନ କରିବି । ତେରୁ ଅଶ୍ୱତ୍‌ଥାମା, ଶଲ୍ୟ, କୃପ ପ୍ରମୁଖ ବୀରମାନଙ୍କୁ ସଙ୍ଗରେ ନେଇ ତୁମେ ଆଉ ମୁଁ ଚାଲ ଅର୍ଜ୍ଜୁନଙ୍କର ଗତିରୋଧ କରିବା ।’’

 

ତଦନୁସାରେ କୌରବମାନେ ସୂର୍ଯ୍ୟାସ୍ତ ପୂର୍ବରୁ ଶେଷଥର ପାଇଁ ଅର୍ଜ୍ଜୁନଙ୍କୁ ପ୍ରତିରୋଧ କରିବାକୁ ସମବେତ ଚେଷ୍ଟା କଲେ; କିନ୍ତୁ ଅର୍ଜ୍ଜୁନଙ୍କର ଗତିରୋଧ କରିବା ଦୂରେ ଥାଉ ତାଙ୍କ ହସ୍ତରେ ସେମାନେ ଅତିଶୋଚନୀୟ ଭାବରେ ପରାସ୍ତ ହୋଇଗଲେ । ଅର୍ଜ୍ଜୁନ, କର୍ଣ୍ଣ, କୃପ, ଶଲ୍ୟ ଓ ଅନ୍ୟମାନଙ୍କୁ ଭୀଷଣ ଭାବରେ ଶରବିଦ୍ଧ କରି ଜୟଦ୍ରଥଙ୍କୁ ଆକ୍ରମଣ କଲେ ।

 

କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ଜୟଦ୍ରଥଙ୍କ ଚତୁଃପାର୍ଶ୍ୱରେ ଥିବା ମହାରଥିମାନଙ୍କୁ ପରାସ୍ତ ନ କଲେ ତୁମେ ତାଙ୍କୁ ସଂହାର କରିବାକୁ ସମର୍ଥ ହେବ ନାହିଁ । ସୂର୍ଯ୍ୟାସ୍ତ ପାଇଁ ଏଣେ ସମୟର ମଧ୍ୟ ବିଶେଷ ବିଳମ୍ବ ନାହିଁ । ତେଣୁ ସୂର୍ଯ୍ୟଙ୍କୁ ଆବୃତ କରି ଲୁଚାଇ କୌରବ ପକ୍ଷଙ୍କ ମନରେ ଭ୍ରମସୃଷ୍ଟି କରିବାପାଇଁ ମୁଁ ମାୟାବିସ୍ତାର କରୁଅଛି । ସୂର୍ଯ୍ୟଙ୍କୁ ଅସ୍ତଯିବାର ଦେଖି ଆନନ୍ଦମନରେ ଜୟଦ୍ରଥ ନିଶ୍ଚୟ ଆତ୍ମପ୍ରକାଶ କରିବେ ଏବଂ ତୁମେ ସେହି ସମୟରେ ଜୟଦ୍ରଥଙ୍କୁ ସଂହାର କରିବ ।’’

 

ଏହା କହି ଯୋଗମାୟାଙ୍କ ପ୍ରଭାବରେ କୃଷ୍ଣ ସୂର୍ଯ୍ୟାସ୍ତକାଳୀନ ଦୃଶ୍ୟ ସୃଷ୍ଟିକରି ଚତୁର୍ଦ୍ଦିଗକୁ ଅନ୍ଧକାରାଚ୍ଛନ୍ନ କରିପକାଇଲେ । ସୂର୍ଯ୍ୟାସ୍ତ ହୋଇଥିବାର ଦେଖି ଅର୍ଜ୍ଜୁନ ନିଶ୍ଚୟ ନିଜର ପ୍ରତିଜ୍ଞା ରକ୍ଷା କରିନପାରିଥିବା ଦୋଷରେ ଅଗ୍ନିପ୍ରବେଶ କରି ଆତ୍ମଘାତୀ ହେବେ ଏହା ଚିନ୍ତାକରି କୌରବ ପକ୍ଷର ସୈନ୍ୟମାନେ ଅତି ଆନନ୍ଦିତ ହୋଇପଡ଼ିଲେ ।

 

କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ଏହି ଦେଖ, ଅତି ଆନନ୍ଦରେ ଜୟଦ୍ରଥ ଆକାଶକୁ ଚାହିଁ ସୂର୍ଯ୍ୟସ୍ତ ଲକ୍ଷ୍ୟ କରୁଅଛି । ତାକୁ ସଂହାର କରିବାର ଏହାହିଁ ଉପଯୁକ୍ତ ସମୟ । ତେଣୁ ଅତି ଶୀଘ୍ର ତା’ର ମସ୍ତକ ଛିନ୍ନ କରି ନିଜର ପ୍ରତିଜ୍ଞା ପାଳନ କର ।’’

 

କୃଷ୍ଣଙ୍କ କଥା ଶୁଣି ଅର୍ଜ୍ଜୁନ ତତ୍‌କ୍ଷଣାତ ଶରାଘାତରେ କୃପ, କର୍ଣ୍ଣ, ଶଲ୍ୟ, ଦୁର୍ଯ୍ୟୋଧନ, ବୃକ୍ଷସେନ ଅଶ୍ୱତ୍‌ଥାମା ପ୍ରମୁଖଙ୍କୁ ଅବସନ୍ନ କରି ଜୟଦ୍ରଥକୁ ଆକ୍ରମଣ କଲେ । ଶ୍ୟେନ ବୃକ୍ଷାଗ୍ରରୁ ଶିକାରକୁ ହରଣକଲା ପରି ଅର୍ଜ୍ଜୁନଙ୍କ ଶର ଜୟଦ୍ରଥଙ୍କ ମସ୍ତକ ହରଣ କଲା ।

 

କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ସାବଧାନ, ଜୟଦ୍ରଥର ମସ୍ତକକୁ ତୁମେ ତଳେ ପକାଇଦେଲେ ଜୟଦ୍ରଥର ପୂର୍ବ ବର ଅନୁସାରେ ତୁମର ମୃତ୍ୟୁ ହେବ, ତେଣୁ ଅସ୍ତ୍ର ସାହାଯ୍ୟରେ ଜୟଦ୍ରଥର ଛିନ୍ନ ମସ୍ତକକୁ ତାଙ୍କର ପିତା ବୃଦ୍ଧକ୍ଷତ୍ତ୍ରଙ୍କ କୋଳରେ ନିକ୍ଷେପ କର । ବୃଦ୍ଧକ୍ଷତ୍ତ୍ର ବର୍ତ୍ତମାନ ସ୍ୟମନ୍ତ ପଞ୍ଚାକ ତୀର୍ଥରେ ତପସ୍ୟା କରୁଛନ୍ତି ।’’

 

କୃଷ୍ଣଙ୍କ ନିର୍ଦ୍ଦେଶାନୁସାରେ ଅର୍ଜ୍ଜୁନ ଶର ପ୍ରୟୋଗ କରି ଜୟଦ୍ରଥର ଛିନ୍ନ ମସ୍ତକକୁ ଉଡ଼େଇ ନେଇ ବୃଦ୍ଧକ୍ଷତ୍ତ୍ରଙ୍କ କୋଳରେ ନିକ୍ଷେପ କଲେ । ତପସ୍ୟାରତ ବୃଦ୍ଧକ୍ଷତ୍ତ୍ର କ’ଣ ପଡ଼ିଲା ବୋଲି ଉଠିପଡ଼ିବାରୁ ଜୟଦ୍ରଥଙ୍କ ଛିନ୍ନ ମସ୍ତକଟି ତଳେ ପଡ଼ିଗଲା ଓ ଫଳରେ ବୃଦ୍ଧକ୍ଷତ୍ତ୍ରଙ୍କ ମୃତ୍ୟୁ ହେଲା ।

 

ଏଣେ ଜୟଦ୍ରଥ ସଂହାର ହେବାପରେ ପରେ କୃଷ୍ଣ ସୂର୍ଯ୍ୟଙ୍କ ଉପରୁ ନିଜର ମାୟା ଆବରଣ ଅପସାରିତ କରିନେଲେ । ବାସ୍ତବିକ ସୂର୍ଯ୍ୟ ଅସ୍ତ ହୋଇନାହାନ୍ତି ଦେଖି କୌରବମାବନଙ୍କର ଅନୁଶୋଚନାର ଅନ୍ତ ରହିଲା ନାହିଁ ।

 

ଅର୍ଜ୍ଜୁନଙ୍କ ପ୍ରତିଜ୍ଞା ପାଳିତ ହୋଇଅଛି ଜାଣି ପାଣ୍ତବପକ୍ଷର ଆନନ୍ଦନିନାଦିତ ଶଙ୍ଖଧ୍ୱନିରେ ଚତୁର୍ଦ୍ଦିଗ ମୁଖରିତ ହୋଇପଡ଼ିଲା ।

Image

 

ଦ୍ରୋଣଙ୍କର ମୃତ୍ୟୁ

 

ପୂର୍ବେ ଦେବରାଜ ଇନ୍ଦ୍ର ବ୍ରାହ୍ମଣ-ରୂପ ଧାରଣ କରି କର୍ଣ୍ଣଙ୍କଠାରୁ ତାଙ୍କର ସହଜାତ କବଚକୁଣ୍ତଳ ହରଣ କରିନେବା ସମୟରେ କର୍ଣ୍ଣଙ୍କୁ ଏକ ଅମୋଘ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ସେହି ଅସ୍ତ୍ରକୁ ଥରେ ମାତ୍ର ବ୍ୟବହାର କରିପାରିବେ ବୋଲି ଇନ୍ଦ୍ର କହିଥିବାରୁ, ସେହି ଅସ୍ତ୍ର ସାହାଯ୍ୟରେ ଅର୍ଜ୍ଜୁନଙ୍କୁ ନିହତ କରିବା ଉଦ୍ଦେଶ୍ୟରେ କର୍ଣ୍ଣ ତାହାକୁ ଅତି ଯତ୍ନ ସହକାରେ ସାଇତି ରଖିଥିଲେ; କିନ୍ତୁ ଯୁଦ୍ଧରେ ଭୀମସେନଙ୍କ ପୂତ୍ର ଘଟୋତ୍କଚ ଅତି ପରାକ୍ରମ ପ୍ରକାଶ କରି କୌରବପକ୍ଷର ସୈନ୍ୟମାନଙ୍କୁ ଛିନ୍ନ ଭିନ୍ନ କରିପକାଇବାରୁ, କୌରବପକ୍ଷର ବହୁ ବୀରମରନଙ୍କୁ ନିହତ ଓ କର୍ଣ୍ଣଙ୍କୁ ଅତି ଭୟଙ୍କର ଭାବରେ ଆକ୍ରମଣ କରିବାରୁ ନିଜକୁ ଓ ନିଜପକ୍ଷର ବୀରମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଇନ୍ଦ୍ରଙ୍କ ପ୍ରଦତ୍ତ ସେହି ଅମୋଘ ଅସ୍ତ୍ରକୁ ପ୍ରୟୋଗ କରିବାକୁ କର୍ଣ୍ଣ ବାଧ୍ୟ ହେଲେ ଏବଂ ଫଳରେ ଘଟୋତ୍କଚର ମୃତ୍ୟୁ ହେଲା, ସତ, ମାତ୍ର ଅର୍ଜ୍ଜୁନ ଏ ନିଶ୍ଚିତ ବିପଦରୁ ରକ୍ଷାପାଇଗଲେ ।

 

ଏଣେ ଦ୍ରୋଣାଚାର୍ଯ୍ୟ ପାଣ୍ତବପକ୍ଷର ସୈନ୍ୟଙ୍କ ଉପରେ ପ୍ରବଳ ଆକ୍ରମଣ କରି ବିରାଟରାଜା ଓ ଦ୍ରୁପଦଙ୍କୁ ନିହତ କଲେ ଏବଂ ଏହି ଘଟଣାରେ ପାଣ୍ତବପକ୍ଷର ସୈନ୍ୟମାନେ ଅତି ବିଚଳିତ ହୋଇପଡ଼ିଲେ । ଦ୍ରୋଣାନ୍ତକ ଧୃଷ୍ଟଦ୍ୟୁମ୍ନ ଅତିକ୍ରୋଧାନ୍ୱିତ ହୋଇଦ୍ରୋଣଙ୍କୁ ଆକ୍ରମଣ କଲେ । ଭୀମ ଅର୍ଜ୍ଜୁନ ମଧ୍ୟ ଦ୍ରୋଣଙ୍କୁ ଆକ୍ରମଣ କଲେ । ଉଭୟପକ୍ଷଙ୍କ ମଧ୍ୟରେ ତୁମୂଳ ସଂଗ୍ରାମ ଅନୁଷ୍ଠିତହେଲା ।

 

କୃଷ୍ଣ କହିଲେ, ‘‘ଅର୍ଜ୍ଜୁନ, ମହାପରାକ୍ରମଶାଳୀ ଦ୍ରୋଣଙ୍କୁ ବୀରତ୍ୱରେ ପରାସ୍ତ କରିବା ସମ୍ଭବ ନୁହେଁ । ତେଣୁ କୌଶଳକ୍ରମେ ତାଙ୍କୁ ପରାଜିତ କରିବାକୁ ଚେଷ୍ଟାକର । ମୁଁ ଭାବୁଛି, ଏକମାତ୍ର ପୁତ୍ର ଅଶ୍ୱତ୍‌ଥାମା ନିହତ ହୋଇଅଛି ବୋଲି ଦ୍ରୋଣ ଶୁଣିବାକୁ ପାଇଲେ ସେ ଯୁଦ୍ଧରୁ କ୍ଷାନ୍ତ ହେବେ-। ତେଣୁ କେହି ଜଣେ ଦ୍ରୋଣଙ୍କୁ ଯାଇ କହୁ ଯେ ଅଶ୍ୱତ୍‌ଥାମା ଯୁଦ୍ଧରେ ନିହତ ହୋଇଅଛି-।’’

 

କୃଷ୍ଣଙ୍କ କଥାକୁ ଅର୍ଜ୍ଜୁନ ସମର୍ଥନ କରିପାରିଲେ ନାହିଁ, ମାତ୍ର ଅନ୍ୟାନ୍ୟ ପାଣ୍ତବପକ୍ଷର ବୀରମାନେ ଏବଂ ଏପରି କି ଧର୍ମରାଜ ଯୁଧିଷ୍ଠିର ମଧ୍ୟ ଅତି କଷ୍ଟର ସହିତ କୃଷ୍ଣଙ୍କ ପ୍ରସ୍ତାବରେ ସମ୍ମତ ହେଲେ । ସଙ୍ଗେ ସଙ୍ଗେ ଏକ ବିଶାଳକାୟ ହସ୍ତୀଙ୍କୁ ‘ଅଶ୍ୱତ୍‌ଥାମା’ ନାମରେ ନାମିତ କରାଗଲା ଓ ଭୀମସେନ ତାହାକୁ ସଂହାର କରି ‘ଅଶ୍ୱତ୍‌ଥାମା ମୃତ’ ବୋଲି ଉଚ୍ଚସ୍ୱରରେ ଚିତ୍କାର କଲେ । ଅଶ୍ୱତ୍‌ଥାମା ନିହତ ହୋଇଥିବା ସମ୍ବାଦ ଶୁଣିପାରି ଦ୍ରୋଣାଚାର୍ଯ୍ୟ ବିଶ୍ୱାସ କରିପାରିଲେ ନାହିଁ, ତେଣୁ ଏକଥାର ସତ୍ୟାସତ୍ୟ ସମ୍ପର୍କରେ ଯୁଧିଷ୍ଠିରଙ୍କୁ ପଚାରିଲେ ।

 

ଯୁଧିଷ୍ଠିରଙ୍କ ନିକଟରେ କୃଷ୍ଣ ଥିଲେ । ସେ କହିଲେ, ‘‘ଧର୍ମରାଜ, ଦ୍ରୋଣ ଯେପରି ବିକ୍ରମର ସହିତ ଯୁଦ୍ଧ କରୁଅଛନ୍ତି, ଅଳ୍ପ ସମୟ ମଧ୍ୟରେ ଆପଣଙ୍କର ସମସ୍ତ ସୈନ୍ୟଙ୍କୁ ବିନାଶ କରି ପକାଇବେ । ତେଣୁ ଅଶ୍ୱତ୍‌ଥାମାର ରକ୍ଷା ନାହିଁ । ଏପରିସ୍ଥଳେ ମିଥ୍ୟା କଥା ସତ୍ୟ ଅପେକ୍ଷା ଶ୍ରେୟସ୍କର । ତା’ ଛଡ଼ା ପ୍ରାଣରକ୍ଷା ପାଇଁ ମିଥ୍ୟା କଥାର ଆଶ୍ରୟ ନେଲେ, ତାହା ଦୁଷଣୀୟ ନୁହେଁ ।’’

 

ମିଥ୍ୟାକଥା କହିବାକୁ ଯୁଧିଷ୍ଠିର ପ୍ରଥମେ ସମ୍ମତ ହେଉନଥିଲେ, ମାତ୍ର ଏକପକ୍ଷରେ ଦ୍ରୋଣଙ୍କର ଅବସାନ ନ ହେବା ପର୍ଯ୍ୟନ୍ତ ଯୁଦ୍ଧରେ କୌରବମାନଙ୍କୁ ଜୟ କରିବା ସମ୍ଭବ ନୁହେଁ ଏବଂ ଅନ୍ୟପକ୍ଷରେ ମିଥ୍ୟା କହିବା ପାପ, ଏପରି ଦ୍ଵନ୍ଦ୍ଵ ମଧ୍ୟରେ ଦୋଳାୟିତ ହୋଇ ଯୁଧିଷ୍ଠିର ଦ୍ରୋଣଙ୍କୁ କହିଲେ, ‘‘ଅଶ୍ୱତ୍‌ଥାମା ନିହତ ହୋଇଅଛି ସତ, ମାତ୍ର ତାହା ଗୋଟିଏ ହସ୍ତୀ ।’’ ଯୁଧିଷ୍ଠିରଙ୍କ ବାକ୍ୟର ପ୍ରଥମ କେଇପଦ କଥା ସ୍ପଷ୍ଟ ଭାବରେ ଶୁଣାଗଲା; ମାତ୍ର ଯୁଦ୍ଧକାଳୀନ କୋଳାହଳ ମଧ୍ୟରେ ଅନ୍ୟ ଅଂଶଟି ଅର୍ଥାତ୍‌ ‘‘ମାତ୍ର ତାହା ଗୋଟିଏ ହସ୍ତୀ’’ ଏକଥା ସ୍ପଷ୍ଟଭାବରେ ଶୁଣାଗଲା ନାହିଁ । ଯୁଧିଷ୍ଠିରଙ୍କ କଥାରେ ଅବିଶ୍ୱାସ କରିବାର କିଛି ନଥିଲା । ତେଣୁ ପୁତ୍ରଶୋକରେ ଦ୍ରୋଣ ମୂହ୍ୟମାନ ହୋଇଗଲେ ଏବଂ ସେହି ଅବସରରେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କୁ ସଂହାର କଲେ । ତାହାହିଁ ଥିଲା ଯୁଦ୍ଧର ପଞ୍ଚଦଶ ଦିବସ ।

 

ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ବିବରଣୀ ଦେଉଁ ଦେଉଁ ସଞ୍ଜୟ କହିଲେ, ‘କୁରୁରାଜ, ଆଜିପର୍ଯ୍ୟନ୍ତ ସତ୍ୟବାଦୀ ଯୁଧିଷ୍ଠିରଙ୍କ ରଥ ଭୂମିଠାରୁ ଚାରି ଆଙ୍ଗୁଳି ଊର୍ଦ୍ଧ୍ୱରେ ରହି ଗତିକରୁ ଥିଲା, ମାତ୍ର ଦ୍ରୋଣଙ୍କୁ ଏହି ମିଥ୍ୟା କଥା କହିବା ଫଳରେ ତାଙ୍କର ରଥ ତଳକୁ ଖସି ଆସି ସେହି ସମୟଠାରୁ ଭୂମିକୁ ସ୍ପର୍ଶ କରି ଚାଲିଲା ।’

Image

 

କର୍ଣ୍ଣଙ୍କର ପତନ

 

ଦ୍ରୋଣାଚାର୍ଯ୍ୟଙ୍କର ମୃତ୍ୟୁପରେ କୌରବ ପକ୍ଷର ପ୍ରଧାନ ସେନାପତିତ୍ୱ ମହାବୀର କର୍ଣ୍ଣଙ୍କ ଉପରେ ନ୍ୟସ୍ତ କରାଗଲା । ଭୀଷ୍ମ ଓ ଦ୍ରୋଣଙ୍କର ପତନରେ କୌରବ ବୀରମାନେ ଅତି ହତୋତ୍ସାହିତ ହୋଇପଡ଼ିଥିଲେ, ମାତ୍ର ମହାରଥି କର୍ଣ୍ଣ କୌରବସେନାଙ୍କୁ ନେତୃତ୍ୱ ଦେବାକୁ ସମ୍ମତ ହେବାରୁ ସେମାନେ ନବଉତ୍ସାହରେ ଯୁଦ୍ଧରେ ପ୍ରବୃତ୍ତ ହେଲେ । କର୍ଣ୍ଣଙ୍କର ନେତୃତ୍ୱରେ ଷୋଡ଼ଶ ଓ ସପ୍ତଦଶ ଦିବସର ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ।

 

ଯୁଦ୍ଧକୁ କର୍ଣ୍ଣ ଯାତ୍ରା କରିବା ସମୟରେ ଦୁର୍ଯ୍ୟୋଧନ କହିଲେ, ‘‘କର୍ଣ୍ଣ, ମୁଁ ଭାବିଥିଲି ମହାପରାକ୍ରମଶାଳୀ ଭୀଷ୍ମ ଓ ଦ୍ରୋଣ ନିଶ୍ଚୟ ଅର୍ଜ୍ଜୁନ ଓ ଭୀମସେନଙ୍କୁ ସଂହାର କରିବେ, କିନ୍ତୁ ସେମାନେ ସେ ବିଷୟରେ ବିଫଳ ହୋଇଅଛନ୍ତି । ତୁମେ ମୋର ସେହି ଇଚ୍ଛା ପୂର୍ଣ୍ଣ କରିବାକୁ ସମର୍ଥ; ତେଣୁ ବର୍ତ୍ତମାନ ତୁମେ ଦ୍ୱିତୀୟ ଇନ୍ଦ୍ର ସଦୃଶ ବିପୁଳ ପରାକ୍ରମ ଓ ଯୁଦ୍ଧନୈପୁଣ୍ୟ ପ୍ରକାଶ କରି ଯୁଧିଷ୍ଠିରଙ୍କୁ ବନ୍ଦୀ କରିଆଣ କିମ୍ବା ଭୀମସେନ ଅର୍ଜ୍ଜୁନ ପ୍ରମୁଖ ଅନ୍ୟ ପାଣ୍ତବମାନଙ୍କୁ ସଂହାର କର । ତୁମର ଯାତ୍ରା ଜୟଶ୍ରୀ ମଣ୍ତିତ ହେଉ ।’

 

ଏହି ସମୟରେ କର୍ଣ୍ଣଙ୍କ ରଥର ସାରଥି ଥିଲେ ମହାବୀର ଶଲ୍ୟ । କର୍ଣ୍ଣଙ୍କ ନିର୍ଦ୍ଦେଶାନୁସାରେ ଶଲ୍ୟ ରଥ ଚାଳନା କଲେ ଏବଂ ଉଭୟପକ୍ଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା । ଏହି ଯୁଦ୍ଧରେ ଦୁର୍ଯୋଧନଙ୍କ ଇଚ୍ଛାପୂର୍ଣ୍ଣ କରିବା ନିମନ୍ତେ କର୍ଣ୍ଣ ପାଣ୍ତବମାନଙ୍କୁ ସଂହାର କରିବାକୁ ପ୍ରଯତ୍ନ କରିଥିଲେ ମଧ୍ୟ ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଅର୍ଜ୍ଜୁନଙ୍କ ଉପରେ । ତେଣୁ ଅର୍ଜ୍ଜୁନଙ୍କୁ କେନ୍ଦ୍ରକରି କର୍ଣ୍ଣ ଭୀଷଣ ସଂଗ୍ରାମ ଆରମ୍ଭ କରିଦେଲେ ଏବଂ ଅନ୍ୟ ପକ୍ଷରେ ଭୀମସେନ କୌରବମାନଙ୍କ ଉପରେ ପ୍ରବଳ ଆକ୍ରମଣ ଚଳାଇଲେ । ଉଭୟ ପକ୍ଷରୁ ବହୁ ବୀର ନିହତ ହେଲେ ଓ ଭୀମସେନଙ୍କ ହସ୍ତରେ ଧୃତରାଷ୍ଟ୍ରଙ୍କ ବହୁପୁତ୍ରଙ୍କର ପତନ ଘଟିଲା । ପାଣ୍ତବପକ୍ଷର ଆକ୍ରମଣରୁ ନିଜର ସୈନ୍ୟମାନଙ୍କୁ ରକ୍ଷା କରିବା ନିମନ୍ତେ ଦୁଃଶାସନ ପ୍ରବଳ ଭାବରେ ଭୀମସେନଙ୍କୁ ଆକ୍ରମଣ କଲେ ଓ ଦୁଃଶାସନଙ୍କର ସୁତୀକ୍ଷ୍‌ଣ ଶରରେ ଭୀମସେନ କ୍ଷତବିକ୍ଷତ ହୋଇପଡ଼ିଲେ ।

 

ଭୀମସେନ କ୍ରୋଧାନ୍ୱିତ ହୋଇକହିଲେ, ‘‘ରେ ଦୁରାତ୍ମା ଦୁଃଶାସନ ! ଶର ନିକ୍ଷେପ କରି ମୋର ଏହି ଶରୀରକୁ ତୁ ବହୁଭାବରେ କ୍ଷତବିକ୍ଷତ କରିଅଛୁ । ବର୍ତ୍ତମାନ ମୁଁ ତୋତେ ଗଦା ପ୍ରହାର କରୁଅଛି, ତୁ ତାହା ସହ୍ୟ କରିବାକୁ ଚେଷ୍ଟା କର ।’’ ଏହା କହି ଭୀମସେନ ଏକ ବିରାଟକାୟ ଗଦା ଗ୍ରହଣ କରି, ‘ମୁଁ ତୋର ରୁଧିର ପାନ କରିବି’ ବୋଲି ଚିତ୍କାର କରି ଦୁଃଶାସନଙ୍କ ଉଦ୍ଦେଶ୍ୟରେ ନିକ୍ଷେପ କଲେ । ବହୁ ଚେଷ୍ଟାକରି ଦୁଃଶାସନ ମଧ୍ୟ ନିଜକୁ ଭୀମସେନଙ୍କ ଗଦା ପ୍ରହାରରୁ ରକ୍ଷା କରିପାରିଲେ ନାହିଁ; ଏହି ଗଦା ଦୁଃଶାସନଙ୍କ ମସ୍ତକକୁ ପ୍ରଚଣ୍ତ ବେଗରେ ଆଘାତ କଲା, ଫଳରେ ରକ୍ତାକ୍ତ ଶରୀରରେ ଦୁଃଶାସନ ରଥଉପରୁ ତଳେ ଖସିପଡ଼ିଲେ । ସେହି ସମୟରେ ପାଣ୍ତବମାନଙ୍କ ପ୍ରତି ଦୁଃଶାସନ ଓ ତାଙ୍କର ଭାଇମାନେ କରିଥିବା ନାନା ଶତ୍ରୁତା ଓ ସଭା ମଧ୍ୟରେ ପତିପ୍ରାଣା ସାଧ୍ୱୀ ଋତୁମତୀ ଦ୍ରୌପଦୀଙ୍କ ପ୍ରତି କରିଥିବା ଅଶୋଭନୀୟ କାର୍ଯ୍ୟମାନ ଭୀମସେନଙ୍କ ସ୍ମୃତିପଥରେ ଜାଗରୂକ ହେବାରୁ, ସେ ପ୍ରବଳବେଗରେ ଓ କ୍ରୋଧରେ ଦୁଃଖାସନ ଆଡ଼କୁ ଧାବମାନ ହୋଇ ଦୁର୍ଯ୍ୟୋଧନ କର୍ଣ୍ଣ ପ୍ରମୁଖ କୌରବବୀରମାନଙ୍କ ସମ୍ମୁଖରେ ସିଂହ ହସ୍ତୀକୁ ଆକ୍ରମଣ କଲାପରି ଦୁଃଶାସନଙ୍କ ଉପରକୁ ଲମ୍ପପ୍ରଦାନ କରି, ନିଜର ପାଦଦ୍ୱାରା ଦୁଃଶାସନର ବକ୍ଷସ୍ଥଳକୁ ବିଦୀର୍ଣ୍ଣ କରି ଭୀମସେନ ତାଙ୍କର ରକ୍ତ ପାନକଲେ ଓ ତଦ୍ଦ୍ୱାରା ନିଜର ପୂର୍ବ ପ୍ରତିଜ୍ଞା ପୂର୍ଣ୍ଣକଲେ । ମୃତ ଦୁଃଶାସନର ବକ୍ଷର ରକ୍ତକୁ ପାନକରୁଥିବା ସମୟରେ ଭୀମସେନ କହିବାରେ ଲାଗିଥାନ୍ତି, ମୁଁ ମାତୃସ୍ତନ, ଘୃତ, ମଧୁ, ସୁରା ଏବଂ ବହୁ ଉତ୍କୃଷ୍ଟ ସୁବାସିତ ପାନୀୟ ପାନକରି ଅଛି; ମାତ୍ର ଏହି ଦୁରାତ୍ମା ଦୁଃଶାସନର ଏହି ରୁଧିର ସବୁଠାରୁ ମୋତେ ସୁସ୍ୱାଦୁ ବୋଧ ହେଉଅଛି । ଏହି ରକ୍ତ ଆଜି ମୋ’ ପାଇଁ ଅମୃତତୁଲ୍ୟ । ହେ ଅଧମ ଦୁଃଶାସନ, ଆଜି ମୁଁ ତୋର ବକ୍ଷର ଏହି ରକ୍ତ ପାନ କରୁଅଛି-। ସଭା ମଧ୍ୟରେ ଦ୍ରୌପଦୀଙ୍କୁ ଅପମାନିତା କରିବା ସମୟରେ ତୁ ଯେଉଁ ବୀରତ୍ୱ ପ୍ରକାଶ କରିଥିଲୁ ଆଜି ତୋର ସେହି ବୀରତ୍ୱ କାହିଁ ? ତୋର ଭାଇ ଓ ଶକୁନି କର୍ଣ୍ଣ ପ୍ରମୁଖଙ୍କର କୁମନ୍ତ୍ରଣାର ଫଳରେ କାଳକୂଟ ଭକ୍ଷଣ, ଦ୍ୟୂତରେ ପରାଜୟ, ଦ୍ରୌପଦୀ ଲାଞ୍ଛନା, ଜତୁଗୃହରେ ଅବସ୍ଥାନ, ଅରଣ୍ୟ ବାସ ଓ ବିରାଟନଗରରେ ଦାସବୃତ୍ତି ଅବଲମ୍ବନ କରିବା ଆଦି ନାନା କ୍ଳେଶକର ଜୀବନ ଓ ଅବସ୍ଥା ମଧ୍ୟରେ ଯେ ଆମ୍ଭମାନଙ୍କୁ ଯିବାକୁ ପଡ଼ିଅଛି, ତା’ର ମୂଳରେ ତୁ ଥିଲୁ । ଆଜି ତୋର ରକ୍ତ ପାନକରି ମୋର ସେହି କ୍ଳେଶକୁ ଦୂରୀଭୂତ କରିବି । ଦୁଃଶାସନର ରକ୍ତପାନ କରିବି ବୋଲି ପ୍ରତିଜ୍ଞା କରିଥିଲି, ତାହା ବର୍ତ୍ତମାନ ପୂର୍ଣ୍ଣ ହେଲା । ଅବିଳମ୍ବେ ପାଷାଣ୍ତ ଦୁର୍ଯ୍ୟୋଧନକୁ ସଂହାର କରି ମୋର ଅନ୍ୟ ପ୍ରତିଜ୍ଞା ପୂର୍ଣ୍ଣ କରିବି ।’’ ଏହିପରି କହି କହି ଦୁଃଶାସନର ରକ୍ତ ପାନକରି ରଣଭୂମି ମଧ୍ୟରେ ଭୀମସେନ ଏପରି ଭାବରେ ନୃତ୍ୟକରିବା ଆରମ୍ଭକଲେ ଯେ, ତାହା ଦେଖି କୌରବପକ୍ଷର ସୈନ୍ୟମାନେ ‘‘ଏ ମନୁଷ୍ୟ ନୁହେଁ, ନିଶ୍ଚୟ ରାକ୍ଷସ’’ ବୋଲି ଭୀମସେନଙ୍କୁ ଅଭିହିତ କରି ଭୟରେ ପଳାୟନ କରିବାକୁ ଲାଗିଲେ ।

 

ଯୁଦ୍ଧଭୂମିର ଏକପାର୍ଶ୍ୱରେ; ଦୁଃଶାସନଙ୍କୁ କେନ୍ଦ୍ରକରି ଭୀମସେନ ମହାପରାକ୍ରମ ପ୍ରକାଶ କରୁଥିବା ସମୟରେ, ଅନ୍ୟ ପାର୍ଶ୍ୱରେ କର୍ଣ୍ଣ ଅର୍ଜ୍ଜୁନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଅନୁଷ୍ଠିତ ହୋଇଥିଲା । ଅର୍ଜ୍ଜୁନଙ୍କ ଶରରେ କର୍ଣ୍ଣଙ୍କ ପୁତ୍ର ବୃଷସେନ ନିହତ ହେବାରୁ କର୍ଣ୍ଣ ଅତି କ୍ରୋଧାନ୍ୱିତ ହୋଇ ଅର୍ଜ୍ଜୁନଙ୍କୁ ଆକ୍ରମଣ କରିଥିଲେ ।

 

ଦୁର୍ଯ୍ୟୋଧନଙ୍କୁ ସମ୍ବୋଧନ କରି ଅଶ୍ୱତ୍‌ଥାମା କହିଲେ, ‘‘ମହାରାଜ, ଯୁଦ୍ଧରୁ କ୍ଷାନ୍ତ ହୁଅ, ପାଣ୍ତବମାନଙ୍କ ସହ ବିରୋଧ କରିବା ଉଚିତ ନୁହେଁ । ଯୁଦ୍ଧରେ ମହାରଥୀ ଭୀଷ୍ମ ଓ ଅସ୍ତବିଶାରଦ ମୋର ପିତା ନିହତ ହୋଇଅଛନ୍ତି, କେବଳ ମୁଁ ଓ ମୋର ମାତୁଳ କୃପ ଯୁଦ୍ଧରେ ଅବଧ୍ୟ ବୋଲି ଯାହା ବଞ୍ଚିଅଛୁ । ପାଣ୍ତବମାନଙ୍କ ସହ ତୁମେ ସନ୍ଧି ସ୍ଥାପନ କରି ସୁଖରେ ବାସ କର । ମୁଁ ନିବାରଣ କଲେ ଅର୍ଜ୍ଜୁନ ଯୁଦ୍ଧରୁ ବିରତ ହେବେ । କୃଷ୍ଣ ମଧ୍ୟ ଯୁଦ୍ଧର ପକ୍ଷପାତୀ ନୁହନ୍ତି । ଯୁଧିଷ୍ଠିର ଧର୍ମପ୍ରାଣ ଓ ତାଙ୍କର ଭାଇମାନେ ଯୁଧିଷ୍ଠିରଙ୍କର ଏକାନ୍ତ ଅନୁଗତ, ତେଣୁ ସେମାନଙ୍କୁ ଶାନ୍ତ କରାଯାଇପାରିବ-। ତୁମେ ଯୁଦ୍ଧରୁ କ୍ଷାନ୍ତ ହୁଅ ଓ ତୁମେ ଯୁଦ୍ଧରୁ କ୍ଷାନ୍ତ ହେଲେ ମୁଁ ସୂତପୁତ୍ର କର୍ଣ୍ଣଙ୍କୁ ଯୁଦ୍ଧରୁ ନିବାରିତ କରିପାରିବି । ବନ୍ଧୁ ସାଧାରଣତଃ ଚାରିପ୍ରକାରର, ସହଜାତ, ସନ୍ଧିଜାତ, ଧନ ଦ୍ୱାରା ଉପାର୍ଜିତ ଓ ପ୍ରତାପବଳରେ ସ୍ୱପକ୍ଷକୁ ଆନୀତ । ପାଣ୍ତବମାନେ ତୁମର ସହଜାତ ସ୍ୱାଭାବିକ ବନ୍ଧୁ, ତେଣୁ ସନ୍ଧିସ୍ଥାପନ କରି ସେମାନଙ୍କ ସହ ପୁନଃବନ୍ଧୁତ୍ୱ ପ୍ରତିଷ୍ଠା କର ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ବନ୍ଧୁ, ତୁମେ ଯାହା କହିଲ ତାହା ସତ୍ୟ; କିନ୍ତୁ ମୁଁ ଯୁଦ୍ଧରୁ କ୍ଷାନ୍ତ ହେବିନାହିଁ । ମୋ’ ସମ୍ମୁଖରେ ଦୁଃଶାସନକୁ ସଂହାର କରି ଭୀମସେନ ଯେଉଁ ବାକ୍ୟବାଣ ପ୍ରୟୋଗ କରିଅଛି, ତାହା ମୋତେ ବିଶେଷ ବ୍ୟଥିତ କରୁଅଛି । ଏପରି ସମୟରେ କର୍ଣ୍ଣଙ୍କୁ ଯୁଦ୍ଧରୁ ନିବୃତ୍ତ କରିବାକୁ ମୁଁ ଉପଯୁକ୍ତ ଭାବୁନାହିଁ । ବାୟୁ ଯେତେ ପ୍ରଚଣ୍ତ ହେଲେ ମଧ୍ୟ ପର୍ବତକୁ ଭଗ୍ନ କରିବାକୁ ସମର୍ଥ ହୁଏ ନାହିଁ, ସେହିପରି ଅର୍ଜ୍ଜୁନ ଯେତେ ପରାକ୍ରମ ପ୍ରକାଶକଲେ ମଧ୍ୟ କର୍ଣ୍ଣଙ୍କୁ ପରାସ୍ତ କରିବାକୁ ସମର୍ଥ ହେବନାହିଁ । ଯୁଦ୍ଧକରି ଅର୍ଜ୍ଜୁନ କ୍ଳାନ୍ତ ହୋଇଅଛି, ତେଣୁ ସେ ନିଶ୍ଚୟ କର୍ଣ୍ଣ ହସ୍ତରେ ବିନାଶ ପ୍ରାପ୍ତ ହେବ । ତେଣୁ ହେ ଗୁରୁପୁତ୍ର, ତୁମେ ଆଉ ଚିନ୍ତା କରନାହିଁ ।’’

 

ପୂର୍ବପରି ଯୁଦ୍ଧ ଅବିରାମ ଗତିରେ ଚାଲିଥାଏ । କର୍ଣ୍ଣ ଅର୍ଜ୍ଜୁନଙ୍କ ପ୍ରତି ଶର ପ୍ରୟୋଗ କରୁଥିବା ସମୟରେ ଏକ ମହାସର୍ପ ଅର୍ଜ୍ଜୁନଙ୍କ ପ୍ରତି ପୂର୍ବଶତ୍ରୁତା ଯୋଗୁ ପାତାଳ ମଧ୍ୟରୁ ବର୍ହିଗତ ହୋଇ କର୍ଣ୍ଣଙ୍କ ଶର ମଧ୍ୟରେ ପ୍ରବେଶ କରି ଅର୍ଜ୍ଜୁନଙ୍କୁ ଦଂଶନ କରିବାକୁ ଅତି କ୍ଷିପ୍ରତାରେ ଆଗେଇ ଆସିବାରୁ, କୃଷ୍ଣ ଅତି ଦକ୍ଷତାର ସହିତ ଅର୍ଜ୍ଜୁନଙ୍କର ରଥକୁ ଭୂତଳଗାମୀ କରାଇଲେ ଏବଂ ଫଳରେ ସେହି ସର୍ପସମ୍ବଳିତ ଅସ୍ତ୍ର ଅର୍ଜ୍ଜୁନଙ୍କର ମୁକୁଟର ଅଗ୍ରଭାଗକୁ ମାତ୍ର ସ୍ପର୍ଶ ଓ ତାହାକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଚାଲିଗଲା ।

ନିଜ ଉଦ୍ୟମରେ ବ୍ୟର୍ଥ ହୋଇ ମହାସର୍ପ କର୍ଣ୍ଣଙ୍କୁ କହିଲା, ‘‘କର୍ଣ୍ଣ, ମୁଁ ଯେ ତୁମ ଅସ୍ତ୍ର ମଧ୍ୟରେ ରହିଅଛି, ଏକଥା ତୁମେ ନଜାଣି ଶରପ୍ରୟୋଗ କରିଥିବାରୁ ମୁଁ ଅର୍ଜ୍ଜୁନଙ୍କର ମସ୍ତକ ଚ୍ଛେଦନ କରିବାରେ ବିଫଳ ହେଲି । ତେଣୁ ତୁମେ ମୋତେ ଏଥର ପ୍ରତ୍ୟକ୍ଷ ଦର୍ଶନ କରି ପ୍ରୟୋଗ କର ଏବଂ ମୁଁ ନିଶ୍ଚୟ ତୁମର ଏହି ଶତ୍ରୁକୁ ସଂହାର କରିବି । ପୂର୍ବେ ଖାଣ୍ତବବନ ଦହନ ସମୟରେ ଅର୍ଜ୍ଜୁନ ମୋର ମାତାକୁ ହତ୍ୟା କରିଥିବାରୁ ମୁଁ ମାତୃବଧର ପ୍ରତିଶୋଧ ପାଇଁ ବିଶେଷ ବ୍ୟଗ୍ର ।’’

କର୍ଣ୍ଣ ତାହାଶୁଣି କହିଲେ, ‘‘ହେ ନାଗ, ଅନ୍ୟର ବଳଉପରେ ନିର୍ଭର କରି କର୍ଣ୍ଣ ଶତ୍ରୁ ବିଜୟୀ ହେବାକୁ ଇଚ୍ଛାକରେ ନାହିଁ ଏବଂ ଶତ୍ରୁ ସଂହାର ନିମିତ୍ତ ଗୋଟିଏ ଶରକୁ ବାରମ୍ବାର ପ୍ରୟୋଗ କରିବାକୁ କର୍ଣ୍ଣ ମଧ୍ୟ କୁଣ୍ଠାକରେ । ତେଣୁ ତୁମକୁ ଆଉ ଥରେ ପ୍ରୟୋଗ କରିବାକୁ କିମ୍ବା ତୁମର ସାହାଯ୍ୟ ନେବାକୁ ମୁଁ ଉପଯୁକ୍ତ ମନେ କରୁନାହିଁ । ତୁମେ ବର୍ତ୍ତମାନ ଯାଇପାର ।’’

କର୍ଣ୍ଣଙ୍କ କଥାରେ ସେହି ନାଗସର୍ପ ଅପମାନିତ ହୋଇ ଅର୍ଜ୍ଜୁନଙ୍କୁ ସଂହାର କରିବାକୁ ନିଜେ ଅବଶ୍ୟ ଯତ୍ନ କରିଥିଲା, ମାତ୍ର ପରେ ଅର୍ଜ୍ଜୁନ ତାହାକୁ ଶରାଘାତରେ ଖଣ୍ତବିଖଣ୍ତ କରି ପକାଇଥିଲେ ।

 

ଅର୍ଜ୍ଜୁନଙ୍କ ସହିତ କର୍ଣ୍ଣଙ୍କର ପ୍ରବଳ ଯୁଦ୍ଧ ହେଉଥିବା ସମୟରେ କର୍ଣ୍ଣଙ୍କର ରଥର ଚକ ମାଟି ମଧ୍ୟରେ ପୋତି ହୋଇଗଲା ଓ ଫଳରେ ରଥର ଗତିରୋଧ ହେଲା । ତେଣୁ ସଙ୍ଗେ ସଙ୍ଗେ କର୍ଣ୍ଣ ରଥ ମଧ୍ୟରୁ ଅବତରଣ କରି ରଥର ଚକକୁ ଉତ୍ତୋଳନ କରିବାକୁ ଉଦ୍ୟମ କଲେ ଏବଂ କାଳେ ସେହି ଅପ୍ରସ୍ତୁତ ଅବସ୍ଥାରେ ଅର୍ଜ୍ଜୁନ ତାଙ୍କୁ ଆକ୍ରମଣ କରିବେ ସେଥିପାଇଁ କର୍ଣ୍ଣ ଅର୍ଜ୍ଜୁନଙ୍କୁ କହିଲେ, ‘‘ହେ ଅର୍ଜ୍ଜୁନ; କିଛି ସମୟ ପାଇଁ ଯୁଦ୍ଧରୁ କ୍ଷାନ୍ତ ହୁଅ । ମାଟିରେ ପୋତି ହୋଇଯାଇଥିବା ମୋର ରଥର ଚକକୁ ମୁଁ ଉଦ୍ଧାର କରିବାକୁ ଯତ୍ନ କରୁଅଛି, ତେଣୁ ବର୍ତ୍ତମାନ ମୁଁ ଅପ୍ରସ୍ତୁତ । ତୁମେ ଉଚ୍ଚବଂଶଜାତ ମହାବୀର ଧାର୍ମିକ ଓ ଯୁଦ୍ଧଧର୍ମାଭିଜ୍ଞ, ତେଣୁ ରଥର ଚକ ଉଦ୍ଧାର କଲା ପର୍ଯ୍ୟନ୍ତ ତୁମେ ଅପେକ୍ଷା କର । ତାହାହିଁ ତୁମପରି କ୍ଷତ୍ରିୟ ପକ୍ଷରେ ଧର୍ମୋଚିତ କାର୍ଯ୍ୟ ।’’

 

କର୍ଣ୍ଣଙ୍କର ଏପରି ଅନୁରୋଧ ବାକ୍ୟ ଶୁଣି କୃଷ୍ଣ କହିଲେ, ‘‘କର୍ଣ୍ଣ, ତୁମ ତୁଣ୍ତରେ ପୁଣି ଧର୍ମ କଥା ? ଏକବତ୍ସା ଦ୍ରୌପଦୀଙ୍କୁ ସଭା ମଧ୍ୟରେ ଲାଞ୍ଚିତ କଲାବେଳେ ତୁମର ଏ ଧର୍ମଜ୍ଞାନ କେଉଁଠି ଥିଲା ? ଯେତେବେଳେ ଦୁଷ୍ଟ ଶକୁନି କପଟ ଦ୍ୟୂତରେ ଯୁଧିଷ୍ଠିରଙ୍କୁ ପରାଜିତ କଲା, ଜତୁଗୃହ ମଧ୍ୟରେ ପାଣ୍ତବମାନଙ୍କୁ ସମୂଳେ ଦଗ୍ଧିଭୂତ କରିବାକୁ ଅପଚେଷ୍ଟା କରିଥିଲା । ସଭାରେ ଦ୍ରୌପଦୀଙ୍କୁ ଲାଞ୍ଚିତ କରି ମଧ୍ୟ ପାଣ୍ତବମାନେ ବର୍ତ୍ତମାନ ପରାଜିତ, ଦାସ, ତେଣୁ ତୁମେ ଏ ସଭା ମଧ୍ୟରୁ କାହାକୁ ହେଲେ ନିଜର ପତିରୂପେ ବରିନିଅ ବୋଲି କହି ଅପମାନିତ କରୁଥିଲ । ବାଳକ ଅଭିମନ୍ୟୁଙ୍କୁ ଅପ୍ରସ୍ତୁତ ଓ ଅସହାୟ ଦେଖି ତାକୁ ଚତୁର୍ଦ୍ଦିଗରୁ ଘେରି ଯାଇ ହତ୍ୟା କରାଗଲା, ସେତେବେଳେ ତୁମର ଧର୍ମଜ୍ଞାନ କେଉଁଠାରେ ଥିଲା ? ଅତୀତରେ ଧର୍ମକୁ ସମ୍ପୂର୍ଣ୍ଣରୂପେ ଜଳାଞ୍ଜଳି ଦେଇ ବର୍ତ୍ତମାନ ଧର୍ମ ଧର୍ମ କହିଲେ ତାହା କିଏ ଶୁଣିବ ?’’

 

କୃଷ୍ଣଙ୍କ କଥାରେ କର୍ଣ୍ଣଙ୍କ ମୁହଁ ଲାଜରେ ଲାଲ ପଡ଼ିଗଲା । ସେ ଅଧୋବଦନରେ ନୀରବ ରହିଲେ ।

 

କୃଷ୍ଣଙ୍କ କହିଲେ, ‘ଅର୍ଜ୍ଜୁନ, ତୁମ ଦିବ୍ୟାସ୍ତ୍ର ପ୍ରୟୋଗ କରି କର୍ଣ୍ଣଙ୍କୁ ସଂହାର କର । ଏହା ହିଁ ପ୍ରକୃଷ୍ଟ ସମୟ ।’

 

କୃଷ୍ଣଙ୍କ ନିର୍ଦ୍ଦେଶାନୁସାରେ ଅର୍ଜ୍ଜୁନ ନାନାଦି ଦିବ୍ୟାସ୍ତ୍ର କର୍ଣ୍ଣଙ୍କ ପ୍ରତି ପ୍ରୟୋଗ କଲେ ଏବଂ କର୍ଣ୍ଣ ମଧ୍ୟ ତହିଁର ପ୍ରତିରୋଧ ନିମନ୍ତେ ବିବିଧ ଶର ପ୍ରୟୋଗ କରିଥିଲେ; ମାତ୍ର ଅବଶେଷରେ ଏକ ଶାଣିତ କ୍ଷୁରପାସ୍ତ୍ର ପ୍ରୟୋଗ କରି କର୍ଣ୍ଣଙ୍କ ରଥର ଧ୍ୱଜଦଣ୍ତ ଆଦି ବିନଷ୍ଟ କରିବା ସଙ୍ଗେ ସଙ୍ଗେ ଅଞ୍ଜଳିକ ନାମରେ ଏକ ଭୀଷଣ ଓ ଅବ୍ୟର୍ଥ ଦିବ୍ୟାସ୍ତ୍ର ପ୍ରୟୋଗ କରି ଅର୍ଜ୍ଜୁନ କର୍ଣ୍ଣଙ୍କର ମସ୍ତକ ଚ୍ଛେଦନ କଲେ । ମହାବୀର କର୍ଣ୍ଣଙ୍କର ପତନ ଘଟିଲା ଓ ତାଙ୍କର ରକ୍ତ ରଞ୍ଜିତ ଶରୀର ସେହି ରଣଭୂମିରେ ଦ୍ୱିତୀୟ ସୂର୍ଯ୍ୟ ସଦୃଶ ଶୋଭାଧାରଣ କରି ପଡ଼ିରହିଲା ।

 

ସଞ୍ଜୟଙ୍କ ମୁଖରୁ ଯୁଦ୍ଧ ବୃତ୍ତାନ୍ତ ଶୁଣୁଥିବା ସମୟରେ କର୍ଣ୍ଣଙ୍କର ଏହି ମୃତ୍ୟୁ ସମ୍ବାଦ ଶୁଣି ଧୃତରାଷ୍ଟ୍ର ମୂର୍ଚ୍ଛିତ ହୋଇତଳେ ପଡ଼ିଗଲେ । ବହୁ ସମୟ ପରେ ତାଙ୍କର ସଂଜ୍ଞା ଆସିଲା । ସଞ୍ଜୟ କହିଲେ, ‘‘ମହାରାଜ, ଶ୍ରୀରାମଙ୍କ ହସ୍ତରେ ରାବଣର ମୃତ୍ୟୁ ହେଲା ପରି, କୃଷ୍ଣ ନରକାସୁରକୁ ବଧ କଲା ପରି ଓ ଶିବଙ୍କ ହସ୍ତରେ ଅନ୍ଧକ ନାଶ ଗଲା ପରି ମହାବୀର ଅର୍ଜ୍ଜୁନଙ୍କ ହସ୍ତରେ ମହାରଥି କର୍ଣ୍ଣଙ୍କର ବିନାଶ ଘଟିଲା । ଯାହାଙ୍କର ବାହୁବଳ ଉପରେ ଅଶେଷ ଆସ୍ଥା ସ୍ଥାପନକରି ଆପଣଙ୍କର ପୁତ୍ରମାନେ ବିଜୟର ସ୍ୱପ୍ନ ଦେଖିଥିଲେ, କୌରବ-ପାଣ୍ତବଙ୍କ ମଧ୍ୟରେ ଘଟୁଥିବା ଏହି ବିବାଦ ଓ ଯୁଦ୍ଧର ଯେ ମୂଳ କାରଣ, ସେହି ସୂତପୁତ୍ର କର୍ଣ୍ଣଙ୍କୁ ସଂହାର କରି ପାଣ୍ତବମାନେ ନିଶ୍ଚିତ ହେଲେ । ମହାରାଜ, ଶୁଭାନୁଧ୍ୟାୟୀ ବନ୍ଧୁମାନଙ୍କର ହିତକର ବାକ୍ୟପ୍ରତି ଆପଣ ପୂର୍ବେ କର୍ଣ୍ଣପାତ ନକରି ଥିବାରୁ ବର୍ତ୍ତମାନ ଆପଣଙ୍କର ରାଜ୍ୟଲୋଭୀ ପୁତ୍ରମାନେ ଅତି ଦାରୁଣ ପରିସ୍ଥିତି ଓ ଦୁର୍ଯୋଗର ସମ୍ମୁଖୀନ ହୋଇଅଛନ୍ତି ।’

 

କର୍ଣ୍ଣଙ୍କ ମୃତ୍ୟୁରେ ଯୁଦ୍ଧାବଶିଷ୍ଟ କୌରବମାନେ ଯେ ଅତିମାତ୍ରାରେ ହତୋତ୍ସାହିତ ହୋଇପଡ଼ିଲେ, ଏହା କହିବା ବାହୁଲ୍ୟ ମାତ୍ର ।

Image

 

ଦୁର୍ଯ୍ୟୋଧନଙ୍କ ଉରୂଭଙ୍ଗ

 

କର୍ଣ୍ଣଙ୍କର ଅବସାନ ହେଲେ ମଧ୍ୟ ଯୁଦ୍ଧର ଅବସାନ ହେଲାନାହିଁ । ଦୁର୍ଯ୍ୟୋଧନ ନିଜର କ୍ଳାନ୍ତ ଓ ଯୁଦ୍ଧ ପରାନ୍ମୁଖ ସୈନ୍ୟସାମନ୍ତଙ୍କୁ ପାଣ୍ତବଙ୍କ ବିରୁଦ୍ଧରେ ପୂର୍ବପରି ଯୁଦ୍ଧ କରିବା ନିମନ୍ତେ ତଥାପି ଉତ୍ସାହିତ କରୁଥାନ୍ତି ।

 

କୃପାଚାର୍ଯ୍ୟ କହିଲେ, ‘‘ଦୁର୍ଯ୍ୟୋଧନ, କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧ ହିଁ ଶ୍ରେୟସ୍କର ପଥ । ଯୁଦ୍ଧଭୂମିରୁ ପଳାୟନ କରିବା ପରି ପାପ ଓ ଯୁଦ୍ଧରେ ମୃତ୍ୟୁବରଣ କରିବା ପରି ପୁଣ୍ୟ ଆଉ ନାହିଁ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆଉ ଅଧିକ ଯୁଦ୍ଧ କରିବା ସମ୍ଭବ ନୁହେଁ । ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ ପ୍ରମୁଖ ଯେଉଁ ମହାରଥିମାନଙ୍କ ହସ୍ତରେ ଯୁଦ୍ଧଭାର ନ୍ୟସ୍ତ କରି ନିଷ୍କଣ୍ଟକ ରାଜ୍ୟଲାଭ କରିବାକୁ ଇଚ୍ଛାପୋଷଣ କରିଥିଲ, ସେମାନେ ଆଜି ଭୂତଳଶାୟୀ । ମହାବୀର ଅର୍ଜ୍ଜୁନ ଓ ଭୀମସେନ ପ୍ରମୁଖ ପାଣ୍ତବପକ୍ଷର ବୀରମାନେ ଏବେବି ଅପରାଜିତ । ତେଣୁ ଏହି ପରିସ୍ଥିରେ ଯୁଦ୍ଧ ପ୍ରତି ଆଗ୍ରହୀ ନ ହୋଇଆତ୍ମରକ୍ଷା ଉଦ୍ଦେଶ୍ୟରେ ଧର୍ମପ୍ରାଣ ଦୟାଶୀଳ ପାଣ୍ତବଙ୍କ ସହ ସନ୍ଧି ସ୍ଥାପନ ହିଁ ଏକମାତ୍ର କର୍ତ୍ତବ୍ୟ ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ଆଚାର୍ଯ୍ୟ ମହାଶୟ, ଆପଣ ଯାହା କହିଲେ ତାହା ଯେ ହିତକର ଏଥିରେ ସନ୍ଦେହ ନାହିଁ; କିନ୍ତୁ ଅତୀତରେ ପାଣ୍ତବମାନଙ୍କ ପ୍ରତି ମୁଁ ଯେଉଁ ଅପକର୍ମମାନ କରିଅଛି, ସେ ଦୃଷ୍ଟିରୁ ବର୍ତ୍ତମାନ ସନ୍ଧିସ୍ଥାପନ ଆଉ ସହଜସାଧ୍ୟ ନୁହେଁ । ଆପଣଙ୍କ ପରାମର୍ଶ ପ୍ରତି ମୁଁ ଅସମ୍ମାନ ପ୍ରକାଶ କରୁନାହିଁ, କିନ୍ତୁ ମୋ’ ବିଚାରରେ ସନ୍ଧି ଅପେକ୍ଷା ଯୁଦ୍ଧହିଁ କରଣୀୟ । ମୋର ସ୍ୱାର୍ଥସିଦ୍ଧି ନିମନ୍ତେ ବନ୍ଧୁମାନଙ୍କୁ ମୃତ୍ୟୁମୁଖକୁ ନିକ୍ଷେପ କରିବା ପରେ ମୁଁ ଯଦି ଆତ୍ମରକ୍ଷା ପାଇଁ ଆଜି ସନ୍ଧି କରେ, ତେବେ ଏ ପୃଥିବୀ ମୋତେ କ୍ଷମା କରିବ ନାହିଁ । ଯେଉଁ ବୀରମାନେ ମୋର ନିର୍ଦ୍ଦେଶରେ ମୋର ସ୍ୱାର୍ଥରକ୍ଷା ନିମନ୍ତେ ସେମାନଙ୍କର ଅମୂଲ୍ୟ ପ୍ରାଣ ପର୍ଯ୍ୟନ୍ତ ତ୍ୟାଗ କରିଅଛନ୍ତି, ପରାଜିତ ହୁଏ ପଛେ, ସେହି ବୀରମାନଙ୍କର ପଥ ଅନୁସରଣ କରି ମୁଁ ସେମାନଙ୍କର ସ୍ନେହୠଣରୁ ମୁକ୍ତ ହେବାକୁ ଚେଷ୍ଟା କରିବି । ଯୁଦ୍ଧରୁ କ୍ଷାନ୍ତହୋଇ‘‘ଭୀରୁ ସ୍ୱାର୍ଥପର’’ ଆଖ୍ୟା ଅର୍ଜ୍ଜନ କରିବା ଅପେକ୍ଷା ସମର ଭୂମିରେ ପ୍ରାଣତ୍ୟାଗ କରି ସ୍ୱର୍ଗଲାଭ ମୋ’ ପରି କ୍ଷତ୍ରିୟ ପକ୍ଷରେ ଶ୍ରେୟସ୍କର ।’’

 

ଦୁର୍ଯ୍ୟୋଧନଙ୍କର ଏହି କଥା ଶୁଣି ସମବେତ କ୍ଷତ୍ରିୟମାନେ ‘‘ସାଧୁ ସାଧୁ ବୋଲି ଉଚ୍ଚାରଣ କରି ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । କର୍ଣ୍ଣଙ୍କର ଅକାଳମୃତ୍ୟୁରେ କୌରବପକ୍ଷର ଯେ ପ୍ରଧାନ ସେନାପତି ପଦ ଶୂନ୍ୟ ଥିଲା, ତହିଁରେ ମହାଧିପତି ମହାବୀର ଶଲ୍ୟଙ୍କୁ ଦୁର୍ଯ୍ୟୋଧନ ଅଧିଷ୍ଠିତ କଲେ । ଶଲ୍ୟଙ୍କ ନେତୃତ୍ୱରେ କୌରବମାନେ ପାଣ୍ତବମାନଙ୍କୁ ଆକ୍ରମଣ କଲେ ଓ ଉଭୟ ପକ୍ଷଙ୍କ ମଧ୍ୟରେ ଅଷ୍ଟାଦଶ ଦିବସର ସଂଗ୍ରାମ ଅନୁଷ୍ଠିତ ହୋଇଥିଲା ମାତ୍ର; ଅଳ୍ପ ସମୟ ମଧ୍ୟରେ କୌରବପକ୍ଷର ସେହି ମହା ପରାକ୍ରମୀ ପ୍ରଧାନ ସେନାପତି ଶଲ୍ୟ ନିଜର ଭଣଜା ଯୁଧିଷ୍ଠିରଙ୍କ ହସ୍ତରେ ନିହତ ହୋଇ ଭୂତଳଶାୟୀ ହେଲେ । ନକୁଳ ମଧ୍ୟ କର୍ଣ୍ଣଙ୍କର ପୁତ୍ର ଚିତ୍ରସେନ, ସତ୍ୟସେନ ଓ ସୁଷେଣକୁ ସଂହାର କଲେ । ଶଲ୍ୟ ନିହତ ହେବା ଦେଖି ଭୟରେ କୌରବସେନା ଛତ୍ରଭଙ୍ଗ ଦେଇ ପଳାୟନ କରିବାକୁ ଲାଗିଲେ । ସାତ୍ୟକି କୌରବପକ୍ଷର ରାଜା ଶାମ୍ବଙ୍କୁ ନିହତ ଓ କୃତବର୍ମାଙ୍କୁ ପରାସ୍ତ କଲେ । ସହଦେବ ଶକୁନିଙ୍କୁ ନିହତ କଲେ । ଦୁର୍ଯ୍ୟୋଧନ ବ୍ୟତୀତ ଧୃତରାଷ୍ଟ୍ରଙ୍କର ଅବଶିଷ୍ଟ ଜୀବିତ ଥିବା ଅନ୍ୟ ପୁତ୍ରମାନଙ୍କୁ କ୍ଷଣକ ମଧ୍ୟରେ ଭୀମସେନ ସଂହାର କଲେ । ଅତି ଅଳ୍ପ ସମୟ ମଧ୍ୟରେ କୌରବପକ୍ଷର ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଏଗାର ଅକ୍ଷୌହିଣୀ ସେନା ନିଶ୍ଚିହ୍ନ ହୋଇଗଲା ।

 

ବିରାଟ ସମର କ୍ଷେତ୍ରରେ ନିଜପକ୍ଷର କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ନ ପାଇ ଦୁର୍ଯ୍ୟୋଧନ ଯୁଦ୍ଧଭୂମିରେ ଭ୍ରମଣ କରୁଥିବା ସଞ୍ଜୟଙ୍କୁ ନିଜର ସୈନ୍ୟ ଓ ଭାଇମାନଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ, ସଞ୍ଜୟ କହିଲେ, ‘‘ମହାରାଜ ! ଅଶ୍ୱଥ୍‌ମା, କୃପାଚାର୍ଯ୍ୟ, କୃତବର୍ମା ଭିନ୍ନ ଆପଣଙ୍କର ସମସ୍ତ ସୈନ୍ୟ ଓ ଭ୍ରାତୃଗଣ ସଂଗ୍ରାମରେ ନିହତ ହୋଇଅଛନ୍ତି ।

 

ଦୁର୍ଯ୍ୟୋଧନଙ୍କର କ୍ଷତବିକ୍ଷତ ଶରୀରରୁ ରକ୍ତର ଧାର ଛୁଟୁଥିଲା । ସଞ୍ଜୟଙ୍କ କଥା ଶୁଣି ତାଙ୍କର ଚକ୍ଷୁ ଲୋତକାପ୍ଳୁତ ହୋଇପଡ଼ିଲା । ସେ କହିଲେ, ‘ସଞ୍ଜୟ, ପାଣ୍ତବମାନେ ବନ୍ଧୁମାନଙ୍କ ସହ ଜୀବିତ ଥିବା ବେଳେ, ମୁଁ ଆଜି ପୁତ୍ରହୀନ, ଭ୍ରାତୃହୀନ, ବନ୍ଧୁବିହୀନ ଓ ରାଜ୍ୟଭ୍ରଷ୍ଟ ହୋଇଅଛି । ଯାହା ହେଉ, ମୁଁ ଏହି ହ୍ରଦ ମଧ୍ୟରେ ଆତ୍ମଗୋପନ କରୁଅଛି ବୋଲି ମହାରାଜ ଧୃତରାଷ୍ଟ୍ରଙ୍କୁ ଜଣାଇଦେବ ।’

 

ଏହା କହି ଦୁର୍ଯ୍ୟୋଧନ ନିକଟରେ ଥିବା ଏକ ହଦ ମଧ୍ୟରେ ପ୍ରବେଶ କରି ମନ୍ତ୍ର ପ୍ରଭାବରେ ହ୍ରଦର ଜଳକୁ ସ୍ତମ୍ଭୀଭୂତ କରି ତହିଁରେ ନିଜକୁ ଆତ୍ମଗୋପନ କରି ରଖିଲେ । ବହୁ ଅନ୍ୱେଷଣ ପରେ ଦୁର୍ଯ୍ୟୋଧନ ହ୍ରଦ ମଧ୍ୟରେ ଆତ୍ମଗୋପନ କରି ରହିଥିବାର ଜାଣିପାରି ପାଣ୍ତବମାନେ ସେଠାରେ ଉପସ୍ଥିତ ହେଲେ ।

 

ଯୁଧିଷ୍ଠିର କହିଲେ, ‘‘କୁରୁରାଜ ଦୁର୍ଯ୍ୟୋଧନ, ନିଜର ବଂଶ ଓ ବନ୍ଧୁମାନଙ୍କୁ ସମୂଳେ ଧ୍ୱଂସକରି ଜଳମଧ୍ୟରେ ଜୀବନରକ୍ଷା ପାଇଁ ଆତ୍ମଗୋପନ କରିବାରେ ତୁମର ଦର୍ପ ଓ ଅଭିମାନ ପ୍ରକାଶ ପାଉନାହିଁ । କର୍ଣ୍ଣ ଓ ଶକୁନିଙ୍କ ପରାମର୍ଶରେ ନିଜକୁ ଅମର ଜ୍ଞାନ କରି ତୁମେ ଯେଉଁ ସବୁ ପାପକାର୍ଯ୍ୟ ସମ୍ପନ୍ନ କରିଅଛ, ତହିଁର ଫଳ ଭୋଗର ସମୟ ବର୍ତ୍ତମାନ ଉପସ୍ଥିତ ହୋଇଅଛି, ତେଣୁ କ୍ଷତ୍ରିୟ ଧର୍ମର ବଶବର୍ତ୍ତୀ ହୋଇ ଯୁଦ୍ଧରେ ପ୍ରବୃତ୍ତ ହୁଅ ।’’

 

ସେହି ଜଳମଧ୍ୟରେ ରହି ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କୁ ଉତ୍ତରଦେଲେ, ‘‘ମହାରାଜ, ମୁ ଜୀବନ ଭୟରେ ଏହି ଜଳମଧ୍ୟରେ ପ୍ରବେଶ କରି ନାହିଁ, ସାମାନ୍ୟ ବିଶ୍ରାମ ମାତ୍ର କରୁଅଛି । ତେଣୁ ତୁମେ କିଛି ସମୟ ଅପେକ୍ଷା କର, ମୁଁ ଜଳ ମଧ୍ୟରୁ ନିଷ୍କ୍ରାନ୍ତ ହୋଇ ତୁମ୍ଭମାନଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହେବି ।’’

 

ଯୁଧିଷ୍ଠିର କହିଲେ, ‘‘ବିଳମ୍ବ ନ କରି ହ୍ରଦ ମଧ୍ୟରୁ ବାହାରି ଆସି ଯୁଦ୍ଧ କର । ଯୁଦ୍ଧରେ ଆମକୁ ପରାସ୍ତ କରି ରାଜ୍ୟ ଭୋଗ କର ନଚେତ୍‌ ଆମ ହସ୍ତରେ ନିହତ ହୋଇ ବୀର ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିବା ସ୍ୱର୍ଗଲୋକ ଲାଭ କର ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ଧର୍ମରାଜ, ଯେଉଁମାନଙ୍କ ପାଇଁ ରାଜ୍ୟଲାଭ କରିବାକୁ ଅଭିଳାଷୀ ହୋଇଥିଲି, ଆଜି ସେହିମାନେ ପରଲୋକଗତ । ସମଗ୍ର ପୃଥିବୀ ଆଜି କ୍ଷତ୍ରିୟ ଶୂନ୍ୟ ହୋଇଅଛି । ତେଣୁ ରାଜ୍ୟଭୋଗ ପିପାସା ମୋର ଆଉ ନାହିଁ । ଯୁଦ୍ଧରେ ପାଣ୍ତବମାନଙ୍କୁ ପରାସ୍ତ କରିବା ମୋ’ ପକ୍ଷରେ ବଡ଼କଥା ନୁହେଁ, କିନ୍ତୁ ଦ୍ରୋଣ, କର୍ଣ୍ଣ ପ୍ରମୁଖ ବୀରମାନଙ୍କ ନିଧନ ପରେ ଯୁଦ୍ଧପ୍ରତି ମୋର ଆଉ ଆଗ୍ରହ ନାହିଁ, ବରଂ ମୃଗଚର୍ମ ଧରଣା କରି ବନବାସ କରିବାକୁ ଇଚ୍ଛା କରୁ ଅଛି ।’’

 

ଯୁଧିଷ୍ଠିର କହିଲେ, ‘‘ଦୁର୍ଯ୍ୟୋଧନ, ଅନ୍ୟର ଦାନ ଉପରେ କ୍ଷତ୍ରିୟ ନିର୍ଭର କରେ ନାହିଁ, ସ୍ୱବିକ୍ରମ ଅର୍ଜିତ ସମ୍ପତ୍ତି ହିଁ କ୍ଷତ୍ରିୟର ଏକମାତ୍ର ଧନ ଓ ତହିଁରେ ତା’ର ପୁଣ୍ୟ ନିହିତ । ପୂର୍ବେ ସୁଚ୍ୟଗ୍ର ପରିମିତ ଭୂମି ଦେବାକୁ ଅନିଚ୍ଛୁକ ଥାଇ ବର୍ତ୍ତମାନ ସମଗ୍ର ପୃଥିବୀ ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ତ୍ୟାଗକରି ବନବାସୀ ହେବାକୁ ବସିଅଛ ? ବର୍ତ୍ତମାନ ବଳପୂର୍ବକ ରାଜ୍ୟରକ୍ଷା କିମ୍ୱା ଦାନ କରିବାର କୌଣସି କ୍ଷମତା ନଥିବା ବେଳେ, ତୁମ ମୁଖରେ ଏକଥା ଶୋଭାପାଏ ନାହିଁ । ତୁମେ ଦାନ କରିଅଛ ବୋଲି ଦୟାପରବଶ ହୋଇତୁମକୁ କ୍ଷମା କରିବି ନାହିଁ । ତୁମେ ଓ ମୁଁ ଉଭୟ ଜୀବିତ ରହିଲେ ଆମର ଜୟ ପରାଜୟ ସମ୍ପର୍କରେ ଲୋକମାନେ ସନ୍ଦେହ ପୋଷଣ କରିବେ । ପୂର୍ବେ ଆମ୍ଭମାନଙ୍କୁ ବିନାଶ କରିବାର ନାନାଦି ଉପାୟ ଅବଲମ୍ବନ କରିଥିଲ, ବର୍ତ୍ତମାନ ତୁମର ବିନାଶର ସମୟ ଉପସ୍ଥିତ ।’’

 

ଯୁଧିଷ୍ଠିରଙ୍କର ଏହି କଟୁବାକ୍ୟ ଶ୍ରବଣ କରି ଦୁର୍ଯ୍ୟୋଧନ ଜଳ ମଧ୍ୟରେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ; ହ୍ରଦ ମଧ୍ୟରୁ ସଲିଳସିକ୍ତ ଅବସ୍ଥାରେ ବାହାରି ଆସି କହିଲେ, ‘‘ହେ କୁନ୍ତୀନନ୍ଦନ, ତୁମ୍ଭମାନଙ୍କର ସବୁ ଥିବା ସମୟରେ ମୁଁ ଅସହାୟ ଅବସ୍ଥାରେ ସମ୍ପୂର୍ଣ୍ଣ ଏକାକୀ । ତେଣୁ ତୁମେ ସମସ୍ତେ ମୋତେ ଏକ ସମୟରେ ଚତୁର୍ଦ୍ଦିଗରୁ ଆକ୍ରମଣ କଲେ ମୁଁ ଯୁଦ୍ଧ କରିବାକୁ ଅସମର୍ଥ ହେବି । ବରଂ ତୁମ୍ଭେମାନେ ଜଣ ଜଣ ହୋଇ ମୋ ସହ ଯୁଦ୍ଧ କର । ଜଣେ ବ୍ୟକ୍ତିକୁ ବହୁ ବ୍ୟକ୍ତି ଏକ ସମୟରେ ଆକ୍ରମଣ କରିବା ନ୍ୟାୟ ସଙ୍ଗତ ନୁହେଁ ।

 

ଯୁଧିଷ୍ଠିର କହିଲେ, ‘ଦୁର୍ଯ୍ୟୋଧନ, ତୁମ ହସ୍ତରେ କୌଣସି ଅସ୍ତ୍ର ଶସ୍ତ୍ର ନଥିବାରୁ ତୁମେ ଇଚ୍ଛାନୁସାରେ ଆମଠାରୁ ଗୋଟିଏ ଅସ୍ତ୍ର ଗ୍ରହଣ କର ଏବଂ ଆମ ମଧ୍ୟରୁ ଯେ କୌଣସି ଜଣଙ୍କ ସହ ଯୁଦ୍ଧ କର । ସେହି ଜଣଙ୍କୁ ତୁମେ ପରାସ୍ତ କଲେ ସମଗ୍ର ରାଜ୍ୟ ତୁମ୍ଭର ହେବ ।’

 

ଦୁର୍ଯ୍ୟୋଧନ ଉତ୍ତର ଦେଲେ, ‘ଧର୍ମରାଜ, ଯଦି ଜଣକ ସହ ମୋତେ ଯୁଦ୍ଧ କରିବାକୁ ପଡ଼ିବ, ତେବେ ମୁଁ ତମ ମଧ୍ୟରେ ଥିବା ଅଧିକ ବଳଶାଳୀ ବ୍ୟକ୍ତି ସହ ସଂଗ୍ରାମ କରିବି ଏବଂ ମୋର ଅସ୍ତ୍ରଭାବରେ ମୁଁ ଗଦା ଗ୍ରହଣ କରୁଅଛି ।’ ଏହାକହି ଭୀମସେନଙ୍କ ସହିତ ଦୁର୍ଯ୍ୟୋଧନ ଗଦାଯୁଦ୍ଧରେ ପ୍ରବୃତ୍ତ ହେଲେ । ଉଭୟ ଗଦାଯୁଦ୍ଧରେ ଧୂରୀଣ ଥିଲେ, ତେଣୁ ଉଭୟଙ୍କ ମଧ୍ୟରେ ପ୍ରବଳ ଦ୍ୱନ୍ଦ୍ୱ ଯୁଦ୍ଧ ଅନୁଷ୍ଠିତ ହେଲା ।

 

ଭୀମସେନ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଚାଲିଥିଲା ବେଳେ କୃଷ୍ଣ କହିଲେ, ‘ଦ୍ୟୁତକ୍ରୀଡ଼ା ସମୟରେ ଦୁର୍ଯ୍ୟୋଧନର ଉରୁଭଙ୍ଗ କରିବାକୁ ଭୀମସେନ ପ୍ରତିଜ୍ଞା କରିଥିଲେ । ତେଣୁ ନିଜର ପ୍ରତିଜ୍ଞା ରକ୍ଷା କରିବା ନିମନ୍ତେ ସେ ନିଶ୍ଚୟ ଯତ୍ନ କରିବେ ।’ ଏହା କହି ଦୁର୍ଯ୍ୟୋଧନର ଉରୁଭଙ୍ଗ କରିବାକୁ ଭୀମସେନଙ୍କୁ କୃଷ୍ଣ ସଙ୍କେତ ଦେଲେ । ଭୀମସେନ ମଧ୍ୟ ତଦନୁସାରେ କୌଶଳକ୍ରମେ ଅତିଭୀଷଣ ଭାବରେ ଗଦାପ୍ରହାର କରି ଦୁର୍ଯ୍ୟୋଧନର ଉରୁ ଭଗ୍ନ କଲେ ଓ ଦୁର୍ଯ୍ୟୋଧନ ଭୂତଳଶାୟୀ ହେଲେ ।

 

‘ଦୁରାତ୍ମା, ଅତୀତରେ ଏକବସ୍ତ୍ରା ଦ୍ରୌପଦୀ ପ୍ରତି କଟୂକ୍ତି ପ୍ରୟୋଗ କରି ଯେପରି ଭାବରେ ତାଙ୍କୁ ଅପମାନିତା କରିଥିଲୁ, ଆଜି ତା’ର ଉପଯୁକ୍ତ ଶାସ୍ତି ଭୋଗକର ।’ ଏହା କହି ଦୁର୍ଯ୍ୟୋଧନର ମସ୍ତକରେ ପଦାଘାତ କରି ଭୀମସେନ ନୃତ୍ୟ କରିବାକୁ ଲାଗିଲେ ।

 

ଯୁଧିଷ୍ଠିର କହିଲେ; ‘ଭୀମସେନ, ସତ୍‌ ଉପାୟରେ ହେଉ ବା ଅସତ୍‌ ଉପାୟରେ ହେଉ ତୁମେ ତୁମର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି, ତେଣୁ ବର୍ତ୍ତମାନ କ୍ଷାନ୍ତ ହୁଅ । ଦୁର୍ଯ୍ୟୋଧନ ଆମ୍ଭମାନଙ୍କର ଜ୍ଞାତି ଓ କୌରବମାନଙ୍କର ଅଧିପତି । ତେଣୁ ତାଙ୍କ ମସ୍ତକରେ ପଦାଘାତ କରିବା ତୁମର ଉଚିତ ନୁହେଁ । ଯୁଧିଷ୍ଠିରଙ୍କ କଥାନୁସାରେ ଭୀମସେନ କ୍ଷାନ୍ତ ହେବାରୁ ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କର ସେହି ଅକଥନୀୟ ଦୁର୍ଦ୍ଦଶା ଦର୍ଶନ କରି ଶୋକ କରିବାକୁ ଲାଗିଲେ ।

 

ଦୁର୍ଯ୍ୟୋଧନ ଭଗ୍ନଜାନୁ ଓ ରକ୍ତାକ୍ତ ଶରୀରରେ ମୃତ୍ୟୁ ଅପେକ୍ଷାରେ ପଡ଼ି ରହିଥିବା ସମୟରେ ପାଣ୍ତବପକ୍ଷର ବୀରମାନେ ଭୀମସେନଙ୍କର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନର ନିନ୍ଦା କରୁଥିଲେ ।

 

କୃଷ୍ଣ କହିଲେ, ‘‘ମୃତ୍ୟୁଶଯ୍ୟାରେ ଶାୟିତ ଶତ୍ରୁପତି କଟୂକ୍ତି ପ୍ରୟୋଗ କରିବା ଉଚିତ ନୁହେଁ । ପୂର୍ବେ ଭୀଷ୍ମ, ଦ୍ରୋଣ, ବିଦୁର ପ୍ରମୁଖଙ୍କ ନୀତିପୂର୍ଣ୍ଣ ବାକ୍ୟ ପ୍ରତି ଅଶ୍ରଦ୍ଧା ପ୍ରଦର୍ଶନ କଲା ସମୟରେ ଦୁର୍ଯ୍ୟୋଧନର ଭାଗ୍ୟରେ ଯେ ଏହିପରି ଦୁର୍ଦ୍ଦଶା ଘଟିବ ପୂର୍ବେ ମୁଁ ତା’ର ସୂଚନା ଦେଇଥିଲି । ଯାହାହେଉ ପାପାତ୍ମା ଦୁର୍ଯ୍ୟୋଧନ ଏତେ ଦିନ ପରେ ବନ୍ଧୁ ବାନ୍ଧବଙ୍କ ସହିତ ନିହତ ହେଲା । ତେଣୁ ଏଠାରେ ଆଉ ବିଳମ୍ବ କରିବାର କିଛି କାରଣ ନାହିଁ ।

 

ଦୁର୍ଯ୍ୟୋଧନ ସେତେବେଳ ପର୍ଯ୍ୟନ୍ତ ଜୀବିତ ଥିଲେ, ତେଣୁ କୃଷ୍ଣଙ୍କର ମୁଖରୁ ଏପରି କଥା ଶୁଣି ବହୁକଷ୍ଟରେ ବାହୁ ଭରାଦେଇ ଉଠିବସିଲେ ଏବଂ କୃଷ୍ଣଙ୍କୁ ତିରସ୍କାର କରି କହିଲେ, ‘ହେ କଂସଦାସତନୟ, ତୁମପରି ନିର୍ଲଜ୍ଜ, ନିର୍ଦ୍ଦୟ, ପାପାତ୍ମା ଏ ପୃଥିବୀରେ ଆଉ କିଏ ଅଛି ? ନ୍ୟାୟଯୁଦ୍ଧରେ ପାଣ୍ତବମାନେ ପରାଜିତ ହେବେ ଜାଣିପାରି ତୁମେ ସେମାନଙ୍କୁ ଅଧର୍ମ ଯୁଦ୍ଧରେ ପ୍ରବର୍ତ୍ତାଇ ଅଛ ଏବଂ ଅନ୍ୟାୟପୂର୍ଣ୍ଣ କୌଶଳମାନ ପ୍ରୟୋଗ କରି ଭୀଷ୍ମ, ଦ୍ରୌଣ, କର୍ଣ୍ଣ, ଭୂରିଶ୍ରବା ପ୍ରମୁଖ ମହାରଥୀମାନଙ୍କୁ ତୁମେ ନିହତ କରାଇଅଛ । ମୋତେ ଏପରି ଭଗ୍ନଜାନୁ କରି ନିହତ କରିବା ପାଇଁ ଭୀମସେନଙ୍କୁ ତୁମେହିଁ ନିର୍ଦ୍ଦେଶ ଦେଇଅଛ । ଏ ସବୁ କାର୍ଯ୍ୟ ପାଇଁ ତୁମର ଲଜ୍ଜା କରିବାର କଥା ।’

 

କୃଷ୍ଣ କହିଲେ, “ଗାନ୍ଧାରୀ ନନ୍ଦନ, ତୁମେ ଅସତ୍‌ପଥ ଅବଲମ୍ବନ କରିବାରୁ ପୁତ୍ର ଭ୍ରାତା, ବନ୍ଧୁମାନଙ୍କ ସହ ନିଜେ ଆଜି ବିନାଶ ପ୍ରାପ୍ତ ହୋଇଅଛ । ତୁମର ପାପ ଯୋଗୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରମୁଖ ଆଜି ନିହତ । ତୁମେ ମୋ’ ପ୍ରତି ଯେଉଁ କଟୂକ୍ତି ପ୍ରୟୋଗ କରୁଅଛ, ପ୍ରକୃତ ପକ୍ଷେ ତୁମେହିଁ ସେହି କଟୂକ୍ତି ଶୁଣିବାର ଯୋଗ୍ୟବ୍ୟକ୍ତି । ବନ୍ଧୁମାନଙ୍କ ପ୍ରତି କ୍ରୂରତା ପୋଷଣ କରି ଓ ହିତାକାଙ୍‌କ୍ଷୀମାନଙ୍କର ହିତକର ବାକ୍ୟ ପ୍ରତି ପୂର୍ବେ ଅଶ୍ରଦ୍ଧା ପ୍ରକାଶକରି ପରିଶେଷରେ ତୁମେ ଏହି ଦଶା ପ୍ରାପ୍ତ ହୋଇଅଛି । ତେଣୁ ବୃଥାରେ ମୋତେ ଦୋଷ ଦିଅନାହିଁ ।”

 

ଦୁର୍ଯ୍ୟୋଧନ କହିଲେ, ‘କୃଷ୍ଣ, ମୋ’ ପରି ସୌଭାଗ୍ୟଶାଳୀ ଆଉ କିଏ ଅଛି । ଆଜି ପର୍ଯ୍ୟନ୍ତ ସୁଖ ସମ୍ଭୋଗରେ କାଳାତିପାତ କରି ଆଜି କ୍ଷତ୍ରିୟୋଚିତ ମୃତ୍ୟୁବରଣ କରି ସ୍ୱର୍ଗଲାଭର ଯୋଗ୍ୟ ହୋଇଅଛି । ବରଂ ତୁମ୍ଭେମାନେ ଅନନ୍ତ ଦୁଃଖ ଭୋଗ କରିବା ନିମନ୍ତେ ଏହି ପୃଥିବୀରେ ଅବସ୍ଥାନ କରି ରହିବ ।’

 

ଏହିପରି କଥୋପକଥନ ପରେ ପାଣ୍ତବମାନେ ସେ ସ୍ଥାନରେ ଦୁର୍ଯ୍ୟୋଧନଙ୍କୁ ପରିତ୍ୟାଗ କରି ଶିବିରକୁ ପ୍ରତ୍ୟାଗମନ କଲେ ।

Image

 

ନୈଶ ଆକ୍ରମଣ

 

ଦୁର୍ଯ୍ୟୋଧନ ଆଘାତ ପ୍ରାପ୍ତ ହୋଇମୃତ୍ୟୁ ଅପେକ୍ଷାରେ ଯୁଦ୍ଧ ଭୂମିରେ ପଡ଼ି ରହିଥିବା ବେଳେ କୌରବ ପକ୍ଷର ମାତ୍ର ତିନିଜଣ ବୀର ଜୀବିତ ଥିଲେ । ସେମାନେ ହେଲେ କୃପାଚାର୍ଯ୍ୟ, କୃତବର୍ମା ଓ ଅଶ୍ୱତ୍‌ଥାମା । ସନ୍ଧ୍ୟା ଉପସ୍ଥିତ ହେବାରୁ ଯୁଦ୍ଧଭୂମି ନିକଟରେ ଥିବା ଏକ ଅରଣ୍ୟକୁ ଯାଇ ସେଠାରେ ଏକ ବଟବୃକ୍ଷ ତଳେ ସେମାନେ ବିଶ୍ରାମ ନେଲେ । ଅତ୍ୟଧିକ କ୍ଳାନ୍ତି ହେତୁ କୃତବର୍ମା ଓ କୃପାଚାର୍ଯ୍ୟ ଚାହୁଁ ଚାହୁଁ ଶୋଇପଡ଼ିଲେ । କିନ୍ତୁ କ୍ଳାନ୍ତ ହୋଇଥିଲେ ମଧ୍ୟ ପାଣ୍ତବଙ୍କ ପ୍ରତି ଅତିଶୟ କ୍ରୁଧ ହୋଇଥିବାରୁ ଅଶ୍ୱତ୍‌ଥାମାଙ୍କ ଆଖିକୁ ନିଦ ଆସିଲା ନାହିଁ । ସେ ଜାଗ୍ରତ ଅବସ୍ଥାରେ ଚାରିଆଡ଼କୁ ଚାହୁଁ ଚାହୁଁ ହଠାତ୍‌ ଦେଖିଲେ, ବୃକ୍ଷ ଶାଖାରେ କେତେଗୁଡ଼ିଏ ପକ୍ଷୀଙ୍କୁ ଶୋଇଥିବାର ଦେଖି ଗୋଟିଏ ପେଚା ଅତି ସନ୍ତର୍ପଣରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଆକ୍ରମଣ କରି ଶିକାର କରିବାକୁ ଲାଗିଲା । ଏହା ଦେଖି ଅଶ୍ୱତ୍‌ଥାମା ମନେ ମନେ ଭାବିଲେ, ନିଦ୍ରିତ ପକ୍ଷୀମାନଙ୍କୁ ଏହି ପେଚା ଯେପରି ରାତ୍ରିର ଅନ୍ଧକାରରେ ଆକ୍ରମଣ କରି ସଫଳ ହେଲା, ସେହିପରି ବର୍ତ୍ତମାନ ଶିବିରରେ ନିଦ୍ରିତ ଥିବା ପାଣ୍ତବପକ୍ଷୀୟ ବୀରମାନଙ୍କୁ ଆକ୍ରମଣ କରାଯାଇପାରେ । ଧର୍ମ ଓ ନୀତି ରକ୍ଷାକରି ପାଣ୍ତବଙ୍କ ସହ ପ୍ରତ୍ୟକ୍ଷ ସଂଗ୍ରାମ କଲେ ଆମର ବିନାଶ ଅନିବାର୍ଯ୍ୟ । ତେଣୁ କପଟୀ ନିଚାଶୟ ପାଣ୍ତବମାନଙ୍କୁ ଛଦ୍ମଭାବରେ ସଂହାର କରିବାରେ ଦୋଷ ନାହିଁ । କାରଣ ଅପ୍ରସ୍ତୁତ ଓ ନିଦ୍ରିତ ଅବସ୍ଥାରେ ଶତ୍ରୁମାନଙ୍କୁ ବିନାଶ କରିବା କର୍ତ୍ତବ୍ୟ । ପାଣ୍ତବ ପକ୍ଷର ନିଦ୍ରିତବୀରମାନଙ୍କୁ ସେହି ରାତିରେ ଗୋପନରେ ହତ୍ୟା କରିବା ବିଷୟ ସ୍ଥିର କରି କୃପାଚାର୍ଯ୍ୟ ଓ କୃତବର୍ମାଙ୍କୁ ସଙ୍ଗେ ସଙ୍ଗେ ନିଦରୁ ଉଠାଇ ଅଶ୍ୱତ୍‌ଥାମା ନିଜର ସିଦ୍ଧାନ୍ତ ଜଣାଇଲେ ।

 

କୃପାଚାର୍ଯ୍ୟ କହିଲେ, ଭାଗ୍ୟ ଓ ପୌରୁଷ, ଏ ଉଭୟ ବନ୍ଧନରେ ମନୁଷ୍ୟ ଆବଦ୍ଧ ଓ ଏ ଉଭୟ ଅନୁକୂଳ ନ ହେଲେ ମନୁଷ୍ୟ କୌଣସି କାର୍ଯ୍ୟରେ କୃତକାର୍ଯ୍ୟ ହୋଇପାରେ ନାହିଁ । କାର୍ଯ୍ୟ କରିବା ପୂର୍ବରୁ ବୃଦ୍ଧ ଅଭିଜ୍ଞ ଲୋକମାନଙ୍କଠାରୁ ପରାମର୍ଶ ନେବା ସମୀଚନ । ମୁଁ ଭାବୁଛି, ବର୍ତ୍ତମାନ ପରିସ୍ଥିତିରେ ଧ୍ରୁତରାଷ୍ଟ୍ର, ଗାନ୍ଧାରୀ ଓ ବିଦୁରଙ୍କଠାରୁ ପରାମର୍ଶ ନେଇ ଯାହା କିଛି କରିବା; କାରଣ ଭଲମନ୍ଦ ବିଚାର କରିବାର ମାନସିକ ସାମର୍ଥ୍ୟ ଆମ୍ଭମାନଙ୍କର ବର୍ତ୍ତମାନ ନାହିଁ ବୋଲି ମୁଁ ଅନୁଭବ କରୁଅଛି ।’’

 

ଅଶ୍ୱତ୍‌ଥାମା କହିଲେ, ‘ପିତୃହତ୍ୟାର ପ୍ରତିଶୋଧ ନେଲେ ମୁଁ ଲୋକଙ୍କ ସମ୍ମୁଖରେ ମୁଣ୍ତଟେକି ଚାଲିପାରିବି ନାହିଁ । ଏହି ରାତ୍ରି ହିଁ ସେହି ପ୍ରତିଶୋଧ ନେବାପାଇଁ ଉପଯୁକ୍ତ ସମୟ ।’

 

କୃପାଚାର୍ଯ୍ୟ କହିଲେ, ‘‘ବାବା, ପିତୃହତ୍ୟାର ପ୍ରତିଶୋଧ ନେବ, ଭଲ କଥା, ବର୍ତ୍ତମାନ ବିଶ୍ରାମ କର । କାଲି ସକାଳେ ଆମ୍ଭେମାନେ ପାଣ୍ତବ ପକ୍ଷଙ୍କ ସହ ପ୍ରତ୍ୟକ୍ଷ ସମର ରଚନା କରି ଦ୍ରୋଣହତ୍ୟାର ପ୍ରତିଶୋଧ ନେବା ।’’

 

ଅଶ୍ୱତ୍‌ଥାମା କିନ୍ତୁ ଆଶ୍ୱସ୍ତ ହେଲେନାହିଁ । ସେ କହିଲେ, ‘‘ଧୃଷ୍ଟଦ୍ୟୁମ୍ନ ଓ ତାଙ୍କ ପକ୍ଷର ବୀରମାନଙ୍କୁ ସଂହାର କରି ପିତୃହତ୍ୟାର ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ମୋର ବିଶ୍ରାମ କାହିଁ ? ମୁଁ ଜୀବିତ ଥାଉଁ ଥାଉଁ ଆମ ପକ୍ଷର ଏପରି ଶୋଚନୀୟ ପରାଜୟ ହେଲା ଏହି ଅପମାନ ମୋର ହୃଦୟକୁ ବିଦୀର୍ଣ୍ଣ କରୁଅଛି । ମୋର ସିଦ୍ଧାନ୍ତକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ-

 

କୃପାଚାର୍ଯ୍ୟ ତଥାପି କହିଲେ, ‘ତୁମେ ଏ ପୃଥିବୀରେ ପୂଣ୍ୟାତ୍ମା ମହାରଥି ଭାବରେ ବିଖ୍ୟାତ, ଏବଂ ସାମାନ୍ୟତମ ପାପ ତୁମକୁ ସ୍ପର୍ଶ କରିପାରି ନାହିଁ; ତେଣୁ କାଲି ପ୍ରଭାତରେ ପ୍ରକାଶ୍ୟ ଯୁଦ୍ଧରେ ଶତ୍ରୁମାନଙ୍କୁ ଜୟ କରିବାକୁ ଚେଷ୍ଟା କରିବା ଛଡ଼ା ଗୋପନରେ ଏହି ନିଶାର୍ଦ୍ଧରେ ନିଦ୍ରିତାବସ୍ଥାରେ ଥିବା ଅସତର୍କ ଓ ଅସ୍ତ୍ରଶସ୍ତ୍ରବିହୀନ ଶତ୍ରୁମାନଙ୍କୁ ଆକ୍ରମଣ କରି ଶୁକ୍ଳବସ୍ତ୍ର ତୁଲ୍ୟ ନିଜର ନିର୍ମଳ ଚରିତ୍ରକୁ ରକ୍ତଲିପ୍ତ କରି କଳଙ୍କିତ କରନାହିଁ ।’’

 

ଅଶ୍ୱତ୍‌ଥାମା ଉତ୍ତର ଦେଲେ,‘ଆପଣ ଯାହା କହିଲେ ତାହା ସତ୍ୟ ହେଲେ ମଧ୍ୟ ପାଣ୍ତବମାନେ ଧର୍ମଯୁଦ୍ଧକୁ ସମ୍ପୂର୍ଣ୍ଣରୂପେ ଜଳାଞ୍ଜଳି ଦେଇଅଛନ୍ତି । କପଟତାର ଆଶ୍ରୟ ନେଇ ମୋର ପିତା ଦ୍ରୋଣ, ମହାରଥି କର୍ଣ୍ଣ, ଭୂରିଶ୍ରବା ପ୍ରମୁଖଙ୍କୁ ଆପ୍ରସ୍ତୁତ ଓ ଅସ୍ତ୍ରବିହୀନ ଥିବାବେଳେ ପାଣ୍ତବମାନେ ନିହତ କରିଅଛନ୍ତି । ଭୀମସେନ ମଧ୍ୟ ଅନୁରୂପ ଭାବରେ ଅନ୍ୟାୟ ଯୁଦ୍ଧର ଆଶ୍ରୟ ନେଇ ଦୁର୍ଯ୍ୟୋଧନଙ୍କୁ ଚରମାଘାତରେ ଭୂତଳଶାୟୀ କରିଅଛି । ପାଣ୍ତବ ଓ ପାଣ୍ତବପକ୍ଷର ବୀରମାନେ ବାରମ୍ୱାର ଧର୍ମଯୁଦ୍ଧରୁ ବିଚ୍ୟୁତ ହୋଇଥିବାରୁ, ସେହିପରି ଅନ୍ୟାୟର ଆଶ୍ରୟ ନେଇ ସେମାନଙ୍କୁ ହତ୍ୟା କରିବା ହିଁ ନ୍ୟାୟସଙ୍ଗତ । ଏହି ଅନ୍ୟାୟ ଆକ୍ରମଣ ଓ କାର୍ଯ୍ୟ ପାଇଁ ମୋତେ ଯଦି କୀଟପତଙ୍ଗ ରୂପରେ ଜନ୍ମ ହୋଇ ପ୍ରାୟଶ୍ଚିତ୍ତ କରିବାକୁ ପଡ଼େ; ମୁଁ ସେଥିପାଇଁ ପ୍ରସ୍ତୁତ ।’’ ଏହା କହି ନିଜର ରଥରେ ଆରୋହଣ କରି କୋପାନ୍ୱିତ ଅଶ୍ୱତ୍‌ଥାମା ପାଣ୍ତବ ଶିବିର ଅଭିମୁଖେ ଅତି ଦ୍ରୁତଗତିରେ ଧାବମାନ ହେଲା । କୃପାଚାର୍ଯ୍ୟ ଓ କୃତବର୍ମା କିଛି ସମୟ ପାଇଁ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ରହି ପରେ ଅପରିଣାମଦର୍ଶୀ ଅଶ୍ୱତ୍‌ଥାମାଙ୍କୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କର ଅନୁଗମନ କରିବାକୁ ବାଧ୍ୟ ହେଲେ ।

 

ପାଣ୍ତବ ପକ୍ଷର ବିଭିନ୍ନ ଶିବିରରେ ବୀରମାନେ ନିଦ୍ରାଭିଭୂତ ଥିଲେ । ଶିବିରର ଦ୍ୱାରଦେଶରେ କୃପାଚାର୍ଯ୍ୟ ଓ କୃତବର୍ମୀଙ୍କୁ ଅବସ୍ଥାପିତ କରି ଅତି ସନ୍ତର୍ପଣରେ ଅଶ୍ୱତ୍‌ଥାମା ପାଣ୍ତବ ଶିବିର ମଧ୍ୟରେ ପ୍ରବେଶ କରି ପ୍ରଥମେ ଧୃଷ୍ଟଦ୍ୟୁମ୍ନ, ପରେ ପରେ ଶିଖଣ୍ତୀ, ଦ୍ରୋପଦୀଙ୍କ ପ୍ରତିବୃନ୍ଧ୍ୟଙ୍କୁ ପଞ୍ଚପୁତ୍ର ପ୍ରମୁଖ ଅବଲୀଳାକ୍ରମେ ସଂହାର କଲେ । ଅଶ୍ୱତ୍‌ଥାମାଙ୍କ ପଦଶଦ୍ଦ, ତଥା ଆକ୍ରମଣ ଜନିତ ସ୍ୱାଭାବିକ ଶଦ୍ଦରେ କେତେକ ବୀର ଜାଗ୍ରତ ହୋଇଥିଲେ ମଧ୍ୟ ଅତିକ୍ଷିପ୍ର ଆକସ୍ମିକ ଥିବାରୁ ଓ ଅନ୍ୟପକ୍ଷରେ ସେମାନେ ନିଦ୍ରାଚ୍ଛନ୍ନ ଓ ଅପ୍ରସ୍ତୁତ ଥିବାରୁ ଶତ୍ରୁହସ୍ତରୁ ଆତ୍ମରକ୍ଷା କରିବୁ ସମର୍ଥ ହେଲେ ନାହିଁ । କେତେକ ପଳାୟନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୃତବର୍ମା ଓ କୃପାଚାର୍ଯ୍ୟ ପ୍ରମୁଖଙ୍କ ହସ୍ତରେ ଚେଷ୍ଟା ସେମାନଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଥିଲା । ପାଣ୍ତବ ଓ କୃଷ୍ଣଙ୍କ ଶିବିର ଦୂରରେ ଥିବାରୁ ଓ ପାଣ୍ତବପକ୍ଷର ସମସ୍ତ ସୈନ୍ୟ ଓ ବୀରମାନଙ୍କୁ ହତ୍ୟା କରିବାରେ ରାତ୍ରି ଅବିବାହିତ ହେବାରୁ ଅଶ୍ୱତ୍‌ଥାମା କୃଷ୍ଣ ଓ ପାଣ୍ତବମାନଙ୍କର କୌଣସି ଅନିଷ୍ଟ କରିପାରିଲେ ନାହିଁ । ଏହି ନୈଶକାଳୀନ ଅତର୍କିତ ଆକ୍ରମଣରେ ପଞ୍ଚପାଣ୍ତବ, କୃଷ୍ଣ, ସାତ୍ୟକୀ ଭିନ୍ନ ଅନ୍ୟ ସକଳ ଯୁଦ୍ଧାବଶିଷ୍ଟ ପାଣ୍ତବ ପକ୍ଷର ବୀର ଓ ସୈନ୍ୟବାନେ ନିହତ ହୋଇଥିଲେ । ପ୍ରଭାତ ସମୟ ଉପସ୍ଥିତ ହେବାରୁ କାଳ ବିଳମ୍ବ ନକରି ମୃତ୍ୟୁଶଯ୍ୟାରେ ଶାୟିତ ଦୁର୍ଯ୍ୟୋଧନଙ୍କୁ ଏହି ସୁସମ୍ବାଦ ଦେବା ଉଦ୍ଦେଶ୍ୟରେ ଅଶ୍ୱତ୍‌ଥାମା ପ୍ରମୁଖ ତିନି ବୀର ଦୁର୍ଯ୍ୟୋଧନଙ୍କ ନିକଟକୁ ଗଲେ ।

 

ଦୁର୍ଯ୍ୟୋଧନଙ୍କର ସେତେବେଳକୁ ଅନ୍ତିମ ଅବସ୍ଥା । ତାଙ୍କର ମୁହଁରୁ ଘନ ଘନ ରକ୍ତଶ୍ରାବ ହେଉଥାଏ ଓ ଶିଆଳ ଶାଗୁଣାମାନେ ତାଙ୍କୁ ଘେରି ରହି ଚିତ୍କାର କରୁଥାନ୍ତି । ଅଶ୍ୱତ୍‌ଥାମା, କୃତବର୍ମା ଓ କୃପାଚାର୍ଯ୍ୟ ସେଠାରେ ପହଞ୍ଚି ଦୁର୍ଯ୍ୟୋଧନଙ୍କର ଏପରି ଅବସ୍ଥା ଦେଖି ଦୁଃଖରେ ଏକାବେଳେ ଭାଙ୍ଗିପଡ଼ିଲେ । ଯାହାଙ୍କର ଚରଣପ୍ରାନ୍ତରେ ଅଗଣିତ ନରପତି ଆନୁଗତ୍ୟ ସ୍ୱୀକାର କରି ପ୍ରମାଣ କରୁଥିଲେ, ଦାନ ଦକ୍ଷିଣା ପାଇଁ ଯାହାଙ୍କ ନିକଟରେ ବ୍ରାହ୍ମଣମାନଙ୍କର ପ୍ରାର୍ଥନାର ଶେଷ ନଥିଲା, ସେହି ମହାଶୌର୍ଯ୍ୟବନ୍ତ ମହାରାଜ ଦୁର୍ଯ୍ୟୋଧନଙ୍କର ମାଂସଭକ୍ଷଣ କରିବାନିମିତ୍ତ ଶିଆଳ ଶାଗୁଆ ଆଜି ଘେରି ବସିଛନ୍ତି ଏବଂ ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସେହି ମହାବୀର ଦୁର୍ଯ୍ୟୋଧନ ଆପ୍ରାଣ ଚେଷ୍ଟା କରି ବ୍ୟର୍ଥ ନହେବ ! ! ଯାହାହେଉ, ଦୁର୍ଯ୍ୟୋଧନଙ୍କ ମୁଖରୁ ରକ୍ତଆଦି ପୋଛି ଦେଇ ଅଶ୍ୱତ୍‌ଥାମା ନିବେଦନକରି କହିଲେ, ‘ହେ କୁରୁରାଜ, ଯଦି ଆପଣ ବର୍ତ୍ତମାନ ସୁଦ୍ଧା ଜୀବିତ ଥାଆନ୍ତି, ତେବେ ଏକ ସୁସମ୍ବାଦ ଶୁଣନ୍ତୁ – ଦ୍ରୋପଦୀର ପାଞ୍ଚପୁତ୍ର, ଧୃଷ୍ଟଦ୍ୟୁମ୍ନ ଓ ତାଙ୍କର ପୁତ୍ର, ସମସ୍ତ ପାଞ୍ଚାଳ ପ୍ରମୁଖ ବୀରମାନେ, ସମସ୍ତ ମତ୍ସ୍ୟ ପ୍ରମୁଖ ବୀରମାନେ ଆଜି ଆମ୍ଭମାନଙ୍କ ହସ୍ତରେ ନିହତ ହୋଇଅଛନ୍ତି । ଏହି ରାତି ମଧ୍ୟରେ ପାଣ୍ତବ ଶିବିରରେ ଅତର୍କିତ ଭାବରେ ଆକ୍ରମଣ କରି ପ୍ରତିଶୋଧ ନେବାର କାର୍ଯ୍ୟ ସମ୍ପନ୍ନ କରିଅଛି । ଆମ ପକ୍ଷରେ ଆମେ ତିନିଜଣ ଓ ପାଣ୍ତବଙ୍କ ପକ୍ଷରେ ପଞ୍ଚପାଣ୍ତବ; କୃଷ୍ଣ ଓ ସାତ୍ୟକି ଏପରି ସାତଜଣ ମାତ୍ର ବୀର ବର୍ତ୍ତମାନ ଜୀବିତ ।’

 

ଦୁର୍ଯ୍ୟୋଧନଙ୍କର ସେତେବେଳ ପର୍ଯ୍ୟନ୍ତ ବି ସଂଜ୍ଞା ଥିଲା । ସେ ଅଶ୍ୱତ୍‌ଥାମାଙ୍କ କଥା ଶୁଣି ଶାରୀରିକ ଯନ୍ତ୍ରଣା ସତ୍ୱେ କହିଲେ, ‘‘ବୀର, ମହାବାହୁ ଭୀଷ୍ମଦେବ, କର୍ଣ୍ଣ, ତୁମର ପିତା ଦ୍ରୋଣାଚାର୍ଯ୍ୟ ଯେଉଁ କାର୍ଯ୍ୟ ସମ୍ପନ୍ନ କରିବାକୁ ଅସର୍ମଥ ହୋଇଥିଲେ, ତୁମେ ମାତ୍ର ତିନିଜଣ ତାହା ସମ୍ପନ୍ନ କରି ମୋତେ ପ୍ରୀତ କରିଅଛି ଏବଂ ଏହି ଶେଷ ମୂହୂର୍ତ୍ତରେ ମଧ୍ୟ ମୁଁ ନିଜକୁ ତୁମ କାର୍ଯ୍ୟ ଯୋଗୁ ଇନ୍ଦ୍ରତୁଲ୍ୟ ଜ୍ଞାନ କରୁଅଛି । ତୁମର ମଙ୍ଗଳ ହେଉ ।’’ ଏହା କହି ଦୁର୍ଯ୍ୟୋଧନ ଅଶ୍ୱତ୍‌ଥାମା ପ୍ରମୁଖଙ୍କୁ ଆଲିଙ୍ଗନ କଲେ ଓ ପରମୁହୂର୍ତ୍ତରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ ନିକଟରେ ଯୁଦ୍ଧର ସମସ୍ତ ବୃତ୍ତାନ୍ତ ସଞ୍ଜୟ ବର୍ଣ୍ଣନା କରୁଥିଲେ । ଧୃତରାଷ୍ଟ୍ରଙ୍କୁ ସଞ୍ଜୟ କହିଲେ, ‘ମହାରାଜା, ଏହିପରି ଭାବରେ ଆପଣଙ୍କର ବୀରପୁତ୍ର କୁରୁପତି ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହେବାରୁ ଅଶ୍ୱତ୍‌ଥାମା ପ୍ରମୁଖ ତିନିବୀର ଦୁର୍ଯ୍ୟୋଧନଙ୍କୁ ଆଲିଙ୍ଗନ କରି ତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କଲେ ଓ ପରମୁହୂର୍ତ୍ତରେ ଶୋକସନ୍ତପ୍ତ ହୃଦୟରେ ରାଜନବରକୁ ପ୍ରତ୍ୟାଗମନ କଲେ । ମହାରାଜ, ଆପଣଙ୍କ କୁପରାମର୍ଶ ଫଳରେ ଅବଶେଷରେ ଏହିପରି କୌରବ ଓ ପାଣ୍ତବ ପକ୍ଷର ବୀରମାନଙ୍କର ବିନାଶ ଘଟିଲା । ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କ ମୃତ୍ୟୁରେ କୁରୁକ୍ଷେତ୍ର ଯୁଦ୍ଧର ସମାପ୍ତି ଘଟିଅଛି ଏବଂ ସେଥି ସଙ୍ଗେସଙ୍ଗେ ଯୁଦ୍ଧ ଦର୍ଶନ କରିବା ନିମନ୍ତେ ବ୍ୟାସଦେବଙ୍କ ପ୍ରଦତ୍ତ ଦିବ୍ୟଦୃଷ୍ଟିର ସମୟ ମଧ୍ୟ ମୋର ଶେଷ ହୋଇଅଛି ।’ ଏହା କହି ସଞ୍ଜୟ ନୀରବ ହେଲେ ।

 

କୁରୁକ୍ଷେତ୍ର ଯୁଦ୍ଧର ସମସ୍ତ ବୃତ୍ତାନ୍ତ ସଞ୍ଜୟଙ୍କଠାରୁ ଶୁଣିବାକୁ ପାଇ ଧୃତରାଷ୍ଟ୍ରଙ୍କର ଶୋକର ସୀମା ରହିଲା ନାହିଁ ।

Image

 

ପାଣ୍ତବଙ୍କର ପ୍ରତିଶୋଧ

 

ପରଦିନ ପ୍ରଭାତରେ ଦୂତମୁଖରୁ ରାତ୍ରିକାଳୀନ ଆକ୍ରମଣର ବୃତ୍ତାନ୍ତ ଶ୍ରବଣ କରି ପାଣ୍ତବମାନେ ଏକାବେଳେ ଭାଙ୍ଗିପଡ଼ିଲେ । ବିଜୟ ମୁହୂର୍ତ୍ତରେ ଏପରି ପରାଜୟ ପାଣ୍ତବଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା ।

 

ଦ୍ରୌପଦୀ ପୁତ୍ରଶୋକରେ କାତର ହୋଇ ଯୁଧିଷ୍ଠିରଙ୍କୁ କହିଲେ, ‘ମହାରାଜ, ଏହି ପାପାତ୍ମା ଅଶ୍ୱତ୍‌ଥାମାକୁ ସଂହାର କରି ପୁତ୍ରହତ୍ୟାର ଉପଯୁକ୍ତ ପ୍ରତିଶୋଧ ନ ହେଲେ ମୁଁ ଆମରଣ ଅନଶନ କରିବି ।’ ଏହା କହି ଶିବିର ଦ୍ୱାରଦେଶରେ ଦ୍ରୌପଦୀ ଉପବେଶନ କରି ରହିବାରୁ ଯୁଧିଷ୍ଠିର ପ୍ରମୁଖ ଦ୍ରୌପଦୀଙ୍କ ଶୋକସନ୍ତପ୍ତ ହୃଦୟକୁ ଆଶ୍ୱାସିତ କରିବାକୁ ଚେଷ୍ଟା କଲେ ।

 

ଦ୍ରୌପଦୀ କହିଲେ, ‘ମହାରାଜ, ଅଶ୍ୱତ୍‌ଥାମାର ମସ୍ତକରେ ସହଜାତ ମଣିଥିବାର କଥା ଶୁଣିଅଛି । ଆପଣ ତାଙ୍କୁ ପରାସ୍ତକରି ସେହି ମଣି ଜୟ କରି ଆଣନ୍ତୁ । ଆପଣଙ୍କ ମୁକୁଟରେ ତାକୁ ସ୍ଥାପନ କରି ପୁତ୍ରଶୋକକୁ ଭୁଲିବାକୁ ଚେଷ୍ଟାକରିବି ।’

 

ଦ୍ରୌପଦୀଙ୍କ ମୁଖରୁ ଏ କଥା ଶୁଣିବା ପରେ ପାଣ୍ତବଗଣ ଅଶ୍ୱତ୍‌ଥାମାର ଅନ୍ୱେଷଣରେ ବାହାରିଗଲେ । ଗଙ୍ଗାକଳରେ ମହର୍ଷି ବ୍ୟାସଦେବ ପ୍ରମୁଖ ତପସ୍ୟା କରୁଥିଲେ । ପାଣ୍ତବଙ୍କ ଆଡ଼ୁ ଆକ୍ରମଣ ଆଶଙ୍କା କରି ଅଶ୍ୱତ୍‌ଥାମା ଋଷିବେଶ ଧାରଣା କରି ସେହି ତପସ୍ୟାରତ ଋଷିମାନଙ୍କ ମଧ୍ୟରେ ଆତ୍ମଗୋପନ କରି ରହିଲେ ।

 

ପାଣ୍ତବମାନେ ବିଭିନ୍ନ ସ୍ଥାନ ଅନ୍ୱେଷଣ କରି ପରିଶେଷରେ ଋଷିମାନଙ୍କ ମଧ୍ୟରେ ଅଶ୍ୱତ୍‌ଥାମାକୁ ଆତ୍ମଗୋପନ କରି ରହିଥିବାର ଦେଖି ଆକ୍ରମଣ କରିବାରୁ, ଅଶ୍ୱତ୍‌ଥାମା ସଙ୍ଗେ ସଙ୍ଗେ କେତେଖଣ୍ତ ତୃଣକୁ ମନ୍ତ୍ରସାହାଯ୍ୟରେ ବ୍ରହ୍ମଶକ୍ତିରେ ରୂପାୟିତ କରି ‘ପାଣ୍ତବବଂଶ ଧ୍ୱଂସ ହେଉ’ ବୋଲି ଉଚ୍ଚାରଣ କରି ତାହା ପାଣ୍ତବଙ୍କ ଉପରକୁ ନିକ୍ଷେପ କଲେ ଓ ସେହି ମନ୍ତ୍ରପୂତ ତୃଣଗୁଚ୍ଛ ପାଣ୍ତବଙ୍କ ଆଡ଼କୁ ଅତି କ୍ଷିପ୍ରଗତିରେ ଧାବମାନ ହେଲା ।

 

ଅଶ୍ୱତ୍‌ଥାମାର ଅଭିସନ୍ଧି ବୁଝିପାରି କୃଷ୍ଣ କହିଲେ, ‘ଅର୍ଜ୍ଜୁନ, ଦ୍ରୋଣଙ୍କଠାରୁ ଶିକ୍ଷା କରିଥିବା ଦିବ୍ୟାସ୍ତ୍ର ବଳରେ ଅଶ୍ୱତ୍‌ଥାମାଙ୍କର ଏହି ବ୍ରହ୍ମାସ୍ତ୍ରକୁ ପ୍ରତିହତ କର ।’ ତଦନୁସାରେ ଅର୍ଜ୍ଜୁନ ତତ୍‌କ୍ଷଣାତ୍‌ ପ୍ରତିଅସ୍ତ୍ର ପ୍ରୟୋଗ କରି ଅଶ୍ୱତ୍‌ଥାମାଙ୍କର ଅସ୍ତ୍ରକୁ ଶାନ୍ତ କରିବାକୁ ଉଦ୍ୟମ କରିବାରୁ ସଂଘର୍ଷ ଫଳରେ ଉଭୟଙ୍କ ଅସ୍ତ୍ର ଅପୂର୍ବ ଦୀପ୍ତିରେ ଚତୁର୍ଦିଗକୁ ଉଦ୍ଭାସିତ କଲା । ଏହି ଭୟାବହ ଅସ୍ତ୍ରର ତେଜ ଓ ବିକ୍ରମକୁ ପୃଥିବୀ ସହ୍ୟ କରିବାକୁ ଅସର୍ମଥ ହେବ ଆଶଙ୍କା କରି ବ୍ୟାସଦେବ ସେହି ଦୁଇ ଅଗ୍ରଗାମୀ ଅସ୍ତ୍ରର ମଧ୍ୟ ସ୍ଥଳରେ ହଠାତ୍‌ ପ୍ରବେଶ କରି ନିଜ ନିଜର ଅସ୍ତ୍ର ପ୍ରତ୍ୟାହାର କରିବାକୁ ଅର୍ଜ୍ଜୁନ ଓ ଅଶ୍ୱତ୍‌ଥାମାଙ୍କୁ ନିର୍ଦ୍ଦେଶ ଦେଲେ । ଅର୍ଜ୍ଜୁନ ସତ୍ୟପରାୟଣ, ବ୍ରହ୍ମଚାରୀ ଓ ଗୁରୁ ଶୁଶ୍ରୂଷା ପରତନ୍ତ୍ର ଥିବାରୁ ନିଜର ଅସ୍ତ୍ରକୁ ପ୍ରତ୍ୟାହାର କରିନେଲେ କିନ୍ତୁ ଅଶ୍ୱତ୍‌ଥାମାଙ୍କର ସେପରି ଚାରିତ୍ରିକ ସାମର୍ଥ୍ୟ ନଥିବାରୁ ସେ ନିଜର ଅସ୍ତ୍ରକୁ ପ୍ରତ୍ୟାହାର କରିପାରିଲେ ନାହିଁ ।

 

ଅଶ୍ୱତ୍‌ଥାମା କହିଲେ, ‘ମୁନିଶ୍ରେଷ୍ଠ, ମଧ୍ୟମ ପାଣ୍ତବ ଭୀମସେନଙ୍କ ଆକ୍ରମଣରେ ଭୀତତ୍ରସ୍ତ ହୋଇ ନିଜର ପ୍ରାଣରକ୍ଷା ନିମନ୍ତେ ମୁଁ ଏହି ବ୍ରହ୍ମାସ୍ତ୍ର ପ୍ରୟୋଗ କରିଅଛି ଏବଂ ଏହି ଅସ୍ତ୍ର ପ୍ରୟୋଗ କରିବା ନିମନ୍ତେ ମୁଁ ମୋର ସମସ୍ତ ବ୍ରହ୍ମତେଜ ବ୍ୟୟ କରିଥିବାରୁ ତାହାକୁ ପ୍ରତ୍ୟାହାର କରିବାର ଶକ୍ତି ମୋର ନାହିଁ । ତେଣୁ ମୁଁ ନିରୁପାୟ । ମୋର ମସ୍ତକରେ ଥିବା ଏହି ମଣିର ଶକ୍ତି ଅଲୌକିକ । ଏହାକୁ ଧାରଣ କଲେ ରୋଗ, କ୍ଷୁଧା ଶଙ୍କା ଓ ଦୁଃଖ ସ୍ପର୍ଶକରି ପାରେ ନାହିଁ । ଏହି ମଣିକୁ ପାଣ୍ତବମାନେ ଇଚ୍ଛାମତେ ଗ୍ରହଣ କରନ୍ତୁ । ମୋର ଏହି ଅସ୍ତ୍ର ପାଣ୍ତବମାନଙ୍କ ଉପରେ ନିକ୍ଷିପ୍ତ ନ ହୋଇପାଣ୍ତବ ରମଣୀଙ୍କ ଗର୍ଭସ୍ଥ ସନ୍ତାନ ଉପରେ ପତିତ ହେବ ।’

 

ସେହି ସମୟରେ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରା ଗର୍ଭବତୀ ଥିଲେ । ଅଶ୍ୱତ୍‌ଥାମାଙ୍କ ବ୍ରହ୍ମାସ୍ତ୍ର ଉତ୍ତରାଙ୍କ ଗର୍ଭସ୍ଥ ସନ୍ତାନକୁ ଆଘାତ କଲା । କିନ୍ତୁ ପରେ କୃଷ୍ଣଙ୍କ ଆଶୀର୍ବାଦରେ ସେହି ଗର୍ଭସ୍ଥ ସନ୍ତାନ ସୁରକ୍ଷିତ ହୋଇଥିଲା । ପରେ ଏହି ସନ୍ତାନ ଭୂମିଷ୍ଠ ହୋଇପରୀକ୍ଷିତ ନାମରେ ଖ୍ୟାତ ହୋଇଥିଲା ।

 

ପାଣ୍ତବମାନେ ଅଶ୍ୱତ୍‌ଥାମାଙ୍କ ଠାରୁ ସେହି ଅପୂର୍ବ ମଣି ଗ୍ରହଣ କରି ଦ୍ରୌପଦୀଙ୍କ ନିକଟକୁ ଫେରି ଆସିଥିଲେ ।

 

ଅଶ୍ୱତ୍‌ଥାମାଙ୍କର ଜୀବନର ଅବଶିଷ୍ଟ ସମୟ ବନବାସ ମଧ୍ୟରେ ହିଁ ଅତିବାହିତ ହୋଇଥିଲା ।

Image

 

ଧୃତରାଷ୍ଟ୍ରଙ୍କ ସହ ପାଣ୍ତବଙ୍କ ସାକ୍ଷାତ

 

କୁରୁକ୍ଷେତ୍ର ଯୁଦ୍ଧର ଶୋଚନୀୟ ପରିଣତିରେ, ବିଶେଷ କରି ନିଜର ଏକଶତ ପୁତ୍ରଙ୍କର ଅକାଳ ବିୟୋଗରେ ବୃଦ୍ଧାରାଜା ଧୃତରାଷ୍ଟ୍ରଙ୍କର ଶୋକର ସୀମା ରହିଲା ନାହିଁ । ସେ ଶୋକବିହ୍ୱଳ ହୋଇ ବିଳାପ କରି କହିଲେ, ‘ସଞ୍ଜୟ ! ମୋର ସମସ୍ତ ପୁତ୍ର ଓ ମିତ୍ରମାନେ ଆଜି ବିନାଶ ପ୍ରାପ୍ତ ହୋଇଥିବାରୁ ପକ୍ଷହୀନ ବିହଙ୍ଗପରି ମୋର ଏହି ପ୍ରିୟ ପରିଜନଶୂନ୍ୟ ଜୀବନର ଆଉ କୌଣସି ପ୍ରୟୋଜନ ନାହିଁ । ମୁଁ ନେତ୍ରବିହୀନ ଥିଲି । କିନ୍ତୁ ଆଜି ରାଜ୍ୟହୀନ ଓ ବନ୍ଧୁହୀନ ହୋଇ ଶ୍ରୀଭ୍ରଷ୍ଟ ହୋଇଅଛି । ପୂର୍ବେ ବ୍ୟାଦେବ ଓ ବାସୁବେଦ ପ୍ରମୁଖଙ୍କର ହିତବାକ୍ୟ ପ୍ରତି କର୍ଣ୍ଣପାତ କରିନଥିବାର ଅପରାଧ ଯୋଗୁ ମୋତେ ଆଜି ଏହି ଅନୁତାପ କରିବାକୁ ପଡ଼ୁଅଛି । ମୋର ଏହି ଉପସ୍ଥିତ ହତଭାଗ୍ୟ ଦୁର୍ଦ୍ଦଶାଗ୍ରସ୍ତ ଜୀବନରୁ ବୁଝୁଅଛି ଯେ, ଅତୀତରେ ମୁଁ କିଛି ଅପକର୍ମ କରିଥିଲି, ଯାହାଫଳରେ ବୃଦ୍ଧାବସ୍ଥାରେ ମୋତେ ବନ୍ଧୁ ବିନାଶଜନିତ ଅସହ୍ୟ ଦୁଃଖ ଭୋଗ କରିବାକୁ ପଡ଼ୁଅଛି-।’

 

ସଞ୍ଜୟ କହିଲେ, ‘ମହାରାଜ, ଆପଣଙ୍କ ପରି ବେଦବେତ୍ତା ଶାସ୍ତ୍ରଜ୍ଞଙ୍କ ପକ୍ଷରେ ଏପରି ଶୋକ ପ୍ରକାଶ ଶୋଭା ପାଏନାହିଁ । ଯେଉଁ କାର୍ଯ୍ୟ କଲେ ଭବିଷ୍ୟତରେ ଅନୁତାପ କରିବାକୁ ପଡ଼େ ନାହିଁ, ତାହା ଅନୁଷ୍ଠାନ କରିବା ହିଁ ମନୁଷ୍ୟର ଶ୍ରେଷ୍ଠ କର୍ତ୍ତବ୍ୟ । ଦୁର୍ଯ୍ୟୋଧନ ଅତିଶୟ କ୍ରୂର, ଅହଙ୍କାରୀ, ମନ୍ଦବୁଦ୍ଧି ପରାୟଣ ଓ ଧନଲୋଭୀ ଥିଲା ଏବଂ କର୍ଣ୍ଣ, ଦୁଃଶାସନ, ଶକୁନି ପ୍ରମୁଖଙ୍କର କୁମନ୍ତ୍ରଣାର ବଶବର୍ତ୍ତୀ ହୋଇସେ କୁରୁବୃଦ୍ଧ ଭୀଷ୍ମ, ବିଦୁର, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଗାନ୍ଧାରୀ, ଏପରିକି କୃଷ୍ଣ ଓ ବ୍ୟାସଦେବ ପ୍ରମୁଖଙ୍କର ହିତକର ବାକ୍ୟ ପ୍ରତି ଅଶ୍ରଦ୍ଧା ପ୍ରକାଶ କଲା ଏବଂ ଆପଣ ମଧ୍ୟ ଅତ୍ୟଧିକ ପୁତ୍ରବତ୍ସଳ ହୋଇଧର୍ମ ଓ ମର୍ଯ୍ୟାଦାର ପଥ ଅନୁସରଣ ନକରି ଦୁଷ୍ଟ ଦୁର୍ଯ୍ୟୋଧନର ପ୍ରୀତିବର୍ଦ୍ଧନ କରିବା ଉଦ୍ଦେଶ୍ୟରେ ତା’ର କୁକର୍ମକୁ ଅନୁମୋଦନ କଲେ, ଫଳରେ ସମସ୍ତ କ୍ଷତ୍ରିୟ ଆଜି ଯୁଦ୍ଧଭୂମିରେ ବିନାଶ ପ୍ରାପ୍ତ ହେଲେ । ଅର୍ଥଲାଭ, ଫଳଲାଭ, ମିତ୍ରଲାଭ ଓ ମୋକ୍ଷଲାଭ କ୍ଷେତ୍ରରେ ଶୋକ ଚିରକାଳ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ । ନିଜର ବସ୍ତ୍ରରେ ନିଜେ ଅଗ୍ନି ସଂଯୋଗ କରି ପରେ ପରିମାଣ ପାଇଁ ଦୁଃଖ କଲାପରି ନିଜ ଅତୀତ ଅପକର୍ମର ପରିଣାମ ପାଇଁ ଆଉ ଶୋକକରି ଲାଭ ନାହିଁ । ତେଣୁ ଶୋକ ସମ୍ବରଣ କରନ୍ତୁ । ଆତ୍ମୀୟମାନଙ୍କର ଶୋକରେ ପର ଲୋକଗତ ଆତ୍ମା ବିଶେଷ ପୀଡ଼ିତ ହୋଇଥାଏ, ତେଣୁ ଶୋକ ପରିତ୍ୟାଗ କରି ଯଥାବିଧି ପ୍ରେତ୍ୟକାର୍ଯ୍ୟାନୁଷ୍ଠାନରେ ମନୋନିବେଶ କରନ୍ତୁ ।’

 

ବିଦୁର କହିଲେ, ‘ମହାରାଜ, ଏହି ଅନିତ୍ୟ ସଂସାରରେ ମୃତ୍ୟୁ ହିଁ ଜୀବନର ସ୍ୱାଭାବିକ ପରିଣତି । କାଳର କରାଳ କବଳରେ କି ବୀର, କି ଭୀରୁ, ପ୍ରତ୍ୟେକ ମନୁଷ୍ୟ ଜାତି ବର୍ଣ୍ଣ ବୟସ ଭେଦସତ୍ତ୍ୱେ ନିପତିତ ହୋଇଥାନ୍ତି । ତେଣୁ ମୃତ୍ୟୁ ପାଇଁ ଶୋକ କରିବା ଉଚିତ ନୁହେଁ । ଯୁଦ୍ଧଭୂମିରେ ପ୍ରାଣତ୍ୟାଗ କରି କ୍ଷତ୍ରିୟମାନେ ଅତି ସହଜରେ ସ୍ୱର୍ଗଲାଭର ଯୋଗ୍ୟ ହୋଇଥାନ୍ତି । ତେଣୁ ସ୍ୱର୍ଗଗାମୀ ବୀରମାନଙ୍କ ସମ୍ପର୍କରେ ଶୋକ ନକରି ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଶାସ୍ତ୍ରକାରମାନେ ମନୁଷ୍ୟର ଦେହକୁ ଗୃହ ରୂପରେ ଗ୍ରହଣ କରିଥାନ୍ତି, ସେହି ଗୃହ କାଳକ୍ରମେ ଜୀର୍ଣ୍ଣ ଓ ପ୍ରୟୋଜନଶୂନ୍ୟ ହୋଇପଡ଼ିଲେ, ମନୁଷ୍ୟ ଏକବସ୍ତ୍ର ପରିତ୍ୟାଗ କରି ଅନ୍ୟବସ୍ତ୍ର ଗ୍ରହଣ କଲାପରି ଅବିନାଶୀ ଜୀବାତ୍ମା ସେହି ଦେହରୂପୀ ଜୀର୍ଣ୍ଣଗୃହକୁ ତ୍ୟାଗକରି ଅନ୍ୟ ଦେହକୁ ଆଶ୍ରୟ କରିଥାଏ । ତେଣୁ ଏହି ସ୍ୱାଭାବିକ ସଂସାର ଲୀଳାରେ ବ୍ୟଥିତ ନ ହୋଇ ଧୈର୍ଯ୍ୟ ଧରି ଏହି ଦୁଃଖକୁ ସମ୍ବରଣ କରନ୍ତୁ । ସଂଯତଚିତ୍ତ ସାଧୁବ୍ୟକ୍ତିମାନେ ଆତ୍ମଜ୍ଞାନ ରୂପକ ମହୌଷଧି ପ୍ରୟୋଗ କରି ସାଂସାରିକ ଦୁଃଖ ରୂପକ ମହାବ୍ୟାଧିରୁ ନିଷ୍କୃତି ଲାଭ କରିଥାନ୍ତି ।’

 

ଧୃତରାଷ୍ଟ୍ରଙ୍କୁ ଆଶ୍ୱାସନା ଦେଇ ବ୍ୟାସଦେବ କହିଲେ, ‘ପୁତ୍ର, ତୁମେ ସର୍ବ ଶାସ୍ତ୍ରବିଦ୍‌ଓ ପରମ ଧାର୍ମିକ । ସଂସାରର ଅନିତ୍ୟତା ତୁମକୁ ଅଜଣା ନୁହେଁ ପ୍ରତ୍ୟେକ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ । ତେଣୁ ଶୋକ ପରିଣତି ପରିହାର କର । ବିଦୁର ପ୍ରମୁଖ ସନ୍ଧି ସ୍ଥାପନ କରିବାକୁ ଅତୀତରେ ଚେଷ୍ଟାକରି ବ୍ୟର୍ଥ ହେଲେ, ତା’ର କାରଣ ଯେ ଯେତେ ଚେଷ୍ଟା କଲେ ମଧ୍ୟ ଦୈବ ଅଲଙ୍ଘନୀୟ । ତୁମର ପୁତ୍ର ଦୁର୍ଯ୍ୟୋଧନ ଲୋକକ୍ଷୟ କରିବା ଉଦ୍ଦେଶ୍ୟରେ କଳିର ଅଂଶରେ ଗନ୍ଧାରୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରି ଦୈବର କାର୍ଯ୍ୟକୁ ସମ୍ପାଦନ କରିଅଛି । ଏଥିରେ ପାଣ୍ତବଙ୍କର କୌଣସି ଅପରାଧ ନାହିଁ । କୌରବ ପାଣ୍ତବଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇ କୁଳକ୍ଷୟର କାରଣ ହେବ, ଏକଥା ପୂର୍ବରୁ ଦେବର୍ଷି ନାରଦ ଓ ମୁଁ ପ୍ରକାଶ କରିଥିଲୁ; କିନ୍ତୁ ଯାହା ବିଧି ନିର୍ଦ୍ଦିଷ୍ଟ, ତାକୁ ପରିବର୍ତ୍ତନ କରିବ ବା କିଏ ? ତେଣୁ ଶୋକ ପରିହାର କରି ପାଣ୍ତବମାନଙ୍କ ପ୍ରତି କରୁଣା ପୋଷଣ କର । ତାହାହିଁ ଉଭୟଙ୍କ ପକ୍ଷରେ ମଙ୍ଗଳକର ହେବ ।

 

ବ୍ୟାସଦେବ, ବିଦୁର ଓ ଅଞ୍ଜୟ ପ୍ରମୁଖଙ୍କର ପ୍ରଦତ୍ତ ଆଶ୍ୱାସନାରେ ସୁସ୍ଥ ହୋଇରାଜା ଧୃତରାଷ୍ଟ୍ର ପ୍ରେତକାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ନିଜର ରାଣୀ ଗାନ୍ଧାରୀ ଓ ବିଧବା ପୁତ୍ରବଧୂମାନଙ୍କ ସହ ରାଜପୁରୀରୁ ବହିର୍ଗତ ହୋଇ ଭାଗିରଥୀ ଅଭିମୁଖେ ଯାତ୍ରାକଲେ । ଯୁଧିଷ୍ଠିର ଯେତେବେଳେ ଶୁଣିବାକୁ ପାଇଲେ ଯେ, ବର୍ତ୍ତମାନ ରାଜା ଧୃତରାଷ୍ଟ୍ର ରାଜପୁରୀରୁ ବହିର୍ଗତ ହୋଇଅଛନ୍ତି, ସେ ତତ୍‌କ୍ଷଣାତ୍‌ ଧୃତରାଷ୍ଟ୍ରଙ୍କ ସହ ସାକ୍ଷତ କରିବା ଉଦ୍ଦେଶ୍ୟରେ କୃଷ୍ଣଙ୍କ ସହ ସପରିବାର ଆସି ସେଠାରେ ମିଳିତ ହେଲେ ।

 

ଧୃତରାଷ୍ଟ୍ର ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ପୁତ୍ରଶୋକଜନିତ କ୍ରୋଧ ତାଙ୍କ ମନରୁ ଦୂର ହୋଇ ନଥିଲା । ଯୁଧିଷ୍ଠିର ତାଙ୍କୁ ପ୍ରଣାମ କଲାବେଳେ ସେ ବିଶେଷ ପ୍ରୀତମନରେ ତାହା ଗ୍ରହଣ କରିପାରିଲେ ନାହିଁ । ଯୁଧିଷ୍ଠିରଙ୍କ ପରେ ଭୀମସେନ ତାଙ୍କୁ ପ୍ରଣାମ କଲେ, ଭୀମସେନଙ୍କୁ ଆଲିଙ୍ଗନ କରିବାକୁ ଧୃତରାଷ୍ଟ୍ର ହସ୍ତ ପ୍ରସାରଣ କରିବାରୁ, କ୍ରୋଧାନ୍ୱିତ ଧ୍ରୁତରାଷ୍ଟ୍ରଙ୍କର ଅନ୍ତର୍ଗତ ଭାବ ବୁଝିପାରି ପ୍ରକୃତ ଭୀମସେନଙ୍କ ବଦଳରେ ଦୁର୍ଯ୍ୟୋଧନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଲୌହଭୀମ ମୂର୍ତ୍ତିକୁ କୃଷ୍ଣ ଧୃତରାଷ୍ଟ୍ରଙ୍କ ହସ୍ତରେ ଧରାଇଦେଲେ । ଭୀମସେନଙ୍କ ହସ୍ତରେ ତାଙ୍କର ପୁତ୍ରମାନେ ନିହତ ହୋଇଥିବାରୁ ଧୃତରାଷ୍ଟ୍ର ଭୀମସେନଙ୍କ ପ୍ରତି ବିଶେଷ କ୍ରୋଧାନ୍ୱିତ ହୋଇଥିଲେ । ଲୌହନିର୍ମିତ ମୂର୍ତ୍ତିକୁ ପ୍ରକୃତ ଭୀମସେନ ବୋଲି ଭାବି ମହ ପରାକ୍ରମଶାଳୀ ଧୃତରାଷ୍ଟ୍ର ତାଙ୍କୁ ଆଲିଙ୍ଗନ କରି ଚୂର୍ଣ୍ଣ ବିଚୂର୍ଣ୍ଣ କରି ପକାଇଲେ ଓ ପର ମୁହୂର୍ତ୍ତରେ ଭୀମସେନଙ୍କୁ ସେ ବିନାଶ କରିଛନ୍ତି ଭାବି ତାଙ୍କର କ୍ରୋଧ ଶାନ୍ତହେଲା ସତ, ମାତ୍ର ହା ଭୀମ ହା ଭୀମ, ବୋଲି ପରମୁହୂର୍ତ୍ତରେ କ୍ରନ୍ଦନ କରିବାକୁ ଲାଗିଲେ ।

 

କୃଷ୍ଣ ତାହା ଦେଖି ଧୃତରାଷ୍ଟ୍ରଙ୍କୁ କହିଲେ, ‘ମହାରାଜ, ଆପଣ ଭୀମଙ୍କ ପାଇଁ ଶୋକ କରନ୍ତୁ ନାହିଁ । ସେ ନିରାପଦରେ ଅଛନ୍ତି । ଆପଣ ଏକ ଲୌହ ନିର୍ମିତ ମୂର୍ତ୍ତିକୁ ଚୂର୍ଣ୍ଣ କରିଛନ୍ତି ମାତ୍ର-। ଆପଣଙ୍କୁ ଅତିମାତ୍ରାରେ ଶୋକାର୍ତ୍ତ ଓ କ୍ରୁଦ୍ଧ ଦେଖି ମୁଁ ଭୀମସେନଙ୍କର ଲୌହନିର୍ମିତ ଏକ ପ୍ରତିମୂର୍ତ୍ତିକୁ ପ୍ରକୃତ ଭୀମ ବୋଲି କହି ଆପଣଙ୍କୁ ଅର୍ପଣ କରିଥିଲି । ତେଣୁ ଶୋକ କରନ୍ତୁ ନାହିଁ-। ଭୀମସେନଙ୍କ ହସ୍ତରେ ଆପଣଙ୍କର ପୁତ୍ରମାନେ ବିନାଶପ୍ରାପ୍ତ ହୋଇଛନ୍ତି ବୋଲି ଆପଣ ଭୀମଙ୍କ ପ୍ରତି କ୍ରୋଧପରବଶ ହୋଇଅଛନ୍ତି, ମାତ୍ର ଭୀମସେନଙ୍କର ବା ଅପରାଧ କ’ଣ ? ରାଜସଭାରେ ଦ୍ରୌପଦୀଙ୍କୁ ଲାଞ୍ଛନା କଲାବେଳେ ଭୀମସେନ ଯେଉଁ ପ୍ରତିଜ୍ଞା କରିଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ତାହା ସେ ପାଳନ କରିଛନ୍ତି ମାତ୍ର । ପାଣ୍ତବମାନେ ମହାପରାକ୍ରମଶାଳୀ ବୋଲି ପ୍ରକାଶକରି ପାଣ୍ତବଙ୍କ ସହ ସନ୍ଧି କରିବା ଏକାନ୍ତ ହିତକର ବୋଲି ବାରମ୍ବାର ଆମ୍ଭେମାନେ ଆପଣଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଆପଣ ସେଥିପ୍ରତି କର୍ଣ୍ଣପାତ ନ କରି ଅତ୍ୟନ୍ତ ଚପଳ ସ୍ୱଭାବବିଶିଷ୍ଟ ଓ ଦୁର୍ଯ୍ୟୋଧନର ବଶବର୍ତ୍ତୀ ହୋଇ ନିଜଦୋଷରେ ଦୁର୍ଦ୍ଦଶଗ୍ରସ୍ତ ହୋଇଅଛନ୍ତି । ତେଣୁ ସବୁକଥା ବିବେଚନା କରି ଆପଣ ଶାନ୍ତ ହୁଅନ୍ତୁ ।’

 

ଧୃତରାଷ୍ଟ୍ର କହିଲେ, ‘କୃଷ୍ଣ, ତୁମେ ଯାହା କହିଲ, ତାହା ସତ୍ୟ । ଅତ୍ୟଧିକ ପୁତ୍ରସ୍ନେହ ମୋର ଧୈର୍ଯ୍ୟଚ୍ୟୁତି ଘଟାଇ ଭୀମସେନଙ୍କ ପ୍ରତି ମୋତେ କ୍ରୋଧପରବଶ କରିଥିଲା । ଭାଗ୍ୟକ୍ରମେ ଭୀମସେନ ମୋର କ୍ରୋଧରୁ ରକ୍ଷା ପାଇଅଛନ୍ତି । ମୋର ଏହି ପୁତ୍ରଶୂନ୍ୟ ଜୀବନରେ ପାଣ୍ତବମାନେ ହିଁ ପ୍ରୀତି ଓ ମଙ୍ଗଳବର୍ଦ୍ଧନକାରୀ । ସେମାନଙ୍କୁ ମୁଁ ପରମଆନନ୍ଦରେ ଆଶୀର୍ବାଦ କରୁଅଛି ।’

 

ଏହା କହି ପାଣ୍ତବମାନଙ୍କୁ ଧୃତରାଷ୍ଟ୍ର ଆଲିଙ୍ଗନ କରିଥିଲେ ।

 

ପାଣ୍ତବମାନେ ଗାନ୍ଧାରୀଙ୍କ ନିକଟରେ ଉପସ୍ଥିତ ହେଲେ । ପୁତ୍ରଶୋକାର୍ତ୍ତା ଗାନ୍ଧାରୀ ମଧ୍ୟ ପାଣ୍ତବମାନଙ୍କ ପ୍ରତି କ୍ରୋଧପରବଶ ହୋଇଥିଲେ; ତାଙ୍କୁ ଶାନ୍ତ କରିବା ନିମନ୍ତେ ବ୍ୟାସଦେବ କହିଲେ, ‘ମା, ପାଣ୍ତବମାନଙ୍କ ପ୍ରତି ଶାନ୍ତଭାବ ଅବଲମ୍ବନ କର । ତୁମର ପୁତ୍ର ଦୁର୍ଯ୍ୟୋଧନ ଯେତେଳେବେ ଯୁଦ୍ଧ ସମୟରେ ତୁମ ନିକଟକୁ ଆଶୀର୍ବାଦ ଭିକ୍ଷା କରି ଆସିଥିଲା, ତୁମେ କହିଥିଲ; ‘ଯେଉଁଠାରେ ଧର୍ମ, ସେହିଠାରେ ବିଜୟ ।’ ଆଜି ତୁମର ସେହି ବାକ୍ୟ ସତ୍ୟରେ ପରିଣତ ହୋଇଅଛି ଓ ପୁଣ୍ୟାତ୍ମା ପାଣ୍ତବମାନେ ଯଥାର୍ଥରେ ବିଜୟୀ ହୋଇଅଛନ୍ତି । ତେଣୁ ପାଣ୍ତବଙ୍କ ପ୍ରତି କ୍ଷମା ଅବଲମ୍ବନ କର ।’

 

ଗାନ୍ଧାରୀ କହିଲେ, ‘ଭଗବାନ, ପାଣ୍ତବମାନଙ୍କ ପ୍ରତି ମୋ’ ମନରେ କୌଣସି ଦ୍ୱେଷ ନାହିଁ । ପୁତ୍ରଶୋକ ମୋତେ ବିହ୍ୱଳ କରିଥିଲେ ମଧ୍ୟ ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁଃଶାସନଙ୍କର ଦୁଷ୍ଟବୁଦ୍ଧି ଓ ଅପରାଧ ଫଳରେ କୁରୁକୁଳ ଯେ ଆଜି ଧ୍ୱଂସପ୍ରାପ୍ତ ହୋଇଅଛି, ଏକଥା ମୁଁ ଉତ୍ତମରୂପେ ବୁଝିଅଛି । କିନ୍ତୁ ଭୀମସେନ କୃଷ୍ଣଙ୍କର ସମ୍ମୁଖରେ ଯୁଦ୍ଧର ନିୟମ ଭଙ୍ଗ କରି ଦୁର୍ଯ୍ୟୋଧନର ନାଭିର ନିମ୍ନଦେଶରେ ଗଦାପ୍ରହାର କରି ଯେପରି ଭାବରେ ତା’ର ଉରୁଭଗ୍ନ କଲା, ତାହା ମୋତେ ବିଶେଷଭାବରେ କୋପାନ୍ୱିତ କରିଅଛି ।

 

ଗାନ୍ଧାରୀଙ୍କ କଥା ଶୁଣି ଭୀମସେନ ଅତି ବିନୀତ ଭାବରେ କହିଲେ, ‘ମା, ଧର୍ମ ଅଧର୍ମ ବିଚାର ନ କରି ଆତ୍ମରକ୍ଷା ନିମନ୍ତେ ମୁଁ ଯାହା କରିଅଛି, ସେଥିପାଇଁ ମୋତେ କ୍ଷମା କରନ୍ତୁ । ଅନ୍ୟାୟ ଓ ଅଧର୍ମର ପଥ ଅନୁସରଣ କରି ଦୁର୍ଯ୍ୟୋଧନ ଧର୍ମରାଜ ଯୁଧିଷ୍ଠିରଙ୍କୁ ଦ୍ୟୂତରେ ପରାଜିତ କରିବାଠାରୁ ଆରମ୍ଭ କରି ଏକବସ୍ତ୍ରା ରଜସ୍ୱଳା ଦ୍ରୋପଦୀଙ୍କୁ ଲାଞ୍ଚିତା କରିଥିଲା । ତାକୁ ଯୁଦ୍ଧରେ ପରାଜିତ କରିନଥିଲେ ରାଜ୍ୟଲାଭ ଓ ସେହି ଅନ୍ୟାୟ ଅସମ୍ମାନର ପ୍ରତିଶୋଧ ନେବାର କୌଣସି ସମ୍ଭାବନା ନଥିଲା । ସଭାରେ ବାମଜଙ୍ଘ ପ୍ରଦର୍ଶଦ କରି ଦ୍ରୌପଦୀଙ୍କ ପ୍ରତି ଦୁର୍ଯ୍ୟୋଧନ ଯେପରି ଅସମ୍ମାନ ପ୍ରଦର୍ଶନ କରିଥିଲା, ସେହି ବାମଜଙ୍ଘକୁ ଭଗ୍ନ କରିବା ଓ ଦୁଃଶାସନର ରୂଧିର ପାନ କରିବା ପାଇଁ ମୁଁ ପୂର୍ବେ ଗ୍ରହଣ କରିଥିବା ପ୍ରତିଜ୍ଞାର ପରିପୂର୍ତ୍ତି ନିମନ୍ତେ ଧର୍ମ ଅଧର୍ମ ବିଚାର କରି ନାହିଁ ।’

 

ଗାନ୍ଧାରୀ କହିଲେ, ‘ବାବା, ଏକଶତ ପୁତ୍ରର ଜନନୀ ହୋଇମଧ୍ୟ ଆଜି ଆମେ ପୁତ୍ରମାନଙ୍କ ସହ ରାଜ୍ୟ ହରାଇ ସହାୟଶୂନ୍ୟ ହୋଇଅଛୁଁ । ଏକଶହ ପୁତ୍ରଙ୍କ ମଧ୍ୟରୁ ଅଳ୍ପପାପ କରିଥିବା ଜଣକର ଜୀବନ ରକ୍ଷା କରିଥିଲେ ଆମ୍ଭ ଅନ୍ଧ ଦମ୍ପତିଙ୍କର ପ୍ରଭୁତ ଉପକାର ସାଧିତ ହୋଇଥାନ୍ତା, ବିଶେଷକରି ତୁମ୍ଭେମାନେ ଧର୍ମପଥ ଅବଲମ୍ବନ କରିଥିଲେ ଏପରି ଦୁଃସହ ଅସହାୟ ଅବସ୍ଥାର ସମ୍ମୁଖୀନ ଆମକୁ ହେବାକୁ ପଡ଼ିନଥାନ୍ତା । ଯାହାହେଉ ବର୍ତ୍ତମାନ ଯୁଧିଷ୍ଠିର କାହାନ୍ତି ?’

 

ଯୁଧିଷ୍ଠିର ସେହିଠାରେ ଉପସ୍ଥିତ ଥିଲେ । ସେ କୃତାଞ୍ଜଳିପୁଟରେ ବିନୀତ ଭାବରେ କହିଲେ; ‘ଦେବି ! ଆପଣଙ୍କର ପୁତ୍ରହତ୍ୟା ଓ ରାଜ୍ୟନାଶର ମୁଁ ଏକମାତ୍ର କାରଣ । ମୁଁ ମୂଢ଼ତାପରବଶ ହୋଇ ମିତ୍ରମାନଙ୍କୁ ବିନାଶ କରିଅଛି । ମିତ୍ର ଓ ପରିବାରର୍ବଙ୍କୁ ବିନାଶ କରିବା ପରେ ଏ ରାଜ୍ୟ, ଜୀବନ ଓ ଧନସମ୍ପତ୍ତିରେ ବା ପ୍ରୟୋଜନ କ’ଣ ! ମୁଁ ଶାସ୍ତିଲାଭର ଯୋଗ୍ୟ, ମୋତେ ତେଣୁ ଅଭିଶାପ ଦିଅନ୍ତୁ ।’

 

ଏହା କହି ଯୁଧିଷ୍ଠର ଅତି ବିନୀତ ଭାବରେ ଗାନ୍ଧାରୀଙ୍କ ଚରଣରେ ପ୍ରଣିପାତ କଲା ସମୟରେ, କ୍ରୋଧାନ୍ୱିତା ଗାନ୍ଧାରୀଙ୍କ ଆବୃତ୍ତ ନୟନର ବକ୍ର ଦୃଷ୍ଟି ଯୁଧିଷ୍ଠିରଙ୍କ ପାଦର ଅଙ୍ଗୁଳି ଉପରେ ପଡ଼ିବାରୁ ସଙ୍ଗେ ସଙ୍ଗେ ସେହି ଆଙ୍ଗୁଳିର ନଖ ବିରୂପ ଧାରଣ କଲା ।

 

ଜନନୀ କୁନ୍ତୀଙ୍କ ସହ ପଞ୍ଚ ପାଣ୍ତବ ଓ ପାଣ୍ତବ ପତ୍ନୀ ଦ୍ରୌପଦୀଙ୍କ ସାକ୍ଷାତ ଏକାନ୍ତ ମର୍ମନ୍ତୁଦ ଥିଲା । ବହୁଦିନ ଧରି କୁନ୍ତୀ ସେମାନଙ୍କୁ ଦେଖି ଓ ପୁତ୍ରମାନଙ୍କ ଶରୀରରେ ଯୁଦ୍ଧଜନିତ ବିଭିନ୍ନ କ୍ଷତଚିହ୍ନ ଦେଖି କୁନ୍ତୀ ଏକାବେଳକେ ଭାଙ୍ଗିପଡ଼ିଲେ ଓ ସେମାନଙ୍କୁ ଧରି କ୍ରନ୍ଦନ କରିବାକୁ ଲାଗିଲେ । ପୁତ୍ରଶୂନ୍ୟା ଦ୍ରୌପଦୀଙ୍କୁ ଅତି ଶୋକାର୍ତ୍ତା ଦେଖି କୁନ୍ତୀ ଦ୍ରୌପଦିଙ୍କୁ ଆଶ୍ୱସ୍ତା କଲେ । ଗାନ୍ଧାରୀ କହିଲେ, ‘ମା’ ଦ୍ରୌପଦୀ ! ତୁମେ ଆଉ ଶୋକ କର ନାହିଁ, ତୁମ୍ଭର ପୁତ୍ରମାନଙ୍କ ସହ ଏହି ଅଗଣିତ ଜନକ୍ଷୟ ଶୋକଉଦ୍ରେକକାରୀ ହୋଇଥିଲେ ମଧ୍ୟ ଏହାହିଁ ଦୈବର ଅଲଙ୍ଘନୀୟ ନିର୍ଦ୍ଦେଶ । କୃଷ୍ଣଙ୍କର ଶାନ୍ତି ସ୍ଥାପନର ଉଦ୍ୟମ ବ୍ୟର୍ଥ ହେବାପରେ ବିଦୁର ଯାହା କହିଥିଲେ, ତାହା ଆଜି ସତ୍ୟରେ ପରିଣତ ହୋଇଅଛି । ତୁମେ ଯେପରି ପୁତ୍ରଶୋକରେ କାତର, ମୁଁ ମଧ୍ୟ ଅନୁରୂପ ଦୁଃଖରେ ବ୍ୟଥିତ ହେଉଅଛି । ଆମ୍ଭମାନଙ୍କ ପରି ସନ୍ତାନହରା ଶୋକକାତରା ମାମାନଙ୍କୁ ସାନ୍ତ୍ୱନା କିଏ ବା ଦେଇପାରିବ ? କହିବାକୁ ଗଲେ, ମୋର ଦୋଷଯୋଗୁ ଏହି କୁଳକ୍ଷୟ ଘଟିଅଛି ।’

 

ପୁତ୍ର ଓ ସ୍ୱାମୀହରା କୁରୁକୁଳରମଣୀମାନଙ୍କର ହୃଦୟବିଦାରକ କ୍ରନ୍ଦନ ଧ୍ୱନିରେ ବିଶେଷଭାବରେ ବ୍ୟଥିତ ହୋଇଗାନ୍ଧାରୀ କୃଷ୍ଣଙ୍କୁ କହିଲେ, ‘ଜନାର୍ଦ୍ଦନ, ତୁମେ ଶାସ୍ତ୍ରଜ୍ଞ, ଅପୂର୍ବ ପରାକ୍ରମଶାଳୀ, ବାକ୍ୟବିଶାଦର, ବହୁସୈନ୍ୟର ଅଧିକାରୀ । କୌରବ-ପାଣ୍ତବଙ୍କ ମଧ୍ୟରେ ଶତ୍ରୁତା ଥିଲେ ମଧ୍ୟ ତୁମେ ଚେଷ୍ଟା କରିଥିଲେ କୌରବମାନେ ନିଶ୍ଚୟ ଏହି ବିନାଶରୁ ରକ୍ଷା ପାଇପାରିଥାନ୍ତେ-। ତୁମେ ସେହି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଏ ବିରାଟ ବଂଶ ଆଜି ଏପରି ଦାରୁଣ ଅସହ୍ୟ ଦୁରାବସ୍ଥାର ସମ୍ମୁଖୀନ ହେଲା । ମୋର ଯଦି ସାମାନ୍ୟ ପୁଣ୍ୟବଳ ଥିବ, ସେହି ବଳରେ ମୁଁ ତୁମକୁ ଅଭିଶାପ ଦେଉଅଛି ଯେ, ଆଜି ଯେପରି ଏହି ଭରତବଂଶ ଶୋକଜର୍ଜରିତ ହୋଇଅଛି, ଆଜିଠାରୁ ଛତ୍ରିଶ ବର୍ଷ ପରେ ତୁମର ଜ୍ଞାତିବର୍ଗ ଏହିପରି ଭାବରେ ପରସ୍ପର କଳହ କରି ବିନାଶପ୍ରାପ୍ତ ହେବେ ଓ ପୁତ୍ରହୀନା, ବନ୍ଧୁହୀନା, ସହାୟଶନ୍ୟା ହୋଇତୁମର ଯାଦବ ବଂଶର ରମଣୀମାନେ ଆମପରି ରୋଦନ କରିବେ ।’

 

ଗାନ୍ଧାରୀଙ୍କ କଥା ଶୁଣି କୃଷ୍ଣ ସାମାନ୍ୟ ହସି କହିଲେ, ‘ଦେବି ! ମୋ’ ବ୍ୟତୀତ ଏପରି କେହି ନାହିଁ ଯେ ଆମର ଯଦୁବଂଶକୁ ଧ୍ୱଂସ କରିପାରିବ । ଯାଦବମାନେ ମନୁଷ୍ୟ ଓ ଦେବମାନଙ୍କର ମଧ୍ୟ ବଧ୍ୟ ନୁହନ୍ତି, ସେମାନେ ପରସ୍ପର ମଧ୍ୟରେ କଳହର ବଶବର୍ତ୍ତୀ ହୋଇ ବିନାଶପ୍ରାପ୍ତ ହେବେ ବୋଲି ମୁଁ ପୂର୍ବରୁ ଅବଧାରଣ କରିଅଛି । ତେଣୁ ଆପଣଙ୍କ ଏହି ଅଭିଶାପରେ ମୋର ସେହି ପରିକଳ୍ପନା ହିଁ ପ୍ରକାଶ ଲାଭ କରିଅଛି; ତେଣୁ ସେହିପରି ହିଁ ହେବ ।’

Image

 

ଯୁଧିଷ୍ଠିରଙ୍କର ଅନୁଶୋଚନା

 

କୁରୁକ୍ଷେତ୍ର ଯୁଦ୍ଧରେ କୌରବମାନଙ୍କୁ ସମୂଳେ ବିନାଶ କରି ବିଜୟ ଲାଭ କରିଥିଲେ ମଧ୍ୟ ଯୁଧିଷ୍ଠିର ସେ ବିଜୟରେ ଆନନ୍ଦ ଅନୁଭବ କରିପାରିଲେ ନାହିଁ । କୌରବମାନଙ୍କର ସମୂଳ ବିନାଶ, ଅଭିମନ୍ୟୁ ଓ ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କର ଶୋଚନୀୟ ମୃତ୍ୟୁ, ପାଞ୍ଚାଳଗଣଙ୍କର ବିନାଶ, ଜ୍ଞାତିବନ୍ଧୁଙ୍କର ସଂହାର ଯେ ଯୁଧିଷ୍ଠିରକୁ ଶୋକାଭିଭୂତ କରିଥିଲା, ଏହା କହିବା ବାହୁଲ୍ୟ ମାତ୍ର । ବିଶେଷ କରି କୁନ୍ତୀଙ୍କ ମୁଖରୁ କର୍ଣ୍ଣଙ୍କର ପ୍ରକୃତ ପରିଚୟ ପାଇବା ପରେ ଯୁଧିଷ୍ଠିରଙ୍କର ଦୁଃଖ ଓ ଅନୁଶୋଚନାର ଅନ୍ତ ରହିଲା ନାହିଁ ।

 

ନାରଦଙ୍କୁ ଯୁଧିଷ୍ଠିର କହିଲେ, ‘ଭଗବାନ, ମହାତ୍ମା କୃଷ୍ଣଙ୍କର କରୁଣା, ବ୍ରହ୍ମାଣମାନଙ୍କର ଆଶୀର୍ବାଦ ଓ ଭୀମ ଅର୍ଜ୍ଜୁନଙ୍କର ପରାକ୍ରମ ବଳରେ ଏ ସମଗ୍ର ପୃଥିବୀ ମୁଁ ଜୟ କରିଅଛି ସତ, ମାତ୍ର ଏ ଜୟ, ଜୟ ନୁହେଁ । ଏହି ରାଜ୍ୟ ଲାଭ ପାଇଁ ଏପରି ଜନକ୍ଷୟ ମୋର ଏହି ବିଜୟକୁ ପରାଜୟର ଗ୍ଳାନିରେ ଜର୍ଜରିତ କରିଅଛି । ମହାବୀର କର୍ଣ୍ଣ ଯେ ଆମ୍ଭମାନଙ୍କର ସହୋଦର ଜ୍ୟେଷ୍ଠ ଭ୍ରାତା, ଏକଥା ନ ଜାଣି ଯୁଦ୍ଧରେ ତାଙ୍କୁ ଆମ୍ଭେମାନେ ସଂହାର କରି ଭ୍ରାତୃହତ୍ୟା ଦୋଷରେ ଲିପ୍ତ ହୋଇଅଛୁ । କର୍ଣ୍ଣ ଏକାଧାରରେ ମହାପରାକ୍ରମଶାଳୀ, ଦୟାର୍ଦ୍ରଚିତ୍ତ, ଅଭିମାନୀ, ଦାନୀ ଓ ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ଥିଲେ । ସମର ସମୟରେ ସେହି ମହାବୀରଙ୍କ ରଥର ଚକି ଯେ କିପରି ଭୂମି ମଧ୍ୟରେ ପ୍ରୋଥିତ ହୋଇଗଲା, ତାହା ମୋର ବିଶେଷ କୌତୂହଳ ଉଦ୍ରେକ କରିଅଛି ।’

 

ନାରଦ କହିଲେ, ‘ଧର୍ମରାଜ, ପ୍ରକୃତ ପକ୍ଷେ କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ପରି ବୀର ଏକାନ୍ତ ବିରଳ-। ଯୁଦ୍ଧରେ ମୃତ୍ୟୁବରଣ କଲେ କ୍ଷତ୍ରିୟମାନଙ୍କର ସ୍ୱର୍ଗଲାଭ ହୋଇଥାଏ । ବିଧିର ନିର୍ଦ୍ଦେଶାନୁସାରେ କୁନ୍ତୀଙ୍କର କୁମାରୀ ଅବସ୍ଥାରେ କର୍ଣ୍ଣଙ୍କର ଜନ୍ମ । ଦ୍ରୋଣଙ୍କ ନିକଟରେ କର୍ଣ୍ଣ ଶିକ୍ଷାଲାଭ କରୁଥିବା ସମୟରେ ତୁମର ସୁବୁଦ୍ଧି, ଭୀମସେନ ଓ ଅର୍ଜ୍ଜୁନଙ୍କର ପରାକ୍ରମ, ନକୁଳ ସହଦେବଙ୍କର ବିନୟ, ତାଙ୍କର ଅସହ୍ୟ ଥିଲା ଏବଂ ସେଥିନିମନ୍ତେ କର୍ଣ୍ଣ ତୁମ୍ଭମାନଙ୍କର ବିଦ୍ୱେଷୀ ଦୁର୍ଯ୍ୟୋଧନ ସହ ବନ୍ଧୁତା ସ୍ଥାପନ କରିଥିଲେ । ଧନୁର୍ବିଦ୍ୟାରେ ଅର୍ଜ୍ଜୁନଙ୍କୁ ଅତି ନିପୁଣ ଦେଖି କର୍ଣ୍ଣ ଈର୍ଷାପୋଷଣ କରି ଦ୍ରୋଣାଚାର୍ଯ୍ୟଙ୍କୁ ଦିନେ ନିରୋଳାରେ କହିଲେ; ‘ଗୁରୁଦେବ, ଅର୍ଜ୍ଜୁନଙ୍କ ପରି ମହାରଥୀ ହେବାରୁ ମୁଁ ଅଭିଳାଷ ପୋଷଣ କରିଅଛି । ତେଣୁ ମୋତେ ବ୍ରହ୍ମାସ୍ତ୍ର ସମ୍ପର୍କରେ ଶିକ୍ଷା ପ୍ରଦାନ କରନ୍ତୁ ।’ କିନ୍ତୁ ବ୍ରହ୍ମାସ୍ତ୍ର ଗ୍ରହଣ କରିବା ନିମନ୍ତେ କର୍ଣ୍ଣଙ୍କୁ ଅନୁପଯୁକ୍ତ ବୋଲି ବିଚାର କରି ଦ୍ରୋଣାଚାର୍ଯ୍ୟ ପ୍ରତ୍ୟାଖ୍ୟାନ କରି କହିଲେ; ବ୍ରହ୍ମାସ୍ତ୍ର ସମ୍ପର୍କରେ ଶିକ୍ଷା ସମସ୍ତଙ୍କୁ ଦିଆଯାଏ ନାହିଁ । ଏଥିପାଇଁ ନିତ୍ୟବ୍ରତନିଷ୍ଠ ବ୍ରାହ୍ମଣ ଓ ତପସ୍ତ୍ରୀ କ୍ଷତ୍ରିୟମାନେହିଁ ଉପଯୁକ୍ତ ବ୍ୟକ୍ତି । ବିଫଳମନୋରଥ ହୋଇ କର୍ଣ୍ଣ ପର୍ଶୁରାମଙ୍କ ନିକଟକୁଯାଇ ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦେଇ ପର୍ଶୁରାମଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ପର୍ଶୁରାମ ମଧ୍ୟ କର୍ଣ୍ଣଙ୍କୁ ବିଭିନ୍ନ ଦୁର୍ଲଭ ଅସ୍ତ୍ରଶସ୍ତ୍ର ଓ ବ୍ରାହ୍ମାସ୍ତ୍ର ସମ୍ପର୍କରେ ଶିକ୍ଷା ପ୍ରଦାନ କଲେ । ଧର୍ନୁବିଦ୍ୟା ଶିକ୍ଷାକରୁଥିବା ସମୟରେ କର୍ଣ୍ଣ ଅଜ୍ଞାତରେ ଗୋଟିଏ ବ୍ରହ୍ମାଣ୍ତର କାମଧେନୁକୁ ଶରାଘାତରେ ବିନାଶ କିବାବାରୁ; ବ୍ରାହ୍ମଣ ଅତି କ୍ରୁଦ୍ଧହୋଇକର୍ଣ୍ଣଙ୍କୁ ଅଭିଶାପ ଦେଇ କହିଲେ, ‘ଦୁରାଚାର, ତୋତେ ଏହି ଦୁଷ୍କର୍ମର ଫଳଭୋଗ କରିବାକୁ ହେବ । ତୁ ଯାହାକୁ ବିକ୍ରମରେ ଅତିକ୍ରମ କରିବାକୁ ଚେଷ୍ଟା କରୁଅଛୁ, ତା’ ସହ ଯୁଦ୍ଧ କରୁଥିବା ସମୟରେ ତୋର ରଥର ଚକ୍ରକୁ ପୃଥିବୀ ଗ୍ରାସ କରିବ ଓ ସେହି ଅବସ୍ଥାରେ ଶତ୍ରୁ ହସ୍ତରେ ତୋର ବିନାଶ ଘଟିବ ।’ ବ୍ରାହ୍ମଣର ଏହି ଅଭିଶାପ କର୍ଣ୍ଣଙ୍କୁ ବିଶେଷ ଭାବରେ ବିଷଣ୍ଣ କରିପକାଇଥିଲା । ଆଉ ଦିନେ ପର୍ଶୁରାମ ଉପବାସକ୍ଳିଷ୍ଟ ହୋଇ କର୍ଣ୍ଣଙ୍କ କ୍ରୋଡ଼ିରେ ମସ୍ତକ ସ୍ଥାପନ କରି ନିଦ୍ରାଭିଭୂତ ଥିବା ଅବସ୍ଥାରେ ଗୋଟାଏ ବିକଟ ରୂପଧାରୀ ହିଂସ୍ରକୀଟ କର୍ଣ୍ଣଙ୍କର ଜଙ୍ଘକୁ ଦଂଶନ କରିବାକୁ ଲାଗିଲା । କୀଟର ଦଂଶନ ଫଳରେ କର୍ଣ୍ଣ ଅତ୍ୟଧିକ ପୀଡ଼ାଲାଭ କରୁଥିଲେ ମଧ୍ୟ ହଲଚଲ ହେଲେ କାଳେ ଗୁରୁଦେବଙ୍କର ନିଦ୍ରାରେ ବ୍ୟାଘାତ ହେବ, ସେଥିପାଇଁ କୀଟଟିକୁ ମାରିପାରିଲେ ନାହିଁ କି ଦୂରକୁ ଫିଙ୍ଗିପାରିଲେ ନାହିଁ । ଦଂଶନ ଫଳରେ କର୍ଣ୍ଣଙ୍କର ଜଙ୍ଘରୁ ରକ୍ତସ୍ରାବ ହେବାକୁ ଲାଗିଲା ଓ ସେହି ଅସହ୍ୟ ବେଦନାକୁ କର୍ଣ୍ଣ ସହ୍ୟ କଲେ । କିଛି ସମୟ ପରେ ପର୍ଶୁରାମ ନିଦ୍ରା ତ୍ୟାଗ କରି କର୍ଣ୍ଣଙ୍କର ଶରୀରରୁ ଏପରି ରକ୍ତସ୍ରାବ ହେଉଥିବାର ଦେଖି ଓ କର୍ଣ୍ଣଙ୍କ ମୁଖରୁ ସମସ୍ତ କଥା ଶ୍ରବଣ କରି, କର୍ଣ୍ଣଙ୍କ ପ୍ରତି କୋପାବିଷ୍ଟ ହୋଇକହିଲେ, ‘ମୂଢ଼, କ୍ଷତ୍ରିୟ ବିନା ଏପରି କୀଟର ଦଂଶନ ସହ୍ୟ କରିବାର ସହିଷ୍ଣୁତା କୌଣସି ବ୍ରାହ୍ମଣର ଥାଇପାରେନା-। ମୋର ସନ୍ଦେହ ହେଉଅଛି; ତେଣୁ ତୁମର ଉପଯୁକ୍ତ ପରିଚୟ ପ୍ରଦାନ କର ।’

 

ଗୁରୁଦେବଙ୍କ ପ୍ରଶ୍ନରେ ଭୟଭୀତ ହୋଇ କର୍ଣ୍ଣ କହିଲେ; ‘ଗୁରୁଦେବ, ମୁଁ ସାରଥିର ପୁତ୍ର-। ମୋର ନାମ କର୍ଣ୍ଣ । ଗୁରୁ ପିତୃତୁଲ୍ୟ, ସେଥିପାଇଁ ମୁଁ ଭଗୁବଂଶଜାତ ବୋଲି ମୋର ପରିଚୟ ପ୍ରଦାନ କରିଥିଲି, ମୋତେ କ୍ଷମା କରନ୍ତୁ ।’ ଏହା କହି କୃତାଞ୍ଜଳିପୁଟରେ ପର୍ଶୁରାମଙ୍କର ପଦତଳେ କର୍ଣ୍ଣ ପଡ଼ିଗଲେ ।

 

ପର୍ଶୁରାମ କହିଲେ, ‘ସୂତପୁତ୍ର, ଅସ୍ତ୍ରଲାଭ ଉଦ୍ଦେଶ୍ୟରେ ମୋ’ ନିକଟରେ ମିଥ୍ୟା ପରିଚୟ ପ୍ରଦାନ କରିଥିବା ଅପରାଧ ଫଳରେ ତୁମର ବିନାଶ ସମୟରେ ଏହି ବ୍ରହ୍ମାସ୍ତ୍ର ଆଦି ତୁମର ସ୍ମରଣକୁ ଆସିବ ନାହିଁ ।’

 

ନାରଦ ନିଜ କଥାର ଉପସଂହାର କରି କହିଲେ; ‘ଧର୍ମରାଜ, ଆପଣଙ୍କର ଜ୍ୟେଷ୍ଠଭ୍ରାତା କର୍ଣ୍ଣ ବ୍ରାହ୍ମଣ ଓ ପର୍ଶୁରାମଙ୍କ ଦ୍ୱାରା ଏହିପରି ଭାବରେ ଅଭିଶାପଗ୍ରସ୍ତ ହୋଇ ମହାପରାକ୍ରମଶାଳୀ ଓ ଦିବ୍ୟାସ୍ମବେତ୍ତା ହୋଇ ମଧ୍ୟ ଯୁଦ୍ଧରେ ନିହତ ହୋଇଅଛନ୍ତି । ତେଣୁ ତାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ ।’

 

ଯୁଧିଷ୍ଠିରଙ୍କୁ ଯେତେ ଆଶ୍ୱାସନା ଦେଲେ ମଧ୍ୟ ତାଙ୍କର ବ୍ୟଥାତୁର ଚିତ୍ତ ଶାନ୍ତ ହେଲା ନାହିଁ । ସେ ଘନ ଘନ ଦୀର୍ଘନିଃଶ୍ୱାସ ତ୍ୟାଗକରି ବିଳାପ କରିବାକୁ ଲାଗିଲେ ।

 

ଯୁଧିଷ୍ଠିର କହିଲେ, ‘ଅର୍ଜ୍ଜୁନ, କୌରବମାନେ ଆମ୍ଭମାନଙ୍କର ନିଜର ଲୋକ; ସେମାନଙ୍କୁ ବିନାଶ କରି ଆମ୍ଭେମାନେ ନିଜକୁ ହିଁ ବିନାଶ କରିଅଛୁ । ତେଣୁ ଆତ୍ମଘାତୀ ହୋଇ ଆମ୍ଭେମାନେ ଯେପରି ଦୁର୍ଦ୍ଦଶାଗ୍ରସ୍ତ ହୋଇଅଛୁ, ତାହା ଅସହ୍ୟ । ଚାଲ, କୃଷ୍ଣଙ୍କର ଆବାସସ୍ଥଳୀ ଦ୍ୱାରକାକୁ ଯାଇ ସେଠାରେ ଭିକ୍ଷାବୃତ୍ତି ଅବଲମ୍ବନ କରି କାଳଯାପନ କରିବା । ନିଜର ଜ୍ଞାତି ଓ ବନ୍ଧୁମାନଙ୍କୁ ବିନାଶ କଲାପରେ ଏ ରାଜ ସିଂହାସନ କେବେହେଲେ ଆମକୁ ଶାନ୍ତି ଦେଇପାରିବ ନାହିଁ । ଦିନେ ରାଜପଦ ଲାଭ ଆମ୍ଭମାନଙ୍କର ପ୍ରାର୍ଥନୀୟ ଥିଲା, ମାତ୍ର ବର୍ତ୍ତମାନ ଅବସ୍ଥାରେ ରାଜ୍ୟ କରିବାହିଁ ହିତକର । ବନ୍ଧୁବାନ୍ଧବଙ୍କର ବିନାଶଜନିତ ଶୂନ୍ୟତାକୁ ଏ ସମାଗରାଧରାର ସମସ୍ତ ଧନସମ୍ପତ୍ତି ଏକତ୍ର ହେଲେ ମଧ୍ୟ ପୂରଣ କରିପାରିବ ନାହିଁ । ସେ କ୍ଷତି ଅପୂରଣୀୟ । ବ୍ରହ୍ମଚର୍ଯ୍ୟ, ତପସ୍ୟା, ସତ୍ୟ ଓ କ୍ଷମା ଆଦି ସଦ୍‌ଗୁଣ ଅବଲମ୍ବନ କରି ପିତାମାନେ ସୁପୁତ୍ର ଲାଭ କରିବାକୁ କାମନା କରିଥାନ୍ତି । ଉପବାସ, ବ୍ରତ ଆଦି ବିବିଧ ମଙ୍ଗଳାନୁଷ୍ଠାନ ପୂର୍ବକ ମାତାମାନେ ଦଶମାସ ପର୍ଯ୍ୟନ୍ତ ଗର୍ଭଧାରଣ କରି ଅଭିଳାଷ କରିଥାନ୍ତି ଯେ, ତାଙ୍କର ଗର୍ଭସ୍ଥ ପୁତ୍ରମାନେ ନିରାପଦରେ ଭୂମିଷ୍ଠ ହୋଇ ଦୀର୍ଘଜୀବୀ ହୁଅନ୍ତୁ ଓ ଜଗତରେ ସମ୍ମାନିତ ଓ ସମାଦୃତ ହୋଇ ପରମସୁଖୀ ହୁଅନ୍ତା । ହାୟ, ଆମ୍ଭମାନଙ୍କର ଏହି ମହାଯୁଦ୍ଧରେ ବହୁ ଲୋକଙ୍କର ବିନାଶ ହେବା ଫଳରେ ମାତୃଜାତିର ସେହି ସ୍ୱାଭାବିକ ଅଭିଳାଷ ଆଜି ନିଷ୍ଫଳ ହୋଇଅଛି । ବହୁ ଯୁବକ ପାର୍ଥିବ ସୁଖ ସମ୍ଭୋଗ କରିବା ପର୍ବରୁ ପିତୃଋଣ ଓ ଦେବଋଣରୁ ନିଜକୁ ମୁକ୍ତ କରିବା ପୂର୍ବରୁ, ଏପରି ପିତାମାତାଙ୍କର ବିଭିନ୍ନ ଉଚ୍ଚ ଅଭିଳାଷକୁ ପୂର୍ଣ୍ଣ କରିବା ପୂର୍ବରୁ ଆମ୍ଭମାନଙ୍କ ଯୋଗୁ ଅକାଳମୃତ୍ୟୁ ବରଣ କରିଅଛନ୍ତି । ଆମ୍ଭେମାନେ ହିଁ ଏହି ଅଭୂତପୂର୍ବ ଜନକ୍ଷୟର କାରଣ । ରାଜ୍ୟ ନିମନ୍ତେ ଆସକ୍ତି ଆଜି ମୋତେ ମହାପାପଭାଗୀ କରିଅଛି-। ରାଜ୍ୟ ପରିତ୍ୟାଗ କରି ବର୍ତ୍ତମାନ ବନବାସୀ ହୋଇ ଏହି ପାପରୁ ମୁକ୍ତ ହେବାକୁ ଯତ୍ନ କରିବି-

 

ଅର୍ଜ୍ଜୁନ କହିଲେ, ‘ମହାରାଜ, ଯୁଦ୍ଧଭୂମିରେ ଅଲୌକିକ ବିକ୍ରମ ପ୍ରକାଶ କରି ଏହି ବିଶାଳ ପୃଥିବୀର ଅଧିକାରୀ ହେବାପରେ ବର୍ତ୍ତମାନ ରାଜ୍ୟ ପରିତ୍ୟାଗ କରିବାକୁ ଇଚ୍ଛା କରିବା ଯେ କେବଳ କ୍ଳୀବତ୍ୱର ପରିଚାୟକ ତାହା ନୁହେଁ, ନିର୍ବୋଧତାର ମଧ୍ୟ ନିଦର୍ଶନ । ଏପରି ଯଦି ଆପଣଙ୍କର ଇଚ୍ଛା ଥିଲା, ତେବେ ଅକାରଣରେ ଏତେ ଜନକ୍ଷୟ କଲେ ବା କାହିଁକି ? ଯେଉଁମାନଙ୍କର ପାରିବାରିକ ଦାୟିତ୍ୱ ନାହିଁ, ସେମାନେ ଅର୍ଥାଗମ ପ୍ରତି ସଚେଷ୍ଟ ନ ହୋଇ ଭିକ୍ଷାବୃତ୍ତି ଅବଲମ୍ବନ କରିପାରନ୍ତି, ମାତ୍ର ଆପଣ ଭିକ୍ଷାବୃତ୍ତି ଅବଲମ୍ବନ କଲେ ଲୋକମାନେ ଆପଣଙ୍କୁ କେବେ ପ୍ରଶଂସା କରିବେ ନାହିଁ । ଧର୍ମାନୁରାଗୀ ଯୋଗୀଋଷିମାନେ ଅର୍ଥ-ଉପାର୍ଜନ ଓ ଅର୍ଥ-ସଂରକ୍ଷଣ ପ୍ରତି ବୀତଶ୍ରଦ୍ଧ ହୋଇପାରନ୍ତି; ମାତ୍ର ରାଜାର ତାହା କରଣୀୟ ନୁହେଁ । ଧନସମ୍ପତ୍ତିହିଁ ବଂଶଗୌରବ, ସୁଖଶାନ୍ତି, ଧର୍ମ ଓ ସ୍ୱର୍ଗଲାଭର କାରଣ; ସେଥିପାଇଁ ଦାରିଦ୍ର୍ୟକୁ ଅତି ନିନ୍ଦନୀୟ ଅବସ୍ଥା ଭାବରେ ପ୍ରତିପାଦିତ କରାଯାଇଅଛି । ଧନ ସମ୍ପର୍ତ୍ତି ଅର୍ଜନ କରିବାକୁ ହେଲେ ଅନ୍ୟଙ୍କୁ କିଛି ନା କିଛି ପୀଡ଼ିତ କରିବାକୁ ପଡ଼ିଥାଏ । ତେଣୁ ରାଜ୍ୟଲାଭ ପାଇଁ ଜନକ୍ଷୟ ଆଦି ଦୁଃଖ ଯେ ଦେବାକୁ ପଡ଼ିଛି, ତାହା ଅପରିହାର୍ଯ୍ୟ ଓ ସ୍ୱାଭାବିକ । ପିତାର ଧନରେ ଯେପରି ପୁତ୍ର ଅଧିକାରୀ ହୁଏ, ସେହିପରି ଅନ୍ୟକୁ ପରାଜିତ କରି ରାଜ୍ୟ ଜୟ କରିବା ରାଜାର କର୍ତ୍ତବ୍ୟ । ଏହି ନୀତିକ୍ରମରେ ଏହି ପୃଥିବୀ ପ୍ରଥମେ ରାଜା ଦିଲ୍ଲୀପ, ନହୁଷ, ଅମ୍ବରୀଷ, ମାନ୍ଧାତା ପ୍ରମୁଖଙ୍କ ଦ୍ୱାରା ଶାସିତ ହୋଇ ବର୍ତ୍ତମାନ ଆପଣଙ୍କ ଭୋଗ ନିମନ୍ତେ ପ୍ରଶସ୍ତ ହୋଇଅଛି । ରାଜାମାନଙ୍କର ପୁଣ୍ୟରେ ପ୍ରଜାମାନେ ପବିତ୍ର ହୋଇଥାନ୍ତି, ତେଣୁ ପୂର୍ବସୂରୀମାନଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ରାଜ୍ୟଶାସନରେ ମନୋନିବେଶ କରନ୍ତୁ-ତାହାହିଁ ଧର୍ମସମ୍ମତ ।

 

ଯୁଧିଷ୍ଠିର କହିଲେ, ‘ବୈରାଗ୍ୟ ହିଁ ମନୁଷ୍ୟକୁ ଶାଶ୍ୱତ ଶାନ୍ତି ଦେଇଥାଏ । ଏହି ଜନ୍ମ, ମୃତ୍ୟୁ, ଜରା, ବ୍ୟାଧିକ୍ଳିଷ୍ଟ ଅନିତ୍ୟ ସଂସାରରେ ବିଷୟବାସନାପରତନ୍ତ୍ର ହୋଇ ମୁଁ ଘୋର ପାପାନୁଷ୍ଠାନ କରିଅଛି । ତେଣୁ ବୈରାଗ୍ୟ ଅବଲମ୍ବନ ମୋର ଏକମାତ୍ର କର୍ତ୍ତବ୍ୟ ।’

 

ଭୀମସେନ କହିଲେ, ‘ମହାରାଜ, ଆପଣଙ୍କ କଥାରୁ ଆପଣଙ୍କର ବୁଦ୍ଧି ଲୋପ ପାଇଥିବାର ସୂଚନା ମିଳୁଛି । ଯଦି ରାଜପଦ ଗ୍ରହଣ କରିବାକୁ ଆପଣଙ୍କର ଇଚ୍ଛା ନଥିଲା, ତେବେ କୌରବପକ୍ଷଙ୍କୁ ଅକାରଣରେ ବିନାଶ କଲେ ଅବା କାହିଁକି ? ଜରା, ବିପଦଗ୍ରସ୍ତ କିମ୍ୱା ଯୁଦ୍ଧରେ ପରାଜିତ ହୋଇଥିବା ଦୁର୍ବଳ ବ୍ୟକ୍ତିମାନଙ୍କର ବୈରାଗ୍ୟ ଅବଲମ୍ବନୀୟ ହୋଇପାରେ, ମାତ୍ର କ୍ଷତ୍ରିୟର ନୁହେଁ । ହିଂସା ଓ ପୌରୁଷ ପ୍ରଣୋଦିତ କାର୍ଯ୍ୟ ପାଇଁ କ୍ଷତ୍ରିୟର ଜୀବନ ଉଦ୍ଦିଷ୍ଟ । ନିଜର କୁଳୋଚିତ କର୍ମ ଅନୁଷ୍ଠାନ ନକରି ତ୍ୟାଗ ଓ ବନବାସ ଆଚରଣ କଲେ ଯଦି ସିଦ୍ଧିଲାଭ ହେଉଥାନ୍ତା, ତାହାହେଲେ ଅରଣ୍ୟର ପର୍ବତ ଓ ବୃକ୍ଷସମୂହ ବହୁକାଳରୁ ସିଦ୍ଧିଲାଭ କରିସାରନ୍ତେଣି । ତେଣୁ ରାଜ୍ୟ ଓ ରାଜପଦ ଗ୍ରହଣର ଦାୟିତ୍ୱ ସମ୍ପର୍କିତ କର୍ତ୍ତବ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ ।

 

ନକୁଳ ସହଦେବ ପ୍ରମୁଖ ମଧ୍ୟ ଯୁଧିଷ୍ଠିରଙ୍କର ଶୋକଶାନ୍ତି ନିମନ୍ତେ ବିଭିନ୍ନ ପରାମର୍ଶ ଦେଇ ବନବାସରୁ କ୍ଷାନ୍ତ ହେବାକୁ ଅନୁରୋଧ ଜଣାଇଲେ ।

 

ପରିଶେଷରେ ଦ୍ରୌପଦୀ କହିଲେ-‘ସ୍ୱାମି ! ଚିରଦୁଃଖଭୋଗୀ ଭାଇମାନଙ୍କର ଆନନ୍ଦବର୍ଦ୍ଧନ କରିବା ଆପଣଙ୍କର ପ୍ରଧାନ କର୍ତ୍ତବ୍ୟ । ଦ୍ୱୈତବନରେ ବନବାସ କରୁଥିବା ସମୟରେ ଏହି ଭାଇମାନଙ୍କୁ ଆପଣ କହିଥିଲେ, ଦୁର୍ଯ୍ୟୋଧନ ଓ ତା’ର ପକ୍ଷ ସମର୍ଥନକାରୀମାନଙ୍କୁ ସଂହାର କରି ଏହି ସସାଗରା ପୃଥିବୀ ଉପଭୋଗ କରି ବର୍ତ୍ତମାନର ଏହି ବନବାସକାଳୀନ ଦୁଃଖକୁ ଭୁଲିଯିବା ।’ କିନ୍ତୁ ଆଜି କିପରି ରାଜ୍ୟତ୍ୟାଗ କରିବାକୁ ସଙ୍କଳ୍ପ କରୁଛନ୍ତି ? ରାଜାମାନଙ୍କର ପ୍ରଧାନ କର୍ତ୍ତବ୍ୟ ହେଲା ଦୁଷ୍ଟଲୋକମାନଙ୍କୁ ଦମନ କରିବା, ସାଧୁମାନଙ୍କୁ ରକ୍ଷା କରିବା ଓ ଯୁଦ୍ଧ ପ୍ରତି ଆଗ୍ରହୀ ହେବା । ଆପଣ ମଧ୍ୟ ଶତ୍ରୁମାନଙ୍କୁ ସଂହାର କରି ଏହି ପୃଥିବୀକୁ ଜୟ କରି ଅଛନ୍ତି । ତେଣୁ ମହାପରାକ୍ରମଶାଳୀ ଭାଇମାନଙ୍କୁ ଚାହିଁ ଆନନ୍ଦମନରେ ଏ ପୃଥିବୀ ଉପଭୋଗ କରନ୍ତୁ । ଆପଣମାନେ ପ୍ରତ୍ୟେକ ଶତ୍ରୁଦମନକାରୀ ଓ ଦେବତୁଲ୍ୟ; ଆପଣଙ୍କ ମଧ୍ୟରୁ ଜଣକୁ ସ୍ୱାମୀଭାବରେ ଲାଭ କରିବା ମୋ’ ପରି ଯେକୌଣସି ସ୍ୱୀ ପକ୍ଷରେ ସୌଭାଗ୍ୟର ବିଷୟ, ମାତ୍ର ବିଧିର ନିର୍ଦ୍ଦେଶାନୁସାରେ ଏକ ସମୟରେ ଆପଣମାନଙ୍କୁ ସ୍ୱାମୀ ରୂପରେ ଲାଭ କରିଥିବାରୁ, ମୁଁ ଜଣକୁ ହେଲେ ତ୍ୟାଗକରି ରହିପାରିବି ନାହିଁ-କାରଣ ଶରୀରର ପଞ୍ଚଇନ୍ଦ୍ରିୟ ସଦୃଶ ଆପଣମାନେ ମୋର ଜୀବନର ପଞ୍ଚ ଅଭିବ୍ୟକ୍ତି । ମା କୁନ୍ତୀ କହିଥିଲେ, ‘ପାଞ୍ଚାଳି ! ଯୁଧିଷ୍ଠିର ବହୁ ବୀରଙ୍କୁ ସଂହାର କରି ତୁମକୁ ପରମ ସୁଖରେ ରଖିବେ ।’ ଆଜି ଆପଣ ଯଦି ଏପରି ମୋହଗ୍ରସ୍ତ ହୋଇ ରାଜ୍ୟ ପରିତ୍ୟାଗ କରନ୍ତି, ତେବେ ପୁତ୍ରହରା ଏହି ଭାଗ୍ୟହୀନା ରମଣୀର ଜୀବନରେ ମା’ କୁନ୍ତୀଙ୍କର ସେହି ଭବିଷ୍ୟତବାଣୀ ନିଷ୍ଫଳ ହେବ ।’

 

ସେହି ସ୍ଥାନରେ ମହର୍ଷି ଦେବସ୍ଥାନ ଉପସ୍ଥିତ ଥିଲେ । ସେ କହିଲେ, ‘ଧର୍ମରାଜ, ତୁମେ ଧର୍ମପଥ ଅନୁସରଣ କରି ପୃଥିବୀକୁ ଲାଭ କରିଅଛି, ତାହା ପରିତ୍ୟାଗ କରିବା ଅନୁଚିତ । ମନୁଷ୍ୟଙ୍କ ନିମନ୍ତେ ଯେଉଁ ଚାରିଗୋଟି ଆଶ୍ରମର ନିର୍ଦ୍ଦେଶ ରହିଅଛି, ତାହା ତୁମର ସମୟାନୁସାରେ ପାଳନୀୟ । ତେଣୁ ବର୍ତ୍ତମାନ ଯଜ୍ଞାନୁଷ୍ଠାନ କରି ଶୋକଶୂନ୍ୟ ଓ ପୂଣ୍ୟଭାଗୀ ହୁଅ । ରାଜନୀତିରେ ପ୍ରବୀଣ କ୍ଷତ୍ରିୟମାନେ ଜିତେନ୍ଦ୍ରିୟ ହୋଇ ଦୁଷ୍ଟମାନଙ୍କୁ ଦମନ, ସାଧୁମାନଙ୍କୁ ସମ୍ମାନିତ ଓ ଧର୍ମାନୁସାରେ ପ୍ରଜାପାଳନ ଓ ରାଜ୍ୟଶାସନ କରନ୍ତି । ବୃଦ୍ଧାବସ୍ଥାରେ ପୁତ୍ର ହସ୍ତରେ ରାଜ୍ୟଭାର ଅର୍ପଣ କରି ବାନପ୍ରସ୍ଥ ଅବଲମ୍ବନ ନକରି ବନର ଫଳମୂଳରେ ଜୀବିକା ନିର୍ବାହ କରନ୍ତି ଏବଂ ତଦ୍ଦ୍ୱାରା ସେମାନେ ଇହଲୋକ ଓ ପରଲୋକରେ ସମ୍ମାନିତ ହୋଇଥାନ୍ତି । ତେଣୁ ଆପଣ କ୍ଷତ୍ରିୟମାନଙ୍କର ସେହି ଉତ୍ତମ ପଥ ଅନୁସରଣ କରନ୍ତୁ ।’

 

ବ୍ୟାସଦେବ କହିଲେ, ‘ଧର୍ମରାଜ, ଗୃହସ୍ଥାଶ୍ରମରେ ପରମ ଧର୍ମଲାଭ ହୋଇଥାଏ, ତେଣୁ ଗୃହସ୍ଥାଶ୍ରମ ତ୍ୟାଗ କରି ଅରଣ୍ୟଚାରୀ ହେବା ଉଚିତ ନୁହେଁ । କାରଣ ଦେବତାମାନେ, ପିତୃଗଣ ଓ ଅତିଥିମାନେ ଗୃହସ୍ଥକୁ ହିଁ ଆଶ୍ରୟ କରି ତୃପ୍ତିଲାଭ କରିଥାନ୍ତି । ଗୃହୀମାନେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଓ ଗାର୍ହସ୍ଥ୍ୟ ଧର୍ମ ରକ୍ଷା କରିବା ମଧ୍ୟ ଅତି କଷ୍ଟକର । ତୁମର ବେଦଜ୍ଞାନ ଓ ତପସ୍ୟା ଆଦି ସାଧିତ ହୋଇଅଛି, ତେଣୁ ପୈତୃକ ରାଜ୍ୟର ଦାୟିତ୍ୱ ଗ୍ରହଣ କରିବା ତୁମ ପକ୍ଷରେ ପରମ କର୍ତ୍ତବ୍ୟ-। ପ୍ରଜାପାଳନ ଓ ଦଣ୍ତବିଧାନ କ୍ଷତ୍ରିୟର ପ୍ରଧାନ କର୍ତ୍ତବ୍ୟ; ସନ୍ନ୍ୟାସୀବ୍ରତ ଧାରଣ କରିବା ତା’ର ଉଚିତ ନୁହେଁ । ଅରଣ୍ୟବାସ ସମୟରେ ତୁମର ଭାଇମାନେ ରାଜ୍ୟଭୋଗ ସମ୍ପର୍କରେ ଯେପରି ଅଭିଳାଷ ପୋଷଣ କରୁଥିଲେ, ବର୍ତ୍ତମାନ ତାହା ସଫଳ କର । ଯଯାତିଙ୍କ ପରି ପୃଥିବୀ ପାଳନ କର । ତୁମେ ଭାଇମାନଙ୍କ ସହ ଧର୍ମ, ଅର୍ଥ ଓ କାମର ପର୍ଯ୍ୟାଲୋଚନା କରି ସର୍ବମେଧ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କର । ସବୁ ସମୟରେ ଲୋକମାନଙ୍କୁ ସୁଖ ଦୁଃଖ, ଲାଭ କ୍ଷତି, ବିପଦ ସମ୍ପଦ ଓ ଜନ୍ମମୃତ୍ୟୁ ଲାଗି ରହିଛି ଏବଂ ପରର ଦୁଃଖ ଦର୍ଶନରେ ଦୁଃଖୀ ହେଉଥିବା ବ୍ୟକ୍ତି କେବେ ସୁଖି ହୋଇପାରେ ନାହିଁ । ତେଣୁ ପାର୍ଥିବ ସୁଖଦୁଃଖରେ ଆନନ୍ଦିତ ବା ଦୁଃଖିତ ନ ହେବା ହିଁ ଉଚିତ-। ସେଥିପ୍ରତି ମନୋନିବେଶ ନ କରି ସ୍ୱଧର୍ମର ଅନୁବର୍ତ୍ତୀ ଲୋକ ରାଜ୍ୟଶାସନ ପ୍ରତି ଦୃଷ୍ଟି ପ୍ରଦାନ କର-। ଯୁଦ୍ଧରେ ଯେଉଁମାନେ ନିହତ ହୋଇଅଛନ୍ତି, ସେମାନଙ୍କ ପାଇଁ ଶୋକ କରନାହିଁ କିମ୍ବା ସେଥିପାଇଁ ନିଜକୁ ଦୋଷୀ ମନେକର ନାହିଁ । କାରଣ ତୁମ୍ଭେମାନେ ସେମାନଙ୍କୁ ନିହତ କରିନାହିଁ, କାଳ ହିଁ ସେମାନଙ୍କୁ ବିନାଶ କରିଅଛି । ଦୈବପ୍ରଭାବରେ ଜୀବ ବିନାଶପ୍ରାପ୍ତ ହୋଇଥାଏ-। ତେଣୁ ଅନୁଶୋଚନା ପରିତ୍ୟାଗ କର । ଧର୍ମ ସମ୍ପର୍କିତ ସମସ୍ତ ବିଷୟ ଅବଗତ ହେବାକୁ ଇଚ୍ଛା କରୁଥାଅ, ତେବେ କୁରୁକୁଳର ପିତାମହ ବୃଦ୍ଧ ଭୀଷ୍ମଙ୍କ ନିକଟକୁ ଯାଇ ସେସବୁ ଶ୍ରବଣ କର-। ସେ ସର୍ବଜ୍ଞ, ଧର୍ମବେତ୍ତା । ବୃହସ୍ପତି ପ୍ରମୁଥ ଦେବର୍ଷିମାନଙ୍କୁ ସେବାକରି ଧର୍ମନୀତି ଓ ରାଜନୀତି ଆଦି ଶିକ୍ଷା କରିଅଛନ୍ତି । ସେ ତୁମର ସମସ୍ତ ସନ୍ଦେହ ଦୂର କରିବାକୁ ସମର୍ଥ ହେବେ ।’

 

ବ୍ୟାସଦେବ, ପାଣ୍ତବଭ୍ରାତା ଓ ଦ୍ରୌପଦୀଙ୍କ କଥାକୁ ଅନୁମୋଦନ କରି ଯୁଧିଷ୍ଠିରଙ୍କୁ କୃଷ୍ଣ କହିଲେ, ‘ମହାରାଜ, ମହର୍ଷି ବ୍ୟାସଦେବ ଯାହା କହିଲେ, ଆପଣ ତଦନୁସାରେ କାର୍ଯ୍ୟ କରନ୍ତୁ । ବ୍ରାହ୍ମଣମାନେ, ଯୁଦ୍ଧରୁ ରକ୍ଷା ପାଇଥିବା କ୍ଷତ୍ରିୟମାନେ, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଓ ଦ୍ରୌପଦୀ ପ୍ରମୁଖ ସମସ୍ତେ ଆପଣଙ୍କର ଅଧୀନ । ତେଣୁ ସମସ୍ତଙ୍କର ଅଭିଳାଷ ପୂର୍ଣ୍ଣକରି ରାଜ୍ୟର ଦାୟିତ୍ୱ ଗ୍ରହଣ କରନ୍ତୁ ।’’

 

ବାସଦେବ ପ୍ରମୁଖଙ୍କର ବାକ୍ୟରେ ଯୁଧିଷ୍ଠିର ଆଶ୍ୱସ୍ତ ହୋଇରାଜ୍ୟର ଦାୟିତ୍ୱ ବହନ କରିବା ଉଦ୍ଦେଶ୍ୟରେ ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କ ସହିତ ରାଜଧାନୀ ଅଭିମୁଖେ ଯାତ୍ରା କଲେ ଓ ଯଥା ସମୟରେ ରାଜପଦରେ ଅଭିଷିକ୍ତ ହେଲେ । ପରେ ସମରପ୍ରାଙ୍ଗଣରେ ଶରଶଯ୍ୟାରେ ଶାୟିତ ପିତାମହ ଭୀଷ୍ମଙ୍କ ନିକଟକୁ ଯାଇ ଯୁଧିଷ୍ଠିର ରାଜନୀତି ଓ ଧର୍ମ ସମ୍ପର୍କରେ ବିଭିନ୍ନ ଉପଦେଶମାନ ଗ୍ରହଣ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେବାରୁ ମାଘମାସ ଶୁକ୍ଳପକ୍ଷରେ ଭୀଷ୍ମ ପ୍ରାଣତ୍ୟାଗ କରିଥିଲେ । ପ୍ରାଣତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ପାଣ୍ତବମାନଙ୍କୁ ସମ୍ବୋଧନ କରି ଭୀଷ୍ମ କହିଲେ, ‘‘ହେ ବତ୍ସଗଣ, ଦୀର୍ଘ ଅଠାବନ ଦିନ ଧରି ମୁଁ ଏହି ଶରଶଯ୍ୟାରେ ଶୟନ କରି ରହିଥିଲି, ଆଜି ମୋର ସୌଭାଗ୍ୟକୁ ପବିତ୍ର ମାଘମାସ ଶୁକ୍ଳପକ୍ଷ ଉପସ୍ଥିତ ହୋଇଅଛି-। ମୁଁ ବର୍ତ୍ତମାନ ପ୍ରାଣତ୍ୟାଗ କରିବାକୁ ଇଚ୍ଛା କରୁଅଛି । ତେଣୁ ମୋତେ ତୁମ୍ଭେମାନେ ବିଦାୟ ଦିଅ-। ସତ୍ୟ ହିଁ ପରମ ବଳ; ତେଣୁ ତୁମ୍ଭମାନଙ୍କ ମନ ଯେପରି କେବେ ଧର୍ମ ଓ ସତ୍ୟପଥରୁ ବିଚ୍ୟୁତ ନ ହୁଏ ।’’

Image

 

Unknown

ଅଶ୍ୱମେଧ ଯଜ୍ଞ

 

ରାଜସିଂହାସନ ଆରୋହଣ କଲାପରେ ଧର୍ମରାଜ ଯୁଧିଷ୍ଠିର ବ୍ୟାସଦେବ ଓ କୃଷ୍ଣଙ୍କର ପରାମର୍ଶ ଅନୁସାରେ ଏକ ବିରାଟ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ଏକ ସୁବିସ୍ତୃତ କ୍ଷେତ୍ରରେ ବିଶୁଦ୍ଧ ସ୍ୱର୍ଣ୍ଣଧାତୁରେ ଯଜ୍ଞସ୍ଥାନ ନିର୍ମିତ ହେଲା । ଯଜ୍ଞଭୂମିର ନିକଟରେ ଦେଶଦେଶାନ୍ତରରୁ ଆଗତ ନରପତି, ଅତିଥି, ବ୍ରାହ୍ମଣ, ଅନ୍ତପୁରଚାରିଣୀ ରମଣୀ ପ୍ରମୁଖଙ୍କ ଅବସ୍ଥାନ ଓ ସମ୍ୱର୍ଦ୍ଧନା ନିମନ୍ତେ ସ୍ୱର୍ଣ୍ଣ, ରତ୍ନ, ମଣି ଆଦିରେ ଅଗଣିତ ପ୍ରାସାଦ ଓ ତୋରଣମାନ ସୁଦକ୍ଷ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହେଲା । ଅଶ୍ୱମେଧଯଜ୍ଞର ବାର୍ତ୍ତା ଓ ନିମନ୍ତ୍ରଣ ପ୍ରଚାରିତ ହେବାମାତ୍ରେ ବିଭିନ୍ନ ଦେଶରୁ ନରପତି, ବୀର, ବେଦଜ୍ଞ ବ୍ରାହ୍ମଣ, ମୁନିଋଷି ଓ ଅନ୍ୟାନ୍ୟମାନେ ଯଜ୍ଞ ସ୍ଥାନକୁ ଆସିବାକୁ ଲାଗିଲେ । ସମାଗତ ଅତିଥିମାନଙ୍କୁ ଧର୍ମରାଜ ଯୁଧିଷ୍ଠିର ଅତି ବିନୟ ସହକାରେ ସ୍ୱାଗତ ଅଭ୍ୟର୍ଥନା ଜଣାଉଥିଲେ । ଅତିଥିମାନଙ୍କର ଖାଦ୍ୟ ପେୟର ଏପରି ବ୍ୟବସ୍ଥା କରାଯାଇଥିଲା ଯେ ଅନ୍ନର ପର୍ବତ ଓ ଘୃତ ଦଧିର ନଦୀମାନ ସୃଷ୍ଟି ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁବର୍ଣ୍ଣମାଲ୍ୟଧାରୀ ଓ ମଣିକୁଣ୍ତଳମଣ୍ତିତ ପରିବେକ୍ଷଣକାରୀମାନେ ଅତିଥିମାନଙ୍କୁ ସତ୍କାର କରୁଥିଲେ । ଏକଲକ୍ଷ ବ୍ରାହ୍ମଣଙ୍କର ଭୋଜନ ପରେ ଥରେ ମାତ୍ର ଦୁନ୍ଦୁଭିବାଦନ ହେବାର ବ୍ୟବସ୍ଥା ଥିଲା; କିନ୍ତୁ ଏତେ ସଂଖ୍ୟକ ବ୍ରାହ୍ମଣ ଭୋଜନ ଗ୍ରହଣ କରୁଥିଲେ ଯେ ଏକଲକ୍ଷ ବ୍ରାହ୍ମଣଙ୍କ ଭୋଜନ ସମାପ୍ତିସୂଚକ ଦୂନ୍ଦୁଭିଧ୍ୱନି ଦିବସର ପ୍ରତିମୁହୂର୍ତ୍ତରେ ଶୁଣାଯାଉଥିଲା ।’’

 

ବ୍ୟାସଦେବଙ୍କ ନିର୍ଦ୍ଦେଶରେ ଶୁଭମୁହୂର୍ତ୍ତରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଗଲା । ଯଜ୍ଞର ବିଭିନ୍ନ ପାରମ୍ପରିକ ଓ ଶସ୍ତ୍ରୀୟ କାର୍ଯ୍ୟ ସମାପନ ପରେ ଯଜ୍ଞଅଶ୍ୱକୁ ଯଜ୍ଞରେ ଆହୁତି ପ୍ରଦାନ କରାଗଲା ଓ ଯଜ୍ଞଅଶ୍ୱର ଦଗ୍ଧୀଭୂତ ମାଂସର ପବିତ୍ର ଧୂମ ଆଘ୍ରାଣ କରି ଦ୍ରୌପଦୀଙ୍କ ସହ ପାଣ୍ତବମାନେ ସର୍ବପାପରୁ ମୁକ୍ତ ହେଲେ । ଯଜ୍ଞର ପୂର୍ଣ୍ଣାହୂତି ପରେ ଧର୍ମରାଜ ଯୁଧିଷ୍ଠିର ଋତ୍ୱିକ ଓ ବ୍ରାହ୍ମଣମାନଙ୍କୁ ଅଜସ୍ର ସ୍ୱର୍ଣ୍ଣମୁଦ୍ରା ଦକ୍ଷିଣା ସ୍ୱରୂପ ପ୍ରଦାନ କରି ସନ୍ତୁଷ୍ଟ କଲେ । ଯଜ୍ଞର କାର୍ଯ୍ୟ ମହା ଆଡ଼ମ୍ବର ସହକାରେ ଶେଷ ହେବା ପରେ ନିମନ୍ତ୍ରିତ ଭୂପତିମାନେ ଯୁଧିଷ୍ଠିରଙ୍କ ଠାରୁ ଅସଂଖ୍ୟ ହସ୍ତୀ, ଅଶ୍ଵ, ରତ୍ନ ଅଳଙ୍କାର ବସ୍ତ୍ର ଓ ରମଣୀୟା ସ୍ତ୍ରୀ ଇତ୍ୟାଦି ଉପତୌକନ ଭାବରେ ଗ୍ରହଣ କରି ବିଦାୟ ନେଲେ ।

 

ଏହି ଅଶ୍ୱମେଧ ଯଜ୍ଞର ପରିସମାପ୍ତି ପରେ ଏକ ଅଭୂତ ଘଟଣା ଘଟିଲା । ଯେଉଁ ଯଜ୍ଞସ୍ଥଳରେ ସବୁ ଜାତି, ସବୁଶ୍ରେଣୀ ଓ ଅବସ୍ଥାର ଲୋକ ପରମ ସନ୍ତୋଷ ଲାଭକରି ଯୁଧିଷ୍ଠିରଙ୍କର ପୁଣ୍ୟ ଓ ବଦାନ୍ୟତା’ର ଉଚ୍ଛ୍ୱସିତ ପ୍ରଶଂସା ଗାନ କରିଥିଲେ ସେହି ସ୍ଥାନରେ ଏକ ନେଉଳ ଆସି ଉପସ୍ଥିତ ହେଲା । ଏହି ନେଉଳଟିର ଶରୀରର ଏକପାର୍ଶ୍ୱ ସୁବର୍ଣ୍ଣମୟ ଥିଲା । ଯଜ୍ଞସ୍ଥଳରେ ପ୍ରବେଶକରି ନେଉଳଟି କହିଲା, ‘ହେ ରାଜାମାନେ, କୁରୁକ୍ଷେତ୍ରରେ ବାସ କରୁଥିବା ଏକ ଦରିଦ୍ର ବ୍ରହ୍ମଣ ପ୍ରଦତ୍ତ ଏକମୁଠା ଛତୁ ତୁଳନାରେ ଆପଣଙ୍କର ଏହି ମହାଆଡ଼ମ୍ବରପୂର୍ଣ୍ଣ ଅଶ୍ୱମେଧ ଯଜ୍ଞ ଅତି ତୁଚ୍ଛ ।’

 

ନେଉଳଟିର ଏପରି କଥା ଶୁଣି ବ୍ରାହ୍ମଣମାନେ ଅତି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ପଚାରିଲେ, ‘ହେ ନେଉଳ, ! ତୁମେ କିଏ ଏବଂ ଏହି ଯଜ୍ଞର ଏପରି ନିନ୍ଦା କରୁଅଛ କାହିଁକି ? ଶାସ୍ତ୍ର ଓ ନିୟମାନୁସାରେ ଯଥାବିଧି ଏହି ଯଜ୍ଞକାର୍ଯ୍ୟ ସମ୍ପନ୍ନ କରାଯାଇଅଛି । ଯଥାବିଧି ମର୍ଯ୍ୟାଦା ସହକାରେ ପୂଜ୍ୟମାନଙ୍କର ଅର୍ଚ୍ଚନା କରାଯାଇଅଛି । ଦାନଦି ପ୍ରଦାନ କରି ମହାରାଜ ଯୁଧିଷ୍ଠିର ସମସ୍ତଙ୍କୁ ସନ୍ତୁଷ୍ଟ କରିଅଛନ୍ତି । ଏପରିସ୍ଥଳେ, ତୁମେ ଏ ଯଜ୍ଞର ନିନ୍ଦା କରୁଛି କାହିଁକି ?’

 

ବ୍ରାହ୍ମଣମାନଙ୍କର କଥା ଶୁଣି ନେଉଳଟି କହିଲା,‘ହେ ବିପ୍ରଗଣ, ମୁଁ ମିଥ୍ୟା କଥା କହୁନାହିଁ । କୁରୁକ୍ଷେତ୍ରରେ ବାସ କରୁଥିବା ଯେଉଁ ଦରିଦ୍ର ବ୍ରାହ୍ମଣଙ୍କ ବିଷୟ ମୁଁ କହୁଅଛି, ଦୟାକରି ଶୁଣନ୍ତୁ ।’

 

‘କୁରୁକ୍ଷେତ୍ରରେ ଏକ ଦରିଦ୍ର ବ୍ରାହ୍ମଣ ବାସ କରୁଥିଲେ । ତାଙ୍କ ସହ ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂ ମଧ୍ୟ ଥିଲେ । ବ୍ରାହ୍ମଣ ଜଣକ ଏପରି ଦରିଦ୍ର ଥିଲେ ଯେ, କୃଷକମାନେ କ୍ଷେତରୁ ଧାନ କାଟି ନେବା ପରେ କ୍ଷେତ ମଧ୍ୟରେ ଯେଉଁ ଗୋଟାଏ ଦୁଇଟା ଶସ୍ୟ ପଡ଼ିଥାଏ, ତାକୁହିଁ ପାରା ପରି ଗୋଟିଏ ଗୋଟିଏ ସଂଗ୍ରହ କରି ତହିଁରେ ବ୍ରାହ୍ମଣ ଓ ତାଙ୍କ ପରିବାର ଜୀବିକା ନିର୍ବାହ କରନ୍ତି ଓ ଅଧିକାଂଶ ଦିନ ସେଥିପାଇଁ ସେମାନଙ୍କୁ ଉପବାସରେ ସମୟ କଟାଇବାକୁ ପଡ଼େ । ଏହିପରି ଭାବରେ ବ୍ରାହ୍ମଣ ପରିବାର କାଳାତିପାତ କରୁଥୁବା ସମୟରେ ଦେଶରେ ଦୁର୍ଭିକ୍ଷ ଉପସ୍ଥିତ ହେଲା । ଫଳରେ କୌଣସିଠାରେ ଶସ୍ୟସଂଗ୍ରହ କରିନପାରିବା ଯୋଗୁ ବ୍ରାହ୍ମଣ ଓ ତାଙ୍କ ପରିବାରକୁ ଦିନ ପରେ ଦିନ ଉପବାସରେ ଅତିକଷ୍ଟରେ ସମୟ କଟାଇବାକୁ ପଡ଼ୁଥାଏ । ଏହିପରି ଏକାଦିକ୍ରମେ ବହୁଦିନ ଧରି ଉପବାସ ରହିବାପରେ ବ୍ରାହ୍ମଣ ବହୁକଷ୍ଟରେ କୌଣସି କ୍ଷେତରୁ ମୁଠାଏ ଯଅ ସଂଗ୍ରହ କରି ଆଣି ତହିଁରେ ଛତୁ ପ୍ରସ୍ତୁତ କଲେ ଏବଂ ଛତୁ ପ୍ରସ୍ତୁତ ହେବାପରେ ତାହାକୁ ଚାରିଭାଗ କରି ଅନାହାରକ୍ଳିଷ୍ଟ ବ୍ରାହ୍ମଣ ପରିବାରବର୍ଗ ଭୋଜନ କରିବାକୁ ବସିଛନ୍ତି, ଏହି ସମୟରେ ଜଣେ କ୍ଷୁଧାର୍ତ୍ତ ବ୍ରାହ୍ମଣ ସେଠାରେ ଅତିଥି ଭାବରେ ଉପସ୍ଥିତ ହେଲେ । ଦ୍ୱାରଦେଶରେ ଅତିଥିଙ୍କୁ ଦେଖି ବ୍ରାହ୍ମଣ ପରିବାର ତତ୍‌କ୍ଷଣାତ୍ ଭୋଜନ ସ୍ଥାନକୁ ତ୍ୟାଗକରି ପରମ ଆନନ୍ଦ ଓ ସମ୍ମାନର ସହିତ ଅତିଥିଙ୍କୁ କୁଟୀର ମଧ୍ୟକୁ ସ୍ଵାଗତ କରିନେଲେ । ପାଦ୍ୟ, ଅର୍ଘ୍ୟ, ଆସନ ଆଦି ପ୍ରଦାନ କରି ଅତିଥିଙ୍କୁ ଅତି ବିନୀତଭାବରେ ଦରିଦ୍ର ବ୍ରାହ୍ମଣ ଜଣକ କହିଲେ, ‘ଭଗବାନ, ନିୟମ ଅନୁସାରେ ମୁଁ ଶସ୍ୟ ଲାଭକରି ଅତି ପବିତ୍ର ଭାବରେ ଏହି ଭୋଜ୍ୟ ପ୍ରସ୍ତୁତ କରିଅଛି । ଦୟାପୂର୍ବକ ଆପଣ ତାହା ଗ୍ରହଣ କରନ୍ତୁ ।’ ଏହା କହି ବ୍ରାହ୍ମଣ ନିଜ ଅଂଶର ଛତୁକୁ ଅତିଥିଙ୍କୁ ପ୍ରଦାନ କଲେ । ଛତୁର ପରିମାଣ ଏତେ ଅଳ୍ପ ଯେ, ଅତିଥି ତାହା ଭକ୍ଷଣକଲେ ମଧ୍ୟ ତୃପ୍ତ ହୋଇପାରିଲେ ନାହିଁ । ତାହାଦେଖି ବ୍ରାହ୍ମଣଙ୍କ ପତ୍ନୀ ନିଜ ପତିଙ୍କୁ କହିଲେ, ‘ପ୍ରଭୁ, ମୋର ଆହାର ନିମନ୍ତେ ଥିବା ଏହି ଛତୁକୁ ମଧ୍ୟ ଅତିଥିଙ୍କୁ ଦିଅନ୍ତୁ, ସେ ତାହା ଭୋଜନ କଲେ ସନ୍ତୁଷ୍ଟ ହେବେ ।’

 

ବ୍ରାହ୍ମଣ କହିଲେ, ‘ପ୍ରିୟେ, ଧର୍ମ, ଅର୍ଥ, କାମ, ସନ୍ତାନପାଳନ ଶୁଶ୍ରୂଷା ଆଦି କାର୍ଯ୍ୟରେ ପତ୍ନୀର ଅଧିକାର ଏବଂ ତା’ର ଦୟା ଉପରେହିଁ ପୁରୁଷ ଓ ପରିବାରର ବ୍ୟକ୍ତିଙ୍କର ଶରୀର ରକ୍ଷିତ ହୋଇଥାଏ । ତେଣୁ ମନୁଷ୍ୟଙ୍କ କଥା ଦୂରେଥାଉ କୀଟପତଙ୍ଗଙ୍କର ମଧ୍ୟ ପତ୍ନୀର ଭରଣପୋଷଣ ପ୍ରତି ଯତ୍ନଶୀଳ ହେବା କର୍ତ୍ତବ୍ୟ, ନଚେତ୍ ନରକର ଦୁଃଖ ଭୋଗ କରିବାକୁ ପଡ଼ିଥାଏ । ଏସବୁ ଜାଣୁଜାଣୁ ମୁଁ କିପର ତୁମର ଆହାରକୁ ଅତିଥିକୁ ପ୍ରଦାନ କରିବି ?’

 

ବ୍ରାହ୍ମଣଙ୍କ ପତ୍ନୀ କହିଲେ, ‘‘ସ୍ଵାମି ! ସ୍ୱାମୀହିଁ ପତ୍ନୀର ପରମଦେବତା ଏବଂ ସ୍ୱାମୀର ସୁଖରେ ହିଁ ସ୍ତ୍ରୀର ସୁଖ । ଆପଣ ବୃଦ୍ଧ ଏବଂ କ୍ଷୁଧାର୍ତ୍ତ ହୋଇ ମଧ୍ୟ ଆନନ୍ଦମନରେ ଆପଣ ଯେତେବେଳେ ନିଜର ଆହାରକୁ ଅତିଥିଙ୍କୁ ପ୍ରଦାନକଲେ, ସେତେବେଳେ ଏ ଅଧୀନାର ଆହାରକୁ ଅତିଥିଙ୍କୁ ପ୍ରଦାନ କରିବାରେ ଆଉ ବାଧା କ’ଣ ?’

 

ପରିଶେଷରେ ବ୍ରାହ୍ମଣ ପତ୍ନୀଙ୍କ ଯୁକ୍ତି ଗ୍ରହଣକରି ଆନନ୍ଦମନରେ ଅତିଥିଙ୍କୁ ପତ୍ନୀଙ୍କ ଅଂଶର ଛତୁକୁ ପ୍ରଦାନ କଲେ । ଅତିଥି ମଧ୍ୟ ତାହା ଗ୍ରହଣ କରିଥିଲେ କିନ୍ତୁ କ୍ଷୁଧା ତୁଳନାରେ ଆହାର ପର୍ଯ୍ୟାପ୍ତ ନ ହେବାରୁ, ଅତିଥିଙ୍କ କ୍ଷୁଧା ଶାନ୍ତ ହେଲାନାହିଁ ।

 

ଅତିଥିଙ୍କୁ ଅତୃପ୍ତ ଥିବାର ଲକ୍ଷ୍ୟ କରି ବ୍ରାହ୍ମଣଙ୍କ ପୁତ୍ର କହିଲେ,’’ବାପା, ମୋର ଏ ଆହାରକୁ ମଧ୍ୟ ଅତିଥିଙ୍କୁ ପ୍ରଦାନ କରନ୍ତୁ । ଅତିଥି ଅତୃପ୍ତ ଥିବାରୁ ଆପଣଙ୍କ ମନରେ ମଧ୍ୟ ସୁଖ ନାହିଁ । ପିତାଙ୍କୁ ଆନନ୍ଦିତ କରିବା ହିଁ ପୁତ୍ରର କର୍ତ୍ତବ୍ୟ, ତେଣୁ ମୋର ଏହି ଆହାରକୁ ଗ୍ରହଣ କଲେ ଅତିଥିଙ୍କର କ୍ଷୁଧା ଶାନ୍ତ ହେବ ଏବଂ ଆପଣ ମଧ୍ୟ ପ୍ରୀତ ହେବେ ।’’

 

ପୁତ୍ରର କଥା ଶୁଣି ବ୍ରାହ୍ମଣ କହିଲେ, ‘‘ବାବା, ପୁତ୍ରର ବୟସ ଯେତେ ହେଉନା କାହିଁକି ପିତା ନିକଟରେ ପୁତ୍ର ସବୁବେଳେ ପିଲା । ପିଲାଙ୍କର କ୍ଷୁଧା ଅତି ପ୍ରବଳ । ମୁଁ ବୃଦ୍ଧ, ତେଣୁ ଅନାହାରର କଷ୍ଟକୁ ସହ୍ୟ କରିପାରିବି, ମାତ୍ର ତମେ ତ ପାରିବ ନାହିଁ । ତେଣୁ ଏ ଆହାରକୁ ଅତିଥିଙ୍କୁ ପ୍ରଦାନ ନକରି ତୁମେ ଭୋଜନ କର ।’’

 

କିନ୍ତୁ ପିତାଙ୍କ କଥାରେ ପୁତ୍ର ସମ୍ମତ ନହେବାରୁ, ବ୍ରାହ୍ମଣ ପରିଶେଷରେ ଅକୁଣ୍ଠିତ ଚିତ୍ତରେ ପୁତ୍ରର ଆହାରରୁ ଅତିଥିଙ୍କୁ ପ୍ରଦାନ କଲେ । କିନ୍ତୁ ତାହା ଗ୍ରହଣ କରି ମଧ୍ୟ ଅତିଥିଙ୍କର ତୃପ୍ତି ସାଧନ ନ ହେବାରୁ ବ୍ରାହ୍ମଣ ଅତି ଲଜ୍ଜିତ ହେଲେ ।

 

ଅତିଥିବତ୍ସଳ ଶ୍ୱଶୁରଙ୍କର ମନର ଅବସ୍ଥା ଲକ୍ଷ୍ୟକରି ପୁତ୍ରବଧୂ କହିଲେ, ‘‘ଭଗବାନ, ମୋର ଏହି ଆହାରକୁ ମଧ୍ୟ ଅତିଥିଙ୍କୁ ପ୍ରଦାନ କରି ତାଙ୍କୁ ସନ୍ତୁଷ୍ଟ କରାନ୍ତୁ । ଅତିଥି ସନ୍ତୁଷ୍ଟ ହେଲେ ଆପଣ ଓ ଆପଣଙ୍କ ପୁତ୍ର ପ୍ରୀତ ହେବେ ଏବଂ ଆପଣମାନେ ପ୍ରୀତ ହେଲେ ମୁଁ ଉପଯୁକ୍ତ ସନ୍ତାନର ଜନନୀ ହୋଇପାରିବି । କାରଣ ଅତିଥି, ସ୍ଵାମୀ ଓ ଗୁରୁଜନମାନଙ୍କର ସନ୍ତୋଷ ବିଧାନ ହିଁ ମୋ ପକ୍ଷରେ ଆଶୀର୍ବାଦ ।

 

ବୃଦ୍ଧ ବ୍ରାହ୍ମଣ କହିଲେ, ‘‘ମା, ରୌଦ୍ରତାପ ଓ କ୍ଷୁଧାରେ ତୁମେ କ୍ଷୀଣାଙ୍ଗୀ ହୋଇ ପଡ଼ିଛ । ତୁମେ ବ୍ରତଚାରିଣୀ ଥିବାରୁ ଦିବସର ଅପରାହ୍ନରେ ଯାହା ଭୋଜନ କରିଥାଅ । ତେଣୁ ତୁମଠାରୁ ଆହାର ନେଇ ଅତିଥିଙ୍କୁ ପ୍ରଦାନ କରିବା ମୋ ପକ୍ଷରେ ଧର୍ମୋଚିତ ହେବ ନାହିଁ, କିମ୍ୱା ତୁମେ ଅନାହାରକ୍ଳିଷ୍ଟା ହୋଇ କାଳଯାପନ କରୁଅଛ, ତାହା ମୁଁ ସହ୍ୟ କରିପାରିବି ନାହିଁ ।

 

ପୁତ୍ରବଧୂ ତଥାପି କହିଲେ, ‘ଭଗବାନ, ସ୍ୱାମୀ ହିଁ ପତ୍ନୀର ଗୁରୁ । ତେଣୁ ଆପଣ ମୋର ଗୁରୁଙ୍କର ଗୁରୁ, ଦେବତାଙ୍କର ପୂଜ୍ୟ । ଗୁରୁଙ୍କର ସେବାଫଳରେ ଶରୀର, ପ୍ରାଣ ଓ ଧର୍ମ ସମସ୍ତ ରକ୍ଷିତ ହୋଇଥାଏ । ତେଣୁ ମୋତେ ଏ ସେବାର ସୌଭାଗ୍ୟରୁ ବଞ୍ଚିତ କରନ୍ତୁ ନାହଁ ।

 

ପରିଶେଷରେ ତାହା ହିଁ ହେଲା । ପୁତ୍ରବଧୂର ଆହାରକୁ ପ୍ରୀତ ମନରେ ବ୍ରାହ୍ମଣ ଅତିଥିଙ୍କୁ ପ୍ରଦାନ କଲେ ଅତିଥି ତାହା ଗ୍ରହଣ କରି ସନ୍ତୋଷ ଲାଭ କଲେ ।

 

ବ୍ରାହ୍ମଣ ଓ ତାଙ୍କ ପରିବାରବର୍ଗଙ୍କ ଅଲୋକସାମାନ୍ୟ ତ୍ୟାଗ ଓ ଅତିଥିସତ୍କାର ଲକ୍ଷ୍ୟକରି ଅତିଥି ବ୍ରାହ୍ମଣ କହିଲେ, ‘‘ହେ ଧାର୍ମିକଶ୍ରେଷ୍ଠ, ମୁଁ ତୁମର ଏହି ଧର୍ମୋଚିତ ଉପାୟରେ ସଂଗୃହୀତ ଆହାର ଗ୍ରହଣ କରି ପରମ ସନ୍ତୋଷ ଲାଭ କରିଅଛି । ତୁମର ଏହି ଅପୂର୍ବ ଶ୍ରଦ୍ଧା ଓ ତ୍ୟାଗରେ ଦେବତା, ଋଷି ଗନ୍ଧର୍ବମାନେ ପ୍ରୀତ ହୋଇ ତୁମର ପ୍ରଶଂସା ଗାନ କରୁ ଅଛନ୍ତି । ଦେଖ, ଆକାଶ ମଣ୍ଡଳରୁ ପୁଷ୍ପ ମଧ୍ୟ ବୃଷ୍ଟି ହେଉଅଛି । କ୍ଷୁଧା ମନୁଷ୍ୟର ସକଳ ଜ୍ଞାନ ଓ ଧୈର୍ଯ୍ୟ ଲୋପ କରିଥାଏ; ତେଣୁ କ୍ଷୁଧାକୁ ଜୟ କରିବାର ଅର୍ଥ ସ୍ଵର୍ଗକୁ ଜୟ କରିବା । ଧର୍ମାନୁସାରେ ପାର୍ଥିବବସ୍ତୁ ଆଦି ସଂଗ୍ରହ ଓ ଉପାର୍ଜନ କରି ତାହାକୁ ସତ୍‌ପାତ୍ରରେ ଦାନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ । ଦାନର ଫଳ ଅତି ମହତ୍‌, ଏପରି କି ଜିତେନ୍ଦ୍ରିୟ ବ୍ରାହ୍ମଣମାନେ ଯଥାଶକ୍ତି ଦାନ କରି ସ୍ଵର୍ଗଲାଭ ନିମନ୍ତେ ଯୋଗ୍ୟ ହୋଇଥାନ୍ତି । ତୁମେ ନିଜକୁ ଓ ନିଜ ପରିବାରବର୍ଗକୁ ଅସହ୍ୟ ଅନାହାରକ୍ଳିଷ୍ଟ କରି ସ୍ୱଚ୍ଛମନରେ ଏହି ଆହାର ପ୍ରଦାନ କରି ଯେଉଁ ପୁଣ୍ୟ ଅର୍ଜନ କରିଅଛ, ତାହ ରାଜସ୍ୱୟ ଅଶ୍ୱମେଧ ଆଦି ଯଜ୍ଞକାରୀ ସମ୍ରାଟମାନଙ୍କୁ ମଧ୍ୟ ମିଳି ନଥାଏ । ଏ ଦାନ ଫଳରେ ତୁମେ ବ୍ରହ୍ମଲୋକ ଜୟ କରିଅଛ । ତୁମର ସ୍ୱର୍ଗଗମନ ପାଇଁ ବର୍ତ୍ତମାନ ଦିବ୍ୟଯାନ ସମାଗତ । ତହିଁରେ ସପରିବାର ଆରୋହଣ କରି ବ୍ରହ୍ମଲୋକକୁ ଯାତ୍ରା କର । ମୁଁ ସାମାନ୍ୟ ବ୍ରାହ୍ମଣ ନୁହେଁ, ମୁଁ ନିଜେ ସ୍ଵୟଂ ଧର୍ମ, ତୁମକୁ ପରୀକ୍ଷା କରିବା ନିମନ୍ତେ ବ୍ରାହ୍ମଣ ବେଶ ଧାରଣ କରିଥିଲି ।

 

ଏହାପରେ ପରେ ବ୍ରାହ୍ମଣ ପରବାର ଦିବ୍ୟଯାନରେ ଆରୋହଣ କରି ସ୍ଵର୍ଗଲୋକକୁ ଚାଲିଗଲେ । ବ୍ରାହ୍ମଣରୂପୀ ଧର୍ମ ମଧ୍ୟ ଅଦୃଶ୍ୟ ହୋଇଗଲେ । ମୁଁ ସେହି ବ୍ରାହ୍ମଣଙ୍କ ଗୃହରେ ବାସ କରୁଥଲି । ସେମାନେ ଚାଲିଯିବା ପରେ ଅତିଥିଙ୍କ ଭୋଜନ ସ୍ଥାନକୁ ଅତି ପବିତ୍ର ପୀଠ ମନେ କରି ମୁଁ ତହିଁରେ ଗଡ଼ିବାକୁ ଲାଗିଲି । ସେହି ଦରିଦ୍ର ବ୍ରାହ୍ମଣଙ୍କର ଅପୂର୍ବ ତପସ୍ୟା, ଭୋଗ ଅବଶିଷ୍ଟ ଆହାରର ଗନ୍ଧ ଓ ଆକାଶରୁ ନିପତିତ ଦିବ୍ୟ କୁସୁମର ସୌରଭ ଫଳରେ ମୋର ଶରୀରର ଅର୍ଦ୍ଧାଂଶ ସଙ୍ଗେ ସଙ୍ଗେ ମୁଁ ସୁବର୍ଣ୍ଣମୟ ହୋଇଗଲା । ମୁଁ ସେହି ଦିନଠାରୁ ମୋର ଅଙ୍ଗର ଅପର ଅର୍ଦ୍ଧେକ ଅଂଶକୁ ସୁବର୍ଣ୍ଣମୟ କରିବା ନିମନ୍ତେ ବିଭିନ୍ନ ତପୋବନ, ଯଜ୍ଞ ସ୍ଥାନ ଅଦି ପୁଣ୍ୟ ସ୍ଥାନରେ ବିଚରଣ କରୁଅଛି; କିନ୍ତୁ ମୋର ଅଭିଳାଷ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା ନାହିଁ । କୁରୁ ସମ୍ରାଟ ମହାରାଜ ଧର୍ମପ୍ରାଣ ଯୁଧିଷ୍ଠିରଙ୍କର ଏହି ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ ହେଉଥିବା ବିଷୟ ଶୁଣିବାକୁ ପାଇ ମୁଁ ବଡ଼ ଆଶାରେ ଆସିଥିଲି, କନ୍ତୁ ଏଠାରେ ମଧ୍ୟ ମୁଁ ନିରାଶ ହୋଇଅଛି । ଦରିଦ୍ର ବ୍ରାହ୍ମଣର କଷ୍ଟଅର୍ଜିତ ସାମାନ୍ୟ ଆହାର ସାମଗ୍ରୀର ଦାନ ତୁଳନାରେ ଏହି ମହାଆଡ଼ମ୍ବରପୂର୍ଣ୍ଣ ଅଶ୍ୱମେଧ ଯଜ୍ଞ କଛି ନୁହେଁ ।’

 

ଏହା କହି ନେଉଳଟି ଚାଲିଗଲା ।

 

ସର୍ପ ଯଜ୍ଞ ଅନୁଷ୍ଠିତ ହେଉଥିବା ସମୟରେ ସ୍ୱର୍ଗୀୟ ମହାରାଜ ପରୀକ୍ଷିତଙ୍କ ପୁତ୍ର ମହାରାଜ ଜନ୍ମେଜୟ ବ୍ୟାସଦେବଙ୍କ ଶିଷ୍ୟ ମହର୍ଷି ବୈଶମ୍ପାୟନଙ୍କଠାରୁ ମହାଭାରତ କଥା ଶ୍ରବଣ କରୁଥିଲେ । ମହାରାଜଙ୍କ କୌତୂହଳ ଦମନ ନିମନ୍ତେ ବୈଶମ୍ପାୟନ କହିଲେ, ‘ପୂର୍ବେ ଧର୍ମ ଜମଦଗ୍ନିଙ୍କ ଶାପରେ ନେଉଳ ରୂପ ଧାରଣ କରିଥିଲେ ଏବଂ ଧର୍ମ ଓ ଧର୍ମାନୁଷ୍ଠାନର ନିନ୍ଦା କଲେ ଶାପଗ୍ରସ୍ତ ନେଉଳ ଜୀବନର ମୁକ୍ତି ମିଳିବ ବୋଲି ଅଭିଶାପର ନିର୍ଦ୍ଦେଶ ଥିବାରୁ ଏହି ନେଉଳରୂପୀ ଧର୍ମ ବିଭିନ୍ନ ତୀର୍ଥ ଓ ଯଜ୍ଞ ସ୍ଥାନମାନଙ୍କରେ ବିଚରଣ କରି ଧର୍ମାନୁଷ୍ଠାନର ନିନ୍ଦାଗାନ କରୁଥିଲେ । ସେଥିପାଇଁ ଧର୍ମରାଜ ଯୁଧିଷ୍ଠିରଙ୍କ ଯଜ୍ଞ ସ୍ଥାନରେ ଉପନୀତ ହୋଇ ଏପରି ନିନ୍ଦାଗାନ କଲେ । ମହାରାଜ ଯୁଧିଷ୍ଠିର ସାକ୍ଷାତ ଧର୍ମସ୍ଵରୁପ ଥିଲେ, ତେଣୁ ଯୁଧିଷ୍ଠିରଙ୍କ ଯଜ୍ଞର ନିନ୍ଦା କରିବା ଫଳରେ ତତ୍‌କ୍ଷଣାତ୍ ଅଭିଶାପରୁ ସେ ନେଉଳ ମୁକ୍ତ ହୋଇଥିଲେ ।’

Image

 

ଧୃତରାଷ୍ଟ୍ର ପ୍ରମୁଖଙ୍କର ଅରଣ୍ୟବାସ

 

ଧର୍ମରାଜ ଯୁଧିଷ୍ଠିର ନିଜର ଭାଇମାନଙ୍କ ସହ ଛତିଶ ବର୍ଷ କାଳ ରାଜ୍ୟ ଶାସନ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧର ଛତିଶ ବର୍ଷ ପରେ କୃଷ୍ଣ ଓ ବଳରାମଙ୍କ ସହିତ ସମସ୍ତ ଯଦୁବଂଶ ଧ୍ୱଂସ ହେବାରୁ, ଯୁଧିଷ୍ଠିର କୃଷ୍ଣବିୟୋଗରେ ଦୁଃଖିତ ହୋଇ ଜୀବନଧାରଣ କରି ରହିବାକୁ ଇଚ୍ଛାକଲେ ନାହିଁ, ତେଣୁ ଅଭିମନ୍ୟୁଙ୍କର ପୁତ୍ର ପରୀକ୍ଷିତଙ୍କୁ ସିଂହାସନରେ ଅଧିଷ୍ଠିତ କରି ଭାଇ ଓ ପତ୍ନୀଙ୍କ ସହିତ ସ୍ୱର୍ଗାରୋହଣ କରିଥିଲେ ।

 

ଯୁଧିଷ୍ଠିର ଯେଉଁ ଛବିଶ ବର୍ଷକାଳ ରାଜ୍ୟଶାସନ କରିଥିଲେ, ତହିଁ ମଧ୍ୟରୁ ପ୍ରଥମ ପନ୍ଦର ବର୍ଷର ରାଜ୍ୟଶାସନ ଧୃତରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ପରାମର୍ଶ ଅନୁସାରେ ହୋଇଥିଲ । ଏହି ପନ୍ଦର ବର୍ଷ ମଧ୍ୟରେ ପାଣ୍ଡବମାନେ, ଦ୍ରୌପଦୀ, କୁନ୍ତୀ, ସୁଭଦ୍ରା, ବିଦୁର, ସଞ୍ଜୟ ଓ ଦାସୀପୁତ୍ର ଯୁଯୁତ୍ସୁ ପ୍ରମୁଖ ଅନ୍ଧ ରାଜ ଦମ୍ପତିଙ୍କର ସକଳସେବା କାର୍ଯ୍ୟରେ ସଦା ସର୍ବଦା ଧ୍ୟାନ ଦେଉଥିଲେ । ଧୃତରାଷ୍ଟ୍ର ଗାନ୍ଧାରୀଙ୍କର ଭୋଜନ, ଆଭରଣ, ଶୟନ ଓ ଦାନାଦି କାର୍ଯ୍ୟ ପ୍ରତି ନିଜେ ଯୁଧିଷ୍ଠିର ବିଶେଷ ଧ୍ୟାନ ଦେଉଥିଲେ । ଏପରି କି ବ୍ୟାସଦେବ ମଧ୍ୟ ଧୃତରାଷ୍ଟ୍ରଙ୍କ ପାଖେ ପାଖେ ରହି ଶାସ୍ତ୍ରାଦି ଶିକ୍ଷା ପ୍ରଦାନ କରି ତାଙ୍କର ଦୁଃଖ ଦୁର କରୁଥିଲେ ।

 

ଭାଇ ଓ ଅନ୍ୟମାନଙ୍କୁ ଧର୍ମରାଜ ଯୁଧିଷ୍ଠିର କହୁଥିଲେ, ‘ରାଜା ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ହରାଇ ଅଛନ୍ତି; ତେଣୁ ସେ ଯେପରି ଅଣୁମାତ୍ର ଦୁଃଖଭୋଗ ନ କରନ୍ତି ଓ ତାଙ୍କର ସେବାରେ ଯେପରି କୌଣସି ତ୍ରୁଟି ନ ଘଟେ, ସେଥିପ୍ରତି ଆମ୍ଭମାନଙ୍କର ସଜାଗ ରହିବାକୁ ହେବ । ଅନ୍ଧରାଜା ଆମ୍ଭମାନଙ୍କର ପୂଜ୍ୟ ଓ ଆମ୍ଭମାନଙ୍କ ଯୋଗୁ ସେ ପୁତ୍ରଶୋକଜନିତ ଦୁଃଖଭୋଗ କରୁଅଛନ୍ତି । ତାଙ୍କର ପୁତ୍ରମାନେ ବିଦ୍ୟମାନ ଥିଲେ ସେ ଯେପରି ସ୍ଵଚ୍ଛନ୍ଦରେ ଓ ସୁଖରେ କାଳାତିପାତ କରୁଥାନ୍ତେ, ତାଙ୍କୁ ସେହି ସୁଖ ପ୍ରଦାନ କରିବା ନିମନ୍ତେ ଆମ୍ଭେମାନେ ସର୍ବଦା ଯତ୍ନଶୀଳ ହେବା ଏକାନ୍ତ ବିଧେୟ ।

 

ପାଣ୍ଡବମାନଙ୍କର ତ୍ରୁଟିଶୂନ୍ୟ ସେବା ଓ ଅକପଟ ଗଭୀର ଭକ୍ତିରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ବିଶେଷ ପ୍ରୀତ ହୋଇ ସେମାନଙ୍କୁ ନିଜର ପୁତ୍ରଭାବରେ ଦେଖିବାକୁ ଲାଗିଲେ ଓ ପରମ ସୁଖରେ କାଳଯାପନ କଲେ । ନିଜର ନିହତ ପୁତ୍ରମାନଙ୍କର ଶ୍ରାଦ୍ଧାଦି ଊର୍ଦ୍ଧ୍ୱଦୈହିକ କାର୍ଯ୍ୟରେ ବ୍ରାହ୍ମଣମାନଙ୍କୁ ନିଜର ଅଭିଳାଷ ଅନୁସାରେ ଦାନାଦି କାର୍ଯ୍ୟ ସମ୍ପନ୍ନକରି ବିଶେଷ ପ୍ରୀତି ଲାଭ କଲେ ।

 

ପାଣ୍ଡବମାନଙ୍କର ସେବାରେ କୌଣସି ତ୍ରୁଟି ନଥିଲେ ମଧ୍ୟ ଭୀମସେନଙ୍କର ଉପସ୍ଥିତି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମନରେ ବିସ୍ମୃତ ପୁତ୍ରଶୋକକୁ ପୁନଃଜାଗରିତ କରୁଥବାରୁ ଭୀମସେନଙ୍କ ପ୍ରତି ଧୃତରାଷ୍ଟ୍ର ଓ ଗାନ୍ଧାରୀ ଆଦୌ ପ୍ରୀତ ନଥିଲେ । ନିଜର କାର୍ଯ୍ୟରେ କୌଣସି ତ୍ରୁଟି ନଥିଲେ ମଧ୍ୟ, ଅନ୍ଧ ଦମ୍ପତି ତାଙ୍କ ପ୍ରତି ଅପ୍ରସନ୍ନ ରହୁଥିବାରୁ ଭୀମସେନ ମଧ୍ୟ ସେମାନଙ୍କ ପ୍ରତି ମନେ ମନେ ଧୀରେ ଧୀରେ ବିରକ୍ତ ହୋଇଉଠିଲେ । ଏହିପରି ଭାବରେ ପନ୍ଦର ବର୍ଷ ଅତିବାହିତ ହୋଇଗଲେ ମଧ୍ୟ ଭୀମସେନଙ୍କ ପ୍ରତି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମନୋଭାବରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ ।

 

ଭୀମସେନ ନିଜର ବିରକ୍ତ ଭାବକୁ ଆଉ ବେଶି ଦିନ ଦମନ କରି ରଖିପାରିଲେ ନାହଁ; ତେଣୁ ଯୁଧିଷ୍ଠିର, ଅର୍ଜ୍ଜୁନ, ନକୁଳ, ସହଦେବ ଦ୍ରୌପଦୀଙ୍କ ଅଗୋଚରରେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ଶୁଣେଇ ଶୁଣେଇ ନିଜର ବନ୍ଧୁମାନଙ୍କୁ ଭୀମସେନ କହିଲେ, ‘ବନ୍ଧୁମାନେ, ମୋର ଏହି ବଳିଷ୍ଠ ବାହୁଦ୍ୱୟ ଦେଖୁଛ, ତାହାଦ୍ୱାରା ମୁଁ ଧୃତରାଷ୍ଟ୍ରଙ୍କର ପୁତ୍ର ଓ ପୌତ୍ରମାନଙ୍କୁ ଶମନ ସଦନକୁ ପ୍ରେରଣ କରିଅଛି’ ଏହିପରି କହି ଭୀମସେନ ଅନ୍ଧ ଦମ୍ପତିଙ୍କର କ୍ରୋଧବୃଦ୍ଧି କଲେ ।

 

ବୁଦ୍ଧିମତୀ ଗାନ୍ଧାରୀ ଓ ରାଜା ଧୃତରାଷ୍ଟ୍ର ସବୁକଥା ବୁଝିପାରି ଅତି ଦୁଃଖିତ ମନରେ ବନ୍ଧୁମାନଙ୍କୁ କହିଲେ, ‘କୁରୁକୁଳ ଯେପର ଭାବରେ ଧ୍ୱଂସପ୍ରାପ୍ତ ହୋଇଅଛି ତାହା ତ ତୁମ୍ଭେମାନେ ଜାଣ । ଏ ବିନାଶ ପାଇଁ ଆମେ ହିଁ ଦାୟୀ । ପୁତ୍ରସ୍ନେହରେ ଅନ୍ଧ ନ ହୋଇ ଭୀଷ୍ମ, ବିଦୁର, କୃଷ୍ଣ ଓ ବ୍ୟାସଦେବଙ୍କ ସତ୍‌ପରାମର୍ଶ ଅନୁସାରେ କାର୍ଯ୍ୟ କରିଥିଲେ, ଆଜି ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ଆମ୍ଭେମାନେ ହୋଇନଥାନ୍ତୁ । ପୁତ୍ରମାନଙ୍କ ମୃତ୍ୟୁ ପାଇଁ ଯେତେ ନୁହେଁ, ଆମର ସେହି କୁକର୍ମ ପାଇଁ ଆମ୍ଭେମାନେ ବିଶେଷ ଦୁଃଖିତ ।’

 

ବନ୍ଧୁମାନଙ୍କୁ ଏପରି କହି ପରେ ଯୁଧୁଷ୍ଠିରଙ୍କୁ ଧୃତରାଷ୍ଟ୍ର କହିଲେ, ‘ବାବା, ତୁମଦ୍ୱାରା ଗଭୀର ସ୍ନେହ ଓ ଯତ୍ନରେ ପ୍ରତିପାଳିତ ହୋଇ ମୁଁ ପ୍ରଭୂତ ଆନନ୍ଦ ଲାଭ କରୁଅଛି ଓ ଏହି ସମୟ ମଧ୍ୟରେ ଅଜସ୍ର ଧନରତ୍ନ ଦାନ କରି ମୁଁ ଅଶେଷ ପୁଣ୍ୟ ମଧ୍ୟ ଅର୍ଜନ କରିଅଛି । ଯେଉଁ ଦୁରାତ୍ମାଗଣ ତୁମକୁ ବହୁଦିନ ପର୍ଯ୍ୟନ୍ତ ଐଶ୍ଵର୍ଯ୍ୟରୁ ବଞ୍ଚିତ ଓ ଦ୍ରୌପଦୀଙ୍କୁ ନାନା ଭାବରେ ଲାଞ୍ଚିତ କରିଥିଲେ, ସେମାନେ କ୍ଷତ୍ରିୟଧର୍ମାନୁସାରେ ସ୍ୱର୍ଗଲୋକକୁ ଗମନ କରିଥିବାରୁ, ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ବିଶେଷ କିଛି କରିବାର ନାହିଁ । ତେଣୁ ଯାହା ବ୍ୟକ୍ତିଗତ ଭାବରେ ମୋର ଓ ଗାନ୍ଧାରୀଙ୍କର କରଣୀୟ, ସେଥିପ୍ରତି ମୋର ଧ୍ୟାନ ଦେବା ଉଚିତ । ତୁମେ ଧାର୍ମିକମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏବଂ ସୁଦକ୍ଷ ସମ୍ରାଟ୍‌ । ମୁଁ ଏବଂ ଗାନ୍ଧାରୀ ବଳ୍‍କଳ ପରିଧାନ କରି ଅରଣ୍ୟରେ ଅବସ୍ଥାନ କରି ତପସ୍ୟାଦିରେ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ଚାହୁଁଅଛୁ; ତେଣୁ ଆମକୁ ସେଥିପାଇଁ ଅନୁମତି ଦିଅ । ପୁତ୍ରହସ୍ତରେ ରାଜ୍ୟଭାର ଅର୍ପଣ କରି ଶେଷ ସମୟକୁ ଅତିବାହିତ କରିବାହିଁ ଆମର କୁଳୋଚିତ କର୍ତ୍ତବ୍ୟ ।’

 

ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କର ଏହି ପ୍ରସ୍ତାବ ଶୁଣି ଅତି ଦୁଃଖିତ ହେଲେ ଏବଂ କହିଲେ, ‘ପିତୃଦେବ ! ମୋର ଏହି ରାଜ୍ୟରେ କୌଣସି ଅଧିକାର ନାହିଁ । ଆପଣ ହିଁ ରାଜ୍ୟର ପ୍ରକୃତ ଶାସନକର୍ତ୍ତା ଏବଂ ମୁଁ ଆପଣଙ୍କର ଆଜ୍ଞାଧୀନ । ତେଣୁ ମୁଁ କେଉଁ ଅଧିକାରରେ ଆପଣଙ୍କୁ ଅନୁମତି ପ୍ରଦାନ କରିବି ? ଦୁର୍ଯ୍ୟୋଧନ ଯେପରି ଆପଣଙ୍କର ପୁତ୍ର ଥିଲା, ଆମ୍ଭମାନଙ୍କୁ ଆପଣ ସେହିପରି ନିଜର ପୁତ୍ର ବୋଲି ଜ୍ଞାନ କରନ୍ତୁ । କୁନ୍ତୀ ଓ ଗାନ୍ଧାରୀ ଆମ୍ଭମାନଙ୍କ ଦୃଷ୍ଟିରେ ଏକ । ଆପଣ ବନବାସୀ ହେଲେ ଆମ୍ଭେମାନେ ମଧ୍ୟ ଆପଣଙ୍କର ଅନୁଗାମୀ ହେବୁ; କାରଣ ଆପଣଙ୍କୁ ହରାଇଲେ ଏ ପୃଥିବୀ ଆମର ପ୍ରୀତିଦାୟକ ହେବ ନାହିଁ । ତେଣୁ ମୁଁ ଆପଣଙ୍କୁ ସବିନୟ ଅନୁବେଧ କରୁଅଛି, ଆପଣ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ ଓ ଏହି ସମସ୍ତ ରଜ୍ୟକୁ ନିଜର ମନେ କରି ଅଭିଳାଷ ଅନୁଯାୟୀ ଉପଭୋଗ କରନ୍ତୁ ।’

 

ଯୁଧିଷ୍ଠିର ବିନୟ ସହକାରେ ଧୃତରାଷ୍ଟ୍ରଙ୍କୁ ଯେତେ ନିବେଦନ କଲେ ମଧ୍ୟ ଧୃତରାଷ୍ଟ୍ର ଅରଣ୍ୟବାସ କରିବାର ଇଚ୍ଛାରୁ ବିଚ୍ୟୁତ ହେଲେ ନାହିଁ ।

 

ଏହି ସମୟରେ ବ୍ୟାସଦେବ ଉପସ୍ଥିତ ହୋଇ ଯୁଧିଷ୍ଠିରଙ୍କୁ କହିଲେ, ‘ମହାରାଜ, ଧୃତରାଷ୍ଟ୍ରଙ୍କର ଇଚ୍ଛାରେ ବାଧା ଦିଅ ନାହିଁ । ଧୃତରାଷ୍ଟ୍ର ଏକେ ତ ଅନ୍ଧ, ତା ଛଡ଼ା ପୁତ୍ରଶୋକ ତାଙ୍କୁ ଏକାବେଳକେ କାତର କରିଅଛି । ଗାନ୍ଧାରୀଙ୍କର ଧୈର୍ଯ୍ୟଶକ୍ତି ଥିବାରୁ ସେ ପୁତ୍ରଶୋକକୁ ସହ୍ୟ କରୁଅଛନ୍ତି, କିନ୍ତୁ ଧୃତରାଷ୍ଟ୍ରଙ୍କ ପକ୍ଷରେ ସେ ଦୁଃଖ ସହ୍ୟ କରିବା ଅସମ୍ଭବ । ଜୀବନର ଶେଷ ସମୟ ବନରେ ଅତିବାହିତ କରିବା ହିଁ ରାଜର୍ଷିମାନଙ୍କର ଧର୍ମ, ତେଣୁ ବନବାସ କରିବାକୁ ସେମାନଙ୍କୁ ବାଧା ଦିଅ ନାହିଁ ।’

 

ବ୍ୟାସଦେବ, କୃପାଚାର୍ଯ୍ୟ, ବିଦୁର ଓ ସଞ୍ଜୟଙ୍କ ପରାମର୍ଶ ଗ୍ରହଣ କରି ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଅରଣ୍ୟବାସ ସମ୍ପର୍କରେ ଯୁଧିଷ୍ଠିର ସମ୍ମତ ହେଲେ ।

 

ମହାରାଜ ଧୃତରାଷ୍ଟ୍ର ବନଗମନ କରିବା ପୂର୍ବରୁ ପ୍ରଜାମାନଙ୍କୁ ବିଭିନ୍ନ ଉପହାର ଓ ଦାନାଦି ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ସମ୍ବୋଧନ କରି କହିଥିଲେ, ‘ଆପଣମାନେ ଚିରକାଳ କୌରବମାନଙ୍କର ପରମହିତୈଷୀ ଭାବରେ ସେମାନଙ୍କ ସହ ବାସ କରି ଆସିଅଛନ୍ତି । ରାଜା ଯୁଧିଷ୍ଠିରଙ୍କ ସେବା ଓ ପରିଚର୍ଯ୍ୟାରେ ମୁଁ ପ୍ରଭୂତ ସୁଖ ଉପଭୋଗ କରିଅଛି । ମୁଁ ଜନ୍ମାନ୍ଧ, ବୃଦ୍ଧ ଓ ପୁତ୍ରବିହୀନ ଥିବାରୁ ଶେଷ ଜୀବନରେ ପୁଣ୍ୟ ଓ ଶାନ୍ତି ଲାଭ ନିମନ୍ତେ ପତ୍ନୀ ସହ ବନବାସ କରିବାକୁ ସ୍ଥିର କରିଅଛି । ଆପଣମାନେ ସେଥିପାଇଁ ଆମକୁ ଅନୁମତି ପ୍ରଦାନ କରନ୍ତୁ ।’

 

ସମବେତ ପ୍ରଜାମଣ୍ଡଳୀ ବୃଦ୍ଧରାଜା ଧୃତରାଷ୍ଟ୍ରଙ୍କର ବିଦାୟକାଳୀନ କଥାରେ ଏକାବେଳକେ ଶୋକାକୁଳିତ ହୋଇଗଲେ ଓ କୌଣସି ଉତ୍ତର ଦେବା ସେମାନଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ।

 

ପ୍ରଜାମାନଙ୍କୁ ନୀରବ ରହିବାର ଦେଖି ଧୃତରାଷ୍ଟ୍ର ପୁନର୍ବାର କହିଲେ, ‘ମହାରାଜ ଶାନ୍ତନୁ ଭୀଷ୍ମଙ୍କ ସହାୟତାରେ ବିଚିତ୍ରବୀର୍ଯ୍ୟ ଓ ପାଣ୍ଡୁ ଯେପରି ଭାବରେ ରାଜ୍ୟଶାସନ କରିଯାଇ ଅଛନ୍ତି, ତାହା ଆପଣମାନଙ୍କୁ ଅବିଦିତ ନାହିଁ । ମୋର ରାଜତ୍ୱ ସମୟରେ ଯଦି ସେହି ପ୍ରଶଂସନୀୟ ଶାସନପଦ୍ଧତିରେ ବ୍ୟତିକ୍ରମ ଘଟିଥାଏ କିମ୍ୱା ଆପଣମାନଙ୍କୁ ସୁଖଶାନ୍ତିରେ ପ୍ରତିପାଳନ କରିବାରେ କୌଣସି ତ୍ରୁଟି କରିଥାଏ, ତେବେ ଆପଣମାନେ ମୋତେ କ୍ଷମା କରିବେ । ଦୁର୍ଯ୍ୟୋଧନର ଦୁର୍ନୀତି ଫଳରେ ଅସଂଖ୍ୟ ନରପତିଙ୍କର ସମୂଳେ ବିନାଶ ଘଟିଛି; ସେ କଥାକୁ ମଧ୍ୟ ମନରେ ସ୍ଥାନ ଦେବେ ନାହିଁ । ମୁଁ ବୃଦ୍ଧ, ପୁତ୍ରହୀନ, ଶୋକକାତର ଏବଂ ଗାନ୍ଧାରୀ ମଧ୍ୟ ଏ ବାର୍ଦ୍ଧକ୍ୟରେ ଏକାନ୍ତ ଶୋକକାତରା ହୋଇଅଛନ୍ତି; ତେଣୁ ମୋ’ ଯୋଗୁ ଭଲମନ୍ଦ ଯାହାସବୁ ଘଟିଅଛି, ମୁଁ କୃତାଞ୍ଜଳିପୁଟରେ ଆପଣମାନଙ୍କଠାରୁ କ୍ଷମା ମାଗିନେଉଛି । ଆପଣମାନେ ଉଦାର ହୃଦୟରେ କ୍ଷମାକରି ସେସବୁକୁ ଭୁଲିଯାଆନ୍ତୁ । ଆପଣମାନେ ରାଜଭକ୍ତ, ତେଣୁ ମହାରାଜ ଯୁଧିଷ୍ଠିରଙ୍କ ପ୍ରତି ଯେ ଆପଣମାନେ ସହାନୁଭୁତିଶୀଳ ହୋଇରହିବେ ଏହା ନିଶ୍ଚିତ କଥା; ତଥାପି ମହାରାଜ ଯୁଧିଷ୍ଠିରଙ୍କ ହସ୍ତରେ ଆପଣମାନଙ୍କୁ ଓ ଆପଣମାନଙ୍କ ହସ୍ତରେ ମହାରାଜା ଯୁଧିଷ୍ଠିରଙ୍କୁ ସମର୍ପଣ କରୁଅଛି । ମୋର ଅସ୍ଥିରଚିତ୍ତ, ସ୍ୱେଚ୍ଛାଚାରୀ ଦୁରାତ୍ମା ପୁତ୍ରମାନଙ୍କ ଅପରାଧ ପାଇଁ ଆଉ ଥରେ କ୍ଷମାମାଗି ନେଇ ବାନପ୍ରସ୍ଥ ବ୍ରତ ଗ୍ରହଣ କରୁଅଛି ।’

 

ଏହିପରି ଭାବରେ ପ୍ରଜାମାନଙ୍କଠାରୁ ବିଦାୟ ଗ୍ରହଣ କରି ଓ ପରେ ପାଣ୍ଡବମାନଙ୍କୁ ଆଶୀର୍ବାଦ କରି ଗାନ୍ଧାରୀ ଓ କୌରବରମଣୀମାନଙ୍କ ସହ ଧୃତରାଷ୍ଟ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବନଗମନ ଉଦ୍ଦେଶ୍ୟରେ ରାଜପ୍ରାସାଦ ତ୍ୟାଗ କଲେ । ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସହିତ କୁନ୍ତୀଙ୍କୁ ଯିବାର ଦେଖି ଯୁଧିଷ୍ଠିର କହିଲେ, ମା, ଧର୍ମପରାୟଣ ଜ୍ୟେଷ୍ଠପିତା ମହାତ୍ମା ଧୃତରାଷ୍ଟ୍ର ତପସ୍ୟା କରିବାକୁ ସ୍ଥିର ନିଶ୍ଚୟ କରିଥିବାରୁ ବନଗାମୀ ହେଉଅଛନ୍ତି । ତେଣୁ ଆପଣ ଏହି ସ୍ଥାନରୁ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କଠାରୁ ବିଦାୟ ନେଇ ପୁତ୍ରବଧୂମାନଙ୍କ ସହ ରାଜନଗରୀକୁ ଫେରି ଚାଲନ୍ତୁ ।’

 

ଗାନ୍ଧାରୀଙ୍କ ହାତଧରି କୁନ୍ତୀ ବାଟ କଢ଼େଇ ନେଉଥିଲେ । ଯୁଧିଷ୍ଠିରଙ୍କ କଥା ଶୁଣି କୁନ୍ତୀ କହିଲେ, ‘ବାବା, ମୋ ପରି ହତଭାଗିନୀ କେହି ନାହିଁ । କର୍ଣ୍ଣ ପରି ପୁତ୍ର ପ୍ରତି ମୁଁ ଯେପରି ଅବିଚାର କରିଅଛି, ତାହା ମୋର ହୃଦୟକୁ ଏବେ ବି ଅସ୍ଥିର କରୁଅଛି । ମୁଁ ବର୍ତ୍ତମାନ ଅରଣ୍ୟକୁ ଗମନ କରି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସେବା କରିବାକୁ ସ୍ଥିର କରିଅଛି । କେବଳ ରାଜ୍ୟ ନୁହେଁ ସମଗ୍ର କୁରୁବଂଶର ଭାର ତୁମ ଉପରେ ନ୍ୟସ୍ତ ଅଛି, ତେଣୁ ସେଥିପ୍ରତି ତୁମେ ଯତ୍ନଶୀଳ ରହିବ । ଦ୍ରୌପଦୀ ଓ ନିଜର ଭାଇମାନଙ୍କର ଅପ୍ରିୟାଚରଣ କେବେ କରିବ ନାହିଁ ।’

 

କୁନ୍ତୀଙ୍କର ଏପରି ସିଦ୍ଧାନ୍ତରେ ଯୁଧିଷ୍ଠିର ପ୍ରମୁଖ ପାଣ୍ଡବମାନଙ୍କର ଦୁଃଖର ସୀମା ରହିଲା ନାହିଁ । ଯୁଧିଷ୍ଠିର କହିଲେ, ‘ମା ଆପଣଙ୍କ ଉତ୍ସାହ, ଆଗ୍ରହ ଓ ଆଶୀର୍ବାଦରେ ଆମ୍ଭେମାନେ ଶତ୍ରୁ ସଂହାର କରି ଏ ରାଜ୍ୟଲାଭ କରଅଛୁ । ବର୍ତ୍ତମାନ କ୍ଷେତ୍ରରେ ଆମ୍ଭମାନଙ୍କୁ ପରିତ୍ୟାଗ କରିବା ଆପଣଙ୍କ ପକ୍ଷରେ ଉଚିତ ନୁହେଁ । ତେଣୁ ଆମପ୍ରତି ପ୍ରସନ୍ନ ହୋଇ ବନଗମନରୁ କ୍ଷାନ୍ତ ହୁଅନ୍ତୁ ।’

 

ଭୀମସେନ କହିଲେ, ‘ମା ଆମକୁ ଏପରି ପରିତ୍ୟାଗ ଯିବା ଯଦି ଆପଣଙ୍କର ଇଚ୍ଛାଥିଲା, ତେବେ ଆମ ଦ୍ୱାରା ଏ ପୃଥିବୀକୁ ବୀରଶୂନ୍ୟା କରାଇଲେ ବା କାହିଁକ ଏବଂ ପିତୃବିୟୋଗ ପରେ ଆମ୍ଭମାନଙ୍କୁ ଅରଣ୍ୟରୁ ରାଜପ୍ରସାଦକୁ ଆଣିଥିଲେ ବା କାହିଁକ ? ବନବାସ ଇଚ୍ଛା ପ୍ରରିତ୍ୟାଗ କରନ୍ତୁ ଓ ପୁତ୍ରମାନଙ୍କ ଦ୍ୱାରା ଅର୍ଜିତ ଏହି ରାଜ୍ୟ ଉପଭୋଗ କରନ୍ତୁ ।’

 

କୁନ୍ତୀ କହିଲେ, ‘‘ପୁତ୍ରଗଣ, ମୋର ନିଜର ସୁଖଲାଭ ନମିତ୍ତ ମୁଁ ତୁମ୍ଭମାନଙ୍କୁ ଯୁଦ୍ଧ ପାଇଁ ଉତ୍ସାହିତ କରିନଥିଲି । କପଟପାଶାରେ ପରାଜିତ ହେବାପରେ ତୁମ୍ଭେମାନେ ବିଶେଷ ଅବସନ୍ନ ହୋଇପଡ଼ିଥିଲ । ତୁମ୍ଭମାନଙ୍କ ପରି ପରାକ୍ରମଶାଳୀମାନେ ଶତ୍ରୁର ବଶୀଭୂତ ହୋଇ ରହିବା ଉଚିତ ନୁହେଁ । ଦ୍ରୌପଦୀଙ୍କ ସଭାମଧ୍ୟରେ ଯେପରି ଭାବରେ ଲାଞ୍ଛନା ଓ କ୍ଲେଶ ଭୋଗ କରିବାକୁ ପଡ଼ିଥିଲା, ତାହା ମୋତେ ବିଶେଷ ଦୁଃଖିତ କରିଥିଲା; ତେଣୁ ଏହି ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ଉତ୍ସାହିତ କରିଥିଲି । ତେଣୁ ମୋର ସେହିସବୁ ଉତ୍ସାହ ଦାନାଦି କାର୍ଯ୍ୟ ପଛରେ ରାଜ୍ୟ ଉପଭୋଗ କରିବାର ଆଗ୍ରହ କେବେ ନଥିଲା । ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସେବା ତପସ୍ୟାଦିଦ୍ୱାରା ମୋର ଅବଶିଷ୍ଟ ଜୀବନ ଅରଣ୍ୟରେ ଅତିବାହିତ କରି ସ୍ଵାମୀଙ୍କ ନିକଟକୁ ଯିବାକୁ ଇଚ୍ଛା କରିଅଛି । ତେଣୁ ତୁମ୍ଭେମାନେ ରାଜ୍ୟକୁ ଫେରିଯାଇ ରାଜକାର୍ଯ୍ୟରେ ମନୋନିବେଶ କର । ତୁମର ଧର୍ମଜ୍ଞାନ ବୃଦ୍ଧି ଲାଭକରୁ ଓ ତୁମର ମନ ଉଦାରରୁ ଉଦାରତର ହେଉ ।’’

 

ଏହା କହି କୁନ୍ତୀ ପୁତ୍ର ଓ ପୁତ୍ରବଧୂ ଦ୍ରୌପଦୀଙ୍କୁ ଆଶୀର୍ବାଦ କଲେ । ପାଣ୍ଡବମାନେ ମଧ୍ୟ ଧୃତରାଷ୍ଟ୍ର ଓ ଗାନ୍ଧାରୀ ପ୍ରମୁଖଙ୍କଠାରୁ ବିଦାୟ ନେଇ ରାଜଧାନୀକୁ ଫେରି ଆସିଲେ ।

 

ଧୃତରାଷ୍ଟ୍ରଙ୍କ ସହ ଗାନ୍ଧାରୀ, କୁନ୍ତୀ, ବିଦୁର ଓ ସଞ୍ଜୟ ଅରଣ୍ୟକୁ ଚାଲିଗଲେ ।

Image

 

ବ୍ୟାସଙ୍କଦ୍ୱାର ପ୍ରେତ ଆହ୍ୱାନ ଓ ଧୃତରାଷ୍ଟ୍ର ପ୍ରମୁଖଙ୍କର ସ୍ୱର୍ଗବାସ

 

ଯୁଧିଷ୍ଠିରଙ୍କୁ କିଛି ଭଲ ଲାଗିଲା ନାହିଁ । ଦୁର୍ଗମ ଅରଣ୍ୟ ମଧ୍ୟରେ ପୁତ୍ରଶୋକକାତର ଧୃତରାଷ୍ଟ୍ର ଓ ଗାନ୍ଧାରୀ ଏବଂ କୋମଳାଙ୍ଗୀ କୁନ୍ତୀ ସଯେ କି କଷ୍ଟରେ ନ ଥିବେ, ଚିନ୍ତା କରି ଯୁଧିଷ୍ଠିର ଅତି ଚିନ୍ତିତ ହୋଇପଡ଼ିଲେ । ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ, ବିଦୁର ଓ ସଞ୍ଜୟ ପ୍ରମୁଖଙ୍କୁ ଦେଖିବା ପାଇଁ ପାଣ୍ଡବମାନେ ଓ ପ୍ରଜାଗଣ ବିଶେଷ ଆଗ୍ରହୀ ହୋଇ ପଡ଼ିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ପ୍ରିୟ ପରିଜନ ଓ ପ୍ରଜାଙ୍କ ସହ ପାଣ୍ଡବମାନେ ଅରଣ୍ୟ ମଧ୍ୟରେ ଥିବା ଧୃତରାଷ୍ଟ୍ର ପ୍ରମୁଖଙ୍କର ଆଶ୍ରମକୁ ଯାତ୍ରା କଲେ ।

 

ଧୃତରାଷ୍ଟ୍ର ପ୍ରମୁଖ ସେତେବେଳେ ଯମୁନା ନଦୀକୂଳରେ ମହର୍ଷି ଶତଯୂପଙ୍କର ଆଶ୍ରମ ନିକଟରେ ସ୍ଵତନ୍ତ୍ର ଆଶ୍ରମ ରଚନା କରି ଅବସ୍ଥାନ କରୁଥିଲେ । ସେମାନଙ୍କୁ ଅରଣ୍ୟରେ ଦେଖିବାକୁ ଯାଇ ପାଣ୍ଡବମାନେ ପରମଶୋକ ଓ ଆନନ୍ଦ ମଧ୍ୟରେ ଯଥାବିଧି ସମ୍ମାନ ପ୍ରଦାନ କଲେ । ଅରଣ୍ୟରେ ଥିବା ଋଷିମାନଙ୍କ ସହ ପାଣ୍ଡବ ତଥା କୌରବରମଣୀମାନଙ୍କୁ ସଞ୍ଜୟ ପରିଚୟ କରାଇଦେଲେ । ପାଣ୍ଡବମାନଙ୍କ ସହ ଦ୍ରୌପଦୀଙ୍କ ଛଡ଼ା ଅର୍ଜ୍ଜୁନଙ୍କ ପତ୍ନୀ ସୁଭଦ୍ରା, ଚିତ୍ରାଙ୍ଗଦା, ଭୀମସେନଙ୍କ ପତ୍ନୀ କାଳୀ, ନକୁଳଙ୍କ ପତ୍ନୀ କରେଣୁମତୀ, ସହଦେବଙ୍କ ପତ୍ନୀ ଜରାସନ୍ଧଙ୍କର କନ୍ୟା, ଅଭିମନ୍ୟୁଙ୍କର ପତ୍ନୀ ଉତ୍ତରା ଓ ଧୃତରାଷ୍ଟ୍ରଙ୍କର ବିଧବା ପୁତ୍ରବଧୂମାନେ ସେଠାରେ ଉପସ୍ଥିତ ଥିଲେ ।

 

ଧୃତରାଷ୍ଟ୍ର ଗାନ୍ଧାରୀ ଓ କୁନ୍ତୀଙ୍କ ସହ ବିଧବା କୁଶଳବାର୍ତ୍ତା ହେବା ପରେ ବିଦୁରଙ୍କୁ ଦର୍ଶନ କରିବା ନିମନ୍ତେ ଯୁଧିଷ୍ଠିର ବିଶେଷ ବ୍ୟାକୁଳ ହୋଇ ଅରଣ୍ୟ ମଧ୍ୟରେ ବିଚରଣ କଲେ ଏବଂ ଅରଣ୍ୟର ଏକସ୍ଥାନରେ ଧୂଳିଧୂସରିତ ହୋଇ ଉଲଗ୍ନ ଅବସ୍ଥାରେ ବିଦୁରଙ୍କୁ ଅବସ୍ଥାନ କରୁଥିବାର ଲକ୍ଷ୍ୟ କଲେ । ଯୁଧିଷ୍ଠିରଙ୍କୁ ଦେଖି ବିଦୁର ଗୋଟିଏ ବୃକ୍ଷକୁ ଆଶ୍ରୟ କରି ଦଣ୍ଡାୟମାନ ହୋଇ ରହିଲେ ଓ ଯୁଧିଷ୍ଠିର ଯେତେ ପ୍ରଶ୍ନ କଲେ ମଧ୍ୟ ବିଦୁର କିଛି କହିଲେ ନାହିଁ । ଯୋଗବଳରେ ବିଦୁର ନିଜେ ଯୁଧିଷ୍ଠିରଙ୍କ ମଧ୍ୟରେ ପ୍ରବେଶ କରି ପ୍ରାଣତ୍ୟାଗ କଲେ । ବିଦୁରଙ୍କର ଶବ ସଂସ୍କାର କରିବା ସମୟରେ ଦୈବବାଣୀ ହେଲା ଯେ, ‘ମହାତ୍ମା ବିଦୁର ଯତିଧର୍ମ ଲାଭ କରିଥିବାରୁ, ତାଙ୍କର ମରଦେହକୁ ଦାହ କରିବା ଉଚିତ ନୁହେଁ ।’ ତେଣୁ ତଦନୁସାରେ ଯୁଧିଷ୍ଠିର ଆଶ୍ରମକୁ ଫେରିଆସି ଧୃତରାଷ୍ଟ୍ର ପ୍ରମୁଖଙ୍କୁ ସବୁକଥା ଜଣାଇଲେ ।

 

ବ୍ୟାସଦେବ କହିଲେ, ‘ମାଣ୍ଡବ୍ୟଙ୍କ ଅଭିଶାପବଳରେ ସ୍ୱୟଂ ଧର୍ମ ନର କଳେବର ଧାରଣ କରି ବିଦୁର ରୂପରେ ଜନ୍ମ ହୋଇଥିଲେ ଏବଂ ବ୍ରହ୍ମାଙ୍କ ଆଦେଶାନୁସାରେ ମୁଁ ତାହାଙ୍କୁ ଉତ୍ପନ୍ନ କରାଇଥିଲି । ଯୁଧିଷ୍ଠିରଙ୍କ ମଧ୍ୟରେ ବିଦୁରଙ୍କ ଆତ୍ମା ପ୍ରବେଶ କରିଥିବା ଯଥାର୍ଥ । କାରଣ ଧର୍ମ, ବିଦୁର ଓ ଯୁଧିଷ୍ଠିରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା ।’’

 

ରାଜ୍ୟ ପରିତ୍ୟାଗ କରି ଧୃତରାଷ୍ଟ୍ର ଓ ଗାନ୍ଧାରୀ ଅରଣ୍ୟକୁ ଆସି ତପସ୍ୟାରେ ମନୋନିବେଶ କରିଥିଲେ ମଧ୍ୟ ପୁତ୍ରଶୋକ ସେମାନଙ୍କ ମନରୁ ଦୂର ହୋଇନଥିଲା । ସେକଥା ଲକ୍ଷ୍ୟକରି ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ କହିଲେ, ‘ତୁମ୍ଭେମାନେ ଏବେ ବି ପୁତ୍ରମାନଙ୍କର ମୃତ୍ୟୁଜନିତ ଶୋକରେ କାତର ହେଉଅଛ । ଦ୍ରୌପଦୀ, ସୁଭଦ୍ରା ଓ ଅନ୍ୟମାନଙ୍କ ମନରେ ମଧ୍ୟ ଶାନ୍ତି ନାହିଁ । ତୁମ୍ଭମାନଙ୍କର ଅଭିଳାଷ ଯଦି କଛି ଥାଏ, ପ୍ରକାଶ କର । ମୁଁ ମୋର ତପସ୍ୟା ବଳରେ ତାହା ପୂରଣ କରିବ ।’

 

ବ୍ୟାସଦେବଙ୍କ କଥା ଶୁଣି ଧୃତରାଷ୍ଟ୍ର କହିଲେ, ‘ଭଗବାନ, ଆପଣଙ୍କ ସାକ୍ଷାତ ଲାଭ କରି ମୁଁ ନିଜକୁ ଧନ୍ୟ ମନେକରୁଅଛି । ଦୁର୍ନୀତି ପରାୟଣ ମନ୍ଦବୁଦ୍ଧି ଦୁର୍ଯ୍ୟୋଧନର ଅପରିଣାମଦର୍ଶୀ ନୀତିବିରୋଧୀ କାର୍ଯ୍ୟମାନ ମୋର ସ୍ମୃତିପଥାରୁଢ଼ ହୋଇ ମୋତେ ବିଶେଷ ଭାବରେ ବିଚଳିତ କରୁଅଛି । ସେ ମନ୍ଦବୁଦ୍ଧି ଯୋଗୁ ପାଣ୍ଡବମାନେ ବିନା ଦୋଷରେ ଅଶେଷ କ୍ଳେଶ ଭୋଗ କରିଅଛନ୍ତ ଓ ଅଗଣିତ ବୀର ନିହତ ହୋଇଅଛନ୍ତି । ଭୀଷ୍ମ ଓ ଦ୍ରୋଣଙ୍କ କଥା ଚିନ୍ତାକଲେ ମୋର ମନ ସ୍ଥିର ହୋଇ ରହୁ ନାହିଁ । ଏ ପରିସ୍ଥିତିରେ ମୁଁ କ’ଣ ଶାନ୍ତିଲାଭ କରିବି ତା’ର ଉପାୟ ମୋତେ କହନ୍ତୁ ।’

 

ଧୃତରାଷ୍ଟ୍ର ଏପରି ଭାବରେ କହିବାରୁ ଅନ୍ୟମାନଙ୍କ ମନରେ ଅତୀତର ସେହି ଅସହ୍ୟ ଶୋକର ବୃତ୍ତାନ୍ତ ପୁନର୍ବାର ଜାଗରିତ ହୋଇଉଠିଲା ।

 

ଗାନ୍ଧାରୀ କହିଲେ, ‘ପୁତ୍ରମାନଙ୍କର ମୃତ୍ୟୁପରେ ଆଜକୁ ଦୀର୍ଘ ଷୋଳବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ତାଙ୍କର ମନରୁ ପୁତ୍ରଶୋକ ଦୂର ହୋଇ ନାହିଁ । ଆପଣଙ୍କର ତପସ୍ୟା ଶକ୍ତି ଅସୀମ, ତେଣୁ ସେହି ମୃତ ପୁତ୍ରମାନଙ୍କ ସହ ତାଙ୍କର ସାକ୍ଷାତ କରାଇ ତାଙ୍କ ଶୋକାତୁର ମନର ସନ୍ତୋଷ ବିଧାନ କରନ୍ତୁ । ଦ୍ରୌପଦୀ, ସୁଭଦ୍ରା ଓ ମୋର ଏହି ବିଧବା ପୁତ୍ରବଧୂମାନଙ୍କ ମନରେ ମଧ୍ୟ ସେ ଅଶାନ୍ତ ଶୋକ ଏବେବି ଜାଗ୍ରତ ରହିଅଛି । ତେଣୁ ସେହି ମୃତବ୍ୟକ୍ତିମାନଙ୍କ ସହ ସାକ୍ଷାତ କରାଇ ଦିଅନ୍ତୁ ।

 

କୁନ୍ତୀ ମଧ୍ୟ କର୍ଣ୍ଣଙ୍କୁ ଦେଖିବାକୁ ବିଶେଷ ବ୍ୟାକୁଳ ହୋଇଥିଲେ ।

 

ଅବଶେଷରେ ବ୍ୟାସଦେବ ଗାନ୍ଧାରୀଙ୍କୁ କହିଲେ, ‘ଭଦ୍ରେ, ତୁମର ସେହି ପରଲୋକଗତ ପ୍ରିୟ ପରିଜନଙ୍କ ସହ ତୁମ୍ଭମାନଙ୍କର ସାକ୍ଷାତ ହେଉ, ଏହା ମଧ୍ୟ ମୁଁ ଚାହେଁ ଏବଂ ତଦ୍ୱାରା ତୁମ୍ଭମାନଙ୍କ ମନରୁ ଶୋକ ମଧ୍ୟ ଦୂର ହେବ । ତେଣୁ ତୁମ୍ଭେମାନେ ସମସ୍ତେ ଗଙ୍ଗା ନଦୀକୂଳକୁ ଗମନ କର । ସେହିଠାରେ ପରଲୋକ ଗତ ତୁମର ପୁତ୍ର ଓ ବନ୍ଧୁମାନଙ୍କୁ ଦେଖିବାକୁ ପାଇପାରିବ-।’

 

ବ୍ୟାସଦେବଙ୍କ ମୁଖରୁ ଏପରି କଥା ଶୁଣି ଧୃତରାଷ୍ଟ୍ର ଓ ପାଣ୍ଡବଙ୍କ ସହ ସମସ୍ତ ବ୍ୟକ୍ତି ଅପୂର୍ବ କୌତୂହଳପରବଶ ହୋଇ ତତ୍‌କ୍ଷଣାତ୍ ଗଙ୍ଗାନଦୀ ଅଭିମୁଖେ ଯାତ୍ରା କଲେ ଓ ଉପଯୁକ୍ତ ସମୟରେ ଗଙ୍ଗା କୂଳରେ ପବିତ୍ର ଚିତ୍ତରେ ବସିରହିଲେ । ସଂଧ୍ୟା ଉପଗତ ହେବାମାତ୍ରେ ବ୍ୟାସଦେବ ଗଙ୍ଗାନଦୀ ମଧ୍ୟରେ ପ୍ରବେଶ କରି ସମର କ୍ଷେତ୍ରରେ କୁରୁ ପାଣ୍ଡବ ଉଭୟ ପକ୍ଷରୁ ନିହତ ହୋଇଥିବା ବ୍ୟକ୍ତିମାନଙ୍କୁ ଆହ୍ୱାନ କଲେ । ଆଶ୍ଚର୍ଯ୍ୟର କଥା, ବ୍ୟାସଦେବଙ୍କ ଆହ୍ୱାନ ମାତ୍ରେ ନଦୀର ଜଳ ମଧ୍ୟରୁ ଭୀଷ୍ମ, ଦ୍ରୋଣଙ୍କ ସହ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ, ଅଭିମନ୍ୟୁ, ଘଟୋତ୍କଚ, କର୍ଣ୍ଣ, ଶକୁନି, ଭୁରିଶ୍ରବା, ଶଲ୍ୟ ଓ ଅନ୍ୟମାନେ ନିଜ ନିଜ ରୂପରେ ଆବିର୍ଭୂତ ହେଲେ । ବ୍ୟାସଦେବ ତପବଳରେ ଧୃତରାଷ୍ଟ୍ରଙ୍କୁ ଦୃଷ୍ଟିଶକ୍ତି ଦାନ କରିବାରୁ ଅନ୍ୟମାନଙ୍କ ସହ ସେ ମଧ୍ୟ ପରଲୋକଗତ ବୀରମାନଙ୍କୁ ସ୍ୱଚକ୍ଷୁରେ ଦେଖିବାକୁ ସମର୍ଥ ହେଲେ । ସେହି ପରଲୋକଗତ ବୀରମାନେ ଆବିର୍ଭୂତ ହୋଇ ନିଜ ନିଜର ପ୍ରିୟ ପରିଜନଙ୍କ ସହ ମିଳିତ ହେଲେ ଓ ସମ୍ଭାଷଣ କରିବାକୁ ଲଗିଲେ । ପୁତ୍ରସହ ପିତାମାତାଙ୍କର; ପତ୍ନୀ ସହ ପତିର, ଭାଇ ସହ ଭାଇର, ବନ୍ଧୁ ସହ ବନ୍ଧୁର ସାକ୍ଷାତ ହେଲା-। ଏହିପରି ଭାବରେ ସେହି ରାତିଟି ପରମ ସୁଖରେ ଅତିବାହିତ ହୋଇଗଲା । ସକାଳ ହେବାମାତ୍ରେ ନିଜ ନିଜର ପ୍ରିୟ ପରଜନଙ୍କଠାରୁ ବିଦାୟ ନେଇ ପରଲୋକଗତ ବୀରମାନେ ବ୍ୟାସଦେବଙ୍କ ଅନୁମିତ କ୍ରମେ ଜଳମଧ୍ୟରେ ପ୍ରବେଶକରି ଆସିଥିବା ସ୍ଥାନକୁ ଫେରଗଲେ-

 

ସମବେତ ବିଧବା ରମଣୀମାନଙ୍କୁ ସମ୍ବୋଧନ କରି ବ୍ୟାସଦେବ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ସ୍ୱାମୀଙ୍କ ସହ ପତିଲୋକକୁ ଯିବାକୁ ଇଚ୍ଛା କରୁ ଅଛନ୍ତି, ଅବିଳମ୍ୱେ ଏହି ନଦୀରେ ଝାସ ଦେଲେ, ସେମାନଙ୍କର ସେହି ମନୋବାଞ୍ଛା ଅଚିରରେ ପୂର୍ଣ୍ଣ ହେବ ।’

 

ବ୍ୟାସଦେବଙ୍କର ଏହି କଥା ଶୁଣି ସମର ପ୍ରାଙ୍ଗଣରେ ନିହତ ହୋଇଥିବା ବୀରମାନଙ୍କର ବିଧବା ପତ୍ନୀଗଣ ଗଙ୍ଗାରେ ଝାସ ଦେଇ ଅମର ଲୋକକୁ ଯାତ୍ରା କରିଥିଲେ । ଏହି ସମସ୍ତ ଅଭୂତ କାର୍ଯ୍ୟଫଳରେ ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ ପ୍ରମୁଖଙ୍କ ମନରୁ ସମସ୍ତ ଶୋକ ଦୂରୀଭୂତ ହୋଇଥିଲା । ଏହାପରେ ଯୁଧିଷ୍ଠିର ପ୍ରମୁଖ ପାଣ୍ଡବଗଣ ନିଜ ରାଜ୍ୟକୁ ଫେରି ଆସିଥିଲେ ।

 

ଏହି ଘଟଣାର ବିହୁଦିନ ପରେ ଯୁଧିଷ୍ଠିରଙ୍କ ରାଜସଭାରେ ଦିନେ ଦେବର୍ଷି ନାରଦ ଉପସ୍ଥିତ ହୋଇ କହିଲେ, ‘ଗାନ୍ଧାରୀ, କୁନ୍ତୀ ଓ ଧୃତରାଷ୍ଟ୍ର ପ୍ରମୁଖ ଅତି କଠୋର ତପସ୍ୟା ଅବଲମ୍ବନ କରିବାରୁ ତାଙ୍କର ଶରୀର ଅତି କ୍ଷୀଣ ଓ ଦୁର୍ବଳ ହୋଇପଡ଼ିଥିଲା । ଗଙ୍ଗାନଦୀରୁ ସ୍ନାନକରି ସେମାନେ ଆସୁଥିବା ସମୟରେ ହଠାତ୍ ଅରଣ୍ୟରେ ଅଗ୍ନିଉତ୍ପାତ ଦେଖାଦେଲା । ଏବଂ ଚାହୁଁ ଚାହୁଁ ସମଗ୍ର ଅରଣ୍ୟ ଓ ଅରଣ୍ୟର ପଶୁପକ୍ଷୀଗଣ ଦଗ୍ଧୀଭୂତ ହେବାକୁ ଲାଗିଲେ । ସେହି ସ୍ଥାନ ତ୍ୟାଗ କରି ଯିବାର ସାମର୍ଥ୍ୟ ଧୃତରାଷ୍ଟ୍ର ପ୍ରମୁଖଙ୍କର ନଥିଲା । ତେଣୁ ଅଗ୍ନିକୁ ଭଗବାନ୍‌ଙ୍କର ଆଶୀର୍ବାଦ ବୋଲି ମନେକରି, ସେହି ଅଗ୍ନି ମଧ୍ୟରେ ଶାନ୍ତ ଚିତ୍ତରେ ତପସ୍ୟାରେ ଉପବେଶନ କରି ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀ ପ୍ରାଣତ୍ୟାଗ କରିଅଛନ୍ତି । ସଞ୍ଜୟଙ୍କ ମୁଖରୁ ଏ କଥା ଶ୍ରବଣକରି ଓ ଅରଣ୍ୟରେ ସେମାନଙ୍କ ଅବସ୍ଥା ସ୍ୱଚକ୍ଷୁରେ ଦର୍ଶନ କରି ତୁମକୁ ତାହା ଜଣାଇଲି । ସ୍ୱେଚ୍ଛାକୃତ ଭାବରେ ସେମାନେ ପ୍ରାଣତ୍ୟାଗ କରିଥିବାରୁ ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଶୋକ କରିବା ଅନୁଚିତ ।’

 

ଏହି ମୃତ୍ୟୁ ସମ୍ବାଦ ଯେ ପାଣ୍ଡବମାନଙ୍କୁ ବିଶେଷ ଭାବରେ ଶୋକାର୍ତ୍ତ କରିଥିଲା ଏହା କହିବା ନିଷ୍ପ୍ରୟୋଜନ ।

Image

 

କୃଷ୍ଣଙ୍କର ତିରୋଧାନ

 

କୃଷ୍ଣଙ୍କୁ ଦର୍ଶନ କରିବା ନିମନ୍ତେ ଦିନେ ବିଶ୍ୱାମିତ୍ର, କଣ୍ୱ, ନାରଦ ପ୍ରମୁଖ ମହର୍ଷିଗଣ ଦ୍ୱାରକାକୁ ଯାଇଥିବା ସମୟରେ କେତେଜଣ ଅପରିଣାମଦର୍ଶୀ ଯାଦବ ମହର୍ଷିମାନଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ କୃଷ୍ଣଙ୍କର ପୁତ୍ର ଶାମ୍ବଙ୍କୁ ନାରୀ ବେଶରେ ସଜ୍ଜିତ କରି କହିଲେ, ‘ହେ ମହର୍ଷି ଗଣ, ଏହି ରମଣୀ ମହାବୀର ବଭୁଙ୍କର ପତ୍ନୀ । ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ତାଙ୍କର ଗର୍ଭରୁ ପୁତ୍ର କିମ୍ୱା କନ୍ୟା କ’ଣ ଜାତହେବ, ଦୟାକରି ପ୍ରକାଶ କରି ତାଙ୍କର କୌତୂହଳ ଦୂର କରନ୍ତୁ ।’

 

ସର୍ବଦର୍ଶୀ ମହର୍ଷିମାନଙ୍କ ନିକଟରେ ଯାଦବମାନଙ୍କର ଏହି ପରିହାସମୂଳକ ଅସୌଜନ୍ୟ ବ୍ୟବହାର କଥା ଅଛପା ରହିଲା ନାହିଁ । ସେମାନେ କ୍ରୋଧପରବଶ ହୋଇ ସେହି ଯାଦବମାନଙ୍କୁ କହିଲେ, ଦୁବୃର୍ତ୍ତଗଣ, କୃଷ୍ଣଙ୍କର ଏହି ପୁତ୍ର ଶାମ୍ୱ, ଗୋଟିଏ ଲୌହମୂଷଳ ପ୍ରସବ କରିବେ ଓ ତାହା ବୃଷ୍ଣି, ଅନ୍ଧକ ଓ ଯାଦବ ଆଦି ତୁମ୍ଭମାନଙ୍କର ବଂଶର ସମୂହ ବିନାଶର କାରଣ ହେବ ।’

 

ଋଷିମାନେ ଏହା କହି କୃଷ୍ଣଙ୍କ ନିକଟକୁ ଗଲେ । ମହର୍ଷିମାନଙ୍କ ନିକଟରୁ ଏ ସମସ୍ତ କଥା ଶୁଣି ମଧ୍ୟ କୃଷ୍ଣ ସେହି ଅଭିଶାପର ନିରାକରଣ ନିମନ୍ତେ କିଛି ଉଦ୍ୟମ କଲେନାହିଁ । ତହିଁପର ଦିନ ସତକୁ ସତ ଶାମ୍ୱ ଗୋଟିଏ ଲୌହ ମୂଷଳ ପ୍ରସବ କଲେ । ଏହି ଆଶ୍ଚର୍ଯ୍ୟକର ଘଟଣା ରାଜା ଉଗ୍ରସେନଙ୍କ କର୍ଣ୍ଣପଥାରୁଢ଼ ହେବାରୁ ସେ ତତ୍‌କ୍ଷଣାତ୍ ସେହି ଲୌହ ମୂଷଳକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ସମୁଦ୍ର ଗର୍ଭରେ ନିକ୍ଷେପ କରି ଦେବାକୁ ଆଦେଶ ଦେଲେ ଏବଂ ତାହାହିଁ କରାଗଲା । ଆଗାମୀ ଦୁର୍ଯୋଗର ପୂର୍ବ ସୂଚନା ଭାବରେ ନାନାଦି ଅଶୁଭ ଦୃଶ୍ୟମାନ ଦେଖାଗଲା ଓ ଦ୍ୱାରକାବାସୀମାନେ ମଧ୍ୟ ନିଜ ନିଜର ଧର୍ମକର୍ମ ଭୁଲି ନାନା ପ୍ରକାରର ଦୁର୍ନୀତି, ପାପାଚରଣରେ ଲିପ୍ତ ରହିଲେ । କୁରୁକ୍ଷେତ୍ର ଯୁଦ୍ଧ ପରେ ଏହିପର ଭାବରେ ଛତିଶଟି ବର୍ଷ ଅତିବାହିତ ହୋଇଗଲା ।

 

ଦ୍ୱାରକାର ନିକଟରେ ପ୍ରଭାସ ତୀର୍ଥ ଅବସ୍ଥିତ । ଏହି ତୀର୍ଥ ଦର୍ଶନ ଉଦ୍ଦେଶ୍ୟରେ କୃଷ୍ଣ ଓ ଅନ୍ଧକବଂଶୀୟ ସମସ୍ତ ଯାଦବମାନେ ସପରିବାର ସେଠାକୁ ଗମନ କଲେ । ଯାଦବମାନଙ୍କର ଶେଷ ସମୟ ଉପସ୍ଥିତ ହୋଇଅଛି ଜାଣିପାରି କୃଷ୍ଣ ଓ ବଳରାମଙ୍କ ଅନୁମତିକ୍ରମେ ଉଦ୍ଧବ ସେ ସ୍ଥାନ ତ୍ୟାଗ କରି ଚାଲିଗଲେ ।

 

ମହର୍ଷିମାନଙ୍କର ଅଭିଶାପ ପରେ ଦ୍ୱାରକାବାସୀଙ୍କ ଜୀବନ ଉପରକୁ ମାଡ଼ିଆସୁଥିବା ମହା ଦୁର୍ଯ୍ୟୋଗରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କର ଜୀବନଯାତ୍ରା ଯେପରି ସଂଯମପୂର୍ଣ୍ଣ ହୁଏ, ସେହି ଉଦ୍ଦେଶ୍ୟରେ ଦ୍ୱାରକାବାସୀଙ୍କ ନିମନ୍ତେ ସୁରା ପ୍ରସ୍ତୁତ କରିବା ଓ ସେବନ କରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଗଯାଇଥିଲା; କିନ୍ତୁ ଯାଦବମାନେ ପ୍ରଭାସତୀର୍ଥରେ ଉପସ୍ଥିତ ହୋଇ ସେହି ନିଷେଧ-ଆଜ୍ଞାକୁ ଲଙ୍ଘନ କଲେ । ଅତ୍ୟଧିକ ସୁରାଆଦି ସେବନ କରି ସେମାନେ ଅତି ପ୍ରମତ୍ତ ହୋଇ ନିଜର ହିତାହିତ-ଜ୍ଞାନ ହରାଇ ବସିଲେ ଏବଂ ସେହି ସୁରାର ପ୍ରକୋପରେ ଯାଦବମାନେ ପରସ୍ପରଙ୍କ ସହ କଳହ କରିବାକୁ ଆରମ୍ଭ କରିଦେଲେ ।

 

ସାତ୍ୟକି ଉପହାସ କରି କୃତବର୍ମାଙ୍କୁ କହିଲେ, ‘କ୍ଷତ୍ରିୟମାନଙ୍କ ମଧ୍ୟରେ ତୁମପରି ନିର୍ଦ୍ଦୟ କେହି ନାହିଁ । ନିଦ୍ରିତ ଅବସ୍ଥାରେ ଶତ୍ରୁମାନଙ୍କୁ ବିନାଶ କରିବାର ଯେଉଁ କଳଙ୍କମୟ ଇତିହାସ ତୁମେ ସୃଷ୍ଟି କରିଗଲ, ତାକୁ ଯାଦବମାନେ କେବେହେଲେ କ୍ଷମା କରିବେ ନାହିଁ ।’

 

କୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ ମଧ୍ୟ ସାତ୍ୟକିଙ୍କ କଥାକୁ ସମର୍ଥନ କରି କୃତବଙ୍କୁ ଅର୍ମାପମାନିତ କଲେ ।

 

କୃତବର୍ମା କ୍ରୋଧାନ୍ୱିତ ହୋଇ କହିଲେ, ସାତ୍ୟକି ! ତୁମେ କେଉଁ ବୀରୋଚିତ କାର୍ଯ୍ୟ କରିଛ, ଶୁଣେ ? ମହାରାଜ ଭୁରିଶ୍ରବା ଯୁଦ୍ଧରେ ଛିନ୍ନବାହୁ ହୋଇ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଥିବା ସମୟରେ ତୁମେ ତାଙ୍କୁ ସଂହାର କରିଅଛି । ଏହି ତ ତୁମ ବୀରତ୍ୱ ? ତେଣୁ ନିଜକୁ ନିର୍ଦ୍ଦୟ ନ କହି ମୋତେ ନିର୍ଦ୍ଦୟ ବୋଲି ଅଭିଯୁକ୍ତ କରିବା ତୁମ ପକ୍ଷରେ ଶୋପାଏନାହିଁ ।’

 

ଏହିପରି ଭାବରେ ଯାଦବମାନଙ୍କ ମଧ୍ୟରେ କଳହ ଅତି ପ୍ରବଳ ହୋଇଉଠିଲା । ସାତ୍ୟକ ଅତି ଉତ୍ତ୍ୟକ୍ତ ହୋଇ କହିଲେ, ‘ଏହି ଦୁରାତ୍ମା, କୃତବର୍ମା ନିଦ୍ରିତ ଅବସ୍ଥାରେ ଦ୍ରୌପଦୀଙ୍କ ପାଞ୍ଚପୁତ୍ର, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ ପ୍ରମୁଖଙ୍କୁ ହତ୍ୟାକରି ଯେଉଁ ଅପରାଧ କରିଅଛି, ମୃତ୍ୟୁ ହିଁ ତା’ର ସମୁଚିତ ଶାସ୍ତି ।’

 

ଏହାକହି ଖଡ଼୍‍ଗରେ ଚାହୁଁ ଚାହୁଁ କୃତବର୍ମାର ମସ୍ତକକୁ ସାତ୍ୟକି ଛିନ୍ନ କରିଦେଲେ । ସାତ୍ୟକିଙ୍କର ଏପରି ଆକସ୍ମିକ କାର୍ଯ୍ୟରେ ଉତ୍ତେଜିତ ହୋଇ କେତେଜଣ ସାତ୍ୟକଙ୍କୁ ଘେରିଗଲେ । ଉଭୟ ପକ୍ଷଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଆରମ୍ଭ ହୋଇଗଲି । ଫଳରେ ପରସ୍ପରଙ୍କ କଳହ ଓ ଆଘାତ ଯୋଗୁ ସମସ୍ତ ଯାଦବବୀର କ୍ଷଣକ ମଧ୍ୟରେ ମୃତ୍ୟୁମୁଖରେ ପତିତ ହେଲେ । ନିଜର ସମଗ୍ର ପ୍ରିୟପରଜନ ଜ୍ଞାତିଙ୍କର ମୃତ୍ୟୁ ଦର୍ଶନରେ କାଳର ଉଦ୍ଦେଶ୍ୟ ଉପଲବ୍ଧି କରି କୃଷ୍ଣ ସେହି ସ୍ଥାନ ତ୍ୟାଗକରି ବଳରାମଙ୍କ ନିକଟକୁ ଗମନ କଲେ ।

 

ବଳରାମ ଏକ ନିର୍ଜନ ସ୍ଥାନରେ ଏକ ବୃକ୍ଷମୂଳରେ ତପସ୍ୟାରତ ଅବସ୍ଥାରେ ଉପବେଶନ କରିଥିଲେ । ତାହା ଦର୍ଶନ କରି କୃଷ୍ଣ ନିଜର ସାରଥି ଦାରୁକଙ୍କୁ କହିଲେ, ‘ହେ ସାରଥି, ତୁମେ ଅତି ଶିଘ୍ର ହସ୍ତିନାକୁ ଯାଇ ଯାଦବ ବୀରମାନଙ୍କର ଏହି ଅକାଳ ମୃତ୍ୟୁର କଥା ଅର୍ଜ୍ଜୁନଙ୍କ ନିକଟରେ ଜ୍ଞାପନ କର ଓ ସେ ଯେପରି ଅବିଳମ୍ବେ ଦ୍ୱାରକାକୁ ଆସିବେ ତହିଁର ବ୍ୟବସ୍ଥା କର ।’

 

କୃଷ୍ଣଙ୍କ ନିର୍ଦ୍ଦେଶାନୁସାରେ ଦାରୁକ ଚାଲିଯିବା ପରେ କୃଷ୍ଣ ଦ୍ୱାରକାକୁ ଆସି ବୃଦ୍ଧ ପିତା ବସୁଦେବଙ୍କୁ କହିଲେ, ‘ଅର୍ଜ୍ଜୁନଙ୍କର ଆସିବା ପର୍ଯ୍ୟନ୍ତ ଆପଣ ଅନ୍ତଃପୁରର ରମଣୀମାନଙ୍କୁ ରକ୍ଷା କରନ୍ତୁ । ଜ୍ୟେଷ୍ଠଭ୍ରାତା ବଳରାମ ଅରଣ୍ୟରେ ମୋତେ ଅପେକ୍ଷା କରି ଅଛନ୍ତି, ତେଣୁ ମୁଁ ବର୍ତ୍ତମାନ ତାଙ୍କ ନିକଟକୁ ଯାଉଅଛି । କୁରୁକ୍ଷେତ୍ର ଯୁଦ୍ଧରେ କୌରବ ଓ ଅନ୍ୟ ବୀରମାନଙ୍କର ବିନାଶ ଦେଖିଥିଲି; ବର୍ତ୍ତମାନ ଆମର ଏହି ଯଦୁବଂଶର ସମୁହ ବିନାଶ ମୋତେ ଦେଖିବାକୁ ପଡ଼ିଲା । ଏପରି ଅବସ୍ଥାରେ ଅରଣ୍ୟରେ ବଳରାମଙ୍କ ସହିତ ତପସ୍ୟାରତ ହେବାକୁ ଇଚ୍ଛା କରିଅଛି ।’

 

କୃଷ୍ଣ ଏହିପରି କହି ବସୁଦେବଙ୍କୁ ପ୍ରଣାମ କରି ଅରଣ୍ୟ ଉଦ୍ଦେଶ୍ୟରେ ଚାଲିଗଲେ । ବଳରାମଙ୍କ ନିକଟକୁ ଯାଇ କୃଷ୍ଣ ଦେଖିଲେ ଯେ, ଗଭୀର ତପସ୍ୟାରେ ବଳରାମ ଉପବେଶନ କରିଥିବା ସମୟରେ ତାଙ୍କର ମୁଖମଣ୍ଡଳରୁ ବୃହତ୍‌କାୟ ଶ୍ୱେତବର୍ଣ୍ଣର ସର୍ପ ବିନିର୍ଗତ ହୋଇ ସମୁଦ୍ର ଆଡ଼କୁ ଚାଲିଲା ଓ ତଦ୍ଦ୍ୱାରା ବଳଦେବଙ୍କର ଦେହ ପ୍ରାଣଶୂନ୍ୟ ହୋଇପଡ଼ିଲା । ବଳରାମଙ୍କୁ ଏହିପରି ଭାବରେ ଦେହତ୍ୟାଗ କରିବାର ଲକ୍ଷ୍ୟ କରି କୃଷ୍ଣ କାଳର ନିର୍ଦ୍ଦେଶ ଅନୁଭବ କଲେ । ମର୍ତ୍ତ୍ୟଲୋକ ତ୍ୟାଗ କରିବାର ସମୟ ଉପସ୍ଥିତ ହୋଇଅଛି ଭାବି କୃଷ୍ଣ ସେହି ଅରଣ୍ୟର ଏକ ପ୍ରାନ୍ତରେ ଗଭୀର ଯୋଗାସନ ଅବଲମ୍ୱନ କରି ଶୟନ କଲେ । ସେହି ଅରଣ୍ୟରେ ଜାରା ନାମକ ଏକ ଶବର ଶିକାର ଅନ୍ୱେଷଣରେ ଭ୍ରମଣ କରୁଥିଲା । ଦୂରରୁ ବୃକ୍ଷଲତା ଆଢ଼ୁଆଳରେ ଶୟନ କରିଥିବା କୃଷ୍ଣଙ୍କୁ ଏକ ମୃଗ ବୋଲି ବିଚାର କରି ଶରନିକ୍ଷେପ କରିବାରୁ କୃଷ୍ଣଙ୍କର ଇହଲୀଳା ସେହିଠାରେ ସମାପ୍ତ ହେଲା ।

 

ଏଣେ ଦାରୁକଙ୍କଠାରୁ ସମସ୍ତକଥା ଶ୍ରବଣ କରି ଅର୍ଜ୍ଜୁନ ତତ୍‌କ୍ଷଣାତ୍‌ ଦ୍ୱାରକାକୁ ଆସି ଘଟିଥିବା ସେହି ଭୟାନକ ଦୁର୍ଘଟଣା ଓ ପତିପୁତ୍ରବିହୀନ ରମଣୀମାନଙ୍କର ଆର୍ତ୍ତକ୍ରନ୍ଦନରେ ଏକାବେଳକେ ଭାଙ୍ଗି ପଡ଼ିଲେ ।

 

ବୃଦ୍ଧ ବସୁଦେବ କହିଲେ, ‘ଅର୍ଜ୍ଜୁନ, ଯେଉଁ ଯାଦବମାନଙ୍କର କୀର୍ତ୍ତୀ ଏହି ବଂଶକୁ ମହୀୟାନ କରିଥିଲା, ସେହିମାନଙ୍କର ଅପରିଣାମଦର୍ଶୀ କାର୍ଯ୍ୟ ଓ ବ୍ରହ୍ମଶାପ ଫଳରେ ଏହି ବିରାଟ ଐଶ୍ୱର୍ଯ୍ୟମଣ୍ଡିତ ଯାଦବକୁଳ ସମୂଳେ ଧ୍ୱଂସପ୍ରାପ୍ତ ହୋଇଅଛି । ଯେଉଁ କୃଷ୍ଣ ଦିନେ କେଶୀ, କଂସ, ଶିଶୁପାଳ ପ୍ରମୁଖ ବୀରମାନଙ୍କୁ ସଂହାର କରିଥିଲେ, ଦେବର୍ଷି ନାରଦ ପ୍ରମୁଖଙ୍କଠାରୁ ଆରମ୍ଭ କରି ତୁମ୍ଭେମାନେ ଯାହାଙ୍କୁ ସନାତନ ଦେବ ବୋଲି ପୂଜାକରି ଆସୁଥିଲ, ଅଶ୍ୱତ୍‌ଥାମାଙ୍କର ବ୍ରହ୍ମଶାପରେ ନିହତ ହୋଇଥିବା ପରୀକ୍ଷିତଙ୍କୁ ଯେଉଁ କୃଷ୍ଣ ପୁନର୍ଜୀବନ ଦାନ କରିଅଛନ୍ତି, ଆଜି ସେହି କୃଷ୍ଣ ନିଜର ପୁତ୍ର ପୌତ୍ର ପ୍ରିୟ ପରିଜନମାନଙ୍କ ସହ ସମଗ୍ର ଯଦୁକୁଳ ଧ୍ୱଂସପ୍ରାପ୍ତ ହେଉଅଛି ଦେଖି ମଧ୍ୟ ତହିଁର ନିରାକରଣ ନିମନ୍ତେ କୌଣସି ଚେଷ୍ଟା କଲେନାହିଁ । ତେଣୁ ବୁଝୁଛି, ଗାନ୍ଧାରୀ ଓ ବ୍ରହ୍ମର୍ଷିମାନଙ୍କର ଅଭିଶାପକୁ ଅନ୍ୟଥା ନ କରିବା ପାଇଁ ସେ ଜାଣି ଜାଣି ଏ ଦୁର୍ଘଟଣାକୁ ଉପେକ୍ଷା କରିଅଛନ୍ତି । ତୁମେ ଆସି ଏହି ଅନାଥ ଶିଶୁ ଓ ପତିପୁତ୍ର ଶୂନ୍ୟା ରମଣୀମାନଙ୍କୁ ରକ୍ଷା କରିବ ବୋଲି କୃଷ୍ଣ ମୋତେ କହିଦେଇ କେଉଁଆଡ଼େ ଚାଲିଗଲେ, ମୁଁ ଜାଣେନା । କୃଷ୍ଣ, ବଳରାମ ଓ ଜ୍ଞାତିମାନଙ୍କୁ ସ୍ମରଣ କରି ମୁଁ ଏହି କେତେଦିନ ହେଲା ଆହାର ଓ ନିଦ୍ରା ପରିତ୍ୟାଗ କରି କେବଳ ତୁମକୁହିଁ ଅପେକ୍ଷା କରିଥିଲି । ତୁମେ ଆସିଛ, ଆନନ୍ଦର କଥା । ବର୍ତ୍ତମାନ ଏହି ରାଜ୍ୟ, ଅଗଣିତ ଶିଶୁ ଓ ସହାୟଶୂନ୍ୟ ରମଣୀମାନଙ୍କର ରକ୍ଷଣାବେକ୍ଷଣର ଦାୟିତ୍ୱ ବହନକର । ମୁଁ ବର୍ତ୍ତମାନ ମୋର ଇହଲୀଳା ସମ୍ୱରଣ କରିବି ।’’

 

ଏହା ପରେ ସେହି ରାତ୍ରିରେ ବସୁଦେବଙ୍କର ମହାପ୍ରୟାଣ ହୋଇଗଲା ଏବଂ ବସୁଦେବଙ୍କର ଚିତାରେ ଦେବକୀ, ଭଦ୍ରା, ରୋହିଣୀ ଓ ମଦିରା ନାମ୍ନୀ ତାଙ୍କର ଚାରିପତ୍ନୀ ଝାସ ଦେଇଥିଲେ । ଅର୍ଜ୍ଜୁନ ଅନ୍ୟାନ୍ୟ ଯାଦବମାନଙ୍କର ଶବ ଦାହକାର୍ଯ୍ୟ ସମାପନ କରି ଯାଦବରମଣୀ ଓ ବାଳକମାନଙ୍କୁ ସଙ୍ଗରେ ନେଇ ହସ୍ତିନାପୁର ଅଭିମୁଖେ ଯାତ୍ରାକଲେ । ଦ୍ୱାରକାପୁରକୁ ପରିତ୍ୟାଗ କରି ଚାଲିଆସିବା ମାତ୍ରେ ସମଗ୍ର ଦ୍ୱାରକାନଗର ସମୁଦ୍ର ମଧ୍ୟରେ ଲୀନ ହୋଇଗଲା । ବାଟରେ ଆସୁଥିବା ସମୟରେ ଅର୍ଥ ଲୋଭରେ କେତେଗୁଡ଼ିଏ ଦସ୍ୟୁ ସେମାନଙ୍କୁ ଆକ୍ରମଣ କଲେ । କିନ୍ତୁ ଭାଗ୍ୟର କି ବିଡ଼ମ୍ବନା, ମହାବୀର ଅର୍ଜ୍ଜୁନ ଚେଷ୍ଟାକରି ମଧ୍ୟ ଦସ୍ୟୁମାନଙ୍କ ହସ୍ତରୁ ରମଣୀ ଓ ସେମାନଙ୍କର ଧନରତ୍ନକୁ ରକ୍ଷା କରିପାରିଲେ ନାହଁ । ଅର୍ଜ୍ଜୁନଙ୍କର ଦୃଷ୍ଟି ସମ୍ମୁଖରେ ଦସ୍ୟୁମାନେ ସୁନ୍ଦରୀ ସ୍ତ୍ରୀ ଓ ଅଜସ୍ର ଧନରତ୍ନ ଅପହରଣ କରିନେଇ ପଳାୟନ କଲେ ।

 

ନିଜର ପରାକ୍ରମର ଏପରି ଅଭାବନୀୟ ବ୍ୟର୍ଥତା ଲକ୍ଷ୍ୟକରି ଅର୍ଜ୍ଜୁନଙ୍କର ଲଜ୍ଜାର ସୀମା ରହିଲା ନାହିଁ । ପରେ ସେ ବ୍ୟାସଦେବଙ୍କୁ ସାକ୍ଷାତକରି ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ବ୍ୟାସଦେବ କହିଲେ, ‘‘ଅର୍ଜ୍ଜୁନ, କୃଷ୍ଣ ଓ ଅନ୍ଧକମାନଙ୍କର ବିନାଶ ଯେ ବ୍ରହ୍ମଶାପ ଫଳରେ ଅବଶ୍ୟମ୍ଭାବୀ ଏକଥା ଭଳଭାବରେ ଜାଣି ମଧ୍ୟ ଏବଂ ତହିଁର ନିରାକରଣ କରିବାର ସମସ୍ତ ସାମର୍ଥ୍ୟ ଥିଲେ ମଧ୍ୟ କୃଷ୍ଣ ସେମାନଙ୍କୁ ରକ୍ଷାକରିବାକୁ ଇଚ୍ଛା କଲେନାହିଁ । ପୃଥିବୀର ଭାର ଲାଘବ କରିବା ଉଦ୍ଦେଶ୍ୟରେ କୃଷ୍ଣ ଅବତାର ଗ୍ରହଣ କରିଥିଲେ ଏବଂ ତାଙ୍କର ସେହି କାର୍ଯ୍ୟ ସୁସମ୍ପନ୍ନ ହୋଇଥିବାରୁ ସେ ଇହଲୀଳା ସାଙ୍ଗ କରି ସ୍ଵସ୍ଥାନକୁ ପ୍ରସ୍ଥାନ କରିଅଛନ୍ତି । ତୁମ୍ଭେ ପାଣ୍ଡବମାନେ ଭଗବାନଙ୍କର ସେହି ଇଚ୍ଛା ଓ କାର୍ଯ୍ୟକୁ ପୂର୍ଣ୍ଣ କରିଅଛି, ତେଣୁ ଇହଲୋକରେ ତୁମ୍ଭମାନଙ୍କର କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି । ଶ୍ରୀ ଓ ବିଜୟ ଲାଭର ସମୟ ଉପସ୍ଥିତ ହେଲେ ସଦ୍‌ଜ୍ଞାନ, ପରାକ୍ରମ ଓ ଦୂରଦୃଷ୍ଟି ମନୁଷ୍ୟ ଲାଭକରେ ଓ ବିନାଶର ସମୟ ଉପସ୍ଥିତ ହେଲେ ସେ ସବୁର ବିଲୋପ ସାଧିତ ହୋଇଥାଏ, କାରଣ କାଳହିଁ ଜଗତର ମୂଳପିଣ୍ଡ । ଉତ୍ପତ୍ତି ଓ ବିନାଶ ଏହି କାଳର ପ୍ରଭାବରେ ହିଁ ସମ୍ଭବ ହୋଇଥାଏ । ତୁମର ପରାକ୍ରମ ଓ ଅସ୍ତ୍ରର କାର୍ଯ୍ୟ ଶେଷ ହୋଇଥିବାରୁ, ଯେଉଁ ସ୍ଥାନକୁ ସେହି ଶକ୍ତିସବୁ ଆସିଥିଲା, ସେହି ସ୍ଥାନକୁ ସେସବୁ ତିରୋହିତ ହୋଇଅଛି । ଇହଧାମରେ ତୁମ୍ଭମାନଙ୍କର କାର୍ଯ୍ୟ ଶେଷ ହୋଇଥିବାରୁ, ଇହଲୀଳା ସମାପ୍ତ କରିବା ବିଷୟରେ ବର୍ତ୍ତମାନ ତୁମ୍ଭମାନଙ୍କର ଯତ୍ନବାନ ହେବାହିଁ ବିଧେୟ ।’’

 

ମହର୍ଷି ବ୍ୟାସଦେବଙ୍କଠାରୁ ଏହିକଥା ଶୁଣି ଅର୍ଜ୍ଜୁନ ହସ୍ତିନାକୁ ଫେରିଆସି ବ୍ୟାସଦେବଙ୍କଠାରୁ ଏହିକଥା ଶୁଣି ହସ୍ତିନାକୁ ଫେରିଆସି ଧର୍ମରାଜ ଯୁଧିଷ୍ଠିରଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କଲେ ।

Image

 

ମହାପ୍ରସ୍ଥାନ

 

ଅର୍ଜ୍ଜୁନଙ୍କଠାରୁ ସମସ୍ତ କଥା ଶ୍ରବଣକରି ଧର୍ମରାଜ ଯୁଧିଷ୍ଠିର ଭାଇମାନଙ୍କ ସହ ରାଜ୍ୟତ୍ୟାଗ ଓ ଇହଲୀଳା ସମାପ୍ତକରି ମହାପ୍ରସ୍ଥାନ କରିବାକୁ ସ୍ଥିର କଲେ । ମହାପ୍ରସ୍ଥାନ କରିବା ପୂର୍ବରୁ ପରୀକ୍ଷିତଙ୍କୁ ରାଜ ସିଂହାସନରେ ଅଭିଷିକ୍ତ କରି ସୁଭଦ୍ରାଙ୍କୁ ଯୁଧିଷ୍ଠିର କହିଲେ,’’ଭଦ୍ରେ ! ଅଭିମନ୍ୟୁର ପୁତ୍ର ପରୀକ୍ଷିତ ବର୍ତ୍ତମାନ ରାଜପଦରେ ଅଭିଷିକ୍ତ ହେଲେ ଏବଂ ତହିଁପୂର୍ବରୁ କୃଷ୍ଣଙ୍କର ପୌତ୍ର ବଜ୍ର ଇନ୍ଦ୍ରପ୍ରସ୍ଥର ସିଂହାସନରେ ଅଭିଷିକ୍ତ ହୋଇଅଛନ୍ତି । ବଜ୍ର ଓ ପରୀକ୍ଷିତ ଅତି ବାଳକ ଥିବାରୁ ତୁମେ ଉଭୟଙ୍କ ପ୍ରତି ସମଦୃଷ୍ଟି ପୋଷଣ କରି ସେମାନଙ୍କୁ ରକ୍ଷା କର ।’’

 

ସୁଭଦ୍ରାଙ୍କୁ ଏହିପରି କହି ଭାଇମାନଙ୍କ ସହ ଯୁଧିଷ୍ଠିର, କୃଷ୍ଣ, ବଳରାମ, ବସୁଦେବ ପ୍ରମୁଖ କୃଷ୍ଣ ବଂଶୀୟମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧାଦି କାର୍ଯ୍ୟ ସମ୍ପନ କରି ବ୍ୟାସଦେବ, ନାରଦ, ମାର୍କଣ୍ଡେୟ, ଯାଜ୍ଞବଲ୍‌କ୍ୟ ପ୍ରମୁଖଙ୍କୁ ଭୋଜନାଦିଦ୍ୱାରା ବିଶେଷ ସମାଦର ଓ ବିବିଧ ଦାନାଦିଦ୍ୱାରା ସମ୍ମାନିତ କରିଥିଲେ ।

 

କୃପାଚାର୍ଯ୍ୟଙ୍କ ହସ୍ତରେ ପରୀକ୍ଷିତଙ୍କର ଶିକ୍ଷାଦିର ଦାୟିତ୍ୱ ସମର୍ପଣକରି ଓ ପ୍ରଜାମାନଙ୍କଠାରୁ ବିଦାୟ ଗ୍ରହଣକରି ପତ୍ନୀ ଦ୍ରୌପଦୀ ଓ ଭାଇମାନଙ୍କସହ ଯୁଧିଷ୍ଠିର ବଳ୍‌କଳ ଧାରଣକରି ରାଜନଗର ପରିତ୍ୟାଗ କଲେ । ପାଣ୍ଡବମାନେ ଦ୍ରୌପଦୀଙ୍କ ସହିତ ଉପବାସ ବ୍ରତ ଗ୍ରହଣକରି ପୃଥିବୀର ବହୁସ୍ଥାନ ଭ୍ରମଣ କରିବାକୁ ଲାଗିଲେ । ବଡ଼ ଆଶ୍ଚର୍ଯ୍ୟର କଥା ପାଣ୍ଡବ ମାନେ ବିଭିନ୍ନ ସ୍ଥାନ ଭ୍ରମଣକଲାବେଳେ ସେମାନଙ୍କର ପଛେ ପଛେ ଗୋଟିଏ କୁକୁର ସଦାସର୍ବଦା ଅନୁଧାନ କରିବାକୁ ଲାଗିଲା । ପାଣ୍ଡବମାନେ ସମସ୍ତ ତ୍ୟାଗ କରିଥିଲେ ମଧ୍ୟ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ସେତେବେଳେ ପର୍ଯ୍ୟନ୍ତ ନିଜର ଗାଣ୍ଡୀବ ଧନୁ ଓ ଅକ୍ଷୟ ତୂଣୀର ତ୍ୟାଗକରି ନଥିଲେ । ପଥ ମଧ୍ୟରେ ଯାଉଥିବା ସମୟରେ ଭଗବାନ ଅଗ୍ନି ସେମାନଙ୍କ ସମ୍ମୁଖରେ ଆବିର୍ଭୂତ ହୋଇକହିଲେ,’ପାଣ୍ଡବଗଣ, ମୁଁ ଅଗ୍ନି । ଅର୍ଜ୍ଜୁନଙ୍କର ଏହି ଧନୁଶରରେ ଆଉ କୌଣସି ପ୍ରୟୋଜନ ନାହିଁ । କୃଷ୍ଣ ତାଙ୍କର ଚିତ୍ର ପରିତ୍ୟାଗ କରିଅଛନ୍ତି, ବର୍ତ୍ତମାନ ଅର୍ଜ୍ଜୁନ ମଧ୍ୟ ତାଙ୍କର ଧନୁଶର ପରିତ୍ୟାଗ କରନ୍ତୁ ।’’

 

ଅଗ୍ନିଙ୍କର କଥା ଶୁଣି ଅର୍ଜ୍ଜୁନ ନିଜର ଧନୁଶର ତ୍ୟାଗ କରିବାକୁ ବାଧ୍ୟ ହେଲେ । ପାଣ୍ଡବମାନେ ସମସ୍ତ ପୃଥିବୀ କରିକ୍ରମା କରି ଅବଶେଷରେ ହିମାଳୟ ନିକଟରେ ଉପସ୍ଥିତ ହେଲେ-। ହିମାଳୟର ଉତ୍ତୁଙ୍ଗ ଗିରି ପ୍ରଦେଶ ଅତିକ୍ରମ କରି ଉପରକୁ ଯାଉଥିବା ସମୟରେ, ଦ୍ରୌପଦୀ ପଥ ଅତିକ୍ରମ କରିବାକୁ ଅସମର୍ଥ ହୋଇତଳେ ପଡ଼ିଗଲେ । ଭୀମସେମ ଦ୍ରୌପଦୀଙ୍କୁ ପଡ଼ିଯିବାର ଦେଖି ଯୁଧିଷ୍ଠିରଙ୍କୁ ପଚାରିଲେ,’’ମହାରାଜ, ରାଜକନ୍ୟା ଦ୍ରୌପଦୀ ତ କୌଣସି ଅଧର୍ମାଚରଣ କରିନାହାନ୍ତି, ତେବେ ସେ ପଥମଧ୍ୟରେ ଏପରି ପଡ଼ିଗଲେ କାହିଁକି ?’’

 

ଯୁଧିଷ୍ଠିର କହିଲେ,‘‘ଭାଇ, ସେ ଆମ ସମସ୍ତଙ୍କର ପତ୍ନୀ ହେଲେ ମଧ୍ୟ ଅର୍ଜ୍ଜୁନଙ୍କ ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିଲା;ତେଣୁ ସେହି ପକ୍ଷପାତିତ୍ୱ ଯୋଗୁ ତାଙ୍କର ଏପରି ପତନ ହେଲା-।’’ ଏହାକହି ଦ୍ରୌପଦୀଙ୍କ ପ୍ରତି ଦୃଷ୍ଟିପାତ ନ କରି ପ୍ରଶାନ୍ତମନରେ ଯୁଧିଷ୍ଠିର ଆଗେଇ ଚାଲିଲେ-

 

କିଛି ବାଟ ଗଲାପରେ ସହଦେବ ଆଉ ଚାଲିନପାରି ତଳେ ପଡ଼ିଗଲେ । ସହଦେବଙ୍କୁ ପଡ଼ିଯିବାର ଦେଖି ଭୀମସେନ ଯୁଧିଷ୍ଠିରଙ୍କୁ ପଚାରିଲେ,‘‘ମହାରାଜ, ଆମର କନିଷ୍ଠଭ୍ରାତା ଏହି ସହଦେବ ଯେପରି ଗର୍ବଶୂନ୍ୟ ସେହିପରି ଆମ୍ଭମାନଙ୍କର ସେବାରେ ଅତି ଅନୁରକ୍ତ ଥିଲେ । ତାଙ୍କର ଏପରି ପଥ ମଧ୍ୟରେ ପଡ଼ିଯିବାର କାରଣ କ’ଣ ?’’

 

ଯୁଧିଷ୍ଠିର କହିଲେ, ‘‘ଭାଇ, ସହଦେବ ନିଜକୁ ଅତି ବିଜ୍ଞ ବୋଲି ଭାବୁଥିବାରୁ, ତାଙ୍କର ଏପରି ପତନ ଘଟିଲା ।’’ଏହା କହି ସହଦେବଙ୍କ ପ୍ରତି ଦୃଷ୍ଟି ନିକ୍ଷେପ ନକରି ପୂର୍ବପରି ଆଗେଇ ଚାଲିଲେ ।

 

କିଛି ବାଟ ଯିବାପରେ ନକୁଳଙ୍କର ପତନ ଘଟିଲା ।

 

ଭୀମସେନ ପଚାରିଲା,’‘ମହାରାଜ, ନକୁଳ ଅତି ଧାର୍ମିକ ଓ ଆମ୍ଭମାନଙ୍କର ଅତି ଆଜ୍ଞାଧୀନ ଥିଲେ । ସେ କି ପାପଫଳରେ ଏପରି ପଥ ମଧ୍ୟରେ ପଡ଼ିଗଲେ ?’’

 

ଯୁଧିଷ୍ଠିର କହିଲେ, ‘‘ଭାଇ, ତାଙ୍କ ପରି କେହି ରୂପବାନ ଆଉ ନାହାନ୍ତି ବୋଲି ନକୁଳଙ୍କ ମନରେ ସବୁବେଳେ ଅହଙ୍କାର ରହିଥିଲା, ସେଥିପାଇଁ ତାଙ୍କର ଏପରି ପତନ ଘଟିଛି ।’’ଏହା କହି ନକୁଳଙ୍କ ପ୍ରତି ଦୃଷ୍ଟିପାତ ନକରି ଯୁଧିଷ୍ଠିର ଆଗେଇ ଚାଲିଲେ ।

 

ଏହିପରି ଆଉ କିଛିବାଟ ଗଲାପରେ ମହାବୀର ଅର୍ଜ୍ଜୁନଙ୍କର ପତନ ଘଟିଲା । ଭୀମସେନ ଯୁଧିଷ୍ଠିରଙ୍କ ପଛେ ପଛେ ଯାଉଥିଲେ, ତେଣୁ ପ୍ରଶ୍ନ କଲେ,‘‘ମହାରାଜ, ମହାତ୍ମା ଅର୍ଜ୍ଜୁନ ଜୀବନରେ କେବେହେଲେ, ଏପରିକି ପରିହାସରେ ମଧ୍ୟ ମିଥ୍ୟା କଥା କହି ନାହାନ୍ତି । ତାଙ୍କର ଏପରି ପତନ ଘଟିବାର କାରଣ କ’ଣ ?’’

 

ଯୁଧିଷ୍ଠିର କହିଲେ, ‘ଭାଇ, ମହାବୀର ବୋଲି ଅର୍ଜ୍ଜୁନଙ୍କର ମନରେ ବଡ଼ ଅହଙ୍କାର ଥିଲା ଏବଂ ତଦ୍ଦ୍ୱାରା ସେ ଅନ୍ୟ ଏନୁର୍ଦ୍ଧରମାନଙ୍କୁ ଅବଜ୍ଞା କରୁଥିଲେ । ସେଥିପାଇଁ ପଥ ମଧ୍ୟରେ ତାଙ୍କର ଏପରି ପତନ ଘଟିଲା ।’

ଏହାକହି ପୁର୍ବପରି ପଛକୁ ନ ଚାହିଁ ଯୁଧିଷ୍ଠିର ଯିବାକୁ ଲାଗିଲେ । ଅର୍ଜ୍ଜୁନଙ୍କ ପତନ ପରେ ସେହି ହିମାଳୟର ଦୁର୍ଗମ ଅଞ୍ଚଳରେ ଯୁଧିଷ୍ଠିର ଓ ଭୀମସେନଙ୍କ ସହ ରାଜନଗରରୁ ସଙ୍ଗରେ ଆସିଥିବା ସେହି କୁକୁରଟି ଯାଉଥାଏ । କିଛି ବାଟ ପର୍ବତ ଉପରେ ଯିବାପରେ ଭୀମସେନ ଆଉ ଆଗକୁ ଯିବାକୁ ଅସମର୍ଥ ହୋଇପଥ ମଧ୍ୟରେ ତଳେ ପଡ଼ିଗଲେ । ସେହି ପତିତ ଅବସ୍ଥାରେ ଥାଇ ଭୀମସେନ ଉଚ୍ଚ ସ୍ୱରରେ ଚିତ୍କାର କରି ଆଗେଇ ଯାଉଥିବା ଯୁଧିଷ୍ଠିର ପଚାରିଲେ,’ମହାରାଜ, ମୁଁ ଆପଣଙ୍କର ଅତି ପ୍ରିୟ । ଆଜି କେଉଁ ଅପରାଧ ଫଳରେ ଆପଣଙ୍କ ସହ ଯିବାର ସୌଭାଗ୍ୟରୁ ବଞ୍ଚିତ ହୋଇପଥ ମଧ୍ୟରେ ଏପରି ନିପତିତ ହେଲି ?’

ଧର୍ମରାଜ ଯୁଧିଷ୍ଠିର କହିଲେ,’ ଭାଇ, ଅନ୍ୟକୁ ଆହାର ପ୍ରଦାନ ନକରି ତୁମେ ସମସ୍ତ ଖାଦ୍ୟ ନିଜେହିଁ ଭକ୍ଷଣ କରୁଥିଲେ ଏବଂ ନିଜକୁ ସବୁ ଠାରୁ ବଡ଼ ବୀର ବୋଲି ଜ୍ଞାନ କରି ଗର୍ବ କରୁଥିଲେ ବୋଲି ଆଜି ତୁମକୁ ଏହିପରି ଫଳ ଭୋଗ କରିବାକୁ ପଡ଼ିଲା ।’ ଏହା କହି ଭୀମ ସେନାଙ୍କ ପ୍ରତି ଦୃଷ୍ଟିପାତ ନକରି ପୂର୍ବପରି ଆଗକୁ ଅଗ୍ରସର ହେଲେ । ବଡ଼ ଆଶ୍ଚର୍ଯ୍ୟର କଥା, ସେହି କୁକୁରଟି ତଥାପି ଯୁଧିଷ୍ଠିରଙ୍କ ପଛେ ପଛେ ଚାଲିଥାଏ ।

ଏହିପରି ଯୁଧିଷ୍ଠିର କିଛି ବାଟ ଯିବାପରେ, ଦେବରାଜ ଇନ୍ଦ୍ର ଦିବ୍ୟରଥ ସହ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, “ମହାରାଜ ଆପଣ ବର୍ତ୍ତମାନ ଏହି ରଥରେ ଆରୋହଣ କରି ସ୍ୱର୍ଗକୁ ଗମନ କରନ୍ତୁ ।”

 

ଯୁଧିଷ୍ଠିର କହିଲେ, ‘ଦେବରାଜ, ସୁଖ ସମ୍ଭୋଗ ମଧ୍ୟରେ ବଢ଼ି ସୁକୁମାରୀ ଦ୍ରୌପଦୀ ଓ ମୋର ପ୍ରିୟ ଭାଇମାନଙ୍କର ପଥ ମଧ୍ୟରେ ପତନ ଘଟିଅଛି । ଏପରି ସମୟରେ ସେମାନଙ୍କୁ ପରିତ୍ୟାଗ କରି ମୁଁ ଏକାକୀ ସ୍ୱର୍ଗରୋହଣ କରିବାକୁ ଇଚ୍ଛାକରୁ ନାହିଁ ।’

 

ଇନ୍ଦ୍ର କହିଲେ, ‘ମହାରାଜ, ଦ୍ରୌପଦୀ ଓ ଆପଣଙ୍କର ଭାଇମାନେ ମନୁଷ୍ୟ ଶରୀର ପରିତ୍ୟାଗ କରି ସ୍ୱର୍ଗୋରୋହଣ କରି ଅଛନ୍ତି । ତେଣୁ ସେମାନଙ୍କ ପାଇଁ ଶୋକ ନକରି ଏହି ରଥରେ ଆରୋହଣକରି ସ୍ୱଦେହରେ ସ୍ୱର୍ଗକୁ ଗମନ କରନ୍ତୁ । ସେଠାରେ ସେମାନଙ୍କ ସହ ଆପଣଙ୍କର ସାକ୍ଷାତ ହେବ ।’

 

ଯୁଧିଷ୍ଠିର କହିଲେ, ‘ଦେବରାଜ, ଏହି କୁକୁରଟି ମୋର ଅତି ଅନୁରକ୍ତ ଏବଂ ବହୁଦିନ ଧରି ମଧ୍ୟ ସେ ମୋ’ ସହ ରହି ଆସିଅଛି । ତେଣୁ ଅନୁଗ୍ରହ ପୂର୍ବକ ତାକୁ ମଧ୍ୟ ମୋ’ ସହ ସ୍ୱର୍ଗାରୋହଣ କରିବାକୁ ଅନୁମତି ପ୍ରଦାନ କରନ୍ତୁ । ସହଚରକୁ ତ୍ୟାଗକରି ଏକାକୀ ସ୍ୱର୍ଗାରୋହଣ କରିବା ମୋ’ ପକ୍ଷରେ ଅନ୍ୟାୟ ହେବ ।

 

ଯୁଧିଷ୍ଠିରଙ୍କ କଥା ଶୁଣି ଇନ୍ଦ୍ର କହିଲେ,‘ ଧର୍ମରାଜ, ସ୍ୱର୍ଗାରୋହଣ କଲେ ଆପଣ ଅତୁଳ ସମ୍ପଦ, ସିଦ୍ଧି, ଅମରତ୍ୱ ଆଦି ଦିବ୍ୟ ବିଭୂତି ଲାଭ କରିବେ । ତେଣୁ ସେ ଦୃଷ୍ଠିରୁ ସାମାନ୍ୟ କୁକୁରକୁ ପରିତ୍ୟାଗ କଲେ ଆପଣଙ୍କ ପକ୍ଷରେ କୌଣସି ଅନ୍ୟାୟ ହେବ ନାହିଁ; ବରଂ କୁକୁରକୁ ପରିତ୍ୟାଗ କରିବା ହିଁ ଆପଣଙ୍କ ପକ୍ଷରେ ଏକାନ୍ତ କର୍ତ୍ତବ୍ୟ ।’

 

ଯୁଧିଷ୍ଠିର କହିଲେ,‘ଦେବରାଜ, ଯାହା କର୍ତ୍ତବ୍ୟ ନୁହେଁ, ତାହା କରିବା ଆଦୌ ବିଧେୟ ହେବ ନାହିଁ । ସ୍ୱର୍ଗସୁଖ ନିମନ୍ତେ କୁକୁରକୁ ପରିତ୍ୟାଗ କରିବାକୁ ଆପଣ ଯାହା କହୁ ଅଛନ୍ତି, ତହିଁରେ ମୁଁ ସମ୍ମତ ନୁହେଁ । ବରଂ ମୁଁ ସ୍ୱର୍ଗସୁଖ ପରିତ୍ୟାଗ କରିବି; କିନ୍ତୁ ମୋର ଏହି ପରମ ଭକ୍ତ କୁକୁରକୁ ପରିତ୍ୟାଗ କରିପାରିବି ନାହିଁ । ଆତ୍ମସୁଖ ନିମନ୍ତେ ଅନୁରକ୍ତକୁ ପରିତ୍ୟାଗ କରିବା ଅନ୍ୟାୟ ।’

 

ଇନ୍ଦ୍ର ତଥାପି କହିଲେ, ‘ଧର୍ମରାଜ, ଯେତେବେଳେ ଆପଣ ନିଜର ପ୍ରାଣଠୁଁ ଅଧିକ ଭଲ ପାଉଥିବା ଦ୍ରୌପଦୀ ଓ ଭାଇମାନଙ୍କୁ ପଥ ମଧ୍ୟରେ ପରିତ୍ୟାଗ କରି ଆସିପାରିଲେ., ଏହି ସାମାନ୍ୟ କୁକୁରକୁ ପରିତ୍ୟାଗ କରିବାରେ ବାଧା କ’ଣ ? ଆଶକ୍ତିଶୂନ୍ୟ ସର୍ବତ୍ୟାଗୀ ହୋଇ ସାମାନ୍ୟ କୁକୁର ପ୍ରତି ଏପରି ମୋହଗ୍ରସ୍ତ ହେବା ଆପଣଙ୍କ ପକ୍ଷରେ ସମୀଚୀନ ନୁହେଁ ।’

 

ଯୁଧିଷ୍ଠିର କହିଲେ,’ଦେବରାଜ, ମୃତ୍ୟୁମୁଖରେ ନିପତିତ ବ୍ୟକ୍ତିକୁ ଜୀବନଦାନ ଦେବାର ସାମର୍ଥ୍ୟ ମୋର ନଥିବାରୁ ମୁଁ ପଥ ମଧ୍ୟରେ ମୃତ୍ୟୁମୁଖରେ ପତିତ ମୋର ପତ୍ନି ଓ ଭାଇମାନଙ୍କୁ ପରିତ୍ୟାଗ କରି ଆସିଅଛି । କିନ୍ତୁ ଜୀବନରେ ଥାଉ ଥାଉଁ ପରିତ୍ୟାଗ କରିନାହିଁ । ମୋର ବିଚାରରେ ଭକ୍ତକୁ ପରିତ୍ୟାଗ କରିବା, ଶରଣାଗତକୁ ଭୟ ପ୍ରଦର୍ଶନ କରିବା, ସ୍ତ୍ରୀ ହତ୍ୟା କରିବା, ବ୍ରହ୍ମତ୍ୱକୁ ଅପହରଣ କରିବା ଓ ମିତ୍ରଦ୍ରୋହ ଆଚରଣ କରିବା ଆଦି ମହାପାପ । ତେଣୁ କୁକୁରକୁ ତ୍ୟାଗ କରିବା ସମ୍ପର୍କରେ ମୋତେ ଆଉ ଅନୁରୋଧ କରନ୍ତୁ ନାହିଁ ।’

 

ଯୁଧିଷ୍ଠିର ଏହା କହିବା ମାତ୍ରେ ସେହି କୁକୁରଟି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲେ ଏବଂ ତା’ ସ୍ଥାନରେ ଭଗବାନ ଧର୍ମ ଆବିର୍ଭୂତ ହୋଇ କହିଲେ,‘ବାବା, ମୁଁ ତୁମକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ କୁକୁର ରୂପ ଧାରଣ କରି ତୁମ ପଛେ ପଛେ ଅନୁସରଣ କରୁଥିଲେ । ତୁମେ ଯେ ଧର୍ମପରାୟଣ, ବୁଦ୍ଧିମାନ ଓ ଦୟାଶୀଳ, ଏକଥା ଭଲ ଭାବରେ ବୁଝିଅଛି । ପୁର୍ବେ ତୁମକୁ ମୁଁ ଦ୍ୱୈତବନରେ ପରୀକ୍ଷା କରିଥିଲି । ତୁମପରି ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗଲୋକରେ ମଧ୍ୟ ବିରଳ । ତୁମେ ଏହି ଦେହରେ ସ୍ୱର୍ଗାରୋହଣ କରିବାକୁ ସମର୍ଥ ।’

 

ଭଗବାନ ଧର୍ମ ଏହା କହିବାପରେ ଇନ୍ଦ୍ର, ଅଶ୍ୱିନିକୁମାର ପ୍ରମୁଖ ଦେବଗଣ ସମବେତ ହୋଇଯୁଧିଷ୍ଠିରଙ୍କୁ ସେହି ଦିବ୍ୟ ରଥରେ ଉପବେଶନ କରାଇ ସ୍ୱର୍ଗ ଅଭିମୁଖେ ଯାତ୍ରା କଲେ ।

 

ପଥ ମଧ୍ୟରେ ଯୁଧିଷ୍ଠିର କହିଲେ,‘ଦେବରାଜ, ମୋର ପ୍ରାଣପ୍ରିୟା ପତ୍ନୀ ଦ୍ରୌପଦୀ ଓ ପରମ ପ୍ରିୟ ଭ୍ରାତୃଗଣ ଯେଉଁସ୍ଥାନରେ ବାସ କରୁ ଅଛନ୍ତି । ମୁଁ ସେହି ସ୍ଥାନକୁ ଯିବାକୁ ଇଚ୍ଛା କରୁନାହିଁ ।’

 

ସ୍ୱର୍ଗରେ ପହଞ୍ଚିବା ପରେ ଯୁଧିଷ୍ଠିର ଦେଖିଲେ ଦୁର୍ଯ୍ୟୋଧନ ଦେବତାମାନଙ୍କ ଗହଣରେ ଉପବେଶନ କରି ଶୋଭାପାଉ ଅଛନ୍ତି । ଅଥଚ ଭୀମସେନ, ଅର୍ଜ୍ଜୁନ ପ୍ରମୁଖ ଭାଇ ଓ ଦ୍ରୌପଦୀ ସେଠାରେ କେଉଁଠି ନାହାନ୍ତି । ତେଣୁ ଯୁଧିଷ୍ଠିର ଦେବତାମାନଙ୍କୁ ସମ୍ୱୋଧନ କରି କହିଲେ, ‘ହେ ଦେବଗଣ, ଯେଉଁ ଦୁରାତ୍ମା ଦୁର୍ଯ୍ୟୋଧନର ପାପକର୍ମ ପାଇଁ ସମଗ୍ର ପୃଥିବୀକୁ ମୁଁ ଯୁଦ୍ଧାଚ୍ଛନ୍ନ କରିଅଛି, ଯାହାପାଇଁ ବନ୍ଧୁ ମାନଙ୍କର ବିନାଶ ଘଟିଲେ ଓ ବନ ମଧ୍ୟରେ ଆମେ ଅଶେଷ ଦୁଃଖ କଲୁ, ଯେଉଁ ଦୁରାତ୍ମା ସାଧ୍ୱୀ ଦ୍ରୌପଦୀଙ୍କ ସଭା ମଧ୍ୟରେ ଅପମାନିତା କରିଥିଲା, ସେହି ଦୁରାତ୍ମା ସ୍ୱର୍ଗଲୋକରେ ଅବସ୍ଥାନ କରୁଅଛି; ଅଥଚ ମୋର ଭାଇମାନେ ଏଠାରେ କେଉଁଠି ନାହାନ୍ତି ! ଏ ସ୍ୱର୍ଗ ମୁଁ ଚାହେଁନା, ମୋର ଭାଇମାନେ ଯେଉଁଠାରେ ଅଛନ୍ତି ମୋତେ ଦୟାକରି ସେହି ସ୍ଥାନକୁ ନେଇ ଯାଆନ୍ତୁ ।’

 

ନାରଦ କହିଲେ, ‘ଧର୍ମନନ୍ଦନ ଏପରି କଥା ମନକୁ ଆଣନ୍ତୁ ନାହିଁ । ଏହା ସ୍ୱର୍ଗ । ପୂର୍ବ କଥା ସ୍ମରଣ କରି ଏଠାରେ କାହା ପ୍ରତି ଶତ୍ରୁଭାବ ପୋଷଣ କରିବା ଉଚିତ ନୁହେଁ । ଦୁର୍ଯ୍ୟୋଧନ କ୍ଷତ୍ରିୟ ଧର୍ମ ରକ୍ଷା କରିଥିବାରୁ ସ୍ୱର୍ଗବାସୀ ହେବାକୁ ଯୋଗ୍ୟ ହୋଇଅଛି ।”

 

ଯୁଧିଷ୍ଠିର କହିଲେ, ‘ଦୁରାତ୍ମା ଦୁର୍ଯ୍ୟୋଧନର ସ୍ୱର୍ଗଲୋକ ଲାଭ ହୋଇଥିବା ବେଳେ, ମୋର ସତ୍ୟପ୍ରତିଜ୍ଞା ମହାବଳପରାକ୍ରାନ୍ତ ଭ୍ରାତୃଗଣ, ଓ କର୍ଣ୍ଣଙ୍କର କେଉଁ ଲୋକ ଲାଭ ହୋଇଅଛି ତାହା ପ୍ରକାଶ କରନ୍ତୁ । ବିରାଟ, ଦ୍ରୁପଦ, ଅଭିମନ୍ୟୁ ପ୍ରମୁଖ ବୀରମାନେ କେଉଁଠାରେ ଅବସ୍ଥାନ କରୁଅଛନ୍ତି, ତାହା ଜାଣିବାକୁ ଓ ସେମାନଙ୍କୁ ଦେଖିବାକୁ ମୋର ମନପ୍ରାଣ ଅତି ବ୍ୟଗ୍ର ହେଉଅଛି ଦ୍ରୌପଦୀ ଓ ଭାତୃଗଣଙ୍କ ଠାରୁ ବିଛିନ୍ନ ହୋଇ ମୁଁ ଏହି ସ୍ୱର୍ଗରେ ରହିଲେ ମଧ୍ୟ ସୁଖରେ ରହିପାରିବି ନାହିଁ । ଯେଉଁ ସ୍ଥାନରେ ସେହିମାନେ ଅବସ୍ଥାନ କରୁଅଛନ୍ତି, ତାହାହିଁ ମୋ’ ପାଇଁ ସ୍ୱର୍ଗ ।’

Image

 

ଧର୍ମପୁତ୍ରଙ୍କ ନର୍କଦର୍ଶନ

 

ଯୁଧିଷ୍ଠିରଙ୍କ କଥା ଶୁଣି ଦେବତାମାନେ ଦୂତଙ୍କୁ ଆହ୍ୱାନ କରି ଯୁଧିଷ୍ଠିରଙ୍କୁ ସେମାନଙ୍କର ପରିବାରବର୍ଗ ଓ ପ୍ରିୟଜନଙ୍କ ନିକଟକୁ ନେଇ ଯିବାକୁ ଆଦେଶ ଦେଲେ । ଯୁଧିଷ୍ଠିର ତଦନୁସାରେ ଦୂତଙ୍କ ସହ ଯିବାକୁ ଲାଗିଲେ । ଯୁଧିଷ୍ଠିରଙ୍କୁ ଯେଉଁ ପଥଦେଇ ଯିବାକୁ ପଡ଼ିଲା, ତାହା ଯେ କେବଳ ଅନ୍ଧକରାଚ୍ଛାନ୍ନ ଥିଲା, ତାହା ନୁହେଁ ମୃତଦେହର ଦୁର୍ଗନ୍ଧରେ ମଧ୍ୟ ସମାଚ୍ଛନ୍ନ ଥିଲା । ଚାରିଆଡ଼େ ପାପାତ୍ମାମାନଙ୍କର ଆର୍ତ୍ତଚିତ୍କାର ଶୁଭୁଥିଲା ।

 

ଏହିପରି ଭାବରେ ଯାଉଁ ଯାଉଁ ଦେବଦୂତମାନଙ୍କୁ ଯୁଧିଷ୍ଠିର ପଚାରିଲେ, ହେ ମହାତ୍ମାଗଣ, ଏହିପରି ଦୁର୍ଗମପଥ ମଧ୍ୟ ଦେଇ ମୋତେ କେତେଦୂର ଯିବାକୁ ପଡ଼ିବ ? ମୋର ଭାଇମାନେ କେଉଁସ୍ଥାନରେ ଅଛନ୍ତି ?’

 

ଦେବଦୂତ କହିଲେ, ‘ଆତ୍ମମାନେ ଆସିବା ସମୟରେ ଦେବତାଗଣ ଏହିପରି ଭାବରେ ନିର୍ଦ୍ଦେଶ ଦେଇ ଅଛନ୍ତି ଯେ, ଯୁଧିଷ୍ଠିର ଯେଉଁସ୍ଥାନକୁ ଫେରିବାକୁ ଚାହିଁବେ ସେହିଠାରେ ଆତ୍ମମାନେ ଫେରିଯିବୁ । ତେଣୁ ଯଦି ଆପଣ ଅତ୍ୟନ୍ତ କ୍ଳାନ୍ତ ଓ ଅସ୍ୱସ୍ତି ଅନୁଭବ କରୁଛନ୍ତି ତେବେ କହିଲେ ଏହି ସ୍ଥାନକୁ ଆମେ ଫେରିଯିବା ।

 

ଧର୍ମରାଜ ଯୁଧିଷ୍ଠିର ସେହି ବେଦନାଦାୟକ ଦୃଶ୍ୟ ଓ ଅସହ୍ୟ ଦୁର୍ଗନ୍ଧ ମଧ୍ୟରେ ବେଶୀ ସମୟ ରହିବାକୁ ଅସମର୍ଥ ହୋଇ ପ୍ରତ୍ୟାଗମନ କରିବାକୁ ଉଦ୍ୟତ ହେବାରୁ, ଚତୁର୍ଦ୍ଦିଗରୁ କରୁଣ ନିବେଦନ ତାଙ୍କର ଶ୍ରୁତି ଗୋଚର ହେଲେ,‘ ହେ ଧର୍ମନନ୍ଦନ, ଆପଣ ଆମପ୍ରତି ଦୟାପରବଶ ହୋଇ ଆଉ କିଛି ସମୟ ଏଠାରେ ଅବସ୍ଥାନ କରି ଆତ୍ମମାନଙ୍କୁ ସୁଖୀ କରାନ୍ତୁ । ଆପଣଙ୍କ ଆଗମନ ଯୋଗୁ ସୁଗନ୍ଧଯୂକ୍ତ ବାୟୁ ସେବନ କରିବାର ସୁଯୋଗ ଆମ୍ଭେମାନେ ପାଉଅଛୁ ଓ ଆମର ଯନ୍ତ୍ରଣା ମଧ୍ୟ ଉପଶମ ହୋଇଅଛି ।’

 

ଦୟାର୍ଦ୍ରଚିତ୍ତ ଯୁଧିଷ୍ଠିର ଏହି ବାରମ୍ବାର ପ୍ରତିଧ୍ୱନିତ କରୁଣ ବାକ୍ୟରେ ଅଭିଭ୍ୱତ ହୋଇପଡ଼ିଲେ ଏବଂ ସେହି ବେଦନାପୀଡ଼ିତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବା ଉଦ୍ଦେଶ୍ୟରେ ପ୍ରଶ୍ନକଲେ, ‘ତୁମ୍ଭେମାନେ କିଏ ? କାହିଁକି ଏପରି ଯନ୍ତ୍ରଣାଦାୟକ ସ୍ଥାନରେ ଅବସ୍ଥାନ କରୁଅଛ ?’

 

ଚତୁର୍ଦ୍ଦିଗରୁ ଉତ୍ତର ଆସିଲା;

 

‘ମୁଁ କର୍ଣ୍ଣ ।’

 

‘ମୁଁ ଭୀମସେନ ।’

 

‘ମୁଁ ଦ୍ରୌପଦୀ ।’

 

‘ଆମେ ଦ୍ରୌପଦୀଙ୍କର ପୁତ୍ର ।’

 

‘ମୁଁ ଅର୍ଜ୍ଜୁନ ।’

 

‘ମୁଁ ନକୁଳ ।’

 

‘ମୁଁ ସହଦେବ ।’

 

ଏହିପରି ଭାବରେ ବିଭିନ୍ନ ବ୍ୟକ୍ତିଙ୍କର ପରିଚୟ ପ୍ରକାଶ ପାଇଲା । ଯୁଧିଷ୍ଠିର ସେହି ଅଦୃଶ୍ୟ ବ୍ୟକ୍ତିମାନଙ୍କର ଆତ୍ମପରିଚୟ ଶ୍ରବଣ କରି ଭାବିଲେ, ‘ହାୟ, ଦୈବର କି ବିଡ଼ମ୍ବନା, ଦୁର୍ଯ୍ୟୋଧନ ପାପାସକ୍ତ ହୋଇ ସ୍ୱର୍ଗସୁଖ ଲାଭ କରୁଥିବା ସମୟରେ ପୁଣ୍ୟାତ୍ମା କର୍ଣ୍ଣ, ଭୀମସେନ ପ୍ରମୁଖ ଭାତୃଗଣ, ସାଧ୍ୱୀ ଦ୍ରୌପଦୀ ଓ ତାଙ୍କର ନିଷ୍ପାପପୁତ୍ରମାନେ ପାପଗନ୍ଧଯୁକ୍ତ ଏହି ଅସହ୍ୟ ସ୍ଥାନରେ ପୀଡ଼ିତ ହେଉଅଛନ୍ତି ? ଏହା କ’ଣ ସତ୍ୟ ? ମୁଁ ସ୍ୱପ୍ନ ଦେଖୁନାହିଁ ତ ? ମୋର ଚିତ୍ତବିଭ୍ରମ ଘଟି ନାହିଁ ତ ?

 

ଯୁଧିଷ୍ଠିର ଏହିପରି ଚିନ୍ତାକରି ଭଗବାନ ଧର୍ମ ଓ ଦେବତାମାନଙ୍କୁ ନିନ୍ଦାକରି ଦେବଦୂତଙ୍କୁ କହିଲେ,‘ଭଦ୍ର ! ଆପଣମାନେ ଦେବତାମାନଙ୍କ ନିକଟକୁ ଫେରିଯାଇ ନିବେଦନ କରନ୍ତୁ ଯେ, ଯୁଧିଷ୍ଠିର ଏହିଠାରେ ଅବସ୍ଥାନ କରିବାକୁ ସ୍ଥିର କରିଅଛନ୍ତି । ମୋର ଉପସ୍ଥିତ ଫଳରେ ମୋର ଭ୍ରାତୃଗଣ ଓ ଅନ୍ୟାନ୍ୟମାନେ ପରମ ଆନନ୍ଦ ଲାଭ କରିଅଛନ୍ତି ଓ ସେମାନଙ୍କର ଯନ୍ତ୍ରଣା ମଧ୍ୟ ଲାଘବ ହୋଇଅଛି । ତେଣୁ ସେମାନଙ୍କୁ ତ୍ୟାଗକରି ମୁଁ ଏଠାରୁ ଅନ୍ୟତ୍ର ଯାଇପାରିବି ନାହିଁ ।’

 

ଦେବଦୂତମାନଙ୍କୁ ଯୁଧିଷ୍ଠିର ଏଯିପରି କହିବାର ପରମୁହୂର୍ତ୍ତରେ ଭଗବାନ ଧର୍ମ ଓ ଇନ୍ଦ୍ର ପ୍ରମୁଖ ଦେବଗଣ ଯୁଧିଷ୍ଠିରଙ୍କ ନିକଟରେ ଉପସ୍ଥିତ ହେଲେ । ସଙ୍ଗେ ସଙ୍ଗେ ସେହି ସ୍ଥାନର ସମସ୍ତ ଅନ୍ଧକାର ଦୂରୀଭୂତ ହେଲା ଓ ଦୁର୍ଗନ୍ଧ ପରିବର୍ତ୍ତେ ସୁଗନ୍ଧ ପରିବ୍ୟାପ୍ତ ହେବାକୁ ଲାଗିଲା ।

 

ଦେବରାଜ କହିଲେ,‘ଧର୍ମରାଜ, ଆପଣଙ୍କ ପ୍ରତି ସମସ୍ତ ଦେବତା ପ୍ରୀତ ହୋଇଅଛନ୍ତି । କିଛି ସମୟ ପାଇଁ ଆପଣ ନର୍କ ଦର୍ଶନ କରିଥିବାରୁ, ଆମ ପ୍ରତି କ୍ରୁଦ୍ଧ ହୁଅନ୍ତୁ ନାହିଁ । ପ୍ରତ୍ୟେକଙ୍କୁ କିଛି ସମୟ ନର୍କ ଦର୍ଶନ କରିବାକୁ ପଡ଼ିଥାଏ । ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ପାପ ଓ କିଛି ନା କିଛି ପୁଣ୍ୟ ରହିଥାଏ । ଯେଉଁ ବ୍ୟକ୍ତି ପ୍ରଥେମ ସ୍ୱର୍ଗଭୋଗ କରେ ପରେ ତାକୁ ନର୍କଭୋଗ କରିବାକୁ ପଡ଼େ, ଏବଂ ଯେଉଁ ବ୍ୟକ୍ତି ପ୍ରଥମେ ନର୍କଭୋଗ କରେ ପରେ ତାକୁ ସ୍ୱର୍ଗଭୋଗ ମିଳିଥାଏ । ଯେଉଁବ୍ୟକ୍ତି ଅତ୍ୟଧିକ ପାପ ଓ ସାମାନ୍ୟ ପୁଣ୍ୟ କରିଥାଏ, ତାକୁ ପ୍ରଥମ ସ୍ୱର୍ଗସୁଖ ମିଳେ ପରେ ତାକୁ ନର୍କଭୋଗ କରିବାକୁ ପଡ଼େ । ଯେଉଁ ବ୍ୟକ୍ତି ସାମାନ୍ୟ ପାପ ଓ ଅଶେଷ ପୁଣ୍ୟ କରିଥାଏ, ତାକୁ ପ୍ରଥମେ ନର୍କ ଭୋଗକରି ପରେ ସ୍ୱର୍ଗସୁଖ ଅଧିକାର ହେବାକୁ ହୋଇଥାଏ । ସେହି ନିୟମ ଅନୁସାରେ ପ୍ରଥମେ ଆପଣଙ୍କୁ କହି ସମୟ ନର୍କଭୋଗ କରିବାକୁ ପଡ଼ିଅଛି । ପୂର୍ବେ ଆପଣ ଦ୍ରୋଣାଚାର୍ଯ୍ୟଙ୍କୁ ଅଶ୍ୱତ୍‌ଥାମାର ମୃତ୍ୟୁ ସମ୍ପର୍କରେ ଯେଉଁ ମିଥ୍ୟାକଥା କହିଥିଲେ, ତା’ର ଫଳ ସ୍ୱରୂପ ଆପଣଙ୍କୁ ନର୍କ ଦର୍ଶନ କରିବାକୁ ପଡ଼ିଲା । ଆପଣଙ୍କର ଭାଇ, ପତ୍ନୀ ଓ ଅନ୍ୟାନ ବୀରମାନେ ନର୍କଯନ୍ତ୍ରଣାରୁ ମୁକ୍ତି ଲାଭକରି ସ୍ୱର୍ଗଲୋକର ଅଧିକାରୀ ହୋଇଅଛନ୍ତି । ତେଣୁ ଆପଣ ମୋ’ ସଙ୍ଗରେ ଆସନ୍ତୁ ଏବଂ ନିଜର ଭାଇ ଓ ପ୍ରିୟଜନମାନଙ୍କୁ ସ୍ୱର୍ଗଲୋକରେ ଆସୀନ ଥିବାର ଦେଖି ସନ୍ତୋଷ ଲାଭ କରନ୍ତୁ ।’

 

ଭଗବାନଧର୍ମ କହିଲେ, ‘ବତ୍ସ ! ମୁଁ ତୁମକୁ ବହୁଥିବାର ପରୀକ୍ଷା କରିଥିଲେ ମଧ୍ୟ, ତୁମେ ପ୍ରତ୍ୟେକ ଥର ସେହି ପରୀକ୍ଷାରେ କୃତକାର୍ଯ୍ୟ ହୋଇମୋର ପ୍ରୀତି ବର୍ଦ୍ଧନ କରିଅଛି । ତୁମର ବୃଦ୍ଧି ଅବିଚଳିତ ରହିଅଛି । ତୁମପରି ଶୁଦ୍ଧଚରିତ୍ର ଲୋକ ଏକାନ୍ତ ବିରଳ । ତୁମର ଭାଇମାନଙ୍କ ମଧ୍ୟରୁ କେହିହେଲେ ନର୍କ ଭୋଗର ପାତ୍ର ନୁହଁନ୍ତି । ପ୍ରତ୍ୟେକକୁ ଥରେ ହେଲେ ନର୍କ ଦର୍ଶନ କରିବାକୁ ପଡ଼ିଥାଏ, ସେଥିପାଇଁ ଦେବରାଜ ଇନ୍ଦ୍ର ମାୟାବଳରେ ଏପରି ନର୍କ ସୃଷ୍ଟି କରିଥିଲେ । ଭୀମସେନ, ଅର୍ଜ୍ଜୁନ, କର୍ଣ୍ଣ, ନକୁଳ, ସହଦେବ ଓ ଦ୍ରୌପଦୀ ପ୍ରମୁଖ ସ୍ୱର୍ଗଲୋକ ଲାଭକରିଅଛନ୍ତି । ତେଣୁ ତୁମେ ଏହି ପବିତ୍ର ମନ୍ଦାକିନୀ ନଦୀରେ ସ୍ନାନ କରି ସେମାନଙ୍କ ସହ ମିଳିତ ହୁଅ ।’

 

ଧର୍ମ ଏପରି କହିବାରୁ ଯୁଧିଷ୍ଠିର ମନ୍ଦାକିନୀରେ ସ୍ନାନ କଲେ । ଏହି ଦିବ୍ୟ ନଦୀରେ ସ୍ନାନ କରିବା ଫଳରେ ଯୁଧିଷ୍ଠିର ନିଜର ରକ୍ତମାଂସରେ ଦେହ ବଦଳରେ ଦିବ୍ୟ ଶରୀର ଲାଭ କଲେ ଏବଂ ତାଙ୍କର ହୃଦୟରୁ ସମସ୍ତ ଶୋକ ଓ ଶତ୍ରୁଭାବ ଦୂରୀଭୂତ ହୋଇଗଲା । ଋଷିଗଣ ତାଙ୍କର ସ୍ତୁତି ପାଠ କଲେ ଏବଂ ପରେ କୃଷ୍ଣ, କର୍ଣ୍ଣ, ଭୀମ, ଅର୍ଜ୍ଜୁନ ପ୍ରମୁଖ ଭ୍ରାତୃଗଣ, ଦ୍ରୌପଦୀ, ଅଭିମନ୍ୟୁ, ପଣ୍ଡୁଙ୍କ ସହ କୁନ୍ତୀ ମାଦ୍ରୀଙ୍କୁ ଭୀଷ୍ମ, ଦ୍ରୋଣ ପ୍ରମୁଖଙ୍କୁ ସ୍ୱର୍ଗଲୋକରେ ଦେବତାମାନଙ୍କର ଗହଣରେ ପରମସୁଖରେ ଉପବେଶନ କରିଥିବାର ଦେଖି ଯୁଧିଷ୍ଠିର ପ୍ରୀତି ହୋଇଥିଲେ ।

Image

 

ପ୍ରାସଙ୍ଗିକ ସୂଚନା

 

ଅମ୍ବା

କାଶୀରାଜାଙ୍କର କନ୍ୟା । ସେ ଶାଲ୍ୱଙ୍କୁ ପତିରୂପେ ବରଣ କରିବାକୁ ସ୍ଥିର କରିଥିଲେ; ମାତ୍ର ସ୍ୱୟମ୍ୱର ସାଭାରୁ ଭୀଷ୍ମ ତାଙ୍କୁ ଅପହରଣ କରି ଆଣିବାରୁ ତାଙ୍କର ଅଭିଳାଷ ପୂର୍ଣ୍ଣ ହୋଇପାରିଲା ନାହିଁ; ସେଥିପାଇଁ ସେ ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଅଗ୍ନିରେ ଝାସ ଦେଇ ପରଜନ୍ମରେ ଦ୍ରୁପଦଙ୍କ ପୁତ୍ର ରୂପେ ଭୀଷ୍ମହନ୍ତା ଶିଖଣ୍ଡି ନାମରେ ଜନ୍ମଗ୍ରହଣ କରିଥିଲେ ।

 

 

 

ଅମ୍ବିକା

କାଶୀରାଜଙ୍କର ଦ୍ୱିତୀୟ କନ୍ୟା । ସେ ବିଚିତ୍ର ବୀର୍ଯ୍ୟଙ୍କୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ ଧୃତରାଷ୍ଟ୍ର ଜନ୍ମ ହୋଇଥିଲେ ।

 

 

 

ଆମ୍ୱାଳିକା

କାଶୀରାଜାଙ୍କର ତୃତୀୟ କନ୍ୟା । ସେ ମଧ୍ୟ ବିଚିତ୍ରବୀର୍ଯ୍ୟଙ୍କୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ ପାଣ୍ଡୁ, ଜନ୍ମ ହୋଇଥିଲେ ।

 

 

 

ଅର୍ଜ୍ଜୁନ

ପାଣ୍ଡୁଙ୍କର ତୃତୀୟ ପୁତ୍ର । ଦେବରାଜ ଇନ୍ଦ୍ରଙ୍କର ଆଶୀର୍ବାଦରେ କୁନ୍ତୀଙ୍କ ଗର୍ଭରୁ ଜାତ ହୋଇଥିଲେ । ସ୍ୱୟମ୍ବର ସଭାରେ ସେ ଦ୍ରୌପଦୀଙ୍କୁ ଲାଭ କରିଥିଲେ ।

 

 

 

ଅଭିମନ୍ୟୁ

ଅର୍ଜ୍ଜୁନଙ୍କର ପତ୍ନୀ ସୁଭଦ୍ରାଙ୍କ ଗର୍ଭଜାତ ପୁତ୍ର ।

 

 

 

ଅଶ୍ୱତ୍‌ଥାମା

ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର । ତାଙ୍କର ମାତାଙ୍କର ନାମ କୃପୀ ।

 

 

 

ଅକ୍ଷୌହିଣୀ

ନିର୍ଦ୍ଦିଷ୍ଟ ସଂଖ୍ୟକ ସୈନ୍ୟ ସମାବେଶର ପରିମାପ । ଏକ ଅକ୍ଷୌହିଣୀ ସୈନ୍ୟ କହିଲେ ୧ ଲକ୍ଷ ୯ ହଜାର ୫୦ ପଦାତିକ, ୬୫ ହଜାର, ୬ ହଜାର, ୧୦ ଅଶ୍ୱାରୋହୀ, ୨୧ ହଜାର ୮ ଶହ ୪୦ ଗଜାରୋହୀ, ୨୧ ହଜାର ୮ଶହ ରଥା ରୋହୀ-ଏପରି ସର୍ବମୋଟ ୨ ଲକ୍ଷ ୧୮ ହଜାର ୭ଶହ ସୈନ୍ୟଙ୍କର ଏକ ବିଭାଗକୁ ବୁଝାଏ । କୁରୁକ୍ଷେତ୍ର ସମରରେ କୌରବମାନଙ୍କ ପକ୍ଷରେ ୧୧ ଅକ୍ଷୋହିଣୀ ଓ ପାଣ୍ଡବମାନଙ୍କ ପକ୍ଷରେ ୮ ଅକ୍ଷେୌହିଣୀ ସୈନ୍ୟ ଯୁଦ୍ଧରେ ଭାଗ ନେଇଥିଲେ ।

 

 

 

ଇନ୍ଦ୍ରପ୍ରସ୍ଥ

ପାଣ୍ଡବମାନଙ୍କର ରାଜଧାନୀ ।

 

 

 

ଉତ୍ତର

ବିରାଟ ରାଜାଙ୍କର ପୁତ୍ର ।

 

 

 

ଉତ୍ତରା

ବିରାଟ ରାଜାଙ୍କର କନ୍ୟା । ସେ ଅଭିମନ୍ୟୁଙ୍କ ବିବାହ କରିଥିଲେ । ତାଙ୍କ ଗର୍ଭରୁ ପରୀକ୍ଷିତ ଜନ୍ମ ହୋଇଥିଲେ ।

 

 

 

ଉପରିଚର

ପୁରୁବଂଶର ଜନୈକ ରାଜା ।

 

 

 

କର୍ଣ୍ଣ

କୁନ୍ତୀ ଅବିବାହିତ ଥିବା ସମୟରେ, ସୂର୍ଯ୍ୟଙ୍କ ଔରସରେ କୁନ୍ତୀଙ୍କ ଗର୍ଭରୁ କର୍ଣ୍ଣ ଜାତ ହୋଇଥିଲେ । ଅପବାଦ ଭୟରେ କୁନ୍ତୀ ଏହି ନବଜାତପୁତ୍ରଙ୍କୁ ନଦୀରେ ଭସାଇ ଦେଇଥିଲେ ଓ ପରେ ଅପୁତ୍ରିକ ଅଧିରଥ ଓ ତାଙ୍କର ପତ୍ନୀ ରାଧା ନଦୀରେ ଭାସିଯାଉଥିବା ସେହି ପୁତ୍ର କର୍ଣ୍ଣଙ୍କୁ ପାଇ ନିଜ ପୁଅ ପରି ସ୍ନେହରେ ଲାଳନପାଳନ କରିଥିଲେ । ସେତେବେଳେ କର୍ଣ୍ଣଙ୍କର ନାମ ଥିଲା ବୁସୁଷେଣ ।

 

 

 

କଲ୍ୟାଣି

ନାରୀମାନଙ୍କ ପ୍ରତି ସମାଦରପୂର୍ଣ୍ଣ କଲ୍ୟାଣସୂଚକ ସମ୍ବୋଧନ ।

 

 

 

କୀଚକ

ବିରାଟ ରାଜାଙ୍କର ପତ୍ନୀ ସୁଦେଷ୍ଣାଙ୍କର ଭ୍ରାତା ଓ ରାଜା ବିରାଟଙ୍କର ସେନାପତି ।

 

 

 

କୁନ୍ତୀ

ଶୂର ଏବଂ କୁନ୍ତୀଭୋଜ ଦୁଇବନ୍ଧୁ । ଶୂରଙ୍କର ପ୍ରଥା ନାମରେ ଗୋଟିଏ କନ୍ୟା ଥିଲେ । କୁନ୍ତୀଭୋଜଙ୍କର କୌଣସି ସନ୍ତାନସନ୍ତତି ନଥିବାରୁ ପୋଷ୍ୟ କନ୍ୟା ଭାବରେ ପୃଥାଙ୍କୁ ତାଙ୍କ ହସ୍ତରେ ଶୂର ଅର୍ପଣ କରିଥିଲେ । କୁନ୍ତୀଭୋଜଙ୍କ ଗୃହରେ ଲାଳିତା ପାଳିତ ହେବାରୁ ପୃଥା, କୁନ୍ତୀ ନାମରେ ପରିଚିତ ହେଲେ । କୁନ୍ତୀ ପାଣ୍ଡୁଙ୍କର ପତ୍ନୀ । କର୍ଣ୍ଣ, ଯୁଧିଷ୍ଠିର, ଭୀମ ଓ ଅର୍ଜ୍ଜୁନ ତାଙ୍କ ଗର୍ଭରୁ ଜାତ ହୋଇଥିଲେ ।

 

 

 

କୁରୁବଂଶ

ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ପୂର୍ବପୁରୁଷମାନଙ୍କ ମଧ୍ୟରେ କୁରୁ ନାମରେ ଜଣେ ପ୍ରସିଦ୍ଧ ନରପତି ଥିଲେ ତାଙ୍କ ପିତାଙ୍କର ନାମ ସମ୍ବରଣ ଓ ମାତାଙ୍କର ନାମ ତପତୀ । ଏହି ପୁଣ୍ୟାତ୍ମା ନରପତି କୁରୁଙ୍କର ନାମାନୁସାରେ ତାଙ୍କ ବଂଶ କୁରୁବଂଶ ନାମରେ ପରିଚିତ । ଧୃତରାଷ୍ଟ୍ର ଓ ପାଣ୍ଡୁ ଉଭୟ କୁରୁବଂଶରେ ଜନ୍ମ ହୋଇଥିଲେ ମଧ୍ୟ, ସେମାନଙ୍କ ପୁତ୍ରମାନଙ୍କ ମଧ୍ୟରେ ରାଜ୍ୟ ନେଇ କଳହ ଉପସ୍ଥିତ ହେବାରୁ ଏବଂ ସେହି ସମୟରେ ଧୃତରାଷ୍ଟ୍ର ରାଜସିଂହାସନରେ ଅଧିଷ୍ଠିତ ଥିବାରୁ, ଧୃତରାଷ୍ଟ୍ରଙ୍କ ପୁତ୍ରମାନେ କୁରୁବଂଶ ବା କୌରବ ନାମରେ ପରିଚିତ ହୋଇଥିଲେ ଏବଂ ପାଣ୍ଡୁଙ୍କର ପୁତ୍ରମାନେ ପିତାଙ୍କ ନାମାନୁସାରେ ପାଣ୍ଡବ ନାମରେ ଖ୍ୟାତି ହୋଇଥିଲେ ।

 

 

 

 

 

କୁରୁବଂଶର ବିସ୍ତୃତ ସୂଚନା-ଦକ୍ଷଙ୍କର ପୁତ୍ର ଅଦିତି । ଅଦିତିଙ୍କର ପୁତ୍ର ବିବସ୍ୱାନ । ବିବସ୍ୱାନଙ୍କ ପୁତ୍ର ପୁତ୍ର ମନୁ । ମନୁଙ୍କର ପୁତ୍ର ଇଲା । ଇଲାଙ୍କର ପୁତ୍ର ପୁରୁରଦା । ପୁରୁରବାଙ୍କର ପୁତ୍ର ଆୟୁ । ଆୟୁଙ୍କର ପୁତ୍ର ନହୁଷ । ନହୁଷଙ୍କ ପୁତ୍ର ଯଯାତି । ଯଯାତିଙ୍କର ଦେବଯାନୀ ଓ ଶର୍ମିଷ୍ଠା ନାମରେ ଦୁଇଟା ପତ୍ନୀ । ଦେବଯାନୀଙ୍କ ଗର୍ଭରୁ ଯଦୁ ଓ ତୃର୍ବସୁ ଏବଂ ଶର୍ମିଷ୍ଠାଙ୍କ ଗର୍ଭରୁ ଦ୍ୟୁହୁ, ଅନୁ ଓ ପୁରୁ ଏପରି ପାଞ୍ଚଟି ପୁତ୍ର ଯଯାତି ଲାଭ କରିଥିଲେ । ଏହି ଯଦୁଙ୍କର ନାମାନୁସାରେ ପୁତ୍ର ଯଦୁବଂଶ ଓ ପୁରୁଙ୍କର ପୁତ୍ରମାନେ ପୁରୁବଂଶ ନାମରେ ଖ୍ୟାତ ହେଲେ । ପୁରୁଙ୍କର ପୁତ୍ର ଜନ୍ମେଜୟ । ଜନମେୟଙ୍କର ପୁତ୍ର ପ୍ରାଚିନ୍ୱାନ । ତାଙ୍କର ପୁତ୍ର ସଂଯାତି । ସଂଯାତିଙ୍କର ପୁତ୍ର ଅହଂଯାତି । ଅହଂଯାତିଙ୍କର ପୁତ୍ର ସାର୍ବଭୌମ । ତାଙ୍କର ପୁତ୍ର ଜୟତ୍‌ସେନ । ତାଙ୍କର ପୁତ୍ର ଅର୍ବାଚୀନ । ଅର୍ବାଚୀନଙ୍କର ପୁତ୍ର ଅରିହ । ଅରିହଙ୍କର ପୁତ୍ର ଋକ୍ଷ । ଋକ୍ଷଙ୍କର ପୁତ୍ର ମତିନାର । ତାଙ୍କର ପୁତ୍ର ତଂଶୁ । ତଂଶୁଙ୍କର ପୁତ୍ର ଇଲିନ । ଇଲିନଙ୍କର ପୁତ୍ର ଦୁଷ୍ମନ୍ତ । ଦୁଷ୍ମନ୍ତଙ୍କ ପୁତ୍ର ଭରତ । ଭରତଙ୍କର ବଂଶଧର-ମାନେ ଭାରତ ବଂଶ ନାମରେ ଖ୍ୟାତ । ଭରତଙ୍କର ପୁତ୍ର ଭୂମନ୍ୟୁଙ୍କ । ଭୂମନ୍ୟୁଙ୍କ ପୁତ୍ର ସୂହୋତ୍ର । ସୁହୋତ୍ରଙ୍କ ପୁତ୍ର ହସ୍ତୀ । ଏହି ହସ୍ତୀଙ୍କ ଦ୍ୱାରା ପ୍ରତିଷ୍ଠିତ ନଗର ହସ୍ତିନାପୁର ନାମରେ ଖ୍ୟାତି । ହସ୍ତୀଙ୍କର ପୁତ୍ର ବିକୁଣ୍ଠନ । ତାଙ୍କର ପୁତ୍ର ଅଜମୀଢ । ଅଜମୀଢଙ୍କ ପୁତ୍ର ସମ୍ବରଣ । ସମ୍ବରଣଙ୍କ ପୁତ୍ର କୁରୁ । କୁରୁଙ୍କର ବଂଶଧରମାନେ କୁରୁବଂଶ ନାମରେ ଖ୍ୟାତି । କୁରୁଙ୍କର ପୁତ୍ର ଅବିକ୍ଷିତ । ଅବିକ୍ଷିତଙ୍କର ପୁତ୍ର ପରୀକ୍ଷିତ । ତାଙ୍କର ପୁତ୍ର ଜନ୍ମେଜୟ । ଜନ୍ମେଜୟଙ୍କ ପୁତ୍ର ଧୃତରାଷ୍ଟ୍ର । ଧୃତରାଷ୍ଟ୍ରଙ୍କର ପୁତ୍ର ପ୍ରତୀପ । ପ୍ରତୀପଙ୍କର ପୁତ୍ର ଶାନ୍ତନୁ । ଶାନ୍ତନୁଙ୍କର ଗଙ୍ଗା ଓ ସତ୍ୟବତୀ ନାମରେ ଦୁଇ ପତ୍ନୀ । ଗଙ୍ଗାଙ୍କ ଗର୍ଭର ଦେବବ୍ରତ (ପରେ ସେ ଭୀଷ୍ମ ନାମରେ ପରିଚିତ) ଓ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରସେନ, ବିଚିତ୍ରବୀର୍ଯ୍ୟ ନାମରେ ଏପରି ତିନିଗୋଟି ପୁତ୍ର ଶାନ୍ତନୁ ଲାଭ କରିଥିଲେ । ଭୀଷ୍ମ ଅବିବାହିତ ତେଣୁ ଅପୁତ୍ରିକ ଥିଲେ । ଚିତ୍ରସେନ ଅବିବାହିତ ଅବସ୍ଥାରେ ପରଲୋକ ଗମନ କରିଥିଲେ । ବିଚିତ୍ରବୀର୍ଯ୍ୟଙ୍କର ଦୁଇ ପତ୍ନୀ-ଅମ୍ବିକା ଓ ଆମ୍ବାଳିକା; କିନ୍ତୁ ସେମାନଙ୍କ ଠାରୁ ସନ୍ତାନସନ୍ତତି ଲାଭ କରିବା ପୁର୍ବରୁ ବିଚିତ୍ରବୀର୍ଯ୍ୟଙ୍କର ଅକାଳ ବିୟୋଗ ଘଟିବାରୁ ପରେ ବ୍ୟାସଦେବଙ୍କର ଆାଶୀର୍ବାଦରେ ବିଚିତ୍ରବୀର୍ଯ୍ୟଙ୍କର ବିଧବାପତ୍ନୀ ଅମ୍ବିକାଙ୍କ ଗର୍ଭରୁ ଧୃତରାଷ୍ଟ ଓ ଅମ୍ବାଳିକା ଗର୍ଭରୁ ପାଣ୍ଡୁ ଜାତ ହୋଇଥିଲେ । ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନ ପ୍ରମୁଖ ଏକଶତ ପୁତ୍ର ଜାତ ହୋଇଥିଲେ । (ସେମାନଙ୍କ ନାମ ଅନ୍ୟତ୍ର ପ୍ରଦତ୍ତ ହୋଇଅଛି) ପାଣ୍ଡୁଙ୍କର ଦୁଇ ପତ୍ନୀ, କୁନ୍ତୀ ଓ ମାଦ୍ରୀ । ଭଗବାନ୍‌ଧର୍ମ, ବାୟୁ ଓ ଇନ୍ଦ୍ରଙ୍କ ଆଶୀର୍ବାଦରେ କୁନ୍ତୀଙ୍କ ଗର୍ଭରୁ ଯଥାକ୍ରମ ଯୁଧିଷ୍ଠିର, ଭୀମସେନ ଓ ଅର୍ଜ୍ଜୁନଙ୍କୁ ଓ ଭଗବାନ୍‌ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରେ ମାଦ୍ରୀଙ୍କ ଗର୍ଭରୁ ନକୁଳ ଓ ସହଦେବ ନାମରେ ଏପରି ପଞ୍ଚପୁତ୍ର ପାଣ୍ଡୁ ଲାଭ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଧୃତରାଷ୍ଟ୍ରଙ୍କର ଏକଶତ ପୁତ୍ର ଓ ସେମାନଙ୍କର ପୁତ୍ରମାନେ ଓ ପଞ୍ଚ ପାଣ୍ଡବଙ୍କର ପୁତ୍ରମାନେ ନିହିତ ହୋଇଥିଲା ।

 

 

 

 

 

(ଉପରୋକ୍ତ ନାମଧାରୀମାନଙ୍କ ମଧ୍ୟରୁ କେତେକଙ୍କର ଏକାଧିକ ପୁତ୍ର ସନ୍ତାନ ଜାତ ହୋଇଥିଲେ ମଧ୍ୟ ଏହି ବଂଶ ବର୍ଣ୍ଣନାରେ କେବଳ ବଂଶରକ୍ଷାକାରୀଙ୍କର ନାମୋଲ୍ଲେଖ କରାଯାଇଅଛି ।)

 

 

 

କୁରୁକ୍ଷେତ୍ର

ଏକ ବିସ୍ତୃତ ରଣକ୍ଷେତ୍ର । ସେଠାରେ କୌରବ-ପାଣ୍ଡବଙ୍କ ମଧ୍ୟରେ ୧୮ଦିନ ବ୍ୟାପୀ ଅଭୂତପୂର୍ବ ସମର ଅନୁଷ୍ଠିତ ହୋଇଥିଲା ।

 

 

 

କୃପାଚାର୍ଯ୍ୟ

ପ୍ରକୃତ ନାମ କୃପ । ଏହାଙ୍କର ଭଗ୍ନୀ କୃପାଙ୍କୁ ଦ୍ରୋଣ ବିବାହ କରିଥିଲେ । କୌରବ ପାଣ୍ଡବଙ୍କର ଅସ୍ତ୍ରଶିକ୍ଷାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା ।

 

 

 

କୃଷ୍ଣ

ସ୍ୱୟଂ ଭଗବାନ୍‌ । ବସୁଦେବଙ୍କର ଔରସରେ ଦେବଜୀଙ୍କର ଗର୍ଭରୁ ଜାତ । ଯୁଧିଷ୍ଠିର ପ୍ରମୁଖ ପାଣ୍ଡବଙ୍କର ମାମୁଁ ପୁଅ ଭାଇ ।

 

 

 

କୌରବ

କୁରୁବଂଶର ଅନ୍ୟନାମ ।

 

 

 

ଗାନ୍ଧାରୀ

ରାଜା ସୁବଲଙ୍କର କନ୍ୟା । ସେ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ । ଦୁର୍ଯ୍ୟୋଧନ ପ୍ରମୁଖ ଶତପୁତ୍ର ଓ ଦୁଃଶଳା ନାମ୍ନି କନ୍ୟାର ସେ ଜନନୀ ।

 

 

 

ଗାଣ୍ଡୀବ

ଅର୍ଜ୍ଜୁନଙ୍କର ପ୍ରିୟ ଧନୁର ନାମ ।

 

 

 

ଘଟୋକଚ

ପାଣ୍ଡୁପୁତ୍ର ଭୀମସେନଙ୍କର ରାକ୍ଷସୀ ପତ୍ନୀ ହିଡ଼ିମ୍ବାର ଗର୍ଭଜାତ ପୁତ୍ର ।

 

 

 

ଜତୁଗୃହ

ଜଉ,ଛଣ, କାଠ, ତେଲ, ଝୋଟ, ଓ ବାରୁଦ ଆଦି ବିସ୍ଫୋରକ ଓ ଦାହ୍ୟ ଦ୍ରବ୍ୟ ନିର୍ମିତ ଗୃହ । ଏହି ଗୃହରେ ଅତି ସହଜରେ ଅଗ୍ନି ସଯୋଗ କରାଯାଇ ପାରେ । ପାଣ୍ଡବମାନଙ୍କୁ ଭସ୍ମୀଭୂତ କରିବା ଉଦ୍ଦେଶ୍ୟରେ ପୁରୋଚନ ସାହାଯ୍ୟରେ ଦୁର୍ଯ୍ୟୋଧନଙ୍କ ଦ୍ୱାରା ନିର୍ମିତ ଗୃହ ବିଶେଷ ।

 

 

 

ଜୟଦ୍ରଥ

ସିନ୍ଧୁ ଦେଶର ରାଜା । ଧୃତରାଷ୍ଟ୍ରଙ୍କ କନ୍ୟା ଦୁଃଶଳାଙ୍କୁ ସେ ବିବାହ କରିଥିଲେ ।

 

 

 

ଦୁଃଶଳା

ଧୃତରାଷ୍ଟଙ୍କର ଏମକାତ୍ର କନ୍ୟା ଓ ସିନ୍ଧୁରାଜ ଜୟଦ୍ରଥଙ୍କର ପତ୍ନୀ ।

 

 

 

ଦୁଃଶାସନ

ଧୃତରାଷ୍ଟ୍ରଙ୍କର ଏକଶତ ପୁତ୍ରଙ୍କ ମଧ୍ୟରୁ ଅନ୍ୟତମ ।

 

 

 

ଦୁର୍ଯ୍ୟୋଧନ

ଧୃତରାଷ୍ଟ୍ରଙ୍କର ଜ୍ୟେଷ୍ଠ ପୁତ୍ର ।

 

 

 

ଦୁର୍ବବାସା

ଜନୈକ ୠଷି । ତାଙ୍କର ତପସ୍ୟାର ଶକ୍ତି ଅଲୌକିକ ଥିଲା ଓ ସେ ନିଜର କ୍ରୋଧ ନିମନ୍ତେ ସୁପରିଚିତ ଥିଲେ ।

 

 

 

ଦ୍ରୁପଦ

ପାଞ୍ଚାଳ ଦେଶର ରାଜା । ସେ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଲାଭ କରିଥିଲେ । ପୁତ୍ରର ନାମ ଧୃଷ୍ଟଦ୍ୟୁମ୍ନ ଓ କନ୍ୟାର ନାମ ଦ୍ରୌପଦୀ । ଦ୍ରୁପଦଙ୍କର ଅନ୍ୟ ପୁତ୍ରର ନାମ ଶିଖଣ୍ଡି । ଦ୍ରୁପଦ ପଞ୍ଚ ପାଣ୍ଡବଙ୍କର ଶ୍ୱଶୁର ।

 

 

 

ଦ୍ରୋଣ

ଭରଦ୍ୱାଜଙ୍କର ପୁତ୍ର । କୌରବ ଓ ପାଣ୍ଡବମାନଙ୍କର ଶିକ୍ଷାଗୁରୁ ତାଙ୍କର ପୁତ୍ରଙ୍କର ନାମ ଅଶ୍ୱତ୍‌ଥାମା ।

 

 

 

ଦ୍ରୌପଦୀ

ପାଞ୍ଚାଳ ଦେଶର ରାଜା ଦ୍ରୁପଦଙ୍କର କନ୍ୟା । ସେ ଯଜ୍ଞକୁଣ୍ଡରୁ ଆବିର୍ଭୂତା ହୋଇଥିଲେ । ତାଙ୍କର ନାମ କୃଷ୍ଣା । ସେ ମଧ୍ୟ ପାଞ୍ଚାଳୀ, ଦ୍ରୌପଦୀ, ଯାଜ୍ଞସେନୀ, ନାମରେ ପରିଚିତ । ଯୁଧିଷ୍ଠିର ପ୍ରମୁଖ ପଞ୍ଚ ପାଣ୍ଡବଙ୍କର ଧର୍ମ ପତ୍ନୀ । ତାଙ୍କ ଗର୍ଭରୁ ଯୁଧିଷ୍ଠିରଙ୍କ ଔରସରେ ପ୍ରତିବିନ୍ଧ୍ୟ, ଭୀମସେନଙ୍କ ଔରସରେ ଶ୍ରୁତସୋମ, ଅର୍ଜ୍ଜୁନଙ୍କ ଔରସରେ ଶ୍ରୁତକୀର୍ତ୍ତି,ନକୁଳଙ୍କ ଔରସରେ ଶତାନୀକ ଓ ସହଦେବଙ୍କ ଔରସରେ ଶ୍ରୁତସେନ ନାମରେ ପଞ୍ଚ ପୁତ୍ର ଜନ୍ମ ଲାଭ କରିଥିଲେ ।

 

 

 

ଧୃତରାଷ୍ଟ୍ର

ବିଚିତ୍ରବୀର୍ଯ୍ୟଙ୍କର ପତ୍ନୀ ଅମ୍ବିକାଙ୍କ ଗର୍ଭରୁ ବ୍ୟାଦେବଙ୍କ ଔରସରେ ତାଙ୍କର ଜନ୍ମ । ସେ ଜନ୍ମାନ୍ଧ । ଦୁର୍ଯ୍ୟୋଧନ ପ୍ରମୁଖ ଶତପୁତ୍ର ସେ ଲାଭ କରିଥିଲେ । ଗାନ୍ଧାରୀ ତାଙ୍କର ପତ୍ନୀ ।

 

 

 

ଧୃତରାଷ୍ଟ୍ରଙ୍କର

ପୁତ୍ର କନ୍ୟାର ନାମ-(ବୟସ କ୍ରମରେ) ୧-ଦୁର୍ଯୋଧନ, ୨-ଯୁଯୁତ୍‌ସୁ, ୩-ଦୁଃଶାସନ, ୪-ଦୁଃସହ, ୫-ଦୁଃଶଳ, ୬-ଦୁର୍ମୁଖ, ୭-ବିବିଂଶତ, ୮-ବିକର୍ଣ୍ଣ, ୯-ଜଳସନ୍ଧ, ୧୦-ସୁଲୋଚନ, ୧୧-ବିନ୍ଦ୍ର, ୧୨-ଅନୁବିନ୍ଦ, ୧୩-ଦୁର୍ଦ୍ଧର୍ଷ, ୧୪-ସୁବାହୁ, ୧୫-ସୁପ୍ରଧର୍ଷଣ, ୧୬-ଦୁର୍ମର୍ଷଣ, ୧୭-ଦୁର୍ମ୍ମୁଖ, ୧୮-ଦୁଷ୍କର୍ଷଣ,୧୯-କର୍ଣ୍ଣ, ୨୦-ଚିତ୍ର, ୨୧-ଉପଚିତ୍ର, ୨୨-ଚିତ୍ରାକ୍ଷ, ୨୩-ଚାରୁଚିତ୍ର, ୨୪-ଅଙ୍ଗଦ, ୨୫-ଦୁର୍ମଦ, ୨୬-,ଦୁଷ୍ପ୍ରହର୍ଷ, ୨୭-ବିବିତ୍‌ସ୍ତୁ, ୨୮-ବିକଟ, ୨୯-ସମ, ୩୦-ଉର୍ଣ୍ଣନାଭ, ୩୧-ପନ୍ମନାଭ, ୩୨-ନନ୍ଦ, ୩୩-ଉପନନ୍ଦ, ୩୪-ସେନାପତି, ୩୫-ସୁସେନ, ୩୬-କୁଣ୍ଡୋଦର, ୩୭-ମହୋଦର, ୩୮-ଚିତ୍ରବାହୁ, ୩୯-ଚିତ୍ରବର୍ମା, ୪୦-ସୁକର୍ମା, ୪୧-ଦୁର୍ବଲୋଚନ, ୪୨-ଆୟୋବାହୁ, ୪୩-ମହାବାହୁ, ୪୪-ଚିତ୍ରରୂପ, ୪୫-ସୁକୁଣ୍ଡଳ, ୪୬-ଭୀମବେଗ, ୪୭-ଭୀମବଳ, ୪୮-ବଳାକୀ, ୪୯-ଭୀମବିକ୍ରମ, ୫୦-ଉଗ୍ରାୟୁଧି, ୫୧-ଭୀମଶର, ୫୨-କନକକାୟୁ, ୫୩-ଦୃଢାୟୁଧି, ୫୪-ଦୃଢ଼କର୍ମା, ୫୫-ଦୃଢ଼କ୍ଷେତ୍ର, ୫୬-ସୋମକୀର୍ତ୍ତି, ୫୬-ଅନୁଦର, ୫୮-ଜରାସନ୍ଧ, ୫୯-ଦୃଢ଼ସନ୍ଧ, ୬୦-ସତ୍ୟସନ୍ଧ, ୬୧-ସହସ୍ର ବାହୁ, ୬୨-ଉଗ୍ରଶ୍ରବା, ୬୩-ଉଗ୍ରସେନ, ୬୪-କ୍ଷେମମୂର୍ତ୍ତି, ୬୫-ସେନାନୀ, ୬୬-ଅପରାଜିତା, ୬୭-ପଣ୍ଡିତକ, ୬୮-ବିଶାଳାକ୍ଷ, ୬୯-ଦୁରାଧନ, ୭୦-ଦୃଢ଼ହସ୍ତ, ୭୧-ସୁହସ୍ତ, ୭୨-ବାତବେଗ, ୭୩-ସୁବଟ୍ଟା, ୭୪-ଆଦିତ୍ୟକେତୁ, ୭୫-ବହଣୀ, ୭୬-ନାଗଦତ୍ତ, ୭୭-ଅଗ୍ରଯାୟୀ, ୭୮-କବଚୀ, ୭୯-ନିଃସଙ୍ଗୀ, ୮୦-ଦଣ୍ଡୀ, ୮୧-ଦଣ୍ଡାଧର, ୮୨-ଧନୁଗ୍ରହ, ୮୩-ଉଗ୍ର, ୮୪-ଭୀମରଥ, ୮୫-ବୀର, ୮୬-ବୀରବାହୁ, ୮୭-ଅୟୋଯୂପ, ୮୮-ଅଭୟ, ୮୯-ରୌଦ୍ରକର୍ମା, ୯୦-ଦୃଢ଼ରଥ, ୯୧-ଅନାଧୃଷ୍ୟ, ୯୨-କୁଣ୍ଡଭେଦୀ, ୯୩-ବିରାବୀ, ୯୪-ଦୀର୍ଘଲୋଚନ, ୯୫-ଦୀର୍ଘବାହୁ, ୯୬-ମହାବାହୁ, ୯୭-ବ୍ୟୁଢୋରୁ, ୯୮-କନକାଙ୍ଗଜ, ୯୯-କୁଣ୍ଡୂଜ, ୧୦୦-ଚିତ୍ରକ । ଏହି ଶତ ପୁତ୍ରଙ୍କ ଛଡ଼ା ଦୁଃଶଳା ନାମରେ ଗୋଟିଏ କନ୍ୟା ଓ ଦାସୀର ଗର୍ଭରୁ ଯୁଯୁତ୍‌ସୁ ନାମ ଏକ ପୁତ୍ର ମଧ୍ୟ ଧୃତରାଷ୍ଟ୍ର ଲାଭ କରିଥିଲେ ।

 

 

 

ଧୃଷ୍ଟଦ୍ୟୁମ୍ନ

ପାଞ୍ଚାଳ ଦେଶର ରାଜା ଦ୍ରୁପଦଙ୍କର ପୁତ୍ର । ଦ୍ରୋଣଙ୍କୁ ବିନାଶ କରିବା ଉଦ୍ଦ୍ୟେଶରେ ସେ ଯଜ୍ଞକୁଣ୍ଡରୁ ଆବିର୍ଭୂତ ହୋଇଥିଲା ।

 

 

 

ଧୌମ୍ୟ

ଯୁଧିଷ୍ଠିରଙ୍କର ଅନ୍ୟତମ କୁଳଯୁରୋହିତ ଓ ପରାମର୍ଶଦାତା ।

 

 

 

ନକୁଳ

ପାଣ୍ଡୁଙ୍କର ଚତୁର୍ଥ ପୁତ୍ର । ପାଣ୍ଡୁଙ୍କର ପତ୍ନୀ ମାଦ୍ରୀଙ୍କ ଗର୍ଭରୁ ଅଶ୍ୱିନୀକୁମାରଙ୍କ ଔରସରେ ଯମକ ସନ୍ତାନ ରୂପେ ନକୁଳ ଓ ସହଦେବଙ୍କର ଜନ୍ମ ।

 

 

 

ପରୀକ୍ଷିତ

ଅଭିମନ୍ୟୁଙ୍କର ଔରସରେ ତାଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରୁ ଜାତ ପୁତ୍ର । ସେ ମୃତ ଅବସ୍ଥାରେ ଜନ୍ମ ହୋଇପରେ କୃଷ୍ଣଙ୍କର ଆଲୌକିକ ଆଶୀର୍ବାଦ ଫଳରେ ଜୀବନ ଲାଭ କରିଥିଲେ ।

 

 

 

ପାଣ୍ଡୁ

ବିଚିତ୍ରବୀର୍ଯ୍ୟଙ୍କର ପତ୍ନୀ ଅମ୍ବାଳିକାଙ୍କ ଗର୍ଭରୁ ବ୍ୟାସଦେବଙ୍କ ଔରସରେ ଜାତ ପୁତ୍ର । କୁନ୍ତୀ ଓ ମାଦ୍ରୀ ତାଙ୍କର ଦୁଇପତ୍ନୀ । ସେ ଯୁଧିଷ୍ଠିର ପ୍ରମୁଖ ପଞ୍ଚପାଣ୍ଡବଙ୍କର ଜନକ ।

 

 

 

ପାଣ୍ଡବ

ପାଣ୍ଡୁଙ୍କର ପୁତ୍ରମାନେ ପାଣ୍ଡବ ନାମରେ ପରିଚିତ ।

ବଳରାମ

ବସୁଦେବଙ୍କ ଔରସରେ ତାଙ୍କ ପତ୍ନୀ ରୋହିଣୀଙ୍କର ପୁତ୍ର ଓ ତେଣୁ କୃଷ୍ଣଙ୍କର ବିମାତା ପୁତ୍ର, ଜ୍ୟେଷ୍ଠ ଭ୍ରାତା

ବିକର୍ଣ୍ଣ

ଧୃତରାଷ୍ଟ୍ରଙ୍କର ଅନ୍ୟତମ ପୁତ୍ର ।

ବିଚିତ୍ରବୀର୍ଯ୍ୟ

ରାଜା ଶାନ୍ତନୁଙ୍କର ଔରସରେ ପତ୍ନୀ ସତ୍ୟବତୀଙ୍କ ଗର୍ଭରୁ ଜାତ ପୁତ୍ର । ଅମ୍ବିକା ଓ ଅମ୍ବାଳିକା ତାଙ୍କର ଦୁଇ ପତ୍ନୀ । ଭୀଷ୍ମ ତାଙ୍କର ବିମାତାପୁତ୍ର ଭ୍ରାତା ।

ବିଦୁର

ବ୍ୟାସଙ୍କ ଔରସରେ ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଅମ୍ବିକାଙ୍କର ଜନୈକା ଶୂଦ୍ରାଦାସୀର ଗର୍ଭଜାତ ପୁତ୍ର । ୠଷି ଅଭିଶାପ ଫଳରେ ଭଗବାନ ଧର୍ମ ବିଦୁର ରୂପରେ ଜନ୍ମଗ୍ରହଣ କରିଥିଲେ ।

ବିରାଟ

ମତ୍ସ୍ୟ ଦେଶର ରାଜା । ଅର୍ଜ୍ଜୁନ-ପୁତ୍ର ଅଭିମନ୍ୟୁଙ୍କର ଶ୍ୱଶୁର ।

ବ୍ୟାସଦେବ

ମହାଭାରତ ରଚୟିତା । ୠଷି ପରାଶରଙ୍କର ଔରସରେ କୁମାରୀ ସତ୍ୟବତୀଙ୍କର ଗର୍ଭରୁ ସେଜାତ ହୋଇଥିଲେ । ତାଙ୍କର ଆଶୀର୍ବାଦରେ ବିଚିତ୍ର ବୀର୍ଯ୍ୟଙ୍କର ବିଧବା ପତ୍ନୀ ଅମ୍ବିକା ଓ ଅମ୍ୱାଳିକାଙ୍କ ଗର୍ଭରୁ ଯଥାକ୍ରମେ ଧୃତରାଷ୍ଟ୍ର ଓ ପାଣ୍ଡୁ ଜାତ ହୋଇଥିଲା । ସେ ମଧ୍ୟ ବିଦୁରଙ୍କ ଜନ୍ମଦାତା । ଦ୍ୱୈପାନୟ, କୃଷ୍ଣଦ୍ୱୈପାୟନ, ବଦରାୟଣ, ବେଦବ୍ୟାସ, ନାମରେ ସେ ମଧ୍ୟ ପରିଚିତ ।

ଭୀମସେନ

ପାଣ୍ଡୁଙ୍କର ଦ୍ୱିତୀୟ ପୁତ୍ର । ଭଗବାନ ବାୟୁଙ୍କର ଆଶୀର୍ବାଦରେ କୁନ୍ତୀଙ୍କ ଗର୍ଭରୁ ସେ ଜାତ ହୋଇଥିଲେ । ଶାରୀରିକ ବଳ ପାଇଁ ସେ ବିଶେଷ ଖ୍ୟାତି ।

ଭୀଷ୍ମ

ରାଜା ଶାନ୍ତନୁଙ୍କର ଔରସରେ ଗଙ୍ଗାଙ୍କ ଗର୍ଭରୁ ସେ ଜାତ ହୋଇଥିଲେ ତାଙ୍କର ପ୍ରଥମ ନାମ ଦେବବ୍ରତ ପିତାଙ୍କର ଆନନ୍ଦବର୍ଦ୍ଧନ ନିମନ୍ତେ କରିଥିବା କଠୋର ପ୍ରତିଜ୍ଞା ପାଇଁ ସେ ‘ଭୀଷ୍ମ’ ନାମରେ ପରିଚିତ

ମାଣ୍ଡବ୍ୟ

ଜନୈକ ଋଷି ।

ଯୁଧିଷ୍ଠିର

ପାଣ୍ଡୁଙ୍କର ଜ୍ୟେଷ୍ଠ ପୁତ୍ର । ଭଗବାନ୍‌ଧର୍ମଙ୍କ ଆାଶୀର୍ବାଦରେ କୁନ୍ତୀଙ୍କ ଗର୍ଭଜାତ ପୁତ୍ର ।

ଯୁଯୁତ୍‌ସୁ

ଧୃତରାଷ୍ଟ୍ରଙ୍କ ଔରସରେ ଜନୌକା ଦାସୀର ଗର୍ଭଜାତ ପୁତ୍ର ।

ଶାନ୍ତନୁ

ମହାରାଜ ପ୍ରତୀପଙ୍କର ପୁତ୍ର । ସେ ପ୍ରଥମେ ଦେବନନ୍ଦୀ ଗଙ୍ଗା ଓ ପରେ ଧୀବର କନ୍ୟା ସତ୍ୟବତୀଙ୍କୁ ବିବାହ କରିଥିଲେ । ଭୀଷ୍ମ, ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟଙ୍କର ସେ ଜନକ ।

ଶିଖଣ୍ଡି

ଦ୍ରୁପଦଙ୍କ ପୁତ୍ର । ସେ ଭୀଷ୍ମହନ୍ତା ରୂପେ ଜନ୍ମ ହୋଇଥିଲେ । ପୂର୍ବଜନ୍ମରେ ସେ କାଶୀରାଜାଙ୍କର କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ ଓ ସେତେବେଳେ ତାଙ୍କର ନାମ ଥିଲା ଅମ୍ବା । ସେ ଧୃଷ୍ଟଦ୍ୟୁମ୍ନ ଓ ଦ୍ରୌପଦୀଙ୍କର ଭ୍ରାତା ।

ଶୂର

ବସୁଦେବଙ୍କର ପିତା । ସେ ମଧ୍ୟ କୁନ୍ତୀଙ୍କର ଜନ୍ମିତ ପିତା ।

ସତ୍ୟବତୀ

ଦାସରାଜାଙ୍କର ପାଳିତ କନ୍ୟା । ମତ୍ସ୍ୟଗର୍ଭରୁ ସେ ଜାତ । ହେଇଥିବାରୁ ତାଙ୍କର ନାମ ଥିଲା ମତ୍ସ୍ୟଗନ୍ଧା ସତ୍ୟବତୀ । ସେ କୁମାରି ଥିବା ସମୟରେ ଋଷି ପରାଶରଙ୍କୁ ସନ୍ତୁଷ୍ଟ କରି ବ୍ୟାସଦେବଙ୍କର ଜନ୍ମ ଦେଇଥିଲେ । ପରେ କୁରୁବଂଶର ରାଜା ଶାନ୍ତନୁଙ୍କୁ ବିବାହ କରି ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମରେ ଦୁଇଟା ପୁତ୍ରଙ୍କ ଜନ୍ମ ଦେଇଥିଲେ ।

ସହଦେବ

ପାଣ୍ଡୁଙ୍କର କନିଷ୍ଠ ପୁତ୍ର । ମାଦ୍ରୀଙ୍କ ଗର୍ଭରୁ ଭଗବାନ୍‌ଅଶ୍ୱିନୀକୁମାରଙ୍କ ଔରସରେ ନକୁଳଙ୍କ ସହ ଯମକ ସନ୍ତାନ ରୂପେ ଜନ୍ମ ହୋଇଥିଲେ ।

ସାତ୍ୟକି

ଜନୈକ୍ୟ ଯାଦବ ବୀର ।

ସୁଦେଷ୍ଣା

ମତ୍ସ୍ୟଦେଶର ରାଜା ବିରାଟଙ୍କର ଯତ୍ନୀ ।

ସୁଭଦ୍ରା

କୃଷ୍ଣଙ୍କର ବୈମାତୃକ ଭଗ୍ନୀ । ଅର୍ଜ୍ଜୁନଙ୍କର ପତ୍ନୀ ଓ ଅଭିମନ୍ୟୁୟଙ୍କର ଜନନୀ ।

ହସ୍ତିନାପୁର

କୌରବମାନଙ୍କର ପୂର୍ବପୁରୁଷଙ୍କ ମଧ୍ୟରେ ହସ୍ତୀ ନାମରେ ଜନୈକ ନରପତି ଏହି ନଗର ସ୍ଥାପନ କରି ଥିବାରୁ ତାଙ୍କ ନାମାନୁସାରେ ଏହା ପରିଚିତ ।

ହିଡ଼ିମ୍ବା

ଭୀମସେନଙ୍କର ରାକ୍ଷସୀ ପତ୍ନୀ । ଘଟୋତ୍କଚର ମାତା ।

Image